Unknown

 

 

 

 

 

 

 

 

 

ଚଲାପଥର ଗୀତିଗାଥା

ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ

ଡକ୍ଟର ହରିପଦ ଶତପଥୀ

 

 

ଆଦ୍ୟପାଦ

 

ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ ବଙ୍ଗଳା ଭାଷାର ଜଣେ ସୁପ୍ରସିଦ୍ଧ ଓ ପ୍ରଥିତଯଶା ଲେଖକ । ତାଙ୍କର ଅବିସ୍ମରଣୀୟ କୃତିମାନଙ୍କ ମଧ୍ୟରେ ‘ପଥେର ପାଁଚାଲୀ’ ଏକ ଯୁଗାନ୍ତକାରୀ ଉପନ୍ୟାସ । ଏଥିରେ ଭାରତୀୟ ଜନଜୀବନର ସାମାଜିକ ଚିତ୍ର, ବିଶେଷ କରି ଗ୍ରାମ୍ୟ ଜୀବନର ଆଲେଖ୍ୟ ଜାଜ୍ୱଲ୍ୟମାନ । ତାଙ୍କର ବର୍ଣ୍ଣନା ଶୈଳୀ ବାସ୍ତବିକ ହୃଦୟ ସ୍ପର୍ଶୀ ।

 

ଡକ୍ଟର ହରିପଦ ଶତପଥୀ ଜଣେ ସ୍ୱଭାବସୁଲଭ ଅନୁବାଦକ । ତାଙ୍କର ନିଜସ୍ୱ ସୃଷ୍ଟି ରହିଛି । ଗଳ୍ପ, କବିତା, ସମାଲୋଚନା ଆଦିରେ ସେ ସିଦ୍ଧହସ୍ତ । ବିଶେଷ କରି ବଙ୍ଗଳା ସାହିତ୍ୟରେ ତାଙ୍କ ପାରଦର୍ଶିତା ଉଲ୍ଲେଖନୀୟ । ସେ ଉଭୟ ଭାଷାରୁ ଭାଷାନ୍ତର କରି ସୁନାମ ଅର୍ଜନ କରିଛନ୍ତି । ‘ପଥେର ପାଁଚାଲୀ’କୁ ଓଡ଼ିଆରେ ଅନୁବାଦ କରି ଏକ ନିଛକ ମୂଳଲେଖା ପରି ପ୍ରତିପାଦିତ କରିପାରିଛନ୍ତି ଶ୍ରୀଯୁକ୍ତ ଶତପଥୀ । ସୁନ୍ଦର ନାମକରଣ କରିଛନ୍ତି ମଧ୍ୟ ‘ଚଲାପଥର ଗୀତିଗାଥା’ । ଆଶା, ଏହା ନିଶ୍ଚିତଭାବେ ଅଜସ୍ର ପାଠକୀୟ ସ୍ୱୀକୃତି ଲାଭ କରିବ ।

 

ସାଂସ୍କୃତିକ ଓ ସାରସ୍ୱତ ଆଦାନପ୍ରଦାନ ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର । ଅନ୍ୟାନ୍ୟ ଭାରତୀୟ ଭାଷାର ଉତ୍କୃଷ୍ଟ ଲେଖାକୁ ଓଡ଼ିଆ ଭାଷାକୁ ଅନୁବାଦ କରାଇବା ଓ ଓଡ଼ିଆ ଭାଷାର ଅନବଦ୍ୟ ସୃଷ୍ଟି ସମୂହକୁ ଅନ୍ୟ ଭାଷାରେ ଅନୁବାଦ କରାଇ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହିକ୍ରମରେ ‘ଚଲାପଥର ଗୀତିଗାଥା’ ଓଡ଼ିଶାର ଅଗଣିତ ପାଠକ/ପାଠିକାମାନଙ୍କୁ ଉପହାର ଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ନିଜକୁ ଗୌରବାନ୍ୱିତ ମନେ କରୁଛି ।

 

ବିଜୟ କୁମାର ନାୟକ

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଭୂମିକା

 

ପ୍ରାନ୍ତୀୟ ବଙ୍ଗଳା ସାହିତ୍ୟର ସୁପ୍ରସିଦ୍ଧ ଔପନ୍ୟାସିକ ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ ଏକ ଅବିସ୍ମରଣୀୟ ନାମ । ସାହିତ୍ୟ କୃତି କ୍ଷେତ୍ରରେ ତାଙ୍କର ଅବଦାନ ପ୍ରଣିଧାନଯୋଗ୍ୟ । ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଭ୍ରମଣକାହାଣୀ ଓ ଶିଶୁଲେଖା ନିମନ୍ତେ ସେ ସମଗ୍ର ଭାରତ ବର୍ଷରେ ଜଣେ ପ୍ରଥିତଯଶା ଓ ଲବ୍‌ଧପ୍ରତିଷ୍ଠ ସ୍ରଷ୍ଟା-ଏଥିରେ ତିଳେମାତ୍ର ଦ୍ୱିରୁକ୍ତି ନାହିଁ । ତାଙ୍କରି ଲେଖାଗୁଡ଼ିକରେ ସହଜ, ସରଳ, ସାବଲୀଳ ପ୍ରକାଶ ଭଙ୍ଗୀ ଓ ଶିଶୁ ସୁଲଭ ଦୃଷ୍ଟି ମାଧ୍ୟମରେ ପ୍ରକୃତିର ଜଟିଳ ସମସ୍ୟାକୁ ଦେଖିପାରିବାର ବୈଶିଷ୍ଟ୍ୟ ତାଙ୍କର ସର୍ଜନାଗୁଡ଼ିକୁ କାଳଜୟୀ କରିପାରିଛି । ତାଙ୍କର ପ୍ରଥମ ଉପନ୍ୟାସ “ପଥେର ପାଁଚାଲୀ’’ ଆଜିଠାରୁ ପ୍ରାୟ ଅଶୀବର୍ଷ ତଳର ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ଯୁଗୋପଯୋଗିତା ଓ ବର୍ଣ୍ଣନାଶୈଳୀ ଏବେବି ନୂତନତ୍ତ୍ୱ ବହନକରେ । ମନେହୁଏ, ସତେ ଯେମିତି ଅନେକ ଦିନ ତଳୁ ହଜିଯାଇଥିବା ସ୍ମୃତିଟିଏ ମନକୁ ଆବୋରି ବସିଛି । ଜଣାଯାଏ, କେଉଁଠି, ଯେମିତି ଏ ଘଟନା ସହିତ ଆମର ଏକ ନିବିଡ଼ ସମ୍ପର୍କ ଅଛି । କିମ୍ବା, ବର୍ଣ୍ଣିତ କରୁଣ ଓ ବେଦନାର୍ତ୍ତ ଘଟନାଟି ଅତି ସାଧାରଣ ଭାବରେ ଘଟିଯାଇଛି, ଯାହା ଦୈନନ୍ଦିନ ଜୀବନରେ ଘଟିଥାଏ । କେଉଁଠି, କେମିତି ହୃଦୟର ଗଭୀରତମ ଅଦେଖା ଅଳିନ୍ଦରେ ଏକ କ୍ଷତ ସୃଷ୍ଟି କରିଯାଏ, ସବୁରି ଅଜାଣତରେ । ଅତି ସରଳ ଅଥଚ ନିରାଡ଼ମ୍ବର ଭାବରେ ଦେଖୁଥିବା ଏକ କୁହୁକ ପରି । ଗ୍ରାମାଞ୍ଚଳର ବୟସ୍କ ଓ ତରୁଣମାନଙ୍କ ମନରେ ଏକ ନୀରବ, ନିଛକ ଓ ଲିଭି ଆସୁଥିବା ଗ୍ରାମୀଣ ପ୍ରକୃତି ଓ ଚରିତ୍ରମାନଙ୍କର ଛବି ଆଙ୍କିଦିଏ ।

 

୧୯୨୯ ମସିହାରେ ରଚିତ ଏହି ଉପନ୍ୟାସଟି ପ୍ରଥମେ ୧୯୩୫ ମସିହାରେ ବଙ୍ଗଳା ପତ୍ରିକା “ବିଚିତ୍ରା’’ର ଦ୍ୱିତୀୟ ବର୍ଷର ପ୍ରଥମ ସଂଖ୍ୟାରେ ଧାରାବାହିକଭାବେ ପ୍ରକାଶିତ ହୋଇ ୧୯୩୮ ମସିହାରେ ଶେଷ ହୋଇଥିଲା । ସେତେବେଳକୁ ତାଙ୍କର ଅନ୍ୟତମ କାଳଜୟୀ ଉପନ୍ୟାସ ‘ଅପରାଜିତ’ ୧୯୩୨ରେ ଓ ‘ଦୃଷ୍ଟିପ୍ରଦୀପ’ ୧୯୩୫ରେ ପ୍ରକାଶିତ ହୋଇସାରିଥିଲା । ତାଙ୍କର ଉପନ୍ୟାସ ମଧ୍ୟରେ ‘ଆରଣ୍ୟକ’ ୧୯୩୨ରେ ‘ଆଦର୍ଶ ହିନ୍ଦୁ ହୋଟେଲ’ ୧୯୪୦ ମସିହାରେ ପ୍ରକାଶିତ ହୋଇଥିଲା । ପରକୁ ପର ଅନେକଗୁଡ଼ିଏ ଉପନ୍ୟାସ ଅବିଚ୍ଛିନ୍ନ ଭାବରେ ଲେଖିଥିଲେ ମଧ୍ୟ ତାଙ୍କର ପ୍ରଥମ ଉପନ୍ୟାସ ‘ପଥେର ପାଁଚାଲୀ’ ବେଶ୍‌ ଖ୍ୟାତି ଓ ସୁନାମ ଅର୍ଜନ କରିଥିଲା । ବିଶେଷକରି ବିଶ୍ୱବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଏହା ଏକ ବିଶ୍ୱ ଆନ୍ଦୋଳନର ରୂପରେଖ ନେଇପାରିଥିଲା । ତା’ପରେ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରଚେଷ୍ଟାରେ ଏହି ଉପନ୍ୟାସଟି ପୃଥିବୀର ବିଭିନ୍ନ ଭାଷା ସମେତ ଭାରତୀୟ ଆଞ୍ଚଳିକ ଭାଷାରେ ମଧ୍ୟ ଅନୁଦିତ ହୋଇଥିଲା । ୧୯୬୮ ମସିହାରେ ଫରାସୀଭାଷାରେ ମ୍ୟାଡମ୍‌ ଫ୍ରାନ୍‌ସ ଭଟ୍ଟାଚାର୍ଯ୍ୟଙ୍କଦ୍ୱାରା UNESCOର ମିଳିତ ସହଯୋଗରେ ଅନୁଦିତ ହୋଇଥିଲା । ପରେ ପରେ ରୂଷୀୟ ଓ ଜର୍ମାନୀ ଭାଷାରେ ମଧ୍ୟ ଏହାର ଅନୁବାଦ ପ୍ରକାଶ ପାଇଥିଲା । କିନ୍ତୁ, ଏଠାରେ ଏକ ଉଲ୍ଲେଖଯୋଗ୍ୟ ବିଷୟ ଯେ ଆଞ୍ଚଳିକ ଓ ପ୍ରବାସୀ ଭାଷାରେ ଏହାର ପ୍ରଥମ ଭାଗ କିମ୍ବା ଶେଷଭାଗଟିକୁ ଅନୁବାଦରେ ଗୁରୁତ୍ୱ ଦିଆଯାଇନି ଓ ଇଚ୍ଛାକୃତଭାବେ ସ୍ଥଳବିଶେଷରେ ଏହାକୁ ବାଦ୍‌ ମଧ୍ୟ ଦେଇଛନ୍ତି ।

 

“ପଥେର ପାଁଚାଲୀ’’ ଉପନ୍ୟାସଟି ମୂଳତଃ ତିନିଭାଗରେ ବିଭକ୍ତ । ପ୍ରଥମ ଭାଗଟି ‘ବଲ୍ଲାଲୀ ବାଲାଇ’ ବା ‘ଅଲୋଡ଼ା କୁଳୀନା’ ମଧ୍ୟଭାଗ ତଥା ମୁଖ୍ୟ କାହାଣୀଟି “ଆମ୍ବ ଆଁଟିର ଭେଁପୁ’’ ବା “ଆମ୍ବ କୋଇଲୀର ତୁରୀ’’ ଓ ଶେଷଭାଗଟି “ଅକ୍ରୁର ସମ୍ବାଦ’’କୁ ନେଇ ନାୟକ ଅପୁର ସଂସାର ଗଢ଼ି ଉଠିଛି ।

 

କେତେକ ଆଲୋଚକଙ୍କ ମତରେ ପ୍ରଥମ ଭାଗର ଗୁରୁତ୍ୱ ମୁଖ୍ୟ ଉପନ୍ୟାସ ଉପରେ ପ୍ରଭାବହୀନ ଅଟେ । ଯଦି ବା ପାଞ୍ଚୋଟି ମୁଖ୍ୟ ଚରିତ୍ରର ଅୟମାରମ୍ଭ ଏହି ବିଭାଗରେ ପ୍ରତିଫଳିତ ତଥାପି ଏହା ଇନ୍ଦିର ଠାକୁରାଣୀର ଜୀବନଧାରା ଓ ତା’ର କରୁଣ ଅନ୍ତ ଉପରେ ଆଧାରିତ । ଏହିଠାରୁ ଚଲାରାସ୍ତାର ଗତିପଥରେ ପରିବର୍ତ୍ତନ ଆସିଛି । କାହାଣୀରେ ନୂତନ ରୂପରେଖ ସୃଷ୍ଟି ହୋଇଛି । ଚଳଚଞ୍ଚଳତା ଆସିଛି ଏବଂ ଏକ ଅଦୃଷ୍ଟ ଅଥଚ ପୂର୍ବ ନିର୍ଦ୍ଧାରିତ ମହାକାଳର ସ୍ରୋତରେ ସାମିଲ ହୋଇ ପୂର୍ବ ସଂହତିକୁ ବଳବତ୍ତର କରିପାରିଛି, କାରଣ ଓ ତା’ର ପରିଣାମର ଅତି ମନ୍ଥର ଗତିରେ, ଚଲାପଥର ପ୍ରତିଟି ଗୋଡ଼ିମାଟିରେ, ମାଇଲଖୁଣ୍ଟିରେ । ହୁଏତ, ମହାକାଳ ଏକ ଅନିର୍ଦ୍ଦିଷ୍ଟ ପଥକୁ ଇଙ୍ଗିତ ଇସାରାରେ ଟାଣିନେଇଛି ଏକ ପ୍ରବହମାନ ସାଧାରଣ ଘଟନାର ସ୍ରୋତଭଳି ।

 

ଦେଶର କିମ୍ବଦନ୍ତୀ ପ୍ରଚଳିତ କୌଳୀନ୍ୟ ପ୍ରଥାର ପ୍ରବର୍ତ୍ତନ ବଲ୍ଲାଲ ସେନ ନାମକ ଜନୈକ ରାଜାଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେହି ପ୍ରଥା ଅନୁସାରେ ଜଣେ ଜଣେ ନୈକଷ୍ୟ କୁଳୀନ ବହୁପତ୍ନୀ ଗ୍ରହଣ କରିପାରୁଥିଲେ । ଏମିତି କି ଜଣେ ପୁରୁଷ ପଚାଶରୁ ଶହେ କିମ୍ବା ତା’ଠାରୁ ଅଧିକ ସ୍ତ୍ରୀର ସ୍ୱାମୀରୂପେ କାର୍ଯ୍ୟନିର୍ବାହ କରୁଥିଲେ । ଅତ୍ୟନ୍ତ ବୃଦ୍ଧ କୁଳୀନ ଜାମାତାମାନେ ବର୍ଷର ବିଭିନ୍ନ ସମୟରେ ପାଳିକରି ନିଜର ଶ୍ୱଶୁର ଘରମାନଙ୍କୁ ଗସ୍ତ କରୁଥିଲେ । ରାତିଟିଏ କିମ୍ବା ଦୁଇରାତି ଯାପନ କରି ପରଦିନ ମୋଟା ପାଉଣାପତ୍ର ଆଦାୟ କରି ଅନ୍ୟ ସ୍ଥାନମାନଙ୍କରେ ଥିବା ଶ୍ୱଶୁରାଳୟ ଯାତ୍ରା କରୁଥିଲେ । ସ୍ତ୍ରୀମାନେ ଯେ ଯାହାର ପିତ୍ରାଳୟରେ ଅବସ୍ଥାନ କରୁଥିଲେ କୁଳୀନ ସ୍ତ୍ରୀ ରୂପରେ । ପିତାମାତାଙ୍କର ମୃତ୍ୟୁପରେ ଏମାନଙ୍କ ଦୁର୍ଦ୍ଦଶା ଚରମ ଅବସ୍ଥାରେ ପହଞ୍ଚି ଯାଉଥିଲା । ଭାଇ, ଜ୍ଞାତି କୁଟୁମ୍ବ କିମ୍ବା ଅନ୍ୟାନ୍ୟ ଆତ୍ମୀୟମାନଙ୍କର ଗଳଗ୍ରହରୂପେ ଅଲୋଡ଼ା ଜୀବନଯାପନ କରୁଥିଲେ । ଏମାନେ ସବୁ ସାମାଜିକ ସ୍ତରରେ ‘ଅଲୋଡ଼ା କୁଳୀନା’ ଚରିତ୍ରରେ ରୁପାୟିତ ହେଉଥିଲେ । ଦୁଃଖ ଦୁର୍ଦ୍ଦଶାର କାକୁଡ଼ି ପାହାରରେ ଏମାନଙ୍କ ଜୀବନ ଦୂବ ଘାସ ପରି କେବେ ପାଦତଳେ ଦଳିଚକଟି ମରିଯାଉଥିଲା ତ ପୁଣି କେବେ ବଞ୍ଚି ରହିବାର ଦୁର୍ବାର ମୋହରେ ପାଦତଳ ମାଟିରୁ ଗଜୁରି ଉଠୁଥିଲା । କିନ୍ତୁ ପ୍ରାୟତଃ ସେମାନେ ସାମାଜିକ ସ୍ତରରେ ଅଲୋଡ଼ା ହନ୍ତସନ୍ତ ହୋଇଯାଉଥିଲେ ।

 

ଏମିତି ଏକ ଚରିତ୍ର ଇନ୍ଦିର ଠାକୁରାଣୀର ଜୀବନଧାରାରୁ ଉପନ୍ୟାସର ଆକସ୍ମିକ ଅୟମାରମ୍ଭ । ତା’ ସହିତ ଆନୁସଙ୍ଗିକ ପରବର୍ତ୍ତୀ କାହାଣୀର ଚରିତ୍ରମାନଙ୍କର ଅଙ୍କୁରୋଦ୍‌ଗମ ଉପନ୍ୟାସର ଭବିଷ୍ୟତ କ୍ରମଧାରାକୁ ଉଜ୍ଜୀବିତ କରିଛି । ହଜାର ହଜାର ଅଲୋଡ଼ା କୁଳୀନାମାନଙ୍କର ଦୁଃସ୍ୱପ୍ନରେ ଓ ଦୟନୀୟ ଭାବରେ ଶେଷ ହୋଇଯାଇଛି । ଇନ୍ଦିର ଠାକୁରାଣୀର ମୃତ୍ୟୁରେ ସେ ସମୟରେ ସେ ଅଞ୍ଚଳର ଗୋଟିଏ ପୀଢିର ଅବସାନ ଘଟିଗଲା ଅତି ସହଜ, ସରଳ ସାଧାରଣ ଭାବରେ ।

 

ଉପନ୍ୟାସର ଦ୍ୱିତୀୟ ଭାଗଟି ପ୍ରକୃତରେ ମୁଖ୍ୟ ଓ ଶ୍ରେଷ୍ଠ ଅଂଶ । ଏହା ତେଇଶଗୋଟି ପରିଚ୍ଛେଦ ମଧ୍ୟରେ ସୀମିତ । ଏହା କେବଳ ଦୀର୍ଘତମ ଅଂଶ ନୁହେଁ, ଉପନ୍ୟାସର ସବୁଠୁ ମୂଲ୍ୟବାନ ସମ୍ପଦ । ଏହାରି ଭିତରେ ଅପୁର ଶିଶୁ ସୁଲଭ ମନରେ ଆନନ୍ଦମୟ ଚେତନାର ପରିପ୍ରକାଶ ଏବଂ ନିଶ୍ଚିନ୍ଦିପୁରର (ନିଶ୍ଚିନ୍ତପୁର) ପ୍ରକୃତି ସହିତ ତା’ର ଆତ୍ମାର ନିଗୂଢ଼ ସମ୍ପର୍କର ଏକ ରଙ୍ଗିନ ଆବେଗ ସ୍ପଷ୍ଟ ହୋଇଉଠିଛି ।

 

“ଆମ୍ବ ଆଁଟିର ଭେଁପୁ’’ ବା “ଆମ୍ବ କୋଇଲିର ତୁରୀ’’ ନାମରେ ଏହି ଭାଗଟି ଏକ ଗ୍ରାମୀଣ ଚିତ୍ର ଓ ତା’ର ଅନ୍ତରଆତ୍ମାର ପୁଲକ ସୃଷ୍ଟିକରେ । ଆମ୍ବ ଟାକୁଆ ଶୁଖିଗଲା ପରେ ତା’ର ଉପରିଭାଗ ଶୁଖିଲା ଖୋଳକୁ ବାହାର କରିଦେଲେ ତା’ ଭିତରୁ ଧଳା ରଙ୍ଗର ଏକ ନରମ କଷି ବାହାରିଥାଏ । ତାକୁ ଘଷି ଘଷି ମସୃଣ କଲେ, ତାହା ଏକ ତୁରୀ ବା ବଇଁଶୀ ସଦୃଶ ବନିଯାଏ । ଗାଁର ସରଳ ଶିଶୁ ଏହି ତୁରୀରେ ହିଁ ଜୀବନର ଶ୍ରେଷ୍ଠ ସଙ୍ଗୀତ ଓ ସ୍ୱର ଖୋଜିପାଇଥାଆନ୍ତି । ଏହାହିଁ ସୃଷ୍ଟି କରେ କବିଟିଏ । ଯିଏ ଆତ୍ମାକୁ ପ୍ରକୃତିର ନିଗୂଢ଼ ସତ୍ତାଭିତରେ ହଜେଇ ଦେଇ ଖୋଜେ ସୁଖଦୁଃଖର ଭିଜା ବାସ୍ନା, କରୁଣା ଓ ପ୍ରେମର ଅନାବିଳ ସ୍ପର୍ଶ, ଭୟ ଓ ଭ୍ରାନ୍ତିର ଔପଚାରିକତା । କୁହୁଡ଼ି ଭିତରେ ସ୍ପଟିକର ଆତ୍ମା । ବିଶେଷକରି ବଡ଼ ଭଉଣୀ ଦୁର୍ଗାର ଅଦମ୍ୟତା, ସାହସ ଓ ଭଲପାଇବାର ଭାବନା ଓ ସର୍ବୋପରି ତା’ର ଦୁଃଖଦ ଅନ୍ତ ଏକ ଗଭୀର ରେଖାପାତ କରିଛି, ଅପୁର କୋମଳ ମତିରେ । ବାରଣାସୀର ସହରୀଜୀବନ, ଗାଁର ବିଚ୍ଛେଦ, ଭୋକଉପାସର ଓ ଜୀବିକା ଉପାର୍ଜନରେ ଏକ କଷଣ ସେ ଦେଖିଛି କିନ୍ତୁ ଅନୁଭବ କରିପାରିନି । କୈଶୋରର ଏହାହିଁ ଧର୍ମ । ଜଣେ ସ୍ନେହ କରୁଥିବା ମା’ ଓ ଅର୍ଥ ଉପାର୍ଜନକାରୀ ବାପାର ବାହୁଚ୍ଛାୟାତଳେ ନିଜସ୍ୱ କିଛି ଚିନ୍ତା କରିବାର ଆବଶ୍ୟକତା ନ ଥାଏ । ତାକୁ “କାଳେ ବର୍ଷତୁ ପର୍ଜ୍ୟନଂ, ଲୋକାଃ ସନ୍ତୁ ନିରାମୟା’’ ଏକ ନାଟକୀୟ ଆକର୍ଷଣ ଭିତରେ ନିମଗ୍ନ କରେ । କବି ପ୍ରତିଭାର ଉଦ୍ରେକ କରାଏ । ଶେଷରେ ସ୍ନେହଶୀଳ ସେହି ପିତାର ଅକାଳ ବିୟୋଗ ତାକୁ ଟାଣିନିଏ ବାସ୍ତବିକତାର ଅନ୍ୟ ଏକ ନିଷ୍କରୁଣ ଇଲାକାକୁ.....

 

ହୁଏତ ଅନେକଙ୍କ ମତରେ “ପଥେର ପାଁଚାଲୀ’’ ଉପନ୍ୟାସର ଶେଷ ଏହିଠାରେ ଘଟି ଯାଇଛି । “ଅକ୍ରୁର ସମ୍ବାଦ’’ ଏକ ଅବାଞ୍ଚିତ ଘଟନା ବା ଅଦରକାରୀ ପରିଚ୍ଛେଦ ବୋଲି କେହି କେହି ମତବ୍ୟକ୍ତ କରିଥାନ୍ତି । କିନ୍ତୁ, ଏଇଠାରେହିଁ ଅପୁର ବାଲ୍ୟଲୀଳାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ନିଶ୍ଚିନ୍ଦିପୁରର ସମସ୍ତ ବାଲ୍ୟସ୍ମୃତି ପୁର୍ନଜାଗରିତ ହୋଇ ତା’ର କିଶୋର ମନକୁ ଆଚ୍ଛନ୍ନ କରିଛି । ବାଲ୍ୟ ସ୍ମୃତିର ମଧୁର ବାସ୍ନା, ନିଜଗାଁର ମଧୁମୟ ଅତୀତ, ଅହରହ ଏକ ତନ୍ଦ୍ରାବେଶ ସୃଷ୍ଟି କରିଛି । ଅପୁର ଅନ୍ତର୍ଦୃଷ୍ଟିରେ ନିଶ୍ଚିନ୍ଦିପୁରର କୁହୁକ ଧୀରେ ଧୀରେ ଅପସରି ଯାଇଛି ଏକ ଅଜ୍ଞାତନାମା ସହରର ଘଟନାବଳୀ ଭିତରେ । ମଣିଷ ଯାହା ଖୋଜେ, ତାହା ପାଏନି । ରାସ୍ତାର କୁହୁକ ତାକୁ ସର୍ବଦା ବାଟବଣା କରେ । ମନର ଅନ୍ତର୍ନିହିତ ବାସନାସବୁ ଚଲାପଥର ଅନିର୍ଦ୍ଦିଷ୍ଟ ଇସାରାରେ ମଳିନ ହୋଇଯାଏ ଏବଂ ତାହାହିଁ ଅତୀତର କର୍ମଫଳରୁ ଅନାଗତର ପରିଣାମ ପର୍ଯ୍ୟନ୍ତ ଅଜଗର ପରି ଲମ୍ବିଯାଇଥାଏ ।

 

କେତେକ ଆଲୋଚକଙ୍କ ମତରେ “ପଥେର ପାଁଚାଲୀ’’ ବିଭୂତି ଭୂଷଣଙ୍କ ଶ୍ରେଷ୍ଠ ଉପନ୍ୟାସ ନୁହେଁ, ବରଂ “ଆରଣ୍ୟକ’’ ଏ ସମ୍ମାନର ଅଧିକାରୀ ବୋଲି ସେମାନେ ବିବେଚନା କରିଥାଆନ୍ତି । ହୁଏତ କଥାଟି ସତ ହୋଇପାରେ କିନ୍ତୁ “ପଥେର ପାଁଚାଲୀ’’ ଅତ୍ୟନ୍ତ ଜନପ୍ରିୟ ଓ ହୃଦୟସ୍ପର୍ଶୀ ସୃଷ୍ଟି । ଏ କଥା ସତ ଯେ, ଏହି ଉପନ୍ୟାସରେ କୌଣସି କ୍ରମବର୍ଦ୍ଧିଷ୍ଣୁ ଘଟନାର ଚିତ୍ତାକର୍ଷକ କାହାଣୀ ନାହିଁ । କାହାଣୀରେ କୌଣସି ଜଟିଳ ଅର୍ନ୍ତଦ୍ୱନ୍ଦ୍ୱମୟ ଚରିତ୍ର ବି ନାହିଁ, ଶାଣିତ ଓ ବୁଦ୍ଧିଦୀପ୍ତ ସଂଳାପ ବି ନାହିଁ, ଚମକ୍‌ପ୍ରଦ ବା ଗଭୀର ମର୍ମସ୍ପର୍ଶୀ ଭାଷାର ଆଡ଼ମ୍ବର ନାହିଁ । ଏମିତିକି ଘଟନା ଚରିତ୍ରର କୌଣସି ଐତିହାସିକ ବା ସାମାଜିକ ଗୁରୁତ୍ୱ ନାହିଁ । ଅତ୍ୟନ୍ତ ସାଦାସିଧା, ସାଧାରଣ ଚରିତ୍ର ଓ କାହାଣୀର ପଟ୍ଟଭୂମି ଉପରେ ଆଧାରିତ । ବଙ୍ଗ ଦେଶର ଦୂରନ୍ତ ମଫସଲର ଜଣେ ସାଧାରଣ, ଅଭାବଗ୍ରସ୍ତ ଗୃହସ୍ଥ ଓ ତା’ ପରିବାରର ସୁଖଦୁଃଖର, ହସକାନ୍ଦର, ଆଶାନିରାଶାର, କରୁଣ ମଧୁର ଗଳ୍ପଟିଏ ମାତ୍ର । ତଥାପି, ଏହା ଏକ କାଳଜୟୀ କାହାଣୀର ମାନ୍ୟତା ପାଇଆସୁଛି । ହୁଏତ, ଏହାର ସୃଷ୍ଟିକାଳର ସାମାଜିକ ଓ ସାହିତ୍ୟିକ ପ୍ରଭାବର ବିଭ୍ରାନ୍ତି ତତ୍‌କାଳୀନ ସମାଜକୁ ଏକ ଜଟିଳ ଗୋଲକଧନ୍ଦା ଭିତରେ ବାନ୍ଧି ରଖିଥିଲା । ତତ୍‌କାଳୀନ ସାହିତ୍ୟରେ ଏକାଧିକ ମାର୍କସବାଦୀ ମତବାଦର ଉଗ୍ରତା ତଥା ଫ୍ରୟେଡୀୟ ମନଃ ସମୀକ୍ଷଣର ଜଟିଳତା ସାଧାରଣ ପାଠକକୁ ବିଭ୍ରାନ୍ତ ଓ ଭାରାକ୍ରାନ୍ତ କରିସାରିଥିଲା । ସେହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ସରଳ, ସାବଲୀଳ ଓ ତଥା କଥିତ ସାମାଜିକ ଜଟିଳତାରୁ ମୁକ୍ତି ଦେବାକୁ ସୃଷ୍ଟି, ଅନାବିଳ ସତ୍ୟକୁ ଅନାବରିତ କରିପାରିବାର କ୍ଷମତା ‘ପଥେର ପାଁଚାଲୀ’ ଭିତରେ ନିଗୂଢ଼ ଭାବରେ ସମାହିତ ଥିଲା । ଅତି ସାଧାରଣ ଜୀବନ ଧାରାର, ଅତି ପୁରାତନ ପରିଚିତ ବିଷୟବସ୍ତୁ ଭଳି ଏହା ଏକ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟରେ ମଣ୍ଡିତ ହୋଇଥିଲା । ଅତି ପରିଚିତ ଅଥଚ ଅତି ସାଧାରଣ ଜୀବନଧାରା ଭିତରେ ମହାକାଳର ସଦାଚଞ୍ଚଳ ପ୍ରଚଣ୍ଡ ଗତିପଥର ସନ୍ଧାନ, ଶିଶୁସୁଲଭ ବିସ୍ମୟଚେତନା ସହିତ ଋଷିପ୍ରତିମ ପ୍ରଜ୍ଞାଦୃଷ୍ଟିର ସମନ୍ୱୟ ସାଧନ ଏଥିରେ ଜୀବନବୋଧର ବୈଶିଷ୍ଟ୍ୟରୂପ ପ୍ରତିପାଦିତ । ଏହା ପାଠକ ଓ ଲେଖକର ସମଷ୍ଟିଗତ ଶୈଳୀରେ ଏକ ଅଭିନବ ଆଲେଖ୍ୟ ଯାହା ବିସ୍ମୃତିର ଝଲକ ଭିତରେ ହଜି ହଜି ଅପସରି ଯିବାକୁ ବସିଛି । ଲେଖକଙ୍କ ନିଜସ୍ୱ ବାଲ୍ୟଜୀବନର ଛାୟାସ୍ମୃତି ମଧ୍ୟ ଏଥିରେ ପୁନର୍ଜୀବନ ଲାଭ କରିବାର ଝଲକ ପୁରି ରହିଛି ।

 

“ପଥେର ପାଁଚାଲୀ’’ ନାମଟି ଏତେ ସୁଦୂର ପ୍ରସାରୀ ଓ ସହଜ ବୋଧଗମ୍ୟ ଯେ ଏହାର ଅନ୍ୟକିଛି ବିକଳ୍ପ ଅନୁବାଦ ଏହାର ଛାଇଭିତରେ ସତ୍ତା ହଜାଇଦେବ । ‘ପାଁଚାଲୀ’ ଶବ୍ଦର ଅର୍ଥ ଜୟଗାଥା । ସାଧାରଣତଃ ଗୀତିଛନ୍ଦରେ ଯାହାକୁ ବୋଲାଯାଇଥାଏ । ପଥ ବା ରାସ୍ତାର ମରୀଚିକା ଏତେ ସୁଦୂରପ୍ରସାରୀ ଯେ, ଏହାର ଖୋଜରୁ ମୁକ୍ତି ପାଇବା ସମ୍ଭବ ନୁହେଁ । ଉପନ୍ୟାସଟିରେ ପଥର ଏହି ଗୀତି ଗାଥାଟି ଏତେ ସହଜ, ସରଳ ଭାବରେ ଘଟିଯାଇଛି, ଯାହାକୁ ନେଇ କଳ୍ପନାଜଳ୍ପନାର ଶ୍ଲେଷପୂର୍ଣ୍ଣ ସୀମାରେଖା ଅନ୍ତହୀନ । ଓଡ଼ିଆରେ ‘ପାଁଚାଲୀ’ ଶବ୍ଦର ପ୍ରତିଶବ୍ଦ ‘ପଞ୍ଚାଳୀ’ ବା ‘ପଞ୍ଚାଳିକା’ । କିନ୍ତୁ ‘ପଥେର’ ଶବ୍ଦର ବିକଳ୍ପ ଭାଷାବୋଧରେ ବିକୃତି ସୃଷ୍ଟି କରିଥାଏ । ତେଣୁ ଉପନ୍ୟାସର ଅନୁବାଦ ନାମକରଣକୁ ଲମ୍ବା କରାଯାଇଛି ‘ଚଲାପଥର ଗୀତିଗାଥା’ । ବସ୍ତୁତଃ, ଅପୁର କାହାଣୀ ଭିତରେ ପାଁଚାଲୀ ରଚନାକାରୀର ‘ପଥ’ ସୀମାବଦ୍ଧ ନୁହେଁ । ଏ ଚଲାପଥର ଅୟମାରମ୍ଭ ଇନ୍ଦିରାଠାକୁରାଣୀର ଜନ୍ମର ବହୁପୂର୍ବରୁ ଏହା ଲମ୍ବିଯାଇଛି ଦୂରକୁ ଦୂରକୁ ଅନେକ ଦୂରକୁ......

 

ଏବଂ ଏହି ସୀମାହୀନପଥ, ମରୀଚିକା ପରି ଲମ୍ବି ଯାଇଛି ଦୂରକୁ ଦୂରକୁ, ଅନେକ ଦୂରକୁ, ଆଖି ପାଉନଥିବା ଧୂମ୍ରାଭ ଦିଗନ୍ତକୁ......

 

ଡକ୍ଟର ହରିପଦ ଶତପଥୀ

ଅନୁବାଦକ

 

ଅଲୋଡ଼ା କୁଳୀନା

 

(୧)

 

ନିଶ୍ଚିନ୍ଦିପୁର (ନିଶ୍ଚିନ୍ତପୁର) ଗାଁର ସବା ଉତ୍ତର ପଟେ ହରିହର ରାୟଙ୍କର ଛୋଟ କୋଠା ଘରଟି । ହରିହର ସାଧାରଣ ଅବସ୍ଥା ସମ୍ପନ୍ନ ଗୃହସ୍ଥ । ପୈତୃକ ଅମଳରୁ ଅଳ୍ପ କିଛି ସମ୍ପତ୍ତିବାଡ଼ିରୁ ଏବଂ ଦୁଇ ଚାରିଘର ଯଜମାନର ବାର୍ଷିକୀ ପ୍ରଣାମୀରୁ ଯାହା ମିଳେ, ସେଥିରେ ଅତି ସାଦାସିଧାରେ ସଂସାର ଚଳିଯାଏ ।

 

ଗତକାଲି ଏକାଦଶୀ ଥିଲା । ହରିହରର ଦୂର ସମ୍ପର୍କୀୟା ନାନୀ ଇନ୍ଦିର ଠାକୁରାଣୀ ଆଜି ସକାଳୁ ଘରର ବାରନ୍ଦାରେ ବସି ଖୁଦଭଜା ଜଳଖିଆ ଖାଉଥିଲା । ପାଖରେ ହରିହରର ଛଅ ବର୍ଷର ଝିଅ ଚୁପ୍‌ ହୋଇ ବସିଥିଲା ଆଉ ଗିନାରୁ ଚାଉଳଭଜା ହାତରେ ଉଠାଇ ପିଉସୀ ପାଟିରେ ପୁରାଇବା ପର୍ଯ୍ୟନ୍ତ ପ୍ରତିଟି ମୁଠାକୁ ଅତି ବିକଳ ହୋଇ ଚାହିଁଥାଏ । ମଝିରେ ମଝିରେ ଧୀରେ ଧୀରେ ଖାଲି ହେଉଥିବା ପାତ୍ର ଆଡ଼କୁ ହତାଶ୍‍ ଦୃଷ୍ଟିରେ ଅନେଇ ଥରେ ଦୁଇଥର ଯେମିତି କିଛି କହିବ କହିବ ହୋଇ କହିପାରୁନଥାଏ । ଇନ୍ଦିର ଠାକୁରାଣୀ ମୁଠା ପରେ ମୁଠା ପାଟିରେ ପୁରେଇ ଚାଲିଲା । ପାତ୍ରଟି ଖାଲି ହୋଇଗଲା ପରେ ସାନ ଝିଅଟି ଆଡ଼କୁ ଚାହିଁ କହିଲା, ଆଲୋ ମା’, ତୋ ପାଇଁକି କିଛି ହେଲେ ରଖିଲିନି ? କ’ଣ ଯେ କହିବି !

 

ଝିଅଟି କରୁଣ ଦୃଷ୍ଟିରେ ଚାହିଁ କହିଲା, ହଉ, ପିଉଚି, ତୁ ଖା ! ଦୁଇଟା ପାଚିଲା ମଞ୍ଜିଆ କଦଳୀରୁ ଗୋଟାକରୁ ଖଣ୍ଡେ ଭାଙ୍ଗି ତା’ ହାତରେ ଦେଲା । ଏଥର ଝିଅଟିର ମୁହଁ ଝଲସି ଉଠିଲା । ସେ ପିଉସୀ ହାତରୁ ଉପହାର ପାଇ ଅତି ମନଯୋଗରେ ଧୀରେ ଧୀରେ ସେଇଟିକୁ ଚୁଷିବାକୁ ଲାଗିଲା ।

 

ଆର ଘର ଭିତରୁ ତା’ ମା’ ବଡ଼ପାଟିରେ ଡାକିଲା, ପୁଣି ସେଇଠି ଜଗି ବସିଛୁ ? ଆ ଏପଟକୁ ଉଠି ଆ ।

 

ଇନ୍ଦିର ଠାକୁରାଣୀ କହିଲା, ବୋହୂ, ସେ ମୋ ପାଖରେ ବସିଛି, କିଛି କରୁନି, ଥାଉ ସେ ଏଇଠି ବସିଥାଉ

 

ତଥାପି ତା’ର ମା’ ଶାସନ କଲାଭଳି କହିଲା, ନା, ନା, ଖାଇବା ସମୟରେ ସେ କାହିଁକି ସେମିତି ବସିବ ? ମୋତେ ସେ ସବୁ ଭଲ ଲାଗେନି, ଉଠି ଆସ୍‌ କହୁଚି ଝିଅଟି ଡରି ସେଠାରୁ ଉଠିଗଲା ।

 

ଇନ୍ଦିର ଠାକୁରାଣୀ ହରିହରର ଦୂର ସମ୍ପର୍କୀୟା । ମାମୁଁ ଘର ପଟୁ କେଉଁ ଏକ ସମ୍ପର୍କରେ ଭଉଣୀ । ହରିହର ରାୟର ପୂର୍ବପୁରୁଷମାନଙ୍କ ମୂଳ ନିବାସ ଯଶଡ଼ା- ବିଷ୍ଣୁପୁରରେ ଥିଲା । ହରିହରର ବାପା ରାମଚାନ୍ଦ ମହାଶୟଙ୍କ ଅଳ୍ପ ବୟସରେ ପତ୍ନୀ ବିୟୋଗ ଘଟିଥିଲେ ମଧ୍ୟ ତାଙ୍କ ବାପା ଦ୍ୱିତୀୟ ବିବାହ କରେଇବାର କୌଣସି ପ୍ରକାର ଚେଷ୍ଟା କରିନଥିଲେ । ଏହାକୁ ସେ ଅତ୍ୟନ୍ତ କ୍ଷୋଭର ସହିତ ଲକ୍ଷ୍ୟକଲେ । ଲଜ୍ୟାରେ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କଲା ପରେ ବି ବାପାଙ୍କର ସେ ଦିଗରେ କୌଣସି ତତ୍ପରତା ଦେଖାଗଲାନି । ତା’ପରେ ରାମଚାନ୍ଦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟସ୍ତ ହୋଇ ବିଭିନ୍ନ ଅସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହେଲେ । ଦୁଇ ପହର ସମୟରେ, କେଉଁଠି କିଛି କଥା ନାହିଁ, ସହଜ ସ୍ୱାଭାବିକ ସ୍ୱଭାବର ରାମଚାନ୍ଦ ମଧ୍ୟାହ୍ନ ଭୋଜନ ଶେଷକରି ଶେଯ ଉପର ଛଟପଟ ହେଲାଭଳି ଉଠପଡ଼ ହେଉଥିଲେ । ପାଖକୁ ଆସି କ’ଣ ହେଲା ବୋଲି କେହି ପଚାରିଲେ, ରାମଚାନ୍ଦ ଏଥର ରାହା ଧରି କହିବା ଆରମ୍ଭ କରିବେ ତା’ କଥା ବୁଝିବାକୁ କିଏ ବା ଅଛି, କିଏ ବା ତାକୁ ଦେଖିବ ଯନ୍ତ୍ରଣାରେ ତାଙ୍କ ମୁଣ୍ଡ ଛିଡ଼ି ପଡ଼ିଲେ ବି କାହାର କ’ଣ ଯାଏ ଇତ୍ୟାଦି । ଏମିତି କରିବାରେ ତାଙ୍କର ନିଶ୍ଚିନ୍ତପୁର ଗ୍ରାମରେ ଦ୍ୱିତୀୟ ପକ୍ଷ ବିବାହ ସମ୍ପନ୍ନ ହେଲା । ଅଳ୍ପଦିନ ପରେ ତାଙ୍କ ବାପାଙ୍କ ମୃତ୍ୟୁ ହେବାରୁ ସେ ସ୍ଥାୟୀ ଭାବରେ ଯଶଡ଼ା-ବିଷ୍ଣୁପୁରରୁ ନିଶ୍ଚିନ୍ତପୁରକୁ ଉଠିଆସି ଏହିଠାରେ ହିଁ ବସବାସ ଆରମ୍ଭ କରିଥିଲେ । ସେତେବେଳକୁ ତାଙ୍କର ବୟସ ଖୁବ୍‌ କମ୍‍ । ରାମଚାନ୍ଦ ଗାଁକୁ ଆସିବା ପରେ ଶ୍ୱଶୁରଙ୍କ ଯତ୍ନରୁ ଟୋଲରେ ସଂସ୍କୃତ ପଢ଼ିବାକୁ ଆରମ୍ଭ କରିଥିଲେ । ଏକଦା ସେ ଏ ଅଞ୍ଚଳରେ ଜଣେ ଭଲ ପଣ୍ଡିତରୂପେ ମାନ୍ୟତା ପାଇଥିଲେ । କିନ୍ତୁ କୌଣସି ବିଷୟକର୍ମ ସେ କେବେବି କରିନଥିଲେ କିମ୍ବା କରିବା ନିମନ୍ତେ ସେ ଉପଯୁକ୍ତ ଥିଲେ କି ନା, ସେ ବିଷୟରେ ମଧ୍ୟ ଯଥେଷ୍ଟ ସନ୍ଦେହର କାରଣ ଥିଲା । ବର୍ଷରେ ନଅମାସ ତାଙ୍କର ସ୍ତ୍ରୀ, ପୁତ୍ର, ଶ୍ୱଶୁର ଘରେ ରହୁଥିଲେ, ସେ ନିଜେ ସାହିର ପତିରାମ ମୁଖାର୍ଜୀଙ୍କ ପଶା ଖେଳ ଆସରରେ ଅଧିକାଂଶ ସମୟ ବିତେଇ ଦିନରେ ଦୁଇଥର ମାତ୍ର ଶ୍ୱଶୁର ଘରେ ଖାଇବା ସମୟର ଉପସ୍ଥିତ ହେଉଥିଲେ । ଯଦି କେହି କେବେ ପ୍ରଶ୍ନକରେ ପଣ୍ଡିତ ମହାଶୟ ସ୍ତ୍ରୀ, ପୁତ୍ର ଅଛନ୍ତି, ସେମାନଙ୍କର ଭବିଷ୍ୟତଟା ତ ଦେଖିବାକୁ ହେବ । ରାମଚାନ୍ଦ କହୁଥିଲେ, କିଛି ଭାବିବାର ନାହିଁ ଭାଇ, ବ୍ରଜ ଚକ୍ରବର୍ତ୍ତୀର ଧାନ ଅମାର ତଳୁ ଗୋଟେଇ ଖାଇଲେ ବି ଏମାନଙ୍କର ଦୁଇ ପୁରୁଷ ହସଖୁସିରେ କଟିଯିବ । ତା’ପରେ ସେ ଛକା ଓ ପଞ୍ଝାର ଯୋଡ଼ କିଭଳି କଲେ ପଶାର ଘର ଭାଙ୍ଗି ପାରିବେ, ସେଇକଥାହିଁ ଏକ ଲୟରେ ଭାବୁଥିଲେ ।

 

ବ୍ରଜ ଚକ୍ରବର୍ତ୍ତୀଙ୍କର ଧାନ ଅମାରର ପରିପୂର୍ଣ୍ଣତା ଉପରେ ରାମଚାନ୍ଦଙ୍କର ଯେ କେତେ ଭ୍ରମାତ୍ମକ ଧାରଣା ଥିଲା, ତାହା ଶ୍ୱଶୁରଙ୍କ ମୃତ୍ୟୁପରେ ହିଁ ସେ ଜାଣିପାରିଲେ । ଏ ଗାଁରେ ନିଜର କିଛି ଜମିବାଡ଼ି ନ ଥିଲା କିମ୍ବା କିଛି ନଗଦ ପୁଞ୍ଜି ବି ବିଶେଷ ନ ଥିଲା । କେବଳ ଏଣେ ତେଣେ ଦୁଇ ଚାରି ଜଣ ଶିଷ୍ୟ ସେବକ ଥିଲେ । ସେମାନଙ୍କଦ୍ୱାରା କୌଣସି ପ୍ରକାରେ ସଂସାର ଚଳାଇ ପୁଅଟିକୁ ମଣିଷ କରିବାରେ ଲାଗିଲେ । ତା’ ପୂର୍ବରୁ ତାଙ୍କର ଜଣେ ଜ୍ଞାତି ଭାଇର ବିବାହ ତାଙ୍କରି ଶ୍ୱଶୁର ଘରେ ହୋଇଥିଲା । ସେମାନେ ବି ଏହିଠାରେ ବସବାସ କରୁଥିଲେ । ସେମାନଙ୍କଠାରୁ ରାମଚାନ୍ଦ ଅନେକ ସାହାଯ୍ୟ ମଧ୍ୟ ପାଉଥିଲେ । ଜ୍ଞାତି ଭାଇର ପୁଅ ନୀଳମଣି ରାୟ କମିସାରେଟରେ ଚାକିରୀ କରୁଥିଲେ । କର୍ମାନ୍ତରରେ ସବୁବେଳେ ବିଦେଶରେ ରହୁଥିବାରୁ ଶେଷରେ ସେ ବୃଦ୍ଧା ମା’ଙ୍କୁ ସାଙ୍ଗରେ ଧରି ଏକ ପ୍ରକାର ଏ ସ୍ଥାନ ଛାଡ଼ି କର୍ମସ୍ଥଳୀକୁ ଚାଲିଗଲେ । ଏବେ ସେମାନଙ୍କର ଭିଟାମାଟିରେ ଆଉ କେହି ରହନ୍ତି ନାହିଁ ।

 

ଶୁଣାଯାଏ, ପୂର୍ବ ଦେଶୀୟ ଜଣେ ନାମଜାଦା କୁଳୀନ ବ୍ରାହ୍ମଣ ସହିତ ଇନ୍ଦିର ଠାକୁରାଣୀର ବିବାହ ହୋଇଥିଲା । ସ୍ୱାମୀ ବିବାହ ପରେ କଦବା କଦାଚିତ୍‌ ଏ ଗାଁକୁ ପଦାର୍ପଣ କରୁଥିଲେ । ଗୋଟେ ଅଧେ ରାତ୍ରିଯାପନ କରି ରାସ୍ତା ଖର୍ଚ୍ଚ ଓ କୌଳୀନ ସମ୍ମାନର ପାଉଣା ଆଦାୟ କରି ନିଜର ଖାତାରେ ଚିହ୍ନ କାଟି ପରବର୍ତ୍ତୀ ନମ୍ବରର ଶ୍ୱଶୁର ଘରକୁ ଯାତ୍ରା କରୁଥିଲେ । ସେଥିପାଇଁ ଇନ୍ଦିର ଠାକୁରାଣୀ ନିଜର ସ୍ୱାମୀଙ୍କୁ ଭଲ ଭାବରେ ମନେରଖିବା ବି ସମ୍ଭବ ନ ଥିଲା । ବାପା, ମାଁ’ଙ୍କ ମୃତ୍ୟୁ ପରେ ଭାଇର ଆଶ୍ରୟରେ ଦୁଇମୁଠା ଅନ୍ନ ପାଇ ଜୀବନଯାପନ କରୁଥିଲେ, କିନ୍ତୁ ଦୁର୍ଭାଗ୍ୟକ୍ରମେ ସେ ଭାଇଟି ବି ଅକାଳ ମୃତ୍ୟୁବରଣ କଲା । ହରିହରର ବାପା ରାମଚାନ୍ଦ ଏହି ଘଟଣାର ଅଳ୍ପ କାଳ ପରେ ଏଠାରେ ଘରଟିଏ ତିଆରି କଲେ ଏବଂ ସେହି ସମୟରୁ ଇନ୍ଦିର ଠାକୁରାଣୀର ଏହି ସଂସାରରେ ପ୍ରଥମ ପ୍ରବେଶ । ଏସବୁ କଥା ଆଜିକାର ନୁହେଁ ।

 

ତା’ପରେ ଅନେକ ଦିନ ବିତିଯାଇଛି । ଶଙ୍ଖାରୀ ପୋଖରୀରେ ନଳଫୁଲର କେତେ ଯେ ବଂଶ ପରେ ବଂଶ ଆସିଛି ଆଉ ଯାଇଛି ତା’ର ଠିକଣା ନାହିଁ । ଚକ୍ରବର୍ତ୍ତୀ ପରିବାରର ଖୋଲା ଜମିରେ ସୀତାନାଥ ମୁଖାର୍ଜୀ ନୂଆ କଲମୀ ବଗିଚା କଲେ ଏବଂ ସେ ସବୁ ଗଛ ବି ବୁଢ଼ା ହୋଇଗଲା । କେତେ ଭିଟାମାଟିରେ ନୂତନ ଗୃହସ୍ଥମାନେ ଆସ୍ଥାନ ଜମେଇଲେ, କେତେ ପୁଣି ଜନଶୂନ୍ୟ ହୋଇଗଲା, କେତେ କେତେ ଗୋଲକ ଚକ୍ରବର୍ତ୍ତୀ, ବ୍ରଜ ଚକ୍ରବର୍ତ୍ତୀ ମରି ହଜିଗଲେ, ତା’ର ଖୋଜଖବର ନାହିଁ । ଇଚ୍ଛାମତୀ ନଦୀର ଚଳଚଞ୍ଚଳ ଊର୍ମିମାଳା ତା’ର ସ୍ୱଚ୍ଛ ସ୍ରୋତସ୍ୱିନୀରେ ଅନନ୍ତକାଳର ପ୍ରବାହ ସହିତ ତାଳ ଦେଇ ଗ୍ରାମର ନୀଳ କୋଠିର କେତେ ଯେ ଜନ୍‍ସନ, ଟମ୍‍ସନ ସାହେବଙ୍କୁ, କେତେ କେତେ ମଜୁମ୍‌ଦାରମାନଙ୍କୁ ସାଧାରଣ କୁଟାଖିଅ ପରି, ବୁଦ୍‍ବୁଦ୍‌ ପରି କେଉଁଆଡ଼େ ଭସାଇ ନେଇଛି ତା’ର ଠିକଣା ନାହିଁ ।

 

କେବଳ ସେକାଳର ଇନ୍ଦିର ଠାକୁରାଣୀ ଆଜି ବି ବଞ୍ଚିଅଛି । ୧୨୪୦ ସାଲର ତନୁପାତଳୀ ଚେହେରାର ଆଉ ସେ ହସକୁରୀ ତରୁଣୀ ନୁହେଁ, ପୁରା ୭୫ ବର୍ଷର ବୁଢ଼ୀଟିଏ । ଗାଲ ପଶିଯାଇଛି, ଅଣ୍ଟା ସାମାନ୍ୟ ନଇଁଯାଇ ଶରୀର ଆଗକୁ ଅଳ୍ପ ଝୁଙ୍କି ପଡ଼ିଛି । ଦୂରର ବସ୍ତୁ ଆଗ ଭଳି ଆଉ ଆଖିରେ ପରତେ ହୁଏନି, ଖରାର ତେଜରୁ ରକ୍ଷା ପାଇବା ପାଇଁ ହାତ ଉଞ୍ଚେଇବା ଭଙ୍ଗୀରେ ସେ ପ୍ରଶ୍ନକରେ, କିଏରେ, କିଏ ଆସୁଛ ? ନବୀନ ? ବିହାରୀ ? ଆରେ ଯା, ଇଏ ତ ରାଜୁ ପରା...

 

ଏହି ଭିଟାମାଟିର କେତେ କେତେ ପରିବର୍ତ୍ତନ ଇନ୍ଦିର ଠାକୁରାଣୀର ଆଖି ସାମନାରେ ଘଟିଯାଇଛି । ବ୍ରଜ ଚକ୍ରବର୍ତ୍ତୀଙ୍କର ଏ ଯେଉଁ ଭିଟାମାଟି ଖଣ୍ଡିକ ଆଜି ଜଙ୍ଗଲରେ ପରିପୂର୍ଣ୍ଣ, ସେଇଠି ଶାରଦୀୟ କୋଜାଗରୀ ଲକ୍ଷ୍ମୀ ପୂର୍ଣ୍ଣିମାରେ ଗାଁ ଯାକର ଲୋକେ ଭୁରି ଭୋଜନରେ ଆପ୍ୟାୟିତ ହେଉଥିଲେ । ଗଡ଼ଚଣ୍ଡୀ ମଣ୍ଡପରେ ସକାଳ ଓ ଉପରଓଳି କେତେ ଯେ ପଶା ଖେଳର ଆସରଟା ଜମୁଥିଲା ! ସେତେବେଳେ କ’ଣ ବାଉଁଶ ଜଙ୍ଗଲରେ ଏ ଜାଗାଟି ପୂରିଥିଲା ! ପୌଷ ପାର୍ବଣ ଦିନରେ ପିଠା ପାଇଁ ଏଇଠି ଢିଙ୍କିଶାଳରେ ମହଣେ ଚାଉଳର ଚୁନା କୁଟା ହେଉଥିଲା । ଆଖିବୁଜି ଚିନ୍ତା କଲେ ଇନ୍ଦିର ଠାକୁରାଣୀର ଆଜି ବି ସେସବୁ ଆଖି ଆଗରେ ଭାସିଉଠେ । ରାୟ ପରିବାରର ମଝିଆଁ ବୋହୂ କିଭଳି ଦଳବଳ ଧରି ଚାଉଳ ଚୁନା କରିବାକୁ ଆସିଛନ୍ତି, ଢିଙ୍କିରେ ଦମାଦମ୍‌ ପାହାର ପଡ଼ିଛି, ଲୋହିତ ହାତରେ ସୁନାର ବାହୁଟି ଖଣ୍ଡିକ ଥରେ ଆଗକୁ ଥରେ ପଛକୁ ଯାଉଥାଏ । ମା’ ଜଗଦ୍ଧାତ୍ରୀ ଭଳି ଯେମିତି ରୂପକାନ୍ତି ସେମିତି ସ୍ୱଭାବ ଚରିତ୍ର । ନୂଆ କରି ଯେତେବେଳେ ଇନ୍ଦିର ଠାକୁରାଣୀ ବିଧବା ହୋଇଥିଲେ, ସେତେବେଳେ ପ୍ରତି ଦ୍ୱାଦଶୀ ଦିନ ବଡ଼ିଭୋରରୁ ଜଳଖିଆ ସଂଗ୍ରହ କରି ନିଜ ହାତରେ ଖୁଆଇ ଯାଉଥିଲେ । କିଏ କେଉଁଠିକି ସବୁ ଚାଲିଗଲେ ! ସେ ସମୟର ଆଉ କେହି ହେଲେ ଜୀବିତ ନାହାନ୍ତି, ଯା’ ସଙ୍ଗରେ ସେ ଦୁଇପଦ କଥାବାର୍ତ୍ତା ହେବ ।

 

ତା’ପରେ ଏ ସଂସାରରେ ଆଶ୍ରୟଦାତା ରାମଚାନ୍ଦ ବି ମୃତ୍ୟୁବରଣ କଲେ । ତାଙ୍କର ପୁଅ ହରିହରର ତ ଜନ୍ମ ସେଦିନ ତା’ରି ଆଖି ଆଗରେ ହୋଇଛି । ନଈ ଘାଟରେ ଡେଇଁ ଡେଇଁ କେତେ ଯେ ଖେଳି ବୁଲୁଥିଲା ସେ ! ସେଦିନର କଥା, ମୁର୍ଖାଜୀ ପରିବାର ତେନ୍ତୁଳି ଗଛରେ ଚଢ଼ି ଅଧା ପାଚିଲା କଇଁଆ ଖାଇବାକୁ ଯାଇ ଗଛଡାଳରୁ ପଡ଼ି ହାତ ଭାଙ୍ଗି ଦୁଇ ତିନି ମାସ ଶଯ୍ୟାଶାୟୀ ହୋଇଥିଲା । ପୁଣି ଧୁମ୍‌ଧାମରେ ଅଳ୍ପ ବୟସରେ ତା’ର ବାହାଘର ହେଲା । ନିଜ ବାପାର ମୃତ୍ୟୁପରେ ନବ ବିବାହିତା ୧୦ ବର୍ଷର ପତ୍ନୀକୁ ତା’ ବାପଘରେ ରଖି ଦେଶ ଛାଡ଼ିଯାଇଥିଲା । ଆଠ ଦଶ ବର୍ଷ ଧରି କୌଣସି ଖୋଜ ଖବର ନ ଥିଲା । କଦାଚିତ୍‌ ଗୋଟେ ଅଧେ ଚିଠି ଦେଉଥିଲା, କେବେ କେବେ ବୁଢ଼ୀ ନାଁ’ରେ ଦୁଇ ପାଞ୍ଚ ଟଙ୍କାର ମନିଅର୍ଡ଼ର ପଠାଉଥିଲା । ଏଇ ଘରକୁ ଆବୋରି କେତେ କଷ୍ଟରେ, ଭୋକ ଉପାସରେ, ବୁଢ଼ୀ ପଡ଼ୋଶୀଙ୍କ ଘରୁ ମାଗିଯାଚି ଗୁଜୁରାଣ ମେଣ୍ଟାଇଛି ।

 

ଅନେକ ଦିନ ପରେ ହରିହର ଆଜକୁ ଛ’ ସାତ ବର୍ଷ ହେଲା ଘର ସଂସାର କଲାଣି । ତା’ର ଝିଅଟେ ବି ହୋଇଛି । ତାକୁ ବି ପ୍ରାୟ ଛ’ ବର୍ଷ ଚାଲିଲା । ବୁଢ଼ୀ ଭାବିଥିଲା ପୁଣିଥରେ ପିଲାଦିନର ସେଇ ଘର ସଂସାର ହସ ଖୁସି ଫେରିଆସିଲା । ତା’ର ସଙ୍କୀର୍ଣ୍ଣ ଜୀବନରେ ଅନ୍ୟକିଛି ସୁଖର ଆଶା ରଖେନି । ଅନ୍ୟ କୌଣସି ପ୍ରକାରର ସୁଖ ଦୁଃଖର କଳ୍ପନା କରିବାକୁ ମଧ୍ୟ ସେ ଅକ୍ଷମ । ଶୈଶବରୁ ଅଭ୍ୟସ୍ତ ଜୀବନଯାତ୍ରାର ଗତିପଥଟି ଯଦି ତା’ ସମ୍ମୁଖକୁ ଫେରିଆସେ, ସେଇ ଟିକକ ହିଁ ତା’ ପାଇଁ ଯଥେଷ୍ଟ । ସେଇ ଟିକକ ହିଁ ତା’ର ଖୁସି ଓ ଚରମ ସୁଖର କାହାଣୀ ।

 

ହରିହରର ସାନ ଝିଅଟିକୁ ସେ ଦଣ୍ଡକ ପାଇଁ ବି ଆଖି ଆଗରୁ ଦୂରେଇ ପାରେନି । ତା’ର ନିଜର ବି ବିଶ୍ୱେଶ୍ୱରୀ ନାମରେ ଗୋଟିଏ ଝିଅ ଥିଲା । ଅଳ୍ପ ବୟସରେ ତା’ର ବିବାହ ହୋଇଥିଲା ଏବଂ ବିବାହର ଅଳ୍ପଦିନ ପରେହିଁ ସେ ମରିଯାଇଥିଲା । ଚାଳିଶ ବର୍ଷ ପରେ ମୃତ୍ୟୁର ସେପାରିରୁ ବିଶେଶ୍ୱରୀ ପୁଣିଥରେ ଅନାଥ ମାଆ କୋଳକୁ ହରିହରର ଝିଅ ରୂପରେ ଫେରିଆସିଛି । ଚାଳିଶ ବର୍ଷ ତଳେ ଲିଭିଯାଇଥିବା ସୁପ୍ତ ମାତୃତ୍ୱ, ପୁଣିଥରେ ଝିଅଟିର ମୁଖମଣ୍ଡଳରେ ଅପ୍ରତିଭ ବିପନ୍ନ ଭଙ୍ଗୀରେ, ଅବୋଧ ଦୃଷ୍ଟିରେ, ଗୋଟିଏ ମୁହୁର୍ତ୍ତର ସଚକିତ ଆଗ୍ରହରେ ଶେଷ ହୋଇଆସୁଥିବା ଜୀବନର ବ୍ୟାକୁଳ କ୍ଷୁଧାରେ ଜାଗରିତ ହୋଇଉଠେ ।

 

ସେ ଯେମିତି ଭାବିଥିଲା, ତାହା କିଛି ସମ୍ଭବ ହୋଇପାରିଲାନି । ହରିହରର ସ୍ତ୍ରୀ ନାଲି ଟୁକ୍‌ ଟୁକ୍‌ ସୁନ୍ଦରା ବୋହୁଟିଏ ହେଲେ ବି ଭାରି କଳହ ପ୍ରିୟା । ତାକୁ ଜମାରୁ ଦୁଇ ଆଖିରେ ଦେଖିପାରେନି । କେଉଁଠିକାର କିଏ ତା’ର ଠିକଣା ନାହିଁ, ତା’ ସହିତ କି ପ୍ରକାର ସମ୍ପର୍କ, ଖୋଜିଲେ ମିଳେନି, ଅଥଚ ବୁଢ଼ୀଟି ବସି ବସି ଅନ୍ନ ଧ୍ୱଂସ କରୁଛି ।

 

ଛୋଟ ଛୋଟ କଥାରେ ବୁଢ଼ୀ ସହିତ ଦୁଇଓଳି ଝଗଡ଼ା କରେ । ବହୁତ ସମୟ ଧରି ଝଗଡ଼ା ଚାଲିବା ପରେ ବୁଢ଼ୀ ନିଜର ଗୋଟିଏ ପିତଳ ଢାଳ କାଖରେ ଜାକି ଓ ଡାହାଣ ହାତରେ ଗୋଟିଏ ଲୁଗା ପୁଟୁଳି ଧରି କହେ ମୁଁ ଯାଉଛି, ନୂଆ ବୋହୁ, ଆଉ ଯଦି କେବେ ଏ ଘରର ମାଟି ମାଡ଼େ ତେବେ ମୋର... । ଘରୁ ବାହାରି ଆସି ବୁଢ଼ୀ ମନ ଦୁଃଖରେ ବାଉଁଶ ତୋଟାରେ ବସି ଦିନଯାକ ବିତାଇ ଦିଏ । ଉପରଓଳି ହରିହରର ଛୋଟ ଝିଅଟି ସନ୍ଧାନ ପାଇ ତା’ ପାଖରେ ପହଞ୍ଚିଯାଏ ଓ ତା’ର ପଣତ ଧରି ଟଣାଟଣି ଆରମ୍ଭ କରିଦିଏ ଉତ୍‌ ପିଉଚି, ମା’କୁ କଇବି ଆଉ ତତେ ଗାଲିଦବନି, ଚାଲ ନା ପିଉଚି । ତା’ର ହାତ ଧରି ନଇଁଲା ସଞ୍ଜର ଅନ୍ଧାରରେ ବୁଢ଼ୀ ଘରକୁ ଫେରେ । ସର୍ବଜୟା ମୁହଁ ଫୁଲେଇ କହେ, ଏଇ ଆସିଗଲେ । ଯିବେ ପୁଣି କୁଆଡ଼େ ଯେ । ନ ଆସିବା ଛଡ଼ା କ’ଣ ୟା’ର ଅନ୍ୟଗତି ଅଛି । ତେଜଟି କିନ୍ତୁ ପୁରା ଷୋହଳଅଣା ।

 

ଏଭଳି ଘଟଣା ସେ ଘରକୁ ଆସିବାର ବର୍ଷଟିଏ ଭିତରେ ଆରମ୍ଭ ହୋଇଛି । ଅନେକ ଥର ଏମିତି ପର୍ବ ଘଟିଗଲାଣି ଏବଂ ମଝିରେ ମଝିରେ ପ୍ରାୟ ଏମିତି ଘଟିଥାଏ ।

 

ହରିହରର ପୂର୍ବପଟ ଭିଟାରେ ଥିବା ଛପର ଘରଟି ଅନେକ ଦିନ ଧରି ମରାମତି ନ ହୋଇ ପଡ଼ିଛି । ବୁଢ଼ୀ ଏହି ଘରଟିରେ ରହେ । ଗୋଟିଏ ବାଉଁଶ ଆଲଣାରେ ଖଣ୍ଡେ ଦୁଇଖଣ୍ଡ ଛିଣ୍ଡା ମଇଳା ଥାନ ଲୁଗା ଥୁଆ ହୋଇଥାଏ । ଛିଣ୍ଡା ଜାଗାଗୁଡ଼ିକ ଦୁଇପଟୁ ଏକା ସାଙ୍ଗରେ ଗଣ୍ଠି ଗଣ୍ଠି ହୋଇ ବନ୍ଧା । ଆଜିକାଲି ବୁଢ଼ୀ ଆଖିକୁ ଦେଖାଯାଏନି, ଛୁଞ୍ଚିରେ ସୂତା ପୂରାଇ ପାରେନି । ତେଣୁ ଲୁଗା ସିଲେଇ କରିଦେବାର ସୁବିଧା ନ ଥାଏ । ବେଶୀ ଅଂଶ ଛିଣ୍ଡିଗଲେ ସେ ଗୁନ୍ଥି ଗଣ୍ଠି ପକାଇ କାମ ଚଳାଇଦିଏ । ଘରର ଗୋଟିଏ କୋଣରେ ଛିଣ୍ଡା ସପଟିଏ ଓ କେତେଖଣ୍ଡ କନ୍ଥା ସାଇତି ରଖିଥାଏ । ଆଉ ଗୋଟିଏ ପୁଟୁଳିରେ ଯେତେସବୁ ଛିଣ୍ଡା ଲୁଗା ବନ୍ଧା ହୋଇଥାଏ । ମନେହୁଏ କନ୍ଥା ତିଆରି କରିବାର ଉପକରଣରୂପେ ବହୁତ ଦିନରୁ ଯତ୍ନ ସହକାରେ ସଞ୍ଚିତ ହୋଇରହିଛି । କିନ୍ତୁ ତାହାର ଆବଶ୍ୟକତା ପଡ଼ିନି । ଏବେ ଦରକାର ହେଲେବି କନ୍ଥା ସିଲେଇ କରିବାକୁ ତା’ର ଆଖିର ତେଜ ଆଉ ନାହିଁ । ତଥାପି ସେଗୁଡ଼ିକୁ ପରମ ଯତ୍ନରେ ସାଇତା ହୋଇଥାଏ । ବର୍ଷା ପରେ ଭାଦ୍ରବ ମାସ ଟାଣ ଖରାରେ ବୁଢ଼ୀ ସେଗୁଡ଼ିକୁ ମଝିରେ ମଝିରେ ଖୋଲି ଅଗଣାରେ ଶୁଖେଇ ଦିଏ । ବେତର ପେଟରା ଖଣ୍ଡିକ ଭିତରେ ତା’ ଝିଅ ବିଶ୍ୱେଶ୍ୱରୀର କେତେଖଣ୍ଡ ନାଲି ଧଡ଼ିର ଶାଢ଼ୀ ବନ୍ଧା ହୋଇ ରହିଥାଏ । ଆଉ ପିତଳ ଚାଦରର ଢାଳଟିଏ, ଗୋଟିଏ ମାଟିର ପାତ୍ର ଓ କେତେଗୁଡ଼ିଏ ମାଟିର ଛୋଟ ଛୋଟ ହାଣ୍ଡି କଳସୀ । ପିତଳ ଢାଳରେ ଚାଉଳ ଭଜା ଭର୍ତ୍ତି ହୋଇଥାଏ, ରାତିରେ ହେମଦସ୍ତାରେ ଗୁଣ୍ଡ କରେ ଓ ସେଗୁଡ଼ିକୁ ମଝିରେ ମଝିରେ ଖାଏ । ମାଟିର ପାତ୍ରଗୁଡ଼ିକରେ କେଉଁଟିରେ ଟିକିଏ ତେଲ, ଟିକିଏ ଲୁଣ କିମ୍ବା ଅଳ୍ପ ଟିକିଏ ଖଜୁରୀ ଗୁଡ଼ ସଂଗ୍ରହ କରି ରଖିଥାଏ । ସବୁବେଳେ ମାଗିଲେ ବୋହୂ ସର୍ବଜୟା ଦିଏନି ବୋଲି ବୁଢ଼ୀ ପରିବାର ଭିତରୁ ଲୁଚାଇ ରଖେ ଓ ସେସବୁ ବାହାଘରର ବେତ ପେଟରା ଭିତରେ ସଞ୍ଚୟ କରିଥାଏ ।

 

ସର୍ବଜୟା କଦବା କଦାଚିତ୍‌ ବୁଢ଼ୀ ଘର ଭିତରକୁ ଆସେ । କିନ୍ତୁ ସନ୍ଧ୍ୟାରେ ତା’ର ଝିଅ ଘର ବାରଣ୍ଡାରେ ଛିଣ୍ଡା କନ୍ଥାର ବିଛଣାରେ ଅନେକ ସମୟ ଧରି ବସି ପିଇସୀ ପାଖରୁ ରୂପକଥାର କାହାଣୀ ଏକଲୟରେ ଶୁଣେ । କେତେ ସମୟ ଏ କାହାଣୀ ସେ କାହାଣୀ ଶୁଣିବା ପରେ ଝିଅଟି କହେ ପିଇସୀ, ସେ ଡକାୟତର ଗପଟି କହ ତ ! ପଚାଷ ବର୍ଷ ପୂର୍ବରୁ ଗାଁର ଗୋଟିଏ ଗୃହସ୍ଥ ଘରୁ ଡକାୟତି ହୋଇଥିଲା । ସେଇ ଗପଟି ବାରମ୍ବାର ଶୁଣିବାକୁ ଚାହେଁ । ଏହା ପୂର୍ବରୁ ବହୁତ ଥର ଶୁଣିଥାଏ । କିଛି ଦିନ ବ୍ୟବଧାନରେ ପୁଣିଥରେ ଶୁଣିବାକୁ ଆଗ୍ରହ ପ୍ରକାଶ କରେ । ତା’ପରେ ସେ ପିଇସୀ ମୁହଁରୁ ଢଗଢମାଳି ସବୁ ଶୁଣେ । ସେ ସମୟର ଅନେକ ଗାଉଁଲୀ ଢଗ ଓ ଛନ୍ଦ ଇନ୍ଦିର ଠାକୁରାଣୀର କଣ୍ଠସ୍ଥ ଥିଲା । ଅଳ୍ପ ବୟସରେ ସେଗୁଡ଼ିକ ମୁଖସ୍ଥ କରି ଇନ୍ଦିର ଠାକୁରାଣୀ ରାସ୍ତାଘାଟରେ ବୋଲି ସେ ସମୟର ସମବୟସୀ ସାଙ୍ଗସାଥୀଙ୍କଠାରୁ ବହୁତ ପ୍ରଶଂସା ପାଇଥିଲା । ତା’ପରେ ଅନେକ ଦିନ ଧରି ଏଭଳି ଧୈର୍ଯ୍ୟଶୀଳ ଶ୍ରୋତା ପାଇନଥିଲା । କାଳେ ସେଗୁଡ଼ିକରେ କଳଙ୍କି ଲାଗିଯିବ, ସେଥିପାଇଁ ସେ ଆଜିକାଲି ଭାଇର ଛୋଟ ଝିଅଟିକୁ ପ୍ରତିଦିନ ସନ୍ଧ୍ୟାରେ ଆବୃତ୍ତି କରି ଶୁଣାଏ ଓ ସ୍ମୃତିକୁ ସତେଜ ଶାଣିତ କରି ରଖେ । ସ୍ୱର ଧରି ଟାଣି ଟାଣି ଗାଏ ‘ଓ ଲଳିତା, ଚମ୍ପାକଢ଼ିଟା, ଶୁଣ ଗୁମର କଥା, ରାଧାର ଘରେ ଚୋର ପଶିଚି’ । ଏଇ ପର୍ଯ୍ୟନ୍ତ ଗାଇ ସେ ହସି ହସି ଝିଆରୀ ମୁହଁକୁ ପ୍ରତୀକ୍ଷା ଦୃଷ୍ଟିରେ ଚାହିଁ ରହେ । ଝିଅଟି ଉତ୍ସାହର ସହିତ ତାଳ ମିଳାଇ ପାଦ ପୂରଣ କରେ । ‘ମୁଣ୍ଡରେ ମୁକୁଟ ବନ୍ଧା’ ‘ମୁ’ ଅକ୍ଷରଟା ଉପରେ ଅକାରଣରେ ଜୋରଦେଇ ଛୋଟ ଝିଅଟି ମୁଣ୍ଡ ପାଖକୁ ଝୁଙ୍କିପଡ଼େ ଓ ପଦ ଉଚ୍ଚାରଣ ଶେଷକରେ । ଝିଅଟିକୁ ବେଶ୍‌ ମଜା ଲାଗେ ।

 

ପିଉସୀ ଟିକି ଝିଆରୀଟିକୁ ବୋକା ବନେଇବା ପାଇଁ ଦଶ ପନ୍ଦର ଦିନରୁ ବୋଲାଯାଇ ନ ଥିବା ବହୁତଗୁଡ଼ିଏ ଗୀତ ଆବୃତ୍ତି କରେ ଓ ପଦପୂରଣ ପାଇ ତା’ ଉପରେ ଛାଡ଼ିଦିଏ, କିନ୍ତୁ ସାନ ଝିଅଟି ଠିକ୍‌ ମନେରଖିଥାଏ ଅନର୍ଗଳ କହିଦିଏ । ତାକୁ ଠକିଦେବା କାଠିକର ପାଠ ।

 

ରାତି ଟିକେ ବଢ଼ିଗଲେ, ତା’ ମା’ ଖାଇବା ପାଇଁ ଡାକିଲେ ସେ ସେଠାରୁ ଉଠିଯାଏ ।

 

(୨)

 

ହରିହରର ଆଦି ବାସସ୍ଥାନ ଯଶଡ଼ା-ବିଷ୍ଣୁପୁରର ପ୍ରାଚୀନ ଧନାଢ଼୍ୟ ଚୌଧୁରୀ ବଂଶର ପୂର୍ବପୁରୁଷମାନେ ନିଷ୍କର ଜମିଦାନ କରି ସେ ସମୟରେ ଯେଉଁ ବ୍ରାହ୍ମଣମାନଙ୍କୁ ବସାଇଥିଲେ, ତା’ ମଧ୍ୟରୁ ହରିହରର ପୂର୍ବପୁରୁଷ ବିଷ୍ଣୁରାମ ରାୟ ଅନ୍ୟତମ ।

 

ବ୍ରିଟିଶ ଶାସନ ସେତେବେଳକୁ ଦେଶରେ ବଦ୍ଧ ମୂଳ ହୋଇନଥିଲା । ଗମନା-ଗମନର ପଥ ସବୁ ଭୀଷଣ ବିପଦ ସଙ୍କୁଳ ଥିଲା ଓ ଚୋର ଡକାୟତ, ଜଳଦସ୍ୟୁ ଆଦିରେ ଭରପୁର ଥିଲା । ଏହି ଡକାୟତମାନଙ୍କ ମଧ୍ୟରେ ପ୍ରାୟତଃ ଗୋପାଳ, ବାଗ୍‌ଦୀ, ବାଉରୀ ଶ୍ରେଣୀର ଲୋକ ଥିଲେ । ସେମାନେ ସମସ୍ତେ ବଳବାନ । ଲାଠି ଓ ବର୍ଚ୍ଛା ଚଳାଇବାରେ ଧୁରନ୍ଧର ଥିଲେ । ଅନେକ ଗାଁ’ର ନିଭୃତ ଉପାନ୍ତରେ ଏମାନଙ୍କଦ୍ୱାରା ପ୍ରତିଷ୍ଠିତ କାଳୀ ମନ୍ଦିରର ଚିହ୍ନ ଏଯାଏ ବି ରହିଛି । ଦିନଯାକ ଏମାନେ ବେଶ ଭଦ୍ରଲୋକ ସାଜି ଘୂରି ବୁଲନ୍ତି । ରାତି ହେଲେ କାଳୀ ପୂଜା କରି ଦୂର ପଲ୍ଲୀ ଗାଁ’ରେ ଗୃହସ୍ଥମାନଙ୍କଠୁ ବି ଡକାୟତି କରି ଅର୍ଥ ସଞ୍ଚୟ କରୁଥିଲେ । ଯେଉଁମାନେ ପ୍ରାଚୀନ ବଙ୍ଗ ଦେଶର କଥା ଜାଣନ୍ତି, ସେମାନେ ଏ କଥା ବି ଜାଣନ୍ତି ଯେ ବଙ୍ଗ ଦେଶର ବହୁ ଜମିଦାର ଓ ଅବସ୍ଥାପନ୍ନ ଗୃହସ୍ଥମାନଙ୍କ ଅର୍ଥର ମୂଳଭିତ୍ତିହିଁ ସେମାନଙ୍କ ପୂର୍ବପୁରୁଷମାନଙ୍କ ଦ୍ୱାରା ସଞ୍ଚିତ ଲୁଣ୍ଠିତ ଧନରତ୍ନ ।

 

ବିଷ୍ଣୁରାମ ରାୟର ପୁଅ ବୀରୁ ରାୟର ମଧ୍ୟ ଏହିଭଳି ଦୁର୍ନାମ ଥିଲା । ତାଙ୍କ ଅଧୀନରେ ବେତନ ଭୋଗୀ ଲୁଣ୍ଠନକାରୀମାନେ ରହୁଥିଲେ । ନିଶ୍ଚିନ୍ତପୁର ଗାଁ’ର ଉତ୍ତରପଟ ଦେଇ ଏକ ମାଟି ସଡ଼କ ସେପଟ ଚୁଆଡ଼ିଙ୍ଗ ଗ୍ରାମରୁ ଆରମ୍ଭ ହୋଇ ନବାବଗଞ୍ଜ ଭିତର ଦେଇ ‘ଟାକୀ’ ପର୍ଯ୍ୟନ୍ତ ଲମ୍ବିଯାଇଛି । ଏହି ସଡ଼କ କଡ଼ରେ ସୋନାଡିଙ୍ଗାର ଦିଗନ୍ତ ବିସ୍ତାରୀ ବିଶାଳ ପ୍ରାନ୍ତର ମଝିରେ ନଣନ୍ଦ ପୋଖରୀ ନାମରେ ସେ ସମୟର ଗୋଟିଏ ବିରାଟ ପୁଷ୍କରିଣୀ ଥିଲା । ଆଉ ପୋଖରୀ କୂଳରେ ଥିଲା ଲୁଣ୍ଠନକାରୀମାନଙ୍କ ଆଡ୍‍ଡ଼ା । ପୋଖରୀ ହୁଡ଼ାରେ ପ୍ରକାଣ୍ଡ ବରଗଛ ମୂଳରେ ସେମାନେ ଲୁଚିଛପି ରହୁଥିଲେ ଏବଂ ନିରୀହ ପଥିକମାନଙ୍କୁ ହତ୍ୟାକରି ସେମାନଙ୍କର ସର୍ବସ୍ୱ ଅପହରଣ କରୁଥିଲେ । ଡକାୟତମାନଙ୍କ କାର୍ଯ୍ୟପ୍ରଣାଳୀ ଅଦ୍ଭୁତ ଧରଣର ଥିଲା । ରାସ୍ତାରେ ଚାଲୁଥିବା ଲୋକଙ୍କୁ ଠେଙ୍ଗାରେ ପିଟି ସେମାନଙ୍କୁ ପ୍ରଥମେ ମାରି ଦେଉଥିଲେ ଓ ପରେ ସେମାନଙ୍କଠାରୁ ଟଙ୍କା ପଇସା ଲୁଟି ନେଉଥିଲେ । ଲୋକଟିକୁ ମାରିସାରିବା ପରେ ଏମିତି ବିଚିତ୍ର ଘଟଣା ଦେଖାଯାଉଥିଲା ଯେ ମୃତ ବ୍ୟକ୍ତି ପାଖରେ ଚାରିଅଣା ପଇସା ବି ନ ଥିଲା । ଶବକୁ ପୋଖରୀ ଭିତରେ ଫୋପାଡ଼ି ସେମାନେ ଏକ ବୃଥା ଶ୍ରମଟିକୁ ପରବର୍ତ୍ତୀ ଶୀକାର ଉପରେ ଭରଣା କରିବା ଆଶାରେ ଅତି ନିରୀହ ଭାବରେ ବୃକ୍ଷ ତଳି ଅଞ୍ଚଳକୁ ଫେରି ଯାଉଥିଲେ । ଗାଁ’ର ଉପରପଟେ ସେହି ବିଶାଳ ପ୍ରାନ୍ତରରେ ବିରାଟ ଗଛଟି ଆଜି ବି ଅଛି । ରାସ୍ତା କଡ଼ର ଗୋଟିଏ ଅପେକ୍ଷାକୃତ ନିମ୍ନଭୂମିକୁ ଆଜି ମଧ୍ୟ ନଣନ୍ଦ ପୋଖରୀ ବୋଲି କୁହାଯାଏ । ପୋଖରୀର ଚିହ୍ନବର୍ଣ୍ଣ ନାହିଁ । ଚଉଦଅଣା ଅଂଶ ପୋତି ହୋଇଯାଇଛି । ଧାନଚାଷ କରିବା ସମୟରେ ଚାଷୀମାନଙ୍କ ଲଙ୍ଗଳ ମୁନରେ ଆଜି ବି ସେଇ ନିମ୍ନଭୂମିରୁ କେବେ କେବେ ମଣିଷ ଖପୁରୀ ବାହାରିଥାଏ ।

 

ଶୁଣାଯାଏ, ଦିନେ ପୂର୍ବଦେଶୀୟ ଜଣେ ବୃଦ୍ଧ ବ୍ରାହ୍ମଣ ତା’ର ବାଳକ ପୁତ୍ର ସହିତ କାଳୀଗଞ୍ଜର ଟାକୀଶ୍ରୀପୁର ସେପଟେ ନିଜ ଗ୍ରାମକୁ ସେହି ରାସ୍ତାରେ ଫେରୁଥିଲେ । କାର୍ତ୍ତିକ ମାସର ଶେଷ ଭାଗର କଥା । ଝିଅ ବାହାଘର ପାଇଁ ଅର୍ଥ ସଂଗ୍ରହ କରିବାକୁ ବ୍ରାହ୍ମଣ ଜଣକ ବିଦେଶ ଯାତ୍ରା କରି ଫେରୁଥିଲେ, ସାଙ୍ଗରେ କିଛି ଅର୍ଥ ଓ ଜିନିଷପତ୍ର ବି ଥିଲା । ହରିଦାସପୁର ବଜାରର ଚଟିଘରେ ରନ୍ଧାରନ୍ଧି କରିଥିଲେ । ଖାଇବା ସାରି ସେମାନେ ଦ୍ୱି-ପ୍ରହରର କିଛି ସମୟ ପରେ ପୁଣିଥରେ ରାସ୍ତାକୁ ଓହ୍ଲାଇ ପଡ଼ିଲେ । ଇଚ୍ଛାଥିଲା, ସାମ୍ନାର ପାଞ୍ଚକୋଶ ରାସ୍ତା ଅତିକ୍ରମ କରି ନବାବଗଞ୍ଜ ବଜାରରେ ଥିବା ଚଟିଘରେ ରାତ୍ରି ଯାପନ କରିବେ । ରାସ୍ତାରେ ଥିବା ବିପଦ କଥା ସେମାନଙ୍କୁ ଜଣାଥିଲା । କିନ୍ତୁ ଅନୁମାନରେ କେଉଁଠି ଟିକେ ଭୁଲ ରହିଗଲା । କାର୍ତ୍ତିକ ମାସରେ ଦିନଗୁଡ଼ିକ ସାନ । ନବାବଗଞ୍ଜ ବଜାରରେ ପହଞ୍ଚିବା ଅନେକ ପୂର୍ବରୁ ସୋନାଡିଙ୍ଗାର ପ୍ରାନ୍ତରରେ ସୂର୍ଯ୍ୟ ରତ ରତ ହେବାର ଦେଖି ସେମାନେ ଦ୍ରୂତ ପାଦରେ ଚାଲିବାକୁ ଆରମ୍ଭ କଲେ । କିନ୍ତୁ ନଣନ୍ଦ ପୋଖରୀ ନିକଟରେ ପହଞ୍ଚିଲାବେଳକୁ ସେମାନେ ଡାକୁମାନଙ୍କ ହାବୁଡ଼ରେ ପଡ଼ିଗଲେ ।

 

ଦସ୍ୟୁମାନେ ପ୍ରଥମେ ବ୍ରାହ୍ମଣର ମୁଣ୍ଡରେ ଠେଙ୍ଗାରେ ପାହାର ବସାଇବାରୁ ବ୍ରାହ୍ମଣ ଚିତ୍କାର କରି ପ୍ରାଣ ବିକଳରେ ରାସ୍ତାଛାଡ଼ି ପ୍ରାନ୍ତର ଭିତରକୁ ଦୌଡ଼ିବାକୁ ଲାଗିଲେ । ବାଳକଟି ମଧ୍ୟ ବାପା ପଛରେ ଦୌଡ଼ିବାକୁ ଲାଗିଲା । କିନ୍ତୁ ଜଣେ ବୃଦ୍ଧ ଆଉ ଜଣେ ବାଳକ କେତେ ସମୟ ବା ଡକାୟତମାନଙ୍କ ସହିତ ଦୌଡ଼ିପାରିବେ ! ଅଳ୍ପ ସମୟ ମଧ୍ୟରେ ସେମାନେ ଶୀକାର ପାଖକୁ ଆସି ଘେରିଗଲେ । ନିରୁପାୟ ହୋଇ ବୃଦ୍ଧ ବ୍ରାହ୍ମଣ ପ୍ରସ୍ତାବ ଦେଲେ, ତାଙ୍କ ଜୀବନ ପଛେ ସେମାନେ ନିଅନ୍ତୁ କିନ୍ତୁ ବଂଶର ଏକମାତ୍ର ପୁତ୍ରକୁ ଛାଡ଼ି ଦିଅନ୍ତୁ । ବଂଶର ପିଣ୍ଡ ଲୋପ ପାଇଯିବ ଇତ୍ୟାଦି ଅନୁନୟ ହୋଇ କହିଲେ । ଘଟଣା ଚକ୍ରରେ ସେଦିନ ବୀରୁ ରାୟ ଦଳ ଭିତରେ ଉପସ୍ଥିତ ଥିଲା । ତାଙ୍କୁ ବ୍ରାହ୍ମଣ ବୋଲି ଚିହ୍ନିପାରି ପ୍ରାଣ ଭୟାର୍ତ୍ତ ବୃଦ୍ଧଟି ତାଙ୍କର ଗୋଡ଼ହାତ ଧରି ପୁତ୍ରର ପ୍ରାଣ ରକ୍ଷା ପାଇଁ ବହୁ କାକୁତି ମିନତି କରିଥିଲେ । କିନ୍ତୁ ସରଳ ବ୍ରାହ୍ମଣ ବୁଝିପାରିଲେନି ଯେ ତାଙ୍କ ବଂଶର ପିଣ୍ଡ ଲୋପର ଭୟ ଅନ୍ୟ କାହାର କାହିଁକି ବା ଚିନ୍ତାର କାରଣ ହେବ, ବରଂ ସେମାନଙ୍କୁ ଛାଡ଼ିଦେଲେ ଡକାୟତମାନଙ୍କ ଅନ୍ୟ ପ୍ରକାରର ଆଶଙ୍କାର ସମ୍ଭାବନା ରହିଛି । ସନ୍ଧ୍ୟାର ଅନ୍ଧକାରରେ ହତଭାଗ୍ୟ ପିତାପୁତ୍ରର ମୃତ ଦେହ ଏକା ସାଙ୍ଗରେ ନଣନ୍ଦ ପୋଖରୀରେ ଟଳିପଡ଼ିଲା । ହେମନ୍ତର ଶୀତଳ ରାତିରେ ଶ୍ୟାମା ଘାସ ଜଳାଶୟ ନିକଟରେ ଶବଗୁଡ଼ିକୁ ପୋତିବାର ବ୍ୟବସ୍ଥା କରି ବୀରୁ ରାୟ ଘରକୁ ଫେରିଆସିଥିଲେ ।

 

ଏହି ଘଟଣାର ଠିକ୍‌ ବର୍ଷକ ପରେ ୧୨୩୮ ସାଲର କଥା । ବୀରୁ ରାୟ ସପରିବାରେ ନିଜର ଶ୍ୱଶୁର ଘର ‘ହଳଦୀବାଡ଼ିଆ’ରୁ ନଉକା ଯୋଗେ ଫେରୁଥିଲେ । ନକିପୁର ତଳକୁ ବଡ଼ ଲୁଣା ନଦୀଟି ପାରିହେଲେ ମଧୁମତୀ ନଦୀରେ ଦୁଇଦିନର ଯାତ୍ରା । ତା’ପରେ ଜୁଆର ମାଡ଼ ଖାଇ ଦକ୍ଷିଣ ଶ୍ରୀପୁର ନିକଟରେ ଇଚ୍ଛାମତୀ ନଦୀରେ ପହଞ୍ଚି ହୁଏ । ତା’ପରେ ଚାରିଦିନର ରାସ୍ତା ଅତିକ୍ରମ କଲେ ବୀରୁ ରାୟଙ୍କର ନିଜ ଗାଁ ।

 

ଦିନସାରା ନୌକା ଚାଳନା ପରେ ଅପରାହ୍ନରେ ଟାକି ଘାଟରେ ନୌକା ଲାଗିଲା । ଘରେ ଦୁର୍ଗାପୂଜା ହୁଏ । ତେଣୁ ଟାକି ବଜାରରୁ ପୂଜା ସାମଗ୍ରୀ କ୍ରୟ କରି ସେଠାରେ ରାତ୍ରି ଯାପନ କଲେ । ପରଦିନ ପ୍ରତ୍ୟୁଷରୁ ପୁଣି ନୌକାରେ ଦେଶଆଡ଼କୁ ସମସ୍ତେ ଯାତ୍ରା ଆରମ୍ଭ କଲେ । ପ୍ରାୟ ଦୁଇଦିନ ପରେ ସନ୍ଧ୍ୟା ସରିକି ‘ଧବଳଚିତ’ର ବଡ଼ ନାଳ ଓ ‘ଇଚ୍ଛାମତୀ’ର ମୁହାଣରେ ଥିବା ଏକ ନିର୍ଜନ ପଠାରେ ନୌକା ରଖି ଜୁଆର ଅପେକ୍ଷାରେ ଅଟକିଗଲେ ଓ ରୋଷେଇ ବନ୍ଦୋବସ୍ତରେ ଲାଗିପଡ଼ିଲେ । ନଦୀର ପଠାଟି ବେଶ୍‍ ପ୍ରଶସ୍ତ । ମଝିରେ ମଝିରେ କାଶତଣ୍ଡିର ବୁଦା ଛଡ଼ା ଅନ୍ୟକିଛି ଗଛଲତାର ଚିହ୍ନବର୍ଣ୍ଣ ନାହିଁ । ଗୋଟିଏ ପଟେ ନାଉରୀଆ ଓ ଅନ୍ୟପଟେ ବୀରୁ ରାୟଙ୍କ ସ୍ତ୍ରୀ ରୋଷେଇ ଆରମ୍ଭ କରିଥିଲେ । ସମସ୍ତଙ୍କ ମନ ପ୍ରଫୁଲ୍ଲ, ଦୁଇଦିନ ପରେ ନିଜ ଦେଶରେ ପହଞ୍ଚିବେ । ବିଶେଷତଃ ଦୁର୍ଗାପୂଜା ଆସୁଛି । ସେ ଆନନ୍ଦ ଆହୁରି ଅଧିକ ପ୍ରସନ୍ନତା ଭରି ଦେଉଥାଏ ।

 

ଆକାଶରେ ଜହ୍ନ ଉଠିଥିଲା । ଲୁଣା ନଦୀର ଜଳ ଚିକ୍‌ ଚିକ୍‌ କରୁଥିଲା । ସୁଲୁସୁଲିଆ ପବନରେ ପଠାର କାଶତଣ୍ଡି ଫୁଲ, ଆକାଶ, ଜହ୍ନ ଓ ମୁହାଣର ଜଳ ଏକାକାର ହୋଇ ଉଠୁଥିଲା । ହଠାତ୍‌ କ’ଣ ଗୋଟିଏ ଶବ୍ଦ ଶୁଣି ଜଣେ ଦୁଇଜଣ ନାଉରୀଆ ଛିଡ଼ା ହୋଇ ଚାରିକଡ଼କୁ ଅନେଇଲେ । କାଶତଣ୍ଡି ବୁଦା ଆଢ଼ୁଆଳରେ ଗୋଟିଏ କ’ଣ ଛଟପଟ ହେବାର ଶବ୍ଦ ଶୁଣାଗଲା । ଗୋଟିଏ ଭୟାର୍ତ୍ତ କଣ୍ଠରେ ଥରଟିଏ ମାତ୍ର ଏକ ଅସ୍ପଷ୍ଟ ଚିତ୍କାର ଓ ତା’ପରେ ପରେ ହିଁ ସବୁ ଚୁପ୍‌ ହୋଇଗଲା । କୌତୁହଳୀ ନାବିକମାନେ ଘଟଣାର ଅନୁସନ୍ଧାନ କରିବାକୁ କାଶତଣ୍ଡି ବୁଦା ପାରି ହେବା ସମୟରେ ଦେଖିଲେ କ’ଣ ଗୋଟାଏ ଦୁଡ଼ୁମ୍‌ଧୁପ କରି ପଠାରୁ ଖସି ପାଣିରେ ବୁଡ଼ିଗଲା । ନଈପଠାର ସେପଟେ ଜନମାନବ ଶୂନ୍ୟ । କାହାରି ନଜରରେ କିଛି ପଡ଼ିଲା ନାହିଁ ।

 

ଘଟଣା କ’ଣ ଜାଣିବା ପୂର୍ବରୁ ଅନ୍ୟ ନାଉରୀମାନେ ସେଠାରେ ଉପସ୍ଥିତ ହେଲେ । ଗଣ୍ଡଗୋଳ ସୋର ଶବ୍ଦ ଶୁଣି ବୀରୁ ରାୟ ଆସିଲେ । ସାଙ୍ଗରେ ତାଙ୍କର ଚାକରଟି । ବୀରୁ ରାୟର ଏକମାତ୍ର ପୁତ୍ରଟି ନୌକାରେ ବସିଥିଲା । କୁଆଡ଼େ ଗଲା ? ଜଣାପଡ଼ିଲା ଯେ ରୋଷେଇର ବିଳମ୍ବ ଦେଖି ପିଲାଟି କିଛି ସମୟ ପୂର୍ବରୁ ଜହ୍ନ ଆଲୁଅରେ ନଈପଠାକୁ ବୁଲିବାକୁ ଆସିଥିଲା । ନାଉରୀଆମାନଙ୍କ ମୁହଁ ଶୁଖିଯାଇଥିଲା । ଏ ଅଞ୍ଚଳର ଲୁଣା ନଦୀ ଶବ୍ଦର ଅଭିଜ୍ଞତାରୁ ସେମାନେ ଜାଣିପାରିଲେ ଯେ କାଶତଣ୍ଡି ବୁଦା ଆଢ଼ୁଆଳରେ ନଈ ପଠାରେ ବିରାଟ କୁମ୍ଭୀର ଆକ୍ରମଣ ଉଦ୍ଦେଶ୍ୟରେ ଶୋଇଥିଲା । ସେହି ବାଲି ଉପରୁ ବୀରୁ ରାୟଙ୍କ ପୁଅକୁ ଝାମ୍ପି ନେଇଛି । ତା’ପରେ ଯାହା ହବାର ଥିଲା ହେଲା । ନୌକାର କାତ ବାଉଁଶରେ ଏଣେ ତେଣେ ଖୋଜା ଚାଲିଲା । ନୌକାରେ ଚଢ଼ି ମଝି ନଈରେ ଗଭୀର ରାତ୍ରି ପର୍ଯ୍ୟନ୍ତ ସମସ୍ତେ ଖୋଜି ବୁଲିଲେ । ତା’ପରେ କାନ୍ଦ ବୋବାଳି, ଗୋଡ଼ ହାତ ଛିଞ୍ଚାଡ଼ି ଆତ୍ମୀୟମାନଙ୍କ ମୁମୁର୍ଷୁ ଅବସ୍ଥା । ଗତ ବର୍ଷ ଠିକ୍‌ ଏହି ସମୟରେ ନଣନ୍ଦ ପୋଖରୀ ଯେଉଁ ଘଟଣା ଘଟିଥିଲା, ଠିକ୍‌ ସେମିତି ଏକ ଅଦୃଶ୍ୟ ବିଚାରକ ଏ ବର୍ଷ ଇନ୍ଦୁମତୀ ନଦୀର ନିର୍ଜନ ପଠାରେ ତାଙ୍କର ନିଶାପ ନଷ୍ପନ୍ନ କରିଦେଲେ । ମୁର୍ଖ ବୀରୁ ରାୟ ଠିକ ଶିଖିଲେ ଯେ ଅଦୃଶ୍ୟ ଧର୍ମାଧିକରଣର ଦଣ୍ଡକୁ ନଣନ୍ଦ ପୋଖରୀର ଶ୍ୟାମଘାସର ଜଳାଶୟରେ ପ୍ରତାରିତ କରିପାରେନା । ଘନ ଅନ୍ଧାରରେ ମଧ୍ୟ ସେ ତା’ ନିଜର ପଥ ଚିହ୍ନିପାରେ ।

 

ଘରକୁ ଫେରିବାର ଅଳ୍ପଦିନ ପରେ ବୀରୁ ରାୟ ମଧ୍ୟ ମୃତ୍ୟୁବରଣ କଲେ । ତାଙ୍କ ବଂଶରେ ଏକ ଅଦ୍ଭୁତ ଘଟଣାର ସୂତ୍ରପାତ ହେବାକୁ ଲାଗିଲା । ନିଜ ବଂଶ ଲୋପ ପାଇଥିଲେ ବି ତାଙ୍କ ଭାଇଙ୍କର ବଂଶ ଅନୁକ୍ରମ ତିଷ୍ଠିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା, ବଂଶର ଜ୍ୟେଷ୍ଠ ସନ୍ତାନ କେବେବି ବଞ୍ଚି ରହୁନଥିଲା । ସାବାଳକ ହେବା ପୂର୍ବରୁ କୌଣସି ଏକ ରୋଗରେ ମୃତ୍ୟୁବରଣ କରୁଥିଲା । ସମସ୍ତେ କହିଲେ, ଏ ବଂଶକୁ ବ୍ରହ୍ମଶାପ ପଡ଼ିଛି । ଥରେ ହରିହର ରାୟର ମା’ ତାରକେଶ୍ୱର ଦର୍ଶନରେ ଯାଇଥିଲେ । ସେଠାରେ ଜଣେ ସନ୍ୟାସୀଙ୍କ ପାଦତଳେ କନ୍ଦାକଟା କରି ଗୋଟିଏ କବଚ ପାଇଥିଲେ । କବଚ ବଳରେ ହେଉ କିମ୍ବା ଦୁଇ ପୁରୁଷ ପରେ ବ୍ରହ୍ମଶାପ କର୍ପୂର ପରି ଉଡ଼ିଯିବା ହେତୁ ହେଉ, ଏ ବୟସରେ ମଧ୍ୟ ହରିହର ଆଜି ପର୍ଯ୍ୟନ୍ତ ଜୀବିତ ରହିଛି ।

 

(୩)

 

କିଛିଦିନ ପରର କଥା ।

 

ଝିଅଟି ସନ୍ଧ୍ୟା ପରେ ଶୋଇ ପଡ଼ିଥିଲା । ଘରେ ତା’ ପିଉସୀ ବି ନାହିଁ । ଆଜକୁ ଦୁଇ ମାସରୁ ବେଶୀ ହେଲାଣି, ଦିନେ ତା’ ମା’ ସହିତ ଝଗଡ଼ା ହେବା ପରେ ଅଭିମାନରେ ଘର ଛାଡ଼ି ଦୂର ଗ୍ରାମର ଜନୈକ ଆତ୍ମୀୟ ଘରକୁ ଚାଲିଯାଇଛି । ତା’ ମାଆର ଦେହଟି ଏତେଦିନ ଧରି ଅସଜ ଥିଲା ବୋଲି ତା’ର ଦେଖାଶୁଣା କରିବାକୁ କେହି ଲୋକ ନ ଥିଲେ । ଏବେ ତା’ ମା’ ଗଲାକାଲିଠୁ ଏନ୍ତୁଡ଼ି ଘରେ ପଶିବା ପର୍ଯ୍ୟନ୍ତ ସେ କେତେବେଳେ ଖାଏ, କେତେବେଳେ ଶୁଏ, ସେ ବିଷୟରେ ବଡ଼ମାନେ କେହି କିଛି ବୁଝନ୍ତି ନାହିଁ ।

 

ଝିଅଟି ଶୋଇ ଶୋଇ ନିଦ ନ ଆସିବା ପର୍ଯ୍ୟନ୍ତ ତା’ ପିଉସୀ କଥା ମନେପକାଇ କାନ୍ଦିଲା । ପ୍ରତି ରାତିରେ ସେ ଏମିତି କାନ୍ଦେ । ସେଦିନ ରାତିରେ କିଛି ସମୟ ଶୋଇଲା ପରେ କାହାର ସବୁ କଥାବାର୍ତ୍ତା ଶୁଣି ଚେଇଁ ଉଠି ଦେଖିଲା ଗାଁ’ର ଧାଈ, କୁଡ଼ୁଣୀ ମା’ ରୋଷେଇ ଘର ନିକଟରେ ଛିଡ଼ା ହୋଇ କଥା କହୁଛି । ସାହିର କେତେ ଲୋକ ଓ ‘ନେଡ଼ା’ର ଜେଜେମା ବି ଉପସ୍ଥିତ ଅଛନ୍ତି । ସମସ୍ତେ ଯେପରି ବ୍ୟସ୍ତ ଓ ଉଦ୍‌ବିଗ୍ନ ଜଣାପଡ଼ୁଥିଲେ । ଝିଅଟି କିଛି ସମୟ ଚାହିଁରହି ଦେଖିଲା ଓ ଏନ୍ତୁଡ଼ି ଘରେ ଏବେ ଆଲୁଅ ଜଳୁଛି ଏବଂ କିଏ ସବୁ କଥାବାର୍ତ୍ତା କରୁଛନ୍ତି । ଅଗଣାରେ ଜହ୍ନ ଆଲୁଅ ପଡ଼ିଛି । ଶୀତଳ ପବନରେ ସେ ନିଦରେ ପୁଣିଥରେ ଶୋଇପଡ଼ିଲା । ରାତି କିଛି ବଢ଼ିଯିବା ପରେ ତନ୍ଦ୍ରା ଭିତରେ କ’ଣ ଗୋଟିଏ ଅସ୍ପଷ୍ଟ ଚିତ୍କାର ଓ ଗୋଳମାଳ ଶୁଣି ତା’ର ନିଦ ପୁଣି ଭାଙ୍ଗିଗଲା । ତା’ର ବାପା ଏନ୍ତୁଡ଼ି ଘର ଆଡ଼କୁ ବ୍ୟସ୍ତଭାବେ ଦଉଡ଼ି ଯାଉ ଯାଉ କହୁଥିଲେ ତୋ ଖୁଡ଼ୀ କେମିତି ଅଛି ? କ’ଣ ସବୁ ଘଟୁଛି ଝିଅଟି ଜାଣିପାରୁନଥିଲା । ହଠାତ୍‌ ଏନ୍ତୁଡ଼ି ଘର ଭିତରୁ ଏକ ଅଜବ ଧରଣର ସ୍ୱର ଶୁଭିଲା । ସ୍ୱରଟି ତା’ ମାଆର । ଆଖିରେ ନିଦ ମାଡ଼ି ପଡ଼ୁଥାଏ, ଅନ୍ଧାର ଭିତରେ କ’ଣ ସବୁ ଘଟିଯାଉଛି, କିଛି ବୁଝିନପାରି କେତେ ସମୟ ଚୁପ୍‌ ହୋଇ ବସିରହିଲା । ତାକୁ ଗୋଟିଏ ଅଜଣା ଭୟ ମାଡ଼ିଆସୁଥିଲା । ମା’ ତା’ର ଏମିତି ଚିତ୍କାର କାହିଁକି କରୁଛି ? ତା’ର କ’ଣ ବା ହେଇଛି ?

 

ସେ ଆଉ କିଛି ସମୟ ସେମିତି ନିସ୍ତେଜ ହୋଇ ବସିଲା ପରେ କିଛି ବୁଝି ନ ପାରି ଶୋଇବାକୁ ଚେଷ୍ଟା କଲା । ଟିକିଏ ପରେ ତା’ ଆଖିକୁ ନିଦ ବି ଆସିଗଲା, କେତେ ସମୟ ହେବ ସେ ଜାଣେନା, କେଉଁଠି ଯେମିତି ବିଲେଇ ଛୁଆ ଡାକ ଶୁଣି ତା’ର ନିଦ ପୁଣି ଭାଙ୍ଗିଗଲା । ହଠାତ୍‌ ତା’ର ମନେପଡ଼ିଲା ପିଉସୀ ଘର ଭଙ୍ଗା ଚୁଲି ଭିତରେ ମେନି ବିଲେଇର ଛୁଆଗୁଡ଼ିକର ଏଯାଏ ବି ଆଖି ଖୋଲିନାହାନ୍ତି । ଆରେ ସେମାନଙ୍କୁ ବଣଭୂଆ ଆସି ନିଶ୍ଚୟ ଖାଇଦେଲା ।

 

ତନ୍ଦ୍ରା ଜଡ଼ିତ ଆଖିରେ ଅନ୍ଧକାର ଭିତରେ ସେ ପିଉସୀର ବାରନ୍ଦାରେ ଥିବା ଚୁଲି ନିକଟକୁ ତରବରରେ ଧାଇଁଗଲା । ଚୁଲି ଭିତରେ ହାତ ପୁରାଇ ଦେଖିଲା ପିଲାଗୁଡ଼ିକ ନିଶ୍ଚିନ୍ତରେ ଘୁଙ୍ଗୁଡ଼ି ମାରୁଛନ୍ତି । ବଣଭୂଆର କୌଣସି ଚିହ୍ନବର୍ଣ୍ଣ ନାହିଁ । ସେ ଆଶ୍ଚର୍ଯ୍ୟ ହେଲା, ଫେରି ଆସି ପୁଣି ଶୋଇପଡ଼ିଲା ।

 

ନିଦରେ ସେ ଶୁଣି ପାରୁଥିଲା କେଉଁଠି ଯେମିତି ବିଲେଇ ଛୁଆ ମିଆଁଉ ମିଆଁଉ କରୁଛି ।

 

ପରଦିନ ସକାଳେ ଉଠି ନିଦ ମଳମଳ ଆଖି ପୋଛିଲାବେଳେ ଧାଈ କୁଡ଼ୁଣୀ ମା’ କହିଲା, ଆରେ ଏ ଝିଅ, କାଲି ରାତିରେ ତୋ’ର ଗୋଟିଏ ଭାଇ ଆସିଛି, ଜାଣିଛୁ କି ନାହିଁ ? ଦେଖିବୁ ନି ତାକୁ ? ଆଲୋ ମା’, କାଲି ରାତିରେ ଏତେ ସୋର ଶବ୍ଦ, ଏତେ କାଣ୍ଡ ଘଟିଗଲା, ତୁ କେଉଁଠି ଥିଲୁ ଲୋ ? କେତେ ଯେ କଷ୍ଟ, କେତେ ଯେ କାଣ୍ଡ କାରଖାନା ଘଟିଗଲା, ଶେଷରେ କାଳିପୁରର ପୀର ବାବା ଦର୍‌ଗାରେ ସାରିଣୀ ମାନସିକ କଲି, ସତରେ ବାବା ଖୁବ୍‌ ଦୟାକଲେ, ରକ୍ଷା କଲେ ତୋ’ ମାଆକୁ ।

 

ଝିଅଟି ଏକା ନିଃଶ୍ୱାସରେ ଏନ୍ତୁଡ଼ି ଘର ଦୁଆର ବନ୍ଧ ପାଖକୁ ଦଉଡ଼ିଗଲା ଆଉ ଉଙ୍କି ମାରି ଦେଖିଲା । ଏନ୍ତୁଡ଼ିଘର ଖଜୁରୀ ପତ୍ରର ବାଡ଼ରେ ତା’ ମାଆ ଦେହ ଜାକି ଶୋଇଛି । ପାଖରେ କନ୍ଥା ଭିତରେ ଘୋଡ଼ା ହୋଇ ଗୋରା ତକ ତକ ବଡ଼ କାଚ ପିତୁଳାଠାରୁ ଟିକିଏ ବଡ଼ ଗୁଲୁଗୁଲିଆ ଜୀବଟିଏ ଶୋଇଛି । କୋଇଲା ଚୁଲିର ମନ୍ଦ ମନ୍ଦ ଧୁଆଁରେ ଭଲଭାବରେ ଦେଖିପାରୁନଥିଲା । ସେ ସେଠାରେ ଛିଡ଼ା ହେବା ଭିତରେ ଜୀବଟି ଆଖି ଖୋଲି ମିଟ୍‌ମିଟ୍‌ କରି ଚାହିଁଲା । ତା’ର ଅସମ୍ଭବଭାବେ କୁନି କୁନି ଦୁର୍ବଳ ହାତ ଦୁଇଟି ହଲେଇ କ୍ଷୀଣ ସ୍ୱରରେ କାନ୍ଦିଲା । ଏବେ ସେ ବୁଝିପାରିଲା ରାତିରେ ବିଲେଇ ଛୁଆର ସ୍ୱର ବୋଲି ଯାହାକୁ ଭାବୁଥିଲା, ସେଇଟା ସତରେ କ’ଣ ! ଅବିକଳ ବିଲେଇ ଛୁଆର ମିଆଁଉ ଡାକ- ଦୂରରୁ ଶୁଣିଲେ ପାର୍ଥକ୍ୟ ଜମାରୁ ଜାଣିହେବନି । ହଠାତ୍‌, ସେହି ଅସହାୟ, ଅସମ୍ଭବ ଛୋଟ, ନିତାନ୍ତ ଭୋକିଲା ପିଲାଟି ପାଇଁ ଦୁଃଖରେ, ମମତାରେ, ସହାନୁଭୂତିରେ ଝିଅଟିର ହୃଦୟ କରୁଣାର୍ଦ୍ର ହୋଇଉଠିଲା । ‘ନେଡ଼ା’ର ଜେଜେମା’, ଧାଈ କୁଡ଼ୁମା ବାରଣ କଲାରୁ ସେ ତା’ର ଇଚ୍ଛା ଥାଇ ବି ଏନ୍ତୁଡ଼ି ଘରକୁ ପଶିପାରିଲାନି ।

 

ତା’ର ମା ଏନ୍ତୁଡ଼ି ଘରୁ ବାହାରି ଆସିଲା । ଏଣିକି କୁନି ପୁଅକୁ ଛୋଟ ଦୋଳିରେ ଶୁଆଇ ଝିଅଟି ତା’ର ଦୋଳିକୁ ଧୀରେ ଧୀରେ ଝୁଲଉ ଝୁଲଉ କେତେ ପ୍ରକାର ଗୀତ ଆଉ ଢଗଢମାଳି ଗାଏ । ଗୀତ ଗାଉ ଗାଉ ବିଗତ ସନ୍ଧ୍ୟାର କଥା ତା’ର ମନେପଡ଼ିଯାଏ । ପିଉସୀ କଥା ମନେପଡ଼ିଲେ ଆଖିରେ ଲୁହ ଜକେଇ ଆସେ । ଏମିତି କେତେ ଯେ ଢଗଢମାଳି ତା’ର ପିଉସୀ ଗାଉଥିଲା ! ନବଜାତକକୁ ଦେଖିବାକୁ ସାହିରୁ ମାଳ ମାଳ ଲୋକ ଆସନ୍ତି । ସମସ୍ତେ କହନ୍ତି, ପିଲାଟି ବଂଶ ଉଜ୍ଜ୍ୱଳ କରିବ । ତା’ର ମୁଣ୍ଡ ଭର୍ତ୍ତି କଳା ବାଳ, ଦେହର ରଙ୍ଗ ଗୋରା ତକ୍‍ତକ୍‌ । ଏମିତି କେତେ କଥା କହନ୍ତି । କିଏ କୁହେ କେମିତି ଠାଣିରେ ପିଲାଟା ହସୁଚି, ଦେଖିଲ ନାନୀ ।

 

ଝିଅର ମନକୁ କିନ୍ତୁ ଆସେ, ଯଦି ତା’ର ପିଉସୀ ଥରଟିଏ ଆସି ଦେଖନ୍ତା ! ସମସ୍ତେ ଆସି ଦେଖୁଛନ୍ତି, ଆଉ ତା’ ପିଉସୀ କେଉଁଠିକି ଚାଲିଗଲା ସେ କ’ଣ ଆଉ କେବେ ଫେରିବନି ? ସେ ସାନ ହେଲେବି ଏତିକି ବୁଝିପାରେ ଯେ ଏଘରେ ତା’ର ବାପା, ମା’ କେହି ତା’ ପିଉସୀକୁ ଭଲ ପାଆନ୍ତିନି । ତାକୁ ଫେରେଇ ଆଣିବାକୁ କେବେବି ମନ ବଳେଇବେ ନାହିଁ । ପିଉସୀ ଘରର କବାଟଟା ଖୋଲା ପଡ଼ିଥାଏ । ଦିନରେ ଘର ଆଡ଼କୁ ଚାହିଁଲେ ତା’ର ମନଟି ଆଉଟ ପାଉଟ ହୁଏ । ବାରନ୍ଦାରେ ଚେମିଣି ଲଣ୍ଡି ଜମିଯାଇଛି । ଅଗଣା ଆଗପରି ଓଳା ହୁଏନି । ଏଠି ସେଠି ଅନାବନା ଗଛର ଚାରା, ମାଣଗଛ ଗଜୁରିଛି-ପିଉସୀ ଥିଲେ ଏସବୁ କ’ଣ ଥାଆନ୍ତା ? ଝିଅଟିର ଟଣା ଟଣା ଆଖିରେ ଲୁହ ଜମି ଆସେ । ପିଉସୀର କେତେ ଯେ ଢଗଢମାଳି, କେତେ ଯେ କାହାଣୀ, ସେ କ’ଣ କେବେ ଭୁଲିପାରିବ ?

 

ହଠାତ୍‌ ଦିନେ ହରି ପାଲିତର ଝିଅ ଘରକୁ ଆସି ତା’ ମାଆକୁ କହିଲା, ତୁମ ଘରର ବୁଢ଼ୀକୁ ହାତରେ ଢାଳ ଆଉ ପୁଟୁଳି ଧରି ପଡ଼ିଆ ସେପଟ ନଈ ଘାଟ ରାସ୍ତାରେ ଆସୁଥିବାର ଦେଖିଲି । ଏବେ ଚକ୍ରବର୍ତ୍ତୀ ମହାଶୟ ଘରେ ବସିଛି । ଝିଅ ଦୁର୍ଗାକୁ ପଠେଇ ଡାକି ଆଣ, ତା’ ଅଭିମାନ ଭାଙ୍ଗିଯିବ ।

 

ହରି ପାଲିତର ଘରେ ବସି ବୁଢ଼ୀ ସାହିର ଝିଅମାନଙ୍କ ପାଖରୁ ହରିହରର ପୁଅକଥା ଶୁଣୁଥିଲା ।

 

‘ଓ, ପିଉଚି’, କାହାର ଡାକ ଶୁଣି ବୁଢ଼ୀ ଚମକି ପଡ଼ିଲା । ଦେଖିଲା ଦୁର୍ଗା ଧଇଁ ସଇଁ ହୋଇ ଜୋରରେ ଦଉଡ଼ି ଆସୁଛି । ବୁଢ଼ୀ ବ୍ୟସ୍ତ ହୋଇ ଦୁର୍ଗାକୁ କୁଣ୍ଢାଇବାକୁ ହାତ ବଢ଼େଇ ଦେଲା । ଦୁର୍ଗା ଏକାବେଳକେ ତା’ କୋଳକୁ ଡେଇଁପଡ଼ିଲା । ତା’ ମୁହଁରେ ହସ ଫାଟିପଡ଼ୁଥିଲା ଅଥଚ ତା’ ଆଖିରେ ଆଖିଏ ଲୁହ । ଅଗଣାରେ ସାହିର ଅନେକ ଝିଅବୋହୂ ଜମା ହୋଇଥିଲେ । ସମସ୍ତଙ୍କ ଆଖିରେ ଲୁହ । ହରି ପାଲିତର ସ୍ତ୍ରୀ ପ୍ରବୀଣା କହିଲା, ବୁଝିଲ ନଣନ୍ଦ, ଇଏ ପୂର୍ବ ଜନ୍ମରେ ତୁମରି ଝିଅ ଥିଲା । ସେ ଏବେ ତୁମ ଘରର ଝିଅ ହୋଇ ଫେରିଆସିଛି ।

 

ବୁଢ଼ୀ ଘରକୁ ଆସି ପୁଅକୁ ଦେଖିଲା । ଆନନ୍ଦ ଓ ଅଶ୍ରୁରେ ଜୁଡ଼ୁବୁଡ଼ୁ ହୋଇଗଲା । କେତେଦିନ ପରେ ଭିଟାମାଟିରେ ପୁଣିଥରେ ଜହ୍ନ ଉଇଁଛି ।

 

ବୁଢ଼ୀ ସକାଳୁ ବିଛଣାରୁ ଉଠି ମହା ଆନନ୍ଦରେ ଅଗଣା ସଫା କରିବାରେ ଲାଗିଗଲା । ଅନାବନା ଜଙ୍ଗଲ ପରିଷ୍କାର କଲା । ଦୁର୍ଗାର ମନେହେଲା, ଏତେଦିନ ପରେ ସଂସାରଟା ଯେମିତି ଠିକ୍‌ଭାବେ ଚାଲିଲା, ଆଗରୁ ଯେମିତି କେଉଁଠି ଅଡ଼ୁଆ ରହିଥିଲା ।

 

ଦୁଇପହର ଭୋଜନ ପରେ ବୁଢ଼ୀ ପଛପଟ ବାଉଁଶ ବଣ ରାସ୍ତାରେ ବସି ବାଉଁଶ କଣି କାଟିବାରେ ଲାଗିଲା । ସେପଟ ରାସ୍ତାରେ ନଈଘାଟ ପର୍ଯ୍ୟନ୍ତ ଲୋକ ବାକର ବସବାସ ନ ଥିଲା । ନଦୀ ସେତେଟା ପାଖ ନ ହେଲେ ବି ପ୍ରାୟ ପାଏ ବାଟ ହେବ । ଏହାରି ଭିତରେ ବଡ଼ ବଡ଼ ଆମ୍ବ ବଗିଚା, ଘଞ୍ଚ ବାଉଁଶ ବଣ ଓ ଅନ୍ୟାନ୍ୟ ଜଙ୍ଗଲମୟ । ବାଉଁଶ କଣି କାଟିବା ସମୟରେ ଦୁର୍ଗା ପାଖରେ ବସେ । ଆବୁଲ-ତାବୁଲ କଥାକହେ । ଛୋଟ ଛୋଟ ଗୋଛାଏ କଣି ଜମା ହୋଇଗଲେ, ଦୁର୍ଗା ସେଗୁଡ଼ିକ ଘରେ ରଖିଦେଇ ଆସେ । ବାଉଁଶ କଣି କାଟୁ କାଟୁ ମଧ୍ୟାହ୍ନର ଶୀତଳ ବାଉଁଶ ବଣର ଛାଇରେ, ଅଳସ ନିଶାରେ (ଆମେଜରେ) ବୁଢ଼ୀର ମନକୁ ଅନେକ ପୁରୁଣା ସ୍ମୃତି ଛୁଇଁଯାଏ ।

 

ସେସବୁ କାହିଁ କେତେ ସୁଦୂର ଅତୀତର କଥା ।

 

ସେ ପ୍ରାୟ ତିନିଥର ଏଠାକୁ ଆସିଥିଲେ । ସ୍ୱପ୍ନଭଳି ମନେହୁଏ । ଥରେ ସେ ପୁଟୁଳି ଭିତରେ କିଛି ଖାଇବା ଜିନିଷ ଆଣିଥିଲେ । ଝିଅ ବିଶ୍ୱେଶ୍ୱରୀକୁ ସେତେବେଳେ ଦୁଇ ବର୍ଷ ହେବ । ସମସ୍ତେ କହିଲେ, ଧଳା ଚିନି ଦାନାର ଗୁଲି । ଢାଳ ପାଣିରେ ମିଶାଇ, ସେ ବି ଟିକିଏ ଖାଇଥିଲା । ତା’ର କିଛିଦିନ ପରେ ଜଣେ ଲୋକ ଆସିଥିଲା । ସେଇ ପୁରୁଣା ପିଜୁଳି ଗଛ ମୂଳରେ ଠିକ୍‌ ସଞ୍ଜବେଳକୁ ଆସି ଛିଡ଼ା ହୋଇଥିଲା । ଶ୍ୱଶୁରଘର ଗାଁ’ରୁ ଚିଠିଟିଏ ଧରି ଆସିଛି, ଚିଠି ପଢ଼ିବାର ଲୋକ ନାହିଁ । ପଢ଼ିବା ଲୋକ ଗୋଲକ ଭାଇ ଗତ ବର୍ଷ ମୃତ୍ୟୁବରଣ କରିସାରିଛି । ବ୍ରଜ କକାଙ୍କ ଚଣ୍ଡୀ ମଣ୍ଡପକୁ ସେ ନିଜେହିଁ ଚିଠିଟି ଧରି ଯାଇଥିଲା । ସେଦିନର କଥା ଆଜି ବି ଜଳଜଳ ହୋଇ ମନେଅଛି । ମଝିଆଁ ବଡ଼ବାପା, ବ୍ରଜକକା ଓ ଆରସାହିର ପତିତ ରାୟର ଭାଇ ଯଦୁରାୟ ଓ ଗୋଲକର ଶଳା ଭଜହରି ସେଠାରେ ଉପସ୍ଥିତ ଥିଲେ । ସାନମଝିଆଁ ବଡ଼ ବାପା ଚିଠିଟି ପଢ଼ିଥିଲେ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଏ ଚିଠିଖଣ୍ଡିକ କିଏ ଆଣିଛିରେ ଇନ୍ଦିର ? ତା’ପରେ ଇନ୍ଦିର ଠାକୁରାଣୀ ଘରକୁ ଫେରିଆସି ତା’ ହାତରୁ ଲୁହା ଖଡ଼ୁ ଖୋଲି ଦେଲା ଓ ତା’ ପ୍ରଥମ ଯୌବନର ଅତି ସଉକର ବାପାମା’ ଦେଇଥିବା ରୁପାର ବଟଫଳ ହଳକୁ ଖୋଲି ରଖିଦେଲା । ମୁଣ୍ଡରୁ ସିନ୍ଦୁର ପୋଛି ଦେଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲା । କେତେଦିନ ତଳର କଥା, ସେସବୁ ସ୍ୱପ୍ନ ହୋଇଗଲାଣି । ତଥାପି କାହିଁକି ଜଣାଯାଏ ଏଇତ ସେଦିନର କଥା ।

 

ବ୍ରଜକକାଙ୍କ ପୁଅ ନିବାରଣ କଥା ମନେପଡ଼େ । କେଉଁଠାକୁ ଯେ ଚାଲିଗଲା ନିବାରଣ ! ଷୋଳ ବର୍ଷର ବାଳକ ନିବାରଣ । ଦେହର ରଙ୍ଗ ତୋଫା ଗୋରା, ମୁଣ୍ଡରେ ଘଞ୍ଚ କେଶ । ଏଇ ଚଣ୍ଡୀ ମଣ୍ଡପର ପାଖ ଘରର ନିଅଟି ଏବେ ଜଙ୍ଗଲରେ ଭର୍ତ୍ତି ହୋଇଯାଇଛି, ସେଇଠି ବାଉଁଶ ବଣ ଭିତରେ ଥିବା ଘରଟିରେ କଠିନ ଜ୍ୱରରେ ଶଯ୍ୟାଶାୟୀ ହୋଇ ମୃତ୍ୟୁ ସାଥିରେ ଦୁଇ ତିନିଦିନ ଲଢ଼ିଥିଲା । ସବୁବେଳେ ପାଣି, ପାଣି ଚିତ୍କାର କରୁଥିଲା । କିନ୍ତୁ ଈଶାନ କବିରାଜ ପାଣି ଦେବାକୁ ବାରଣ କରିଥିଲେ । କେବଳ ପାନମଧୁରୀ ଥଳିରୁ ଅଳ୍ପ ଟିକିଏ ଦାନା ତା’ ପାଟିରେ ଚଟାଇ ଦିଆଯାଉଥିଲା । ଚାରିଦିନ ପରେ ନିବାରଣ ମରିଗଲା । ମରିବାର ଠିକ୍‌ ପୂର୍ବ ପର୍ଯ୍ୟନ୍ତ କେବଳ ‘ପାଣି ପାଣି’ ଚିତ୍କାର କରୁଥିଲା । କିନ୍ତୁ ଟୋପାଏ ହେଲେ ପାଣି ତା’ ପାଟିରେ ଦିଆଗଲା ନାହିଁ । ପୁଅଟି ମରିଯିବା ପରେ ପାଞ୍ଚଦିନ ପର୍ଯ୍ୟନ୍ତ ବଡ଼ ଖୁଡ଼ୀର ମୁହଁରେ ପାଣି ଟୋପାଏ ଦେବାକୁ ଚେଷ୍ଟାକରି କେହି ସମର୍ଥ ହେଲେ ନାହିଁ । ପାଞ୍ଚଦିନ ପରେ ତାଙ୍କ ଦେଢ଼ଶୁର ରାମଚାନ୍ଦ ଚକ୍ରବର୍ତ୍ତୀ ନିଜେ ଭାଇ ବୋହୂର ଘର ଭିତରକୁ ପଶି ହାତଯୋଡ଼ି କହିଲେ, ତୁମେ ବି ଯଦି ଚାଲିଯିବ ମୋର ଅବସ୍ଥା କ’ଣ ହେବ ? ଏ ବୁଢ଼ା ବୟସରେ କେଉଁଠିକି ଯିବିଲୋ, ମା’ ! ବଡ଼ ଖୁଡ଼ୀ ଖାନଦାନୀ ଧନୀ ଘରର ଝିଅ ଥିଲେ, ଜଗଦ୍ଧାତ୍ରୀ ପରି ରୂପ । ଏମିତି ସୁନ୍ଦରୀ ବୋହୂ ଏ ଅଞ୍ଚଳରେ କେଉଁଠି ଜଣେ ହେଲେ ବି ନ ଥିଲେ । ସ୍ୱାମୀ ପାଦୋଦକ ସେ ନ ପାଇଲେ, ଜଳ ଗ୍ରହଣ କରୁନଥିଲେ । ସେ କାଳର ଗୃହିଣୀ ସେ । ରୋଷେଇ କରି ଆତ୍ମୀୟ ପରିଜନମାନଙ୍କୁ ଆପ୍ୟାୟିତ କରିଲା ପରେ ଯାଇ ନିଜେ ତୃତୀୟ ପ୍ରହରରେ ସାମାନ୍ୟ ଭୋଜନ କରୁଥିଲେ । ଦାନ ଧ୍ୟାନରେ, ଅନ୍ନ ଦାନରେ ସେ ଥିଲେ ସାକ୍ଷାତ୍‍ ଅନ୍ନପୂର୍ଣ୍ଣା । ଶ୍ରଦ୍ଧାର ସହିତ ଅନ୍ୟକୁ ରୋଷେଇ କରି ଭୋଜନ କରାଇବାକୁ ସେ ଖୁବ୍‌ ଭଲ ପାଉଥିଲେ । ତେଣୁ ଦେଢ଼ଶୁରଙ୍କ କଥାରେ ମନରେ କେଉଁ ଏକ କୋମଳ ସ୍ଥାନରେ ବୋଧେ ଆଘାତ ଲାଗିଲା, ତା’ ପରଦିନ ସେ ଉଠିଲେ ଓ ଜଳ ଗ୍ରହଣ କରିଥିଲେ ସତ କିନ୍ତୁ ବେଶୀଦିନ ବଞ୍ଚି ନ ଥିଲେ । ପୁଅ ନିବାରଣର ମୃତ୍ୟୁର ଦେଢ଼ବର୍ଷ ପରେ ସେ ବି ତାକୁ ଅନୁସରଣ କରିଥିଲେ ।

 

- ଟିକେ ପାଣି ଦେ ମା’- ଅଳ୍ପ ଟିକେ–

 

- ପାଣି ପିଇବାକୁ ମନାରେ ବାପା, କବିରାଜ ବାରଣ କରିଛନ୍ତି, ପାଣି ପିଅନ୍ତିନି ବାପା–

 

- ଅଳ୍ପ ଟିକିଏ ଦେ ଲୋ ମା’, ତୋ’ ଗୋଡ଼ ଧରୁଛି, ଗୋଟିଏ ଢୋକ ଦେ, ମା’ ।

ଦୁଇ ପହରରେ ଚଢ଼େଇ ଚିରୁଗୁଣୀର ଡାକରେ ସୁଦୂର ପଚାଶ ବର୍ଷ ପୂର୍ବର ବାଉଁଶର ମର୍‌ ମର୍‌ ଶବ୍ଦ କାନରେ ଆସି ବାଜୁଛି ।

 

ସାନ ଝିଅଟି କହେ, ପିଉଚି, ତୋତେ ନିଦ ନାଗୁଚି ? ଚାଲ ଶୋଇବୁ ଚାଲ ।

 

ହାତରେ ଧରିଥିବା ଦା’ ଖଣ୍ଡିକ ମାଟିରେ ଥୋଇ ଦେଇ ବୁଢ଼ୀ କହେ, ନିଆଁ ଢୁଳଟା ମୋତେ ମାଡ଼ିଆସୁଛି । ଏ ଅବେଳଟାରେ ଆଉ ଶୋଇବିନି ଲୋ, ମା’ । ଏଇକଣିଗୁଡ଼ିକ ସଜେଇ ରଖେ । ଆଣିଲୁ ମା’, ବଡ଼ ଅଗିଲାଟା ।

 

(୪)

 

ଚାହୁଁ ଚାହୁଁ ପୁଅଟିକୁ ଦଶମାସ ହୋଇଗଲା । ଦେହର ରୋଗିଣା ଗଠନ । ମୁହଁଟି ଅସାଧାରଣ ଭାବରେ ସାନ । ତଳ ମାଢ଼ିରେ ଦୁଇଟି ଦାନ୍ତ ଉଠିଛି । ସମୟ ଅସମୟରେ କିଛି କାରଣ ଥାଉ ବା ନ ଥାଉ ସେ ଦୁଇଟି ଦୁଧ ଦାନ୍ତରେ ମାଢ଼ି ବାହାର କରି ହସିଦିଏ । ଲୋକେ କହନ୍ତି, ବୋହୂ, ତୁମ ପୁଅର ହସଟା ବରାଦି ହସ । ତାକୁ ଟିକିଏ କୁତୁକୁତିଆ ଦେଇଦେଲେ ଆଉ ନିସ୍ତାର ନାହିଁ । ମନକୁ ମନ ପାଗଳ ଭଳି କୁରୁଳେଇ ହସିବା ଆରମ୍ଭ କରିଦିଏ । ବନ୍ଦ କରିବାର ନା ଧରେନି । ତା’ର ମାଆ କହେ, ‘ବହୁତ ହେଲା ପୁଅ, ବହୁତ ହସିଲ, ଆଜି ପାଇଁ ଏତିକି ଥାଉ, କାଲି ପାଇଁ ଟିକିଏ ସଞ୍ଚିରଖ ।’ କେବଳ ଦୁଇଟି କଥା ସେ ଏବେ କହି ଶିଖିଛି । ମନ ପ୍ରଫୁଲ୍ଲ ଥିଲେ ପାଟିରେ ‘ଜେ... ଜେ... ଜେ...’ ବୋଲି ରାହା ଧରେ ଏବଂ ଦୁଧଦାନ୍ତ ଦୁଇଟି ବାହାର କରି ହସେ । ମନ ବିରସ ଥିଲେ ‘ନା... ନା... ନା’ ବୋଲି ରାହା ଧରେ ଏବଂ ବିକୃତ ସ୍ୱରରେ ଚିତ୍କାର କରି କାନ୍ଦେ । ଆଗରେ ଯାହା ପଡ଼େ ନୂଆ ଦାନ୍ତ ଦୁଇଟିରେ ତାକୁ କାମୁଡ଼ି ଶକ୍ତି ପରୀକ୍ଷା କରେ । ମାଟିର ଇଟା, ଖଣ୍ଡିଆ କାଠ, ମାଆର ପଣତ, କ୍ଷୀର ପିଆଉଥିବା ପିତଳ ଝିନୁକ ବି ବାଦ ପଡ଼େନି । ତା’ର ମା’ ଖିଲି ଖିଲି ହୋଇ ହସେ, ଶାସନ କରିବା ଭଙ୍ଗୀରେ କୁହେ, ଆରେ, ଏ କ’ଣରେ ପୁଅ, ଝିନୁକଟିକୁ କାହିଁକି କାମୁଡ଼ୁଛୁ ? ଛାଡ଼୍‍ ଛାଡ଼୍‍-ଆରେ କ’ଣ କରୁଛୁ-ତୋର ସର୍ବମୋଟ ଦୁଇଟି ଦାନ୍ତ, ସମ୍ବଳ ମାତ୍ର ଭାଙ୍ଗିଗଲେ ହସିବୁ କେମିତି କହତ ? ପୁଅ ତଥାପି ଛାଡ଼େନି । ପାଟି ଭିତରେ ଆଙ୍ଗୁଳି ପୁରାଇ ତା’ ମା’ ଖୁବ୍‌ କଷ୍ଟରେ ଝିନୁକଟିକୁ କାଢ଼ିଆଣେ ।

 

ଝିଅ ଉପରେ ସବୁ ସମୟରେ ନିର୍ଭର କରିପାରେନି ବୋଲି ତା’ ମା’ ରୋଷେଇ ଘର ବାରନ୍ଦାରେ ଟିକିଏ ଉଚ୍ଚ ସ୍ଥାନରେ ବାଉଁଶ ବତାର ବାଡ଼ କରି ପୁଅକୁ ବସେଇ ଦିଏ । ଆଉ ପୁଅକୁ ନଜରରେ ରଖି ସେ ନିଜର କାମକରେ । ଫୌଜଦାରୀ ମାମଲାର ଆସାମୀ ପରି ପୁଅଟି କାଠଗଡ଼ା ଭିତରେ ଅଟକ ରହି, କେତେବେଳେ ମନକୁ ମନ ହସେ, କେତେବେଳେ ପୁଣି ଅଦୃଶ୍ୟ ଶ୍ରୋତାମାନଙ୍କ ଆଗରେ ତା’ର ଦୁର୍ବୋଧ୍ୟ ଭାଷାରେ କ’ଣ ସବୁ ବୟାନ କରେ । ପୁଣି କେବେକେବେ ତା’ର ବାଡ଼କୁ ଧରି ଠିଆ ହୋଇପଡ଼େ ଓ ବାଉଁଶ ବଣ ଆଡ଼କୁ ବଲବଲ କରି ଚାହିଁ ରହେ । ମାଆ ତା’ର ନଈଘାଟରୁ ଗାଧୋଇ ଫେରିବାବେଳକୁ ଭିଜା ଲୁଗାର ଶବ୍ଦ ବାରିପାରେ । ନିଜର ଖେଳ କସରତ୍‌ରୁ ମୁହଁ ଉଠାଇ ଏପଟ ସେପଟ ଚାହେଁ । ମା’କୁ ଦେଖିଲେ, ବତା ବାଡ଼କୁ ଧରି ଛିଡ଼ା ହୁଏ ଓ ପରେ ମୁରୁକେଇ ହସିଦିଏ । ପୁଅ ମୁହଁକୁ ଚାହିଁ ତା’ ମା’ କୁହେ, ଆରେ ଏ କ’ଣ କରିଚୁ ? କେଡ଼େ ସୁନ୍ଦର କଜ୍ଜ୍ୱଳ ଲଗେଇ ମୁହଁ ପୋଛି ଦେଇଯାଇଥିଲି, ତାକୁ ପୋଛି ଏକାବେଳକେ କଜଳପାତି ଚଢ଼େଇ ସାଜି ବସିଛୁ ? ଆସିଲୁ ଏଠିକି ଆସିଲୁ ଦେଖି, ମୁହଁଟା ଟିକିଏ ପୋଛିଦିଏ । ଜବରଦସ୍ତି ନାକ ମୁହଁ ସବୁ ରଗଡ଼ି କଳା ସବୁ ପୋଛିଦିଏ । ପୁଅର ଗୋରା ମୁହଁଟି ନାଲି ପଡ଼ିଯାଏ । ଘୋର ଆପତ୍ତି ଭଙ୍ଗୀରେ ରାଗିଯାଇ ଜେ... ଜେ... ଜେ ବୋଲି ଚିତ୍କାର କରେ । ତା’ର ମା’ କିଛି ଶୁଣେନି ।

 

ତା’ ପର ଠୁ ମା’ ହାତରେ ଗାମୁଛା ଦେଖିଲେ ପିଲାଟି ଖଲ୍‌ବଲ୍‌ କରି ହାମୁଡ଼େଇ ଏପଟ ସେପଟ ଧାଇଁ ପଳାଏ । କେବେ କେବେ ନଈ ଘାଟରୁ ଫେରି ସର୍ବଜୟା କୁହେ, ଝୁଲରେ ପୁଅ ଝୁଲ ବା’ ପାଣି ଖାଇ ଫୁଲ । ପୁଅଟି ଉଠି ବସିପଡ଼େ ଏବଂ ଆଗକୁ ପଛକୁ ଝୁଲିବାରେ ଲାଗିଯାଏ । ମନଖୁସିରେ ହାତ ଦୁଇଟି ହଲେଇ ତା’ର ନିଜ ସ୍ୱରରେ ଗୀତ ଗାଏ, ଜେ... ଜେ... ଜେ, ଏ... ଏ... ଏ, ଜେ... ଜେ... ଜେ, ଏ... ଏ... ଏ । ତା’ପରେ ମା’ କୁହେ, ଅନେକ ହେଲା ବାପା, ଥାଉ ଆଉ ଝୁଲନା । କେତେବେଳେ ପୁଣି କାମ କରୁ କରୁ ସର୍ବଜୟା କାନ ପାତି ଶୁଣେ ବତା ବାଡ଼ ଭିତରୁ କିଛି ଶବ୍ଦ ଆସୁନି । ପିଲାଟି ଚୁପ୍‌ ଅଛି । ଛାତିଟା ଧଡ଼୍‌ଧଡ଼୍‌ ହୋଇ ଉଠେ । କାଳେ ବିଲୁଆ ଶିଆଳ ନେଇଯାଇନିତ ? ବତା ବାଡ଼ ପାଖକୁ ଅତର୍ଚ୍ଛା ଧାଇଁଯାଏ । ଦେଖେ ପୁଅ ତା’ର ଉଜୁଡ଼ା ଚାଙ୍ଗୁଡ଼ିଏ ଚମ୍ପା ଫୁଲ ପରି ମାଟି ଉପରେ ଛୋଟ ହାତ ଦୁଇଟି ବିଛାଡ଼ି ନିଦକ ଶୋଇଯାଇଛି । ଚାରିପଟୁ ନାଲି ପିମ୍ପୁଡ଼ି, ମାଛି ଓ କଳା ପିମ୍ପୁଡ଼ି ସବୁ ମହାଲୋଭରେ ମାଡ଼ି ଆସୁଛନ୍ତି । ପୁଅର ପତଳା ରଙ୍ଗିନ ଓଠ ଦୁଇଟି ନିଦରେ ଯେମିତି ଅଳ୍ପ ଅଳ୍ପ ଥରି ଉଠୁଛି । ଗାଢ଼ ନିଦରେ ସେ ମଝିରେ ମଝିରେ ଢୋକ ନେଇ ଯେପରି ଜୋରରେ ନିଃଶ୍ୱାସ ଛାଡ଼ୁଛି, ମନେହୁଏ ଯେମିତି ସତରେ ନିଦରୁ ଉଠି ବସିବ ଆଉ ତା’ ପରେ ପରେ ହିଁ ଗାଢ଼ ନିଦରେ ଶୋଇପଡ଼େ ସତେ ଯେମିତି ନିଃଶ୍ୱାସର ଶବ୍ଦ ଟିକକ ବି ନାହିଁ ।

 

ସକାଳ ପହରୁ ସଞ୍ଜଯାଏଁ ପୁଣି ସଞ୍ଜରୁ ସକାଳ ପର୍ଯ୍ୟନ୍ତ ସେମାନଙ୍କର ବାଉଁଶ ବଣ ଭିତରର ନିର୍ଜନ ଘରେ ଗୋଟିଏ ଦଶମାସ ଶିଶୁର ଅର୍ଥହୀନ ଖୁସିର ସଙ୍ଗୀତ ଏବଂ ଅବୋଧ କଳମୁଖରିତ ହସରେ ପୁରି ଉଠେ ।

 

ଜନନୀ ହିଁ ନିଜର ସ୍ନେହ ଢାଳି ସନ୍ତାନକୁ ଗଢ଼ିତୋଳେ, ସେଥିପାଇଁ ଯୁଗ ଯୁଗରୁ ଜନନୀର ଗୌରବ ଗାଥା ଜନମାନସର ଅଭିବ୍ୟକ୍ତିରେ ସୁସ୍ପଷ୍ଟ । କିନ୍ତୁ ନିଷ୍ପାପ ଶିଶୁଟି ତା’ର ଜନନୀକୁ ଯାହା ଓଜାଡ଼ି ଦିଏ, ସେ ବି କ’ଣ କମ୍‍ ? ସେ ନିସ୍ୱ ହୋଇ ସଂସାରକୁ ଆସିଥାଏ ସତ, କିନ୍ତୁ ତା’ର ଓଠରେ ମନଲୋଭା ହସଟିକକ, ଶୈଶବର ନିଷ୍କପଟ ସରଳତା, ଜୋଚ୍ଛନାର ସ୍ନିଗ୍ଧତାରୁ ସାଉଁଟା ମୁଖକାନ୍ତି, ଦରୋଟି ଦୁର୍ବୋଧ୍ୟ ଭାଷାର ମୂଲ୍ୟ କିଏ ବା ଦେଇପାରିବ ? ଏସବୁ ହିଁ ତା’ର ଐଶ୍ୱର୍ଯ୍ୟ । ଏହାର ପ୍ରତିବଦଳରେ ସେ ସେବା, ଯତ୍ନ ସବୁ ଛାଏଁ ଛାଏଁ ପାଇଯାଏ । ଭିକାରୀ ଭଳି ରିକ୍ତ ହସ୍ତରେ ସେ କିଛି ମାଗି ନିଏନି ।

 

କେବେ କେବେ ହରିହର ବଜାର ସଉଦା ହିସାବରେ କିମ୍ବା ନିଜର ଲେଖାରେ ବ୍ୟସ୍ତ ଥାଏ । ସର୍ବଜୟା ପୁଅକୁ ଧରି ତା’ ପାଖକୁ ଆସି କହେ, ପୁଅଟିକୁ ଟିକେ ରଖନା ? ଝିଅଟି କେଉଁଠିକି ଯେ ଯାଇଛି ତା’ର ପତ୍ତା ନାହିଁ ଆଉ ନଣନ୍ଦ ନଈ ଘାଟକୁ ଯାଇଛନ୍ତି, ରଖନା ପିଲାଟିକୁ ଟିକିଏ । ମୁଁ ତ ପୁଣି ଗାଧୋଇବାକୁ ଯିବି ନା, ଖାଲି ପିଲାଟିକୁ କୋଳରେ ବେକରେ ଧରି ରହିଲେ ଚଳିବ । ହରିହର କହେ ଆଲୋ, ମୁଁ ବହୁତ ବ୍ୟସ୍ତ, ଏସବୁ ଝାମେଲା ଏବେ ମୋ ପାଖରେ ରଖନା ।

 

ସର୍ବଜୟା ରାଗିଯାଏ । ପିଲାଟିକୁ ବାପା ପାଖରେ ରଖିଦେଇ ଚାଲିଯାଏ । ହରିହର ହିସାବ ଲେଖୁ ଲେଖୁ ହଠାତ୍‌ ଦେଖେ ପୁଅ ତା’ର ଚପଲ୍‌ଟି ଧରି ପାଟିରେ ପୁରେଇ ଚୋବେଇବାରେ ବ୍ୟସ୍ତ । ହରିହର ଚପଲ୍‌ଟି ଟାଣି ନିଏ । ଦେଖ କି କାଣ୍ଡ କରି ଚାଲିଗଲା, ମୁଁ ଏତେ କାର୍ଯ୍ୟ ବ୍ୟସ୍ତ ଅଛି !

 

ଏହି ସମୟରେ ଅଗଣାରେ ହଠାତ୍‌ ଘରଚଟିଆ ଚଢ଼େଇଟିଏ ଆସି ବସିଲା । ପିଲାଟି ବାପା ଆଡ଼କୁ ଟିକେ ଚାହିଁ ଅବାକ୍‌ ଦୃଷ୍ଟିରେ ଘର ଚଟିଆକୁ ଚାହିଁ ହାତ ହଲାଇ କହିଲା ଜେ... ଜେ... ଜେ ଏହି ପଦକରେ ହରିହର ମନରୁ ବିରକ୍ତି ଭାବ ଅପସରି ଗଲା । କେଜାଣି କେମିତି ଏକ ମମତା’ର ସ୍ପର୍ଶ ତା’ ମନକୁ ଗଭୀରଭାବେ ଛୁଇଁଗଲା ।

 

ଅନେକ ଦିନ ତଳର ଗୋଟିଏ ରାତିର କଥା ତା’ ମନକୁ ଆନ୍ଦୋଳିତ କଲା । ପଶ୍ଚିମ ଦେଶରୁ ସେ ଯେବେ ପ୍ରଥମ ଥର ପାଇଁ ଗାଁ’କୁ ଫେରିଥିଲା, ସମସ୍ତଙ୍କ ପରାମର୍ଶରେ ତା’ର ସ୍ତ୍ରୀକୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲା । ଦୁଇ ପ୍ରହର ଅତିକ୍ରାନ୍ତ ହେବା ପରେ ସେ ନୌକାରେ ଶ୍ୱଶୁର ଘର ଗାଁ ଘାଟରେ ପହଞ୍ଚିଲା । ବାହାଘର ପରେ ସେ ମାତ୍ର ଥରଟିଏ ଏ ଗାଁ’କୁ ଆସିଥିଲା । ରାସ୍ତାଘାଟ ତା’ର କିଛି ମନେ ନ ଥିଲା । ପଚରା ଉଚରା କରି ସେ ଶ୍ୱଶୁର ଘର ସାମ୍ନାରେ ପହଞ୍ଚିଲା । ତା’ର ଡକାହକାରେ ଜଣେ ଗୌରବର୍ଣ୍ଣା କିଶୋରୀ ଦୁଆରବନ୍ଧ ବାହାରେ ଛିଡ଼ାହୋଇ ଦେଖିବାକୁ ଆସିଥିଲା, ହଠାତ୍‌ ତା’ର ଆଖିରେ ଆଖି ମିଶିବାରୁ ସେ ସେଠାରୁ ତରବରରେ ଘର ଭିତରକୁ ଧାଇଁଗଲା । ହରିହର ଚିନ୍ତା କଲା ଇଏ କିଏ ? ଇଏ ତା’ର ସ୍ତ୍ରୀ ନୁହେଁ ତ ? ସେ କ’ଣ ୟା’ଭିତରେ ଏତେ ବଡ଼ ହୋଇଯାଇଛି ?

 

ରାତିରେ କଥାଟିର ସଠିକ୍‌ ଉତ୍ତର ମିଳିଲା । ଅନେକ ରାତିରେ ସର୍ବଜୟା ଗୋଟିଏ ନାଲିଧଡ଼ି ବାଲା ପୁରୁଣା ମଟକା ଶାଢ଼ୀଟିଏ ପିନ୍ଧି ଯେତେବେଳେ ତା’ ଘରକୁ ପଶିଲା, ହରିହର ବିସ୍ମୟ ବିସ୍‌ଫାରିତ ଦୃଷ୍ଟିରେ ଚାହିଁ ରହିଲା । ଶାଢ଼ୀଟି ତା’ ମାଆର । ଦାରିଦ୍ର୍ୟ ଭିତରେ ବି ସେ ସଞ୍ଚି ରଖିଥିଲା । ଦଶବର୍ଷ ତଳର ସେ ବାଳିକା ପତ୍ନୀର କୌଣସି ଚିହ୍ନବର୍ଣ୍ଣ ଆଜିର ଏ ସୁନ୍ଦରୀ ତରୁଣୀ ଭିତରେ ନାହିଁ । ସତେ ଯେମିତି କିଏ ଭାଙ୍ଗିଦେଇ ନୂଆକରି ଗଢ଼ିଦେଇଛି । ସେଦିନର ସେ ଶିଶୁସୁଲଭ ଭାବଟି ମୁଖମଣ୍ଡଳରେ ତା’ର ନ ଥିଲା । କିନ୍ତୁ ସେହି ସ୍ଥାନରେ ଯେଉଁ ସୌନ୍ଦର୍ଯ୍ୟ ଉକୁଟି ଉଠୁଚି ତାହା ଅତ୍ୟନ୍ତ ଦୁର୍ଲ୍ଲଭ । ଏ କଥା ହରିହରର ବୁଝିବାକୁ ବିଳମ୍ବ ହେଲାନି । ହସ୍ତ ପଦର ଗଠନ, ନିଖୁଣ ଓ ଠାଣି ଯେମିତି ନୂଆ ରୂପରେ ଗଢ଼ାଯାଇଛି ।

 

ଘର ଭିତରକୁ ପଶିଆସି ସର୍ବଜୟା ପ୍ରଥମେ ଇତସ୍ତତଃ ହୋଇଗଲା । ସେ ଯଦିବା ବଡ଼ ହୋଇସାରିଛି, ଏ ପର୍ଯ୍ୟନ୍ତ ନିଜର ସ୍ୱାମୀ ସହିତ ଦେଖା ହୋଇନାହିଁ କହିଲେ ଚଳେ ପ୍ରାୟ । ନବବିବାହିତା’ର ସେହି ଲଜ୍ଜ୍ୟା ଟିକକ ପ୍ରଥମ କରି ସେ ଅନୁଭବ କରିବାର ମନେହେଲା । ହରିହର ହିଁ ପ୍ରଥମେ କଥା ଆରମ୍ଭ କଲା । ସ୍ତ୍ରୀର ଡାହାଣ ପାପୁଲିଟି ନିଜ ହାତରେ ଧରି ବିଛଣା ଉପରେ ବସାଇ କହିଲା, ଏଇଠି ବସ । କେମିତି ଅଛ ?

 

ସର୍ବଜୟା ଅଳ୍ପ ଟିକିଏ ହସି ଦେଲା । ମନେହେଲା, ଯେମିତି ଲଜ୍ଜ୍ୟା କିଛି ମାତ୍ରାରେ କଟିଯାଇଛି । ସେ କହିଲା- ଏତେଦିନ ପରେ ତୁମର ମନେପଡ଼ିଲା ନା ? ଆଚ୍ଛା, ଏତେଦିନ କ’ଣ ଭାବି ଏତେ ଦୂରରେ ଲୁଚି ରହିଥିଲ ? ତା’ପରେ ହସି ହସି କହିଲା, ମୁଁ କ’ଣ କିଛି ଦୋଷ କରିଥିଲି ?

 

ହରିହର ଅନୁଭବ କଲା, ସ୍ତ୍ରୀର କଥାବାର୍ତ୍ତାର ଢଙ୍ଗରେ ଦୂରନ୍ତ ମଫସଲି ଛାପ ଥିଲେ ବି ଏହା ଅତି ମଧୁର ଓ ନୂତନତ୍ୱର ଛାପରେ ପୁରି ରହିଛି । ତା’ପରେ ସେ ଲକ୍ଷ୍ୟକଲା ତା’ର ସ୍ତ୍ରୀ ହାତରେ ମାତ୍ର କେଇଖଣ୍ଡି ଲୁହା କତୁରି ଓ କାଚର ଚୁଡ଼ି । ଅନ୍ୟକିଛି ଅଳଙ୍କାର ନାହିଁ । ଗରିବ ଘରର ଝିଅ ସେ । ଗହଣା କିଏ ବା ଦବ ତାକୁ । ଏତେଦିନ ଧରି ତା’ର ଖବର ନ ନେଇ ସେ ବଡ଼ ଅନ୍ୟାୟ କରିଛି । ସର୍ବଜୟା ବି ନିଜର ସ୍ୱାମୀକୁ ନିରେଖି ଦେଖୁଥିଲା । ଆଜି ଦିନଟିରେ ସେ ଲୁଚି ଲୁଚି ଚାରିପାଞ୍ଚଥର ତାକୁ ଦେଖିସାରିଲାଣି । ହରିହରର ସୁଗଠିତ ଶରୀର, ସୁନ୍ଦର ସ୍ୱାସ୍ଥ୍ୟ, ଯୌବନ, ପ୍ରତି ଅଙ୍ଗରେ ତା’ର ବୀରତ୍ୱର ଠାଣି ଭରିଦେଇଛି । ବଙ୍ଗଳା ଦେଶର ପଲ୍ଲୀ ଗ୍ରାମରେ ଏଭଳି ସୁଠାମ ଯୌବନୋଦୀପ୍ତ ଯୁବକ ବିରଳ । ବାପା, ମା’ ପାଖରୁ ଆଜି ସେ ଶୁଣିଛି, ତା’ର ସ୍ୱାମୀ ପଶ୍ଚିମ ଦେଶରୁ ବହୁତ ବିଦ୍ୟା ଶିକ୍ଷା କରି ଆସିଛନ୍ତି । ତେଣୁ ଟଙ୍କା ପଇସା ସେ ଯେ ଉପାର୍ଜନ କରିନି ଏ କଥା କହିହେବନି । ଏତେଦିନ ପରେ ତା’ର ଦୁଃଖ ଶେଷ ହେଲା । ଭଗବାନ ବୋଧହୁଏ ଏତେଦିନ ପରେ ତା’ ଉପରେ ପ୍ରସନ୍ନ ହୋଇ ଦୃଷ୍ଟି ଢାଳିଛନ୍ତି । ସମସ୍ତେ କୁହାକୁହି ହେଉଥିଲେ ଯେ, ତା’ର ସ୍ୱାମୀ ସନ୍ନ୍ୟାସୀ ହୋଇ ସଂସାର ତ୍ୟାଗ କରିଛନ୍ତି । ଆଉ କେବେ ଫେରିବେନି । ମନପ୍ରାଣରେ ଏ କଥା ମାନିବାକୁ ସେ ପ୍ରସ୍ତୁତ ନ ଥିଲେ ବି, ଏତେଦିନ ଯାଏଁ ତା’ର ପୁନରାଗମନ ଏକ ଦୂରାଶାରୂପେ ବି ରହିଆସିଥିଲା । ରାତି ରାତି ଧରି ଦୁଶ୍ଚିନ୍ତାରେ ଚେଇଁ ବସିଛି । ଗାଁ’ର ବିବାହ ବ୍ରତରେ କେବେବି ଖୋଲା ମନରେ ଯୋଗ ଦେଇପାରିନି । ସମସ୍ତଙ୍କର ‘ଆହା’ର ପାତ୍ରୀ ହୋଇଯାଏ, ସମସ୍ତେ ଅଯାଚିତ ସହାନୁଭୂତି ପ୍ରକଟ କରନ୍ତି । ଅଭିମାନରେ ତା’ ଆଖିରେ ଲୁହ ଜମିଯାଏ । ଅନାବିଳ ଯୌବନର ସୁନେଲି କଳ୍ପନା ସବୁ ଏତେଦିନ ଧରି କେବଳ ନିର୍ଜନ ରାତିର ଅନ୍ତରାଳରେ ଆଖିରେ ଅଶ୍ରୁ ହୋଇ ଝରିଯାଇଛି । କାହାରି ପାଖରେ ମୁହଁ ଖୋଲି କେବେବି ପ୍ରକାଶ କରିପାରିନି । କିନ୍ତୁ ନିରୋଳାରେ ଏକା ଏକା ବସି ଅନେକ ଭାବିଛିଏହାହିଁ ସଂସାରର ପ୍ରକୃତ ଅବସ୍ଥା । ଯଦି ସତରେ ତା’ର ସ୍ୱାମୀ ଫେରି ନ ଆସେ, ତା’ହେଲେ ବାପାମା’’ର ମୃତ୍ୟୁପରେ ସେ କେଉଁଠି ରହିବ ? କାହାର ଆଶ୍ରୟରେ ମୁଣ୍ଡ ଗୁଞ୍ଜିବ ?

 

ଏତେଦିନ ପରେ କୂଳ କିନାରା ମିଳିଗଲା ।

 

ହରିହର ହସି ହସି ପଚାରିଲା, ତୁମେ ଯେତେବେଳେ ମତେ ଦୁଆର ବନ୍ଧ ସେପଟେ ପ୍ରଥମେ ଦେଖିଥିଲ, ଚିହ୍ନିପାରିଲ, ସତକଥାଟି କିନ୍ତୁ କହିବ । ସର୍ବଜୟା ହସିଲା । କହିଲା ନା’ କେମିତି ଚିହ୍ନିବି ! ପ୍ରଥମେ ଠିକ୍‌ ବୁଝିପାରିଲିନି, ତା’ପରେ ଯେତେବେଳେ....

 

ଅନୁମାନ କରି ଜାଣିଗଲ ?

 

ଅନୁମାନ ନୁହେଁ, ମୋଟେ ଅନୁମାନରେ ନୁହେଁ, ସତରେ ଜାଣିପାରିଲି । ଦେଖିନ, କେମିତି ସେତେବେଳେ ମୁଣ୍ଡରେ ଓଢ଼ଣା ଦେଇ ଘର ଭିତରେ ପଶିଗଲି ? ତା’ପରେ ଅଳ୍ପ ନୀରବ ରହି ପୁଣିଥରେ କହିଲା, ଆଚ୍ଛା, ତୁମେ ମୋତେ ଚିହ୍ନିପାରିଥିଲ ? ସତକୁହ, ମୋ ଦେହ ଛୁଇଁ କୁହ ।

 

ଅନେକ ଦରକାରୀ, ଅଦରକାରୀ କଥାବର୍ତ୍ତାରେ ରାତି ବଢ଼ି ଚାଲିଲା । ମୃତ ଭାଇର କଥା ଉଠିଲାରୁ ସର୍ବଜୟାର ଆଖିରୁ ଅବାରିତ ଅଶ୍ରୁ ବହିଚାଲିଲା । କୋହ ସମ୍ଭାଳି ପାରୁନଥିଲା । ହରିହର ଆଲୋଚନାର ପ୍ରସଙ୍ଗ ବଦଳେଇ ପଚାରିଲା, ବୀଣାର ବାହାଘର କେଉଁଠି ହେଲା ? ସାନ ଶାଳୀର ନାଁ ଜଣାନଥିଲା । ଆଜି ହିଁ ଶ୍ୱଶୁରଙ୍କ ସହିତ କଥାବାର୍ତ୍ତାରୁ ଜାଣିଛି ।

 

ବୀଣାର ବାହାଘର କୁଡ଼ୁଲିଆ ବିନୋଦପୁରରେ ହେଲା । ଏଇ ଯେ ବଡ଼ ନଈଟା, କ’ଣ ତା’ ନାଁ’ଟା ଯେମିତି ! ହଁ ମଧୁମତୀ ସେଇ ମଧୁମତୀ ନଦୀଆର କୂଳ, ସେପଟ ଗାଁ’ରେ ।

 

ଗୋଟିଏ ପ୍ରଶ୍ନ ବାରମ୍ବାର ସର୍ବଜୟାର ମନକୁ ଆଚ୍ଛନ୍ନ କରୁଥିଲା । ତା’ର ସ୍ୱାମୀ ତାକୁ ସାଙ୍ଗରେ ଘରକୁ ନେଇଯିବ କିମ୍ବା ଏମିତି ଦେଖାଚାହାଁ ପରେ ପୁଣି କାଶୀ ଚାଲିଯିବ ? କହିବ କହିବ ହୋଇ କେତେ ଚେଷ୍ଟାକରି ମଧ୍ୟ ମୁହଁଖୋଲି ଥରଟିଏ ବି ପଚାରି ପାରିଲାନି । ମନଭିତରେ କିଏ ଯେମିତି ବିଦ୍ରୋହ କରି କହୁଥିଲା, ଆରେ ସାଙ୍ଗରେ ନେଇ ନଯାଉ, ସେଥିପାଇଁ କାହିଁକି ପଚାରି ନିଜକୁ ଏତେ ଛୋଟ କରିଦେବୁ ।

 

ସମସ୍ୟାର ସମାଧାନ ହରିହର ହିଁ ନିଜ ତରଫରୁ କରିଦେଲା । କହିଲା, ଚାଲ, କାଲି ହିଁ ତୁମକୁ ନିଶ୍ଚିନ୍ତପୁରକୁ ନେଇଯିବି । ସର୍ବଜୟାର ଛାତି ଭିତରେ ଧଡ଼ାସ୍‌କିନା ଯେମିତି କିଏ ସହସା ଢିଙ୍କିର ପାହାର ପକେଇ ଦେଲା । ନିଜକୁ ସମ୍ଭାଳି ନେଇ ଉପରେ ପ୍ରଶ୍ନକଲା, କାଲି କାହିଁକି, ଏତେଦିନ ପରେ ଆସିଲ, ଦିନେ ଦୁଇଦିନ ରହିଯାଅ ନା ! ବାପା ମା’ କ’ଣ ତୁମକୁ ଏବେ ଯିବାକୁ ଦେବେ ? ଅପରଦିନ ମୋ ବଉଳ ତା’ ଘରକୁ ତମକୁ ନିମନ୍ତ୍ରଣ କରିଛି ।

 

ତୁମର ବଉଳ କିଏ ?

 

ଏ ଗାଁର ଏଇ ସାହିରେ ତା’ ଘର, ଆର ସାହିରେ ବାହା ହୋଇଛି । ତା’ପରେ ସେ ହସି ହସି କହିଲା, କାଲି ସକାଳେ ତୁମକୁ ଦେଖିବାକୁ ଆସିବ ବୋଲି କହିଛି ।

 

କଥାବାର୍ତ୍ତାର ସୁଅ ଯେମିତି ଗୋଟିଏ ପ୍ରକାରରେ ଅନେକ ସମୟ ଧରି ଚାଲିଥିଲା । କ୍ରମେ ରାତି ଗଭୀର ହୋଇ ଆସୁଥିଲା । ଘର ପାଖ ସଜନା ଗଛର ଡାଳରୁ ନିଶାଚର ପକ୍ଷୀଟିଏ ଅଦ୍ଭୁତ ସ୍ୱରରେ ରାବୁଥିଲା । ହରିହରର ମନଟି ଆନ୍ଦୋଳିତ ହୋଇ ଉଠିଲା । ସେ ଭାବୁଥିଲା, ବଙ୍ଗଳାର ଏଇ ନିଭୃତ ପଲ୍ଲୀ ପ୍ରାନ୍ତରରେ ବାଉଁଶ ବଣର ଶୀତଳ ଛାୟା ତଳେ ଥିବା ଗୋଟିଏ ସ୍ନେହ ବ୍ୟଗ୍ର ଗୃହିଣୀଟି ଯେତେବେଳେ ମାସ ପରେ ମାସ, ବର୍ଷ ପରେ ବର୍ଷ ଅଭ୍ୟର୍ଥନା ସାଜରେ ସଜ୍ଜିତ ହୋଇ ତା’ର ଆଗମନକୁ ବ୍ୟାକୁଳ ପ୍ରତୀକ୍ଷାରେ ଚାହିଁ ରହିଥିଲା, ସେ ବା କ’ଣ ପାଇଁ, କାହାର ସନ୍ଧାନରେ ସେହି ସମୟରେ ପଶ୍ଚିମ ଦେଶର ଅପରିଚିତ, ଅନୁର୍ବର, ମରୁପାହାଡ଼ର ଶୂନ୍ୟ ଭୂମିରେ ଗୃହହୀନ ନିରାଶ୍ରୟ ଭଳି ଘୁରି ଘୁରି ମରୁଥିଲା ?

 

ନିଶାଚର ପକ୍ଷୀଟି ଅରୁଚିକର ଏକ ଟଣା ସ୍ୱରରେ ରାବିଚାଲିଥିଲା । ବାହାରେ ଧୀରେ ଧୀରେ ଜ୍ୟୋତ୍ସ୍ନା ମ୍ଳାନ ହୋଇ ଆସୁଥିଲା । ଗୋଟିଏ ଦିଗରୁ ରାତିଟା ତା’ ପାଇଁ ରହସ୍ୟମୟ ଜଣାପଡ଼ୁଥିଲା । ସମ୍ମୁଖରେ ନବଜୀବନର ଯେଉଁ ପଥଟି ବିସ୍ତୀର୍ଣ୍ଣ ଭବିଷ୍ୟତ ଆଡ଼କୁ ଲମ୍ବିଯାଇଛି, ଆଜି ରାତିଟି ତାହାରି ଅୟମାରମ୍ଭ ମାତ୍ର । କିଏ ଜାଣେ, ସେ ଜୀବନ କେମିତି ହେବ ? କିଏ ଜାଣେ ଜୀବନ- ଲକ୍ଷ୍ମୀ କେଉଁ ସଜ୍ଜାରେ ସେମାନଙ୍କର ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ପାଥେୟ କରି ସଜାଇ ରଖିଛନ୍ତି ?

 

ବୋଧହୁଏ ଦୁହିଁଙ୍କ ମନରେ ଅନେକାଂଶରେ ଏକା ପରି ଅସ୍ପଷ୍ଟରୂପେ ସେହି ଗୋଟିଏ ଚିନ୍ତା ଲାଗି ରହିଥିଲା । ଦୁହେଁ ନୀରବରେ ଝରକା ଫାଙ୍କରେ ବାହାରର ଜ୍ୟୋତ୍ସ୍ନା ରାତିକୁ ଏକଲୟରେ ଚାହିଁ ରହିଥିଲେ ।

 

ତା’ ପରଠୁ କେତେଦିନ ବିତିଗଲାଣି ! ସେତେବେଳେ ବା ଆଜିର ଏ ଅବୋଧ ଶିଶୁର ସତ୍ତା କେଉଁଠି ଥିଲା ?...

 

(୫)

 

ଇନ୍ଦିର ଠାକୁରାଣୀ ଘରକୁ ଫେରିବାର ପ୍ରାୟ ସାତ ମାସ ହେଲାଣି, ଏହା ଭିତରେ ସର୍ବଜୟା ବୁଢ଼ୀ ସହିତ ଭଲରେ ଥରଟିଏ ବି କଥା ହୋଇନି । ଏବେ ତା’ର ମନରେ ଏକ ଅଦ୍ଭୁତ ଚିନ୍ତା ଆସେ ଯେ ଏଇ ସାତକୁଳଖାଇ ବୁଢ଼ୀ ଡାହାଣୀଟାକୁ ତା’ର ନିଜ ଝିଅ ତା’ଠୁଁ ବି ଅଧିକ ଭଲପାଉଛି । ଏଥିପାଇଁ ହିଂସା ତ ହୁଏ, ରାଗ ବି କମ୍‍ ଲାଗେନି ତାକୁ । ନିଜ ପେଟରୁ ଜନ୍ମ କରିଥିବା ଝିଅକୁ ବୁଢ଼ୀ ପର କରିଦେଉଛି । କଥା କଥାରେ ଦୁଇଓଳି ସେ ବୁଢ଼ୀକୁ ସମୟ ଥାଉଁ ଥାଉଁ ଅନ୍ୟ ରାସ୍ତା ଖୋଜିବାକୁ ଇଙ୍ଗିତରେ ଉପଦେଶ ଦେଇଦିଏ । ସେ ରାସ୍ତା ଯେ କେଉଁଆଡ଼େ ଅଛି ଜ୍ଞାନ ହେବା ଦିନଠୁ ଆଜି ସତୁରୀ ବର୍ଷର ବୁଢ଼ୀ ହେବା ପର୍ଯ୍ୟନ୍ତ ସେ ଖୋଜି ପାଇନି । ଏତେକାଳ ପରେ ସେ ରାସ୍ତା କେଉଁଠି ଯେ ମିଳିବ ଚିନ୍ତା କରି ବି ଠଉରେଇ ପାରେନା ।

 

ବର୍ଷାଋତୁ ଶେଷ ହୋଇ ଆସୁଥିଲା । ବୁଢ଼ୀର ମନରେ ଗୋଟିଏ ଠିକଣା ନାଚି ଉଠିଲା । ଛଅକୋଶ ଦୂରରେ ଭଣ୍ଡାରହାଟି ଗାଁ’ରେ ତା’ର ଜୋଇଁ ଘର । ଜୋଇଁ ଚନ୍ଦ୍ର ମଜୁମ୍‌ଦାର ଏବେବି ବଞ୍ଚିଛନ୍ତି । ସେ ଅବସ୍ଥା ସମ୍ପନ୍ନ ଗୃହସ୍ଥ । ଅବଶ୍ୟ ବୁଢ଼ୀର ଝିଅ ମରିଯିବା ପରେ ପରେ ସମ୍ପର୍କ କଟିଯାଇଛି । ଆଜିଠୁ ପଇଁତିରିଶ, ଛତିଶ ବର୍ଷ ତଳର କଥା । ତା’ପରଠୁ ଆଉ କେବେବି ଯାତାୟତ ବା ଖବରା ଖବର ଆଦାନ ପ୍ରଦାନ ନାହିଁ । ତଥାପି ଯଦି ସେଠାକୁ ଚାଲିଯାଏ, ଜୋଇଁ କ’ଣ ଟିକିଏ ଆଶ୍ରୟ ଦେବାକୁ ଅରାଜି ହେବେ ?

 

ସଞ୍ଜ ପୂର୍ବରୁ ଭଣ୍ଡାରହାଟି ଗାଁ’ରେ ପହଞ୍ଚି, ଶଗଡ଼ିଆ ଗୋଟେ ବଡ଼ ଚଣ୍ଡୀ ମଣ୍ଡପ ସାମ୍ନାରେ ଗାଡ଼ି ଛିଡ଼ାକଲା । ଶଗଡ଼ିଆର ଡକାହକାରେ ଜଣେ ଚବିଶ- ପଚିଶ ବର୍ଷର ଯୁବକ ଆସି ପଚାରିଲା, ଶଗଡ଼ କେଉଁଠୁ ଆସିଛି ? ତା’ପରେ ପରେ ଜଣେ ବୃଦ୍ଧ ଘର ଭିତରୁ ପଚାରି ପଚାରି ବାହାରକୁ ଆସିଲେ, ରାଧୁ, କିଏ ଆସିଲାରେ ? ପଚାରି ବୁଝ, କେଉଁଠୁ ଆସିଛନ୍ତି ?

 

ବୁଢ଼ୀ ଜୋଇଁକୁ ଚିହ୍ନିପାରିଲା ଓ ଅବାକ୍‌ ହୋଇଗଲା । ଇଏ କ’ଣ ତା’ର ସେଇ ଜୋଇଁ ‘ଚନ୍ଦ୍ର’ ! ଚାଳିଶ ବର୍ଷ ତଳର ସେ ସବଳ, ସୁଠାମ, ବଳିଷ୍ଠ ଚେହେରାର ଯୁବକ ସହିତ ଆଜିର ଏ ପକ୍ୱ କେଶ ପ୍ରବୀଣ ବ୍ୟକ୍ତିକୁ ମନେ ମନେ ତୁଳନା କରି ଶ୍ୱାସରୁଦ୍ଧ ହୋଇପଡ଼ିଲା । ପରମୁର୍ହୁରେ ଏକ ଭିନ୍ନ ଭାବର ସମ୍ମିଶ୍ରଣରେ ବିହ୍ୱଳ ହୋଇ କାନ୍ଦିଉଠିଲା । ସେ ସ୍ୱରରେ ନ ଥିଲା ହସ, ନା ଦୁଃଖ । ନିଜ ଝିଅର ନାଁ’ଟିକୁ ଦୀର୍ଘଦିନ ପରେ ବାରମ୍ବାର ଉଚ୍ଚାରଣ କରି କାନ୍ଦିବାକୁ ଲାଗିଲା ।

 

ଚନ୍ଦ୍ର ମଜୁମ୍‍ଦାର ପ୍ରଥମେ ବିସ୍ମୟ ବିମୂଢ଼ ହୋଇ ଆକାଶ ପାତାଳ ଚିନ୍ତାରେ ପଡ଼ିଗଲେ । ପରେ ବୁଝିପାରି, ଶାଶୁଙ୍କର ପାଦ ଧୂଳି ନେଇ ପ୍ରଣାମ କଲେ । ନିଜକୁ ସମ୍ଭାଳି ନେଇ ବୁଢ଼ୀ ମୁଣ୍ଡରେ ଓଢ଼ଣା ଟାଣି ଭଙ୍ଗା ଗଳାରେ କହିଲା, ଏତେଦିନ ପରେ ତୁମ ନିକଟକୁ ଆସିଛି ପୁଅ । ଟିକିଏ ଆଶ୍ରୟ ନେବା ପାଇଁ । ଆଉ କେତେଟା ଦିନ ବା ବଞ୍ଚିବି । ଏ ତ୍ରିଭୁବନରେ ଆଉ ମୋର ବୋଲି କେହି ନାହିଁ । ଏ ବୟସରେ ମୁଠାଏ ଭାତ, ଖଣ୍ଡିଏ ଲୁଗା ହେଲେ...

ମଜୁମ୍‌ଦାର ମହାଶୟ ବଡ଼ ପୁଅକୁ ଗାଡ଼ିରୁ ଜିନିଷପତ୍ର କାଢ଼ିବା ପାଇଁ କହିଲେ ଏବଂ ତା’ ସହିତ ଶାଶୁଙ୍କୁ ଘର ଭିତରକୁ ପଠାଇଦେଲେ । ଦ୍ୱିତୀୟ ପକ୍ଷର ବିଧବା ଝିଅ ଓ ବଡ଼ ପୁଅର ବୋହୂ ପରିବାରର ଗୃହିଣୀ ଏବଂ ଅନ୍ୟ ତିନିଜଣ ବୋହୂ ବି ଅଛନ୍ତି । ତିନି ଚାରୋଟି ନାତି ନାତୁଣୀ ବି ।

 

ତାଳଗଛ ଗଣ୍ଡିରେ ବଡ଼ ବଡ଼ ଖୁଣ୍ଟ ଲାଗି ଦୁଇଟି ମେଲା ବାରଣ୍ଡା । ଆଠ ବଖରାର ବିରାଟ ଘର । ଜିନିଷ ପତ୍ର, ବାକ୍ସ, ସିନ୍ଦୁକରେ ଘର ଭର୍ତ୍ତି । ସ୍ଥାନର ଅଭାବ, ପାଦ ରଖିବାକୁ ସ୍ଥାନ ନାହିଁ । ମଜୁମ୍‌ଦାର ମହାଶୟଙ୍କ ବିଧବା ଝିଅଟିର ନାମ ହୈମବତୀ । ଖୁବ୍‌ ଭଲ ସ୍ୱଭାବର । ନିଜ ହାତରେ ଫଳ କାଟି ଜଳଖିଆ ସଜାଇ ରଖିଦେଲା ବୁଢ଼ୀ ସାମ୍ନାରେ । ଖୁବ୍‌ ଯତ୍ନରେ ଆପ୍ୟାୟିତ କରି ବସାଇ ଖାଇବାକୁ ଦେଲା । ଏଣୁ ତେଣୁ ବହୁତ କଥା ପଚାରିଲା । କହିଲା ଆଈ, ମୋତେ ତୁମେ କେବେ ଦେଖି ନ ଥିବ ? କେମିତି ବା ଦେଖିବ । ଏହା ଆଗରୁ କେବେ ତ ତୁମର ପାଦଧୂଳି ଏଠାରେ ପଡ଼ିନି । ଆଖୁ ଟିକିଏ କାଟିଦେବି ଖାଇବ ଆଈ, ଦାନ୍ତ ଅଛି ତ ?

 

ପାଖରୁ ରୋଷେଇ ଘରେ ପୁଅଝିଅ ସବୁ ଭାତ ଖାଇ ବସିଥିଲେ । ବେଶ୍‌ ଗହଳ ଚହଳ ଲାଗିଥିଲା, ପାଟିତୁଣ୍ଡ ବି ଶୁଣାଯାଉଥିଲା । ଜଣେ କିଏ ଜୋରରେ ପାଟି କରି କହୁଥିଲା, ମାଗୋ ଦେଖ, ଉମି କେମିତି ତା’ର ସବୁ ଡାଲି ମୋ ଥାଳିରେ ଓଜାଡ଼ି ଦେଇଛି । ବୋହୂଟିଏ ଅନୁରୂପ ଭାବରେ ପାଟି କରି କହିଲା, ତା’ ପାଖରେ ଖାଇବା ପାଇଁ ବସୁ କାହିଁକି ? ସବୁଦିନ କହୁଛି ଅଲଗା ବସିବୁ । ଆଲୋ, ଏ ଉମି, ତୁ ବଡ଼ ଦୁଷ୍ଟ ହେଇଚୁ ନାଇଁ ?

 

ଦଶ ବାର ଦିନ ବିତିଗଲାଣି । ବୁଢ଼ୀକୁ କିନ୍ତୁ ଯେମିତି ସବୁ ନୂଆ ନୂଆ ଲାଗୁଥିଲା । ବେଶ୍‌ ଗୋଟିଏ ଶାନ୍ତିପ୍ରଦ ପରିବେଶ ବୋଲି ଜଣାପଡ଼ୁନଥିଲା । ନୂଆ ପ୍ରକାରର ଘରଦ୍ୱାର, ନୂଆ ନୂଆ ରାସ୍ତାଘାଟ, ନୂଆ ଧରଣର ପାରିବାରିକ ସ୍ଥିତି । କେମିତି ଯେପରି ମନେହେଉଥିଲା, ଏଇଟା ତା’ର ନିଜର ଘର ନୁହେଁ । ଏଠାରେ ସମସ୍ତେ ପର । ପ୍ରତିଦିନ ସଞ୍ଜରେ ତା’ର ମନେପଡ଼ିଯାଏ, ତା’ର ନିଛାଟିଆ ବାରନ୍ଦା କଥା । ଆଉ ଟିକି ପୁଅଝିଅର ମୁହଁ ତା’ ଆଖିରେ ଭାସିଉଠେ । ଆସିବାର ପ୍ରାୟ କୋଡ଼ିଏ ଦିନ ହୋଇଗଲାଣି । ବୁଢ଼ୀର ଫେରିଆସିବାକୁ ମନ ଛଟପଟ ହେଲାଣି । ଏଠି ଆଉ ମନ ଲାଗୁନି । ଗୃହ ମାଲିକର ପ୍ରଥମ ପକ୍ଷର ଶାଶୁଙ୍କର ଅକସ୍ମାତ୍‌ ଆବିର୍ଭାବରେ ଓ ତାଙ୍କର ଏଠାରେ ଆସ୍ଥାନ ଜମାଇବା କଥା ଶୁଣି ବଡ଼ ବୋହୂ ପ୍ରଥମରୁ ହିଁ ଅସନ୍ତୁଷ୍ଟ ଥିଲେ । ତେଣୁ ସେ ଚାଲିଆସିବାରୁ ଖୁସି ଛଡ଼ା ଦୁଃଖ କରିବାର କିଛି କାରଣ ନ ଥିଲା । ଚନ୍ଦ୍ର ମଜୁମ୍‌ଦାରଙ୍କ କ’ଣ ଯେ ଇଚ୍ଛା ଥିଲା, ତାହା ଭଗବାନଙ୍କୁ ଜଣା, କିନ୍ତୁ ବଡ଼ ପୁଅ ଓ ବୋହୂଙ୍କ ଦାଉରେ ସେ ଭୟରେ କିଛି କହିନଥିଲେ ।

 

ଅନେକ ଦିନ ପରେ ପୁଣିଥରେ ନିଜ ଘରର ବାରନ୍ଦାରେ ଦୁର୍ଗାକୁ ପାଖରେ ବସାଇ ପୁଅକୁ ଧରି ଜୋଚ୍ଛନା ଝରା ନଡ଼ିଆ ବରଡ଼ାର ମୃଦୁ ମର୍‌ମର୍‌ ଶିତ୍କାର ଭିତରେ ବୁଢ଼ୀଟି ଇଷତ୍‌ ନିଦୁଆ ନିଶାରେ ବିଭୋର ହୋଇଯାଏ ।

 

ଦୁର୍ଗା ପ୍ରଥମେ ଭୀଷଣ ଅଭିମାନ କରିଥିଲା । କଥା କହୁନଥିଲା, ବୁଢ଼ୀ ପାଖକୁ ଆସୁନଥିଲା । ବହୁତ କଥା କହି ସାନ୍ତ୍ୱନା ଦେବାରୁ ଏବେ ପୁଣିଥରେ ଏକାତ୍ମ ଭାବରେ ଲାଖିଯାଇଛି । ଝିଆରୀ ମୁଣ୍ଡରେ ସ୍ନେହରେ ହାତ ବୁଲାଇଆଣି କୁହେ, ହଳଟିଏ ନାଲି କାନଝୁମୂକା ଯଦି ମିଳନ୍ତା, ତୋତେ ବେଶ ମାନନ୍ତା । ଆଜିକାଲି ପୁଣି କ’ଣ ସବୁ ମିଳୁଛି, ସେଗୁଡ଼ିକୁ କ’ଣ ଯେ କହନ୍ତି, ନିଆଁ, ପାଉଁଶ...

 

ଶୀତ ଋତୁ ଆସିଗଲା । ବୁଢ଼ୀ ଆର ସାହିକୁ ଯାଇ ଗାଙ୍ଗୁଲୀ ପରିବାରର ବୁଢ଼ା ରାମନାଥ ଗାଙ୍ଗୁଲୀ ମହାଶୟଙ୍କୁ କହିଲା, ଆରେ ରାମ, ଏଥର ବହୁତ ଥଣ୍ଡା ପଡ଼ିଛି । ସକାଳ ସଞ୍ଜରେ ଦେହରେ ଘୋଡ଼େଇ ହେବା ପାଇଁ କିଛି ନାହିଁ । ଯଦି ତୁ ମତେ ଖଣ୍ଡେ...

 

ରାମ ଗାଙ୍ଗୁଲୀ କହିଲେ, ପୁଣି କେବେ ଆସ । ଏ ମାସରେ ଆଉ ହେବନି । ଆର ମାସକୁ ଦେଖିବି ।

 

ଅନେକ ଦିନ ଧରି ବୁଢ଼ୀ ଯିବା ଆସିବା କରିବା ପରେ ଦିନେ ରାମ ଗାଙ୍ଗୁଲୀ କୁଷ୍ଠିୟାର ନାଲି ଛିଟର ସୂତା ଚାଦରଟି ହାତକୁ ବଢ଼େଇ ଦେଇ କହିଲେ, ନିଅ ନାନୀ, ଏଇଟା ବେଶ୍‍ ଗରମ ଚାଦର । ସାଢ଼େ ନ’ଅଣା ଦାମ । ଏହାଠୁ ଭଲ ଜିନିଷ ନବାବଗଞ୍ଜ ବଜାରରେ ମିଳେନି । ବୁଧବାର ଦିନ ଆଣି ରଖିଥିଲି । ଖୋଲି ଦେଖ ତ ।

 

ବୁଢ଼ୀ ବିଶ୍ୱାସ କରିପାରୁନଥିଲା । ଖୁସିରେ ଗାଲ ଖଣ୍ଡକ ଫୁଲିଉଠିଲା । ସେଇଠାରେ ହିଁ ଚାଦରଟି ଖୋଲି ଦେହରେ ଗୁଡ଼େଇ ହୋଇ କହିଲା, କି ସୁନ୍ଦର ହୋଇଛି ଏଇଟା । ବେଶ୍‌ ମୋଟା ଗପା ଲୁଗା ଖଣ୍ଡିକ । ଭାଇରେ, ତୋର ଦୀର୍ଘ ଜୀବନ ହେଉ । ତୋ’ର ପୁଅ କାନାଇ ଓ ବଲାଇ ଭଲରେ ରୁହନ୍ତୁ । ତୋ’ର ଯଶକୀର୍ତ୍ତି ବଢ଼ୁ । ଗରିବ ଗୁରୁବାଙ୍କ ଦୁଃଖ ଆଜିକାଲି କିଏ ବା ବୁଝୁଛି, କିଏ ହାତ ତୋଳି ଦେଉଛି । ଦେଖୁନୁ ଅନ୍ନଦାକୁ ଗୋଟିଏ ଲୁଗା ମାଗିଥିଲି, ତିନିବର୍ଷ ହେଲାଣି, ଦବ ଦବ କହୁଛି, ଦେଉନି । ଆଜି, ଏ ଚାଦରଟି ଘୋଡ଼େଇ ସଉକଟା ମେଣ୍ଟାଇନିଏ, ଆଉ ଏମିତି କେତେଟା ଦିନ ବା ବଞ୍ଚିବି ?

 

ଖୁସିରେ ସର୍ବଜୟାକୁ ଚାଦରଟି ଦେଖେଇଲା । ସର୍ବଜୟା ମୁହେଁ ମୁହେଁ ଫଣ୍‌ ଫଣ୍‌ ହୋଇ ଶୁଣାଇ ଦେଲା, ଦେଖ ନାନୀ, କହିଦେଉଛି, ଏ ଘରେ ରହି ବାରଘରେ ତୁମେ ମାଗି ବୁଲିବ, ସେ କଥା ଚଳିବନି । ଭିକ ମାଗିବାର ଥିଲେ, ଅନ୍ୟ ବନ୍ଦୋବସ୍ତ କର ।

 

ବୁଢ଼ୀ କଥାଗୁଡ଼ିକୁ ହଜମ କରିଗଲା । ଏଭଳି ଅନେକ କଥା ତାକୁ ଦିନକୁ ଦଶଥର ହଜମ କରିବାକୁ ପଡ଼ିଥାଏ । ସେ ସମୟର ଢଗଢମାଳି ଏବେବି ସେ ଭୁଲିନି । ଗୋଇଠା, ଝାଡ଼ୁ ପାଦତଳକୁ, ଭାତ କଂସାଟା ଛାତି ବଳକୁ ।

 

ଦୁର୍ଗା ଚାଦର ଦେଖି ଭୀଷଣ ଖୁସି ହୋଇ ପଚାରିଲା, କେତେ ପଇସା ୟାର ଦାମ୍‌, ପିଉଚି ? କେତେ ନାଲି ନା ?

 

ଆଶ୍ୱସନା ଦେଇ ପିଉସୀ କହେ, ମୁଁ ମରିଗଲେ ତୋତେ ଦେଇଦେବି । ତୁ ବଡ଼ ହେଲେ ଏଇଟା ଘୋଡ଼େଇ ହେବୁ ।

 

ନୂଆ ଚାଦରର ମଣ୍ଡରୁ ଗୋଟିଏ ଅଦ୍ଭୁତ ଗନ୍ଧ ବାହାରେ । ମାଟିରେ ପାଣି ପଡ଼ିଲେ ଯେଉଁ ଭିଜା ବାସନା ବାହାରେ, ସେହିଭଳି ଉପାଦେୟ ବାସନାଟି ବୁଢ଼ୀକୁ ଭାରି ଭଲ ଲାଗେ । ଖୁବ୍‌ ସଉକିଆ ବୋଲି ମନେହୁଏ । ସକାଳେ ଚାଦରଟି ଦେହରେ ଗୁଡ଼ାଇ ଝାଡ଼ୁ ଦେବା ସମୟରେ ନିଜ ଆଡ଼କୁ ବୁଢ଼ୀ ମଝିରେ ମଝିରେ ଚାହିଁ ଦେଖେ । ପ୍ରୟୋଜନ ନ ଥାଇ ଚାଦର ଗୁଡ଼େଇ ନଈଘାଟ ରାସ୍ତାରେ ଛିଡ଼ାହୋଇ ରହେ । ରାସ୍ତାରେ ଯାଉଥିବା ବୋହୂ, ଝିଅଙ୍କୁ ଡାକି ପଚାରେ, କିଏରେ, କିଏ ଯାଉଛରେ ? ଆରେ ରାଜିର ମା କିରେ ? ଏତେ ଡେରିରେ ଘାଟକୁ ଯାଉଛୁ ଯେ ? ବେଶୀ ଭୂମିକା ନ କରି ଅଳ୍ପ ହସି ନିଜ ଦେହର ଚାଦରକୁ ଚାହିଁ କହେ, ଏ ଖଣ୍ଡିକ ସେ ସାହିର ରାମଚାନ୍ଦ... ସାଢ଼େ ନଅଣା ଦେଇ...

 

ଜଣେ ଦୁଇଜଣ ଦୁଷ୍ଟ ଝିଅ କହନ୍ତି, ଇଃ ଜେଜେମା’, ନାଲି ଚାଦରରେ କି ସୁନ୍ଦର ମାନୁଛି ତୁମକୁ । ମନେହୁଏ, ତୁମର ଏବେ ବାହାଘର ହେବ ନା କ’ଣ ?

 

(୬)

 

ଆର ସାହିର ଦାସୀ ଠାକୁରାଣୀ ଘରକୁ ଆସି ହସି ହସି କହିଲା, ଆଲୋ ବୋହୂ ଦୁଇ ପଇସା ପାଇବାର ଥିଲା, ସେଥିପାଇଁ ଆସିଛି । ଗତକାଲି ପିଉସୀ ମୋ ପାଖରୁ ଆତଟିଏ ଆଣିଥିଲେ ଆଉ କହିଲେ କାଲି ଆସି ଘରୁ ପଇସା ନେଇଯିବୁ ।

 

ସର୍ବଜୟା ଘରର କାମଦାମରେ ବ୍ୟସ୍ତ ଥିଲା । ଅବାକ୍‌ ହୋଇ ପଚାରିଲା, ତୁମ ପାଖରୁ ଆତ କିଣି ଆଣିଛି ?

 

ଦାସୀ ଠାକୁରାଣୀ ଭୀଷଣ ବ୍ୟସସାୟୀ ପ୍ରକୃତିର । ସାମାନ୍ୟ ତେନ୍ତୁଳିଟିକିଏ ବା ଆମ୍ବଡ଼ା ଫଳଠାରୁ ଆରମ୍ଭ କରି ଶାଗ କେରାଏ ପର୍ଯ୍ୟନ୍ତ ବିନା ପଇସାରେ କାହାକୁ କେବେ ଦିଏନି । ହଠାତ୍‌ ତା’ର ଅମାୟିକ ଭାବ ଅନ୍ତର୍ହିତ ହୋଇଗଲା । କହିଲା, ଆଣିଚି କି ନା, ତୁମ ନଣନ୍ଦକୁ ପଚାର । ସକାଳୁ ସକାଳୁ ଦୁଇ ପଇସା ପାଇଁ କ’ଣ ମିଛ କହିବାକୁ ଆସିଲି ? ଚାରି ପଇସାରୁ କମ୍‍ ହେଲେ ଦେବିନି ବୋଲି କହିଥିଲି, ହେଲେ କହିଲା, ଖାଇବା ପାଇଁ ଇଚ୍ଛା ହେଉଛି, ମୁଁ ବୁଢ଼ୀଟା ମୋତେ ଦୁଇ ପଇସାରେ...

 

ରାଗରେ ସର୍ବଜୟା ମୁହଁରୁ କଥା ବାହାରିଲା ନାହିଁ । ଆତ ଭଳି ଫଳ, ବଣ ଜଙ୍ଗଲରେ ଅପର୍ଯ୍ୟାପ୍ତ ଫଳିଥାଏ, ଗାଈ ବାଛୁରୀ ବି ଏତେ ପରିମାଣରେ ଖାଇଥାନ୍ତି ଯେ ସେମାନଙ୍କର ବି ଅରୁଚି ହୋଇଯାଏ, ତାକୁ ପୁଣି ପଇସା ଦେଇ କିଣି ଖାଇବାକୁ ମଫସଲରେ ଲୋକ ଅଛନ୍ତି, ସେ କଥା ସର୍ବଜୟାର ଧାରଣା ବାହାରେ ।

 

ଏହି ସମୟରେ ଇନ୍ଦିର ବୁଢ଼ୀ କେଉଁଠୁ ଆସି ସେଠାରେ ଉପସ୍ଥିତ ହୋଇଗଲା । ସର୍ବଜୟା ତା’ ଉପରେ ପ୍ରାୟ ଝାମ୍ପିପଡ଼ିଲା ପରି କହିଲା, ହଇରେ ବୁଢ଼ୀ, ତୋର ତିନିକାଳତ ଆସି ଶେଷ ହେଲାଣି, ଆଉ ଗୋଟିଏ କାଳ ବାକି । ଯାହାର ବସି ବସି ଖାଉଛୁ, ତା’ର ପଇସା ଯେ କେତେ କଷ୍ଟରେ ଆସୁଛି ସେ କଥାକୁ ନିଘା ନାହିଁ ? ବୁଢ଼ୀକୁ ଆଉ କିଛି ମିଳିଲାନି, ଆତ କିଣି ଖାଉଛି ? ତୋତେ ବସେଇ ବସେଇ କେଉଁଠୁ ଆଣି ଖୁଆଇବି ? ଆଜି ଆତ କାଲି ଭାତ ? ସଉକି କରିବାକୁ ଇଚ୍ଛା ତ ନିଜେ ଆଣି ପଇସା ଦେ । ପର ପଇସାରେ ମଉଜ କରିବାକୁ ଲଜ୍ଜ୍ୟା ଲାଗେନା ?

 

ବୁଢ଼ୀର ମୁହଁଟି କଳା ପଡ଼ିଗଲା । ତଥାପି ଟିକିଏ କୃତ୍ରିମ ହସ ହସି କହିଲା, ଦୁଇଟି ପଇସା ଦେଇଦେ ବୋହୂ, ପାଚିଲା ଆତଟା, ଭାବିଲି ଆଣି ଖାଇବି, କେତେଟା ଦିନ ବା ଆଉ ବଞ୍ଚିବି, ଦୁଇଟା ମାତ୍ର ପଇସା ଦେଇଦେ...

 

ସର୍ବଜୟା ଚାରିଗୁଣା ଚିତ୍କାର କରି କହିଲା, ପଇସାଟାକୁ ଭାରି ଶସ୍ତା ଦେଖିଚୁ ନା ବୁଢ଼ୀ ? ନିଜର ଢାଳ, ଥାଳି ଅଛି, ବିକ୍ରି କରି ଆଣି ପଇସା ଦେଇଦେ...

 

ତା’ପରେ କଳସୀ ଧରି ପଛ ଦୁଆର ଦେଇ ନଈଘାଟକୁ ତମତମ ହୋଇ ଚାଲିଗଲା ।

 

ଦାସୀ କିଛି ସମୟ ଛିଡ଼ା ହୋଇ ରହିଲା ଓ କହିଲା, ହଉ ହେଲା ବାବା, ଏବେ ନାକ ଘଷୁଚି, କାନ ମୋଡ଼ୁଛି, ଜିନିଷ ବିକ୍ରିକରି ଏମିତି ହଇରାଣ କେବେ ହେଇନି । ଇନ୍ଦିର ପିଉସୀ, ତୁମର ଯଦି ନିଜ ପାଖରେ ପଇସା ନାହିଁ, କାଲି ତୁମେ ଆତଟା ଆଣି ଭଲ କାମ କଲନି । ଏମିତି ଧାରରେ ଆଉ କେବେ ଜିନିଷ ପତ୍ର ଆଣିବନି । ହେଲା ଏବେ, ତୁମେ ତୁମର ଝଗଡ଼ା କର, ମୁଁ ହେଲି ଗରିବ ଲୋକ, ମୁଁ ଉପରଓଳି ଆସିବି କିନ୍ତୁ, ମୋର ପଇସା ଦୁଇଟି ଦେଇଦେବ କହୁଚି...

 

ଦାସୀ ଠାକୁରାଣୀ ପଛେ ପଛେ ଝିଅଟି ବାହାର ଅଗଣା ପର୍ଯ୍ୟନ୍ତ ଆସିଲା । ସେ କହୁଥିଲା, ପିଉସୀ ବୁଢ଼ୀଲୋକ, ଗୋଟିଏ ଆତ ଆଣିଛି ବୋଲି, ତାକୁ କ’ଣ ଗାଳି ଦେବା ଠିକ ? ବୁଢ଼ୀ ହେଲେ କ’ଣ ଭଲମନ୍ଦ ଖାଇବାକୁ ଇଚ୍ଛା ହୁଏନି, ଦାସୀ ପିଉସୀ ? ଭଲ ଆତଟି, ମୋତେ ସେଥିରୁ ଫାଳେ ଦେଇଥିଲା । ତୁମ ବାଡ଼ିରେ ଆତ ଗଛ ଅଛିନା ପିଉସୀ ? ଦାସୀ ନ ଶୁଣି ଚାଲିଯାଉଥିଲା । ପୁଣିଥରେ ପଛରୁ ଡାକି ଦୁର୍ଗା କହିଲା, ଦାସୀ ପିଉସୀ ଶୁଣନା ମୋ କଥା । ମୁଁ ଏବେ ତୁମକୁ ଗୋଟିଏ ପଇସା ଦେଇଦେବି । ମୋର ଖେଳନା କିଣିବାକୁ ରଖିଛି । ମା’ ଘରେ ତାଲା ପକାଇ ନଈଘାଟକୁ ଯାଇଛି, ସେ ଆସିଲେ ମୁଁ ଲୁଚେଇ ଆଉ ଗୋଟିଏ ପଇସା ଦେଇଦେବି । ମୋ ମା’କୁ କିନ୍ତୁ କହିବନି ପିଉସୀ ।

 

ଦୁଇ ପ୍ରହର ହୋଇନଥିଲା, ଇନ୍ଦିର ବୁଢ଼ୀ ଘରୁ ବାହାରିଯିବାକୁ ସଜବାଜ କରୁଥିଲା । ବାଁ ହାତରେ ଛୋଟ ଗୋଟିଏ ମଇଳା ଲୁଗାର ପୁଟୁଳି, ଡାହାଣ ହାତରେ ତା’ର ସେଇ ପିତଳ ଚାଦରର ଢାଳ ଆଉ କାଖରେ ଗୋଟିଏ ଛିଣ୍ଡା ମସିଣା ଜାକି ଛିଡ଼ାହେଲା । ମସିଣାଟିର ଧାରଗୁଡ଼ିକ ଛିଣ୍ଡି କାଠିଗୁଡ଼ା ଝୁଲି ପଡ଼ିଥିଲା ।

 

ଝିଅ କହିଲା, ଏ ପିଉସୀ ଯା’ନା, କେଉଁଠିକି ଯିବୁଲୋ ? ଧାଇଁ ଆସି ଛିଣ୍ଡା ମସିଣାର କାଠିଗୁଡ଼ିକ ପଛରୁ ଟାଣି ଧରିଲା । ତୁ ଚାଲିଗଲେ ମୁଁ କାନ୍ଦିବି ପିଉସୀ... ଠିକ୍‌ ଅଛି ଯିବୁ ଯା, ମୁଁ କିନ୍ତୁ କାନ୍ଦିବି...

 

ସର୍ବଜୟା ଘର ବାରନ୍ଦାରୁ କହିଲା, ଯିବ ଯଦି ଯାଅ, ହେଲେ ଗୃହସ୍ଥର ଅକଲ୍ୟାଣ କରି କାହିଁକି ଯାଉଚ ? ପିଲା ଛୁଆ ଧରି ସଂସାର କରିଛି, ଏତେଦିନ ଧରି ଯାହାର ଅନ୍ନ ଧ୍ୱଂସ କଲ ତା’ର ପୁଣି ମଙ୍ଗଳ କରିବା ଦରକାର ନା ନାହିଁ ? ଅବେଳାରେ ନ ଖାଇ ଘରୁ ବାହାରିଗଲେ, ଗୃହସ୍ଥର ଅକଲ୍ୟାଣ ହେଉ, ଏହା ହିଁ ତୁମର ଇଚ୍ଛା ନା କ’ଣ ? ଏମିତି କୁଚକ୍ରିଆମନ ହୋଇନଥିଲେ ବି ଏମିତି ଦଶା ଭୋଗୁଥାନ୍ତ ?

 

ବୁଢ଼ୀକୁ ବହୁତ ବାଧିଲା । ସେ ଆଉ ଫେରିଲାନି । ଝିଅଟି କାନ୍ଦି କାନ୍ଦି ଅନେକ ବାଟ ପର୍ଯ୍ୟନ୍ତ ପଛେ ପଛେ ଯାଇଥିଲା ।

 

ବୁଢ଼ୀ ଚାଲୁ ଚାଲୁ ଆର ସାହିର ନବୀନ ଘୋଷାଲର ଘରେ ପହଞ୍ଚିଲା । ନବୀନ ଘୋଷାଲର ବୋହୂ ସବୁକଥା ଶୁଣି ଗାଲରେ ହାତ ଦେଇ କହିଲା, ଏମିତି ନିର୍ମମ କଥା କେବେବି ଶୁଣିନି । ହଉ ବୁଢ଼ୀ, ତୁମେ ଏଇଠି ଆମ ଘରେ ରହିଯାଅ ।

 

ମାସେ ଦୁଇ ମାସ ସେଠାରେ ରହିବା ପରେ ସେଇଠୁ ବାହାରି ତିନିକଡ଼ି ଘୋଷଲ ଘରେ କିଛିଦିନ ଓ ତା’ପରେ ପୂର୍ଣ୍ଣ ଚକ୍ରବର୍ତ୍ତୀ ଘରେ ଆଶ୍ରୟ ନେଲା । ପ୍ରତି ଘରେ ପ୍ରଥମେ ଆଦର ଅଭ୍ୟର୍ଥନା ମିଳେ । କିଛିଦିନ ପରେ ଖାତିରଦାରି ଉଭେଇ ଯାଏ । ତା’ପରେ ଘରର ଲୋକମାନେ ନାନା ପ୍ରକାରରେ ବିରକ୍ତି ପ୍ରକାଶ କରନ୍ତି । ସମସ୍ତେ ଉପଦେଶ ଦେଉଥିଲେ, ଗଣ୍ଡଗୋଳ ନେଇ ପୁଣିଥରେ ଘରକୁ ଫେରିଯିବାକୁ । ବୁଢ଼ୀ ପୁଣି ଗୋଟାଏ ଦି’ଟା ଜାଗାରେ ଆସ୍ଥାନ ଜମେଇଲା । ତା’ର ମନରେ ଭରସା ଥିଲା, ଘରୁ କେହି ନା କେହି ଡାକିବାକୁ ଆସିବ, ଆପାତତଃ, ହରିହର ନିଶ୍ଚୟ ଡାକ ପକାଇବ । ଏହା ଭିତରେ ତିନିମାସ ବିତି ଯାଇଥିଲେ ବି କେହି ଆଗ୍ରହ ପ୍ରକାଶ କରି ଡାକିବାକୁ ଆସିଲେନି । ଦୁର୍ଗା ବି ଏହା ଭିତରେ ଥରଟିଏ ହେଲେ ବି ଆସିନି । ବୁଢ଼ୀ ଜାଣେ ସେ ସାହିରୁ ଏ ସାହିକୁ ଅନେକ ବାଟ, ସାନ ଝିଅଟି ଏତେବାଟ ଆସିବା ସମ୍ଭବ ନୁହଁ । ସେହି ଆଶାରେ ଆର ସାହିକୁ ଥରେ ଦୁଇଥର ବୁଢ଼ୀ ଯାଇଥିଲା, କିନ୍ତୁ ଝିଅ ସହିତ ତା’ର ଦେଖାହେଲାନି ।

 

ବାରମାସ ପର ଘରେ ଆଶ୍ରୟ ନେଇ ହୁଏନା । ପୂର୍ବ ସାହିର ଚିନ୍ତା ଗଉଡ଼ୁଣୀର ଚାଳ ଘର ଖଣ୍ଡିକ ପଡ଼ିଥିଲା- ମାସେ ଦୁଇମାସ ପରେ ସାହିର ସମସ୍ତେ ମିଶି ବୁଢ଼ୀ ପାଇଁ ସେ ଘରଟିକୁ ସଜାଡ଼ି ଦେଲେ ଏବଂ ସାହିର ସମସ୍ତେ କିଛି କିଛି ସାହାଯ୍ୟ ଦେବେ ବୋଲି ଠିକ ହେଲା । ଘରଟି ଖୁବ୍‌ ସାନ । ଝାଟି ମାଟିର କାନ୍ଥ, ସାହିଠୁ ଟିକିଏ ଦୂରରେ, ଗୋଟିଏ ବାଉଁଶ ବଣ ଭିତରେ । ଲୋକ ମୁହଁରୁ ଶୁଣିଛି ସର୍ବଜୟା କାଳେ କହୁଛି ବୁଢ଼ୀର ତେଜଟା ସମସ୍ତେ ଦେଖନ୍ତୁ । ଏ ଘରକୁ ଆଉ ଆସିବାକୁ ଦେବିନି । ମୋର ପିଲାଛୁଆଙ୍କ ମୁହଁକୁ ଯେ ଅନେଇନି, ତାକୁ ପୁଣିଥରେ ଘର ଭିତରେ ମୁଣ୍ଡ ଗୁଞ୍ଜିବାକୁ ଦେବିନି । ଧାଇଁ ଧାଇଁ ମରୁ ସିଏ ।

 

ପ୍ରଥମ କେତେଦିନ ଯେଉଁମାନଙ୍କ ସାହାଯ୍ୟ କରିବା କଥା ଖୁବ୍‌ ଉତ୍ସାହ ସହିତ ସାହାଯ୍ୟ ଯୋଗାଇ ଦେଲେ । କିନ୍ତୁ ଧୀରେ ଧୀରେ ସେମାନଙ୍କ ଆଗ୍ରହ କମିଆସିଲା । ବୁଢ଼ୀ ମନେ ମନେ ଭାବେ, କାହିଁକି ବା ସେଦିନ ଏତେ ରାଗରେ ଚାଲିଆସିଲି ? ବୋହୂଟା ତ ବାରଣ କରିଥିଲା, ଝିଅଟି କେତେ କାନ୍ଦିଥିଲା, ହାତଧରି ଟାଣିଥିଲା । ନିଜେ ନିଜେ ଦୁଃଖ କଲା । ଗାତୁଆ ଗାଲ ଦୁଇଟିରେ ଲୁହ ବୋହିଗଲା । କହିଲା, ଶେଷ କାଳଟାରେ ଏତେ ଦୁଃଖ ଭାଗ୍ୟରେ ଥିଲା ଆଜି ଯଦି ମୋର ନିଜ ଝିଅଟା ବି ବଞ୍ଚିଥାନ୍ତା...

 

ଚୈତ୍ର ମାସର ସଂକ୍ରାନ୍ତି । ଦିନସାରା ଖରାର ବହୁତ ତେଜ ଥିଲା । ସନ୍ଧ୍ୟାବେଳକୁ ଅଳ୍ପଟିକେ ପବନ ବୋହୁଥିଲା । ଗୋସାଇଁ ସାହିରୁ ଚଡ଼କ ଯାତ୍ରାର ଢୋଲବାଜିବାର ଶବ୍ଦ ଶୁଣାଯାଉଥିଲା । ମେଳା ଶେଷ ହୋଇନି ଏଯାଏ ।

 

ଖରାରେ ଏଘର ସେଘର ବୁଲି ବୁଲି ଓ ଦୁର୍ଭାବନାରେ ବୁଢ଼ୀକୁ ଏବେ ପ୍ରତିମାସରେ ଅଳ୍ପ ଅଳ୍ପ ଜ୍ୱର ହୁଏ । ସପ ପାରି ବାରନ୍ଦାରେ ଚୁପ୍‌ ହୋଇ ସେ ଶୋଇଥିଲା । ମୁଣ୍ଡ ପାଖରେ ମାଟି ଘଡ଼ାରେ ପାଣି ଥୁଆ ହୋଇଥିଲା । ପିତଳ ଢାଳଟାକୁ ଏହା ଭିତରେ ଚାରିଅଣାରେ ବନ୍ଧା ପକେଇ ଚାଉଳ କିଣି ଖାଇଥିଲା । ଜ୍ୱରରେ ଶୋଷ ଲାଗିଲେ, ମଝିରେ ମଝିରେ ମାଟି ଘଡ଼ାରୁ ଅଳ୍ପ ଅଳ୍ପ ପାଣି ପିଉଛି ।

 

କିଏ ଡାକିଲା ପିଉସୀ । ବୁଢ଼ୀ କନ୍ଥା ଫୋପାଡ଼ି ପ୍ରାୟ ଡେଇଁପଡ଼ି ଉଠି ବସିଲା । ବାରନ୍ଦାର ପାହାଚରେ ଦୁର୍ଗା ଉଠୁଚି, ତା’ପଛରେ ସେ ସାହିର ବିହାରୀ ଚକ୍ରବର୍ତ୍ତୀର ଝିଅ ରାଜୀ । ଝିଅ ତୋଫା ଲୁଗା ପିନ୍ଧିଛି, ପଣତ କାନିରେ କ’ଣ ସବୁ ପୁଟୁଳା ପୁଟୁଳି ବାନ୍ଧିଛି । ବୁଢ଼ୀ ପାଟିରୁ ବେଶୀ କିଛି କଥା ବାହାରିଲାନି । ପ୍ରବଳ ଆଗ୍ରହରେ ତା’ର ଶୀର୍ଣ୍ଣ ହାତ ଦୁଇଟି ପ୍ରସାରିତ କରି ଜ୍ୱର ତାତିର ଛାତି ଭିତରେ ଝିଅକୁ ଜାବୁଡ଼ି ଧରିଲା । କାହାକୁ କହିବୁନି, ପିଉସୀ, କେହି ଯେମିତି ଜାଣି ନ ପାରେ, ମୁଁ ତୋ’ ପାଖକୁ ଆସିଛି ବୋଲି । ଚଡ଼କ ମେଳା ଦେଖି ସଞ୍ଜ ବେଳାଟାରେ ତୋ’ ପାଖକୁ ଲୁଚି ଲୁଚି ଆସିଛି । ରାଜୀ ବି ମୋ ସହିତ ତୋ’ ପାଖକୁ ଆସିଛି । ଦେଖ, ପିଉସୀ ଚଡ଼କ ମେଳାରୁ ତୋ’ ପାଇଁ କ’ଣ ଆଣିଛି-ଝିଅ ତା’ର ପୁଟୁଳି ଖୋଲିଲା । ମୁଁଆ ଆଣିଛି, ପିଉସୀ ତୋ’ ପାଇଁ ଦୁଇ ପଇସାର ମୁଁଆ ଆଉ ଦୁଇଟି ଫେଣି ଆଉ ମୋ’ ଭାଇ ପାଇଁ ଗୋଟିଏ କାଠ କଣ୍ଢେଇ...

 

ବୁଢ଼ୀ ଏଥର ଭଲକରି ଉଠି ବସିଲା । ଜିନିଷ ସବୁ ଖେଳେଇ ଏପଟ ସେପଟ କରି ଦେଖିଗଲା । ଦେଖେଁ, କେତେ ଜିନିଷ ସବୁ ଆଣିଛୁ ଲୋ ମୋ ମାଣିକ, ଦେଖ ଏତେଗୁଡ଼ାଏ ଜିନିଷ ଆଣିଛି ରାଜରାଣୀ ହୋଇ ବଞ୍ଚି ରହଲୋ ମା’ । ଗରୀବ ପିଉସୀ ଉପରେ ଏତେ କରୁଣା ତୋର । ଦେଖା, ପୁଅର କାଠ କଣ୍ଢେଇ- କେତେ ପଇସା ନେଲା ? ବେଶ୍‌ଗୁଡ଼ାଏ କଥାବାର୍ତ୍ତା ପରେ ଝିଅ କହିଲା, ପିଉସୀ ତୋ ଦିହଟା ଭାରି ଗରମ ଲାଗୁଛି ।

 

ଦିନସାରା ଖରାରେ ବୁଲି ଏମିତି ଲାଗୁଛି । ସେଥିପାଇଁ ଭାବିଲି ଟିକିଏ ଶୋଇପଡ଼େ...

 

ପିଲା ହେଲେ ବି ଦୁର୍ଗା ପିଉସୀର ଖରାରେ ବୁଲିବାର କାରଣ ବୁଝିପାରିଥିଲା । ଦୁଃଖ ଓ ଅନାହାର ଶୀର୍ଣ୍ଣ ପିଉସୀର ଦେହରେ ସ୍ନେହରେ ହାତ ବୁଲେଇ କହିଲା, ତୁ ନିଶ୍ଚୟ ଘରକୁ ଫେରିଆସିବୁ- ସଞ୍ଜବେଳେ ମୁଁ ଆଉ ଗପ ଶୁଣିପାରୁନି, କିଛି ବି ନାହିଁ କାଲି ଯିବୁ ଯିବୁ ହେଲା ?

 

ବୁଢ଼ୀ ଆନନ୍ଦରେ ଉଚ୍ଛ୍ୱସିତ ହୋଇ କହିଲା, ବୋହୂ ତୋତେ ଆଜି କିଛି କହିଛି ବୋଧେ ?

 

ରାଜି କହିଲା, ଖୁଡ଼ୀ ତ ଆଜି କିଛି କହିନାହାନ୍ତି ପିଉସୀ, ଦୁର୍ଗାକୁ ତ ସିଏ ଏଠିକି ଆସିବା ପାଇଁ ବାରଣ କରିଛନ୍ତି । ଆମେ କହିଲେ ସେ ଆମକୁ ଗାଳିଦିଅନ୍ତି । ତୁମେ କିନ୍ତୁ ଯିବ ପିଉସୀ । ତୁମେ ଅଳ୍ପ କଥା କହିବ, ତା’ହେଲେ ଖୁଡ଼ୀ ଆଉ କିଛି କହିବେନି ।

 

ଝିଅ କହିଲା, କାଲି ତୁ ନିଶ୍ଚୟ ଆସିବୁ ପିଉସୀ, ମା’ କିଛି କହିବନି । ଏବେ ମୁଁ ଘରକୁ ଫେରୁଛି । ତୁ ମୋ’ ଆସିବା କଥା କାହାକୁ କିଛି କହିବୁନି । କାଲି ସକାଳେ ଯେମିତି ନିଶ୍ଚୟ ପହଞ୍ଚିଯିବୁ ।

 

ସକାଳେ ଉଠି ବୁଢ଼ୀ ଦେଖିଲା, ଦେହଟା ଟିକିଏ ହାଲୁକା ଲାଗୁଛି । ବେଳ ଟିକିଏ ହେଲାରୁ ତା’ର ପୁଟୁଳିରେ ଛିଣ୍ଡାମିଣ୍ଡା ଲୁଗା କେତୋଟି ଓ ମଇଳା ଗାମୁଛାବାନ୍ଧି ବୁଢ଼ୀ ଘର ଆଡ଼େ ଚାଲିଲା । ରାସ୍ତାରେ ଗୋପୀ ବୈଷ୍ଣବର ସ୍ତ୍ରୀ ସହିତ ଦେଖାହେଲା । ସେ ପଚାରିଲା, ନାନୀ ଠାକୁରାଣୀ, ଘରକୁ ଫେରୁଛୁ ବୋଧେ । ଭାଉଜଙ୍କ ରାଗ ଥଣ୍ଡା ହେଲାଣି ପରା !

 

ବୁଢ଼ୀ ଗାଲ ଭରି ହସଟିଏ ହସିଲା, କହିଲା କାଲି ସନ୍ଧ୍ୟାରେ ଦୁର୍ଗା ଡାକିବା ପାଇଁ ଆସିଥିଲା । କେତେ କହିଲା, କହିଲା, ମା’ କହିଚି ଚାଲ ପିଉଚି, ଚାଲ ଘରକୁ ମୁଁ କହିଲି, ତୁ ଆଜି ଯା, କାଲି ସକାଳେ ବେଳ ଟିକେ ହେଲେ ମୁଁ ଘରେ ଯାଇ ପହଞ୍ଚିବି । ଝିଅର ମୋ’ କି କାନ୍ଦଣା, ଜମା ଛାଡ଼ି ଯିବା ପାଇଁ ଚାହୁଁ ନ ଥିଲା ।... ତେଣୁ ସକାଳେ ଘରକୁ ଯାଉଛି ।

 

ଘରେ ପହଞ୍ଚି ବୁଢ଼ୀ ଦେଖିଲା କେହି ନାହାନ୍ତି । ଗତକାଲି ସାରା ରାତି ଜ୍ୱର ପରେ ଏତେ ରାସ୍ତା ଖରାରେ ଚାଲି ଶରୀର ତା’ର ଦୁର୍ବଳ ହୋଇପଡ଼ିଥିଲା । ପୁଟୁଳିଟି ତଳେ ରଖି ତା’ ନିଜ ଘରର ବାରଣ୍ଡାର ପାହାଚରେ ବସିପଡ଼ିଲା ।

 

ଟିକିଏ ପରେ ସର୍ବଜୟା ପଛପଟ ଦୁଆର ଖୋଲି ନଈ ଘାଟରୁ ଗାଧୋଇ ଫେରିଲା । ଏପଟେ ନଜର ପଡ଼ିଲାରୁ ବୁଢ଼ୀକୁ ଦେଖି ନିର୍ବାକ୍‌ ବିସ୍ମୟରେ କିଛି ସମୟ ଛିଡ଼ା ହୋଇରହିଲା । ବୁଢ଼ୀଟି ହସି ହସି କହିଲା, ବୋହୂ ଭଲଅଛୁ ? ଏବେ ଆସି ପହଞ୍ଚିଲି, ଏତେଦିନ ପରେ । ତୁମମାନଙ୍କୁ ଛାଡ଼ି ଏ ବୟସରେ କେଉଁଠିକି ଯିବି ... ସେଥିପାଇଁ...

 

ସର୍ବଜୟା ଟିକିଏ ଆଗକୁ ମାଡ଼ିଯାଇ କହିଲା, ତୁମେ ଏ ଘରକୁ କ’ଣ ଭାବି ଆସିଲ ?

 

ତା’ର ଭାବଭଙ୍ଗୀ ଓ ଗଳାର ସ୍ୱର ଶୁଣି ବୁଢ଼ୀର ହସିବାର ଉତ୍ସାହଟି ହଠାତ୍‌ କମିଗଲା । ସର୍ବଜୟା କଥାର ଉତ୍ତର ଦେବାକୁ ନ ଦେଇ କହିଲା, ଏ ଘରେ ତୁମର ସ୍ଥାନ କେବେହେଲେ ସମ୍ଭବ ହେବନି । ସେଦିନ ମୁଁ ତୁମକୁ କହିଥିଲି, ପୁଣିଥରେ କେଉଁ ମୁହଁରେ ଆସିଚ ?

 

ବୁଢ଼ୀ କାଠଭଳି ନିର୍ଜୀବ ଦେଖାଗଲା, ମୁହଁରୁ ପଦଟିଏ କିଛି ବାହାରିଲା ନାହିଁ । ତା’ପରେ ହଠାତ୍‌ କାନ୍ଦି କାନ୍ଦି କହିଲା, ବୋହୂରେ ଏମିତି କଥା ମୋତେ କହନା । ମୋତେ ଟିକେ ରହିବାକୁ ଦେ । କେଉଁଠିକି ଯିବି କହିଲୁ ଦେଖି । ଏଇ ଭିଟାମାଟିଟାର...

 

ନା, ନା, ଆଉ ଭିଟାମାଟିର ଦ୍ୱାହିଦେବାର ଦରକାର ନାହିଁ । ଏ ଭିଟାର କଲ୍ୟାଣ ଚିନ୍ତା କରି କରି ତୁମ ଆଖିରେ ତ ନିଦ ନ ଥିବ । ଯାଅ, ଏବେବିଦା ହୁଅ, ନ ହେଲେ ଅନର୍ଥ ସୃଷ୍ଟି କରିବି...

 

ଘଟଣାଟି ଏଭଳି ଘଟିଯିବ ବୋଲି ବୁଢ଼ୀ ଜମାରୁ ପ୍ରତ୍ୟାଶା କରିନଥିଲା । ବୁଡ଼ି ଯାଉଥିବା ସମୟରେ ଜଳମଗ୍ନ ବ୍ୟକ୍ତି ଯେମିତି ଯାହା ଆଗରେ ପାଏ ତାକୁ ଜାବୁଡ଼ି ଧରିବା ପାଇଁ ଚାହେଁ, ବୁଢ଼ୀଟିର ଅବସ୍ଥା ସେମିତି ଘଟିଲା । ଆଶ୍ରୟ ପାଇଁ ହାତମୁଠା କରି ଲକ୍ଷ୍ୟହୀନ ଭାବରେ ଏପଟ ସେପଟ ଅନେଇ ରହିଲା । ଆଜି ତା’ର ମନେହେଲା, ସତେଯେମିତି ବହୁ ଦିନର ଆଶ୍ରୟ ଟିକକ ବାସ୍ତବରେ ତା’ର ପାଦତଳୁ ଘୁଞ୍ଚି ଘୁଞ୍ଚି ଯାଉଛି । ଆଉ ତାକୁ ଧରି ରଖିବାକୁ ଉପାୟ ନାହିଁ ।

 

ସର୍ବଜୟା କହିଲା, ଯାଅ ନଣନ୍ଦ ଠାକୁରାଣୀ, ଆଉ ବସି ରୁହନି । ବେଳ ବଢ଼ୁଛି, ମୋର ବହୁତ କାମ ବାକି ଅଛି । ଏଠି ଆଉ ତୁମକୁ କୌଣସି ପ୍ରକାରେ ସ୍ଥାନ ଦେଇପାରିବିନି...

 

ବୁଢ଼ୀ ପୁଟୁଳି ଧରି ଅତି କଷ୍ଟରେ ପୁଣି ଉଠିଲା । ବାହାର ଦରଜା ପାଖ ଦେଇ ଯିବା ସମୟରେ ଅଗଣା ପାଖରେ କାନ୍ଥକୁ ଡେରି ରହିଥିବା ଝାଡ଼ୁ ମୁଠାଟି ତା’ର ନଜରରେ ପଡ଼ିଲା । ଆଜକୁ ତିନି ଚାରି ମାସ ହେବ ତାକୁ କେହି ହାତ ଲଗେଇ ନାହାନ୍ତି । ଏ ଭିଟାର ଘାସ, କେତେ ଯତ୍ନରେ ଲଗାଇଥିବା ଲେମ୍ବୁଗଛ, ଅତିପ୍ରିୟ ଝାଡ଼ୁଟା, ଝିଅ, ପୁଅ, ବ୍ରଜ ପିଉସୀଙ୍କ ଭିଟାମାଟି ତା’ର ସତୁରୀବର୍ଷର ଜୀବନରେ ଏସବୁ ଛଡ଼ା ସେ ଆଉ କିଛି ଜାଣେନି, ବୁଝେ ବି ନାହିଁ ।

 

ଚିରଦିନ ପାଇଁ ସେଗୁଡ଼ିକ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥିଲା । ସଜନାତଳି ରାସ୍ତାରେ ପୁଟୁଳି କାଖରେ ଜାକି ଯିବା ସମୟରେ ରାୟ ପରିବାରର ସ୍ତ୍ରୀ ପଛରୁ ଡାକି କହିଲା, ଜେଜେମା’, କୁଆଡ଼େ ଫେରିଯାଉଛୁ ? ଘରକୁ ଯିବନି ? ବୁଢ଼ୀଠୁ କିଛି ଉର ନ ପାଇ ପୁଣିଥରେ କହିଲା, ଜେଜେମା’, ଆଜିକାଲି କାଲୁଣି ହୋଇଗଲେଣି ।

 

ଉପରଓଳି ସେ ସାହିରୁ କିଏ ଜଣେ ଆସି ଖବର ଦେଲା, ଆଲୋ ମା’ ଠାକୁରାଣୀ, ତୁମ ଘରର ବୁଢ଼ୀ ବୋଧେ ମରିଯିବ । ପାଲିତ ପରିବାରର ଖଳାରେ ଧାନଗଦା ପାଖରେ ଦୁଇପହରଠାରୁ ଶୋଇଛି । ଖରାଟାରେ ଫେରିଯାଉଥିଲା, ଆଉ ବୋଧେ ଯାଇପାରିନି । ଥରଟିଏ ଯାଇ ଦେଖିଆସ । ନନାଠାକୁର ଘରେ ନାହାନ୍ତି କି ? ଥରେ ତାଙ୍କୁ ପଠେଇ ଦିଅନା ।

 

ଏ କଥା ସତ ଯେ, ପାଲିତ ପରିବାରର ବିରାଟ ମଞ୍ଚାତଳରେ ଧାନଗଦା ପାଖରେ ଇନ୍ଦିର ଠାକୁରାଣୀ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା । ହରିହରର ଘରୁ ଫେରିଆସିବା ସମୟରେ କେମିତି ଲାଗିଲା । ଖରାରେ ଆଉ ଆଗକୁ ଯାଇ ନ ପାରି ଏଠାରେ ଶୋଇପଡ଼ିଲା । ପାଲିତ ପରିବାରର ଲୋକେ ବୁଢ଼ୀକୁ ଚଣ୍ଡୀମଣ୍ଡପକୁ ଟେକି ନେଇ ଶୁଆଇଛନ୍ତି । ଛାତିପିଠିରେ ତେଲ ମାଲିସ୍‌, ପଙ୍ଖା ବିଞ୍ଚି ସୁସ୍ଥ କରିବାକୁ ଚେଷ୍ଟା କରି ମଧ୍ୟ ଅବସ୍ଥା ଖରାପ ଆଡ଼କୁ ଗତିକଲାରୁ ମଣ୍ଡପରୁ ଓହ୍ଲେଇ ତଳେ ରଖିଛନ୍ତି । ପାଲିତ ସାହିର ବହୁତ ଲୋକ ତାକୁ ଘେରି ଛିଡ଼ା ହୋଇଛନ୍ତି । କିଏ କହୁଛି ଏତେ ଖରାରେ କାହିଁକି ବାହାରିଲା ? ସିଧାସଳଖ ଖରାଟା ବାଜିଛି ? କିଏ କହୁଛି, ମରିଯିବ । ଏବେ ବୋଧେ ଧୀରେ ଧୀରେ ସୁସ୍ଥ ହୋଇଯିବ ।

 

ବିଶୁ ପାଲିତ କହିଲେ, ଇଏ ମୂର୍ଚ୍ଛାଯାଇନି । ବୁଢ଼ୀ ବୋଧେ ଆଉ ବଞ୍ଚିବନି । ହରି ବଡ଼ବାପା ବୋଧହୁଏ ଘରେ ନାହାନ୍ତି । ଖବର ପଠାଯାଇଛି ହେଲେ ଏତେ ବାଟ ବା ଆସୁଛି କିଏ ?

 

ଦୀନୁ ଚକ୍ରବର୍ତ୍ତୀର ବଡ଼ପୁଅ ଫେରି କଥାଟି ଶୁଣି ଘଟଣାର ଖବର ନେବା ପାଇଁ ଆସିଥିଲା । ସମସ୍ତେ କହିଲେ, ଆରେ ନନା ଠାକୁରେ, ଭାଗ୍ୟକୁ ତୁମେ ଆସିଯାଇଛ, ଦିଅ ଟିକେ ଗଙ୍ଗାଜଳ ବୁଢ଼ୀ ପାଟିରେ ଦିଅ । ଦେଖ ତ କାଣ୍ଡ, ଏଇଟା ପୁଣି ବ୍ରାହ୍ମଣ ସାହି ନୁହେଁ, କିଏ ବା ଗଙ୍ଗାଜଳ ପାଟିରେ ଦେବ ?

 

ଫଣି ହାତରେ ଧରିଥିବା କାଠର ଲାଠି ଖଣ୍ଡିକ ବିଶୁ ପାଲିତ ହାତରେ ଧରିବାକୁ ଦେଇ ବୁଢ଼ୀ ମୁହଁ ପାଖରେ ବସିଗଲା । ପାପୁଲିକୁ ଗଣ୍ଡୁଷ କରି ଗଙ୍ଗାଜଳ ହାତରେ ରଖି ଡାକିଲା, ପିଉସୀ, ଓ ପିଉସୀ ।

 

ବୁଢ଼ୀ ଆଖି ଖୋଲି ବଲ ବଲ କରି ଅନେଇ ରହିଲା । ତା’ ମୁହଁରୁ ପଦଟେ କଥା ବାହାରିଲାନି । ଫଣି ପୁଣିଥରେ ଡାକିଲା, ପିଉସୀ, କେମିତି ଅଛ ? ଦେହଟା ଭଲ ଲାଗୁନି ?

 

ତା’ପରେ ଗଙ୍ଗାଜଳ ଟିକକ ମୁହଁରେ ଢାଳିଦେଲା । ଜଳ ତକ ପାଟି ଭିତରକୁ ପଶିଲା ନାହିଁ । ବିଶୁପାଲିତ କହିଲା, ନା ନା, ଆଉ ଥରଟିଏ ଦିଅ ।

 

ଆଉମାତ୍ର ଅଳ୍ପ ସମୟ ମଧ୍ୟରେ ବୁଢ଼ୀର ଆଖିପତା ମୁଦି ଗଲା । କୋଟରଗତ କିଛି ଜଳ ବୁଢ଼ୀର ଶୀର୍ଣ୍ଣ ଗଣ୍ଡ ଦେଇ ବୋହିଗଲା ।

 

ଇନ୍ଦିର ଠାକୁରାଣୀଙ୍କ ମୃତ୍ୟୁ ସହିତ ନିଶ୍ଚିନ୍ତପୁର ଗାଁ’ର ସେ କାଳର ଇତିହାସ ସବୁଦିନ ପାଇଁ ଶେଷ ହୋଇଗଲା ।

 

ଆମ୍ବ କୋଇଲିର ତୁରୀ

Unknown

(୭)

 

ଇନ୍ଦିର ଠାକୁରାଣୀର ମରିବାର ଚାରି-ପାଞ୍ଚ ବର୍ଷ ବିତିଗଲାଣି । ମାଘ ମାସର ଶେଷ, ଏବେବି ଶୀତ ବେଶ୍‌ ଅନୁଭୂତ ହେଉଛି । ସରସ୍ୱତୀ ପୂଜା ଦିନ ଉପରଓଳାର କଥା । ନିଶ୍ଚିନ୍ଦିପୁର ଗାଁ’ର ବୁଦୁବୁଦୁକିଆ ସରୁ ରାସ୍ତାର କଡ଼େ କଡ଼େ ଦଳେ ଲୋକ ଚାଲି ଚାଲି, ଗାଁ ବାହାରେ ଥିବା ପ୍ରାନ୍ତରକୁ ନୀଳକଣ୍ଠ ପକ୍ଷୀ ଦେଖିବାକୁ ଯାଉଥିଲେ ।

 

ସେମାନଙ୍କ ଭିତରୁ ଜଣେ କହିଲା, ଆରେ ହରି, ଭୂଷଣ ଗଉଡ଼ର ସାମନା କଦଳୀ ବଗିଚାଟିକୁ ତୁମେ ପୁଣିଥରେ ଜମା ଧରିଛ ନା କ’ଣ ?

 

ଯାହାକୁ ଲକ୍ଷ୍ୟକରି ଏ କଥାଟି କୁହାଯାଉଥିଲା, ତାଙ୍କୁ ଦେଖିଲେ ସେ ଯେ ଦଶବର୍ଷ ପୂର୍ବର ହରିହର ରାୟ ବୋଲି ଜଣାପଡ଼ିବନି । ଏବେ ସେ ମଧ୍ୟବୟସ୍କ ପ୍ରୌଢ଼ । ପୁରାପୁରି ସଂସାରୀ । ପୁଅଝିଅର ବାପା । ହରିହର ଅର୍ଥ ଉପାର୍ଜନ ପାଇଁ ଗାଁ-ଗଣ୍ଡାରେ ବୁଲେ । ପୈତୃକ ଅମଳର ଶିଷ୍ୟ ସେବକ, ଯଜମାନମାନଙ୍କର ଘର ଖୋଜି ପୁରୋହିତଗିରି କରେ, ଦୀକ୍ଷା ପ୍ରଦାନ କରେ । ପୁରା ଗୃହସ୍ଥଟେ ଭଳି ହାଟରେ ଜହ୍ନିପୋଟଳର ଦରଦାମ କଷେ, ଚାଳ ଛପର କରିବାର ମୂଲଚାଲ କରି ବୁଲେ । ଆଗପରି ସେ ଆଉ ଅବାଧଗତି, ମୁକ୍ତପ୍ରାଣ, ଯାଯାବର ଯୁବକ ହୋଇ ରହିନି । ବହୁତ ପରିବର୍ତ୍ତନ ଏହା ଭିତରେ ଘଟିଯାଇଛି । କ୍ରମେ କ୍ରମେ ପଶ୍ଚିମାଞ୍ଚଳରେ ବିତେଇ ଥିବା ଅତୀତର ସେ ଜୀବନ ପଛରେ ଛାଡ଼ି ଆସିଲାଣି । ସେଦିନର ସେସବୁ ସ୍ମୃତି ଆଜି ଫିକା ପଡ଼ିଆସିଲାଣି । ଫିକା ପଡ଼ିଲାଣି ସେଦିନର ଚୁନାର ଦୁର୍ଗର ପ୍ରଶସ୍ତ ପାଚେରୀ ପାଖରେ ବସି ଦୂର ପାହାଡ଼ରେ ଅସ୍ତଗାମୀ ସୂର୍ଯ୍ୟକୁ ଦେଖିବା, ଫିକା ପଡ଼ିଲାଣି କେଦାର ଭିତରେ ତେଜପତ୍ରର ଜଙ୍ଗଲରେ ହଜିଯାଇ ରାତି କଟେଇବା, ଶାହାକାଶିମ ସୁଲେମାନର ପବିତ୍ର ଦରଘାର ବଗିଚାରୁ ଖଟା କମ୍‍ଳା ତୋଳି ଖାଇବା, ତରଳା ରୁପାଭଳି ହିମସ୍ୱଚ୍ଛ ଉଜ୍ଜ୍ୱଳ ସ୍ୱର୍ଗନଦୀ ଅଳକନନ୍ଦା ଆଉ ଦଶାଶ୍ୱମେଧ ଘାଟର ଚତ୍ୱରର ସ୍ମୃତିଛାୟାଭଳି ଉଁକିମାରେ ଯେମିତି ଅନେକ ଦିନ ପୂର୍ବରୁ ଦେଖିଥିବା ଏକ ସ୍ୱପ୍ନର ଝଲକ ମାତ୍ର ।

 

ହରିହର ସମ୍ମତିସୂଚକ କିଛି କହିବାକୁ ଯାଇ ପଛକୁ ଚାହିଁ କହିଲା, ଆରେ, ପିଲାଟା ପୁଣି କୁଆଡ଼େ ଗଲା ? ଆରେ ଏ ଅପୁ, ଆ, ଆ...ପାଖକୁ ଆ...

 

ଗୋଟିଏ ଛଅସାତ ବର୍ଷ ଗୋରା ତକତକ ସୁନ୍ଦର ପତଳା ବାଳକଟେ ରାସ୍ତାର ବାଙ୍କ ସେପଟୁ ଧାଇଁଆସି ଦଳ ଭିତରେ ସାମିଲ ହେଲା । ହରିହର କହିଲା, ପୁଣିଥରେ ପଛରେ ରହିଗଲୁ ? ଚାଲ, ଚାଲ, ଆଗକୁ ଆଗେଇ ଯା...

 

ପିଲାଟି କହିଲା, ବାପା, ବଣ ଭିତର ଦେଇ କିଏ ଗଲା ? ବେଶ୍‌ ବଡ଼ ବଡ଼ କାନ ? ହରିହର ପ୍ରଶ୍ନଆଡ଼କୁ ମନ ନ ଦେଇ, ନବୀନ ପାଲିତ ସହିତ ମାଛ ଧରାର ବିଚାର ବିମର୍ଷ କରିବାରେ ଲାଗିଲା ।

 

ହରିହରର ପୁଅ ପୁଣିଥରେ ଆଗ୍ରହରେ ପଚାରିଲା, କ’ଣଟା ବଣ ଭିତରକୁ ଦୌଡ଼ି ପଳେଇଲା ବାପା ? ବଡ଼ ବଡ଼ କାନ ତା’ର ?

 

କେଜାଣି କ’ଣ ବାବୁ । ତୋ’ କଥାର ଉତ୍ତର ଆଉ ଦେଇପାରୁନି । ଘରୁ ବାହାରିବା ପାଖରୁ ପଚାରୁଛି, ଏଇଟା କ’ଣ, ସେଇଟା କ’ଣ ? ବଣ ଭିତରକୁ କ’ଣଟା ଚାଲିଗଲା, ତାକୁ ମୁଁ ତ ଦେଖିନି ? ଚାଲ ବାବୁ, ଚାଲ ଆଗକୁ ଟିକିଏ ମାଡ଼ି ଚାଲ !

 

ପିଲାଟି ବାପା କଥାରେ ଆଗକୁ ମାଡ଼ି ମାଡ଼ି ଚାଲିଲା । ନବୀନ ପାଲିତ ପୁଣି କଥା ଆରମ୍ଭ କଲେ, ହରି, ମାଛ ଧରିବା ପାଇଁ ତୁମେ ବରଂ ଗୋଟିଏ କାମ କର, ବଇଁଶା ଗୋହିରୀକୁ ଦିନଟିଏ ଯିବା ଚାଲ । ପୂର୍ବ ସାହିର ନେପାଳ ପାଡ଼ୁ ନୌକାରେ ପ୍ରତିଦିନ ପ୍ରାୟ ଦେଢ଼-ଦୁଇ ମହଣ ମାଛ ଧରୁଛି । ଗୋଟିଏ ଗୋଟିଏ ମାଛ ପାଞ୍ଚ ସେରରୁ କମ୍‍ ନୁହେଁ । ଶୁଣିଥିଲି ଗୋଟିଏ ଦିନ ଶେଷ ରାତ୍ରିରେ ଗୋହିରୀ ମଝିରେ ଅଥଳ ଜଳରେ ମାଛ ଧରୁ ଧରୁ କଅଁଳିଆ ବାଛୁରୀର ସୋଁ ସୋଁ ଶବ୍ଦ ଭଳି କ’ଣ ସେ ଶୁଣିଲା । ବୁଝିପାରିଲ ?

 

ସମସ୍ତେ ଏକା ସାଙ୍ଗରେ ଆଗକୁ ଆସି ନବୀନ ପାଲିତ ମୁହଁକୁ ଆଶ୍ଚର୍ଯ୍ୟରେ ବଲବଲ କରି ଅନେଇ ରହିଲେ ।

 

ଅନେକ କାଳର ପୁରୁଣା ଗୋହିରୀ । ଅକାତ ପାଣି । ଦେଖିଛ, ତା’ ଭିତରେ ପାଣି ଝିମ୍‌ କଳା, ଶିଉଳି ଭର୍ତ୍ତି । କିଏ କହିଲା, ଏଇଟା ରାଘବ ବାଳିଆ, କିଏ କହିଲା ଯକ୍ଷ । ଫରଚା ନ ହେବା ଯାଏଁ ସମସ୍ତେ ନୌକାରେ ବସି ଠକ୍‌ ଠକ୍‌ ହୋଇ ଥରୁଥିଲେ ଲୋ ବାବୁ ।

 

କଥାଟା ବେଶ୍‌ ଜମି ଆସୁଥିଲା । ହଠାତ୍‌ ହରିହରର ପୁଅଟି ମହା ଉତ୍ସାହରେ ପାଖରେ ଥିବା ନଡ଼ା ବୁଦା ଆଡ଼େ ଆଙ୍ଗୁଳି ଦେଖେଇ ପାଟି କରି ଧାଇଁଗଲା । ହେଇ ଦେଖ ବାପା, ହେଇଟି, ହେଇ ଯାଉଛି, ବଡ଼ ବଡ଼ କାନ, ହେଇ...

 

ତା’ର ବାପା ପଛରୁ ଡାକିଲେ, ରହ, ରହ... ଯାଆନା, କଣ୍ଟା ଅଛି । ସେଇଠି କଣ୍ଟା ଭର୍ତ୍ତି । ଦଉଡ଼ି ଆସି ଚଟାପଟ ପୁଅର ହାତଧରି ଟାଣି ଆଣି କହିଲା, ବହୁତ ବେଶୀ ବିରକ୍ତ କରୁଛୁ ତୁ । ଶହେଥର ମନାକଲିଣି, ତୁ କିଛି ଶୁଣୁନୁ । ସେଥିପାଇଁ ତୋତେ ସାଙ୍ଗରେ ଧରି ଆସିବାକୁ ଚାହୁଁନଥିଲି ।

 

ପିଲାଟି ଉତ୍ସାହ ଓ ଆଗ୍ରହରେ ମୁହଁ ଉଠେଇ ତା’ ବାପାକୁ ଚାହିଁ ପଚାରିଲା, ସେଇଟା କ’ଣ ବାପା ?

 

ହରିହର କହିଲା, ମୁଁ କ’ଣ ଦେଖିଚି ? ଘୁଷୁରୀ-ମୁଷୁରୀ ହୋଇଥିବ । ଏଥର ଚାଲ, ଠିକ୍‌ ମଝିରାସ୍ତାରେ ଚାଲିବୁ...

 

ଘୁଷୁରୀ ନୁହେଁ, ବାପା, ଛୋଟଟା । ତା’ପରେ ସେ ତଳେ ବସିପଡ଼ି ଦେଖିଥିବା ଜନ୍ତୁର ଉଚ୍ଚତା ମାଟି ଉପରକୁ ଅଳ୍ପ ହାତଟେକି ଦେଖେଇଲା-ଏତିକି ହେବ...

 

ଚାଲ, ଚାଲ ମୁଁ କ’ଣ ଦେଖିଛି, ଆଉ ଦେଖାନା, ଚାଲିଲୁ ଆଗକୁ... ନବୀନ ପାଲିତ କହିଲା, ସେଇଟା ଠେକୁଆ, ବୁଝିଲୁ ବାବୁ ଠେକୁଆ । ଏଇଠି ନଡ଼ାବୁଦାରେ ଠେକୁଆ ରୁହେ, ବୁଝିଲୁ ? ପିଲାଟି ବର୍ଣ୍ଣ ପରିଚୟ ବହିରେ ‘ଠ’ରେ ଠେକୁଆର ଛବିଟି ଦେଖିଥିଲା । କିନ୍ତୁ ସେଇଟା ଯେ ଜୀବନ୍ତ ରୂପରେ ଡେଇଁ ଡେଇଁ ପଳାଏ ଏବଂ ତାକୁ ଖାଲି ଆଖିରେ ଦେଖିହୁଏ । ସେ କଥା କେବେବି ଚିନ୍ତା କରିନଥିଲା ।

 

ଠେକୁଆ !... ପୁଣି ଜୀବନ୍ତ !... ଏକାବେଳକେ ତୁମ ଆଗଦେଇ ଡେଇଁ ଡେଇଁ ପଳାଏ,... ଚିତ୍ର ନୁହେଁ କି କାଚର ପିତୁଳା ନୁହେଁ- ଏକାବେଳକେ କାନ ଠିଆ କରି ସତ ସତ ଠେକୁଆଟିଏ ! ଏମିତି ଭେଁଟୁ ଫୁଲ, ବଇଁଚ କୋଳି ବୁଦା ମୂଳେ !... ମାଟି, ପାଣିରେ ସୃଷ୍ଟି ଏ ନଶ୍ୱର ପୃଥିବୀରେ ଏ କଥା କେମିତି ସମ୍ଭବ ହେଲା, ସେ କଥା କୌଣସି ପ୍ରକାରେ ଭାବି ଠଉରେଇ ପାରୁନଥିଲା ପିଲାଟି...

 

ଏତେବେଳକୁ ସମସ୍ତେ ଜଙ୍ଗଲିଆ ସରୁ ରାସ୍ତା ଛାଡ଼ି ପ୍ରାନ୍ତର ମଧ୍ୟରେ ପହଞ୍ଚିଲେ । ନଈକୂଳରେ ବବୁରୀ ଓ ଜିଓଲା ଗଛ ଫାଙ୍କରେ ଗୋଟିଏ ବଡ଼ ଇଟାର ଫଜୁରୀ ଭଳି ବସ୍ତୁ ଦୃଷ୍ଟିଗୋଚର ହେଲା । ଏଇଟା ପୁରୁଣାକାଳର ନୀଳକୋଠିର ବୁଲା ଘରର ଭଗ୍ନାବଶେଷ । ସେ ସମୟରେ ନୀଳକୋଠିର ଅମଳରେ, ଏଇ ନିଶ୍ଚିନ୍ତପୁର ଗାଁ’ଟି ବେଙ୍ଗଲ୍‌ ଇଣ୍ଡିଗୋ କନ୍‌ସାର୍‌ନର ମୁଖ୍ୟ କୋଠି ଥିଲା । ଏ ଅଞ୍ଚଳରେ ସର୍ବମୋଟ ଚଉଦଟି କୋଠି ଥିଲା । ନିଶ୍ଚିନ୍ତପୁର କୋଠିର ମ୍ୟାନେଜର ଜନ୍‌ଲାର୍‌ମାର୍‌ ଏସବୁ ଉପରେ ଦୁର୍ଦ୍ଦଣ୍ଡ ପ୍ରତାପରେ ରାଜତ୍ୱ କରୁଥିଲେ । ଏବେ କିନ୍ତୁ କୋଠିର ଭଙ୍ଗାକୁଣ୍ଡ, ଚୁଲାଘର, ସାହେବଙ୍କ କୋଠି, ଅଫିସ ସବୁ ଜଙ୍ଗଲରେ ଆଛନ୍ନ ହୋଇ ଇଟାର ସ୍ତୁପରେ ପରିଣତ ହୋଇ ସାରିଲାଣି । ପ୍ରବଳ ପ୍ରତାପୀ ଲାର୍‌ମାର୍‌ ସାହେବଙ୍କ ନାମ ଶୁଣିଲେ ଏ ଅଞ୍ଚଳରେ ବାଘ-ଗୋରୁ ଗୋଟିଏ ଘାଟରେ ପାଣି ପିଉଥିଲେ । ଆଜିକାଲି, ଜଣେ ଦୁଇଜଣ ଅତି ବୁଢ଼ାଲୋକ ବ୍ୟତୀତ ସେ ସାହେବର ନାମ ବି କେହି ଜାଣନ୍ତି ନାହିଁ ।

 

ପ୍ରାନ୍ତରରେ ଥିବା ବଣବୁଦାଗୁଡ଼ିକ କଣ୍ଟାନଡ଼ା, ବଣକଳମ, ସୁନାରୀ ଓ କୋଳି ବୁଦାରେ ଭରପୁର । ବଣ କଳମ ଲତା ସବୁ ବୁଦାଗୁଡ଼ିକ ଉପରେ ବଡ଼ ବଡ଼ ସବୁଜ ପତ୍ରରେ ଢାଙ୍କି ହୋଇଛି । ତା’ଭିତରେ ସ୍ନିଗ୍ଧ ଛାଇ, ସାନ ସାନ ଗୟଳଫୁଲ, ସୁନାରୀ ମଞ୍ଜି ଓ ନୀଳ ବଣ ଅପରାଜିତା ଫୁଲ ସୂର୍ଯ୍ୟକିରଣ ଆଡ଼କୁ ମୁହଁ ଉପରକୁ କରି ଫୁଟି ଅଛନ୍ତି । ନଇଁ ଆସୁଥିବା ଅପରାହ୍ନର ଛାଇରେ ସ୍ନିଗ୍ଧ ବଣଭୂମିର ଶ୍ୟାମଳିମା, ପକ୍ଷୀର କୂଜନ, ଚତୁର୍ଦ୍ଦିଗରେ ପ୍ରକୃତି ମୁକ୍ତ ହସ୍ତରେ ରାଜାର ଭଣ୍ଡାର ଖୋଲି ଦାନ ଦେଲାଭଳି ବିକ୍ଷିପ୍ତ ଐଶ୍ୱର୍ଯ୍ୟ ସବୁକୁ ଓଜାଡ଼ି ଦେଇଛି । କେଉଁଠି ଯେମିତି ଅଳ୍ପମାତ୍ରାରେ ବି ଦାରିଦ୍ର୍ୟ ତିଷ୍ଠି ରହିବାର ପ୍ରଶ୍ନ ନାହିଁ, ମଧ୍ୟବିତ୍ତର କୃପଣତା ନାହିଁ, ସବୁ ଖୋଲା, ସବୁ ମୁକ୍ତ, ଧନାଢ଼୍ୟ ପରିପାଟୀ । ଦିବସର ଆସନ୍ନ ସମାପ୍ତିର ଇନ୍ଦ୍ରଜାଲରେ କାନ୍ତାର, ନଦୀ, ବଣ ବିଲ ସବୁ ଏକାକାର, ମାୟାମୟ ହୋଇଉଠିଛି ।

 

ପ୍ରାନ୍ତର ଭିତରେ ବୁଲୁ ବୁଲୁ ନବୀନ ପାଲିତ ମହାଶୟ ଏହି କାନ୍ତାରର ଉତ୍ତର ଅଂଶରେ ଚିନିଆଳୁ ଚାଷ କରି କିଭଳି ଲାଭବାନ ହୋଇଥିଲେ, ତାହା ଉପରେ ଟୀକା ଟିପ୍ପଣୀ ଆରମ୍ଭ କରିଦେଲେ । ଜଣେ କହିଲା, କୋଠିର ଇଟାଗୁଡ଼ିକ ବିକ୍ରି ହେବ ବୋଲି ଶୁଣିଥିଲି । ନବାବଗଞ୍ଜର ମୋତି ଦାଁ କାଳେ ଦରଦାମ କରୁଛି । ମୋତି ଦାଁ’ର କଥା ଉଠିବାରୁ ସେ ଲୋକଟି ସାଧାରଣ ଅବସ୍ଥାରୁ କେମିତି ଉପରକୁ ଉଠିଗଲା ସେ ବିଷୟରେ କଥାବାର୍ତ୍ତା ବି ହେଲା । ସେଇଠୁ ବିଭିନ୍ନ କଥା ଆଲୋଚନାର ବିଷୟବସ୍ତୁର ପରିସରକୁ ଆସିଗଲା । ବର୍ତ୍ତମାନ ସମୟରେ କେମିତି ହୁ ହୁ ଦରଦାମ ବଢ଼ିଚାଲିଛି, ଆଷାଢ଼ୁ ବଜାରରେ କୁଣ୍ଡୁ ପରିବାରର ଗୋଦାମଘର ପୋଡ଼ିଯିବା କଥା, ଗାଁ’ର ଦୀନୁ ଗାଙ୍ଗୁଲିର ଝିଅ ବାହାଘର ତିଥି ଆଦି ବିବିଧ ଆବଶ୍ୟକୀୟ ଖବରର ଆଦାନ ପ୍ରଦାନ ଚାଲିଲା ।

 

ହରିହରର ପୁଅ କହିଲା, ବାପା, ନୀଳକଣ୍ଠ ପକ୍ଷୀ କାହିଁ ?

 

ରହ, ଏବେ ଦେଖିବୁ, ବବୁରୀ ଗଛ ଡାଳରେ ଆସି ବସିବ

 

ପିଲାଟି ମୁହଁ ଉପରକୁ କରି ଆଖ ପାଖରେ ଥିବା ସବୁ ବବୁରୀ ଗଛ ଉପରକୁ ଆଗ୍ରହରେ ଚାହିଁଲା । ପ୍ରାନ୍ତର ଭିତରେ ଏଣେତେଣେ ହାତ ପାହାନ୍ତାରେ କୋଳି ବୁଦାରେ ଅନେକ କୋଳି ପାଚିଥିବାର ସେ ଲୁବ୍ଧ ଦୃଷ୍ଟିରେ ବାରମ୍ବାର ଦେଖୁଥିଲା । କେତେଥର କୋଳି ତୋଳିବା ପାଇଁ ଯିବାକୁ ଚେଷ୍ଟାକରି ବାପା ପାଖରୁ ଗାଳି ଶୁଣି ସେଥିରୁ ନିବୃତ୍ତ ହେବାକୁ ପଡ଼ିଲା । ଏତେ ଛୋଟ ଗଛରେ କୋଳି ହୁଏ ? ତାଙ୍କ ସାହିରେ କୋଳି ଗଛଗୁଡ଼ିକ ବେଶ୍‌ ଉଚ୍ଚା । ଇଚ୍ଛାଥିଲେ ବି ସେମାନେ କୋଳି ତୋଳି ପାରନ୍ତିନି । ଓଜନିଆ ଆଁକୁଡ଼ି ବାଡ଼ିଟିକୁ ଦୁଇ ହାତରେ ଜାବୁଡ଼ି ଧରି ମଧ୍ୟ କୋଳି ପାରିହୁଏନା । ପୁଣି ମିଳିଗଲେ କୁପଥ୍ୟଟିକୁ ଲୁଚେଇ ଲୁଚେଇ ଖାଇବା କଷ୍ଟକର ହୁଏ । କେବେ କେବେ କେହି ନା କେହି ଖବର ପାଇଯାଆନ୍ତି । ମା’ ପହଞ୍ଚିଯାଏ ହାତଧରି ଘରକୁ ଟାଣି ଟାଣି ନେଇଯାଏ । ଆଉ କୁହେ, ଆଲୋ ମାଆ, କ’ଣ ଯେ କହିବି, ତୁମେ ସବୁ ଏତେ ଦୁଷ୍ଟପିଲା ? ଏଇ ସେଦିନ ପରା ଜ୍ୱରରୁ ଉଠିଛୁ, ଆଜି ପୁଣି କୋଳିଗଛ ମୂଳେ ବୁଲୁଛୁ ? ଟିକେ ପଛ ବୁଲେଇ ଦେଇ ଦେଖିଲା ବେଳକୁ ଘରେ ନାହୁଁ ? କେତେଟା କୋଳି ଖାଇଛୁ, ପାଟି ଖୋଲିଲୁ ?

 

ସିଏ କହିବ, କୋଳି ତ ଜମାରୁ ଖାଇନି ଗୋ, ମାଆ ! ଗଛମୂଳରେ ଗୋଟିଏ ବି କୋଳି ପଡ଼ିନଥିଲା । ତା’ହେଲେ ମୁଁ ଏତେ ଛୋଟ ପିଲାଟା କ’ଣ ଗଛରୁ କୋଳି ତୋଳି ପାରିବି ?

 

ତା’ପରେ ତା’ର ଗୋରା ତକ୍‌ ତକ୍‌ ଉଜ୍ଜ୍ୱଳ ମୁହଁଟି ମା’ର ଅତି ପାଖକୁ ନେଇ ଆଁ କରି ପାଟି ଖୋଲେ । ତା’ ମାଆ ମେଲା ପାଟିକୁ ନିରୀକ୍ଷଣ କରି କୁହେ ଲହୁଣିଆ ଗନ୍ଧ ବାହାରୁଥିବା ସୁନ୍ଦର କୁନି ମୁହଁରେ ବୋକଦେଇ କହେ, ମୋ ସୁନା ପୁଅଟା, କେବେବି କୋଳି ଖାଇବୁନି ! ତୋ ଦେହଟିକିଏ ଭଲ ହେଇଯାଉ, ମୁଁ କୋଳି ଗୋଟେଇ ଆଚାର କରି ତୋ’ ପାଇଁ ହାଣ୍ଡିରେ ରଖିଦେବି । ତାକୁ ବୈଶାଖ, ଜ୍ୟେଷ୍ଠ ମାସରେ ଖାଇବୁ । ଆଉ ଲୁଚେଇ ଲୁଚେଇ କୋଳି ଖାଇବୁନି, ବୁଝିଲୁ ତ ବାପା ?

 

ହରିହର ପୁଅକୁ କହିଲା, ଆରେ ପୁଅ, କୋଠି କୋଠି ବୋଲି କହୁଥିଲୁ ଦେଖ ସେଗୁଡ଼ିକ ସାହେବର କୋଠି, ଦେଖିପାରୁଚୁ ?

 

ନଦୀଟିର କୂଳେ କୂଳେ ତ ସେ ସମୟର କୋଠିଟା ବହୁତ ବାଟ ପର୍ଯ୍ୟନ୍ତ ଲମ୍ବିଯାଇଥିଲା । ଦେଖିଲେ ଜଣାପଡ଼ୁଥିଲା ଯେମିତି ପ୍ରାଗ୍‌ଐତିହାସିକ ଯୁଗର ଅତିକାୟ ହିଂସ୍ରଜନ୍ତୁର କଙ୍କାଳଟିଏ ପୋତିହୋଇପଡ଼ିଛି । ଗତିଶୀଳ କାଳର ପ୍ରତୀକରୂପେ ନିର୍ଜନ ଶୀତର ଅପରାହ୍ନଟି ତାହା ଉପରେ ଏକ ଧ୍ୱଂସର ଆସ୍ତରଣରେ ଆଚ୍ଛାଦନ କରି ବିରାଜ କରୁଛି ।

 

କୋଠିଟିର ଅଗଣାର ଅନତି ଦୂରରେ କୋଠିର ଅଧ୍ୟକ୍ଷ ଲାର୍‌ମାର୍‌ ସାହେବଙ୍କ ଶିଶୁପୁତ୍ରର ସମାଧିଟି ପରିତ୍ୟକ୍ତ ଓ ବଣଲତାରେ ପରିପୂର୍ଣ୍ଣ ହୋଇପଡ଼ିଛି । ବେଙ୍ଗଲ୍‌ ଇଣ୍ଡିଗୋ କନ୍‌ସାର୍ଣ୍ଣର ବିରାଟ୍‌ ହେଡ଼କୋଠିଟିର ଏଇ ଅଂଶତକ ଛଡ଼ା ଅନ୍ୟକୌଣସି ଚିହ୍ନ ଅଖଣ୍ଡ ଅବସ୍ଥାରେ ମାଟି ଉପରେ ଛିଡ଼ା ହୋଇରହିନି । ପାଖକୁ ଗଲେ କଳା ପଥରର ଜୀର୍ଣ୍ଣ ଫଳକରେ ଲେଖାଟି ପଢ଼ିହୁଏ ।

 

Here lies Edwin Lermor

The only son of John & Mrs. Lermor

Born May 13, 1853, Died April 27, 1860.

 

ଅନ୍ୟାନ୍ୟ ଗଛବୃଚ୍ଛ ଭିତରେ ଗୋଟିଏ ବଣୁଆ ସୁନାରୀଗଛଟିଏ ତା’ ଉପରେ ଶାଖାପ୍ରଶାଖା ବିସ୍ତାର କରି ବଢ଼ିଯାଇଛି । ଚୈତ୍ର ଓ ବୈଶାଖ ମାସରେ ଅଢ଼େଇବାଙ୍କି ନଈ ମୁହାଣରୁ ବୋହିଆସୁଥିବା ପ୍ରଖର ପବନରେ ସୁନାରୀର ହଳଦିଆ ପେନ୍ଥା ପେନ୍ଥା ଫୁଲସବୁ ବିସ୍ମୃତ ବିଦେଶୀ ଶିଶୁର ଭଙ୍ଗା ସମାଧି ଉପରେ ଦିନରାତି ଝରିପଡ଼ୁଥିଲା । ପାରିପାର୍ଶ୍ୱିକ ସମସ୍ତେ ଏହି କୋମଳମତି ଶିଶୁଟିକୁ ଭୁଲି ଯାଇଥିଲେ ବି ବଣର ଗଛଲତା ଏ ଯାଏଁ ବି ତାକୁ ଭୁଲି ପାରିନାହାନ୍ତି ।

 

ପିଲାଟି ଚାରିଆଡ଼କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ଚାହିଁ ଦେଖୁଥିଲା । ତା’ର ଛ’ ବର୍ଷ ବୟସରେ ଏଇ ପ୍ରଥମଥର ପାଇଁ ସେ ଘରୁ ବାହାରକୁ ଏତେଦୂର ଯାଏଁ ଆସିଛି । ଆଜି ପର୍ଯ୍ୟନ୍ତ ଖୁବ୍‌ ବେଶୀରେ ସେ ପଡ଼ୋଶୀ ନେଡ଼ା ଘରକୁ, ନିଜ ଘର ସାମନାକୁ ଆସିଛି ନ ହେଲେ ରାନୁ ନାନୀର ଘରର ସୀମା ଭିତର ତା’ର ପୃଥିବୀ ସୀମାବଦ୍ଧ ଥିଲା । କେବଳ ଥରେ ଅଧେ ତା’ ମାଆ ସହିତ ସାହିର ଗାଧୁଆ ତୁଠ ନଈ ଘାଟ ପର୍ଯ୍ୟନ୍ତ ଆସି, ସେଇଠୁ ଦୂରରୁ ଛାଇ ଭଳି ଦେଖାଯାଉଥିବା କୋଠିର ଭଙ୍ଗା ଚୁଲିଘର ଆଡ଼େ ଅନେଇ ଦେଖୁଥାଏ । ଆଙ୍ଗୁଳି ଦେଖେଇ ତା’ ମାଆକୁ ପଚାରେ, ମାଆ, ସେପଟେ ସେହି କୋଠିଟା ଦେଖାଯାଉଛି ନା ? ସେ ତା’ର ବାପା ମୁହଁରୁ, ନାନୀ ମୁହଁରୁ ଓ ସାହିର କେତେଜଣଙ୍କ ମୁହଁରୁ କୋଠିର ପ୍ରାନ୍ତର କଥା ଶୁଣିଥିଲା । କିନ୍ତୁ ଆଜି ସେ ପ୍ରଥମ ଥର ପାଇଁ ସେଠାକୁ ଆସିଛି । ଏଇ ପ୍ରାନ୍ତର ସେପଟେ ବୋଧହୁଏ ମାଆ ପାଖରୁ ଶୁଣିଥିବା ରୂପକଥାର ରାଜ୍ୟଟି ? ଶ୍ୟାମ ଲଙ୍କାର ଦେଶରେ ବେଙ୍ଗ-ବେଙ୍ଗୁଲି ଗଛତଳେ ନିର୍ବାସିତ ରାଜପୁତ୍ର ନିଜର ତରବାରୀ ଖୋଲି ପାଖରେ ଥୋଇ ଏକା ଏକା ଶୋଇ ରାତି ବିତେଇଥିଲା । ସେପଟେ ଆଉ ଜନମାନବର ବସତି ନାହିଁ । ପୃଥିବୀର ଏଇଟାହିଁ ଶେଷସୀମା । ଏହାପରଠୁଁ ଆରମ୍ଭ ହୋଇଛି ଅସମ୍ଭବର ଦେଶ, ଅଜବ ଅଜଣା ରାଇଜ ।

 

ଘରକୁ ଫେରିବା ପରେ ରାସ୍ତା କଡ଼ରେ ଗୋଟିଏ ନୁଆଁଣିଆ ବୁଦାରୁ ଉଜ୍ଜ୍ୱଳ ରଙ୍ଗର ଏକ ପ୍ରକାର ଫଳର ପେନ୍ଥା ଛିଣ୍ଡେଇବାକୁ ହାତ ବଢ଼େଇଥିଲା । ତା’ର ବାପା ମନାକଲେ, ଆରେ, ଆସ୍‌ । ସେଥିରେ ହାତ ଲଗାନା- ଶୁଁଆ, ସେଇଟା ଶୁଁଆ ଫଳ । କ’ଣ ଯେ ତୁ କରୁ ବାବୁ ! ବହୁତ ଦୁଷ୍ଟାମୀ କରି ହଇରାଣ କରୁଛୁ ? ଆଉ କେବେବି ତୋତେ କେଉଁଠିକି ସାଙ୍ଗରେ ଆଣିବିନି କହିଦେଉଚି । ଏବେ ସାଙ୍ଗେ ସାଙ୍ଗେ ହାତ କୁଣ୍ଡେଇ କୁଣ୍ଡେଇ ଫୋଟକା ହୋଇ ଯାଇଥାଆନ୍ତା । କହି କହି ଥକିଗଲିଣି ମଝିରାସ୍ତାରେ ଚାଲିବାକୁ, କିନ୍ତୁ ତୁ ଶୁଣିଲେ ତ ।

 

ହାତ କାହିଁକି କୁଣ୍ଡେଇବ, ବାପା ?

 

ହାତ କୁଣ୍ଡେଇବ, ସେଇଟା ବିଷ ଫଳ ପରା । ଆରେ ଶୁଁଆରେ କେହି ହାତ ଲଗାଏ, ବାବୁ ? ତା’ର ମୁନିଆ ଶୁଆଁ ହାତରେ ବାଜିଲେ ରିଗ୍‌, ରିଗ୍‌ କରି ହାତ ଜଳିବା ଆରମ୍ଭ ହେଇଯିବ । ତା’ପରେ ତୁ କାନ୍ଦିବା ଆରମ୍ଭ କରିଦେବୁ ।

 

ଗାଁ ମଝିଦେଇ ହରିହର ପୁଅ ସାଙ୍ଗରେ ପଛପଟ କବାଟ ଦେଇ ଘର ଭିତରକୁ ପଶିଲା । କବାଟ ଖୋଲିବା ଶବ୍ଦ ଶୁଣି ସର୍ବଜୟା ବାହାରକୁ ଆସି କହିଲା, ଏତେ ରାତିଯାଏ କୁଆଡ଼େ ଥିଲ । ପିଲାଟିକୁ ସାଥିରେ ନେଇଯାଇଛ, ତା’ଦେହରେ ସୁଏଟର ଖଣ୍ଡେ ବି ନାହିଁ ।

 

ହରିହର କହିଲା, ପିଲାଟି ଯେଉଁ ହଇରାଣ କରିଛି କୁହନା ମୋତେ ବିରକ୍ତ କରିଦେଇଛି । ଶୁଁଆ ଫଳକୁ ଧରି ଟାଣିବାକୁ ଯାଉଥିଲା । ତା’ପରେ ପୁଅକୁ ଚାହିଁ କହିଲା କୋଠି ଦେଖିବି, ପ୍ରାନ୍ତର ଦେଖିବି ବୋଲି ହେଉଥିଲୁ, କେମିତି ଦେଖିଲୁ ?

 

(୮)

 

ସକାଳ ସମୟ । ସମୟ ଆଠଟା କିମ୍ବା ନଅଟା ହେବ । ହରିହରର ପୁଅ ବାରନ୍ଦାରେ ବସି ନିଜେ ନିଜେ ଖେଳୁଥିଲା । ତା’ର ଗୋଟିଏ ଟିଣ ବାକ୍ସ, ଢାଙ୍କୁଣି ଭାଙ୍ଗିଯାଇଛି । ତା’ଭିତରେ ଥିବା ସମସ୍ତ ସମ୍ପତ୍ତିକୁ ଓଜାଡ଼ି ଚଟାଣରେ ଥୋଇଛି । ଗୋଟିଏ ରଙ୍ଗ ଛାଡ଼ିଯାଇଥିବା କାଠର ଘୋଡ଼ା, ଚାରିପଇସା ମୂଲ୍ୟର ଟୋଲା ଟିଣର ତୁରୀଟିଏ ଆଉ କେତେଗୁଡ଼ା କଉଡ଼ି । ମାଆର ଅଜାଣତରେ ଲକ୍ଷ୍ମୀପୂଜାର କଉଡ଼ି ଭାଣ୍ଡରୁ କାଢ଼ି ନେଇଛି । କାଳେ କିଏ ଦେଖିଦେବ ବୋଲି ସବୁବେଳେ ଲୁଚେଇ ରଖିଥାଏ । ତା’ର ଅନ୍ୟାନ୍ୟ ସମ୍ପତ୍ତି ଭିତରେ ଦୁଇ ପଇସା ମୂଲ୍ୟର ଗୋଟିଏ ପିସ୍ତଲ । ଆଉ କେତେଗୁଡ଼ିଏ ଶୁଖିଲା ସୁନାରୀ ଫଳର ମଞ୍ଜି । ମଞ୍ଜିଗୁଡ଼ିକ ଭଲ ଦିଶେ ବୋଲି ତା’ର ନାନୀ କେଉଁଠୁ ଗୋଟେଇ ଆଣି କିଛି ସାନ ଭାଇକୁ ଦେଇଛି ଆଉକିଛି ନିଜ ଖେଳଣା ବାକ୍ସରେ ସାଇତି ରଖିଛି । କେତେଗୁଡ଼ିଏ ଭଙ୍ଗା ଖପରା ଖଣ୍ଡ । ଘରକାଟି ଗଙ୍ଗା ଯମୁନା ଖେଳ ପାଇଁ ଏଗୁଡ଼ିକର ଲକ୍ଷ୍ୟ ଅବ୍ୟର୍ଥ ବୋଲି ବିଶ୍ୱାସ ଜନ୍ମିବାରୁ ସେଗୁଡ଼ିକ ମଧ୍ୟ ଯତ୍ନରେ ବାକ୍ସରେ ସାଇତି ରଖିଛି । ବାକ୍ସ ଭିତରେ ସାଇତା ଏତେସବୁ ଦ୍ରବ୍ୟ ତା’ର ମହାମୂଲ୍ୟ ସମ୍ପତ୍ତି । ଏତେଗୁଡ଼ାଏ ଜିନିଷ ଭିତରୁ ଟିଣର ତୁରୀଟିକୁ କେତେଥର ଫୁଙ୍କିସାରି, କୌତୁହଳ କମିଯିବାରୁ ସେଇଟିକୁ ଗୋଟିଏ କଡ଼କୁ ରଖିଦେଇଛି । କାଠ ଘୋଡ଼ାଟିକୁ ନଚେଇ ନଚେଇ ଯାଉଛି ଏବଂ ତାକୁ ଅକର୍ମଣ୍ୟ ଆସାମୀ ପରି ଗୋଟିଏ କଡ଼କୁ ଥୋଇଦେଇଛି । ଏବେ ସେ ଗଙ୍ଗାଯମୁନା ଖେଳିବାର ଖପରାଗୁଡ଼ିକ ହାତରେ ଧରିଛି । ମନେ ମନେ ବାରନ୍ଦାରେ ଗୋଟିଏ କାଳ୍ପନିକ ଗଙ୍ଗାଯମୁନା ଘର ଆଙ୍କି ଆଖି ବନ୍ଦ କରି ପଛଆଡ଼କୁ ମୁହଁ କରି ଖପରା ଛାଟି ଦେଖୁଛି, ସେଗୁଡ଼ିକ ଠିକ୍‌ ଜାଗାରେ ପଡ଼ୁଛି କି ନାହିଁ ।

 

ଏହି ସମୟରେ ତା’ ନାନୀ ଦୁର୍ଗା ଅଗଣାର ପଣସ ଗଛ ମୂଳରେ ଛିଡ଼ା ହୋଇ ଡାକିଲା, ଅପୁ, ଆରେ ଅପୁ... । ସେ ଏତେବେଳ ଯାଏ ଘରେ ନ ଥିଲା । କେଉଁଠିକି ଯାଇଥିଲା ଏଇମାତ୍ର ଆସି ପହଞ୍ଚିଛି । ସ୍ୱରରେ ତା’ର ସତର୍କତାର ଆଭାସ ଥିଲା । ମଣିଷର କଣ୍ଠସ୍ୱର ଶୁଣିବାମାତ୍ରେ ଅପୁ ଯନ୍ତ୍ରଚାଳିତ ପିତୁଳା ଭଳି ଲକ୍ଷ୍ମୀ ଭାଣ୍ଡର କଉଡ଼ିଗୁଡ଼ିକୁ ଶୀଘ୍ର ଶୀଘ୍ର ଲୁଚେଇ ଦେଲା । ତା’ପରେ, ତା’ ନାନୀ କଥାର ଉତ୍ତର ଦେଲା, କ’ଣ ହେଲାରେ ନାନୀ ?

 

ଦୁର୍ଗା ହାତ ଠାରି ଡାକିଲା, ଆ, ଏଠିକି ଆସ୍‌, ଶୁଣିଯା ଟିକେ... । ଦୁର୍ଗାକୁ ଏବେ ଦଶ ଏଗାର ବର୍ଷ ହେବ । ଦେହର ଗଠନ ପତଳା, ରଙ୍ଗଟି ଅପୁ ଭଳି ଏତେ ଗୋରା ନ ହେଲେ ବି ଟିକିଏ କମ୍‍ । ହାତରେ କାଚର ଚୁଡ଼ି, ମଇଳା ଶାଢ଼ୀଟି ପିନ୍ଧିଛି, ମୁଣ୍ଡର କେଶ ରୁକ୍ଷ, ପବନରେ ଫୁର୍‌ ଫୁର୍‌ ହୋଇ ଉଡ଼ୁଚି । ଦେଖିବାକୁ ମୁହଁଟି ମନ୍ଦ ନୁହେଁ, ଅପୁଭଳି ତା’ର ଆଖି ଯୋଡ଼ିକ ବେଶ୍‌ ବଡ଼ ବଡ଼ । ଅପୁ ବାରନ୍ଦାରୁ ତଳକୁ ଓହ୍ଲେଇ ଯାଇ ପଚାରିଲା, କ’ଣରେ ନାନୀ, କଥା କ’ଣ ?

 

ଦୁର୍ଗା ହାତରେ ଗୋଟିଏ ନଡ଼ିଆ ସଢ଼େଇ । ସେଇଟାକୁ ଟିକେ ତଳକୁ କରି ଲୁଚେଇ ଅପୁକୁ ଦେଖେଇଲା । ଆଉ ତା’ ସାଙ୍ଗରେ କିଛି କଟା କଷି ଆମ୍ବ । ଚାପା ଗଳାରେ ପଚାରିଲା, ମାଆ ନଈଘାଟରୁ ଫେରିନି ତ ?

 

ଅପୁ ବେକ ହଲେଇ ମନାକଲା, ଉଁହୁଁ...

 

ଦୁର୍ଗା ଚୁପି ଚୁପି କହିଲା, ଟିକେ ତେଲ ଆଉ ଟିକେ ଲୁଣ ଆଣିପାରିବୁ ? ଆମ୍ବକଷି ସବୁ ଜରେଇବା...

 

ଅପୁ ଖୁସି ହୋଇ ପଚାରିଲା, କେଉଁଠୁ ପାଇଲୁଲୋ ନାନୀ ?

 

ଦୁର୍ଗା କହିଲାପଟ୍‌ଳି ଘର ବଗିଚାରେ ସିଁଦୁରୀ ଆମ୍ବଗଛ ତଳେ ପଡ଼ିଥିଲାଆଣିଲୁ ଟିକେ ଲୁଣ ଆଉ ତେଲ ?

 

ଅପୁ ନାନୀ ଆଡ଼କୁ ଚାହିଁ କହିଲାତେଲ ପଳାଟା ଛୁଁଇଲେ ମାଆ ମାରିବ ଜାଣିନୁ ? ମୋ ଲୁଗାଟା କାଲିରୁ ପିନ୍ଧିଚି, ବାସି ଲୁଗାଟା ।

 

ତୁ ଯାଉନୁ ଶୀଘ୍ର, ମାଆର ଆସିବାକୁ ଏବେବି ଡେରି ଅଛି । କ୍ଷାରରେ ଲୁଗା ସଫା କରିବାକୁ ଯାଇଛି, ଯା ଶୀଘ୍ର ଯା

 

ଅପୁ କହିଲାମୋତେ ନଡ଼ିଆ ସଢ଼େଇଟା ଦେ । ସେଇଥିରେ ଢାଳି ଆଣିବିତୁ ପଛପଟେ ଜଗିଥା, ମାଆ ଆସୁଛି କି ନାହିଁ ଦେଖିବୁ ।

 

ଦୁର୍ଗା ନିମ୍ନ ସ୍ୱରରେ କହିଲାତେଲ ଢାଳୁ ଢାଳୁ ଚଟାଣରେ ପକେଇବୁନି, ସାବଧାନରେ ଆଣିବୁ, ନ ହେଲେ ମା’ ଜାଣିଯିବତୁ ପୁଣି ଗୋଟାଏ ବୋକା ପିଲାଟା ?

 

ଅପୁ ଘର ଭିତରୁ ବାହାରି ଆସିଲା । ଦୁର୍ଗା ତା’ ହାତରୁ ସଢ଼େଇଟି ନେଇ ଆମ୍ବକଷିକୁ ଭଲ ଭାବରେ ଘାଣ୍ଟିଦେଲା । ତା’ପରେ କହିଲାହାତ ପାପୁଲି ବଢ଼ା ।

 

ତୁ ଏତେଗୁଡ଼ା ଏକା ଖାଇବୁ, ନାନୀ ?

 

ଏତେଗୁଡ଼ାଏ ବୋଲି ତୋତେ ଦେଖାଗଲା ? ଆରେ ବେଶ୍‌ କଥା ତହଉ, ନେ ଆଉ ଦୁଇଖଣ୍ଡ ନେବାଃ, କେମିତି ବଢ଼ିଆ ଦିଶୁଛି ନା ? ଗୋଟିଏ କଞ୍ଚା ଲଙ୍କା ଆଣିପାରିବୁ ? ଜମିଯିବ । ତୋତେ ଆଉ ଖଣ୍ଡେ ବି ଦେବି

 

ଆରେ ଲଙ୍କା କେମିତି ଆଣିବି ନାନୀ ? ମାଆ ତ କାଠପଟା ଉପରେ ରଖିଛି, ମୋର ତ ହାତ ପାଇବନି ?

 

ତା’ହେଲେ ଥାଉପୁଣିଥରେ ଉପରବେଳାକୁ ଆଣିବି ଯେପଟ୍‌ଳି ଘର ଗାଡ଼ିଆ ପାଖ ଆମ୍ବ ଗଛଟାରେ କେତେ ଯେ କଷି ଧରିଛି । ଦୁଇପହର ଖରାରେ ଗଛମୂଳେ ବହୁତ ଖସିପଡ଼େ

 

ଦୁର୍ଗାଘର ଚାରିପାଖରେ ଜଙ୍ଗଲ । ହରିହର ରାୟଙ୍କ ଜ୍ଞାତି ଭାଇ ନୀଳମଣି ରାୟଙ୍କର ଗତବର୍ଷ ମୃତ୍ୟୁ ପରେ ତାଙ୍କର ସ୍ତ୍ରୀ, ପୁତ୍ରକନ୍ୟା ସହିତ ନିଜ ବାପଘରେ ବସବାସ କରୁଛନ୍ତି । ସେଥିପାଇଁ ପାଖର ଭିଟାଟି ବି ଜଙ୍ଗଲାବୃତ ହୋଇ ପଡ଼ିରହିଛି । ଆଖପାଖରେ ଆଉ କାହାରି ଘରଦ୍ୱାର ବି ନାହିଁ । ପାଞ୍ଚ ମିନିଟର ରାସ୍ତା ଅତିକ୍ରମ କଲା ପରେ ଯାଇ ଭୁବନ ମୁଖାର୍ଜୀର ଘର ପଡ଼େ ।

 

ଅନେକ ଦିନ ହେଲା ହରିହର ଘର ଖଣ୍ଡିକ ବି ମରାମତି ହୋଇପାରିନି । ଆଗପଟ ବାରନ୍ଦା ଭାଙ୍ଗିଗଲାଣି । ଫାଟ ଭିତରେ ବଣ ବିଛୁଆତି ଓ କାଲମେଘ ଗଛର ଜଙ୍ଗଲ ଗଜୁରିଲାଣି । ଘରର ଦୁଆର, ଝରକା, କବାଟ ସବୁ ଭଙ୍ଗିଗଲାଣି । ନଡ଼ିଆ କତା ଦଉଡ଼ିରେ କାଠ ଓ ଲୁହା ସହିତ ବନ୍ଧା ହୋଇଛି ।

 

ପଛପଟ ଦରଜା ଝଣ ଝଣ କରି ଖୋଲିବାର ଶବ୍ଦ ଶୁଣାଗଲା ଏବଂ ପରେ ପରେ ସର୍ବଜୟାର ସ୍ୱର ଶୁଣାଗଲାଦୁର୍ଗା, ଆରେ ହେ ଦୁର୍ଗା

 

ଦୁର୍ଗା ସତର୍କ ହୋଇ କହିଲା, ମା’ ଆସିଲାଣି, ଡାକୁଛି । ଯା ଦେଖିଆସଏଇ ଖଣ୍ଡକ ଖାଇଦେ, ଆଉ ତୋ’ ପାଟିରେ ଲୁଣ ଗୁଣ୍ଡ ଲାଗିଛି ତାକୁ ପୋଛିଦେ

 

ମା’ର ଡାକ ପୁଣିଥରେ ଶୁଭିଲା । କିନ୍ତୁ ଦୁର୍ଗା ପାଟି ଖୋଲି ଉତ୍ତର ଦେଇପାରିଲାନି, ତା’ ମୁହଁ ଆମ୍ବକଷିରେ ଭର୍ତ୍ତି । ସେ ଜରିଯାଇଥିବା ଆମ୍ବ ଖଣ୍ଡଗୁଡ଼ିକ ଚଟାପଟ୍‌ ଖାଇବାକୁ ଲାଗିଲା । କିନ୍ତୁ ଅବଶିଷ୍ଟ ଅନେକ ଖଣ୍ଡ ବଳିଥିବା ଦେଖି ସେ ପାଖ ପଣସ ଗଛ କଡ଼କୁ ଘୁଞ୍ଚିଗଲା ଓ ଅନ୍ତରାଳରେ ଛିଡ଼ା ହୋଇ ସେଗୁଡ଼ିକୁ ଗୋଗ୍ରାସରେ ଗିଳିଦେବାର ପ୍ରୟାସ କଲା । ଅପୁ ବି ତା’ ପାଖରେ ଛିଡ଼ା ହୋଇ ନିଜର ଭାଗତକ ପ୍ରାଣପଣେ ଗିଳିବାର ଚେଷ୍ଟା କରୁଥିଲା, କାରଣ ସେଗୁଡ଼ିକୁ ଚୋବେଇ ଖାଇବାର ଆଉ ସମୟ ନ ଥିଲା । ଖାଉ ଖାଉ ନାନୀ ଆଡ଼କୁ ଚାହିଁ ଉଭୟ କରୁଥିବା ଦୁଷ୍ଟାମୀ ପାଇଁ ସଚେତନ ଥିବାର ହସଟିଏ ହସୁଥିଲା । ଦୁର୍ଗା ଖାଲି ସଢ଼େଇଟିକୁ ଗବଗଛର ବାଡ଼ ସେପାରି ନୀଳମଣି ରାୟର ଭିଟା ପଟର ଜଙ୍ଗଲ ଭିତରକୁ ଫିଙ୍ଗିଦେଲା । ଭାଇକୁ ଅନେଇ କହିଲାମୁହଁଟା ଟିକିଏ ପୋଛି ପକା ନା ମାଙ୍କଡ଼, ପାଟିରେ ଲୁଣ ଲାଗିଛି ପରା...

 

ପରେ ଦୁର୍ଗା ନିରୀହ ଭଳି ଘର ଭିତରକୁ ପଶି ପଚାରିଲାକ’ଣ ହେଲା, ମା’ ?

 

କୋଉଠିକୁ ବାହାରିଛୁ କହିଲୁ ? ନିଜେ ଏକା ଏକା କେତେଆଡ଼େ ଯିବି ? ସକାଳ ପହରୁ କ୍ଷାରରେ ଲୁଗାସଫା କରୁ କରୁ ଦିହ ହାତ ଦରଜ ହେଲାଣି । ତୁମମାନଙ୍କଠାରୁ କିଛି ଯଦି ସାହାଯ୍ୟ ମିଳନ୍ତାଏତେ ବଡ଼ ଝିଅଟିଏ ହେଲୁଣି ଆସି, ନଡ଼ା ଖଣ୍ଡିକ ବି ଦିଖଣ୍ଡ କରିବାର ନାହିଁ । ଖାଲି ସାହି ଭିତରେ ଟୋଟୋ ଧାଙ୍ଗ୍‌ଡ଼ି ଭଳି ଘୁରି ବୁଲୁଛୁଆଉ ସେ ମାଙ୍କଡ଼ ଟୋକାଟା କୁଆଡ଼େ ଗଲା ?

 

ଅପୁ ପାଖକୁ ଆସି କହିଲା, ମା’ ବହୁତ ଭୋକ ।

 

ରହ ଟିକେ ବାପା, ଦୁଇଟା ନିଶ୍ୱାସ ମାରିବାକୁ ଦେ, ଟିକେ ଥକା ମେଣ୍ଟେଇ ନିଏ । ତୁମମାନଙ୍କର ରାତି ଦିନ କେବଳ ଭୋକ ଆଉ ଫଇ ଫରମାସ୍‌ । ଆରେ ଦୁର୍ଗା ଦେଖିଲୁ, ବାଛୁରୀଟା କାହିଁକି ଏତେ ରଡ଼ି ଛାଡ଼ୁଛି ?

 

କିଛି ସମୟ ପରେ ସର୍ବଜୟା ରୋଷେଇ ଘର ବାରନ୍ଦାରେ ପନିଖିରେ କାକୁଡ଼ି କାଟିବାରେ ଲାଗିଲା । ପାଖରେ ଅପୁ ଆସି ବସିଲା । ମା’କୁ କହିଲା, ମା’ ଆଉ ଟିକିଏ ଅଟା ବାହାର କରନା, ଖୁବ୍‌ ଭଲ ଲାଗେ ।

 

ଦୁର୍ଗା ନିଜ ଭାଗତକ ହାତ ବଢ଼େଇ ନେଲା ଏବଂ ଟିକିଏ ନିଚା ସ୍ୱରରେ ପଚାରିଲାଘରେ ଆଉ ଚାଉଳ ଭଜା ନାହିଁ, ମା’ ?

 

ଅପୁ ଖାଉ ଖାଉ କହିଲା, ଉଃ ଚୋବେଇ ହେଉନି । ଆମ୍ବ ଖାଇ ଦାନ୍ତଟା ଖଟା... ଦୁର୍ଗାର ଭ୍ରୁକୁଟି ମିଶା ଆଖିଠାରରେ ଅପୁର କଥା ବାଧାପ୍ରାପ୍ତ ହୋଇ ଅଟକି ଗଲା । ତା’ ମା’ ପଚାରିଲା, ଆମ୍ବ କେଉଁଠୁ ପାଇଲୁ ?

 

ସତକଥା କହିବାର ସାହସ ସଞ୍ଚୟ କରି ନ ପାରି ଅପୁ ନାନୀ ଆଡ଼କୁ ଜିଜ୍ଞାସା ସୂଚକ ଦୃଷ୍ଟିରେ ଚାହିଁ ରହିଲା । ସର୍ବଜୟା ଝିଅକୁ ଚାହିଁ କହିଲା, ତୁ ପୁଣି ଏବେ ବାହାରକୁ ଯାଇଥିଲୁ ?

 

ଦୁର୍ଗା ବିପନ୍ନ ସ୍ୱରରେ କହିଲା-ତାକୁ ପଚାରନା ? ମୁଁ ତ ଏଇଠି ଏବେ ପଣସ ଗଛ ମୂଳେ ଛିଡ଼ା ହେଇଥିଲି-ତୁମେ ଯେତେବେଳେ ଡାକିଲ, ମୁଁ ତ ସେଇଠି ଥିଲି ।

 

ଠିକ୍‌ ସେହି ସମୟରେ ସ୍ୱର୍ଣ୍ଣ ଗଉଡ଼ୁଣୀ ଗାଈ ଦୁହିଁବାକୁ ଆସିଲାରୁ କଥାଟିର ସେଇଠି ପରିସମାପ୍ତି ଘଟିଲା । ତା’ ମା’ ତାକୁ କହିଲା, ଯା, ବାଛୁରୀଟାକୁ ଟିକିଏ ଆକଟ କରିବୁ । ରଡ଼ି ଛାଡ଼ି ଛାଡ଼ି ବିଚରା ଶୁଖିଗଲାଣି । କଅଁଳିଆ ବାଛୁରୀଟା । ଆରେ ଏ ସ୍ୱର୍ଣ୍ଣ, ଏତେ ଡେରି କରି ଆସିଲେ ବାଛୁରୀଟା ବଞ୍ଚିବ ତ ? ଟିକିଏ ସହଳ ସହଳ ନ ଆସି ତିନି ପହର ବେଳାକୁ ଆସୁଛୁ କ’ଣ କିରେ ? ବନ୍ଧା ହୋଇ ବାଛୁରୀଟା ଛଟପଟ ହେଉଛି ଯେ...

 

‘ନାନୀ ପଛେ ପଛେ ଅପୁ ବି ଗାଈ ଦୁହାଁ ଦେଖିବାକୁ ଗଲା । ସେ ବାହାର ବାରଣ୍ଡାରେ ପାଦ ଦେବାମାତ୍ରେ, ଦୁର୍ଗା ତା’ ପିଠିରେ ଦୁଲ୍‌କିନା ଗୋଟିଏ ବିଧା କଷିଦେଲା । ଆଉ କହିଲାଲକ୍ଷ୍ମୀଛଡ଼ା ମାଙ୍କଡ଼ ! ତା’ପରେ ଖତେଇ ହୋଇ କହିଲା-କହିଲା କ’ଣ ନା ଆମ୍ବ ଖାଇ ଦାନ୍ତ ଖଟା ହୋଇଯାଇଛି । ଆଉ କେବେବି ଆମ୍ବ ଦେବିନି । ଖାଇବୁ ଯେ, ଚୁଲି ପାଉଁଶ ଦେବି । ଆର ଓଳିକୁ ପଟ୍‌ଳି ଘର କାଁକୁଡ଼ତଳିରୁ ଆମ୍ବ ଗୋଟେଇ ଜରେଇବି, ଏତେ ବଡ଼ ବଡ଼ କଷି ହୋଇଛି, ଗୁଡ଼ ଭଳି ମିଠା । ତୋତେ ଦେବି ରହ, ଖାଇବୁ ? ବୋକା କେଉଁଠିକାର, ଏତେ ଟିକେ ବି ବୁଦ୍ଧି ଯଦି ଥାଆନ୍ତା ?

 

ଦୁଇ ପହର ଅତିକ୍ରାନ୍ତ ହୋଇସାରିଥିଲା, କିଛି ସମୟ ପରେ ହରିହର କାମ ଶେଷ କରି ଘରକୁ ଫେରିଲା । ଆଜିକାଲି ସେ ଗାଁ’ର ଅନ୍ନଦା ରାୟଙ୍କ ଘରେ ଗୁମାସ୍ତା କାମ କରେ । ଘରେ ପଶି ସର୍ବଜୟାକୁ ପଚାରିଲାଅପୁ ଦେଖାଯାଉନି ଯେ, କୁଆଡ଼େ ଗଲା ?

 

ସର୍ବଜୟା କହିଲାଅପୁ ତ ଘରେ ଶୋଇଛି ।

 

ତା’ହେଲେ, ଦୁର୍ଗା ବୋଧେ...

 

ଖାଇସାରି ବାହାରି ଯାଇଛି- କେତେବେଳେ ସେ ଘରେ ରହୁଛି ଯେ ? ଦୁଇଟା ଖାଇବା ସହିତ ତା’ର ସମ୍ପର୍କ । ପୁଣିଥରେ ଭୋକ ଲାଗିଲେ ଘରକୁ ଆସିବ । ଏବେ ଘୁରି ବୁଲୁଥିବ କାହାର ବଗିଚାରେ, କାହାର ଆମ୍ବଗଛ ମୂଳରେ । ଚଇତ ମାସର ଖରାଟା ତା’ ଉପରେ ଯାଉଛି, ଦେଖ ପୁଣି କେବେ ଜ୍ୱରରେ ପଡ଼ିଯିବ । ଏତେବଡ଼ ଝିଅଟେ ହେଲାଣି ଆସି, କଥା କହି ବୁଝେଇ ହେବନି । କଥା ଶୁଣି କାନରେ ପୁରେଇଲେ ତ ?

 

କିଛି ସମୟ ପରେ ହରିହର ଖାଇବା ପାଇଁ ବସିଲା । କଥା ଛଳରେ କହିଲା, ଜାଣିଛ, ଆଜି ଖଜଣା ଆଦାୟ କରିବା ପାଇଁ ଦଶ ଘରିଆ ଗାଁ’କୁ ଯାଇଥିଲି । ଜଣେ ମାନ୍ୟଗଣ୍ୟ ଲୋକ ସହିତ ଗାଁ’ରେ ଦେଖାହେଲା । ଘରେ ପାଞ୍ଚ ଛଅଟି ଅମାର, ବେଶ ପଇସାବାଲା ଲୋକଟି, ମୋତେ ଦେଖି ପ୍ରଣାମ କରି କହିଲାପୁରୋହିତ ମହାଶୟ, ମୋତେ ଚିହ୍ନିପାରିଲେ ? ମୁଁ କହିଲିଆରେ ବାବୁ, ମୋର ତ କାହିଁ ମନେପଡ଼ୁନି ? ସେ କହିଲା, ଆପଣଙ୍କ ବାପା ସବୁବେଳେ ଆମ ଘରକୁ ଆସୁଥିଲେ ପୂଜା ପଦ୍ଧତି କରୁଥିଲେ । ପାଦଧୂଳି ଦେଉଥିଲେ । ଆପଣମାନେ ହେଲେ ଆମର ଗୁରୁତୁଲ୍ୟ ବ୍ୟକ୍ତି । ଏଥର ଆମ ଘରର ସମସ୍ତେ ଦୀକ୍ଷା ନେବୁ ବୋଲି ମନସ୍ଥ କରିଛୁଆପଣ ଯଦି ଆଜ୍ଞା ଦେବେ, ତା’ହେଲେ ଭରସା କରି କହନ୍ତି ଆପଣହିଁ ଆମମାନଙ୍କୁ ଦୀକ୍ଷା ଦିଅନ୍ତୁ ନା ? ମୁଁ ତାକୁ କହିଲି, ଆଜି ଆଉ ସେ ବିଷୟରେ କିଛି କହିବିନି । ଦିନେ ଦୁଇ ଦିନ ପରେ ଫେରିଲେ କହିବି, ବୁଝିଲ ?

 

ସର୍ବଜୟା ହାତରେ ଡାଲି ଗିନାଟି ଧରିଥିଲା । ତଳେ ଥୋଇ ଦେଇ ପାଖରେ ବସିପଡ଼ି କହିଲାଇଏତ ଖୁସିର ଖବର । ଦେଉନ ସେମାନଙ୍କୁ ଦୀକ୍ଷା ? ହେଲେ ସେମାନଙ୍କର ଜାତି କ’ଣ ?

 

ହରିହର ସ୍ୱରଟି ଧିମା କରି କହିଲାକାହାକୁ କହିବନି... ସଦଗୋପ । ତୁମର ତ ପୁଣି ଏଣେତେଣେ ଗଳ୍ପ କରି ବୁଲିବା ସ୍ୱଭାବ

 

ମୁଁ ପୁଣି କାହାକୁ କହିବାକୁ ଯିବି ଯେ ! ହେଉ ପଛେ ସଦଗୋପ ସେମାନଙ୍କୁ ଦୀକ୍ଷା ଦିଅ । ଆମର ତ ଏବେ କଷ୍ଟର ସମୟ । ସେ ରାୟ ଘରର ଆଠଟଙ୍କା ମାତ୍ର ଆମର ଭରସା । ସେ ପୁଣି ଦୁଇ ତିନି ମାସରେ ଥରେ ଦିଏ । ଆଉ ଏପଟେ ଆମର ତ ରାଜ୍ୟଯାକର ଋଣ । କାଲି ସାନ ମଝିଆ ଯା ନଈଘାଟକୁ ଯିବା ବାଟରେ ଶୁଣେଇ ଶୁଣେଇ କହୁଥିଲେବୁଝିଲୁ ବୋହୂ, ମୁଁ କାହରିକୁ ବିନା ବନ୍ଧକରେ ଟଙ୍କାଟିଏ ବି ଉଧାର ଦିଏନି । ତେବେ ତୁ ଅନୁନୟ କରି କହିଲାରୁ ତୋତେ ଦେଇଛି । ପାଞ୍ଚ ଛଅ ମାସ ହେଇଗଲାଣି ଆଉ ରଖିପାରିବିନି । ଏପଟେ ପୁଣି ରାଧା ବଷ୍ଟମର ବୋହୂ ତ ବସେଇ ଉଠେଇ ଦେଉନି । ଦିନକୁ ଦୁଇଓଳା ତାଗିଦ୍‍ କରୁଛି ଉଧାର ଶୁଝିବାକୁ । ତେଣେ ପିଲାଟାର ଲୁଗା ନାହିଁ । ଦୁଇ ତିନି ଜାଗା ସିଲେଇ କରି ଦେଇଛି । ପୁଅଟା ତାକୁ ହିଁ ପିନ୍ଧି ହସ ହସ ମୁହଁରେ ଧେଇ ଧେଇ ବୁଲେ । ମୋ ମନ ବି ଭଲ ଲାଗୁନି । ବେଳେ ବେଳେ ମନହଉଛି ଘରଦ୍ୱାର ଛାଡ଼ି କୁଆଡ଼େ ଏକମୁହାଁ ହୋଇ ବାହାରି ପଳେଇବି

 

ସେମାନେ ଆଉ ଗୋଟିଏ କଥା କହୁଥିଲେ ଜାଣିଲ ? କହୁଥିଲେ, ଏ ଗାଁ’ରେ ବ୍ରାହ୍ମଣ ଘର ନାହିଁ । ଆପଣ ଯଦି ଏ ଗାଁ’କୁ ଉଠିଆସିବେ ଜମି ଜାଗା ଦେଇ ବସେଇବାର ବନ୍ଦୋବସ୍ତ କରିଦେବୁ । ଗାଁ’ରେ ଆପାତତଃ ଗୋଟିଏ ବ୍ରାହ୍ମଣ ଘର ବସେଇବା ଆମର ଭୀଷଣ ଇଚ୍ଛା । କିଛି ଚାଷ ଜମି ଦେବାକୁ ସେମାନେ ରାଜି, କଞ୍ଚା ପଇସାର ତ ଅଭାବ ନାହିଁ । ଆଜିକାଲି ଚାଷୀମାନଙ୍କ ଘରେ ତ ଲକ୍ଷ୍ମୀ ବିରାଜମାନ । ଭଦ୍ରଲୋକମାନଙ୍କ ଅବସ୍ଥା ‘ହା ଅନ୍ନ-ଯା ଅନ୍ନ’ରେ ପହଞ୍ଚିଲାଣି ।

 

କଥା ଶୁଣି ଉତ୍ସାହରେ ସର୍ବଜୟାର ବାକ୍‌ସ୍ପୁରଣ ବନ୍ଦ ହେବାର ଉପକ୍ରମ । ତା’ହେଲେ ତୁମେ ସଙ୍ଗେ ସଙ୍ଗେ ରାଜି ହେଲନି ? ନ ହେଲେ କହିଥାଆନ୍ତ, ହଉ ଆମେ ଆସିବୁ । ସେଭଳି ଜଣେ ବଡ଼ଲୋକର ଆଶ୍ରୟ ମନାକରନ୍ତି ? ଏ ଗାଁ’ରେ ତୁମର କ’ଣ ବା ଅଛି ? ଖାଲି ଭିଟାମାଟି ଜାବୁଡ଼ି ପଡ଼ିରହିବା କଥା...

 

ହରିହର ହସି ହସି କହିଲାପାଗଳ । ସଙ୍ଗେ ସଙ୍ଗେ କ’ଣ ସମ୍ମତି ଜଣେଇବା କଥା ? ନୀଚ ଜାତିର ଲୋକ, ଭାବିବ ପୁରୋହିତର ଭାତ ହାଣ୍ଡିଟା ସିକାରେ ଝୁଲୁଛିନା, ନା, ସେମିତି କଲେ, ସେମାନଙ୍କ ନଜରରେ ଛୋଟ ହେବାକୁ ପଡ଼ିବ । ଭାବୁଛି ଥରଟିଏ ମଜୁମ୍‌ଦାର ମହାଶୟଙ୍କ ସହିତ ଗୋପନରେ ପରାମର୍ଶ କରିବି । ଆରେ ଖାଲି ଚାଲ ଯିବା କହିଲେ ତ ଯାଇପାରିବାନି । ସମସ୍ତେ ଆସି ଟଙ୍କା ମାଗିବେ, ଉଧାର ଶୁଝ, ନ ହେଲେ ଯିବାକୁ ଦେବୁନିଦେଖାଯାଉ ପରାମର୍ଶ କଲା ପରେ କ’ଣ ହେବ

 

କଥାବାର୍ତ୍ତା ସମୟରେ ଝିଅ ଦୁର୍ଗା ପାଦ ଚିପି ଚିପି କେଉଁଠୁ ଆସି ଘରେ ପହଞ୍ଚିଲା । ବାହାର ପଟ କବାଟ ଆରପଟୁ ସତର୍କତା ସହିତ ଥରଟିଏ ଉଁକି ମାରି ଭିତରକୁ ଅନେଇଲା । ଘରେ ସମସ୍ତେ ସମ୍ପୂର୍ଣ୍ଣ ସଜାଗ ଦେଖି ସେପଟ ପାଚେରୀ କଡ଼େ କଡ଼େ ବାହାରପଟ ବାରଣ୍ଡାକୁ ଉଠିଲା । କବାଟଟିକୁ ଧୀରେ ଧୀରେ ଠେଲି ଦେଖିଲା, ସେଇଟା ଭିତରପଟୁ ବନ୍ଦ ଅଛି । ଏପଟେ ବାରଣ୍ଡାରେ ଛିଡ଼ା ହେବା ମଧ୍ୟ ଅସମ୍ଭବ । ଖରା ତାତିରେ ପାଦ ପୋଡ଼ିଗଲା ପରି ଲାଗୁଥାଏ । ତେଣୁ ସେ ସେଠାରୁ ଓହ୍ଲେଇ ଯାଇ ଅଗଣାର ପଣସଗଛ ମୂଳରେ ଛିଡ଼ା ହେଲା । ଖରାରେ ବୁଲି ବୁଲି ମୁହଁଟି ନାଲି ପଡ଼ିଯାଇଛି । ପଣତ କାନିରେ କ’ଣ ସବୁ ସଯତ୍ନରେ ବନ୍ଧା ହୋଇଛି । ସେ ଭାବିଥିଲା, ତା’ର ମାଆ ନିଦରେ ଶୋଇ ଯାଇଥିବ ଏବଂ ବାହରର କବାଟ ଖୋଲାଥିଲେ, ସମସ୍ତଙ୍କର ଅଜାଣତରେ ଲୁଚି ଲୁଚି ଘରେ ପୁଣି ଟିକିଏ ଶୋଇପଡ଼ିବ । କିନ୍ତୁ ବାପା ଆଗ ଦେଇ ମା’ ଉପସ୍ଥିତ ଥିବା ସମୟରେ ସାମନା ଦୁଆର ଦେଇ ପଶିବାର ସାହସ ଜୁଟେଇ ପାରିଲାନି ।

 

ଅଗଣାକୁ ଓହ୍ଲେଇ ଆସି ପଣସ ଗଛ ମୂଳେ ଛିଡ଼ାହୋଇ କ’ଣ କରିବ କିଛି ଚିନ୍ତା କରିନପାରି ନିରୁତ୍ସାହିତଭାବେ ଏପଟ ସେପଟ ଚାହିଁବାରେ ଲାଗିଲା । ତା’ପରେ ସେଇଠି ତଳେ ବସିପଡ଼ିଲା । ପଣତର ଗଣ୍ଠିଖୋଲି କେତେଗୁଡ଼ା ଶୁଖିଲା ରିଠା ଫଳର ମଞ୍ଜି ବାହାର କଲା । କିଛି ସମୟ ଧରି ସେଗୁଡ଼ିକୁ ନିରୀକ୍ଷଣ କଲା ଓ ପରେ ମନକୁ ମନ ଏକ, ଦୁଇ, ତିନି କରି ଛବିଶ ଯାଏ ଗଣିଲା । ତା’ପରେ ଦୁଇ ତିନିଟା ଲେଖା ମଞ୍ଜି ପାପୁଲିରେ ପଛପଟେ ରଖି ଉପରକୁ ଛାଟି ହାତ ସିଧାପଟ ପାପୁଲିରେ ଧରିବାକୁ ଚେଷ୍ଟାକଲା । ମନେ ମନେ ଭାବିଲା-ଏଗୁଡ଼ିକୁ ଅପୁକୁ ଦେବ-ଆଉ ବାକିତକ ସେ ଖେଳଣା ବାକ୍ସରେ ସାଇତି ରଖିବ- ମଞ୍ଜିଗୁଡ଼ିକ ବେଶ୍‌ ଚିକ୍‌କଣ ଦେଖାଯାଉଛି-ଆଜିହିଁ ଗଛରୁ ଖସିଛି, ଭାଗ୍ୟକୁ ମୁଁ ହିଁ ପ୍ରଥମେ ଯାଇ ଗଛମୂଳରେ ପହଞ୍ଚିଗଲି । ନ ହେଲେ ଗାଈମାନେ ସବୁ ଖାଇ ଦେଇଥାନ୍ତେ । ତାଙ୍କ ଘରର ‘ରାମି’ ଗାଈଟି ପୁରା ରାକ୍ଷସ । ସବୁଠିକି ଚାଲିଯିବ । ଗତଥର କେତେଗୁଡ଼ା ଆଣିଥିଲି ଆଉ ଏଥରର ଏଗୁଡ଼ିକୁ ମିଶେଇଲେ ବହୁତ ହେବ ।

 

ସେ ଖେଳ ବନ୍ଦ କରି ମଞ୍ଜିଗୁଡ଼ିକୁ ପୁଣିଥରେ ଯତ୍ନରେ ପଣତରେ ବାନ୍ଧିଲା । ତା’ପରେ କ’ଣ ଭାବିଲା ଓ ନିଜର ରୁକ୍ଷ କେଶକୁ ପବନରେ ଉଡ଼େଇ ମହାଖୁସିରେ ପୁଣିଥରେ ଘରୁ ସିଧା ବାହାରକୁ ବାହାରିଗଲା ।

 

(୯)

 

ଅପୁ ଘରଠୁ କିଛି ଦୂରରେ ବଡ଼ ଓସ୍ତ ଗଛଟିଏ ଥିଲା । ସେ ଗଛର ଉପର ଅଂଶଟା କେବଳ ଏମାନଙ୍କ ଘରର ପାଚେରୀ ପାଖ ଝରକା ଓ ବାରନ୍ଦାରୁ ଦେଖାଯାଏ । ଅନେକ ସମୟରେ ଅପୁ ସେହି ଆଡ଼କୁ ଚାହିଁରହେ । ଯେତେଥର ସେ ଦେଖେ, ବାରମ୍ବାର ଏହିଠାରୁ ଅନେକ ଅନେକ ଦୂରରେ ଥିବା ଏକ ଅପୂର୍ବ ଦେଶର ଛବି ତା’ ଆଖି ଆଗରେ ଭାସିଉଠେ । କେଉଁ ଅଜଣା ଦେଶ, ଠିକ୍‌ ଭାବରେ ଜାଣିପାରେନି ମା’ ମୁହଁରୁ ଶୁଣିଥିବା ରାଜପୁତ୍ରମାନଙ୍କର କାହାଣୀର କେଉଁ ଏକ ଦେଶ ।

 

ଅନେକ ଦୂରର କଥା ପ୍ରସଙ୍ଗରେ ତା’ର ଶିଶୁ ମନ ଭିତରେ ଗୋଟିଏ ବିସ୍ମୟ ମିଶ୍ରିତ ଆନନ୍ଦ ଭାବ ଜାତ ହୁଏ । ଅନେକ ଦୂରରେ ଥିବା ନୀଳ ରଙ୍ଗର ଆକାଶଟି ନା ବହୁତ ଉଚ୍ଚରେ ଉଡ଼ୁଥିବା ଗୁଡ଼ିଟାକିମ୍ବା ବହୁତ ଦୂରରେ ନୀଳକୋଠିର ପ୍ରାଙ୍ଗଣଟା ସେହି ଦୂରତା ଟିକକ କାହାକୁ ସେ ବୁଝେଇ ପାରୁନଥିଲା । କାହାକୁ କିଛି କହିପାରୁନଥିଲା । କିନ୍ତୁ ଏଇସବୁ କଥାରେ ତା’ର କୋମଳ ମନଟି ଯେମିତି କେଉଁଠିକି ଉଡ଼ି ଉଡ଼ି ଚାଲିଯାଉଥିଲା ଏବଂ ସବୁଠୁ ବେଶୀ କୌତୁହଳର ବିଷୟ ହେଲାଅନେକ ଦୂରର କଳ୍ପନା ସତେ ଯେମିତି ତା’ର ମନକୁ ଆଚ୍ଛନ୍ନ କରି ଏଣେତେଣେ ଫିଙ୍ଗିଦେଇଛି । ସେହି ସମୟରେ ମାଆ ପାଇଁ ତା’ର ମନଟି ଉଦବେଳିତ ହୋଇଉଠେ । ଯେଉଁଠି ସେ ଆସି ପହଞ୍ଚିଛି, ସେଠି ତା’ର ମାଆ ନାହିଁ । ଆଉ ମାଆ ପାଖକୁ ଫେରିବାକୁ ମନ ଆକୁଳ ହୋଇଉଠୁଛି । ଏମିତି ଅନେକ ସମୟରେ ଘଟିଛି । ଆଉ କେତେବେଳେ ବା ଆକାଶର ନୀଳ ବୁକୁରେ ଶଙ୍ଖଚିଲଟିଏ ଉଡ଼ିଚାଲିଛି-କ୍ରମଶଃ ଛୋଟରୁ ଛୋଟ ହୋଇ ନୀଲୁ ଘରର ତାଳଗଛକୁ ପଛରେ ରଖି ଦୂର ଆକାଶରେ ମିଳେଇ ଯାଉଛି । ଚାହିଁ ଦେଖୁ ଦେଖୁ ଉଡ଼ନ୍ତା ଶଙ୍ଖଚିଲଟା ଦୃଷ୍ଟିର ଅନ୍ତରାଳକୁ ଚାଲିଯାଏ, ସେତିକିବେଳେ ସେ ତଳକୁ ଚାହିଁ ଦେଖେ । ବାହାରପଟୁ ଏକ ମୁହାଁ ହୋଇ ଘର ଭିତର ରୋଷେଇ ଘରକୁ ଧାଇଁଯାଏ ବାରଣ୍ଡାରେ କାର୍ଯ୍ୟରତ ତା’ର ମାଆକୁ ଜାବୁଡ଼ି ଧରେ । ମାଆ କୁହେ-ଦେଖ ପିଲାଟିର କାଣ୍ଡକାରଖାନା ଦେଖ । ଛାଡ଼ରେ ବାବୁ, ଛାଡ଼ ମୋତେ, ଅଇଁଠା ହାତ, ଛାଡ଼ିଦେ ବାପା, ମୋ ଧନ, ମୋ ସୁନାଟା ପରା ! ଏଇ ଦେଖ, ତୋ’ ପାଇଁ ଚିଙ୍ଗୁଡ଼ି ମାଛ ଭାଜୁଛିତୁ ପରା ଚିଙ୍ଗୁଡ଼ି ଭଲ ପାଉ ? ହେଲା, ଆଉ ଦୁଷ୍ଟାମୀ କରନା, ଛାଡ଼ିଦେ ମୋତେ...

 

ଭୋଜନ ପରେ ଦୁଇପ୍ରହର ସମୟରେ ଅପୁର ମାଆ କେତେବେଳେ ଝରକା ପାଖରେ ପଣତକାନି ପାରି ଦେଇ ଶୋଇ ଶୋଇ ଛିଣ୍ଡା କାଶୀବାସୀ ମହାଭାରତ ଖଣ୍ଡିକ ସୁର ଲମ୍ବେଇ ପଢ଼େ । ଘର ପାଖର ନଡ଼ିଆଗଛରେ ଶଙ୍ଖଚିଲ ରାବୁଥାଏ । ପାଖରେ ବସି ଅପୁ କ, ଖ,... ସବୁ ନିଜ ହାତରେ ଲେଖୁ ଲେଖୁ, ଏକାଗ୍ର ଚିତ୍ତରେ ମାଆ ମୁହଁରୁ ମହାଭାରତର ଆବୃତ୍ତି ଶୁଣୁଥାଏ । ଦୁର୍ଗାକୁ କେବେ କେବେ ତା’ ମାଆ କହେ, ପାନଖଣ୍ଡେ ଭାଙ୍ଗିଦେ ତ ଦୁର୍ଗା । ଅପୁ ମା’କୁ କହେ, ମା’ ସେ ଗୋବର ଗୋଟେଇର ଗପଟା କୁହନା । ମା’ କୁହେ, ଗୋବର ଗୋଟେଇର କେଉଁ ଗପଟା କହତ ? ଓହୋ, ସେଇ ହରିହୋଡ଼ର କଥା ? ଆରେ ସେଇଟା ତ ଅନ୍ନଦା ମଙ୍ଗଳ ପୋଥିରେ ଅଛି । ଏଇଟାରେ ତ ନାହିଁ ? ତା’ପରେ ପାନ ପାଟିରେ ପୁରେଇ ସୁର ଧରି ପଢ଼ିବାକୁ ଆରମ୍ଭ କରେ-

 

ରାଜା କହେ ଶୁଣ ଶୁଣ ମୁନିର ନନ୍ଦନ ।

କହିବି ଅପୂର୍ବ କଥା ଅପାର ବର୍ଣ୍ଣନ ॥

ସୋମଦତ୍ତ ନାମେ ରାଜା ସିନ୍ଧୁ ଦେଶେ ଘର ।

ଦେବଦ୍ୱିଜେ ହିଂସା ସଦା ଅତି...

 

ସେତିକିବେଳେ ମାଆର ପାଟି ପାଖକୁ ହାତ ପାତି ଅପୁ କହେ, ମୋତେ ଟିକିଏ ପାନ ଦିଅନା ମା’ ? ଚୋବାଉଥିବା ପାନ ନିଜ ମୁହଁରୁ କାଢ଼ି ପୁଅର ପ୍ରସାରିତ ହାତରେ ରଖି କହେ, ଆରେ ବହୁତ ପିତା- ଏ ଖଇରଗୁଡ଼ା ଭଲ ନୁହେଁ । ପ୍ରତି ହାଟ ପାଳିରେ ମନାକରେ ଏଗୁଡ଼ା ଆଣିବା ପାଇଁ, ତଥାପି...

 

ଝରକା ବାହାରେ ବାଉଁଶ ବଣ କଡ଼େ କଡ଼େ ଲମ୍ବିଯାଇଥାଏ ଜଙ୍ଗଲୀ ଦୁଦୁରା ଗଛର ବଣ । ତା’ ଉପରେ ଦୁଇପ୍ରହରର ଖରା ଚିକ୍‌ଚିକ୍‌ କରେ । ସେହି ଆଡ଼କୁ ଚାହିଁ ଚାହିଁ ସେ ମହାଭାରତର କୁରୁକ୍ଷେତ୍ର ଯୁଦ୍ଧର କଥା ଶୁଣି ତନ୍ମୟ ହୋଇଯାଏ । ମହାଭାରତର ସବୁ ଚରିତ୍ର ଭିତରୁ ତାକୁ କର୍ଣ୍ଣର ଚରିତ୍ରଟି ଭାରି ଭଲ ଲାଗେ । କାରଣ, କାହିଁକି କେଜାଣି କର୍ଣ୍ଣ ଉପରେ ତା’ର ଏକ ପ୍ରକାର ମମତା ସୃଷ୍ଟି ହୁଏ । ରଥର ଚକ ମାଟିରେ ପୋତି ହୋଇଯାଇଛି, ଦୁଇ ହାତରେ ପ୍ରାଣପଣେ ଚକଟିକୁ ମାଟିରୁ କାଢ଼ିବାକୁ ଚେଷ୍ଟା କରୁଛନ୍ତି । ସେଇ ନିରସ୍ତ୍ର, ଅସହାୟ, ବିପନ୍ନ କର୍ଣ୍ଣଙ୍କର ଅନୁରୋଧକୁ ଉପେକ୍ଷା କରି ଅର୍ଜୁନ ଶର ନିକ୍ଷେପ କରି ମାରିଦେଲେ । ମା’ ମୁହଁରୁ ଏଇ ଅଂଶଟି ଶୁଣିବାବେଳେ ଅପୁର ଶିଶୁ ହୃଦୟଟି ଦୁଃଖରେ ବତୁରିଯାଏ, ଆଖିର ଲୁହକୁ ସମ୍ଭାଳି ପାରେନା । ଆଖି ଉଛୁଳାଇ ତା’ର ତୁଳା ଭଳି ନରମ କୋମଳ ଗାଲ ଉପର ଦେଇ ଅନବରତ ଲୁହ ବୋହିଯାଏ । ମଣିଷର ଦୁଃଖରେ ଆଖିରୁ ଲୁହ ବୋହିବାର ଯେଉଁ ଆନନ୍ଦ, ତା’ର ମାନସ ରାଜ୍ୟରେ ସେହି ଅନନ୍ୟ ଅନୁଭୂତିର ସଜୀବତ୍ୱର ସହିତ ପରିଚିତ ହେବାକୁ ଲାଗିଲା । ଜୀବନର ପଥପ୍ରାନ୍ତରେ ଯେଉଁ ଦିଗଟି ମଣିଷକୁ ଆଖିର ଲୁହରେ, ଦୈନ୍ୟ ଦୁର୍ଦ୍ଦଶାରେ, ମୃତ୍ୟୁରେ ଆଶାହତ, ବ୍ୟର୍ଥତାରେ ବେଦନା କରୁଣ କରିଦିଏ ଓ ଶିଶୁ ମନଟିକୁ ଆନ୍ଦୋଳିତ କରେ, ସେ ସେହି ଶିଶୁ ଦୃଷ୍ଟିର ସନ୍ଧାନ ଟିକକ ପୁରୁଣା ବହିର ଛିଣ୍ଡା ପୃଷ୍ଠାର ଏକ ସମ୍ମୋହିତ ବାସନାରେ, ମାଆର ମଧୁର ସ୍ୱର ମାଧ୍ୟମରେ, ରୌଦ୍ରସ୍ନାତ ଦ୍ୱିପ୍ରହରର ମାୟା ଅଙ୍ଗୁଳି ନିର୍ଦ୍ଦେଶରେ ମନକୁ ମନ ପାଇଯାଏ । ବେଳ ଗଡ଼ିଗଲେ, ତା’ର ମାଆ ଯେତେବେଳେ ଗୃହକାର୍ଯ୍ୟ ପାଇଁ ଉଠିଯାଏ, ଅପୁ ବି ବାହାରକୁ ଆସେ । କେବେ କେବେ ବାରଣ୍ଡାରେ ଛିଡ଼ା ହୋଇ ଦୂରର ସେହି ଓସ୍ତ ଗଛକୁ ଚାହିଁ ରହେ । ସେ ଦେଖେ ଚୈତ୍ର ବୈଶାଖର ପ୍ରଚଣ୍ଡ ରୌଦ୍ରତାପରେ ବୃକ୍ଷଟିର ଉପରିଭାଗ ଧୂଆଁଳିଆ, ଅସ୍ପଷ୍ଟ, କିମ୍ବା କେବେ ଅପରାହ୍ନର ଅବସନ୍ନ ନାଲି ସୂର୍ଯ୍ୟ ରଶ୍ମି ତା’ ଦେହରେ ଅଳସ ଭାବରେ ବୋଳି ହୋଇଛି । ତା’ର ଶିଶୁ ମନରେ ବିଶେଷ କରି ଅଳସ ନାଲି ସୂର୍ଯ୍ୟ ରଶ୍ମି ମଖା ଅଶ୍ୱତ୍‍ଥ ଗଛଟି କେମିତି ଭାବାବେଗ ଭରିଦିଏ । କର୍ଣ୍ଣ ହୁଏତ ସେଇ ଅଶ୍ୱତ୍‌ଥ ବୃକ୍ଷର ସେପାରି ନୀଳ ଆକାଶର ତଳେ ଅନେକ ଦୂରରେ କେଉଁଠି ଯେମିତି ଏବେବି ମାଟିତଳୁ ପ୍ରାଣପଣେ ଚେଷ୍ଟାକରି ରଥର ଚକ ଦୁଇ ହାତରେ ଟାଣି ବାହାର କରୁଛନ୍ତି । ସବୁଦିନ ରଥ ଚକ ସେ ବାହାର କରନ୍ତି । ସେ ମହାବୀର । କିନ୍ତୁ ସବୁଦିନ ପାଇଁ କୃପାର ପାତ୍ର । ବିଜୟୀ ବୀର ଅର୍ଜୁନ ନୁହେଁ ସେ ତ ରାଜ୍ୟ ପାଇଲା, ସମ୍ମାନ ପାଇଲା, ରଥ ଉପରୁ ଶର ନିକ୍ଷେପ କରି ଶତ୍ରୁ ବିନାଶ କଲା । ପ୍ରକୃତରେ ବିଜୟୀ କର୍ଣ୍ଣ କାରଣ ସେ ମଣିଷର ଆଖିର ଲୁହରେ ଚିରଦିନ ପାଇଁ ଲାଖି ରହିଲେମଣିଷର ବେଦନାର ଅନୁଭୂତିରେ ସେ ବିରାଜମାନ ହେଲେ

 

ପୁଣି କେବେ କେବେ ମହାଭାରତ ଯୁଦ୍ଧର କାହାଣୀ ଶୁଣୁ ଶୁଣୁ ମନରେ ଭାବେ ମହାଭାରତରେ ଯୁଦ୍ଧପର୍ବ ଉପରେ ଖୁବ୍‌ କମ୍‍ ଲେଖାଯାଇଛି । ଏଇ ଅଭାବ ଟିକକ ପୂରଣ କରିବା ପାଇଁ ଏବଂ ଆଶାନୁରୂପ ଯୁଦ୍ଧ ବିଭାଗଟାକୁ ଉପଭୋଗ କରିବା ନିମନ୍ତେ ସେ ଗୋଟିଏ ଉପାୟ ମଧ୍ୟ ବାହାର କରିଛି । ହାତରେ ଗୋଟିଏ ବାଉଁଶବତା କିମ୍ବା ହାଲୁକା ଗୋଟିଏ ଗଛର ଡାଳକୁ ନିଜର ଅସ୍ତ୍ରରୂପେ ବାଛି ଘର ପଛ ବାଉଁଶ ବଣର ରାସ୍ତାରେ କିମ୍ବା ବାହାରପଟ ଅଗଣା ଚାରିପଟେ ବୀରଟିଏ ପରି ଘୁରି ବୁଲେ । ଆଉ ମନେ ମନେ କୁହେ, ‘‘ତା’ପରେ ଗୁରୁ ଦ୍ରୋଣ ଏକାଥରକେ ଦଶଟା ଶର ନିକ୍ଷେପ କଲେ । ଅର୍ଜୁନ କ’ଣ କଲେ ନା, ଏକାଥରକେ ଦୁଇ ଶହ ଶର ଛାଡ଼ିଲେ । ତା’ପରେ ? ଓଃ, ଭୀଷଣ ଯୁଦ୍ଧ । କି ତନାଘନା ଯୁଦ୍ଧ । ଶରର ବନ୍ୟାରେ ଚାରିଆଡ଼େ ଅନ୍ଧାର ଘୋଟିଗଲା ।’’ (ପିଲାଟି ମନେ ମନେ ନିଜ ଯୁଦ୍ଧର ଆଶା ମେଣ୍ଟାଇବା ପାଇଁ ଯେତେ ବାଣ ପ୍ରୟୋଜନର କଳ୍ପନା କରିଥାଏ, ସେତିକି ବାଣର ପ୍ରୟୋଗ ଚିନ୍ତାକରେ । ଅବଶ୍ୟ ତା’ ମାଆ ମୁହଁରୁ ଶୁଣିଥିବା କାଶୀଦାସୀ ମହାଭାରତର ବର୍ଣ୍ଣିତ ଯୁଦ୍ଧର ସୀମା ଅତିକ୍ରମ କରେନି । ‘‘ତା’ପରେ ଅର୍ଜୁନ କ’ଣ କଲେ ? ଢାଲ ଓ ତରବାରୀ ସହିତ ରଥରୁ ତଳକୁ ଡେଇଁପଡ଼ିଲେ । ତା’ପରେ ଯୁଦ୍ଧ ଆରମ୍ଭ ! ଦୁର୍ଯ୍ୟୋଧନ ଆସିଲେ, ଭୀମ ଆସିଲେ, ବାଣରେ ବାଣରେ ଆକାଶଟା ଅନ୍ଧାର ହୋଇଗଲା । ଆଉକିଛି ଦେଖାଗଲାନି ।’’... ମହାଭାରତର ରଥୀ ମହାରଥୀମାନେ ମାତ୍ର ଅଷ୍ଟାଦଶ ଦିନ ଯୁଦ୍ଧ କରି ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ଆଜି ଯଦି ସେମାନେ ରକ୍ତମାଂସର ଦେହ ଧରି ଜୀବିତ ଥାଆନ୍ତେ, ସେମାନେ ଜାଣିଥାଆନ୍ତେ ଯଶଃ ଲାଭର ପନ୍ଥା କ୍ରମଶଃ କିଭଳି ଦୁର୍ଗମ ହୋଇସାରିଛି । ଏଇ ସାଧାରଣ ଶିଶୁଟିର ଆକାଂକ୍ଷା ନିବୃତ୍ତି ପାଇଁ ସେମାନେ କ’ଣ ମାସ ପରେ ମାସ ସମାନ ପରାକ୍ରମରେ ଅସ୍ତ୍ରଚାଳନା କରିପାରନ୍ତେ ?

 

ଗ୍ରୀଷ୍ମକାଳର ଗୋଟିଏ ଦିନର କଥା, ବୈଶାଖ ମାସର ଅଧାଅଧି ହେବ । ନୀଳମଣି ରାୟଙ୍କ ଭିଟା ପଟ ଜଙ୍ଗଲ କଡ଼କୁ ସେଦିନ ଦୁଇପ୍ରହର ଟିକିଏ ପୂର୍ବରୁ ଗୁରୁଦ୍ରୋଣ ବଡ଼ ବିପଦରେ ପଡ଼ିଛନ୍ତି । କପିଧ୍ୱଜ ରଥ ଏକାବେଳକେ ତାଙ୍କ କାନ୍ଧ ଉପରେ । ଗାଣ୍ଡିବ ଧନୁରୁ ବ୍ରହ୍ମାସ୍ତ୍ର ମୁକ୍ତ ହେବାକୁ ଆଖି ପଲକର ସମୟ ମାତ୍ର । କୌରବ ସେନା ଭିତରେ ହାହାକାର ରବ । ଠିକ୍‌ ଏହି ସମୟରେ ଜଙ୍ଗଲୀ ବଣର ସେ ପାରିରୁ କିଏ ଜଣେ କହିଲା, ଆରେ କ’ଣ ହେଲାରେ ଅପୁ ? ଅପୁ ହଠାତ୍‌ ଚମକି ପଡ଼ିଲା । ଆକର୍ଣ୍ଣ ଟାଣି ଦେଇ ଜ୍ୟା ପରି ଧରି ଥିବା ଧନୁକୁ ହଠାତ୍‌ ଛାଡ଼ିଦେଇ ଚାହିଁ ଦେଖିଲା ତା’ର ନାନୀ ଜଙ୍ଗଲ ଭିତରେ ଛିଡ଼ା ହୋଇ ତା’ ଆଡ଼କୁ ଚାହିଁ ଖିଲ୍‌ଖିଲ୍‌ ହସୁଛି । ଅପୁ ତା’ ଆଡ଼େ ଚାହିଁଲାରୁ ସେ କହିଲା, ଆରେ ପାଗଳ । ମନକୁ ମନ କ’ଣ ସବୁ ବିଡ଼୍‌ବିଡ଼୍‌ କରି ପ୍ରଳାପ କରୁଛୁ, ଆଉ ହାତ ଗୋଡ଼ ହଲାଉଛୁ ? ତା’ପରେ ତା’ ପାଖକୁ ଧାଇଁଯାଇ ତା’ର କଅଁଳ ଗାଲରେ ଚୁମା ଦେଇ କହିଲା, ପାଗଳ କେଉଁଠିକାର । କ’ଣ ସବୁ ମନକୁ ମନ କହୁଥିଲୁ ?

 

ଅପୁ ଟିକିଏ ଲଜ୍ଜିତ ହେଲା ପରି ବାରମ୍ବାର କହିଲା, ଯାଃ, ମୁଁ ବକ୍‌ବକ୍‌ କରୁଥିଲି ? ଆଚ୍ଛା ହେଲା...

 

ଶେଷରେ ଦୁର୍ଗା ହସ ବନ୍ଦ କରି କହିଲା, ମୋ ସହିତ ଆସ୍‌... ପରେ ସେ ଅପୁର ହାତଧରି ବଣ ଭିତରକୁ ନେଇଗଲା । କିଛି ବାଟ ଗଲାପରେ ହସି ହସି ଉପରକୁ ଆଙ୍ଗୁଳି ଦେଖେଇ କହିଲା, ଦେଖୁଛୁ ? କେତେ ଆତ ପାଚିଛି ? ଏବେ କେମିତି ସେସବୁ ପାରିବା କହିଲୁ ଦେଖି ?

 

ଅପୁ କହିଲା, ଆରେ ନାନୀ, ସତରେ ଅନେକଗୁଡ଼ା ପାଚିଛିଗୋଟିଏ ବଡ଼ ବାଉଁଶ କଣିରେ ପାରିହେବନି ?

 

ଦୁର୍ଗା କହିଲା, ତୁ ଗୋଟେ କାମ କର, ଘରକୁ ଯାଇ ଆଙ୍କୁଡ଼ି ବାଡ଼ିଟା ଆଣିଲୁ ଦେଖି । ଆଁକୁଡ଼ିରେ ଟାଣିଲେ ଦେଖିବୁ ସବୁ ଖସିପଡ଼ିବ...

 

ଅପୁ କହିଲା, ତୁ ଏଇଠି ଥା ନାନୀ, ମୁଁ ଆଣୁଛି...

 

ଅପୁ ଆଙ୍କୁଡ଼ି ବାଉଁଶ ଆଣିଲା । ଦୁହେଁ ମିଶି ଟଣାଟଣି କଲେ । ବହୁ ଚେଷ୍ଟାପରେ ଚାରି ପାଞ୍ଚଟାରୁ ବେଶୀ ଫଳ ତୋଳି ପାରିଲେନି । ଗଛଟି ଖୁବ୍‌ ଉଚ୍ଚ । ସବା ଉପର ଡାଳକୁ ଦୁର୍ଗା ଆଁକୁଡ଼ି ଟେକି ବି ଛୁଇଁ ପାରିଲାନି । ତା’ପରେ କହିଲା, ଚାଲ ଆଜି ଏତିକି ନେଇ ଫେରିଯିବା । ଗାଧୋଇବା ସମୟରେ ମା’କୁ ସାଙ୍ଗରେ ଡାକି ଆଣିବା । ମାଆର ହାତ ନିଶ୍ଚୟ ପାଇଯିବ । ଦେ ମୋତେ ଆତ ଗୁଡ଼ା ଦେ, ତୁ ଏ ଆଁକୁଡ଼ିଟା ଧର ।

 

ରାସ୍ତାରେ ଫେରୁ ଫେରୁ ଦୁର୍ଗା ଅପୁକୁ କହିଲା ନୋଲକ ପିନ୍ଧିବୁ ? ତଳେ ଗୋଟିଏ ଓଡ଼କଲମୀ ଲତାରେ ଧଳା ଧଳା ବହୁତ ଫୁଲ ଫୁଟିଥିଲା । ଦୁର୍ଗା ଆତଗୁଡ଼ିକୁ ତଳେ ରଖି ଫୁଲର କଢ଼ ଛିଣ୍ଡେଇଲା । ତା’ପରେ ଅପୁକୁ ପାଖକୁ ଡାକି ତା’ ନାକରେ ନୋଲକ ଭଳି ଲଗେଇଦେଲା...

 

ତା’ର ନାନୀ ଓଡ଼କଲମୀ ଫୁଲର ନାକଫୁଲ ପିନ୍ଧିବାକୁ ଭଲପାଏ, ବଣ ଜଙ୍ଗଲ ବୁଲି ବୁଲି ସେ ପ୍ରାୟ ଫୁଲ କଢ଼ ଖୋଜି ନାକରେ ପିନ୍ଧେ ଓ କେତେଥର ଅପୁକୁ ବି ପିନ୍ଧାଇ ଦେଇଛି । ଅପୁ କିନ୍ତୁ ନୋଲକ ପିନ୍ଧିବାକୁ ମନ ଭିତରେ ଭଲ ପାଏନି । ତା’ର ଇଚ୍ଛା ହେଉଥିଲା କହିଦେବାକୁ ଯେ ନୋଲକ ପିନ୍ଧିବା ତା’ର ଦରକାର ନାହିଁ । କିନ୍ତୁ ନାନୀକୁ ଡରି କିଛି କହିଲା ନାହିଁ । ନାନୀକୁ ରଗେଇବାକୁ ଇଚ୍ଛା ବି ସେ ରଖେନି । କାରଣ, ତା’ର ନାନୀ ହିଁ ଏଣେତେଣେ ବୁଦା ଜଙ୍ଗଲ ବୁଲି ତା’ ପାଇଁ କୋଳିଟା, ଜାମୁଟା, ତେନ୍ତୁଳିଟା, ସାଲ୍‌ମାଟା ଆଣିଦିଏ ଆଉ ଲୁଚେଇ ଲୁଚେଇ ଖାଇବାକୁ ଦିଏ । ଏମିତି ସବୁ ଦ୍ରବ୍ୟ ଆଣିଦିଏ, ଯାହାକୁ କୁପଥ୍ୟରେ ଗଣା ହୁଏ ଏବଂ ସେମାନଙ୍କର ଖାଇବାରେ ବାରଣ ଅଛି । ସେଥିପାଇଁ ଅନ୍ୟାୟ ହେଲେ ବି, ନାପସନ୍ଦ ହେଲେ ବି ନାନୀ କଥାକୁ ନ ମାନିବା ପାଇଁ ତା’ର ସାହସ ହୁଏନି ।

 

ଗୋଟଏ କଢ଼ ଭାଙ୍ଗି ସେଥିରୁ ଧଳା ରଙ୍ଗର ପାଣି ଭଳି ଅଠା ବାହାରକଲା, ସେଇ ଅଠା ଲଗେଇ କଢ଼ଟାକୁ ଅପୁ ନାକରେ ନାଇଁଦେଲା । ପରେ ନିଜେ ବି ସେଥିରୁ ଗୋଟିଏ ପିନ୍ଧିଲା । ତା’ପରେ ସାନ ଭାଇ ଗାଲରେ ହାତ ଦେଇ ନିଜ ଆଡ଼କୁ ତା’ ମୁହଁଟିକୁ ବୁଲେଇ ଭଲଭାବେ ଦେଖି କହିଲା, ଦେଖ୍‍ କେମିତି ଦିଶୁଚୁ ? ଆରେ ବାଃ, ବେଶ୍‌ ସୁନ୍ଦର ଦେଖାଯାଉଛି । ଚାଲ ମାଆକୁ ଦେଖେଇବା...

 

ଅପୁ ଲାଜ ଲାଜ ହୋଇ କହିଲା,-ନା, ନାନୀ...

 

ହଉ ହେଲା, ଚାଲ ଯିବା... ଖୋଲି ଦେବୁନି... ବେଶ୍‌ ମାନିଚି ତୋତେ...

 

ଘରେ ପହଞ୍ଚି ଦୁର୍ଗା ଆତଗୁଡ଼ିକ ରୋଷେଇ ଘର ବାରଣ୍ଡାରେ ଥୋଇ ଦେଲା । ସର୍ବଜୟା ରାନ୍ଧୁଥିଲା । ଆତ ଦେଖି ବହୁତ ଖୁସି ହୋଇ କହିଲା କେଉଁଠୁ ପାଇଲୁରେ ?

 

ଦୁର୍ଗା କହିଲା ଏଇ ଲିଚୁ ବଣ ଭିତରେ-ଏଇତ ଅତି ପାଖରେ, କାଲି ଯାଇ ତୁମେ ପାରିବ, ମା’ ? ଏମିତି ପାଚିଛି-ପୁରା ସିନ୍ଦୁର ଭଳି ନାଲି ଦେଖାଯାଉଛି...

 

ଅପୁ ଦୁର୍ଗାର ପଛପଟେ ଥିଲା । ଦୁର୍ଗା ତା’ ସାମନାରୁ ଘୁଞ୍ଚିଯାଇ ମାଆକୁ କହିଲା,... ମା’, ଦେଖତ...

 

ଅପୁ ନୋଲକ ପିନ୍ଧି ନାନୀ ପଛରେ ଲୁଚିଥିଲା । ସର୍ବଜୟା ତାକୁ ଦେଖି ହସି ହସି କହିଲା, ଓ ମା’ ! ଇଏ ପୁଣି କିଏରେ ? ଚିହ୍ନିପାରୁନି ତ

 

ଅପୁ ଲାଜରେ ତା’ ନାକ ଅଗରୁ ଫୁଲର କଢ଼ଟି ଖୋଲିଦେଲା । କହିଲା ଏଇ ନାନୀ ମୋତେ ପିନ୍ଧେଇ ଦେଇଛି

 

ହଠାତ୍‌ ଦୁର୍ଗା କହିଉଠିଲା ଚାଲ ଅପୁ, ଏଇଠି ପାଖରେ କେଉଁଠି ଡମ୍ବରୁ ବାଜୁଛି, ବୋଧହୁଏ ମାଙ୍କଡ଼ ବାଲା ଖେଳ ଦେଖେଇବାକୁ ଆସିଛି, ଚାଲ ଶୀଘ୍ର

 

ଆଗରେ ଦୁର୍ଗା ଓ ତା’ପଛେ ପଛେ ଅପୁ ଘରୁ ବାହାରକୁ ଧାଇଁ ଆସିଲେ । ଦେଖିଲେ ମାଙ୍କଡ଼ବାଲା ନୁହେଁ, ଆର ସାହିର ଚିନିବାସ ଗୁଡ଼ିଆ ମୁଣ୍ଡରେ ପସରା ଥୋଇ ଫେରି କରିବାକୁ ଯାଉଛି । ଆର ସାହିରେ ତା’ର ମିଠା ଦୋକାନ । ତା’ଛଡ଼ା ସେ ଗୁଡ଼ ଓ ଧାନ ବ୍ୟବସାୟ ବି କରେ । କିନ୍ତୁ ପୁଞ୍ଜି କମିଯିବାରୁ ସେ ଅଳ୍ପଦିନରେ ଦେବାଳିଆ ହେଇଗଲା । ସେହିଦିନରୁ ମୁଣ୍ଡରେ ବୋହି ହାଟକୁ ହାଟ ଆଳୁ, ପୋଟଳ, କେତେବେଳେ ବା ପାନ ବିକିବା ପାଇଁ ଘୁରିବୁଲେ । ସେଥିରେ ବି ବିଶେଷ ସୁବିଧା ନ ହେଲେ କାନ୍ଧରେ ମୁଣା ଧରି ନିଜର ଜାତି ବ୍ୟବସାୟ ବି ଆରମ୍ଭ କରିଦିଏ । ପୁଣି କେବେ ହଠାତ୍‌ ଦେଖାଗଲା ପଥରଚୁନ ମୁଣ୍ଡରେ ବୋହି ବିକ୍ରି କରୁଛି । ଲୋକେ କହନ୍ତି, କେବଳ ମାଛ ବ୍ୟବସାୟ ଛଡ଼ା ସେସବୁ କିଛି ବିକ୍ରି କରିବାର ଦେଖାଯାଇଛି । ଆସନ୍ତା କାଲି ଦଶହରା, ଲୋକେ ଆଜିଠୁ ମୁଡ଼୍‌କି ସନ୍ଦେଶ କିଣି ଘରେ ରଖିବେ । ଚିନିବାସ ଗୁଡ଼ିଆ ହରିହର ରାୟର ଦୁଆର ପାଖଦେଇ ଗଲେ ବି ତାଙ୍କ ଘରକୁ ପଶିଲା ନାହିଁ । କାରଣ ସେ ଜାଣେ, ଏ ଘରର ଲୋକ କେବେ କିଛି କିଣନ୍ତି ନାହିଁ । ତଥାପି, ଅପୁ ଆଉ ଦୁର୍ଗାକୁ ଦୁଆର ପାଖରେ ଛିଡ଼ା ହେବାର ଦେଖି ପଚାରିଲାନେବ ? ଅପୁ ନାନୀ ଆଡ଼କୁ ଚାହିଁଲା । ଦୁର୍ଗା ଚିନିବାସକୁ ବେକ ହଲେଇ ମନାକଲା ।

 

ଚିନିବାସ ପଡ଼ୋଶୀ ଭୁବନ ମୁଖାର୍ଜୀଙ୍କ ଘରେ ପହଞ୍ଚି ମୁଣ୍ଡରୁ ଟୋକେଇ ଓହ୍ଲେଇଲା । ଘରର ପିଲାମାନେ କଳରବ କରି ତା’ ଚାରିପଟେ ଘେରିଗଲେ । ଭୁବନ ମୁଖାର୍ଜୀ ଅବସ୍ଥା ସମ୍ପନ୍ନ ବ୍ୟକ୍ତି । ଘରେ ପାଞ୍ଚ ଛଅଟା ଅମାର । ଏ ଗାଁ’ର ଅନ୍ନଦା ରାୟ ପଛକୁ ଜମିଜମା, ସମ୍ପତ୍ତି ବିଷୟ ଆଦିରେ ତାଙ୍କର ନାମ ଆସେ ।

 

ଭୁବନ ମୁଖାର୍ଜୀଙ୍କ ପତ୍ନୀ ବହୁତ ଦିନରୁ ମୃତ୍ୟୁବରଣ କରିସାରିଥିଲେ । ତାଙ୍କର ସାନ ମଝିଆ ଭାଇର ବିଧବା ସ୍ତ୍ରୀ ପରିବାରର ମାଲିକାଣୀ ।

 

ସାନ ମଝିଆ ବୋହୂ ଗୋଟଏ ସଫା ପିତଳ ରେକାବିରେ ଚିନିବାସ ନିକଟରୁ ମୁଡ଼୍‍କି, ସନ୍ଦେଶ, ଫେଣି ଦଶହରା ପୂଜା ପାଇଁ ରଖିଲେ । ଭୁବନ ମୁଖାର୍ଜୀ ଓ ପିଲାମାନେ ଓ ତାଙ୍କ ନିଜ ପୁଅ ସୁନୀଲ ସେଠାରେ ଛିଡ଼ା ହୋଇଥିଲେ, ସେମାନଙ୍କ ପାଇଁ ବି ଖାଇବା ପାଇଁ କିଣିଲେ । ପରେ ଅପୁ ସାଙ୍ଗରେ ଦୁର୍ଗା ଚିନିବାସ ପଛେ ପଛେ ଆସି ଅଗଣାରେ ପହଞ୍ଚିବାର ଦେଖି ସାନ ମଝିଆ ବୋହୂ ନିଜ ପୁଅ ସୁନୀଲକୁ ଟିକେ ଠେଲି ଦେଇ କହିଲେ ଯାଆନା, ବାରଣ୍ଡାରେ ଛିଡ଼ା ହୋଇ ଖାଇବୁ, ଏଠାରେ ଠାକୁର ଭୋଗ ଥୋଇଛି । ତୋ’ ମୁହଁରୁ ସେଗୁଡ଼ିକ ଖସିଲେ, ଅଇଁଠା ହୋଇଯିବ ।

 

ଚିନିବାସ ଟୋକେଇ ମୁଣ୍ଡରେ ଟେକି ପୁଣି ଅନ୍ୟ ଲୋକର ଘର ଆଡ଼କୁ ମୁହାଁଇଲା । ଦୁର୍ଗା କହିଲାଆସ୍‍ ଅପୁ, ଟୁନୁ ଘରେ ଦେଖିବା ଚାଲ

 

ସେମାନେ ସାମନା ପାରି ହେଲା ପରେ ସାନ ମଝିଆ ବୋହୂ ମୁହଁ ବୁଲେଇ କହି ଉଠିଲେ ଦେଖି ପାରୁନୁ ବାବୁ ! ଟୋକୀଟାର କି ପ୍ରକାର ଲୋଭୀ ସ୍ୱଭାବନିଜ ଘର ପଡ଼ିଛି, ସେଇଠି ବସି କିଣି ଖାଅ, ସେ କଥା ନାହିଁ ? ଏ ଘର ସେ ଘର ବୁଲୁଛି । ଯେମିତି ମାଆ ସେମିତି ଛୁଆ

 

ସେମାନଙ୍କ ଘରୁ ବାହାରି ଆସି ଦୁର୍ଗା ଭାଇକୁ ଆଶ୍ୱାସନା ଦେଇ କହିଲାଚିନିବାସର ଖାଇବା ଜିନିଷ କ’ଣ ଏତେ ଭଲ ? ଦେଖିବୁ ରହ ରଥଯାତ୍ରାବେଳେ ବାପାଙ୍କ ପାଖରୁ ଚାରି ପଇସା ଆଣିବି, ତୋ’ର ଦୁଇ ମୋର ଦୁଇ । ତୁ ଆଉ ମୁଁ ମୁଡ଼କି କିଣି ଖାଇବା

 

କିଛି ସମୟ ଭାବି ଅପୁ ପଚାରିଲା ରଥକୁ ଆଉ କେତେ ଦିନ ରହିଲା ଲୋ ନାନୀ ?

 

(୧୦)

 

ଏ ଭିତରେ କିଛି ମାସ ବିତିଯାଇଛି ।

 

ସର୍ବଜୟା ଭୁବନ ମୁଖାର୍ଜୀ ଘର କୂଅରୁ ପାଣି ଆଣୁଥିଲା । ପଛେ ପଛେ ଅପୁ ମାଆର ପଣତ ହାତରେ ଗୁଡ଼େଇ ଧରି ତାଙ୍କ ଘର ପାଖରୁ ଆସିଲା । ସର୍ବଜୟା କଳସୀ ଓହ୍ଲେଇ କହିଲା ତୁ କାହିଁକି ଏମିତି ପଛେ ପଛେ ଘୁରି ବୁଲୁଛୁ, କହିଲୁ ? ଘରକରଣାର କାମଦାମ ଶେଷ କଲେ ଯାଇ ନଈ ଘାଟକୁ ଯିବି ? କାମଦାମ କରିବାକୁ ଦେବୁନି ବୋଧେ ?

 

ଅପୁ କହିଲାହଉ ତୁମେ କାମ ସବୁ ଆରଓଳିକି କରିପାରିବ, ଏବେ ନଈଘାଟକୁ ଯାଅ । ତା’ପରେ ମାଆର ସହାନୁଭୂତି ପାଇବା ଆଶାରେ ଅତି କରୁଣ ସ୍ୱରରେ କହିଲାଆଚ୍ଛା, ମୋତେ ବୋଧେ ଭୋକ ଲାଗୁନି ? ଆଜିକୁ ଚାରିଦିନ ହେଲା କିଛି ଖାଇନି ଯେ !

 

ଖାଇନୁ କରିବି କ’ଣ ? ଖରାରେ ବୁଲି ବୁଲି ଜ୍ୱରରେ ପଡ଼ିବୁ । କଥା କହିଲେ କାନରେ ଶୁଣିବନି ତୁମେମାନେ ? ସୃଷ୍ଟିଯାକର କାମ କରିବି, ତେବେ ସିନା ଘାଟକୁ ଯିବି । ଖାଲିଟାରେ ବସିନି ତ ? ରହ ଟିକେ ଏମିତି ଦୁଷ୍ଟାମୀ କରନ୍ତିନି । ତୁମମାନଙ୍କ ଫର୍‌ମାସ୍‍ ଅନୁସାରେ କାମ କରିବାର ମୋର ସାଧ୍ୟ ନାହିଁ, ଯା

 

ଅପୁ ମାଆର ପଣତ ଟିକକ ଆହୁରି ଜୋରରେ ମୁଠାକରି ଗୁଡ଼େଇ ଧରି କହିଲାତୁମକୁ ବିଲ୍‌କୁଲ୍‌ କାମ କରିବାକୁ ଦେବିନି । ସବୁଦିନ ତ କାମ କରୁଛ ଗୋଟିଏ ଦିନ ବି ବନ୍ଦ ହେଇପାରିବନି ? ଏବେ ତୁମେ ଘାଟକୁ ଯାଅନା, ମୁଁ କିଛି ଶୁଣିବିନି... ଦେଖି କାମ କର ତ, ଦେଖିବି କେମିତି କରିବ ?

 

ସର୍ବଜୟା ପୁଅକୁ ଚାହିଁ ହସି ହସି କହିଲା ଏମିତି ଦୁଷ୍ଟ ହୁଅନ୍ତିନି । ଛାଡ଼ ପାଇଟି ଏଇ ଶେଷ ହେବା ଉପରେ, ଆଉ ଟିକିଏ ଥୟ ଧର ଘାଟକୁ ଯିବି, ଧାଇଁ ଧାଇଁ ଆସି ତୋ’ ପାଇଁ ଭାତ ବସେଇବି ଦୁଷ୍ଟାମୀ କରନ୍ତିନି ? ଛାଡ଼ ମୋ ପଣତ ଛାଡ଼ିଦେ, କେତେଖଣ୍ଡ ପୋଟଳ ପତର ବଡ଼ା ଭଜା ଖାଇବୁ କହତୁ ?

 

ପ୍ରାୟ ଘଣ୍ଟାଏ ପରେ ଅପୁ ମହାଉତ୍ସାହରେ ଖାଇବାକୁ ବସିପଡ଼ିଲା । ଗିଲାସରୁ ଅଧାଅଧି ପାଣି ଢକ୍‌ଢକ୍‌ କରି ପିଇଦେଲା, ତା’ପରେ ଗୋଟିଏ ଦୁଇଟି ଗୁଣ୍ଡା ଭାତ ଖାଇଲା । ଥାଳି ତଳେ କିଛି ଭାତ ବୁଣି ହୋଇପଡ଼ିଲା । ବାକି ପାଣିତକ ଗିଲାସରୁ ପିଇଦେଇ ହାତ ଉଠେଇ ବସିଗଲା ।

 

କାହିଁ ଖାଉନୁ ଯେ ? ଏତେବେଳେ ଯାଏ ଭାତ, ଭାତ ହୋଇ ଉଚ୍ଛନ୍ନ ହେଉଥିଲୁ ପୋଟଳ ପତର ବଡ଼ା ଭଜା ଖାଇବୁ ବୋଲି ଅସ୍ଥିର ହେଉଥିଲୁ ସବୁ ତ ଥୋଇ ହାତ ଉଠେଇ ବସିଗଲୁ, ଖାଇଲୁ କ’ଣ ଯେ ?

 

ସର୍ବଜୟା ଗିନାଏ ଭାତ କ୍ଷୀରରେ ଗୋଳେଇ ପୁଅକୁ ଖୁଆଇବାକୁ ବସିଲା । ଦେଖି, ପାଟି ମେଲା କରିଲୁ ତୋ’ର ଯେଉଁ ଭାଗ୍ୟ ମଣ୍ଡା ନାହିଁ କି କାକରା ନାହିଁ ଖାଲି ଦୁଇମୁଠା ଭାତ ଆଉ ଭାତ । ଛୁଆଟିର ଅବସ୍ଥା ଆଖିରେ ଦେଖି ହୁଏନା- ସବୁଦିନ ଭାତ ଖାଇ ବସିଲା ବେଳକୁ ମୁହଁଟି ବୁଜିଯାଉଛି- ନ ଖାଇଲେ ବଞ୍ଚିବୁ କେମିତି ? ବଞ୍ଚିବା ପାଇଁ ତ ଆସିନ ? ମୋତେ ଜାଳିପୋଡ଼ିବା ପାଇଁ ଜନ୍ମ ନେଇଛ ନା ଏମିତି ମୁହଁ ବୁଲେଇ ନେ ନା, ଛିଃ ଆଁ କରିଦେ ସୁନାଟା ପରା ନେ ଏଇ ଗୁଣ୍ଡା ଭାତଟା ନେ, ତା’ପରେ ଶେଷ, ଆଉ ଦେବିନି । ପୁଣି ଆରଓଳି ଟୁନୁ ଘରେ ମନସା ଠାକୁରାଣୀଙ୍କ ଭସାଣି ହେବ । ତୁ ଜାଣିନୁ ବୋଧେ ? ଶୀଘ୍ର ଶୀଘ୍ର ଖାଇଦେ । ଆମେ ସମସ୍ତେ ଯିବା ଯେ

 

ଏହି ସମୟରେ ଦୁର୍ଗା ଘରେ ପହଞ୍ଚଲା । କେଉଁଠୁ ବୁଲି ବୁଲି ଆସିଛି । ଗୋଡ଼ରେ ପରସ୍ତେ ଧୂଳି ଜମିଯାଇଛି । କପାଳ ଆଗକୁ ଗୋଛାଏ ଚୁଟି ସିଧା ହୋଇ ପ୍ରାୟ ଚାରି ଆଙ୍ଗୁଳି ଉପରକୁ ଉଠିଯାଇଛି । ସେ ସବୁବେଳେ ନିଜ ଇଚ୍ଛାନୁସାରେ ବୁଲୁଥାଏ । ସାହିର ସମବୟସୀ ପୁଅଝିଅ ସହିତ ପ୍ରାୟ ଖେଳାଖେଳି କରେନି । କେଉଁଠି କେଉଁ ବୁଦାରେ ବଇଁଚ କୋଳି ପାଚିଲା, କାହାଘର କେଉଁ ବଗିଚାରେ କେଉଁ ଆମ୍ବକଷି ଧରିଲାଣି, କେଉଁ ବାଉଁଶ ବଣ ପାଖରେ ବେତକୋଳି, କ୍ଷୀରକୋଳି ମିଠା ଏସବୁ ଖବର ତା’ ନଖ ଦର୍ପଣରେ । ରାସ୍ତାରେ ଚାଲୁ ଚାଲୁ ସବୁବେଳେ ଦୁଇକଡ଼କୁ ସତର୍କ ଦୃଷ୍ଟିରେ ଦେଖି ଦେଖି ଯାଏ । କେଉଁଠି କଇଁଚା ପୋକ ବସିଛି, କେଉଁଠି କଣ୍ଟିକାରୀ ଗଛର ପାଚିଲା ଫଳ ଦେଖିଲେ ସାଙ୍ଗେ ସାଙ୍ଗେ ଖେଳିବା ଘରର ବାଇଗଣ କରିବା ପାଇଁ ଛିଣ୍ଡେଇ ଆଣେ । ହୁଏତ ରାସ୍ତାରେ ମାଟି ଖପରା ଦେଖିଲେ, ତାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ବସିଯାଏ । କେଉଁଟା ଗଙ୍ଗାଯମୁନା ଖେଳ ପାଇଁ ଭଲ ସାଜ ହୋଇପାରିବ । ଭଲଗୁଡ଼ିକୁ ବାଛି ପଣତରେ ଯତ୍ନରେ ବାନ୍ଧିବ । ସବୁବେଳେ ସେ କଣ୍ଢେଇ ବାକ୍ସ ଓ ଖେଳ ଘରର ସରଞ୍ଜାମ ନେଇ ଭୀଷଣ ବ୍ୟସ୍ତ ରୁହେ ।

 

ସେ ଘର ଭିତରକୁ ପଶି ଆସି ମା’ ଆଡ଼କୁ ଅପରାଧୀ ଦୃଷ୍ଟିରେ ଚାହିଁଲା । ସର୍ବଜୟା କହିଲା ଆସିଗଲ । ଆସ ଖାଇବା ପ୍ରସ୍ତୁତ । ଖାଇ ଦିଅ । ଆଉ ମୋତେ ଉଦ୍ଧାର କର ତା’ପରେ କେଉଁଠି ଯିବାର ଅଛି ଚାଲିଯାଅ । ବୈଶାଖ ମାସ ଚାଲିଛି । ସବୁ ଘରର ଝିଅ ସଞ୍ଜବତୀ ଜାଳି ବ୍ରତ କରୁଛନ୍ତି, ଶିବପୂଜା କରୁଛନ୍ତି- ଆଉ ଦେଖ, ଆମର ଏତେବଡ଼ ଧାଡ଼ି ଝିଅଟି- ଦିନରାତି ଟୋଟୋ କରି ଘୁରି ବୁଲୁଛି । ସେଇ ସାତ ସକାଳୁ ଘରୁ ବାହାରି ଯାଇଥିଲା, ଦୁଇ ପହର ଆସି ଗଡ଼ିଗଲାଣି । ଏବେ ଘରକୁ ଆସୁଛି ମୁଣ୍ଡର ଶ୍ରୀ ଟା କେମିତି ଦିଶୁଛି ଦେଖ ! ନା ଟିକିଏ ମୁଣ୍ଡରେ ତେଲ ଲାଗୁଛି ନା ପାନିଆ ଟିକିଏ ବାଜୁଛି- କିଏ ଦେଖିଲେ କହିବ ଇଏ ବ୍ରାହ୍ମଣ ଘରର ଝିଅ ? ଠିକ୍‌ ଯେମିତି ହାଡ଼ି ବା ବାଉରୀ ଘରର କିଏ- ବାହାଘର ବି ସେଇ ହାଡ଼ି ବାଉରୀ ଘରେ ହେବ- ପଣତରେ କ’ଣ ସବୁ ଧନଦୌଲତ ବାନ୍ଧିଛୁ- ଖୋଲ୍‌

 

ଦୁର୍ଗା ଡରି ଡରି ପଣତର ଗଣ୍ଠି ଖୋଲୁ ଖୋଲୁ କହିଲା ଏଇ ରାୟକକାଙ୍କର ଘର ସାମନାରେ କାଳକାଶୁନ୍ଦା ବୁଦାରେ- ପରେ ଛେପ ଢୋକି କହିଲା ଅନେକ ସାଧବବୋହୂ ସେଇଗୁଡ଼ାକ

 

ସାଧବବୋହୂ କଥା ଶୁଣିଲେ ହୃଦୟ ତରଳି ଯାଏନା ଏମିତି ପାଷାଣ ଲୋକ ଏ ଜଗତରେ ବି ଥାଆନ୍ତି । ସର୍ବଜୟା ତେଲ କରେଇରେ ବାଇଗଣ ଭଜା ହେଲା ପରି ରାଗିଯାଇ କହିଲା- ତୋ’ର ସାଧବ ବୋହୂକୁ କ’ଣ କହିବି । ତୋତେ କ’ଣ କହିବି, ଆଜି ଗୋଟେ ଦଫାରଫା କରିଦେବି, ଯେତେସବୁ ଚୁଲି ପାଉଁଶ ରାତିଦିନ ପଣତରେ ବାନ୍ଧି ଘୁରି ବୁଲୁଚି । ଆଜି ତୋ’ର କଣ୍ଢେଇ ବାକ୍ସକୁ ଟାଣି ନେଇ ବାଉଁଶ ବଣ ପାଖ ଗାଡ଼ିଆରେ ନ ଫିଙ୍ଗିଛି ତ

 

ସର୍ବଜୟା ମୁହଁରୁ କଥା ଶେଷ ହୋଇନଥିଲା, ଏକ ଅପ୍ରୀତିକର ଘଟଣା ହଠାତ୍‌ ଘଟିଗଲା । ଭୁବନ ମୁଖାର୍ଜୀ ଘର ସାନ ମଝିଆ ବୋହୂ ଆଗେ ଆଗେ ଓ ତାଙ୍କ ପଛରେ ନିଜ ଝିଅ ଟୁନୁ ଓ ଦିଅରର ପୁଅ ସତୁ ଓ ତା’ ପଛରେ ସାହିର ଚାରି ପାଞ୍ଚ ଜଣ ପୁଅଝିଅ ସାମନା ପଟ ଦରଜା ଦେଇ ଘର ଭିତରକୁ ପଶିଆସିଲେ । ସାନ ମଝିଆ ବୋହୂ କାହାକୁ ନ ଅନେଇ କାହା ସହିତ କିଛି କଥାବାର୍ତ୍ତା ନ କରି ସିଧା ସଳଖ ହଣ ହଣ କରି ଭିତରର ବାରଣ୍ଡାରେ ଛିଡ଼ାହେଲେ । ନିଜ ପିଲା ଆଡ଼କୁ ବୁଲି କହିଲେ କାହିଁ, ଆଣିଲୁ ଦେଖି- ବାହାର କର କଣ୍ଢେଇ ବାକ୍ସଟି

 

ଏ ଘରର କେହି କିଛି କଥା କହିବା ପୂର୍ବରୁ ଟୁନୁ ଓ ସତୁ ଦୁଇଜଣ ମିଶି ଦୁର୍ଗାର ଟିଣର କଣ୍ଢେଇ ବାକ୍ସଟା ଘର ଭିତରୁ କାଢ଼ି ଆଣି ବାରଣ୍ଡାରେ ଥୋଇ ଦେଲେ । ଟୁନୁ ବାକ୍ସ ଖୋଲି କିଛି ସମୟ ଖୋଜି ଗୋଛାଏ କଣ୍ଠିମାଳ ବାହାର କରି କହିଲା ଏଇ ଦେଖ ମାଆ, ମୋର ସେଇ କଣ୍ଠିମାଳଟା ସେଦିନ ଖେଳିବାକୁ ଯାଇ ଚୋରି କରି ଆଣିଛି ।

 

ଘଟଣାଟି ଏତେ ଅକସ୍ମାତ୍‌ ଘଟିଗଲା ଯେ, ଏମାନଙ୍କର ଗତିବିଧି ଏ ଘରର ସମସ୍ତଙ୍କ ଆଗରେ ଗୋଟିଏ ରହସ୍ୟମୟ ଘଟଣା ପରି ମନେହେଲା । ଏତେ ସମୟ ପର୍ଯ୍ୟନ୍ତ କାହାରି ମୁହଁରୁ ପଦଟିଏ ବି କଥା ବାହାରି ପାରିନି । ଏବେ କଥାଟି ଜାଣିବା ପରେ ସର୍ବଜୟା କହିଲା କଥା କ’ଣ ଖୁଡ଼ୀ ? କ’ଣ ହେଇଚି ? ତା’ପରେ ସେ ରୋଷେଇ ଘର ବାରଣ୍ଡାରୁ ବ୍ୟସ୍ତ ହୋଇ ଉଠିଆସିଲା ।

 

ଦେଖନା କ’ଣ ହେଇଚି, କୀର୍ତ୍ତିଟା ଥରେ ଦେଖ ତୁମ ଝିଅ ସେଦିନ ଖେଳିବାକୁ ଯାଇ ଟୁନୁର କଣ୍ଢେଇ ବାକ୍ସରୁ ଏଇ କଣ୍ଠିମାଳତକ ଚୋରି କରି ଆଣିଛି ଝିଅ ମୋର କେତେ ଦିନରୁ ଖୋଜି ଖୋଜି ହଇରାଣ ହେଲାଣି । ତା’ପରେ ସତୁ ଯାଇ କହିଲା ଯେ, ତୋ’ କଣ୍ଠିମାଳ ଦୁର୍ଗାନାନୀର କଣ୍ଢେଇ ବାକ୍ସରେ ଦେଖିଆସିଲି । ଦେଖ, କି କାଣ୍ଡକାରଖାନା ? ତୁମ ଝିଅ ଖଣ୍ଡିକ କିଛି କମ୍‍ ନୁହେଁ ? ଚୋରଣୀ ଚୋରଣୀ ଠୁ ବଳି ମହାଚୋରଣୀ ଆଉ ପୁଣି ଦେଖନା ବଗିଚାରେ ଆମ୍ବକଷି ବଢ଼ିପାରୁନି ଚୋରି କରି ଆଣି ବାକ୍ସରେ ଲୁଚେଇ ରଖିଛି ।

 

ହଠାତ୍‌ ଏକା ସାଥିରେ ଦୁଇ ଦୁଇଟି ଚୋରିର ଅତର୍କିତ ଅଭିଯୋଗରେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଦୁର୍ଗା କାନ୍ଥ ଦେହରେ ଭରା ଦେଇ ଠିଆ ହୋଇଗଲା । ତା’ ଦେହରୁ ଝାଳ ବୋହି ଯାଉଥିଲା । ସର୍ବଜୟା ପଚାରିଲା ତାଙ୍କ ଘରୁ ଏ ମାଳି ତୁ ଆଣିଛୁ ?

 

ଦୁର୍ଗା କଥାର କିଛି ଉତ୍ତର ଦେବା ପୂର୍ବରୁ ସାନ ମଝିଆ ବୋହୂ କହିଲେ ନ ଆଣିଛି ଯଦି ମୁଁ କ’ଣ ମିଛ କଥା କହୁଚି ! ଦେଖ ତ, ଏ ଆମ୍ବଗୁଡ଼ାକ ଦେଖ ? ସୁନାମୁଖୀ ଆମ୍ବକଷି ଚିହ୍ନିପାରୁଛ ? ଏଇଟା ବି କ’ଣ ମିଛ ?

 

ସର୍ବଜୟା ସାମାନ୍ୟ ଅପ୍ରତିଭ ହୋଇଗଲା ଓ କହିଲା ନା ଖୁଡ଼ୀ, ତୁମେ ମିଛ କହୁଛ ବୋଲି ମୁଁ ତ କହୁନି । ମୁଁ ତାକୁ ପଚାରୁଛି ।

 

ସାନ ମଝିଆ ଠାକୁରାଣୀ ହାତ ହଲେଇ କର୍କଶ ଭାବରେ କହିଲେ ତୁମେ ପଚାର ବା ନ ପଚାର ବାବୁ, ମୁଁ କହିଦେଉଛି, ଏ ଝିଅଟି ତୁମର ଏତେ ସହଜ ନୁହେଁ ଅଳ୍ପ ବୟସରୁ ଯେତେବେଳେ ଚୋରି ବିଦ୍ୟା ଧରିଲାଣି, ଆଗକୁ ସେ ଯାହା ହେବ ତୁମେ ଜାଣିପାରିବ । ଚାଲ ସତୁ- ଆମ୍ବ କଷିଗୁଡ଼ିକ ନେଇ ଚାଲ- ବଗିଚାର ଆମ୍ବ ଲକ୍ଷ୍ମୀଛାଡ଼ି ଟୋକୀର ଜ୍ୱାଳାରେ ଆଖିରେ ଦେଖିବାର ଉପାୟ ନାହିଁ । ଟୁନୁ, ତୋ’ କଣ୍ଠିମାଳଟି ଆଣିଲୁ ତ ?

 

କାହିଁକି କେଜାଣି ସର୍ବଜୟାକୁ ରାଗ ଲାଗିଲା ଝଗଡ଼ାରେ ସେ ବି ପଛକୁ ହଟି ଯିବାର ପାତ୍ରୀ ନୁହେଁ । ସେ କହିଲା କଣ୍ଠିମାଳଟା କଥା ଜାଣେନି ଖୁଡ଼ୀ, କିନ୍ତୁ ଆମ୍ବକଷିଗୁଡ଼ିକ ପାରି ଆଣିଛି କି ଗଛମୂଳରୁ ଗୋଟେଇ ଆଣିଛି, ତା’ ଦେହରେ ତ ଲେଖାହୋଇନି । ପିଲା ଲୋକ, ଯଦି ବି ଗୋଟେଇ ଆଣିଥାଏ

 

ସାନ ମଝିଆ ଠାକୁରାଣୀର ରାଗ ଅସମ୍ଭାଳ ହୋଇଉଠିଲା । ସେ ଅଗ୍ନିମୂର୍ତ୍ତି ହୋଇ କହିଲେ କଥାଗୁଡ଼ାକ ବେଶ୍‌ ଲଗେଇ ଲଗେଇ କହୁଚୁ ତ ? ହେଲା, ଆମ୍ବକଷି ଦେହରେ ନାମ ଲେଖା ହେଇନି ଠିକ୍‌, ହେଲେ ତୁମର କେଉଁ ବଗିଚାରୁ ଆମ୍ବ ଆସିଚି କୁହତ ? ଟଙ୍କା ଦେହରେ ବି ତ ନାମ ଲେଖା ହୋଇନଥିଲା । ସେଗୁଡ଼ିକ ବି ତ ହାତ ପାତି ଆଣିଥିଲ ? ଆଜିକୁ ଏକ ବର୍ଷରୁ ଅଧିକ କାଳ ହେଲାଣି, ଆଜି ଦେବି, କାଲି ଦେବି କହି ଏତେଦିନ ହେଲାଣି- ଏବେ ଆରଓଳିକୁ ଆସିବି, ଟଙ୍କା ତକ ଦେଇ ଦେବ- ସେଗୁଡ଼ା ଆଉ ମୁଁ ରଖିପାରିବିନି- ଟଙ୍କା ଯୋଗାଡ଼ କରି ରଖିଥିବ, କହିଯାଉଛି ।

 

ଦଳବଳ ସହ ସାନ ମଝିଆ ଠାକୁରାଣୀ ସାମନା ଦୁଆର ଦେଇ ବାହାରକୁ ଆସିଲେ । ସର୍ବଜୟା ଶୁଣି ପାରୁଥିଲା ରାସ୍ତା ଉପରେ କାହାର କଥାର ଉତ୍ତର ଦେଇ ଖୁବ୍‌ ଉଚ୍ଚ ସ୍ୱରରେ କହୁଥିଲେ ଏଇ, ଏ ଘରର ଟୋକୀଟା ଟୁନୁର ବାକ୍ସରୁ କଣ୍ଠିମାଳଗୁଡ଼ା ଚୋରି କରି ଆଣି ନିଜ କଣ୍ଢେଇ ବାକ୍ସରେ ଲୁଚେଇ ରଖିଛି- ଆଉ ଦେଖ ଏ ଆମ୍ବଗୁଡ଼ିକ, ପାଖରେ ଆମର ବଗିଚା, ଯେତେ ଇଚ୍ଛା ସେତେ ପାରି ଆଣୁଛି- ସେହି କଥା କହି ଦେଲି ବୋଲି ତା’ର ମାଆ ମୋତେ ଲଗେଇ ଲଗେଇ କହୁଚି (ସର୍ବଜୟାର କହିବାର ସ୍ୱରକୁ ନକଲ କରି) ହୁଏତ ଆଣିଥିବ, ପିଲା ମଣିଷ- ଏମିତି ଆଣନ୍ତି- ଏଥିରେ କ’ଣ ତୁମର ନାମ ଲେଖା ହୋଇଛି ? ସ୍ୱର ଟିକିଏ ଧିମା କରି ପୁଣି କହିଲେ- ତିର୍‌ଲା ଖଣ୍ଡିକ ବି କ’ଣ କମ୍‍ ଚୋରଣୀ ? ଝିଅର ଶିକ୍ଷା କ’ଣ ଏମିତି ଆଉ କାହା ପାଖରୁ ଆସିଛି ? ବଂଶଯାକ ଚୋର

 

ଅପମାନ ଓ ଦୁଃଖରେ ସର୍ବଜୟା ଆଖିରେ ଲୁହ ଜମିଗଲା । ସେ ବୁଲିପଡ଼ି ଦୁର୍ଗାର ରୁକ୍ଷ ଚୁଟି ଗୋଛାକୁ ଭିଡ଼ିଆଣି, ଡାଲି ଭାତ ମଖା ହାତରେ ତା’ ପିଠିରେ ବିଧା ପରେ ବିଧା, ଚାପୁଡ଼ା ପରେ ଚାପୁଡ଼ା ଦୁଲ୍‌ଦାଲ୍‌ କରି ବସେଇ ଗଲା । ପିଟୁ ପିଟୁ ରାଗରେ କହୁଥିଲା ଅମଙ୍ଗୁଳି, ଆପଦ ଗୋଟେଇ କେଉଁଠୁ ଗୋଟିଏ ଆସି ଜୁଟିଛି ଯଦି ମରିଯାଆନ୍ତା, ଆପଦଟା କଟି ଯାଆନ୍ତା ମରୁ ବି ନାହିଁ, ବଞ୍ଚିବାକୁ ବି ଦେଉନି, ହାତ ଯୋଡ଼ୁଛି- ବାହାରି ଯା ଘରୁ, ପଳା ଏଠୁ, ଯା, ଏହିକ୍ଷଣି ଚାଲିଯା...

 

ଦୁର୍ଗା ମାଡ଼ ଖାଉ ଖାଉ ଡରରେ ପଛ ଦୁଆର ଦେଇ ଧାଇଁ ଧାଇଁ ବାହାରକୁ ପଳେଇଲା । ତା’ର ରୁକ୍ଷ ଚୁଟିର ଗୋଟିଏ ଦୁଇଟି କେରା ତା’ ମାଆ ହାତରେ ଛିଣ୍ଡି ରହିଗଲା ।

 

ଅପୁ ଖାଉ ଖାଉ ଘଟଣା ସବୁ ଅବାକ୍‌ ହୋଇ ଦେଖୁଥିଲା । ନାନୀ ତା’ର କଣ୍ଠିମାଳ ଚୋରି କରି ଆଣିଛି । କାହିଁ ଏ କଥା ସିଏ ଜାଣିନଥିଲା । କଣ୍ଠିମାଳଟିକୁ ସେ ଆଗରୁ ବି କେବେ ଦେଖିନି । କିନ୍ତୁ ଆମ୍ବକଷିଗୁଡ଼ିକ ଯେ ଚୋରି ଜିନିଷ ନୁହେଁ ସେ କଥା ସେ ନିଜେ ଜାଣେ । ଗତକାଲି ଉପରଓଳା ନାନୀ ତାକୁ ସାଙ୍ଗରେ ନେଇ ଟୁନୁ ଘର ବଗିଚାରୁ ଆମ୍ବ ଗୋଟେଇବା ପାଇଁ ଯାଇଥିଲା ଏବଂ ସୁନାମୁଖୀ ଆମ୍ବଗଛ ମୂଳରେ କେତେଟା କଷି ପଡ଼ିଥିଲା, ନାନୀ ଗୋଟେଇ ଆଣିଥିଲା । ଏ କଥା ବି ଜାଣେ, ନାନୀ ତା’ର କେତେଥର କହିସାରିଲାଣି ଆରେ ଅପୁ, ଏଥର ସେ ଆମ୍ବଗୁଡ଼ିକୁ ଜରେଇ ଖାଇବା, କ’ଣ କହୁଛୁ ? କିନ୍ତୁ ମା’ ଘରେ ଉପସ୍ଥିତ ରହିବାରୁ ଅସୁବିଧା ଉପୁଜି ଉକ୍ତ ପ୍ରସ୍ତାବ କାର୍ଯ୍ୟରେ ପରିଣତ ହେବା ସମ୍ଭବ ହୋଇନାହିଁ । ନାନୀର ଅତିପ୍ରିୟ ଆମ୍ବଗୁଡ଼ାକୁ ଏମିତି ଭାବରେ ନେଇଗଲେ, ତା’ଉପରେ ପୁଣି ସେ ଏଭଳି ମାଡ଼ ଖାଇଲାଣି, ବିଚାରୀ ! ନାନୀର ଚୁଟି ଛିଣ୍ଡେଇ ଦେଇଥିବାରୁ ତା’ ମାଆ ଉପରେ ଖୁବ୍‌ ରାଗ ହେଲା । ଯେତେବେଳେ ନାନୀ ମୁଣ୍ଡ ଉପରେ କେରାଏ ରୁକ୍ଷ ଚୁଟି ଆଗରେ ପବନରେ ଉଡ଼େ, ସେତିକିବେଳେ କାହିଁକି କେଜାଣି ତା’ ପାଇଁ ଭୀଷଣ ମମତା ହୁଏ ଯେମିତି ମନେହୁଏ, ନାନୀର ଯେମିତି କେହି କେଉଁଠି ନାହିଁ ସେ ଯେମିତି କେଉଁଠୁ ଏକା ଏକା ଆସିଛି ତା’ର କେହି ସାଙ୍ଗସାଥୀ ଏଠାରେ ନାହାନ୍ତି । ତାକୁ କେବଳ ଇଚ୍ଛା ହୁଏ କେମିତି ହେଲେ ସେ ନାନୀର ଜୀବନରୁ ସବୁ ଦୁଃଖ ଦୂର କରିଦେବ- ସବୁ ଅଭାବ ତା’ର ପୂରଣ କରିଦେବ । ତା’ର ନାନୀକୁ ସାମାନ୍ୟ କଷ୍ଟ ଭୋଗିବାକୁ ଦେବନି ।

 

ଖାଇବା ପରେ ଅପୁ ମାଆ ଡରରେ ଘର ଭିତରେ ବସି ପଢ଼ିବାକୁ ଲାଗିଲା । କିନ୍ତୁ ମନ ତା’ର ରହି ରହି କେବଳ ବାହାରକୁ ଧାଇଁ ଯାଉଥିଲା । ବେଳ ଟିକିଏ ଗଡ଼ିଗଲା ପରେ ସେ ଟୁନୁ ଘର, ପଟଳି ଘର, ନେଡ଼ା ଘର ଗୋଟାକ ପରେ ଗୋଟାଏ ବୁଲି ଆସିଲା ନାନୀ ତା’ର କେଉଁଠି ବି ନାହିଁ । ରାଜକୃଷ୍ଣ ପାଲିତଙ୍କ ସ୍ତ୍ରୀ ନଈଘାଟରୁ ପାଣି ଆଣି ଫେରୁଥିଲେ, ତାଙ୍କୁ ପଚାରିଲା ବଡ଼ମା’ ମୋ ନାନୀକୁ କେଉଁଠି ଦେଖିଚ ? ସେ ଆଜି ଭାତ ଖାଇନି ମା’ ତାକୁ ଆଜି ବହୁତ ପିଟିଛି ମାଡ଼ ଖାଇ କୁଆଡ଼େ ଚାଲିଯାଇଛି ଦେଖିଚ ବଡ଼ମା’ ?

 

ଘର ପାଖ ରାସ୍ତାରେ ଯାଉ ଯାଉ ଭାବିଲା- କାଳେ ସେ ବାଉଁଶ ବଗିଚା ଭିତରେ ବସିଥିବ ? ସେ ପଟେ ଯାଇ ସବୁଜାଗା ଖୋଜି ଦେଖିଲା । ସେ ପଛପଟ କବାଟ ଦେଇ ଘରେ ପଶି ଦେଖିଲା, ଘରେ କେହି ନାହିଁ । ତା’ର ମା’ ବୋଧେ ନଈଘାଟକୁ ବା ଅନ୍ୟ କେଉଁଠିକି ଯାଇଥିବ । ଘର ଭିତରକୁ ଅପରାହ୍ନର ଛାଇ ମାଡ଼ି ଆସୁଛି । ସାମନା ଦୁଆର ପାଖରେ ବାଉଁଶ ଝାଡ଼ ଓହଳି ପଡ଼ିଛି, ସେଥିରୁ ଗୋଛାଏ ଶୁଖିଲା ବାଉଁଶକଣି ତଳକୁ ଝୁଲି ପଡ଼ିଛି । ଆଉ ତାହାରି ଉପରେ ତା’ର ଅତି ପରିଚିତ ଲମ୍ବା ଲାଞ୍ଜର ହଳଦିଆ ଚଢ଼େଇଟି ଆସି ବସିଥିଲା । ସବୁଦିନ ସନ୍ଧ୍ୟା ପୂର୍ବରୁ ସେ କେଉଁଠୁ ଉଡ଼ି ଆସି ବାଉଁଶ କଣିଟା ଉପରେ ବସିଯାଏ- ପ୍ରତିଦିନ- ପ୍ରତିଦିନ- ପ୍ରତିଦିନ । ଆହୁରି କେତେ ପ୍ରକାରର ଚଢ଼େଇ ଚାରିପଟ ବଣରେ କିଚିର୍‌ ମିଚିର୍‌ କରୁଥିଲେ । ନୀଳମଣି ରାୟଙ୍କର ଭଙ୍ଗା ଘର ଡିହଟି ଗଛପତ୍ରର ଘନଛାୟାରେ ପୁରିଗଲାଣି । ଅପୁ ବାରଣ୍ଡାରେ ଛିଡ଼ା ହୋଇ ଦୂରର ସେହି ଅଶ୍ୱତ୍‌ଥ ବୃକ୍ଷଟି ଆଡ଼କୁ ଚାହିଁଲା- ଅଳ୍ପ କିଛି କିଛି ନାଲି ଖରା ଏବେବି ଗଛର ଉପରି ଭାଗରେ ଲାଖିରହିଛି । ଅଗ ଡାଳରେ ଗୋଟାଏ କ’ଣ ଧଳା ରଙ୍ଗର ଝୁଲୁଛି ସମସ୍ତ ଆକାଶକୁ ଆଚ୍ଛନ୍ନ କରି ଯେପରି ଛାଇ ଓ ଅନ୍ଧାର ଓହ୍ଲେଇ ଆସୁଛି । ଚାରିପଟେ ନିର୍ଜନତା... କେହି କେଉଁଠି ଦେଖାଯାଉନାହାନ୍ତି- ନୀଳମଣି ରାୟଙ୍କର ଭଙ୍ଗା ଘରଡିହର ମାଣ ବୁଦା ଭିତରେ କଳା ଓ ଘନନୀଳ ନୂଆ ପତ୍ର ସବୁ ଚିକ୍‌ଚିକ୍‌ କରୁଛି । ଅପୁର ମନଟା ହଠାତ୍‌ ହା’ ହୁତାଶରେ ଭରିଗଲା । କେତେବେଳ ହେଲାଣି, ସେଇ ଯେ ଯାଇଛି, ଘରକୁ ଆସିନି, କିଛି ଖାଇନି- ତା’ହେଲେ କୁଆଡ଼େ ଗଲା ତା’ ନାନୀ ?

 

ଭୁବନ ମୁଖାର୍ଜୀ ଘରର ପୁଅଝିଅମାନେ ଏକାଠି ଧାଁଧପଡ଼ କରି ଅଗଣାରେ ‘ଲୁଚାଛପା’ ଖେଳ ଖେଳୁଥିଲେ । ରାନୁ ତାକୁ ଦେଖି ତା’ ପାଖକୁ ଧାଇଁ ଆସିଲା- ଭାଇ, ଅପୁ ବି ଆସିଛି... ସେ ଆମ ପଟେ ଖେଳିବ, ଆରେ ଅପୁ କହି ତା’ ହାତକୁ ଭିଡ଼ିଲା ।

 

ଅପୁ ତା’ ହାତ ଟାଣି ନେଇ କହିଲା- ରାନୁ ନାନୀ ମୁଁ ଖେଳିବିନି- ତୁମେ ମୋ ନାନୀକୁ ଦେଖିଛ ?

 

ରାନୁ ପଚାରିଲା- ଦୁର୍ଗା ? ନା ତାକୁ ତ ଦେଖିନି । ବଉଳ ଗଛମୂଳେ ନାହିଁକି ? ବଉଳ ଗଛ କଥା ତା’ ମନକୁ ଆସିନଥିଲା । ଦୁର୍ଗା ସେଇଠି ପ୍ରାୟ ଥାଏ । ଭୁବନ ମୁଖାର୍ଜୀ ଘରୁ ସେ ସିଧା ବଉଳ ଗଛତଳକୁ ଗଲା । ସଞ୍ଜ ହୋଇ ଆସିଲାଣି । ବଉଳ ଗଛଟା ଅନେକ ଦୂର ପର୍ଯ୍ୟନ୍ତ ଲମ୍ବିଯାଇଛି । ଶାଖା ପ୍ରଶାଖା ମେଲି ବେଶ୍‌ ଘଞ୍ଚ ହୋଇ ଛିଡ଼ା ହୋଇଛି- ଗଛମୂଳଟା ଅନ୍ଧାର ହୋଇ ଆସିଲାଣି । କେହି କୁଆଡ଼େ ଦେଖାଯାଉନାହାନ୍ତି... ଯଦି କୌଣସି ପଟେ ଡାଳ ଉହାଡ଼ରେ ବସିଥିବ । ସେ ଡାକିଲା ନାନୀ, ନାନୀରେ, ନାନୀ ।

 

ଅନ୍ଧକାର ଭିତରେ ଗଛଟିରେ କେବଳ କେତେଗୁଡ଼ିଏ ବଗବଗୁଲି ଡେଣାପିଟି ଝଟ୍‌ପଟ୍‌ ହେଉଥିଲେ । ଅପୁ ଡରି ଡରି ଉପର ଆଡ଼କୁ ଚାହିଁଲା । ବଉଳ ଗଛମୂଳଠୁ ଅଳ୍ପ ଦୂରରେ ଗୋଟିଏ ଛୋଟ ପୋଖରୀ କୂଳରେ ଖଜୁରୀ ଗଛଟେ ଅଛି । ଏବେ ଖଜୁରୀର ପାଚିବା ସମୟ । ସେଇଠି ବି କେବେ କେବେ ତା’ ନାନୀ ଥାଏ । କିନ୍ତୁ ଅନ୍ଧାର ହୋଇଗଲାଣି, ଗାଡ଼ିଆଟାର ଦୁଇକଡ଼ରେ ବାଉଁଶବଣ, ସେଠାକୁ ଯାଇ ଖୋଜିବାକୁ ତା’ର ସାହାସ ହେଲାନି । ବଉଳ ଗଛର ଗଣ୍ଡିପଟେ ଘୁଞ୍ଚିଯାଇ ଥରେ ଦୁଇ ଥର ସେ ନାନୀ, ନାନୀ ବୋଲି ଚିତ୍କାର କରି ଡାକିଲା ବଣୁଆ ଘେଁଟୁ ବୁଦା ମୂଳରୁ କ’ଣ ଗୋଟିଏ ଜନ୍ତୁ ତା’ର ପାଟି ଶୁଣି ଖସ୍‌ ଖସ୍‌ ଶବ୍ଦ କରି ପୋଖରୀ ଇଡ଼ାପଟକୁ ଦଉଡ଼ି ପଳେଇଲା ।

 

ଘରକୁ ଫେରିବା ବାଟରେ ହଠାତ୍‌ ଥମ୍‌କି ଛିଡ଼ାହେଲା । ଆଗରେ ସେହି କେନ୍ଦୁ ଗଛଟା । ସଞ୍ଜପରେ ଏ ଗଛତଳ ରାସ୍ତାଦେଇ ଯିବାମାନେ ସର୍ବନାଶ ! ଦେହରେ ଲୋମ ଟାଙ୍କୁରି ଉଠିଲା । କାହିଁକି ଯେ ଏ ଗଛତଳ ଦେଇ ତାକୁ ଯିବାକୁ ଡରଲାଗେ । ସେ କଥା ସେ ଜାଣେନି । କୌଣସି କାରଣ ନାହିଁ, ଏମିତି ତାକୁ ଡର ଲାଗେ ଏବଂ କାରଣ କିଛି ନାହିଁ ବୋଲି ତା’ର ଡରଟା ଆହୁରି ବଢ଼ିଯାଏ । ଏତେ ଡେରି ପର୍ଯ୍ୟନ୍ତ ସେ କେବେବି ଘର ବାହାରେ ରହେନି ଆଜି କେମିତି ତା’ର ସେ ଚିନ୍ତା ମନକୁ ଆସିନଥିଲା । ମନଟା ତା’ର ବ୍ୟସ୍ତ ଓ ଅନ୍ୟମନସ୍କ ନ ଥିଲେ ସେ କେବେବି ଏ ରାସ୍ତାଟାରେ ଆସିନଥାନ୍ତା ।

 

ଅପୁ ଅନ୍ଧାରରେ କେନ୍ଦୁଗଛ ଆଡ଼କୁ ଅନେଇ କିଛି ସମୟ ଛିଡ଼ା ହୋଇ ରହିଲା । ତା’ର ଘରକୁ ଫେରିବାକୁ ଆଉ ଗୋଟିଏ ରାସ୍ତା ବି ଅଛି ଅଳ୍ପଟିକିଏ ବୁଲି ପଟ୍‌ଳିଘର ଅଗଣା ଦେଇଗଲେ, କେନ୍ଦୁଗଛ ମୂଳର ଏହି ଅଜଣା ବିଭୀଷିକାରୁ ମୁକ୍ତି ମିଳିଯିବ ।

 

ପଟ୍‌ଳିର ଜେଜେମା ସଞ୍ଜବେଳଟାରେ ଘରର ବାରନ୍ଦା ଉପରେ ପିଲାଛୁଆମାନଙ୍କୁ ଧରି ଖୋଲାପବନରେ ବସି ଗପସପ ହେଉଥିଲେ । ପଟ୍‌ଳିର ମାଆ ରୋଷେଇ ଘରେ ରାନ୍ଧୁଥିଲେ । ଅଗଣାର ମଞ୍ଚାତଳେ ବିଧୁ କେଉଁଟୁଣୀ ଛିଡ଼ା ହୋଇ ମାଛ ବିକ୍ରିର ପଇସା ପାଇଁ ତାଗିଦ୍‌ କରୁଥିଲା ।

 

ଅପୁ କହିଲା ନାନୀକୁ ଖୋଜିବା ପାଇଁ ଯାଇଥିଲି ଜେଜେମା’ ବଉଳ ମୂଳରୁ ଆସୁ ଆସୁ

 

ଜେଜେମା’ କହିଲେ- ଦୁର୍ଗା, ଏବେ ତ ଘରକୁ ଗଲା । ଏଇ ତ ସାଙ୍ଗେ ସାଙ୍ଗେ ଗଲା । ଧାଇଁଗଲୁ- ଘରେ ବୋଧହୁଏ ପହଞ୍ଚିନି ଏଯାଏ-

 

ସେ ଏକା ଡିଆଁରେ ଘର ଆଡ଼କୁ ଧାଇଁଗଲା । ପଛରୁ ପଟ୍‌ଳିର ଭଉଣୀ ରୋଜି ପାଟିକରି କହୁଥିଲା- କାଲି ସକାଳେ ଆସିବୁ, ଅପୁ-ଆମେ ଗଙ୍ଗାଯମୁନା ଖେଳର ନୂଆ ଘର କାଟିଛୁ ଢିଙ୍କିଶାଳ ପଛରେ ନିମ୍ବଗଛ ମୂଳରେ-ଦୁର୍ଗାକୁ ବି କହିବୁ

 

ଘର ପାଖରେ ପହଞ୍ଚି ହଠାତ୍‌ ସେ ଥମ୍‌କି ଛିଡ଼ା ହୋଇଗଲା- ଦୁର୍ଗା ଆର୍ତ୍ତ ଚିତ୍କାର କରି ଘର ବାରଣ୍ଡା ଦେଇ ବାହାରକୁ ଦଉଡ଼ୁଛି ତା’ର ମାଆ ହାତରେ କ’ଣଟା ଧରି ତାକୁ ପିଟି ପିଟି ପଛରେ ଦଉଡ଼ୁଛି । ଦୁର୍ଗା କେନ୍ଦୁଗଛ ରାସ୍ତା ଦେଇ ଦଉଡ଼ି ପଳେଇଲା, ମା’ ଦୁଆର ପାଖରୁ ରହି ଦଉଡ଼ୁଥିବା ଝିଅକୁ ଚିତ୍କାର କରି କହୁଥିଲେ-ଯା, ବାହାରିଯା- ଏକାବେଳକେ ଏ ଜନ୍ମ ପାଇଁ ବାହାରି ଯା- ଆଉ ଯେମିତି କେତେବେଳେ ବି ଘରେ ନ ପଶୁ- ଅମଙ୍ଗୁଳି, ଅଲୋଡ଼ା ଆପଦ ଯାଆନ୍ତା-ଏକାଥରକେ ଛତିଆନା ଗଛ ମଶାଣି ପାଖରେ ଥୋଇ ଆସିବି ।

 

ଛତିଆନା ଗଛମୂଳରେ ଗାଁ’ର ଶ୍ମଶାନ । ଅପୁର ମନେହେଲା ଯେମିତି ତା’ର ସାରା ଦେହଟା ଜମାଟ ବାନ୍ଧି ଅସାଡ଼ ଓ କ୍ରମଶଃ ଭାରି ହୋଇଯାଉଛି । ତା’ର ମାଆ ସାଙ୍ଗେ ସାଙ୍ଗେ ଭିତର ଘରେ ପଶି ମାଟିର ଦୀପଟି ବାରଣ୍ଡା କଡ଼ରୁ ଉଠେଇ ନେଉଥିଲେ । ସେ ପାଦ ଚିପି ଚିପି ଘର ଭିତରେ ପଶିଲାରୁ ତା’ ଆଡ଼କୁ ଚାହିଁ ସର୍ବଜୟା ପଚାରିଲା- ତୁ ପୁଣି ଏତେ ରାତିଯାଏ କୁଆଡ଼େ ଥିଲୁ ? ଆଜି ତ ମୁଠାଏ ଭାତ ଖାଇଚୁ ?

 

ତା’ ମନକୁ ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଥିଲା । ନାନୀ ପୁଣିଥରେ କାହିଁକି ମାଡ଼ ଖାଇଲା ? ସେ ଏତେ ବେଳଯାଏଁ କେଉଁଠି ଥିଲା ? ଦୁଇ ପହରରେ ସେ କ’ଣ ଖାଇଥିଲା ? ପୁଣିଥରେ କେଉଁଠୁ କିଛି ଚୋରି କରି ଆଣିଲା ନା କ’ଣ ? କିନ୍ତୁ ଭୟରେ ସେ କିଛି କଥା ନ କହି, ଚାବିଦିଆ କଣ୍ଢେଇ ପରି ମାଆ କଥା ଅନୁସାରେ କାମ କରି ଘର ଭିତରକୁ ପଶିଲା । ତା’ପରେ ଡରି ଡରି ପ୍ରଦୀପକୁ ଟିକିଏ ତେଜେଇ ଦେଇ ନିଜର ଛୋଟ ବହି ଖଣ୍ଡିକ କାଢ଼ି ପଢ଼ିବାକୁ ବସିଗଲା । ସେ ଜମା ତୃତୀୟ ଭାଗରେ ପଢ଼େ । କିନ୍ତୁ ତା’ର ବସ୍ତାନୀ ଭିତରେ ଦୁଇଖଣ୍ଡ ବଡ଼ ବଡ଼ କ’ଣ ଇଂରାଜୀ ବହି, କବିରାଜି ଔଷଧର ଗୋଟିଏ ତାଲିକା । ଗୋଟାଏ ପୃଷ୍ଠା ଛଡ଼ା ଦାଶୁରାୟଙ୍କ ପାଞ୍ଚାଳୀ ଆଉ ଖଣ୍ଡିଏ ୧୩୦୩ ସାଲର ପୁରୁଣା ପାଞ୍ଜି ଇତ୍ୟାଦି ସାଇତା । ବିଭିନ୍ନ ସ୍ଥାନରୁ ମାଗି ସେ ଏଗୁଡ଼ିକ ଯୋଗାଡ଼ କରି ରଖିଛି ଏବଂ ସେଗୁଡ଼ିକୁ ପଢ଼ି ନ ପାରିଲେ ବି ପ୍ରତିଦିନ ଥରଟିଏ ଖୋଲି ଦେଖେ ।

 

କିଛି ସମୟ କାନ୍ଥ ଆଡ଼କୁ ଚାହିଁ କ’ଣ ଚିନ୍ତାକଲା । ପରେ ପ୍ରଦୀପ ଆଉ ଟିକିଏ ତେଜେଇ ଦେଇ ଛିଣ୍ଡା ପୃଷ୍ଠାର ଦାଶୁରାୟଙ୍କର ପଞ୍ଚାଳୀ ଖୋଲି ଅନ୍ୟମନସ୍କ ଭାବରେ ପୃଷ୍ଠା ଓଲଟାଇବାରେ ଲାଗିଲା । ଏହି ସମୟରେ ସର୍ବଜୟା ଗିନାରେ କ୍ଷୀର ଧରି ଘର ଭିତରକୁ ପଶି କହିଲା- ପିଇ ଦେ’ ତ ବାବୁ !

 

ଅପୁ ଇତସ୍ତତଃ ନ ହୋଇ ଗିନା ହାତରେ ଧରି ଶୋଷି ଶୋଷି ପିଇବାକୁ ଆରମ୍ଭ କଲା । ଅନ୍ୟଦିନ ହୋଇଥିଲେ କ୍ଷୀର ସେ ଏତେ ସହଜରେ ପିଇନଥା’ନ୍ତା । ଅଳ୍ପ ଟିକିଏ ପିଇ ସେ ଗିନାଟିକୁ ତଳେ ଥୋଇଦେଲା । ସର୍ବଜୟା କହିଲା ଏ କ’ଣ ? ସବୁ କ୍ଷୀର ତକ ପିଇଦେ ଏତିକି କ୍ଷୀର ଯଦି ଛାଡ଼ିବୁ ତା’ହେଲେ କ’ଣ ଖାଇ ବଞ୍ଚିବୁ

 

ଅପୁ ପ୍ରତିବାଦ ନ କରି କ୍ଷୀର ଗିନାଟିକୁ ପୁଣି ମୁହଁରେ ଲଗେଇଲା । ସର୍ବଜୟା ଲକ୍ଷ୍ୟକଲା, ସେ ମୁହଁରେ ଗିନାଟିକୁ ଲଗେଇଛି ସିନା କିନ୍ତୁ କ୍ଷୀର ପିଉନି ଗିନା ସମେତ ତା’ର ହାତଟା ଥରୁଛି... ପରେ ସେମିତି ଅନେକ ସମୟ ଧରି ମୁହଁରେ ଲଗେଇ ରଖି ତଳେ ଥୋଇ ଦେଲା ଆଉ ମାଆ ମୁହଁକୁ ଚାହିଁ ଡରରେ କାନ୍ଦି ପକେଇଲା । ସର୍ବଜୟା ଆଶ୍ଚର୍ଯ୍ୟ ହୋଇ କହିଲା କ’ଣ ହେଲା ରେ ? କ’ଣ ହେଇଚି, ଜିଭ କାମୁଡ଼ି ପକେଇଲୁ ନା କ’ଣ ?

 

ମାଆର କଥା ଶେଷ ହେବାମାତ୍ରେ ସବୁ ଡରକୁ ପରିତ୍ୟାଗ କରି ଗୁମୁରି ଗୁମୁରି କାନ୍ଦି ଉଠିଲା ଓ କହିଲା ନାନୀ ପାଇଁ ମନଟା କେମିତି ଆଉଟ୍‌ ପାଉଟ୍‌ ହେଉଚି !...

 

ସର୍ବଜୟା ଅଳ୍ପ ସମୟ ପାଇଁ ନୀରବ ହୋଇ ବସିଗଲା । ତା’ପରେ ତା’ ପାଖକୁ ଲାଗି ଆସି ତା’ ଦେହରେ ହାତ ବୁଲେଇ ବୁଲେଇ ଶାନ୍ତ ସ୍ୱରରେ କହିଲା ଏମିତି କାନ୍ଦନ୍ତିନି, କାନ୍ଦନା- ଏଇଠି ପଟ୍‌ଳି ଘରେ ବା ନେଡ଼ା ଘରେ ଥିବ- ଅନ୍ଧାରରେ କୁଆଡ଼େ ଯିବ ଆଉ ? ସେ କ’ଣ କମ୍‍ ଦୁଷ୍ଟ ଝିଅ ? ସେହି ଦୁଇ ପ୍ରହରରୁ ବାହାରି ଯେ ଯାଇଛି, ଆଉ ତାକୁ ତ ଦୂରର କଥା ତା’ର ଚୁଟିର ଶିଖାଟିଏ ବି ଦିଶୁ ନାହିଁ । ନା ଖିଆ, ନା ପିଆ, କେଉଁଠି ଯାଇ ସେ ସାହିର ପାଲିତ ଘର ବଗିଚା ଭିତରେ ବସିଥିଲା, ସେଇଠି ବସି କଞ୍ଚା ଆମ୍ବ ଆଉ ଜାମରୁଳ ଖାଇଛି, ଏବେ ତାକୁ ଡାକି ପଠଉଛି- ଏମିତି କାନ୍ଦନା- ପୁଣିଥରେ ଜ୍ୱର ଆସିବ- ଛିଃ ।

 

ପଣତ କାନିରେ ପୁଅ ଆଖିରୁ ଲୁହ ପୋଛିଦେଲା, ବାକିତକ କ୍ଷୀର ପିଏଇବା ପାଇଁ ଗିନାଟି ତା’ ମୁହଁରେ ଲଗେଇଲା ପାଟି ମେଲା କରିଦେ ବାବୁ, ମୋ ଧନଟା, ମୋ ସୁନାଟା ପରା । ତୋ’ ବାପା ଆସିଲେ ତାକୁ ଯାଇ ଡାକି ଆଣିବେ ପୁରା ପାଗଳ ପୁଅଟା କେଉଁଠୁ ଆସି ପାଗଳଟା ମୋ କୋଳରେ ଜନ୍ମ ନେଇଛି- ଆଉ ଗୋଟିଏ ଥର, ବାସ୍‌ ପିଇଦେ

 

ରାତି ବହୁତ ହୋଇଯାଇଥିଲା । ଉତ୍ତରପଟ ଘର ଖଟ ଉପରେ ଅପୁ ଆଉ ଦୁର୍ଗା ଶୋଇଥିଲେ । ଅପୁ ପାଖରେ ତା’ର ମାଆର ଶୋଇବା ଜାଗାଟି ଖାଲିଅଛି । କାରଣ ମାଆ ଏ ଯାଏ ରୋଷେଇ ଘର କାମ ଶେଷ କରି ଆସିନି । ତା’ର ବାପା ଖାଇସାରି ପାଖଘରେ ବସି ହୁକା ତମାଖୁ ଟାଣୁଥିଲେ । ବାପା ଘରକୁ ଆସି ଦୁର୍ଗାକୁ ଖୋଜି ଆଣିଥିଲେ ।

 

ଘରକୁ ଫେରି ଆସି ବି ଦୁର୍ଗା କାହା ସହିତ କିଛି କଥାବାର୍ତ୍ତା ହେଇନି । ଖାଇ ସାରି ଚୁପ୍‌କିନା ବିଛଣାରେ ଶୋଇଛି । ଅପୁ ଦୁର୍ଗା ଦେହରେ ହାତ ବୁଲେଇ ପଚାରିଲା ନାନୀ, ମା’ ତୋତେ ସଞ୍ଜବେଳେ କେଉଁଥିରେ ପିଟୁଥିଲା ରେ ? ତୋ’ ଚୁଟି ଛିଡ଼ିଯାଇଛି ?

 

ଦୁର୍ଗା ମୁହଁ ଖୋଲି କିଛି କହିଲାନି । ସେ ପୁଣିଥରେ ପଚାରିଲା ମୋ ଉପରେ ରାଗିଛୁ ନାନୀ ? ମୁଁ ତ କିଛି କରିନି ।

 

ଦୁର୍ଗା ଧୀରେ ଧୀରେ କହିଲା- କରିନୁ ତ ଆଉ କ’ଣ ! ତା ନ ହେଲେ ସତୁ କେମିତି ଜାଣିଲା କଣ୍ଠିମାଳଟି ମୋ ବାକ୍ସରେ ଅଛି ?

 

ଅପୁ ପ୍ରତିବାଦର ଉତ୍ତେଜନାରେ ଉଠି ବସିପଡ଼ିଲା ।- ନା, ନାନୀ ସତକଥା କହୁଛି, ତୋ’ ଦେହ ଛୁଇଁ କହୁଛି, ମୁଁ ତ ତାକୁ କିଛି ଦେଖେଇନି । ମୁଁ ବି ଜାଣେନି ଯେ ତୋ’ ବାକ୍ସରେ ସେଇଟା ଅଛି ବୋଲି କାଲି ଓପରଓଳି ସତୁ ଆସିଥିଲା, ତା’ର ସେହି ବଡ଼ ନାଲି ବଲ୍‌ଟା ନେଇ ଆମେ ଖେଳୁଥିଲୁ ତା’ପରେ, ଜାଣିଲୁ ନାନୀ ସତୁ ତୋ କଣ୍ଢେଇ ବାକ୍ସ ଅଣ୍ଡାଳୁ ଥିଲା ମୁଁ କହିଲି, ଭାଇ ତୁ ମୋ ନାନୀର ବାକ୍ସରେ ହାତ ଦେ’ ନା ନାନୀ ମୋତେ ଗାଳିଦେବ ବୋଧହୁଏ ସେହି ସମୟରେ ଦେଖି

 

ତା’ପରେ ସେ ଦୁର୍ଗା ଦେହରେ ହାତ ବୁଲେଇ କହିଲା- ବହୁତ କାଟିଛି ନା ନାନୀ ? କେଉଁଠି ପିଟିଛି ମାଆ ? ଦୁର୍ଗା କହିଲା- ମୋ କାନ ପାଖରେ ବାଡ଼ିରେ ପାହାର ବସିଥିଲା, ରକ୍ତ ବାହାରୁଥିଲା । ଏବେବି ବିନ୍ଧୁଛି, ଏଇଠି ଦେଖୁନୁ, ହାତ ବୁଲେଇ ଦେଖ୍‌-ଏଇଠି...

 

ଏଇଠି ? ଆରେ ସତେ ତ ! ଫାଟି ଯାଇଛି ରେ ? ଟିକିଏ ଦୀପ ତେଲ ଲଗେଇ ଦେବି ନାନୀ ?

 

ନା ଥାଉ । କାଲି ଉପର ଓଳି ପାଲିତ ଘର ବଗିଚାକୁ ଯିବା ! ବୁଝିଲୁ ? କେତେ ଯେ କରମଙ୍ଗା ପାଚିଛି ? ଏମିତି ଏତେ ବଡ଼ ବଡ଼, କାହାକୁ କିଛି କହିବୁନି ! ତୁ ଆଉ ମୁଁ ଲୁଚି ଲୁଚି ଯିବା ଆଜି ଦୁଇ ପ୍ରହରରେ ମୁଁ ଦୁଇଟା ପାରି ଖାଇଥିଲି । କି ମିଠା, ସତେ ଯେମିତି ଗୁଡ଼ ।

 

(୧୧)

 

ସେଦିନର ଘଟଣାଟି ଏମିତି ଘଟିଥିଲା । ଅପୁ ତା’ର ବାପାଙ୍କ ଆଦେଶରେ ତାଳପତ୍ରରେ ସାତଥର ନିଜ ହାତରେ ‘କ, ଖ’ ଲେଖା ଶେଷକରି, କ’ଣ କରାଯିବ ଭାବି ଭାବି ଘର ଭିତରେ ନାନୀକୁ ଖୋଜିବାରେ ଲାଗିଲା । ଦୁର୍ଗା ମାଆକୁ ଡରି ସକାଳେ ଗାଧୋଇ ଆସିଥିଲା । ଭିତର ଅଗଣା ଭଣ୍ଡାଗଛ ମୂଳରେ ପୁଣ୍ୟପୋଖରୀ ବ୍ରତ ବିଧି କରୁଥିଲା । ଅଗଣାରେ ଛୋଟ ଚାରିକୋଣିଆ ଗାତଟିଏ ଖୋଳି ତାହାର ଚାରିପଟେ ବୁଟ ମଟର ଆଦି ବିଛେଇ ଦେଇଥିଲା ଓଦା ମାଟିରେ ସେଗୁଡ଼ିକରୁ ଗଜା ବାହାରି ସାରିଥିଲା । ଚାରିକୋଣରେ ଛୋଟ ଛୋଟ କଦଳୀ ଚାରା ପୋତି, କଡ଼ରେ ପିଠଉ ଗୋଳେଇ ଚିତା କାଟୁଥିଲା ପଦ୍ମଲତା, ଚଢ଼େଇ, ଧାନଶିଷ, ଉଇଁ ଆସୁଥିବା ନବୀନ ସୂର୍ଯ୍ୟ ଓ ଅନ୍ୟାନ୍ୟ । ଦୁର୍ଗା କହିଲା- ରହ, ଏଇ ମନ୍ତ୍ରଟା ପଢ଼ିସାରି, ତୋତେ ଗୋଟାଏ ଜାଗାକୁ ନେଇଯିବି ।

 

କେଉଁଠିକି ଲୋ ନାନୀ ?

 

ଯିବୁ ରହ ଏବେ ତୋତେ ନେଇଯିବି, ଗଲେ ଦେଖିବୁନି । ପରେ ଆନୁସଙ୍ଗିକ ବିଧି ଶେଷ କରି ସେ ଗୋଟାଏ ନିଶ୍ୱାସରେ ଆବୃତ୍ତି କଲା ।

 

ପୁଣ୍ୟ ପୋଖରୀ ପୁଷ୍ପମାଳା, କିଏ ପୂଜା କରେ ଦୁଇ ପ୍ରହର ସାରା ?

 

ମୁଁ ସତୀ ଲୀଳାବତୀ, ଭାଇର ଭଉଣୀ ଭାଗ୍ୟବତୀ

 

ଅପୁ ଛିଡ଼ା ହୋଇ ଶୁଣୁଥିଲା, ବିଦ୍ରୂପ ଭଙ୍ଗୀରେ ହସି ହସି କହିଲା-ଇଃ । ଦୁର୍ଗା ଢମାଳି ମନ୍ତ୍ର ବନ୍ଦ କରି ଅଳ୍ପ ଟିକିଏ ଲାଜୁରା ହସ ହସି କହିଲା ତୁ କାହିଁକି ଏମିତି ଥଟ୍ଟା କରୁଚୁ ? ଯା ଏଠୁ- ତୋ’ର ଏଠାର ରହିବାର ଆବଶ୍ୟକ ନାହିଁ ଯା ।

 

ଅପୁ ହସି ହସି ସେଠାରୁ ଚାଲିଗଲା । ଯାଉ ଯାଉ ନାନୀର ତମାଳିଟାକୁ ଘୋଷୁଥିଲା- ମୁଁ ସତୀ ଲୀଳାବତୀ, ଭାଇର ଭଉଣୀ ଭାଗ୍ୟବତୀ, ହିଃ, ହିଃ ଭାଇର ଭଉଣୀ ଭାଗ୍ୟବତୀ ହିଃ- ହିଃ-

 

ଦୁର୍ଗା କହିଲା, ତୁ ବଡ଼ ଦୁଷ୍ଟ ହେଉଚୁ, ନା ? ମା’କୁ କହି ତୋ’ର ଥଟ୍ଟା କରିବା ଛଡ଼ଉଚି ରହ-

 

ବ୍ରତାନୁଷ୍ଠାନ ଶେଷ କରି ଦୁର୍ଗା କହିଲା, ଚାଲ ଯିବା ଗଡ଼ଖାଇର ପୋଖରୀରେ ବହୁତ ପାଣି ସିଙ୍ଗଡ଼ା ହେଇଛି- ଭୋଦାରମା କହୁଥିଲା, ଚାଲ ଯାଇ ନେଇ ଆସିବା ।

 

ଗାଁ’ର ସବା ଉତ୍ତରପଟେ ଚାରିକଡ଼ରେ ବାଉଁଶବଣ ଓ ଅନାବନା ଜଙ୍ଗଲ ଏବଂ ବହୁ ପୁରୁଣା ଆମ୍ବ-ପଣସର ବଗିଚା ଭିତର ଦେଇ ରାସ୍ତାଟି । ଲୋକାଳୟ ଠାରୁ ଦୂରରେ ଗଭୀର ବଣ ଯେଉଁଠି ଶେଷ ହୋଇଛି ସେଇଠି ପଡ଼ିଆ ପାଖରେ ଜମିଦାର ପୋଖରୀଟି । ଅନେକ ଦିନ ପୂର୍ବରୁ ଗାଁ’ର ମୂଳ ବାସିନ୍ଦା ମଜୁମ୍‌ଦାର ବଂଶର ଘର ଚାରିପଟେ ଯେଉଁ ଗଡ଼ଖାଇଟି ଥିଲା ତାହା ଅନେକ ଅଂଶ ପୋତି ହୋଇଯାଇଛି କେବଳ ଏଇ ଗୋଟାଏ ପଟେ ବାରମାସ ପାଣି ରହିଥାଏ ଏବଂ ଏହି ପୋଖରୀକୁ ଗଡ଼ଖାଇ ପୋଖରୀ ବୋଲି କୁହାଯାଏ । ମଜୁମ୍‌ଦାର ପରିବାରର ଘରର କୌଣସି ଚିହ୍ନବର୍ଣ୍ଣ ଏବେ ଦେଖିବାକୁ ମିଳେନି ।

 

ସେଠାରେ ପହଞ୍ଚି ଭାଇ ଭଉଣୀ ଦୁଇଜଣ ଦେଖିଲେ ପୋଖରୀ ଭିତରେ ବହୁତ ପାଣି ସିଙ୍ଗଡ଼ା ଫଳିଛି, କିନ୍ତୁ ପୋଖରୀ ହୁଡ଼ା ପାଖରେ କିଛି ନାହିଁ, ସବୁ ମଝି ପାଣିରେ ପ୍ରାୟ ରହିଛି । ଦୁର୍ଗା କହିଲା ଅପୁ ଗୋଟିଏ ବାଉଁଶ କଣି ଖୋଜି ଆଣିଲୁ । ସେଇଥିରେ ପାଣିରୁ ଲଟାକୁ ଟାଣିଆଣିବା । ତା’ପରେ ସେ ପୋଖରୀ ହୁଡ଼ାରେ ଥିବା ବଣୁଆ କୋଳି ବୁଦାରୁ ପାଚିଲା ଫଳ ତୋଳି ଖାଇବାରେ ଲାଗିଲା । ଅପୁ ବଣ ଭିତରେ କଣି ଖୋଜୁ ଖୋଜୁ ନାନୀକୁ ଫଳ ଖାଇବାର ଦେଖି ପାଟି କରି କହିଲା ଆରେ ନାନୀ ସେ ଫଳ ଖାଆନି ! ଫିଙ୍ଗିଦେ ଅସନା ବଣୁଆ ଫଳ କେହି କ’ଣ ଖାଆନ୍ତି ! ସେଗୁଡ଼ାକ ଚଢ଼େଇମାନେ ଖାଆନ୍ତି

 

ଦୁର୍ଗା ପାଚିଲା ଫଳଗୁଡ଼ିକୁ ଚିପି ସେଥିରୁ ମଞ୍ଜି ବାହର କରୁ କରୁ କହିଲା ଆସିଲୁ ଏଠିକି- ଦେଖିଲୁ ଗୋଟିଏ ଖାଇ- ଗୁଡ଼ ପରି ମିଠା- କିଏ କହିଲା ଖାଆନ୍ତିନି ? ମୁଁ ତ ଅନେକ ଖାଇଚି ।

 

ଅପୁ କଣି ଖୋଜା ଛାଡ଼ି ନାନୀ ପାଖକୁ ଆସି କହିଲା ଖାଇଲେ କାଳେ ଲୋକ ପାଗଳ ହୋଇଯାଆନ୍ତି ? ମୋତେ ଗୋଟିଏ ଦେଲୁ ଦେଖି ନାନୀ ଚାଖେ

 

ତା’ପରେ କୋଳିଟିଏ ପାଟିରେ ପୁରେଇ ଚୋବେଇଲା, ମୁହଁଟାକୁ ଟିକିଏ ବିକୃତ କରି କହିଲା ଅଳ୍ପ ଅଳ୍ପ ପିତା ଲାଗୁଛିନା ନାନୀ

 

ସେମିତି ଟିକିଏ ପିତା ଲାଗିବ ନି ? ହେଲେ ହେଉ, କେମିତି ମିଠା କହିଲୁ ଦେଖି- କଥା ଶେଷ କରି ଦୁର୍ଗା ଖୁବ୍‌ ଖୁସିରେ କେତେଗୁଡ଼ିଏ ବଡ଼ ବଡ଼ ପାଚିଲା ଫଳ ପାଟିରେ ପୁରେଇଲା ।

 

ଜନ୍ମହେଲା ପାଖରୁ ଏମାନେ କେବେ କିଛି ଭଲ ଜିନିଷ ଖାଇବାକୁ ପାଇନାହାନ୍ତି । ଅଥଚ ଏମାନେ ପୃଥିବୀ ପୃଷ୍ଠକୁ ନୂଆ କରି ଆସିଛନ୍ତି, ଜିହ୍ୱା ଏମାନଙ୍କର ନୂଆ ପୃଥିବୀର ଭିନ୍ନ ଭିନ୍ନ ରସ ଆସ୍ୱାଦନ କରିବା ପାଇଁ ବିଶେଷତଃ ମିଠାରସ ପାଇଁ ଲାଳାୟିତ । ସନ୍ଦେଶ ମିଠା କିଣି ସେ ରସ ଆସ୍ୱାଦନ କରି ପରିତୃପ୍ତି ଲାଭ କରିବାର ସୁଯୋଗ ଏମାନଙ୍କର ନାହିଁ । ବିଶ୍ୱର ଅନନ୍ତ ସମ୍ପଦ ଭିତରେ ତୁଚ୍ଛ ବଣୁଆ ଗଛବୃଚ୍ଛରୁ ମିଠା ରସ ଆହରଣ କରି ଗରିବ ଘରର ଲୁବ୍ଧ ବାଳକ ବାଳିକାମାନେ ନିଜର ସ୍ୱାଦ ମେଣ୍ଟେଇ ଥାଆନ୍ତି । ତେଣୁ କରୁଣାମୟୀ ବନଦେବୀ ବଣର ସାଧାରଣ ଫଳଫୁଲରେ ବହୁତ ମିଠା ମହୁ ଭର୍ତ୍ତି କରି ରଖିଥାଆନ୍ତି ।

 

କିଛି ସମୟ ପରେ ଦୁର୍ଗା ପୋଖରୀର ପାଣି ଭିତରକୁ ଅଳ୍ପ ଟିକେ ଓହ୍ଲେଇ କହିଲା କେତେ ନାଲି ଫୁଲ ଫୁଟିଛିରେ ଅପୁ । ରହ, ସବୁ ତୋଳି ଆଣିବି । ପାଣି ଭିତରକୁ ଆଉ ଟିକିଏ ଓହ୍ଲେଇ ଦୁଇଟି ଫୁଲର ଲଟା ଧରି ଟାଣିବାକୁ ଲାଗିଲା ମାଟି ଉପରକୁ ଫିଙ୍ଗି ଦେଇ କହିଲା ନେ ଧର୍‌ ଅପୁ ।

 

ଅପୁ କହିଲା ପାଣି ସିଙ୍ଗଡ଼ା ତ ମଝି ପାଣିରେ- ସେଠିକି କେମିତି ଯିବୁ, ନାନୀ ?

 

ଦୁର୍ଗା ଗୋଟିଏ ବାଉଁଶ କଣି ସାହାଯ୍ୟରେ ମଝି ପାଣିରୁ ପାଣିସିଙ୍ଗଡ଼ାର ବୁଦାଗୁଡ଼ିକୁ ଟାଣିବାକୁ ଚେଷ୍ଟାକଲା । କିନ୍ତୁ ପାରିଲାନି । କହିଲା ପୋଖରୀଟା ବହୁତ ଢାଲୁ- ମଝିଆଡ଼କୁ ଖସିଯାଉଛି- ଥଳକୂଳ କେମିତି ପାଇବି ? ତୁ ବରଂ ଗୋଟେ କାମ କର, ପଛରୁ ମୋ ପଣତ ଧରି ଟାଣି ଧରିଲୁ ଦେଖି, ମୁଁ ବାଉଁଶ କଣିଟାରେ ପାଣି ସିଙ୍ଗଡ଼ାର ସେ ବୁଦାଟା ଟାଣି ଆଣେ ।

 

ବଣ ଭିତରେ ହଳଦୀ ରଙ୍ଗର ଚଢ଼େଇଟା ସାରୀ କଣ୍ଟା ଗଛଡାଳ ଅଗରେ ବସି ପତର ହଲେଇ କି ଚମତ୍କାର କୁହୁ ସ୍ୱନରେ ଗୀତ ଗାଉଥିଲା । ଅପୁ ତା’ ଆଡ଼କୁ ଅନେଇ ଅନେଇ ପଚାରିଲା ଏଇଟା କି ଚଢ଼େଇରେ ନାନୀ ?

 

ଚଢ଼େଇମଢ଼େଇ କଥା ଏବେ ରଖ୍‌ ଭିଡ଼ିଲୁ ମୋ ପଣତଟା, ନ ହେଲେ ଖସିଯିବି ଜୋରରେ ଟାଣିଧର ।

 

ଅପୁ ପଛପଟୁ ପଣତ ଭିଡ଼ି ଧରିଲା । ଦୁର୍ଗା ପାଦ ଚିପି ଚିପି ଯେତେ ଭିତରକୁ ଯିବା ସମ୍ଭବ ଯାଇ ବାଉଁଶ କଣି ପାଣି ଭିତରକୁ ବଢ଼େଇଲା । ଲୁଗାପଟା ଓଦା ହୋଇଗଲା, ତଥାପି ସେ ବୁଦାଯାଏ ପହଞ୍ଚି ପାରିଲାନି । ଆଉ ଟିକିଏ ତଳକୁ ଓହ୍ଲେଇ କେବଳ ଆଙ୍ଗୁଳି ଅଗରେ କଣି ଖଣ୍ଡିକ ଧରି ଟାଣିବାକୁ ଚେଷ୍ଟାକଲା । ଅପୁ ଟାଣି ଧରୁ ଧରୁ ତା’ର ଶକ୍ତି ବାହାରକୁ ଚାଲିଯାଉଛି ଜାଣିପାରି ପଛରୁ ହସି ପକେଇଲା । ହସିବାରୁ ପଣତ ଢିଲା ହୋଇଗଲା । ଦୁର୍ଗା ପାଣି ଆଡ଼କୁ ଝୁଁକି ପଡ଼ି ନିଜକୁ ସମ୍ଭାଳି ନେଲା । ହସି ହସି କହିଲା ତୁ ଗୋଟିଏ ଅକର୍ମା ପିଲା । ତୋ’ ଦେଇ କିଛି ହବନି, ପୁଣିଥରେ ଟାଣି ଧର୍‌ । ବହୁତ କଷ୍ଟରେ ଗୋଟାଏ ପାଣି ସିଙ୍ଗଡ଼ା ବୁଦା ପାଖକୁ ଟାଣି ଆଣି ପାରିଲା । ଦୁର୍ଗା କୌତୁହଳରେ ଖୋଜିବାକୁ ଲାଗିଲା କେତୋଟି ଫଳ ସେ ଲଟାରେ ଅଛି । ପରେ ହୁଡ଼ାକୁ ଫିଙ୍ଗିଦେଇ କହିଲା ବହୁତ ସାନ ଫଳ- ଏହା ଭିତରେ କ୍ଷୀର ବି ହୋଇନି, ଆଉଥରେ ଭିଡ଼ିଲୁ । ଅପୁ ପୁଣିଥରେ ପଛରୁ ଭିଡ଼ି ଧରିଲା । କିଛି ସମୟ ପରେ, ତା’ ନାନୀ ଆଗକୁ ଝୁଁକିବାରୁ ଗୋଟେ ଦୁଇଟି ପାଦ ପାଣି ଆଡ଼କୁ ଆଗେଇ ଆସିଲା ତା’ପରେ ତା’ର ଲୁଗା ଓଦା ହେବାର ଦେଖି ପଣତ ହୁଗୁଳା କରି ହି ହି, ହୋଇ ହସିଲା ।

 

ଦୁର୍ଗା ହସି ହସି କହିଲା ପୁରା ପାଣ୍ଡୁଟା ତୁ ! ତୋ’ ଦେଇ କିଛି ହେବନି !

 

ଭାଇ ଭଉଣୀ କଳ ହାସ୍ୟରେ କିଛି ସମୟ ପୋଖରୀ ହୁଡ଼ାର ନିର୍ଜନ ବାଉଁଶବଣ ମୁଖରିତ ହୋଇଉଠିଲା । ଦୁର୍ଗା କହିଲା- ଏତେ ଟିକେ ବି ବଳ ତୋ’ ଦେହରେ ନାହିଁ । ଅକର୍ମା କେଉଁଠୁକାର ! ସୋଲର ଢିଙ୍କିଟା ।

 

କିଛି ସମୟ ପରେ ଦୁର୍ଗା ପୁଣିଥରେ ପାଣି ଭିତରକୁ ଓହ୍ଲେଇବାକୁ ଚେଷ୍ଟା କରୁଥିଲା । ଅପୁ ହୁଡ଼ାରେ ଛିଡ଼ା ହୋଇଥିଲା । ଏତିକିବେଳେ ଅପୁ ଗୋଟିଏ ଜଙ୍ଗଲୀ ବୁଦା ଆଡ଼କୁ ଆଙ୍ଗୁଳି ଦେଖେଇ ପାଟି କରି କହିଲା- ଦେଖିଲୁ ନାନୀ, ସେଠାରେ କ’ଣଟା ପଡ଼ିଛି ?... ତା’ପରେ ସେ ସେଠାକୁ ଧାଇଁଗଲା ଏବଂ ମାଟି ଖୋଳି କ’ଣ ଜିନିଷଟାଏ ଟେକିବାରେ ଲାଗିପଡ଼ିଲା ।

 

ଦୁର୍ଗା ପାଣି ଭିତରେ ରହି ପଚାରିଲା- କ’ଣ କିରେ ? ତା’ପରେ ସେ ବି ପାଣିରୁ ଉଠି ଭାଇ ପାଖରେ ପହଞ୍ଚିଲା ।

 

ଅପୁ ସେତେବେଳକୁ ମାଟିଖୋଳି କ’ଣ ଗୋଟାଏ ଦ୍ରବ୍ୟ ବାହାର କରି ଅଣ୍ଟା କାନିରେ ପୋଛି ସଫା କରୁଥିଲା । ହାତରେ ଧରି ଅତି ସରାଗରେ ନାନୀକୁ ଦେଖେଇ କହିଲା- ଦେଖ୍‌ ନାନୀ, ଚକ୍‌ ଚକ୍‌ କରୁଛି- କ’ଣ ଏଇଟାରେ ?

 

ଦୁର୍ଗା ହାତରେ ଧରି ଦେଖିଲା- ଗୋଲାକାର ବସ୍ତୁଟି, ଗୋଟେପଟେ ଗୋଜିଆ, ପାର୍ଶ୍ୱରେ କଟା କଟା ଚିହ୍ନ କିନ୍ତୁ ଚକ୍‌ ଚକ୍‌ କରୁଛି । କିଛି ସମୟ ଧରି ସେ ଓଲଟ ପାଲଟ କରି ଆଗ୍ରହ ସହକାରେ ଦେଖିବାକୁ ଲାଗିଲା ।

 

ହଠାତ୍‌ କ’ଣ ଭାବିଲା କେଜାଣି, ରୁକ୍ଷ କେଶରେ ଘେରା ହୋଇଥିବା ତା’ର ମୁହଁଟି ଉଜ୍ଜ୍ୱଳ ଦେଖାଗଲା । ଡରି ଡରି ଚାରିଆଡ଼କୁ ସେ ଅନେଇଲା । କେହି କୁଆଡ଼େ ସେମାନଙ୍କୁ ଦେଖୁଛି କି ନାହିଁ ? ଚୁପି ଚୁପି କହିଲା- ଅପୁ, ଏଇଟା ବୋଧହୁଏ ହୀରା । ଚୁପ୍‌ କର୍‌, ପାଟି କରନା । ତା’ପରେ ଡରି ଡରି ପୁଣିଥରେ ଚାରିଆଡ଼କୁ ଲକ୍ଷ୍ୟକଲା ।

 

ଅପୁ ନାନୀ ଆଡ଼କୁ ଅବାକ୍‌ ଦୃଷ୍ଟିରେ ଅନେଇ ରହିଲା । ହୀରା ବୋଲି ବସ୍ତୁଟି ତା’ର ଅଜଣା ନୁହେଁ । ମା’ ମୁହଁରୁ, ନାନୀ ମୁହଁରୁ ବହୁତ ଥର ରୂପ କଥାର ରାଜପୁତ୍ର ଓ ରାଜକନ୍ୟାର ହୀରାମୁକ୍ତାର ଅଳଙ୍କାର ଗାଥା ଶୁଣିଥିଲା । କିନ୍ତୁ ପ୍ରକୃତରେ ହୀରାର ସ୍ୱରୂପ କ’ଣ ସେ ବିଷୟରେ ତା’ର ଭୁଲ ଧାରଣା ଥିଲା । ତା’ର ଧାରଣା ଥିଲା, ହୀରା ମାଛ ବିହନ ପରି ହଳଦୀଆ ରଙ୍ଗର, କିନ୍ତୁ ନରମ ନୁହେଁ । ଭୀଷଣ ଶକ୍ତ ।

 

ସର୍ବଜୟା ଘରେ ନ ଥିଲା । ସାହିରୁ ଫେରି ଦେଖିଲା ପୁଅଝିଅ ଘରର ଦରଜା ଭିତର ପଟେ ଛିଡ଼ା ହୋଇ ରହିଛନ୍ତି । ମା’ ପାଖରେ ପହଞ୍ଚିଲାରୁ ଦୁର୍ଗା ଚୁପ୍‌ ଚୁପ୍‌ କହିଲା ମା’, ଆମେ ଗୋଟିଏ ଜିନିଷ ଗୋଟେଇ ଆଣିଛୁ । ଗଡ଼ଖାଇ ପୋଖରୀକୁ ଆମେ ପାଣିସିଙ୍ଗଡ଼ା ତୋଳିବାକୁ ଯାଇଥିଲୁ, ସେଠାରେ ଜଙ୍ଗଲ ଭିତରେ ଏଇଟା ପୋତି ହୋଇପଡ଼ିଥିଲା ।

 

ଅପୁ କହିଲା ବୁଝିଲୁ ମା’, ମୁଁ ପ୍ରଥମେ ଦେଖି ନାନୀକୁ କହିଲି । ଦୁର୍ଗା ପଣତରୁ ଖୋଲି ଦ୍ରବ୍ୟଟି ମା’ ହାତକୁ ବଢ଼େଇ ଦେଇ କହିଲା ଦେଖିଲ ମା’ ଏଇଟା କ’ଣ ?

 

ସର୍ବଜୟା ବସ୍ତୁଟିକୁ ଓଲଟ ପାଲଟ କରି ଦେଖୁଥିଲା । ଦୁର୍ଗା ଧୀରେ ଧୀରେ କହୁଥିଲା-ମା’, ଏଇଟା ଠିକ୍‌ ହୀରା ଭଳି ଦେଖାଯାଉନି ?

 

ସର୍ବଜୟାର ମଧ୍ୟ ହୀରା ଉପରେ ଧାରଣା ସେମାନଙ୍କଠାରୁ ଅଧିକ ସ୍ପଷ୍ଟ ନୁହେଁ । ସେ ସନ୍ଦଗ୍ଧ ସ୍ୱରରେ ପଚାରିଲା ତୁ କେମିତି ଜାଣିଲୁ ଏଇଟା ହୀରା ବୋଲି ?

 

ଦୁର୍ଗା କହିଲା ମଜୁମ୍‌ଦାର ପରିବାର ବହୁତ ଧନୀ ଥିଲେ ନା ? ସେମାନଙ୍କ ଭିଟା ପାଖ ଜଙ୍ଗଲରେ କିଏ ସବୁ ମୋହର ଖୋଜି ପାଇଥିଲେ ପିଉସୀ କହୁଥିଲେ । ଏଇ ଖଣ୍ଡିକ ପୁଣି ପୋଖରୀ ପାଖ ଜଙ୍ଗଲରେ ପୋତା ହୋଇଥିଲା ଆଉ ଖରା ପଡ଼ି ଚିକ୍‌ ଚିକ୍‌ କରୁଥିଲା, ତେଣୁ ଏଇଟା ଦେଖିବ ହୀରା ହୋଇଥିବ ।

 

ସର୍ବଜୟା କହିଲା- ଆରେ, ତୋ’ ବାପା ଆସନ୍ତୁ, ତାଙ୍କୁ ଦେଖେଇବା । ଦୁର୍ଗା ବାହାର ବାରଣ୍ଡାକୁ ଆସି ଗଦ୍‌ଗଦ୍‌ ହୋଇ ଭାଇକୁ କହିଲା ଯଦି ଏଇଟା ହୀରା ହୋଇଥିବ ନା ଦେଖିବୁ ଆମେ ବଡ଼ଲୋକ ହୋଇଯିବା ।

 

ଅପୁ କିଛି ନ ବୁଝି ବି ହିଁ ହିଁ ହୋଇ ହସିଦେଲା । ପୁଅଝିଅ ଚାଲିଗଲା ପରେ ସର୍ବଜୟା ବସ୍ତୁଟି ବାହାର କରି ପୁଣିଥରେ ନିରେଖି ଦେଖିଲା । ଗୋଲାକାର, ପାଖଗୁଡ଼ିକ କଟା କଟା ପୁଣି ଗୋଟାଏ ପଟେ ଗୋଜିଆ ସତେ ଯେମିତି ସିନ୍ଦୁର ଡବାର ଉପର ଢାଙ୍କୁଣିଟା । ଚକ୍‌ ଚକ୍‌ କରୁଛି । ସର୍ବଜୟାର ମନେହେଲା ଯେମିତି ତା’ ଭିତରେ ଅନେକ ରଙ୍ଗର ଝଲ୍‍ମଲ୍‌ ଦେଖାଯାଉଛି । କିନ୍ତୁ କାଚ ନୁହେଁ, ଏ କଥା ଠିକ୍‌ । ଏ ପ୍ରକାରର କାଚ କେବେ କେଉଁଠି ଦେଖିବାର ତା’ ମନେହେଲାନି । ହଠାତ୍‌ ତା’ର ଦେହ ଭିତରେ କିପରି ଗୋଟିଏ ପ୍ରବାହ ଖେଳି ଯିବାର ଅନୁଭବ କଲା । ତା’ ମନ ଭିତରେ ଏକ ନିଭୃତ କୋଣରେ ବିଭିନ୍ନ ସନ୍ଦେହର ବାଧାକୁ ଅତିକ୍ରମ କରି ଭୟ ବିଜଡ଼ିତ ବିରାଟ ଦୂରାଶାଟିଏ ଉଁକି ମାରିଲା । ସତରେ ଯଦି ଏଇଟା ହୀରା ହୋଇଥାଏ, ତା’ହେଲେ କ’ଣ ହେବ ?

 

ହୀରା ସମ୍ପର୍କିତ ତା’ର ଧାରଣାଟି ‘ପରଶ ପଥର’ କିମ୍ବା ସାପ ମସ୍ତକରେ ଥିବା ମଣି ଜାତୀୟ ଏମିତି କିଛି ଥିଲା । ଏସବୁ କାହାଣୀର କଥା, ମାତ୍ର ବାସ୍ତବ ଜଗତରେ ଏସବୁ କଥା କିଏବା ଦେଖିଛି । ଆଉ ଯଦିବା ଦେଖାଯାଏ, ତା’ହେଲେ ଦୁନିଆର ସମସ୍ତ ଐଶ୍ୱର୍ଯ୍ୟ ବୋଧହୁଏ ସାମାନ୍ୟ ଖଣ୍ଡେ ହୀରା ବିନିମୟରେ ମିଳିପାରୁଥିବ !

 

କିଛି ସମୟ ପରେ ହାତରେ ପୁଟୁଳିଟିଏ ଧରି ହରିହର ଘର ଭିତରକୁ ପଶିଆସିଲା । ସର୍ବଜୟା କହିଲା-ଶୁଣୁଛ, ଏଠିକି ଟିକିଏ ଆସିଲ ! ଦେଖିଲ ଏଇଟା କ’ଣ !

 

ହରିହର ହାତରେ ଧରି ପଚାରିଲା- କେଉଁଠୁ ପାଇଲ ? ଦୁର୍ଗା, ଗଡ଼ଖାଇ ପୋଖରୀକୁ ପାଣିସିଙ୍ଗଡ଼ା ତୋଳିବାକୁ ଯାଇଥିଲା, ସେଇଠୁ ଗୋଟେଇ ଆଣିଛି । କ’ଣ ଏଇଟା ହୋଇଥିବ କହିଲ ?

 

ହରିହର କିଛି ସମୟ ହାତରେ ଓଲଟ ପାଲଟ କରି ଦେଖି କହିଲା କାଚଟିଏ କିମ୍ବା ପଥରଟାଏ ହେଇଥିବ ଛୋଟ ଖଣ୍ଡଟିଏ ତ ଠିକ୍‌ ଜଣାପଡ଼ୁନି !

 

ସର୍ବଜୟା ମନ ଭିତରେ ଅଳ୍ପ ଟିକିଏ କ୍ଷୀଣ ଆଶାର ରେଖାଟିଏ ଉଁକି ମାରିଲା କାଚ ହୋଇଥିଲେ ତା’ର ସ୍ୱାମୀ କ’ଣ ଜାଣିପାରି ନ ଥାଆନ୍ତେ ? କାଳେ ତା’ର ସ୍ୱାମୀ ବିରୋଧୀ ଯୁକ୍ତିରେ ମନା କରିଦେବ ଭାବି ଧୀରେ ଧୀରେ କହିଲା ଏଇଟା ହୀରା ନୁହେଁ ତ ? ଦୁର୍ଗା କହୁଥିଲା ମଜୁମ୍‌ଦାର ତାଙ୍କର ଘରବାଡ଼ିରେ କାଳେ କେତେ କିଏ ମୂଲ୍ୟବାନ ବସ୍ତୁ ସବୁ ଗୋଟେଇ ପାଇଛନ୍ତି । ଏଇଟା ଯଦି ହୀରା ହୋଇଥାଏ ?

 

ତୁମେ ବି ନା ! ଆରେ, ରାସ୍ତାଘାଟରେ ଏମିତି ଯଦି ହୀରା ମିଳୁଥାଆନ୍ତା ! ତା’ହେଲେ ଆଉ କ’ଣ ଚିନ୍ତା ଭାବନା ରୁହନ୍ତା ?

 

ତା’ମନରେ ଧାରଣା ବଦଳି ଯାଉଥିଲା, ଏଇ ଖଣ୍ଡଟା କାଚ ନିଶ୍ଚୟ । ପୁଣି ପର ମୁହୂର୍ତ୍ତରେ ମନେହେଲା, ହୁଏତ ହୀରା ବି ହୋଇପାରେ, କିଏ କହିପାରିବ ? ମଜୁମ୍‌ଦାର ପରିବାର ବେଶ୍‌ ଧନୀ ଲୋକ ଥିଲେ । ତାଙ୍କର ଗହଣା ବା କେଉଁ ଅଳଙ୍କାରରୁ ଲାଗିଥିବା ହୀରା ଖଣ୍ଡିଏ ଖସିପଡ଼ିଯିବା କ’ଣ ବଡ଼ ବିଚିତ୍ର କଥା ? ଖସିପଡ଼ି ମାଟିରେ ପୋତି ବି ଯାଇଥାଇପାରେ ! କଥାରେ ଅଛି, କପାଳରେ ନ ଥିଲେ ଗୁପ୍ତଧନ ହାତରେ ପଡ଼ିଲେ ବି ଚିହ୍ନି ହୁଏନି ଏଇଟା ବି କ’ଣ ସେମିତି ଦରିଦ୍ର ବ୍ରାହ୍ମଣର ଗପ ଭଳି ହେବ !

 

ହରିହର କହିଲା ଆଚ୍ଛା ହେଉ, ଏଇଟା ନେଇ ଗାଙ୍ଗୁଲି ଘରେ ଦେଖେଇ ଆଣୁଛି । ରାନ୍ଧୁ ରାନ୍ଧୁ ସର୍ବଜୟା ବାରମ୍ବାର ମନେ ମନେ କହିବାକୁ ଲାଗିଲା ରାଣ ରହିଲା ଠାକୁରେ, କେତେ ଲୋକ କେତେ ଯେ ଦ୍ରବ୍ୟ ରାସ୍ତାରୁ ଗୋଟେଇ ପାଉଛନ୍ତି ! ଆମ ସଂସାରର କେତେ ଯେ କଷ୍ଟ ରହିଛି ମୋ ପିଲାମାନଙ୍କୁ ମୁହଁକୁ ଟିକିଏ ଚାହିଁବ- ରାଣ ରହିଲା ଠାକୁରେ !

 

ତା’ ଛାତି ଭିତରଟା ଧଡ଼୍‌ ଧଡ଼୍‌ କରୁଥିଲା । କିଛି ସମୟ ପରେ ଦୁର୍ଗା ଘରକୁ ଫେରି ପଚାରିଲା ବାପା, ଏଯାଏ ଘରକୁ ଫେରିନାହାନ୍ତି ମା’ ?

 

ସେହି ସମୟରେ ହରିହର ଘର ଭିତରକୁ ପଶି କହିଲା- ହେଲା, ସେତିକିବେଳେ ମୁଁ କହୁ ନ ଥିଲି ଏଇଟା କିଛି ନୁହେଁ ବୋଲି । ଗାଙ୍ଗୁଲିବାବୁଙ୍କ ଜୋଇଁ କଲିକତାରୁ ଆସିଛନ୍ତି, ସେ ଦେଖି କହିଲେ, ଏଇଟା ଗୋଟିଏ ପ୍ରକାରର ସ୍ପଟିକ୍‌ କାଚ ତା’ରକସି ଲଣ୍ଠନରେ ଟଙ୍ଗା ହୋଇଥାଏ । ରାସ୍ତା ଘାଟରୁ ଯଦି ଏମିତି ହୀରା ଜହରତ ମିଳୁଥା’ନ୍ତା ନା ତୁମେ ବି ନା ବଦଳିବନି !

 

Unknown

(୧୨)

 

ବୈଶାଖ ମାସ ଚାଲିଥାଏ । ଦ୍ୱି’ପହରର ସମୟ । ସର୍ବଜୟା ମସଲା ବାଟିବା ପାଇଁ ଡାହାଣ ପଟେ ରଖିଥିବା ଫୁଲ ଡାଲାରେ ରଖିଥିବା ମସଲା ଖୋଜିଲା । (ବହୁତ ଦିନରୁ ଡାଲାରେ ଆଉ ଫୁଲ ରହୁନି, ମସଲା ରଖିବା ପାତ୍ରରୂପେ ଏହାକୁ ବ୍ୟବହାର କରୁଥିଲା ।) ଡାଲାଟିକୁ ନ ପାଇ କହିଲା- ଆରେ, ପୁଣିଥରେ ଜୀରା ପୁଟୁଳି କୁଆଡ଼େ ନେଇ ଗଲୁରେ ? ବଡ଼ ଦିକ୍‌ଦାର କରୁଛୁ ତୁ ଅପୁ ରାନ୍ଧିବାକୁ ଦେବୁନି ବୋଧେ ? ଆଉ ଟିକିଏ ପରେ ଆସି କହିବୁ ମାଆ, ଭୋକ ଲାଗିଲାଣି !

 

ତଥାପି ଅପୁର ଦେଖା ନାହିଁ । ଦେଇ ଯା ବାପାଟା ମୋର, ସୁନାଟା ପରା- କାହିଁକି ବିରକ୍ତ କରୁଛୁ କହିଲୁ ? ଦେଖୁନୁ ଡେରି ହେଇଯାଉଛି ।

 

ଅପୁ ରୋଷେଇ ଘର ଭିତରପଟ କବାଟ ଫାଙ୍କ ଦେଇ ମାଆ ଆଡ଼କୁ ଇଷତ୍‌ ଉଙ୍କି ମାରି ଦେଖିଲା । ମା’ର ଆଖିରେ ଧରା ପଡ଼ିଯିବାରୁ ସୁନ୍ଦର ଗୋରା ତକ୍‌ ତକ୍‌ ମୁହଁରେ ଦୁଷ୍ଟାମି ଭର୍ତ୍ତି ହସରେ ପୁଣିଥରେ ମୁହଁଟିକୁ ଲୁଚେଇ ଦେଲା । ସତେ ଯେମିତି ଶାମୁକାର ଖୋଳପା ଭିତରେ ଲୁଚି ଗଲା । ସଙ୍ଗେ ସଙ୍ଗେ କବାଟ ଆଢ଼ୁଆଳରେ ଅଦୃଶ୍ୟ ହୋଇଗଲା । ସର୍ବଜୟା କହିଲା ଦେଖ ତ ପିଲାଟିର ଦୁଷ୍ଟାମି କାହିଁକି ଏଦୁଇ ପ୍ରହରଟାରେ ମୋତେ ବିରକ୍ତ କରୁଛୁ ବାପା ? ଦେଇ ଯା, ବାବୁଟା...

 

ଅପୁ ପୁଣିଥରେ ହସ ହସ ମୁହଁରେ ଉଁକି ମାରିଲା ।

 

ଏଇ, ମୁଁ ଦେଖି ପକେଇଛି । ଆଉ ଲୁଚି ରହନା । ଦେ, ଦେଇଯା ଏବେ ଡାଲାଟା ।

 

ହି, ହି, ହି-ଆମୋଦପୂର୍ଣ୍ଣ ହସଟିଏ ହସି ପୁଣିଥରେ କବାଟ ଆଢ଼ୁଆଳରେ ମୁହଁ ଲୁଚେଇଲା ।

 

ସର୍ବଜୟା ପୁଅର ହାବଭାବ ଭଲ ଭାବରେ ଜାଣେ । ଅପୁକୁ ଯେତେବେଳେ ଦେଢ଼ ବରଷ ସେତେବେଳେ ତା’ର ଚେହେରା ବର୍ତ୍ତମାନଠୁ ବି ବେଶୀ ଗୋରା ତକ୍‌ତକ୍‌ ଥିଲା । ସର୍ବଜୟାର ମନେଅଛି, ତା’ର ଡବଡବ ଟଣା ଆଖି ଦୁଇଟିରେ କଜ୍ୱଳ ଦେଇ କପାଳରେ କଳାଟିପା ଲଗେଇ ଦିଏ । ତା’ ମୁଣ୍ଡରେ କମ୍‍ଦାମର ନୀଳରଙ୍ଗର ଘଣ୍ଟବାଲା ପଶମ ଟୋପିଟିଏ ପିନ୍ଧେଇ ଦିଏ । ସଞ୍ଜ ଆଗରୁ କୋଳରେ ଧରି ବାହାର ପିଣ୍ଡାରେ ଛିଡ଼ା ହୋଇ ଶୁଆଇ ଦେବାକୁ ସୁର ଧରି ଗାଏ

 

ଆସ, ଆସ ଚଢ଼େଇ-ଇ-ଲାଞ୍ଜ ଝୁଲାଇ

ମୋ କୁନି ପୁଅକୁ ଟିକେ-ଏ-ଏ-ଡାଳେ ଉଠାଇ

 

ପିଲାଟି ନରମ ପୁଚ୍‌ପୁଚିଆ ଫୁଲା ଫୁଲା ଗାଲରେ ମାଆ ଆଡ଼କୁ ହାଁ’ କରି ଚାହିଁଥାଏ, ପରେ ପୁଣି କ’ଣ ଭାବି ଦାନ୍ତ ନ ଥିବା ମାଢ଼ି ଦେଖେଇ ଗେହ୍ଲାରେ ଆଠଖଣ୍ଡ ହୋଇ ବଳା ପିନ୍ଧା ଅସମ୍ଭବରୂପେ ଛୋଟ ପାଦରେ ମାଆକୁ ଛନ୍ଦି ଧରି ମାଆର ପିଠିଆଡ଼େ ମୁହଁ ଲୁଚେଇ ଦିଏ । ସର୍ବଜୟା ହସି ହସି କହେ ଆରେ ମା’, ପୁଅ ମୋର କେଉଁଠି ଲୁଚିଛି ? ମୁଁ ତ କାହିଁ ଦେଖିପାରୁନି ! କେଉଁଠି ଅଛରେ ମୋ ପୁଅ !... ପରେ କାନ୍ଧ ପଟେ ଫେରି ପଛକୁ ଚାହିଁଲେ, ପିଲାଟି ହସି ହସି ସାମନା ପଟକୁ ମୁହଁ ଆଣି ନିର୍ବୋଧ ପରି ମାଆ କାନ୍ଧରେ ମୁହଁ ଲୁଚେଇଦିଏ । ଯେତେଥର ସର୍ବଜୟା କହୁଥାଏ ଓ ମା’, ମୋ ପୁଅ କୁଆଡ଼େ ଗଲା ଲୋ ପୁଣିଥରେ କୁଆଡ଼େ ଗଲା କାହିଁ ଦେଖିପାରୁନି ତ, ପିଲାଟି ସେତିକି ଆଗ୍ରହରେ ଖେଳରେ ମାତିଯାଉଥିଲା । ବାରମ୍ବାର ଆଗପଛ ହୋଇ ମାଆର କାନ୍ଧ ଦରଜ ହୋଇଗଲେ ବି ଶିଶୁଟିର ଖେଳର ଶେଷ ହେଉନଥିଲା । ସେତେବେଳେ ପିଲାଟି ସଦ୍ୟ, କୋରା ମନ ନେଇ ସଂସାରକୁ ଆସିଥାଏ । ଜଗତର ଅଫୁରନ୍ତ ଆନନ୍ଦ ଭଣ୍ଡାରରୁ ଅଣୁଟିଏର ସନ୍ଧାନ ପାଇ, ତାହାର ଅବୋଧ ମନଟି ସେହି ସୁଖଟିକୁ ପାଇ ବାରମ୍ବାର ଲୋଭୀ ପରି ଆସ୍ୱାଦ କରି ମଧ୍ୟ ସେ ତା’ର ଆଶା ପୂରଣ କରିପାରେନି ସେତେବେଳେ ତାକୁ ତା’ର କାର୍ଯ୍ୟରୁ ନିବୃତ୍ତ କରିବାର ଶକ୍ତି ତା’ର ମାଆର ବା କେଉଁଠୁ ଆସିପାରିବ ? କେତେ ସମୟ ଏମିତି କରି କରି ତା’ର କ୍ଷୁଦ୍ର ଶରୀରରୁ ଯେତେବେଳେ ଶକ୍ତି ଭଣ୍ଡାର ଶେଷ ହୋଇଯାଏ- ସେତେବେଳେ ସେ ଶୂନ୍ୟମନସ୍କ ହୋଇ ମୁହଁ ମେଲାକରି ହାଇ ପରେ ହାଇ ମାରେ । ସର୍ବଜୟା ପୁଅର ଛୋଟ ମେଲା ମୁହଁ ସାମନାରେ ଚୁଟ୍‌କି ମାରି ପୁଅର ମଙ୍ଗଳ କାମନା କରି କହେ ଷଷ୍ଠୀ, ଷଷ୍ଠୀ ଏଇ ଦେଖ ଥକି ଯାଇ ପୁଅ ଆଖିରେ ନିଦ ମାଡ଼ି ଆସୁଛି, ସ୍ୱପ୍ନ ଦେଖିବ । ତା’ପରେ ସେ ମୁଗ୍‍ଧ ହୋଇ କଜଳ ଓ ଟିପା ପିନ୍ଧା ଶିଶୁପୁତ୍ରର କୋମଳ ମୁହଁକୁ ଚାହିଁ କହେ- ମୋ ‘ସନ’କୁ କେତେ ଯେ ରଙ୍ଗ ଜଣା, ମାତ୍ର ଦେଢ଼ ବର୍ଷ ବୟସରେ ! ହଠାତ୍‌ ପୁଅର ନାଲି ଗାଲରେ ଚୁମା ପରେ ଚୁମା ଆକୁଳ ଭାବରେ ଆଙ୍କିଦିଏ । କିନ୍ତୁ ମାଆର ଏହି ନିବିଡ଼ ସ୍ନେହ ପ୍ରତି ଉଦାସୀନ ହୋଇ ଶିଶୁଟିର ନିଦ୍ରାତୁର ଆଖିପତା ଢଳଢଳ ହୋଇଆସେ । ସର୍ବଜୟା ଧୀରେଧୀରେ ପୁଅର ମୁଣ୍ଡ ନିଜ କାନ୍ଧରେ ଜାକି ଦେଇ କହେ-ମା’ ଲୋ, ଦେଖ ସଞ୍ଜ ବେଳଟାରେ ଶୋଇପଡ଼ିଲା କେମିତି ! ଭାବୁଥିଲି ସଞ୍ଜଟା ଗଡ଼ିଗଲେ କ୍ଷୀର ପିଆଇ ନିଦେଇ ଦେବି-ଦେଖ, ଏ ପିଲାଟିର କାଣ୍ଡ !...

 

ତେଣୁ ସର୍ବଜୟା ଜାଣୁଥିଲା- ପୁଅ ଆଠ ବର୍ଷର ହେଲେ ବି ପିଲାଦିନ ପରି ମାଆ ସହିତ ଲୁଚାଛପା ଖେଳିବାର ଆଶା ଏ ଯାଏ ବି ପୂରଣ ହୋଇନି ।

 

ଏମିତି ସବୁ ଜାଗାରେ ସେ ଲୁଚିଯାଏ, ଯେଉଁଠୁ ଜଣେ ଅନ୍ଧ ବି ଅତି ସହଜରେ ଖୋଜିପାରିବ କିନ୍ତୁ ସର୍ବଜୟା ଦେଖି ବି ନ ଦେଖିବାର ଛଳନା କରେ । ଗୋଟାଏ ଜାଗାରେ ବସିରହି ଏପଟ ସେପଟ ହୋଇ କହେ- ଆରେ, ସତେ ତ ! କୁଆଡ଼େ ଗଲା ପୁଅଟା ? ଦେଖିପାରୁନି ତ ! ଅପୁ ଭାବେ ମାଆକୁ ଅତି ସହଜରେ ଠକେଇ ହୁଏ ! ତେଣୁ ମାଆ ସହିତ ଏ ପ୍ରକାର ଖେଳରେ ମଜା ଅଛି ! ସର୍ବଜୟା ଜାଣେ, ଖେଳିବାର ଅଭିନୟ ଏମିତି ଚାଲିଲେ ଆଉ ଶେଷ ହେବନି, ଦିନଯାକ ଚାଲିଥିବ । ତେଣୁ ସେ ଧମକ ଦେଇ କହିଲା ହେଉ ହେଲା, ଆଜି ରୋଷେଇବାସ ସବୁ ବନ୍ଦ । ଅପୁ, ତୁ ଏମିତି କରୁଥା, ଖାଇବାକୁ ମାଗିଲେ ମଜା ପାଇଯିବୁ ଯେ

 

ଅପୁ ହସି ହସି ଲୁଚିବା ଜାଗାରୁ ବାହାରି ଆସିଲା ଏବଂ ମସଲା ପୁଟୁଳିଟା ମା’ ଆଗରେ ଥୋଇଦେଲା ।

 

ତା’ ମାଆ କହିଲା, ଯା ବାହାରୁ ଟିକେ ଖେଳି ଆସ୍‌ । ଦେଖିଲୁ, ନାନୀ କେଉଁଠି ଅଛି ? କେନ୍ଦୁଗଛ ମୂଳରେ ଛିଡ଼ା ହୋଇ ନାନୀକୁ ଟିକିଏ ଡାକ ପକେଇଲୁ ! ଆଜି ତା’ର ଗାଧୋଇବା ଦିନ-ଲକ୍ଷ୍ମୀଛାଡ଼ି ଝିଅଟିର ଖୋଜଖବର ପାଇବାର ଉପାୟ ନାହିଁ ! ଗଲୁ ଟିକେ, ଧନଟା ମୋର

 

କିନ୍ତୁ ମାତୃ ଆଦେଶ ପାଳନ କରି ସୁପୁତ୍ର ହେବାର କୌଣସି ପ୍ରକାର ଚେଷ୍ଟା ତା’ ପାଖରେ ପ୍ରକାଶ ପାଇଲାନି । ସେ ମସଲା ବାଟିବାରେ ବ୍ୟସ୍ତ ମାଆ ପଛରେ କ’ଣ ଗୋଟିଏ କାମରେ ବ୍ୟସ୍ତ ଥିଲା ।

 

ହୁ-ଉ-ଉ-ଉ-ଉମ୍‌-

 

ସର୍ବଜୟା ପଛକୁ ଫେରି ଦେଖିଲା, ଅପୁ ବଡ଼ିଦେବା ପାଇଁ ଚାଳ ଛପରରେ ଖୋସା ଯାଇଥିବା ପୁରୁଣା ଅଖା ଖଣ୍ଡିକରେ ଗୁଡ଼େଇ ହୋଇ ହାମୁଡ଼େଇ ବସିଛି ।

 

ସର୍ବଜୟା ଚିତ୍କାର କଲା ଆରେ, ଦେଖ, ଦେଖ, ପିଲାଟିର କାଣ୍ଡ ଦେଖ ! ଆରେ ଏ ଲକ୍ଷ୍ମୀଛଡ଼ା, ତା’ ଭିତରେ ଦୁନିଆଯାକର ଧୂଳି । ପକା, ପକା, ସାପ, ବୁଢ଼ିଆଣୀ କ’ଣ ସବୁ ପୋକ ଜୋକ ଥିବ ସେଥିରେ- ଆଜକୁ କେତେ ଦିନ ହେଲା ଟେକା ହୋଇ ଥୁଆ ହେଲାଣି ଯେ-

 

ପୁର୍ବ ଅପେକ୍ଷା ଆହୁରି ଗମ୍ଭୀର ସ୍ୱରରେ ଅପୁ ପୁଣିଥରେ କହିଲା

 

ହୁ-ଉ-ଉ-ଉମ୍‌-

 

ନା ପାରିହେବନି, କହିଲେ କଥା ଶୁଣିଲେ ତ-ବାପା ମୋର, ସୁନାଟା ମୋର, ସେଇଟା ଫିଙ୍ଗିଦେ-ମୋ ହାତରେ ମସଲା ଲାଗିଛି-ଦୁଷ୍ଟାମି କରନ୍ତିନି ଛିଃ !

 

ଅଖା ଭିତରର ମୂର୍ତ୍ତିଟିଏ ଭଳି ହାମୁଡ଼େଇ ଆଉ ଦୁଇ ପାଦ ଆଗକୁ ଆସିଲା । ସର୍ବଜୟା କହିଲା- ଛୁଇଁବୁ, ଛୁଇଁଦେବୁ ଯେ-ମୋତେ ଛୁଁ ନା ଲୋ, ମୋ ମାଣିକ ପରା- ହଉ ହେଲା, ଡରରେ ମୁଁ ଏକାବେଳକେ କାଠ ହୋଇଗଲିଣି ଭୀଷଣ ଭୟ ମୋତେ ଲାଗିଲାଣି ।

 

ଅପୁ ଖୁସିରେ ହି ହି କରି ଅଖା ଭିତରୁ ଉଠି ଛିଡ଼ା ହେଲା । ତା’ର ମୁଣ୍ଡର ଚୁଟିରେ ମୁହଁରେ, ଭ୍ରୂଲତାରେ, କାନରେ ଧୂଳି ସରସର । ମୁହଁଟିକୁ ବିକୃତ କରି ସେ ସାମନାର ଛୋଟ ଛୋଟ ଦାନ୍ତକୁ ନିକୁଟି ଛିଡ଼ାହେଲା ।

 

ମା’ ଲୋ, କ’ଣ ଯେ କରିବି । ଆରେ ହେ ହତଭାଗା, ଧୂଳି ମଳିରେ ପୂରା ଭୂତ ସାଜିଲୁଣି । ଉଃ, ସେ ପୁରୁଣା ଅଖାଟିରେ ଯେତେ ଧୂଳି ! ପୂରା ପାଗଳ ପିଲାଟା !

 

ଧୂଳି ଧୂସରିତ ଅବୋଧ ପୁତ୍ର ପ୍ରତି ସର୍ବଜୟାର ମନରେ କରୁଣା ମମତା ପୂରି ଉଠିଲା । କିନ୍ତୁ ଅପୁ ବାସି ଲୁଗା ପିନ୍ଧିଥିଲା । ଗାଧୋଇ ପାଧୋଇ ତାକୁ ଛୁଇଁ ପାରିବନି । ତେଣୁ ପୁଅକୁ ଗାମୁଛା ବଢ଼େଇ କହିଲା ଏଥିରେ ଭଲ ଭାବରେ ଝାଡ଼ି ଦେହ ମୁଣ୍ଡ ସଫା କରିପକା । କ’ଣ ଯେ କହିବି ଏ ପିଲାଟାକୁ ।

 

କିଛି ସମୟ ପରେ ପୁଅକୁ ରୋଷେଇ ଘରେ ଜଗୁଆଳି କରି, ପାଣି ଆଣିବା ପାଇଁ ବାହାରି ଯାଉଥିଲା, ଦେଖିଲା ଦୁର୍ଗା ଦୁଆର ଠେଲି ଘର ଭିତରକୁ ପଶୁଛି । ମୁହଁଟା ତା’ର ଖରାରେ ନାଲି ପଡ଼ିଯାଇଛି । ମୁଣ୍ଡର କେଶ ନୁଖୁରା ମୁଖୁରା ଅଥଚ ଧୂଳିଭର୍ତ୍ତି ପାଦରେ ଅଳତା ନାଇଛି । ମାଆ ସାମନାରେ ମୁହାଁମୁହିଁ ହୋଇଯିବାରୁ, ଢୋକ ଗିଳି ପଣତରେ ବନ୍ଧା ଥିବା ଆମ୍ବକୁ ଦେଖେଇ କହିଲା ପୁଣ୍ୟ ପୋଖରୀ ବ୍ରତ ପାଇଁ ବୁଟଗଛ ଆଣିବା ପାଇଁ ରୋଜି ଘରକୁ ଯାଇଥିଲି । ତାଙ୍କ ବଗିଚାରୁ ଆମ୍ବ ତୋଳା ହୋଇ ଆସି ଭାଗ ଦେଉଛି, ରୋଜିର ପିଉସୀ, ମୋତେ ଦେଲେ ।

 

ଆହା, ଝିଅର ବେଶ ଦେଖ, ଦେହରେ ଖଡ଼ି ଫୁଟୁଛି, ମୁଣ୍ଡ ଚୁଟିକୁ ଦେଖିଲେ ଦେହରେ ଜ୍ୱର ଆସିଯିବ । ପୁଣ୍ୟ ପୋଖରୀ ବ୍ରତ ପାଇଁ ତ ତୋ’ର ରାତିରେ ନିଦ ନ ଥିବ ? ପରେ ଝିଅ ପାଦକୁ ଚାହିଁ କହିଲା ପୁଣିଥରେ ଲକ୍ଷ୍ମୀପେଡ଼ିରୁ ଅଳତା କାଢ଼ି ପିନ୍ଧାହୋଇଛି, ବୋଧେ ?

 

ଦୁର୍ଗା ପଣତ କାନିରେ ମୁହଁଟାକୁ ଟିକେ ପୋଛିଦେଇ ନୁଖୁରା ବାଳକୁ କପାଳ ଉପରୁ ଘୁଞ୍ଚେଇ ଦେଇ କହିଲା ଲକ୍ଷ୍ମୀପେଡ଼ିର ଅଳତା ନା ଆଉକିଛି । ମୁଁ ସେଦିନ ବାପାଙ୍କୁ କହି ହାଟରୁ ପଇସାକର ଅଳତା ମଗାଇଥିଲି । ତା’ଛଡ଼ା ମୋ କଣ୍ଢେଇ ବାକ୍ସରେ ଆହୁରି ଅଳତା ସାଜ ନ ଥିଲା ଯେମିତି ?

 

ହରିହର ହୁକ୍‌କା ଚିଲମ ହାତରେ ଧରି ରୋଷେଇ ଘର ବାରଣ୍ଡାକୁ ଅଙ୍ଗାର ନିଆଁ ନେବାକୁ ପଶିଆସିଲା ।

 

ସର୍ବଜୟା କହିଲା ଘଣ୍ଟାକୁ ଘଣ୍ଟା ତମାଖୁ ପାଇଁ ରଡ଼ ନିଆଁ କେଉଁଠୁ ଆଣିବି । ସୁନ୍ଦରୀ କାଠ ହାଣି ଆଗରୁ ସବୁ ବନ୍ଦୋବସ୍ତ କରି ରଖିଦେଇଛ ତ ! ବାଉଁଶ ଫାଳର ନିଆଁଟା କେତେ ସମୟ ରହୁଛି ଯେ ପ୍ରତି ଘଣ୍ଟାକୁ ରଡ଼ନିଆଁ ତମାଖୁ ପାଇଁ ଯୋଗେଇ ଦେବି ? ତା’ପରେ ରଡ଼ ନିଆ କାଢ଼ିବା ପାଇଁ ଭଙ୍ଗା ପିତଳ ଡଙ୍କିରେ କିଛି ନିଆଁ କାଢ଼ି ବିରକ୍ତ ଭାବରେ ଥୋଇ ଦେଲା । ତା’ପରେ ଟିକିଏ ନରମ ସ୍ୱରରେ କହିଲା- କ’ଣ ହେଲା ?

 

ଏକ ପ୍ରକାର ସବୁ ଠିକ୍‌ ଥିଲା, ଘରର ସମସ୍ତେ ଦୀକ୍ଷା ନେବାର କଥା ହେଇଥିଲା, କିନ୍ତୁ, ଗୋଟିଏ କଥାରେ ଅଡ଼ୁଆ ଉପୁଜିଛି । ମହେଶ ବିଶ୍ୱାସର ଶ୍ୱଶୁର ଘରର ବିଷୟ ସମ୍ପତ୍ତି ଉପରେ କ’ଣ ଯେମିତି ଗଣ୍ଡଗୋଳ ଚାଲିଛି । ବିଶ୍ୱାସବାବୁ ସେଠାକୁ ଯାଇଛନ୍ତି ସେ ହିଁ ଅସଲ ମାଲିକ ତ ! ତେଣୁ, କଥାଟି ପୁଣିଥରେ ପଛେଇ ଗଲା । ତା’ପରେ ଆଷାଢ଼ ମାସଠୁ ଅକାଳ ମରୁଡ଼ି ପଡ଼ିଛି !

 

ଆଉ ଯେଉଁ ଘର ଡିହ ଓ ଚାଷ ଜମି ଦେବ ବୋଲି କହୁଥିଲା ଆଉ ଘର ତୋଳିଦେବ ବୋଲି କହୁଥିଲା, ସେ କଥା କ’ଣ ହେଲା ?

 

ଏଇ କଥାଟାରେ ଟିକିଏ ମୁଶ୍‌କିଲ ହୋଇଗଲା ଯେ ! ଧର ଯଦି ଦୀକ୍ଷା ନେବା କଥା ପଛେଇ ଯାଏ, ତା’ହେଲେ ଘର ଡିହ କଥାଟା ଆଗରୁ କେମିତି କହିବି ?

 

ସର୍ବଜୟା ମନ ଭିତରେ ଅନେକ ଆଶା ବାନ୍ଧିଥିଲା । କଥାଟି ଶୁଣି ହତୋତ୍ସାହ ହୋଇପଡ଼ିଲା, କହିଲା- ହଉ, ଯଦି ସେଠାରେ ସୁବିଧା ହେଉନି, ଅନ୍ୟ କେଉଁଠି ବୁଝାସୁଝା କରୁନ ? ବିଦେଶ ଜାଗାରେ ମାନ ସମ୍ମାନ ମିଳେ, ଏଠି କିଏ ପଚାରୁଛି ? ଦେଖୁନ, ଆମ୍ବପଣସର ସମୟ, କେହି ହେଲେ ଯାଚୁଛି ନା ଆମ ଘରେ ଏସବୁ କିଛି ଅଛି ? ଝିଅଟା ଆଜି କାହାଘରୁ ଅଧାସଢ଼ା ଆମ୍ବ ଦୁଇଟା ଆଣିଛି । ପରେ ଘରର ପଶ୍ଚିମ ପଟକୁ ମୁହଁ କରି ସେପଟକୁ ଦେଖେଇ କହିଲା- ସେ ଘରର ଲୋକେ ଆମ ଦୁଆର ପାଖରୁ ଝୁଡ଼ି ଝୁଡ଼ି ଆମ୍ବ ପାରି ନେଇଯା’ନ୍ତି- ପିଲାମାନେ ମୋର ଛିଡ଼ା ହୋଇ ଖାଲି ଦେଖନ୍ତି ଏଇଟା କ’ଣ କମ୍‍ କଷ୍ଟ !

 

ବଗିଚାର ପ୍ରସଙ୍ଗ ଉଠିଲାରୁ ହରିହର କହିଲା- ଉଃ, ସିଏ କି କମ୍‍ ଧୂର୍ତ୍ତ, ଫନ୍ଦିବାଜ୍‌ ? ବର୍ଷକୁ ପଚିଶ ଟଙ୍କା ଖଜଣା ଦେଇଦେଲେ ହେଇଥାନ୍ତା, ସେଇ ଟିକକ ପାଞ୍ଚ ଟଙ୍କାରେ ଲେଖେଇ ନେଲା । ମୁଁ ଯାଇ କେତେ ଅନୁନୟ କରି କହିଲି କକା, ମୋର ପୁଅ, ଝିଅ ଅଛନ୍ତି, ଏଇ ବଗିଚାରୁ ଆମ୍ବ, ଜାମୁ ଗୋଟେଇ ସେମାନେ ବଢ଼ୁଛନ୍ତି । ତା’ ଛଡ଼ା, ମୋର ବି ଆଉ କେଉଁଠି କିଛି ଜମିଜାଗା ନାହିଁ ! ସେମିତି ଦେଖିବାକୁ ଗଲେ ମୋର ଜ୍ଞାତି କୁଟୁମ୍ବର ବଗିଚା, ଈଶ୍ୱର କୃପାରୁ ଆପଣଙ୍କର କିନ୍ତୁ ଅଭାବ ନାହିଁ । ଦୁଇ ଦୁଇଟା ବଡ଼ ବଡ଼ ବଗିଚା ଆମ୍ବ, ଜାମୁ, ନଡ଼ିଆ, ଗୁଆରେ ଭର୍ତ୍ତି । ବଗିଚା ଖଣ୍ଡିକ ଛାଡ଼ି ଦିଅନ୍ତୁ ନା ? ସେ କ’ଣ କହିଲେ ଜାଣ ? କହିଲେ ନୀଳମଣି ଭାଇ ବଞ୍ଚିଥିବା ସମୟରେ ତାଙ୍କଠୁ ତିନି ଶହ ଟଙ୍କା କରଜ ନେଇଥିଲେ, ତେଣୁ ସେ ଏଇ ଭାବରେ ଶୁଝେଇ ନେଲେ । ଶୁଣିଲ ତାଙ୍କର କଥା ? ନୀଳମଣି ଭାଇଙ୍କ ବଡ଼ ଅଭାବ ଥିଲା ତ ତେଣୁ ତାଙ୍କ ପାଖରୁ ତିନି ଶହ ଟଙ୍କା ଧାର କରିବାକୁ ଭୁବନ ମୁଖାର୍ଜୀ ପାଖକୁ ହାତ ପାତିବାକୁ ଯାଇଥିଲେ । ଭାଉଜଙ୍କୁ ଭଲ ମଣିଷ ପାଇ ମୁଣ୍ଡରେ ହାତ ବୁଲେଇ ଦେଲା !

 

ଭଲ ମଣିଷ ନା ଆଉ କିଛି ! ସେ କୁଆଡ଼େ କହିଲେ ଯେ ଜ୍ଞାତିମାନେ ହିଁ ଶତ୍ରୁ । ପର ପାଖରେ ବଗିଚା ରହିଲେ ତ ଆଉ କିଛି ମିଳିବନି, ଫଳ ଫୁଲାରି ତ ଏମିତି ଖାଇଯିବ, ତା’ଠୁଁ ଭଲ କମ୍‍ ଜମାରେ ଯଦି ବନ୍ଦୋବସ୍ତରେ ଉଠେଇ ନିଆଯାଏ, ଖଜଣାଟା ତ ମିଳିଯିବ !

 

ହରିହର କହିଲା- ଖଜଣାଟା କ’ଣ ମୁଁ ଦେଇପାରନ୍ତିନି ? ବଗିଚାଟା ଜମା ଦେବ ବୋଲି ମୋତେ କେହି ଜଣେଇଲେ ? ଭାଉଜକୁ ପୁରି- ମୋହନ ଭୋଗ ଖୁଆଇ ହାତ କରିନେଲା ଓ ଭିତରେ ଭିତରେ ଲେଖେଇ ନେଲା ।

 

(୧୩)

 

ବିକାଳ ବେଳାଟାରେ ହଠାତ୍‌ ଚାରିଆଡ଼ ଅନ୍ଧାର କରି କାଳବୈଶାଖୀ ଝଡ଼ ମାଡ଼ିଆସିଲା । ବହୁତ ପୂର୍ବରୁ ବର୍ଷା ହେବ ହେବ ଜଣାପଡ଼ୁଥିଲା, କିନ୍ତୁ ଝଡ଼ଟା ଯେମିତି ଖୁବ୍‌ଶୀଘ୍ର ଆସିଗଲା । ଅପୁ ଘର ସାମନାର ବାଉଁଶ ଝାଡ଼ଟି ପାଚେରୀ ଉପରୁ ଝଡ଼ର ବେଗରେ ନଇଁ ଯାଇ ଅପର ପାର୍ଶ୍ୱରେ ପଡ଼ିଥିଲା । ଫଳରେ ଘରଟା କେମିତି ଫାଙ୍କା ଫାଙ୍କା ଜଣାପଡ଼ୁଥିଲା ଧୂଳି, ବାଉଁଶ ପତର, ପଣସ ପତର, କୁଟା ଚାରିପଟୁ ଉଡ଼ିଆସି ତାଙ୍କ ଅଗଣାରେ ଭର୍ତ୍ତି ହୋଇଗଲା । ଦୁର୍ଗା ଘରୁ ବାହାରି ଆସି ଆମ୍ବ ଗୋଟେଇବା ପାଇଁ ଧାଇଁଲା ନାନୀ ପଛେ ପଛେ ଅପୁ ବି ଧାଇଁଗଲା । ଦୁର୍ଗା ଦଉଡ଼ୁ ଦଉଡ଼ୁ କହିଲା- ଶୀଘ୍ର ଧାଇଁ ଚାଲ, ତୁ ଗୋଟିଏ କାମ କର, ସିନ୍ଦୁରକୌଟା ଗଛତଳେ ରହିଥିବୁ, ଆଉ ମୁଁ ସୁନାମୁଖୀ ଗଛମୂଳେ- ଶୀଘ୍ର ଶୀଘ୍ର ଧାଇଁ ଚାଲ । ଧୂଳିରେ ଚାରିଆଡ଼େ ଭର୍ତ୍ତି ହୋଇଗଲାଣି ବଡ଼ ବଡ଼ ଗଛର ଡାଳ ଝଡ଼ରେ ନଇଁ ଯାଇ ଲଣ୍ଡା ଲଣ୍ଡା ଦେଖାଯାଉଛି । ଗଛଗୁଡ଼ିକ ଦେହରେ ପବନ ବାଜି ସୁଁ, ସୁଁ, ବଁ, ବଁ ଶବ୍ଦ ବାହାରୁଛି ବଗିଚାରେ ଶୁଖିଲା ଡାଳ, ପତର, କୁଟା, ବାଉଁଶ ଖୋଳପା ଉଡ଼ି ଭର୍ତ୍ତି ହୋଇଯାଉଛି ଶୁଖିଲା ବାଉଁଶ ପତ୍ରଗୁଡ଼ିକର ମୁନିଆଁ ଅଗ ଉପର ଆଡ଼କୁ ଟେକି ରହି ଚକ୍ରପରି ବୁଲି ବୁଲି ଆକାଶକୁ ଉଠିଯାଉଛି କୁକ୍‌ଶିମା ଗଛରୁ ଶୁଆଁଭଳି ଡେଣାଥିବା ଧଳା ଧଳା ଫୁଲ ଝଡ଼ ମୁହଁରେ କେଉଁଠୁ ଅଜସ୍ର ସଂଖ୍ୟାରେ ଉଡ଼ିଆସୁଛି ପବନର ଶବ୍ଦ କାନରେ ଅତଡ଼ା ସୃଷ୍ଟି କରୁଛି ।

 

ସୁନାମୁଖୀ ଆମ୍ବଗଛ ମୂଳରେ ପହଁଞ୍ଚି ଅପୁ ମହା ଉତ୍ସାହରେ ଚିତ୍କାର କରି ଏପଟ ସେପଟ ଡିଆଁ ମାରି ଦଉଡ଼ିବାକୁ ଲାଗିଲା ଏଇ ନାନୀ, ଏଇଠି ଗୋଟିଏ ପଡ଼ିଲା, ଆଉ ଗୋଟିଏ ପୁଣି ପଡ଼ିଲାରେ ନାନୀ ! ଯେତେ ଜୋରରେ ପାଟି କରୁଥିଲା, ସେହି ଅନୁସାରେ ଆମ୍ବ ଗୋଟେଇ ପାରିଲାନି । ଝଡ଼ ବି ଭୀଷଣ ଶବ୍ଦରେ ବଢ଼ି ଚାଲିଥାଏ । ଝଡ଼ର ଶବ୍ଦରେ ଆମ୍ବ ପଡ଼ିବାର ଶବ୍ଦ ଶୁଣାଯାଉନଥିଲା, ଯଦି ବା କେତେବେଳେ ଶୁଣାଯାଉଥିଲା, ଠିକ୍‌ କେଉଁ ଜାଗାରେ ଖସୁଥିଲା, ଜାଣି ହେଉନଥିଲା । ଦୁର୍ଗା ଆଠ ନଅଟା ଆମ୍ବ ଗୋଟେଇ ସାରିଥିଲା, ଅପୁ ଏତେବେଳ ଯାଏ ଧାଁ- ଧପଡ଼୍‌ କରି ମାତ୍ର ଦୁଇଟା ଆମ୍ବ ପାଇଥିଲା । ସେଇ ଦୁଇଟିକୁ ଦେଖେଇ ଅତି ଆନନ୍ଦରେ କହିବାକୁ ଲାଗିଲା ଏଇ ଦେଖ୍‌ ନାନୀ, କେତେ ବଡ଼ ଆମ୍ବ ଏଇ ପୁଣି ପଡ଼ିଲା ଗୋଟିଏ ଏଇ ସେପଟେ

 

ଏତିକି ବେଳେ ହୈ ହୈ ଶବ୍ଦରେ ମୁଖାର୍ଜୀ ଘରର ପୁଅଝିଅମାନେ ଆମ୍ବ ଗୋଟେଇବା ପାଇଁ ଆସୁଥିବାର ଶୁଣାଗଲା । ସତୁ ପାଟି କରି କହିଲା ଆରେ ଭାଇ ଦୁର୍ଗା ନାନୀ ଆଉ ଅପୁ ଆସି ଆମ ବାଡ଼ିରୁ ଆମ୍ବ ଗୋଟାଉଛନ୍ତି

 

ସେମାନଙ୍କର ଦଙ୍ଗଲ ଆସି ସୁନାମୁଖୀ ଆମ୍ବଗଛ ତଳେ ପହଞ୍ଚିଗଲା । ସତୁ କହିଲା ଆମ ଘରର ବଗିଚାକୁ ଆମ୍ବ ଗୋଟେଇବାକୁ କାହିଁକି ଆସିଛ ? ସେଦିନ ମୋ ମାଆ ମନା କରିନଥିଲେ ? ଦେଖେଇଲୁ କେତେଟା ଆମ୍ବ ଗୋଟେଇଛୁ ?

 

ତା’ପରେ, ତା’ ଦଳବଳ ଆଡ଼କୁ ଚାହିଁ କହିଲା- ଦେଖିଲୁ ଟୁନୁ, କେତେ ସୁନାମୁଖୀ ଆମ୍ବ ଗୋଟେଇଛି ? ଯା, ଆମ ବଗିଚାରୁ ବାହାରିଯା ଦୁର୍ଗା ନାନୀ-ନଚେତ୍‌ ମାଆକୁ ଯାଇ କହିଦେବି ।

 

ରାନୁ କହିଲା- ସେମାନଙ୍କୁ କାହିଁକି ଖେଦି ଦେଉଛୁ, ସେମାନେ ଗୋଟାନ୍ତୁ ଆମେ ବି ଗୋଟେଇବା ।

 

ଗୋଟେଇବୁ ତ ନିଶ୍ଚୟ ! କିନ୍ତୁ ଏଠାରେ ରହିଲେ ସବୁ ଆମ୍ବତକ ସେ ହିଁ ନେଇଯିବ । ଆମ ଘରର ବଗିଚାକୁ ସିଏ କାହିଁକି ଆସିବ ଯେ ? ନା, ଯାଅ, ଦୁର୍ଗା ନାନୀ । ଆମ ଘରର ବଗିଚାରେ ରହିବାକୁ ଦେବିନି ।

 

ଅନ୍ୟ ସମୟ ହୋଇଥିଲେ ହୁଏତ ଦୁର୍ଗା ଏତେଶୀଘ୍ର ପରାଜୟ ସ୍ୱୀକାର କରିନଥା’ନ୍ତା କିନ୍ତୁ ସେଦିନ ଏମାନଙ୍କର ଅଭିଯୋଗ ପାଇଁ ମାଆ ପାଖରୁ ମାଡ଼ ଖାଇଥିଲା, ତେଣୁ ପୁଣିଥରେ ବିବାଦ ସୃଷ୍ଟି କରିବାର ସାହସ ତା’ର ହେଲାନି । ତେଣୁ ଖୁବ୍‌ ସହଜରେ ପରାଜୟ ସ୍ୱୀକାର କରି ମନ ମାରି କହିଲା ଅପୁ, ଆସ୍‌ ଯିବା ଏଠୁ । ପରେ ମୁହଁରେ ହଠାତ୍‌ କୃତ୍ରିମ ଆନନ୍ଦଭାବ ଦେଖେଇ କହିଲା ଚାଲ ଆମେ ସେହି ଜାଗାଟାକୁ ଯିବା, ଏଠି ରହିବାକୁ ନ ଦେଲେ, ଭାସିଗଲା- ବୁଝିଲୁ ? ଏହାଠାରୁ ଆହୁରି ବଡ଼ ବଡ଼ ଆମ୍ବ- ତୁ ଆଉ ମୁଁ ଦୁଇଜଣ ମଜା କରି ଗୋଟେଇବା- ଆ, ଯିବା ଆଉ ଗୋଟେ ଜାଗାକୁ । ଏଠାରେ ଏତେ ସମୟ ରହିଥିବାରୁ ଏହାଠୁ ବଡ଼ ଗୋଟିଏ ଲାଭରୁ ବଞ୍ଚିତ ହୋଇଥିଲେ ଏପରି ଭାବ ପ୍ରଦର୍ଶନ କରି ସେଠୁ ବାହାରିବାର ଉପକ୍ରମ କଲା । ସେମାନଙ୍କୁ ସେଇଠୁ ବାହାର କରିଦେବାଟା ସତରେ ଯେମିତି ତାଙ୍କ ପାଇଁ ଆଶୀର୍ବାଦରେ ପରିଣତ ହୋଇଗଲା ତେଣୁ ସେ ଅତ୍ୟଧିକ ଉତ୍ସାହ ସହିତ ଅପୁକୁ ପଛରେ ଧରି ନାଗଅରି ବାଡ଼ ଭିତର ଦେଇ ବଗିଚାରୁ ବାହାରିଗଲା ।

 

ସେମାନେ ଚାଲିଯିବାରୁ ରାନୁ କହିଲା- ସେମାନଙ୍କୁ କାହିଁକି ତଡ଼ି ଦେଲୁ ସତୁ ଭାଇ- ତୁମେ ଭାରି ହିଂସୁକ ସତରେ ! ରାନୁ ମନ ଭିତରେ ଦୁର୍ଗାର ଭରସାହରା ଚାହାଁଣିଟି ଭୀଷଣ ଆଘାତ ଦେଇଥିଲା ।

 

ଅପୁ ଏତେକଥା ବୁଝେନି । ବାଡ଼ ପାରିହେବା ପରେ ରାସ୍ତାରେ ପଚାରିଲା କେଉଁଠି ବଡ଼ ବଡ଼ ଆମ୍ବ ଅଛିଲୋ ନାନୀ ? ପୁଁଟୁ ଘର ସଳିତା ଖାଇ ଗଛମୂଳରେ ?

 

କେଉଁ ଗଛ ମୂଳକୁ ଯିବ, ଦୁର୍ଗା ଠିକ୍‌ କରିନଥିଲା, ଟିକିଏ ଚିନ୍ତା କରି କହିଲା- ଚାଲ ଗଡ଼ଖାଇ ପୋଖରୀ ପାଖ ବଗିଚାକୁ ଯିବା ସେପଟେ ସବୁ ବଡ଼ ବଡ଼ ଗଛ ଅଛି ଚାଲ ।

 

ଗଡ଼ଖାଇ ପୋଖରୀ ସେଠାରୁ ପ୍ରାୟ ପନ୍ଦର ମିନିଟର ବାଟ । ଗଳିକନ୍ଦି ଓ ଅନବରତ ଜଙ୍ଗଲିଆ ରାସ୍ତା ଦେଇ ବଣ ବଗିଚା ଅତିକ୍ରମ କଲେ ଯାଇ ସେଠାରେ ପହଞ୍ଚି ହୁଏ । ବହୁ ପୁରୁଣା ଆମ୍ବ ଓ ପଣସର ଗଛ ସବୁ । ଗଛତଳେ ବଣ ଓଉ, ଶାରୀକଣ୍ଟା ଅଣ୍ଡିରା ଗଛସବୁର ଦୁର୍ଭେଦ୍ୟ ଜଙ୍ଗଲ । ଅନେକ ଦୂର ଜାଗା ହୋଇଥିବାରୁ ଏବଂ ଜନମାନବ ଶୂନ୍ୟ ଗଭୀର ଜଙ୍ଗଲ ଭିତରେ ଥିବାରୁ, ଏଭଳି ସ୍ଥାନକୁ କେହି ଆମ୍ବ ଗୋଟେଇବାକୁ ପ୍ରାୟ ଆସନ୍ତିନି । ରଜ୍ଜୁ ଭଳି ମୋଟା ମୋଟା ଅନେକ ଦିନର ଗୁଳୁବି ଲତା ଏ ଗଛ ସେ ଗଛରେ ଛନ୍ଦି ହୋଇ ଝୁଲୁଥାଏ ବଡ଼ ବଡ଼ ପୁରୁଣା ଗଛ ମୂଳରୁ କଣ୍ଟକିତ ଘଞ୍ଚ ବୁଦା ଓ ଜଙ୍ଗଲରେ ଭର୍ତ୍ତି, ତା’ ଭିତରୁ ଖସି ପଡ଼ିଥିବା ଆମ୍ବ ସାଉଁଟିବା କେବଳ କଷ୍ଟକର ବ୍ୟାପାର ନୁହେଁ, ତା’ ସହିତ ଗାଢ଼ ହୋଇ ଆସିଥିବା କଳାମେଘ ଓ ବଗିଚା ଭିତରର ଗଛବୃଚ୍ଛର ଆବରଣରେ ଏମିତି ଅନ୍ଧାର ସୃଷ୍ଟି ହୋଇଛି ଯେ, କେଉଁଠି କିଛି ଭଲ ଭାବରେ ଦେଖାଯାଉନି । ତଥାପି ନଛୋଡ଼ବନ୍ଦା ଦୁର୍ଗା ଖୋଜି ଖୋଜି ଆଠ ଦଶଟା ଆମ୍ବ ଗୋଟାଇଲା ।

 

ହଠାତ୍‌ ସେ କହିଉଠିଲା ଆରେ ଅପୁ, ବର୍ଷା ଆସିଗଲା । ସଙ୍ଗେ ସଙ୍ଗେ ମନେହେଲା ଯେମିତି ଝଡ଼ଟା କିଛି ସମୟ ପାଇଁ ଟିକିଏ ନରମି ଗଲା ଶୁଖିଲା ମାଟି ଉପରେ ପ୍ରଥମ ବର୍ଷା ପଡ଼ିଲା ପରେ ଭିଜା ଭିଜା ଗନ୍ଧ ବାରିହେଲା କିଛି ସମୟ ଭିତରେ ଚଡ଼୍‌ଚଡ଼୍‌ କରି ବଡ଼ ବଡ଼ ବର୍ଷାର ଟୋପା ଗଛର ପତ୍ରରେ ପଡ଼ିବାକୁ ଆରମ୍ଭ କଲା ।

 

ଆ, ଆମେ ଘଞ୍ଚ ପତ୍ରର ଏଇ ଗଛମୂଳରେ ଛିଡ଼ା ହେବା ଏଠି ବର୍ଷା ପଡ଼ିବନି ଚାହୁଁ ଚାହୁଁ ଚାରିପଟେ ଧୂଆଁଳିଆ ହୋଇ ମୂଷଳ ଧାରାରେ ବର୍ଷା ଓଜାଡ଼ି ହୋଇପଡ଼ିଲା ବର୍ଷାର ବଡ଼ ବଡ଼ ଟୋପାରେ ଗଛର ପତ୍ର ସବୁ ଛିଡ଼ିଯାଇ ଉଡ଼ିବାରେ ଲାଗିଲା । ସଦ୍ୟ ଭିଜା ମାଟିର ମହକରେ ଚାରିପଟ ପୁରି ଉଠିଲା । ଝଡ଼ଟା ଟିକିଏ ପ୍ରଶମିତ ହୋଇ ଆସିଥିଲା ପୁଣିଥରେ ବଢ଼ିବାରେ ଲାଗିଲା ଦୁର୍ଗା ଯେଉଁ ଗଛମୂଳରେ ଛିଡ଼ା ହୋଇଥିଲା, ସେଠାରେ ସାଧାରଣତଃ ବର୍ଷା ପଡ଼ିବା କଥା ନୁହେଁ, କିନ୍ତୁ ପୂବେଳି ପବନର ଝାପ୍‌ଟା ବେଗରେ ଗଛତଳ ପର୍ଯ୍ୟନ୍ତ ଭସେଇ ନେଉଥିଲା । ଘରଠୁ ଅନେକ ଦୂରରେ ଆସି ପହଞ୍ଚିଛନ୍ତି ଅପୁ ଡରି ଡରି କହିଲା ନାନୀ ଲୋ ବହୁତ ଜୋରରେ ବର୍ଷା ଆସିଲାଣିରେ ।
 

ତୁ ମୋ ପାଖକୁ ଲାଗିଆସ ଦୁର୍ଗା ତାକୁ ପାଖକୁ ଭିଡ଼ିଆଣି ପଣତରେ ଢାଙ୍କି ଦେଇ କହିଲା ଏ ବର୍ଷା ଆଉ ବେଶୀ ସମୟ ହେବନି ଏବେ ଛାଡ଼ି ଆସିଲାଣି ବର୍ଷା ହେଲା, ଭଲ ହେଲା ଆମେ ପୁଣିଥରେ ସୁନାମୁଖୀ ଆମ୍ବ ଗଛମୂଳକୁ ଯିବା, ବୁଝିଲୁ ତ ?

 

ତା’ପରେ ଦୁଇଜଣ ପାଟି କରି କହୁଥିଲେ

 

ଲେମ୍ବୁ ପତ୍ରରେ କର୍‌ମଙ୍ଗା

 

ଯା ବର୍ଷା ଥମି ଯା

 

କଡ୍‌-କଡ଼୍‌-କଡ଼ାତ୍‌... ପ୍ରକାଣ୍ଡ ବଣ ବଗିଚାର ଅନ୍ଧାକାରର ମସ୍ତକଟି ସତେ ଯେମିତି ଏକଡ଼ରୁ ସେକଡ଼ ଯାଏ ବିଜୁଳି ଆଲୁଅରେ ଚିରି ହୋଇଗଲା ଆଖି ନିମିଷକେ ଚାରିପଟେ ହଠାତ୍‌ ବିଜୁଳିରେ ଉଦ୍ଭାସିତ ହୋଇଉଠିଲା ସାମନା ଗଛର ଅଗଡାଳରେ ଝୁଲୁଥିବା ପେନ୍ଥା ପେନ୍ଥା ପୋଲାଜହ୍ନି ଝଡ଼ ପବନରେ ଝୁଲୁଥିଲା । ଅପୁ ଦୁର୍ଗାକୁ ଭୟରେ ଜାବୁଡ଼ି ଧରି କହିଲା ନାନୀ ଲୋ !

 

ଭୟ କରନା ! ରାମ୍‌, ରାମ୍‌ କହ ରାମ, ରାମ, ରାମ, ରାମ

ଲେମ୍ବୁପତ୍ରରେ କରମଙ୍ଗା, ହେ ବର୍ଷା ଥମି ଯା ଲେମ୍ବୁପତ୍ରରେ କରମଙ୍ଗା

 

ବର୍ଷାର ଝାପ୍‌ଟାରେ ଦୁହିଁଙ୍କର ଲୁଗାପଟା, ମୁଣ୍ଡ ଭିଜି ଝର୍‌ ଝର୍‌ କରି ପାଣି ବୋହୁଥିଲା ଗୁମ୍‌-ଗୁମ୍‌-ଗୁମ୍‌-ମ୍‌-ମ୍‌- ଗୋଟିଏ ଚାପା ଗମ୍ଭୀର ଶବ୍ଦ ସତେ ଯେମିତି ଲୁହାର ରୋଳ ବାଡ଼ିଟିକୁ କିଏ ଆକାଶର ଧାତବ ଚଟାଣରେ ଏକଡ଼ରୁ ସେକଡ଼କୁ ଟାଣି ଟାଣି ଘୁରୁବୁଲାଉଛି ଅପୁ ଶଙ୍କି ଯାଇ କହିଲା ନାନୀ ଲୋ, ପୁଣିଥରେ

 

ଦୁର୍ଗା ସାହସ ଦେଇ କହିଲା ଭୟ କରନା, ଭୟ କାହିଁକି କରୁଛୁ ? ଆଉ ଟିକିଏ ଲାଗିଆସ ଆରେ ଯା, ତୋ ମୁଣ୍ଡଟା ପୁରା ଭିଜି ଜଡ଼ସଡ଼ ହେଇଗଲାଣି

 

ଚାରିପଟେ କେବଳ ବୃଷ୍ଟିପାତର ମୂଷଳଧାରାର ଅବିରାମ ହୁସ୍‌-ସ୍‌-ସ୍‌-ସ୍‌ ଶବ୍ଦ । ମଝିରେ ମଝିରେ ଝଡ଼ର ଦମ୍‌କା ଓସାଁ-ଓ-ଓ-ଓ, ବୋଁ-ଓ...ଓ...ଓ... ରବ । ଗଛଡାଳର ଶାଖା ପ୍ରଶାଖାର ଝପଟା ଶବ୍ଦ । ମେଘର ଗର୍ଜନରେ କାନ ଅତଡ଼ା ପଡ଼ିଯାଉଛି । ଥରେ ଥରେ ଦୁର୍ଗାର ମନେହେଉଥିଲା, ସତେ ଯେମିତି ପୁରା ବଗିଚାର ଗଛବୃଚ୍ଛସବୁ ଝଡ଼ରେ ମଡ଼ମଡ଼ କରି ଉପରେ ଭାଙ୍ଗି ପଡ଼ି ସେମାନଙ୍କୁ ଚାପିଦେବ !

 

ଅପୁ ଡରି ଡରି କହିଲା ନାନୀ, ଯଦି ବର୍ଷା ଆଉ ବନ୍ଦ ନ ହୁଏ ?

 

ହଠାତ୍‌ ଝଡ଼ କ୍ଷୁବ୍ଧ ଅନ୍ଧକାର ଆକାଶର ଗୋଟିଏ ପ୍ରାନ୍ତରୁ ଆଲୋକର ଲହଲହ ଜିହ୍ୱା ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ବିଦ୍ରୂପର କର୍କଶ ଅଟହାସ୍ୟରେ ରୋଳ ସୃଷ୍ଟିକରି ନିମିଷକେ ବ୍ୟାପିଗଲା ।

 

କଡ୍‌-କଡ଼୍‌-କଡ଼ାତ୍‌ !

 

ସଙ୍ଗେ ସଙ୍ଗେ ବଗିଚାର ମଥା ଉପରେ ଧୂଆଁଳିଆ ବର୍ଷାର ଧାରକୁ ଉଡ଼ାଇ ବିକ୍ଷିପ୍ତ କରି ଭୈରବୀ ପ୍ରକୃତି ଉନ୍ମତ୍ତତାର ମଧ୍ୟବର୍ତ୍ତୀ ସ୍ଥାନରେ ଅଟକ ପଡ଼ିଥିବା ଦୁଇ ଅସହାୟ ବାଳକ ବାଳିକାର ଆଖି ଝଲସାଇ ନୀଳ ବିଦ୍ୟୁତ୍‌ ଖେଳିଗଲା ।

 

ଅପୁ ଭୟରେ ଆଖି ବୁଜିଦେଲା ।

 

ଦୁର୍ଗାର ଗଳା ଭୟରେ ଶୁଖି ଯାଇଥିଲା । ସନ୍ତ୍ରସ୍ତ ଦୃଷ୍ଟିରେ ଉପରକୁ ଚାହିଁ ଦେଖିଲା ବଜ୍ରଟି ସେମାନଙ୍କ ଉପରେ ପଡ଼ୁଛି କି ନାହିଁ ? ଗଛ ଅଗରେ ପୋଲାଜହ୍ନି ସବୁ ଝଡ଼ପବନରେ ଦୋହଲୁଥିଲା ।

 

ସେହି ବଡ଼ ଲୁହାର ରୁଲ୍‌ ବାଡ଼ିଟାକୁ କିଏ ଯେମିତି ଆକାଶର ସେ ପାରିରୁ ଏ ପାରିକୁ ପୁଣିଥରେ ଟାଣି ଆଣୁଥିଲା ।

 

ଶୀତରେ ଥୁରୁ ଥୁରୁ ଅପୁର ଦାନ୍ତରେ ଦାନ୍ତ ଠକ୍‌ ଠକ୍‌ ହୋଇ ବାଜୁଥିଲା ଦୁର୍ଗା ତାକୁ ଆହୁରି ନିକଟକୁ ଭିଡ଼ି ଆଣିଲା । ଶେଷ ଆଶ୍ରୟରୂପେ ସାହସ ସଞ୍ଚୟ କରି ବାରମ୍ବାର ଶୀଘ୍ର ସେହି ଢମାଳିଟା ଆବୃତ୍ତି କରିବାରେ ଲାଗିଲା ଲେମ୍ବୁ ପତ୍ରରେ କରମଙ୍ଗା, ଯା ବର୍ଷା ଭୟରେ ତା’ର ସ୍ୱର ବି କମ୍ପି ଉଠୁଥିଲା ।

 

ସଞ୍ଜ ହେବାକୁ ଆଉ ବେଶୀ ଡେରି ନାହିଁ । ଝଡ଼ବର୍ଷା ଅଳ୍ପ ସମୟ ହେଲା ଥମିଯାଇଛି । ସର୍ବଜୟା ବାହାର ଦୁଆର ପାଖେ ଅପେକ୍ଷା କରି ଛିଡ଼ା ହୋଇଥିଲା । ରାସ୍ତାରେ ଜମି ଥିବା ପାଣି ଉପରେ ଚବର ଚବର ଶବ୍ଦ କରୁ କରୁ ରାଜକୃଷ୍ଣ ପାଲିତର ବଡ଼ ଝିଅ ଆଶାଲତା ପୋଖରୀ ଘାଟକୁ ଯାଉଥିଲା । ସର୍ବଜୟା ପଚାରିଲା ଆରେ ମା’, ଦୁର୍ଗା ଓ ଅପୁକୁ ସେପଟେ ଦେଖିଲୁ କିରେ ?

 

ଆଶାଲତା କହିଲା ନା ଖୁଡ଼ୀ, କାହିଁ ଦେଖିନି ତ । କୁଆଡ଼େ ଯାଇଛନ୍ତି ? ତା’ପରେ ହସି ହସି କହିଲା ବୁଝିଲ ଖୁଡ଼ୀ, ବେଙ୍ଗ ରଡ଼ି କରିବା ପାଇଁ କେତେ ବର୍ଷା ଯେ ହୋଇଗଲା !

 

ଝଡ଼ ଆସିବା ଆଗରୁ ଆମ୍ବ ଗୋଟେଇବା ପାଇଁ ଦୁଇଜଣ ଯାକ ଯେ ବାହାରକୁ ଯାଇଛନ୍ତି ଏ ଯାଏଁ ଫେରିଲେନି । ଝଡ଼ ବର୍ଷା ବି ବନ୍ଦ ହେଲାଣି, ଆସି ସଞ୍ଜ ହେଲାଣି, କୁଆଡ଼େ ଗଲେ ଏମାନେ ଲୋ ମା’ ?

 

ଉଦ୍‌ବିଗ୍ନ ଚିତ୍ତରେ ସର୍ବଜୟା ଘର ଭିତରକୁ ଯାଇ ପୁଣି ଫେରିଆସିଲା । କ’ଣ କରିବ ଭାବୁଛି, ଏତିକିବେଳେ ପଛଦୁଆର ଖୋଲି ଆପାଦମସ୍ତକ ଓଦା ସରସର ଅବସ୍ଥାରେ ଆଗେ ଆଗେ ଦୁର୍ଗା ଓ ପଛରେ ଅପୁ ଆସି ପହଞ୍ଚିଲା । ଦୁର୍ଗା ହାତରେ ଗୋଟିଏ ପାଚିଲା ନଡ଼ିଆ ଓ ଅପୁ ନଡ଼ିଆ ବରଡ଼ାଟାଏ ଟାଣିଟାଣି ଆଣୁଥିଲା । ସର୍ବଜୟା ସେମାନଙ୍କର ଅବସ୍ଥା ଦେଖି ପାଖକୁ ଧାଇଁଗଲା, ଆଉ କହିଲା, ଆଲୋ ମା’ ! କ’ଣ ଯେ କରିବି । ଭିଜିଯାଇ ଏକାବେଳକେ ପଖାଳ ପରି ନରମି ଯାଇଛନ୍ତି । କେଉଁଠି ଥିଲ ଏ ବର୍ଷା ବେଳଟାରେ ? ପୁଅକୁ ପାଖକୁ ଟାଣି ମଥାରେ ହାତ ବୁଲେଇ କହିଲା, ଆଲୋମା’, ମୁଣ୍ଡଟା ଭିଜି ସରସର ହୋଇଯାଇଛି । ତା’ପରେ ଟିକିଏ ଖୁସି ହୋଇ କହିଲା, ନଡ଼ିଆଟା କେଉଁଠୁ ପାଇଲୁରେ ଦୁର୍ଗା ?

 

ଅପୁ ଓ ଦୁର୍ଗା ଧିମା ସ୍ୱରରେ କହିଲେ ଚୁପ୍‌କର ମା’-ସାନ ମଝିଆ ବଡ଼ମା’ ତାଙ୍କ ବଗିଚାକୁ ଯାଉଛନ୍ତି-ଏଇତ ଏବେ ଗଲେ- ତାଙ୍କ ବଗିଚାର ବାଡ଼ ପାଖକୁ ଯେଉଁ ନଡ଼ିଆ ଗଛଟି, ତାହାରି ମୂଳରେ ପଡ଼ିଥିଲା । ଆମେ ବାହାରୁ ଥିଲେ ବଡ଼ମା’ ସେତିକିବେଳେ ପଶୁଥିଲେ ।

 

ଦୁର୍ଗା କହିଲା- ଅପୁକୁ ତ ସେ ଦେଖିଛନ୍ତି- ମୋତେ ବି ବୋଧେ ଦେଖିଛନ୍ତି । ତା’ପରେ ସେ ଅତି ଉତ୍ସାହ ସହକାରେ ଅଥଚ ଧିମା ସ୍ୱରରେ କହିଲା ବୁଝିଲ ମା’, ଠିକ୍‌ ଗଛ ମୂଳଟାରେ ପଡ଼ିଥିଲା, ପ୍ରଥମେ ମୁଁ ଜାଣିପାରିଲିନି । ସୁନାମୁଖୀ ଗଛ ମୂଳେ କାଳେ ଆମ୍ବ ପଡ଼ିଥିବ, ଦେଖିବାକୁ ଗଲାରୁ ଦେଖିଲି ନଡ଼ିଆ ବରଡ଼ାଟା ପଡ଼ିଛି । ଅପୁକୁ କହିଲି- ଅପୁ ବରଡ଼ାଟା ଉଠା- ମାଆର ଖଡ଼ିକା ଝାଡୁ ନାହିଁ, ପତର ବାହାର କରି ଝାଡୁ କରିବା । ତା’ପରେ ହିଁ ଏଇଟାକୁ ଦେଖିଲି- ହାତରେ ଧରିଥିବା ନଡ଼ିଆଟିକୁ ଉଜ୍ଜ୍ୱଳ ଭାବରେ ଚାହିଁ କହିଲା-ଖୁବ୍‌ ବଡ଼ ନା ମା’ ?

 

ଅପୁ ଖୁସିହୋଇ ହାତ ହଲେଇ କହିଲା- ମୁଁ ସେଇଠୁ ବରଡ଼ାଟା ଧରି ଧାଇଁଲି ।

 

ସର୍ବଜୟା କହିଲା ବେଶ୍‌ ବଡ଼, ଦର ପାଚିଲା ନଡ଼ିଆଟା । ପାଣିରଖା ଜାଗାଟା ପାଖରେ ରଖିଦେ, ପାଣିରେ ଧୋଇ ପରେ ନେଇଯିବି

 

ଅପୁ ଅନୁଯୋଗ ସ୍ୱରରେ କହିଲା, ମା’ ତୁମେ ସବୁବେଳେ କୁହ ନଡ଼ିଆ ନାହିଁ, ନଡ଼ିଆ ନାହିଁ, ଏଇତ ଘରକୁ ନଡ଼ିଆ ଆସିଲା । ଏଥର କିନ୍ତୁ ନଡ଼ିଆବରା କରିଦେବ । ଏଥର ତୁମେ ମନାକଲେ ଜମା ଶୁଣିବିନି

 

ବର୍ଷା ପାଣିରେ ପୁଅ ଝିଅର ମୁହଁଟି ମାନ ବର୍ଷାଧୌତ ଜୁଇ ଫୁଲ ପରି ସୁନ୍ଦର ଦେଖାଯାଉଥିଲା । ଥଣ୍ଡାରେ ଓଠଗୁଡ଼ିକ ନୀଳ ହୋଇଯାଇଛି । ମୁଣ୍ଡର ବାଳ ଓଦା ସରସର ହୋଇ କାନପାଖରେ ଲାଖିଯାଇଛି । ସର୍ବଜୟା କହିଲା ଦୁଇଜଣଯାକ ଆସ, ପ୍ରଥମେ ଲୁଗା ବଦଳେଇ ଦିଅ । ଗୋଡ଼ ଧୋଇ ବାରଣ୍ଡାକୁ ଉଠିଆସ

 

କିଛି ସମୟ ପରେ ସର୍ବଜୟା ପାଣି ଆଣିବାକୁ ଭୁବନ ମୁଖାର୍ଜୀଙ୍କ କୂଅ ପାଖକୁ ଗଲା । ମୁଖାର୍ଜୀ ଘର ପଛଦୂଆର ପାଖରେ ପହଞ୍ଚିବାରୁ ସେ ଶୁଣି ପାରିଲା, ସାନ ମଝିଆ ଯାଆ ଘରଭିତରେ ପାଟି କରି ଉଚ୍ଛନ୍ନ ହେଉଛନ୍ତି ।

 

ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ବଗିଚା ନିଲାମରେ ନେଇଛି- ମାଗଣା ତ କେହି ଦେଇନି । ଏ ଘରଛଡ଼ା ଛୋଟଲୋକଙ୍କ ଜ୍ୱାଳାରେ କୁଟା ଖଣ୍ଡେବି ଘରକୁ ଆସିପାରୁନି । ଆଉ ସେ ଟୋକୀଟା ରାତିଦିନ ବଗିଚାରେ ଜଗି ବସିଛି । କୁଟାଖଣ୍ଡେ ପାଇଲେ ବି ଘରକୁ ନେଇ ପଳାଇ ଯାଉଛି । ସେ ତିରିଲା ଖଣ୍ଡକ ସବୁ ଶିଖେଇ ଦେଉଛି । ସେ ତିରିଲାଟି ବି କ’ଣ କମ୍‍ ଭାବିଛ ? ଆଲୋ ମା’, ଭାବିଲି ବର୍ଷା ଛାଡ଼ିଗଲାଣି, ଥରଟିଏ ବଗିଚାଟି ବୁଲି ଦେଖିଆସେ-ଦେଖେତ, ଏଡ଼ିକି ବଡ଼ ନଡ଼ିଆଟି ଗୋଟେଇ ଦୁଲ୍‌ ଦୁଲ୍‌ ହୋଇ ଦଉଡ଼ିଛି । ଏତେ ଶତ୍ରୁତା ଭଗବାନ ସହ୍ୟ କରିବେନି-ଉଚ୍ଛନ୍ନ ଯିବେ, ଉଚ୍ଛନ୍ନ ଯିବେ ଏଇ ତ୍ରିକାଳ ସଞ୍ଜରେ କହୁଛି, ଆଉ ଯେମିତି ନଡ଼ିଆ ଖାଇବାକୁ ନ ରହେ- ଏକାଥରକେ ଶୀଘ୍ର ଯେମିତି ଛତିଆନା ମୂଳ ମଶାଣିକୁ ଚାଲିଯାଏ ।

 

ସର୍ବଜୟା କଥା କେଇପଦ ଶୁଣି ପଛପଟ କବାଟ ବାହାରେ ଦାରୁଭଳି ଛିଡ଼ା ହୋଇଗଲା । ପିଲା ଦୁହିଁଙ୍କର ବର୍ଷା ଭିଜା କଅଁଳିଆ ମୁହଁଗୁଡ଼ିକ ମନେପଡ଼ିଯିବାରୁ ସେ ଶିହରି ଉଠିଲା । ଯଦି ଏ ଗାଳି ସିଧାଯାଇ ସେମାନଙ୍କୁ ଲାଗିଯିବ ? ବାପରେ, ଏ ଯେଉଁ ଲୋକ ! କଥାରେ ବିଷ ଅଛି ! କ’ଣ କରିବ ଏବେ ? କଥାଟା ଭାବୁ ଭାବୁ ତା’ ଦେହ ଶିହରି ଉଠିଲା । ସାରା ଶରୀର ଯେମିତି ଅବଶ ହୋଇ ଆସିଲା । ସେ ଆଉ ମୁଖାର୍ଜୀ ଘରକୁ ପାଣି ଆଣିବାକୁ ପଶିଲା ନାହିଁ ଅଷାଢ଼ୁଆ ବଣ, ବାଉଁଶ ଝାଡ଼ ଭିତରେ ବର୍ଷା ବିଧ୍ୱସ୍ତ ସନ୍ଧ୍ୟାରେ, ଜୁଳୁଜୁଳିଆ ପୋକ ଦାଉ ଦାଉ କରି ଜଳୁଥିଲେ । ପାଦ ଯେମିତି ଆଉ ଆଗକୁ ବଢ଼ୁନି ଭୟରେ ସେ ହାତରେ ପାଣି ଆଣିବାର ଛୋଟ ବାଲ୍‌ତି ଓ କାଖରେ ମାଟି କଳସୀ ଧରି ଘରକୁ ଫେରିଆସିଲା ।

 

ରାସ୍ତାରେ ଫେରୁ ଫେରୁ ଭାବିଲା- ଯଦି ନଡ଼ିଆଟି ତାକୁ ଫେରେଇ ଦିଏ, ତା’ହେଲେ ବି ତା’ର ଗାଳିଗୁଡ଼ିକ ପିଲାଙ୍କୁ ବାଧିବ ? କାହିଁକି ବା ଲାଗିବ- ଯାହାର ଦ୍ରବ୍ୟ, ତାକୁ ତ ଫେରେଇ ଦିଆଗଲା, ତା’ହାହେଲେ କାହିଁକି ବାଧିବ ଯେ ?

 

ଘରେ ପାଦ ଦେଉ ଦେଉ ଝିଅକୁ କହିଲା- ଦୁର୍ଗା, ନଡ଼ିଆଟା ନେଇ ସତୁଘରେ ଦେଇ ଆ ।

 

ଅପୁ ଆଉ ଦୁର୍ଗା ଅବାକ୍‌ ହୋଇ ମାଆ ଆଡ଼କୁ ଚାହିଁ ରହିଲେ, ଦୁର୍ଗା କହିଲା ଏବେ ?

 

ହଁ- ଏବେ ସଙ୍ଗେ ସଙ୍ଗେ ଦେଇ ଆସ, ତା’ ଘର ପଛପଟ ଦୁଆର ଖୋଲା ଅଛି । ଶୀଘ୍ର ଯା ! କହିବୁ, ଆମେ ଗୋଟେଇ ପାଇଥିଲୁ ଏଇ ନିଅ, ତୁମକୁ ଦେଇଗଲୁ ।

 

ଅପୁ ମୋ ସାଙ୍ଗରେ ଟିକିଏ ଯିବନି ମା’ ? ଭୀଷଣ ଅନ୍ଧାର, ଚାଲ ଅପୁ ମୋ ସାଙ୍ଗରେ ଟିକେ ଚାଲ ।

 

ପୁଅଝିଅ ଗଲା ପରେ ସର୍ବଜୟା ତୁଳସୀ ଚଉରାମୂଳରେ ବେକରେ ପଣତ ଗୁଡ଼େଇ ପ୍ରଣାମ କରି କହିଲା ହେ ପ୍ରଭୁ, ଶତ୍ରୁତା କରି ନଡ଼ିଆ ଗୋଟେଇବା ପାଇଁ ମୋର ପିଲାମାନେ ଯାଇନଥିଲେ, ଏ କଥା ତୁମେ ଜାଣ, ଏ ଗାଳି ଯେମିତି ସେମାନଙ୍କୁ ନ ବାଧେ । ଗୁହାରି ରହିଲା ପ୍ରଭୁ, ଏମାନଙ୍କୁ ତୁମେ ବଞ୍ଚେଇ ରଖ ! ଏମାନଙ୍କର ତୁମେ ମଙ୍ଗଳ କର, ତୁମେ ଏମାନଙ୍କ ଆଡ଼କୁ କୃପା ଦୃଷ୍ଟିରେ ଦେଖ । ଗୁହାରି ରହିଲା, ଠାକୁରେ !

 

(୧୪)

 

ଗାଁ’ର ପ୍ରସନ୍ନଗୁରୁ ମହାଶୟ ଘରେ ଗୋଟିଏ ଡାଲିଚାଉଳ ଦୋକାନ କରିଥିଲେ ଏବଂ ଦୋକାନକୁ ଲାଗି ତାଙ୍କର ପାଠଶାଳା । କେବଳ ବେତଟିଏ ଛଡ଼ା ଶିକ୍ଷାଦାନ ନିମନ୍ତେ ଅଧିକା କିଛି ଉପକରଣ ନ ଥିଲା । କିନ୍ତୁ ଏହି ବେତଖଣ୍ଡିକ ଉପରେ ଅଭିଭାବକମାନଙ୍କ ବିଶ୍ୱାସ ଗୁରୁ ମହାଶୟଙ୍କଠୁ କିଛି କମ୍‍ ନ ଥିଲା । ତେଣୁ ସେମାନେ ତାଙ୍କୁ କହି ରଖୁଥିଲେ ଯେ କେବଳ ପାଦଛୋଟା ଓ ଆଖିକଣା ନ କରି ପିଲାମାନଙ୍କୁ ଯେତେଇଚ୍ଛା ବେତରେ ପିଟି ପାରନ୍ତି । ଗୁରୁ ମହାଶୟଙ୍କର ମଧ୍ୟ ତାଙ୍କର ଶିକ୍ଷାଦାନ ପାଇଁ ଉପଯୁକ୍ତ ଦକ୍ଷିଣାର ଅଭାବ ଓ ଆନୁସଙ୍ଗିକ ଉପକରଣ ନ ଥିବାରୁ ବେତ ସାହାଯ୍ୟରେ ହିଁ ଏସବୁ ପୂରଣ କରୁଥିଲେ । ପାଦଛୋଟା ଓ ଆଖିକଣା ନ କରିବାର ପ୍ରୟାସ ରଖି ବେପରୁଆ ଭାବରେ ବେତ ଚାଳନା କରୁଥିଲେ ଓ ଛାତ୍ରମାନେ କେବଳ ପ୍ରାଣ ବଞ୍ଚାଇ ପାଦ ଛୋଟା ଓ ଆଖି କଣା ହେବାର ଦୁର୍ଘଟଣାରୁ ରକ୍ଷା ପାଇଯାଉଥିଲେ ।

 

ପୌଷମାସ ଚାଲିଥିଲା । ଅପୁ ସକାଳେ ରେଜେଇ ଘୋଡ଼େଇ ବିଛଣାରେ ଶୋଇ ଖରା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା । ତା’ର ମାଆ ଆସି ଡାକିଲା- ଅପୁ ଶୀଘ୍ର ବିଛଣାରୁ ଉଠ୍‌, ଆଜି ତୁ ପାଠଶାଳାକୁ ପଢ଼ିବା ପାଇଁ ଯିବୁ । ତୋ’ ପାଇଁ କେତେସବୁ ବହି କିଣା ହେବ, ସିଲଟ୍‌ ଅଣାହେବ ବୁଝିଲୁ । ଉଠିପଡ଼ ହାତମୁହଁ ଧୋଇ ପ୍ରସ୍ତୁତ ହୋଇଯା, ତୋ’ ବାପା ତୋତେ ନେଇ ପାଠଶାଳାରେ ଛାଡ଼ି ଆସିବେ ।

 

ପାଠଶାଳାର ନାମ ଶୁଣିବାମାତ୍ରେ, ଅପୁ ସଦ୍ୟନିଦ ଛାଡ଼ିଥିବା ଆଖିରେ ମାଆ ଆଡ଼କୁ ଅବିଶ୍ୱାସ ଦୃଷ୍ଟିରେ ଚାହିଁ ରହିଲା । ତା’ର ଏତେ ପର୍ଯ୍ୟନ୍ତ ଧାରଣା ଥିଲା, ଯେଉଁ ପିଲାମାନେ ଦୁଷ୍ଟାମି କରନ୍ତି, ମାଆର କଥା ମାନନ୍ତି ନାହିଁ ଆଉ ଭାଇଭଉଣୀ ସଙ୍ଗେ ମାଡ଼ଗୋଳ ଲାଗନ୍ତି ସେମାନେ ହିଁ କେବଳ ପାଠଶାଳାକୁ ଯାଆନ୍ତି । କିନ୍ତୁ ସେ ତ କେବେବି ଏମିତି କାମ ସବୁ କରିନି, ତା’ହେଲେ ସେ କାହିଁକି ପାଠଶାଳାକୁ ଯିବ ?

 

ପୁଣି କିଛି ସମୟ ପରେ ସର୍ବଜୟା ପାଖକୁ ଆସି କହିଲା- ଅପୁ ଉଠିପଡ଼୍‌, ହାତମୁହଁ ଧୋଇପକା, ତୋତେ ବହୁତ ମୁଢ଼ି ବାନ୍ଧି ଦେବି, ପାଠଶାଳାରେ ବସିବସି ଖାଇବୁ, ଉଠିପଡ଼, ମୋ ଧନଟା ପରା !

 

ମାଆ କଥାର ଉତ୍ତର ଦେବାକୁ ଯାଇ ଅବିଶ୍ୱାସ ସ୍ୱରରେ କହି ପକେଇଲା ଇଃ ! ତା’ପରେ ମାଆ ଆଡ଼କୁ ଅନେଇ ଜିଭ ବାହାର କରି ଆଖିବୁଜି ମୁଖଭଙ୍ଗୀ ବଦଳେଇ ପଡ଼ିରହିଲା, ସତେ ଯେମିତି କ’ଣ ଗୋଟିଏ ତା’ର ଅସୁବିଧା ଘଟିଗଲା । ଉଠିବାର କୌଣସି ଲକ୍ଷଣ ଦେଖାଗଲାନି ।

 

କିନ୍ତୁ ଶେଷରେ ବାପା ଆସିଯିବାରୁ ଅପୁର ଜୋରାଜୁରି କାମ ଦେଲାନି । ଯିବା ପାଇଁ ପଡ଼ିଲା । ମାଆ ଆଡ଼କୁ ଚାହିଁ ଅଭିମାନରେ ତା’ ଆଖିରେ ଲୁହ ଜକେଇ ଆସିଥିଲା । ମାଆ ଖାଇବା ବାନ୍ଧିଦେବା ସମୟରେ ସେ କହିଲା, ମୁଁ ଆଉ କେବେବି ଘରକୁ ଆସିବିନି, ଦେଖିବ !

 

ଷଷ୍ଠୀ, ଷଷ୍ଠୀ, ଘରକୁ ଆସିବୁ ନି କ’ଣ ! ଛି, ଏମିତି କଥା କହନ୍ତିନି ! ତା’ପରେ ତା’ ଗାଲରେ ହାତ ଲଗାଇ ଚୁମା ଦେଲା ଓ କହିଲା ତୋ’ର ବହୁତ ପାଠ ହେଉ, ଖୁବ୍‌ ଭଲ ଭାବରେ ଲେଖାପଢ଼ା ଶିଖିବୁ, ସେତେବେଳେ ଦେଖିବୁ, କେତେ ବଡ଼ ଚାକିରୀ କରି କେତେ ଟଙ୍କା ପଇସା ରୋଜଗାର କରିବୁ । ଭୟ କରିବାର କିଛି କାରଣ ନାହିଁ । ସ୍ୱାମୀଙ୍କୁ ଡାକି କହିଲା ଶୁଣୁଛ ! ତୁମେ ଗୁରୁମହାଶୟଙ୍କୁ କହିଦେବ, ଅପୁକୁ ଯେମିତି କିଛି କହିବେନି ।

 

ପାଠଶାଳାରେ ଛାଡ଼ି ହରିହର କହିଲେ ଛୁଟି ହେବା ସମୟରେ ମୁଁ ପୁଣି ଆସି ତୋତେ ଘରକୁ ନେଇଯିବି, ଅପୁ । ବସିବସି ପାଠ ଲେଖିବୁ, ଗୁରୁ ମହାଶୟଙ୍କ କଥା ମାନିବୁ, ଦୁଷ୍ଟାମି କରିବୁନି ! କିଛି ସମୟ ପରେ ଅପୁ ପଛକୁ ଫେରି ଚାହିଁଲା, ତା’ର ବାପା ଧୀରେ ଧୀରେ ରାସ୍ତାର ବାଙ୍କରେ ଅଦୃଶ୍ୟ ହୋଇଗଲେ । ତା’ର ମନେହେଲା, ସେ ଅକୂଳ ସମୁଦ୍ର ଭିତରେ ! ଅନେକ ସମୟ ଯାଏ ସେ ମୁହଁ ତଳକୁ କରି ବସି ରହିଲା । ତା’ପରେ ଡରି ଡରି ମୁହଁ ଉଠେଇ ଏପଟ ସେପଟ ଚାହିଁଲା । ଦେଖିଲା ଗୁରୁମହାଶୟ ଦୋକାନର ମଞ୍ଚା ଉପରେ ବସି ତରାଜୁରେ ସୈନ୍ଧବ ଲବଣ ଓଜନ କରି କେହି ଜଣେ ଗରାଖକୁ ଦେଉଥିଲେ । କେତେଜଣ ବଡ଼ ପିଲା ନିଜ ନିଜ ଆସନରେ ବସି ବିଭିନ୍ନ ପ୍ରକାର ତାଳମେଳ ନ ଥିବା ସ୍ୱରରେ ଜୋରରେ ଝୁଲି ଝୁଲି କ’ଣ ସବୁ ପଢ଼ୁଥିଲେ । ତା’ଠୁ ଟିକିଏ ଛୋଟ ପିଲାଟି ଖୁଣ୍ଟକୁ ଡେରି ତାଳପତ୍ର ଲେଖନୀଟିକୁ ପାଟିରେ ପୁରେଇ ଚୋବାଉଥିଲା । ଗାଲରେ ତିଳ ଚିହ୍ନଥିବା ତା’ଠୁ ବଡ଼ ପିଲାଟିଏ ଦୋକାନର ମଞ୍ଚା ତଳକୁ ଚାହିଁ କ’ଣ ଯେମିତି ଲକ୍ଷ୍ୟ କରୁଥିଲା । ତା’ ଆଗରେ ବସିଥିବା ଦୁଇଜଣ ପିଲା, ସିଲଟରେ ଘର ଆଙ୍କି କ’ଣ ସବୁ ଖେଳୁଥିଲେ । ସେମାନଙ୍କ ଭିତରୁ ଜଣେ ଚୁପ୍‌ଚୁପ୍‌ କହୁଥିଲା ମୁଁ ଛକି ଦେଲି, ଆଉ ଜଣକ କହିଲା, ଏଇ ମୋର ଶୂନ୍‌, ତା’ପରେ ସ୍ଲେଟ୍‌ରେ କଟାକଟି ଚିହ୍ନ ପଡ଼ୁଥିଲା ! ମଝିରେ ମଝିରେ ସେମାନେ ଦୋକାନର ଦ୍ରବ୍ୟ ବିକ୍ରି କରୁଥିବା ଗୁରୁ ମହାଶୟଙ୍କ ଆଡ଼କୁ କଣେଇ କଣେଇ ଦେଖୁଥିଲେ । ଅପୁ କିନ୍ତୁ ନିଜ ସ୍ଳେଟ୍‌ରେ ବଡ଼ ବଡ଼ ଅକ୍ଷରରେ ବନାନ୍‌ ଲେଖିବାକୁ ଆରମ୍ଭ କଲା । କେତେ ସମୟ ଏମିତି ବିତିଯାଇଛି, ଅପୁ ଜାଣିପାରିନି । ହଠାତ୍‌ ଗୁରୁମହାଶୟ କହିଲେ- ଆରେ ଏ ଫନିଆ ସ୍ଳେଟରେ କ’ଣ ସବୁ କରୁଛୁରେ ? ସାମନାରେ ବସିଥିବା ସେ ପିଲା ଦୁଇଟି ସ୍ଳେଟ୍‌ଟିକୁ ଲେଉଟାଇ ଥୋଇଦେଲେ । କିନ୍ତୁ ଗୁରୁମହାଶୟଙ୍କ ଶ୍ୱେନଦୃଷ୍ଟି ଏଡ଼େଇଯିବା କାଠିକର ପାଠ । ସେ କହିଲେ- ଏ ସତୁଆ, ଫନିଆର ସ୍ଳେଟ୍‌ ଖଣ୍ଡିକ ଆଣିଲୁ ! ତାଙ୍କ ମୁହଁରୁ କଥା ଶେଷ ନ ହେଉଣୁ ଗାଲରେ ତିଳଚିହ୍ନ ଥିବା ପିଲାଟି ସ୍ଳେଟ୍‌ ଖଣ୍ଡିକ ଝାମ୍ପି ନେଇ ଗୁରୁଙ୍କ ମଞ୍ଚା ପାଖରେ ପହଞ୍ଚିଗଲା ।

 

ହୁଁ, ସ୍ଳେଟରେ ଏସବୁ ଶୂନ୍‌ଛକି ଖେଳ ଚାଲିଛି ନା ?- ସତୁଆ, ଧରିଆଣିଲୁ ଦୁଇଜଣଙ୍କୁ କାନ ଧରି ମୋ ପାଖକୁ ଆଣ !

 

ବଡ଼ ପିଲାଟି ଯେଭଳି ଭାବରେ ସ୍ଳେଟ୍‌ଟିକୁ ଝାମ୍ପି ନେଇଗଲା, ଏବଂ ଆର ଦୁଇଜଣ ପିଲା ଯେମିତି ବିପନ୍ନ ବଦନରେ ପାଦ ଥାପି ଥାପି ଚାଲି ଗୁରୁମହାଶୟଙ୍କ ଆଡ଼କୁ ଯାଉଥିଲେ, ଏସବୁ ଦୃଶ୍ୟ ଦେଖିଲାରୁ ଅପୁକୁ ହସ ଲାଗିଲା । ସେ ଫିକ୍‌ କରି ହସି ପକେଇଲା । ତା’ପରେ ହସଟାକୁ ଚାପି ରଖିବାକୁ ଚେଷ୍ଟାକଲା କିନ୍ତୁ ପର ମୁହୂର୍ତ୍ତରେ ପୁଣିଥରେ ହସି ଉଠିଲା ।

 

ଗୁରୁ ମହାଶୟ କହିଲେ କିଏ ହସୁଛି ? ଏପିଲା କାହିଁକି ହସୁଛୁ, ଏଇଟା କ’ଣ ନାଟ୍ୟଶାଳା ? ଏଁ ? କ’ଣ ଭାବିଛୁ, ଏଇଟା ଗୋଟେ ନାଟ୍ୟଶାଳା ?

 

ନାଟ୍ୟଶାଳା କାହାକୁ କହନ୍ତି, ଅପୁ ବୁଝିପାରିଲାନି, କିନ୍ତୁ ଭୟରେ ତା’ ମୁହଁ ଶୁଖିଗଲା ।

 

ଗୁରୁ ମହାଶୟ କହିଲେ- ଏ ସତୁଆ, ତେନ୍ତୁଳି ଗଛ ମୂଳରୁ ଗୋଟିଏ ବଡ଼ ଇଟା ଆଣିଲୁ ! ଅପୁ ଭୟରେ ଜଡ଼ ପାଲଟିଗଲା ! ତା’ର ଗଳା ଶୁଖି କାଠ ପରି ହୋଇଗଲା, କିନ୍ତୁ ଇଟା ଅଣାହେବା ପରେ ଜଣାପଡ଼ିଲା ଯେ ଇଟାର ବ୍ୟବସ୍ଥା ତା’ ପାଇଁ ଉଦ୍ଦିଷ୍ଟ ନୁହେଁ, ଶୂନ୍‌ଛକି ଖେଳୁଥିବା ଦୁଇଜଣ ପିଲାଙ୍କ ପାଇଁ ! ବୟସ ଅଳ୍ପ ପାଇଁ କିମ୍ବା ନୂଆକରି ପାଠଶାଳାରେ ଯୋଗ ଦେଇଥିବାରୁ ଗୁରୁମହାଶୟ ସେ ଥରକ ତାକୁ ଛାଡ଼ିଦେଲେ ।

 

ପାଠଶାଳା ବିକାଳ ବେଳାରେ ବି ବସୁଥାଏ । ସର୍ବମୋଟ ଆଠଦଶ ଜଣ ପୁଅଝିଅ ପଢ଼ିବାକୁ ଆସୁଥିଲେ । ସମସ୍ତେ ଘରୁ ଆଣିଥିବା ଛୋଟ ଛୋଟ ମସିଣା ଆସନ ପାରି ବସୁଥିଲେ । ଅପୁର ମସିଣା ଆସନ ନ ଥିଲା । ସେ ଘରୁ ଖଣ୍ଡେ ଛିଣ୍ଡା ଗାଲିଚା ଆସନ ଆଣିଥିଲା । ଯେଉଁ ଘରଟିରେ ପାଠଶାଳା ହେଉଥିଲା, ସେ ଘରେ କାନ୍ଥ କିମ୍ବା ବାଡ଼ କିଛି ନ ଥିଲା । ଚାରିପଟେ ଖୋଲା, ଘର ଭିତରେ ଧାଡ଼ିକରି ଛାତ୍ରମାନେ ବସିଯା’ନ୍ତି । ପାଠଶାଳାର ଚାରିକଡ଼ ବଣ ଜଙ୍ଗଲରେ ଭର୍ତ୍ତି । ପଛପଟେ ଗୁରୁମହାଶୟଙ୍କ ପୈତୃକ ଅମଳର ବଗିଚା । ଅପରାହ୍ନର ତାଜା ଗରମ ଖରା ବାତାପି, କେନ୍ଦୁ ଓ ପେଡ଼ାଫୁଲି ଆମ୍ବଗଛ ଫାଙ୍କ ଦେଇ ପାଠଶାଳାର ବାଉଁଶ ଖୁଣ୍ଟି ତଳେ ପଡ଼େ । ଆଖ ପାଖରେ ଆଉ କେଉଁଠି ଘରଦ୍ୱାର ନାହିଁ । କେବଳ ବଣ ଓ ବଗିଚା, ଆଉ ଗୋଟିଏ ପଟେ ଯିବା ଆସିବା ପାଇଁ ଛୋଟ ସରୁ ରାସ୍ତାଟିଏ ।

 

ଆଠଦଶଟି ପୁଅଝିଅ ସମସ୍ତେ ଦୋହଲି ଦୋହଲି ବିଭିନ୍ନ ସ୍ୱରରେ ଯେଝା ପାଠ ମୁଖସ୍ଥ କରନ୍ତି । ମଝିରେ ମଝିରେ ଗୁରୁ ମହାଶୟଙ୍କର ପାଟି ଶୁଣାଯାଏ,- ଆରେ ଏ କାବ୍‌ଲା, ତା’ ସିଲଟ୍‌କୁ ଚାହିଁ କ’ଣ ଦେଖୁଛୁ ? କାନ ରଗଡ଼ି ଏକାଥରକେ ଛିଣ୍ଡେଇ ଦେବି ! ଆରେ ଏ ନୁଟୁ, ତୋ’ର କେତେଥର କନା ଭିଜେଇବା ଦରକାର ହେଉଛି ? ପୁଣିଥରେ ଯଦି ଉଠିଚୁ ତ ...

 

ଗୁରୁମହାଶୟ ଗୋଟିଏ ଖୁଣ୍ଟକୁ ଡେରି ତାଳପତ୍ରର ବୁଣା ଚଟେଇ ଉପରେ ବସିଥାନ୍ତି । ତାଙ୍କ ମୁଣ୍ଡ ଚୁଟିରୁ ତେଲ ଲାଗି ବାଉଁଶ ଖୁଣ୍ଟିର ଡେରିବା ଜାଗାଟି ପାଚି ଯାଇଥାଏ । ବିକାଳ ସମୟରେ ଗାଁ’ର ଦିନୁ ପାଲିତ୍‌ କିମ୍ବା ରାଜୁ ରାୟ ତାଙ୍କ ସହିତ ଗପସପ ହେବା ପାଇଁ ପ୍ରାୟ ଆସନ୍ତି । ପାଠପଢ଼ା ଅପେକ୍ଷା ଅପୁକୁ ସେମାନଙ୍କର ଗପ ଶୁଣିବା ପାଇଁ ବେଶୀ ଭଲ ଲାଗେ । ରାଜୁରାୟ ମହାଶୟ ପ୍ରଥମ ଯୌବନ ସମୟରେ ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ ସ୍ମରଣ କରି କିଭଳି ଭାବରେ ଆଷାଢ଼ୁ ବଜାରରେ ତମାଖୁ ବ୍ୟବସାୟ ଆରମ୍ଭ କରିଥିଲେ, ସେ କଥା କହନ୍ତି । ଅପୁ ବିସ୍ମୟରେ ସବୁକଥା ଶୁଣେ । ତା’ପରେ ମନେ ମନେ ଭାବି ଚାଲେ, ତା’ର ବି ଗୋଟିଏ ଛୋଟ ତମାଖୁ ଦୋକାନ ଥାଆନ୍ତା, ସେଇଠି ବସି ବସି ଦା’ରେ ତମାଖୁକୁ ଖଣ୍ଡ ଖଣ୍ଡ କରି କାଟୁଥାଆନ୍ତା । ତା’ପରେ ରାତିରେ ନଦୀ ପାରି ହୋଇ ଘରକୁ ଫେରିଥାନ୍ତା, ଛୋଟ ମାଟିହାଣ୍ଡିରେ ଭାତ ଓ ମାଛ ଝୋଳ ରାନ୍ଧିଥାନ୍ତା । କେବେ ତା’ଘରେ ଥିବା ଛିଣ୍ଡା ମହାଭାରତ ଖଣ୍ଡକ କିମ୍ବା ବାପାର ସେହି ଦାଶୁ ରାୟଙ୍କ ପଞ୍ଚାଳୀ ଖଣ୍ଡକ ମାଟିର ପ୍ରଦୀପ ଆଲୁଅ ସାମନାରେ ବସି ପଢ଼ୁଥାନ୍ତା । ବାହାରେ ଅନ୍ଧାର ରାତିରେ ଝିପ୍‌ଝିପ୍‌ ବର୍ଷା ପଡ଼ୁଥିବ । କେହି କେଉଁଠି ନ ଥିବେ । ପଛପଟ ଗାଡ଼ିଆରୁ ବେଙ୍ଗ କେଁ କଟର ରଡ଼ି ଛାଡ଼ୁଥିବେ-କି ସୁନ୍ଦର ପରିବେଶ ! ସେ ବି ବଡ଼ ହେଲେ ତମାଖୁ ଦୋକାନଟିଏ ଖୋଲିବ ।

 

ଯେଉଁଦିନ ଗାଁ’ର ରାଜକୃଷ୍ଣ ସାନ୍ୟାଲ୍‌ ମହାଶୟ ଏହି ଗଳ୍ପ ଗୁଜବର ଆସରରେ ଯୋଗଦିଅନ୍ତି, ସେଦିନ ଆସରଟା ଭାବ ଓ କଳ୍ପନାର ସର୍ବୋଚ୍ଚ ସ୍ତରକୁ ଉଠିଯାଏ । ଯେ କୌଣସି ଗଳ୍ପ ହେଉନା କାହିଁକି, ଯେତେ ସାମାନ୍ୟ ବିଷୟବସ୍ତୁ ହୋଇଥିଲେ ବି ସେଗୁଡ଼ିକୁ ସଜେଇ ବନେଇ କହିବାର ଶୈଳୀ ତାଙ୍କର ଅସାଧାରଣ ଥିଲା । ସାନ୍ୟାଲ୍‌ ମହାଶୟଙ୍କ ଦେଶ ଭ୍ରମଣ କରିବାରେ ପ୍ରବଳ ସଉକ୍‌ ଥିଲା । କେଉଁଠି ଦ୍ୱାରକା, କେଉଁଠି ସାବିତ୍ରୀ ପାହାଡ଼ ତ କେଉଁଠି ଚନ୍ଦ୍ରନାଥ । ସେ ପୁଣି ଏକା ଯିବେନି, ସାଙ୍ଗରେ ସ୍ତ୍ରୀପୁତ୍ର ଧରି ବୁଲିଯାଆନ୍ତି । ଖର୍ଚ୍ଚପତ୍ର କରି ସର୍ବସ୍ୱାନ୍ତ ହୋଇ ଘରକୁ ଫେରୁଥିଲେ । ମହାଆରାମରେ ନିଜର ଚଣ୍ଡୀମଣ୍ଡପରେ ବସି ଲମ୍ବା ପାଇପ୍‌ ବାଲା ହୁକାରେ ତମାଖୁ ଟାଣନ୍ତି । ମନେହୁଏ ସାନ୍ୟାଲ୍‌ ମହାଶୟଙ୍କ ଭଳି ନିତାନ୍ତ ଘରୁଆ, ସେ ସମୟର ମଫସଲ ଅଞ୍ଚଳର ଅବସରପ୍ରାପ୍ତ ଗୃହସ୍ଥ ଏବେ ବହୁତ ସଂଖ୍ୟାରେ ନାହାନ୍ତି । ପୈତୃକ ଚଣ୍ଡୀମଣ୍ଡପରେ ଚେର ଲମ୍ବେଇ ରହିଛନ୍ତି । ହଠାତ୍‌ ଦିନେ ଦେଖାଗଲା, ସାମନା ଦରଜାରେ ତାଲା ଝୁଲୁଛି । ଘରେ ଜନମାନବ କେହି ନାହାନ୍ତି । ଖବର କ’ଣ ? ସାନ୍ୟାଲ୍‌ ମହାଶୟ ସପରିବାର ବିନ୍ଧ୍ୟାଚଳ କିମ୍ବା ଚନ୍ଦ୍ରନାଥ ଭ୍ରମଣରେ ଯାଇଛନ୍ତି । ତା’ପରେ ଅନେକ ଦିନ ଦେଖାଦର୍ଶନ ମିଳେନି । ହଠାତ୍‌ ପୁଣି ଦିନେ ଦ୍ୱିପ୍ରହର ବେଳକୁ ଠୁକ୍‌ଠୁକ୍‌ ଶବ୍ଦରେ ଲୋକେ ବିସ୍ମୟରେ ଚାହିଁ ଦେଖନ୍ତି, ତାଙ୍କ ପରିବାରର ସଦସ୍ୟ ଦୁଇଟି ଶଗଡ଼ଗାଡ଼ିରେ ବୋଝେଇ ହୋଇ ଗାଁ’ରେ ପହୁଁଚିଛନ୍ତି । ଲୋକବାକ ଡାକି ଅନାବନା ବଢ଼ିଥିବା ପାଣି ବିଛୁଆତି ଓ ଅର୍ଜୁନ ଗଛର ଜଙ୍ଗଲ ସଫା କରି ଘରେ ପଶୁଛନ୍ତି ।

 

ମୋଟା ଠେଙ୍ଗାଟିଏ ହାତରେ ଧରି ଲମ୍ବା ପାହୁଣ୍ଡ ପକେଇ ପାଠଶାଳାରେ ଆସି ପହଞ୍ଚିଯାଆନ୍ତି- ଆରେ ପ୍ରସନ୍ନ, କେମିତି ଅଛ, ବେଶ୍‌ ଜାଲ ମେଲି ବସିଛ ଯେ ! କେତେ ମାଛି ଫାନ୍ଦରେ ପଡ଼ିଲା ! ପଣିକିଆ ମୁଖସ୍ଥ କରୁଥିବା ଅପୁର ମୁଖମଣ୍ଡଳ ଅସୀମ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠେ । ସାନ୍ୟାଲ୍‌ ମହାଶୟ ଯେଉଁଠି ତାଳପଟି ଆସନରେ ବସନ୍ତି, ସେଇ ଆଡ଼କୁ ହାତେମାପି ଆଗକୁ ଆଗେଇ ଉତ୍ସାହ ସହକାରେ ସେ ବସିଯାଏ । ସିଲଟ୍‌, ବହି ଗୋଟେଇ କଡ଼କୁ ରଖିଦିଏ, ସତେଯେମିତି ଆଜି ତା’ର ଛୁଟି ହୋଇଯାଇଛି । ଆଜି ଆଉ ପାଠପଢ଼ାର ଆବଶ୍ୟକତା ନାହିଁ । ତା’ର ଟଣାଟଣା ଗୋଲ ଆଖି ଅତ୍ୟନ୍ତ ଉତ୍ସୁକ ଦୃଷ୍ଟିରେ ଗଳ୍ପର ପ୍ରତ୍ୟେକ କଥା ଶୁଣେ, ସତେ ଯେମିତି ଦୁର୍ଭିକ୍ଷ ପ୍ରପୀଡ଼ିତ କ୍ଷୁଧାର ଆଗ୍ରହ ନେଇ ସେ କଥା ଗିଳି ଯାଉଛି ।

 

ନୀଳକୋଠି କାନ୍ତାର ପଥରେ ଯେଉଁ ସ୍ଥାନଟିକୁ ଏବେ ‘ଭାଟି ଚୁଲି’ ବୋଲି କୁହାଯାଏ ସେଇଠି ଆଗରୁ ବେଶ୍‌ କିଛିକାଳ ପୂର୍ବରୁ ଗାଁ’ର ମୋତି ହାଜ୍‌ରାର ଭାଇ ଚନ୍ଦ୍ର ହାଜ୍‌ରା ବଣରୁ କିଛି କାଠ ହାଣିବା ପାଇଁ ଯାଇଥିଲା । ବର୍ଷା ସମୟ ଏଠି ସେଠି ବର୍ଷା ଜଳର ତୋଡ଼ରେ ମାଟି ଅତଡ଼ା ଖସି ପଡ଼ିଥିଲା । ହଠାତ୍‌ ଚନ୍ଦ୍ର ହାଜ୍‌ରା ଗୋଟିଏ ଜାଗାରେ ପିତଳର କଣା ହୋଇଥିବା ହାଣ୍ଡିଟିର ଅଳ୍ପ ଟିକିଏ ଅଂଶ ଦେଖିପାରିଲା । ସଙ୍ଗେ ସଙ୍ଗେ ସେ ଜାଗାକୁ ଖୋଳି ପିତଳ ହାଣ୍ଡିଟି ବାହାର କଲା । ଘରକୁ ଆସି ଦେଖେତ ହାଣ୍ଡି ଭର୍ତ୍ତି ସେ କାଳର ଟଙ୍କା । ସେଇତକ ପାଇ ଚନ୍ଦ୍ର ହାଜ୍‌ରା ବେଶ୍‌ କିଛିଦିନ ବାବୁଗିରି କରି ଆରାମରେ ବୁଲିଲା । ଏସବୁ କଥା ସ୍ୱୟଂ ସାନ୍ୟାଲ୍‌ ମହାଶୟଙ୍କ ଆଖି ଦେଖା କଥା ।

 

କେବେ କେବେ ପୁଣି ରେଳ ଯାତ୍ରାର ପ୍ରସଙ୍ଗ ଉଠେ । କେଉଁଠି ସାବିତ୍ରୀ ପାହାଡ଼ରେ ଚଢ଼ିବା ପାଇଁ ତାଙ୍କ ସ୍ତ୍ରୀଙ୍କର କେତେ କଷ୍ଟ ହୋଇଥିଲା ପୁଣି ନାଭିଗୟାରେ ପିଣ୍ଡଦାନ ସମୟରେ ପଣ୍ଡାମାନଙ୍କ ସହିତ ହାତାହାତି ହେବାର ଉପକ୍ରମ, କେଉଁଠି ଗୋଟିଏ ସ୍ଥାନରେ ଖୁବ୍‌ ଭଲ ଖାଦ୍ୟଟିଏ ମିଳିଥିଲା, ସାନ୍ୟାଲ୍‌ ମହାଶୟ ‘ପେଡ଼ା’ ବୋଲି ଦ୍ରବ୍ୟଟିର ନାମ କହିଲେ । ନାମଟି ଶୁଣି ଅପୁକୁ ଖୁବ୍‌ ହସ ଲାଗିଥିଲା ବଡ଼ ହେଲେ ସେ ବି ‘ପେଡ଼ା’ କିଣି ଖାଇବ ।

 

ଆଉ ଗୋଟିଏ ଦିନ ସାନ୍ୟାଲ୍‌ ମହାଶୟ ଅନ୍ୟ କେଉଁ ସ୍ଥାନର କଥା କହୁଥିଲେ । ସେହି ସ୍ଥାନରେ ପୂର୍ବରୁ ଅନେକ ଲୋକ ବସବାସ କରୁଥିଲେ । ସନ୍ଧ୍ୟାବେଳେ ତେନ୍ତୁଳି ବଣ ଭିତର ଦେଇ ସେମାନେ ସେ ସ୍ଥାନଟିକୁ ଯାଇଥିଲେ । ସାନ୍ୟାଲ୍‌ ମହାଶୟ ବାରମ୍ବାର ଯେଉଁ ଜିନିଷଟି ଦେଖିବା ପାଇଁ ଯାଆନ୍ତି, ତା’ର ନାଁଟି ଚିକା ମସ୍‌ଜିଦ୍‌ ବୋଲି କହୁଥିଲେ । ସେ ଜିନିଷଟି କ’ଣ ବୋଲି ପ୍ରଥମେ ସେ କିଛି ବୁଝିପାରିଲାନି । କଥାବାର୍ତ୍ତାରୁ ଜାଣିଲା ଗୋଟିଏ ପୁରୁଣା ଭଙ୍ଗା ଘରଟିଏ ବୋଲି । ଅନ୍ଧାର ହୋଇ ଆସୁଥିଲା ସେମାନେ ସେ ଘରେ ପଶିଲାମାତ୍ରେ, ଗୋଟିଏ ଦଳ ଚେମଣି ସେଁ ସାଁ କରି ବାହାରକୁ ଉଡ଼ିଗଲେ ସେ ତା’ର କଳ୍ପନାରେ ଭାବିନେଲା ରାନୁଘର ପଶ୍ଚିମପଟେ ଚୋରା କୋଠରୀ ଭଳି ଘରଟି ଅନ୍ଧାରୁଆ ହୋଇଥିବ ।

 

ଆଉ କେଉଁଠି ସାନ୍ୟାଲ୍‌ ମହାଶୟ ଜଣେ ଫକୀରକୁ ଭେଟିଥିଲେ । ସେ ଓସ୍ତଗଛ ମୂଳରେ ରହୁଥିଲେ । ଚିଲମେ ଗଞ୍ଜେଇ ଟାଣିବାକୁ ମିଳିଗଲେ ସେ ଖୁବ୍‌ ଖୁସି ହୋଇ କହୁଥିଲେ ଆଚ୍ଛା କହ, କି ଫଳ ଖାଇବାକୁ ତୋ’ର ଇଚ୍ଛା । ଫଳର ନାମ କହିଲେ, ସେ ସାମନାରେ ସେ କୌଣସି ଗଛକୁ ଦେଖେଇ କହୁଥିଲେ ଯା ସେ ଗଛରୁ ତୋଳି ଆଣିବୁ । ଲୋକେ ସେଠାକୁ ଯାଇ ଦେଖନ୍ତି ହୁଏତ ଆମ୍ବ ଗଛରେ ଡାଳିମ୍ବ ଫଳିଛି କିମ୍ବା ପିଜୁଳି ଗଛରେ କାନ୍ଧିଏ କଦଳୀ ଝୁଲୁଛି । ରାଜୁରାୟ କହିଲେ, ଏଗୁଡ଼ା ସବୁ ମନ୍ତ୍ର ତନ୍ତ୍ରର ଖେଳ । ଥରେ ମୋର ଜଣେ ମାମୁଁ –

 

ଆଉକିଛି କହିବା ପୂର୍ବରୁ ଦୀନୁ ପାଲିତ୍‌ ବାଧାଦେଇ କହନ୍ତି ମନ୍ତ୍ରକଥା ଯଦି କହିଲ, ଏବେ ଗୋଟେ ଗପ କହୁଛି, ଶୁଣ, ଗପ ନୁହେଁ ମୋ ନିଜ ଆଖିରେ ଦେଖିଥିବା କଥା । ବେଲ୍‌ଡାଙ୍ଗାର ବୁଧିଆ ଶଗଡ଼ିଆକୁ ତୁମେ କେହି ଦେଖିଛ ? ରାଜୁ ହୁଏତ ଦେଖି ନ ଥିବ, ରାଜକୃଷ୍ଣ ଭାଇ ତ ନିଶ୍ଚୟ ଦେଖିଛନ୍ତି । କାଠରେ ଦଉଡ଼ି ବନ୍ଧା ଗୋଟାଏ କଠଉ ପାଦରେ ଦେଇ ବୁଢ଼ା ପ୍ରାୟ ନିତାଇ କମାର ଦୋକାନକୁ ଲଙ୍ଗଳ ଫାଳ ଶାଣ ଦେବାକୁ ଆସେ । ଶହେ ବର୍ଷ ବୟସରେ ମରିଥିଲା, ଆଜକୁ ପଚିଶବର୍ଷ ତଳେ, ଯୁବକ ବୟସରେ, ଆମେ ତା’ ସହିତ ପନ୍‌ଝା ଲଢ଼େଇରେ ଜିତି ପାରୁନଥିଲୁ । ଅନେକ ଦିନ ତଳର କଥା, ଥରେ ‘ଚାକ୍‌ଦା’ରୁ ଗଙ୍ଗାସ୍ନାନ କରି ଶଗଡ଼ ଗାଡ଼ିରେ ଫେରୁଥିଲି । ମୋ ବୟସ ଉଣେଇଶ କି କୋଡ଼ିଏ ହେବ । ବୁଧିଆ ଶଗଡ଼ିଆର ଗାଡ଼ିରେ ମୁଁ, ମୋ ଖୁଡ଼ୀ, ଅନନ୍ତ ମୁଖାର୍ଜୀର ପୁତୁରା ରାମ ବି ଥିଲା । ରାମ ଏବେ ଉଠିଯାଇ ଖୁଲ୍‌ନାରେ ଅଛି । ‘କାନସୋନା’ ପ୍ରାନ୍ତର ପାଖରେ ବେଳ ରତ ରତ । ସେ ସମୟରେ ସେ ପଟେ ଯେ କି ପ୍ରକାର ବିପଦ ଆପଦ ଥିଲା, ସେ କଥା ରାଜକୃଷ୍ଣ ଭାଇଙ୍କୁ ଜଣା । ପ୍ରଥମେ ତ ପ୍ରାନ୍ତର ରାସ୍ତା, ସାଥିରେ ପୁଣି ସ୍ତ୍ରୀଲୋକ ଭର୍ତ୍ତି, ପାଖରେ କିଛି ଟଙ୍କା ପଇସା ବି ଥାଏ ବଡ଼ ଚିନ୍ତା ଥିଲା । ଆଜିକାଲି ଯେଉଁଠି ନୂଆ ଗାଁ’ଟିଏ ହେଲାଣି ସେହି ସିଧାରେ ଆସିବା ପରେ କ’ଣ ହେଲା ଜାଣିଛ ? ଚାରିଜଣ ଷଣ୍ଢାମାର୍କା, କଳା ମଚ୍‌ମଚ୍‌ ଲୋକ ଶଗଡ଼ର ବାଉଁଶ ଦୁଇପଟୁ ଭିଡ଼ି ଧରିଲେ । ଏ ପଟେ ଦୁଇଜଣ, ସେ ପଟେ ଦୁଇଜଣ । ସେମାନଙ୍କୁ ଦେଖି ଆଜ୍ଞା, ମୋ ମୁହଁରୁ ସୋର୍‌ ଶବ୍‌ଦ ବନ୍ଦ ହୋଇଗଲା । କୌଣସି ପ୍ରକାରେ ଗାଡ଼ି ଭିତରେ ବସିଛୁ । ସେ ପଟେ ସେମାନେ ବି ଶଗଡ଼ର ବାଉଁଶ ଧରି ସାଙ୍ଗରେ ଚାଲିଛନ୍ତି ତ ଚାଲିଛନ୍ତି । ବୁଧିଆ ଶଗଡ଼ିଆକୁ ଦେଖିଲୁ, ଓଠ ପିଟ୍‌ପିଟ୍‌ କରି ପଛକୁ ଚାହୁଁଛି । ଇସାରାରେ ଆମମାନଙ୍କୁ କଥାବାର୍ତ୍ତା କରିବାକୁ ମନା କରିଦେଲା । ଠିକ୍‌ ଅଛି ! ଏ ପଟେ ଶଗଡ଼ ଆସି ନବାବଗଞ୍ଜ ଥାନା ପାଖରେ ପହଞ୍ଚିଗଲା, ବଜାର ଦେଖାଗଲା । ସେତିକିବେଳେ ସେ ଲୋକ କେତେ ଜଣ କହିଲେ ଓସ୍ତାଦ୍‌ଜୀ, ଆମର ଘାଟ ଆସିଗଲାଣି, ଆମେ ତୁମକୁ ଚିହ୍ନିପାରିନଥିଲୁ, ଏଥର ଛାଡ଼ିଦିଅ । ବୁଧିଆ କହିଲା, ସେ କଥା ଚଳିବନି, ଆଜି ସମସ୍ତଙ୍କୁ ନେଇ ଥାନାରେ ଭର୍ତ୍ତି କରିବି । ଅନେକ କାକୁତି ମିନତି କଲା ପରେ ବୁଧିଆ କହିଲା ଆଚ୍ଛା ହଉ ଯାଅ, ଏଥରଟା ଛାଡ଼ିଦେଲି, କିନ୍ତୁ ଏମିତି ଆଉ କେବେ କରିବନି । ତା’ପରେ ସେମାନେ ବୁଧିଆର ପାଦଧୂଳି ନେଇ ଚାଲିଗଲେ । ଏହା ମୋ ନିଜ ଆଖିରେ ଦେଖା କଥା । ସେମାନେ ଯେ ବାଉଁଶ ଧରିଥିଲେ, ମନ୍ତ୍ରବଳରେ ସେମାନେ ସେମିତି ଧରି ଚାଲିଲେ ଆଉ ଛାଡ଼ିବାର ସାଧ୍ୟ ନ ଥିଲା ଗାଡ଼ି ସାଙ୍ଗରେ ଲାଖି ରହିଲେ । ସତେ ଯେମିତି କଣ୍ଟାଦେଇ ଅଟକେଇ ଦେଇଛି, ଏଥର ବୁଝିଲ ତ ବାବା ? ମନ୍ତ୍ରତନ୍ତ୍ରର କଥା

 

ଗପ କହୁ କହୁ ବେଳ ଗଡ଼ିଯାଏ, ପାଠଶାଳାର ଚାରିପଟର ବଣଜଙ୍ଗଲରେ ଅପରାହ୍ନର ନାଲି କିରଣ ତେର୍ଚ୍ଛା ହୋଇପଡ଼ିଥାଏ । ପଣସ ଗଛରେ, ଯଜ୍ଞ ଡିମିରି ଡାଳରେ, ଗୁଳଞ୍ଚ ଓହଳିଥିବା ଲଟାରେ, କୁନିକୁନି ଟୁନ୍‌ଟୁନି ଚଢ଼େଇ ମୁହଁ ଉପରକୁ କରି ଝୁଲୁଥାନ୍ତି । ପାଠଶାଳା ଘର ଭିତରେ ବଣର ଗନ୍ଧ, ଲତାପତ୍ରର, ଚଟେଇର, ଛିଣ୍ଡାମିଣ୍ଡା ବହି ବସ୍ତାନିର, ପାଠଶାଳାର ମାଟି ଚଟାଣର ଓ ଦା’ରେ କଟା ହୋଇଥିବା ତମାଖୁ ଧୂଆଁର ଗନ୍ଧ ସବୁ ମିଶିଯାଇ ଏକ ଜଟିଳ ଗନ୍ଧରେ ପରିଣତ ହୋଇଯାଏ ।

 

ସେହି ଗାଁ’ର ଛାଇଛାଇକା ମାଟି ରାସ୍ତାରେ ଗୋଟିଏ ମୁଗ୍‌ଧ ଗାଁଉଲୀ ବାଳକର ଚିତ୍ର ଭାସିଉଠେ । ବହିବସ୍ତାନି କାଖତଳେ ଜାକି, ମାଟିମିଶା କ୍ଷାର ସୋଡ଼ାରେ ସଫା ହୋଇ, ସିଲେଇ ହୋଇଥିବା ଲୁଗା ପିନ୍ଧି, ସେ ତା’ ନାନୀର ପଛେ ପଛେ ପାଠଶାଳାରୁ ଫେରୁଛି । ଛୋଟ ମୁଣ୍ଡଟିରେ ରେଶମୀ ଚିକ୍କଣ ମୁକୁଳା କେଶକୁ ତା’ର ମା’ ସାଉଁଳି କୁଣ୍ଡେଇ ଦେଇଛି । ତା’ର ଟଣାଟଣା ଗୋଲ ଆଖି ଦୁଇଟିରେ ବିସ୍ମୟଭରା ଚାହାଁଣି, ମନେହୁଏ ଯେମିତି କେଉଁ ଅଦ୍ଭୁତ୍‌ ଜଗତକୁ ନୂଆକରି ଆଖିମେଲି ଚାହିଁ ଦିଗହରା ହୋଇପଡ଼ିଛି । ଗଛପତ୍ରରେ ଘେରି ରହିଥିବା ଏତିକିମାତ୍ର ତା’ର ପରିଚିତ ଦେଶ ଏଇଠି ମା’ ତା’ର ନିଜ ହାତରେ ପ୍ରତିଦିନ ଖୁଆଇ ଦିଏ, ମୁଣ୍ଡର କେଶ ସାଉଁଳେଇ ଦିଏ, ନାନୀ ଲୁଗା ପିନ୍ଧେଇ ଦିଏ ! ଏଇ ସୀମାଟିକୁ ବାଦ୍‌ ଦେଲେ ତା’ ଚାରିପଟେ ଅକୂଳ ସମୁଦ୍ର ପରି ଅପରିଚିତ ସୀମାହୀନ ରେଖା । ତା’ର ଶିଶୁ ମନ ସେ ସବୁର ଥଳକୂଳ ପାଏନା ।

 

ସେ ଯେଉଁ ବଗିଚା ସେପଟେ, ବାଉଁଶ ବଣଟା ତା’ ପାଖଦେଇ ସରୁ ରାସ୍ତାଟି ଲମ୍ବିଯାଇଛି । ତୁମେ ଯଦି ଏହି ରାସ୍ତାରେ ଏକମୁହାଁ ଆଗକୁ ଆଗେଇ ଯିବ ତା’ହେଲେ ଶଙ୍ଖାରୀ ପୋଖରୀ କୂଳରେ ଗୋଟିଏ ଅଜଣା ଗୁପ୍ତଧନର ଦେଶରେ ପହଞ୍ଚିଯିବ । ସେଠାରେ ଗୋଟିଏ ବିରାଟ ବୃକ୍ଷ ମୂଳରୁ ବର୍ଷା ପାଣିରେ ମାଟି ଧସିଥିବ । ସେଠାରେ ଅନ୍ଧକାରରେ ବଣଓଲୁଅ, ମାଣ, ବଣକଲମୀ ଗଛର ବୁଦାର ଚିକ୍‌ଚିକ୍‌ ସବୁଜ ପତ୍ର ଗହଳରେ କେତେ ମୋହର ଭର୍ତ୍ତି ମାଟି କଳସୀର ଧାର ପୋତି ହୋଇଥିବାର ଦେଖାଯାଏ, କେହି ଜାଣନ୍ତିନି ।

 

ଗୋଟାଏ ଦିନ ପାଠଶାଳାରେ ଏମିତି ଏକ ଘଟଣା ଘଟିଥିଲା, ଯାହା ତା’ ଜୀବନରେ ଥିଲା ନୂଆ ଅଭିଜ୍ଞତା ।

 

ସେଦିନ ବିକାଳ ବେଳାରେ ପାଠଶାଳାରେ କେହି ଗୁରୁସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ନ ଥିବାରୁ କିଛି ଗଳ୍ପ ଗୁଜବର ଆସର ଜମି ନ ଥିଲା । ପାଠପଢ଼ା ଠିକ୍‌ ଭାବରେ ଚାଲିଥିଲା । ଅପୁ ନିଜ ଜାଗାରେ ବସି ଶିଶୁବୋଧକ ପଢ଼ୁଥିଲା । ଏତିକିବେଳେ ହଠାତ୍‌ ଗୁରୁ ମହାଶୟ ତାକୁ କହିଲେ, ଆରେ, ସିଲଟ୍‌ ଧରି ଲେଖିଲୁ, ମୁଁ ଶ୍ରୁତଲିଖନ ଡାକୁଛି
 

ନିଜ ମୁହଁରେ ମନକୁ ମନ ଡାକି ଯାଉଥିଲେ ବି ଅପୁ ଜାଣିପାରୁଥିଲା, ଗୁରୁ ନିଜକଥା କହୁନାହାନ୍ତି ସେ ନିଜେ ଯେମିତି ଦାଶୁ ରାୟଙ୍କ ପଞ୍ଚାଳୀ ଓ ଢମାଳୀ ମୁଖସ୍ଥ ରଖି ଅନର୍ଗଳ କହିଯାଏ, ସେହିଭଳି ଗୁରୁ ମହାଶୟ ମୁଖସ୍ଥ ରଖିଥିବା କେତେପଦ ତାକୁ ଡାକିଗଲେ ।

 

କଥାଗୁଡ଼ିକ ଶୁଣିବା ବେଳକୁ ତା’ର ମନେହେଲା ଏକାସାଙ୍ଗରେ ଅନେକଗୁଡ଼ିଏ ଅନର୍ଗଳ ଏମିତି ସୁନ୍ଦର କଥା ସେ ଆଗରୁ କେବେବି ଶୁଣିନଥିଲା । ସେସବୁ କଥାର ଅର୍ଥ ବି ସେ ବୁଝି ପାରୁନଥିଲା, କିନ୍ତୁ କିଛି ଅଜଣା ଶବ୍ଦ ଓ ପଦର ଲାଳିତ୍ୱ, ଝଙ୍କାରମୟ ଏକ ଅପରିଚିତ ଶବ୍ଦର ସଙ୍ଗୀତ ଅନଭ୍ୟସ୍ତ ଶିଶୁକର୍ଣ୍ଣରେ ଅପୂର୍ବ ଭଳି ମନେହେଉଥିଲା ଏବଂ ସବୁ କଥାର ଅର୍ଥ ବୁଝି ପାରୁନଥିବା ହେତୁ ଗୋଟିଏ କୁହେଳି ଘେରା ଅସ୍ପଷ୍ଟ ଶବ୍ଦ ସମଷ୍ଟିର ଆଢ଼ୁଆଳରୁ ଅଜଣା ଏକ ଦେଶର ଛବି ବାରମ୍ବାର ଗୋପନରେ ତା’ ମନରେ ଉଙ୍କି ମାରୁଥିଲା ।

 

ବଡ଼ ହୋଇ ସ୍କୁଲରେ ପଢ଼ିବା ସମୟରେ ପିଲାଦିନର ସେହି ମୁଖସ୍ଥ ଶ୍ରୁତଲିଖନଟି କେଉଁଠୁ ଆସିଥିଲା ସେ ଖୋଜି ବାହାର କରିପାରିଥିଲା

 

ଏହି ସେଇ ଜନସ୍ଥାନ ମଧ୍ୟବର୍ତ୍ତୀ ପ୍ରସ୍ରବଣ ଗିରି । ଏହାର ଶିଖର ଦେଶ ଆକାଶ ପଥରେ ସତତ ସମୀର ସଞ୍ଚାର ମାଣ ଜଳଧର ପଟଳ ସଂଯୋଗରେ ନିରନ୍ତର ନିବିଡ଼ ନୀଳିମାରେ ଅଳଙ୍କୃତ ଅଧିତ୍ୟକା ପ୍ରଦେଶ ଘନ ସନ୍ନିବିଷ୍ଟ ବଣ ପାଦପ ସମୂହରେ ସମାଚ୍ଛନ୍ନ ଥିବାରୁ ସ୍ମିଗ୍‌ଧ ଶୀତଳ ଓ ରମଣୀୟ... ପାଦଦେଶରେ ପ୍ରସନ୍ନ ସଲିଳା ଗୋଦାବରୀ ତରଙ୍ଗ ବିସ୍ତାର କରି... ।

 

ସେ ଠିକ୍‌ କହିପାରୁନଥିଲା, ବୁଝେଇ ପାରୁନଥିଲା, କିନ୍ତୁ ସେ ଜାଣି ପାରୁଥିଲା । ତା’ର ମନେହୁଏ, ଅନେକ ସମୟରେ ତା’ ମନକୁ ଆସେ ପ୍ରାୟ ଦୁଇବର୍ଷ ପୂର୍ବରୁ କୋଠି ପ୍ରାନ୍ତର ରାସ୍ତାରେ ସରସ୍ୱତୀ ପୂଜା ଦିନ ତା’ର ବାପା ସହିତ ନୀଳକଣ୍ଠ ପକ୍ଷୀ ଦେଖିବାକୁ ଯାଇଥିଲା । ସେଦିନ ପ୍ରାନ୍ତର ରାସ୍ତାର କଡ଼େ କଡ଼େ ଯାଉଥିବା ସମୟରେ ଅନ୍ୟ ଏକ ଛୋଟ ରାସ୍ତା କୁଆଡ଼େ ଦୂରକୁ ଲମ୍ବି ଯିବାର ସେ ଦେଖିଥିଲା । ରାସ୍ତାର ଦୁଇ କଡ଼ରେ କେତେକେତେ ଅଚିହ୍ନା ପକ୍ଷୀ, ଅଜଣା ଗଛଲତା, ଅଚିହ୍ନା ବଣବୁଦା ଅନେକ ସମୟ ଧରି ସେ ସେହି ରାସ୍ତା ଆଡ଼କୁ ଏକ ଲୟରେ ଚାହିଁ ରହିଥିଲା । ବିଲମାଳର ସେ ପଟେ ସେ ରାସ୍ତାଟି ଯେ କେଉଁ ଆଡ଼କୁ ଚାଲିଯାଇଛି, ସେ କଥା ଭାବି ସେ କୂଳ କିନାରା ପାଇନଥିଲା ।

 

ତା’ର ବାପା କହିଥିଲେ ସେ ସୋନାଡାଙ୍ଗା ବିଲମାଠର ରାସ୍ତାଟି ଦଶଘରା-ମାଧବପୁର ଦେଇ ‘ଧଳ୍‌ଚିତ୍‌’ ନଈର ନାଉରୀଘାଟରେ ଯାଇ ଲାଗିଛି । କିନ୍ତୁ ସେ ଜାଣିଥିଲା, ସେ ରାସ୍ତାଟି ‘ଧଳ୍‌ଚିତ୍‌’ର ନାଉରୀଘାଟରେ ଲାଗିନି ସେ ରାସ୍ତା ଆହୁରି ଆଗକୁ ଅନେକ ଦୂର ଲମ୍ବି ଯାଇଅଛି ରାମାୟଣ ଓ ମହାଭାରତର ଦେଶ ପର୍ଯ୍ୟନ୍ତ

 

ସେହି ଓସ୍ତ ଗଛର ଉଚ୍ଚ ଡାଳଟାକୁ ଚାହିଁଲେ, ଯେଉଁ କଥାଟି ମନରେ ଝଲସି ଉଠେ, ସେହି ସେ ବହୁ ଦୂରର ଦେଶଟା ।

 

ଶ୍ରୁତଲିଖନଟି ଶୁଣୁଶୁଣୁ, ଦୁଇବର୍ଷ ପୂର୍ବରୁ ଦେଖିଥିବା ସେ ରାସ୍ତାଟିର କଥା ତା’ ମନକୁ ଆସିଥିଲା ।

 

ସେ ରାସ୍ତାର ସେପାରିରେ ଅନେକ ଦୂରରେ କେଉଁଠି ଜନସ୍ଥାନ ମଧ୍ୟବର୍ତ୍ତୀ ପ୍ରସ୍ରବଣ ପର୍ବତ । ବଣବୁଦାର ସ୍ନିଗ୍ଧ ବାସନାରେ ଅଜଣା ଛାୟାର ଝିକ୍‌ମିକ୍‌ ସନ୍ଧ୍ୟାରେ, ସେହି ସ୍ୱପ୍ନଲୋକର ଛବି ତାହାକୁ ଅବାକ୍‌ କରିଥିଲା । କେତେଦୂରରେ ସେ ପ୍ରସ୍ରବଣ ଗିରିର ଉନ୍ନତ ଶିଖର, ଆକାଶ ପଥରେ ସତତ ସଞ୍ଚରମାଣ ମେଘମାଳାରେ ତା’ର ପ୍ରଶାନ୍ତ ନୀଳ ସୌନ୍ଦର୍ଯ୍ୟକୁ ସର୍ବଦା ଆବୃତ ହୋଇ ରହିଥାଏ ?

 

ସେ ବଡ଼ ହେଲେ, ସେ ସ୍ଥାନକୁ ଯାଇ ସବୁ ଦେଖିବ । କିନ୍ତୁ ସେ ବେତକୋଳିର ଲତାରେ କଣ୍ଟକିତ ତଟ, ବିଚିତ୍ର ପୁଲିନ ଗୋଦାବରୀ, ସେହି ଶ୍ୟାମଳ ଜନସ୍ଥାନ, ନୀଳମେଘମାଳାରେ ଘେରା ସେ ଅପୂର୍ବ ଶୈଳପ୍ରସ୍ଥ, ରାମାୟଣରେ ବର୍ଣ୍ଣିତ କୌଣସି ଏକ ଦେଶର କଥା ନ ଥିଲା । ବାଲ୍ମୀକି କିମ୍ବା ଭବଭୂତି ମଧ୍ୟ ସେଗୁଡ଼ିକର ସୃଷ୍ଟିକର୍ତ୍ତା ନ ଥିଲେ । କେବଳ ଅତୀତର କେଉଁ ଏକ ପକ୍ଷୀକୂଜନରେ ମୁଖରିତ ଗ୍ରାମୀଣ ସନ୍ଧ୍ୟାରେ ଏକ ମୁଗ୍‌ଧମତି ପଲ୍ଲୀ ବାଳକର ଅପରିଣତ ଶିଶୁ କଳ୍ପନାର ଦେଶରେ ସେମାନେ ଥିଲେ ବାସ୍ତବ, ପୁରାପୁରି ନିଛକ ଓ ଅତି ସୁପରିଚିତ-ପୃଥିବୀ ପୃଷ୍ଠରେ ଯାହାର ଭୌଗୋଳିକ ଅସ୍ତିତ୍ୱ କେବେବି ସମ୍ଭବ ନ ଥିଲା, କେବଳ ଜଣେ ଅନଭିଜ୍ଞ ଶୈଶବ ମନରେ ସେହି କଳ୍ପନା ଜଗତର ପ୍ରସ୍ରବଣ ପର୍ବତ ତାହାର ସତତ ସଞ୍ଚରମାଣ ମେଘଜାଲରେ ଆବୃତ ନୀଳ ଶିଖର ମାଳାର ସ୍ୱପ୍ନକୁ ନେଇ ସେ ଅକ୍ଷୟ ଆସନରେ ଅଧିଷ୍ଠିତ କରିଥିଲା ।

 

Unknown

(୧୫)

 

ଦୁର୍ଗା ତା’ର ସାନଭାଇକୁ ଖୋଜିବାକୁ ବାହାରିଥିଲା । ସାହିର ବିଭିନ୍ନ ସ୍ଥାନରେ ଖୋଜି କେଉଁଠି ଅପୁକୁ ପାଇଲା ନାହିଁ । ଅନ୍ନଦା ରାୟ ମହାଶୟଙ୍କ ଘର ନିକଟକୁ ଆସି ଭାବିଲା ଥରେ ଏଠାରେ ଖୋଜିଯାଏ, କିଛି ନ ହେଲେ ଖୁଡ଼ୀ ସଙ୍ଗେ ଦେଖା ହୋଇଯିବ ।

 

ଅନ୍ନଦା ରାୟ ମହାଶୟଙ୍କ ଘରେ ପଶୁ ପଶୁ ଗୋଟିଏ ହଇଚଇ ଚିତ୍କାର ଓ କନ୍ଦାକଟାର କଳରବ ଶୁଣାଗଲା । ଘର ଭିତରେ ନ ପଶି ସେ ଝରକା ପାଖରେ ଛିଡ଼ା ହେଲା । ବାରଣ୍ଡାର ଗୋଟିଏ ପଟେ ଛିଡ଼ା ହୋଇ ଅନ୍ନଦା ରାୟଙ୍କ ବିଧବା ଭଉଣୀ ‘ସଖୀଠାକୁରାଣୀ’ ଚିତ୍କାର କରି ଘର କମ୍ପାଉଥିଲେ ।

 

ଦେଖ ହେ, ମନରେ ଟିକିଏ ହେଲେ ଡରଭୟ ବି ନାହିଁ । ଅନେକ ଜାହାଁବାଜ୍‌ ସ୍ତ୍ରୀଲୋକ ଦେଖିଛି, କିନ୍ତୁ ଏମିତି ଗୋଟିଏ କେବେବି ଦେଖିନିରେ ବାବା, ଗୋଡ଼ତଳେ ମୁଣ୍ଡିଆ ମାରିବା କଥା- ଆରେ ଯମ ଭଳି ସ୍ୱାମୀ, ରାଗିଲେ ହାଡ଼ ମାଉଁସ ସମାନ କରିଦେବ- ହେଲା ବାବା, ଟିକିଏ ବୁଝିବିଚାରି ଚାଲ । ଠିକ୍‌ କଥାଟା ଆଜକୁ ତିନିଦିନ ଧରି କହୁଛି ଧାନଗୁଡ଼ିକୁ ଟିକିଏ ଖରାରେ ଶୁଖାଅ, ଟିକିଏ ଖରାରେ ଦିଅ- କଥା କ’ଣ ଗ୍ରାହ୍ୟ କରୁଛି ? ନା, କାନରେ ଶୁଣୁଛି ? ଗୃହସ୍ଥ ଘରର ବୋହୂ ଧାନ ଉଆଁସିବ, କାମଦାମ କରିବ । ଏ କଥା କିଏ ନ ଜାଣେ- ନା, ସେ କଥା ନାହିଁ, ଦିନରାତି ଖାଲି ତାସ୍‍ର ରାଣୀ ସାଜି ବସିରହିଛି । ତାସ୍‍ର ରାଣୀ କଥାଟିକୁ ଖୋଲି ପ୍ରକଟ କରିବାକୁ ଯାଇ ସଖୀଠାକୁରାଣୀ ଯେମିତି ରାଣୀ ସାଜି ବସନ୍ତି ସେମିତି ଅଭିନୟ କରି ଦେଖେଇଲେ । ଏମିତି କଥା ତ ମୁଁ କେବେ ବାପଜନ୍ମରୁ ଦେଖିନି କି ଶୁଣିନି ।

 

ମଝି ବାରଣ୍ଡାରୁ ଅନ୍ନଦା ରାୟଙ୍କ ପୁତ୍ରବଧୁ ଅନୁନାସିକ ସ୍ୱରରେ କାନ୍ଦୁ କାନ୍ଦୁ କହିଲା- ତାସ୍‍ର ରାଣୀ ସାଜି ସତରେ ବସିଛି ନା କ’ଣ ! ଗତକାଲି ବିକାଳ ସାରା ଦଶସେର ମୁଗଡାଲି ଯେ ଭାଜୁଥିଲି ? ଦୁଇପ୍ରହର ଖାଇବା ପରେ ପରେ ଭାଜିବା ଆରମ୍ଭ କରିଥିଲି, ସନ୍ଧ୍ୟା ପାଞ୍ଚଟାରେ ଗାଡ଼ିଯିବା ସମୟ ପର୍ଯ୍ୟନ୍ତ ନିଆଁତାତିରେ ବସି କାମ କରୁଛି । ଦୁଇ ଗୌଣି ଡାଲି ଭାଜିଲି, ଭାଙ୍ଗିଲି ଅନ୍ଧାର ହେବା ପରେ ସେ ସବୁତକ ଶେଷ କରି ଯାଇ ଉଠିଲି- ସେ ସବୁ କ’ଣ ମନକୁ ମନ ହୋଇଗଲା ? ଦେହହାତ ଦରଜ ହୋଇଗଲା, ରାତିରେ ଜ୍ୱର ଆସିଥିଲା । ଏ କଥା କାହାକୁ କ’ଣ ଦେଖାଯାଏ ? ତା’ପରେ ସକାଳବେଳକୁ ବିନାଦୋଷରେ ଏମିତି ମାଡ଼- କ’ଣ ପାଇଁ ? ମୁଁ କ’ଣ ଏ ସଂସାରରେ ବସି ବସି ଅନ୍ନ ଧ୍ୱଂସ କରୁଛି ?

 

ଏତିକିବେଳେ ଅନ୍ନଦା ରାୟଙ୍କ ପୁଅ ଗୋକୁଳ ଗୋଟିଏ ହାତରେ ଅଗଲି ବାଉଁଶର ପତ୍ରଥିବା କଣି ଓ ଆର ହାତରେ ଦା’ ଧରି ଘର ଭିତରକୁ ପଶିଆସିଲା । ସ୍ତ୍ରୀର କାନ୍ଦୁରା କଥାର ଶେଷ ଅଂଶତକ ଶୁଣିପାରି ଗର୍ଜନ କରି କହିଲା ଏଯାଏ ବି ତୋ’ର କାନ୍ଦଣା ଶେଷ ହୋଇନି- ଏବେବି ଦେଖୁଛି ତୋ’ ଭାଗ୍ୟରେ ବେଦମ୍‌ ମାଡ଼, ଦୁଃଖ ଲେଖାଅଛି- ମୋ ରାଗ ଚଢ଼ାନା, ଏ ସକାଳଟାରେ । ଆଜକୁ ତିନିଦିନ ହେଲା ଧାନଗୁଡ଼ା ଖରାରେ ଦେବାକୁ କହି କହି ଥକିଲିଣି- ଏମିତିରେ ମେଘୁଆ ପାଗ ଚାଲିଛି, ୟା’ପରେ ଧାନଗୁଡ଼ା ଯଦି ଗଜା ହୋଇଯିବ ତାହାହେଲେ ତୋ’ର କେଉଁ ବାପା ଆସି ସମ୍ଭାଳିବ ? ସାରା ବର୍ଷର ପିଣ୍ଡ କିଏ ଯୋଗେଇବ ?

 

ଗୋକୁଳର ସ୍ତ୍ରୀ ହଠାତ୍‌ କାନ୍ଦ ବନ୍ଦ କରି ଜୋର ଗଳାରେ ବେଶ୍‌ ତେଜରେ କହି ଉଠିଲା- ତୁମେ ମୋ ବାପା ନା ଧରି ଗାଳି ଦେବନି, କହିଦେଉଚି, ମୋ ବାପା ତୁମର କ’ଣ କଲେ ଯେ ? କ’ଣ ପାଇଁ ସମୟ ଅସମୟରେ ବାପା ନାଁ ନେଇ ଗାଳି ଦେବ ଯେ ?

 

ତା’ ମୁହଁରୁ କଥା ଶେଷ ନ ହେଉଣୁ, ଗୋକୁଳ ହାତରୁ ବାଉଁଶ କଣି ଥୋଇ, ଦା’ ହାତରେ ଗୋଟିଏ କୁଦାରେ ବାରଣ୍ଡାର ସିଡ଼ି ଚଢ଼ି କହିଲା- ଆଜି ତୋ’ର ଦିନେ କି ମୋର ଦିନେ- ତୋ ବାପଘରର ଆବ୍‌ଦାର୍‌ ଆଜି ଯଦି ଶେଷ ନ କରିଛି ?

 

ଗୋଟିଏ ରକ୍ତାକ୍ତ ଅଘଟନ ଆଶଙ୍କା କରି ଘରର ହଳିଆ ଗୋବିନ୍ଦ ଅଗଣାରୁ ପାଟିକରି କହିଲା- କ’ଣ କରୁଛନ୍ତି ସାନବାବୁ, କ’ଣ କରୁଛନ୍ତି ? ରୁହ ସାନବାବୁ, ଥୟଧର- ତା’ପରେ ସେ ଧାଇଁ ଯାଇ ଘରର ମଣ୍ଡପ ପାଖରେ ପହଞ୍ଚିଲା- ଦୁର୍ଗା ବି ଧାଇଁଗଲା- ସଖୀଠାକୁରାଣୀ ବି ବାରଣ୍ଡାରୁ ସେଠାକୁ ପଶିଆସିଲା । ବେଶ୍‌ ଗୋଟିଏ କାଣ୍ଡକାରଖାନା ଓ ପାଟିଗୋଳ ଘଟିଗଲା । ମଣ୍ଡପଘରେ ଗୋକୁଳର ସ୍ତ୍ରୀ ସ୍ୱାମୀର ଉଦ୍ୟତ ଆକ୍ରମଣରେ ଭୟଭୀତ ହୋଇ ପଛଘୁଞ୍ଚା ଦେଲା । ଘରର କାନ୍ଥକୁ ଆଉଜି ହାତଟେକି କାନ୍ଥରେ ଜାକିଜୁକି ଜଡ଼ସଡ଼ ହୋଇ ଠିଆ ହୋଇ ରହିଲା । ଆଖିରେ ତା’ର ଭୟର ଛାଇ । ହଳିଆ ଶୀଘ୍ର ଯାଇ ଗୋକୁଳ ହାତରୁ ଦା’ ଖଣ୍ଡିକ କାଢ଼ି ନେଲା, ତା’ପରେ ତାକୁ ମଣ୍ଡପଘର ବାହାରକୁ ଟାଣି ନେଉ ନେଉ କହିଲା- କ’ଣ କରୁଛ ସାନବାବୁ, ଥୟଧର- ତଳକୁ ଓହ୍ଲାଇ ଆସ ।

 

ଗୋକୁଳର ବୟସ ପଇଁତିରିଶ-ଛତିଶରୁ କମ୍‍ ନୁହେଁ, କିନ୍ତୁ ଶରୀର ସେତେ ସବଳ ନୁହେଁ । ବଳିଷ୍ଠ ହଳିଆ ସହିତ ମ୍ୟାଲେରିଆରେ ଦୁର୍ବଳ ହୋଇଥିବା ଶରୀର ନେଇ ହାତ ଛଡ଼େଇବାର ଚେଷ୍ଟା କରିଥିଲେ, ତା’ର ଦୁର୍ବଳତା ଅଧିକ ପ୍ରକାଶ ପାଇବ ଜାଣିପାରି ପାଟି କରି କରି ତଳକୁ ଓହ୍ଲାଇଲା- ଦେଖୁନୁ ଗୋଟିଏ ମାଣ ଧାନ, ବୀଜ ପାଇଁ ଅଛି, ପାଣି ପାଇଲେ ଯଦି ଗଜା ହୋଇଯାଏ ତା’ହେଲେ ତାକୁ ଆଉ- ରୋଇ ହେବ ତ ? ଆଜକୁ ତିନିଦିନ ହେଲା କହୁଛି, ତା’ ଉପରେ ତା’ ତେଜଟା ଦେଖ ? ... ତୋ’ର ତେଜଟାକୁ ମୁଁ...

 

ଦୁର୍ଗା ନିଶ୍ୱାସ ପକେଇ ଭାବିଲା, ଯାହାହେଉ ରକ୍ଷା ମିଳିଗଲା । କିନ୍ତୁ ଏବେ ଖୁଡ଼ୀ ସହିତ କଥାବାର୍ତ୍ତା, ଆଳାପ ପରିଚୟର ସମୟ ନୁହେଁ ଜାଣି, ସେ ନିଶବ୍ଦରେ ଅନ୍ନଦା ରାୟଙ୍କ ଘରୁ ବାହାରି ଆସିଲା ।

 

ପାଞ୍ଚୁ ବାନାର୍ଜୀ ଘର ସାମନା ଜାମୁକୋଳି ଗଛମୂଳରେ ଜଣେ ବାସନକୁସନ ମରାମତି ବାଲା ବସିଥିଲା । କାଠ ଅଙ୍ଗାରରେ ନଳୀଫୁଙ୍କା ନାଲି ଜକ୍‌ଜକ୍‌ ନିଆଁ ଜଳୁଛି, ସାହି ଲୋକର ଅନେକ ଭଙ୍ଗା ଘଟିବାଟି ଜମିଛି । ଗେଡ଼ା ଲୋକଟା, ପାକଳିଆ ଚେହେରା, ଦେଖିଲେ ବୟସ ଜଣାପଡ଼ୁନି, ତିରିଶ ହେବ କିମ୍ବା ପଚାଶ ବି ହୋଇପାରେ । ବେକରେ ତ୍ରିକଣ୍ଠି ତୁଳସୀମାଳ । ମୁହଁର ଡାହାଣ ପଟେ ଗୋଟିଏ କଟାଦାଗ । ହାତର କବ୍‌ଜା ପାଖରେ ଦଉଡ଼ିଟିଏ ପରି ନୀଳ ଶିରା ଲମ୍ବିଛି । ଅଧା ମଇଳା ଧୋତିଟିଏ ପିନ୍ଧିଛି । ସାହିର ବହୁତ ପୁଅଝିଅ ତା’ ଚାରିପଟେ ଘେରି ଘଟିବାଟି ମରାମତି କାମ କରୁଛନ୍ତି । ଦୁର୍ଗା ବି ସେଠାକୁ ଯାଇ ଛିଡ଼ାହେଲା । ଲୋକଟି ପଚାରିଲା- କ’ଣରେ ଝିଅ, କ’ଣ ଦରକାର ?

 

ଦୁର୍ଗା କହିଲା କିଛି ନାହିଁ, ଦେଖୁଚି ।

 

ଘରକୁ ଫେରି ଦୁର୍ଗା ତା’ ମାଆକୁ କହିଲା ବୁଝିଲ ମା’ ଆଜି ଗୋକୁଳ କକା ଖୁଡ଼ୀକୁ ଏତେ ମାଡ଼ ଦେଇଛନ୍ତି, କ’ଣ ଯେ କହିବି- ତା’ପରେ ସେ ଘଟନାର ପୂର୍ବାପର ସହ ବର୍ଣ୍ଣନା କରିଗଲା ।

 

ସର୍ବଜୟା ସହାନୁଭୂତିରେ କହିଲା ଗାଉଁଲୀ ଚଷା ହଳିଆ ହେଲେ ବି ଗୋବିନ୍ଦଟା ଗୋଟିଏ ମଣିଷ ପରି ମଣିଷ ! ଆହା, ସେ ଘରର ଭଲବୋହୂଟା ଏମିତି ଘରେ ଆଉ ଏମିତି ଲୋକଟା ହାବୁଡ଼ରେ ପଡ଼ିଛି ଯେ- ଠେଙ୍ଗା ମାଡ଼ ଖାଉଖାଉ ତା’ ଜୀବନଟା ନଷ୍ଟ ହୋଇଗଲା ।

 

ଦୁର୍ଗା କହିଲା, ମୋତେ ସେ ଭାରି ଭଲପାଆନ୍ତି । ଯେତେବେଳେ ଯେଉଁ ଭଲ ଜିନିଷ ଘରେ ହେବ, ସେ ମୋ ପାଇଁ ରଖିଦିଅନ୍ତି । ଖୁଡ଼ୀଙ୍କର କନ୍ଦାକଟା ଦେଖି ଏତେ କଷ୍ଟ ହେଲା ଯେ, କହିପାରିବିନି । ଆଉ ସଖି ଜେଜେମା’ଙ୍କ କଥା ଦେଖ, ସେ ଓଲଟା ଖୁଡ଼ୀଙ୍କୁ ଗାଳି ଦେଉଥିଲେ ।

 

ତିନି-ଚାରିଦିନ ଧରି ଜାମୁଗଛ ମୂଳରେ ଘଟିବାଟି ମରାମତି କାମ ଦେଖିବାକୁ ଦୁର୍ଗା ଯାଉଥିଲା । ମରାମତିବାଲା ତାହାର ଘର, ବାପଙ୍କ ନାମ ସବୁକଥା ଟିକିନିଖି- ପଚାରି ବୁଝିଲା । ତା’ପରେ କହିଲା, ତୁମ ଘରର ବାସନକୁସନ କିଛି ମରାମତି କରିବ କି ? ଘରକୁ ଯାଇ ଆଣୁନା ଝିଅ ?

 

ଦୁର୍ଗା ଘରକୁ ଫେରି ତା’ ମା’କୁ କହିଲା ଆମ ଘରର ଭଙ୍ଗା ଘଟିବାଟି ଗୁଡ଼ା ଦେବ, ଜଣେ ଭଲ ମରାମତି କରୁଥିବା ଲୋକଟିଏ ଆସିଛି, ଆଉ ସାହିର ଜାମୁଗଛ ମୂଳରେ ବସି କାମକରୁଛି

 

ସକାଳଓଳି ସାହିର ବହୁତ ଲୋକ ତା’ ପାଖରେ ଭିଡ଼ ଜମାନ୍ତି । ସେ ଚିମୁଟାରେ ତା’ର ଫୁଙ୍କା ଚୁଲିରୁ ଜ୍ୱଳନ୍ତା ନିଆଁ କାଢ଼ି, ସବୁବେଳେ ଭଦ୍ରଲୋକମାନଙ୍କୁ ତମାଖୁ ଚିଲମ ସଜାଇ ହାତରେ ଧରାଇ ଦେଉଛି- ହାତକୁ ଚିଲମ ବଢ଼େଇବା ସମୟରେ ଅତି ବିନୀତ ଭାବରେ ବେକକୁ ଗୋଟାଏ ପଟେ ନୁଆଁଇ ସଂକୁଚିତ ହୋଇ କୁହେ- ତମାଖୁ ଟିକିଏ ସେବନ କରନ୍ତୁ ଆଜ୍ଞା !- ରାଧାରାଣୀ-ପଦ-ଭରସା ! ବିଭିନ୍ନ କଥା ଛଳରେ ସେ କହେ, ନଡ଼ିଆ କଥା କୁହନ୍ତୁ ନି ଆଜ୍ଞା ! ଗତବର୍ଷ ଜ୍ୟେଷ୍ଠମାସରେ କେତେଗୁଡ଼ା ଚାରା ବସେଇଥିଲି ଆଜ୍ଞା ! ଦଶ ଡିସିମିଲ ଜାଗାରେ ପ୍ରାୟ ଚବିଶଟା ଚାରା କିଣି ଲଗେଇଥିଲି କ’ଣ ଆଉ କହିବି, ବେଙ୍ଗମାନଙ୍କ ଉପଦ୍ରବର କଥା ଚେରମୂଳ ସହିତ ସବୁତକ- ଟଙ୍କା କେତୋଟି ମାଟିରେ ମିଶିଗଲା ଆଜ୍ଞା ।

 

ମୁଖାର୍ଜୀ ମହାଶୟ ସକାଳ ପହରୁ ସେଇଠି ଜଗି ବସିଛନ୍ତି । କେମିତି ମିଠା କଥାରେ ତୁଷ୍ଟକରି ଗୋଟିଏ ପିତଳଘଡ଼ା ବିନା ପଇସାରେ ମରାମତି କରି ନେଇଯିବେ । ତମାଖୁ ସେବନ କରୁ କରୁ ପୂର୍ବକଥାର ଖିଅଧରି କହିଲେ- ଯାହା କହିଲ ବାବୁ- ଏଥର କିନ୍ତୁ ଭାବିଥିଲି କୋଡ଼ିଏଟି ଚାରା ବାଡ଼ିପଟେ ଲଗେଇବି ବୋଲି- କିନ୍ତୁ ଏମିତି ମ୍ୟାଲେରିଆ ମାତିଲା ଯେ- ତମର ସେପଟେ କେମିତି ଚାଲିଛି, କାରୀଗରବାବୁ ? ସକାଳଠୁ ସେ ଲୋକଟାକୁ କାରୀଗର ଆଖ୍ୟାରେ ଡାକୁଛନ୍ତି ।

 

ପରିପୂର୍ଣ୍ଣ- ଆଜ୍ଞା ପରିପୂର୍ଣ୍ଣ- ମ୍ୟାଲେରିଆ କଥା କହନ୍ତୁନି ବାବୁ- ହାଡ଼ ଜଳେଇ ଖାଉଛି ହଁ, ଏଇ ନିଅନ୍ତୁ ଆପଣଙ୍କର ପିତଳ ଗରା, ଛ’ ପଇସା ଦିଅନ୍ତୁ । ମୁଖାର୍ଜୀ ମହାଶୟ ଗରାଟା ହାତରେ ଧରି ଉଠିପଡ଼ି କହିଲେ, ହାଁ ! ଏଇତକ କାମ ପାଇଁ ପୁଣି ପଇସା- ଆରେ ଏମିତି କାର୍ତ୍ତିକ ମାସଟାରେ ବ୍ରାହ୍ମଣର ମରାମତି କରିଦେଲ, ତା’ ପାଇଁ ଆଉ

 

ପ୍ରୀତମ୍‌ କାରୀଗର ଶୀଘ୍ର ଉଠି ମୁଖାର୍ଜୀ ମହାଶୟଙ୍କ ହାତରୁ ଗରାଟା ଧରି ଅତ୍ୟନ୍ତ ଅମାୟିକ ଭାବରେ ହସିହସି କହିଲା- ଆଜ୍ଞା ନା, କ୍ଷମା କରିବେ, ବାବୁ- ସେ କଥା ହବନି- ଗରାଟା ରଖି ଯାଆନ୍ତୁ- ଘରକୁ ଯାଇ ପଇସା କେତେଟା ପଠେଇଦେବେ ।

 

ଦୁର୍ଗାର ମାଆ କହିଲା- ପଚାରିବୁ ତ- ଭଙ୍ଗା ବାସନକୁସନ ବଦଳରେ ନୂଆ ଜିନିଷ ସବୁ ସେମାନେ ଅନେକ ସମୟରେ ଦେଇଥା’ନ୍ତି, ପଚାରି ବୁଝିବୁ ତ ?

 

ଏ ପ୍ରସ୍ତାବରେ ପ୍ରୀତମ୍‌ ତୁରନ୍ତ ରାଜି ହୋଇଗଲା । ଦୁର୍ଗାଘରୁ ଗୋଛାଏ ପୁରୁଣା ଘଟିବାଟି ବାସନକୁସନ ବୋହିନେଇ ତା’ପାଖରେ ପହଞ୍ଚିଲା । ଅଧାଦିନ ସେ ସେଇଠି ଜାମୁଗଛ ମୂଳରେ କଟେଇ ଦେଲା । ଫୁଙ୍କାନଳୀରେ ନିଆଁ ଜଳେଇବା, ସୀସା ଗରମକରି ଘଟିବାଟି ଝଳେଇବା କାମ ବସିବସି ଦେଖିଲା । ପ୍ରୀତମ୍‌ ତାକୁ ଗୋଟିଏ ପିତଳର ମୁଦି ତିଆରି କରିଦେବ ବୋଲି କହିଥିଲା- ଏ କଥା ବି କହିଥିଲା ଯେ ମରାମତି ପଇସା ଦେବାକୁ ପଡ଼ିବନି । ସର୍ବଜୟା ଏ କଥା ଶୁଣି କହିଲା- ଆହା, ଖୁବ୍‌ ଭଲ ଲୋକଟା ତ ! ଆସନ୍ତା ବୁଧବାର ଅପୁର ଜନ୍ମଦିନ, ତାକୁ ଆସିବାକୁ କହିବୁ, ଆମଘରେ ଡାଲିଭାତ, ପ୍ରସାଦ ସେବନ କରିଯିବ ।

 

ବୁଧବାର ଦିନ ସକାଳେ ଉଠି ଦୁର୍ଗା ଜାମୁଗଛ ମୂଳରେ ପହଞ୍ଚି ଦେଖିଲା, ସେ ଲୋକଟି ନାହିଁ । ପଚାରି ଜାଣିଲା, ପୂର୍ବଦିନ ସନ୍ଧ୍ୟାପରେ କେତେବେଳେ ସେ ଦୋକାନ ଉଠାଇ ଚାଲିଯାଇଛି । ଚୁଲିପାଇଁ ଖୋଳିଥିବା ଗାତ ଓ ଅଙ୍ଗାର ଛଡ଼ା ଅନ୍ୟ କିଛିର ଚିହ୍ନବର୍ଣ୍ଣ ନାହିଁ । ଏଠିସେଠି ଖୋଜିଲା ୟାକୁ ତାକୁ ପଚାରିଲା । କେହି କହିପାରିଲେନି ସେ କୁଆଡ଼େ ଯାଇଛି । ଡରରେ ଦୁର୍ଗାର ମୁହଁଟି ଶୁଖିଗଲା- ତା’ ମା’ ଶୁଣିଲେ କ’ଣ ଯେ କହିବ ! ଘରର ଅଧାବାସନକୁସନ ତା’ ପାଖରେ ରହିଗଲା ! ଦୁର୍ଗାକୁ ସେ କହିଥିଲା, ଝିକରହାଟି ବଜାରରେ ତା’ର କଂସା ଦୋକାନ ଅଛି, ସେଠିକି ସେ ଖବର ପଠାଇଛି । ଦିନକ ଭିତରେ ତା’ର ଭାଇ ନୂଆ ବଦଳ ବାସନକୁସନ ଧରି ଆସିଯିବ । ତା’ପରେ ସେ ସବୁ ପୁରୁଣା ବାସନ ବଦଳେଇ ଦେବ । କିନ୍ତୁ କୁଆଡ଼େ ସେ ଗଲା କିମ୍ବା କେଉଁଠି ତା’ ଭାଇ ! ଦୁର୍ଗା ଅନେକ ଖୋଜାଖୋଜି କରି କେଉଁଠି ସେ ଯାଇଛି ଜାଣିପାରିଲାନି । କେବଳ ତା’ରି ଘରର ପିତଳ ବାସନକୁସନଗୁଡ଼ିକ ଯାଇଛି- ଅନ୍ୟ ହୁସିୟାର ଲୋକମାନଙ୍କ କାହାରି ଗୋଟିଏ ହେଲେ ବି ନେଇପାରିନି ।

 

ଦିନସାରା ବୁଲିବୁଲି, ଦୁର୍ଗା ଘରକୁ ଫେରି ସନ୍ଧ୍ୟାବେଳକୁ କାନ୍ଦିକାନ୍ଦି ମାଆକୁ ସବୁକଥା କହିଲା । ହରିହର ବିଦେଶରେ । କିଏ ସେ ଖୋଜି ବାହାର କରିବ ? ସର୍ବଜୟା ତଟସ୍ଥ ହୋଇଗଲା । ତା’ପରେ କହିଲା, ଥରେ ଯାଇ ତୋର ରାୟ ବଡ଼ବାପାଙ୍କୁ କହିଲୁ, ଆଲୋ ମା’ ! ଏମିତି କଥା ତ କେବେବି ଶୁଣିନି ।

 

ହରିହର ଘରକୁ ଫେରିବା ପରେ ଝିକରହାଟି ବଜାରରେ ଖୋଜଖବର ବି ନେଇଥିଲା କିନ୍ତୁ ପ୍ରୀତମ୍‌ ନାମରେ କୌଣସି ଲୋକର ସେଠାରେ କଂସାବାସନ ଦେକାନ ନ ଥିଲା କିମ୍ବା ସେମିତି ଚେହେରାର କୌଣସି ଲୋକ ସେଠାରେ ନ ଥିବାର ଜଣାପଡ଼ିଲା ।

 

ଏ ଭିତରେ କେତେ ମାସ ବିତିଯାଇଛି । ଆସି ଭାଦ୍ର ମାସ ହେଲାଣି । ଅପୁ ଉପରଓଳି ବୁଲିବା ପାଇଁ ମନ କରିଛି । ଏମିତି ସମୟରେ ତା’ ମା’ ପଛରୁ ଡାକିଲେ । କେଉଁଠିକି ଯାଉଛୁରେ ଅପୁ ? ଚାଉଳ ଭଜା ଓ ବୁଟ ଭଜା କରିବି- ବାହାରକୁ ଯିବୁନି- ଏବେ ଖାଇବୁ, ରହିଯା ।

 

ଅପୁ ଶୁଣି ନ ଶୁଣିଲା ପରି ରହିଲା- ଚାଉଳ ଓ ବୁଟ ଭଜା ଖାଇବାକୁ ଭଲ ପାଏ ବୋଲି ତା’ର ମା’ ଭାଜିବା ପାଇଁ ବସିଛି ବୋଲି ସେ ଜାଣିଛି । କିନ୍ତୁ ସେ କ’ଣ ବା କରିପାରିବ ? ଏତେବେଳକୁ ନୀଲୁ ଘରେ ଖେଳଟା ଜମି ଆସିଥିବ । ଦୁଆରବନ୍ଧ ସେପଟେ ସେ ଯେମିତି ପାଦ ରଖିଛି, ତା’ ମା’ର ଡାକ ପୁଣି ଶୁଣାଗଲା ବାହାରିଲୁ ବୋଧେ ! ଆରେ ଅପୁ । କାଣ୍ଡ ଦେଖ ପୁଅର ! ମୁଁ ଶୀଘ୍ର ଶୀଘ୍ର ତୁଠରୁ ଫେରିଲି, ତୁ ଗରମ ଗରମ ଖାଇବୁ ବୋଲି- ଆରେ ଅପୁ...ଉ...ଉ...

 

ଅପୁ ଏକା ଡିଆଁରେ ନୀଲୁ ଘରକୁ ଧାଇଁଗଲା । ଅନେକ ପିଲା ଜୁଟିଥିଲେ । ଅପୁ ପହଞ୍ଚିଲା ପୂର୍ବରୁ ଖେଳ ଶେଷ ହୋଇଯାଇଥିଲା । ନୀଲୁ କହିଲା- ଅପୁ ଦକ୍ଷିଣପଟ ପ୍ରାନ୍ତର ଆଡ଼କୁ ଚଢ଼େଇ ଛୁଆ ଦେଖିବାକୁ ଯିବୁ ? ଅପୁ ରାଜି ହେଲାରୁ ଦୁଇଜଣ ସେ ଆଡ଼କୁ ଚାଲିଲେ । ଧାନକ୍ଷେତର ସେପଟେ ନବାବଗଞ୍ଜକୁ ଯାଇଥିବା ବନ୍ଧ ରାସ୍ତାଟି ପ୍ରାନ୍ତର ମଝିଦେଇ ପୂର୍ବରୁ ପଶ୍ଚିମକୁ ସତେଯେମିତି ଚିରି ଦୁଇଭାଗ କରି ଲମ୍ବିଯାଇଛି । ଗାଁ’ଠାରୁ ଏକମାଇଲରୁ ଅଧିକ ହେବ । ଅପୁ କେବେବି ଏତେଦୂର ପର୍ଯ୍ୟନ୍ତ ବୁଲିବାକୁ ଆସିନଥିଲା, ତା’ର ମନେହେଲା, ସତେ ଯେମିତି ତା’ର ପରିଚିତ ଜିନିଷର ସୀମା ପାରିକରି ନୀଲୁଭାଇ ତାକୁ କେଉଁ କେତେ ଦୂରକୁ ନେଇଆସିଛି । ଅଳ୍ପ ସମୟ ପରେ ସେ କହିଲା, ନୀଲୁଭାଇ ଚାଲ ଘରକୁ ଫେରିଯିବା । ମା’ ମୋତେ ଗାଳି ଦେବ । ଫେରୁ ଫେରୁ ସଞ୍ଜ ହୋଇଯିବ, ମୁଁ ଏକୁଟିଆ କେନ୍ଦୁଗଛ ତଳ ଦେଇ ଅନ୍ଧାରରେ ଘରକୁ ଯାଇପାରିବିନି, ଡର ଲାଗିବ । ଚାଲ ଫେରିଯିବା

 

ଫେରିବା ସମୟରେ ନୀଲୁ ବାଟ ହୁଡ଼ିଗଲା । ବୁଲି ବୁଲି କାହାର ଗୋଟିଏ ବଡ଼ ଆମ୍ବ ବଗିଚା ପାଖ ଦେଇ ରାସ୍ତାଟିଏ ମିଳିଲା । ସନ୍ଧ୍ୟାହେବା ପାଇଁ କିଛି ସମୟ ବାକିଥିଲା । ଆକାଶରେ ମେଘ ଘୋଟି ଆସୁଥିଲା । ଏମିତି ସମୟରେ ଚାଲୁଚାଲୁ ହଠାତ୍‌ ନୀଲୁ ଥମକି ଛିଡ଼ା ହୋଇଗଲା ଓ ଅପୁର କହୁଣି ଭିଡ଼ି ସାମନାକୁ ଚାହିଁ ଭୟ ମିଶ୍ରିତ ସ୍ୱରରେ କହିଲା ଆରେ ଭାଇ ଅପୁ !

 

ଅପୁ ତା’ ସାଥିର ଭୟର କାରଣ ବୁଝିନପାରି ପଚାରିଲା- କ’ଣ ହେଲାରେ ନୀଲୁ ଭାଇ ? ତା’ପରେ ସେ ଦେଖିଲା, ଯେଉଁ ଅଣଓସାରିଆ ରାସ୍ତାରେ ସେମାନେ ଚାଲିଛନ୍ତି, ସେଇଟା କାହା ଘରର ଅଗଣାରେ ଯାଇ ଶେଷ ହୋଇଛି । ଅଗଣାକୁ ଲାଗି ଛୋଟ ଚାଳଘରଟିଏ ଓ ଗୋଟିଏ ବିଲାତି ଆମ୍ବଡ଼ା ଗଛ । ଅପୁ କିଛି ପଚାରିବା ପୂର୍ବରୁ ନୀଲୁ ଡରିଡରି କହିଲା ଆତୁରୀ ଡାହାଣୀର ଘର !

 

ଅପୁର ମୁହଁ ଶୁଖିଗଲା, ଆତୁରୀ ଡାହାଣୀର ଘର ! ସଞ୍ଜ ବେଳଟାରେ କେଉଁଠି ଆସି ସେମାନେ ପହଞ୍ଚିଲେ ! ଏ କଥା କିଏ ବା ନ ଜାଣେ କେଉଟ ପଡ଼ାର ପିଲାଟିଏ ଅଗଣାରୁ ଆମ୍ବଡ଼ା ଚୋରି କରିବା ଅପରାଧରେ ବୁଢ଼ୀ ହାବୁଡ଼ରେ ପଡ଼ିଥିଲା । ସେ ପିଲାଟିର ପ୍ରାଣଟିକୁ କାଢ଼ି ଗୋଟିଏ ସାରୁ ପତରରେ ବାନ୍ଧି ପାଣି ଭିତରେ ବୁଡ଼େଇ ରଖିଥିଲା । ପରେ ମାଛଟିଏ ତାକୁ ଖାଇଗଲା । ବିଚରା ପିଲାଟିର ଆମ୍ବଡ଼ା ଖାଇବାର ସଉକ ଏଜନ୍ମ ପାଇଁ ଶେଷ ହୋଇଗଲା । କିଏବା ନ ଜାଣେ, ଡାହାଣୀଟା ଇଚ୍ଛାକଲେ ତା’ର ଆଖିର ଚାହାଁଣିରେ ଛୋଟ ପିଲାମାନଙ୍କ ରକ୍ତ ଶୋଷି ନେଇ ତାକୁ ଛାଡ଼ିଦିଏ । ଯାହାର ରକ୍ତ ଶୋଷିନିଏ, ସେ କିଛି ଜାଣିପାରେନା । କିନ୍ତୁ ଘରକୁ ଫେରି ଖାଇପିଇ ବିଛଣାରେ ଶୋଇଗଲା ପରେ ତା’ ପରଦିନ ଆଉ ଉଠିପାରେନି । ଶୀତରାତିରେ ରେଜେଇ ଭିତରେ ଶୋଇଶୋଇ ସେ ତା’ ନାନୀପାଖରୁ ଆତୁରୀ ଡାହାଣୀର ଗଳ୍ପ ଶୁଣି କହେ- ରାତିରେ ତୁ ସେସବୁ ଗପ କହିବୁନି, ଭାରି ଭୟ ଲାଗେ । ତୁ ବରଂ ସେହି କଳାମେଘୀ ରାଜକନ୍ୟାର ଗପଟା କହ ତ ?

 

ଝାପ୍‌ସା ଦୃଷ୍ଟିରେ ସେ ଆଗକୁ ଚାହିଁ ଘରଭିତରେ କିଏ ଅଛି ଦେଖିବାକୁ ଚେଷ୍ଟା କଲାବେଳକୁ, ତା’ର ସାରା ଶରୀରଟି ବରଫ ଭଳି ଜମିଯିବାର ଅନୁଭବ କଲା । ବାଉଁଶ ତାଟି ପାଖକୁ ବାଡ଼ କଡ଼ରେ ଆଉ କେହି ନୁହଁ, ସ୍ୱୟଂ ଆତୁରୀ ଡାହାଣୀ ଛିଡ଼ା ହୋଇ ସେମାନଙ୍କ ଆଡ଼କୁ ଚାହିଁଛି । ବିଶେଷକରି ଅପୁକୁ ଅନେଇ ଛିଡ଼ା ହୋଇ ରହିଛି ।

 

ଯାହାପାଇଁ ଏତେ ଭୟ, ସେ ଏକାବେଳକେ ସାମନାରେ ଛିଡ଼ା ହେବାର ଦେଖି ଅପୁର ପାଦ ଆଗପଛ କେଉଁଆଡ଼କୁ ଘୁଞ୍ଚି ପାରିଲାନି ।

 

ଆତୁରୀ ବୁଢ଼ୀ ଭ୍ରୁକୁଞ୍ଚନ କରି କୋଟରଗତ ଗାଲ ଆଉ ଟିକିଏ ଝୁଲେଇ ଭଲ ଭାବରେ ଲକ୍ଷ୍ୟ କରିବା ଭଙ୍ଗୀରେ ମୁହଁଟା ଆଗକୁ ବଢ଼େଇ ପାଦ ଥାପିଥାପି ସେମାନଙ୍କ ଆଡ଼କୁ ଆସିବାକୁ ଲାଗିଲା । ଅପୁ ଦେଖିଲା ସେ ଧରା ପଡ଼ିଯାଇଛି, କେଉଁଆଡ଼େ ପଳେଇ ଯିବାର ରାସ୍ତା ନାହିଁ କାରଣ ଯାହାବି ହେଉନା କାହିଁକି ଡାହାଣୀର ରାଗଟା ତା’ରି ଉପରେ- ଏବେ ବୋଧହୁଏ ତା’ର ପ୍ରାଣଟିକୁ ସଂଗ୍ରହ କରି ସାରୁ ପତର ଭିତରେ ରଖିଦେବ !

 

ଖାଇବା ଜିନିଷଛାଡ଼ି ମାଆର ଡାକ ଉପରେ ଡାକକୁ ଉପେକ୍ଷାକରି ମା’ ମନରେ କଷ୍ଟ ଦେଇ ଘରୁ ବାହାରି ଆସିଥିବାରୁ, ତା’ର ପରିଣାମ ଫଳିବାକୁ ବସିଛି । ସେ ଅସହାୟ ଭାବରେ ଚାରିଆଡ଼କୁ ଅନେଇ କହିଲା ମୁଁ କିଛି ଜାଣେନି-ବୁଢ଼ୀ ପିଉସୀ ଗୋ, ମୁଁ ଆଉ କିଛି କରିବି ନାହିଁ, ମୋତେ ଛାଡ଼ିଦିଅ ମୁଁ ଆଉ ଏଆଡ଼େ କେବେବି ଆସିବିନି । ଆଜି ମୋତେ ଛାଡ଼ିଦିଅ ଗୋ ବୁଢ଼ୀ ପିଉସୀ

 

ନୀଲୁ ଭୟରେ ପ୍ରାୟ କାନ୍ଦି ଉଠିଲା- କିନ୍ତୁ ଅପୁର ଭୟ ଏତେ ବେଶୀ ହୋଇଥିଲା ଯେ, ତା’ ଆଖିରେ ପାଣି ବି ନ ଥିଲା ।

 

ବୁଢ଼ୀ କହିଲା, ଆରେ ବାପାମା’ନେ, ମୋତେ କାହିଁକି ଭୟ କରୁଛ ? ମୋତେ କାହିଁକି ଡରୁଛ ?... ତା’ପରେ ଖୁବ୍‌ ଥଟ୍ଟାତାମ୍‌ସା କରୁଛନ୍ତି ଭାବି ହସିହସି କହିଲା, ପିଲାଏ ମୁଁ କ’ଣ ତୁମମାନଙ୍କୁ ଧରି ନେବି ବୋଲି ଭାବୁଛ ? ଆସ ମୋ ଘରକୁ ଆସ- ଆମ୍‌ଚୁର ଦେବି ଆସ–

 

ଆମ୍‌ଚୁର !... ଅପୁ ଭାବିଲା, ଡାହାଣୀ ବୁଢ଼ୀ ଫାଙ୍କିଦେଇ ଘର ଭିତରକୁ ପୁରେଇବାକୁ ଚାହୁଁଛି- ଭିତରେ ପଶିଗଲେ, ଆଉ କ’ଣ ଛାଡ଼ିବ !... ଡାହାଣୀ ଓ ରାକ୍ଷସୀମାନେ ଏମିତି ଭୁଲେଇ ଜାଲରେ ପକାଇଥାନ୍ତି ବୋଲି ତା’ ମା’ ମୁହଁରୁ କେତେ ଗପ ଶୁଣିଛି ।

 

ବର୍ତ୍ତମାନ ସେ କରିବ କ’ଣ... କ’ଣ ବା ଉପାୟ ? ବୁଢ଼ୀ ତା’ ପାଖକୁ ଆଉ ଟିକିଏ ଆଗେଇ ଆସୁ ଆସୁ କହିଲା ମୋତେ କାହିଁକି ଡରୁଛ ? ମୁଁ କିଛି ତୁମମାନଙ୍କୁ କହିବିନି ! ଡରୁଛ କାହିଁକି ?

 

ଆଉ କ’ଣ ବାକି ରହିଲା, ସବୁ ଶେଷ ହେଲା ଏଥର ! ମା’ କଥା ନମାନି ଆସିବାର ଫଳ ଫଳିବାକୁ ଆଉ ଡେରି ନାହିଁ, ହାତ ବଢ଼େଇ ତା’ର ପ୍ରାଣଟା କାଢ଼ିନେଇ ସାରୁ ପତରରେ ପୁରେଇଲା ବୋଧେ ! ପ୍ରତି ମୁହୂର୍ତ୍ତରେ ତା’ର ଆଶଙ୍କା ହେଉଥିଲା ଏଇମାତ୍ର ବୁଢ଼ୀ ତା’ର ହସହସ ମୁହଁ ବଦଳେଇ ବିକଟମୂର୍ତ୍ତି ଧାରଣ କରି ଅଟ୍ଟହାସ୍ୟ କରି ଉଠିବ ରାକ୍ଷସୀରାଣୀର ଗଳ୍ପ ଭଳି । ଜଙ୍ଗଲରେ ଅଜଗର ସାପର ଦୃଷ୍ଟିକୁହୁକରେ ପଡ଼ି ହରିଣଶାବକ ଯେମିତି ଅନ୍ୟଆଡ଼କୁ ଆଖି ଫେରେଇ ପାରେନି ସେହିଭଳି ତା’ର କୁହୁକ ମୁଗ୍‌ଧ ଦୃଷ୍ଟି ବୁଢ଼ୀର ମୁହଁ ଉପରେ ଦୃଢ଼ନିବଦ୍ଧ ରହିଥିଲା- ସେ କାକୁସ୍ଥ ସ୍ୱରରେ ଦିଗହରା ପରି କହିଉଠିଲା- ବୁଢ଼ୀ ପିଉସୀ ଗୋ, ମୋ ମା’ କାନ୍ଦିବ, ମୋତେ ଆଜି ଆଉ କିଛି କୁହନି- ମୁଁ ତୁମ ଗଛରୁ କେବେବି ଆମ୍ବଡ଼ା ନେବାକୁ ଆସିନି, ମୋ ମା’ କାନ୍ଦୁଥିବ–

 

ଆତଙ୍କିତ ହେଇ ସେ ନୀଳବର୍ଣ୍ଣ ପାଲଟି ଯାଇଥିଲା । ଅଗଣା, ଘରବାଡ଼ି, ଗଛବୃଚ୍ଛ, ନୀଲୁଭାଇ, ଚାରିଆଡ଼ ତାକୁ ଧୂଆଁଳିଆ ଦେଖାଗଲା । କେହି କେଉଁଆଡ଼େ ନାହିଁ । କେବଳ ସେ ଆଉ ଆତୁରୀ ଡାହାଣୀର କ୍ରୁର ଦୃଷ୍ଟିମିଶା ଯୋଡ଼ାଏ ଆଖି । ଆଉ ଅନେକ ଦୂରରେ କେଉଁଠି ଯେମିତି ତା’ ମା’ ତାକୁ ଚାଉଳ ଭଜା ଖାଇବାକୁ ଡକା ପକେଇଛି ।

 

ଅତ୍ୟଧିକ ଭୟରେ ପ୍ରାଣମୂର୍ଚ୍ଛା ସାହସ ସଞ୍ଚୟ କରି ସେ ଏକ ଅସ୍ପଷ୍ଟ ଆର୍ତ୍ତରବ କରି ଏକା ଡିଆଁରେ ସାମନାର କଣ୍ଟା, ବୁଦା, ଜଙ୍ଗଲ ଡେଇଁ ଭାଙ୍ଗିରୁଜି ଦିଗହରା ହୋଇ ଆଖି ଯେଉଁଆଡ଼େ ଗଲା ସେହି ଦିଗକୁ ଧାଇଁ ପଳେଇଲା । ଆଉ ତା’ ପଛେ ପଛେ ଦଉଡ଼ିଲା ନୀଲୁ ।

 

ଏମାନଙ୍କ ଭୟର କାରଣ କିଛି ବୁଢ଼ୀ ବୁଝିପାରିଲାନି ଆଉ ଭାବିଲା- ମୁଁ ତ ଏମାନଙ୍କୁ ପିଟିବା ପାଇଁ ଯାଇନି କି ଧରିବା ପାଇଁ ଯାଇନି- କଅଁଳିଆ ପିଲାଗୁଡ଼ାକ ମୋତେ ଦେଖି ସଞ୍ଜ ବେଳଟାରେ କାହିଁକି ଭୟ ପାଇଗଲେ ? ପିଲାମାନେ କାହା ଘରର ?

 

ଅପୁ ଘରେ ପହଞ୍ଚିଲାବେଳକୁ ସଞ୍ଜ ଗଡ଼ିଯାଇଥାଏ । ସର୍ବଜୟା ଏଇମାତ୍ର ଚୁଲିଜାଳି ତାଳର ବଡ଼ାପିଠା ଭାଜିବାର ଆୟୋଜନ କରୁଥିଲା । ଦୁର୍ଗା ମା’ ପାଖରେ ବସି ତାଳକୁ ଚାଞ୍ଛି, ସେଥିରୁ ରସ ବାହାର କରୁଥିଲା । ପୁଅକୁ ଦେଖିଲାମାତ୍ରେ ସର୍ବଜୟା କହିଲା ଏତେ ସମୟ ଯାଏ କୁଆଡ଼େ ଥିଲୁ ? ସେତେବେଳୁ ବାହାରି ଯାଇଛୁ, କିଛି ତ ଖାଇନୁ- ଭୋକ ଶୋଷ ଲାଗୁନି ?

 

ମା’ ପାଖରେ କହିବାକୁ ବହୁତ କଥା ଥିଲା । ଅପୁର ମନ ଭିତରେ ସେଗୁଡ଼ିକ ସ୍ତୂପୀକୃତ ହୋଇ ଏକା ସାଥିରେ ବାହାରି ଆସିବାକୁ ଚେଷ୍ଟାକରି ପରସ୍ପର ଠେଲାପେଲାରେ ବାହାରକୁ ବାହାରିବା ରାସ୍ତାବନ୍ଦ କରୁଥିଲେ । ଫଳରେ ଅପୁ ଏକାବେଳକେ ନିର୍ବାକ୍‌ ହୋଇଯାଇଥିଲା । ସେ କେବଳ ଏତିକିମାତ୍ର କହିପାରିଲା-ମା’ ମୁଁ ପିନ୍ଧାଲୁଗାଟା ବଦଳେଇବି ? ଏଇଟା ସକାଳୁ ପିନ୍ଧିଥିଲି-

 

ତା’ପରେ ସେ ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟକଲା ଯେ ତା’ର ମା’ ତାକୁ ଚାଉଳ ଭଜା ଦେବାର କୌଣସି ଆଗ୍ରହ ପ୍ରକାଶ ନ କରି ତାଳ ରସଟି କେତେ ପତଳା ବା ବହଳିଆ ହୋଇଛି, ତାହା ମନଯୋଗ ସହିତ ପରୀକ୍ଷା କରୁଛି । ପରୀକ୍ଷା କରି ଦେଖିସାରି ଦୁର୍ଗାକୁ କହିଲା- ଦୁଇ ଚାରି ଖଣ୍ଡ ଭାଜି ଦେଖେ, ଯଦି ନ ହେବ ବଡ଼ ଖଟ ତଳେ ଚାଉଳ ଚୁନା ଅଛି, ସେଇଥିରୁ ଦୁଇମୁଠା ଆଣି ମିଶେଇବୁ । ତା’ପରେ ପୁଅ ଆଡ଼କୁ ଚାହିଁ କହିଲା- ଟିକେ ରହ ଅପୁ, ତୋତେ ଗରମ ଗରମ ବଡ଼ା ଖାଇବାକୁ ଦେବି ।

 

ଅପୁ କହିଲା କାହିଁକି, ମୋ ପାଇଁ ଚାଉଳ ଓ ବୁଟ ଭଜା ନାହିଁ ?

 

ତୁ ତ ଚାଉଳ ଭଜା ଖାଇବା ପାଇଁ ରହିଲୁ ନି ? କେତେଥର ଡାକିଲି ତୁ ଘରୁ ବାହାରି ଚାଲିଗଲୁ । ଥଣ୍ଡା ହେଲା ପରେ ଦୁର୍ଗା ତାକୁ ଖାଇଲା । ତା’ଛଡ଼ା ବଡ଼ାତ ଏଇ ହେଲା ବୋଲି ଜାଣ । ଭାଜିବି ଆଉ ତୋତେ ଦେବି ।

 

ଅପୁ ଅନେକ ସମୟ ପୂର୍ବରୁ ମନ ଭିତରେ ଚାଉଳ ଭଜା ଖାଇବାର ଯେଉଁ ତାସ୍‍ର ଘର ଗଢ଼ି ତୋଳିଥିଲା, ସତେ ଯେମିତି ଗୋଟିଏ ଫୁଙ୍କରେ ତାହା ଭୂମିସାତ୍‌ ହୋଇଗଲା । ଏଇ ତାହାହେଲେ ତା’ର ମାଆର ଭଲପାଇବା ! ସେ ଘରୁ ବାହାରିବା ବେଳଠୁ ଅନବରତ ଭାବୁଛି- ଜାଣେନା ତା’ର ମାଆ ତା’ ପାଇଁ କେତେ ଯେ ଦୁଃଖ କରୁଥିବ ! ଅପୁ ମୋର, ଏଯାଏ କାହିଁକି ଆସୁନି, ତା’ ପାଇଁ ତୁଠରୁ ଆସି ଚାଉଳ ଭଜା ଭାଜିଲି, ଅଥଚ ସେ ମୁଠାଏ ବି ଖାଇଲା ନାହିଁ- କାହିଁକି ବି ତା’କଥା ଭାବିବ ? କ’ଣ ପାଇଁ ଭାବିବ ? ନା, ଭାବି ଭାବି ତା’ ଆଖିରେ ନିଦ ଆସୁନଥିବ ! ମା’ ସେଗୁଡ଼ିକ ନାନୀକୁ ଖୁଆଇ ବେଶ୍‌ ନିଶ୍ଚିନ୍ତ ହୋଇ ବସିଯାଇଛି- ଆଉ ସେ କେବଳ ମିଛରେ ମାଆ କଥା ଭାବି ଅସ୍ଥିର ହେଉଥିଲା !

 

ଦୁର୍ଗା କହିଲା, ମା’ ଶୀଘ୍ର ଶୀଘ୍ର ଭାଜ । ବେଶ୍‌ ବଡ଼ ମେଘ ଘୋଟି ଆସୁଛି । ବର୍ଷା ହେଲେ ଆଉ ଭାଜି ହେବନି, ଘର ଭିତରେ ବର୍ଷା ପାଣି ପଡ଼େ ଯେ, ପୁଣି ସେଦିନ ପରି ଯଦି ହେବ ନା

 

ଚାହୁଁ ଚାହୁଁ ଚାରିପଟ ଘେରି ଘନ ମେଘର ଛାୟା ବାଉଁଶ ବଣର ମୁଣ୍ଡ ଉପରେ କଳା ହୋଇ ଘୋଟି ଆସିଲା । ବେଶ୍‌ ଜମାଟ ମେଘରେ ଆକାଶଟା ଅନ୍ଧକାରରେ ଛାଇଗଲା, ଅଥଚ ଏ ପର୍ଯ୍ୟନ୍ତ ବର୍ଷା ଆରମ୍ଭ ହୋଇନି ଏମିତି ସମୟରେ କାହିଁକି ମନରେ ଏକ ଆନନ୍ଦ ଓ କୌତୁହଳ ଜାତ ହୁଏ- କେଜାଣି କି ଭୟଙ୍କର ବର୍ଷା ମାଡ଼ି ଆସୁଛି, ପୃଥିବୀକୁ ବୋଧେ ଭସାଇ ନେବ ! ଅଥଚ ପ୍ରତିଥର ବର୍ଷାହୁଏ, କିନ୍ତୁ କୌଣସି ଥର ପୃଥିବୀ ଭାସିଯାଏନା, ତଥାପି ମନର ଏ ମୋହ ଟିକକ ଅପସରି ଯାଏନା ! ଦୁର୍ଗାର ମନ ସେହି ଅଜଣା ଆନନ୍ଦରେ ପରିପୂର୍ଣ୍ଣ ହୋଇଉଠିଲା । ସେ ମଝିରେ ମଝିରେ ବାରଣ୍ଡା ପାଖକୁ ଆସି ନୁଆଁଣିଆ ଚାଳ ତଳୁ ମୁହଁ ଟେକି ମେଘର ଅନ୍ଧକାରରେ ଆଚ୍ଛନ୍ନ ଆକାଶକୁ ଚାହିଁ ଦେଖୁଥିଲା ।

 

ସର୍ବଜୟା କେତେଖଣ୍ଡ ବଡ଼ା ଭାଜି ଦୁର୍ଗାକୁ କହିଲା, ଗୋଟିଏ ବାଟିରେ ତାକୁ ଦେଲୁ । ତାକୁ ଭୋକ ହେବଣି, ବିଚରା ସକାଳବେଳୁ କିଛି ଖାଇନି ! ଏଇ ଶେଷ ପଦକ ହିଁ କାଳ ହେଲା- ଏ ପର୍ଯ୍ୟନ୍ତ ଅପୁ କୌଣସି ପ୍ରକାରେ ନିଜ ଭାବକୁ ଚାପି ରଖିଥିଲା, କିନ୍ତୁ ମାଆର ଶେଷ ପଦକ ସ୍ନେହବୋଳା କଥାରେ ତା’ର ଅଭିମାନର ବନ୍ଧ ଏକାବେଳକେ ଭାଙ୍ଗିଗଲା । ସେ ବଡ଼ା ସହ ବାଟିକୁ ବାରନ୍ଦାରେ ଫିଙ୍ଗିଦେଇ କହିଲା- ମୁଁ ବଡ଼ା ଖାଇବିନି, କେବେବି ଖାଇବିନି, ଯାଅ

 

ସର୍ବଜୟା ପୁଅର କାଣ୍ଡ ଦେଖି ଅବାକ୍‌ ହୋଇଗଲା । ଗରୀବଙ୍କ ଘରକରଣା କେତେ କଷ୍ଟରେ ଯେ ଯୋଗାଡ଼ କରିବାକୁ ହୁଏ, ସେ ହିଁ ଜାଣେ । ଆଉ ହତଭାଗା ପୁଅଟି ତା’ର ଦୁଇ ଦୁଇ ଥର ଅନେକ କଷ୍ଟରେ ସଂଗ୍ରହ କରାଯାଇଥିବା ଖାଇବା ଦ୍ରବ୍ୟ ନଷ୍ଟ କରିଦେଲା । ରାଗ ଓ କ୍ଷୋଭରେ ସେ ପୁଅ ଆଡ଼କୁ ଅନେଇ କହିଲା ଆଜି ପାଉଁଶ ଲେଖାଅଛି,ଏବେ ସେଗୁଡ଼ିକ ଗରମ ଗରମ ଖାଇପକା-

 

ଏଥର ଅପୁର ପାଳି । ଏଭଳି କଥା ସେ ମା’ ମୁହଁରୁ କେବେବି ଶୁଣିନଥିଲା । କ’ଣ ବା ସେ ଚାହିଁଥିଲା, ମା’ ସାନ୍ତ୍ୱନା ଦେଇ ପଦେ ଅଧେ କଥା କହି ତାକୁ ବୁଝେଇ ଦେବ, କିନ୍ତୁ ସନ୍ଧ୍ୟାବେଳଟାରେ ଏମିତି ନିଷ୍ଠୁର କଥାଗୁଡ଼ାକ କହିପାରିଲା ! ସେ ଛିଡ଼ା ହୋଇ କହିଲା, ଆଚ୍ଛା ମା’, ମୁଁ ଚାଉଳ ଭଜା ଖାଇନି, ମୋ ମନରେ କଷ୍ଟ ହେବନି ? ମୁଁ କେତେବେଳରୁ ମନରେ ସେ କଥା ଭାବୁନି ବୋଧେ ? ମୁଁ ଆଉ କେବେ ତୁମ ଘରକୁ ଫେରିବିନି ମୁଁ ପାଉଁଶ ଖାଇବି, କାହିଁକି ପାଉଁଶ ଖାଇବି ? ଆଉ ନାନୀ ସବୁ ଭଲ ଭଲ ଜିନିଷ ଖାଇବ ? ମୁଁ କେବେବି ତୁମ ଘରକୁ ଆସିବିନି, କେବେବି ଆସିବିନି

 

ତା’ପରେ ଯେମିତି ଆତୁରୀ ବୁଢ଼ୀ ଘରୁ ଅନ୍ଧାର, କଣ୍ଟାବାଡ଼, ଆମ୍ବବଣ ନ ମାନି ଧାଇଁ ଆସିଥିଲା, ଏହି କ୍ଷଣି ରାଗରେ ଆତ୍ମହରା ହୋଇ ବାରଣ୍ଡାରୁ ଓହ୍ଲେଇ ବାହାର ଅଗଣା ଆଡ଼କୁ ଠିକ୍‌ ସେମିତି ପ୍ରାଣାନ୍ତକ ଗତିରେ ଧାଇଁ ପଳେଇଲା । ଭାଇର ଅଭିମାନ ଭରା ଦୃଷ୍ଟି, ଫୁଲିଲା ଓଠ ଓ କଥା କହିବାର ଭଙ୍ଗୀରେ ଦୁର୍ଗାକୁ ଭୀଷଣ ହସ ଲାଗିଲା । ସେ ହସି ହସି ପ୍ରାୟ ପଡ଼ିଯିବାର ଉପକ୍ରମ ହେଲା । ହି... ହି... ଅପୁଟା ପୁରା ପାଗଳ, ବୁଝିଲ ମା’ ! କେମିତି ଭାବରେ କଥା କହୁଥିଲା ଦେଖିଲ- ତା’କଥାର ନକଲ କରି କହିଲା- ମୁଁ ଚାଉଳଭଜା ଖାଇନି-ହି-ହି-ସେଥିପାଇଁ ମୋତେ ଦୁଃଖ ଲାଗୁନି ବୋଧେ ? ପୁରା ବୋକାଟା । ଆରେ, ଏ ଅପୁ, ଶୁଣିଯା, ଆରେ ଅପୁ-ଉ... ଉ...

 

ଅପୁ ଧାଇଁ ଧାଇଁ ପାଚେରୀ ପାଖ ରାସ୍ତା ଦେଇ ପଛପଟ ବାଉଁଶବଣ ଆଡ଼କୁ ପଳେଇଲା । ଆକାଶରେ ମେଘ ସେ ପର୍ଯ୍ୟନ୍ତ କଳାହୋଇ ଅଟକି ରହିଛି । ବାଉଁଶ ବଣର ନିମ୍ନ ଅଞ୍ଚଳଟି ଲଟାବୁଦାରେ ଭର୍ତ୍ତି, ତା’ ସହିତ ନିର୍ଜନ ବର୍ଷାର ସନ୍ଧ୍ୟାରେ ଘମାଘୋଟ ଅନ୍ଧାରରେ ଆଚ୍ଛନ୍ନ । ସାଧାରଣ ଅବସ୍ଥାରେ ଏଭଳି ଜାଗାକୁ ଏ ସମୟରେ ସେ ଏକା ଆସିବାର କଳ୍ପନା କେବେବି କରିପାରିନଥାନ୍ତା । କିନ୍ତୁ ବର୍ତ୍ତମାନ ତା’ ଚାରିପଟେ ଭୟଙ୍କର ନିର୍ଜନତା ଓ କିଟିକିଟି ଅନ୍ଧାର । ବାଉଁଶବଣ ଭିତରେ କିଏ ଯେମିତି ଖଡ୍‌ଖଡ଼୍‌ ଶବ୍ଦ କରୁଛି । ନିକଟରେ ‘ସଳିତାଖାଇ’ ଆମ୍ବଗଛରେ ଭୂତର ପ୍ରବାଦ ଆଦି ସମସ୍ତ ଭୟାଭୟ ପରିବେଶକୁ ଭୁଲି ଯାଇ ଛିଡ଼ା ହୋଇ ଭାବୁଥିଲା- ମୁଁ ଆଉ କେବେବି ଘରକୁ ଫେରିବିନି ! ଏ ଜନ୍ମରେ ଆଉ ଘରକୁ ଯିବିନି–

 

ଅଭିମାନର ପ୍ରଥମ ପର୍ଯ୍ୟାୟଟା କଟିଗଲା ପରେ ତା’ ଦେହଟା ଭୟରେ ଟିକିଏ ଶୀତେଇ ଉଠିଲା । ଡରିଡରି ଅଦୂରର ସଳିତାଖାଇ ଆମ୍ବଗଛ ଆଡ଼କୁ ଚାହିଁଲା । ସେ ମନେ ମନେ ଭାବିଲା ଏବେ ଯଦି ଭୂତଟିଏ ମୋତେ ଟେକି ନେଇ ଅଗଡାଳରେ ରଖିଦେବ, ତା’ହେଲେ ଠିକ୍‌ ହେବ । ମା’ କାନ୍ଦିକାନ୍ଦି ଏଣେତେଣେ ଖୋଜିବ । ତା’ପରେ ଯାଇ ଭାବିବ, କାହିଁକି ସଞ୍ଜବେଳଟାରେ ପିଲାଟିକୁ ‘ପାଉଁଶ ଖା’ ବୋଲି କହିଲି । ସେଇଥିପାଇଁ ମୋ ପୁଅ ରାଗି ଅନ୍ଧକାରରେ ଆସନ୍ନ ମେଘୁଆ ରାତିରେ ବାହାରିଗଲା, ଆଉ ଫେରିଆସିଲା ନାହିଁ । ଭୂତ ହାତରେ ସେ ମରିଗଲେ, ତା’ ମାଆର କିଭଳି କଷ୍ଟ ହେବ ଭାବି ପ୍ରତିହିଂସାର ଆନନ୍ଦରେ କିଛିକ୍ଷଣ ଉପଭୋଗ କଲା ସତ, କିନ୍ତୁ ପରେ ପରେ ସେଠାରୁ ଘୁଞ୍ଚି ପାଚେରୀ ପାଖ ରାସ୍ତାରେ ଆସି ଛିଡ଼ାହେଲା । ତାକୁ ବେଶ୍‌ ଡର ଲାଗୁଥିଲା, ସେହି ସମୟରେ ସାମନାର ବାଉଁଶବୁଦାରେ କେମିତି ଗୋଟିଏ ଅସ୍ପଷ୍ଟ ଶବ୍ଦ ହେଲା ଓ ଅପୁ ଥରଟିଏ ମାତ୍ର ଉପରକୁ ଚାହିଁ ଦେଖିଲା । ତା’ ମା’ ଓ ନାନୀ ରାନୁ ଘରପଟେ ତାକୁ ଡାକୁଛନ୍ତି- ଅପୁରେ, ଅପୁ-ଉ-ଉ... । ବାଉଁଶବୁଦା ଭିତରେ ଯେମିତି ପୁଣି ଶବ୍ଦଟିଏ ଶୁଣାଗଲା । ସେ ମନ ଭିତରେ ଭୀଷଣ ଅସ୍ୱସ୍ତି ଅନୁଭବ କରିବାକୁ ଲାଗିଲା । କିନ୍ତୁ ମୁଶ୍‌କିଲ୍‌ କଥା, ବିନା ଖୋସାମତିରେ ଏତେ ବଡ଼ ରାଗଟା ରଖି ଘର ଭିତରେ ଯଦି ସେ ପଶିବ, ତା’ର ଆତ୍ମସମ୍ମାନ ଉପରେ ଭୀଷଣ ଆଞ୍ଚ ଆସିବ ! ସତରେ ସେ ଏତେ ତଳକୁ ଖସିଯାଇ ପାରିବନି ! ତାକୁ ଜଣାଗଲା ତା’ର ନାନୀ ରାନୁଘର ପଛପଟ ଦେଇ ବାହାରି ଆସୁଛି । ସେ ସେଠାରୁ ଧାଇଁ ଯାଇ ଦୁଆର ଆଗ ପାଚେରୀ କୋଣରେ ଛିଡ଼ା ହେଲା । ହଠାତ୍‌ ଆସୁଆସୁ ଦୁର୍ଗାର ନଜର ପାଚେରୀ ପାଖରେ ପଡ଼ିଲା । ସେ ପାଟିକରି କହିଲା, ମା’ ଏଇଠି ଛିଡ଼ା ହୋଇଛି ଏଇଠି ଦେଖ ପାଚେରୀ କଡ଼ରେ । ତା’ପରେ ସେ ଧାଇଁ ଯାଇ ଭାଇର ହାତକୁ ଧରିଲା । ଧାଇଁ ଯାଇ ଧରିବାର ଆବଶ୍ୟକତା ନ ଥିଲା- ଆରେ ଏ ଦୁଷ୍ଟ ! ଏଇଠି ଚୁପ୍‌ ହୋଇ ଛିଡ଼ା ହୋଇଛୁ, ଆଉ ମା’ ଓ ମୁଁ କେତେ ଜାଗା ଖୋଜି ଖୋଜି ଥକି ଗଲୁଣି । ହେଇଟି ଦେଖ, ମା’ ।

 

ମା’ ଓ ନାନୀ ତାକୁ ଘର ଭିତରକୁ ନେଇଗଲେ ।

 

(୧୬)

 

ହରିହର ଏଥର ଘରୁ ବାହାରକୁ ଯିବା ସମୟରେ ଅପୁକୁ ବି ସାଥିରେ ନେଇଗଲା । ଘରେ ରହିଲେ ପିଲାଟି କିଛି ଭଲ ଜିନିଷ ଖାଇବାକୁ ପାଏନି । ବାହାରକୁ ଗଲେ, ଆପାତତଃ ଦୁଧ, ଘିଅ ଟିକେ ମିଳେ, ସେଥିରେ ତା’ର ଦେହଟା ସୁଧାରି ଯାଇପାରେ ।

 

ଅପୁ ଜନ୍ମଠାରୁ ଏଯାବତ୍‌ କେବେ କେଉଁଠିକି ବାହାରିନି । ଏଇ ଗାଁ’ର ବଉଳତୋଟା, ଗୋସେଇଁ ବଗିଚା, ଓଉ ବଣ, ନଈ କୂଳ, ବେଶିରେ ବେଶି ନବାବଗଞ୍ଜକୁ ଯାଇଥିବା ପକ୍କା ରାସ୍ତା ପର୍ଯ୍ୟନ୍ତ ତା’ର ଦଉଡ଼ । କେବେ କେବେ ବୈଶାଖ, ଜ୍ୟେଷ୍ଠ ମାସରେ ଖୁବ୍‌ ଗରମ ହେଲେ ତା’ର ମା’ ସହିତ ବିକାଳ ବେଳାରେ ନଈଘାଟରେ ଛିଡ଼ା ହୁଏ । ନଈ ସେପାରି ସବୁଜ ନଡ଼ାର କ୍ଷେତରେ ବବୁରୀ ଗଛ ଉପରେ ହଳଦିଆ ରଙ୍ଗର ଅସୁମାରୀ ଫୁଲ ଫୁଟିଥାଏ । ବିଲରେ ଗାଈ ଗୋରୁ ଚରୁଥା’ନ୍ତି । ତା’ ଭିତରେ ଶିମୁଳି ଗଛଟି । ତା’ ଦେହରେ ମୋଟାମୋଟା ଗୁଳୁଚି ଲଟା ଓହଳି ଥାଏ । ମନେହୁଏ ବହୁଦିନର ପୁରୁଣା ଗଛଟିଏ । ଗୋପାଳପୁଅ ସବୁ ଗାଈମାନଙ୍କୁ ନଈ ପାଖକୁ ପାଣି ପିଆଇବାକୁ ଆଣନ୍ତି । ସେମାନଙ୍କ ଗାଁ’ର ଅକ୍ରୁର ମାଝି ମାଛଧରା ହୁଲି ଡଙ୍ଗାରେ ଧାଉଡ଼ି ଜାଲ ବସେଇବାକୁ ଯାଏ । କ୍ଷେତ ମଝିରେ ଠାଏଁ ଠାଏଁ ପେନ୍ଥା ପେନ୍ଥା ସୁନାରୀ ଫୁଲ ସକାଳର ଶିରିଶିରି ପବନରେ ଦୋହଲୁଥାଏ । ଠିକ୍‌ ସେତିକିବେଳେ ହଠାତ୍‌ କେବେକେବେ ସେ ପାରିର ସବୁଜ ନଡ଼ାର ଜମିସବୁ ଯେଉଁଠି ଶେଷ ହୋଇଯାଇଛି, ସେଇଠି ନୀଳ ଆକାଶଟି ଦୂରଗାଁର ସବୁଜ ବନରେଖା ଉପର ଦେଇ ସତେ ଯେମିତି ନଇଁପଡ଼ିଥାଏ, ସେହି ଦିଗକୁ ଚାହିଁ ତା’ର ମନଟି ଅଜଣା ପୁଲକରେ ଆନ୍ଦୋଳିତ ହୋଇଉଠେ । ମହାର୍ଗ ଅନୁଭବକୁ ସେ ପ୍ରକାଶ କରିପାରେନା । ବୁଝେଇ କହି ପାରେନି । ତା’ର ନାନୀ ଯେତେବେଳେ ନଈଘାଟରୁ ଗାଧୋଇ ଉଠିଆସେ, ସେ କହେ ଦେଖିଲୁ ନାନୀ ଦେଖ୍‌, ସେପଟକୁ ଟିକିଏ ଚାହିଁଲୁ । ତା’ପରେ ସେ କ୍ଷେତର ଶେଷଆଡ଼କୁ ଆଙ୍ଗୁଳି ଦେଖେଇ କହେ, ଏଇ, ସେ ଆଡ଼େ, ସେ ଗଛର ପଛପଟେ, କେମିତି ଅନେକ ଦୂରଭଳି ଜଣାପଡ଼ୁନି ?

 

ଦୁର୍ଗା ହସି ହସି କହେ, ଅନେକ ଦୂର, ବାସ୍‌, ଏଇକଥା ମୋତେ ଦେଖାଉଥିଲୁ ? ତୁ ଗୋଟେ ପାଗଳ, ବୁଝିଲୁ !

 

ଆଜି, ସେହି ଅପୁ ସର୍ବପ୍ରଥମ ଗାଁ ବାହାରେ ପାଦ ପକେଇଲା । କିଛିଦିନ ପୂର୍ବରୁ ଉତ୍ସାହରେ ରାତିରେ ତାକୁ ନିଦ ଲାଗୁନଥିଲା । ଦିନ ଗଣୁଗଣୁ ଶେଷରେ ଘରୁ ବାହାରିବାର ଦିନଟି ଆସିଗଲା ।

 

ତା’ର ଗାଁ’ର ସରୁ ରାସ୍ତାଟି ବଙ୍କେଇ ଯାଇ ନବାବଗଞ୍ଜର ସଡ଼କକୁ ଡାହାଣରେ ରଖି କ୍ଷେତର ବାହାରପଟେ ଆଷାଢ଼ୁ-ଦୁର୍ଗାପୁରର ମାଟି ରାସ୍ତା ସହିତ ମିଶିଛି । ରାସ୍ତାକୁ ଆସିବା ପରେ ଅପୁ ତା’ ବାପାଙ୍କୁ ପଚାରିଲା ବାପା, ରେଳଗାଡ଼ି ଯେଉଁ ରାସ୍ତାରେ ଯାଏ, ସେଇଟା କେଉଁଠି ?

 

ବାପା କହିଲେ ଚାଲ, ଦେଖିବୁ ଆଗକୁ ଆସିବ । ଆମେ ରେଲ ଲାଇନ୍‌ ପାରି ହୋଇ ଆରପଟକୁ ଯିବୁ ଯେ

 

ଥରେ ତା’ ଘରର ନାଲି ଗାଈର ବାଛୁରୀଟି ହଜିଯାଇଥିଲା । ଏଠିସେଠି ଅନେକ ଜାଗାରେ ଖୋଜି ମଧ୍ୟ ଦୁଇ ତିନିଦିନ ମିଳିଲାନି । ସେ ତା’ ନାନୀ ସହିତ ଦକ୍ଷିଣପଟ କ୍ଷେତକୁ ବାଛୁରୀ ଖୋଜି ଆସିଥିଲା । ପଉଷମାସ, କ୍ଷେତର ପ୍ରତି କିଆରୀରେ ବିରି ଆଉ ମୁଗର ଦାନା ବାନ୍ଧିବାର ସମୟ । ସେ ଆଉ ତା’ ନାନୀ ନଇଁପଡ଼ି ମୁଗ କଳେଇ ତୋଳି ମଝିରେ ମଝିରେ ଖାଉଥିଲେ । ସେମାନଙ୍କ ଆଗରେ ଅନତି ଦୂରରେ ନବାବଗଞ୍ଜର ପକ୍କା ରାସ୍ତା । ଖଜୁରୀଗୁଡ଼ ବୋଝେଇ ହୋଇ ଶଗଡ଼ଗୁଡ଼ିକ ଧାଡ଼ିବାନ୍ଧି କେଁ କଟର, କେଁ କଟର କରି ‘ଆଷାଢ଼ୁ’ର ହାଟକୁ ଯାଉଥିଲା ।

 

ତା’ ନାନୀ ପକ୍‌କା ସଡ଼କ ସେପଟେ ଝାପ୍‌ସା ମାଠ ପଟେ ଏକ ଲୟରେ କ’ଣ ଦେଖୁଥିଲା । ହଠାତ୍‌ ସେ କହିଲା, ଗୋଟିଏ କାମ କରିବା ଅପୁ, ଚାଲ ଯିବା ଆମେ ରେଳ ରାସ୍ତା ଦେଖିଆସିବା, ଯିବୁ ?

 

ଅପୁ ବିସ୍ମୟସ୍ୱରରେ ନାନୀ ମୁହଁକୁ ଚାହିଁ କହିଲା ରେଳ ରାସ୍ତା ସେ ତ ଅନେକ ଦୂରରେ ! ସେଠାକୁ କେମିତି ଯିବା ?

 

ତା’ ନାନୀ କହିଲା ବେଶୀ ଦୂର ବୋଲି ତୋତେ କିଏ କହିଛି ଏଇ ଯେ ପକ୍କା ରାସ୍ତା, ତା’ରି ସେପଟେ ଅପୁ କହିଲା ପାଖରେ ଯଦି ଥିବ, ତା’ହେଲେ ତ ଦେଖାଯିବ ? ପକ୍କା ରାସ୍ତାରୁ ଦେଖାଯିବ ତ ଚାଲିଲୁ ନାନୀ, ରାସ୍ତା ଉପରକୁ ଉଠି ଦେଖିବା

 

ଦୁଇଜଣ ନବାବଗଞ୍ଜର ରାସ୍ତାକୁ ଉଠି ଅନେକ ସମୟ ଧରି ଅନେଇ ଦେଖିଲେ । ତା’ ନାନୀ କହିଲା ବୋଧହୁଏ ବହୁତ ଦୂର, ଆମେ ଯାଇପାରିବାନି

 

ଅପୁ କହିଲା କିଛି ତ ଦେଖାଯାଉନି ଏତେଦୂର ଗଲେ, ପୁଣି ଫେରିବା କେମିତି ? ବହୁତ ଡେରି ହୋଇଯିବ । କିନ୍ତୁ ତାହାର ସତୃଷ୍ଣ ଦୃଷ୍ଟି ଦୂର ଦିଗନ୍ତରେ ଆବଦ୍ଧ ଥିଲା । ଲୋଭ ହେଉଥିଲା, ମନରେ ଭୟ ବି ଥିଲା । ହଠାତ୍‌ ତା’ ନାନୀ ଅତି ଆଗ୍ରହରେ କହିଲା, ଚାଲ ଅପୁ, ଯାଇ ଦେଖିଆସିବା- ଏମିତି କେତେ ଦୂର ହେବ ଯେ ? ଦୁଇପ୍ରହର ପୂର୍ବରୁ ଫେରିଆସିବା, ହୁଏତ ରେଳଗାଡ଼ି ବି ଏବେ ଯାଉଥିବ । ମା’କୁ କହିଦେବା ବାଛୁରୀ ଖୋଜୁଖୋଜୁ ଡେରି ହୋଇଗଲା

 

ପ୍ରଥମେ ସେ ଦୁହେଁ ଏପଟ ସେପଟ ଚାହିଁ ଦେଖିଲେ, କେହି କାଳେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରୁଛି କି ନାହିଁ । ତା’ପରେ ଭାଇଭଉଣୀ ପକ୍କା ରାସ୍ତା ଅତିକ୍ରମ କରି ଦ୍ୱିପ୍ରହରର ଖରାରେ କ୍ଷେତ, ବିଲ, ଖାଲ, ପଛରେ ଛାଡ଼ି ସିଧା ସଳଖ ଦକ୍ଷିଣ ପଟକୁ ଧାଇଁଲେ । ଧାଉଁ ଧାଉଁ ନବାବଗଞ୍ଜର ନାଲି ରାସ୍ତା କ୍ରମେ ବହୁତ ପଛରେ ରହିଗଲା । ବାଁପଟେ ଓ ଡାହାଣକୁ ତଳିରୁଆକ୍ଷେତ, ଜଳଛତ୍ର କେନ୍ଦ୍ର, ନଣନ୍ଦ ପୋଖରୀ ବହୁତ ପଛକୁ ରହିଗଲା । ସାମନାରେ ଗୋଟିଏ ଛୋଟ ବିଲ ଦେଖାଗଲା । ତା’ ନାନୀ ତା’ ଆଡ଼କୁ ଅନେଇ ହସି ହସି କହିଲା ମା’ ଜାଣିପାରିଲେ, ପିଠିରୁ ଚମଡ଼ା ଉତାରି ଦେବ । ଅପୁ ଥରଟିଏ ହସିଲା, ହତାଶିଆ ହସ । ପୁଣିଥରେ ସେମାନେ ଆରମ୍ଭ କଲେ ଧାଇଁବା ଆଗକୁ, ଆଗକୁ । ଜୀବନରେ ଏହାହିଁ ପ୍ରଥମ ବାଧାହୀନ, ସୀମାହୀନ, ମୁକ୍ତିର ଉଲ୍ଲାସ । ସେମାନଙ୍କ ସତେଜ ତରୁଣ ରକ୍ତ ସେତେବେଳକୁ ମାତି ଉଠିଛି ପରେ କ’ଣ ହେବ, ସେ କଥା ଭାବିବାର ଅବସର ବା କେଉଁଠି ?

 

ଅବଶ୍ୟ ତା’ପରେ ଯାହା ଘଟିଲା, ତାହା ବିଶେଷ ସୁବିଧାଜନକ ପରିସ୍ଥିତି ନ ଥିଲା । କିଛିବାଟ ଗଲାପରେ, ଠିକ୍‌ ସାମନାରେ ଗୋଟିଏ ଖାଲୁଆ ଅଞ୍ଚଳ ଆସିଲା । ହୁଗୁଳା ଓ ସୋଲ ଗଛରେ ଜାଗାଟି ଭର୍ତ୍ତି । ତା’ସାଙ୍ଗକୁ ତା’ ନାନୀ ରାସ୍ତା ହୁଡ଼ିଗଲା । କେଉଁଠି ଗାଁ ଗଣ୍ଡା ଦେଖାଗଲାନି । ଆଗରେ କେବଳ ଧାନକ୍ଷେତ, ଖାଲ ଆଉ ବେତବୁଦା । ଘଞ୍ଚ ବେତ ବୁଦା ଭିତରେ ଯିବା ସମ୍ଭବ ନୁହେଁ । ପଙ୍କରେ ପାଦ ପୋତି ହୋଇଯାଉଛି । ଖରା ଏମିତି ପ୍ରଖର ହେଲା ଯେ, ଶୀତଦିନଟାରେ ବି ସେମାନଙ୍କ ଦେହରୁ ଝାଳ ବୋହିବାକୁ ଲାଗିଲା । ନାନୀର ପିନ୍ଧାଲୁଗା ଖଣ୍ଡକ ବହୁତ ଜାଗାରେ କଣ୍ଟାରେ ଛିଣ୍ଡିଗଲା ତା’ ନିଜ ପାଦରୁ ଦୁଇ ତିନିଥର କଣ୍ଟା ଟାଣି ବାହାର କରିବାକୁ ପଡ଼ିଲା । ଶେଷରେ ରେଳରାସ୍ତା ଦେଖିବା ତ ଦୂରର କଥା ଘରକୁ ଫେରିବା ରାସ୍ତା ବି ଖୋଜି ପାଇବା ମୁସ୍କିଲ୍‌ ହୋଇପଡ଼ିଲା । ଅନେକ ଦୂର ଯାଏଁ ଆସି ପହଞ୍ଚିଲେଣି, ପକ୍କା ସଡ଼କ ଆଉ ଦେଖାଯାଉନି । ଖାଲ ଓ ଧାନକ୍ଷେତ ଅତିକ୍ରମ କରି ବହୁ କଷ୍ଟରେ ପୁଣିଥରେ ପକ୍କା ସଡ଼କକୁ ଉଠିବାବେଳକୁ ଦ୍ୱିପ୍ରହର ଅତିକ୍ରାନ୍ତ । ଘରକୁ ଫେରି ତା’ ନାନୀ ଗଦାଗଦା ମିଛକଥା କହି ନିଜର ଓ ଅପୁର ପିଠିକୁ ବଞ୍ଚେଇଥିଲା, ସେଦିନ ।

 

ସେଦିନର ସେହି ରେଳ ରାସ୍ତା ଆଜି ଏମିତି ସହଜ ଭାବରେ ଆଗକୁ ଆସିଯିବ ସେଥିପାଇଁ ଧାଇଁବା ଦରକାର ନାହିଁ, ରାସ୍ତା ହଜିଯିବାର ନାହିଁ ଗାଳିମନ୍ଦ ମଧ୍ୟ ଶୁଣିବାର ନାହିଁ ।

 

କିଛି ବାଟ ଗଲା ପରେ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲା ନବାବଗଞ୍ଜର ସଡ଼କ ପରି ଗୋଟିଏ ଉଚ୍ଚ ରାସ୍ତା ମାଠର ମଝିଦେଇ ବାମ ଓ ଡାହାଣକୁ ଲମ୍ବିଯାଇଛି । ବହୁଦୂର ପର୍ଯ୍ୟନ୍ତ ! ନାଲି ନାଲି ଭଙ୍ଗା ଚିପ୍‌ସ ସବୁ ବେଶ୍‌ ଉଚ୍ଚଯାଏ ସଜେଇ ରଖାଯାଇଛି ଆଉ ସେଗୁଡ଼ିକ କଡ଼େ କଡ଼େ ଚିକ୍‌ଚିକ୍‌ ଲୁହାପାତ ବିଛେଇ ଦିଆଯାଇଛି । ଆଉ ସେହି ଖୁଣ୍ଟି ଉପର ଯେମିତି ଏକାସାଥିରେ ଅନେକ ଗୁଡ଼ିଏ ଦଉଡ଼ି ସାହାଯ୍ୟରେ ଟାଣି ବନ୍ଧା ହୋଇଛି । ଯେତେଦୂର ପର୍ଯ୍ୟନ୍ତ ଦୃଷ୍ଟିଯାଏ, ସେଗୁଡ଼ିକ ସେମିତିଭାବେ ଲମ୍ବିଯାଇଛି ।

 

ତା’ ବାପା କହିଲେ, ହେଇଟି ଦେଖ୍‌, ଏଇଟା ରେଳ ରାସ୍ତା ।

 

ଅପୁ ଏକା ଡିଆଁରେ ଫାଟକ ପାରି ହୋଇ ରାସ୍ତା ଉପରେ ଆସି ଛିଡ଼ା ହେଲା । ତା’ପରେ ରେଳପଥର ଦୁଇ କଡ଼କୁ ସେ ବିସ୍ମିତ ଭାବରେ ନିଠେଇ ନିଠେଇ ଦେଖିଲା । ଦୁଇଦୁଇଟା ଲୁହାର ପାତ ସମାନ୍ତରରେ କାହିଁକି ବିଛାଯାଇଛି ? ଏହାରି ଉପରେ କ’ଣ ରେଳଗାଡ଼ି ଯାଏ ? କେମିତି ଯାଏ ମାଟି ଉପର ଦେଇ ନ ଯାଇ ଲୁହା ଉପରେ କାହିଁକି ଯାଏ ? ଖସି ପଡ଼େନା କାହିଁକି ? ସେ ଗୁଡ଼ାକୁ ବୋଧେ ତା’ର ବୋଲି କୁହନ୍ତି ? ସେଗୁଡ଼ିକ ଭିତରେ କ’ଣ ଗୋଟିଏ ସଁ ସଁ ଶବ୍ଦ ହେଉଛି ? ତା’ର ଭିତର ଦେଇ କ’ଣ ଖବର ପଠାହେଉଛି ? କିଏ ସବୁ ଖବର ଦେଉଛନ୍ତି ? ସେ ପଟେ କ’ଣ ଇଷ୍ଟେସନ ? ଏ ପଟେ ବି କ’ଣ ଇଷ୍ଟେସନ ?

 

ଏମିତି ଚିନ୍ତା କରୁକରୁ ସେ କହିଲା ବାପା, ରେଳଗାଡ଼ି କେତେବେଳେ ଆସିବ ? ମୁଁ ରେଳଗାଡ଼ି ଦେଖିବି, ବାପା !

 

ଆରେ, ରେଳଗାଡ଼ି ଏବେ କେମିତି ଦେଖିବୁ ? ସେ ତ ଯାଇ ଦୁଇପହରବେଳକୁ ଆସିବ । ଆହୁରି ଦୁଇଘଣ୍ଟା ବାକି ଅଛି !

 

ଥିଲେ ଥାଉ, ମୁଁ କିନ୍ତୁ ରେଳଗାଡ଼ି ଦେଖିଲେ ଯିବି, କେବେବି ଦେଖିନି ବୁଝିଲ ବାପା

 

ଏମିତି ଅଝଟ କରନ୍ତି ନି । ଏଇଥି ପାଇଁ ତୋତେ କେଉଁଠିକି ସାଙ୍ଗରେ ଆଣେନି, ଏବେ କେମିତି ଦେଖିବୁ ଯେ ? ସେ କାହିଁ ଦୁଇପ୍ରହର ଗୋଟାଏବେଳେ ଆସିବ, ସେଥିପାଇଁ ଏଇଠି ଖରାଟାରେ ବସିରହିବା ପାଇଁ ପଡ଼ିବ । ଏବେ ଚାଲ, ଫେରିବା ଦିନ ତୋତେ ରେଳଗାଡ଼ି ଦେଖେଇବି ।

 

ଶେଷରେ ଅପୁକୁ ଲୁହଭରା ଆଖିରେ ବାପାଙ୍କ ପଛେପଛେ ଯିବାକୁ ପଡ଼ିଲା ।

 

ତୁମେ କେବଳ ଚଲାପଥରେ ଚାଲୁଛ... ତୁମେ ପୂର୍ବରୁ କିଛି ଜାଣିନ । ରାସ୍ତାକଡ଼ରେ ତୁମ ଦୃଷ୍ଟିକୁ କେଉଁ ସବୁ ଦୃଶ୍ୟ ଓ ଘଟଣା ଆସିପାରେ । ତୁମର ବଡ଼ ବଡ଼ ଅଥଚ ନବୀନ ଆଖି ଯୋଡ଼ିକ ବିଶ୍ୱଗ୍ରାସୀ କ୍ଷୁଧାରେ ଚାରିଦିଗକୁ ଗିଳିଗିଳି ଆଗେଇ ଚାଲିଛି । ନିଜର ଆନନ୍ଦର ଏଭଳି ହିସାବ ନିକାଶରେ ତୁମେ ବି ଜଣେ ଦେଶ ଆବିଷ୍କାରକ । ଅଜଣା ଆନନ୍ଦ ପାଇବା ପାଇଁ ପୃଥିବୀଟା ଯାକ ଯେ ଘୂରିବୁଲିବାକୁ ପଡ଼ିବ, ସେମିତି କିଛି ମାନେ ନାହିଁ । ମୁଁ ଯେଉଁଠିକୁ ଆଗରୁ କେବେ ଯାଇନଥିଲି, ଆଜି ନୂଆ କରି ସେଠାରେ ପାଦ ଦେଲି, ଯେଉଁ ନଦୀ ଜଳରେ ପ୍ରଥମ ସ୍ନାନ କଲି, ଯେଉଁ ଗାଁ’ର ପବନ ଦେହକୁ ଶିହରିତ କଲା, ସେଠାକୁ ମୋ ପୂର୍ବରୁ କେହି ଆସିଥିଲା କି ନାହିଁ ସେଥିରୁ ମୋର ଯାଏ ଆସେ କେତେ ? ମୋର ଅନୁଭୂତିରେ ସେଇଟା ହିଁ ଅନାବିଷ୍କୃତ ଦେଶ । ମୁଁ ଆଜି ମନ, ବୁଦ୍ଧି, ହୃଦୟ ଦେଇ ତାହାର ନୂତନତ୍ୱକୁ ସର୍ବପ୍ରଥମେ ଆସ୍ୱାଦନ କଲି !

 

ଗାଁ’ଟିର ନାମ ଆମ୍ବଡୋବ । ଚାଷୀମାନଙ୍କ ବାସସ୍ଥଳୀ, କେମିତି ଏକ ଅଖାଡୁଆ ନାଁ’ଟା ! ଝିଅମାନେ ବାହାର ବାରଣ୍ଡାରେ ନଡ଼ା କାଟୁଛନ୍ତି, ଛେଳି ବାନ୍ଧୁଛନ୍ତି, କୁକୁଡ଼ାକୁ ବଳକା ଭାତ ଖାଇବାକୁ ଦେଉଛନ୍ତି, ଆଉ ବଡ଼ ମଣିଷମାନେ ନଳିତା ଝୋଟ ଶୁଖାଉଛନ୍ତି, ବାଉଁଶ କାଟୁଛନ୍ତି । ପୁଣି ଦେଖୁ ଦେଖୁ ପଛରେ ଗାଁ’ଟି ରହିଯାଉଛି, ତା’ପରେ ପୁରାପୁରି ବିଲ, କାନ୍ତାର ଆସିଯାଉଛି... ବିଲରେ ପାଣି ଉବୁଟୁବୁ, ଅଗାଡ଼ି ଧାନ କ୍ଷେତରେ ମାଳ ମାଳ ବଗ, ଶୃଗାଳ ଓ ନଳ ପତ୍ରରେ ଭର୍ତ୍ତି, କାଶତଣ୍ଡି ଫୁଲରେ ପାଣି ଲୁଚିଯାଇଛି ।

 

ଆଗରେ ଖଳଶିରାମାଛ ଧରାଯାଉଥିବା ବିଲ । ଆଉ ବିଲର ଗୋଟିଏ ପ୍ରାନ୍ତରେ ଘନ ସବୁଜ ଆଶୁ ଧାନର କ୍ଷେତ । ସେଇଠି ବୃଷ୍ଟିଧୌତ ଭାଦ୍ରମାସର ସୁନୀଳ ଆକାଶ କ୍ଷେତ ଉପରେ ପ୍ରସାରିତ । ସମଗ୍ର ଚକ୍ରବାଳ ସୂର୍ଯ୍ୟାସ୍ତର ବର୍ଣ୍ଣଚ୍ଛଟାରେ ଆବୋରି ଯାଇଛି । ବିଚିତ୍ର ବର୍ଣ୍ଣର ମେଘର ପାହାଡ଼, ମେଘର ଦ୍ୱୀପ, ମେଘର ସମୁଦ୍ର, ମେଘର ସ୍ୱପ୍ନପୁରୀ... ଖୋଲା ଆକାଶ ସହିତ ତା’ର ଏଭଳି ପରିଚୟ ଏତେଦିନ ଯାଏ ଘଟି ନ ଥିଲା । କାନ୍ତାର ସେ ପାରିର ଦୂର ଦେଶଟାର ରହସ୍ୟର ଅବଗୁଣ୍ଠନଟି ଏବେ ଯାଇ ସେହି ଆଠବର୍ଷର ବାଳକ ଆଗରେ ଖୋଲି ଖୋଲି ଯାଉଥିଲା ।

 

ଚାଲୁଚାଲୁ ତା’ର ବିଳମ୍ବ ହେଉଥିଲା । ବାପା କହିଲେ, ମୁଁ ଦେଖୁଛି ସବୁ ଜିନିଷକୁ ହାଁ କରି ଦେଖିଛୁ, ଏତେ ସବୁ ସେଥିରେ କ’ଣ ବା ଦେଖିବାର ଅଛି ? ଟିକିଏ ଶୀଘ୍ରଚାଲ ।

 

ସନ୍ଧ୍ୟା ପରେ ସେମାନେ ଗନ୍ତବ୍ୟ ସ୍ଥଳରେ ଯଜମାନ ଘରେ ପହଞ୍ଚିଗଲେ । ଶିଷ୍ୟର ନାମ ଲକ୍ଷ୍ମଣ ମହାଜନ । ବଡ଼ଚାଷୀ ଓ ବେଶ୍‌ ଅବସ୍ଥାସମ୍ପନ୍ନ ଗୃହସ୍ଥ । ବାହାର ପଟେ ଆଠଟି ଚାଳର ମଣ୍ଡପଘରେ ମହା ଆଦରରେ ସେମାନଙ୍କର ରହିବାର ବ୍ୟବସ୍ଥା କରାହେଲା ।

 

ଲକ୍ଷ୍ମଣ ମହାଜନଙ୍କ ସାନଭାଇର ବୋହୂ ସକାଳେ ଗାଧୋଇବା ପାଇଁ ପୋଖରୀ ଘାଟକୁ ଆସିଥିଲା । ପାଣିରେ ଓହ୍ଲେଇବା ସମୟରେ ପୋଖରୀ ହୁଡ଼ା ଉପରେ ତା’ର ନଜର ପଡ଼ିଲା । ସେ ଦେଖିଲା ପୋଖରୀ ହୁଡ଼ାର କଦଳୀ ବଗିଚାରେ ଗୋଟିଏ ଅଚିହ୍ନା ପିଲା ହାତରେ ବାଉଁଶ କଣିଟିଏ ଧରି ଥରେ ଏପଟକୁ ଓ ଥରେ ସେପଟକୁ ପଦଚାରଣ କରୁଛି, ଆଉ ପାଗଳ ଭଳି କ’ଣ ସବୁ ମନକୁ ମନ ପ୍ରଳାପ କରୁଛି । ସେ କଳସୀ ତଳେ ଥୋଇ ତା’ ପାଖକୁ ଆସି ପଚାରିଲା, ତୁମେ କାହା ଘରକୁ ଆସିଛ ?

 

ଅପୁର ଯେତେସବୁ ଆବ୍‌ଦାରୀ ଓ ଜୋର୍‌ଜାର୍‌ ସବୁ ତା’ ମା’ ପାଖରେ । ବାହାରକୁ ବାହାରିଲେ ସେ ଭୀଷଣ ଲାଜକୁଳା ପାଲଟିଯାଏ । ପ୍ରଥମେ ତା’ର ଇଚ୍ଛା ହେଲା, ଏକାଡିଆଁକେ ଦଉଡ଼ି ପଳେଇଯିବ । ପରେ ସଂକୁଚିତ ହୋଇ କହିଲା ଏଇ ତାଙ୍କରି ଘରକୁ

 

ବୋହୂଟି କହିଲା ଓହୋ, ଦେଢ଼ଶୁରଙ୍କ ଘରକୁ ? ଦେଢ଼ଶୁରଙ୍କ ଗୁରୁ ମହାଶୟଙ୍କ ପୁଅ ? ଓହୋ !

 

ବୋହୂଟି ତା’ ସାଥିରେ ଅପୁକୁ ନିଜ ଘରକୁ ଡାକି ନେଲା । ତାଙ୍କ ଘରଟି ଅଲଗା । ଲକ୍ଷ୍ମଣ ମହାଜନଙ୍କ ଘରଠୁ ଅଳ୍ପ ଦୂରରେ । ମଝିରେ ପୋଖରୀଟି ପଡ଼େ ।

 

ବୋହୂଟିର ବ୍ୟବହାରରେ ଅପୁର ଲାଜକୁଳାଭାବ କଟିଗଲା । ସେ ଘର ଭିତରେ ପଶି କୌତୁହଳରେ ଘରର ଆସବାବ୍‌ ପତ୍ର ନିରେଖି ଦେଖିବାରେ ଲାଗିଲା । ମନରେ ଭାବିଲା, ଆରେ, କେତେ କ’ଣ ଘରକରଣା ଜିନିଷରେ ଭର୍ତ୍ତି !... ତା’ ଘରେ ତ ଏମିତି ଜିନିଷ କିଛି ନାହିଁ । ଏମାନେ ଖୁବ୍‌ ବଡ଼ ଲୋକ ତ, ସେଥିପାଇଁ ଏତେସବୁ ! କାଠର ଆଲଣା, ରଙ୍ଗବେରଙ୍ଗର ଝୁଲୁଥିବା ସିକା, ପଶମରେ ତିଆରି ପକ୍ଷୀ, କାଚର କଣ୍ଢେଇ, ମାଟିର ପିତୁଳା, ସୋଲର ଗଛ- ଆହୁରି କେତେ କ’ଣ !- ଗୋଟେ ଯୋଡ଼େ ଜିନିଷ ସେ ଡରି ଡରି ହାତରେ ଧରି ଏପଟ ସେପଟ କରି ନିରୀକ୍ଷଣ କଲା ।

 

ବୋହୂଟି ଏତେ ସମୟ ଯାଏ ପିଲାଟିର ମୁହଁକୁ ଭଲକରି ନିରେଖି ଦେଖି ନ ଥିଲା । ପାଖରୁ ଭଲ କରି ଦେଖି ତା’ର ମନେହେଲା, ପିଲାଟି ଏବେବି ଶିଶୁ ସୁଲଭ । ମୁହଁର ହାବଭାବରୁ ଜଣାପଡ଼ୁଛି, ପାଞ୍ଚବର୍ଷର ପିଲା ପରି ଅତି କୋମଳ । ଏମିତି ସୁନ୍ଦର ଓ ଅବୋଧ ଦୃଷ୍ଟି, ସେ ଆଜିଯାକେ କୌଣସି ପିଲାର ଆଖିରେ ଦେଖିନି । ଏମିତି ଦେହର ରଙ୍ଗ, ଏଭଳି ଗଠନ, ଏମିତି ସୁନ୍ଦର ମୁହଁଟି, ଯେମିତି ତୂଳିରେ ଅଙ୍କା ହୋଇଥିବା ବଡ଼ ବଡ଼ ନିଷ୍ପାପ ଆଖି ! ଅଚିହ୍ନା ପିଲାଟି ଉପରେ ବୋହୂଟିର ବହୁତ ମମତା ହେଲା ।

 

ଅପୁ ବି ସେଠାରେ ବସି ନାନାପ୍ରକାର ଗପରେ ମାତିଗଲା ବିଶେଷ କରି ଗତକାଲିର ରେଳପଥର କଥା । କିଛି ସମୟ ପରେ ବୋହୂଟି ମୋହନ ଭୋଗ ତିଆରି କରି ଖାଇବାକୁ ଦେଲା । ଗୋଟିଏ ଗିନାରେ ବେଶ୍‌ ପରିମାଣର ମୋହନ ଭୋଗ । ଘିଅର ପରିମାଣ ବି ବେଶୀ । ଆଙ୍ଗୁଠିରେ ଘିଅ ଲାଗି ଯାଉଥିଲା । ଅପୁ ଅଳ୍ପ ଟିକିଏ ଖାଇ ଆଶ୍ଚର୍ଯ୍ୟ ଚକିତ ହୋଇଗଲା । ଏଭଳି ଅପୂର୍ବ ସ୍ୱାଦର ଖାଦ୍ୟ ସେ ଆଗରୁ କେବେବି ଖାଇନି ! ମୋହନ ଭୋଗରେ କିସ୍‌ମିସ୍‌ କାହିଁକି ଦିଆଯାଇଛି ? କାହିଁ ତା’ ମା’ ଯେଉଁ ମୋହନ ଭୋଗ ତିଆରି କରେ, ସେଥିରେ ତ କିସ୍‌ମିସ୍‌ ପଡ଼େନି ? ଘରେ ସେ ମା’ ନିକଟରେ ବରାଦ କରେ ମା’ ଆଜି ମୋହନ ଭୋଗ ତିଆରି କର ! ତା’ ମାଆ ହସ ହସ ମୁହଁରେ କହେ ଆଚ୍ଛା ହେଉ ଉପର ଓଳି ତିଆରି କରିଦେବି । ତା’ପରେ ସେ ନିପଟ ସୁଜିକୁ ପାଣିରେ ସିଝେଇ ଅଳ୍ପ ଟିକେ ଗୁଡ଼ ମିଶେଇ ଦିଏ ! ଗାଢ଼ ପ୍ରଲେପ ପରି ଏକ ଗରମ ବହଳ ପଦାର୍ଥ ପରି ଯେଉଁ ଦ୍ରବ୍ୟଟି ତିଆରି ହୁଏ, ତାହାକୁ ଗୋଟିଏ କଂସା ରେକାବିରେ ଢାଳି ପୁଅକୁ ଆଦରରେ ଖାଇବାକୁ ଦିଏ । ଆଜି ପର୍ଯ୍ୟନ୍ତ ଅପୁ ସେହି ଖାଦ୍ୟକୁ ମହାଖୁସିରେ ଖାଇ ଆସୁଥିଲା । କିନ୍ତୁ ମୋହନ ଭୋଗ ଯେ ଏମିତି ସୁଆଦିଆ ହୋଇପାରେ ଏ କଥା ସେ ଜାଣିନଥିଲା । ଆଜି କିନ୍ତୁ ଜାଣିପାରିଲା ଏଇ ମୋହନ ଭୋଗ ଆଉ ତା’ ମାଆ ତିଆରି କରୁଥିବା ମୋହନ ଭୋଗ ଭିତରେ ଆକାଶ ପାତାଳ ତଫାତ୍‌ । ସଙ୍ଗେ ସଙ୍ଗେ ମାଆ ପାଇଁ କରୁଣା ଓ ସହାନୁଭୂତି ତା’ ମନରେ ପୁରି ଉଠିଲା । ହୁଏତ, ତା’ର ମାଆ ବି ଜାଣିନଥିବ, ଏପରି ମୋହନ ଭୋଗ ବି ତିଆରି ହୁଏ !... ସେ ଯେମିତି ଅସ୍ପଷ୍ଟ ଭାବରେ ବୁଝିପାରୁଥିଲା ଯେ ତା’ର ମାଆ ଗରିବ, ସେମାନେ ଗରିବ ସେଥିପାଇଁ ତା’ ଘରେ ଭଲ ଖାଇବା ସମ୍ଭବ ହୁଏନି ।

 

ସେହି ସାହିରେ ଜଣେ ବ୍ରାହ୍ମଣ ପ୍ରତିବେଶୀଙ୍କ ଘରୁ ଅପୁର ଗୋଟାଏ ଦିନ ନିମନ୍ତ୍ରଣ ଆସିଲା । ଦୁଇ ପ୍ରହର ସମୟରେ ସେ ଘରର ଝିଅଟିଏ ଆସି ଅପୁକୁ ସାଙ୍ଗରେ ଡାକି ନେଲା । ତାଙ୍କର ରୋଷେଇ ଘର ବାରଣ୍ଡାରେ ଅତି ଯତ୍ନରେ କାଠ ପିଢ଼ା ଥୋଇ, ପାଣି ଛିଞ୍ଚି ଅପୁକୁ ବସିବା ପାଇଁ ସ୍ଥାନ ଦେଲେ । ଯେଉଁ ଝିଅଟି ଅପୁକୁ ଡାକିବାକୁ ଯାଇଥିଲା ତା’ର ନାମ ଅମଲା । କି ସୁନ୍ଦର ଗୋରା ଟୁକ୍‌ଟୁକ୍‌ ଦେହର ରଙ୍ଗ । ଆଖି ଦୁଇଟି ବଡ଼ ବଡ଼ । ମୁହଁଟି ଖୁବ୍‌ ସୁନ୍ଦର । ବୟସ ତା’ ନାନୀର ପାଖାପାଖି ହେବ । ଅମଲାର ମାଆ ତା’ ପାଖରେ ବସି ତାକୁ ନିଜ ହାତରେ ଖୁଆଇ ଦେଲେ । ନିଜ ହାତରେ ତିଆରି କରିଥିବା ଚନ୍ଦ୍ରପୁଲି ଖାଇବା ଥାଳିରେ ଦେଲେ । ଖାଇ ସାରିଲା ପରେ ଅମଲା ପୁଣି ସାଙ୍ଗରେ ଆସି ଘରେ ଛାଡ଼ି ଦେଇଗଲା । ସେଦିନ ବିକାଳ ସମୟରେ ଖେଳୁ ଖେଳୁ ଅପୁର ଗୋଡ଼ ଆଙ୍ଗୁଳି ବଗିଚାର ବାଡ଼ରେ ଦୁଇଟି ବାଉଁଶ ଫାଙ୍କରେ ଅଟକି ଯାଇଥିଲା । ସତେଜ ବାଉଁଶ ଚେରର ବାଡ଼ରେ ଆଙ୍ଗୁଳିଟା ଖଣ୍ଡିଆ ହୋଇ ରକ୍ତାକ୍ତ ହୋଇଗଲା । ଅମଲା ଧାଇଁ ଆସି ଯଦି ଅପୁର ଗୋଡ଼ଟି ବାଉଁଶ ଫାଙ୍କରୁ ବାହାର କରିନଥାନ୍ତା, ହୁଏତ ଆଙ୍ଗୁଠିଟା ପୁରା କାଟିବାକୁ ପଡ଼ିଥା’ନ୍ତା । ସେ ଚାଲିପାରୁନଥିଲା, ଅମଲା ତାକୁ କୋଳରେ କାଖେଇ ନେଇ ଅମାର ପାଖ ଔଷଧୀୟ ଗୁଳ୍ମର ପତ୍ର ବାଟି ଆଙ୍ଗୁଳିରେ ବାନ୍ଧିଦେଲା । ବାପା ପାଖରୁ ଗାଳି ଶୁଣିବା ଭୟରେ ଅପୁ ଏ କଥା କାହା ଆଗରେ କହିନଥିଲା ।

 

ସେଦିନ ରାତିରେ ଶୋଇ ଶୋଇ ସେ କେବଳ ଅମଲାର ସ୍ୱପ୍ନ ଦେଖିଲା । ସେ ଅମଲାର କାଖରେ ବୁଲୁଛି, ଅମଲା ପାଖରେ ବସିଛି, ଅମଲା ସାଙ୍ଗରେ ଖେଳୁଛି ଓ ଅମଲା ସହିତ ରେଳ ରାସ୍ତା ଉପରେ ଦଉଡ଼ା, ଦଉଡ଼ି କରି ଘୁରି ବୁଲୁଛି । ଅମଲାର ହସହସ ଆଖି ମୁହଁ, ଜମାଟ ନିଦ ଭିତରେ ବି ତା’ରି ପାଖରେ ସାରାରାତି ଯେମିତି ଲାଖି ରହିଥିଲା । ସକାଳ ହେଲାରୁ ସେ କେବଳ ସତୃପ୍ତ ନୟନରେ ଅନେଇ ଥିଲା, ଅମଲା କେତେବେଳେ ତା’ ପାଖକୁ ଆସିବ ? ଅନ୍ୟସବୁ ସାନ ସାନ ପୁଅଝିଅ ସବୁ ଆସିଲେ ଖେଳ ଆରମ୍ଭ ହେଲା । କ୍ରମଶଃ ବେଳ ବଢ଼ି ଚାଲିଲା ତଥାପି ଅମଲାର ଦେଖା ଦର୍ଶନ ନାହିଁ । ଘର ଭିତରୁ ବୋହୂଟି ଖାଇବା ପାଇଁ ଡାକ ପକେଇଲା ପ୍ରତିଦିନ ସକାଳେ ଓ ବିକାଳେ ବୋହୂଟି ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରି ତାକୁ ଖାଇବାକୁ ଦିଏ । ଭୋଜନ ପରେ ଅପୁ ବୋହୂକୁ ପଚାରିଲା ଆଜି ସକାଳେ ଅମଲା ନାନୀ ଆସଥିଲେ ? ସେ କହିଲା, ନା ସେ ତ ଆସି ନାହିଁ । କ୍ରମେ ବେଳ ଆହୁରି ବଢ଼ି ଚାଲିଲା । ଖେଳ ଶେଷ ହେଲା । ତା’ର ବାପା ତାକୁ ଗାଧୋଇବାକୁ ଡାକିଲେ । ତଥାପି ଅମଲାର ଦେଖା ନାହିଁ, ଅଭିମାନରେ ତା’ର ମୁହଁଟି ଫୁଲି ଉଠିଲା । ହଉ, ନ ଆସିଲେ ନ ଆସୁ ସିଏ, ଅମଲା ସହିତ ତା’ର ଏ ଜନ୍ମ ପର୍ଯ୍ୟନ୍ତ କଟି ଆଉ କେବେବି ତା’ ସହିତ ସେ କଥା କହିବନି ! ବିକାଳ ବେଳକୁ ଖେଳ ଆରମ୍ଭ ହେଲା । ପାଞ୍ଚ ଛଅଜଣ ପୁଅଝିଅ ଖେଳିବାକୁ ଆସିଥିଲେ ବି ଅପୁ ଭାବିଲା, ସେ କାହା ସହିତ ଖେଳିବ ? କେହି ଉପଯୁକ୍ତ ଖେଳ ସାଥି ବୋଲି ତା’ର ମନେହେଲାନି ! ଉତ୍ସାହହୀନ ଭାବରେ କିଛି ସମୟ ଖେଳିବାକୁ ଚେଷ୍ଟାକଲା, ତଥାପି ବି ଅମଲାର ଦେଖା ମିଳିଲାନି ।

 

ତହିଁପରଦିନ ସକାଳେ ଅମଲା ଆସିଲା । ଅପୁ ତା’ ସହିତ କୌଣସି କଥା କହିଲାନି । ଅମଲା ଯେଉଁଠାରେ ବସୁଥିଲା, ଅପୁ ତା’ଠୁ ଦୂରେଇ ବସିଲା । ଅଥଚ ମଝିରେ ମଝିରେ କଣେଇ କଣେଇ ଚାହୁଁଥିଲା ଆଉ ଜଣେଇବାକୁ ଚାହୁଁଥିଲା ଯେ ସେ ତା’ ଉପରେ ରାଗିଯାଇ ଏମିତି କରୁଛି । ସେ ଦେଖୁଥିଲା ଅମଲା ପ୍ରକୃତରେ ଏ କଥା ବୁଝିପାରୁଛି କି ନାହିଁ । ଅମଲା ସତରେ ପ୍ରଥମେ କିଛି ବୁଝିପାରିନଥିଲା । ପରେ ଯେତେବେଳେ ଜାଣିଲା ଯେ କିଛି ଗୋଟାଏ ନିଶ୍ଚୟ ଘଟିଛି ତା’ପରେ ସେ ଅପୁ ପାଖକୁ ଯାଇ ପଚାରିଲା, କ’ଣ ହେଲାରେ ବାବୁ, ମୋ ସହିତ କାହିଁକି କଥା ହେଉନୁ ? କ’ଣ ହେଲା ?

 

ଅପୁ ଏତେସବୁ କଥା ବୁଝେନା, ସିଧାସଳଖ ଅଭିମାନରେ ଓଠ ଫୁଲେଇ କହିଲା, କ’ଣ ହେଇଚି ମାନେ ! କ’ଣ ଆଉ ହେବ ? କାଲି କାହିଁକି ତୁମେ ଆସିନ ?

 

ଅମଲା ଅବାକ୍‌ ହୋଇଗଲା । କହିଲା, ଆସିନି ସେଇଥି ପାଇଁ ରାଗିଛୁ ?

 

ଅପୁ ବେକ ହଲେଇ ଜଣେଇ ଦେଲା, ହଁ ଠିକ୍‌ ସେଇଥିପାଇଁ ସେ ରାଗିଛି । ଅମଲା ଖିଲିଖିଲି ହୋଇ ହସିଲା, ଆଉ ଅପୁର ହାତଧରି ଘର ଭିତରକୁ ନେଇଗଲା । ବୋହୂଟି ସବୁକଥା ଶୁଣି ପ୍ରଥମେ ହସିହସି ବେଦମ୍‌ ହେଲା, ତା’ପରେ ମୁହଁର ହସ ଚାପି କହିଲା, ତା’ହେଲେ ଅମଲା, ତୁମର ଏବେ ଘରକୁ ଫେରି ଯିବାର ସାଧ୍ୟ ନାହିଁ ଦେଖୁଛି । କ’ଣ ବା କରିବ, ପିଲା ଯେତେବେଳେ ତୁମକୁ ଛାଡ଼ି ରହିପାରୁନି, ତମେ ତା’ହେଲେ ଏଇଠି ରହିଯାଅ ଆଉ ନ ହେଲେ

 

ବୋହୂଟିର କଥା କହିବାର ଶୈଳୀରେ ଅମଲା କ’ଣ ଗୋଟାଏ ଅନ୍ଦାଜ କରି ଲଜ୍ଜିତ ହେବାର ଜଣାଗଲା । ମୃଦୁ ପ୍ରତିବାଦର ସ୍ୱରରେ ସେ କହିଲା ହଉ ଭାଉଜ ଏମିତି କହିଲେ ଦେଖିବ ତୁମ ଘରକୁ କେବେବି ଆସିବିନି

 

କିଛି ସମୟ ପରେ ଅପୁ ଅମଲା ସହିତ ତା’ ଘରକୁ ଗଲା । ଅମଲା ତାଙ୍କ ଘରର ଆଲ୍‌ମାରୀ ଖୋଲି କାଚର ବଡ଼ ବଡ଼ ସାହେବାଣୀ କଣ୍ଢେଇ, ମହମରେ ତିଆରି ଚଢ଼େଇ, ଗଛ ଓ ଆହୁରି ଅନେକ ଖେଳଣା ଦେଖେଇଲା । ଅପୁ ପଚାରି ବୁଝିଲା ସେସବୁ କାଳିଗଞ୍ଜର ସ୍ନାନଯାତ୍ରା ମେଳାରୁ କିଣା ହୋଇଛି । ନୂଆ ନୂଆ କେତେ ପ୍ରକାରର ଖେଳଣା, ଗୋଟାଏ ରବରରେ ତିଆରି ମାଙ୍କଡ଼ । ଜଣେ ଯେଉଁ ଦିଗକୁ ଗଲେ ବି ସେଆଡ଼କୁ ହିଁ ସେ ଆଖି ମିଟ୍‌ମିଟ୍‌ କରି ଚାହିଁବ । ଆଉ ଗୋଟାଏ କଣ୍ଢେଇର ପେଟକୁ ଚିପି ଦେଲେ, ମୂର୍ଚ୍ଛା ରୋଗୀ ଭଳି ହଠାତ୍‌ ହାତ ପାଦ ଛାଟି ଖଞ୍ଜଣି ବଜାଇବା ଆରମ୍ଭ କରିଦିଏ । ସବୁଠୁ ବେଶୀ ଆଶ୍ଚର୍ଯ୍ୟର ଜିନିଷଟି ଥିଲା ଗୋଟିଏ ଟିଣର ଘୋଡ଼ା । ରାନୁ ନାନୀ ଘର କକା ତାଙ୍କ ଘରର କାନ୍ଥ ଘଣ୍ଟାଟାରେ ଯେମିତି ଚାବି ଦିଅନ୍ତି ଆଉ ତା’ପରେ ଘଣ୍ଟାଟି ଟିକ୍‌ଟିକ୍‌ ହୋଇ ଚାଲେ, ସେ ବି ଠିକ୍‌ ସେମିତି ଚାଲିବା ଆରମ୍ଭ କରିଦିଏ । ବେଶ୍‌ କିଛିଦୂର ଯାଏ ମନେହୁଏ ସତେ ଯେମିତି ସତସତିକା ଘୋଡ଼ାଟିଏ । ସେହି ଖେଳଣାଟିକୁ ଦେଖି ଅପୁ ଅବାକ୍‌ ହୋଇଗଲା । ହାତରେ ଟେକି ତଳ ଉପର କରି ଭଲ ଭାବରେ ଦେଖିଲା । ତା’ପରେ ଅମଲା ନାନୀକୁ ଚାହିଁ ପ୍ରଶ୍ନକଲା ଏଇଟା କି ପ୍ରକାରର ଘୋଡ଼ା, ବେଶ୍‌ ଚାଲୁଛି ତ ! ଏଇଟା କେଉଁଠୁ କିଣିଛ ? ଏହାର ଦାମ୍‌ କେତେ ?

 

ତା’ପରେ ଅମଲା ତାକୁ ଗୋଟିଏ ସିନ୍ଦୁର ଫରୁଆ ଖୋଲି ଦେଖେଇଲା । ତା’ ଭିତରେ ସୁନେଲି ରଙ୍ଗର କ’ଣ ଗୋଟିଏ ପାତ ଥିଲା । ଅପୁ ପଚାରିଲା ଏଇଟା କ’ଣ ଜରି ?

 

ଅମଲା କହିଲା, ଜରି କାହିଁକି ହେବ ? ଏଇଟା ପରା ସୁନାର ପାତ ଦେଖିନୁକି ଆଗରୁ ? ଅପୁ କେବେବି ସୁନାର ପାତ ଦେଖିନଥିଲା । ସୁନାର ରଙ୍ଗ କ’ଣ ଏତେ ଚହଟ ? ସୁନାର ପାତଟିକୁ ହାତରେ ଧରି ଏପଟ ସେପଟ କରି ଭଲ ଭାବରେ ଦେଖିଲା । ଅମଲା ସହିତ ଘରକୁ ଫେରୁଫେରୁ ଅପୁ ଭାବୁଥିଲା, ବିଚରା ତା’ ନାନୀର ଏଭଳି କିଛି ଖେଳଣା ନାହିଁ । ଶୁଖିଲା ସୁନାରୀ ଫଳ ଓ କାଇଁଚ ଗୋଟାଏ ଆଉ ପର ଘରର କଣ୍ଢେଇ ଚୋରି କରି ମାଡ଼ ଖାଏ ।... ତା’ ନାନୀର ସମବୟସୀ ଅନ୍ୟକେହି ଝିଅର ଖେଳଣାର ଐଶ୍ୱର୍ଯ୍ୟ କେତେ ବେଶୀ ହୋଇପାରେ, ତାହା ସେ ଆଜି ପର୍ଯ୍ୟନ୍ତ କେବେବି ଦେଖିନି କିମ୍ବା ତୁଳନା କରି ଦେଖିବାର ସୁଯୋଗ ବି ପାଇନଥିଲା । ଆଜି ସେ କଥା ନିଜ ଆଖିରେ ଦେଖି, ତୁଳନା କରି ନିଜ ନାନୀ ପ୍ରତି ସହାନୁଭୂତି ଓ କରୁଣାରେ ତା’ ମନ ବିଗଳିତ ହୋଇଗଲା । ତା’ ପାଖରେ ଯଦି ପଇସା ଥାଆନ୍ତା, ସେ ତା’ର ନାନୀକୁ ଗୋଟିଏ କଳର ଘୋଡ଼ା କିଣି ଦିଅନ୍ତା । ଆଉ ଗୋଟିଏ ରବରର ମାଙ୍କଡ଼... ତୁମେ ଯେଉଁଆଡ଼େ ଯାଅ, ସେଇଟା ତୁମ ଆଡ଼କୁ ଚାହିଁ ଆଖି ମିଟ୍‌ମିଟ୍‌ କରେ...

 

ବୋହୂଟି ପାଖରେ ଦୁଇମୁଠା ତାସ୍‍ ଥିଲା । ଠିକ୍‌ ଦୁଇମୁଠା କହି ହେବନି । ସେଥିରେ କେବଳ ବିଭିନ୍ନ ମୁଠାର ପରିତ୍ୟକ୍ତ କାଗଜଗୁଡ଼ିକୁ ଏକାଠି ସଞ୍ଚୟ କରି ରଖାଯାଇଥିଲା । ଅପୁ ସେଗୁଡ଼ିକୁ ଧରି ଏପଟ ସେପଟ କରେ । ରାନୁ ନାନୀ ଘରେ ଦୁଇପ୍ରହରରେ କେବେ କେବେ ତାସ୍‍ର ଆଡ୍‌ଡ଼ା ଜମିଥାଏ, ସେ କିନ୍ତୁ ବସି ବସି ଖେଳ ଦେଖୁଥାଏ । ଟୀକ୍‌କା, ଗୁଲାମ, ସାହେବ, ବିବି କାଗଜ ନେଇ ମାର୍‌ ଧର ହୁଏ, ବେଶ୍‌ ମଜା ଖେଳ ! ସେ ଖେଳ ଜାଣେନି । ତା’ର ନାନୀ କିମ୍ବା ମା’ ବି ଜାଣନ୍ତି ନାହିଁ । କେବେ କେବେ ତା’ର ମା’ ମଧ୍ୟ ତାସ୍‌‌ ଖେଳିବାକୁ ଯାଏ । ତାକୁ କେହି ନିଜ ଭାଗୁଆଳିରେ ନେବାକୁ ଚାହାନ୍ତି ନାହିଁ । ସମସ୍ତେ କହନ୍ତି, ସେ କିଛି ଖେଳ ଜାଣେନି । କେବେକେବେ ତାସ୍‍ ଖେଳୁ ଖେଳୁ ତା’ର ମା’ ଏମିତି ଭାବ ଦେଖାଏ ସତେ ଯେମିତି ଜଣେ ପୋଖତ ଖେଳାଳୀ କିନ୍ତୁ କିଛି ସମୟ ପରେ ଧରାପଡ଼ିଯାଏ । କିଏ କହେ ଆରେ ବୋହୂ, ଏଇଠି କାହିଁକି ଟୀକା ମାରିଲୁ । ଦେଖୁନୁ, ସେ ହାତରେ ରଙ୍ଗର ଗୁଲାମ କାଟିଥିଲା ଯେ ? ତୋ ଆଖି ସାମନାରେ ଦେଖିବି ଭୁଲ କଲୁ ? ତା’ର ମା’ ଖୁବ୍‌ ଶୀଘ୍ର ତା’ର ଅଜ୍ଞତା ଲୁଚେଇବାକୁ ଯାଇ ହସି ହସି କୁହେ, ଆରେ ସତେ ତ ! ବଡ଼ ଭୁଲ୍‌ ହୋଇଗଲା ଲୋ ନାନୀ, ମୋର ବିଲ୍‌କୁଲ୍‌ ମନେନାହିଁ । ପରେ ସେ ପୁଣି ସ୍ୱାଭାବିକ ଭାବରେ ଖେଳିବା ଆରମ୍ଭ କରେ । ଓଠ ଚାପି ହସେ, ଇଆଡ଼େ ସିଆଡ଼େ ସମସ୍ତ ଖେଳାଳୀ ଆଡ଼କୁ ଚାହେଁ । ଏମିତି ଭାବ ପ୍ରକଟ କରେ ସତେ ଯେମିତି ସମସ୍ତଙ୍କ ତାସ୍‌ର ଖବର ତା’ ପାଖରେ ଅଛି । ଆଉ ଏଥର ସେ କିଛି ନା କିଛି ଗୋଟାଏ ନ କରି ଛାଡ଼ୁନି । କିନ୍ତୁ, କିଛି ସମୟ ପରେ ଜଣେ କିଏ ଅବାକ୍‌ ହୋଇ କହି ଉଠିବ ଆରେ ଏ କ’ଣ ବୋହୂ, କ’ଣ କଲୁ, ତୋ’ ପାଖରେ ଏତେ ବଡ଼ ବିନ୍ତି ଥିଲା, ଦେଖେଇଲୁନି କାହିଁକି ? ତା’ ମା’ ଓଠ ଚିପି ଚିପି ହସେ ଓ ବିଜ୍ଞଭାବ ପ୍ରକଟ କରି କହେ ତା’ର କାରଣ ଅଛି, ତା’ ଭିତରେ କାରଣଟିଏ ଅଛି । ମୁଁ ଇଚ୍ଛାକରି ବିନ୍ତି ଦେଖେଇନି । କିନ୍ତୁ ପ୍ରକୃତରେ ସେ ବିନ୍ତି କେମିତି ହୁଏ ଜାଣେନି । ତା’ର ଭାଗୁଆଳୀ ରାଗିଯାଏ ଆଉ କହେ, ତା’ଭିତରେ ପୁଣି କ’ଣ କଥା ଅଛି ମୋତେ କହିଲୁ ? ଏମିତି ମୁଠାଟା ନଷ୍ଟ କରିଦେଲୁ ? ଦେ ତୁ ତାସ୍‌ ସାନ ମଝିଆ ବୋହୂକୁ ଦେ, ତୋ’ର ଆଉ ଖେଳିବା ଦରକାର ନାହିଁ, ବହୁତ ବେଶୀ ଖେଳିଲୁ । ତା’ ମା’ ଅପମାନ ଲୁଚେଇବାକୁ ଯାଇ ପୁଣି ହସିଦିଏ, ଯେମିତି କିଛି ହୋଇନି ସବୁ ଥଟ୍ଟାମଜା, ସେମାନେ ଥଟ୍ଟା କରି କହୁଛନ୍ତି, ଆଉ ସେ ବି ସେମିତି ଗ୍ରହଣ କରୁଛି ।

 

ଅପୁ ଯଦି ଦୁଇମୁଠା ତାସ୍‌ ପାଇଯିବ, ତା’ହେଲେ ସେ, ତା’ର ମା’ ଆଉ ନାନୀ ମିଶି ଖେଳିବେ । ଖିଆପିଆ ଶେଷ ହେବା ପରେ ଦୁଇପ୍ରହର ସମୟକୁ ତା’ ଘରର ଜଙ୍ଗଲ ପଟ ଝରକା ପାଖରେ ସେମାନେ ତିନିଜଣ ଯାକ ସପ ପାରି ବସିଯିବେ । ଝରକାର କବାଟକୁ ଏକ ପ୍ରକାରର ପୋକ କାଟିକାଟି ସୋରିଷ ଭଳି ଗୁଣ୍ଡ ଗୁଣ୍ଡ କରି ପକେଇଛି । ଟିକିଏ ହଲେଇ ଦେଲେ ଝୁର୍‌ଝୁର୍‌ କରି ଗୁଣ୍ଡ ସବୁ ଖସିପଡ଼େ । ପୁରୁଣା କାଠ ଗୁଣ୍ଡରୁ ଗୋଟାଏ ପ୍ରକାରର ଗନ୍ଧ ବାହାରେ । ଝରକା ପାଖ ଜଙ୍ଗଲଟାକୁ ଦୁଇପ୍ରହରର ପବନରେ ପ୍ରସାରୁଣୀ ପତରର କଟୁ ଦୁର୍ଗନ୍ଧ ଆସି ନାକରେ ବାଜେ । ଅଗଣାର କାଲ୍‌ ମେଘ ଗଛର ଜଙ୍ଗଲ ଭିତରେ ତା’ ନାନୀର ପରିଚିତ ସବୁଜ ଡେଣାର ପୋକଟା ଥରେ ଉଡ଼େ, ପୁଣି ଗଛରେ ବସେ, ପୁଣି ଉଡ଼ିଯାଏ, ପୁଣି ବସେ । ସେଇଠି ସେମାନେ ତିନିଜଣ ଯାକ ନିର୍ଜନ ଦୁଇପ୍ରହରରେ ଝରକା ପାଖରେ ସପ ଉପରେ ବସି ନିଜେ ନିଜେ ତାସ୍‌ ଖେଳିବେ । କେଉଁ ତାସ୍‌ ସହ କ’ଣ ମିଶିଲେ ବିନ୍ତି ହେବ, ସେ କଥା ଜଣାନଥାଉ, କିଛି ଯାଏ ଆସେ ନାହିଁ । ସେମାନଙ୍କ ଖେଳ ଭିତରେ ବିନ୍ତି ଦେଖେଇ ନ ପାରିଲେ ବି ଚଳିବ । ସେଥିପାଇଁ କେହି କାହାକୁ ଉଠେଇ ଦେବନି, କୌଣସି ପ୍ରକାରର ଅପମାନସୂଚକ କଥା କହିବୁନି କିମ୍ବା ଥଟ୍ଟା ତାମ୍‌ସା ବି କରିବନି । ଯେ ଯେମିତି ଭାବରେ ଚାହିଁବ, ସେମିତି ଖେଳିବ । ଖେଳ କଥା- ନ ହେଲା ବା ବିନ୍ତି ଦେଖେଇବା, କ’ଣ ଭାସିଯିବ !

 

ସନ୍ଧ୍ୟାପରେ ବୋହୂଟିର ଘରେ ଅପୁର ନିମନ୍ତ୍ରଣ ଥିଲା । ଖାଇବା ପାଇଁ ବସି, ଖାଇବାର ଜିନିଷପତ୍ର ଓ ଆୟୋଜନ ଦେଖି ସେ ଅବାକ୍‌ ହୋଇଗଲା । ଛୋଟ ଗୋଟିଏ ଫୁଲପକା ରେକାବିରେ ଲୁଣ ଓ ଲେମ୍ବୁ ଅଲଗା କରି କାହିଁକି ରଖାଯାଇଛି ? ଲୁଣ ଓ ଲେମ୍ବୁ ତ ମା’ ଥାଳିରେ ହିଁ ଦିଏ । ପ୍ରତିଟି ତରକାରୀ ଅଲଗା ଅଲଗା ଗିନାରେ ପରଷା ଯାଇଛି !... ଏତେ ପରିମାଣର ତରକାରୀ ! ଏତେ ବଡ଼ ଗଳ୍‌ଦା ଚିଙ୍ଗୁଡ଼ିର ମୁଣ୍ଡଟା କ’ଣ ତାକୁ ଏକୁଟିଆ ଖାଇବାକୁ ଦିଆଯାଇଛି ?

 

ତାକୁ ଲୁଚି ବି ପରଷା ଯାଇଛି ! ଲୁଚି ! ଆଃ ଲୁଚି ! ତା’ର ଓ ତା’ ନାନୀର ସ୍ୱପ୍ନକାମନାର ସେପାରି ରୂପକଥାର ନୀଳ ଛାଇ ଗହଣର ଦ୍ରବ୍ୟ... କେତେ ରାତି, କେତେ ଦିନ ସେମାନେ କେବଳ ଓଲଚଚ୍ଚଡ଼ି ଓ ଲାଉର ଛେଁଚ୍‌କି ତରକାରୀ ସହିତ ଭାତ ଖାଇଛନ୍ତି । ସକାଳେ ଓ ବିକାଳେ ବିନା ଜଳଖିଆରେ ସେମାନଙ୍କର ବିତିଯାଇଛି । କେବଳ ଅନ୍ୟମନସ୍କ ହୋଇ ସେମାନଙ୍କର ମନ ଲୁବ୍‌ଧ ଉଦାସ ଗତିରେ ଗୋଟାଏ ସ୍ଥାନକୁ ଧାଇଁଯାଏ, ଯେଉଁଠାରେ ଦୁଇପ୍ରହରର ଗରମ ଖରାରେ ସେମାନଙ୍କ ସାହିର ପୋଖତ ରାନ୍ଧୁଣିଆ ବୀରୁ ରାୟ କାନ୍ଧରେ ଗାମୁଛା ଗୁଡ଼େଇ ରାନ୍ଧିବାକୁ ସଜବାଜ ହେଉଥାଏ । ନଗଦରେ ତିଆରି ହୋଇଥିବା ବଡ଼ ଚୁଲିଟି ଉପରେ ବଡ଼ ଲୁହା କରେଇରେ ଘିଅ ରଖା ଯାଇଥାଏ । ସେଇଠୁ ଲୁଚି ଭଜାର ଅପୂର୍ବ ଅମୃତ ଭଳି ଆଘ୍ରାଣ ଆସେ । ଅନେକ ପିଲା ଭଲ ଭଲ ଲୁଗା ପିନ୍ଧି ସେପଟେ ଯାତାୟତ କରନ୍ତି । ଗାଙ୍ଗୁଲି ଘରର ବଡ଼ ନାଟ ମନ୍ଦିର ଓ ଜଳପାଇ ଫଳ ଗଛ ମୂଳରେ ଶତରଞ୍ଜି ଦରି ବିଛେଇ ଦିଆଯାଏ । ସାରା ବର୍ଷରେ ସେହି ଗୋଟାଏ ମାତ୍ର ଦିନ ସେ ଲୁଚି ଦେଶର ଠିକଣା ଖୋଜି ପାଏ, ଚୈତ୍ର-ବୈଶାଖର ରାମନବମୀ ପୂଜା ଦିନଟାରେ । ସେଦିନ ସେମାନଙ୍କୁ ନିମନ୍ତ୍ରଣ ଗାଙ୍ଗୁଲି ଘରୁ ଆସିଥାଏ । କିନ୍ତୁ ଆଜି ହଠାତ୍‌ ଅପ୍ରତ୍ୟାଶିତ ଭାବରେ ସେହି ଦିନଟିର ଉଦୟ କେମିତି ହେଲା ! ଅପୁ ଏକାଥରକେ ବିହ୍ୱଳିତ ହୋଇଗଲା । ଲୁଚି ଖାଉ ଖାଉ ବାରମ୍ବାର ତା’ ନାନୀ କଥା ମନରେ ଆସୁଥିଲା ବିଚାରୀ ଏମିତି ଖାଇବା କେବେବି ଖାଇ ନ ଥିବ !

 

ତହିଁପରଦିନ ସକାଳେ ପୁଣି ଖେଳ ଆରମ୍ଭ ହେଲା । ଅମଲା ଆସି ପହଞ୍ଚିବାରୁ ଅପୁ ତା’ ପାଖକୁ ଧାଇଁଗଲା ଓ ତା’ର ହାତଧରି କହିଲା ମୁଁ ଆଉ ଅମଲା ନାନୀ ଗୋଟିଏ ପଟେ ଆଉ ତୁମେ ସମସ୍ତେ ଆଉ ଗୋଟିଏ ପଟେ କିଛି ସମୟ ଖେଳ ଚାଲିବା ପରେ ଅପୁର ମନେହେଲା ଅମଲା ତାକୁ ତା’ ପଟେ ରଖିବା ଅପେକ୍ଷା ବିଶୁକୁ ରଖିବାକୁ ବେଶୀ ପ୍ରୟାସୀ । ଏହାର ପ୍ରକୃତ କାରଣ ଅପୁ ଜାଣିନଥିଲା ଅପୁ ପୁରାପୁରି ନୂଆ ଖେଳାଳୀ, ତାକୁ ଦଳରେ ସାମିଲ କଲେ ପରାଜୟ ସୁନିଶ୍ଚିତ । ବିଶୁଟା ଦଣ୍ଡାମାର୍କା ପିଲାଟି, ତାକୁ ଦଉଡ଼ି ଯାଇ ଧରି ପକେଇବା କିମ୍ବା ଖେଳରେ ହରେଇବା କଷ୍ଟକର । ଥରଟିଏ ଅମଲା ସ୍ପଷ୍ଟଭାବରେ ବିରକ୍ତି ପ୍ରକାଶ କରିଦେଲା । ଅପୁ ଆପ୍ରାଣ ଚେଷ୍ଟା କରୁଥିଲା, ଯେମିତି ସେ ଜିତିବ ଆଉ ଅମଲା ସନ୍ତୁଷ୍ଟ ହେବ କିନ୍ତୁ ବହୁତ ଚେଷ୍ଟା ସତ୍ତ୍ୱେ ବି ସେ ପୁଣିଥରେ ହାରିଗଲା ।

 

ପୁଣିଥରେ ଦଳ ବାଛିବା ସମୟରେ ଅମଲା ବିଶୁ ଆଡ଼କୁ ଢଳିଲା ।

 

ଅପୁ ଆଖିରେ ଲୁହ ଜକେଇ ଆସିଲା । ଖେଳ ତା’ ଆଗରେ ହଠାତ୍‌ ଭୀଷଣ ବେସୁଆଦିଆ ମନେହେଲା । ଅମଲା ବିଶୁ ଆଡ଼କୁ ଚାହିଁ ସବୁକଥା କହୁଛି, ହସଖୁସି ସବୁ ତା’ ସହିତ । କିଛିକ୍ଷଣ ପରେ କୌଣସି ଏକ କାମରେ ବିଶୁ ଘରକୁ ଯିବାକୁ ଚାହିଁଲା, ଅମଲା ତାକୁ ବାରମ୍ବାର କହିଲା, ସେ ଯେମିତି ପୁଣି ଫେରିଆସେ । ଅପୁ ମନରେ ଅତ୍ୟନ୍ତ ଈର୍ଷା ହେଲା । ସକାଳ ପହରଟା ସତେ ଯେମିତି ଶୂନ୍ୟମୟ ହୋଇଗଲା । ପରେ ସେ ମନକୁ ମନ ଭାବିଲା, ବିଶୁ ଖେଳ ଛାଡ଼ି ଚାଲିଯାଉଛି, ତେଣୁ ଖେଳାଳୀ ସଂଖ୍ୟା କମିଯିବ ବୋଲି ଅମଲା ନାନୀ ସେମିତି ଭାବେ ତାକୁ ଫେରିବାକୁ କହିଲା । ମୁଁ ବି ଯଦି ଚାଲିଯିବି ବୋଲି କହିବି ମୋତେ ବି ସେମିତି ଭାବରେ କହିବ, ବିଶୁଠୁ ବେଶୀ ଥର ମୋତେ କହିବ । ହଠାତ୍‌ ସେ ଚାଲିଯିବାର ବାହାନା କରି କହିଲା, ବେଳ ହେଲାଣି, ମୁଁ ଯାଉଛି ଗାଧୋଇବି ।

 

ଅମଲା କିନ୍ତୁ କିଛି କହିଲା ନାହିଁ, କେବଳ କମାର ସାହିର ପିଲା ନାଡ଼ୁ ଗୋପାଳ କହିଲା, ପୁଣିଥରେ ଆର ଓଳିକୁ ଆସିବ ଭାଇ ।

 

ଅପୁ କିଛିବାଟ ଗଲା ପରେ, ଥରଟିଏ ପଛକୁ ଫେରି ଚାହିଁଲା ସେ ଖେଳଛାଡ଼ି ଚାଲି ଆସିଲା ପରେ କାହାର କିଛି କ୍ଷତି ହୋଇନାହିଁ । ପୁରା ଦମ୍‌ରେ ବୋହୂଚୋରୀ ଖେଳ ଚାଲିଛି । ଅମଲା ମହାଉତ୍ସାହରେ ଖୁଣ୍ଟି ପାଖରେ ବୋହୂ ହୋଇ ଛିଡ଼ା ହୋଇଛି ତା’ ଆଡ଼କୁ ଥରଟିଏ ବି ଫେରି ଚାହୁଁନି ।

 

ଅପୁ ମର୍ମାହତ ହୋଇ ଅଭିମାନରେ ଘରକୁ ଫେରିଲା, କାହା ସହିତ କିଛି କଥାବାର୍ତ୍ତା କଲା ନାହିଁ । ଭାରି ତ ଗୋଟିଏ ଅମଲା ନାନୀ ! ତାକୁ ନ ଚାହିଁଲେ ଭାସିଗଲା ସେଇଠୁ ! ସେଥିରେ ମୋର ଯାଏ ଆସେ କେତେ ?

 

ଦୁଇଦିନ ପରେ ହରିହର ପୁଅକୁ ଧରି ଗାଁ’କୁ ଫେରିଲା । ଏଇ କେତେଦିନ ମାତ୍ର ପୁଅକୁ ନ ଦେଖି ସର୍ବଜୟା ଘରେ ଆଉ ଥୟ ଧରି ରହିପାରୁନଥିଲା ।

 

ଦୁର୍ଗାର ଖେଳ ବି କେତେଦିନ ହେଲା ଜମୁ ନ ଥିଲା । ଅପୁ ବିଦେଶ ଯିବା କିଛିଦିନ ପୂର୍ବରୁ ଦୁହିଁଙ୍କ ଭିତରେ ଶୁଖିଲା ପାଣି କଖାରୁ ଖୋଳରେ ନୌକା ତିଆରି ପାଇଁ କଳିଗୋଳ ହୋଇଥିଲା । ଦୁହେଁ ଦୁହିଁଙ୍କ ମୁହଁ ଆଡ଼କୁ ଚାହୁଁ ବି ନ ଥିଲେ । ଏବେ ଆହୁରି ଅନେକଗୁଡ଼ିଏ ପାଣି କଖାରୁ ଖୋଳ ଘରେ ଜମିଗଲାଣି । ଦୁର୍ଗା ସେଗୁଡ଼ିକ ଆଉ ପାଣିରେ ଭସେଇବା ପାଇଁ ଯାଉନି ସେ ବେଶ୍‌ ଅନୁତାପ କଲା ୟା’ଭିତରେ, କାହିଁକି ବା ସେ ଏଥିପାଇଁ ମିଛଟାରେ ଝଗଡ଼ା କରି ଅପୁର କାନ ମଳିଦେଲା ? ସେ ଫେରିଆସୁ, ଆଉ କେବେବି ତା’ ସହିତ ଝଗଡ଼ା କରିବନି, ସବୁଯାକ ଖୋଳ ତାକୁ ହିଁ ଦେଇଦେବ ।

 

ଘରକୁ ଫେରି ପନ୍ଦରଦିନ ଧରି ସେ ତା’ର ଅଦ୍ଭୁତ ଭ୍ରମଣ କାହାଣୀ କଥା କହି ବୁଲିଲା । କେତେ ଆଶ୍ଚର୍ଯ୍ୟ ଜିନିଷ, ଏଇ ଦିନ କେତେଟା ଭିତରେ ସେ ଦେଖିଛି । ରେଳରାସ୍ତା, ଯାହା ଉପରେ ସତ ସତିକା ରେଳଗାଡ଼ି ଯାଏ ! ମାଟିର ତିଆରି ଆତ, ଅମୃତଭଣ୍ଡା, କାକୁଡ଼ି- ମନେହୁଏ ଯେମିତି ଅବିକଳ ସତ ସତ ଫଳ ! ସେହି କଣ୍ଢେଇଟା ଯାହାର ପେଟ ଚିପିଦେଲେ ମୂର୍ଚ୍ଛାରୋଗୀ ଭଳି ହାତ ଗୋଡ଼ ଛାଟି ହଠାତ୍‌ ଖଞ୍ଜଣି ବଜେଇବା ଆରମ୍ଭ କରିଦିଏ ! ଆଉ ଅମଲା ନାନୀର କଥା ! କେତେଦୂରକୁ ଯେ ସେ ଯାଇଥିଲା ! ବିଲ ଭର୍ତ୍ତି କେତେ ଯେ ପଦ୍ମଫୁଲ ! କେତେ ଅଚିହ୍ନା ନୂଆ ନୂଆ ଗାଁ ପାରି ହୋଇ କେତେ ପ୍ରାନ୍ତର ପରର ନିର୍ଜନ ପଥ ଅତିକ୍ରମ କରିଛି ! ସେମିତି ଗୋଟିଏ ଗାଁ’ରେ ରାସ୍ତା କଡ଼ରେ କମାର ଦୋକାନ ଭିତରେ ବାପା ତାକୁ ପାଣି ପିଇବାକୁ ନେଇଥିଲେ । ଘର ଭିତରେ ସେମାନେ କିନ୍ତୁ ତାକୁ ଅତି ଯତ୍ନରେ ପିଢ଼ା ପାରି ଦୁଧ, ଚୂଡ଼ା, ଫେଣି ଖାଇବାକୁ ଦେଇଥିଲେ ! କେଉଁ କଥାକୁ ବାଦ୍‌ ଦେଇ ସେ କେଉଁ କଥାଟା କହିବ ଜାଣି ପାରୁନଥିଲା । ରେଳରାସ୍ତାର କଥା ଶୁଣି ତା’ ନାନୀ ମୁଗ୍‌ଧ ହୋଇଯାଏ । ବାରମ୍ବାର ଅପୁକୁ ପଚାରେ କେତେ ବଡ଼ ବଡ଼ ଲୁହା ଛଡ଼ ଦେଖିଲୁ ଅପୁ ? ସେଗୁଡ଼ିକ ସବୁ ତା’ରରେ ଝୁଲେଇ ରଖିଥିଲେ ? ବହୁତ ଲମ୍ବା ? ତୁ, ରେଳଗାଡ଼ି ଦେଖିଲୁ ? ରେଳ ରାସ୍ତା ଉପରେ ଦେଇ ଧାଉଁଥିଲା ?

 

ନା, ରେଳଗାଡ଼ି ଅପୁ ଦେଖିନାହିଁ । କେବଳ ସେଇଟା ହିଁ ବାକି ରହିଗଲା । ସେଥିପାଇଁ ବାପା ଦାୟୀ । ମାତ୍ର ଚାରି ପାଞ୍ଚଘଣ୍ଟା ଚୁପ୍‌ ହୋଇ ରେଳରାସ୍ତା ପାଖରେ ବସିଥିଲେ ରେଳ ଦେଖି ହୋଇଥାଆନ୍ତା । କିନ୍ତୁ ବାପାଙ୍କୁ ସେ କୌଣସି ପ୍ରକାରେ ବୁଝେଇ ରଖି ପାରିଲାନି ।

 

ବେଳ ବହୁତ ହୋଇଯାଇଥିଲା । ସର୍ବଜୟା ବ୍ୟସ୍ତ ଭାବରେ ଶୀଘ୍ର ଶୀଘ୍ର ନଈଘାଟରୁ ଫେରୁଥିଲା । ସାମନା ଦୁଆର ଦେଇ ଅନ୍ୟମନସ୍କ ଭାବରେ ପଶି ବାରଣ୍ଡାକୁ ଉଠିବା ସମୟରେ ସରୁ ଦଉଡ଼ି ପରି କ’ଣ ଗୋଟାଏ ତା’ ଛାତିରେ ଛନ୍ଦିଗଲା । କିଛି ବୁଝିବା ବା ଜାଣିବା ପୂର୍ବରୁ ସଙ୍ଗେ ସଙ୍ଗେ କ’ଣ ଗୋଟାଏ ‘ପଟାଙ୍ଗ୍‌’ କରି ଛିଡ଼ି ଯିବାର ଶବ୍ଦ ହେଲା ଓ ଦୁଇକଡ଼କୁ ଢିଲା ହୋଇ ଖସିପଡ଼ିଲା ।

 

ଅଳ୍ପ ସମୟ ପରେ ଅପୁ ଘରକୁ ଫେରିଲା । ଦୁଆର ପାରି ହୋଇ ଅଗଣାରେ ପାଦ ଦେଇ ସେ ଥମ୍‌କି ଛିଡ଼ା ହୋଇଗଲା । ସେ ନିଜ ଆଖିକୁ ବି ବିଶ୍ୱାସ କରିପାରିଲାନି ଏ କ’ଣ ହେଲା ! ଆରେ ବାଃ, ମୋ ଟ୍ରେଲିଗିରାଫର ତା’ର କିଏ ଛିଡ଼େଇ ଦେଲା ?

 

ଆକସ୍ମିକ ଓ ବିପୁଳ ଭାବରେ କ୍ଷତି ଘଟିଥିବାରୁ ପ୍ରଥମେ କିନ୍ତୁ ଅନ୍ଦାଜ କରିପାରିଲାନି । ନିଜକୁ ସମ୍ଭାଳିନେଇ, ଲକ୍ଷ୍ୟ କଲା, ବାରଣ୍ଡାର ମାଟି ଉପରେ ଓଦା ପାଦର ଦାଗ ଏ ଯାଏ ବି ରହିଛି, ଲିଭିନି । ତା’ ମନ ଭିତରେ କିଏ ଯେମିତି ଡାକି ଦେଇ କହିଲା, ମା’ ଛଡ଼ା ଆଉ କେହି ନୁହେଁ, ମା’ ହିଁ ଏ କାମ କରିଛି । ଘର ଭିତରେ ପଶି ସେ ଦେଖିଲା ତା’ ମାଆ ନିଶ୍ଚିନ୍ତ ମନରେ ବସି ପଣସ ମଞ୍ଜି ଧୋଉଛି । ସେ ହଠାତ୍‌ ଛିଡ଼ା ହୋଇ ରହିଲା ଏବଂ ଅପେରା ଦଳର ଅଭିମନ୍ୟୁ ଭଳି ଭାବଭଙ୍ଗୀରେ ଆଗକୁ ଟିକିଏ ନଇଁ ପଡ଼ି ବଂଶୀର ସପ୍ତମ ସ୍ୱରରେ ରିଣ୍‌ରିଣି ତୀବ୍ର ଅଥଚ ମିଠା ସ୍ୱରରେ କହିଲା, ଆଚ୍ଛା ମା’, ମୁଁ ବହୁତ କଷ୍ଟ କରି ଲଟାଗୁଡ଼ା ବଗିଚାରୁ ସାଉଁଟି ଆଣିନି ବୋଧେ ?

 

ସର୍ବଜୟା ଘରକୁ ଫେରି ଚାହିଁଲା ଓ ବିସ୍ମିତ ଭାବରେ କହିଲା କ’ଣ ସବୁ ଆଣିଛୁ ? କ’ଣ ହେଇଚି

 

ମୋତେ ବୋଧହୁଏ କଷ୍ଟ ହୁଏନି ? କଣ୍ଟାରେ ମୋ ହାତଗୋଡ଼ ଛିଣ୍ଡିଯାଇନି ବୋଧେ ?

 

କ’ଣ ସବୁ ପାଗଳ ଭଳି କହୁଛୁ ? କ’ଣ ହେଇଚି କହୁନୁ ?

 

କ’ଣ ହେଇଚି ! ଉୁଁ, ଏତେ କଷ୍ଟକରି ଟେଲିଗିରାଫର ତା’ର ଟାଙ୍ଗିଥିଲି ଆଉ ତାକୁ ଛିଡ଼ାଇ ଦିଆଗଲା ?

 

ଉଦ୍‌ଭଟ କାଣ୍ଡ କାରଖାନାଗୁଡ଼ାକ ଛଡ଼ା ଗୋଟିଏ ଦଣ୍ଡ ବି ଚୁପ୍‌ ରହୁନୁ ତ ବାବୁ ! ରାସ୍ତା ମଝିରେ କ’ଣ ସବୁ ଟାଙ୍ଗିଛୁ କେଜାଣି ଟେଲିଗିରାଫ କି କି ଗିରାଫ । ମୁଁ ଶୀଘ୍ର ଶୀଘ୍ର ଆସୁଚି ଦେଖିବାବେଳକୁ, ସେଇଟା ଛିଣ୍ଡିଗଲା ମୁଁ ଆଉ କ’ଣ କରିପାରିବି କହ ତା’ପରେ ସେ ନିଜ କାମରେ ପୁଣି ମନ ଦେଲା ।

 

ଉଃ ! କି ଭୀଷଣ ହୃଦୟହୀନତା ! ଆଗରୁ ସେ ଭାବୁଥିଲା, ତା’ର ମା’ ତାକୁ ଭଲପାଏ । ଅବଶ୍ୟ ତା’ର ସେ ଭ୍ରାନ୍ତଧାରଣା ଅନେକ ଦିନରୁ ହଟିଗଲାଣି, ତଥାପି ବି ମା’କୁ ସେ କେବେବି ଏତେଟା ନିଷ୍ଠୁର ପାଷାଣୀରୂପେ ସ୍ୱପ୍ନରେ ବି କଳ୍ପନା କରିନଥିଲା । ଗଲାକାଲି ଦିନସାରା କେତେ କଷ୍ଟକରି ସେ ନୀଳମଣି ବଡ଼ ବାପାଙ୍କ ଘରଡିହ, ପାଲିତ ମହାଶୟଙ୍କ ଆମ୍ବ ବଗିଚା ଆଉ ପ୍ରସନ୍ନ ଗୁରୁ ମହାଶୟଙ୍କ ବାଉଁଶ ବଣ କାହୁଁକାହୁଁ ଭୟାନକ ଦୁର୍ଗମ ଜଙ୍ଗଲରୁ ଏସବୁ ସାଉଁଟି ଥିଲା । ବୁଲି ବୁଲି ଉଚ୍ଚ ଡାଳରୁ ଝୁଲୁଥିବା ଗୁଳୁଚି ଲତାରୁ କେତେ କଷ୍ଟରେ ସଂଗ୍ରହ କରିଥିଲା । ଏବେ ରେଳ-ରେଳ ଖେଳଟା ହୋଇଥାନ୍ତା, ସବୁ ଠିକ୍‌ଠାକ୍‌ ହୋଇଥିଲା, ଆଉ ଦେଖିଲାବେଳକୁ

 

ହଠାତ୍‌ ତା’ର ଇଚ୍ଛା ହେଲା ତା’ ମା’କୁ ଗୋଟିଏ ଖୁବ୍‌ କଡ଼ା କଥାଟିଏ କହିଦେବ, ରୂଢ଼ଭାବରେ କହିବ, ମାଆର ପ୍ରାଣକୁ ବାଧିଲା ଭଳି ପଦଟିଏ- ତା’ ପରେ ସେ କିଛି ସମୟ ଛିଡ଼ା ହୋଇ ରହିଗଲା । କିଛି ଗୋଟାଏ କଥା ଭାବି ନ ପାରି ସେ ଆଗଠୁ ଟିକିଏ ତୀବ୍ର ସ୍ୱରରେ କହିଲା ମୁଁ ଭାତ ଖାଇବିନି, ଯାଅ- ନା କେବେବି ଖାଇବିନି କହୁଛି

 

ତା’ର ମାଆ କହିଲା, ନ ଖାଇଲେ ନ ଖାଇବୁ ଭାତ ଖାଇଲେ ମୋତେ ତ ରାଜା କରିଦେବ ? ଭାତ ହାଣ୍ଡି ଓହ୍ଲେଇବାକୁ ତର ଦେଉନୁ ନ ଖାଇଲେ ଦେଖିବି ନି, ଭୋକ ଲାଗିଲେ କିଏ ଖାଇବା ପାଇଁ ଦେବ ?

 

ବାସ୍‌ ଏତିକି ! ଆଖି ପିଛୁଳାକେ- ସବୁ ଅଛି, ତୁମେ ଅଛ, ମୁଁ ଅଛି ତା’ ମାଆ ପଣସମଞ୍ଜି ଧୋଉଛି କିନ୍ତୁ ଅପୁ କାହିଁ ? ସତେ ଯେମିତି ସେ କର୍ପୂର ପରି ଉଡ଼ି ଉଭାନ୍‌ ହୋଇଗଲା ! ଠିକ୍‌ ସେହି ସମୟରେ ଦୁର୍ଗା ଘର ଭିତରକୁ ପଶି ଆସୁଥିଲା । ଦୁଆର ପାଖରେ ତାକୁ ଆଡ଼ ହୋଇ ଝଡ଼ ବେଗରେ ବାହାରି ଯିବାର ଦେଖି, ଦୁର୍ଗା ବିସ୍ମୟଭରା ସ୍ୱରରେ ପଛରୁ ଡାକିଲା, ଆରେ ଏମିତି ଭାବରେ କୁଆଡ଼େ ଯାଉଛୁ, ଆରେ ଅପୁ, ତୋ’ର କ’ଣ ହୋଇଛି, ଶୁଣିଯା

 

ତା’ର ମା’ କହିଲା, ମୁଁ କିଛି ଜାଣେନା, ବାବୁ ! ଯେତେସବୁ ଅନାସୃଷ୍ଟି କାଣ୍ଡ ତୁମମାନଙ୍କର । ହାଡ଼ ମାଂସ କଳା ହୋଇଗଲାଣି କ’ଣ ଗୋଟାଏ ଆଣି ରାସ୍ତା ମଝିରେ ଟାଙ୍ଗିଥିଲା ଯେ, ମୁଁ ଆସୁଆସୁ ସେଇଟା ଛିଡ଼ିଗଲା ଆଉ ହେବ କ’ଣ ? ମୁଁ କ’ଣ ଜାଣି ଜାଣି ଛିଡ଼ାଇ ଦେଲି ? ସେଇଠୁ ପୁଅର ରାଗ ଭାତ ଖାଇବନି ନ ଖାଉ, ଯାଉ, ଭାତ ଖାଇ ତୁମେ ସବୁ ସ୍ୱର୍ଗରେ ଘଣ୍ଟା ବଜେଇ ମୋର ନିହାଲ କରିଦେବ କି ନା ?

 

ମା’ ପୁଅର ଏମିତି ଅଭିମାନର ପାଲାରେ ଦୁର୍ଗାକୁ ହିଁ ମଧ୍ୟସ୍ଥ ହେବାକୁ ପଡ଼େ ସେ ବହୁତ ଡକା ଡକି କରି ଅପରାହ୍ନ ଦୁଇଟା ସମୟରେ ଭାଇକୁ ଖୋଜି ବାହାର କଲା । ସେ ମୁହଁ ଶୁଖେଇ ଉଦାସ ଆଖିରେ ଆର ସାହି ରାସ୍ତା କଡ଼ରେ ରାୟ ମହାଶୟଙ୍କ ଆମ୍ବ ବଗିଚା ତଳେ ପଡ଼ିଥିବା ଆମ୍ବକଷିଗୁଡ଼ିକ ଉପରେ ବସିଥିଲା ।

 

ଉପର ଓଳି ଯଦି କେହି ଘରକୁ ଆସି ଅପୁକୁ ଦେଖିଥାଆନ୍ତା, ସେ କେବେହେଲେ ବିଶ୍ୱାସ କରି ପାରିନଥାଆନ୍ତା ଯେ ଇଏ ସେହି ଅପୁ, ସକାଳେ ଯିଏ ମା’ ଉପରେ ଅଭିମାନ କରି ଦେଶତ୍ୟାଗୀ ହୋଇଥିଲା । ବାରଣ୍ଡାର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ତା’ର ଟଙ୍ଗା ହୋଇଛି । ଅପୁ ବିସ୍ମୟରେ ଚାହିଁ ଚାହିଁ ଦେଖୁଥିଲା, କିଛି କାମ ବାକି ରହିଗଲା କି ନାହିଁ । ସତରେ ଯେମିତି ପୁରାପୁରି ରେଳରାସ୍ତା ଉପରର ତାର ଭଳି ଦେଖାଯାଉଛି ।

 

ସେ ସତୁ ଘରକୁ ଯାଇ କହିଲା, ସତୁ ଭାଇ ମୁଁ ଟେଲିଗିରାଫର ତାର ବାନ୍ଧିଛି, ଆମ ଘର ବାରଣ୍ଡାରେ, ଚାଲ ରେଳ-ରେଳ ଖେଳିବା-ଆସିବ ?

 

ତାର କିଏ ଟାଙ୍ଗି ଦେଲାରେ ?

 

ମୁଁ ନିଜେ ଟାଙ୍ଗିଛି ! ନାନୀ ଖାଲି କଦଳୀ ବାହୁଙ୍ଗା ସୂତା ଆଣି ଦେଇଥିଲା- ସତୁ କହିଲା- ଯା ତୁ ଖେଳ, ମୁଁ ଏବେ ଯାଇ ପାରିବିନି

 

ଅପୁ ମନେ ମନେ ଜାଣିପାରିଲା ଯେ ବଡ଼ ପିଲାମାନଙ୍କୁ ଡାକି ଖେଳ ପାଇଁ ଏକଜୁଟ୍‌ କରିବା ତା’ଦ୍ୱାରା ସମ୍ଭବ ନୁହେଁ । ତା’ କଥା ବା କିଏ ଶୁଣିବ ? ତଥାପି ସେ ଆଉଥରେ ସତୁ ନିକଟକୁ ଗଲା । ନିରାଶ ଚିତ୍ତରେ ବାରଣ୍ଡାର ଗୋଟିଏ କୋଣରେ ଛିଡ଼ା ହୋଇ ନିରୁତ୍ସାହିତ ଭାବରେ କହିଲା, ଚାଲନା ସତୁ ଭାଇ, ଖେଳିବା ? ତୁମେ, ମୁଁ ଆଉ ନାନୀ ଏବେ ଖେଳିବା । ତା’ପରେ ଲୋଭ ଦେଖାଇବା ଭଙ୍ଗୀରେ କହିଲା, ମୁଁ ଟିକଟ୍‌ ପାଇଁ ଏତେ ଗୁଡ଼ା ବାତାପି ଲେମ୍ବୁପତ୍ର ବି ତୋଳି ରଖିଛି, ସେ ହାତ ମେଲେଇ ପରିମାଣଟା ବି ଦେଖେଇଦେଲା ! ଯିବ ?

 

ସତୁ ତଥାପି ଆସିବାକୁ ମଙ୍ଗିଲାନି । ଅପୁ ବାହାରକୁ ବାହାରିଲେ ପାଟି ଚୁପ୍‌ ହୋଇଯାଏ, କାହାକୁ କିଛି କହିପାରେନି । ସେ ଆଉ କିଛି ନ କହି ଘରକୁ ଫେରିଆସିଲା । ଦୁଃଖରେ ତା’ ଆଖିରେ ଲୁହ ଆସି ଯାଇଥିଲା ଏତେ କହିଲି, ସତୁ ଭାଇ କିଛି ଶୁଣିଲାନି !

 

ପରଦିନ ସକାଳେ ସେ ଓ ତା’ର ନାନୀ ଦୁଇଜଣ ମିଶି ଇଟା ଥୋଇ ଗୋଟିଏ ବଡ଼ ଦୋକାନ ଘର ତିଆରି କଲେ । ସଉଦାପତ୍ର ଯୋଗାଡ଼ କରିବା ପାଇଁ ଦୁହେଁ ବାହାରକୁ ଗଲେ । ଦୁର୍ଗା ବଣ ଜଙ୍ଗଲରେ ଜାତ ହେଉଥିବା ଦ୍ରବ୍ୟଗୁଡ଼ିକର ସନ୍ଧାନ ଅଧିକ ରଖେ । ଦୁଇଜଣ ମିଶି ଆତ ପତ୍ରର ପାନ, ମାଟିଆଳୁ, ଆଳୁ ଫଳ, ରାଧାଲତା ଫୁଲର ମାଛ, ତରଡ଼ା ମଇତା ପୋଟଳ, ଚୁଡ଼ଚୁଡ଼ି ଫଳର ବରବଟୀ, ମାଟି ଇଟା ଗୁଣ୍ଡର ସୈନ୍ଧବ ଲବଣ ଆହୁରି କେତେ କ’ଣ ଯୋଗାଡ଼ କରି ଦୋକାନ ସଜାଡ଼ିବାକୁ ଅନେକ ବେଳ ଲାଗିଗଲା । ଅପୁ କହିଲା ନାନୀ ଚିନି ପାଇଁ କ’ଣ କରିବା ?

 

ଦୁର୍ଗା କହିଲା ବାଉଁଶ ତୋଟା ମୂଳରେ ଯେଉଁ ଢିପଟା ଅଛି, ସେଇଠି ଭଲ ବାଲି ଅଛି ମା’ ଚାଉଳ ଭାଜିବା ପାଇଁ ସେଇଠୁ ବାଲି ଆଣେ । ଚାଲ ସେହି ବାଲି ଆଣିବା ଧଳା ଚକ୍‌ ଚକ୍‌ ଦିଶେ ଠିକ୍‌ ଯେମିତି ଅବିକଳ ଚିନି

 

ବାଉଁଶ ବଗିଚାରେ ଚିନି ଖୋଜୁ ଖୋଜୁ ସେମାନେ ରାସ୍ତା କଡ଼ର ବଣ ଭିତରେ ପଶିଲେ । ବଣଟି ବେଶ୍‌ ଉଚ୍ଚ ଥିଲା । ଭଙ୍ଗା ଗଛର ଅଗ ଡାଳରେ, ଏକ ଘଞ୍ଚ ସବୁଜ ଲତାର ଆଢ଼ୁଆଳରେ, ନାଲି ଟୁକୁଟୁକୁ ବେଶ୍‌ ନିଟୋଳ ଫଳ ସବୁ ଦୋହଲୁ ଥିଲା । ଅପୁ ଓ ଦୁର୍ଗା ଦୁଇଜଣଯାକ ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲେ । ଅନେକ ଚେଷ୍ଟାରେ କେତେଗୁଡ଼ା ଫଳ ତଳପଟ ଲତାର କିଛି ଅଂଶ ଛିଣ୍ଡେଇ ତଳେ ପଡ଼ିବାରୁ ଦୁଇ ଜଣଯାକ ମହା ଆନନ୍ଦରେ ଏକା ସାଙ୍ଗରେ ଧାଇଁଗଲେ । ସେଗୁଡ଼ିକୁ ମାଟିରୁ ଗୋଟେଇ ଆଣିଲେ ।

 

ତିନୋଟି ମାତ୍ର ପାଚିଲା ଫଳ । ମୁଖ୍ୟତଃ ଦୋକାନ ସଜାଇବା ପାଇଁ ଏମିତି ଭାବରେ ଆଗରେ ରଖାଗଲା ଯେମିତି ଗ୍ରାହକ ଆସିଲେ ପ୍ରଥମେ ନଜର ସେଗୁଡ଼ିକ ଉପରେ ପଡ଼ିବ । ପୁରା ଦମରେ କିଣାବିକା ଆରମ୍ଭ ହୋଇଗଲା । ଦୁର୍ଗା ନିଜେ ହିଁ ପାନ କିଣି ଦୋକାନର ସବୁ ପାନ ଶେଷ କରିଦେଲା । ଖେଳଟା ଜମି ଆସୁଥିଲା, ଏତିକିବେଳେ ସଦର ଦରଜା ଦେଇ ସତୁକୁ ପଶି ଆସିବାର ଦେଖି, ଅପୁ ମହାଆନନ୍ଦରେ ତାକୁ ପାଛୋଟି ଆଣିବାକୁ ଧାଇଁଗଲା ସତୁ ଭାଇ ଦେଖ, ଏମିତିକା ଦୋକାନ ସଜେଇଛୁ । ଏ ଫଳଟା ଦେଖିଲ ! ମୁଁ ଆଉ ନାନୀ ଏଗୁଡ଼ିକୁ ଗଛରୁ ପାରିଛୁ ଏଇଟା କି ଫଳ ଜାଣିଛ ?

 

ସତୁ କହିଲା ଏ ତ ମହାକାଳ ଫଳ ଆମ ବଗିଚାରେ କେତେ ଥିଲା ! ସତୁ ଆସିଥିବାରୁ, ଅପୁ ଯେମିତି କୃତାର୍ଥ ହୋଇଗଲା । ସତୁଭାଇ ତା’ ଘରକୁ ପ୍ରାୟ ଆସେନି ତା’ଛଡ଼ା ସତୁଭାଇ ବଡ଼ ପିଲାମାନଙ୍କର ସର୍ଦ୍ଦାର । ସେ ଆସିବାରୁ ଖେଳର ପିଲାଳିଆମି ଟିକକ ଯେମିତି ଅପସରିଗଲା ।

 

ଅନେକ ସମୟ ଧରି ଖେଳ ପୁରା ଦମ୍‌ରେ ଚାଲିଲା । କିଛି ସମୟ ପରେ ଦୁର୍ଗା କହିଲା ଭାଇ ମୋତେ ଦୁଇମହଣ ଚାଉଳ ଦିଅ । ଖୁବ୍‌ ସରୁ ଦାନାର । କାଲି ମୋର କଣ୍ଢେଇ ବାହାଘରର ଚୂଡ଼ାନ୍ତ ଦେଖାଚାହାଁ, ଅନେକ ଲୋକ ଖାଇବେ ।

 

ସତୁ କହିଲା ଆମକୁ ସବୁ ନିମନ୍ତ୍ରଣ କରିବୁ ତ ? ଦୁର୍ଗା ମୁଣ୍ଡ ହଲେଇ କହିଲା, ନିମନ୍ତ୍ରଣ କାହିଁକି ନ ପାଇବ ଯେ । ତୁମେମାନେ ସବୁ କନ୍ୟାପକ୍ଷର ଲୋକ, କାଲି ସକାଳେ ଆସି ନିମନ୍ତ୍ରଣ କରି ଡାକି ନେଇଯିବି ସତୁଭାଇ, ରାନୁକୁ କହିବ ଆଜି ରାତିରୁ ଯେମିତି ଟିକିଏ ଚନ୍ଦନ ଘୋରି ରଖିଥିବ । କାଲି ସକାଳୁ ନେଇ ଆସିବି ।

 

ଦୁର୍ଗାର କଥା କହିବା ଠିକ୍‌ ଭାବରେ ଶେଷ ନ ହେଉଣୁ ସତୁ ଦୋକାନରେ ବିକ୍ରି ହେବା ପାଇଁ ଥିବା କ’ଣ ଗୋଟିଏ ଦ୍ରବ୍ୟ ଝାମ୍ପି ନେଇ ଦୁଆର ଆଡ଼କୁ ଦଉଡ଼ି ପଳେଇଲା । ଅପୁ ମଧ୍ୟ ତା’ ପଛେ ପଛେ ଧାଇଁଗଲା, ଆଉ ତୀବ୍ର ରିଣିଝିଣି ମିଠା ସ୍ୱରରେ ଚିତ୍କାର କରି କହୁଥିଲା ନାନୀରେ, ନେଇ ପଳାଇଲାରେ ।

 

ବିସ୍ମିତ ଦୁର୍ଗା ଭଲ କରି ଘଟଣା କ’ଣ ଜାଣିବା ଆଗରୁ ସତୁ ଓ ଅପୁ ଆଗପଛ ହୋଇ ଦରଜା ବାହାରକୁ ଧାଇଁ ଯାଇଥିଲେ । ସଙ୍ଗେ ସଙ୍ଗେ ଖେଳ ଘରର ଆସବାବ ପତ୍ର ଉପରେ ନଜର ପଡ଼ିବାରୁ ଦୁର୍ଗା ଦେଖିପାରିଲା, ତିନୋଟି ଯାକ ପାଚିଲା ମହାକାଳ ଫଳରୁ ଗୋଟିଏ ହେଲେ ବି ସେଠାରେ ଆଉ ନାହିଁ ।

 

ଦୁର୍ଗା ବି ଏକାଡ଼ିଆଁରେ ଦରଜା ପାଖକୁ ଆସି ଦେଖିଲା, ସତୁ କେନ୍ଦୁତୋଟା ରାସ୍ତାରେ ଆଗେ ଆଗେ ଓ ଅପୁ ତା’ ପଛରେ ଧାଇଁଛି । ସତୁର ବୟସ ଅପୁଠୁ ତିନି ଚାରି ବର୍ଷରୁ ବେଶୀ ହେବ । ତା’ଛଡ଼ା, ସେ ଅପୁ ଭଳି ଏମିତିକା ଗୋରା ଝିଅ ଝିଅ ଚେହେରାର ପିଲା ନୁହେଁ ବେଶ୍‌ ମୋଟା ଶକ୍ତ ହାତଗୋଡ଼ । ତା’ ସହିତ ଧାଇଁବା ଅପୁ ପକ୍ଷରେ ସମ୍ଭବପର ନୁହେଁ । ତଥାପି ସେ ତା’ ପାଖାପାଖି ଧରି ପକେଇବା ଭଳି ଧାଇଁଛି । ତା’ର କାରଣ, ସତୁ ଧାଉଁଛି ଅନ୍ୟର ଦ୍ରବ୍ୟ ଆତ୍ମସାତ୍‌ କରିବା ପାଇଁ କିନ୍ତୁ ଅପୁ ଧାଇଁଛି ପ୍ରାଣ ବିକଳରେ ।

 

ହଠାତ୍‌ ଦୁର୍ଗା ଦେଖିଲା, ସତୁ ଧାଉଁ ଧାଉଁ ତଳକୁ ନଇଁପଡ଼ି ପଛକୁ ଫେରି ଚାହିଁଲା ସଙ୍ଗେ ସଙ୍ଗେ ଅପୁ ମଧ୍ୟ ହଠାତ୍‌ ଛିଡ଼ା ହୋଇଗଲା । ଆଉ ସତୁ ସେଇ ସୁଯୋଗରେ ଓଉ ତୋଟା ଦେଇ ଦୃଷ୍ଟିର ଆଢ଼ୁଆଳକୁ ଚାଲିଗଲା ।

 

ସେତେବେଳକୁ ଦୁର୍ଗା ବି ଧାଇଁ ଯାଇ ଅପୁ ନିକଟରେ ପହଞ୍ଚିଗଲା । ଅପୁ ଆଖି ବନ୍ଦ କରି ସାମନା ପଟକୁ ଝୁଙ୍କି ତଳକୁ ମୁହଁକରି ଆଖି ଦଳିବାରେ ଲାଗିଛି । ଦୁର୍ଗା କହିଲା, କ’ଣ ହେଲାରେ ଅପୁ ?

 

ଅପୁ ଭଲ ଭାବରେ ଆଖି ଖୋଲି ପାରୁନଥାଏ । ଯନ୍ତ୍ରଣା ମିଶା ସ୍ୱରରେ ଆଖି ଦଳି ଦଳି କହିଲା, ସତୁଭାଇ ଆଖିକୁ ଧୂଳି ଛାଟି ଦେଲାରେ ନାନୀ ଆଖିରେ କିଛି ଦେଖାଯାଉନି

 

ଦୁର୍ଗା ତୁରନ୍ତ ଅପୁର ହାତ ତଳକୁ କରି କହିଲା, ଛାଡ଼, ଛାଡ଼, ମୋତେ ଆଖି ଦେଖା ଏମିତି ଆଖି ଦଳି ପକାନା, ମୋତେ ଦେଖେଇଲୁ ?...

 

ଅପୁ ପୁଣିଥରେ ହାତ ଦୁଇଟିକୁ ଉପରକୁ ଉଠେଇ ଆକୁଳ ସ୍ୱରରେ କହିଲା, ଉଃ, ନାନୀରେ- ଆଖି ଭିତରେ କ’ଣ ଯେମିତି ହେଇଯାଉଛି- ମୋ ଆଖି କଣା ହେଇଗଲାରେ ନାନୀ ।

 

ସେମିତି ଆଖିରେ ହାତ ଦେଇ ଦଳନ୍ତି ନାହିଁ, ଦେଖା, ମୋତେ ଆଖିଟି ମୋତେ ଦେଖା ତା’ପରେ ସେ ତା’ର ଲୁଗା କାନିରେ ଫୁଙ୍କି ଆଖିରେ ଉଷୁମ ସେକ ଦେବାକୁ ଚେଷ୍ଟା କଲା । କିଛି ସମୟ ପରେ ଅପୁ ଅଳ୍ପ ଟିକେ ଆଖିଖୋଲି ଦେଖିବାକୁ ଲାଗିଲା । ଦୁର୍ଗା ତାହାର ଆଖିପତା ମେଲି ବାରମ୍ବାର ସେକ ଦେଇ କହିଲା ଏଥର ଭଲ ଭାବରେ ଦେଖିପାରୁଛୁ ତ ? ଆଚ୍ଛା, ତୁ ଘରକୁ ଯା... ମୁଁ ତା’ ଘରକୁ ଯାଇ ତା’ର ମା’ ଓ ଜେଜେମା’କୁ କହି ଆସୁଛି ରାନୁକୁ ବି କହିବି- କେଡ଼େ ଦୁଷ୍ଟ ପିଲାଟା । ତୁ ଯା, ମୁଁ ସାଙ୍ଗେ ସାଙ୍ଗେ ଫେରୁଛି ।...

 

ରାନୁ ଘର ପଛପଟ ଦୁଆର ପର୍ଯ୍ୟନ୍ତ ଅଗ୍ରସର ହୋଇ ଦୁର୍ଗା କିନ୍ତୁ ଆଉ ଆଗକୁ ଯିବାକୁ ସାହସ କରିପାରିଲାନି । ସାନ ମଝିଆ ଠାକୁରାଣୀକୁ ସେ ଡରେ । କିଛି ସମୟ ଦୁଆର ପାଖରେ ଛିଡ଼ା ହେଲା ଇତସ୍ତତଃ ହୋଇ ଫେରିଆସିଲା । ସାମନା ଦୁଆର ପଟେ ଘରେ ପଶି ସେ ଦେଖିଲା, ଅପୁ ବାଁପଟ କବାଟକୁ ସାମାନ୍ୟ ଠେଲି ତା’ରି କଡ଼ରେ ନିଃଶବ୍ଦରେ ଛିଡ଼ା ହୋଇ କାନ୍ଦୁଛି । କଥା କଥାରେ କାନ୍ଦିବା ପିଲା ସେ ନୁହେଁ, ବହୁତ ବଡ଼ ଘଟଣାରେ ବି କେବେ କାନ୍ଦେନି ରାଗିଯାଏ, ଅଭିମାନ କରେ କିନ୍ତୁ କାନ୍ଦେନି । ଦୁର୍ଗା ବୁଝିପାରିଲା, ଆଜି ତାହାର ଅତ୍ୟନ୍ତ ବାଧିଲା ଭଳି ଦୁଃଖ ହୋଇଛି । ଏତେ ସଉକରେ ଫଳଗୁଡ଼ିକ ଆଣିଥିଲେ, ସେଗୁଡ଼ାକ ଗଲା, ତା’ଛଡ଼ା ଆଖିରେ ଧୂଳି ଫିଙ୍ଗି ପୁଣି ଅପମାନିତ କଲା । ଅପୁର କାନ୍ଦ ସେ ଜମା ସହିପାରେନା ତା’ ଛାତି ଭିତରେ କେମିତି ଗୋଟାଏ ହୋଇଯାଏ ।

 

ସେ ତା’ ଭାଇର ହାତ ଧରିଲା ଓ ସାନ୍ତ୍ୱନା ଦେବା ସ୍ୱରରେ କହିଲା, କାନ୍ଦନାରେ ଅପୁ, ଆସ୍‌ ତୋତେ ମୋର ସବୁ କଉଡ଼ି ଦେବି, ଆସ୍‌ । ତୋ’ ଆଖିରେ ଆହୁରି କଷ୍ଟ ହେଉଚି ?... ଦେଖି କାନି ଖଣ୍ଡିକ, ଛିଣ୍ଡିଦେଇଛୁ ବୋଧେ ?

 

ଦୁଇ ପ୍ରହରରେ ଖିଆପିଆ ଶେଷ ହେଲେ ଅପୁ କେଉଁଠି କି ନ ବାହାରି ଘରେ ରହେ । ଅନେକ ଦିନର ଜୀର୍ଣ୍ଣ, ପୁରୁଣା କୋଠାବାଡ଼ିର ଘର । ଘରେ ଜିନିଷପତ୍ର କହିଲେ, ସେକାଳର କାଠର ସିନ୍ଦୁକ, ସେ ସମୟର ରଙ୍ଗକରା କେତୁଟା ବେତର ପେଟରା, କାଠରେ ତିଆରି ଆଲ୍‌ଣା, ଗାଧୋଇବା ପାଇଁ ସାନ ସାନ ଚୌକି ଗୁଡ଼ାଏ । ଏମିତି ସବୁ ବାକ୍‌ସ ଥିଲା, ଯାହା ଅପୁ କେବେବି ଖୋଲି ଦେଖିନି । ତା’ ଭିତରେ କେତେ ପ୍ରକାରର ହାଣ୍ଡି, କଳସୀ ଭର୍ତ୍ତି । ସେ ସବୁ ଭିତରେ କ’ଣ ସବୁ ଅଛି, ଅପୁ ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ।

 

ସବୁକିଛି ମିଶି ଘର ଭିତରେ ପୁରୁଣା ପୁରୁଣା ଗନ୍ଧଟିଏ ବାହାରେ । ସେଇ ଗନ୍ଧଟା କାହାର, କେଉଁଠୁ ଆସେ, ସେ ଜାଣେନି । କିନ୍ତୁ ସେଇଟା ଯେମିତି ଅତୀତର କଥା ମନେପକେଇ ଦିଏ । ସେ ଅତୀତରେ ଅପୁ ନ ଥିଲା କିନ୍ତୁ ଏଠାରେ ଆଲଣାଟାଏ ଥିଲା, ଜେଜେବାପାଙ୍କର ଏଇ ବେତ ତିଆରି ପେଟରାଟା ଥିଲା ଏବଂ ଏଇ କାଠର ବଡ଼ ସିନ୍ଦୁକଟି ବି ଥିଲା । ଏଇ ଯେଉଁ ସୁନାରି ଗଛର ମସ୍ତକଟି ଜଙ୍ଗଲ ଉପର ଦେଇ ଉପରକୁ ଉଠିଛି, ସେଇ ପୋଡ଼ା ଜଙ୍ଗଲରେ ଭର୍ତ୍ତି ସ୍ଥାନଟିରେ ପୂର୍ବରୁ କାହାଘରର ବଡ଼ ଚଣ୍ଡୀ ମଣ୍ଡପଟେ ଥିଲା । ଆହୁରି କେତେ କେତେ ନାମଧାରୀ ପୁଅଝିଅମାନେ ଦିନେ ଏଇ ଭିଟାମାଟିରେ ଖେଳୁଥିଲେ । ସେମାନେ ସବୁ କୁଆଡ଼େ ଚାଲିଗଲେଣି । ଛାଇ ଭଳି କୁଆଡ଼େ ଉଭାନ୍‌ ହୋଇଗଲେଣି, କେତେକାଳ ପୂର୍ବରୁ ।

 

ଯେତେବେଳେ ତା’ର ମା’ ନଈଘାଟକୁ ଯାଏ ଓ ସେ ଘରେ ଏକା ଥାଏ, ସେତେବେଳେ ତା’ର ଅତ୍ୟନ୍ତ ଲୋଭ ହୁଏ, ସେ ବାକ୍ସଟି, ବେତର ପେଟରା ଖଣ୍ଡିକ ଖୋଲିମେଲି ଦିନ ଆଲୁଅରେ ବାହାର କରି ଦେଖନ୍ତା । କ’ଣ ସବୁ ଅଦ୍ଭୁତ ରହସ୍ୟ ତା’ ଭିତରେ ଲୁଚେଇ ରଖା ହୋଇଚି । ଘର ଭିତରେ ଆଡ଼କାଠର ମଞ୍ଚାର ସବା ଉପର ଥାକରେ, ବଡ଼ କାଷ୍ଠାଧାରରେ ଯେଉଁସବୁ ତାଳପତ୍ର ପୋଥି ଓ ଖାତାପତ୍ର ସାଇତା ଅଛି, ସେ କଥା ତା’ ବାପାଠୁଁ ଶୁଣିଥିଲା । ସେଗୁଡ଼ିକ ତା’ ଜେଜେବାପା ରାମଚାନ୍ଦ ତର୍କାଳଙ୍କାରଙ୍କ । ତା’ର ବଡ଼ ଇଚ୍ଛା, ସେଗୁଡ଼ିକ ଯଦି ତା’ ହାତ ପାଆନ୍ତାରେ ପାଇଯାଆନ୍ତା, ତାହାହେଲେ ଥରଟିଏ ତଳକୁ ଓହ୍ଲେଇ ଖୋଲିମେଲି ସବୁ ଦେଖନ୍ତା । ପୁଣି କେବେକେବେ ଜଙ୍ଗଲ ପାଖ ଝରକା ପାଖରେ ବସି ଦୁଇପ୍ରହର ସମୟରେ ଛିଣ୍ଡା କାଶୀ ଦାସର ମହାଭାରତଟି ନେଇ ପଢ଼େ । ସେ ନିଜେ ଖୁବ୍‌ ଭଲ ଭାବରେ ପଢ଼ିବା ଶିଖିଛି । ଆଗଭଳି ଆଉ ମୁହଁରୁ ଶୁଣିବାକୁ ପଡ଼େନି । ନିଜେ ପ୍ରାଞ୍ଜଳ ଭାବରେ ପଢ଼ିପାରେ ଓ ବୁଝିପାରେ । ପଢ଼ାଶୁଣାରେ ତା’ର ବୁଦ୍ଧି ତୀକ୍ଷ୍‌ଣ । ତା’ର ବାପା ମଝିରେ ମଝିରେ ଗାଙ୍ଗୁଲୀ ଘରର ଚଣ୍ଡୀମଣ୍ଡପକୁ ତାକୁ ସାଙ୍ଗରେ ନେଇଯାଆନ୍ତି । ସେଠାରେ ଉପସ୍ଥିତ ବୟସ୍କମାନଙ୍କ ଗହଣରେ ତା’ର ବାପା ତାକୁ ରାମାୟଣ ବା ପଞ୍ଚାଳୀ ପଢ଼ିବାକୁ ଦିଅନ୍ତି ଆଉ କହନ୍ତି ପଢ଼ିଲୁ ବାପା, ଏମାନଙ୍କୁ ଟିକିଏ ପଢ଼ି ଶୁଣେଇଲୁ ? ବୁଢ଼ାମାନେ ଖୁବ୍‌ ପ୍ରଶଂସା କରନ୍ତି । ଦୀନୁ ଟାଟାର୍ଜୀ କୁହନ୍ତି ମୋ ନାତି କଥାଟା କ’ଣ କହିବି ବାବୁ, ତୁମ ପୁଅ ବୟସର ହେବ, ଦୁଇ ଖଣ୍ଡ ବର୍ଣ୍ଣ ପରିଚୟ ଛିଣ୍ଡେଇ ସାରିଲାଣି । ଅଥଚ ବିଶ୍ୱାସ କରିବ ନି, ଏଯାଏଁ ଭଲ ଭାବରେ ଅକ୍ଷରଗୁଡ଼ାକ ଚିହ୍ନିପାରିଲାନି । ସେ ତା’ର ବାପାର ପରମ୍ପରାରେ ଚାଲିଛି । ମୋର ବା ଆଉ କେତୁଟା ଦିନ, ଆଖି ବୁଜିଦେଲେ ଲଙ୍ଗଳ ମୁଠା ଧରିବାକୁ ପଡ଼ିବ ଯେ ! ପୁଅର ଗର୍ବରେ ହରିହର ଛାତି କୁଣ୍ଢେ ମୋଟ ହୋଇଯାଏ । ମନେ ମନେ ଭାବେ ଏ କାମଟା କ’ଣ ତୁମମାନଙ୍କଦ୍ୱାରା ସମ୍ଭବ ! ଜୀବନଯାକ ତ ସୁଧ କାରବାରରେ କଟିଲା !... ହେଲି ବା ମୁଁ ଗରିବ, ଯାହାହେଲେ ବି ପଣ୍ଡିତଙ୍କ ବଂଶଧର, ଆରେ ମୋ ବାପା ମିଛରେ ତାଳପତ୍ର ପୋଥି ଲେଖି ଭର୍ତ୍ତି କରି ନାହାନ୍ତି । ବଂଶ ପାଇଁ ଗୋଟିଏ ପରମ୍ପରା ଛାଡ଼ିଯାଇଛନ୍ତି । ସେଇଟା ତ କେଉଁଠିକି ଚାଲିଯିବନି ?

 

ତାଙ୍କ ଘରର ଝରକାଠାରୁ ମାତ୍ର କେଇହାତ ଦୂରରେ ଘରର ପାଚେରୀ । ଆଉ ପାଚେରୀ ସେପଟରୁ ପାଚେରୀ ଦେହକୁ ଲାଗି ଅନାବନା ଘଞ୍ଚ ଜଙ୍ଗଲ ଆରମ୍ଭ ହୋଇଛି । ଝରକା ପାଖରେ ବସିଲେ ଦେଖାଯାଏ ସବୁଜ ସମୁଦ୍ରର ଢେଉ ଭଳି ଦୋହଲୁଥିବା ଘଣ୍ଟାକର୍ଣ୍ଣ ଗଛର ଶୀର୍ଷ ଦେଶଗୁଡ଼ିକ । ଏ ଗଛ ସେ ଗଛରେ ଦୋଦୁଲ୍ୟମାନ କେତେ ପ୍ରକାରର ଲତା । ପୁରୁଣା ବାଉଁଶ ବୁଦାର ଶୀର୍ଷଦେଶ ବୟସ ଭାରରେ ସୁନାରି ଓ ବଣ ଓଉ ଗଛ ଉପରେ ନଇଁପଡ଼ିଛି । ତା’ରି ତଳେ କଳାମାଟିର ବୁକୁ ଉପରେ କଜଳପାତୀ ଚଢ଼େଇ ନାଚେ । ବଡ଼ ଗଛଲତା ତଳେ ହଳଦୀ, ମାଣସାରୁ, ଓଲ ବୁଦାର ଘନ ସବୁଜ ଜଙ୍ଗଲ ସବୁ ଠେଲାଠେଲି ହୋଇ ସୂର୍ଯ୍ୟର ଆଲୋକ ଆଡ଼କୁ ଚାହିଁ ରହିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ଏହି ଜୀବନ ଯୁଦ୍ଧରେ ଯିଏ ଅପାରଗ ହୋଇ ଗର୍ବଦୃପ୍ତ ପ୍ରତିବେଶୀଟିର ଆବରଣରେ ଚାପି ହୋଇଯାଏ, ତା’ର ପତ୍ରଗୁଡ଼ିକ ବିବର୍ଣ୍ଣ ହୋଇଯାଏ ଓ ସରୁ ସରୁ ଡାଳଗୁଡ଼ିକ ଧୂସର ମୃତ୍ୟୁରେ ଶୋଇଯାଏ । ମରଣାହତ ଦୃଷ୍ଟି ସମ୍ମୁଖରେ ଶେଷ ଶରତର ଜଙ୍ଗଲ ଭର୍ତ୍ତି ପରିପୂର୍ଣ୍ଣ ସୁନେଲି ଖରା, ପରାଙ୍ଗପୁଷ୍ଟ ଫୁଲର ଆର୍ଦ୍ର ସୁଗନ୍ଧ ମିଶା ପୃଥିବୀଟା ତା’ର ସମସ୍ତ ସୌନ୍ଦର୍ଯ୍ୟ ରହସ୍ୟ, ବିଶାଳତା ସହ ଧୀରେ ଧୀରେ ଅନ୍ତରାଳରେ ହଜିଯାଏ ।

 

ସେମାନଙ୍କ ଘର କଡ଼ର ଗୋଟିଏ ପଟେ ଏଭଳି ବଣ ଜଙ୍ଗଲ ନୀଳ କୋଠିର ପ୍ରାନ୍ତର ପର୍ଯ୍ୟନ୍ତ ଆଉ ଗୋଟିଏ ପଟେ ନଦୀର ଆରପାରି ପର୍ଯ୍ୟନ୍ତ ଲମ୍ବିଯାଇଛି । ଅପୁ ସମ୍ମୁଖରେ ଏ ବଣ ଅଫୁରନ୍ତ ମନେହୁଏ । ନାନୀ ସହିତ କେତେଦୂରଯାଏ ବଣ ଭିତରେ ସେ ବୁଲିଛି କିନ୍ତୁ ବଣର ଶେଷସୀମା କେବେ ଦେଖିନି । କେବଳ ଏହିଭଳି ତିତ୍ତିରାଜ ଗଛର ତଳ ଦେଇ ରାସ୍ତା ଆଉ ମୋଟା ମୋଟା ଗୁଳଞ୍ଚ ଲତାରେ ଭର୍ତ୍ତି । ପେନ୍ଥା ପେନ୍ଥା ବଣ ଓଉର ଫଳ ଓହଳି ଥିବାର ଦେଖାଯାଏ । ସୁଡ଼ଙ୍ଗପରି ରାସ୍ତାଟି ଗୋଟିଏ ଆମ୍ବତୋଟାରେ ଆସି ଶେଷ ହୋଇଥାଏ । ପୁଣି ଏ ଗଛ ସେ ଗଛ ତଳ ଦେଇ ବଣ-କଲମୀ, ସୁନାରି ଫଳ, କଣ୍ଟା, ମୟଣା ବୁଦା ଭିତର ଦେଇ ଚାଲୁ ଚାଲୁ କେଉଁଆଡ଼େ ନେଇ ଛାଡ଼ିଦିଏ । କେବଳ ପୋଲା ଜହ୍ନି ଲତା କେଉଁ ତ୍ରିଶୂନ୍ୟରେ ଝୁଲୁଥାଏ । ପ୍ରାଚୀନ ଶିରୀଷ ଗଛର ଶିଉଳି ଲଗା ଡାଳ ଦେହରେ ପରାଙ୍ଗପୁଷ୍ଟ ଗଛର ଲଟା ବୁଦା ଦୃଷ୍ଟିକୁ ଆସେ ।

 

ଏହି ବଣ ଓ ତା’ର ଶ୍ୟାମଳିମାର ନବୀନ ସ୍ପର୍ଶଟିକକ ଅପୁ ଓ ତା’ ନାନୀର ମନ ଭିତରେ ଗଭୀର ରେଖାପାତ କରିଥିଲା । ଜନ୍ମଠାରୁ ଏହି ବଣ ହିଁ ସେମାନଙ୍କର ସୁପରିଚିତ । ପ୍ରତିମୁହୂର୍ତ୍ତର ପ୍ରତିଟି କ୍ଷଣରେ ସେମାନଙ୍କ ପିପାସୁ ହୃଦୟକୁ ନୀରବ ଆନନ୍ଦରେ କେତେ ବିଚିତ୍ର ବିଚିତ୍ର ଅପୂର୍ବ ରସରେ ଭରି ଦେଇଛି । ବର୍ଷା ସତେଜ, ଘନ ସବୁଜ ବୁଦା ଉପରେ ସୁନାରି ଫଳର ସୁଗନ୍ଧ, ଫୁଲର ହଳଦିଆ ରଙ୍ଗର କେଣ୍ଡା, ଆସନ୍ନ ସୂର୍ଯ୍ୟାସ୍ତର ଛାୟାରେ ମୋଟାମୋଟା ମୟଣା ବୁଦା ଡାଳର ଅଗରେ ଗୁଣ୍ଡୁଚି ମୂଷାମାନଙ୍କର ଧୀରେ ଧୀରେ ଯିବା ଆସିବା, ପତ୍ର-ଫଳ-ପୁଷ୍ପର ସେ ଯେଉଁ ପ୍ରାଚୁର୍ଯ୍ୟ ! ସବୁଠୁ ବଳି ଆନନ୍ଦର ମୁହୂର୍ତ୍ତ ଯେତେବେଳେ ଘଞ୍ଚ ଜଙ୍ଗଲର ପ୍ରାନ୍ତବର୍ତ୍ତୀ, ବୁଦୁବୁଦୁକିଆ ସାଥୀହୀନ ବଙ୍କା ଡାଳରେ ବଣର କେଉଁ ଏକ ଅଜଣା ପକ୍ଷୀ ବସି ଗୀତ ଗାଇଥାଏ । ସେତେବେଳେ ତା’ର ମନର ବିଚିତ୍ର, ଅପୂର୍ବ, ଗଭୀର ଆନନ୍ଦ ରସର ବର୍ଣ୍ଣନା ସେ ମୁହଁରେ କହି କାହାକୁ ବୁଝେଇ ପାରେନି । ସେସବୁ ଯେମିତି ସ୍ୱପ୍ନ, ଯେମିତି ମାୟା ! ଚାରିପଟେ ପକ୍ଷୀ ଗୀତ ଗାଏ, ଝିରି ଝିରି ହୋଇ ଫୁଲ ସବୁ ଝରିପଡ଼େ । ସୂର୍ଯ୍ୟାସ୍ତର ଆଲୋକ ଆହୁରି ଘନ ଛାୟାମୟ ହୋଇଉଠେ ।

 

ଏହି ବଣ ଭିତରେ କେଉଁଠି ଗୋଟିଏ ପୋତା ପୁରୁଣା ପୋଖରୀ ଅଛି । ଆଜିକାଲି ଯେମିତି ପଞ୍ଚାନନ୍ଦ ଠାକୁର, ଗ୍ରାମ ଦେବତାମାନେ ଅଛନ୍ତି, ସେ ସମୟରେ ସେ ମନ୍ଦିରରେ ବିଶାଳାକ୍ଷୀ ଦେବୀ ମଧ୍ୟ ସେହିପରି ଗ୍ରାମଦେବୀ ଥିଲେ । ସେ ଥିଲେ ଗାଁ’ର ମଜୁମ୍‌ଦାର ବଂଶର ପ୍ରତିଷ୍ଠିତ ଦେବତା । ଏକଦା କୌଣସି ଏକ ଘଟଣାକୁ ନେଇ ସଫଳ ମନସ୍କାମ ହୋଇ, ସେମାନେ ଦେବୀ ମନ୍ଦିରରେ ନରବଳି ଦେଇଥିଲେ । ସେଥିରେ ଦେବୀ ରୁଷ୍ଟ ହୋଇ ସ୍ୱପ୍ନରେ ଜଣେଇ ଦେଲେ ଯେ ସେ ମନ୍ଦିର ପରିତ୍ୟାଗ କରି ଯାଉଛନ୍ତି, ଆଉ କେବେ ସେଠାକୁ ଫେରିବେନି । ସେସବୁ ଅନେକ ଦିନ ତଳର କଥା । ବିଶାଳାକ୍ଷୀ ଦେବୀଙ୍କର ପୂଜା ହେବାର ଦେଖିଥିବା କେହି ଲୋକ ଏ ଯାଏ ଜୀବିତ ନାହାନ୍ତି । ମନ୍ଦିର ଭାଙ୍ଗିରୁଜି ଗଲାଣି । ମନ୍ଦିର ସାମନା ପୋଖରୀଟି ପୋତି ହୋଇ ଗୋଟିଏ ଛୋଟ ଖଣାରେ ପରିଣତ ହେଲାଣି । ଚାରିପଟେ ବଣ ଜଙ୍ଗଲରେ ଭର୍ତ୍ତି ହୋଇଗଲାଣି । ମଜୁମ୍‌ଦାର ବଂଶରେ ବତୀ ହେବା ପାଇଁ ଆଉ କେହି ବଞ୍ଚିନାହାନ୍ତି ।

 

କେବଳ ଗୋଟିଏ କଥା ଶୁଣାଯାଏ । ସେ ବି ଅନେକ ଦିନ ତଳର କଥା । ଥରେ ଗାଁ’ର ସ୍ୱରୂପ ଚକ୍ରବର୍ତ୍ତୀ ଅନ୍ୟ ଗାଁ’ର ନିମନ୍ତ୍ରଣ ପାଇ ସେଇ ରାସ୍ତାରେ ଫେରୁଥିବାବେଳେ, ସନ୍ଧ୍ୟା ହୋଇଯାଇଥିଲା । ନଦୀ ଘାଟରୁ ଓହ୍ଲେଇ ଆସିବା ରାସ୍ତାରେ ଦେଖିଲେ କିଏ ଜଣେ ସୁନ୍ଦରୀ ଷୋଡ଼ଶୀ କିଶୋରୀଟିଏ ଛିଡ଼ା ହୋଇଛି । ସ୍ଥାନଟି ଲୋକାଳୟଠୁ ଦୂରରେ । ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ରାସ୍ତାଘାଟରେ କେହି କୁଆଡ଼େ ନାହାନ୍ତି । ଏମିତି ସମୟରେ ଶୂନ୍‍ଶାନ୍‌ ଜାଗାରେ ଏକୁଟିଆ ଜଙ୍ଗଲ କଡ଼ରେ ଅଳ୍ପ ବୟସୀ ସୁନ୍ଦରୀ କିଶୋରୀଟିକୁ ଦେଖି ସ୍ୱରୂପ ଚକ୍ରବର୍ତ୍ତୀ ଏକାବେଳକେ ବିସ୍ମିତ ହୋଇଗଲେ । କିନ୍ତୁ ସେ କିଛିକଥା କହିବା ପୂର୍ବରୁ ହିଁ କିଶୋରୀଟି ସାମାନ୍ୟ ଗର୍ବ ମିଶ୍ରିତ ଅଥଚ ମିଠା ସ୍ୱରରେ କହିଲା, ମୁଁ ଏ ଗାଁ’ର ବିଶାଳାକ୍ଷୀ ଦେବୀ । ଗାଁ’ରେ ଅଳ୍ପଦିନ ଭିତରେ ହଇଜା ମହମାରୀ ଆରମ୍ଭ ହେବ । ସମସ୍ତଙ୍କୁ କହିଦିଅ, ଚତୁର୍ଦ୍ଦଶୀ ରାତିରେ ପଞ୍ଚାନନ୍ଦ ମନ୍ଦିର ପ୍ରାଙ୍ଗଣରେ ଶହେ ଆଠଟି ପାଣି କଖାରୁ ବଳି ନେଇ ଯେମିତି ଲୋକେ କାଳୀପୂଜା କରନ୍ତି । କଥା ଶେଷହେବା ସଙ୍ଗେ ସଙ୍ଗେ ସ୍ତମ୍ଭିତ ସ୍ୱରୂପ ଚକ୍ରବର୍ତ୍ତୀ ଆଖି ସାମନାରେ କିଶୋରୀଟି ଚାରିପଟେ ଶୀତ ସନ୍ଧ୍ୟାର କୁହୁଡ଼ିରେ ଧୀରେ ଧୀରେ ଯେମିତି ଉଭେଇ ଗଲା । ଏଇ ଘଟଣାର ଦିନ କେତେଟା ପରେ ସତ ସତରେ ସେ ଥର ଗାଁ’ରେ ଭୟାନକ ମହାମାରୀ ଦେଖା ଦେଇଥିଲା ।

 

ଏସବୁ ଗପ, ଅପୁ କେତେଥର ଶୁଣିଛି । ଝରକା ପାଖରେ ଛିଡ଼ାହେଲେ ବିଶାଳାକ୍ଷୀ ଠାକୁରାଣୀଙ୍କ କଥା ତା’ ମନକୁ ଆସେ । ଦେବୀ ମା’ ଥରେ ତା’ ସାମନାକୁ ଆସନ୍ତେ ନି ? ହଠାତ୍‌ ହୁଏତ ସେ ବଣ ରାସ୍ତାରେ ଗୁଳଞ୍ଚ ଲତା ସାଉଁଟୁଛି- ଆଉ ସେହି ସମୟରେ

 

ଜଣେ ଖୁବ୍‌ ସୁନ୍ଦରୀ, ନାଲି ଧଡ଼ିର ଶାଢ଼ୀ ପିନ୍ଧି, ମା’ ଦୁର୍ଗାଙ୍କ ଭଳି ବେକରେ ହାର ଓ ହାତରେ ବଳା ପିନ୍ଧି, ପଚାରିବ

 

ତୁମେ କିଏ ?

 

ମୁଁ ଅପୁ ।

 

ତୁମେ ଖୁବ୍‌ ଭଲ ପିଲାଟି, ତୁମେ କି ବର ଚାହଁ ?...

 

ଏମିତି ଚିନ୍ତାକରି ସେ ଶେଯ ଉପରେ ଶୋଇପଡ଼େ । କେବେ କେବେ ଝିରି ଝିରି ପବନରେ କେତେ ଜାତିର ଲତା ପତ୍ରରୁ ତିକ୍ତ ମଧୁର ଗନ୍ଧ ଭାସିଆସେ । ଠିକ୍‌ ଦୁଇପ୍ରହର ସମୟରେ ଅନେକ ଦୂରର କୌଣସି ଏକ ବଡ଼ ଗଛ ଉପରେ ସାମୁଦ୍ରିକ ଶଙ୍ଖ ଚିଲଟିଏ ଲମ୍ବେଇ ଲମ୍ବେଇ ଡାକ ଦିଏ । ମନେହୁଏ, ଗାଁ’ଟିର ଅତୀତ ଓ ବର୍ତ୍ତମାନର ସବୁ ଛୋଟ ଛୋଟ ସୁଖ, ଦୁଃଖ, ଶାନ୍ତି ଓ ଦ୍ୱନ୍ଦ୍ୱର ଉର୍ଦ୍ଧ୍ୱରେ, ଶରତର ମଧ୍ୟାହ୍ନରେ ରୌଦ୍ରପୂର୍ଣ୍ଣ ନୀଳ ନିର୍ଜନ ଆକାଶ ମାର୍ଗରେ, ଗୋଟିଏ ଉଦାସ, ଗୃହବିରାଗୀ ପଥିକ ଦେବତାର ମଧୁର କଣ୍ଠର ଅବଦାନ ଦୂରରୁ ଦୂରକୁ ହଜି ହଜି ଯାଉଛି ।

 

ଭାବୁ ଭାବୁ କେତେବେଳେ ତା’ ଆଖିକୁ ନିଦ ଆସିଯାଏ, ସେ ଜାଣିପାରେନି । ନିଦରୁ ଉଠି ଦେଖେ ବେଳ ଆଉ ଜମାରୁ ନାହିଁ । ଝରକା ବାହାରେ ସମଗ୍ର ଜଙ୍ଗଲର ଛାଇ ମାଡ଼ିଆସୁଛି । ବାଉଁଶ ବୁଦା ଉପରେ ରକ୍ତିମ ସୂର୍ଯ୍ୟ କିରଣ ବିଛାଡ଼ି ହୋଇ ପଡ଼ିଛି ।

 

ପ୍ରତିଦିନ ଠିକ୍‌ ଏମିତି ସମୟରେ ଠିକ୍‌ ଏହି ଛାଇ ଛାଇକା ବିକାଳ ବେଳଟାରେ, ନିର୍ଜନ ଜଙ୍ଗଲ ଆଡ଼କୁ ଚାହିଁ, ତା’ ମନ କେତେ କେତେ ଅଦ୍ଭୁତ କଥାରେ ଆଚ୍ଛନ୍ନ ହୁଏ । ଅପୂର୍ବ ଆନନ୍ଦରେ ମନ ପୁରି ଉଠେ । ମନେହୁଏ ଏଭଳି ଲତାପତ୍ରର ମଧୁର ସୁଗନ୍ଧଭରା ଦିନ ସବୁ ଏଥିପୂର୍ବରୁ ଥରଟିଏ କେବେ ଯେମିତି ଆଗରୁ ଆସିଥିଲା । ସେହିସବୁ ଦିନରେ ଅନୁଭୂତ ଆନନ୍ଦର ଅସ୍ପଷ୍ଟ ସ୍ମୃତି ମନକୁ ଆବୋରି ଯାଏ ଆଉ ଏହି ଦିନସବୁକୁ ଭବିଷ୍ୟତର କେଉଁ ଅନିର୍ଦ୍ଦିଷ୍ଟ ଆନନ୍ଦର ଆଶାରେ ଭରିଦିଏ । ମନେହୁଏ, ସତେ ଯେମିତି କ’ଣ ଗୋଟାଏ ଘଟନା ଘଟିଯିବ । ଏହି ଦିନଗୁଡ଼ିକ ଅଯଥାରେ ଶେଷ ହେବନି । ଏହି ଦିନଗୁଡ଼ିକ ଶେଷରେ କୌଣସି ଏକ ବଡ଼ ଆନନ୍ଦ ସତରେ ଯେମିତି ଅପେକ୍ଷାରତ ।

 

ଏହିସବୁ ଅପରାହ୍ନ ସହିତ ଆଜନ୍ମସାଥୀ, ସୁପରିଚିତ ଆନନ୍ଦଭରା ଏହି ବହୁରୂପୀ ବଣଟିର କେତେ ରହସ୍ୟମୟ, ସ୍ୱପ୍ନଦେଶର ବାର୍ତ୍ତା ବିଜଡ଼ିତ । ବାଉଁଶ ବୁଦାର ଉପରେ ଛାୟାଭରା ଆକାଶକୁ ଚାହିଁ ସେ ଦେଖିପାରେ ଜଣେ ତରୁଣ ବୀରର ଉଦାରତା’ର ସୁଯୋଗ ନେଇ, କେହି ଜଣେ ତା’ର ଅକ୍ଷୟ କବଚ କୁଣ୍ଡଳ ମାଗିବା ପାଇଁ ହାତ ବଢ଼େଇଛି । ପିଠଉ ପାଣି ପିଇ କେଉଁଠିକାର ଏକ ଛୋଟ ଗରିବ ବାଳକ ଖେଳୁଆଡ଼ମାନଙ୍କ ଆଗରେ କ୍ଷୀର ପିଇଛି, କ୍ଷୀର ପିଇଛି କହି ଉଲ୍ଲାସରେ ନାଚିଉଠେ । ଆଉ ଏ ଯେଉଁ ପୋତା ଭିଟାର ବେଲତୋଟା- ସେଇଠାରେ ହିଁ ଶରଶଯ୍ୟାରେ ଶାୟିତ ପ୍ରବୀଣ ବୀର ଭୀଷ୍ମଦେବଙ୍କ ମରଣାହତ ଓଠରେ ଅର୍ଜୁନ ବାଣରେ ପୃଥିବୀ ଖୋଳି ଭୋଗବତୀ ଧାରା ସିଞ୍ଚନ କରିଥିଲେ । ପ୍ରଥମ ଯୌବନରେ ସରଯୂତଟର କୁସୁମିତ କାନନରେ ମୃଗୟା କରିବାକୁ ଯାଇ ରାଜା ଦଶରଥ ମୃଗ ଭ୍ରମରେ ଜଳ ଆହରଣ କରୁଥିବା ଯେଉଁ ଦରିଦ୍ର ବାଳକକୁ ବଧ କରିଥିଲେ, ସେ ଘଟଣାଟି ଘଟିଥିଲା ରାନୁ ନାନୀଙ୍କ ବଗିଚାର ବଡ଼ଜାମୁ ଗଛ ତଳର ଛୋଟପୋଖରୀ ନିକଟରେ ।

 

ତାଙ୍କ ଘରେ ଖଣ୍ଡିଏ ବହିଅଛି, ପୃଷ୍ଠାସବୁ ହଳଦିଆ ହୋଇଯାଇଛି, ମଲାଟରୁ କିଛି ଅଂଶ ନାହିଁ । ବହିଟିର ନାମ ବୀରାଙ୍ଗନା କାବ୍ୟ, କିନ୍ତୁ ଲେଖକଙ୍କର ନାମ ଜଣାନାହିଁ । ଆରମ୍ଭରୁ ପୃଷ୍ଠାଗୁଡ଼ିକ ଛିଡ଼ିଯାଇଛି । ବହିଟି ତାକୁ ଭାରି ଭଲ ଲାଗେ ସେଥିରେ ସେ ପଢ଼ିଥିଲା

 

ଅଦୂରେ ଦେଖିଲି ହ୍ରଦ, ସେ ହ୍ରଦ ତୀରରେ

 

ରାଜରଥୀ ଏକ କଲବଲ ଯନ୍ତ୍ରଣାରେ

ଭଗ୍ନଜାନୁ ! ଦେଖି ତାକୁ କାନ୍ଦିଲି ବିତ୍ପାତେ

 

ଏ କି ଦୁଃସ୍ୱପ୍ନ ପ୍ରଭୁ ଦେଖାଇଲ ମୋତେ ।

 

କୁଲେଇଚଣ୍ଡୀ ବ୍ରତଦିନ ମା’ ସାଥିରେ ସେ ଗାଁ’ର ଉତ୍ତରପଟ ପ୍ରାନ୍ତରରେ ଥିବା ପୋତା ପୋଖରୀ କୂଳକୁ ବଣଭୋଜି କରିବାକୁ ଯାଏ । ଏ କଥା କେହି ଜାଣନ୍ତିନି ଯେ ଚାରିକଡ଼ ଜଙ୍ଗଲ ବେଷ୍ଟିତ ଛୋଟ ପୋଖରୀଟା ହିଁ ମହାଭାରତର ସେହି ଦ୍ୱୈପାୟନ ହ୍ରଦ । ଏହି ନିର୍ଜନ ପୋଖରୀ ଭିତରେ ଭଗ୍ନଜାନୁ ସେହି ଅପମାନିତ ବୀର ଏକୁଟିଆ ରହିଥାଏ, କେହି ଦେଖିପାରନ୍ତିନି, କେହି ଖୋଜନ୍ତିନି । ଉତ୍ତରପଟର ପ୍ରାନ୍ତରର କଦଳୀ ଓ ବାଇଗଣ କ୍ଷେତରୁ ଯେତେବେଳେ କର୍ମକ୍ଳାନ୍ତ କୃଷକମାନେ ଫେରନ୍ତି, ସେଠାରେ ଜନମାନବର ଚିହ୍ନବର୍ଣ୍ଣ କେଉଁଠି ହେଲେ ନ ଥାଏ । ସୋନାଡାଙ୍ଗା ପ୍ରାନ୍ତର ସେ ପାରି ଅନାବିଷ୍କୃତ, ଜନବସତି ଶୂନ୍ୟ ଅଜଣା ଦେଶରେ, ଜହ୍ନ ନ ଥିବା ରାତିରେ ଘନ ଅନ୍ଧାର ଯେତେବେଳେ ଧୀରେ ଧୀରେ କାୟା ବିସ୍ତାର କରେ, ସେତିକିବେଳେ ହଜାର ହଜାର ବର୍ଷର ପୁରାତନ ମାନବ ବେଦନା କିମ୍ବା କେବେ କେଉଁ ଦରିଦ୍ର ପିତାର ପ୍ରବଞ୍ଚନା-ମୁଗ୍‌ଧ ଅବୋଧ ବାଳକର ଉଲ୍ଲାସ, କେତେବେଳେ ପୁଣି କେଉଁ ଏକ ଭାଗ୍ୟହୀନ, ନିଃସଙ୍ଗ ଅସହାୟ ରାଜପୁତ୍ରର ଛବି ତାହାର ପ୍ରବର୍ଦ୍ଧମାନ, ଉତ୍ସୁକ ମନର ସହାନୁଭୂତିରେ ଜାଗ୍ରତ ହୁଏ, ସାର୍ଥକ ରୂପ ନିଏ । ସେହି ଅଜ୍ଞାତ ନାମା ଲେଖକର ବହିଖଣ୍ଡିକ ପଢ଼ୁ ପଢ଼ୁ କେତେଦିନ ଯେ ତା’ର ଆଖିପତା ଭିଜିଯାଇଛି ।

 

ତା’ର ବାପା ଏବେ ଘରେ ନାହାନ୍ତି । ସେ ଘରେ ଥିଲେ ତାକୁ ଏକାଗ୍ର ଚିତ୍ତରେ ଘରେ ବସି ବସ୍ତାନି ଖୋଲି ପଢ଼ିବାକୁ ହୁଏ । ବେଳ ପୁରା ଶେଷ ହେଲେ ବି ତଥାପି ଛୁଟି ମିଳେନି । ତା’ ମନଟି ବ୍ୟାକୁଳ ଚଞ୍ଚଳ ହୋଇଉଠେ । ଆଉ କେତେ ସମୟ ବସି ବସି ଶୁଭଙ୍କରୀର ସୂତ୍ର ମୁଖସ୍ଥ କରିବ ? ଆଜି ବୋଧେ ସେ ଆଉ ଖେଳିବନି ? ବେଳ କ’ଣ ଆଉ ଅଛି ? ବାପାଙ୍କ ଉପରେ ଭୀଷଣ ରାଗ ହୁଏ, ଅଭିମାନ ବି ।

 

ହଠାତ୍‌ ଅପ୍ରତ୍ୟାଶିତ ଭାବରେ ଛୁଟି ହୋଇଯାଏ, ବହି ବସ୍ତାନି କୌଣସି ପ୍ରକାରେ ଗୋଟିଏ କୋଣକୁ ଠେଲି ଦେଇ ଛାଇ ଛାଇକା ବାରଣ୍ଡାରେ ସେ ଖୁସିରେ ଡିଆଁମାରେ ।

 

ଅପୂର୍ବ, ଅଦ୍ଭୁତ ବିକାଳ ବେଳଟା... ନିବିଡ଼ ଛାୟା ଭରା ଗଛପତ୍ର କଡ଼ରେ ଖେଳର ଆସର... ଗୁଳଞ୍ଚ ଲତାର ତାର ଝୁଲୁଛି... ଖଜୁରୀଗଛର ବୁଦା... ଜଙ୍ଗଲ ପଟୁ ଥଣ୍ଡା ଥଣ୍ଡା ଗନ୍ଧ ବାହାରେ... ବଡ଼ବାପାଙ୍କ ପୋତା ଭିଟାମାଟିରେ ଥିବା ବତାପି ଲେମ୍ବୁଗଛ ଉପରେ ରକ୍ତିମ ସୂର୍ଯ୍ୟରଶ୍ମି ଚିକ୍‌ଚିକ୍‌ କରେ । ବାଦାମୀ ରଙ୍ଗର ଚକ୍‌ଚକ୍‌ ଡେଣାର କାଠହଣା ପକ୍ଷୀଟି ବଣକଲମୀବୁଦା ଉପରେ ଉଡ଼ି ଆସି ବସେ... ତାଜା ମାଟିର ବାସନା... ସବୁ ମିଶି ଛୋଟ ପିଲାଟିର ଜଗତଟି ଭରପୁର ଆନନ୍ଦରେ ଉଛୁଳି ଉଠେ । କାହାକୁ ସେ କିଭଳି ଭାବରେ ବଖାଣିବ, ସେ ନିଆରା ଆନନ୍ଦର କଥା !

 

ସଞ୍ଜ ପରେ ସର୍ବଜୟା ଭାତ ହାଣ୍ଡିଟି ଚୁଲିରେ ବସେଇ ଥିଲା । ଅପୁ ବାରଣ୍ଡାରେ ସପ ପାରି ବସିଥିଲା । ଭୀଷଣ ଅନ୍ଧକାର, ଝିଙ୍କାରୀଟିଏ ନିରନ୍ତର ଝିଁ ଝିଁ କରୁଥିଲା ।

 

ଅପୁ ପଚାରିଲା ଦୁର୍ଗାପୂଜା ଆଉ କେତେଦିନ ପରେ ଆସିବ ମା’ ?

 

ଦୁର୍ଗା ପନଖିରେ ପରିବା କାଟୁଥିଲା । ସେ କହିଲା, ଆଉ ବାଇଶ ଦିନ ଅଛି ନା ମା’ ?

 

ସେ ଠିକ୍‌ ହିସାବ କରି ରଖିଛି । ତା’ର ବାପା ସେତିକିବେଳେ ଘରକୁ ଫେରିବେ । ଅପୁର ଓ ମା’ର କଣ୍ଢେଇ ଓ ଲୁଗା ଆସିବ ଆଉ ତା’ ପାଇଁ ଅଳତା ।

 

ଏବେ ସେ ବଡ଼ ହୋଇଗଲାଣି ବୋଲି ତା’ର ମା’ ତାକୁ ଆଉ ଅନ୍ୟ ସାହିରେ ନିମନ୍ତ୍ରଣ ଖାଇବା ପାଇଁ ଛାଡ଼େନି । ଲୁଚି କେମିତି ଲାଗେ, ସେ ପ୍ରାୟ ଭୁଲିଗଲାଣି । ତୋଫା କୁମାର ପୂର୍ଣ୍ଣିମାର ଜହ୍ନଭରା ରାତିରେ ବାଉଁଶବଣର ଛାଇଆଲୁଅ ସରୁ ରାସ୍ତାରେ ଚାଲିଚାଲି ଏ ସାହି ସେ ସାହିରୁ ଲକ୍ଷ୍ମୀପୂଜାର କେତେ ଯେ ଖଇ-ଉଖୁଡ଼ା ଭଜା ପଣତରେ ବାନ୍ଧି ଆଣୁଥିଲା । ଘରେ ଘରେ ଶଙ୍ଖ ବାଜେ, ରାସ୍ତାରେ ଲୁଚି ଭଜାର ବାସନା ଆସେ । କେବେ କେବେ ସାହିର କାହା ଘରୁ ପୂଜା ନିର୍ବାପନର ଭୋଗ ତା’ ଘରକୁ ପଠାଇ ଥାଆନ୍ତି । ଭୋଗରେ ପୁରି ଖଣ୍ଡେ ଅଧେ ବି ଆସିଥାଏ । ସେ ବି ଅନେକ ଖଇ-ଉଖୁଡ଼ା ଆଣିଥାଏ । ତା’ର ମା’ ଦୁଇଦିନ ଯାଏ ସେମାନଙ୍କୁ ସେଗୁଡ଼ିକ ଜଳଖିଆରେ ଖାଇବାକୁ ଦେଇଥାନ୍ତି । ନିଜେ ବି ଖାଏ । ସେ ଥର ସାନ ମଝିଆଁ ନଣନ୍ଦ କହିଥିଲେ- ଭଦ୍ରଲୋକ ଘରର ଝିଅମାନେ ପୁଣି ଚଷାଘର ପରି ଘର ଘର ବୁଲି ଖଇମୁଢ଼ି ମାଗିବା ପାଇଁ ଯିବ, ଏ ପୁଣି କି କଥା ? ଏସବୁ ଖୁବ୍‌ ଖରାପ କଥା ବୋହୂ ସେଇଦିନଠୁ ତା’ର ଯିବା ବନ୍ଦ ।

 

ଦୁର୍ଗା କହିଲା-ତାସ୍‌ ଖେଳିବ ?

 

ତା’ ମା’ କହିଲେ, ହଉ ହେଲା ଏବେ, ସେ ଘରୁ ଯାଇ ତାସ୍‌ ମୁଠାକ ଆଣିଲୁ, ଖେଳିବା ଏକୁଟିଆ ଘର ଭିତରକୁ ଯିବା କଥାକୁ ଦୁର୍ଗା ଡରରେ ବିପନ୍ନ ଦୃଷ୍ଟିରେ ଅପୁ ଆଡ଼େ ଅନେଇଲା ।

 

ଅପୁ ହସି ହସି କହିଲା ଚାଲ, ମୁଁ ତୋ’ ସାଙ୍ଗରେ ଯିବି ।

 

ତା’ ମା’ କହିଲା ଆହା-ହା, ଝିଅର ଡର ଦେଖି ମରିଯାଉଥାଏଁ ଲୋ ! ସାରାଦିନ ଟହଟହ କରି, ମାଟି କାଦୁଅ ଏକାକାର କରି ଏଣେତେଣେ ବୁଲିବାବେଳକୁ ଜମା ଭୟ ନ ଥାଏ, ଆଉ ରାତିରେ ଏଘରୁ ସେ ଘରକୁ ଯିବାକୁ ହେଲେ ଡରରେ ଜଡ଼ ପାଲଟି ଯାଉଛି ।

 

ଯଜମାନ ଘରୁ ଅପୁ ଆଣିଥିବା ସେହି ତାସ୍‌ ହଳକ, ତାସ୍‌ ଖେଳରେ ତିନି ହେଁ ତିନିଙ୍କୁ ବଳି । ସମସ୍ତଙ୍କ କୃତିତ୍ୱ ସମାନ । ଅପୁ ଏ ଯାଏ ବି ସବୁ ରଙ୍ଗ ଚିହ୍ନେନି ଖେଳୁ ଖେଳୁ ଅପରପକ୍ଷରେ ଖେଳୁଥିବା ମା’କୁ ତାସ୍‌ ମୁଠା ଦେଖେଇ ପଚାରେ, ଏଇଟା କି ରଙ୍ଗ, ଠିକିରୀ ନା ? ଦେଖିଲ ମା’

 

ଦୁର୍ଗା ମନଟି ଆଜି ଖୁବ୍‌ ଖୁସି ଅଛି । ରାତିରେ ପ୍ରାୟ ରନ୍ଧାବଢ଼ା ହୁଏନି ସକାଳ ଓଳିର ବାସି ଭାତ ଓ ତରକାରୀ ଥାଏ । ଆଜି କିନ୍ତୁ ଗରମ ଭାତ ଚୁଲିରେ ବସିଛି, ସାଙ୍ଗରେ ତରକାରୀ ବି ହେବ । ଏଇଥି ପାଇଁ ତା’ ମନରେ ମହାଆନନ୍ଦ । ଆଜି ଯେମିତି ଗୋଟିଏ ଉତ୍ସବ ଦିନ । ଅପୁ କହିଲା, ତାସ୍‌ ଖେଳୁ ଖେଳୁ, ସେହି ଗପଟା କହୁନ ମା’ । ସେଇ ଶ୍ୟାମଲଙ୍କାର ଗପଟା ?

 

ହଠାତ୍‌ ଅପୁ ମା’ କୋଳରେ ମୁଣ୍ଡ ରଖି ଶୋଇପଡ଼ିଲା । ମା’ ଦେହରେ ହାତ ବୁଲାଉ ବୁଲଉ ସେ ଅନୁନୟ ସ୍ୱରରେ କହିଲା, ସେଇ ଗପଟା କୁହନା ମା’, ସେଇ ଶ୍ୟାମଲଙ୍କା ମସଲା ବାଟେ, ମାଟିରେ ଲାଗେ କେଶ !

 

ଦୁର୍ଗା କହିଲା, ଖେଳ ସମୟରେ ଢଗ କହିଲେ, ଖେଳ କେମିତି ହେବ ଅପୁ ? ଉଠ୍‌

 

ସର୍ବଜୟା କହିଲା, ଦୁର୍ଗା, ତୁ ଆଜି ଏତେ ଛତୁ କେଉଁଠୁ ପାଇଲୁ ? ସେଇଠି ଗୋସେଇଁ ଘର ଯେଉଁ ବଡ଼ ବଗିଚା ନାହିଁ ? ନାଲି ଗାଈକୁ ଖୋଜିବାକୁ ଥରେ ଅପୁ ଆଉ ମୁଁ ଯାଇଥିଲୁ ନା ରେ ? ସେଇଠି ଅନେକ ଫୁଟିଥିଲା । ବେଶ୍‌ ଜଙ୍ଗଲିଆ ଜାଗା ତ କେହି ଜାଣିପାରିଲେନି । ନ ହେଲେ ଲୋକେ ତୋଳି ନେଇଯାଇଥାନ୍ତେ ।

 

ଅପୁ କହିଲା ସେଇଠିକି ଯାଇଥିଲୁ ? ଉଃ, ସେଇଠି ତ ଭୀଷଣ ଜଙ୍ଗଲରେ ନାନୀ !

 

ସର୍ବଜୟା ସ୍ନେହଭରା ଦୃଷ୍ଟିରେ ବାରମ୍ବାର ପୁଅକୁ ଚାହିଁ ଦେଖୁଥିଲା । ସେଦିନର ସେହି ଅପୁ ଆସ ଆସ ଗୋ ଜହ୍ନମାମୁଁ, ମୋ ପୁଅ ମଥାରେ ଟି-ଇ-ଇ ଦେଇ ଯାଅ କହିଲେ ଚାବିଦିଆ କଣ୍ଢେଇ ଭଳି ତା’ର ଜହ୍ନ ପରି କପାଳଟିକୁ ବନ୍ଦ ଅଙ୍ଗୁଳିର ହାତ ଆଡ଼କୁ ନୁଆଁଇ ଦେଉଥାଏ ବାରମ୍ବାର । ସେହି ଅପୁ ଆଜି ତାସ୍‌ ଖେଳିବାରେ ଲାଗିଛି । ତା’ ଆଗରେ ଏ ଦୃଶ୍ୟଟି ବିଚିତ୍ର ପରି ମନେହୁଏ । ଅପୁ ଯଦିବା ଠିକ୍‌ ଭାବରେ ଖେଳି ପାରୁନଥିଲା କିମ୍ବା ଆଶାକରି ମଧ୍ୟ ପଟଟିଏ ବି ଜିତିପାରୁନଥିଲା, କିମ୍ବା ଅପୁ ପାଖକୁ ଖରାପଗଣ୍ଡା ଓ ନିଜ ପାଖକୁ ଭଲ ଗଣ୍ଡା ଆସିଗଲେ, ସେ ବିପକ୍ଷ ଦଳର ଖେଳାଳୀ ହେଲେ ବି ତା’ ମନରେ କଷ୍ଟ ହେଉଥିଲା ।

 

ଦୁର୍ଗା କହିଲା ଆଜି କ’ଣ ଘଟଣା ଘଟିଛି ଜାଣ ମା’

 

ଅପୁ କହିଲା ତୁ ଯଦି କହିବୁ ନାନୀ, ତୋ ସହିତ ମୋର କଟି ।

 

ତୁ କଟି କରୁଥା ଶୁଣ ମା’, ଅପୁ ପୋସ୍ତ ଦାନାର ନାମ ବି ଜାଣେ ନି । ଆଜି ରୋଜୀ ଘରେ ପୋସ୍ତଦାନା ଖରାରେ ଶୁଖାଇଥିଲେ । ଅପୁ ପଚାରିଲା, ଏଗୁଡ଼ା କ’ଣ ରୋଜୀ ନାନୀ ? ସେ କହିଲା, ଯଷ୍ଟିମଧୁ, ଚାଖି ଦେଖୁନୁ । ଆଉ ଅପୁ ଏମିତି ବୋକାଯେ ସେ ଜାଣିପାରିଲା ନି ସେଗୁଡ଼ା ପୋସ୍ତ ବୋଲି । ଛିଡ଼ା ହୋଇ ସେଇଠି ଚାଖିଲା । ଏଇଟା ବୋକା ନୁହେଁ, ମା’ ?

 

ଅପୁ ସିନା କଥାରେ କହିଦେଲା, ନାନୀ ସହିତ ‘କଟି’ ବୋଲି, କିନ୍ତୁ ସେ ପ୍ରକୃତରେ ‘କଟି’ କରିପାରିବନି । ଯେଉଁଦିନ ସତୁଭାଇ ତା’ ଘରୁ ପାଚିଲା ମହାକାଳ ଫଳ ଧରି ଚମ୍ପଟ ମାରିଥିଲା, ସେଦିନ ତା’ ନାନୀ ଦିନସାରା କେତେ ବଣବଗିଚା ବୁଲି ବୁଲି ସଞ୍ଜବେଳକୁ ଗଦାଏ ମହାକାଳ ଫଳ ତା’ ଅଣ୍ଟିକାନିରେ ବାନ୍ଧି ଆଣିଥିଲା । ସଞ୍ଜବେଳେ ଅପୁ ଆଗରେ ସେଗୁଡ଼ିକ ଖୋଲି ଦେଖେଇ ଥିଲା ଆଉ କହିଲା ଏବେ କେମିତି ହେଲା ? ସକାଳେ ଯେ ଏତେ କାନ୍ଦୁଥିଲୁ ? ସେଦିନ ସନ୍ଧ୍ୟାରେ ସେ ଅତ୍ୟନ୍ତ ଖୁସି ହୋଇଥିଲା । ଜାଣେନି ଏତେଗୁଡ଼ାଏ ମହାକାଳ ଫଳ ପାଇଁ କିମ୍ବା ତା’ ନାନୀର ସୁନ୍ଦର ମୁହଁର ଟଣା ଟଣା ଆଖିରୁ ଝରିପଡ଼ୁଥିବା ମମତା ଭରା ସ୍ନିଗ୍ଧ ହସ ପାଇଁ ।

 

ଛକ୍କା ଖେଳ ଏବେ, ଅପୁ ବୁଝି ବିଚାରି ଖେଳିବୁ ?- ଦୁର୍ଗା ମହା ଆନନ୍ଦରେ ତାସ୍‌ ଗୋଟେଇ ସଜେଇବାକୁ ଆରମ୍ଭ କଲା ।

 

କ’ଣ ଗୋଟାଏ ଫୁଲର ବାସନା ଆସୁଛି, ନା ନାନୀ ?

 

ସେମାନଙ୍କ ମା’ କହିଲେ, ତୁମ ବଡ଼ବାପାଙ୍କ ଭିଟା ପଛପଟେ ଛତିଆନା ଗଛ ଅଛି । ତାହାରି ଫୁଲର ଏ ବାସନା । ଅପୁ ଓ ଦୁର୍ଗା ଦୁଇଜଣ ଆଗ୍ରହ ସହିତ ପଚାରିଲେ ଆରେ ହଁ । ମା’ ତୁମେ ଥରେ କହିଥିଲା ନା, ସେ ଛତିଆନା ଗଛ ତଳକୁ ବାଘ ଆସିଥିଲା ? କିନ୍ତୁ ସେମାନଙ୍କ ମା’ ଶୀଘ୍ର ତାସ୍‌ମୁଠା ଫୋପାଡ଼ି ଛିଡ଼ା ହୋଇ କହିଲେ ଆରେ ଯା, ଭାତଟା ପୋଡ଼ିଗଲା ବୋଧେ, ପୋଡ଼ାପୋଡ଼ା ଗନ୍ଧ ବାହାରୁଛି ଭାତଟା ଓହ୍ଲେଇ ଦେଇ କହୁଚି

 

ଖାଇବା ସମୟରେ ଦୁର୍ଗା କହିଲା ଛତୁ ତରକାରୀ ଭାରି ସୁଆଦିଆ ହୋଇଛି ନା, ମା’ ? ତା’ର ମୁଖମଣ୍ଡଳ ସ୍ୱର୍ଗୀୟ ତୃପ୍ତିରେ ଭରି ଉଠିଥିଲା ।

 

ସଙ୍ଗେ ସଙ୍ଗେ ଅପୁ ବି କହିଲା ବାଃ, କେଡ଼େ ବଢ଼ିଆ ହୋଇଚି, ଠିକ୍‌ ମାଂସ ଭଳି ଲାଗୁଛି ନା, ନାନୀ ? ଜାଣିଲ ମା’ ଗୋଟେ ଜାଗାରେ ଅନେକ ଛତୁ ଫୁଟିଛି, ମୁଁ ଭାବିଲି ବେଙ୍ଗଛତା, ତେଣୁ ତୋଳିଲିନି

 

ଦୁହିଁଙ୍କର ଉଚ୍ଛ୍ୱସିତ ପ୍ରଶଂସାରେ ସର୍ବଜୟାର ଛାତି ଗର୍ବ ଓ ତୃପ୍ତିରେ ଭରିଗଲା । ସେ କ’ଣ ଆଉ ରାନ୍ଧିବା ପାଇଁ ଉପଯୁକ୍ତ ଉପକରଣ ପାଇଛି ? ଲୋକେ ସାନମଝିଆ ନଣନ୍ଦଙ୍କୁ ଭୋଜିଭାତରେ ରାନ୍ଧିବାକୁ ଡାକିଥାନ୍ତି । ଥରଟିଏ ତାକୁ ଡାକି ପରୀକ୍ଷା କରନ୍ତୁ ନା । ପ୍ରକୃତରେ ଭଲ ରନ୍ଧା କାହାକୁ କହନ୍ତି, ସେ ସାନ ମଝିଆ ନଣନ୍ଦକୁ ଦେଖେଇ ଦିଅନ୍ତା ।

 

ସର୍ବଜୟା କହିଲା ଦୁର୍ଗା, ଅପୁ ହାତରେ ପାଣି ଢାଳି ଦେ । ଦେଖୁନୁ, ପୁଅର କାଣ୍ଡ କାରଖାନା । ରାସ୍ତା ମଝିରେ ମୁହଁ ଧୋଉଛି । ସବୁଦିନ ରାତିରେ ତୁ ସେହି ମଝି ରାସ୍ତାଟା ଉପରେ...

 

କିନ୍ତୁ ଅପୁ ଆଉ ଗୋଟାଏ ପାଦ ବି ଆଗକୁ ଯିବାକୁ ଚାହେଁନି । ସାମନାରେ ସେହି ଭଙ୍ଗା ପାଚେରୀର ଫାଙ୍କ, ଅନ୍ଧାରୁଆ ବାଉଁଶବଣ ଓ ବଣ ବୁଦାର ଅନ୍ଧାର ଜହ୍ନିମଞ୍ଜି ଭଳି କିଟିକିଟି କଳା । ପୋତା ଭିଟାମାଟି... ଆହୁରି କେତେ କ’ଣ ଅଜଣା ବିଭୀଷିକା ! ସେ ବୁଝିପାରେନି, ଯେଉଁଠି ପ୍ରାଣକୁ ନେଇ ଟଣାଓଟରା, ସେଠାରେ ରାସ୍ତା ଉପରେ ମୁହଁ ଧୋଇବାଟା କ’ଣ ଗୋଟାଏ ବଡ଼ ଅପରାଧ ! ତା’ପରେ ସମସ୍ତେ ଯାଇ ଶୋଇ ପଡ଼ନ୍ତି । ରାତି କ୍ରମେ ଗଭୀର ହୁଏ । ଛତିଆନା ଫୁଲର ଉଗ୍ର ସୁବାସରେ, ହେମନ୍ତର ଅଗ୍ନି ତା’ପରେ ଶିଶିରାଦ୍ର ନୈଶ ବାୟୁ ଧୀରେ ଭରିଯାଏ । ମଝି ରାତିରେ ବାଉଁଶ ଶୀର୍ଷରେ କୃଷ୍ଣପକ୍ଷ ଜହ୍ନର ମ୍ଲାନ ଜୋଛନା ଶିଶିରସିକ୍ତ ଗଛଲତାରେ, ଡାଳପତ୍ରରେ ପଡ଼ି ଚିକ୍‌ଚିକ୍‌ କରେ । ଛାଇ ଆଲୁଅର ଅପରୂପ ମାୟାରେ ବନପ୍ରାନ୍ତଟି ଘୁମନ୍ତପରୀ ରାଇଜ ପରି ରହସ୍ୟରେ ଭରିଯାଏ । ହଠାତ୍‌ ହୁଏତ ଦଲକାଏ ପବନ ‘ଶଣ୍‌ଶଣ୍‌’ ଶବ୍ଦ କରି ସୁନାରୀ ଗଛର ଡାଳକୁ ଦୋହଲାଇ ତରଡ଼ା ପୋଟଳ ବୁଦାର ଶୀର୍ଷକୁ କମ୍ପିତ କରି ବହିଯାଏ ।

 

କେବେକେବେ ଠିକ୍‌ ଏମିତିବେଳେ ଅପୁର ନିଦ ଭାଙ୍ଗିଯାଏ । ଗ୍ରାମର ବିସ୍ମୃତା ଅଧିଷ୍ଠାତ୍ରୀ ସେହି ଦେବୀ ବିଶାଳାକ୍ଷୀ ଯେମିତି ଆସିଛନ୍ତି ।

 

ଡାଳିମ୍ବ ଦାନା ପରି ସ୍ୱଚ୍ଛ ଜଳଧାରର ନଦୀ ଇଚ୍ଛାମତୀ, ଦୁଇ କଡ଼େ ଲମ୍ବିଯାଇଛି ତଟ, ତା’ ଭିତରେ ଟିକିଟିକି ଶୈବାଳ ଭରା ଥଣ୍ଡା କାଦୁଅ ଭିତରେ କାହିଁ କେତେ ଦିନରୁ ଯେଉଁମାନଙ୍କ ପାଦଚିହ୍ନ ଲିଭିଯାଇଛି, ତଟ ଦେଶର ପ୍ରାଚୀନ ଛତିଆନା ବୃକ୍ଷଟି ମଧ୍ୟ ଯେଉଁମାନଙ୍କୁ ଦେଖିନି ସେମାନେ ହିଁ ସେହି ପୁରୁଣା କାଳର ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିରରେ ଏକ ସମୟରେ ଫୁଲ, ଫଳ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରୁଥିଲେ । ଆଜିକାଲିର ଲୋକ କିଏ ବା ମାଆଙ୍କୁ ଜାଣିଛି ?

 

ସେ କିନ୍ତୁ ଏ ଗାଁ’କୁ ଏଯାଏ ବି ଭୁଲି ନାହାନ୍ତି । ଗାଁ’ଟି ଗାଢ଼ ନିଦ୍ରାରେ ଶୋଇଗଲା ପରେ, ଗଭୀର ରାତ୍ରିରେ, ସେ ଏ ବଣରୁ ସେ ବଣ ଫୁଲ ଫୁଟେଇ ଚାଲନ୍ତି । ବିହଙ୍ଗ ଶିଶୁର ଦେଖାଶୁଣା କରନ୍ତି । ଜୋଛନା ରାତିର ଶେଷ ପ୍ରହରରେ ଛୋଟ ଛୋଟ ମହୁମାଛିର ଫେଣାରେ ବଣ ଭଉଁରୀ, ବାସନ୍ତୀ ଓ ରଜନୀଗନ୍ଧା ଫୁଲର ମିଠା ମିଠା ମହୁ ଭର୍ତ୍ତି କରିଦିଅନ୍ତି ।

 

ସେ ଜାଣନ୍ତି କେଉଁ ବୁଦା ଭିତରେ ସୁଗନ୍ଧିତ ବାସଙ୍ଗ ଫୁଲର ଶୀର୍ଷ ଲୁଚି ରହିଛି, ଛତିଆନା ଫୁଲର ଦଳଚକ୍ର କେଉଁଠି ଗଛର ଶୀତଳ ଛାଇ ଭିତରେ ଶୋଇଥାଏ, ଇଚ୍ଛାମତୀ ନଈର କେଉଁ ବାଙ୍କରେ ସବୁଜ ଶୈବାଳ ଭିତରେ କେଉଁଠି କଳମ ଫୁଲର ନୀଳ ଦଳ ସବୁ ଭରପୁର ହୋଇ ରହିଛି, କଣ୍ଟାଲଟା ଗଛର ଡାଳପତ୍ର ଭିତରେ କେଉଁଠି ‘ଟୁନ୍‌ଟୁନି’ ଚଢ଼େଇର ଶାବକମାନେ ନିଦରୁ ଉଠିପଡ଼ନ୍ତି ।

 

ତାଙ୍କରି ରୂପର ସ୍ନିଗ୍‌ଧ ଆଲୋକରେ ବଣଟି ଯେମିତି ଉଦ୍ଭାସିତ ହୋଇଉଠିଛି । ନୀରବତାରେ, ଜୋଛନାରେ, ସୁଗନ୍ଧରେ, ଅସ୍ପଷ୍ଟ ଛାଇ ଆଲୁଅରେ ମାୟା ରାତିର ଅପରୂପ ଶୋଭାରେ ସେ ହିଁ ବିରାଜମାନ ।

 

ଦିନର ଆଲୁଅ ଆସିବା ଆଗରୁ କିନ୍ତୁ ବନଲକ୍ଷ୍ମୀ କେଉଁଠି ହଜିଯାଆନ୍ତି ଯେମିତି, ସ୍ୱରୂପ ଚକ୍ରବର୍ତ୍ତୀ ପରେ ତାଙ୍କୁ ଆଉ କେହି କେବେ ନିଜ ଆଖିରେ ଦେଖିନାହିଁ ।

 

Unknown

(୧୭)

 

ଗାଁ’ର ଅନ୍ନଦା ରାୟ ମହାଶୟ ବର୍ତ୍ତମାନ ଏକ ବଡ଼ ବିପଦରେ ପଡ଼ିଛନ୍ତି । ଗାଁ’ରେ ବନ୍ଦୋବସ୍ତ ଜରିପ ଆସିଥିବାରୁ ଉତ୍ତରପଟ ପଡ଼ିଆରେ ତମ୍ବୁ ପଡ଼ିଛି । ଜରିପର ବଡ଼ ହାକିମ ପଡ଼ିଆ ମଝିରେ ନଈ ପାଖରେ ଅଫିସ୍‌ ଖୋଲିଛନ୍ତି । ସାନ ସାନ କିରାଣୀ ଅମଲା ମଧ୍ୟ ଆସିଛନ୍ତି । ଗାଁ’ର ସବୁ ଭଦ୍ରଲୋକ କିଛି କିଛି ଜମିଜମାର ମାଲିକ । ପିତୃପୁରୁଷଙ୍କ ଅର୍ଜିତ ଏଇସବୁ ସମ୍ପତ୍ତିର ନିରାପଦ କୂଳରେ ଜୀବନ ତରଣୀର କାତରୂପେ ପୋତି ଜଡ଼ପଦାର୍ଥ ଭଳି ଉଦ୍ୟମହୀନ, ଗତିହୀନ ନିଷ୍କ୍ରିୟ ଅବସ୍ଥାରେ ଦିନଗୁଡ଼ିକ ନିଶ୍ଚିନ୍ତରେ ବିତିଯାଉଥିଲା । କିନ୍ତୁ, ଏଥର ସମସ୍ତେ ବିପଦଗ୍ରସ୍ତ ହୋଇପଡ଼ିଛନ୍ତି । ରାମ ହୁଏତ ଶ୍ୟାମର ଜମିକୁ ନିର୍ବିବାଦରେ ନିଜର ବୋଲି ଭୋଗ କରି ଆସୁଥିଲା, ଯଦୁ ଦଶ ଏକରର ଖଜଣା ଦେଇ ବାର ଏକର ଜମି ନିରୁପଦ୍ରବରେ ଦଖଲ କରିଥିଲା । ଏତେଦିନ ଧରି ଯାହା ପୁରା ଶାନ୍ତିରେ ନିଷ୍ପନ୍ନ ହୋଇଥିଲା, ଏଇଥର ସେସବୁ ଭିତରେ ଗୋଳମାଳ ଭର୍ତ୍ତି ହୋଇଗଲା । ବିପଦ ପ୍ରାୟ ସାର୍ବଜନୀନ ଓ ସମସ୍ତଙ୍କ ପାଇଁ ସମାନ ହୋଇଥିଲେ ବି ଅନ୍ନଦା ରାୟଙ୍କ ପାଇଁ ଅନ୍ୟ ରକମର ଥିଲା କିମ୍ବା କହିବାକୁ ଗଲେ ବିପଦ ଟିକିଏ ଅଧିକ ଗୁରୁତର ଥିଲା । ତାଙ୍କର ଜଣେ ଜ୍ଞାତି ଭାଇ ବହୁଦିନ ଧରି ପାଶ୍ଚାତ୍ୟରେ ପ୍ରବାସୀ । ଏତେଦିନ ଧରି ସେ ଉକ୍ତ ପ୍ରବାସୀ ଜ୍ଞାତିର ଆମ୍ବ ପଣସ ବଗିଚା ଓ ଜମି ନିର୍ବିଘ୍ନରେ ଭୋଗ କରି ଆସୁଥିଲେ ଏବଂ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଜରିପ ସମୟ ପୁରିଗଲେ ସେ ସେଗୁଡ଼ିକ ପୁରା କିମ୍ବା ଆଂଶିକଭାବେ ତାଙ୍କ ନାମରେ କରିନେବେ । କିନ୍ତୁ, କେମିତି କେଜାଣି ଗାଁ’ର କିଏ ଜଣେ ଜ୍ଞାତି ଭାଇକୁ ଚିଠି ଲେଖି ଜଣେଇ ଦେଲା । ଭାଇର ବଡ଼ ପୁଅଟି ଏବେ ଦଶଦିନ ଖଣ୍ଡେ ହେବ ବିଷୟ ସମ୍ପତ୍ତି ବୁଝାସୁଝା କରିବା ପାଇଁ ଗାଁ’ରେ ପହଞ୍ଚିଛି । ନିଜର ଆହାର ତ ଗଲା, ତା’ଛଡ଼ା ଅନ୍ୟାନ୍ୟ ଆନୁସଙ୍ଗିକ ବିପଦ ବି ରହିଛି । ଏହି ଆତ୍ମୀୟଙ୍କ ଅଂଶରେ ଥିବା ଘରଗୁଡ଼ିକ ହିଁ ସବୁଠୁ ଭଲ । ରାୟ ମହାଶୟ ସେଗୁଡ଼ିକ ଗତ କୋଡ଼ିଏ ବର୍ଷ ଧରି ଦଖଲ କରି ଆସୁଛନ୍ତି । ଏବେ ସେଗୁଡ଼ିକ ଖାଲି କରିବାକୁ ପଡ଼ିଛି । ଜ୍ଞାତି ପୁଅଟି ସଉଖୀନ ଧରଣର କଲେଜ ପଢ଼ୁଆ ପିଲା । ଗୋଟିଏ ଘରେ ଶୁଏ, ଅନ୍ୟଘର ପାଠ ପଢ଼େ । ଆଉ ଉପର ମହଲାର ଘର ଭିତରୁ ଲୁହା ସିନ୍ଦୁକ, ବନ୍ଧକୀ ଦ୍ରବ୍ୟ, କାଗଜପତ୍ର ଆଦି ହଟେଇ ଆଣିବାକୁ ପଡ଼ିଛି । ତଳର ଅନ୍ୟ ଏକ ଘରୁ ପାଲିତ ସାହିରୁ ଶସ୍ତାଦାମରେ କିଣା କଡ଼ି, ବରଗା ଆଦି ଗଚ୍ଛିତ ରଖିଥିଲେ ସେ ଘରଟି ବି ଶୀଘ୍ର ଛାଡ଼ିବାକୁ ପଡ଼ିବ ।

 

ବିକାଳ ସମୟ । ଅନ୍ନଦା ରାୟଙ୍କ ଚଣ୍ଡୀମଣ୍ଡପକୁ ସାହିର କେତେଜଣ ଲୋକ ଆସିଥିଲେ । ଏହି ସମୟରେ ପଶାଖେଳର ଆସରଟା ବେଶ୍‌ ଜମେ । କିନ୍ତୁ ଏ ପର୍ଯ୍ୟନ୍ତ କାମ ଶେଷ ହୋଇନି । ଅନ୍ନଦା ରାୟ ଉପସ୍ଥିତ ଥିବା କରଜଦାରମାନଙ୍କୁ ଗୋଟି ଗୋଟି କରି ବିଦା କରୁଥିଲେ ।

 

ଅଗଣାର ବାରଣ୍ଡା ଠିକ୍‌ ତଳେ ଅଳ୍ପ ବୟସୀ କୃଷକ ବୋହୂଟିଏ ଛୋଟ ପୁଅଟିକୁ ସାଙ୍ଗରେ ଧରି ବହୁତ ସମୟରୁ ମୁଣ୍ଡରେ ଓଢ଼ଣା ଦେଇ ବସିଥିଲା । ଏଥର ତା’ର ପାଳି ଆସିଲା ଭାବି ଛିଡ଼ାହେଲା । ରାୟ ମହାଶୟ ମୁଣ୍ଡଟା ଅଳ୍ପ ଟିକିଏ ଆଗକୁ ଝୁଙ୍କେଇ ଚଷମା ଉପରୁ ତା’ ଆଡ଼କୁ ଚାହିଁ କହିଲେ କିଏ ? ତୋର ପୁଣି କ’ଣ ହେଲା ?

 

କୃଷକ ବୋହୂଟି ପଣତର ଗଣ୍ଠି ଖୋଲୁ ଖୋଲୁ ଅତି ଧୀର ସ୍ୱରରେ କହିଲା ଅନେକ କଷ୍ଟରେ ମୁଁ କିଛି ଟଙ୍କା ଯୋଗାଡ଼ କରିଛି । ମୋର ଟଙ୍କାଟା ନିଅନ୍ତୁ... ଆଉ ଅମାରର ଚାବିଟା ଖୋଲି ଦିଅନ୍ତୁ, ବହୁତ କଷ୍ଟରେ ଦିନ ବିତୁଛି, ପ୍ରଭୁ ଠାକୁରେ, ସେ କଥା କ’ଣ ଆଉ କହିବି

 

ଅନ୍ନଦା ରାୟଙ୍କ ମୁଖମଣ୍ଡଳରେ ପ୍ରସନ୍ନତା ଖେଳିଗଲା । ସେ କହିଲେ, ଆରେ ହରି, ତା’ର ଟଙ୍କାଟା ଗଣି ରଖ । ଖାତାଖୋଲି ତାରିଖ ଦେଖ, ସୁଧଟା ଆଉ ଥରେ ହିସାବ କରି କୁହ

 

କୃଷକ ବୋହୂଟି ପଣତକାନିରୁ ଟଙ୍କା ବାହାର କରି ହରିହର ସାମନାରେ ବାରଣ୍ଡାରେ ରଖିଦେଲା । ହରିହର ଗଣି କହିଲା, ପାଞ୍ଚ ଟଙ୍କା ?

 

ରାୟ ମହାଶୟ କହିଲେ ଆଚ୍ଛା ଜମା କରି ରଖ । ଆଚ୍ଛା, ବାକି ଟଙ୍କା ସବୁ କାହିଁ ?

 

ଏବେ ଏତକ ରଖନ୍ତୁ । ପରେ ସବୁ ଦେଇଦେବି । ମୁଁ କାମଧନ୍ଦା କରି ସବୁ ଶୁଝି ଦେବି । ଏବେ ଏତକ ନେଇ ମୋର ଅମାରର ଚାବିଟା ଖୋଲି ଦିଅନ୍ତୁ । ଆଗ ଦୁଇଟା ଖାଇବା ପାଇଁ ଦେଇ ଘରଲୋକଙ୍କୁ ବଞ୍ଚାଏ, ତା’ପରେ ଘରଦ୍ୱାର କଣା ଛପର କଥା ପରେ

 

ଏମିତି ନିରୁଦ୍‌ବିଗ୍ନ ଭାବରେ ସେ କଥା କହୁଥିଲା ଯେମିତି ତା’ର ଅମାର ଚାବିଟା ତା’ ହାତ ପାଆନ୍ତାରେ ରହିଛି । ରାୟ ମହାଶୟକୁ ଚିହ୍ନିବାକୁ ତାକୁ ବାକି ଥିଲା ।

 

ରାୟ ମହାଶୟ ତାକୁ କଥା ଶେଷ କରିବାକୁ ନ ଦେଇ କହିଲେ ଆରେ ଦେଖ ହେ ମାଇକିନିଆର ଆବ୍‌ଦାର, ଚାଳିଶ ଟଙ୍କା ପାଖାପାଖି ସୁଧମୂଳରେ ବାକି ପାଞ୍ଚ ଟଙ୍କା ମାତ୍ର ଆଣିଛି, ଅମାର ଖୋଲିଦିଅ, ଛୋଟ ଲୋକର କାଣ୍ଡ ହିଁ ଏମିତି । ଯା, ଯା ଏଠୁ, ଦୁଇ ପହରଟାରେ ମୁଣ୍ଡ ଖରାପ କରନା

 

କୃଷକ ବୋହୂଟି ଚଣ୍ଡୀ ମଣ୍ଡପରେ କାହାରି ଅପରିଚିତା ନୁହେଁ । ଦୀନୁ ଭଟ୍ଟାଚାର୍ଯ୍ୟଙ୍କ ଆଖିକୁ ଭଲ ଦେଖାଯାଉନଥିଲା, ସେ କହିଲେ ଆରେ ଅନ୍ନଦା, ସେ କିଏ କିରେ ?

 

ସିଏ, ଆର ସାହିର ତମରେଜର ବୋହୂ ଦୁଇ ଚାରିଦିନ ହେଲା ତମରେଜ ମଲାଣି ? ସୁଧମୂଳ ମିଶି ଚାଳିଶ ଟଙ୍କା ବାକି, ତେଣୁ ସେ ମରିବା ଦିନଠୁ ତା’ ଅମାରରେ ଚାବି ପକେଇ ଦେଇଛି । ଏବେ ଅମାର ଖୋଲିଦିଅନ୍ତୁ, ଏଇଟା କରନ୍ତୁ ସେଇଟା କରନ୍ତୁ କହିଚାଲିଛି ।

 

ପାଦତଳୁ ମାଟି ଅପସରି ଯାଇଥିଲେ ବି ତମରେଜର ବୋହୂ ଏତେଟା ଚମକି ଯାଇନଥାନ୍ତା ସେ ଘଟଣାଟିକୁ ଏବେ ଠିକ୍‌ଠିକ୍‌ ବୁଝିପାରିଲା, ଆଗକୁ ଆସି କହିଲା ଏମିତି କହିବେନି, ପ୍ରଭୁ ଠାକୁରେ ! ମୋ ପୁଅର ଗୋଟିଏ ମାତ୍ର ରୁପାର ନିମ୍ବଫଳ ଥିଲା, ସେ ବର୍ଷ ତା’ ବାପା ତିଆରି କରେଇଥିଲା । ସେଇଟିକୁ ଭୋଦା ସରକାରର ଦୋକାନରେ ବିକ୍ରି କରି ପାଞ୍ଚ ଟଙ୍କା ଆଣିଦେଲି ପିଲାଟାର ଜିନିଷ ବିକ୍ରି କରିବାର ଇଚ୍ଛା ନ ଥିଲା, କ’ଣ ବା କରିବି, ଏବେ ଦୁଇଟା ଖାଇଲେ ତ ବଞ୍ଚିବି । ଭାବିଲି ପ୍ରଭୁ ଏହାପରେ ଯଦି ସୁଦିନ ଦିଅନ୍ତି ପରେ ତା’ ପାଇଁ ନିମଫଳଟି ଗଢ଼େଇ ଦେବି । ଏବେ ଦିଅନ୍ତୁ ନା ଠାକୁର ମହାଶୟ ଚାବିଟା

 

ଯା, ଯା ଏଠୁ ଏବେ ଚାଲିଯା ନାକରେ କାନ୍ଦିଲେ ଟଙ୍କା ପଇସା କଥା କ’ଣ ମେଣ୍ଟିଯିବ ନା କ’ଣ ? ତୁ କ’ଣ ବୁଝିବୁ ସେ କଥା, ତୋ ବର ଥିଲେ ସେ କଥା ବୁଝିପାରନ୍ତା । ଏବେ ମୁଣ୍ଡ ଖରାପ କରନା ସେ ପାଞ୍ଚ ଟଙ୍କା ତୋ ନାମରେ ଜମା ରହିଲା ବାକି ଟଙ୍କାତକ ନେଇ ଆସ୍‌ ତା’ପରେ କଥା ବୁଝାଯିବ

 

ଅନ୍ନଦା ରାୟ ଚଷମା ଖୋଲି ଖୋଳ ଭିତରେ ପୁରଉ ପୁରଉ ଉଠି ଛିଡ଼ା ହେଲେ ଏବଂ ଘର ଭିତରକୁ ଯିବାର ଉଦ୍ୟୋଗ କଲେ । ତମରେଜର ବୋହୂ ଆକୁଳ ସ୍ୱରରେ କହିଲା, କେଉଁଠିକି ଯାଉଛନ୍ତି ହେ ମୁନିବ ମହାଶୟ, ମୋ ପୁଅଟାର କିଛି ବ୍ୟବସ୍ଥା କରିଯାଆନ୍ତୁ, ତାକୁ ମୁଁ ଖୁଆଇବି କ’ଣ, ପଇସାଟିଏର ମୁଢ଼ି କିଣି ଖୁଆଇବା ପାଇଁ ସମ୍ବଳ ନାହିଁ ମୋର ଅମାର ନ ଖୋଲିଲେ ନାହିଁ, ମୋର ଟଙ୍କା କେତେଟା ଫେରେଇ ଦିଅନ୍ତୁ

 

ରାୟ ମହାଶୟ ମୁହଁ ଛିଞ୍ଚାଡ଼ି କହିଲେ ଯା, ଯା, ଆରେ ହେ ମାଇକିନିଆ, ସନ୍ଧ୍ୟାବେଳରେ ଝିକ୍‌ ଝିକ୍‌ କର୍‌ନା । ମୁଠାଏ ଟଙ୍କା ମୋର ପାଣିରେ ପଡ଼ିଲାଣି, ତା’ ଉପରେ ପୁଣି ଏଯାଏ ଦେଖା ଦର୍ଶନ ନ ଥିଲା, କହୁଛି କ’ଣ ନା ଅମାର ଖୋଲିଦିଅ, ଟଙ୍କା ଫେରେଇ ଦିଅ ତୋ ଅମାରରେ ଅଛି କ’ଣ ? ବେଶୀରେ ବେଶୀ ଦୁଇ ଚାରି ଗୌଣୀ ଧାନ ଥିବ, ସେଥିରେ ଟଙ୍କା ଶୁଝିପାରିବୁ ? ଏ ପାଞ୍ଚ ଟଙ୍କା ବି ଅସୁଲ ହେଲା, ମୋର ବାକି ଟଙ୍କା ଆଉ ଫେରି ପାଇବିନି । ଏଥିରେ ପୁଣି ତୋ’ ପୁଅ କ’ଣ ଖାଇବ କହ ତୋ ପୁଅ କ’ଣ ଖାଇବ, ମୁଁ କେମିତି କହିବି ? ଯା, ଯା, ପାରିବୁ ଯଦି ନାଲିସ୍‍ କରି ଅମାର ଖୋଲି ଦେ

 

ରାୟ ମହାଶୟ ଘର ଭିତରକୁ ଚାଲିଗଲା ପରେ, ଦୀନୁ ଭଟ୍ଟଚାର୍ଯ୍ୟ କହିଲେ, ଆରେ ଏ ବୋହୂ, ତମ୍‌ରେଜ୍‌ର ଆଜି କେତେଦିନ ହେଲା ? କାହିଁ ସେ କଥା ତ

 

ଗତ ବୁଧବାର ଦିନ ସେ ଚାଲିଗଲେ, ଠାକୁର ମହାଶୟ । ସେଦିନ ହାଟରୁ କିଛି ପଚା ମାଛ ଆଣିଥିଲେ । ପିଆଜ ଦେଇ ତାକୁ ରାନ୍ଧିଥିଲି । ଭାତ ଦେଲି । ସୁସ୍ଥ ଲୋକଟା, ବେଶ୍‌ ଖାଦ୍ୟ ଖାଇଥିଲେ । ଖାଇସାରି ମୋତେ କହିଲେ, ମୋତେ ଶୀତ ଲାଗୁଛି । କନ୍ଥା ଘୋଡ଼େଇ ଦେ । ଘୋଡ଼େଇ ଦେଲି । ଆଲୋ ମା’, ସଞ୍ଜରେ ତାରା ଉଠୁ ନ ଉଠୁଣୁ ଦେଖିଲି ଲୋକଟିର ଆଉ ସାଡ଼ା ଶବ୍ଦ ନାହିଁ । ଦୁଇ ପ୍ରହର ହେଉ ନ ହେଉଣୁ ମୋତେ ଆଉ ମୋ ପିଲାଟାକୁ ରାସ୍ତାରେ ବସେଇ... ଆଖି ଲୁହରେ ତା’ର ସ୍ୱର ଅଟକିଗଲା । ମିନତି ସ୍ୱରରେ କହିଲା, ଆପଣମାନେ ଟିକେ କୁହନ୍ତୁ ମୋ ଅମାରର ଚାବିଟା ଆଣିଦିଅନ୍ତୁ ମୋ ସଂସାରର ଭୀଷଣ କଷ୍ଟ କରଜା ଟିକକ ମୁଁ କ’ଣ ଶୁଝିଦେବିନି ଯେମିତି ହେଉ...

 

ଏହି ସମୟରେ ନବାଗତ ଜ୍ଞାତ ପୁଅଟି ଆସିଯିବାରୁ କଥାବାର୍ତ୍ତା ବନ୍ଦ ହୋଇଗଲା । ଦୀନୁ କହିଲେ ଆସ ହେ ବାପା ନୀରେନ୍‌, ପଡ଼ିଆ ପଟେ ବୁଲି ଯାଇଥିଲ ବୋଧେ ? ଏଇଟା ତୁମର ବାପା, ଜେଜେଙ୍କର ଦେଶ ବୁଝିଲ, କେମିତି ଲାଗୁଛି କୁହ ?

 

ନୀରେନ୍‌ ଅଳ୍ପ ହସିଲା । ତା’ର ବୟସ ଏକୋଇଶ ବାଇଶରୁ ବେଶୀ ନୁହେଁ । ଖୁବ୍‌ ବଳିଷ୍ଠ ଦେହର ଗଠନ, ସୁପୁରୁଷଟିଏ । କଲିକତାର କଲେଜରେ ଆଇନ୍‌ ପାଠ ପଢ଼େ । ବେଶ୍‌ ମୌନ ପ୍ରକୃତିର ବ୍ୟକ୍ତି । ବାପା ତାକୁ ଜମିଜମା ତଦାରଖ କାମରେ ପଠେଇଥିଲେ ବି କାମଦାମ ସେ କିଛି ଦେଖୁ ନ ଥିଲା କି ବୁଝୁ ନ ଥିଲା । ଦିନରାତି ଉପନ୍ୟାସ ପଢ଼େ । ବନ୍ଧୁକ ଧରି ଏଣେତେଣେ ବୁଲେ । ସାଥିରେ ବନ୍ଧୁକଟିଏ ଆଣି ଆସିଛି, ଶୀକାର କରିବାର ସଉକ ବେଶୀ ।

 

ନୀରେନ୍‌ ଉପରେ ରହୁଥିବା ଘର ଭିତରକୁ ପଶିବା ସମୟରେ ଦେଖିଲା, ଗୋକୁଳର ସ୍ତ୍ରୀ ଘର ଚଟାଣରେ ବସି କ’ଣ ସବୁ ଖୁଁଟି ଖୁଁଟି ଗୋଟାଉଛି । ଦୁଆର ପାଖରେ ପହଞ୍ଚି ସେ ଦେଖିଲା ତା’ର ଦାମୀ ବିଲାତି ଟର୍ଚ୍ଚ ଲାଇଟ୍‌ଟା ଚଟାଣରେ ଥୁଆ ହୋଇଛି । ତା’ ଭିତରର କାଚ ବଲ୍‌ବଟି (ଡୁମ୍‌) ଭାଙ୍ଗି ଚୁର୍‌ମାର୍‌ ହୋଇ ସାରା ଚଟାଣଟାରେ ବିଛାଡ଼ି ପଡ଼ିଛି । ଦୁଆରବନ୍ଧରେ ଜୋତାର ଶବ୍ଦ ଶୁଣି ଗୋକୁଳର ସ୍ତ୍ରୀ ଚମକି ପଡ଼ି ପଛକୁ ଫେରି ଚାହିଁଲା । ସେ ପଣତ କାନିରେ ଚଟାଣରୁ କାଚର ଛୋଟ ଛୋଟ ଖଣ୍ଡକୁ ସାଉଁଟୁଥିଲା । ତା’ ଭାବରୁ ଜଣାପଡ଼ୁଥିଲା, ପ୍ରତିଦିନ ପରି ସେ ଘର ସଫା କରିବାକୁ ଆସି ଟର୍ଚ୍ଚଟିକୁ ଜଳେଇବାକୁ ଚେଷ୍ଟା କରିଥିଲା । ଅଜାଣତରେ କେମିତି ଡୁମ୍‌ଟା ଭାଙ୍ଗି ପକେଇଛି ଏବଂ ଟର୍ଚ୍ଚର ମାଲିକ ଆସିବା ପୂର୍ବରୁ ନିଜର ଅପରାଧର ଚିହ୍ନ ସବୁକୁ ଶୀଘ୍ର ହଟେଇ ଦେବାର ଚେଷ୍ଟାରେ ଥିଲା । ହଠାତ୍‌ ମାଲିକ ସାମନାରେ ମୁହାଁମୁହିଁ ଧରାପଡ଼ିଯିବାରୁ ସେ ଖୁବ୍‌ ଅପ୍ରତିଭ ହୋଇପଡ଼ିଲା । କ୍ଷତିକାରୀଟିର ଲଜ୍ଜ୍ୟାକୁ ଟିକିଏ ଲାଘବ କରିବା ପାଇଁ ନୀରେନ୍‌ ହସି ହସି କହିଲା, ଆରେ ଭାଉଜ, ଟର୍ଚ୍ଚଟା ଭାଙ୍ଗି ଦେଇଛ ବୋଧେ ? କିନ୍ତୁ ଧରାପଡ଼ିଗଲ । ତୁମେ ତ ଜାଣ ମୁଁ ଆଇନ ପାଠ ପଢ଼େ । ଆଚ୍ଛା ଏବେ ଖୁବ୍‌ଶୀଘ୍ର ଚା’ କପେ ଆଣିଦେଲ ଭାଉଜ, ଦେଖେ କେତେ କାମିକା ଲୋକ ତୁମେ ! ଟର୍ଚ୍ଚଟିକୁ ସଜାଡ଼ି ଦେଉଛି, ଭାଗ୍ୟ ଭଲ ବାକ୍ସ ଭିତରେ ଆଉ ଗୋଟିଏ ଡୁମ୍‌ ଆଣିଥିଲି ।

 

ଗୋକୁଳର ସ୍ତ୍ରୀ ସଲଜ୍ଜ ସ୍ୱରରେ କହିଲା, ଦିଆସିଲିଟା ଆଣିବି ଦିଅରବାବୁ ? ନୀରେନ୍‌ ମଜାରେ କହିଲା, ଦିଆସିଲି ତ ଆଣିନ, ଆଉ ଟର୍ଚ୍ଚଲାଇଟ୍‌ ଜାଳି କ’ଣ କରୁଥିଲ ?

 

ବୋହୂଟି ଏଥର ହସିଲା, ଧୀର କଣ୍ଠରେ କହିଲା ଧୂଳି ଅଳନ୍ଧୁରେ ଭର୍ତ୍ତି ହୋଇଥିଲା, ଭାବିଲି ଟିକିଏ ପୋଛିଦେବି । କିନ୍ତୁ ଯେମିତି କାଚଟି ଓହ୍ଲେଇବାକୁ ଗଲି, କେଜାଣି ସେଗୁଡ଼ା ବି ଇଂରାଜୀ କଳର ଆଲୁଅ କଥା ଶେଷ ନ କରି ସେ ପୁଣି ସଲଜ୍ଜ ହସଟିଏ ହସି ତଳକୁ ଓହ୍ଲେଇ ଗଲା ।

 

ନୀରେନ୍‌ ଦଶ-ବାର ଦିନ ହେଲା ଏଠାକୁ ଆସିଛି ହେଲେ ସମ୍ପର୍କରେ ଭାଉଜ ହେଲେ ବି ଗୋକୁଳର ସ୍ତ୍ରୀ ସହିତ ତାହାର ବିଶେଷ ଆଳାପ ପରିଚୟ ହୋଇନି । କିନ୍ତୁ କାଚ ଭାଙ୍ଗିବାର ସନ୍ଧ୍ୟା ପରଠୁ ଉଭୟଙ୍କ ମଧ୍ୟରେ ନୂତନ ପରିଚୟର ସଂକୋଚ ଭାବଟି କଟି ଯାଇଥିଲା । ନୀରେନ୍‌ ଅବସ୍ଥାପନ୍ନ ଘରର ସନ୍ତାନ । ତା’ଛଡ଼ା ବଙ୍ଗଦେଶର ମଫସଲକୁ ସେ ପ୍ରଥମଥର ପାଇଁ ଆସିଚି । ନିଃସଙ୍ଗ ଆନନ୍ଦହୀନ ଦୂର ପ୍ରବାସରେ ଦିନସବୁ କଟୁ ନ ଥିଲା । ସମବୟସୀ ଭାଉଜ ସହିତ ପରିଚୟର ପଥଟି ସହଜ ହୋଇଯିବାଠୁ ସକାଳ-ସନ୍ଧ୍ୟା ଚା’ ପାନ ସମୟଟି ଭାବର ସହଜ ଆଦାନ ପ୍ରଦାନର ମାଧୁର୍ଯ୍ୟରେ ଆନନ୍ଦପୂର୍ଣ୍ଣ ହୋଇଉଠିଲା ।

 

ସେଦିନ ଦୁଇ ପ୍ରହର ସମୟରେ ଦୁର୍ଗା ବୁଲି ଆସିଥିଲା । ରୋଷେଇଘର ଦୁଆର ମୁହଁରେ ଉଁକି ମାରି କହିଲା କ’ଣ ରାନ୍ଧୁଛ, ଖୁଡ଼ୀ ? ବୋହୂଟି କହିଲା ଆଲୋ ମା’, ଆ’ । ମୋତେ ଟିକେ ସାହାଯ୍ୟ କରିବୁ ? ଏକୁଟିଆ ଆଉ ସବୁ କାମ କରିପାରୁନି !... ଦୁର୍ଗା ମଝିରେ ମଝିରେ ଯେତେବେଳେ ଆସେ, ଖୁଡ଼ୀର କାମରେ ସାହାଯ୍ୟ କରିଥାଏ । ସେ ମାଛ କାଟୁ କାଟୁ କହିଲା ଖୁଡ଼ୀ ତୁମେ, ଏ କଙ୍କଡ଼ା କେଉଁଠୁ ଆଣିଲ ? ଏ କଙ୍କଡ଼ା ତ ଖିଆ ହୁଏନି ।

 

କାହିଁକି ଖାଇବେନି ମ, ମଲା ! ବିଧୁ କେଉଟୁଣୀ କହିଗଲା ଏ କଙ୍କଡ଼ା ସମସ୍ତେ ଖାଆନ୍ତି ।

 

ସତରେ ଖୁଡ଼ୀ, ଏ କ’ଣ କଲ, ସେ କହିଦେଲା ଆଉ ତୁମେ ପଇସା ଦେଇ କିଣିଲ ?

 

ଆରେ କିଣିଲି ତ, ଏତେଗୁଡ଼ା କଙ୍କଡ଼ା ଜମା ପାଞ୍ଚ ପାଇସାରେ ଦେଇଛି ବିଧୁ !

 

ଦୁର୍ଗା ଆଉ କିଛି କହିଲାନି । ମନେ ମନେ ଭାବିଲା ଖୁଡ଼ୀଙ୍କର ସବୁ ଭଲ ଗୁଣ, କେବଳ ସେ ଟିକିଏ ବୋକୀ !

 

ଏ କଙ୍କଡ଼ା ପଇସା ଦେଇ କିଏ ବା କିଣେ, କେହି ବି ଖାଆନ୍ତିନି । ଭଲ ମଣିଷ ଦେଖି ବିଧୁ କେଉଟୁଣୀ ଠକି ଦେଇଛି । ସଙ୍ଗେ ସଙ୍ଗେ ଏହି ସରଳ ଖୁଡ଼ୀ ଉପରେ ତା’ର ସ୍ନେହ ନିବିଡ଼ତର ହୋଇଉଠିଲା ।

 

ସେଦିନ ପୁଣିଥରେ ଗୋକୁଳ କକା ଖୁଡ଼ୀ ମୁଣ୍ଡରେ ଖଡ଼ମବାଡ଼ିରେ ପିଟିଥିଲେ ସ୍ୱର୍ଣ୍ଣ ଗଉଡ଼ୁଣୀ ତା’ ଘରେ ଏ କଥା ଗପୁଥିଲା । ସେ ବି ସେଦିନ ନଈଘାଟକୁ ଗାଧୋଇବା ପାଇଁ ଯାଇଥିଲା । ଖୁଡ଼ୀ ଗାଧୋଇବା ପାଇଁ ଆସି ପାଣିରେ ମୁଣ୍ଡ ବୁଡ଼େଇ ନ ଥିଲେ, ବୋଧହୁଏ ମୁଣ୍ଡର ଖଣ୍ଡିଆ ଜାଗାରେ ପୋଡ଼ାଜଳା ହେବ ବୋଲି ଏମିତି ଗାଧୋଇ ଥିଲେ । ସେଦିନ ଦୁଃଖରେ ତା’ ଛାତି ଫାଟି ଯାଉଥିଲା । କିନ୍ତୁ ମୁହଁ ଖୋଲି କିଛି କହି ନ ଥିଲା, କାଳେ ଖୁଡ଼ୀ ଅପ୍ରତିଭ ହୋଇପଡ଼ିବେ । ଘାଟରେ ଭିଡ଼ ଭିତରେ ଲାଜ ଲାଜ ହୋଇଯିବେ । ତଥାପି ରାୟ ଘରର ବଡ଼ମା’ ପଚାରିଲେ ବୋହୂ, ଭଲ କରି ଗାଧୋଇଲ ନାହିଁ ଯେ ? ... ଖୁଡ଼ୀ ହସି ହସି କହିଥିଲେ ଆଜି ଆଉ ଗାଧୋଇବି ନି ଆଈ, ଦେହଟା ଭଲ ଲାଗୁନି ...
 

ଖୁଡ଼ୀ ଭାବିଥିଲେ ଯେ ତାଙ୍କର ମାଡ଼ ଖାଇବା କଥା କେହି ଜାଣିନାହାନ୍ତି । କିନ୍ତୁ ଖୁଡ଼ୀ ନଈଘାଟରୁ ଗଲାପରେ ରାୟ ଘରର ବଡ଼ମା’ କହିଲେ ଦେଖିଲ ବୋହୂଟାକୁ, ଗୋକୁଳା ତାକୁ କେମିତି ମାରିଛି । ମୁଣ୍ଡର ବାଳରେ ରକ୍ତ ପୁରାପୁରି ଅଟା ପରି ଟାଣ ହୋଇ ଜମିଯାଇଛି । ରାୟ ବଡ଼ମା’ଙ୍କ ଏଇଟା ବଡ଼ ଅନ୍ୟାୟ ଆଚରଣ । ତୁମେ ତ ଜାଣିଥିଲ, ତା’ହେଲେ ଖୁଡ଼ୀକୁ କାହିଁକି ଏମିତି ପଚାରୁଥିଲ ? ପରେ ଅନ୍ୟ ସମସ୍ତଙ୍କୁ ବା ଏ କଥା ଜଣାଇବା କ’ଣ ଦରକାର ଥିଲା ?...

 

ଦୁର୍ଗା ମାଛ ସଫା କରି ଧୋଇ ରଖିଦେଲା । ଡରି ଡରି ପଚାରିଲା ଖୁଡ଼ୀ ତମର ଚୂଡ଼ା ଧାନ ଅଛି ? ମା’ କହୁଥିଲା, ଅପୁ ଚୂଡ଼ା ଖାଇବା ପାଇଁ ଚାହୁଁଛି, ହେଲେ ଆମର ଏଥର ଧାନ କିଣା ହେଇନି । ଗୋକୁଳର ବୋହୂ ଚୁପ୍‌ ଚୁପ୍‌ କହିଲା ଦୁଇ ପ୍ରହର ପରେ ଆସିବୁ । ପାଚେରୀ ପଟକୁ ଈସାରାରେ ଦେଖେଇ କହିଲେ ସେ ଶୋଇଗଲେ ଆସିବୁ ।

 

ଦୁର୍ଗା ପଚାରିଲା ଖୁଡ଼ୀ, ତୁମ ଘରକୁ କିଏ ଆସିଛନ୍ତି । ମୁଁ ଦିନେ ବି ଦେଖିନି । ଦିଅର ବାବୁକୁ ଦେଖିନୁ ? ଏବେ ନାହାନ୍ତି । କୁଆଡ଼େ ବାହାରକୁ ଯାଇଛନ୍ତି । ବିକାଳ ବେଳକୁ ଆସିବୁ, ଦେଖାହେବ । ତା’ପରେ ଗୋକୁଳର ବୋହୂ ହସି ହସି କହିଲେ ତୋ’ ସହିତ ଦିଅର ବାବୁର ବାହାଘର ହେଲେ ଖୁବ୍‌ ସୁନ୍ଦର ମାନିବ ।

 

ଦୁର୍ଗା ଲଜ୍ଜାରେ ନାଲି ପଡ଼ିଗଲା, କହିଲା ଯାଅ !

 

ଗୋକୁଳର ବୋହୂ ପୁଣି ହସି ହସି କହିଲା କାହିଁକିରେ, ଯା କାହିଁକି ? କାହିଁକି ଆମ ଘର ଝିଅ କ’ଣ ଖରାପ ହେଇଛି ?... ସେ ଦୁର୍ଗାର ଚିବୁକରେ ହାତ ରଖି ମୁହଁଟିକୁ ଟିକିଏ ଉପରକୁ ଟେକି ଧରି କହିଲେ, ଦେଖିଲ, ଏମିତି ଦୁର୍ଗା ପ୍ରତିମା ପରି ସୁନ୍ଦର ମୁହଁଟି ? ନ ହେଲା ବା ଏବେ ତା’ ବାପାର ପଇସା ନାହିଁ ?

 

ଦୁର୍ଗା ନିଜକୁ ମୁକୁଳେଇ ନେଇ କହିଲା, ଯାଅ ଖୁଡ଼ୀ, ତୁମକୁ କ’ଣ ଯେ କହିବି... ତା’ପରେ ସେ ସେଠାରୁ ଡିଆଁମାରି ପଛପଟ ଦୁଆର ଦେଇ ବାହାରକୁ ଦଉଡ଼ି ପଳେଇଲା । ଯାଉ ଯାଉ ଭାବିଲା, ଖୁଡ଼ୀ ସବୁ ଦୃଷ୍ଟିରୁ ଭଲ, କେବଳ ଟିକିଏ ବୋକା, ନ ହେଲେ, ସେ ଏମିତି... ? ଯାଃ !

 

ଦୁର୍ଗା ଘରୁ ବାହାରି ଯାଉ ଯାଉ, ସ୍ୱର୍ଣ୍ଣ ଗଉଡ଼ୁଣୀ ଗାଈ ଦୁହିଁବା ପାଇଁ ଆସିଗଲା । ବୋହୂଟି ଘର ଭିତରୁ କହିଲା ଆରେ ଏ ସ୍ୱର୍ଣ୍ଣ, ମୋର ବହୁତ କାମ, ହାତ ଦୁଇଟା ମୁକୁଳେଇ ବାର ଫୁର୍‌ସତ ନାହିଁ । ବାହାର ବାରଣ୍ଡାରେ ପିଠଉ ଗଛରେ ବାଛୁରୀଟା ବନ୍ଧା ଅଛି, ତାକୁ ନେଇ ଆସ ଆଉ ପାହାଚ ଉପରେ ଘଟି ମଜା ହୋଇ ଥୁଆ ହୋଇଛି, ଦେଖ ।

 

ସଖୀ ଠାକୁରାଣୀଙ୍କ ପୂଜା ଆହ୍ନିକ ଏତେବେଳକୁ ଶେଷ ହେଲା । ସେ ବାହାରକୁ ଆସି ଉତ୍ତର ଦିଗକୁ ମୁହଁ କରି ସ୍ଥାନୀୟ କାଳୀମନ୍ଦିର ଉଦ୍ଦେଶ୍ୟରେ ପ୍ରଣାମ କରୁ କରୁ ରାହା ଧରି ଆବୃତ୍ତି ସୁରରେ କହିବାକୁ ଲାଗିଲେ ହେ ମା’ ସିଦ୍ଧେଶ୍ୱରୀ, ତୁମକୁ ମୋ ରାଣ, ସୁଦିନ ଦିଅ ମା’, ଭବ ସମୁଦ୍ର ପାରି କର ମା’ ମା’, ମା’ ଗୋ ରକ୍ଷାକାଳୀ, ରକ୍ଷା କର ମା’ !

 

ଗୋକୁଳର ବୋହୂ ରୋଷେଇ ଘରୁ କହିଲା ପିଉସୀ ନଡ଼ିଆ ଲଡୁ ରଖିଛି । ସେଥିରୁ ଦୁଇଟି ଖାଇ ପାଣି ପିଇବ ।

 

ହଠାତ୍‌ ସଖୀ ଠାକୁରାଣୀ ବାରଣ୍ଡାରୁ କହିଲା ବୋହୂ, ଏପଟକୁ ଟିକିଏ ଆସିଲୁ ।

 

ପିଉସୀର ସ୍ୱର ଶୁଣି ବୋହୂର ପ୍ରାଣ ଉଡ଼ିଗଲା ପରି ଲାଗିଲା । ସଖୀ ଠାକୁରାଣୀକୁ ସେ ଯମପରି ଭୟ କରେ । ଦୟାମାୟା ବିତରଣ କଲାବେଳେ ଭଗବାନ ତାଙ୍କ ପ୍ରତି କୌଣସି ପ୍ରକାରର ପକ୍ଷପାତିତ୍ୱ ପ୍ରଦର୍ଶନ କରିନାହାନ୍ତି ଏ କଥା ନିଃସନ୍ଦେହରେ କୁହାଯାଇପାରେ । ବାରଣ୍ଡାରେ ଥୁଆ ହୋଇଥିବା ବାସନ କୁସନ ଉପରେ ନଇଁପଡ଼ି ଆଙ୍ଗୁଳି ଦେଖେଇ କହିଲେ- ଦେଖିଲୁ, ଆଖି ଫାଡ଼ି ଟିକେ ଦେଖ, ଦେଖିପାରୁଛୁ ? ସୁସ୍ପଷ୍ଟ ପାଣିର ଦାଗ ଲାଗି ରହିଛି । ଏହିଠୁ ସ୍ୱର୍ଣ୍ଣ ଗଉଡ଼ୁଣୀ ଘଟି ନେଇଯାଇଛି । ତା’ପରେ ସେ ଶୁଦ୍ର ସ୍ତ୍ରୀ’ର ଛୁଆ ଅଇଁଠା ବାସନ ଏଇଠୁ ରୋଷେଇ ଘର ଭିତରକୁ ଯାଇ ସବୁ ଏକାକାର କରି ଦେଇଛୁ । ହୁଁ, ଜାତିଗୋତ୍ର ସବୁ ଗଲା !

 

ସଖୀ ଠାକୁରାଣୀ ହତାଶ ହୋଇ ବାରଣ୍ଡାରେ ବସିପଡ଼ିଲେ । ଯେମିତି ଯୋଗ୍ୟ ଉପାର୍ଜନକାରୀ ପୁଅର ମୃତ୍ୟୁ ସମ୍ବାଦ ତାଙ୍କ ପାଖରେ ପହଞ୍ଚିଗଲା, ତାଙ୍କ ଭାବରେ ତା’ଠୁ ବି ଅଧିକ ହତାଶା ପ୍ରକଟିତ ହେଲା ।

 

ଛୋଟଲୋକ, କାଙ୍ଗାଳ ଭିକାରୀ ଘରୁ ଝିଅ ଆଣିଲେ ହିଁ ଏମିତି ସବୁ ଅଘଟନ ଘଟେ । ଭଦ୍ରଲୋକ ଘରର ରୀତି ରିୟାଜ କେଉଁଠୁ ବା ଶିଖିବ, କେମିତି ବା ଜାଣିବ ? ବାସନ ଯଦି ମାଜିଲୁ, ଦେଖିପାରିଲୁନି ଅଇଁଠା ଲାଗି ରହିଲା କି ନାହିଁ ? ଆସି ତିନି ପହର ବେଳ ହେଲାଣି, ଭାବିଲି ଜଳ ଟିକିଏ ପାଟିରେ ଦେବି ! ଶୁଦ୍ର ଜାତିର ଅଇଁଠା ଛୁଇଁ ଏବେ ମରିବାକୁ ପଡ଼ିଥାନ୍ତା ଭାଗ୍ୟ ବଶତଃ ଘଟିଟା ଛୁଇଁନି !

 

ଗୋକୁଳର ବୋହୂ ବିଷର୍ଣ୍ଣ ବଦନରେ ଛିଡ଼ାହୋଇ ଭାବୁଥିଲା କାହିଁକି ବା ମରିବା ପାଇଁ ସ୍ୱର୍ଣ୍ଣ ଗଉଡ଼ୁଣୀକୁ ଘଟି ନେଇଯିବା ପାଇଁ କହିଲି, ନିଜେ ନେଇ ଦେଇଥିଲେ ହୋଇଥାନ୍ତା ।

 

ସଖୀ ଠାକୁରାଣୀ ମୁହଁ ଛିଞ୍ଚାଡ଼ି କହିଲେ ଧାଙ୍ଗ୍‌ଡ଼ୀ ପରି ଠିଆ ହୋଇ ରହିଲୁ ଯେ ? ଯା, ହାଣ୍ଡି ବାସନ ସବୁ ଫୋପାଡ଼ି ଆ । ବାସନକୁସନ ପୁଣିଥରେ ମାଜି ଆଣ ଯା । ରୋଷେଇ ଘରେ ଗୋବର ଦେଇ ପୋଛିଦେ । ଯେତେ ସବୁ ଲକ୍ଷ୍ମୀଛଡ଼ା ଘରର ଝିଅ ମିଶି ସଂସାରଟାକୁ ଛାର୍‍ଖାର କରିଦେଲେ । ସଖୀ ଠାକୁରାଣୀ ରାଗତମ ତମ ହୋଇ ଘର ଭିତରେ ପଶିଲେ, ବାହାରର ରୌଦ୍ରତାପ ତାଙ୍କର ଅସହ୍ୟ ହେଉଥିଲା ।

 

ଆଦେଶ ମୁତାବକ ସବୁ କାମ ଶେଷ କଲାବେଳକୁ, ବେଳ ପୁରା ଲେଉଟି ଯାଇଥିଲା । ପୁଣିଥରେ ସେ ଯେତେବେଳେ ନଈକୁ ଗାଧୋଇବାକୁ ଗଲା, ସେତେବେଳକୁ ଖରା, ଭୋକ ଶୋଷରେ ଓ ଅତ୍ୟଧିକ ପରିଶ୍ରମରେ ତା’ର ମୁହଁଟି ଶୁଖି ଛୋଟ ହୋଇଯାଇଥିଲା ।

 

ନଈଘାଟରେ ବିକାଳର ଛାଇ ଖୁବ୍‌ ଘଞ୍ଚ । ସେପାରିର ବଡ଼ ଶିମୂଳି ଗଛ ଉପରେ ଖରା ଚିକ୍‌ଚିକ୍‌ କରୁଥିଲା । ନଈବାଙ୍କରେ ଗୋଟିଏ ପାଲଟଣା ନୌକା କାତ ମାରି ବାଙ୍କ ପାରି ହୋଇ ଯାଉଥିଲା । ମଙ୍ଗ ନିକଟରେ ଲୋକଟି ଛିଡ଼ା ହୋଇ ଲୁଗା ଶୁଖାଉଥିଲା । ଲୁଗା ଖଣ୍ଡିକ ଗୋଟିଏ ପଟୁ ଧରି ଉଡ଼େଇ ଦେଇଥିଲା । ପତାକା ପରି ସେଇଟା ଫର୍‌ଫର୍‍ ହୋଇ ଉଡ଼ୁଥିଲା । ମଝି ନଈରେ କଇଁଛଟିଏ ମୁହଁ ବାହାର କରି ନିଶ୍ୱାସ ନେଇ ପୁଣି ସୋଁ... ଓ.. ଓ... ଓ... ଭୁସ୍‌କରି ବୁଡ଼ିଗଲା ।

 

ନଈ ପାଣିରୁ କେମିତି ଗୋଟିଏ ଭିଜା ଭିଜା ମିଠା ବାସନା ଆସେ । ଛୋଟ ନଈଟି । ଆର ପାରିର ଚତାରେ ବାଉଁଶ ତିଆରି ମାଛଧରା ଧାଉଡ଼ି ଉପରେ ପାଣିକୁଆଟିଏ ବସିଥିଲା ।

 

ଏମିତି ସମୟରେ ପ୍ରତିଦିନ ତା’ର ପିଲାଦିନର କଥା ମନେପଡ଼େ

 

ପାଣିକାଉ, ପାଣିକାଉ ଘାଟକୁ ଆସନା

ଏମିତି କରି ମୋ ଆଡ଼କୁ ଚାହିଁ ହସନା...

 

ଗୋକୁଳର ବୋହୂ କିଛି ସମୟ ପାଣିକୁଆ ଆଡ଼େ ଚାହିଁ ରହିଲା । ତା’ ମାଆ କଥା ମନେପଡ଼ିଲା । ଆଉ ଏ ସଂସାରରେ ତା’ର କେହି ନାହିଁ, ଯିଏ ତା’ର ନିଘା କରିବ । ତା’ ମା’ର ମରିବା ବୟସ ବି ହୋଇନଥିଲା । ଗରିବ ପିତୃବଂଶରେ କେବଳମାତ୍ର ଭାଇଟିଏ ଅଛି । ନିପଟ ଗଞ୍ଜୋଡ଼ଟିଏ, କେତେବେଳେ ଯେ କେଉଁଠି ଥାଏ, ତା’ର ଠିକଣା ନ ଥାଏ । ଗତବର୍ଷ ପୂଜାବେଳକୁ ଏଠାକୁ ଆସି ଚାରିଦିନ ଥିଲା । ନିଜ ବଟୁଆରେ କେମିତି କେତେବେଳେ ଲୁଚେଇ ଥିବା ସମ୍ବଳରୁ ଭାଇକି ଚାରିଅଣା କିମ୍ବା ଦୁଇଅଣା ବାହାର କରି ଦେଉଥିଲା । ତା’ପରେ ଦିନେ ସେ ଏଠାରୁ ନିରୁଦ୍ଦିଷ୍ଟ ହୋଇ ଚାଲିଗଲା । ଗଲାପରେ ଜଣାପଡ଼ିଲା ଯେ ଜଣେ ପଶମ ବିକାଳି କାବୁଲିବାଲା ପାଖରୁ ପଶମ ଲୁଗାଟିଏ ଧାରରେ କିଣି ବାକି ଖାତାରେ ଭିଣୋଇ ନାମ ଲେଖି ଦେଇଯାଇଛି । ସେଇକଥାକୁ ନେଇ ବେଶ୍‌ ହଲ୍ଲାପଟା ହୋଇଥିଲା । ପିତୃବଂଶର ଅନେକ ସମାଲୋଚନା, ଅନେକ ଅପମାନ ତାକୁ ଶୁଣିବାକୁ ଓ ସହିବାକୁ ପଡ଼ିଥିଲା । ସେହିଦିନଠୁ ଭାଇଟିର କୌଣସି ଖୋଜ ଖବର ଓ ସନ୍ଧାନ ମିଳିନି ।

 

ନିଃସହାୟ ଲକ୍ଷ୍ମୀଛଡ଼ା ଭାଇଟି ପାଇଁ ସଞ୍ଜବେଳଟାରେ କାର୍ଯ୍ୟବ୍ୟସ୍ତତା ଅବସରରେ ମନଟା ତା’ର ହାହାକାର କରି ଉଠେ । ନିର୍ଜନ କାନ୍ତାର ପଥ ଆଡ଼େ ଆଖି ପାଇଲା ପର୍ଯ୍ୟନ୍ତ ସେ ଚାହିଁ ରହେ, ମନେହୁଏ, ଗୃହହରା ପଥିକ ଭାଇଟି ତା’ର ହୁଏତ ଦୂରର କୌଣସି ଏକ ନିଛାଟିଆ କାନ୍ତାର ପଥ ଅତିକ୍ରମ କରି ଏକା ଏକା କେଉଁଆଡ଼େ ଯେମିତି ଚାଲିଯାଉଛି । ରାତିରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ । ମୁହଁକୁ ଚାହିଁ ଆହା କରିବାକୁ କେହି କେଉଁଠି ନାହାନ୍ତି ।

 

ଛାତି ଭିତରଟା ଉଦବେଳିତ ହୋଇଉଠେ । ଆଖିର ଲୁହରେ ଛାଇ ଛାଇକା ନଈପାଣି, କ୍ଷେତ, ଘାଟ ଓ ଆରପାରିର ଶିମୂଳି ଗଛ, ନଈ ବାଙ୍କରେ ବୁଲୁଥିବା ବଡ଼ ନୌକା ସବୁ ଯେମିତି ଝାପ୍‌ସା ହୋଇଆସେ ।

 

(୧୮)

 

ସେଦିନ ଅପୁ କଉଡ଼ି ଖେଳିବା ପାଇଁ କେଉଟ ସାହିକୁ ଯାଇଥିଲା । ସେତେବେଳକୁ ସମୟ ଦୁଇଟା କି ଅଢ଼େଇଟା ହେବ । ପ୍ରଚଣ୍ଡ ଖରା । ପ୍ରଥମେ ସେ ତିନିକଡ଼ି କେଉଟ ଘରକୁ ଯାଇଥିଲା । ତା’ର ପୁଅ ନାମ ବଙ୍କିମ । ଡାକନାମ ବଙ୍କା । ବଙ୍କା ପିଜୁଳି ଗଛ ମୂଳରେ ବାଉଁଶ ବତା ଚାଞ୍ଛୁଥିଲା । ଅପୁ ପଚାରିଲା ଏଇ ବଙ୍କା, କଉଡ଼ି ଖେଳିବୁ ?

 

ଖେଳିବାର ଇଚ୍ଛାଥିଲେ ବି ସେ ମନାକଲା ଓ କହିଲା ତାକୁ ସଙ୍ଗେ ସଙ୍ଗେ ନୌକାକୁ ଯିବାକୁ ପଡ଼ିବ । ଖେଳିଲେ ତା’ ବାପା ତାକୁ ଗାଳିଦେବ । ସେଇଠୁ ଅପୁ ରାମଚରଣ କେଉଟ ଘର ଆଡ଼େ ଚାଲିଲା ।

 

ରାମଚରଣ ବାରଣ୍ଡାରେ ବସି ତମାଖୁ ଟାଣୁଥିଲା । ଅପୁ ପଚାରିଲା ହୃଦୟ ଘରେ ଅଛି ? ରାମଚରଣ ପଚାରିଲା ହୃଦୟକୁ କାହିଁକି ଖୋଜୁଛ କୁନି ଗୋସେଇଁ ? କଉଡ଼ି ଖେଳ ହେବ ବୋଧେ ? ହୃଦି ଘରେ ନାହିଁ, ଏବେ ତୁମେ ଯାଅ, ପରେ ଆସିବ ।

 

ସାରା ଦିପ୍ରହରଟା ବୁଲି ବୁଲି ଅପୁର ମୁହଁ ନାଲି ପଡ଼ିଗଲା । ଆହୁରି ଅନେକ ଜାଗାକୁ ବୁଲିବୁଲି ବିଫଳ ମନୋରଥରେ ସେ ବାବୁରାମ ପାଡୁଇ ଘର ନିକଟରେ ପହଞ୍ଚିଲା । ସେଠାର ଥିବା ତେନ୍ତୁଳି ଗଛ ମୂଳରେ ପହଞ୍ଚି ତା’ର ମନ ଖୁସିରେ ଉଜ୍ଜ୍ୱଳ ହୋଇଉଠିଲା । ଗଛମୂଳରେ କଉଡ଼ି ଖେଳର ଆସରଟା ବେଶ୍‌ ସରଗରମରେ ଜମିଛି । ସେଠାରେ ଥିବା ପ୍ରାୟ ସବୁପିଲା କେଉଟ ସାହିର, ବ୍ରାହ୍ମଣ ସାହିରୁ କେବଳ ପଟୁ ଉପସ୍ଥିତ ଥିଲା । ପଟୁ ସହିତ ଅପୁର ସେମିତି କିଛି ଆଳାପ ପରିଚୟ ଆଗରୁ ନ ଥିଲା । କାରଣ ଅପୁ ଘରଠୁ ପଟୁର ସାହିଟି ଅନେକ ଦୂରରେ । ଅପୁଠୁ ପଟୁ ବୟସରେ ଅଳ୍ପ ସାନ । ଅପୁର ଠିକ୍‌ ମନେଅଛି, ଯେଉଁଦିନ ସେ ପ୍ରଥମେ ପ୍ରସନ୍ନ ଗୁରୁ ମହାଶୟଙ୍କ ପାଠଶାଳାରେ ଭର୍ତ୍ତି ହୋଇଥିଲା, ସେଦିନ ଏଇ ପଟୁ ପିଲାଟି ଖୁବ୍‌ ଧୀରସ୍ଥିର ଭାବରେ ବସି ତାଳପତ୍ରର ପଟିକୁ ମୁହଁରେ ପୁରେଇ ଚୋବାଉଥିଲା । ଅପୁ ତା’ ପାଖକୁ ଯାଇ ପଚାରିଲା କେତେଟା କଉଡ଼ି ଅଛି ?... ପଟୁ ତା’ର କଉଡ଼ିର ସରୁ ମୁଣାଟି ବାହାର କରି ଦେଖେଇଲା । ନାଲି ସୂତାରେ ବୁଣା ମୁଣିଟି- ତା’ର ଅତି ସଉକର ବସ୍ତୁ । ପଟୁ କହିଲା ସତରଟି ଆଣିଛି । ତା’ ଭିତରୁ ସାତଟିରେ ସୁନାଗଣ୍ଠି ଅଛି । ହାରିଗଲେ ଆହୁରି ଆଣିବି ।... ତା’ପରେ ସେ ମୁଣାଟା ଦେଖେଇ ହସ ହସ ମୁଖରେ କହିଲା କେମିତି ହେଇଚି ? ମୁଣାଟାରେ ପଣେ (ଅଶୀଟା) କଉଡ଼ି ଧରେ ।

 

ଖେଳ ଆରମ୍ଭ ହୋଇଗଲା । ପ୍ରଥମେ ପ୍ରଥମେ ପଟୁ ହାରୁଥିଲା । ତା’ପରେ ଜିତିବାକୁ ଆରମ୍ଭ କଲା । କିଛିଦିନ ପୂର୍ବରୁ ପଟୁ ଆବିଷ୍କାର କରି ଜାଣିପାରିଛି ଯେ କଉଡ଼ି ଖେଳରେ ତା’ର ହାତର ଲକ୍ଷ୍ୟ ଅବ୍ୟର୍ଥ ହୋଇଉଠିଛି ସେଇଥି ପାଇଁ ସେ ଦିଗ୍‌ବିଜୟର ଉଚ୍ଚ ଆଶାରେ ପ୍ରଲୁବ୍ଧ ହୋଇ ଏତେଦୂର ପର୍ଯ୍ୟନ୍ତ ଖେଳିବାକୁ ଚାଲିଆସିଛି । ଖେଳର ନିୟମ ଅନୁସାରେ ପଟୁ ଉପରୁ ଟୁକ୍‌ କରି ବଡ଼ କଉଡ଼ିଦ୍ୱାରା ଲକ୍ଷ୍ୟ ଠିକ୍‌ କରି ମାରେ । ଯେତିକିବେଳେ ଗୋଟିଏ କଉଡ଼ି ସଁ ସଁ କରି ଘୁରି ଘୁରି ଘର ଭିତରୁ ବାହାରିଯାଏ, ସେତେବେଳେ ପଟୁର ମୁଖମଣ୍ଡଳ ଅସୀମ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠେ । ତା’ପରେ ସେ ଜିତିଥିବା କଉଡ଼ିଗୁଡ଼ିକୁ ମୁଣାରେ ପୁରେଇ ଲୋଭ ଓ ଆନନ୍ଦରେ ବାରମ୍ବାର ଚାହିଁ ଦେଖେ, ସେଇଟି ଭର୍ତ୍ତି ହେବାକୁ ଆଉ କେତେ ବାକି !

 

କେତେଜଣ କେଉଟ ପିଲା ନିଜ ଭିତରେ କ’ଣ ସବୁ ପରାମର୍ଶ କଲେ । ସେମାନଙ୍କ ଭିତରୁ ଜଣେ କହିଲା ନନା ଗୋସେଇଁ, ତୁମକୁ ଗୋଟାଏ ହାତ ପଛରୁ କଉଡ଼ି ଫୋପାଡ଼ିବାକୁ ହେବ କାରଣ, ତୁମର ହାତର ଆଙ୍ଗୁଳିଗୁଡ଼ାକ ବେଶ୍‌ ବଡ଼ !

 

ପଟୁ କହିଲା ଆରେ ଭଲ କଥା କହୁଚ ତ, ଆଙ୍ଗୁଳି ବଡ଼ ହେବା କ’ଣ ଦୋଷ ? ତୁମେମାନେ ଜିତୁ ନା, ମୁଁ କ’ଣ କାହାକୁ ମନା କରୁଛି ?

 

ତା’ପରେ ସେ ଚାରିଆଡ଼କୁ ଅନେଇ ଜାଣିପାରିଲା ଯେ କେଉଟ ପିଲାମାନେ ଗୋଟିଏ ପଟେ ହୋଇଛନ୍ତି । ସେ ମନେ ମନେ ଭାବିଲା ଏତେବେଶୀ କଉଡ଼ି ସେ କେବେବି ଜିତି ନ ଥିଲା, ଆଜି ଆଉ ଖେଳିବିନି ଖେଳିଲେ ଏତେଗୁଡ଼ାଏ କଉଡ଼ି କ’ଣ ଘରକୁ ନେଇ ଯାଇପାରିବ ? ପୁଣି ମୁଁ ଏକା, ଅନ୍ୟ ସମସ୍ତେ ମୋ ବିପକ୍ଷରେ ! ସବୁଯାକ ହରେଇ ବସିବି !... ହଠାତ୍‌ ସେ କଉଡ଼ି ଥଳିଟି ଗୋଟିଏ ହାତରେ ଧରି କହିଲା ମୁଁ ଗୋଟାଏ ହାତ ପଛକୁ ରହି ଖେଳିବିନି, ମୁଁ ଆଉ ଖେଳିବିନି, ଘରକୁ ଚାଲିଲି ।... ତା’ପରେ ସେ କେଉଟ ପିଲାମାନଙ୍କୁ ଭାବଭଙ୍ଗୀ ଓ ଆଖିର ନିଷ୍ଠୁର ଦୃଷ୍ଟି ଦେଖି ସେ ନିଜ ଅଜ୍ଞାତ ସାରରେ ନିଜ ଥଳିଟିକୁ ଶକ୍ତ ମୁଠାରେ ଚାପି ଧରିଲା ।

 

ଜଣେ ଆଗକୁ ଆସି କହିଲା ସେ କଥା ହେବନି ନନା ଗୋସେଇଁ, କଉଡ଼ି ଜିତି ପଳେଇଯିବ ବୋଲି ଭାବିଛ ?... ସାଙ୍ଗେ ସାଙ୍ଗେ ସେ ପଟୁର ହାତ ସହିତ କଉଡ଼ି ଥଳିଟିକୁ ଚାପି ଧରିଲା । ପଟୁ ଛଡ଼େଇ ନେବାକୁ ଚେଷ୍ଟା କଲା କିନ୍ତୁ ବଳରେ ପାରିଲା ନାହିଁ । ବିଷର୍ଣ୍ଣ ମୁହଁରେ କହିଲା ଏମିତି କାହିଁକି ଧରିଛୁ । ମୋ ହାତ ଛାଡ଼ିଦେ !... ପଛରୁ କିଏ ଜଣେ ତାକୁ ଠେଲି ଦେଲା ସେ ତଳେ ପଡ଼ିଗଲା ସତ, କିନ୍ତୁ କଉଡ଼ି ଥଳିଟିକୁ ଛାଡ଼ିଲା ନାହିଁ । ସେତେବେଳକୁ ସେ ଜାଣି ସାରିଥିଲା ଥଳିଟିକୁ ଛଡ଼େଇ ନେବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି । ତଳେ ପଡ଼ିଯାଇ ଥଳିଟିକୁ ନିଜ ପେଟ ତଳେ ପ୍ରାଣପ୍ରଣେ ଚାପି ଧରିବାକୁ ଚେଷ୍ଟା କଲା । କିନ୍ତୁ ସହଜେ ସେ ଛୋଟ ପିଲାଟିଏ । ତା’ଛଡ଼ା ଦେହରେ ବଳ କମ୍‍ । ସେ କେତେ ସମୟ ଧରି କେଉଟ ସାହିର ବଳିଷ୍ଠ ଓ ବୟସ୍କ ପିଲାଙ୍କ ସାମନା କରିପାରିବ ? ହାତରୁ କଉଡ଼ି ଥଳିଟା ଗୋଟାଏ କଡ଼କୁ ଛିଟ୍‌କି ପଡ଼ି ଚାରିପଟେ ଛତା ଆକରରେ କଉଡ଼ିଗୁଡ଼ିକ ବିଛେଇ ହୋଇ ପଡ଼ିଲା ।

 

ପ୍ରଥମେ ଅପୁ ପଟୁର ଦୁର୍ଦ୍ଦଶାରେ ଯେ ଖୁସି ହୋଇନଥିଲା ସେ କଥା ଠିକ୍‌ ନୁହେଁ, କାରଣ ସେ ବି ଅନେକଗୁଡ଼ିଏ କଉଡ଼ି ହାରି ଯାଇଥିଲା । କିନ୍ତୁ ସେ ପଟୁକୁ ତଳେ ପଡ଼ି ଯିବାର ଦେଖି ଓ ବିଶେଷ କରି ଅସହାୟଭାବେ ତଳେ ପଡ଼ି ମାଡ଼ ଖାଉଥିବାରୁ, ତା’ ଛାତି ଭିତରେ ଗୋଟିଏ ସହାନୁଭୂତିର ଭାବ ଜାଗି ଉଠିଲା । ସେ ଭିଡ଼ ଠେଲି ଆଗକୁ ଆସି କହିଲା ଆରେ ସେ ସାନ ପିଲାଟା, ତାକୁ କାହିଁକି ମାରୁଛ ? ଛାଡ଼ିଦିଅ ତାକୁ, ଛାଡ଼ିଦିଅ କହୁଚି ! ତା’ପରେ ସେ ପଟୁକୁ ତଳୁ ଉଠାଇବା ପାଇଁ ଗଲା, କିନ୍ତୁ ପଛପଟୁ କାହାର ଏକ ଶକ୍ତ ବିଧା ମାଡ଼ରେ ତା’ ଆଖିରେ ଜୁଳୁଜୁଳିଆ ପୋକ ବାହାରି ଆସିଲା ଓ ସେ କିଛି ଦେଖିପାରିଲା ନାହିଁ । ତା’ପରେ ଠେଲାପେଲାରେ ସେ ବି ତଳେ ପଡ଼ିଗଲା ।

 

ଅପୁ ବି ସେଦିନ ଉତ୍ତମ ମଧ୍ୟମ ମାଡ଼ ଖାଇଥାଆନ୍ତା । କାରଣ, ତାହାର ହାତଗୋଡ଼ ସବୁ ଝିଅପିଲା ପରି, ବିଲ୍‌କୁଲ୍‌ ଦମ୍ଭ ନ ଥିଲା । କିନ୍ତୁ, ଠିକ୍‌ ସେହି ସମୟରେ, ନୀରେନ୍‌ ସେହି ରାସ୍ତାରେ ଆସି ଯିବାରୁ ବିପକ୍ଷ ଦଳ ସେଠାରୁ ଖସି ପଳେଇଲେ । ପଟୁ ଦେହରେ ବେଶି ଆଘାତ ଲାଗିଥିଲା । ନୀରେନ୍‌ ତାକୁ ମାଟିରୁ ଉଠେଇ ଦେହରୁ ଧୂଳି ଝାଡ଼ିଦେଲା । ନିଜକୁ ଟିକିଏ ସମ୍ଭାଳି ନେଇ ସେ ଚାରିପଟକୁ ଅନେଇ ଦେଖିବାକୁ ଲାଗିଲା । ବିଛାଡ଼ି ହୋଇ ପଡ଼ିଥିବା କଉଡ଼ିଗୁଡ଼ିକ ଭିତରୁ ଗୋଟିଏ ଦୁଇଟିକୁ ଛାଡ଼ି ବାକିତକ ଉଭାନ୍‌ ହୋଇଯାଇଛି । ଏମିତିକି ତା’ର ଥଳିଟି ବି ଅଦୃଶ୍ୟ । ପରେ ସେ ଅପୁ ନିକଟକୁ ଆସି ପଚାରିଲା ଅପୁଭାଇ, ତୁମକୁ ବେଶି ବାଧିନି ତ ?

 

ଏତେଦୂରକୁ ଆସି ଦୁଇ ପ୍ରହର ସମୟରେ କେଉଟ ପିଲାଙ୍କ ସହିତ କଉଡ଼ି ଖେଳିଥିବାରୁ ନୀରେନ୍‌ ଦୁଇଜଣଙ୍କୁ ଗାଳିଦେଲା । ସମୟ କଟାଇବା ପାଇଁ ସାହିର ପିଲାମାନଙ୍କୁ ନେଇ ଅନ୍ନଦା ରାୟଙ୍କ ଚଣ୍ଡୀମଣ୍ଡପରେ ପାଠଶାଳା ଖୋଲିଥିଲା । କାଲିଠୁ ଆସି ପାଠ ପଢ଼ିବାକୁ ଦୁଇଜଣଙ୍କୁ ବାରମ୍ବାର ତାଗିଦ୍‌ କଲା । ପଟୁ ଫେରୁ ଫେରୁ ଭାବୁଥିଲା କେଡ଼େ ସୁନ୍ଦର ମୁଣାଟି ମୋର, ସେଦିନ କେତେ ଅନୁରୋଧ କରି ଶ୍ରୀବାସ ପାଖରୁ ମାଗି ଆଣିଥିଲି ସେଇଟା ବି ନେଇଗଲେ । ମୁଁ ଯଦି କଉଡ଼ି ଜିତି ଆଉ ନ ଖେଳେ ସେମାନଙ୍କର କ’ଣ ଯାଏ ଆସେ ? ସେଇଟା ମୋ ଇଚ୍ଛା ଉପରେ ନିର୍ଭର କରେ ।

 

ଘରେ ପଶୁ ପଶୁ ଅପୁ ଦୁର୍ଗାକୁ କହିଲା ନାନୀ, ମୁଁ ଶେଫାଳୀ ଡାଳରେ ଗୋଟିଏ ବଙ୍କା କଣି ବାଉଁଶ ରଖିଥିଲି, ଆଉ ତୁ ସେ ଖଣ୍ଡକୁ ଭାଙ୍ଗି ଦୁଇଗଡ଼ କରି ରଖିଛୁ ?

 

ଦୁର୍ଗା ସେ ଖଣ୍ଡିକ ସତରେ ଭାଙ୍ଗି ଦେଇଥିଲା । ତେଣୁ ସେ କଥା ବୁଲେଇ କହିଲା ଯାହା ତ ଖଣ୍ଡେ ବଙ୍କା କଣି ! ତୋ’ର ବି ନା ଯେତେସବୁ ପାଗଳାମି, ବାଉଁଶ ବୁଦାରେ ଖୋଜିଲେ କେତେ ସେମିତି ମିଳିବ ! କଣିଟା ତ ଗୋଟାଏ ବଡ଼ ଅମିଳକ ବସ୍ତୁ !

 

ଅପୁ ଲଜ୍ଜିତ ସ୍ୱରରେ କହିଲା ସେମିତି ଖଣ୍ଡେ କେଉଁଠି ସହଜରେ ମିଳିଯାଉଛି ? ଆଣିଲୁ ଦେଖି, ସେମିତି ଗୋଟିଏ କଣି ! ମୁଁ କେତେ ଖୋଜି ଖୋଜି ଆଣିଥିଲି- ଆଉ ତୁ ସେସବୁ ଭାଙ୍ଗିରୁଜି ରଖିଦେଲୁ ଏଇଆ ତ !

 

କଥା ପଦକ କହୁ କହୁ ତା’ ଆଖି ଲୁହ ଛଳ ଛଳ ହୋଇଗଲା । ଦୁର୍ଗା କହିଲା ଯେତେ ନେବୁ ଆଣିଦେବି, କାନ୍ଦୁଛୁ କାହିଁକି ?

 

ବଙ୍କା କଣି ଅପୁ ଜୀବନରେ ଏକ ବିଚିତ୍ର ବସ୍ତୁ ! ଖଣ୍ଡିଏ ଶୁଖିଲା, ହାଲୁକା କଣି ମୂଳ ପଟେ ସାମାନ୍ୟ ମୋଟା ଓ ଅଗଆଡ଼କୁ ସରୁ ବଙ୍କା କଣିଟିଏ ହାତରେ ଧରିଲେ ହିଁ ଅପୁ ମନ ଭିତରେ ଅପୂର୍ବ ପୁଲକର ଶିହରଣ ହୁଏ, ମନ ଭିତରେ ଅଦ୍ଭୁତ କଳ୍ପନା ସବୁ ଜାଗି ଉଠେ । ସେମିତି ଖଣ୍ଡେ ବଙ୍କା କଣିଟିଏ ହାତରେ ଧରି ଦିନେ ଦିନେ ସକାଳ ପ୍ରହରୁ କିମ୍ବା ବିକାଳ ବେଳାରେ ସେ ବାଉଁଶବୁଦା ରାସ୍ତାରେ କିମ୍ବା ନଈକୂଳେ କୂଳେ ଘୁରିବୁଲେ । ମନକୁ ମନ କେତେବେଳେ ରାଜପୁତ୍ର, କେତେବେଳେ ବା ତମାଖୁ ବ୍ୟବସାୟୀ, କେତେବେଳେ ଦେଶ ଭ୍ରମଣକାରୀ କିମ୍ବା କେତେବେଳେ ସେନାପତି ନ ହେଲେ ମହାଭାରତର ଅର୍ଜୁନ ରୂପରେ ନିଜକୁ କଳ୍ପନା କରିନିଏ । ମନେ ମନେ ଗୁଣୁ ଗୁଣୁ କରି ତା’ ଜୀବନରେ ଘଟୁଥିବା ସାମ୍ପ୍ରତିକ ଆନନ୍ଦମୟ ଘଟଣାବଳୀକୁ ଆବୃତ୍ତି କରିଯାଏ । ଆଉ ହାତର କଣିଟି ଯେତେ ହାଲୁକା ଓ ଆବଶ୍ୟକତା ଅନୁଯାୟୀ ବଙ୍କା ହେବ, ତା’ର ଆନନ୍ଦ ଓ କଳ୍ପନା ସେତିକି ମାତ୍ରାରେ ପରିପୂର୍ଣ୍ଣତା ଲାଭ କରେ । କିନ୍ତୁ ସେଭଳି ଦରକାରୀ କଣି ସଂଗ୍ରହ କରିବା ଯେ କେତେ ଶକ୍ତ କାମ, ସେ କଥା ସେ ହିଁ ଜାଣେ । କେତେ ଖୋଜିଲେ ଯାଇ ସେମିତି ଖଣ୍ଡେ କଣିଟିଏ ମିଳେ !

 

ଅପୁ ହାତରେ ବଙ୍କୁଲି କଣିଟିଏ ଧରି ଏମିତି ଘୁରି ବୁଲେ ବୋଲି କେହି ଜାଣି ନ ପାରନ୍ତୁ ବୋଲି ସେ ସତର୍କ ଥାଏ । ଏମିତି ଭାବରେ ଘୁରି ବୁଲିବାର ଦେଖିଲେ ଯେ କେହି ପାଗଳ ବା ଅନ୍ୟକିଛି ଭାବି ବସିବେ । ଏହି ଆଶଙ୍କାରେ ସେ ସମ୍ଭବତଃ ଜନସମାଗମ ପୂର୍ଣ୍ଣ ସ୍ଥାନ କିମ୍ବା ଯେଉଁଠି ହଠାତ୍‌ କେହି ଲୋକ ଆସି ପହଞ୍ଚିଯିବେ, ସେ ସ୍ଥାନକୁ ଏଡ଼େଇ ଯାଏ । ତେଣୁ ସେ ସେମିତି ସ୍ଥାନମାନଙ୍କୁ ନ ଯାଇ ନଈକୂଳେ କୂଳେ, ନିର୍ଜନ ବାଉଁଶ ବୁଦା ରାସ୍ତାରେ କିମ୍ବା ତା’ ନିଜ ଘର ପଛପଟ ତେନ୍ତୁଳି ତୋଟାରେ ଘୁରିବୁଲେ । ସେ ଅବସ୍ଥାରେ ତାକୁ କେହି ଦେଖି ନ ପାରୁ ବୋଲି ତା’ର ସତର୍କ ଦୃଷ୍ଟି ଥାଏ । କଦବା କେତେବେଳେ କେହି ଯଦି ହଠାତ୍‌ ଆସି ଯାଆନ୍ତି, ସେ ଜିଭ କାମୁଡ଼ି, ହାତର ବଙ୍କୁଲି କଣିଟିକୁ ଫିଙ୍ଗିଦିଏ । କାଳେ କିଏ କିଛି ଭାବିବ ସେଥିପାଇଁ ତା’ର ଭୀଷଣ ଲଜ୍ଜ୍ୟା ।

 

କେବଳ ତାହାର ନାନୀ ହିଁ ଏ କଥା ଜାଣେ । ଏମିତି ଅବସ୍ଥାରେ ତା’ ନାନୀ ତାକୁ ଥରେ ଦୁଇଥର ଆବିଷ୍କାର କରିଥିଲା । ତେଣୁ ଏ କଥା ସେ ତା’ ନାନୀ ଆଗରେ ଲୁଚେଇ ରଖିପାରେନି ? ସେଥିପାଇଁ ସେ ବଙ୍କା ବାଉଁଶ କଣି କଥା ସିଧାସଳଖ ତା’ ନାନୀକୁ ପଚାରିଥିଲା । ଅନ୍ୟ କେହି ହୋଇଥିଲେ, ଅପୁ କେବେବି ଲଜ୍ଜ୍ୟାରେ ଏ କଥା ପଚାରି ପାରି ନଥାନ୍ତା । ଯଦିବା କେହି ଅପୁର ବଙ୍କୁଲି ବାଉଁଶ କଣି ସହିତ ରହସ୍ୟମୟ ସମ୍ପର୍କ ବିଷୟରେ ଜାଣନ୍ତିନି, ତଥାପି କାହିଁକି ଅପୁ ମନରେ ଭୟ ହୁଏ ସେ କଥା ସମସ୍ତେ ଜାଣିଯାଇଛନ୍ତି । ସେ କଥା ଉଠିଲାମାତ୍ରେ ସମସ୍ତେ ତାକୁ ପାଗଳ ବୋଲି ଡାକିବେ ଓ ଥଟ୍ଟା କରିବେ । କିଏ ବା ଗୂଢ଼ ଭାବରେ ବୁଝିପାରିବ ଖଣ୍ଡିଏ ବଙ୍କୁଲି କଣି ହାତରେ ପାଇଲେ ସେ ଖିଆପିଆ ଭୁଲି ସାରାଦିନ ନଈକୂଳ କିମ୍ବା କେଉଁ ନିର୍ଜନ ନିଛାଟିଆ ଜଙ୍ଗଲ ପଥରେ କେତେ ଅପୂର୍ବ ଆନନ୍ଦରେ ବିତେଇ ଦେଇପାରେ ।

 

ତା’ ମା’ ଆଗରେ ଏ କଥା ନ କହିବାକୁ ନାନୀକୁ ଅନୁରୋଧ କରି କହିଥିଲା । ଦୁର୍ଗା ବି ସେ କଥା କେବେ କହି ନ ଥିଲା ।

 

ସେ ଜାଣିଥିଲା, ଅପୁ ପାଗଳ ପିଲାଟିଏ । ତା’ଉପରେ ଭାରି ମମତା ହୁଏ । ସାନ ପିଲାଟା, ଟିକିଏ ବୋକା ଆଉ ଅତି ଆଦରର ସାନଭାଇଟା ଏସବୁ କଥା ମା’ଙ୍କୁ କହିଲେ, ଲାଭ କ’ଣ ?...

 

ମଧୁ ସଂକ୍ରାନ୍ତି ବ୍ରତର ପୂର୍ବଦିନ ସର୍ବଜୟା ପୁଅକୁ କହିଲା କାଲି ପାଇଁ ତୁମର ମାଷ୍ଟର ମହାଶୟଙ୍କୁ ନିମନ୍ତ୍ରଣ କରି ଆସିବୁ କହିବୁ ଆମ ଘରେ ଦୁଇ ପ୍ରହରରେ ଏଇଠି ଖାଇବେ ।

 

ମୋଟା ବଗଡ଼ା ଚାଉଳର ଭାତ, ଅମୃତ ଭଣ୍ଡାର ତରକାରୀ, ଡିମିରି ଫଳର ପିତା ଚଡ଼ଚଡ଼ି, ମଞ୍ଜାର ଘାଣ୍ଟ, ଚିଙ୍ଗୁଡ଼ି ମାଛର ଝୋଳ, କଞ୍ଚା କଦଳୀର ବଡ଼ା ଓ କ୍ଷୀରି ।

 

ଦୁର୍ଗାକୁ ତା’ର ମା’ ପରିବେଷଣ କରିବା ଦାୟିତ୍ୱ ଦେଇଥିଲା । ବେଶ୍‌ ଅନାଡ଼ିଟାଏ । ଡରି ଡରି ଡାଲିଗିନାଟି ନିମନ୍ତ୍ରିତଙ୍କ ସମ୍ମୁଖରେ ରଖିଲା, ସତେ ଯେମିତି ଭୀଷଣ ଭୟ ଲାଗୁଛି, କେହି କାଳେ ଗାଳି ଦେବ । ନୀରେନ୍‌ର ଏତେ ମୋଟା ବଗଡ଼ା ଚାଉଳର ଭାତ ଖାଇବାର ଅଭ୍ୟାସ କେବେବି ନ ଥିଲା । ଏତେ କମ୍‍ ତେଲ ଓ ଘିଅରେ ରନ୍ଧା ତରକାରୀ ଲୋକେ କେମିତି ଖାଆନ୍ତି, ସେ ବୁଝିପାରେନି । ପୁଣି କ୍ଷୀରିରେ ପାଣି ବେଶୀ କ୍ଷୀର କମ୍‍ । ଥରଟିଏ ମାତ୍ର ଚାଖି, ତା’ର କ୍ଷୀରି ଖାଇବାର ଆଗ୍ରହ ଅଧା କମିଗଲା । ଅପୁ କିନ୍ତୁ ମହା ଖୁସି ଓ ଉତ୍ସାହରେ ଖାଉଥିଲା । ଏମିତି ସୁଖାଦ୍ୟର ଆୟୋଜନ ଆଜି ପର୍ଯ୍ୟନ୍ତ ତାଙ୍କ ଘରେ ଥରେ ଦୁଇଥର ମାତ୍ର ହୋଇଥିବ । ତା’ ପାଇଁ ଆଜି ଦିନଟି ସ୍ମରଣୀୟ ଓ ଉତ୍ସବ ମୁଖର ! ଅପୁ କହିଲା ଆପଣ ଆଉ ଟିକିଏ କ୍ଷୀରି ନିଅନ୍ତୁ ମାଷ୍ଟର ମହାଶୟ । ସେ ନିଜେ ତା’ ନାନୀଠୁ ବିଭିନ୍ନ ପ୍ରକାରର ଖାଦ୍ୟ ବାରମ୍ବାର ମାଗି ନେଉଥିଲା ।

 

ଘରକୁ ଫେରିଲା ପରେ ଗୋକୁଳର ବୋହୂ ନୀରେନ୍‌କୁ ହସି ହସି ପଚାରିଲା ଦୁର୍ଗାକୁ ପସନ୍ଦ ହେଲା ଦିଅରବାବୁ ? କି ସୁନ୍ଦର ଦେଖିବାକୁ, ଭାରି ବଢ଼ିଆ ତା’ର ବ୍ୟବହାର ! ବିଚାରୀ ! ଗରିବ ଘରର ଝିଅ, ବାପାର ଅର୍ଥ ନାହିଁ । କାହା ହାତରେ ଯେ ପଡ଼ିବ ? ଜୀବନଯାକ ଧନ୍ଦି ହୋଇ ଭୋଗିବ । ତୁମେ ତାକୁ ବାହା ହେଉନ, ଏକା ଜାତିର ଲୋକ ସେମାନେ, ବିବାହ ତ ହୋଇପାରିବ ଝିଅଟି ବି ଭାରି ସୁନ୍ଦରୀ, ଭାଇ ଭଉଣୀ ଦୁହିଁଙ୍କର ଯେମିତି କଣ୍ଢେଇ ଭଳି ଚେହେରା !

 

ଜରିପ ପଡ଼ିଥିବା କ୍ୟାମ୍ପ୍‌ ଅଫିସରୁ ସେଦିନ ଫେରିବା ସମୟରେ ନୀରେନ୍‌ ଗାଁ’ର ପଛପଟ ଆମ୍ବତୋଟା ରାସ୍ତାରେ ଆସୁଥିଲା । ମଝି ରାସ୍ତାରେ ଜଙ୍ଗଲିଆ ଗୋଟିଏ ସରୁ ରାସ୍ତା ପାରି ହେଉ ହେଉ ସେ ଦେଖିଲା, ବଗିଚା ଭିତରୁ ଗୋଟିଏ ଝିଅ ସାମନା ରାସ୍ତାର ଉପର ଦେଇ ଉଠି ଆସୁଛି । ସେ ତାକୁ ଚିହ୍ନିପାରିଲା । ଅପୁର ନାନୀ ଦୁର୍ଗା । ନୀରେନ୍‌ ପଚାରିଲା ଆରେ ଏ ଝିଅ ତୁମେ ଏଠି ଯେ, ଏଇଟା କ’ଣ ତୁମର ବଗିଚା ?

 

ଦୁର୍ଗା ପଛକୁ ଫେରି ଚାହିଁଲା, ଲାଜୁରା ହୋଇଗଲା, କିଛି କହିଲା ନାହିଁ । ତା’ପରେ ରାସ୍ତା ପାଖରେ ଛିଡ଼ା ହୋଇ ନୀରେନ୍‌କୁ ବାଟ ଛାଡ଼ିଦେଲା । ନୀରେନ୍‌ କହିଲା ତୁମେ ଆଗେ ଆଗେ ଚାଲ । ତୁମ ସହିତ ଦେଖା ହେଲା, ଭଲ ହେଲା । ସେ ପଟେ ଗୋଟିଏ ପୋଖରୀ ପାଖରେ ପହଞ୍ଚି ବାଟ ହୁଡ଼ି ଯାଇଥିଲି, ରାସ୍ତା ଖୋଜି ଖୋଜି ହଇରାଣ ହେଉଥିଲି । ତୁମ ଗାଁ’ରେ ବହୁତ ଜଙ୍ଗଲ ।

 

ଦୁର୍ଗା ଯାଉଁ ଯାଉଁ ହଠାତ୍‌ ଛିଡ଼ା ହୋଇ ବେକ ବଙ୍କେଇ ନୀରେନ୍‌ ମୁହଁକୁ ଚାହିଁବାକୁ ଚେଷ୍ଟା କଲା । ସଙ୍ଗେ ସଙ୍ଗେ ତା’ ଲୁଗା କାନିରୁ ଫଳ କେତୁଟା ରାସ୍ତା ଉପରେ ଖସିପଡ଼ିଲା ।

 

ନୀରେନ୍‌ କହିଲା ଆରେ ଏ ଝିଅ କ’ଣ ସବୁ ଖସିପଡ଼ିଲା । ସେଗୁଡ଼ିକ କି ଫଳ ?

 

ଦୁର୍ଗା ସେଗୁଡ଼ିକ ଗୋଟେଇବା ପାଇଁ ତଳେ ବସିପଡ଼ିଲା ଓ ସଂକୁଚିତ ଭାବରେ କହିଲା କିଛି ନୁହେଁ, ମାଟି ଆଳୁ କେତେଟା । ମାଟି ଆଳୁ ? ଭଲ ଲାଗେ ବୋଧହୁଏ ? କେମିତି ଖାଆନ୍ତି ? ଏ ପ୍ରଶ୍ନ ଦୁର୍ଗାକୁ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଲାଗିଲା । ଗୋଟାଏ ପାଞ୍ଚ ବର୍ଷର ପିଲା ଯେଉଁ କଥା ଜାଣେ, ଚଷମା ପିନ୍ଧା ଜଣେ ବିଜ୍ଞ ବ୍ୟକ୍ତି ସେ କଥା କେମିତି ଜାଣିନି ! ସେ କହିଲା ଏ ଫଳ ତ ଖାଆନ୍ତି ନି, ଏଗୁଡ଼ିକ ପିତା ଲାଗେ ।

 

ତା’ହେଲେ, ତୁମେ କାହିଁକି

 

ଦୁର୍ଗା ସଲଜ୍ଜ କଣ୍ଠରେ କହିଲା ମୁଁ ଏମିତି ନେଇଯାଉଛି ଖେଳିବା ପାଇଁ ? ଏ କଥା ବି ତା’ର ମନେଥିଲା ଯେ ସେଦିନ ତା’ ଖୁଡ଼ୀ ଏ ଲୋକଟି ସହିତ ବାହାଘର କଥା ନେଇ ତା’ ସହିତ ମଜା କରୁଥିଲେ । ତା’ ମନରେ ବି ଭାରି ଇଚ୍ଛା ଥିଲା ପିଲାଟିକୁ ସେ ଏକାନ୍ତରେ ଭଲକରି ଦେଖିବ । କିନ୍ତୁ ମଧୁସଂକ୍ରାନ୍ତି ବ୍ରତ ଦିନ ବି ସେ ଠିକ୍‌ ଭାବରେ ଦେଖି ପାରିନଥିଲା, ଆଜି ବି ଖୋଲାଖୋଲି ଭାବରେ ଦେଖି ପାରିଲାନି ।

 

ଅପୁକୁ କହିବ ସେ କାଲି ସକାଳେ ଯେମିତି ବହି ଧରି ପଢ଼ିବାକୁ ଆସିବ କହିଦେବ ତ ?

 

ଦୁର୍ଗା ଚାଲୁ ଚାଲୁ ସମ୍ମତି ସୂଚକଭାବେ ବେକ ହଲେଇ ‘ହଁ’ କଲା । ଅଳ୍ପ ଟିକିଏ ଆଗକୁ ଯାଇ ପାଖରେ ଥିବା ରାସ୍ତାକୁ ଦେଖେଇ କହିଲା ଏଇ ରାସ୍ତା ଆପଣଙ୍କ ଘରକୁ ସିଧା ସଳଖ ଯାଇଛି । ନୀରେନ୍‌ କହିଲା ଆଚ୍ଛା, ଠିକ୍‌ ଅଛି, ମୁଁ ରାସ୍ତା ଚିହ୍ନି ଯାଇପାରିବି । ଏବେ ତୁମକୁ ଟିକିଏ ବଳେଇ ଦେଇ ଆସେ, ତୁମେ ଏକା ଯାଇ ପାରିବ ତ ? ଦୁର୍ଗା ଆଙ୍ଗୁଳି ଦେଖେଇ କହିଲା ଟିକିଏ ଆଗେଇ ଗଲେ ଏଇତ ଆମ ଘର । ମୁଁ ନିଜେ ଏଇ ଏତିକି ମାତ୍ର ରାସ୍ତା, ଏକୁଟିଆ ଚାଲିଯିବି । ଆପଣ ଆଉ

 

ଦୁର୍ଗାକୁ ଏଥି ପୂର୍ବରୁ ନୀରେନ୍‌ କେବେବି ଭଲ ଭାବରେ ଦେଖି ନ ଥିଲା । ଆଖି ଦୁଇଟିରେ ଏମିତି ସୁନ୍ଦର ଭାବ । ସେମିତି ଠାଣି ସେ ଅପୁର ଆଖି ଭିତରେ ହିଁ ଦେଖିଥିଲା । ସତେ ଯେମିତି ବଡ଼ ବଡ଼ ଟଣା ଟଣା ଆଖି ଯୋଡ଼ିକରେ ପଲ୍ଲୀ ପ୍ରାନ୍ତରର ନିଭୃତ ଆମ୍ବ ବଉଳର ଗହଳରେ ପ୍ରଗାଢ଼ ସବୁଜ ସ୍ନିଗ୍‌ଧତା ଅର୍ଦ୍ଧସୁପ୍ତ ଅବସ୍ଥାରେ ଲାଖିଯାଇଛି । ମନେହୁଏ ସେ ଦୃଷ୍ଟିରେ ପ୍ରଭାତ ଏବେବି ଆସିନି । ରାତ୍ରିର ଶେଷ ପ୍ରହରର ଅଳସ ଅନ୍ଧକାର ଏବେବି ଆଚ୍ଛନ୍ନ କରି ରଖିଛି । ସେ ଆଖିଯୋଡ଼ିକ ପ୍ରଭାତର ସ୍ମୃତିଚାରଣ କରାଇଦିଏ କେତେ ସୁପ୍ତ ନୟନର ଜାଗରଣ, କେତେ କୁମାରୀ କନ୍ୟାର ନଈଘାଟକୁ ଯିବାର ଦୃଶ୍ୟ, ଘରେ ଘରେ କେତେ ଯେ ନବୀନ ଜାଗରଣର ଅମୃତ ଉତ୍ସବ ପ୍ରତିଟି ଝରକାରେ ଧୂପଗନ୍ଧର ମହକ ଭରିଦିଏ ।

 

ଦୁର୍ଗା କିଛି ସମୟ ଛିଡ଼ା ହୋଇ ଯେମିତି ଛଟପଟ୍‌ ହେବାକୁ ଲାଗିଲା । ନୀରେନ୍‌ର ମନେହେଲା, ସେ ଯେମିତି କ’ଣ କହିବାକୁ ଚାହୁଁଛି । କିନ୍ତୁ କହିପାରୁନି । ସେ କହିଲା ଆରେ ଝିଅ, ତୁମକୁ ଆଉ ଟିକିଏ ଆଗେଇ ଦେବି । ଚାଲ, ତୁମ ଘର ସାମନା ବାଟ ଦେଇ ଯିବି ।

 

ଦୁର୍ଗା ଟିକିଏ ଇତସ୍ତତଃ ହେଲା, ପରେ ଓଠଚାପି ହସିଲା । ନୀରେନ୍‌ ଭାବିଲା ଏଥର ସେ ବୋଧେ କିଛି କହିବ । ପରକ୍ଷଣରେ ଦୁର୍ଗା ବେକ ହଲେଇ ତା’ ସହିତ ଯିବାର ଆବଶ୍ୟକତା ନାହିଁ ଜଣେଇ ଦେଇ ଘର ବାଟରେ ଚାଲିଗଲା

 

ଦୁଇ ପ୍ରହର ସମୟରେ ଗୋକୁଳର ବୋହୂ ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଆସିଥିଲା । ନୀରେନ୍‌ର ଘର ଦୁଆରରେ ଟିକିଏ ଉଣ୍ଡି ଦେଲା । ଦେଖିଲା ଗରମରେ ନୀରେନ୍‌ ଶେଯ ଉପରେ କଡ଼ ଲେଉଟାଇ ଶୋଇବା ପାଇଁ ଚେଷ୍ଟା କରି ନିଦ ନ ଆସିବାରୁ ତଳେ ସପଟିଏ ପାରି ଘରକୁ ଚିଠି ଲେଖିବାରେ ଲାଗିଛି ।

 

ଗୋକୁଳର ବୋହୂ ହସି ହସି କହିଲା ଶୋଇନ ଯେ ଦିଅରବାବୁ ? ମୁଁ ଭାବିଲି ତୁମେ ଶୋଇ ପଡ଼ିଥିବ । ଆଜି କାହିଁକି କଦଳୀ ମଞ୍ଜାର ଘାଣ୍ଟ ତରକାରୀ ଜମାରୁ ଖାଇଲ ନାହିଁ, ପତର ପାଖରେ ଛାଡ଼ି ଆସିଲ, ସେଦିନ କିନ୍ତୁ ସବୁତକ ତ ଖାଇଥିଲ ?

 

ଆସ ଭାଉଜ । ମଞ୍ଜାର ଘାଣ୍ଟ କେମିତି ଖାଇବି ? ଏସବୁ ତୁମର ବାଂଲାଦେଶୀ କାଣ୍ଡ । ଯେତେ ଲଙ୍କା ସେଥିରେ ଦେଇଛ, ଖାଇଲାବେଳେ କି ଆଉ ଆଖିରେ ଦେଖିପାରିଲି କେଉଁଟା ଘାଣ୍ଟ, କେଉଁଟା କ’ଣ ?

 

ଗୋକୁଳର ବୋହୂ ଦୁଆରର ଚୌକାଠରେ ମୁଣ୍ଡ ଆଉଜି ଓ ଅଭ୍ୟାସ ମୁତାବକ ମୁହଁର ତଳପଟେ ପଣତ ଘୋଡ଼େଇ ଠିଆ ହେଲା ।

 

ଇସ୍‌, ଦିଅରବାବୁ ଖୁବ୍‌ ସହରୀ ଚାଲରେ କଥା କହୁଛ ! ଏତେ ଅଳ୍ପ ଟିକେ ଲଙ୍କା ଦେଇଥିଲି, ତୁମର ସେଠାରେ ସତରେ ଯେମିତି କେହି ଲଙ୍କା ଖାଆନ୍ତିନି ନା କ’ଣ ?

 

କ୍ଷମା କରିବ ଭାଉଜ, ଏତେ ରାଗକୁ ଯଦି ଅଳ୍ପ ଟିକିଏ ବୋଲି କୁହ, ତା’ହେଲେ ତୁମମାନଙ୍କର ବେଶୀଟା ଯେ କେତେ ଥରେ ନ ଚାଖି ଏ ଠାରୁ ମୁଁ ଯାଉନି ! ଯାହା କପାଳରେ ଥିବ ସେଇୟା ହିଁ ହେବ ଯେଉଁ ବାବନ ପର୍ଯ୍ୟନ୍ତ ଯାଇଛି, ତେପନ ପର୍ଯ୍ୟନ୍ତ ଆଉ କେତେ ବାକି ! ଦିଅ ଥରେ ଚକ୍ଷୁଲଜ୍ଜ୍ୟାର ମାୟା ତୁଟେଇ, ଯେତେ ପାର ସେତେ ଲଙ୍କା ଦିଅ ।

 

ଆଲୋମା’ ! ମୋର କ’ଣ ଯେ ହେବ ! ଦିଅରବାବୁ ଚକ୍ଷୁ ଲଜ୍ଜ୍ୟା ଭୟରେ ଶିଳ-ଶିଳପୁଆର ପାଠ ଭୁଲିଯାଇ ଚୁପ୍‌ ହୋଇ ବସିଯିବି ନା କ’ଣ ? ଶୁଣମ, ଦିଅରବାବୁଙ୍କ କଥା ଶୁଣ କହୁଛନ୍ତି ଯେଉଁଠି ବାବନ... ହସୁ ହସୁ ତା’ ଆଖିରେ ପାଣି ଆସିଗଲା । କିଛି ସମୟ ପରେ ନିଜକୁ ସମ୍ଭାଳି ନେଇ କହିଲା ଆଚ୍ଛା ତୁମର ସେ ପଟେ ଗରମ କେମିତି, ଦିଅରବାବୁ ?

 

ସେ ପଟେ ମାନେ, କେଉଁଠିକା କଥା କହୁଛ ? କଲିକତାର ନା ପଶ୍ଚିମ ଦେଶର ? ପଶ୍ଚିମର ଗରମ ବିଷୟରେ ଏଠାରେ ରହି କ’ଣ ଜାଣିପାରିବ ? ସେ କଥା ବଙ୍ଗଦେଶରୁ ଜଣାପଡ଼ିବନି । ବୈଶାଖ ମାସ ଆଡ଼କୁ କେହି କ’ଣ ରାତିରେ ଘର ଭିତରେ ଶୋଇପାରନ୍ତି ? ଛାତ ଉପରେ ବିକାଳ ସମୟରୁ ପାଣି ଛିଞ୍ଚି ଥଣ୍ଡା କଲେ ଯାଇ ରାତିରେ ଶୋଇପାରିବ ।

 

ଆଚ୍ଛ, ତୁମେ ଯେଉଁଠି ରୁହ, ଏଠାରୁ କେତେଦୂର ?

 

ଏଠାରୁ ରେଳ ଗାଡ଼ିରେ ପ୍ରାୟ ଦୁଇ ଦିନର ରାସ୍ତା । ଆଜି ସକାଳେ ଯଦି ମଝି ସାହି ଷ୍ଟେସନରୁ ରେଳରେ ବସିବ, କାଲି ରାତି ଦୁଇ ପ୍ରହର ସମୟରେ ପହଞ୍ଚି ହେବ ।

 

ଆଚ୍ଛା, ଦିଅରବାବୁ, ମୁଁ ଶୁଣିଥିଲି ଗୟାକାଶୀ ପଟେ ପାହାଡ଼ କାଟି ରେଳ ରାସ୍ତା ତିଆରି ହୋଇଛି । ଏ କଥା କ’ଣ ସତ ?

 

ଠିକ୍‌ କଥା । ଅନେକ ବଡ଼ ବଡ଼ ପାହାଡ଼ ଉପରେ ବଣଜଙ୍ଗଲ, ତା’ଭିତର ଦେଇ ଯେତେବେଳେ ରେଳଗାଡ଼ି ଯାଏ-ପୁରା ଅନ୍ଧାର ଦେଖାଯାଏ, କିଛି ଦେଖାଯାଏନି । ଗାଡ଼ି ଭିତରେ ଆଲୁଅ ଜାଳିବାକୁ ପଡ଼େ ।

 

ଗୋକୁଳର ବୋହୂ ଆଗ୍ରହ ସହକାରେ ପଚାରେ- ଆଚ୍ଛା ସେଗୁଡ଼ା ଭାଙ୍ଗିଯିବନି ?

 

ଭାଙ୍ଗିବ କାହିଁକି ଭାଉଜ ? ବଡ଼ ବଡ଼ ଇଞ୍ଜିନିୟରମାନେ ସୁଡ଼ଙ୍ଗ କାଟି ରାସ୍ତା ତିଆରି କରିଛନ୍ତି, କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେ କ’ଣ ଏମିତି ସହଜରେ ଭାଙ୍ଗିଯିବ ? ସେଇଟା କ’ଣ ତୁମର ଏ ରାୟ ସାହିର ନଈଘାଟ ଯେ ଦୁଇ ବେଳାରେ ଦୁଇଥର ଭାଙ୍ଗିଯିବ ?

 

ଇଞ୍ଜିନିୟର କି ବସ୍ତୁ ସେ କଥା ଗୋକୁଳର ବୋହୂ ଜାଣିପାରିଲାନି । ପଚାରିଲା ପାହାଡ଼ଟା ମାଟିର ନା ପଥରର ?

 

ମାଟିର ବି ଅଛି, ପଥରର ବି ଅଛି । ଦେଖୁଛି ଭାଉଜ ତୁମେ ଏକାବେଳେକେ ମଫସଲି । ଆଚ୍ଛା କହିଲ, ତୁମେ ରେଳଗାଡ଼ିରେ କେତେ ବାଟ ଯାଇଛ ?

 

ଗୋକୁଳର ବୋହୂ ପୁଣିଥରେ କଉତୁକିଆ ହସରେ ଉଛୁଳି ପଡ଼ିଲା । ଆଖି ପ୍ରାୟ ବନ୍ଦ କରି ଉପର ଆଡ଼କୁ ମୁହଁ ଉଠେଇ ପିଲାଳିଆ ଢଙ୍ଗରେ କହିଲା ଏଇ କଥା, ମୁଁ ବହୁତ ବାଟ ଯାଇଚି, ଏକାଥରକେ କାଶୀ, ଗୟା, ମକ୍କା ଯାଇଛି ! ସେଇ ଗତବର୍ଷରେ ପିଉସୀ ଶାଶୁ ଆଉ ସତୁ ମା’ ସହିତ ଆଡ଼ଙ୍ଗ ଘାଟର ଯୁଗଳ କିଶୋରଙ୍କୁ ଦର୍ଶନ କରିବାକୁ ଯାଇଥିଲି । ସେହି ଟିକକ ହିଁ ମୋର ଏ ଜନ୍ମର କର୍ମ ରେଳଗାଡ଼ିରେ ଚଢ଼ିବା ତ ବହୁତ ଦୂରର କଥା ।

 

ଏହି ଅଳ୍ପ ବୟସୀ ସ୍ତ୍ରୀ-ଲୋକ ଜଣକ ଖୁବ୍‌ କମ୍‍ ସମୟ ଭିତରେ ସାମାନ୍ୟ ଖିଅ ଧରି ତା’ର ଚାରିପାଖରେ ବେଶ୍‌ ଗୋଟିଏ ହସ କୌତୁକର ଜାଲ ବୁଣିଦେଇପାରେ ନୀରେନ୍‌କୁ ତା’ର ଏ ସ୍ୱଭାବ ଟିକକ ଭାରି ଭଲ ଲାଗେ । ଯେଉଁ ଲୋକମାନଙ୍କ ମନ ଭିତରେ ଆନନ୍ଦର ଏମିତି ଅଫୁରନ୍ତ ଭଣ୍ଡାର ଥାଏ, କାରଣ-ଅକାରଣରେ ଅନ୍ତର୍ନିହିତ ଆନନ୍ଦର ଉତ୍ସ ମନର ପାତ୍ରରୁ ଉଛୁଳି ପଡ଼ି ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ, ଏହି ପଲ୍ଲୀବଧୂଟି ସେମାନଙ୍କ ଭିତରୁ ଜଣେ । ଏବେ ନୀରେନ୍‌, ତା’ରି ଆସିବା ସମୟକୁ ଅପେକ୍ଷା କରି ବସିଥାଏ ନ ଆସିଲେ ନିରାଶ ହୁଏ, ଏମିତି କି ଏକ ଗୋପନ ଅଭିମାନ ବି ସୃଷ୍ଟି ହୁଏ ।

 

ଆଚ୍ଛା ଭାଉଜ, ତୁମେ ସମସ୍ତେ ଥରଟିଏ ମୋ ସହିତ ଆସ, ମୁଁ ପଶ୍ଚିମ ଦେଶ ବୁଲେଇ ଆଣିବି ।

 

କ’ଣ କହିଲ, ଏ ଘରର ଲୋକେ ପଶ୍ଚିମକୁ ବୁଲିବାକୁ ଯିବେ ! ତୁମେ ବି ଅଦ୍ଭୁତ ଲୋକ, ଦିଅରବାବୁ ! ତାହାଲେ ଉତ୍ତରପଟ କ୍ଷେତରେ ବାଇଗଣ କିଆରୀରେ ପହରା ଦେବ କିଏ ?

 

କଥା ଶେଷକରି ସେ ଆଉ ଗୋଟିଏ ପରସ୍ତ ବ୍ୟଙ୍ଗ ମିଶ୍ରିତ କୌତୁକର ହସ ହସି ଉଠିଲା । ଟିକିଏ ପରେ ଗମ୍ଭୀର ହୋଇ ନିମ୍ନ ସ୍ୱରରେ କହିଲା ଦିଅରବାବୁ, ମୋର ଗୋଟିଏ କଥା ରଖିବ ?

 

କି କଥା, ଆଗ କୁହ ନା ?

 

ଯଦି ରଖିବ, ତା’ହେଲେ ଯାଇ କହିବି ।

 

ଧଳା କାଗଜରେ ଦସ୍ତଖତ୍‌ କରିବା ମୋ ପକ୍ଷରେ ସମ୍ଭବ ନୁହେଁ, ଭାଉଜ ! ତୁମେ ତ ଜାଣ ମୁଁ ଓକିଲାତି ପଢ଼ୁଛି । ପ୍ରଥମେ କଥାଟା ଶୁଣିବି, ତା’ପରେ ଯାଇ କଥାର ଉତ୍ତର ଦେବି ।

 

ଗୋକୁଳର ବୋହୂ ଦୁଆର ଛାଡ଼ି ଘର ଭିତରକୁ ପଶିଆସିଲା । ଲୁଗା ଭିତରେ ରଖିଥିବା ଗୋଟିଏ କାଗଜ ପୁଡ଼ିଆ ଖୋଲି କହିଲା ଏଇ ଦୁଇଟା କାନଫୁଲ ରଖି ମୋତେ ପାଞ୍ଚଟା ଟଙ୍କା ଦେବ ?

 

ନୀରେନ୍‌ ବିସ୍ମୟ ଭରା ସ୍ୱରରେ କହିଲା କାହିଁକି କହିବନି ?

 

ସେ କଥା ଏବେ କହିବିନି । ତୁମେ ଦେବ କି ନାହିଁ କୁହ, ଦିଅରବାବୁ ?

 

ପ୍ରଥମେ କୁହ, ଟଙ୍କା ନେଇ କ’ଣ କରିବ ? ନ ହେଲେ କିନ୍ତୁ...

 

ଗୋକୁଳର ବୋହୂ ନୀଚା ସ୍ୱରରେ କହିଲା ମୁଁ ଗୋଟାଏ ଜାଗାକୁ ଟଙ୍କା ପଠେଇବି । ଦେଖ ତ, ଏ ଚିଠି ଉପରେ ଇଂରାଜୀରେ କି ଠିକଣା ଲେଖାଅଛି ? ନୀରେନ୍‌ ପଢ଼ିଲା ଓ ପଚାରିଲା ଭାଉଜ, ଏ ଠିକଣା ତୁମର ଭାଇର ନା ?

 

ଚୁପ୍‌ ଚୁପ୍‌, ଏ ଘରର କାହାକୁ କହିବନି । ପାଞ୍ଚଟା ଟଙ୍କା ମାଗିଛି । କେଉଁଠୁ ବା ପାଇବି । ମୁଁ ଯେ କି ପ୍ରକାରର ପରାଧୀନ, ତୁମେ ତ ଜାଣିଛ ଦିଅରବାବୁ ? ତେଣୁ ଭାବିଲି ଏ କାନଫୁଲ ଦୁଇଟି ରଖି ଟଙ୍କା ପାଞ୍ଚୁଟା ତୁମେ ଦେଲ ଏ ହତଭାଗ୍ୟ ପିଲାଟିର ଏ ଦୁନିଆରେ କେହି ବି ନାହାନ୍ତି ? ଗୋକୁଳର ବୋହୂର କଣ୍ଠ ସ୍ୱରଟି ଆଖିର ଲୁହରେ ଭାରି ହୋଇଆସିଲା ।

 

ନୀରେନ୍‌ କହିଲା ଟଙ୍କା ମୁଁ ଦେବି ଭାଉଜ, ପାଞ୍ଚ ହେଉ କି ଦଶ ହେଉ । ତୁମେ ଯେତେବେଳେ ପାରିବ ଶୁଝିଦେବ । ମୁଁ କିନ୍ତୁ ତୁମର କାନଫୁଲ ଦୁଇଟି ରଖିପାରିବିନି

 

ଗୋକୁଳର ବୋହୂ କୌତୁକ ଠାଣିରେ ବେକ ହଲେଇ ହସି କହିଲା ସେ କଥା ହେବନି ଦିଅରବାବୁ । ତୁମେ ତ ବେଶ୍‌ ଲୋକଟିଏ ! ତା’ପରେ ମୁଁ ତୁମର ଋଣ ଶୁଝି ନ ପାରି ମରିଯିବି । ଆଉ ତୁମେ ସେ କଥା ହେବନି, କାନଫୁଲ ଯୋଡ଼ିକ ତୁମକୁ ରଖିବାକୁ ହିଁ ହେବ । ଆଚ୍ଛା ଦିଅରବାବୁ, ମୁଁ ଏବେ ଆସୁଛି, ତଳେ ତେଣେ ବହୁତ କାମ ବାକି ପଡ଼ିଛି ସେ ଦ୍ରୂତ ପଦକ୍ଷେପରେ ଘରୁ ବାହାରିଗଲା । କିନ୍ତୁ ସିଡ଼ି ପାଖରୁ ପୁଣି ଫେରିଆସିଲା ଓ ନୀଚା ସ୍ୱରରେ କହିଲା ଟଙ୍କା କଥାଟି କାହା ଆଗରେ କହିବନି ଦିଅରବାବୁ ? କାହାକୁ ବି ନୁହେଁ ବୁଝିଲ ତ ?

 

ଦୁର୍ଗା କନ୍ଥା ଭିତରେ ଶୋଇ ରହି ଡାକିଲା ଅପୁ, ଏ ଅପୁ ! ଅପୁ ଚାହିଁ ଶୋଇଥିଲା, କିନ୍ତୁ କୌଣସି କଥା କହିଲା ନାହିଁ । ନାନୀର ଡାକ ଶୁଣି କହିଲା ନାନୀ ଝରକାଟା ବନ୍ଦ କରିଦେଲୁ, ଭୀଷଣ ଥଣ୍ଡା ପବନ ଆସୁଛି ।

 

ଦୁର୍ଗା ବିଚ୍ଛଣାରୁ ଉଠି ଝରକା ବନ୍ଦ କରି କହିଲା ରାନୁର ନାନୀର ବାହାଘର କେବେ ଜାଣିଛୁ ? ଆଉ କିନ୍ତୁ ବେଶୀ ଡେରି ନାହିଁ । ବେଶ୍‌ ମଜା ହେବ, ଇଂରେଜୀ ବାଜାବାଲା ଆସିବେ ! ତୁ ଦେଖିବୁ କେତେ ଇଂରାଜୀ ବାଜଣା ?

 

ହଁ, ମୁଁ ଦେଖିଛି ନାନୀ, ସମସ୍ତେ ମୁଣ୍ଡରେ ଟୋପି ପିନ୍ଧି ବାଜା ବଜାନ୍ତି । ବଡ଼ ବଡ଼ ତୁରୀ, ବେଶ୍‌ ବଡ଼ ଡ୍ରମ ବାଜା, ମୁଁ ସବୁ ଦେଖିଛି । ସେମାନଙ୍କ ଭିତରୁ ଆଉ ଜଣେ କଳା ରଙ୍ଗର ଗୋଟିଏ ତୁରୀ ବଜାଏ, ଖୁବ୍‌ ବଡ଼ ନୁହେଁ, ଫୁଲୋଟ ତୁରୀ କହନ୍ତି ଏତେ ସୁନ୍ଦର ବାଜେ । ଫୁଲୋଟ ତୁରୀ, ତୁ ଶୁଣିଚୁ ?

 

ଦୁର୍ଗା କିନ୍ତୁ ଅନ୍ୟକଥା ଭାବୁଥିଲା ।

 

ଗତକାଲି ସେ ବିକାଳ ସମୟରେ ଆରସାହିର ଖୁଡ଼ୀ ନିକଟକୁ ବୁଲି ଯାଇଥିଲା । ଏ କଥା-ସେ କଥା ହେବା ପରେ ଖୁଡ଼ୀ ପଚାରିଲେ ଦୁର୍ଗା ତୋ’ ସହିତ ଦିଅରବାବୁଙ୍କ ସହିତ କେଉଁଠି ଏବେ ଦେଖା ହୋଇଥିଲାରେ ?

 

ସେ କହିଲା କାହିଁକି ଖୁଡ଼ୀ, କ’ଣ ହେଲା । ତା’ପରେ ସେ ସେଦିନ ରାସ୍ତାରେ ଭେଟ ହେବା କଥା କହିଥିଲା । ମଜାକରି କହିଲା ଏଇ ଟିକକ ରାସ୍ତା ଭିତରେ ବୁଝିଲ ଖୁଡ଼ୀ, ରାସ୍ତା ଭୁଲି ଏକାଥରକେ ଗଡ଼ ପୋଖରୀ ପାଖ ସେ ଜଙ୍ଗଲ ଭିତରେ ।

 

ଖୁଡ଼ୀ ହସି ହସି କହିଲେ ମୁଁ ଦିଅରବାବୁଙ୍କୁ କାଲି ତୋ’ ବିଷୟରେ କହୁଥିଲି । କହିଲି, ଗରିବ ଘରର ଝିଅ । କିଛି ଦେବାର ସାଧ୍ୟ ତା’ ବାପାର ନାହିଁ, ହେଲେ କ’ଣ ହେବ, ଖୁବ୍‌ ଭଲ ଝିଅଟିଏ ସତେ ଯେମିତି ଏ ଯୁଗର ଝିଅ ନୁହେଁ । ତାକୁ ବାହା ହେଉନ ? ତେଣୁ ସେ ତୋ’ ବିଷୟରେ ପଚରା ଉଚରା କରୁଥିଲେ । କହୁଥିଲେ, ସେ ଦିନ କୁଆଡ଼େ ନଈଘାଟ ରାସ୍ତାରେ ତୋ’ ସହିତ ଦେଖା ହୋଇଥିଲା । ରାସ୍ତା ଭୁଲି ସେ ଯେମିତି କେଉଁଠି ଯାଇ ପହଞ୍ଚିଥିଲେ ଏମିତି ସବୁ କଥା । ତା’ପରେ ମୁଁ ଆଜି ତିନିଦିନ ହେଲା ଶ୍ୱଶୁର ମହାଶୟଙ୍କ ପଛରେ ପଡ଼ିଛି, ତୋ’ ବାପାଙ୍କୁ ପ୍ରସ୍ତାବ ଦେବାକୁ । ଦିଅରବାବୁଙ୍କ ଇଚ୍ଛା ଅଛି ବୋଲି ଜଣାପଡ଼ୁଛି, ତୋତେ ପସନ୍ଦ କରିଛନ୍ତି ବୋଧେ ।

 

ଦୁର୍ଗା ବିଛଣାରୁ ଉଠି ଗୁହାଳରୁ ବାଛୁରୀଟିକୁ ବାହାର କରି ଖରା ପଡ଼ିଥିବା ଜାଗାରେ ବାନ୍ଧିଲା । କିନ୍ତୁ ଆଜି ତା’ର କାମରେ ଜମା ମନ ଲାଗୁ ନ ଥିଲା । ଅନ୍ୟ ଦିନମାନଙ୍କରେ ଘରର କାମ ସବୁ କିଛି ନା କିଛି କରିଥାଏ । ଦିନେ ଦିନେ ତା’ର ମନର ଭାବ ଅନ୍ୟ ପ୍ରକାର ହୋଇଯାଏ, କାହିଁକି କେଜାଣି ସେ ଘରର ସୀମା ଭିତରେ ସେ ଦିନ ସେ ଆବଦ୍ଧ ହୋଇ ରହିପାରେନା କିଏ ଯେମିତି ତାକୁ ସତରେ ବାଟଘାଟରେ, ଏସାହି ସେସାହିରେ ବୁଲେଇ ନିଏ । ଆଜି ଯେମିତି ପବନଟା ଅତି ସରସସୁନ୍ଦର । ସକାଳଟା ନା ଗରମ ନା ଥଣ୍ଡା । ଲେମ୍ବୁ ଫୁଲର ମିଠା ମିଠା ସୁବାସ ଚାରିଆଡ଼େ ଖେଳିଯାଇଛି । ମନକୁ କ’ଣ ଗୋଟିଏ ଭାବନା ଉଦବେଳିତ କରୁଛି, କିନ୍ତୁ ସେଇଟା କ’ଣ ବୋଲି ସେ ପ୍ରକାଶ କରିପାରୁନି ।

 

ଘରୁ ବାହାରି ସେ ରାନୁ ଘର ଆଡ଼େ ଚାଲିଲା । ଭୁବନ ମୁଖାର୍ଜୀ ଅବସ୍ଥା ସମ୍ପନ୍ନ ଗୃହସ୍ଥ । ଏଇଟା ତାଙ୍କର ପ୍ରଥମ ଝିଅର ବିଭାଘର । ଖୁବ୍‌ ଜାକ୍‌ଜମକରେ ବିବାହ ହେବ । ଆତସବାଜିବାଲା ଆସି ବାଣର ଦରଦାମ କରୁଛନ୍ତି । ଏ ଅଞ୍ଚଳର ବିଖ୍ୟାତ ବାଣ ବାରୁଦ ବିକାଳି ସୀତାନାଥକୁ ମଧ୍ୟ ଅଗ୍ରୀମ ଦିଆହୋଇଛି । ବିବାହ ପାଇଁ ବିଭିନ୍ନ ସ୍ଥାନରୁ କୁଣିଆ କୁଟୁମ୍ବ ଦଳ ଆସିବାକୁ ଆରମ୍ଭ କଲେଣି । ସେମାନଙ୍କର ପିଲାମାନଙ୍କ ଭିଡ଼ରେ ଘର ଅଗଣା ସରଗରମ ହୋଇଉଠିଛି ।

 

ଦୁର୍ଗାର ମନରେ ଭାରି ଆନନ୍ଦ ଆଉ ଅଳ୍ପଦିନ ପରେ ସେମାନଙ୍କ ଘରେ ବାଣ ଫୁଟିବ । ସେ କେବେବି ବାଣରୋଷଣି ଫୁଟିବାର ଦେଖିନି । କେବଳ ଥରଟିଏ ଗାଙ୍ଗୁଲି ଘର ଦୋଳଯାତ୍ରାରେ ଗୋଟିଏ ବାଣ ଫୁଟିବାର ସେ ଦେଖିଥିଲା । ହଠାତ୍‌ ‘ହୁସ୍‌’ କିନା ଆକାଶକୁ ଉଠି, ଏକାଥରକେ ଯେମିତି ମେଘ ଦେହରେ ଲାଖିଗଲା, ଆଉ ସେଇଠୁ ପୁଣି ଖସିଆସିଲା କି ସୁନ୍ଦର ଦେଖାଗଲା । ଅପୁ କୁହେ ହାବେଳୀ ବାଣ ।

 

ଦୁଇ ପ୍ରହର ପରେ ମା’ ତା’ର ବାରନ୍ଦାରେ ପଣତ ପାରି ଟିକିଏ ଶୋଇ ପଡ଼ିଥିଲା । ସେ ପୁଣି ସୁଯୋଗ ପାଇ ହଠାତ୍‌ ଘରୁ ବାହାରକୁ ଚାଲିଆସିଲା । ଫଗୁଣ ମାସର ମଧ୍ୟଭାଗ । ଖରାର ତେଜ ବଢ଼ିଯାଇଛି । ଗରମ ପବନର ଝାଞ୍ଜି ପ୍ରବାହରେ ରାନୁଘର ବଗିଚାରେ ଥିବା ନିମ୍ବଗଛରୁ ହଳଦିଆ ପତ୍ର ସବୁ ଚକ୍ରପରି ବୁଲି ବୁଲି ଝଡ଼ି ପଡ଼ୁଥିଲା । କେହି କେଉଁଠି ନାହାନ୍ତି । ନେଡ଼ାଘର ବାରିପଟେ କିଏ ଯେମିତି ଗୋଟିଏ ଟିଣ ପିଟି ପିଟି ବଜାଉଛି । ବୁ...ଉ...ଉ...ଉ... କରି କ’ଣ ଗୋଟିଏ ଶବ୍ଦ ଯେମିତି ହେଲା । କାଞ୍ଚପୋକଟିଏ । ମୁଣ୍ଡର ଟିକିଲିରୂପେ ବ୍ୟବହାର କରାଯାଏ । ଦୁର୍ଗା ନିଜ ଅଜ୍ଞାତ ସାରରେ ତା’ ହାତ ମୁଠାରେ ଶୀଘ୍ର ପଣତ ଗୁଡ଼େଇ ଚକିତ ଦୃଷ୍ଟିରେ ସେଇଆଡ଼େ ଚାହିଁ ରହିଲା ।

 

କାଞ୍ଚପୋକ ନୁହେଁ ତ, ସୁଦର୍ଶନ ପୋକଟିଏ !

 

ତା’ ହାତ ମୁଠାରୁ ପଣତ ଆପଣାଛାଏଁ ଖସିଗଲା । ଅତି ଆଗ୍ରହରେ ସେ ପାଦ ଥାପି ଥାପି ପୋକଟି ଆଡ଼କୁ ଆସିବାକୁ ଲାଗିଲା । ସାମନାର ରାସ୍ତା ଉପରେ ବସିଛି । ଡେଣା ଉପରେ ଶ୍ୱେତ ଓ ରକ୍ତ ଚନ୍ଦନ ଛିଟା ପରି ବିନ୍ଦୁ ବିନ୍ଦୁ ଚିହ୍ନ ।

 

ସୁଦର୍ଶନ ପୋକ, କେବଳ ପୋକଟିଏ ନୁହେଁ ସେ ଦିଅଁ । ତାକୁ ଦେଖିପାରିବା ଅତ୍ୟନ୍ତ ଭାଗ୍ୟର କଥା । ଏ କଥା ସେ ତା’ ମା’ ମୁହଁରୁ ଓ ଅନେକଙ୍କ ପାଖରୁ ଶୁଣିଛି । ଅତି ସନ୍ତର୍ପଣରେ ସେ ଧୂଳି ଉପରେ ବସିପଡ଼ିଲା । ତା’ପରେ ଥରେ ହାତଯୋଡ଼ି କପାଳରେ ଲଗେଇ ପୋକ ଆଡ଼କୁ ହାତ ନେଇ ବାରମ୍ବାର ଶୀଘ୍ର ଶୀଘ୍ର ଅନ୍ୟମାନଙ୍କଠାରୁ ଶୁଣିଥିବା ମନ୍ତ୍ର ଆବୃତ୍ତି କରିବାକୁ ଆରମ୍ଭ କଲା ସୁଦର୍ଶନ ଭଲରେ ରଖ ସୁଦର୍ଶନ ଭଲରେ ରଖ, ସୁଦର୍ଶନ ଭଲରେ ରଖ । ତା’ପରେ ସେ ନିଜର କିଛି କାମନା ମନ୍ତ୍ର ସହିତ ଯୋଡ଼ି କହିଲା ଅପୁକୁ ଭଲରେ ରଖ, ମା’କୁ ଭଲରେ ରଖ, ବାପାଙ୍କୁ ଭଲରେ ରଖ, ଆର ସାହିର ଖୁଡ଼ୀକୁ ଭଲରେ ରଖ ତା’ପରେ ଟିକିଏ ଚିନ୍ତାକରି ଇତସ୍ତତଃ ହୋଇ କହିଲା ନୀରେନ୍‌ ବାବୁଙ୍କୁ ଭଲରେ ରଖ, ମୋର ବାହାଘର ଯେମିତି ତାଙ୍କ ସହିତ ହୁଏ, ସୁଦର୍ଶନ ରାନୁର ନାନୀ ବାହାଘର ପରି ଧୂମ୍‌ଧାମରେ ହୁଏ, ବାଣରୋଷଣିରେ ହୁଏ !

 

ଭକ୍ତଟିର ଅର୍ଘ୍ୟର ଆତିଶଯ୍ୟରେ ପୋକଟି ଧୂଳି ଉପରେ ବିପନ୍ନ ଭାବରେ ଚକ୍ରାକାରରେ ଘୁରି ବୁଲୁଥିଲା । ଦୁର୍ଗାର ମନର ଆଶାପୂରଣ କରି ପ୍ରାର୍ଥନା ଶେଷରେ ଶ୍ରଦ୍ଧା ସହକାରେ ପାଖ ଦେଇ ଚାଲିଗଲା ।

 

ଗାଁ’ ଭିତରର ପଥପ୍ରାନ୍ତରେ ମୁଣ୍ଡ ଉପରେ ପ୍ରଥମ ଫଗୁଣର ସୁନୀଳ ଆକାଶ, ମଝିରେ ମଝିରେ ଗଛଲତା ଫାଙ୍କରେ ଅନେକ ସ୍ଥାନରେ ମୟୂରକଣ୍ଠୀ ରଙ୍ଗର ଆକାଶ ବି ଦୃଷ୍ଟି ଗୋଚର ହେଉଥିଲା ।

 

ବଣୁଆ ବୁଦା ମଝି ଦେଇ ନଈ ଘାଟକୁ ଯିବାର ସରୁ ରାସ୍ତା । କନ୍ଦି ରାସ୍ତାର ଦୁଇକଡ଼ରେ ଆମ୍ବ ବଗିଚା । ଉଷ୍ମ ପବନରେ ଆମ୍ବ ବଉଳର ମିଠା ମିଠା ବାସ୍ନା ବଣ ଭିତରେ ମହୁମାଛି, କାଞ୍ଚପୋକର କଳମୁଖରିତ ଗୁଞ୍ଜନରେ, ଛାୟାଗହଳ ଆମ୍ବବଣରେ କୋଇଲି କୁହୁରେ, ସ୍ନିଗ୍ଧ ବାତାବରଣ ସୃଷ୍ଟି କରୁଥିଲା ।

 

ତୋଟା ପାରିହେଲା ପରେ ଚଡ଼କ ମେଳାର ପଡ଼ିଆ । ଘାସ ଭର୍ତ୍ତି ପଡ଼ିଆ ଉପରେ ବେଳ ଲେଉଟାଣି ଛାଇ ମାଡ଼ି ଆସିଲାଣି । ଦୁର୍ଗା ବୁଦା ଭିତରୁ ବଇଁଚ କୋଳି ଖୋଜିବାକୁ ଲାଗିପଡ଼ିଲା ଏ ଦିନରେ ବଇଁଚକୋଳି ବେଶି ନ ଥାଏ । ଶୀତ ଋତୁର ଶେଷବେଳକୁ ସବୁ ପ୍ରାୟ ଶେଷ ହୋଇଯାଏ । ସେ ପାଖର ସେ ଉଚ୍ଚା ଢିପ ଉପରେ ଥିବା ବୁଦାରୁ ଗୋଟିଏ ଗଛରୁ ସେଦିନ ସେ ଅନେକଗୁଡ଼ିଏ କୋଳି ଖାଇଥିଲା । କିନ୍ତୁ ଏବେ ଆଉ ନାହିଁ, ସବୁ ଶେଷ ହୋଇଯାଇଛି । ଗୋଲମରିଚ ପରି ଶୁଖିଲା ବଇଁଚକୋଳି ଘଞ୍ଚ ବୁଦା ତଳେ ଝଡ଼ି ପଡ଼ିଛି । ଦଳେ ଶାରୀବଣି ବୁଦା ଭିତରେ କିଚିରି ମିଚିର କରୁଥିଲେ । ଦୁର୍ଗା ପାଖରେ ପହଞ୍ଚିଲାରୁ ସେମାନେ ଫର୍‌କିନା ଉଡ଼ିଗଲେ ।

 

ତା’ ମନ ଭିତରେ ପୁଣି ଏକ ଖୁସିର ଲହରୀ ଉଠିଲା । ଉତ୍ସବର ଦିନ ନିକଟତର, ରାନୁର ନାନୀର ବାସର ରାତିର ଉଜାଗର ଓ ଗୀତ ଶୁଣିବାର ଆଶା ।

 

ଅତ୍ୟଧିକ ଖୁସିରେ ତା’ର ଇଚ୍ଛା ହେଲା ପଡ଼ିଆର ଏ କଡ଼ରୁ ସେ କଡ଼ଯାଏ ଧାଇଁବା ପାଇଁ ।

 

ଥରଟିଏ ସେ ହାତ ଦୁଇଟି ଟେକି ଧରି ଡେଣା ମେଲାଇବା ପରି ଅଭିନୟ କରି ଘୁରି ଘୁରି କିଛିବାଟ ଧାଇଁଗଲା । ସେ ଉଡ଼ିବାକୁ ଚାହେଁ ! ଶରୀର ତ ହାଲୁକା ହାତ ମେଲେଇ ଡେଣା ପିଟି ପବନରେ ଯଦି ଉଡ଼ି ହୁଅନ୍ତା !

 

ଖୁସିରେ ସେ ଶବ୍ଦ ସୃଷ୍ଟି କରିବା ପାଇଁ ତଳେ ଝରି ପଡ଼ିଥିବା ଶୁଖିଲା ପତ୍ର ରାଶି ଉପରେ ପାଦ ପକେଇ ମଚ୍‌ ମଚ୍‌ କରି ଜୋରରେ ଚାଲିବାକୁ ଲାଗିଲା । ଶୁଖିଲା ପତ୍ର ସବୁ ଚୁନା ଚୁନା ହୋଇଗଲା । ଶୁଖିଲା ଧୂଳି ଗନ୍ଧ, କିଛି ଓଦା ଓଦା ଗନ୍ଧ ଓ କିଛି ତିକ୍ତ ବାସନାରେ ସ୍ଥାନଟି ଭର୍‌ପୁର ହୋଇଗଲା ।

 

ଆଗରେ ସୋନାଡାଙ୍ଗାର ପଡ଼ିଆ ଆଡ଼କୁ ଯିବାର ମାଟି ସଡ଼କ । ଗୋଟିଏ ଶଗଡ଼ ଗାଡ଼ି ‘କେଁ କଟର କେଁ କଟର’ କରି ପଡ଼ିଆର ରାସ୍ତା ଆଡ଼କୁ ଯାଉଥିଲା । ତଟକା ବାଉଁଶ କଣିରେ ଶଗଡ଼ର ଉପରଟା ବନ୍ଧା ହୋଇଥିଲା । ତା’ ଉପରେ କନ୍ଥା ଓ ଛିଣ୍ଡା ନାଲି ଧଡ଼ିର ଛିଟଶାଢ଼ୀ ଗୁଡ଼େଇ ସଜାଯାଇଛି । ସେଇ ଛୋଟ ଶଗଡ଼ର ଘର ଭିତରେ ଗୋଟିଏ ଛୋଟ ଝିଅଟିଏ ରାହାଧରି ଏକଟଣା ସ୍ୱରରେ ଛୋଟ ପିଲାଙ୍କ ପରି କାନ୍ଦି କାନ୍ଦି ଯାଉଛି କେଉଁ ଗାଁ’ର କୃଷକ ଘରର ଝିଅଟି ହୁଏତ ବାପଘରୁ ଶାଶୁଘରକୁ ଯାଉଛି ।

 

ଦୁର୍ଗା ଅବାକ୍‌ ହୋଇ ଅପଲକ ଦୃଷ୍ଟିରେ ଶଗଡ଼ ଆଡ଼କୁ ଚାହିଁ ରହିଲା ।

 

ବାହାଘର ପରେ ମା’, ବାପା, ଅପୁ ସମସ୍ତଙ୍କୁ ଛାଡ଼ି ହୁଏତ ଏମିତି କାହିଁ କେତେଦୂରକୁ ଚାଲିଯିବାକୁ ହେବ ଯେତେବେଳେ ଇଚ୍ଛା ସେମାନେ ତାକୁ କ’ଣ ବାପ ଘରକୁ ଆସିବାକୁ ଛାଡ଼ିଦେବେ ? ଏତେବେଳ ପର୍ଯ୍ୟନ୍ତ, ସେ ଏ କଥା ଭାବି ନ ଥିଲା ଏଇ ବଗିଚା, ବାସଙ୍ଗ ଫୁଲର ବୁଦା, ନାଲି ଗାଈଟା, ପାଚେରୀ ପାଖ ପଣସ ଗଛର ମୂଳ ଯେଉଁଗୁଡ଼ିକୁ ସେ ଏତେ ଭଲପାଏ, ଏଇ ଶୁଖିଲା ପତ୍ରର ଗନ୍ଧ, ନଈ ଘାଟର ରାସ୍ତା- ଏସବୁକୁ ସବୁଦିନ ପାଇଁ ଛାଡ଼ି ଚାଲିଯିବାକୁ ହେବ । ଶଗଡ଼ର ଛାତ ତଳେ ବସିଥିବା ସେ ଛୋଟ ଝିଅଟି ବୋଧହୁଏ ସେହି ଦୁଃଖରେ ହିଁ କାନ୍ଦୁଛି ।

 

ମାଟି ସଡ଼କଟା ପାରି ହେଲେ ଗୋଟିଏ ଛୋଟ ପୋତା କିଆରୀ ପରେ ନଦୀ ଦେଖାଯାଏ ।

 

ସେ ପାରିରେ କେଉଟମାନେ କି ମାଛ ଧରୁଛନ୍ତି, ଖଳଶିରା ? ଏ ପାରିକୁ ସେମାନେ ଯଦି ଆସନ୍ତେ, ସେ ବି ଦୁଇ ପଇସାର ମାଛ କିଣି ଘରକୁ ନେଇଯାଆନ୍ତା । ଅପୁ ଖଳଶିରା ମାଛ ଖୁବ୍‌ ଭଲପାଏ ।

 

ଘରକୁ ଫେରିଆସି ସନ୍ଧ୍ୟାପରେ ସେ ଅନେକ ସମୟ ଧରି ତା’ର କଣ୍ଢେଇପେଡ଼ି ସଜାଡ଼ିବାରେ ଲାଗିଲା । ତା’ ମା’ କିରୋସିନି ଓଜାଡ଼ିବାକୁ ଯାଇ ବେଶ୍‌ କିଛି ତେଲ ଚଟାଣରେ ଢାଳିଦେଇଛି, ସେଇଠୁ ଗନ୍ଧ ବାହାରୁଥିଲା । ଘର ଭିତରେ ଟିକିଏ ଗରମ ବି ଜଣାପଡ଼ୁଥିଲା । କଣ୍ଢେଇ ସଜେଇବା ପ୍ରାୟ ଶେଷ ହୋଇଯାଇଥିଲା । ସେହି ସମୟରେ ଅପୁ ଆସି କହିଲା ତୁ ମୋ ପେଡ଼ିରୁ ସାନ ଆର୍‌ଶିଟା କାଢ଼ି ନେଇଛୁ ନା ନାନୀ ?

 

ହଁ ଆର୍‌ଶି ଖଣ୍ଡିକ ତ ମୋର ମୁଁ ତ ପ୍ରଥମେ ସେଇଟା ଖୋଜି ପାଇଥିଲି, ଖଟତଳେ ପଡ଼ିଥିଲା । କ’ଣ ହେଲା, ମୁଁ ଆର୍‌ସିଟି ମୋ ପେଡ଼ିରେ ରଖିବି । ପୁଅ ପିଲା, ଅଇନା ନେଇ କ’ଣ କରିବୁ ?

 

ତୋର ନା ଆଉ କିଛି, ସେଇଟା ମୋର ଅଇନା ? ସେ ସାହିର ଖୁଡ଼ୀ ପାଖରୁ ମା’ କେଉଁ ଗୋଟେ ବ୍ରତରେ ଅଇନାଟା ମାଗି ଆଣିଥିଲେ, ମୁଁ କେବେଠୁ ମା’ ପାଖରୁ ମାଗିନେଇ ସେଇଟା ପାଖରେ ରଖିଥିଲି । ନା, ନାନୀ ସେଇଟା ମୋତେ ଦେ

 

କଥାତକ କହିସାରି ସେ ନାନୀର କଣ୍ଢେଇପେଡ଼ି ପାଖରେ ବସି ତା’ଭିତରୁ ଅଇନା ଖୋଜିବାକୁ ଲାଗିପଡ଼ିଲା ।

 

ଦୁର୍ଗା, ଅପୁ ଗାଲରେ ଚାପୁଡ଼ାଟେ ମାରି କହିଲା ଦୁଷ୍ଟ ପିଲାଟା ମୁଁ କଣ୍ଢେଇ ସବୁ ସଜେଇ ରଖିଛି ଆଉ ଇଏ ଆସି ଅଲରା ମଲରା କରୁଚି ଯା, ମୋ ପେଡ଼ିକୁ ଛୁଇଁବୁନି କହୁଚି- ମୁଁ ତୋତେ ଅଇନା ଦେବିନି ।

 

କିନ୍ତୁ ସେ କଥା ଶେଷ ନ କରୁଣୁ ଅପୁ ତା’ ଉପରକୁ ଝାମ୍ପିପଡ଼ି ତା’ ବେକ ଉପରେ ପଡ଼ିଥିବା ରୁକ୍ଷ ଚୁଟି କେରାଏ ଭିଡ଼ି ଧରିଲା ଓ ତାକୁ ଆମ୍ପୁଡ଼ି କାମୁଡ଼ି ବ୍ୟତିବ୍ୟସ୍ତ କରି ପକେଇଲା । କାନ୍ଦ ଅଟକି ଯିବା ସ୍ୱରରେ ସେ କହିଲା କାହିଁକି ତୁ ମୋତେ ମାରିବୁ ? ମୋତେ କାଟେନି ନା କ’ଣ ଭାବିଲୁ ? ଦେ, ମୋ ଅଇନା ଦେ ନ ହେଲେ ମା’ଙ୍କୁ କହିଦେବି, ଲକ୍ଷ୍ମୀ ଖଟୁଳିରୁ ତୁ ଅଳତା ଚୋରି କରିଛୁ ।

 

ଅଳତା ଚୋରି କଥାରେ ଦୁର୍ଗା ବେଶ୍‌ ରାଗିଗଲା । ଭାଇଟିର କାନଧରି ଟାଣି ଆଣିଲା ଓ ଚଟାପଟ ଦୁଇଚାରିଟା ଚାପୁଡ଼ା ତା’ ଗାଲରେ ବସେଇ ଦେଉ ଦେଉ କହିଲା ଅଳତା ମୁଁ ନେଇଚି ? ମୁଁ ଅଳତା ନେଇଛି, ଲକ୍ଷ୍ମୀଛଡ଼ା, ଦୁଷ୍ଟ, ମାଙ୍କଡ଼ ! ଆଉ, ତୁ ଯେ ଲକ୍ଷ୍ମୀ ଖଟୁଳିରୁ କଉଡ଼ିଗୁଡ଼ା କାଢ଼ି ନେଇ ଲୁଚେଇ ରଖିଛୁ, ମା’ଙ୍କୁ କହିବି ?

 

ଚିତ୍କାର, କନ୍ଦାକଟା ଓ ମାର୍‌ପିଟ୍‌ ଶବ୍ଦ ଶୁଣି ସର୍ବଜୟା ଧାଇଁ ଆସିଲା । ସେତେବେଳକୁ ଦୁର୍ଗା ଅପୁର କାନଧରି ତଳେ ପ୍ରାୟ ଶୁଆଇ ଦେଇଥିଲା । ଅପୁ ବି ଦୁର୍ଗାର ଚୁଟି ଭିଡ଼ି ଏମିତି ଛନ୍ଦି ଧରିଥିଲା ଯେ ଦୁର୍ଗା ବି ମୁଣ୍ଡ ଟେକି ପାରୁନଥିଲା ।

 

ଅପୁକୁ ଅଧିକ ବାଧିଥିଲା । ସେ କାନ୍ଦୁ କାନ୍ଦୁ କହିଲା ଦେଖ ତ ମା’ ମୋର ଅଇନା ଖଣ୍ଡିକ ପେଡ଼ିରୁ ବାହାର କରି ତା’ ନିଜ ପେଡ଼ିରେ ରଖିଦେଇଛି ମୋତେ ଦେଉନି ତା’ଉପରେ ମୋ ଗାଲରେ ଏମିତି ଚାପୁଡ଼ା ମାରିଛି ।

ଦୁର୍ଗା ପ୍ରତିବାଦ କରି କହିଲା ନା, ମା’, ଦେଖ ତ ମୁଁ କଣ୍ଢେଇପେଡ଼ି ସଜାଡ଼ି ରଖୁଛି, ସେ ଆସି ସେ ସବୁକୁ

 

ସର୍ବଜୟା ପାଖକୁ ଆସି ଝିଅ ପିଠିରେ ଦୁଲ୍‌ଦାଲ୍‌ କରି ବହୁତ ଜୋରରେ କେତେଟା ବିଧା କଷି ଦେଇ କହିଲା ଦେଖୁନ ବୁଢ଼ୀ ଝିଅକୁ କାହିଁକି ତୁ ପିଲାଟା ଦେହରେ ଯେତେବେଳେ ଇଚ୍ଛା ହାତ ଲଗେଇ ଦେଉଛୁ ? ତା’ଭିତରେ ଆଉ ତୋ’ ଭିତରେ ଅନେକ ତଫାତ୍‌ ଜାଣୁ ?... ଅଇନା... ଅଇନା ତୋ କେଉଁ ଶ୍ରାଦ୍ଧରେ ଲାଗିବ ଶୁଣେ ? ସାନ ସାନ କଥାରେ ୟା ଉପରେ ମାଡ଼ ବସେଇ ଦେବୁ । ତୋତେ ମରଣ ନାହିଁ । କଣ୍ଢେଇପେଡ଼ି- ରଖୁନୁ ତାକୁ

 

କଥା ଶେଷ ନ କରୁଣୁ ସେ ଝିଅର ସଜଡ଼ା ପେଡ଼ିଟିକୁ ଟେକି ନେଇ ବାହାର ବାରଣ୍ଡାକୁ ଫୋପାଡ଼ି ଦେଲା ।

 

ବୁଢ଼ୀ ଝିଅଟିର କିଛି କାମ ଦାମ ନାହିଁ, ଖାଲି ଖାଇବା ଆଉ ସାହି ସାହିରେ ଟୋଟୋ ହୋଇ ଘୁରିବୁଲିବା ଆଉ ଯେତେବେଳେ ଦେଖିବ କଣ୍ଢେଇପେଡ଼ି ଆଉ କଣ୍ଢେଇପେଡ଼ି । ସେ ଗୁଡ଼ାକ ଏବେ ନେଇ ବାଉଁଶ ବଣ ଭିତରେ ଫିଙ୍ଗି ଦେଇଆସିବି । ରହ, ତୋ’ର ଖେଳ ଏକାଥରକେ ଶେଷ କରି ଦେଉଛି ।

 

ଦୁର୍ଗା ମୁହଁରୁ ପଦଟିଏ ବି କଥା ବାହାରିଲା ନାହିଁ । କଣ୍ଢେଇପେଡ଼ିଟି ତା’ର ପ୍ରାଣ । ଦିନ ଭିତରେ ସେ ଦଶଥର ତାକୁ ସଜାଡ଼େ । କେତେ ଯେ କଣ୍ଢେଇ, ଜରି କାଗଜ, ଛିଟ ଲୁଗା, ଅଳତା, କେତେ କଷ୍ଟରେ ସଂଗ୍ରହ କରିଥିବା କନିଅର ମଞ୍ଜି, ଟିଣମୋଡ଼ା ଅଇନା ଖଣ୍ଡିକ, ଚଢ଼େଇର ନୀଡ଼ ସବୁ ବାରଣ୍ଡାରେ ଅନ୍ଧାର ଭିତରେ ଏଠିସେଠି ବିଛାଡ଼ି ହୋଇପଡ଼ିଲା । ତା’ର ମା’ ଯେ ଏତେ ନିର୍ମମ ଭାବରେ ତା’ର କଣ୍ଢେଇପେଡ଼ିକୁ ଫୋପାଡ଼ି ଦେଇପାରନ୍ତି ସେ କେବେବି ଭାବି ପାରିନଥିଲା । କେତେ କଷ୍ଟରେ, କେତେ ଜାଗାରୁ ସଂଗ୍ରହ କରିଥିବା ଜିନିଷ ସବୁ ତା’ ଭିତରେ ଯେ ଥିଲା ।

 

କୌଣସି କଥା କହିବାକୁ ସାହସ କରିନପାରି ସେ ଅବାକ୍‌ ହୋଇ ରହିଗଲା । ଅପୁ ବି ଭାବିଲା, ଦଣ୍ଡଟା ଆବଶ୍ୟକତାଠୁ ଟିକେ ଅଧିକ ହୋଇଗଲା । ସେ ଆଉ କିଛି କଥାବାର୍ତ୍ତା ନ କରି ଚୁପ୍‌ ଚାପ୍‌ ଶୋଇପଡ଼ିଲା ।

 

ରାତି ସେତେବେଳକୁ ଅନେକ ହେଲାଣି । ଘର ଚଟାଣରୁ କିରୋସିନି ତେଲର ଗନ୍ଧ ତଥାପି ବାହାରୁଛି । ବାଉଁଶ ବଣରୁ ପଶି ଆସୁଥିବା ମଶାମାନେ ଘର ଭିତରେ ସଣ୍‌ ସଣ୍‌ କରୁଥିଲେ । କିଛି ସମୟ ନୀରବରେ ବସିରହି, ଦୁର୍ଗା ବି ଚୁପ୍‌ଚାପ୍‌ ଶୋଇପଡ଼ିଲା ।

 

ଭଙ୍ଗା ଝରକା ଭିତର ଦେଇ ଫଗୁଣର ଜହ୍ନ ଆଲୁଅ ବିଛଣା ଉପରେ ପଡ଼ିଥିଲା । ପୋତା ଭିଟା ପଟୁ ଲେମ୍ବୁଫୁଲର ମହ ମହ ଗନ୍ଧ ଭାସିଆସୁଥିଲା ।

 

ଥରଟିଏ ତା’ର ଇଚ୍ଛା ହେଲା, ଉଠିଯାଇ କଣ୍ଢେଇପେଡ଼ିଟା ଓ ବିଛାଡ଼ି ହୋଇ ପଡ଼ିଥିବା ଜିନିଷ ସବୁ ଗୋଟେଇ ରଖିଦେବ କାଲି ସକାଳକୁ ସେଗୁଡ଼ିକ କ’ଣ ଆଉ ମିଳିବ ? କେତେ କଷ୍ଟରେ ସେଗୁଡ଼ିକ ସଂଗୃହୀତ ! କିନ୍ତୁ ସାହସ କରିପାରିଲାନି । ଗୋଟେଇବା ପାଇଁ ଗଲେ, ମା’ ଯଦି ପୁଣି ମାରନ୍ତି ?

 

ବହୁତ ସମୟ ବିତି ଯାଇଥିଲା । ହଠାତ୍‌ ସେ ପାଦ ଉପରେ କାହାର ହାତର ସ୍ପର୍ଶ ଅନୁଭବ କଲା । ଅପୁ ଡରି ଡରି ଡାକିଲା ନାନୀ ! ଦୁର୍ଗା କିଛି କହିବା ଆଗରୁ ସେ ତକିଆ ଦେହରେ ମୁହଁ ଯାକି ହାଉ ହାଉ ହୋଇ କାନ୍ଦିଉଠିଲା । ମୁଁ ଆଉ ଏମିତି କେବେ କରିବିନି ମୋ ଉପରେ ରାଗିବୁନି ନାନୀ- ତୋ’ ଗୋଡ଼ ଧରୁଛି । କାନ୍ଦର ଆବେଗରେ ତା’ର ସ୍ୱର ଅଟକି ଯିବାରେ ଲାଗିଲା ।

 

ଦୁର୍ଗା ପ୍ରଥମେ ବିସ୍ମିତ ହୋଇଥିଲା ତା’ପରେ ସେ ଶେଯରୁ ଉଠି ଭାଇର କାନ୍ଦ ବନ୍ଦ କରିବା ପାଇଁ ଲାଗିପଡ଼ିଲା କାନ୍ଦ୍‌ନା, ଚୁପ୍‌ କର, ମା’ ଯଦି ଶୁଣିବେ ପୁଣିଥରେ ମୋତେ ଗାଳିଦେବେ, ଚୁପ୍‌କର, କାନ୍ଦନ୍ତିନି ଆଚ୍ଛା ହେଲା, ମୁଁ ଆଉ ରାଗିବିନି, ଛିଃ କାନ୍ଦ୍‌ନା ଚୁପ୍‌-

 

ତା’ର ଭୟ ହେଉଥିଲା, ମା’ ଯଦି ପୁଣି ଅପୁର କାନ୍ଦ ଶୁଣିପାରିବେ, ତା’ହେଲେ ହୁଏତ ତାକୁ ହିଁ ପୁଣି ମାରିବେ ।

 

ବହୁତ ବୁଝେଇ ସେ ଭାଇର କାନ୍ଦ ବନ୍ଦକଲା । ତା’ପରେ ଶୋଇ ଶୋଇ ତାକୁ ଅନେକ ଗପ ଓ ବିଶେଷ କରି ରାନୁର ନାନୀର ବାହାଘରର ଗଳ୍ପ କହିବାକୁ ଲାଗିଲା । ଏ କଥା ସେ କଥା ଅନେକ ବିଷୟ ପରେ ଅପୁ ତା’ ନାନୀ ଦେହର ହାତ ରଖି ଚୁପ୍‌ଚୁପ୍‌ କହିଲା ନାନୀ, ଗୋଟିଏ କଥା କହିବି ? ତୋ ସହିତ ମାଷ୍ଟର ମହାଶୟଙ୍କ ବାହାଘର ହେବ ।

 

ଦୁର୍ଗା ଲାଜ ଲାଜ ହୋଇଗଲା । ତା’ ସହିତ ତା’ର ଅତ୍ୟନ୍ତ କୌତୁହଳ ବି ସୃଷ୍ଟିହେଲା । କିନ୍ତୁ ସାନ ଭାଇଟିର ଆଗରେ ଏ କଥା ଆଲୋଚନା କରିବା ପାଇଁ ସଂକୋଚ ହେବାରୁ ସେ ଚୁପ୍‌ ହୋଇ ରହିଗଲା ।

 

ଅପୁ ପୁଣିଥରେ କହିଲା ଖୁଡ଼ୀ ଆଜି ବିକାଳେ ରାନୁର ମା’ ପାଖରେ ଏ କଥା କହୁଥିଲେ । ମାଷ୍ଟର ମହାଶୟ କୁଆଡ଼େ ଅରାଜି ନାହାନ୍ତି ।

 

ଦୁର୍ଗା ପାଇଁ କୌତୁହଳର ଆବେଗ ଚାପି ରଖିବା ଅସମ୍ଭବ ହୋଇଉଠିଲା । ସେ ତାଚ୍ଛଲ୍ୟଭାବ ପ୍ରକଟ କରି କହିଲା ହଁ, ଏ କଥା କହୁଥିଲେ ନା ଆଉ କ’ଣ ଯାଃ, ତୋ’ର ଯେଉଁ କଥା ନା ।

 

ଅପୁ ବିଛଣାରେ ଉଠି ବସିପଡ଼ିଲା ସତ କହୁଚି ନାନୀ, ତୋ’ ଦେହ ଛୁଇଁ କହୁଛି । ମୁଁ ସେଇଠି ଛିଡ଼ା ହୋଇଥିଲି । ମୋତେ ଦେଖି ତ ଏ କଥା ପଡ଼ିଲା । ବାପାଙ୍କୁ କହି ମାଷ୍ଟର ମହାଶୟଙ୍କ ବାପା ଯେଉଁଠି ରୁହନ୍ତି ସେଠିକି ଚିଠି ଲେଖିବେ ।

 

ମା’ ଏ କଥା ଜାଣେ ?

 

ମୁଁ ଆସି ଏ କଥା ମା’କୁ ପଚାରିବି ବୋଲି ଭାବିଥିଲି, ଭୁଲିଗଲି । ପଚାରିବି ନାନୀ ? ମା’ ବୋଧେ ଶୋଇନି । ଖୁଡ଼ୀ କାଲି ମା’କୁ ଡାକି ଏ କଥା କହିବେ ବୋଲି କହିଲେ ତୁ କେତେ ରେଳଗାଡ଼ି ଚଢ଼ିବୁ, ଜାଣିଛୁ ମାଷ୍ଟର ମହାଶୟ ଏଠାରୁ ବହୁତ ଦୂରରେ ରୁହନ୍ତି ସେଠାକୁ ରେଳଗାଡ଼ିରେ ଯିବାକୁ ହେବ ।

 

ଦୁର୍ଗା ଚୁପ୍‌ ରହିଲା ।

 

ସେ ରେଳଗାଡ଼ିର ଛବି ଦେଖିଛି ଅପୁର ଗୋଟିଏ ବହି ଭିତରେ ଅଛି । ଖୁବ୍‌ ଲମ୍ବା ଅନେକ ଚକ ଲାଗିଛି, ସାମନାକୁ ଇଞ୍ଜିନ୍‌, ସେଇଠି ନିଆଁ ଦେଖାଯାଏ, ଧୂଆ ବାହାରେ । ରେଳଗାଡ଼ିଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୁହାରେ ତିଆରି, ଚକ ବି ଲୁହାର ଶଗଡ଼ ଗାଡ଼ି ପରି କାଠର ଚକ ନୁହେଁ । ରେଳ ଲାଇନ୍‌ ପାଖରେ ଚାଳ ଛପର ଘର ନ ଥାଏ, ରହିବି ପାରିବନି । ତା’ ଇଞ୍ଜିନ୍‌ରୁ ବାହାରୁଥିବା ନିଆଁରେ ପୋଡ଼ିଯିବ । ରେଳଗାଡ଼ି ଯେତେବେଳେ ଚାଲେ ତା’ ନଳୀରୁ ନିଆଁ ବାହାରେ ତ ! ସେ ଭାଇ ଦେହରେ ହାତ ବୁଲେଇ କହିଲା ତୋତେ ବି ସାଥିରେ ନେଇଯିବି । ତା’ପରେ ଦୁଇଜଣ ଚୁପ୍‌ ହୋଇ ଶୋଇବାକୁ ଚେଷ୍ଟାକଲେ । ଶୋଇବା ସମୟରେ ବାରମ୍ବାର ଦୁର୍ଗାର ଗୋଟିଏ କଥା ମନକୁ ଆସୁଥିଲା ସୁଦର୍ଶନ ଦିଅଁ ତା’ କଥା ଶୁଣିଛନ୍ତି ! ଆଜି ହିଁ ତ ସେ ସୁଦର୍ଶନ ଦିଅଁ ପାଖରେ ପ୍ରାର୍ଥନା କରିଛି ଦିଅଁଙ୍କ ବଡ଼ ଦୟା ମା’ ସବୁ ଠିକ୍‌ କଥା କହେ !

 

ଅପୁ କହିଲା ଲୀଳା ନାନୀ ପାଇଁ କି ଚମତ୍କାର ଶାଢ଼ୀ କିଣାହୋଇଛି । ଆଜି ଲୀଳାନାନୀଙ୍କ କକା ବାହାଘର ପାଇଁ ରାଣାଘାଟରୁ କିଣି ଆଣିଛନ୍ତି । ମଝିଆ ବଡ଼ମା’ କହୁଥିଲେ ବାଲୁଚରୀ ଶାଢ଼ୀ ।

 

ଦୁର୍ଗା ହସି ହସି କହିଲା ଗୋଟିଏ ଢଗ ଶୁଣିବୁ, ପିଇସୀ କହୁଥିଲେ ବାଲୁଚରର ବାଲିଚରରେ କଥାଟିଏ କହୁଁ, ମହିଷି ପେଟରେ ମୟୂର ଛୁଆ ଆସିଲି ଦେଖି ସହି ।

 

(୧୯)

 

ଅପୁ ଏ ଯାଏଁ ଗୋଟିଏ କଥା କାହାକୁ କହିନି ତା’ ନାନୀକୁ ବି ନୁହେଁ । ସେଦିନ ସେ ଯେତେବେଳେ ଦୁଇପ୍ରହର ସମୟରେ ତା’ ବାପାର ବହି ଭର୍ତ୍ତି କାଠ ସିନ୍ଦୁକଟିକୁ ଗୋପନରେ ଖୋଲିଥିଲା, ସେତେବେଳେ ସେ ଏହି ଅଦ୍ଭୁତ ତଥ୍ୟର ସନ୍ଧାନ ପାଇଥିଲା ।

 

ପାଚେରୀ ଉପରେ ବାଉଁଶ ବଣର ଛାଇ ସେତେବେଳ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମରେ ଲମ୍ବିଯାଇନି । ଠିକ୍‌ ଦୁଇ ପ୍ରହରରେ ସୋନାଡାଙ୍ଗାର ଜନବିରଳ ବିଶାଳ ପ୍ରାନ୍ତର ଭିତରେ ଥିବା ପୁରୁଣା ଅଶ୍ୱତ୍‌ଥ ଗଛର ଛାଇ ପରି ଗୋଟିଏ ସ୍ଥାନରେ ଛାୟା ଜମାଟ ବାନ୍ଧିଥିଲା ।

 

ଦିନେ ସେ ଦୁଇପ୍ରହର ସମୟରେ ବାପାଙ୍କ ଅନୁପସ୍ଥିତିରେ ଘରର ଦୁଆର ବନ୍ଦ କରି ଚୁପ୍‌ଚାପ୍‌ ବହିର ବାକ୍ସଟି ଗୋପନରେ ଖୋଲୁଥିଲା । ଅଧୀର ଆଗ୍ରହରେ ସେ ଏ ବହି ସେ ବହିର ପୃଷ୍ଠା ଲେଉଟାଇ କିଛି କିଛି ଛବି ଦେଖୁଥିଲା ଓ କୌଣସି ବହି ଭିତରେ ଭଲ ଗଳ୍ପ ଅଛି କିନା ଦେଖିବାକୁ ଲାଗିଲା । ଖଣ୍ଡିଏ ବହିର ମଲାଟ ଖୋଲି ଦେଖିଲା, ବହିଟିର ନାମ, ସର୍ବ-ଦର୍ଶନ-ସଂଗ୍ରହ । ତା’ର ଅର୍ଥ କ’ଣ, ବହିଟି କାହା ଉପରେ ଲେଖା, ତା’ର ବିନ୍ଦୁବିସର୍ଗ ବି ବୁଝିପାରିଲାନି । ବହିଟି ଖୋଲି ଦେବାରୁ ଦଳେ କାଗଜ କଟା ପୋକ ନିଃଶବ୍ଦରେ ବିବର୍ଣ୍ଣ ମସୃଣ କାଗଜ ତଳୁ ବାହାରି ଉଦ୍ଧ୍ୱର୍ଶ୍ୱାସରେ ଏଣେତେଣୁ ଯେଉଁ ଆଡ଼କୁ ଦୃଷ୍ଟିଯାଏ ଧାଇଁବାକୁ ଲାଗିଲେ । ଅପୁ ବହିଟିକୁ ନାକ ପାଖକୁ ନେଇ ଶୁଂଘିଲା-ଗୋଟାଏ ପୁରୁଣା, ପୁରୁଣା ଗନ୍ଧ । ମାଟିଆ ରଙ୍ଗର ମୋଟା ମୋଟା ପୃଷ୍ଠାଗୁଡ଼ିକର ଏହି ଗନ୍ଧ ତାକୁ ଭାରି ଭଲ ଲାଗେ । ଏଇ ଗନ୍ଧଟି ପାଇଲେ କେବଳ ତା’ ବାପା କଥା ମନେପଡ଼େ । ଯେତେବେଳେ ଏ ଗନ୍ଧ ଆସେ କେଜାଣି କାହିଁକି ତା’ର ବାପାର କଥା ମନେପଡ଼ିଯାଏ ।

 

ଅତି ପୁରୁଣା ମସୃଣ କାଗଜରେ ବନ୍ଧା ମଲାଟରେ ଅନେକ ସ୍ଥାନରେ ବକଳା ଉଠିଯାଇଛି । ଏଇ ପୁରୁଣା ବହିଟି ଉପରେ ତା’ର ପ୍ରଧାନ ମୋହ । ତେଣୁ ଏହି ବହିଖଣ୍ଡିକ ତକିଆ ତଳେ ଲୁଚେଇ ଦେଇ ଅନ୍ୟାନ୍ୟ ବହି ସବୁକୁ ବାକ୍ସରେ ଭର୍ତ୍ତିକରି ବନ୍ଦ କରି ଦେଲା ।

 

ଗୋପନରେ ପଢ଼ୁ ପଢ଼ୁ ଏ ବହିଟା ଭିତରେ ସେ ଏକ ଅଦ୍ଭୁତ କଥା ଲେଖାଥିବା ଦେଖିଲା । ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ ଏ କଥା ସତ କିନ୍ତୁ ଛପା ଅକ୍ଷରରେ ଏ କଥା ଲେଖା ଥିବାର ସେ ପଢ଼ିଥିଲା । ପାରଦର ଗୁଣ କଥା ବର୍ଣ୍ଣନା ଭିତରେ ଲେଖକ ଏ କଥା ଲେଖିଥିଲେ ଯେ- ଶାଗୁଣାର ଅଣ୍ଡା ଭିତରେ ପାରଦ ଭର୍ତ୍ତି କରି କିଛିଦିନ ଖରାରେ ରଖିବା ପରେ, ଯଦି ସେହି ଅଣ୍ଡା କେହି ପାଟିରେ ପୁରାଏ, ସେ ଇଚ୍ଛା କଲେ ଶୂନ୍ୟମାର୍ଗରେ ବିଚରଣ କରିବାର କ୍ଷମତା ପାଇଥାଏ ।

 

ଅପୁ ନିଜ ଆଖିକୁ ବିଶ୍ୱାସ କରିପାରିଲାନି । ସେ କଥାଟିକୁ ବାରମ୍ବାର ପଢ଼ିଲା । ପୁଣି ପଢ଼ିଲା ।

 

ତା’ପରେ ତା’ର ଢାଙ୍କୁଣି ଭଙ୍ଗା ବାକ୍ସ ଭିତରେ ବହି ଖଣ୍ଡିକ ଲୁଚେଇ ରଖି ବାହାରକୁ ଆସି ଭାବିଲା । ଭାବୁ ଭାବୁ ଅବାକ୍‌ ହୋଇଗଲା ।

 

ନାନୀକୁ ପଚାରିଲା ଶାଗୁଣାମାନେ କେଉଁଠି ବସା ବାନ୍ଧନ୍ତି ଜାଣିଛୁ, ନାନୀ ? ତା’ର ନାନୀ କହିପାରିଲାନି । ସେ ସାହିର ପିଲା, ସତୁ, ନୀଲୁ, କିନୁ, ପଟଳ, ନେଡ଼ା ସମସ୍ତଙ୍କୁ ପଚାରିଲା । କିଏ କହିଲା, ଏଠାରେ ଦିଏନି, ଉତ୍ତରପଟ ପ୍ରାନ୍ତରର ଉଚ୍ଚ ଗଛ ଉପରେ ସେମାନେ ବସା ବାନ୍ଧନ୍ତି ।

 

ତା’ ମା’ ତାକୁ ଗାଳି ଦିଅନ୍ତି ଏମିତି ଦୁଇ ପ୍ରହରଟାରେ କେଉଁଠି ଘୁରି ବୁଲୁ ! ଅପୁ ଘରେ ପଶି ଶୋଇବାର ଛଳନା କରେ । ବହିଖଣ୍ଡିକ ଖୋଲି ସେ ପୃଷ୍ଠାଟି ଆଉଥରେ ମନଯୋଗ ସହକାରେ ପଢ଼େ । କି ଆଶ୍ଚର୍ଯ୍ୟ ! ଏତେ ସହଜରେ ଉଡ଼ିବା କଥାଟା କେହି କେମିତି ଜାଣନ୍ତିନି ? ହୁଏତ ଏ ବହିଖଣ୍ଡିକ ଆଉ କାହାଘରେ ନ ଥିବ, କେବଳ ତା’ ବାପାର ହିଁ ଅଛି ହୁଏତ ଏଇ ସ୍ଥାନରେ ଲେଖାଥିବା କଥାଟି କେହି ପଢ଼ି ନ ଥିବେ, କେବଳ ଏତେଦିନ ପରେ ତା’ ଆଖିରେ ପଡ଼ିଛି ।

 

ବହିଟି ଭିତରେ ମୁହଁ ଯାକି ପୁଣିଥରେ ଶୁଂଘେ ସେହି ପୁରୁଣା ପୁରୁଣା ଅଜବ ଗନ୍ଧଟି । ଏହି ବହିଟିରେ ଯାହା ଲେଖାଅଛି, ତାହାର ସତ୍ୟତା ସମ୍ପର୍କରେ ମନରେ ଆଉ କିଛି ଅବିଶ୍ୱାସ ରହେନି ।

 

ପାରଦ ପାଇବା ପାଇଁ ଚିନ୍ତା ନାହିଁ । ପାରଦ ମାନେ ‘ପାରା’ ବୋଲି ସେ ଜାଣେ । ଅଇନା ପଛରେ ପାରଦ ବୋଳା ହୋଇଥାଏ । ଘରେ ବି ଗୋଟିଏ ଭଙ୍ଗା ଅଇନା ଅଛି । ସେଥିରୁ ଏବେ ପାରଦ ଯୋଗାଡ଼ କରିପାରିବ । କିନ୍ତୁ ଶାଗୁଣାର ଅଣ୍ଡା ସେ କେମିତି ପାଇବ ?

 

ଦୁଇ ପ୍ରହର ଖାଇବା ପରେ ତା’ ନାନୀ କେବେ କେବେ ତାକୁ ପାଖକୁ ଡାକି କହେ ଅପୁ ଶୁଣିଯା, ମଜା ଦେଖିବୁ ଆସ । ପରେ ସେ ଖାଇବା ଥାଳିରୁ ମୁଠାଏ ଭାତ ଟେକିନେଇ ଘରର ପଛପଟ କବାଟ ପାଖରେ ବାଉଁଶ ବଗିଚାକୁ ଯାଇ ଡାକ ପକାଏ- ଆ ଆ ଭୁଲୁ-ଆଚୁ- ଉ...ଉ...ଉ... ! ଡାକ ପକେଇ ଦୁର୍ଗା ହସ ହସ ମୁହଁରେ ଭାଇ ଆଡ଼କୁ ଚୁପ୍‌କିନା ଚାହିଁ ରହେ । ଯେମିତି ଗୋଟିଏ ଅପୂର୍ବ ରହସ୍ୟପୁରୀର ଦୁଆର ଏବେ ସେମାନଙ୍କ ଆଖି ସାମନାରେ ଖୋଲିଯିବ । ହଠାତ୍‌ କେଉଁଠୁ ଗୋଟାଏ କୁକୁର ଆସିଯାଏ ଓ ଦୁର୍ଗା ହାତ ଟେକି କହେ- ଏଇ ଆସିଗଲା । କେଉଁଠୁ ଆସିଲା କହିଲୁ ? ଖୁସିରେ ସେ ହିଃ, ହିଃ କରି ମନ ଖୋଲି ହସେ ।

 

ପ୍ରତିଦିନ ସେ କୁକୁରକୁ ଭାତ ଖୁଆଇବାରେ ଦୁର୍ଗାକୁ ବେଶ୍‌ ମଜାଲାଗେ । ତୁମେ ଡାକ ପକାଅ, କେହି କୁଆଡ଼େ ନ ଥିବେ, ଚାରିଆଡ଼େ ଚୁପ୍‌ଚାପ୍‌ ! ଭାତ ମାଟିରେ ଥୋଇ ଦୁର୍ଗା ଆଖି ବନ୍ଦ କରି ଠିଆ ହୁଏ, ଆଶା ଓ ବ୍ୟାକୁଳତାରେ ଛାତି ଭିତରଟା ଧପ୍‌, ଧପ୍‌ କରେ ମନେ ମନେ ଭାବେ ଆଜି ବୋଧେ ଭୁଲୁ ଆଉ ଆସିବନି । ଦେଖେଁ ସେ କେଉଁଆଡୁ ଆସୁଛି ! ଆଜି କ’ଣ ଡାକ ଶୁଣିପାରିଛି !

 

ହଠାତ୍‌ ଘଞ୍ଚ ବୁଦା ଭିତରେ ଶବ୍ଦଟିଏ ହୁଏ

 

ଆଖି ନିମିଷକେ ବଣଜଙ୍ଗଲର ଲତାପତ୍ର ଛିଣ୍ଡିମିଣ୍ଡି ଧଇଁସଇଁ ହୋଇ ଭୁଲୁ ନକ୍ଷତ୍ର ବେଗରେ କେଉଁଠୁ ଆସି ପହଞ୍ଚିଯାଏ ।

 

ଆଉ ସଙ୍ଗେ ସଙ୍ଗେ ଦୁର୍ଗାର ସାରା ଶରୀରରେ କେମିତି ଗୋଟିଏ ପ୍ରବାହ ବହିଯାଏ । ବିସ୍ମୟ ଓ କୌତୁକରେ ତା’ର ମୁହଁ ଓ ଆଖି ଉଜ୍ଜ୍ୱଳ ଦେଖାଯାଏ । ମନେ ମନେ ଭାବେ ଠିକ୍‌ ଶୁଣିପାରୁଛି ତ, କିନ୍ତୁ କେଉଁଠୁ ଆସେ ! ଆଚ୍ଛା, କାଲି ଟିକିଏ ଧୀରେ ଧୀରେ ଡାକି ଦେଖିବି, ସେ ଶୁଣିପାରୁଛି ନା ନାହିଁ ?

 

ଏ ମଜା ଉପଭୋଗ କରିବା ପାଇଁ ସେ ମା’ଠୁ ଗାଳି ଶୁଣେ ପଛେ, କିନ୍ତୁ ପ୍ରତିଦିନ ଖାଇବା ସମୟରେ ନିଜେ ବରଂ ଟିକିଏ କମ୍‍ ଖାଇ ନିଜ ଭାଗରୁ କିଛି ଥାଳିରେ ସଞ୍ଚୟ କରିରଖେ ।

 

ଅପୁ କିନ୍ତୁ ତା’ ନାନୀର କୁକୁର ଡାକିବା ଭିତରେ ମଜା ଟିକକ ଯେ କ’ଣ, ସେ କଥା ବୁଝିପାରେନି । ନାନୀର ଏଭଳି ନାରୀ ସୁଲଭ ବ୍ୟାପାର ଭିତରେ ସେ ନ ଥାଏ । ଅଧୀର ଆଗ୍ରହରେ ଭୋଜନରତ ଶୀର୍ଣ୍ଣ କୁକୁରଟା ଆଡ଼କୁ ସେ ଥରଟିଏ ବି ଚାହିଁ ଦେଖେନି, ସେ କେବଳ ଶାଗୁଣା ଅଣ୍ଡା କଥା ଭାବୁଥାଏ ।

 

ଶେଷରେ ଦିନେ ସନ୍ଧାନ ମିଳିଗଲା । ହୀରୁ ଭଣ୍ଡାରିର ପଣସ ତୋଟାରେ ଗାଈ ଜଗୁଆଳୀ ପିଲାମାନେ ଗୋରୁ ବାନ୍ଧି ଗୃହସ୍ଥ ଘରୁ ତେଲ, ତମାଖୁ ଆଦି ଆଣିବାକୁ ଯାଆନ୍ତି । ଅପୁ ତାଙ୍କ ସାହିର ଗାଈ ଜଗୁଆଳୀ ପିଲାକୁ କହିଲା ତୁମେ ସବୁ କେତେ ବିଲବାଡ଼ିରେ ବୁଲୁଛ, ଶାଗୁଣାର ବସା ଦେଖିଛ ? ମୋତେ ଯଦି ଗୋଟିଏ ଶାଗୁଣାର ଅଣ୍ଡା ଆଣିଦେବୁ, ତୋତେ ଦୁଇ ପଇସା ଦେବି ।

 

ଚାରିଦିନ ପରେ ଗାଈ ଜଗୁଆଳୀ ପିଲାଟି ତା’ ଘର ଆଗକୁ ଆସି ତାକୁ ଡାକିଲା । ଅଣ୍ଡା ଥଳିରୁ ଦୁଇଟି ସାନ ସାନ କଳା ରଙ୍ଗର ଅଣ୍ଡା ବାହାର କରି କହିଲା ଏଇ ଦେଖ, ସାନ ନନା, ଆଣିଛି ।

 

ଅପୁ ଶୀଘ୍ର ହାତ ବଢ଼େଇ କହିଲା ଦେଖେଇଲୁ । ପରେ ଆନନ୍ଦରେ ତଳ ଉପର କରି କହିଲା ଶାଗୁଣା ଅଣ୍ଡା ! ସତରେ ?

 

ଗାଈଆଳ ପିଲାଟି ସେ ସମ୍ପର୍କରେ ଭୁରି ଭୁରି ପ୍ରମାଣ ଉତ୍‌ଥାପନ କଲା । ଏଇଟା ଶାଗୁଣାର ଅଣ୍ଡା କି ନୁହେଁ ଏ ସମ୍ପର୍କରେ ସନ୍ଦେହର କୌଣସି ଅବକାଶ ନାହିଁ । ସେ ନିଜ ଜୀବନ ବିପନ୍ନ କରି କେଉଁଠିକାର କେଉଁ ଉଚ୍ଚ ଗଛର ଅଗଡାଳକୁ ଚଢ଼ି ସେଗୁଡ଼ିକ ସଂଗ୍ରହ କରିଛି କିନ୍ତୁ ଦୁଇ ଅଣାରୁ କମ୍‍ରେ ସେ ଦେବନି ।

 

ପାରିଶ୍ରମିକର ପରିମାଣ ଶୁଣି ଅପୁକୁ ଅନ୍ଧାର ଦେଖାଗଲା । କହିଲା ଦୁଇଟି ପଇସା ଦେବି, ଆଉ ମୋ ପାଖରେ ଯେତେ କଉଡ଼ି ଅଛି ଦେବି, ନେବୁ ? ସବୁ ଦେଇଦେବି ଗୋଟିଏ ଟିଣ ଠୁଙ୍ଗା ଭର୍ତ୍ତି କଉଡ଼ି- ସବୁ ଦେଇଦେବି । ଏଇ, ଏତେ ବଡ଼ ବଡ଼ ସୁନାଗଣ୍ଠିଆ କଉଡ଼ି ଦେଖିବୁ, ଦେଖେଇବି ?

 

ଗୋପାଳ ପୁଅଟି ସାଂସାରିକ ବିଷୟ ବୁଦ୍ଧିରେ ଅପୁ ଅପେକ୍ଷା ବେଶି ଚାଲାକ ବୋଲି ମନେହେଲା । ସେ ନଗଦ ପଇସା ଛଡ଼ା କେଉଁଥିରେ ରାଜି ହେଲାନି । ଅନେକ ଦର କଷାକଷି ପରେ ଚାରି ପଇସାରେ ମୂଲଚାଲ ହେଲା । ଅପୁ ନାନୀ ପାଖରୁ ମାଗିଯାଚି ଦୁଇପଇସା ଯୋଗାଡ଼ କରି ତାକୁ ଦେଲା ଓ ଅଣ୍ଡା ଦୁଇଟି ରଖିଲା । ତା’ଛଡ଼ା ଗୋପାଳ ପୁଅଟି କିଛି କଉଡ଼ି ମଧ୍ୟ ନେଲା । କଉଡ଼ିଗୁଡ଼ିକ ଅପୁର ପ୍ରାଣ । ଅନ୍ୟ ସମୟରେ ଅର୍ଦ୍ଧେକ ରାଜ୍ୟ ଓ ରାଜକନ୍ୟା ବିନିମୟରେ ବି ସେ କଉଡ଼ିଗୁଡ଼ିକ କେବେବି ହାତଛଡ଼ା କରିନଥାନ୍ତା । କିନ୍ତୁ ଆକାଶରେ ଉଡ଼ିବାର ଆମୋଦ ଆଗରେ ବାଇଗଣ ମଞ୍ଜିର ଖେଳକୁ କ’ଣ ତୁଳନା କରାଯିବ ।

 

ଅଣ୍ଡାଟା ହାତରେ ଧରି ତା’ ମନଟା ଯେମିତି ପବନ ଭର୍ତ୍ତି ରବର ବେଲୁନ୍‌ ପରି ହାଲୁକା ହୋଇ କ୍ରମେ ଫୁଲିବାକୁ ଲାଗିଲା । ସଙ୍ଗେ ସଙ୍ଗେ ତା’ ମନ ଭିତରେ ଗୋଟାଏ ସନ୍ଦେହର ଛାଇ ଘନେଇ ଆସିଲା । ଏହି ହାଲୁକା ଭାବ, ଏ ଯାଏ ନ ଥିଲା, କିନ୍ତୁ ଅଣ୍ଡାଟା ହାତରେ ପଡ଼ିବା ପରେ ପରେ ଯେମିତି ଏଇ ଭାବଟି କେଉଁଠୁ ଅସ୍ପଷ୍ଟ ଭାବରେ ଆସି ପହଞ୍ଚିଯାଇଛି । ସନ୍ଧ୍ୟା ପୂର୍ବରୁ ସତେ ଯେମିତି ସେ ମନେ ମନେ ନେଡ଼ା ଘରର ଜାମୁଗଛ ଉପରେ କଟା ହୋଇ ଲାଗିଥିବା ଗୁଡ଼ି ଉପରେ ବସିଥିବାର ଚିନ୍ତାକଲା ଓ ଭାବିଲା, ସତରେ କ’ଣ ଆକାଶରେ ଉଡ଼ି ହେବ । ସେ ଉଡ଼ି ଉଡ଼ି କେଉଁଠିକି ଯିବ ? ମାମୁଁ ଘରର ଦେଶକୁ ? ବାପା ଯେଉଁଠି ଅଛନ୍ତି, ସେଇଠିକି ? ନଦୀ ସେ ପାରିକୁ ? ଶାରୀବଣି, ମୟଣା ପକ୍ଷୀଭଳି ଏଇ ଆକାଶରେ ଉଡ଼ିଯିବ ଯେଉଁଠି ତାରା ଉଇଁଛି ?

 

ସେଦିନ କିମ୍ବା ତା’ ପରଦିନର ଘଟନା । ଦୁର୍ଗା ସଞ୍ଜ ଆଗରୁ ସଳିତା ପାଇଁ ଛିଣ୍ଡା କନା ଖୋଜୁଥିଲା । ଥାକର ହାଣ୍ଡି କଳସୀ ପାଖରେ ଗୁଞ୍ଜା ହୋଇଥିବା ସଳିତା ସଜେଇବାର ଛିଣ୍ଡା କନା ଗଣ୍ଠିଲି କାଢୁ କାଢୁ କ’ଣ ଗୋଟାଏ ଠକ୍‌ କରି ତା’ ପିଠି ଉପର ଦେଇ ତଳକୁ ଗଡ଼ି ଯାଇ ଚଟାଣରେ ପଡ଼ିଗଲା । ଘର ଭିତରଟା ଅନ୍ଧାର, ଠିକ୍‌ ଭାବରେ କିଛି ଦେଖାଯାଉନଥିଲା । ଦୁର୍ଗା ଚଟାଣରୁ ଗୋଟେଇ ଆଣି ବାହାରକୁ ଆସି କହିଲା ମା’ଗୋ, ଏଠି ଦୁଇଟା କାହାର ବଡ଼ ବଡ଼ ଅଣ୍ଡା ଅଛି । ଆରେ ଯା, ତଳେ ପଡ଼ି ଖଣ୍ଡ ଖଣ୍ଡ ହୋଇଯାଇଛି ଦେଖିଚ ମା’, କି ଚଢ଼େଇଟା ଆମ ଘର ଭିତରେ ଅଣ୍ଡା ଦେଇଛି !

 

ତା’ପରେ କ’ଣ ସବୁ ଘଟିଗଲା, ସେ ପ୍ରସଙ୍ଗ ନ ଉଠେଇବା ହିଁ ଭଲ । ଅପୁ ସେଦିନ ରାତିରେ କିଛି ଖାଇଲା ନାହିଁ... କାନ୍ଦ... ଆଉ.. ହୈଚୈ କାଣ୍ଡ... ତା’ ମା’ ନଈଘାଟରେ ଗପକଲେ... ପୁଅଟାର ଯେ କାଣ୍ଡ କାରଖାନା ! ଏମିତି କଥା ତ କେବେବି ଶୁଣିନି ଶୁଣୁଛ ସାନ ମଝିଆ ନଣନ୍ଦ, ଶାଗୁଣାର ଅଣ୍ଡା ନେଇ ମଣିଷ ପୁଣି ଆକାଶରେ ଉଡ଼ିପାରେ । ଏଇ ସେ ଘରର ଗାଈ ଜଗୁଆଳୀ ପିଲାଟା, ବଦ୍‌ମାସର ଅସଲ ମଞ୍ଜି । ତାକୁ ବୋଧେ କହିଚି, ସେ କେଉଁଠୁ କାଉର ବା ଆଉ କାହାର ଅଣ୍ଡା ଆଣି କହିଛି ଏଇ ନେ ଶାଗୁଣା ଅଣ୍ଡା । ସେଗୁଡ଼ିକ ପୁଣି ଚାରି ପଇସା ଦେଇ କିଣିଛି । ପିଲାଟା ଯେ ଏତେ ବୋକା କ’ଣ କହିବି ତୁମକୁ । ଏ ପିଲାଟାକୁ ନେଇ କ’ଣ ଯେ କରିବି !

 

କିନ୍ତୁ ବିଚାରୀ ସର୍ବଜୟା ବା କେମିତି ଜାଣିବ, ସମସ୍ତେ ତ ସର୍ବଦର୍ଶନ ସଂଗ୍ରହ ପଢ଼ିନାହାନ୍ତି କିମ୍ବା ସମସ୍ତେ ପାରଦର ଗୁଣ ବିଷୟରେ ଅବଗତ ନୁହନ୍ତି ।

 

ତା’ହେଲେ, ସମସ୍ତେ ଆକାଶରେ ଉଡ଼ିପାରନ୍ତେ !

 

(୨୦)

 

ବେଶ୍‌ କିଛିଦିନ ହେଲାଣି ଗାଁ’ର ବୟୋବୃଦ୍ଧ ନରୋତ୍ତମ ଦାସ ବାବାଜୀଙ୍କ ସହିତ ଅପୁର ବେଶ୍‌ ଜମିଯାଇଛି । ଗାଙ୍ଗୁଲି ସାହିର ଗୋଟିଏ ସାଧାରଣ ଚାଳଘରେ ଏହି ଗୌରବର୍ଣ୍ଣ ଦିବ୍ୟକାନ୍ତି, ସଦାନନ୍ଦ ବୃଦ୍ଧ ବ୍ୟକ୍ତିଜଣକ ରୁହନ୍ତି । ବେଶି ଗହଳଚହଳ, ଗୋଳମାଳ ଭଲ ପାଆନ୍ତିନି । ପ୍ରାୟ ନିର୍ଜନତା ପସନ୍ଦ କରନ୍ତି । କେବେ କେବେ ସନ୍ଧ୍ୟାପରେ ଗାଙ୍ଗୁଲି ଘର ଚଣ୍ଡୀମଣ୍ଡପରେ ଆସି ବସନ୍ତି । ଅପୁ ସାନ ହୋଇଥିବା ଦିନଠୁ ହରିହର କେବେ କେବେ ପୁଅକୁ ସାଙ୍ଗରେ ଧରି ନରୋତ୍ତମ ଦାସଙ୍କ ପାଖକୁ ନେଇ ଯାଉଥିଲା । ସେହିଦିନଠୁ ଦୁଇଜଣଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ବେଶ୍‌ ବଢ଼ିଯାଇଛି । କେବେ କେବେ ଅପୁ ତାଙ୍କ ଘରେ ପହଞ୍ଚି ଡାକି ଦିଏ ଜେଜେ ଘରେ ଅଛ ? ବୃଦ୍ଧ ଘରୁ ଶୀଘ୍ର ବାହାରି ଆସି ତାଳ ଚଟେଇ ମେଜ ଉପରେ ପାରି ଦେଇ କହନ୍ତି ଆସ ଆସ, ନାତିଟୋକା, ଏଇଠି ବସ ।

 

ଅନ୍ୟ ସବୁଠି ଅପୁଟା ମୁଦାମୁହାଁ । ମୁହଁରୁ ପଦେ ହେଲେ କଥା କେଉଁଠି ବାହାରିବନି । କିନ୍ତୁ ଏହି ସରଳ, ଶାନ୍ତ ଦର୍ଶନ ବୃଦ୍ଧଙ୍କ ସହିତ ସେ ସମ୍ପୂର୍ଣ୍ଣ ନିଃସଙ୍କୋଚରେ ମିଶିଯାଏ । ତାଙ୍କ ସହିତ ତା’ର ଆଳାପ, କଥାବାର୍ତ୍ତା, ଖେଳ ସାଥୀମାନଙ୍କ ପରି ଘନିଷ୍ଠ, ବାଧାମୁକ୍ତ ଓ ଉଲ୍ଲାସମୟ । ନରୋତ୍ତମ ଦାସଙ୍କର କେହି ନାହାନ୍ତି । ସେ ଏକା ଏକା ରୁହନ୍ତି । ସ୍ୱଜାତୀୟ ବୈଷ୍ଣବ ଝିଅଟିଏ ଘରର କାମଦାମ୍‌ କରି ଦେଇଯାଏ । ଅନେକ ସମୟରେ ବିକାଳର ସାରା ପ୍ରହରଟାରେ ଅପୁ ଗଳ୍ପ ଶୁଣେ ଓ ଗଳ୍ପ କହେ । ସେ ଜାଣେ ଯେ ନରୋତ୍ତମ ଦାସ ତା’ ବାପାଙ୍କଠୁ ବୟସରେ ଅନେକ ବଡ଼ ଓ ଅନ୍ନଦା ରାୟଙ୍କଠାରୁ ବି ବଡ଼ । ଆଉ ଏହି ବୟୋବୃଦ୍ଧତା ପାଇଁ ଅପୁର କାହିଁକି ମନେହୁଏ ସେ ତା’ର ସହପାଠୀ ଅତି ଆପଣାର କେହି ଜଣେ । ଏଠାକୁ ଆସିଲେ ତା’ର ସମସ୍ତ ଲଜ୍ଜ୍ୟାଭାବ ସଂକୋଚ ମନକୁ ମନ ଅପସରିଯାଏ । ଗଳ୍ପ କରୁ କରୁ, ଅପୁ ମନଖୋଲି ହସେ । ଏମିତି ସବୁକଥା ବିନା ଦ୍ୱିଧାରେ କହିଯାଏ । ଯାହା ସେ ଅନ୍ୟ ସ୍ଥାନରେ ଭୟରେ କହିପାରେନା କାଳେ କିଏ ପ୍ରବୀଣ ବ୍ୟକ୍ତି ଧମକ ଦେଇ କହିଦେବେ ଇଞ୍ଚଡ ପକା ବୋଲି । ନରୋତ୍ତମ ଦାସ କୁହନ୍ତି ବୁଝିଲୁ ନାତି ତୁହିଁ ମୋର ଗୌର ତୋତେ ଦେଖିଲେ ମୋର କାହିଁକି ମନେ ହୁଏ, ମୋର ଗୌର ତୋ ବୟସରେ ଠିକ୍‌ ତୋ’ ପରି ସୁନ୍ଦର, ସୁଶ୍ରୀ, ନିଷ୍ପାପ ଥିଲେ । ତୋ’ରି ଭଳି ଭାବ ବିନୋଦିଆ ଆଖି ତାଙ୍କର ବି ଥିଲା ।

 

ଅନ୍ୟ କେଉଁଠି ହୋଇଥିଲେ, ଏ କଥାରେ ଅପୁ ଲାଜ ଲାଜ ହୋଇଯାଇଥାନ୍ତା । କିନ୍ତୁ ଏଠାରେ ସେ ହସି ହସି କହେ ତା’ହେଲେ ଜେଜେ, ତୁମେ ଏଥର ବହି ଭିତରେ ଥିବା ତାଙ୍କ ଛବିଟା ମୋତେ ଦେଖାଅ ।

 

ବୃଦ୍ଧ ବ୍ୟକ୍ତି ଜଣକ ଘର ଭିତରୁ ‘ପ୍ରେମ ଭକ୍ତି ଚନ୍ଦ୍ରିକା’ ବହିଖଣ୍ଡିକ ଧରି ଆସନ୍ତି । ତାଙ୍କର ଅତ୍ୟନ୍ତ ପ୍ରିୟ ଗ୍ରନ୍ଥ ସେ ଖଣ୍ଡିକ । ଏକାନ୍ତରେ ବହିଟି ପଢ଼ୁ ପଢ଼ୁ ସେ ମୁଗ୍‍ଧ ବିଭୋର ହୋଇଯାଆନ୍ତି । ସେଥିରେ ଛବି ମାତ୍ର, ଦୁଇଟି । ଛବି ଦେଖା ଶେଷ ହୋଇଗଲେ, ସେ କହନ୍ତି, ମୋର ମୃତ୍ୟୁବେଳକୁ ବହିଟି ତୋତେ ଦେଇଯିବିରେ ଅପୁ, ତୋ’ ହାତରେ ଏ ବହିଟିର ଅପମାନ ହେବନି ।

 

ତାଙ୍କର ଜଣେ ଶିଷ୍ୟ ମଝିରେ ମଝିରେ ପଦ୍ୟ ରଚନା କରି ତାଙ୍କୁ ଶୁଣେଇବାକୁ ଆସେ । ବୃଦ୍ଧ ବିରକ୍ତ ହୋଇ କୁହନ୍ତି ପଦ ଲେଖିଛ, ଭଲ କରିଛ । ସେସବୁ ମୋତେ ଶୁଣାନାରେ ବାପା । ପଦକର୍ତ୍ତା ଥିଲେ ବିଦ୍ୟାପତି ଚଣ୍ଡୀ ଦାସ ତାଙ୍କ ପରେ ଯିଏ ସବୁ ଲେଖିଛନ୍ତି, ସେଗୁଡ଼ିକ ମୁଁ ଶୁଣିଛି ମୋତେ ସେଗୁଡ଼ିକ ଶୁଣାଅ ନାହିଁ, ବରଂ ଅନ୍ୟ କାହାକୁ ଶୁଣାଅ ।

 

ସହଜ, ସାଧାରଣ, ଅନାଡ଼ମ୍ବର ଜୀବନର ଗତିପଥ ଅନୁସରଣ କରି ଏଠାରେ ଯେମିତି ଏକ ଅନ୍ତଃସଲିଳା ମୁକ୍ତିର ଧାରା ପ୍ରବାହମାନ, ଅପୁ ସେଇ ଟିକକ କେମିତି ହୃଦୟଙ୍ଗମ କରିପାରେ । ତା’ ନିକଟରେ ସେଗୁଡ଼ିକ ତାଜାମାଟି, ପକ୍ଷୀ, ଗଛବୃଚ୍ଛର ସାହଚର୍ଯ୍ୟପରି ଏକାନ୍ତ ଅନ୍ତରଙ୍ଗ ଓ ଆନନ୍ଦମୟ ବୋଧହୁଏ ବୋଲି ତା’ର ଜେଜେ ନିକଟକୁ ଆସିବାର ଆକର୍ଷଣ ପ୍ରବଳ ହୋଇଉଠେ ।

 

ଫେରିବା ସମୟରେ ଅପୁ ନରୋତ୍ତମ ଦାସଙ୍କର ଅଗଣାରେ ଥିବା ମୁଚୁକୁନ୍ଦ-ଚମ୍ପା ଫୁଲର ଗଛମୂଳରୁ ବେଶ୍‌ କିଛି ଫୁଲ ସାଉଁଟି ନେଇଯାଏ । ସେଗୁଡ଼ିକ ଶେଯ ଉପରେ ସେ ରଖିଦିଏ । ତା’ପରେ ସଞ୍ଜବତୀ ଜଳିଲା ପରେ ବାପାଙ୍କ ଆଦେଶରେ ପଢ଼ିବାକୁ ବସିଯାଏ । ତାକୁ କେବେବି ଘଣ୍ଟାକରୁ ବେଶି ପଢ଼ିବାକୁ ପଡ଼େନା, ତଥାପି ଅପୁର ମନେହୁଏ ରାତିଟା ଯେମିତି ବହୁତ ବେଶି ହୋଇଗଲାଣି । ତା’ପରେ ତାକୁ ଛୁଟି ମିଳେ । ଶେଯ ଉପରକୁ ଶୋଇବା ପାଇଁ ଯାଏ । ଶୋଇପଡ଼େ- ଆଉ ଆଜି ଦିନର ସମସ୍ତ ଖେଳକୌତୁକ, ସାରାଦିନର ଯେତେସବୁ ଆନନ୍ଦର ସ୍ମୃତି ଆତିଶଯ୍ୟରେ ଭରପୁର ହୋଇ ବିଛଣାରେ ରଖିଥିବା ମୁଚୁକୁନ୍ଦ-ଚମ୍ପାର ଗନ୍ଧ ଆଘ୍ରାଣ କରେ । ଆଉ ସେହି ସୁବାସ ତା’ର କ୍ଳାନ୍ତ ଦେହ ମନକୁ, ଖେଳ କୌତୁକର ଅତୀତ ମୁହୂର୍ତ୍ତଗୁଡ଼ିକ ପାଇଁ ବିରହାତୁର ବାଳକ ପ୍ରାଣକୁ ଅଭିଭୂତ କରିପକାଏ । ବିଛଣାରେ ରଖିଥିବା ସେ ଫୁଲରାଶି ଭିତରେ ସେ ମୁହଁ ଜାକି ବହୁତ ସମୟ ଆଘ୍ରାଣରତ ରୁହେ ।

 

ସେଦିନ ତା’ର ନାନୀ ଧୀରେ ଧୀରେ କହିଲା ବଣଭୋଜିଟିଏ କରିବା, ଅପୁ ? ତାଙ୍କ ଘର ପାଖ ଦେଇ ସାହିର ସମସ୍ତେ କୁଳ-ଚଣ୍ଡୀ ବ୍ରତର ବଣଭୋଜି ପାଇଁ ଗାଁ ପଛପଟ ପ୍ରାନ୍ତରକୁ ଯାଉଥିଲେ । ତା’ ମା’ ବି ଯାଇଥିଲେ । କିନ୍ତୁ ତାକୁ କେହି ସାଙ୍ଗରେ ନେଇଗଲାନି । ସେଠାରେ ଯେ ଯାହାର ନିଜର ସାମଗ୍ରୀ, ଏତେ ପରିମାଣରେ ଡାଲି-ଚାଉଳ ତାଙ୍କ ଘରେ ନାହିଁ । ତା’ଛଡ଼ା, ବଣଭୋଜି ଯାଇ, ଲୋକେ କେତେ କ’ଣ ସାଥିରେ ନେଇଥା’ନ୍ତି । ଭଲ ଚାଉଳ, ଡାଲି, ଘିଅ, ଦୁଧ ତା’ ମା’ କେବଳ ମୋଟା ଚାଉଳ ନେଇଥାଏ, ଅଳ୍ପ ଟିକେ ମଟର ଡାଲି ବଟା ଆଉ ଗୋଟାଏ ଦୁଇଟା ବାଇଗଣ । ପାଖରେ ବସି ଭୁବନ ମୁଖାର୍ଜୀଙ୍କ ସାନମଝିଆ ନଣନ୍ଦଙ୍କ ପୁଅଝିଅମାନେ ସଜ ଆଖୁଗୁଡ଼ର ଚକିମିଠା ସାଥିରେ ଦୁଧ ଓ କଦଳୀ ଚକଟି ଭାତ ଖାଆନ୍ତି । ନିଜ ପିଲାମାନଙ୍କ ପାଇଁ ସର୍ବଜୟାର ମା’ ମନଟା କେମିତି କେମିତି ଲାଗେ ।

 

ତା’ର ଅପୁ ବି ଏମିତି ଦୁଧ କଦଳୀ ଓ ଆଖୁଗୁଡ଼ର ଚକିମିଠା ସହିତ ଭାତ ଖାଇବାକୁ ଭଲପାଏ ।

 

ଶାନ୍ତ ନୀରବ ପ୍ରାନ୍ତର କଡ଼ର ଏହି ବଣରେ ସଞ୍ଜ କ୍ରମେ ନାଲି ହୋଇଆସେ । ବାଉଁଶ ବଣ ରାସ୍ତାରେ ଫେରିବା ସମୟରେ କେବଳ ପୁଅଟିର କଥା ମନକୁ ଆସୁଥିଲା ସର୍ବଜୟାର ।

 

ନୀଳମଣି ରାୟଙ୍କର ଜଙ୍ଗଲ ଭର୍ତ୍ତି ଭିଟା ସେ ପଟେ କିଛିଟା ଜଙ୍ଗଲ ଦୁର୍ଗା ନିଜ ହାତରେ ସଫା କରିଥିଲା । ତା’ପରେ ଅପୁକୁ କହିଲା ଛିଡ଼ା ହୋଇ ଦେଖିଲୁ, ତେନ୍ତୁଳି ତୋଟାପଟେ ମା’ ଆସୁଛନ୍ତି କି ? ମୁଁ ଶୀଘ୍ର ଯାଇ ଘରୁ ଚାଉଳ ନେଇଆସିବି ।

 

ଗୋଟିଏ ଭଲ ନଡ଼ିଆ ସଢ଼େଇରେ ଦୁଇ ଚାମଚ ତେଲ ଲୁଚେଇ ତେଲଘଡ଼ିରୁ କାଢ଼ିଆଣିଲା । ଲୁଚେଇ ଆଣିଥିବା ଜିନିଷପତ୍ର ଭାଇ ଜିମାରେ ଦେଇ କହିଲା ଶୀଘ୍ର ନେଇଯା ଅପୁ । ଦଉଡ଼ି ପଳା ଏଠୁ । ସେଇ ଜାଗାରେ ରଖିବୁ । ଦେଖିବୁ ଯେମିତି ଗାଈଗୋରୁ ଖାଇ ନ ଦିଅନ୍ତି ।

 

ଏତିକିବେଳେ ‘ମାତୋ’ର ମା’ ଛୋଟ ପିଲାଟିକୁ ପଛରେ ଧରି ପଛପଟ କବାଟ ଦେଇ ଅଗଣାକୁ ପଶି ଆସିଲା । ଦୁର୍ଗା ପଚାରିଲା ଏପଟେ କୁଆଡ଼େ ଆସିଲ ତମରେଜ୍‌ର ବୋହୂ ?

 

‘ମାତୋ’ର ମାଆର ବୟସ ବି କିଛି ବେଶି ନୁହେଁ । ଦେଖିବାକୁ ବି ମନ୍ଦ ନୁହେଁ କିନ୍ତୁ ତା’ ସ୍ୱାମୀର ମୃତ୍ୟୁ ପରେ କଷ୍ଟରେ ଚଳୁଛି । ଶରୀର ମଳିନ ଓ ଶୀର୍ଣ୍ଣକାୟ ହୋଇଗଲାଣି ।

 

ସେ କହିଲା, କୋଠିର ପ୍ରାନ୍ତରକୁ କାଠ ଆଣିବା ପାଇଁ ଯାଇଥିଲି । ବଇଁଚ କୋଳିର ମାଳା କରିଛି, ନେବ ?

 

ଦୁର୍ଗା ନିଜେ ତ କେତେ ବଣବଗିଚା ଖୋଜି ବଇଁଚ କୋଳି ପ୍ରାୟ ତୋଳି ଆଣେ । ବେକ ହଲେଇ ମନାକଲା, କହିଲା ନାହିଁ ।

 

ମାତୋର ମା’ କହିଲା ନାନୀ ଠାକୁରାଣୀ ରଖନା, ଖୁବ୍‌ ମିଠା କୋଳି । ମଧୁଖାଲି ବିଲ କଡ଼ରୁ ତୋଳି ଆଣିଛି । ଅଣ୍ଟା ଲୁଗା ଭିତରୁ ଗୋଛାଏ ବାହାର କରି କହିଲା ଦେଖ, କେତେ ବଡ଼ ବଡ଼ କୋଳି । କାଠ ନେଇ ବଜାରକୁ ଯାଆନ୍ତି, ବିକ୍ରି କରନ୍ତି, ପଇସା ପାଇଥାନ୍ତି । ବହୁତ ବେଶି ବେଳ ହେଇଯିବ । ମାତୋକୁ ପଇସାକର ମୁଢ଼ି କିଣି ଦିଅନ୍ତି । ନିଅ ରଖ, ମୁଁ ପଇସାକରେ ଦୁଇଟି ମାଳ ଦେବି ।

 

ଦୁର୍ଗା ରାଜି ହେଲାନି, କହିଲା ଅପୁ, ଘଟି ଭିତରେ ମୁଠାଏ ଖଣ୍ଡେ ଚାଉଳ ଭଜା ଅଛି, ସେତକ ଆଣି ମାତୋକୁ ଦେଲୁ !

 

ସେମାନେ ପୁଣି ପଛପଟ କବାଟ ଦେଇ ଚାଲିଗଲା ପରେ ଦୁହେଁ ଜିନିଷପତ୍ର ଧରି ବାହାରିଲେ ।

 

ଚାରିପଟେ ବଣରେ ଭର୍ତ୍ତି । ବାହାରୁ କିଛି ଦେଖାଯାଏନି । ଖେଳଘରର ମାଟିପାତ୍ର ଭଳି ଛୋଟ ଏକ ହାଣ୍ଡିରେ ଭାତ ବସେଇ ଦୁର୍ଗା କହିଲା ଅପୁ, ଦେଖ କେତେ ବଡ଼ ବଡ଼ ମାଟିଆଳୁର ଫଳ ଗୋଟାଏ ଜାଗାରୁ ଆଣିଛି । ଫୁଁଟି ଘର ତାଳତୋଟାର ଗୋଟିଏ ବୁଦା ଉପରେ ପ୍ରଚୁର ହେଇଛି । ଭାତରେ ପକେଇବି...

 

ଅପୁ ମହା ଉତ୍ସାହରେ ଶୁଖିଲା ଲତା-କାଠି ସାଉଁଟି ଆଣିଲା । ଏଇଟା ସେମାନଙ୍କ ପ୍ରଥମ ବଣଭୋଜି । ଅପୁର ଏଯାଏ ବି ବିଶ୍ୱାସ ହୋଇନି, ଏଠାରେ ସତ ସତିକା ଭାତ, ତରକାରୀ ରନ୍ଧା ହେବ କିମ୍ବା ଖେଳଘରର ମିଛିମିଛିକା ବଣଭୋଜି ଭଳି ହେବ ଧୂଳିର ଭାତ, ଖପରାର ଆଳୁଭଜା, ପଣସ ପତରର ପୁରି ?

 

ଯାହାବି ହେଉ, ସମୟଟି ବେଶ୍‌ ଉପଯୁକ୍ତ ! ସ୍ଥାନଟି ବଣଭୋଜି ପାଇଁ ଖୁବ୍‌ ସୁନ୍ଦର । ଚାରିପଟେ ବଣବୁଦା, ସେ ପଟେ ତରଡ଼ା ଲତାର ଦୋଳି, ବେଲଗଛ ମୂଳରେ ଜଙ୍ଗଲି ସାହାଡ଼ା ଫୁଲର ବୁଦା, ଅଧାଜଳା କେତୋଟି ଦୁବଘାସ ଉପରେ କଜ୍ଜଳପାତି ଚଢ଼େଇମାନେ ନାଚି ନାଚି ଘୁରି ବୁଲୁଛନ୍ତି । ନିର୍ଜନ ବୁଦୁବୁଦିକିଆ, ନିତ୍ତୃତ, ନିରୋଳା ଜାଗାଟି । ପ୍ରଥମ ବସନ୍ତରେ ପ୍ରତିଟି ବୁଦାରେ କଅଁଳିଆ ପତ୍ର, ଘଣ୍ଟାକର୍ଣ୍ଣ ଫୁଲର ବୁଦାରେ ପ୍ରଚୁର ଫୁଲଫୁଟି ପୋତାଭିଟାକୁ ଉଜ୍ଜ୍ୱଳ କରି ତୋଳିଛି । କିଛିଦିନ ଧରି କୁହୁଡ଼ିରେ ବତାପି ଲେମ୍ବୁ ଗଛରୁ ଅନେକ ଫୁଲ ସବୁ ଝରି ଯାଇଥିଲେ ବି ଉପରି ଭାଗରେ ଧଳା ଧଳା ପେନ୍ଥା ପେନ୍ଥା ଫୁଲ ଓହଳି ପଡ଼ିଥିବାର ଦୃଷ୍ଟିଗୋଚର ହୁଏ ।

 

ଆଜିକାଲି ଦୁର୍ଗା ଯେମିତି ଗଛବୃଚ୍ଛ, ରାସ୍ତାଘାଟ, ଏଇ ଅତି ପରିଚିତ ଗାଁ’ର ପ୍ରତିଟି ଅନ୍ଦିକନ୍ଦିକୁ ଜାବୁଡ଼ି ଧରିଛି । ଆସନ୍ନ ବିରହର କେଉଁ ଏକ ବିଷାଦରେ ଏଇ ଯେଉଁ ଏତେ ପ୍ରିୟ କେନ୍ଦୁ ତୋଟା ତଳର ରାସ୍ତାଟି, ଆଉ ତାଙ୍କ ଘର ପଛପଟ ବାଉଁଶବଣ, ଛାଇଛାଇକା ନଈଘାଟ ସବୁ ଯେମିତି ଆଚ୍ଛନ୍ନ ହୋଇଯାଏ । ତା’ର ନିଜର ଅପୁ ତା’ର ସୁନା ସାନଭାଇଟି, ଯାହାକୁ ଓଳିଏ ନ ଦେଖିଲେ ସେ ରହିପାରେନି । ମନଟା ହାହାକାର କରି ଉଠେ ତାକୁ ଛାଡ଼ି ସେ କେତେଦୂରକୁ ଚାଲିଯିବ ।

 

ଆଉ ଯଦି ସେ ନ ଫେରେ ଯଦି ନିତମ୍‌ ପିଉସୀ ଭଳି ତା’ର ଅବସ୍ଥା ହୁଏ ?

 

ଏଇ ଭିଟାରେ ନିତମ୍‌ ପିଉସୀ ଥିଲେ । ବାହା ହୋଇ କେତେଦିନ ଆଗରୁ କୁଆଡ଼େ ଯେ ଚାଲିଯାଇଛନ୍ତି, ଆଉ ପୈତୃକ ଭିଟାକୁ ଫେରିନାହାନ୍ତି ଅନେକଦିନ ପୂର୍ବର କଥା, ପିଲାଦିନରୁ ଏ ଗଳ୍ପ ଶୁଣିଆସୁଛି । ସମସ୍ତେ କୁହନ୍ତି ମୁର୍ଶିଦାବାଦ ଜିଲ୍ଲାରେ ତାଙ୍କୁ ବାହା ଦିଆହୋଇଥିଲା । ସେ କେତେ କାହିଁ ଦୂରରେ ? କେହି ଆଉ ତାଙ୍କର ଖୋଜଖବର ନେଇନାହାନ୍ତି । ବଞ୍ଚି ବି ଅଛନ୍ତି କି ନାହିଁ, ସେ କଥା ବି କେହି ଜାଣନ୍ତି ନାହିଁ । ନିତମ୍‌ ପିଉସୀ ତାଙ୍କର ବାପା, ମା’, ଭାଇଭଉଣୀ କାହାକୁ ଆଉ ଥରଟିଏ ବି ଦେଖିନାହାନ୍ତି । ସେ ନିଜେ ଅନେକ ସମୟରେ ନିତମ୍‌ ପିଉସୀ କଥା ଭାବି ଭାବି ଆଖିରୁ ଲୁହ ଗଡ଼େଇଛି । ଆଜି ଯଦି ସେ ହଠାତ୍‌ ଫେରିଆସନ୍ତି ଏହି ନିଘଞ୍ଚ ଜଙ୍ଗଲ ଭର୍ତ୍ତି ବାପାଙ୍କ ଭିଟା ଦେଖି ସେ କ’ଣ ଭାବିବେ ?

 

ତା’ ନିଜ ଜୀବନରେ ଯଦି ଏମିତି ଘଟେ ? ତା’ର ବାପା, ମା’ ଓ ଅପୁକୁ ଛାଡ଼ି ଯିବାକୁ ହେବ ଆଉ ଯଦି କେବେ ଦେଖା ନ ହୁଏ କେବେ ଯଦି, ଜମାରୁ ଦେଖା ନ ହୁଏ ଆଉ ଯଦି ତାଙ୍କର ଏହି ଘର, କେନ୍ଦୁତୋଟା ତଳର ରାସ୍ତା, ନଈଘାଟର ରାସ୍ତା, ସେ ଯଦି କେବେବି ଦେଖି ନ ପାରେ ?

 

ଏ କଥାସବୁ ଭାବିଲେ ଦେହ ଶୀତେଇ ଉଠେ । ନା ବାବା, କିଛି ଦରକାର ନାହିଁ । କାହିଁକି କେଜାଣି ଆଜିକାଲି ତା’ର ମନହୁଏ, ତା’ ଜୀବନରେ ଯେମିତି କ’ଣ ଗୋଟିଏ ଘଟଣା ଶୀଘ୍ର ଘଟିବାକୁ ଯାଉଛି । ଏମିତି ଘଟଣା ଘଟିବାର ସୂଚନା ମିଳୁଛି, ଯାହା ଜୀବନରେ ଆଉ କେବେବି ଆସବନି । ଦିନ ନାହିଁ ରାତି ନାହିଁ, ଖେଳ କୌତୁକ ଭିତରେ, କାମଦାମର ଅବସରରେ, ଏଇ ଗୋଟିଏ ଚିନ୍ତା ତା’ ମନକୁ ବାରମ୍ବାର ଆସିଯାଏ । ସେ ବୁଝିପାରେନି, କଥାଟି କ’ଣ, କାହିଁକି ବା ତା’ ମନ ଭିତରକୁ ବାରମ୍ବାର ଆସିଯାଏ ତଥାପି ମନେହୁଏ, କେବଳ ସେ ଅଜଣା କଥାଟି ମନକୁ ଆସେ, ଘଟଣାଟି ଆଗକୁ ଆସୁଛି... ଆସୁଛି... ଶୀଘ୍ର ଆସୁଛି...

 

ବଣଭୋଜିର ଠିକ୍‌ ଅଧାଅଧି ବେଳଟାରେ, ଅପୁଘର ବାରଣ୍ଡାରେ କାହାର ଡାକ ଶୁଣାଗଲା । ଦୁର୍ଗା କହିଲା ବିନି ବୋଧେ ଡାକୁଛି ତାକୁ ଏଠିକି ଡାକି ଆଣିଲୁ ଅପୁ । କିଛି ସମୟ ପରେ ଅପୁ ପଛେ ପଛେ ଦୁର୍ଗାର ସମବୟସୀ କାଳି ଝିଅଟିଏ ଆସି ପହଞ୍ଚିଲା ଅଳ୍ପ ଟିକିଏ ହସି ସମ୍ଭ୍ରମ ସହିତ କହିଲା ଦୁର୍ଗାନାନୀ, କ’ଣ କରୁଚ ?

 

ଦୁର୍ଗା କହିଲା ଆ ବିନି, ବସ୍‌, ଆମେ ବଣଭୋଜି କରୁଛୁ ବିନି ଆର ସାହିର କାଳୀନାଥ ଚକ୍ରବର୍ତ୍ତୀଙ୍କ ଝିଅ । ଖଣ୍ଡେ ଅଧାମଇଳା ଶାଢ଼ୀ ପିନ୍ଧିଥିଲା । ହାତରେ ସରୁ ସରୁ କାଚ ଚୁଡ଼ି, ଟିକିଏ ଲମ୍ବା ଚେହେରା, ମୁହଁଟି ବେଶ୍‌ ସାଦାସିଧା । ବାପା ତା’ର ନାଥ ବ୍ରାହ୍ମଣ ବୋଲି ଗାଁ’ରେ ତାଙ୍କୁ କେହି ନିମନ୍ତ୍ରଣ କରନ୍ତିନି । ତେଣୁ ସେ ଗାଁ’ର ଗୋଟିଏ ପଟେ ନିତାନ୍ତ ସଂକୁଚିତ ଭାବରେ ବସବାସ କରନ୍ତି । ଘରର ଅବସ୍ଥା ବି ଭଲ ନୁହେଁ । ବିନି, ଦୁର୍ଗାର ଫର୍ମାସରେ ବହୁତ କାମ କଲା । ବୁଲିବା ପାଇଁ ଆସି ହଠାତ୍‌ ସେ ଏକ ଲାଭଜନକ ବେପାର ଭିତରେ ପଶିଯାଇଛି । ଏବେ ଏମାନେ ସେମାନଙ୍କ ଉତ୍ସବରେ ତାଙ୍କୁ ଅଂଶୀଦାର କରିବେ କି ନାହିଁ ଏମିତି ଗୋଟିଏ ଦ୍ୱିଧା ଯୁକ୍ତ ଉଲ୍ଲାସଭାବ ତା’ କଥାବାର୍ତ୍ତାରୁ, ଭାବଭଙ୍ଗୀରୁ ପ୍ରକାଶ ପାଉଥିଲା । ଦୁର୍ଗା କହିଲା ବିନି ଆଉ ଦୁଇଖଣ୍ଡ ଶୁଖିଲା କାଠ ଆଣିଲୁ ଚୁଲିଟା ଭଲ ଜଳୁନି ।

 

ବିନି ସଙ୍ଗେ ସଙ୍ଗେ କାଠ ଆଣିବା ପାଇଁ ଧାଇଁଗଲା ଏବଂ ଟିକିଏ ପରେ ଗୋଛାଏ ଶୁଖିଲା ବେଲ କାଠ ଆଣି ପହଞ୍ଚିଲା ଓ କହିଲା ଦେଖିଲ, ଦୁର୍ଗାନାନୀ, ଏତିକି ହେବ ନା ଆଉ ଆଣିବି ?

 

ଦୁର୍ଗା ଯେତେବେଳେ କହିଲା ବିନି ଆସିଲାଣି ସେ ତ ଆମ ସହିତ ଖାଇବ- ଆଉ ମୁଠାଏ ଚାଉଳ ଘରୁ ଆଣିଲୁ, ଅପୁ

 

ବିନିର ମୁହଁଟା ଖୁସିରେ ଉଜ୍ଜ୍ୱଳ ହୋଇଉଠିଲା । କିଛି ସମୟ ପରେ ବିନି ପାଣି ଆଣି ଦେଲା । ଆଗ୍ରହରେ ପଚାରିଲା ତରକାରୀ କ’ଣ କ’ଣ ହେବ, ଦୁର୍ଗା ନାନୀ ? ଭାତ ହାଣ୍ଡି ଓହ୍ଲେଇ ଦେଇ, ଦୁର୍ଗା ତେଲ ପକେଇ ବାଇଗଣ ଭାଜିବାକୁ ଲାଗିଲା । ଟିକେ ପରେ ସେ ନିଜେ ଅବାକ୍‌ ହୋଇ ସଢ଼େଇ ଆଡ଼କୁ ଅନେଇ ରହିଗଲା । ଅପୁକୁ ଡାକି କହିଲା ଦେଖ୍‌ ଅପୁ, ପୁରାପୁରି ଯେମିତି ସତସତରେ ବାଇଗଣ ଭଜା ହୁଏ ସେମିତି ରଙ୍ଗ ହେଇଚି । ଠିକ୍‌ ଯେମିତି ମା’ ବାଇଗଣ ଭାଜେ ସେମିତି ନା ?

 

ଅପୁକୁ ମଧ୍ୟ ଘଟଣାଟି ଆଶ୍ଚର୍ଯ୍ୟଜନକ ବୋଲି ଜଣାଗଲା । ତା’ର ଏ ପର୍ଯ୍ୟନ୍ତ ବି ବିଶ୍ୱାସ ହେଉନଥିଲା ସେମାନଙ୍କ ବଣଭୋଜିରେ ସତସତିକା ଭାତ, ବାଇଗଣ ଭଜା ସମ୍ଭବ ପର ହେବ ବୋଲି । ତା’ପରେ ତିନିଜଣ ଯାକ ମହାଆନନ୍ଦରେ କଦଳୀ ପତ୍ରରେ ଖାଇବାକୁ ବସିଲେ । କେବଳ ଭାତ ଓ ବାଇଗଣଭଜା । ଆଉ କିଛି ନ ଥିଲା । ଅପୁ ଖାଇବାକୁ ମୁହଁକୁ ନେଲାବେଳେ ଦୁର୍ଗା ତା’ ଆଡ଼କୁ ଅନେଇ ରହିଥିଲା ଆଗ୍ରହ ସହକାରେ ପଚାରିଲା, ବାଇଗଣ ଭଜା କେମିତି ଲାଗୁଛି ?

 

ଅପୁ କହିଲା ବଢ଼ିଆ ହେଇଚି, କିନ୍ତୁ ଲୁଣ ଟିକିଏ କମିଯାଇଛି ବୋଧେ । ରାନ୍ଧିବା ଉପକରଣ କାଢ଼ିବା ଭିତରେ ସେମାନେ ଲୁଣ ବିଲ୍‌କୁଲ୍‌ ରଖି ନ ଥିଲେ । ଲୁଣ ସତ୍ତା ନ ଥିଲା । କିନ୍ତୁ ତିନିଜଣ ମହାଆନନ୍ଦରେ ପୁଳାଏ ମାଟିଆଳୁ ସିଝା ଓ ପାଣିଚିଆ, ଅଲଣା, ଅଧାପୋଡ଼ା ବାଇଗଣ ଭଜା ଦେଇ ବଣଭୋଜିର ଭାତ ଖାଇବା ପାଇଁ ବସିଗଲେ । ଦୁର୍ଗା ପ୍ରଥମ ଥର ପାଇଁ ରାନ୍ଧିଥିଲା । ସେ ବିସ୍ମୟ ବିଭୋର ଆନନ୍ଦରେ ନିଜ ହାତର ଶିଳ୍ପ ସୃଷ୍ଟି ଉପଭୋଗ କରୁଥିଲା । ଏହି ବଣବୁଦା ଭିତରେ ଏହି ଶୁଖିଲା ପତ୍ରର ରାଶି ଭିତରେ, ଖଜୁରୀ ଗଛ ମୂଳରେ ଖସି ପଡ଼ିଥିବା ଖଜୁରୀ ପତ୍ର ନିକଟରେ ବସି ସତସତିକା ଭାତ ତରକାରୀ ଖାଇବାର ଯେ କି ଆନନ୍ଦ !

 

ଖାଉ ଖାଉ ଦୁର୍ଗା ଅପୁ ଆଡ଼କୁ ଚାହିଁ ହିଃ ହିଃ ହୋଇ ଖୁସିର ହସଟିଏ ହସିଲା । ଖୁସିରେ ଭାତ ମୁଠାକ ତା’ ତଣ୍ଟିରେ ଯେମିତି ଅଟକି ଯାଉଥିଲା । ବିନି ଖାଉ ଖାଉ ଭୟରେ କହିଲା ଆଉ ତେଲ ଅଛି ଦୁର୍ଗା ନାନୀ ? ସିଝା ମାଟିଆଳୁ ଭଲରେ ଚକଟି ଦିଅନ୍ତି ।

 

ଦୁର୍ଗା କହିଲା ଅପୁ, ଦଉଡ଼ି ଯାଇ ଟିକେ ତେଲ ଆଣିଲୁ ।

 

ଯେଉଁ ଜୀବନ କେତେ ଯେ ବିପୁଳ ପୁଲକର ଭଣ୍ଡାର, ଅସଂଖ୍ୟ ଆନନ୍ଦମୟ ମୁହୂର୍ତ୍ତର ଆଲୁଅ ଓ ଜୋଛନାର ଅବଦାନରେ ମଣ୍ଡିତ ସେଇଠି ଏମାନଙ୍କ ମଧୁର ଜୀବନଯାତ୍ରାର ଏଇତ ଶୁଭାରମ୍ଭ ମାତ୍ର ! ଯେଉଁ ଅନନ୍ତ ଜୀବନପଥ ଦୂରରୁ ବହୁଦୂର ପର୍ଯ୍ୟନ୍ତ ଦୃଷ୍ଟିର ସେପାରିକୁ ଲମ୍ବିଯାଇଛି, ସେ ପଥରେ ଏମାନେ ଅତ୍ୟନ୍ତ କ୍ଷୁଦ୍ର ପଥିକଦଳ, ରାସ୍ତାର ଛକରେ, ପଥପ୍ରାନ୍ତର ବାଙ୍କରେ, ଫୁଲରେ ଫଳରେ, ସୁଖରେ, ଦୁଃଖରେ, ଏମାନଙ୍କର ଅଭ୍ୟର୍ଥନା ପୁରାପୁରି ନୂତନ ।

 

ଆନନ୍ଦ ! ମହାଆନନ୍ଦ ! ପ୍ରସାରର ଆନନ୍ଦ, ଜୀବନର ଅଭ୍ୟନ୍ତରର ଅନ୍ତରାଳରେ ବିଶାଳ ତୃଷାର ମୌଳି ଗିରିଶୃଙ୍ଗର ସେପାରିର ଯେଉଁ ପଥଟା ଦେଖାଯାଏନା, ତାହାର ଆନନ୍ଦ ! ଆଜିର ଆନନ୍ଦ ! ସାଧାରଣ ଅଥଚ ଛୋଟ ଛୋଟ ତୁଚ୍ଛ ବସ୍ତୁର ଆନନ୍ଦ !

 

ଅପୁ କହିଲା ମା’କୁ କ’ଣ କହିବୁ ନାନୀ ? ପୁଣିଥରେ ରାତିରେ ଭାତ ଖାଇବୁ ? ଯାଉନୁ, ମା’ଙ୍କୁ କ’ଣ କଥା କହିବି ! ଦେଖିବୁ ସଞ୍ଜ ପରେ ପୁଣିଥରେ ଭୋକ ଲାଗିବ ।

 

ନାଥ ବ୍ରାହ୍ମଣ ବୋଲି ସାହିରେ ପାଣି ପିଇବାକୁ ମାଗିଲେ ଢାଳରେ ପାଣି ପିଇବାକୁ ଦିଅନ୍ତି । ସେ ବି ପୁଣି ପାଣି ପିଇ ସାରି ଧୋଇ ଦେବାକୁ ହୁଏ । ବିନି, ଥରେ ଦୁଇଥର ଇତସ୍ତତଃ କରି ଅପୁର ଗିଲାସ୍‌ଟି ଦେଖେଇ କହିଲା ମୋ ପାଟିରେ ଟିକିଏ ପାଣି ଢାଳିଦେବୁ ଅପୁ ? ଭାରି ଶୋଷ !

 

ଅପୁ କହିଲା ନିଅ, ବିନି ନାନୀ, ତୁମେ ଓଠରେ ଲଗେଇ ପାଣି ପିଅ ! ତଥାପି ବି ବିନିର ସାହସ ହେଲାନି । ଦୁର୍ଗା କହିଲା ନେଇଯା, ଗିଲାସଟାରେ ପାଣି ପିଉନୁ ?

 

ଖିଆପିଆ ଶେଷ ହେବାରୁ ଦୁର୍ଗା କହିଲା ହାଣ୍ଡିଟା କିନ୍ତୁ ଫୋପାଡ଼ି ଦେବାନି । ପୁଣିଥରେ ବଣଭୋଜି କରିବା ସେ କୋଳିଗଛରେ ହାଣ୍ଡିଟା ଟାଙ୍ଗି ରଖିଦେଲେ ଚଳିବ ।

 

ଅପୁ କହିଲା ହଁ, ସେଇଠି କ’ଣ ରହିବ ? ମାତୋ ମା’ କାଠ ସାଉଁଟି ଆସି ଦେଖିଲେ ନେଇଯିବ, ନାନୀ-ସେ ଭୀଷଣ ଚୋର ।

 

ଗୋଟିଏ ଭଙ୍ଗା ପାଚେରୀର ଛିଦ୍ର ଭିତରେ ହାଣ୍ଡିଟାକୁ ଦୁର୍ଗା ଲୁଚେଇ ଦେଲା । ଅପୁର ଛାତିଟା ଧଡ଼ଧଡ଼ କରି ଉଠିଲା । ସେ ଛିଦ୍ରଟାରେ ଆରପଟେ ଆଉ ଗୋଟିଏ ଛୋଟ ଛିଦ୍ରରେ ଅପୁ ସିଗାରେଟ୍‌ର ଖୋଳ ରଖିଥିଲା । ନାନୀ ଯଦି ସେପଟେ ଯାଇ ଦେଖିଦେବ, ତା’ହେଲେ କଥା ଶେଷ ।

 

ନେଡ଼ା ଘରକୁ କିଛିଦିନ ତଳେ ତା’ ଭିଣୋଇ ଓ ତା’ର ଜଣେ ବନ୍ଧୁ ଆସିଥିଲେ । କଲିକତା ନିକଟରେ କେଉଁଠି ସେମାନଙ୍କ ଘର । ବେଶ୍‌ ବାବୁ ସାହେବ । ଅନେକ ସିଗାରେଟ୍‌ ଟାଣନ୍ତି । ଗୋଟାଏ ପରେ ଗୋଟାଏ ଟାଣୁଥାନ୍ତି । ଅପୁର ବି ଅନେକ ଇଚ୍ଛା ହେଇଥିଲା ଗୋଟିଏ ସିଗାରେଟ୍‌ ଟାଣିବାକୁ, କେମିତି ଲାଗେ । ସେ ନେଡ଼ା ସହିତ ପରାମର୍ଶ କରି ଗାଁ’ର ହରିଶ ନାଥ ଦୋକାନରୁ ତିନି ପଇସା ଦେଇ ରଙ୍ଗୁନ୍‌ କାଗଜରେ ଗୁଡ଼ା ହୋଇଥିବା ଦଶଟି ସିଗାରେଟ୍‌ କିଣିଥିଲା । ସେଦିନ ଏଇ ବଣ ଭିତରେ ଏକା ଏକା ଗୋଟିଏ ସିଗାରେଟ୍‌ ଟାଣିଥିଲା । ଭଲ ଲାଗି ନ ଥିଲା । କେମିତି ଗୋଟିଏ ପିତା ପିତା, ଝାଁଇ ଝାଁଇ ଲାଗୁଥିଲା । ଦୁଇଥର ଟାଣି, ସେ ଆଉ ଟାଣି ପାରିନଥିଲା । କିନ୍ତୁ ତା’ ଭାଗର ବଳକା ଚାରିଟା ସିଗାରେଟକୁ ଫୋପାଡ଼ି ପାରିଲାନି । ନେଡ଼ା ଭିଣୋଇର ଗୋଟିଏ ଖାଲି ଖୋଳ ଭିତରେ ପୁରେଇ ସେ ପାଚେରୀ ଛିଦ୍ର ଭିତରେ ଲୁଚେଇ ରଖିଛି । ପ୍ରଥମ ଦିନ ସିଗାରେଟ୍‌ ଟାଣି ସାରିବା ପରେ ଭୟରେ ତା’ ଛାତି ଥରି ଉଠିଥିଲା । କାଳେ ତା’ ମା’ ତା’ ମୁହଁର ଗନ୍ଧରୁ ଜାଣିପାରିବେ ବୋଲି । ଅନେକଗୁଡ଼ିଏ ପାଚିଲା କୋଳି ଖାଇ, ମୁହଁର ହାଇ ହାତରେ ବାରମ୍ବାର ଶୁଂଘି ନିଶ୍ଚିନ୍ତ ହେଲା ପରେ ସେ ଯାଇ ମାନବ ସମାଜ ଭିତରେ ପଶିଥିଲା । ଆଜି ବୋଧେ ସୁଧମୂଳରେ ସବୁ ଧରାପଡ଼ିଯିବ !

 

କିନ୍ତୁ ନାନୀର ପାଚେରୀ ସେପଟକୁ ଯିବା ଦରକାର ପଡ଼ିଲାନି । ଏପଟେ ସବୁ କାମ ଶେଷ ହୋଇଗଲା ।

 

(୨୧)

 

ଖବରଟି ସର୍ବଜୟା ନଈ ଘାଟକୁ ଯାଇ ସାହିର ଝିଅମାନଙ୍କ ପାଖରୁ ଶୁଣିଲା । ଆଜକୁ କେତେଦିନ ହେଲା, ନୀରେନ୍‌ ସହିତ ଅନ୍ନଦା ରାୟ ଓ ବିଶେଷ କରି ତାଙ୍କ ପୁଅ ଗୋକୁଳର ମତାନ୍ତର ଚାଲିଛି । ଗତକାଲି ଦୁଇ ପହର ସମୟରେ ବେଶ୍‌ ଝଗଡ଼ା ଓ ପାଟିଗୋଳ ହୋଇଥିଲା । ତେଣୁ କାଲି ରାତିରେ ହିଁ ନୀରେନ୍‌ ଜିନିଷପତ୍ର ଧରି ଏଠାରୁ ଚାଲିଯାଇଛି । ଅନ୍ନଦା ରାୟଙ୍କ ପଡ଼ୋଶୀ ଯଜ୍ଞେଶ୍ୱର ଦୀଘଡ଼ୀର ସ୍ତ୍ରୀ ହରିମତି କହୁଥିଲା ସତ କି ମିଛ ଜାଣେନି, କିନ୍ତୁ କେତେଦିନ ହେଲା ନାନା ପ୍ରକାର କଥା ଶୁଣାଯାଉଥିଲା । ମୁଁ କିନ୍ତୁ ମୋଟେ ବିଶ୍ୱାସ କରେନି, ବୋହୂଟି ତାଙ୍କର ସେଭଳି ନୁହେଁ । ଆହୁରି ଶୁଣିଲି ଯେ ନୀରେନ୍‍ କୁଆଡ଼େ ଲୁଚେଇ ବୋହୂକୁ ଟଙ୍କା ଦେଇଥିଲା, ବୋହୂ କେଉଁଆଡ଼େ ଟଙ୍କା ପଠେଇଥିଲା । ନୀରେନ୍‌ର ହାତ ଲେଖା ରସିଦ୍‌ ଫେରିଆସିଥିଲା ଓ ଗୋକୁଳ ହାତରେ ପଡ଼ିଥିଲା । ଏମିତି ସବୁକଥା । ଛାଡ଼ ସେ ସବୁ, ପରର କୁତ୍ସା ଶୁଣି ଲାଭ କ’ଣ ? ଶୁଣିଲି ନୀରେନ୍‌ କୁଆଡ଼େ କହୁଥିଲା ଆପଣମାନେ ସମସ୍ତେ ମିଶି ଜଣକ ଉପରେ ଅତ୍ୟାଚାର କରନ୍ତି, ସେଇଟା କ’ଣ ଦୋଷ ନୁହେଁ ? ଆପଣମାନେ ଯାହା ଭାବୁଛନ୍ତି ଭାବନ୍ତୁ, ବୋହୂ ଠାକୁରାଣୀ ଥରେ ଯଦି ଆଦେଶ ଦେବେ ମୁଁ ତାଙ୍କୁ ଏହିକ୍ଷଣି ମୋର ମୃତ ମା’ ପରି ମୁଣ୍ଡରେ ବସେଇ ନେଇଯିବି ତା’ପରେ ଆପଣମାନେ ଯାହା କରିବା କଥା କରିବେ । ତା’ପରେ କିଛି ସମୟ ଧରି ବେଶ୍‌ ହୈଚୈ ହୋଇଥିଲା ସନ୍ଧ୍ୟା ପୂର୍ବରୁ ସେ ଗଉଡ଼ ସାହିରୁ ଶଗଡ଼ଟିଏ ଡାକି ଆଣି, ଜିନିଷପତ୍ର ଧରି ଚାଲିଗଲା ।

 

ଖବରଟା ଶୁଣି ସର୍ବଜୟା ଭାଙ୍ଗିପଡ଼ିଲା । ଏହା ଭିତରେ ସ୍ୱାମୀକୁ କହି ଅନ୍ନଦା ରାୟ ମାଧ୍ୟମରେ ନୀରେନ୍‌ର ବାପାଙ୍କ ପାଖକୁ ବାହାଘର ପ୍ରସ୍ତାବ ପଠେଇବାକୁ ଅନୁରୋଧ କରିଥିଲେ । ନୀରେନ୍‌କୁ ମଧ୍ୟ ସେ ଆହୁରି ଦୁଇଥର ନିମନ୍ତ୍ରଣ କରିଥିଲା । ପିଲାଟିକୁ ତା’ର ଅତ୍ୟଧିକ ପସନ୍ଦ ହୋଇଥିଲା । ହରିହର ତାକୁ ବାରମ୍ବାର କହିଥିଲା, ନୀରେନ୍‌ର ବାପା ବଡ଼ଲୋକ ତା’ ଘରେ ସେ କ’ଣ ତାଙ୍କ ପୁଅର ବିବାହ କରେଇବେ ? ସର୍ବଜୟା କିନ୍ତୁ ଆଶା ଛାଡ଼ିନି । ତା’ ମନ ଭିତରେ କେଉଁଠି ଯେମିତି ସାହସ ଜମିଛି ଏ ବିବାହ ଯୋଗାଯୋଗ ଏକ ଦୂରାଶା ନୁହେଁ, ଏହା ସମ୍ଭବପର ଏବଂ ହେବ ହିଁ ହେବ । ହରିହର ମନରେ ଭରସା ପାଇ ପାରିନଥିଲେ ବି ସ୍ତ୍ରୀ ଅନୁରୋଧରେ ଅନ୍ନଦା ରାୟଙ୍କୁ କେତେଥର ମନେପକେଇ ଦେଇଥିଲେ ସେ । କିନ୍ତୁ ବର୍ତ୍ତମାନ ଯେ ବିପଦ ଘନେଇ ଆସିଲା ।

 

ଏହା ଭିତରେ ଦିନଟିଏ ରାସ୍ତାରେ ଦୁର୍ଗା ସହିତ ଗୋକୁଳ ବୋହୂର ଦେଖା ହୋଇଥିଲା । ସେ ଏକାନ୍ତରେ ଦୁର୍ଗାକୁ ନୀରେନ୍‌ର ଚାଲିଯିବାର ଇତିହାସ ବିଷୟରେ ଅନେକ କଥା କହିଥିଲା । କହୁ କହୁ ତା’ର ଆଖି ଛଳ ଛଳ ହୋଇ ଲୁହ ଝରିଗଲା ।

 

ଏମିତି ଝାଡୁ ଓ ଗୋଇଠା ମାଡ଼ ଖାଇ ଦିନ ଚାଲିଯିବ- କେହି ନାହିଁ ଦୁର୍ଗା- ଯିଏ ବି ଥିଲା ସେ ଭାଇଟା, ସେ ବି କି ମଣିଷ ? କେଉଁଠି ଯେ ଦୁଇଦିନ ମୁଣ୍ଡ ଗୁଞ୍ଜିବ, ସେମିତି ଜାଗା ବି ତା’ର ନାହିଁ ।

 

ସହାନୁଭୂତିରେ ଦୁର୍ଗାର ବୁକୁଟା ଦର୍‌ଦର୍‌ ହୋଇଗଲା । ସଙ୍ଗେ ସଙ୍ଗେ ଖୁଡ଼ୀର କଳଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ ଓ ତାଙ୍କର ଦୁଃଖରେ ସାନ୍ତ୍ୱନାସୂଚକ ନାନାକଥା ଅସ୍ପଷ୍ଟ ଭାବରେ ତା’ ମନରେ ଦାନା ବାନ୍ଧିଲା । ସବୁକଥା ସଜେଇ କହି ନ ପାରିଲେ ବି ସେ କହିଲା ସେ ସଖୀ ଜେଜେମା, ଯେଭଳି ଲୋକ ନା ! କହୁ, ଯା କହୁଚି କହୁ, କରିବ କ’ଣ ? କାନ୍ଦନି ଖୁଡ଼ୀ, ମୋ ସୁନା ଖୁଡ଼ୀଟି, ମୁଁ ସବୁଦିନ ତୁମ ପାଖକୁ ଯିବି ।

 

ସର୍ବଜୟା ସେମାନଙ୍କ କଥାବାର୍ତ୍ତା ବିଷୟରେ ଶୁଣି, ବେଶ୍‌ ଆଗ୍ରହ ସହିତ ପଚାରିଲା ଦୁର୍ଗା, ବୋହୂମା’ କ’ଣ କିଛି କହୁଥିଲା କି ?... ନୀରେନ୍‌ ବିଷୟରେ କିଛି କଥାବାର୍ତ୍ତା ହେଲା ନା କ’ଣ ?

 

ଦୁର୍ଗା ଲାଜଲାଜ ସ୍ୱରରେ କହିଲା- ତୁମେ ତାଙ୍କୁ କାଲି ନଈଘାଟରେ ପଚାର ? ମୁଁ ଜାଣେନି... ଅପୁ ଥରଟିଏ ପଚାରିଥିଲା ଖୁଡ଼ୀ କ’ଣ କହୁଥିଲେ, ମାଷ୍ଟର ମହାଶୟ ଆଉ ଆସିବେ ନା ନାହିଁ ?

 

ଦୁର୍ଗା ଧମକ ଦେଇ କହିଲା ସେ କଥା ମୁଁ ଜାଣେନି ଯାଃ...

 

ଖରାର ଝାସ ଯେତେବେଳେ କମି ଆସେ, ଗାଁ’ର ଛାଇ ଭରା ରାସ୍ତାରେ ମନଟି ଯେମିତି ଏକ ଅଭାବନୀୟ ଭାବରେ ଆଚ୍ଛନ୍ନ ହୋଇଯାଏ । ମନ ଭିତରେ ତା’ ଭାଇ ପାଇଁ କେମିତି ସବୁ ଭାବନା ଜାତ ହୁଏ । ଏମିତି ସବୁ ଚିନ୍ତା ତା’ ମନକୁ ଆସେ, ଅନେକ ଥର ଆସିଛି । ବେଶୀ ସମୟ ଘରୁ ବାହାରେ ରହିଥିଲେ କିମ୍ବା ଭାଇକୁ ବହୁତ ସମୟ ନ ଦେଖିଲେ, ତା’ ବିଷୟରେ ଗୁଡ଼ାଏ କାଳ୍ପନିକ ଦୁଃଖର ବୋଝ ମନ ଭିତରକୁ ପଶିଆସେ ଓ କେମିତି ବ୍ୟତିବ୍ୟସ୍ତ କରିପକାଏ ।

 

ତା’ର ଏମିତି ଦୁଧ ଅଳତା ରଙ୍ଗର ସୁବର୍ଣ୍ଣ ପ୍ରତିମା ପରି ଭାଇଟି ମଇଳା ଅଧା ଛିଣ୍ଡା ଲୁଗାଟିଏ ପିନ୍ଧି ଘର ଦୁଆର ପାଖରେ ଏକା ଏକା ବସି କଉଡ଼ି ଫୋପାଡ଼ି ବାଇଗଣ ମଞ୍ଜି ଖେଳ ଖେଳୁଛି । ତା’ ପାଖରୁ ସେ ଯେତେବେଳେ ପଇସା ମାଗେ କ’ଣ କିଛି କିଣିବାକୁ, ସେ ଦେଇପାରେନି ସେତେବେଳେ ତା’ ମନରେ ଭୀଷଣ କଷ୍ଟ ହୁଏ ।

 

କିଛିଦିନ ପରର ଘଟଣା । ଭୁବନ ମୁଖାର୍ଜୀ ଘରେ ରାନୁର ନାନୀର ବାହାଘର ଶେଷ ହୋଇଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ କୁଣିଆ- କୁଟୁମ୍ବ ସମସ୍ତେ ଯେ ଯାହା ଘରକୁ ଫେରି ନାହାନ୍ତି । ମୁନି ବୋଲି ସାନ ଝିଅଟିଏ ସହିତ ଦୁର୍ଗାର ବେଶ୍‌ ଜମିଯାଇଛି । ତା’ର ବାପା ସହିତ ସେ ଆସିଥିଲା । ଆଜି ଦୁଇପହର ପରେ ସେ ନିଜ ସ୍ତ୍ରୀ ଓ କନ୍ୟାକୁ କିଛିଦିନ ପାଇଁ ଏଠାରେ ରଖି ତାଙ୍କର କର୍ମସ୍ଥାନକୁ ଫେରିଗଲେ । ଘଣ୍ଟାଏ ଖଣ୍ଡେ ପରେ ସାନମଝିଆ ନଣନ୍ଦ ସେ ଘରେ କ’ଣ ଗୋଟିଏ କାମ କରୁଥିଲେ ସେତିକିବେଳେ ସେ ଟୁନିର ମା’ର ପାଟି ଶୁଣିପାରିଲେ । ସେ ଅଗଣାକୁ ଆସି ପଚାରିଲେ କ’ଣ ହେଇଚିରେ ହାସି କଥା କ’ଣ ? ଟୁନିର ମା’ ବ୍ୟସ୍ତ ଭାବରେ ବିଛଣାପତ୍ର, ତକିଆ ତଳେ ଝାଡ଼ି ଝୁଡ଼ି କ’ଣ ଖୋଜୁଥା’ନ୍ତି । ଖଟର ଗଦି ବି ଲେଉଟାଇ ଦେଖୁଥିଲେ, କହିଲେ କିଛି ସମୟ ପୂର୍ବରୁ ମୋର ସୁନାର ସିନ୍ଦୁର ଫରୁଆଟା ଏଇଠି ବିଛଣା ପାଖରେ ରଖିଥିଲି, ଛୁଆଟା ଅଗଣାରେ ପାଟିକଲା, ସେ ବି ଘରୁ ବାହାରି ଆସିଥିଲେ ଆଉ ସେଇଟା ରଖିବାକୁ ଭୁଲି ଯାଇଥିଲି ଏବେ କୁଆଡ଼େ ଗଲା ଖୋଜି ପାଉନି ?

 

ନଣନ୍ଦ କହିଲେ- ଆରେ ମା’ ସେ କି କଥା ? ହାତରେ ଉଠେଇ ନେଇ ଯାଇନୁ ତ ? ନା, ନାନୀ, ଏଇଠି ରଖିଥିଲି । ଠିକ୍‌ ମନେଅଛି, ଏଇ ଜାଗାରେ ରଖିଥିଲି ।

 

ସମସ୍ତେ ମିଶି ବେଶ୍‌ କିଛି ସମୟ ଖୋଜିବାକୁ ଲାଗିଲେ । ଫରୁଆର ସନ୍ଧାନ ମିଳିଲା ନାହିଁ । ସାନ ମଝିଆ ନଣନ୍ଦ ପଚରାଉଚୁରା କରି ବୁଝିଲେ, ପ୍ରଥମେ ଅଗଣାରେ ଘରର ପୁଅଝିଅମାନେ ଥିଲେ, ତା’ପରେ ଖାଇବା ପାଇଁ ଡକା ହେଲାରୁ ସମସ୍ତେ ଚାଲିଗଲେ । ସେତେବେଳେ ବାହାର ଲୋକ ଭିତରେ ଦୁର୍ଗା ହିଁ ଏଠାରେ ଥିଲା । ତାଙ୍କ ସାନଝିଅ ଟେମ୍ପି ଚୁପ୍‌ ଚୁପ୍‌ କହିଲା ଆମେ ସବୁ ଯେତେବେଳେ ଖାଇବାକୁ ଗଲୁ ଦୁର୍ଗାନାନୀକୁ ଦେଖିଲି ସେ ପଛପଟ ଦୁଆର ଦେଇ ବାହାରିଗଲା । ଏଇନେ ପୁଣି ଆସିଛି ।

 

ସାନ ମଝିଆ ନଣନ୍ଦ ଚୁପ୍‌ଚାପ୍‌ କ’ଣ ସବୁ ପରାମର୍ଶ କଲେ, ତା’ପରେ ରୁକ୍ଷ ସ୍ୱରରେ କହିଲେ ଫରୁଆଟା ଶୀଘ୍ର ଫେରେଇ ଦେ ଦୁର୍ଗା, କେଉଁଠି ରଖିଛୁ କହ ବାହାର କର ଏଇନା କହୁଚି ।

 

ଦୁର୍ଗାର ମୁହଁଟି ଶୁଖି ଛୋଟ ହୋଇଗଲା । ସାନ ମଝିଆ ନଣନ୍ଦଙ୍କ ଭାବଭଙ୍ଗୀରେ ତା’ର ଜିଭଟି ଯେମିତି ପାଟି ଭିତରେ ଜଡ଼ ପାଲଟି ଗଲା । ଅସ୍ପଷ୍ଟ ଭାବରେ କ’ଣ ଯେମିତି କହିଲା, କିଛି ଜଣାପଡ଼ିଲାନି ।

 

ଟୁନିର ମା’ ଏତେ ସମୟ ପର୍ଯ୍ୟନ୍ତ ଚୁପ୍‌ ରହିଥିଲେ ଜଣେ ଭ୍ରଦଲୋକ ଘରର ଝିଅକୁ ସମସ୍ତେ ମିଶି ଚୋର ବୋଲି ଧରିବାରୁ, ସେ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ । ବିଶେଷକରି ଦୁର୍ଗାକୁ ସେ କେତେଦିନ ଧରି ଏଠାରେ ଦେଖୁଛନ୍ତି । ଚେହେରା ବେଶ୍‌ ସୁନ୍ଦରବୋଲି ସେ ଦୁର୍ଗାକୁ ଭଲ ପାଆନ୍ତି ସେ ଯେ ଚୋରି କରିବ, ଏହା କ’ଣ ସମ୍ଭବ ? ସେ କହିଲେ ନାନୀ, ସେ ବୋଧେ ନେଇନି ସେ ବା କାହିଁକି-

 

ସାନ ମଝିଆ ନଣନ୍ଦ କହିଲେ ତୁମେ ଚୁପ୍‌ କରି ରୁହ ! ତୁମେ କ’ଣ ଜାଣିଛ, ସେ ନେଇଛି କି ନେଇନି । ତାକୁ ମୁଁ ଭଲଭାବେ ଜାଣେ

 

ସେମାନଙ୍କ ଭିତରୁ ଜଣେ କିଏ କହିଲା ନେଇଚୁ ଯଦି ବାହାର କରି ଦେଇଦେ, ନ ହେଲେ କେଉଁଠି ରଖିଚୁ କହ ଆଉ କିଛି ବିପଦ ନାହିଁ । ଦେଇଦେ ସୁନା ଝିଅଟା, କାହିଁକି ମିଛରେ

 

ଦୁର୍ଗାର ଯେମିତି କ’ଣ ହେଇ ଯାଇଥିଲା ତା’ର ପାଦ ଠକ୍‌ ଠକ୍‌ ହୋଇ ଥରୁଥିଲା ସେ କାନ୍ଥ ଦେହରେ ଡେରି ହୋଇ ଛିଡ଼ା ହୋଇ କହିଲା ମୁଁ ତ କିଛି ଜାଣେନି ଖୁଡ଼ୀ ମୁଁ ତ...

 

ସାନ ମଝିଆ ଠାକୁରାଣୀ କହିଲେ ତୁ ନାହିଁ କଲେ ମୁଁ ମାନିଯିବି ? ଏ ହିଁ ନିଶ୍ଚୟ ନେଇଛି, ୟାର ହାବଭାବ ଦେଖି ମୁଁ ଜାଣିପାରୁଛି । ହଁ, ଭଲରେ ଭଲରେ କହିଦେଉଛି, କେଉଁଠି ଜିନିଷ ରଖିଛୁ ଦେଇଦେ, କିଛି କହିବିନି ଆମର ଜିନିଷ ପାଇଗଲେ ଗଲା

 

ପୂର୍ବୋକ୍ତ କୁଟୁମ୍ବିନୀ ଜଣକ କହିଲେ ଆରେ, ଭଦ୍ରଲୋକ ଘରର ଝିଅ ଚୋରି କରେ ଏ କଥା ମୁଁ କେବେ କେଉଁଠି ଶୁଣିନି । ଏ ସାହିରେ ୟାର ଘର ?

 

ସାନ ମଝିଆ ଠାକୁରାଣୀ କହିଲେ ତୁ ଭଲ କଥାରେ ମାନିବୁନି ! ମଜା ଚଖେଇବି ଦେଖିବୁ ? ତୁ ଭାବିଚୁ ଆମ ଘରର ଜିନିଷ ନେଇ ହଜମ କରିଦେବୁ ତୋତେ ମୁଁ ଆଜି

 

ତା’ପରେ ସେ ଦୁର୍ଗାର ହାତକୁ ଭିଡ଼ି ହିଡ଼୍‌ ହିଡ଼୍‍ କରି ଅଗଣା ମଝିକୁ ଟାଣି ନେଇଗଲେ ଆଉ କହିଲେ ଏବେବି କହୁଛି, କେଉଁଠି ରଖିଛୁ ଦେଇଦେ ?... କହିବୁ ନା ନାହିଁ ? ତୁ ଜାଣିନୁ, ତୁ ଜାଣିନୁ ? ତୁ କୁନିଝିଅ ନା ? ତୁ କିଛି ଜାଣିନୁ ଶୀଘ୍ର କହ, ନ ହେଲେ ତୋ’ର ପାଟିରୁ ସବୁ ଦାନ୍ତ ଭାଙ୍ଗି ଚୁନା ଚୁନା କରିଦେବି, ଏବେ ଦେଖିବୁ ? କହ ଶୀଘ୍ର ଶୀଘ୍ର କହି ପକା କହୁଛି ।

 

ଟୁନିର ମା’ ହାତ ଧରିବା ପାଇଁ ଆଗେଇ ଆସୁଥିଲା । ଜଣେ କୁଟୁମ୍ବିନୀ କହିଲେ ଯାଅ ନି ବସିଥାଅ, ଦେଖୁନ, ସେ ହିଁ ନିଶ୍ଚୟ ନେଇଛି । ଚୋର ପାଇଁ ମାଡ଼ ହିଁ ଔଷଧ କଷି ଦିଅ ଦିଇଟା, ନ ହେଲେ ମାନିଯା ସବୁ ସମାଧାନ ହେଇଯିବ କାହିଁକି ମିଛରେ

 

ଦୁର୍ଗାର ମୁଣ୍ଡଟା ଘୁରି ଯାଉଥିଲା, କ’ଣ ଗୋଟାଏ ହେଇ ଯାଉଥିଲା ଯେମିତି । ସେ ଅସହାୟ ଭାବରେ ଚାରିଆଡ଼କୁ ଚାହିଁ ଅତିକଷ୍ଟରେ ଶୁଖିଲା ଜିଭରେ ଖନିବାଜିବା ସ୍ୱରରେ କହିଲା ମୁଁ ତ କିଛି ଜାଣେନି ଖୁଡ଼ୀ, ସେମାନେ ସବୁ ଚାଲିଗଲେ । ମୁଁ ବି ବାହାରିଗଲି କଥା କହୁ କହୁ ସାନ ମଝିଆ ଠାକୁରାଣୀ ଆଡ଼କୁ ଭୟରେ ଚାହିଁ ଜଡ଼ ପାଲଟି କାନ୍ଥ ଦେହରେ ଆଉଜି ଯିବାକୁ ଲାଗିଲା ।

 

ତା’ପରେ ସମସ୍ତେ ମିଶି ଆଉ କିଛି ସମୟ ତାକୁ ବୁଝେଇବାକୁ ଲାଗିଲେ । ତା’ର କିନ୍ତୁ ସେଇ ଗୋଟିଏ କଥା ସେ କିଛି ଜାଣେନି ।

 

କିଏ ଜଣେ କହିଲା ପକ୍କା ଚୋରଣୀ

 

ଟେମ୍ପି କହିଲା ବଗିଚାରେ ଆମ୍ବ ସବୁ ତଳେ ପଡ଼ିବା ଆଗରୁ ଗୋଟେଇ ନିଏ, ବୁଝିଲ ଖୁଡ଼ୀ ଶେଷୋକ୍ତ କଥାଟିରେ ସାନ ମଝିଆ ଠାକୁରାଣୀଙ୍କ କେଉଁ ଘା’ରେ ଛିଟା ଲାଗିଲା । ସେ ହଠାତ୍‌ କର୍କଶ ସ୍ୱରରେ ଚିତ୍କାର କରି କହିଲେ ଆରେ ଆରେ ପାଜି ନୀଚ ଚୋର ବଂଶର ଝିଅ, ତୁ ଜିନିଷ ଫେରେଇ ଦେବୁନି ? ଦେଖୁଛି, ତୁ ଦେଉଛୁ କି ନାହିଁ ? କଥା ଶେଷ ନ କରି ତା’ ଉପରେ ଝାମ୍ପିପଡ଼ି ତା’ ମୁଣ୍ଡକୁ କାନ୍ଥ ଦେହରେ ବାରମ୍ବାର ପିଟିବାକୁ ଲାଗିଲେ । କହ କେଉଁଠି ରଖିଛୁ ଏବେ କହ ଶୀଘ୍ର କହ କହ

 

ଟୁନିର ମା’ ଶୀଘ୍ର ଦଉଡ଼ି ଯାଇ ତାଙ୍କ ହାତ ଧରି ପକେଇ କହିଲା କ’ଣ କରୁଛ, ତୁମେ ୟେ କ’ଣ କରୁଛ, ସାନ ମଝିଆ ନାନୀ । ଯାଉ ପଛେ ମୋର ଫରୁଆ । ଏମିତି ଭାବରେ କାହାକୁ ମାରନ୍ତି ? ଛାଡ଼ିଦିଅ ତାକୁ ବାସ୍‌ ବହୁତ ହେଲା, ଛାଡ଼ ତାକୁ, ଛିଃ !

 

ଟୁନି ମାଡ଼ ଦେଖି କାନ୍ଦି ଉଠିଲା, ପୂର୍ବୋକ୍ତ କୁଟୁମ୍ବିନୀ କହିଲେ ଆରେ, ଏଠି ରକ୍ତ ପଡ଼ିଛି ଯେ....

 

ଦୁର୍ଗା ନାକ ଦେଇ ଝର୍‌ ଝର୍‍ କରି ରକ୍ତ ବୋହି ଯାଉଥିଲା । କେହି ଲକ୍ଷ୍ୟ କରିନଥିଲେ ଛାତି ଉପରେ ଲୁଗାଟି ରକ୍ତରେ ବେଶ୍‌ ଭିଜି ଯାଇଥିଲା ।

 

ଟୁନିର ମା’ କହିଲେ ଟେମ୍ପି ଶୀଘ୍ର ପାଣି ଆଣ ବାରଣ୍ଡାର ବାଲ୍‌ତିରେ ଅଛି, ଦେଖ

 

ପାଟିଗୋଳ ଓ ହଇଚଇ ଶୁଣି ପାଖ କମାର ଘର ଝିଅ ବୋହୂମାନେ ଘଟଣା କ’ଣ ଦେଖିବାକୁ ଧାଇଁ ଆସିଥିଲେ । ରାନୁର ମା’ ବି ଏତେ ସମୟ ଧରି ଘରେ ନ ଥିଲେ ଦୁଇ ପ୍ରହର ଖିଆପିଆ ପରେ କମାର ଘରେ ବସି ଗପସପ ହେଉଥିଲେ ସେ ବି ଆସିଗଲେ ।

 

ମାଡ଼ର ଚୋଟରେ ଦୁର୍ଗାର ମୁଣ୍ଡ ଭିତରଟା ଝାଇଁ ଝାଇଁ କରୁଥିଲା । ସେ ଭିଡ଼ ଭିତରେ ଦିଗହରା ପରି ଥରଟିଏ ଚାହିଁ କ’ଣ ଦେଖିଲା ।

 

ପାଣି ଆଣିଲାରୁ ରାନୁର ମା’ ଦୁର୍ଗାର ଆଖି ମୁହଁରେ ପାଣି ଦେଇ ତାକୁ ଧରି ଧରି ବସେଇଲେ । ତା’ ମୁଣ୍ଡ ଭିତରେ କେମିତି ଝିମ୍‌ ଝିମ୍‌ କରୁଥିଲା । ସେ ଦିଗହରା ହୋଇ ବସିପଡ଼ିଲା । ରାନୁର ମା’ କହିଲେ ଏମିତି କ’ଣ ମାରନ୍ତି ସାନ ମଝିଆ ନାନୀ ?.... ରୋଗିଣା ଝିଅଟା ଛିଃ

 

ତୁମେ ସବୁ ୟାକୁ ଜାଣନି । ଚୋରକୁ ମାଡ଼ ଛଡ଼ା ଅନ୍ୟକିଛି ଔଷଧ ନାହିଁ, ମୁଁ କହି ଦେଉଛି । କ’ଣ ବା ମାଡ଼ ମୁଁ ତାକୁ ଦେଇଛି, ଏଇ ମାତ୍ର ଆରମ୍ଭ କରିଛି ଜିନିଷ ନ ପାଇଲେ ତାକୁ ଆଜି ମୁଁ ଛାଡ଼ୁନି ? ହରି ରାୟ ମୋତେ ଶୂଳି ବା ଫାଶୀ ଦେଉ ଦେଖିବା

 

ରାନୁର ମା’ କହିଲେ ହେଲା, ଏବେ ଟିକେ ଧୈର୍ଯ୍ୟ ଧର ନାନୀ ଯେଉଁ କାଣ୍ଡ କାରଖାନା କଲଣି ନା

 

ଟୁନିର ମା’ କହିଲେ ଆରେ ମା, ଏତେକଥା ଘଟିବ ଜାଣିଥିଲେ, ମୁଁ ଜମାରୁ ଫରୁଆ କଥା କହି ନ ଥାନ୍ତି ?... ମୋର ଫରୁଆ ଦରକାର ନାହିଁ । ତାକୁ ଛାଡ଼ିଦିଅ ନାନୀ

 

ସାନ ମଝିଆ ଠାକୁରାଣୀ ଏତେ ସହଜରେ ଛାଡ଼ିଥାନ୍ତେ କି ନାହିଁ କହି ହେବନି, କିନ୍ତୁ ଜନମତ ତାଙ୍କ ବିରୁଦ୍ଧରେ ଯିବାକୁ ଲଗିଲା ।... ତେଣୁ ସେ ଆସାମୀକୁ ଛାଡ଼ିବା ପାଇଁ ବାଧ୍ୟ ହେଲେ ।

ରାନୁର ମା’ ଦୁର୍ଗାକୁ ଧରି ପଛପଟ ଦରଜା ଖୋଲି ବାରଣ୍ଡା ବାହାରେ ଛାଡ଼ିଦେଇ ଆସିଲେ ଓ କହିଲେ ଗୋଟାଏ ଅବେଳରେ ଆଜି ଘରୁ ବାହାରିଥିଲୁ ବୁଝିଲୁ । ଯା, ଧୀରେ ଧୀରେ ଯିବୁ ଟେମ୍ପି ପଛ କବାଟଟା ଭଲ କରି ଖୋଲି ଦେ ।

 

ଦୁର୍ଗା ଦିଗହରା ପରି ପଛ ଦରଜା ଦେଇ ବାହାରିଗଲା । ଝିଅ ବୋହୂ ଓ ଯେଉଁମାନେ ଉପସ୍ଥିତ ଥିଲେ ସମସ୍ତେ ତା’ ଆଡ଼କୁ ଅନେଇ ରହିଥିଲେ ।

 

ଜଣେ କହିଲା ତଥାପି ବି ସେ ମାନିଲା ନାହିଁ କେମିତିକା ଦେଖିଲ ତ ?... ଆଖିରୁ ଟୋପେ ବି ଲୁହ ଝରିଲାନି ।

 

ରାନୁର ମା’ କହିଲେ ଲୁହ କେଉଁଠୁ ଆସିବ, ଭୟରେ ଶୁଖିଯାଇଛି । ଆଖିରେ କ’ଣ ଲୁହ ଅଛି ? ଏମିତି ଭାବରେ ମାରନ୍ତି ସାନ ମଝିଆ ନାନୀ !

 

Unknown

(୨୨)

 

ଗାଁ’ରେ ସାର୍ବଜନୀନ ଚଡ଼କ ପୂଜାର ସମୟ ଉପସ୍ଥିତ ହେଲା । ସାହିର ବୈଦ୍ୟନାଥ ମଜୁମ୍‌ଦାର ଚାନ୍ଦା ଖାତା ଧରି ଘର ଘର ବୁଲିଲେ । ହରିହର କହିଲା ନା କକା, ଏଥର ମୋତେ ଟଙ୍କାଏ ଚାନ୍ଦା କରିବା ଅନ୍ୟାୟ ହୋଇଛି ଥରଟିଏ ମୋ ଅବସ୍ଥା କଥା ଭାବିଛ ? ଟଙ୍କାଟିଏ ଚାନ୍ଦା ଦେବାର ଅବସ୍ଥା ମୋର ଅଛି ? ବୈଦ୍ୟନାଥ କହିଲେ ଆରେ ନା’ରେ ନା, ଏବର୍ଷ ନୀଳମଣି ହାଜ୍‌ରାର ଅପେରା ଦଳ ଆସିବ । ଏଭଳି ଅପେରା ଏ ଅଞ୍ଚଳରେ କେହି ଆଖିରେ ଦେଖି ନାହାନ୍ତି । ଏଥର ପାଲପଡ଼ା ବଜାରରେ ମହେଶ ସେକରାର ବାଳକ-କୀର୍ତ୍ତନର ଦଳ ଗାଇବା ପାଇଁ ଆସିବେ । ସେମାନଙ୍କ ସଙ୍ଗେ ପୁଣି ଟକ୍କର ଦେବା ତ ଦରକାର ।

 

ବୈଦ୍ୟନାଥ ଏମିତି ଭାବରେ ବଖାଣି ଭାବଭଙ୍ଗୀ ପ୍ରକାଶ କଲେ, ସତେ ଯେମିତି ନିଶ୍ଚିନ୍ତପୁରର ଗ୍ରାମବାସୀମାନଙ୍କର ଜୀବନ ମରଣ ସମସ୍ୟା, ଏହି ପ୍ରତିଯୋଗିତା’ର ସାଫଲ୍ୟ ଉପରେ ନିର୍ଭର କରୁଛି ।

 

ଅପୁ ଗୋଟିଏ ପାଚିଲା ବାଉଁଶ କଣି ହାତରେ ଟାଣୁ ଟାଣୁ ଘର ଭିତକୁ ପଶି ଆସି କହିଲା ପାଚିଲା କଣି ଆଣିଚି ବାପା, ତୁମର ଏଥିରେ ଭଲ କଲମ ହେଇଯିବ । ଗାଡ଼ିଆ ପାଖରେ ବାଉଁଶ ବଣରେ ପଡ଼ିଥିଲା, ଗୋଟେଇ ଆଣିଛି ତା’ପରେ ସେ ହସହସ ମୁହଁରେ ସେଇଟାକୁ କିଛି ଉପରକୁ ଟେକି ଧରି ଦେଖେଇ କହିଲା ବାପା, ତୁମର କଲମ ଏଥିରେ ହେବନି ? ଠିକ୍‌ ଭାବରେ ପାକଳ ହୋଇଛି ନା ?

 

ଚଡ଼କମେଳାକୁ ବେଶୀ ଡେରି ନ ଥିଲା । ଘର ଘର ବୁଲି ଶିବ ଉତ୍ସବର ସନ୍ନ୍ୟାସୀମାନେ ନାଚିବାକୁ ସଜବାଜ ହେଉଥିଲେ । ଦୁର୍ଗା ଓ ଅପୁ ଆହାର ନିଦ୍ରା ତ୍ୟାଗ କରି ସନ୍ନ୍ୟାସୀମାନଙ୍କ ପଛେ ପଛେ ସାହିସାହିରେ ଘୁରି ବୁଲିଲେ । ଅନ୍ୟସବୁ ଗୃହସ୍ଥ ଘରେ ପୁରୁଣା ଲୁଗା, ଚାଉଳ, ପଇସା ସନ୍ନ୍ୟାସୀମାନଙ୍କୁ ଦିଅନ୍ତି, କେହି ବା କଳସୀ ଆଦି ଦିଅନ୍ତି... ତାଙ୍କ ଘରେ କେବଳ ମୁଠାଏ ଚାଉଳ ଛଡ଼ା କିଛି ଦେଇପାରନ୍ତିନି... ସେଥିପାଇଁ ତାଙ୍କ ଘରକୁ ସନ୍ନ୍ୟାସୀଦଳ କେବେବି ଆସନ୍ତିନି । ଦଶବାର ଦିନ ସନ୍ନ୍ୟାସୀ ନାଚ ପରେ ଚଡ଼କର ପୂର୍ବରାତିରେ ନୀଳପୂଜା ହୁଏ ।

 

ନୀଳପୂଜା ଦିନ ବିକାଳ ସମୟରେ ସନ୍ନ୍ୟାସୀମାନେ ଛୋଟ ଗୋଟିଏ ଖଜୁରୀ ଗଛରୁ କଣ୍ଟା ସାଉଁଟନ୍ତି ଏଥର ଦୁର୍ଗା ଆସି ଖବର ଦେଲା ଆଗଭଳି ସେହି ଗଛରୁ ଆଉ କଣ୍ଟା ସଂଗ୍ରହ କରିବେନି । ସନ୍ନ୍ୟାସୀମାନେ ନଦୀକୂଳର ଅନ୍ୟ ଗୋଟିଏ ଗଛ ସେଥିପାଇଁ ନିରୂପଣ କରିଛନ୍ତି । ସାହିର ପିଲାମାନଙ୍କ ସହିତ ଦୁର୍ଗା ଓ ଅପୁ ସେଠାରେ ପହଞ୍ଚିଗଲେ । କଣ୍ଟା ସାଉଁଟିବାର ନାଚ ହେଲା ପରେ ସମସ୍ତେ ଥରଟିଏ ଚଡ଼କତଳି ବୁଲିବାକୁ ଯାଆନ୍ତି । ଖଜୁରୀ ଡାଳରେ ନୀଳପୂଜାର ମଣ୍ଡପ ସଜା ହୋଇଥିଲା ଚଡ଼କତଳିର ପ୍ରାନ୍ତରଟାରେ ସାହାଡ଼ା ବଣ ଓ ଅନ୍ୟାନ୍ୟ ଜଙ୍ଗଲକାଟି ସଫା କରା ହୋଇଥିଲା ସେଇଠି ଭୁବନ ମୁଖାର୍ଜୀ ଘରର ଝିଅ ରାଣୀ, ଫୁଟି, ଟୁନୁ ସହିତ ଦେଖା ହେଲା ସେମାନଙ୍କ ଘରେ କଡ଼ା ଶାସନ । ଦୁର୍ଗାଭଳି ଟୋଟୋ କରି ଏଠି ସେଠି ବୁଲିବାର ଆଦେଶ ନାହିଁ ବହୁତ କଷ୍ଟରେ କୁହାବୋଲା କରି ସେମାନେ ଚଡ଼କତଳି ପର୍ଯ୍ୟନ୍ତ ଆସିଛନ୍ତି ।

 

ଟୁନୁ କହିଲା ଆଜି ରାତିରେ ସନ୍ନ୍ୟାସୀମାନେ ଶ୍ମଶାନକୁ ଯିବେ

 

ରାଣୀ କହିଲା ଆହା, ସେ କଥା ବୋଧେ ମୁଁ ଜାଣେନି ? ଜଣେ ଶବ ହେବ । ତାକୁ ଛତିଆନା ଗଛମୂଳକୁ ବାନ୍ଧି ନେଇଯିବେ । ତାକୁ ପୁଣି ବଞ୍ଚେଇବେ । ତା’ପରେ ଶବଟିର ମୁଣ୍ଡ ଆଣି ଢଗ କହି କହି ଆସିବେ ତା’ର କେତେ ସବୁ ମନ୍ତ୍ର ଅଛି

 

ଦୁର୍ଗା କହିଲା ମୁଁ ସେମାନଙ୍କର ଢଗ ସବୁ ଜାଣେ, କହିବି ଶୁଣିବୁ ?

 

ସ୍ୱର୍ଗରୁ ଆସିଲା ରଥ

ଓହ୍ଲେଇ ମାଟିତଳେ

ଚବିଶ କୋଟି ବାଣ ବର୍ଷା ଶିବଙ୍କ ସଙ୍ଗେ ଚାଲେ

ସତ୍ୟ ଯୁଗର ଶବ ଆଉ ଦ୍ୱାପର ଯୁଗର ମାଟି

ଶିବ ଶିବ କୁହରେ ଭାଇ ଢୋଲରେ ପିଟି କାଠି

 

ତା’ପରେ ସେ ହସି ହସି କହିଲା ଏଥର ଗୋଷ୍ଠ ବିହାରୀ ମୂର୍ତ୍ତି କେତେ ସୁନ୍ଦର ତିଆରି ହୋଇଛି ନା, ନୀଲୁଭାଇ ? ଦାଶୁ କମାର ଘରେ ଦେଖି ଆସିଲ, ତୁ ଦେଖିନୁ ଅନୁ ? ପୁଟି କହିଲା- ରାନୁ ନାନୀ, ସତ ସତିକା ଶବର ମୁଣ୍ଡ ?

 

ନୁହେଁ ତ ଆଉ କ’ଣ ? ବେଶୀ ରାତିରେ ଯଦି ଆସିବୁ, ତା’ ହେଲେ ଦେଖିପାରିବୁ । ଚାଲ ଭାଇ, ଆମେ ଘରକୁ ଫେରିଯିବା ଆଜି ରାତିଟା ଶୁଭ ନୁହେଁ ଆ ଅପୁ, ଆସ ଦୁର୍ଗାନାନୀ ।

 

ଅପୁ ପଚାରିଲା କାହିଁକି ଶୁଭ ନୁହେଁ, ରାନୁ ନାନୀ ? ଆଜି ରାତିରେ କ’ଣ ହେବ ?

 

ରାନୁ କହିଲା ସେ ସବୁ କଥା କୁହନ୍ତି ନି । ତୁ ଶୀଘ୍ର ଘରକୁ ଚାଲ ।

 

ଅପୁ ସେମାନଙ୍କ ସହିତ ଗଲାନି, କିନ୍ତୁ ଦୁର୍ଗା ସେ ଦଳ ସହିତ ଫେରିଗଲା । ତା’ପରେ ହଠାତ୍‌ ମେଘ ଘୋଟି ଆସିଲା । ସନ୍ଧ୍ୟାର ଅନ୍ଧକାର ମେଘକୁ ଆହୁରି ଘନୀଭୂତ କରିଦେଲା । ଅପୁ ଘରକୁ ଫେରୁଥିଲା, ରାସ୍ତାରେ ଜନମାନବ କେହି ନାହାନ୍ତି । ସନ୍ଧ୍ୟାବେଳେ ଶ୍ମଶାନରେ ଶବ ମୁଣ୍ଡର ଗପ ଶୁଣିଥିବାର ତାକୁ ଡରଡର ଲାଗୁଥିଲା । ଛକର ବାଉଁଶ ବଣ ନିକଟକୁ ଆସି ତା’ର ମନେହେଲା କେଉଁଠୁ ଯେମିତି ଉତ୍କଟ ଗନ୍ଧ ବାହାରୁଛି । ସେ ଦ୍ରୂତ ପାଦରେ ଯିବାକୁ ଆରମ୍ଭ କଲା । ଅଳ୍ପ ବାଟ ଯିବା ପରେ ନେଡ଼ାର ଜେଜେମା’ ସହିତ ଦେଖାହେଲା । ସେ ନୀଳପୂଜାର ନୈବେଦ୍ୟ ଧରି ଚଡ଼କତଳିକୁ ପୂଜା ଦେବାକୁ ଯାଉଥିଲେ । ଅପୁ ଅନ୍ଧାରରେ ହଠାତ୍‌ ଚିହ୍ନି ପାରିଲାନି, ପରେ ଚିହ୍ନିପାରି କହିଲା କ’ଣ ଗୋଟିଏ ଗନ୍ଧ ବାହାରୁଛି ଜେଜେମା’ ?

 

ବୁଢ଼ୀ କହିଲା ଆଜି ଏମାନେ ସବୁ ବାହାରିଛନ୍ତି ତ ?... ତାହାରି ଗନ୍ଧ ଆଉ କ’ଣ ...

 

ଅପୁ କହିଲା କେଉଁମାନେ ଜେଜେମା’ ?

 

କିଏ ଆଉ ହେବ ଶିବଙ୍କର ଦଳବଳ, ସନ୍ଧ୍ୟା ସମୟରେ ସେମାନଙ୍କର ନାମ ଧରନ୍ତିନି ରାମ ରାମ ରାମ ରାମ

 

ଅପୁ ଦେହରେ କଣ୍ଟା ଫୋଡ଼ିଲା ଭଳି ଚାଉଁକିନା ଲାଗିଲା । ଚାରିପଟେ ଅନ୍ଧାରୁଆ ସନ୍ଧ୍ୟା, ଆକାଶରେ କଳା ମେଘ, ବାଉଁଶ ବଣ, ଶ୍ମଶାନର ଗନ୍ଧ, ଶିବଙ୍କର ଅନୁଚର ଭୂତପ୍ରେତ ଛୋଟ ପିଲାଟିର ମନ ବିସ୍ମୟରେ, ଭୟରେ, ରହସ୍ୟରେ ଅଜଣା ଅନୁଭୂତିରେ ପୁରି ଉଠିଲା । ସେ ଆତଙ୍କିତ ହୋଇ କହିଲା ମୁଁ ଘରକୁ କେମିତି ଯିବି ଜେଜେମା’ !

 

ବୁଢ଼ୀ ଗାଳିଦେଲା । ଯାଇ ଯଦି ନ ପାରିବୁ, ଆଜି ଦିନରେ ଏତେ ରାତିରେ କାହିଁକି ଫେରୁଥିଲୁ ? ମୋ ସହିତ ଚାଲ । ନୀଳପୂଜାର ଥାଳିଟା ଦେଇ ଆସି, ତା’ପରେ ତୋତେ ଘରେ ଛାଡ଼ିବି । ଧନ୍ୟରେ ତୋତେ, ଯାହା ହେଉ ଲୋ...

 

ସାର୍ବଜନୀନ ପୂଜା ସ୍ଥାନରେ ଘାସ ଚାଞ୍ଛି ବାଉଁଶର ବିରାଟ ମେଢ଼ ବାନ୍ଧି ତା’ ଉପରେ ସାମିଆନା ଟଙ୍ଗା ହୋଇଥିଲା ।

 

ଅପେରା ଦଳ ପହଞ୍ଚିବା ଉପରେ, କିନ୍ତୁ ଏ ଯାଏ ପହଞ୍ଚି ନାହାନ୍ତି । ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ଲୋକେ କଥା ହେଉଥିଲେ କାଲି ସକାଳ ଗାଡ଼ିରେ ଆସିବେ । ଆଉ ସକାଳ ବିତିଗଲେ ବିକାଳରେ ଆସିବେ ବୋଲି ଲୋକେ ଆଶାରେ ରୁହନ୍ତି । ଅପୁର ସ୍ନାନ ଆହାର ଆଜି ବନ୍ଦ ହେବାର ଉପକ୍ରମ ହେଲାଣି । ରାତିରେ ଅପୁର ନିଦ ହେଉନି । ବନ୍ଧଭାଙ୍ଗୁଥିବା ବନ୍ୟାର ସ୍ରୋତଭଳି କୌତୂହଳ ଓ ଖୁସିର ଯେ କି ପ୍ରବଳ ଅଦମ୍ୟ ଉଚ୍ଛ୍ୱାସ ! ଶେଯରେ ଏପଟ ସେପଟ କଡ଼ ଲେଉଟାଏ । ଅପେରା ହେବ, ଅପେରା ହେବ, ନିଶ୍ଚୟ ହେବ ।

 

ଦୁର୍ଗାକୁ ତା’ ମା’ ସାହି ବାହାରକୁ ଯିବା ପାଇଁ ମନା କରିଛନ୍ତି, ସେ ବଡ଼ ହେଲାଣି । ଦୁର୍ଗା କିନ୍ତୁ ଲୁଚି ଲୁଚି ଯାଇ ସବୁ ଦେଖି ଆସେ । ରାଜଲକ୍ଷ୍ମୀକୁ ସେଠାକାର ଆସର ସଜ୍ଜା ଓ ବାଉଁଶ ଦେହରେ ଟଙ୍ଗା ହୋଇଥିବା ନାଲିନେଳୀ ରଙ୍ଗୀନ୍‌ କାଗଜଗୁଡ଼ିକର ନୂତନତ୍ୱ ବିଷୟରେ ଗଳ୍ପ କୁହେ । ଅପୁର ମନ ଘରେ ନ ଥାଏ, ତା’ର ଇଚ୍ଛା ହୁଏ ପଞ୍ଚାନନ ମେଲଣ ପଡ଼ିଆରେ ସେ ଦୁଇଓଳି କଉଡ଼ି ଖେଳୁଥିବା ସେହି ସାଧାରଣ ଅଥଚ ଅତି ପରିଚିତ ସ୍ଥାନଟିରେ ଆଜି ବା କାଲି ନୀଳମଣି ହାଜ୍‌ରାର ଅପେରା ଦଳ ଭଳି ଏକ ଅଦ୍ଭୁତପୂର୍ବ ଅବାନ୍ତର ଘଟଣା ଘଟିଯିବ ଏହା କ’ଣ ସମ୍ଭବ ? କଥାଟି ଯେମିତି ତା’ର ବିଶ୍ୱାସ ହେଉନଥିଲା ।

 

ହଠାତ୍‌ ଶୁଣାଗଲା, ଆଜି ବିକାଳ ସମୟରେ ସେମାନେ ଆସି ପହଞ୍ଚିବେ । ଝଲକାଏ ରକ୍ତ ଯେମିତି ଛାତିରୁ ନାଚିଉଠି ଛଲ୍‌କା ମାରି ମୁଣ୍ଡକୁ ଛୁଇଁଗଲା !...

 

କୁମ୍ଭାର ସାହି ଛକରେ ଦୁଇ ପ୍ରହର ପରଠୁ ସବୁ ପିଲାଙ୍କ ସହିତ ଛିଡ଼ା ହେବା ପରେ, ଦୂରରେ ଗୋଟିଏ ଶଗଡ଼ଗାଡ଼ି ଆସିବାର ସେ ଦେଖିପାରିଲା । ସେଥିରେ ଅପେରା ଦଳର ପୋଷାକ ପରିଚ୍ଛଦ ଭର୍ତ୍ତି ଥିଲା । ପଛକୁ ପଛ ଲାଗିଛି ଶଗଡ଼ ଏକ, ଦୁଇ, ତିନି, ଚାରି, ପୁରା ପାଞ୍ଚ ଖଣ୍ଡ । ପଟୁ ଆଙ୍ଗୁଳିରେ ଗୋଟି ଗୋଟି ଗଣି ଖୁସି ହୋଇ କହିଲା ଅପୁ ଭାଇ, ଆମେ ଏମାନଙ୍କ ପଛେ ପଛେ ବସାଘର ପର୍ଯ୍ୟନ୍ତ ଯାଇ ସବୁ ଦେଖିଆସିବା ଯିବ ? ସାଜ ପୋଷାକ ପରେ ପରେ ଅପେରାର ଲୋକମାନେ ଚାଲିଛନ୍ତି । ସମସ୍ତଙ୍କ ମୁଣ୍ଡ ପ୍ରାୟ ଟେରି ଟଣା ହୋଇ ମୁଣ୍ଡ କୁଣ୍ଡା ଯାଇଛି । ଅନେକ ହାତରେ ଯୋତା ଝୁଲେଇଛନ୍ତି । ପଟୁ ଜଣେ ଦାଢ଼ିବାଲା ଲୋକକୁ ଦେଖେଇ କହିଲା ଇଏ ବୋଧେ ରାଜା ହୁଏ ନା, ଅପୁ ଭାଇ ?

 

ଆକାଶ ପବନର ରଙ୍ଗ ଏକାବେଳକେ ବଦଳିଗଲା ଅପୁ ମହା ଉତ୍ସାହରେ ଘରକୁ ଫେରି ଦେଖିଲା, ତା’ ବାପା ବାରଣ୍ଡାରେ ବସି କ’ଣ ଯେମିତି ଲେଖୁଛନ୍ତି ଓ ଗୁଣୁ ଗୁଣୁ ହୋଇ ଗୀତ ଗାଉଛନ୍ତି । ଅପୁ ଭାବିଲା, ଅପେରା ଆସିବା କଥାଟି ତା’ର ବାପା ବି ଜାଣିଯାଇଛନ୍ତି । ସେଥିପାଇଁ ତାଙ୍କ ମନରେ ଏତେ ଫୁର୍ତ୍ତି । ଅତି ଉତ୍ସାହରେ ହାତ ହଲେଇ କହିଲା ପୋଷାକ ବାକ୍ସ ପାଞ୍ଚ ଖଣ୍ଡ ଗାଡ଼ିରେ ଆସିଛି ବାପା ! ଏତେ ବଡ଼ ଅପେରା ଦଳ !...

 

ହରିହର ଯଜମାନ ଘରକୁ କବଚ ପଠେଇବା ପାଇଁ ବାଲି କାଗଜରେ ଲେଖୁଥିଲେ, ମୁହଁ ଟେକି ବିସ୍ମୟରେ ପଚାରିଲେ କାହାର ପୋଷାକରେ ବାବୁ ?

 

ଅପୁ ଆଶ୍ଚର୍ଯ୍ୟ ହୋଇଗଲା । ଏତେବଡ଼ ଘଟଣା, ଅଥଚ ବାପାଙ୍କୁ କିଛି କଥା ଜଣା ନାହିଁ । ବାପାଙ୍କୁ କଥାଟି ଜାଣିନଥିବାରୁ ନିତାନ୍ତ କୃପାର ପାତ୍ର ବୋଲି ମନେକଲା ।

 

ତା’ପର ଦିନ ସକାଳେ ଉଠି ଅପୁକୁ ପଢ଼ିବା ପାଇଁ ବସିବାକୁ ପଡ଼ିଲା । କିଛି ସମୟ ପରେ ସେ କାନ୍ଦ କାନ୍ଦ ହୋଇ କହିଲା ବାପା ମୁଁ ସାର୍ବଜନୀନ ପୂଜା ଜାଗାକୁ ଯିବି । ସମସ୍ତେ ଯାଉଛନ୍ତି ଆଉ ମୁଁ ଖାଲି ବସି ପାଠ ପଢ଼ୁଥିବି ନା କ’ଣ ? ଏବେ ଯଦି ଯାତ୍ରା ଅଭିନୟ ଆରମ୍ଭ ହେଇଯାଏ ?

 

ତା’ର ବାପା କହିଲେ ଏବେ ବସି ପାଠପଢ଼, ଯାତ୍ରା ଅଭିନୟ ଆରମ୍ଭ ହେଲେ ଢୋଲ ବାଜିବାର ଶବ୍ଦ ଶୁଣାଯିବ ? ସେତେବେଳେ ଯିବୁ । ପ୍ରୌଢ଼ ବୟସରେ ପୁତ୍ରପ୍ରାପ୍ତି, ତା’ ଉପରେ ଆଜିକାଲି ସେ ସବୁବେଳେ ପ୍ରାୟ ବିଦେଶରେ ରୁହେ, ଅଳ୍ପଦିନ ପାଇଁ ଘରକୁ ଆସି ପୁଅକୁ ଆଖି ଆଗରୁ ଛାଡ଼ିବାକୁ ମନ ହୁଏନି । ରାଗ ଓ ଅଭିମାନରେ ଅପୁ ଆଖିରୁ ଲୁହ ବହୁଥିଲା । ସେ କାନ୍ଦ କାନ୍ଦ ସ୍ୱରରେ ପୁଣିଥରେ ଶୁଭଙ୍କରୀ ସୂତ୍ର ଆରମ୍ଭ କଲା ମାସକୁ ଦରମା ଯାହାର ଯେତେ, ଦିନକୁ ତାହାର ହୁଅଇ କେତେ ?

 

କିନ୍ତୁ ସକାଳେ ଯାତ୍ରା ହେବନି । ଖବର ଆସିଲା ଆରଓଳି ଆରମ୍ଭ ହେବ । ଆରଓଳି ମା’ ପାଖକୁ ଯାଇ କାନ୍ଦ କାନ୍ଦ ହୋଇ ବାପାଙ୍କର ଅତ୍ୟାଚାର କଥା ଆମୂଳଚୁଳ ବର୍ଣ୍ଣନା କଲା । ସର୍ବଜୟା ହରିହର ପାଖକୁ ଆସି କହିଲା ପିଲାଟାକୁ ଯିବାକୁ ଦିଅନା ? ବର୍ଷକରେ ଦିନଟିଏ ଆସେ ତୁମେ ସିନା ବର୍ଷରେ ନଅମାସ ବାହାରେ କଟଉଛ । ଆଉ ପିଲାଟା କ’ଣ ଦିନକରେ ପାଠ ପଢ଼ି ତର୍କାଳଙ୍କାର ପଣ୍ଡିତ ହେଇଯିବ ନା କ’ଣ ?

ଅପୁକୁ ଛୁଟି ମିଳିଯାଏ । ଦୁଇପହରଟା ଯାକ ତା’ର ପୂଜା ପଡ଼ିଆରେ କଟିଯାଏ । ବିକାଳ ସମୟରେ ଯାତ୍ରା ବସିବା ପୂର୍ବରୁ ଘରକୁ ଖାଇବାକୁ ଫେରିଲା । ବାପା ବାରଣ୍ଡାରେ ବସି କବଚ ଲେଖୁଥିଲେ । ଅନ୍ୟଦିନମାନଙ୍କରେ ତାକୁ ଏ ସମୟରେ ବି ବାପା ପାଖରେ ବସି ପଢ଼ିବାକୁ ପଡ଼ିଥାଏ । କାଳେ ପିଲାଟି ବିରକ୍ତ ହୋଇଯିବ, ସେଥିପାଇଁ ବାପାଙ୍କୁ ବିଭିନ୍ନ ପ୍ରକାରର କୌତୁକର ଆୟୋଜନ କରିବାକୁ ପଡ଼େ । ପୁଅକୁ କୁହେ ଆରେ ଅପୁ, ସିଲଟରେ ଚଟାପଟ ଲେଖିଲୁ ବାପା ଗୋ ! ଆରେ ଭୂତରେ... ଅପୁ ଏମିତି କଥା ଶୁଣି ହସି ହସି ବେଦମ୍‌ ହୋଇଯାଏ । ଆଉ ଶୀଘ୍ର ଶୀଘ୍ର ଲେଖି ଦେଖେଇଦିଏ । ତା’ପରେ କହେ ଏଇଟା ଶେଷ ହେଲେ କିନ୍ତୁ ବାପା, ମୁଁ ଚାଲିଯିବି ଆଉ ଲେଖିବିନି । ତା’ ବାପା କହନ୍ତି ହଉ ଯିବୁ, ହଉ ଯିବୁ ତ ବାବୁ ଆଚ୍ଛା ଚଟାପଟ୍‌ ଆଉ ଗୋଟାଏ ଲେଖି ଆଣିଲୁ ଦେଖି କହି ପୁଣି ଗୋଟିଏ ଅଦ୍ଭୁତ କଥା କହନ୍ତି । ଅପୁ ପୁଣି ହସି ପକାଏ ।

 

ଆଜି କିନ୍ତୁ ଅପୁର ମନେହେଲା ବାହାରୁ କୌଣସି ଏକ ପ୍ରଚଣ୍ଡ ଶକ୍ତି ଖାଲି ତାକୁ ତା’ ବାପାଙ୍କଠୁ ଦୂରେଇ ନେଇଯାଇଛି । ବାପା, ନିର୍ଜନ ଛାଇ ଭର୍ତ୍ତି ବିକାଳ ଯାକ ବାଉଁଶବଣ ଘେରା ଘରେ ଏକା ଏକା ବସି ଲେଖୁଛନ୍ତି, କିନ୍ତୁ ଏମିତି ଶକ୍ତି ନାହିଁ ଯେ ତାକୁ ପାଖରେ ବସେଇ ପାରେ । ଏବେ ଯଦି କହିବେ ବାବୁ ଆସି ପାଖରେ ବସି, ପାଠପଢ଼ ସେମିତି ଚାରିପଟୁ ଗୋଟିଏ ଭୟାନକ ପ୍ରତିବାଦର ସ୍ୱର ଉଠିବ । ସମସ୍ତେ ଯେମିତି କହିବେ ନା, ନା, ସେଇଟା ହେବନି ! ସେଇଟା ସମ୍ଭବ ନୁହେଁ ! ଯାତ୍ରା ଯେ ବସିବା ଉପରେ । କୌଣସି ଏକ ଉଲ୍ଲାସର ପ୍ରବଳ ଶକ୍ତି ତା’ର ବାପାଙ୍କୁ ଯେମିତି ନିତାନ୍ତ ଅସହାୟ ଦୁର୍ବଳ କରି ଦେଇଛି । ତାଙ୍କର ସାଧ୍ୟ ନାହିଁ ଯେ, ସେ ପଢ଼ିବା କଥାଟି ମୁହଁରେ ଉଚ୍ଚାରଣ କରନ୍ତି ।

 

ଦୁର୍ଗା କହିଲା ଅପୁ, ତୁ ମା’କୁ ଥରେ କହନା, ମୁଁ ବି ତୋ ସାଥିରେ ଅପେରା ଦେଖିବା ପାଇଁ ଯିବି । ଅପୁ କହିଲା ମା, ନାନୀ ବି ଆସୁନା ମୋ ସହିତ ? ସେଠି ଅଲଗା ଲୁଗା ଦେଇ ବସିବା ଜାଗା ହେଇଛି । ସେ ସେଇଠି ବସିବ ?

 

ମା’ କହିଲା ନା ଏବେ ନାହିଁ । ସେ ଘରର ଝିଅମାନେ ଯିବେ, ମୁଁ ବି ଯିବି, ମୋ ସାଙ୍ଗରେ ସେତିକିବେଳେ ଯିବ ।

 

ସାର୍ବଜନୀନ ପୂଜା ସ୍ଥଳୀକୁ ଅପୁ ଯିବା ସମୟରେ ଦୁର୍ଗା ପଛରୁ ଡାକିଲା ଅପୁ, ଶୁଣ୍‌ । ତା’ପରେ ସେ ତା’ ପାଖକୁ ଆସି ହସି ହସି କହିଲା ତୋ ହାତ ବଢ଼େଇଲୁ ! ଅପୁ ହାତ ବଢ଼େଇଲାରୁ ଦୁର୍ଗା ତା’ ପାପୁଲି ଭିତରେ ଦୁଇଟା ପଇସା ରଖିଦେଲା ଓ ନିଜର ଦୁଇ ହାତ ଭିତରେ ତା’ ହାତ ମୁଠାକୁ ଚାପି ଧରି କହିଲା ଦୁଇ ପଇସାର ମୁଡ଼୍‌କୀ କିଣି ଖାଇବୁ, ନ ହେଲେ ଯଦି ଲିଚୁ ବିକ୍ରି ହେଉଥିବ, କିଣି ଖାଇବୁ ।

 

ଏ ଘଟଣାର ଛଅ ସାତଦିନ ପୂର୍ବରୁ ଅପୁ ଦିନଟିଏ ଆସି ତା’ ନାନୀକୁ କହିଥିଲା ତୋ କଣ୍ଢେଇ ବାକ୍ସରେ ପଇସା ଅଛି ନାନୀ ? ଗୋଟେ ପଇସା ଦେବୁ ? ଦୁର୍ଗା ପଚାରିଥିଲା ପଇସା ତୋର କ’ଣ ଦରକାର ? ଅପୁ ନାନୀ ମୁହଁ ଆଡ଼କୁ ଚାହିଁ ହସି ହସି କହିଥିଲା ଲୁଚି ଖାଇବି କଥା ଶେଷ କରି ସେ ପୁଣି ଲାଜ ଲାଜ ହସଟିଏ ହସି ମୁଣ୍ଡ ତଳକୁ ପୋତି ଦେଇଥିଲା । କୈଫିୟତ ଦେବାକୁ ଯାଇ କହିଥିଲା ବୈଷ୍ଣବ ଘର ବଗିଚାରେ ସେମାନେ ମଞ୍ଚା ବାନ୍ଧିଛନ୍ତି ନାନୀ, ଅନେକ ଲିଚୁ ପାରିଛନ୍ତି, ପ୍ରାୟ ଦୁଇ ଝୁଡ଼ି ହେବ ଗୋଟିଏ ପଇସାରେ ଛ’ଟା ବିକୁଛନ୍ତି । ଏତେ ବଡ଼ ବଡ଼, ପାଚି ଯାଇ ସିନ୍ଦୁର ପରି ନାଲି ଦେଖାଯାଉଛି । ସତୁ କିଣିଲା, ସାଧନ କିଣିଛି ତା’ପରେ ଟିକେ ଅଟକି ଯାଇ ପଚାରିଲା ତୋ ପାଖରେ ପଇସା ଅଛି ନାନୀ ?

 

ଦୁର୍ଗାର କଣ୍ଢେଇ ବାକ୍ସରେ ସେଦିନ କିଛି ନ ଥିଲା । ତେଣୁ ସେ ତାକୁ କିଛି ଦେଇ ପାରିନଥିଲା । ଅପୁକୁ ବିରସ ମୁହଁରେ ଫେରିଯିବାର ଦେଖି ସେଦିନ ତା’ ମନରେ ଭୀଷଣ କଷ୍ଟ ହୋଇଥିଲା । ତେଣୁ କାଲି ବିକାଳେ ସେ ଚଡ଼କ ଯାତ୍ରା ଦେଖିବା ଆଳରେ ଦୁଇ ପଇସା ବାପାଙ୍କ ପାଖରୁ ମାଗି ରଖିଥିଲା । ସୁନାର ପ୍ରତିମା ଭଳି ଭାଇଟିର, ମୁହଁର ଆବ୍‌ଦାର୍‌ ଟିକକ ରଖି ନ ପାରିଲେ ଦୁର୍ଗାର ମନଟି କେମିତି କେମିତି ହୋଇଯାଏ ।

 

ଅପୁ ଚାଲିଯିବା ପରେ, ତା’ ମା’ ନଈଘାଟରୁ ଆସି କହିଲା ଦୁର୍ଗା ଗୋଟିଏ କାମ କର ତ ! ରାନୁ ଘର ବଗିଚାରୁ ଦୁଇଟା ଧଳା ପସାରୁଣୀ ପତର ଖୋଜି ନେଇ ଆସିଲୁ ଅପୁର ଦେହଟା ଭଲ ରହୁନି । ତା’ ପାଇଁ ଝୋଳ ତରକାରୀ ରାନ୍ଧିଦେବି !

 

ମା’ କଥାରେ ସେ ଏକା ଡିଆଁକେ ରାନୁ ଘର ବଗିଚାରେ ପହଞ୍ଚିଲା । ମଣିଷ ଉଚ୍ଚତାରେ ଘାସ ବଢ଼ିଛି ବଗିଚା ଭିତରେ ସେ ପସାରୁଣୀ ପତର ଖୋଜୁ ଖୋଜୁ ପିଲାଦିନେ ପିଉସୀ ପାଖରୁ ଶୁଣିଥିବା ଗପଟିଏ ମନେ ପଡ଼ିଗଲା । ସେ ମୁଣ୍ଡ ହଲେଇ ଆବୃତ୍ତି କଲା

 

ହଳଦୀ ବୁଦା ବଣେ

ନାକ ଫୁଲଟି ହଜିଗଲା ଲୋ, ସୁଖ ନାଇଟି ମନେ

 

 

(୨୩)

 

ଯାତ୍ରା ଆରମ୍ଭ ହୋଇଗଲା । ଅପୁକୁ ଆଉ କିଛି ଦେଖା ଯାଉନଥିଲା । ତା’ ଚାରିପଟେ ପୃଥିବୀ ନ ଥିଲା, କେହି ନ ଥିଲେ, କିଛି ନ ଥିଲା । କେବଳ ସେ ନିଜେ ଥିଲା ଆଉ ସାମନାରେ ନୀଳମଣି ହାଜ୍‌ରାର ଅପେରା ଦଳ । ସନ୍ଧ୍ୟା ଆଗରୁ ଏମିତି ସୁନ୍ଦର ଚେହେରାର ବେହେଲା ବାଦକ ମଧ୍ୟ ମିଠା ଆଳାପ ତୋଳିଥିଲା । ମଫସଲ ଗାଁ’ର ପିଲା, କେବେବି ସେଭଳି ଭଲ ମୂର୍ଚ୍ଛନା ଶୁଣିନାହାନ୍ତି କି ଉଦାସ କରୁଣ ସ୍ୱରର ରାଗିଣୀ, ସତେ ମନଟା କେମିତି କେମିତି ହୋଇଯାଏ... ତା’ର ମନେହେଲା, ବାପା ଏ ଯାଏ ବି କ’ଣ ସବୁ ଲେଖିବାକୁ ବସିଥିବେ ନାନୀର ଆସିବା ଇଚ୍ଛା ଥାଇ ବି ଆସିପାରୁନି । ପ୍ରଥମେ ଯେତେବେଳେ ଝିଲ୍‌ମିଲ୍‌ ସାଜ ପୋଷାକ ପିନ୍ଧି କେତେ ପ୍ରକାରର ଆଲୋକର ସଜ୍ଜିତ ଆସର ଭିତରକୁ ରଜାର ମନ୍ତ୍ରୀମାନେ ପ୍ରବେଶ କଲେ, ଅପୁ ମନେ ମନେ ଭାବିଲା, ଏଭଳି ସବୁ ଜିନିଷ ତା’ ବାପା ଦେଖି ପାରିଲେନି । ସବୁ ଲୋକ ତ ଗାଁ’ରୁ ଆସିଛନ୍ତି ତା’ ସାହିର ବି ସବୁ ଲୋକ ଆସରରେ ବସିଛନ୍ତି, କେହି ବାକି ନାହାନ୍ତି ? ବାପା ବା କାହିଁକି ଏଯାଏ ଆସିଲେନି ... ? ଯାତ୍ରା କ୍ରମେ ଦ୍ରୂତ ଗତିରେ ଅଗ୍ରସର ହେବାକୁ ଲାଗିଛି । ସେଥର ସେ ବାଳକ-କୀର୍ତ୍ତନ ଦଳର ଅପେରା ଦେଖିଥିଲା । ସେଇଟା କ’ଣ ଆଉ ଏଇଟା କ’ଣ, ଆକାଶ ପାତାଳ ତଫାତ୍‌ ! ଏ ଅପେରାର କି ସାଜପୋଷାକ ! କେତେ ବଢ଼ିଆ ଚେହେରା !...

 

ହଠାତ୍‌ ପଛରୁ କିଏ କହିଲା ବାବୁ, ଠିକ୍‌ ଦେଖି ପାରୁଛୁ ତ ? ତା’ର ବାପା ଆସି ଆସରରେ ବସିଛନ୍ତି, ସେ ଜାଣିପାରିନି । ବାପା ଆଡ଼କୁ ବୁଲି ପଚାରିଲା ବାପା, ନାନୀ ଆସିଛି ?... ପରଦା ସେପଟରେ ବସିଛି ବୋଧେ ?

 

ମନ୍ତ୍ରୀର ଗୁପ୍ତ ଷଡ଼ଯନ୍ତ୍ରରେ ଯେତେବେଳେ ରଜା ରାଜ୍ୟଚ୍ୟୁତ ହୋଇ ସ୍ତ୍ରୀ-ପୁତ୍ର ଧରି ବଣକୁ ଯାଉଛନ୍ତି, ସେତେବେଳେ ବେହେଲାରେ କାରୁଣ୍ୟର ଆଳାପ ହେଉଛି । ତା’ପରେ କରୁଣ ରସର ଦୃଶ୍ୟ ବହୁତ ସମୟ ପ୍ରଦର୍ଶନ କରିବା ପାଇଁ ରଜା ସ୍ତ୍ରୀ-ପୁତ୍ରର ହାତଧରି ପାଦଟିଏ ଆଗକୁ ଯାଇ ଛିଡ଼ା ହେଉଥିଲେ, ପୁଣି ଆଗକୁ ପାଦ ବଢ଼ାଉଥିଲେ । ବାସ୍ତବ ଜଗତରେ କୌଣସି ବନବାସ ଗମନୋଦ୍ୟତ ରଜା ନିତାନ୍ତ ଅପ୍ରକୃତିସ୍ଥ ନ ହେଲେ ଦଳେ ଲୋକ ସାମନାରେ ସେମିତି କରନ୍ତା ନାହିଁ । ରାଜାଙ୍କର ବିଶ୍ୱସ୍ତ ସେନାପତି ରାଗରେ ଏମିତି ଥରୁଥିଲେ ଯେ ମୂର୍ଚ୍ଛାରୋଗୀ ବି ସେମିତି ଥରିପାରିବନି । ଅପୁ ଅପଲକ ଦୃଷ୍ଟିରେ ଚାହିଁ ବସିଥାଏ, ମୁଗ୍‍ଧ ବିସ୍ମିତ ହୋଇଯାଏ, ଏଭଳି ଦୃଶ୍ୟ ସେ କେବେହେଲେ ଦେଖିନି ।

 

ତା’ପରେ, ରାଜା ନାହାନ୍ତି କି ରାଣୀ ନାହାନ୍ତି, ସେମାନେ କେଉଁଠିକି ଚାଲିଯାଇଛନ୍ତି ! ଘନ ନିବିଡ଼ ଜଙ୍ଗଲ ଭିତରେ କେବଳ ରାଜପୁତ୍ର ଅଜୟ ଓ ରାଜକୁମାରୀ ଇନ୍ଦୁଲେଖା । ଭାଇ ଭଉଣୀ ଦୁହେଁ ଘୁରି ବୁଲୁଛନ୍ତି ! ଏମିତି କେହି ସେଠାରେ ନାହାନ୍ତି ଯିଏ ସେମାନଙ୍କ ମୁହଁକୁ ଅନେଇବେ, କେହି ନାହିଁ ଯିଏ ନିର୍ଜନ ବନପଥରେ ସେମାନଙ୍କୁ ରାସ୍ତା କଢ଼େଇ ନେଇଯିବ । ସାନଭାଇଟି ପାଇଁ ଫଳ ଆଣିବାକୁ ଯାଇ ଇନ୍ଦୁଲେଖା ଆଉ ଫେରିନି । ଅଜୟ ବଣ ଭିତରେ ଭଉଣୀକୁ ଖୋଜି ବୁଲୁଛି ତା’ପରେ ନଈକୂଳରେ ତା’ର ଭଉଣୀ ମୃତ ଦେହକୁ ଖୋଜି ପାଇଲା । କ୍ଷୁଧାର ତାଡ଼ନାରେ ବିଷଫଳ ଖାଇ ମୃତ୍ୟୁବରଣ କରିଥିଲା ଇନ୍ଦୁଲେଖା । ଅଜୟ କରୁଣ ସ୍ୱରରେ ଚିତ୍କାର କରୁଛି । ଗୀତ ମାଧ୍ୟମରେ ବିଳପି ଉଠିଲା କେଉଁଠି ଛାଡ଼ିଗଲୁ ମୋତେ ଏ ବଣକାନ୍ତାରରେ, ପ୍ରାଣପ୍ରିୟା ପ୍ରାଣସାଥୀ ଆରେ ଏତେ ପର୍ଯ୍ୟନ୍ତ ଅପୁ ମୁଗ୍‍ଧ ଦୃଷ୍ଟିରେ ଚାହିଁ ଦେଖୁଥିଲା କିନ୍ତୁ ଆଉ ଧୈର୍ଯ୍ୟ ଧରି କୋହ ସମ୍ଭାଳି ରହିପାରିଲାନି, କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

କଳିଙ୍ଗରାଜଙ୍କ ସହିତ ଯୁଦ୍ଧରେ ବିଚିତ୍ର କେତୁର ତରବାରୀ ଚାଳନା କି ଚିତ୍ତାକର୍ଷକ ! ମନେ ହେଉଥିଲା ଉପରେ ଝୁଲୁଥିବା ବେଲୁଆରି ଝାଡ଼ଗୁଡ଼ିକ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ କିମ୍ବା କେଉଁ ହତଭାଗ୍ୟ ଦର୍ଶକର ଆଖି ଦୁଇଟିରେ ବିଦ୍ଧ ହୋଇଯିବ । ଚିତ୍କାର କରି କିଏ ସବୁ କହୁଥିଲେ ବେଲୁଆରୀ ଆଲୁଅକୁ ଜଗି ଯୁଦ୍ଧ କର କିନ୍ତୁ, ଅଦ୍ଭୁତ ଯୁଦ୍ଧ କୌଶଳରେ ସବୁ ଠିକ୍‌ ଠାକ୍‌ ରହିଗଲା ବାଃ, ବିଚିତ୍ର କେତୁ, ଧନ୍ୟ ତୁମେ !

 

ତା’ପରେ ଅନେକ ସମୟ ଧରି ଯୋଡ଼ି ଗୀତ ଓ ବେହେଲା ବାଦନ ସମୟରେ ଅପୁର ବାପା ତାକୁ ଡାକି ପଚାରିଲେ ନିଦ ଲାଗୁଛି କିରେ ଅପୁ ? ଘରକୁ ଯିବୁ ବାବୁ ?... ନିଦ ! ସର୍ବନାଶ !... ନା, ନା ସେ ଘରକୁ ଯିବନି । ବାହାରକୁ ଡାକି ତା’ର ବାପା ତାକୁ ଦୁଇଟି ପଇସା ଦେଇ କହିଲେ ଏଇଟା ରଖିଥା, କିଛି କିଣି ଖାଇଦେବୁ, ମୁଁ ଘରକୁ ଯାଉଛି । ଅପୁର ଇଚ୍ଛାହେଲା, ପଇସାଟି ଦେଇ ଗୋଟିଏ ପାନ ଖାଇବାକୁ । ପାନ ଦୋକାନ ପାଖକୁ ଯାଇ ଦେଖିଲା ବହୁତ ଭିଡ଼ ଜମିଛି, ଅବାକ୍‌ କାଣ୍ଡ ସେଠାରେ । ସେନାପତି ବିଚିତ୍ର କେତୁ ତା’ର ତରବାରୀକୁ ଖୋଳ ଭିତରେ ରଖି, ଗୋଟିଏ ‘ବାର୍ଡ଼ସାଇ’ ସିଗାରେଟ୍‌ କିଣି ଟାଣୁଛନ୍ତି । ଆଉ ତାଙ୍କ ଚାରିପଟେ ରଥଯାତ୍ରା ଭିଡ଼ ଜମିଛି । ଆଶ୍ଚର୍ଯ୍ୟ ଉପରେ ଆଶ୍ଚର୍ଯ୍ୟ କଥା !... ଏହି ସମୟରେ ରାଜପୁତ୍ର ଅଜୟ କେଉଁଠୁ ଆସି ବିଚିତ୍ର କେତୁର କହୁଣୀରେ ହାତ ଦେଇ କହିଲା ପଇସାକର ପାନଟି କିଣି ଦିଅନା, କିଶୋରୀ ଭାଇ ? ରାଜପୁତ୍ର ପ୍ରତି ସେନାପତିର ବିଶ୍ୱାସନୀୟତାର ନିଦର୍ଶନ ଦେଖାଗଲାନି ହାତ ଛିଞ୍ଚାଡ଼ି କହିଲା ଯାଃ, ମୋ ପାଖରେ ଏତେ ପଇସା ନାହିଁ ସକାଳେ ଦୁଇଜଣ ମିଶି ସାବୁନରେ ଗାଧୋଇଥିଲ, ମୋତେ ସେତେବେଳେ କ’ଣ କହିଥିଲୁ, ମନେ ନାହିଁ ? ରାଜପୁତ୍ର ପୁଣିଥରେ କହିଲା ହଉ ଦିଅନା ଖଣ୍ଡେ ପାନ କିଶୋରୀ ଭାଇ ? ମୁଁ ବୋଧେ ତୁମକୁ କେତେବେଳେ କିଛି ଦେଇନି ? ବିଚିତ୍ର କେତୁ ହାତ ମୁକୁଳେଇ ସେଠାରୁ ଚାଳିଗଲେ ।

 

ରାଜପୁତ୍ର ପିଲାଟି ଅପୁର ସମବୟସୀ ହେବ । ବେଶ୍‌ ତୋଫା ଉଜ୍ଜ୍ୱଳ ବର୍ଣ୍ଣର ପିଲାଟି । ଗୀତ ବି ଭାରି ସୁନ୍ଦର ଭାବରେ ଗାଏ । ଅପୁ ମୁଗ୍‍ଧ ହୋଇ ତାକୁ ଚାହିଁ ରହିଥିଲା ମନରେ ବଡ଼ ଆଗ୍ରହ ହେଲା, ତା’ ସହିତ ପରିଚିତ ହେବାକୁ । ହଠାତ୍‌ କେଉଁ ଆକର୍ଷଣରେ ସାହାସ ସଞ୍ଚୟ କରି ତା’ ଆଡ଼କୁ ଆଗେଇ ଗଲା ଟିକିଏ ସଲଜ୍ଜ ସ୍ୱରରେ କହିଲା ପାନ ଖାଇବ ?... ଅଜୟ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲା ତୁମେ ଦେବ, ପାନ ? ଆଣ ତା’ହେଲେ, ଦୁଇଜଣଙ୍କ ଭାବ ହୋଇଯିବ । ଭାବ କହିଲେ ଭୁଲ ହେବ । ଅପୁ, ମୁଗ୍‍ଧ ଓ ଅଭିଭୂତ ହୋଇଗଲା ! ଏହାକୁ ହିଁ ସେ ଏତେଦିନ ମନେ ମନେ କାମନା କରିଛି ଏଇ ରାଜପୁତ୍ର ଅଜୟକୁ । ତା’ ମାଆର ଶହ ଶହ ରୂପ କଥାର କାହାଣୀ ଭିତରେ, ଶୈଶବର ଶତସ୍ୱପ୍ନମୟୀ ମୁଗ୍‍ଧ କଳ୍ପନାର ଆବର୍ତ୍ତନରେ ତା’ର ପ୍ରାଣ ଏହାକୁ ହିଁ ଚାହିଁଥିଲା ଏଇ ଆଖି, ଏଇ ମୁହଁ, ଏଇ କଣ୍ଠର ସ୍ୱର । ଠିକ୍‌ ସେ ଯାହା ଚାହେଁ, ତାହାହିଁ ମିଳିଯାଇଛି । ଅଜୟ ପଚାରିଲା ତୁମର ଘର କେଉଁଠି ଭାଇ ?... ମୋତେ ଜଣକ ଘରେ ଖାଇବାକୁ ପଠେଇଛନ୍ତି, ବଡ଼ ଥାଳିଟିରେ ଖାଇବାକୁ ଦିଅନ୍ତି । ତୁମ ଘରକୁ ଆମ ଅପେରାର କିଏ ଯାଏ ?

 

ଖୁସିରେ ଅପୁର ସାରା ଶରୀରରେ କମ୍ପନ ସୃଷ୍ଟି ହେଲା । ସେ କହିଲା ଆମ ଘରକୁ ବି ଜଣେ ଖାଇବା ପାଇଁ ଯାଆନ୍ତି, ଦେଖିଲି ସେ ଆଜି ଢୋଲ ବଜାଉଥିଲେ । ତୁମେ କାଲିଠୁ ଆମ ଘରେ ଖାଇବ, ମୁଁ ଆସି ତୁମକୁ ଘରକୁ ଡାକି ନେଇଯିବି । ଢୋଲବାଲା ବରଂ ତୁମେ ଯେଉଁଘରେ ଖାଉଥିଲ, ସେଠିକି ଚାଲିଯିବ ।

 

କିଛି ସମୟ ଦୁଇଜଣ ଏପଟ ସେପଟ ବୁଲାବୁଲି କଲେ । ତା’ପରେ ଅଜୟ କହିଲା ମୁଁ ଏବେ ଯାଉଛି, ମୋର ଶେଷ ଦୃଶ୍ୟରେ ଗୋଟିଏ ଗୀତ ଗାଇବାର ଅଛି । ମୋ ଅଭିନୟ ତୁମକୁ କେମିତି ଲୁଗୁଛି ?

 

ଶେଷ ରାତିରେ ଯାତ୍ରା ଭାଙ୍ଗିଲାରୁ ଅପୁ ଘରକୁ ଫେରିଲା । ଫେରୁ ଫେରୁ ରାସ୍ତାରେ ଯିଏ ଯେଉଁଠି କଥାବାର୍ତ୍ତା ହେଉଥିଲେ, ତାକୁ ମନେ ହେଉଥିଲା ଅପେରାର ଅଭିନୟ ଚାଲିଛି । ଘରେ ତା’ ନାନୀ ପଚାରିଲା ଆରେ ଅପୁ, ଯାତ୍ରା ଦେଖିଲୁ, କେମିତି ଲାଗିଲା ?... ଅପୁର ମନେହେଲା ଗଭୀର ଜନଶୂନ୍ୟ ଅରଣ୍ୟ ଭିତରେ ସତେ ଯେମିତି ରାଜକୁମାରୀ ଇନ୍ଦୁଲତା ତାକୁ କ’ଣ କହୁଛି । କେମିତି ଗୋଟିଏ ତନ୍ଦ୍ରା ତାକୁ ଆଚ୍ଛନ୍ନ କରି ବସିଛି । ମହା ଆନନ୍ଦରେ ସେ କହିଲା କାଲିଠୁ, ଯିଏ ଅଜୟ ସାଜିଥିଲା ଆମ ଘରକୁ ଖାଇବାକୁ ଆସିବ

 

ତା’ ମା’ ପଚାରିଲେ ଦୁଇଜଣ ଯାକ ଖାଇବେ ?... ଆରେ ଦୁଇ ଜଣକୁ କେଉଁଠୁ...

 

ଅପୁ କହିଲା ନା, ନା, ଆର ଜଣକ ଚାଲିଯିବ, କେବଳ ଅଜୟ ଖାଇବ । ଦୁର୍ଗା କହିଲା କେତେ ବଢ଼ିଆ ଅପେରା ନା ଅପୁ ? ଏମିତି କେବେବି ଦେଖି ନ ଥିଲି ରାଜକନ୍ୟା ଯେତେବେଳେ ମରିଗଲା, କେମିତି କରୁଣ ଗୀତ ଗାଇଲା ନା ? ରାତିରେ ନିଦ ଭିତରେ ଅପୁକୁ ସେହି ବେହେଲାର ସ୍ୱର ଶୁଣାଯାଉଥିଲା । ସକାଳେ ଟିକିଏ ଡେରିରେ ତା’ ନିଦ ଭାଙ୍ଗିଲା ଶେଷ ରାତିରେ ଶୋଇଥିଲା, ନିଦର ତୃପ୍ତି ମେଣ୍ଟି ନ ଥିଲା । ସୂର୍ଯ୍ୟର ତୀକ୍ଷ୍‌ଣ କିରଣ ଯେମିତି ଆଖିରେ ଛୁଞ୍ଚି ବିନ୍ଧିଲା ପରି ଲାଗୁଥିଲା । ଆଖିକୁ ପାଣି ଛାଟିଲେ ଜଳୁଥିଲା । ତା’ କାନରେ ତଥାପି ଢୋଲ, ବେହେଲା ଓ ମନ୍ଦିରାର ଏକଟଣା ବାଜଣା ଏବେବି ବାଜୁଥିଲା । ମନେହେଲା ସତେ ଯେମିତି ସେ ଏବେବି ଅପେରାର ଆସର ଭିତରେ ବସିଛି ।

 

ନଈଘାଟକୁ ଗଲାବେଳେ ସାହିର ଝିଅମାନେ କଥାବାର୍ତ୍ତା କରି ଯାଉଛନ୍ତି ହେଲେ ଅପୁକୁ ଜଣାପଡ଼ୁଛି ସତେ ଯେମିତି ତା’ ଭିତରୁ କେହି ଜଣେ ଧୀରାବତୀ, କିଏ ବା କଳିଙ୍ଗ ଦେଶର ମହାରାଣୀ, କିଏ ପୁଣି ରାଜପୁତ୍ର ଅଜୟର ମା’ ବସୁମତୀ । ତା’ ନାନୀର ପ୍ରତି କଥାରେ ହାତଗୋଡ଼ ହଲେଇବା ଭଙ୍ଗୀରେ ରାଜକନ୍ୟା ଇନ୍ଦୁଲେଖା ଯେମିତି ସାମିଲ ହୋଇଯାଇଛି । କାଲି ଅପେରାରେ ଯିଏ ଇନ୍ଦୁଲେଖା ସାଜିଥିଲା ତାକୁ ମୋଟାମୋଟି ଭଲ ଦେଖାଯାଉଥିଲା, କିନ୍ତୁ ତା’ ମନ ଭିତରେ ଯେଉଁ ରାଜକନ୍ୟା ଇନ୍ଦୁଲେଖାର ପ୍ରତିମା ଗଢ଼ି ଉଠିଥିଲା, ସେଇଟା ତା ନାନୀ ଭିତରେ ନିବିଷ୍ଟ । ତା’ଦେହର ରଙ୍ଗ, ବଡ଼ ବଡ଼ ଟଣା ଆଖି, ସେମିତି ସୁନ୍ଦର ମୁହଁଟି ଆଉ ସେମିତି ସୁନ୍ଦର କେଶ ।

 

ଇନ୍ଦୁଲେଖା ତା’ର ସମସ୍ତ କରୁଣା, ସ୍ନେହ ମାଧୁରୀ ସହିତ କେଉଁ ସେଦିନର ସେ ଦେଶର ଅତୀତର ଜୀବନ ପରେ ପୁଣି ତା’ ନାନୀ ରୂପରେ ଯେମିତି ଫେରିଆସିଛି ତେଣୁ, ଗତକାଲି, ଇନ୍ଦୁଲେଖାର କଥାରେ, ଭାବଭଙ୍ଗୀରେ, ପ୍ରତି ପଦକ୍ଷେପରେ ନାନୀ ହିଁ ପ୍ରତିଫଳିତ ହୋଇ ବାହାରି ଆସୁଥିଲା । ଯେତେବେଳେ ଘୋର ଜଙ୍ଗଲ ଭିତରେ ସେ ଶତ ସ୍ନେହରେ ନିଜର ସାନଭାଇକୁ କୁଣ୍ଢେଇ ଧରିଥିଲା, ତା’ ପାଇଁ ଫଳ ସଂଗ୍ରହ କରିବା ପାଇଁ ଯାଇ ନିର୍ଜନ ବଣ ଭିତରେ ହଜିଗଲା ସବୁ ଯେମିତି ସେଦିନର ମହାକାଳ ଫଳ ଘଟଣାର ପୁନରାବୃତ୍ତି । ଅପୁର ସେଇକଥା ହିଁ ବାରମ୍ବାର ମନକୁ ଆସୁଥିଲା ।

 

ଦୁଇ ପହର ଖାଇବା ସମୟରେ ଅପୁ ଅଜୟକୁ ଡାକି ଆଣିଲା । ତା’ ମା’ ଦୁଇଜଣଙ୍କୁ ପାଖାପାଖି ଖାଇବାକୁ ଦେଇ, ତା’ ପରିଚୟ ଆଦି ବିଷୟରେ ପଚାରିଲା । ସେ ବ୍ରାହ୍ମଣ ପିଲା, ତା’ର କେହି ନାହିଁ । ଜଣେ ମାଉସୀ ତାକୁ ପାଳିଥିଲେ, ସେ ବି ଆଉ ନାହାନ୍ତି । ଆଜକୁ ବର୍ଷେ ହେଲା ସେ ଏହି ଅପେରାରେ କାମ କରୁଛି । ସର୍ବଜୟାର ପିଲାଟି ଉପରେ ଖୁବ୍‌ ସ୍ନେହ ହେଲା । ବାରମ୍ବାର ପଚାରି ତାକୁ ଖାଇବାକୁ ଦେଲା । ଖାଦ୍ୟ ସେମିତି କିଛି ବିଶେଷ ନ ଥିଲା, ତଥାପି ପିଲାଟି ଖୁବ୍‌ ଖୁସିରେ ଖାଇଲା । ତା’ପରେ ଦୁର୍ଗା ତା’ ମା’କୁ ଚୁପ୍‌କିନା କହିଲା ମା’ ତାକୁ କାଲିର ସେ ଗୀତଟା ଗାଇବା ପାଇଁ କୁହନା ସେଇ, କେଉଁଠି ଛାଡ଼ିଲୁ ମୋତେ, ଏ ବଣ କାନ୍ତାରେ, ପ୍ରାଣପ୍ରିୟା ପ୍ରାଣସାଥୀ ଆରେ

 

ଅଜୟ ସ୍ୱର ଲମ୍ବେଇ ଗୀତଟି ଗାଇଲା ଅପୁ ମୁଗ୍‍ଧ ହୋଇଗଲା ସର୍ବଜୟାର ଆଖିପତା ଭିଜିଗଲା । ଆହା ବିଚରା ! ଏମିତି ପିଲାର ମା’ ନାହିଁ ! ତା’ପରେ ସେ ଅହୁରି ଗୀତ ଗାଇଲା । ସର୍ବଜୟା କହିଲା ବିକାଳେ ମୁଢ଼ି ଭାଜିବି, ସେତେବେଳେ ଆସିବ ମୁଢ଼ି ଖାଇଯିବ ଲାଜ କରିବନି ଯେତେବେଳେ ଇଚ୍ଛା ଚାଲି ଆସିବ, ନିଜ ଘର ବୋଲି ଭାବିବ, ବୁଝିଲ ?

 

ଅପୁ ତାକୁ ସାଙ୍ଗରେ ନେଇ ନଈକୂଳଆଡ଼େ ବୁଲିଗଲା । ସେଇଠି ଅଜୟ କହିଲା, ଭାଇ ତୁମର ତ ସ୍ୱରଟା ଭାରି ମିଠା ଗୋଟିଏ ଗୀତ ଗାଅନା ? ଅପୁର ବି ଇଚ୍ଛା ହେଲା, ଅଜୟ ଆଗରେ ଗୀତଟିଏ ଗାଇ ବାହାଦୂରୀ ନେବା ପାଇଁ । କିନ୍ତୁ ଭୀଷଣ ଭୟ ବି ଲାଗୁଥିଲା ଏ ଜଣେ ପେଷାଦାର ଅପେରା ଦଳର ପିଲା ୟା ଆଗରେ ଗୀତା ଗାଇବାଟା ? ନଈକୂଳର ବଡ଼ ଶିମୁଳି ଗଛତଳ ଦେଇ ଯେଉଁ ପାଦଚଲା ରାସ୍ତାଟି ଲମ୍ବିଯାଇଛି, ସେଇବାଟେ କିଛି ରାସ୍ତା ଯାଇ ବାଉଁଶ ବୁଦା ମୂଳରେ ଦୁଇଜଣ ବସିଲେ । ଅପୁ ଅନେକ କଷ୍ଟରେ ଲଜ୍ଜା ତ୍ୟାଗ କରି ଗୀତଟିଏ ଗାଇଲା ଶ୍ରୀଚରଣେ ମିନିତି ଗୋ ମୋର ଥରଟିଏ ଉଠ ହେ ଅନନ୍ତ ଦାଶୁରାୟଙ୍କ ପଞ୍ଚାଳୀରୁ ଗୀତଟି ଗାଇଲା । ବାପାଙ୍କ ମୁହଁରୁ ଶୁଣି ସେ ଲେଖି ରଖିଥିଲା । ଅଜୟ ଅବାକ୍‌ ହୋଇ କହିଲା ଆରେ ଭାଇ, ତୁମର ସ୍ୱର ଏତେ ମିଠା ? ତୁମେ କାହିଁକି ଗୀତ ଗାଉନା ?... ଆଉ ଗୋଟେ ଗାଅ । ଅପୁ ଉତ୍ସାହିତ ହୋଇ ଆଉ ଗୋଟିଏ ଗାଇଲା ତରୀର ଆଶାରେ ବସି ବସି ମନ, ବୁଡ଼ିଲା ବେଳରେ ତରୀର ପାଶେ... ତା’ ନାନୀ କେଉଁଠୁ ଶିଖି ଆସି ଏ ଗୀତଟି ଗାଏ । ସ୍ୱରଟି ଏତେ ଭଲ ଲାଗିଥିଲା ଯେ ସେ ନାନୀ ପାଖରୁ ଶିଖି ନେଇଥିଲା । ଘରେ କେହି ନ ଥିଲେ ଦୁଇଜଣ ମିଶି ଗୀତଟି ଗାଇଥାନ୍ତି ।

 

ଗୀତଟି ଶେଷ ହେଲାରୁ ଅଜୟ ପ୍ରଶଂସାରେ ଶତମୁଖ ହୋଇଉଠିଲା । ଏମିତି କଣ୍ଠ ତୁମର, ଯେ କୌଣସି ଅପେରାରେ ଯଦି ମିଶିବ, ତା’ହେଲେ ଖୁସିରେ ପନ୍ଦର ଟଙ୍କା ଦରମା ଦେବେ ଆଉ ଯଦି ଟିକିଏ ଭଲ କରି ଶିଖିବ, ନିଶ୍ଚୟ ବେଶୀ ପଇସା ପାଇଯିବ !

 

ଘରେ କେହି ନ ଥିବା ସମୟରେ ଅପୁ ନାନୀ ଆଗରେ ଗୀତ ଗାଇ କେବେ କେବେ ପଚାରେ ନାନୀ ମୋର କଣ୍ଠ ଭଲ ? ମୁଁ ଭଲ ଗୀତ ଗାଇପାରିବି ? ନାନୀ ତା’ର ବାରମ୍ବାର ଆଶ୍ୱାସନା ଦେଇ ଆସିଥିଲା । କିନ୍ତୁ ନାନୀର ଆଶ୍ୱାସନା ଯେତେ ବି ଆଶାପ୍ରଦ ହେଉନା କାହିଁକି, ଆଜି ଜଣେ ପୋଖତ ସଙ୍ଗୀତଜ୍ଞ ନାମୀ ଅପେରାର ମେଡ଼ାଲପ୍ରାପ୍ତ ଗାୟକ ମୁହଁରୁ ଏ ପ୍ରଶଂସା ଶୁଣି ଅପୁ ବି ମୋହିତ ହୋଇଗଲା । କ’ଣ କହିବ ସେ ଭାବି ଠିକ୍‌ କରିପାରିଲାନି ।

 

ଅପୁ କହିଲା ତୁମର ସେ ଗୀତଟା ମୋତେ ଶିଖେଇ ଦିଅନା ?

 

ତା’ପରେ ଦୁଇଜଣ ମିଶି ସେ ଗୀତଟି ଗାଇଲେ ।

 

ବହୁତ ସମୟ ବିତିଗଲା । ନଈ ପାଣିରେ ‘ଛପ୍‌ଛପ୍‌’ କରି ନୌକା ଆଗକୁ ଯାଉଥିଲା । କୂଳରେ ପାଣି କଡ଼େ କଡ଼େ କିଏ ଜଣେ କ’ଣ ଯେମିତି ଖୋଜୁଥିଲା । ଅଜୟ ପଚାରିଲା ଆରେ ଭାଇ, ସେ ଲୋକ ଜଣକ କ’ଣ ଖୋଜୁଛି ?

 

ଅପୁ କହିଲା କୁନି କୁନି ବେଙ୍ଗ ଖୋଜୁଛି, ବନ୍‌ଶୀରେ ଗୁନ୍ଥି ମାଛ ଧରିବ । ତା’ପରେ ସେ ପଚାରିଲା ଆଚ୍ଛା ଭାଇ, ତୁମେ ଆମ ଘରେ ରହିଯାଉନ ? କେଉଁଠିକି ଆଉ ଯିବନି ? ରହିବ ?

 

ଏମିତି ସୁନ୍ଦର ଆଖି, ଏମିତି ମିଠା ମିଠା କଣ୍ଠସ୍ୱର ! ତା’ଉପରେ ପୁଣି ସେ ଅପୁ ପାଖରେ ରାଜପୁତ୍ର ଅଜୟ ! କେଉଁ ବଣ ଜଙ୍ଗଲରେ ବୁଲୁବୁଲୁ ଅସହାୟ, ଛନ୍ନ ଛଡ଼ା ରୂପବାନ ରାଜାଙ୍କ ପୁଅ ସହିତ ହଠାତ୍‌ ତାହାର ଦେଖା ଓ ତା’ ସହିତ ଭାବ ଆଦାନ ପ୍ରଦାନ ହୋଇଯାଇଛି । ଚିରଜନ୍ମର ବନ୍ଧୁ ! ତାକୁ ପୁଣି କେମିତି ବା ଛାଡ଼ିଦେବ ?

 

ଅଜୟ ବି ନିରୋଳାରେ ମନର ଅନେକ ଗହନ କଥା କହିଗଲା । ଏଭଳି ବନ୍ଧୁ, ତା’ର ଆଗରୁ କେହି ନ ଥିଲେ । ସେ ପ୍ରାୟ ଚାଳିଶ ଟଙ୍କା ଜମା କରିଛି । ଆଉ ଟିକେ ବଡ଼ ହେଲେ, ସେ ଅପେରା ଛାଡ଼ି ଦେବ । ଦଳର ଅଧିକାରୀ ବହୁତ ମାରେ । ସେ ଆଶୁତୋଷ ପାଳର ଅପେରାରେ ଯୋଗଦେବ । ସେଇଠି ବହୁତ ମଜା । ପ୍ରତିଦିନ ରାତିରେ ପୁରି ତରକାରୀ ମିଳେ । ଯିଏ ନ ଖାଇବ, ତାକୁ ତିନି ଅଣା ହାତରେ ଦିଅନ୍ତି । ଏ ଅପେରା ଛାଡ଼ିଲା ପରେ ସେ ପୁଣି ଅପୁ ଘରକୁ ଆସିବ ଓ ସେତେବେଳେ କିଛିଦିନ ଅପୁ ଘରେ ରହିବ । ବିକାଳକୁ କିଛି ସମୟ ବାକିଥିଲା । ଅଜୟ କହିଲା ଚାଲ ଭାଇ, ଫେରିଯିବା । ଆଜି ପୁଣି ଏବେ ଆସର ହେବ । ସକାଳେ ଫେରିବି । ଯଦି ପରଶୁରାମ- ଦର୍ପ ସଂହାର ହେବ ତା’ହେଲେ ମୁଁ ସେଥିରେ ନିୟତି ହେବି । ଶୁଣିବ, କେମିତି ଗୋଟିଏ ଗୀତ ସେଥିରେ ଅଛି

 

ଆହୁରି ତିନିଦିନ ଧରି ଗାଁ’ରେ ଅପେରା ଚାଲିଲା । ଗାଁ’ର ପ୍ରତିଟି ଲୋକ ମୁଖରେ ଅପେରା ଛଡ଼ା ଅନ୍ୟକିଛି ଆଲୋଚନା ନ ଥିଲା । ଲୋକମାନେ ରାସ୍ତାଘାଟରେ, ବିଲରେ, ଗାଁ’ର ନାଉରୀମାନେ ବି ନୌକା ବାହୁବାହୁ, ଗୋପାଳ ପିଲା ଗାଈ ଚରାଉ ଚରାଉ ଯାତ୍ରା ଦଳରୁ ଶିଖିଥିବା ନୂଆ ନୂଆ ଗୀତ ଗାଉଥିଲେ । ଗାଁ’ର ଝିଅମାନେ ଅପେରାର ପିଲାମାନଙ୍କୁ ଘରକୁ ନିମନ୍ତ୍ରଣ କରି ଯାହାର ଯେଉଁ ଗୀତ ଭଲ ଲାଗିଥିଲା, ଫର୍ମାସ କରି ସେଗୁଡ଼ିକ ଶୁଣିଲେ । ଅପୁ ବି ଆହୁରି ତିନିଚାରିଟା ନୂଆ ଗୀତ ଶିଖି ନେଇଥିଲା । ଦିନଟିଏ ସେ ଅଜୟ ସହିତ ଅପେରା ଲୋକ ରହୁଥିବା ବସାକୁ ଯାଇଥିଲା । ସେଠାରେ ସମସ୍ତେ ମିଶି ତାକୁ ଗୀତଟିଏ ଗାଇବା ପାଇଁ କହିଲେ । ସମସ୍ତେ ଅଜୟ ପାଖରୁ ଶୁଣିଥିଲେ ଅପୁ ଖୁବ୍‌ ଭଲ ଗୀତ ଗାଏ ବୋଲି । ଅପୁ ବହୁ ସାଧ୍ୟସାଧନ ପରେ ନିଜର ବିଦ୍ୟା ଭଲ ଭାବରେ ଜାହିର କରିବା ପାଇଁ ଗୋଟିଏ ଗୀତ ଗାଇଲା । ସମସ୍ତେ ତାକୁ ସାଙ୍ଗରେ ଧରି ଅଧିକାରୀ ନିକଟକୁ ନେଇଗଲେ । ସେଠାରେ ବି ତାକୁ ଆଉ ଗୋଟିଏ ଗୀତ ଗାଇବାକୁ ପଡ଼ିଲା । ଅଧିକାରୀ କଳାରଙ୍ଗର ଲୋକଟି, ପେଟଟି ସାମାନ୍ୟ ଆଗକୁ ବାହାରିଛି । ଆସରରେ ଯୋଡ଼ିଦାର ହୋଇ ଗୀତ ଗାଏ । ଗୀତ ଶୁଣି କହିଲା ଯାତ୍ରା ଦଳରେ ମିଶିବୁ ? ଅପୁର ବୁକୁ ତଳଟା ଗର୍ବ ଓ ଆନନ୍ଦରେ ଦଶହାତ ଲମ୍ବିଗଲା । ଅନ୍ୟମାନେ ସମସ୍ତେ ମିଶି ତାକୁ କହିଲେ ଚାଲ ତୋତେ ଆମେ ଅପେରାରେ ନେଇଯିବା । ଅପୁର ବି ଇଚ୍ଛା, ସେ ଏଇ କ୍ଷଣି ଚାଲିଯାଆନ୍ତା ! ଅପେରାରେ କାମ କରିବା ଯେ ମଣିଷ ଜୀବନର ଚରମ ଉଦ୍ଦେଶ୍ୟ ସେ ଏ କଥା ଆଜିଯାଏ ଜାଣିନଥିଲା । ଏ କ’ଣ କମ୍‍ ଆଶ୍ଚର୍ଯ୍ୟର ବିଷୟ ! ସେ ଏକୁଟିଆ ଅଜୟକୁ ପଚାରିଥିଲା ମୁଁ ଯଦି ଏବେ ଅପେରାରେ ଭର୍ତ୍ତି ହେବି ମୋତେ କ’ଣ ହେବାକୁ ଦେବେ ?

 

ଅଜୟ କହିଲା ଏବେ ଆରମ୍ଭରେ ସଖୀ-ଟଖୀ ହେବାକୁ ଦେବେ କିମ୍ବା ବାଳକର ଅଭିନୟ ଥିଲେ ଦେବେ ତା’ପରେ ବଡ଼ ହେଲେ, ଟିକିଏ ଭଲ କରି ଶିଖିଗଲେ

 

ଅପୁର ସଖୀ ହେବାର ଇଚ୍ଛା ନ ଥିଲା ଜରିର ମୁକୁଟ ପିନ୍ଧି ସେନାପତି ସାଜି ଖଣ୍ଡା ବୁଲେଇବାକୁ ଚାହେଁ, ଯୁଦ୍ଧ କରିବାକୁ ଚାହେଁ । ବଡ଼ ହେଲେ ସେ ଯାତ୍ରା ଦଳରେ ନିଶ୍ଚୟ ଯୋଗଦେବ ଏବଂ ସେଇଟା ହିଁ ତା’ ଜୀବନର ଚରମ ଲକ୍ଷ୍ୟ । ଅଜୟ ଅପେରା ଦଳର ଗୋଟିଏ କଷଟି ପଥର ରଙ୍ଗର ପିଲାକୁ ଠାରରେ ଦେଖେଇ ଅପୁକୁ କହିଲା, ୟାର ନାମ ବିଷ୍ଣୁତେଲି । ମୋ ସହିତ ବିଲ୍‌କୁଲ୍‌ ପଡ଼େନି । ମୁଁ ମୋ ନିଜ ପଇସାରେ ଦିଆସିଲି କିଣି ତକିଆ ତଳେ ଲୁଚେଇ ରଖି ଶୁଏଁ, ଆଉ ଇଏ ସିଗାରେଟ୍‌ ଟାଣିବା ପାଇଁ କାଢ଼ି ନିଏ ଆଉ ଫେରାଏ ନାହିଁ । ମୁଁ କହେ ମୋତେ ରାତିରେ ଭୟ ଲାଗେ, ମୋ ଦିଆସିଲିଟା ଦିଅ । ଅନ୍ଧାର ଭିତରେ ମନଟା କେମିତି ଛମ୍‌ ଛମ୍‌ କରେ, ତେଣୁ ସେ ଦିନ ଦିଆସିଲି ମାଗିଲାରୁ ମୋତେ ଚାପୁଡ଼ାଟେ କଷିଦେଲା । ଭଲ ନାଚେ ବୋଲି ଅଧିକାରୀ ତାକୁ ଟିକିଏ ଭଲପାଏ, କିଛି କହିବାର ବି ଉପାୟ ନାହିଁ ।

 

ପାଞ୍ଚଦିନ ପରେ ଯାତ୍ରା ଦଳର ଅଭିନୟ ଶେଷ ହୋଇଗଲା । ସେମାନେ ସେଠାରୁ ବିଦାୟ ନେଲେ । ଅଜୟ ଘରର ପୁଅ ଭଳି ଅପୁ ଘରକୁ ଯେତେବେଳେ ଇଚ୍ଛା ଯିବା ଆସିବା କରି, ଅପୁର ଆଉ ଗୋଟିଏ ଭାଇ ହୋଇ ଯାଇଥିଲା । ଅପୁ ବୟସର ଛୋଟ ପିଲାଟି ପୁଣି ସଂସାରରେ ତା’ର କେହି ନାହିଁ ଶୁଣି ସର୍ବଜୟା ତାକୁ ଏ କେତେଦିନ ଅପୁଭଳି ଯତ୍ନ ନେଇଥିଲା । ଦୁର୍ଗା ବି ତାକୁ ନିଜ ଭାଇ ଭଳି ଦେଖିଛି । ତା’ ଠୁ ଗୀତ ବି ଶୁଣିଛି, କେତେ ଗପ ବି ଶୁଣେଇଛି । ତା’ର ପିଇସୀ କଥା କହିଛି । ତିନିଜଣ ମିଶି ବାରଣ୍ଡାରେ ଘର ଟାଣି ଗଙ୍ଗା ଯମୁନା ଖେଳ ଖେଳିଛନ୍ତି । ଖାଇବା ସମୟରେ ବାଧ୍ୟ କରି ବେଶୀ ଖୁଏଇଛି । ଯାତ୍ରା ଦଳରେ ରୁହେ, କିଏ କାହା କଥା ବୁଝୁଥିବ, କେଉଁଠି ଶୋଉଥିବ, କ’ଣ ଖାଉଥିବ ଆହା କହିବାକୁ କେହି ନାହାନ୍ତି । ଘର ସଂସାରର ଯେଉଁ ସ୍ପର୍ଶ, ଜନ୍ମଠାରୁ ତା’ର ଭାଗ୍ୟରେ ସମ୍ଭବ ହୋଇନି । ଅପ୍ରତ୍ୟାଶିତ ଭାବରେ ସେ ସବୁର ସ୍ୱାଦ ଚାଖି ଲୋଭୀ ଭଳି ଛାଡ଼ିଯିବାକୁ ଅନିଚ୍ଛୁକ ଥିଲା ।

 

ଯିବା ସମୟରେ ସେ ହଠାତ୍‌ ତା’ର ପୁଟୁଳି ଖୋଲି ତା’ର ସଞ୍ଚିତ ଅର୍ଥରୁ ପାଞ୍ଚ ଟଙ୍କା ବାହାର କରି ସର୍ବଜୟା ହାତକୁ ବଢ଼େଇ ଦେଇ କହିଲା ଏଇ ଟଙ୍କାରେ ନାନୀ ବାହାଘର ବେଳେ ଗୋଟିଏ ଭଲ ଶାଢ଼ୀ କିଣିଦେବ

 

ସର୍ବଜୟା କହିଲା ନା’ରେ ବାପା ନା ତୁ ଯେଉଁ କଥାଟା କହିଲୁ ଏଇଟା ବହୁତ ବଡ଼, ଟଙ୍କା ଦେବା ଦରକାର ନାହିଁ । ତୋ’ର ଏବେ ଟଙ୍କାର ବହୁତ ଦରକାର ବାହାଚୁଡ଼ା ହେବୁ, ସଂସାର କରିବୁ

 

ତଥାପି ବି ସେ ମାନିବାକୁ ନାରାଜ । ଅନେକ ବୁଝେଇବା ପରେ ଯାଇ ସେ ନିବୃତ୍ତ ହେଲା ।

 

ତା’ପରେ ସମସ୍ତେ ମିଶି ତାକୁ ଘର ଦୁଆର ଆଗକୁ କିଛିବାଟ ବଳେଇ ଦେଇ ଆସିଲେ । ଯିବା ସମୟରେ ସେ ବାରମ୍ବାର କହିଗଲା, ନାନୀ ବାହାଘର ସମୟରେ ଯେମିତି ତାକୁ ନିଶ୍ଚିତ ଖବର ଦିଆଯାଏ ।

 

କେନ୍ଦୁଗଛ ତଳ ଦେଇ ଯାଉ ଯାଉ ତାହାର ସୁକୁମାର ବାଳକ ମୂର୍ତ୍ତିଟି ଧୀରେ ଧୀରେ ବୁଦୁବୁଦୁକିଆ ସାହାଡ଼ା ଗଛର ଅନ୍ତରାଳରେ ଅଦୃଶ୍ୟ ହୋଇଗଲା । ହଠାତ୍‌ ସର୍ବଜୟା ମନ ଭିତରେ ଚାଉଁକିନା ଲାଗିଲା ଆହା କେଡ଼େ ବକଟେ ସାନ ପିଲାଟା, ଏଇ ବୟସରୁ ବାହାରିଛି ନିଜର ଉପାର୍ଜନ ନିଜେ କରିବା ପାଇଁ । ମୋ ଅପୁର ଯଦି ଏମିତି ଘଟିଥାନ୍ତା ମା’ ଲୋ !

 

(୨୪)

 

ଆରମ୍ଭରେ ଯେତେବେଳେ ହରିହର କାଶୀରୁ ଫେରିଲା, ସମସ୍ତେ କହୁଥିଲେ ତାହାର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ । ଏ ଅଞ୍ଚଳରେ ଏମିତି ବିଦ୍ୟା କେହି ଏ ଯାଏ ଶିଖିନି । ତା’ର ବିଦ୍ୟାର ସୁଖ୍ୟାତି ସମସ୍ତଙ୍କ ମୁହଁରେ ଚର୍ଚ୍ଚା ହେଉଥିଲା । ସମସ୍ତେ କହୁଥିଲେ ସେ ଏଥର ନିଶ୍ଚୟ ଗୋଟିଏ କିଛି କରିବ । ସର୍ବଜୟା ବି ଭାବୁଥିଲା ଯେ ସେମାନେ ଶୀଘ୍ର ତା’ ସ୍ୱାମୀକୁ ଡାକି ଭଲ ଚାକିରିଟିଏ ଦେବେ । କିନ୍ତୁ କେଉଁମାନେ ଦିଅନ୍ତି ସେ ବିଷୟରେ ତା’ର ଧାରଣା ବି ନ ଥିଲା । କୁହୁଡ଼ି ଭର୍ତ୍ତି ସମୁଦ୍ର ବକ୍ଷ ଭଳି ତା’ର ସେ ବିଷୟରେ ଧାରଣା ବି ଅସ୍ପଷ୍ଟ ଥିଲା । ମାସ ପରେ ମାସ, ବର୍ଷ ପରେ ବର୍ଷ ବହୁଦିନ ବିତିଗଲା କିନ୍ତୁ କେହି ବି ରାତି ଅଧରେ ମୁଣ୍ଡରେ ଜରି ପୋଷାକ ପିନ୍ଧି ଘୋଡ଼ା ପିଠିରେ ସବାର ହୋଇ ସଭାପଣ୍ଡିତ ପଦବୀର ନିଯୁକ୍ତି ପତ୍ର ଧରି ଧାଇଁ ଆସିଲେନି କିମ୍ବା ଆରବ୍ୟ ଉପନ୍ୟାସର ଦୈତ୍ୟଟିଏ କୌଣସି ମଣି ଖଚିତ ମାୟା ପ୍ରାସାଦଟିଏ ଆକାଶ ବୁକୁରେ ଉଡ଼ାଇ ଆଣି ତା’ର ଭଗ୍ନକୁଟୀରରେ ବସେଇ ଦେଇ ଗଲାନି । ବରଂ ସେ ଜରାଜୀର୍ଣ୍ଣ ଘରର ପୋକ କଟା କବାଟ ଦିନକୁ ଦିନ ଆହୁରି ଜୀର୍ଣ୍ଣ ହେବାକୁ ଲାଗିଲା, ଛାତର ବରଗା କାଠଗୁଡ଼ିକ ଆହୁରି ତଳକୁ ଝୁଲି ପଡ଼ିଥିଲା । ପୂର୍ବରୁ ଯାହା ବି ଥିଲା ସେଗୁଡ଼ିକ ବି ରହିପାରିଲାନି । ତଥାପି ସେ ପୁରାପୁରି ଆଶା ଛାଡ଼ି ନ ଥିଲା । ହରିହର ବି ପ୍ରତିଥର ବିଦେଶରୁ ଫେରି ଗୋଟାଏ କିଛି ନୂତନ ଆଶାର କଥା ଏମିତି ଭାବରେ କୁହେ, ଯେମିତି ସବୁ ଠିକ୍‌ ଅଛି, ଆଉ ଅଳ୍ପ ସମୟ ପରେ ଅବସ୍ଥା ସତେ ଯେମିତି ଫେରିଆସିବ । କିନ୍ତୁ, କାହିଁ, କିଛି ତ ହେଉନି ?

 

ଜୀବନଟା ଏଇଥି ପାଇଁ କେବଳ ମଧୁମୟ କାରଣ, ମାଧୁର୍ଯ୍ୟର ଅନେକ ଅଂଶ ହିଁ ସ୍ୱପ୍ନ ଓ କଳ୍ପନାରେ ଗଢ଼ା ହୋଇଥାଏ । ହେଉ ପଛେ ସ୍ୱପ୍ନଟି ମିଛରେ ଭର୍ତ୍ତି, ହେଉପଛେ କଳ୍ପନାଟି ବାସ୍ତବତା ବିହୀନ, ସର୍ବଦା ସେମାନଙ୍କ ପଛରେ ସଫଳତା ନ ଥିଲେ ନ ଥାଉ । ସେମାନେ ହିଁ ଜୀବନର ଶ୍ରେଷ୍ଠ ସମ୍ପଦ, ସେମାନେ ଜୀବନରେ ଆସୁଥାନ୍ତୁ, ଜୀବନରେ ସେମାନଙ୍କ ସ୍ଥାନ ଅକ୍ଷୟ ହେଉ ତା’ ଆଗରେ ସଫଳତା ତୁଚ୍ଛ, ଲାଭ ବି ତୁଚ୍ଛ ।

 

ହରିହର ଘରୁ ଆଜକୁ ଦୁଇ ତିନି ମାସ ହେଲା ବାହାରକୁ ଯାଇଛି । ଟଙ୍କା ପଇସା, ଖର୍ଚ୍ଚପତ୍ର ଆଦି ଅନେକ ଦିନରୁ ପଠେଇ ନାହିଁ । ଦୁର୍ଗାର ଦେହ ଖରାପ ଲାଗି ରହିଛି । ଖାଉଛି ପିଉଛି ଅଥଚ ରୋଗରେ ଆକ୍ରାନ୍ତ ହେଉଛି । ଦିନେ ଦୁଇ ଦିନ ଭଲ ରହେ ପୁଣି ହଠାତ୍‌ ଜ୍ୱର ଆସେ ।

 

ସର୍ବଜୟା ଝିଅ ବାହାଘର ପାଇଁ ସ୍ୱାମୀକୁ ତାଗିଦା କରେ । ସ୍ୱାମୀ ହାତରେ ଦୁଇ ତିନିଖଣ୍ଡ ଚିଠି ନୀରେନ୍‌ର ବାପା ରାଜ୍ୟେଶ୍ୱର ବାବୁଙ୍କ ନାମରେ ଲେଖି ପଠେଇଛି । ସେପଟର ଆଶାଟିକକ ଏ ଯାଏ ମନରୁ ଯାଇନି । ହରିହର କହେ, ତୁମେ ପାଗଳ ହେଲନା କ’ଣ ? ସେମାନେ ସବୁ ବଡ଼ଲୋକ । ରାଜ୍ୟେଶ୍ୱର କକା ଆମମାନଙ୍କୁ କ’ଣ ପଚାରିବେ ? ତଥାପି ସର୍ବଜୟା ଛାଡ଼େନି । କହେ, ଆଉ ଖଣ୍ଡିଏ ଚିଠି ଦିଅନା, ଲେଖି ଦେଖିବାରେ ବାଧା କେଉଁଠି ? ନୀରେନ୍‌ ତ ପସନ୍ଦ କରି ଯାଇଛନ୍ତି । ମାସେ ଦୁଇ ମାସ ଗଡ଼ିଯାଏ । କିଛି ଖବର ଆସେନି । ପୁଣି ସର୍ବଜୟା ସ୍ୱାମୀକୁ ତାଗିଦା ଦେବାକୁ ଆରମ୍ଭ କରେ ।

 

ଏଥର ହରିହର ବିଦେଶ ଯିବା ପୂର୍ବରୁ କହିଯାଇଛି, ଫେରିଲେ ସେ ଏଠାରୁ ଉଠି ଅନ୍ୟସ୍ଥାନରେ ବସବାସ କରିବାର ବନ୍ଦୋବସ୍ତ କରିଆସିବ ।

 

ଏମିତି ଗୋଟିଏ ଜାଗାକୁ ଉଠିଯିବ, ଯେଉଁଠି ଗାଁ’ର ଗୋଟିଏପଟକୁ ଚାଳଛପରର ଦୁଇ ତିନି ବଖରା ଘର, ବେଶ୍‌ ଲିପାପୋଛା ହେଇଥିବ । ଗୁହାଳରେ ବେଶ୍‌ ହୃଷ୍ଟପୃଷ୍ଟ ଦୁଧିଆଳୀ ଗାଈ ବନ୍ଧା ହୋଇଥିବ, ଖଳାରେ ନଡ଼ାଗଦା, ଅମାରରେ ଧାନ ଭର୍ତ୍ତି ଥିବ । ବିଲକଡ଼ରେ ମଟରଚଣାର କ୍ଷେତରୁ ସବୁଜ ଗନ୍ଧ ଖୋଲା ପବନ ବାରଣ୍ଡା ପର୍ଯ୍ୟନ୍ତ ଭାସିଆସେ । ଶୁଆଟି ପିଞ୍ଜରାରୁ ଡାକେ ନୀଳକଣ୍ଠ, ବାବୁରେ, ଶ୍ୟାମା । ଅପୁ ସକାଳୁ ଉଠି ବଡ଼ ମାଟିର ପାତ୍ରଟିରେ କଳାଗାଈର ସଜ ଦୁହାଁ ଫେନିଳ ଦୁଧ କଂସାଏ ପିଏ । ଜଳଖିଆରେ ମୁଢ଼ି ଖାଇ ପଢ଼ିବାକୁ ବସିଯାଏ । ଦୁର୍ଗାକୁ ମ୍ୟାଲେରିଆ ହୁଏନି । ଏଠି ସମସ୍ତେ ଜାଣନ୍ତି, ସମସ୍ତେ ଖାତିର କରନ୍ତି । ପାଦରୁ ଧୂଳି ନେଇ ମୁଣ୍ଡରେ ମାରନ୍ତି । ଗରୀବ କହି କେହି ତୁଚ୍ଛ-ତାଚ୍ଛଲ୍ୟ କରନ୍ତିନି ।

 

ଦିନ ନାହିଁ, ରାତି ନାହିଁ, ସର୍ବଜୟା କେବଳ ସ୍ୱପ୍ନ ଦେଖେ । ତା’ର ମନେହୁଏ, ଏତେଦିନ ପରେ ସତରେ ଯେମିତି କ’ଣ ଗୋଟେ ଘଟିଯିବ, ମନ ଭିତରେ କିଏ ଜଣେ ଯେମିତି କହେ ଗୋଟିଏ କିଛି ନିଶ୍ଚୟ ମିଳିଯିବ ।

 

ଏତେଦିନ ପର୍ଯ୍ୟନ୍ତ କାହିଁକି ହେଉନଥିଲା ? ଆଉ କାହିଁକି ଏତେଦିନ ପରେ ସେ ସେସବୁ ପାଇବାକୁ ଯାଉଛି ? ପିଲାଦିନରୁ ଜାମୁ ଗଛ ମୂଳରେ, ସଜନା ଗଛ ମୂଳରେ ବୁଲିବା ସମୟରୁ ଯେତେବେଳେ ଅଗଣାରେ ସଞ୍ଜବତୀ ଦେଇ ମଙ୍ଗଳାମନ୍ତ୍ର ପଢ଼ୁଥିଲା ତା’ ମନରେ ଗୋଟିଏ ଅଭିଳାଷ ଅଙ୍କୁରିତ ହୋଇଥିଲା । ମନରେ ସେ କଳ୍ପନା କରିଥିଲା ଶ୍ୱଶୁର ଘର ଅଗଣାରେ ସେ ଲକ୍ଷ୍ମୀପାଦର ଚିତା କଟା ଘର-ସଂସାର କରିବ । ସେ କେବେବି ଭାବି ନ ଥିଲା ଏମିତି ଭଙ୍ଗା ଦଦରା ଘର, ବାଉଁଶ ବଣ ତା’ ଭାଗ୍ୟରେ ଅଛି ?

 

ଦୁର୍ଗା କେଉଁଠୁ ଗୋଟିଏ ଛୋଟ ମାଣସାରୁ ଆଣି ରୋଷେଇ ଘରେ ଧାରଣା ଦେଇ ବସିଛି- ତା’ ମା’ କହିଲେ, ତୋ’ର ହେଇଛି କ’ଣ ଦୁର୍ଗା ? ଆଜି କ’ଣ ଭାତ ଖାଇବୁ ବୋଲି କହୁଛୁ ? କାଲି ସଞ୍ଜବେଳେ ତୋ ଦେହରେ ଜ୍ୱର ଥିଲା ?

 

ଦୁର୍ଗା କହିଲା, ହଉ ଜ୍ୱର, ସେଇଟା କ’ଣ ଜ୍ୱର ? ଟିକେ ଶୀତେଇ କମ୍ପ ଆସିଥିଲା । ତୁମେ ଏଇ ମାଣସାରୁଟା ଭାତରେ ସିଝାଇ, ଆଜି ଦୁଇଟା ଭାତ... ।

 

ତା’ ମା’ କହିଲେ ରୋଗ ହେବା ଦିନଠୁ ବଡ଼ ଖାଇବୁ- ଖାଇବୁ ହେଉଛୁ । ଆଜି ଥାଉ କାଲି ଯଦି ତୋ ଦେହ ଭଲ ରହେ, ତା’ହେଲେ ବରଂ ପରଶୁଦିନ ଭାତ ଦେବି ।

 

ଅନେକ କାକୁତି ମିନତି କରି ବ୍ୟର୍ଥ ହେଲାପରେ ଦୁର୍ଗା ମାଣସାରୁ ଟେକି ଥୋଇଦେଲା । କିଛି ସମୟ ଚୁପ୍‌ ହେଇ ବସିରହିଲା । ତା’ପରେ ନିଜକୁ ନିଜେ କହିଲା, ଆଜି ମୁଁ ଭଲ ଅଛି, ଖୁବ୍‌ ଭଲ ଅଛି, ଆଜି ଆଉ ମୋତେ ଜ୍ୱର ଆସିବନି ଆର ଓଳିକୁ ଦୁଇଟି ରୁଟି ଆଉ ଆଳୁଭଜା ଖାଇବି । ଅଳ୍ପ ସମୟ ପରେ ତାକୁ ହାଇ ମାଡ଼ିଲା, ସେ ଜାଣି ପାରିଲା, ସେଇଟା ହିଁ ଜ୍ୱରର ପୂର୍ବଲକ୍ଷଣ । ତଥାପି ସେ ତା’ର ମନକୁ ବୁଝାଇଲା, ହାଇ ଲାଗୁ, ଏମିତିରେ ତ କେତେ ହାଇ ଲାଗେ । ଜ୍ୱର ଆଉ ଆସିବନି । ଧୀରେ ଧୀରେ ଦେହ ଶୀତୁଆ ଲାଗିଲା । ଖରାରେ ବସିବା ପାଇଁ ଇଛା ହେଲା, ସେ ଖରାକୁ ଉଠି ଗଲା ନାହିଁ । ମନକୁ ସାନ୍ତ୍ୱନା ଦେଲା, ଦେହ ଶୀତେଇବାଟା ଗୋଟିଏ ସାଧାରଣ ଶାରୀରିକ ଘଟଣା । ଜ୍ୱର ଆସିବା ସହିତ ଏହାର କିଛି ସମ୍ପର୍କ ନାହିଁ ?

 

କିନ୍ତୁ କୌଣସି ପ୍ରକାର ଆଶ୍ୱାସନା କାମ କଲାନି । ଖରା ନ ଉଠୁଣୁ ଜ୍ୱର ଆସିଗଲା । ସେ ଲୁଚି ଲୁଚି ଯାଇ ଖରାରେ ବସିଲା । କାଳେ ତା’ ମା’ ଜାଣିପାରିବ ବୋଲି । ତା’ ମନଟା ହାହାକାର କରି ଉଠିଲା । ସେ ଭାବିଲା ଖାଲି ଜ୍ୱର ଜ୍ୱର ବୋଲି ତା’ର ଏମିତି ହେଉଛି, ସତରେ ତାକୁ ଜ୍ୱର ହେଇନି

 

ଏବେ ରକ୍ତିମ ସୂର୍ଯ୍ୟକିରଣ ଶିଉଳି ଲଗା ଭଙ୍ଗା ପାଚେରୀ ଉପରେ ଆସି ପଡ଼ିଲାଣି । ବିକାଳର ଛାଇ ଘନ ହୋଇ ଆସିଲାଣି । ଦୁର୍ଗାର ମନେହେଲା, ଅନ୍ୟମନସ୍କ ହୋଇ ରହିଗଲେ ଜ୍ୱର ଆସିବନି । ସେ ଅପୁକୁ ଡାକି କହିଲା ମୋ ପାଖରେ ଟିକିଏ ବସ ଅପୁ, ଗପସପ ହେବା ।

 

ଗତବର୍ଷ ସେ ଓ ଅପୁ ଗୋଟିଏ ଘନ ବର୍ଷା ପାହାନ୍ତିରେ ଇଚ୍ଛାକରି ତାଳ ଗୋଟେଇବା ପାଇଁ ସାନମଝିଆ ଠାକୁରାଣୀଙ୍କ ବଗିଚାକୁ ଯାଇଥିଲେ । ହଠାତ୍‌ ଦୁର୍ଗାର ପାଦରେ ପଟ୍‌କିନା କଣ୍ଟାଟିଏ ଫୁଟିଗଲା । ଯନ୍ତ୍ରଣାରେ ପାଦ ହଟେଇ ଆଣି ବାଁ ପାଦଟି ଯେଉଁଠି ଥାପିଲା, ସେଇଠି ବି ବାଁ ପାଦରେ ଆଉ ଗୋଟିଏ କଣ୍ଟା ଫୁଟିଗଲା । ସକାଳେ ଦେଖିଲାବେଳକୁ ଜଣାପଡ଼ିଲା, ରାତିରେ କେହି ତାଳ ଗୋଟେଇ ନେଇ ଯିବ ଭାବି ସତୁ ରାସ୍ତାରେ ଧାଡ଼ି କରି ବେଲକଣ୍ଟା ପୋତି ଦେଇଥିଲା ।

 

ଆଉ ଦିନକର ସେମିତି ଆଶ୍ଚର୍ଯ୍ୟ ଘଟଣା...

 

ସେଦିନ କେଉଁଠୁ ଜଣେ ବୁଢ଼ା ବଙ୍ଗାଳୀ ମୁସଲମାନ ଗୋଟିଏ ବଡ଼ ରଙ୍ଗୀନ ଚିକ୍‌ଚିକ୍‌ ବାକ୍ସ ଆଣି ଆସିଥିଲା । ଟିଣର ବାକ୍ସ ଦେହରେ କାଚ ଲାଗି ବେଶ୍‌ ଝଲ୍‌ମଲ୍‌ ଦିଶୁଥିଲା । ଆର ସାହିର ଜୀବନ ଚୌଧୁରୀଙ୍କ ଅଗଣାରେ ଖେଳ ଦେଖଉ ଥିଲା । ଦୁର୍ଗା ପାଖରେ ଛିଡ଼ା ହୋଇଥିଲା । ତା’ ପାଖରେ ପଇସା ନ ଥିଲା । ଅନ୍ୟମାନେ ଏକ ପଇସା ଦେଇ ଗୋଟିଏ ଆଖିରେ ତା’ ଭିତରେ କ’ଣ ଦେଖୁଥିଲେ ।

 

ବୁଢ଼ା ମୁସଲମାନଟି ବାକ୍ସ ବଜେଇ ସୁନ୍ଦର ସ୍ୱରରେ କହୁଥିଲା ତାଜ୍‌ ବିବିର ଭୂତ ଦେଖ, ହାତୀ-ବାଘର ଲଢ଼େଇ ଦେଖ ! କାହାରି ଜଣକର ଦେଖା ଶେଷ ହୋଇଗଲେ, ସେ ଚୁଙ୍ଗାଟିରୁ ମୁହଁ ଘୁଞ୍ଚେଇ ଆଣେ, ଦୁର୍ଗା ତାକୁ ଆଗ୍ରହରେ ପଚାରୁଥିଲା ତା’ ଭିତରେ କ’ଣ ସବୁ ଦେଖିଲୁରେ ? ଯାହା କହୁଛି ସବୁ ସତ ନା ?

 

ଉଃ ! ସେସବୁ ଯାହା ଦେଖିଲେ କି ଅପୂର୍ବ ଘଟଣା, କେହି ପ୍ରକାଶ କରି କହିପାରିବେନି ।... କ’ଣ ସେସବୁ ।

 

ଜଣ ଜଣ କରି ସମସ୍ତଙ୍କ ଦେଖା ଶେଷ ହୋଇଗଲା । ଦୁର୍ଗା ବି ଫେରି ଯାଉଥିଲା । ବୁଢ଼ା ମୁସଲମାନଟି କହିଲା ତୁ ଦେଖିବୁନି ଝିଅ ?...

 

ଦୁର୍ଗା ବେକ ହଲେଇ କହିଲା ନା, ମୋ ପାଖରେ ପଇସା ନାହିଁ ।

 

ଲୋକଟି କହିଲା ଆଲୋ ଝିଅ, ଦେଖିଯା ପଇସା ଦରକାର ନାହିଁ

 

ଦୁର୍ଗାକୁ ଟିକିଏ ଲାଜ ଲାଗୁଥିଲା, ମୁହଁରେ କହିଲା ନା କିନ୍ତୁ ଆଗ୍ରହ ଓ କୌତୂହଳରେ ତା’ ଭିତରଟା ଟିପ୍‌ ଟିପ୍‌ ହେଉଥିଲା ।

 

ଲୋକଟି କହିଲା ଆରେ ଦେଖୁନା, ଦେଖ, କିଛି ଦୋଷ ନାହିଁ ? ଆସି ଦେଖିଯା... ଦୁର୍ଗା ପାଦ ଚିପି ଚିପି ବାକ୍ସ ପାଖକୁ ଆସି ଛିଡ଼ା ହୋଇଗଲା ସତ, କିନ୍ତୁ ଚୁଙ୍ଗାଟା ଭିତରେ ମୁହଁ ଲଗେଇବାକୁ ସଂକୋଚ କଲା । ଲୋକଟି କହିଲା, ଏହି ନଳଟା ଭିତର ଦେଇ ଅନେଇଲୁ ଝିଅ ?

 

ଦୁର୍ଗା ତା’ ମୁଣ୍ଡ ଉପରେ ଉଡ଼ୁଥିବା କେଶକୁ କାନପଟକୁ ଘୁଞ୍ଚେଇ ଦେଇ ଚାହିଁ ଦେଖିଲା, ତା’ ପରର ଦଶମିନିଟର ଅନୁଭୂତି ପୁରାପୁରି ଅବର୍ଣ୍ଣନୀୟ । ସତସତିକା ମଣିଷ ଛବି ମାଧ୍ୟମରେ କେମିତି ଦେଖାଯାଉଛନ୍ତି ? କେତେ ସାହେବ, ମେମ୍‌ ସାହେବ କୋଠାବାଡ଼ି, ଯୁଦ୍ଧ ସେସବୁ କଥା ପ୍ରକାଶ କରି କଥାରେ କହିହୁଏନି । କ’ଣ ସବୁ ସେଦିନ ସେ ଦେଖି ନ ଥିଲା !

 

ଅପୁକୁ ବି ଦେଖେଇବା ପାଇଁ ଇଚ୍ଛା ହେଉଥିଲା । ତା’ ପରଠୁ ଦୁର୍ଗା ସେ ଖେଳ ବାଲାକୁ ଖୋଜିଛି କିନ୍ତୁ ସେ କେବେ ଆଉ ଆସିନି ।

 

ଅପୁ ସହିତ ଏହି ସବୁ ଗଳ୍ପ କରୁ କରୁ ପୁଣି ଜ୍ୱରର ପ୍ରକୋପ ମାଡ଼ିଆସିଲା । ସେ ଆଉ ବସି ନ ପାରି ଘର ଭିତରକୁ ଉଠି ଯାଇ କନ୍ଥା ଘୋଡ଼େଇ ହୋଇ ଶୋଇଗଲା ।

 

ଏବେ ତା’ ବାପା ଘରେ ନ ଥିବାରୁ, ଅପୁକୁ ଘରେ ପାଇବା କାଠିକର ପାଠ, ବହି ବସ୍ତାନିରେ ଘୁଣ ଲାଗିବା ଉପରେ । ସକାଳେ ପୁଟୁଳି ଭର୍ତ୍ତି କଉଡ଼ି ଧରି ବାହାରିଯାଏ, ଫେରେ ପୁଣି ବେଳ ଲେଉଟାଣିରେ ଖାଇବା ପାଇଁ । ତା’ ମା’ ଗାଳି ଦିଅନ୍ତି ବାପାର ନାମ ଦଫାରଫା କରି ସାରିଲୁଣି, ଲେଖାପଢ଼ା ସବୁ ସିକାରେ ଟେକି ଦେଲୁଣି ? ଏଥର ତୋ’ ବାପା ଘରକୁ ଆସନ୍ତୁ, ସବୁ କଥା କହିଦେବି ।

 

ଅପୁ ଆସନ୍ନ ବିପଦ ଆଶଙ୍କାରେ ଡରିଯାଏ । ବହିବସ୍ତାନି ଧରି କିଛି ସମୟ ବସିଯାଏ । ବହିଗୁଡ଼ିକ ଚାରିପଟେ ଖେଳେଇ ଦିଏ । ମା’କୁ କୁହେ ମା’ ଟିକେ ଖଇର ଦିଅ, ମୁଁ ଦୁଆତରେ କାଳି ତିଆରି କରିବି

ତା’ପରେ ସେ ବସି ବସି ହାତଲେଖାଗୁଡ଼ିକ ଖରାରେ ଶୁଖାଏ । ଶୁଖିଗଲା ପରେ ଖଇର ବତୁରା କାଳିର ଅକ୍ଷର ଚିକ୍‌ଚିକ୍‌ କରେ । ଅପୁ ମହା ଆନନ୍ଦରେ ସେଗୁଡ଼ିକୁ ଦେଖେ । ଆଉ ଭାବେ, ଆଉ ଟିକିଏ ଅଧିକ ଖଇର କାଲି କାଳିରେ ମିଶେଇ ଦେବି ଆରେ, କେତେ ଚିକ୍‌ଚିକ୍‌ କରୁଛି ଦେଖୁନା ! ପାନ ବଟୁଆରୁ ମା’କୁ ଲୁଚେଇ ଖଇରର ବଡ଼ ଖଣ୍ଡଟିଏ କାଳି ଦୁଆତରେ ପକେଇଦିଏ । ପରେ ଲେଖିସାରି ଖରାରେ ଶୁଖେଇ ଚିକ୍‌ଚିକ୍‌ର ମାତ୍ରା କେତେ ପରିମାଣରେ ବଢ଼ିଯାଇଛି, କୌତୂହଳ ଦୃଷ୍ଟିରେ ସେଗୁଡ଼ିକୁ ଅନେଇ ରୁହେ । ପୁଣି ମନରେ ଭାବେ ଯଦି ଆଉ ଟିକିଏ ଅଧିକ ମିଶିଥା’ନ୍ତା ?

 

ଦିନଟିଏ ମା’ ଆଗରେ ଧରାପଡ଼ିଗଲା । ମା’ କହିଲେ ପୁଅ ଲେଖୁଛି କ’ଣ ଠିକ୍‌ ଠିକଣା ନାହିଁ । ଖାଲି ଟେଳାଟେଳା ଖଇର ପ୍ରତିଦିନ ଦରକାର ରଖିଦେ କହୁଛି ଖଇର ସବୁ ରଖିଦେ

 

ଧରାପଡ଼ି ଯାଇ ଟିକିଏ ଅପ୍ରତିଭ ହୋଇଯାଇ କହିଲା ଖଇର ନ ଦେଲେ କାଳି ହୁଏ କି ?... ମୁଁ କ’ଣ ଏମିତି ମିଛଟାରେ...

 

ନା, ଖଇର ନ ହେଲେ କାଳି ହେବନି ? ଏତେସବୁ ପିଲାମାନେ କେହି ଲେଖାପଢ଼ା କରୁନାହାନ୍ତି ବୋଧେ... ଆଉ ତାଙ୍କ ପାଇଁ ସେର ଭର୍ତ୍ତି ଖଇର ସବୁଦିନ ଦରକାର ହେଉଛି, ଦୋକାନୀ ପାଖରୁ ମଗେଇ ଆଣୁଛନ୍ତି । ଯାଉନୁ ଦୁଷ୍ଟଟା...

 

ଅପୁ ଘରେ ବସି ବସି ଗୋଟିଏ ଖାତାରେ ନାଟକ ଲେଖିବାକୁ ଆରମ୍ଭ କଲା । ବେଶ୍‌ କିଛି ଲେଖି ଖାତାଟି ପ୍ରାୟ ଭର୍ତ୍ତି କରି ସାରିଲାଣି । ମନ୍ତ୍ରୀ ବିଶ୍ୱାସ ଘାତକତାରେ ରାଜା ରାଜ୍ୟ ଛାଡ଼ି ବଣକୁ ଚାଲିଗଲେ । ରାଜପୁତ୍ର ନୀଳାମ୍ବର ଓ ରାଜକୁମାରୀ ଅମ୍ବା ବଣ ଭିତରେ ଦସ୍ୟୁ ହାତରେ ପଡ଼ିଗଲେ । ଘୋର ଯୁଦ୍ଧ ହେଲା ପରେ ରାଜକୁମାରୀର ମୃତ ଦେହ ନଦୀ ତୀରରେ ପଡ଼ିଥିବାର ଦେଖାଗଲା । ନାଟକରେ ସତୁ ନାମକ ଏକ ଜଟିଳ ଚରିତ୍ରର ସୃଷ୍ଟି ହୋଇଥିଲା । ଅଳ୍ପ କିଛି ସମୟ ପରେ ବିଶେଷ କିଛି ମାରାତ୍ମକ ଅପରାଧ ନ ଥାଇ ବି ସେ ପ୍ରାଣ ଦଣ୍ଡରେ ଦଣ୍ଡିତ ହୋଇଥିଲା । ନାଟକର ଶେଷ ଭାଗକୁ ରାଜକୁମାରୀ ଅମ୍ବା ନାରଦଙ୍କ ବରରେ ପୁନର୍ଜୀବନ ପ୍ରାପ୍ତ ହୁଏ । ବିଶ୍ୱସ୍ତ ସେନାପତି ଜୀବନ କେତୁ ସହିତ ତାହାର ବାହାଘର ଇତ୍ୟାଦି ଲେଖା ହୋଇଥିଲା । ଯେଉଁ ବ୍ୟକ୍ତିମାନେ ଅପୁର ନାଟକ ପଢ଼ନ୍ତି କୁହନ୍ତି ଯେ ଏହା ଗତ ବୈଶାଖ ମାସରେ ମଞ୍ଚସ୍ଥ ହୋଇଥିବା ଯାତ୍ରାର ହୁବହୁ ନକଲ କିଛି ପାର୍ଥକ୍ୟ ନାହିଁ କେବଳ ନାମଗୁଡ଼ିକ ବଦଳା ଯାଇଛି । ସେମାନଙ୍କର ଜାଣି ରଖିବା ଦରକାର ଯେ ଅତୀତର କୌଣସି ଏକ ନୀରବ ଜ୍ୟୋତ୍ସ୍ନାମୟୀ ରାତ୍ରିରେ ନିର୍ଜନ ବାସକକ୍ଷର ସ୍ତିମିତ ଦୀପଶଯ୍ୟାରେ ଜଣେ ପ୍ରାଚୀନ କବିର ନୀଳମେଘ ଭଳି ଦୃଶ୍ୟମାନ ମୟୁର ନିନାଦିତ ଦୂର ବଣଭୂମିର ସ୍ୱପ୍ନ ଯଦି କାଳିଦାସଙ୍କୁ ମୁକ୍ତ ମେଘର ଭ୍ରମଣ ବର୍ଣ୍ଣନାରେ ଅନୁପ୍ରାଣିତ କରିଥାଏ, ତା’ହେଲେ ସେ କୁନି ଲେଖକର ସାଦୃଶ ଲେଖାରେ ବା କ୍ଷତି କ’ଣ ?... ସେ ବିସ୍ମିତ ଶୁଭ ଯାମିନୀର ବନ୍ଦନା ମଣିଷ ନିଜର ଅଜ୍ଞାତ ସାରରେ ହଜାର ହଜାର ବର୍ଷ ଧରି କରି ଆସୁଛନ୍ତି ।

 

ନିଆଁରୁ ନିଆଁ ଜଳାଇ ହୁଏ ପାଉଁଶର ଗଦାରେ ମଶାଲ ଦେଖେଇ କ’ଣ ମଶାଲ ଜଳାଇ ପାରେ ?

 

ବସ୍ତାନି ଭିତରେ ତା’ର ଖଣ୍ଡେ ବହିଥିଲା ବହିଟିର ନାମ ଚରିତମାଳା, ଲେଖାଅଛି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କଦ୍ୱାରା ପ୍ରଣୀତ । ପୁରୁଣା ବହିଟି । ତା’ ବାପାର ପୁଅ ପାଇଁ ବହି ସଂଗ୍ରହ କରିବାର ପ୍ରବଳ ସଉକ ଥିଲା । ଏ ବହି ଖଣ୍ଡିକ ବି କେଉଁଠୁ ଆଣିଥିଲେ । ମଝିରେ ମଝିରେ ଅପୁ ବେଶ୍‌ କିଛି ବାଟ ପଢ଼ିଛି । ବହିଟିରେ ଯେଉଁମାନଙ୍କ ଗଳ୍ପ ଅଛି, ସେ ବି ସେ ଭଳି ହେବା ପାଇଁ ଇଚ୍ଛାକରେ । କୃଷକ ପୁଅ ରସ୍କୋକୁ ଆଳୁ ବିକ୍ରି କରିବା ପାଇଁ ପଠେଇଲେ ସେ ବାଡ଼କଡ଼ରେ ବସି ବସି ବୀଜଗଣିତର ଚର୍ଚ୍ଚା କରେ । କାଗଜ ଅଭାବରୁ ଚମଡ଼ାର ଚାଦରରେ ସିଲେଇ ପାଇଁ ରଖା ଯାଇଥିବା ଦନ୍ଥଡ଼ା କାଠିରେ ଅଙ୍କ କଷୁଥିଲା । ମେଷପାଳକ ଡୁବାଳ ଇତସ୍ତତଃ ସଞ୍ଚରଣଶୀଳ ମେଷପଲକୁ ଯେଉଁଠି ଇଚ୍ଛା ବିଚରଣ କରିବାର ସୁଯୋଗ ଦେଇ ଗଛମୂଳରେ ବସି ପୃଥିବୀର ମାନଚିତ୍ର ଅଧ୍ୟୟନରେ ନିମଗ୍ନ ରହେ ସେ ବି ସେମାନଙ୍କ ଭଳି ହେବାକୁ ଚାହେଁ । ବୀଜ ଗଣିତ କ’ଣ ? ସେ ରସ୍କୋ ଭଳି ବୀଜଗଣିତ ପଢ଼ିବାକୁ ଚାହେଁ । ସେ ଏମିତି ହାତରେ ଲେଖିବା ପାଇଁ ଚାହେଁନି, ସାଙ୍କେତିକ ପାଟୀଗଣିତ କିମ୍ବା ଶୁଭଙ୍କରୀ ତାକୁ ଭଲ ଲାଗେନି । ଏହିଭଳି ନିର୍ଜନ ଗଛମୂଳରେ, ବଣ ଛାୟାରେ କିମ୍ବା ବାଡ଼କଡ଼ରେ ବସି ବସି ଭୂଚିତ୍ର (ଯାହାର ଅର୍ଥ ସେ ଜାଣେନି) ମେଲେଇ ପଡ଼ୁଥିବ, ବଡ଼ ବଡ଼ ବହି ସବୁ ପଢ଼ିବ ଏବଂ ପଣ୍ଡିତଟିଏ ହେବ ଏମିତି ଚିନ୍ତାରେ ଆଚ୍ଛନ୍ନ ରୁହେ । କିନ୍ତୁ ସେସବୁ ଜିନିଷ ପାଇବ କେଉଁଠୁ ? କେଉଁଠି ଭୂଚିତ୍ର, କେଉଁଠି ବା ବୀଜଗଣିତ କେଉଁଠି ଲାଟିନ୍‌ର ବ୍ୟାକରଣ ବହି ? ଏଠାରେ କେବଳ କଉଡ଼ି ଗଣିବାର ପାଠ ଓ ତିନିକ ପଣିକିଆ ।

 

ମା’ ବା ଗାଳିଦେଲେ କ’ଣ ହେବ, ସିଏ ଯାହା ପଢ଼ିବା ପାଇଁ ଚାହୁଁଛି, ଏଠାରେ ସେସବୁ କାହିଁ ?

 

(୨୫)

 

କେତେଦିନ ଧରି ବେଶ୍‌ ବର୍ଷା ଲାଗିରହିଛି । ଅନ୍ନଦା ରାୟଙ୍କ ଚଣ୍ଡୀମଣ୍ଡପରେ ସନ୍ଧ୍ୟାବେଳେ ମଜଲିସ୍‌ ବସେ । ସେଦିନ ସେଠାରେ ନୀଳକୋଠିର ମନଗଢ଼ା କାହାଣୀଠାରୁ ଆରମ୍ଭ କରି ପୁରୀର କୌଣସି ଏକ ମନ୍ଦିର ଶିଖରରେ ଥିବା ପାଞ୍ଚ ମହଣ ଓଜନର ଚୁମ୍ବକ ପଥର ବିଷୟରେ ଆଲୋଚନା ହେଉଥିଲା । ଚୁମ୍ବକର ଆକର୍ଷଣରେ ନିକଟସ୍ଥ ସମୁଦ୍ର ଗାମୀ ଜାହାଜସବୁ ପ୍ରାୟତଃ ପଥଭ୍ରଷ୍ଟ ହୋଇ ତୀରରେ ଥିବା ଜଳମଗ୍ନ ପଥର ଦେହରେ ପିଟି ହୋଇ ଭାଙ୍ଗିବା ପର୍ଯ୍ୟନ୍ତ ଓ ଆରବ୍ୟ ଉପନ୍ୟାସ ଗଳ୍ପ ଭଳି କାଳ୍ପନିକ କାହାଣୀର ବର୍ଣ୍ଣନା ଚାଲିଥିଲା । ଶ୍ରୋତା ଭିତରୁ କେହି ଉଠିଯିବାକୁ ପ୍ରସ୍ତୁତ ନ ଥିଲେ । ଏଭଳି ମନଗଢ଼ା ଉଦ୍ଭଟ ଗପଖଟି ଛାଡ଼ି କିଏ ବି ଘରକୁ ଫେରିବାକୁ ଚାହୁଁ ନ ଥିଲେ । ଭୂଗୋଳଠାରୁ ଆରମ୍ଭ ହୋଇ ଗଳ୍ପର ଧାରା ଆସି ଜ୍ୟୋତିଷ ଶାସ୍ତ୍ରରେ ପହଞ୍ଚିଗଲା । ଦୀନୁ ଚୌଧୁରୀ କହିଲେ ଭୃଗୁ ସଂହିତା ଭଳି ଜ୍ୟୋତିଷ ବହି ଆଉ କେଉଁଠି ନାହିଁ । ତୁମେ କେବଳ ଜନ୍ମ ରାଶିଟା କହିଦେଲେ, ତୁମର ବାପାଙ୍କ ନାମ, କେଉଁ କୁଳରେ ଜନ୍ମ, ଭୂତ, ଭବିଷ୍ୟତ ସବୁ କହିଦେବ । ତୁମେ ରାଶିଚକ୍ର, ଗ୍ରହ ଯେତେ ରକମର ସବୁ ଅଛି, ତୁମେ ମିଳେଇ ଦେଇ ଦେଖିବ ସବୁ ଠିକ୍‌ ଅଛି ନା ନାହିଁ । ଏମିତିକି ତୁମର ପୂର୍ବଜନ୍ମ ପର୍ଯ୍ୟନ୍ତ

 

ସମସ୍ତେ ଅତି ଆଗ୍ରହରେ ଶୁଣୁଥିଲେ କିନ୍ତୁ ରାମମୟ ହଠାତ୍‌ ବାହାରକୁ ଚାହିଁ କହିଲେ ନାଁ, ଆଉ ହେବନି, ଏଥର ଚାଲଯିବା, ଏହାପରେ ଆଉ ଯାଇ ହେବନି ଦେଖୁନା ଦେଖୁନା କେମିତି ମେଘ ସାଜି ଆସିଲାଣି ? ଗୋଟିଏ ବଡ଼ ଧରଣର କିଛି ଝଟକା ବା ବାତ୍ୟା ନ ହେଲେ ବଞ୍ଚିଗଲୁ ବୋଲି ଜାଣ । ପାଣିପାଗର ଗତି ବହୁତ ଖରାପ ଜଣାପଡ଼ୁଛି, ଚାଲଯିବା-

 

ବର୍ଷା ଅବିରାମ ଗତିରେ ଲାଗିରହିଛି । ମଝିରେ ମଝିରେ ଟିକିଏ କମିଯାଏ ପୁଣି ଏମିତି ଜୋରରେ ଜମି ଆସେ ଯେ ବର୍ଷାର ଛାଟରେ ଚାରିପଟ ଧୂଆଁଳିଆ ହୋଇଯାଏ ।

 

ହରିହର ଜମାରୁ ପାଞ୍ଚାଟଙ୍କା ପଠେଇ ଥିଲେ, ତା’ପରଠୁ ଆଉ କିଛି ଚିଠି ନାହିଁ କି ଟଙ୍କା ବି ନାହିଁ । ସେ ବି ଅନେକ ଦିନ ହୋଇଗଲାଣି । ପ୍ରତିଦିନ ସକାଳେ ଉଠି ସର୍ବଜୟା ଭାବେ ଆଜି ନିଶ୍ଚୟ ଖର୍ଚ୍ଚପତ୍ର ବାବଦକୁ କିଛି ଆସିବ । ପୁଅକୁ କହେ ତୁ ଏଣେତେଣେ ଖେଳି ବୁଲୁଛୁ ବୋଲି ଡାକ ପିଅନଟିକୁ ଦେଖିପାରୁନୁ । ଡାକ ବାକ୍ସ ପାଖରେ ବସିରହିବୁ ପିଅନ ଯେମିତି ଆସିବ, ତାକୁ ପଚାରିବୁ

 

ଅପୁ କହେ ବାଃ, ମୁଁ କ’ଣ ସେଇଠି ବସିନଥାଏ ? କାଲି ତ ପୁଁଟିଘର ଚିଠି ଆସିଥିଲା, ଆମ ଘର ଖବର କାଗଜ ଆସିଲା ପୁଁଟିକୁ ପଚାର ? କାଲି ଆମର ଖବର କାଗଜଟା କେମିତି ଆସିଲା ? ମୁଁ କ’ଣ ସେଇଠି ରହେନି ?

 

ବର୍ଷା ପୁରା ଦମ୍‌ରେ ଲାଗି ରହିଛି । ଅପୁ ମା’ କଥାରେ ରାୟ ଘରଠି ଚଣ୍ଡୀମଣ୍ଡପରେ ପିଅନର ପ୍ରତ୍ୟାଶାରେ ବସି ରହେ । ସାଦୁ କର୍ମକାର ଘର ଚାଳରୁ ଦଳେ ସାଧାରଣ ପାରା ଭିଜିଭିଜି ଚଟାପଟ୍‌ ଉଡ଼ି ଉଡ଼ି ରାୟ ଘରର ପଶ୍ଚିମ ପଟ କାର୍ଣ୍ଣିସ୍‌ ଆଡ଼କୁ ଆସୁଥିଲେ । ଅପୁ ସେ ଆଡ଼କୁ ଚାହିଁ ଦେଖୁଥିଲା । ମେଘର ଗର୍ଜନକୁ ତା’ର ଭୀଷଣ ଡର । ବିଜୁଳି ମାରିଲେ ମନେ ମନେ ଭାବେ ଦେବତା କେମିତି ଚମକାଉଛନ୍ତି ଦେଖୁଛୁ, ଏବେ ଠିକ୍‌ ଡାକ ଦେବେ ପରେ ସେ ଆଖିବନ୍ଦ କରି କାନରେ ଆଙ୍ଗୁଳି ଚାପି ରହେ ।

 

ଘରକୁ ଫେରିଦେଖେ ତା’ ମା’ ଓ ନାନୀ ବିକାଳ ଯାକ ଭିଜିଭିଜି ରାଶି ପ୍ରମାଣେ ମାଣଶାଗ ରୋଷେଇ ଘର ଥାକରେ ଭର୍ତ୍ତି କରିଛନ୍ତି ।

 

ଅପୁ କହିଲା ମା’, କେଉଁଠୁ ଆଣିଲ ? ଏତେଗୁଡ଼ା !

 

ଦୁର୍ଗା ହସି ହସି କହେ ଏତେଗୁଡ଼ା ଉଁ, ଉଃ ! ତୋ’ର ତ ବସି ବସି ଭାରି ମଜା ? ଏଇ ସେ ଘରର ଜାମୁକୋଳି ଗଛମୂଳରୁ ଆଣ୍ଠୁଏ ପାଣି ଭିତରୁ ଆଣିଲୁ । ଗଲୁ ଦେଖି ସେଠାକୁ ?

 

ସକାଳେ ନଈ ଘାଟକୁ ଯାଇ ସର୍ବଜୟାର ବାରିକାଣୀ ବୋହୂ ସହିତ ଦେଖାହେଲା । ସର୍ବଜୟା ଲୁଗା ଭିତରୁ କଂସାର ଗୋଟିଏ ରେକାବି ବାହାର କରି କହିଲା ଏଇ ଦେଖ ଜିନିଷଟିକୁ, ଖୁବ୍‌ ଭଲ ଖାଦ କିଛି ମିଶିନି, ଫୁଲ କଂସାଟି । ତୁମେ କହିଥିଲ, ତେଣୁ ନେଇ ଆସିଲି ଏ ଅନ୍ୟ କିଛି ଜିନିଷ ନୁହେଁ, ଏଇଟା ମୋ ବାହାଘରର ଦାନରେ ମିଳିଥିଲା ଏବେ ଏସବୁ ଜିନିଷ ଆଉ ମିଳେନି

 

ଅନେକ ଦର କଷାକଷି ପରେ ବାରିକାଣୀ ନିଜ ପଣତରୁ ନଗଦ ଅଧୁଲିଟିଏ ଖୋଳି ତାକୁ ଦେଲା ଓ ରେକାବିଟିକୁ ଲୁଗାଭିତରେ ଲୁଚେଇ ରଖିଲା । ସର୍ବଜୟା ବାରମ୍ବାର ଅନୁରୋଧ କରି କହିଥିଲା, ଏ କଥା ଯେମିତି ସେ କାହାକୁ ନ କୁହେ ।

 

ଦିନେ ଦୁଇଦିନ ଭିତରେ ଘନୀଭୂତ ବର୍ଷା ମାଡ଼ିଆସିଲା । ହୁ ହୁ ଶବ୍ଦରେ ପୁବେଳି ପବନ ବୋହିଲା, ଖାଲପୋଖରୀ ସବୁ ପାଣିରେ ବୁଡ଼ି ଉବୁଟୁବୁ ହେଉଛି ରାସ୍ତାଘାଟ ଉପରେ ଆଣ୍ଠୁଏ ପାଣି ବୋହୁଛି, ଦିନରାତି ସଁ ସଁ ଶବ୍ଦ । ବାଉଁଶ ବଣରେ ବାତ୍ୟା ଅଟକି ଯାଉଛି । ବାଉଁଶ ସବୁ ତଳେ ମାଟିରେ ଲୋଟି ପଡ଼ୁଛି ଆକାଶରେ କେଉଁଠି ହେଲେ ଟିକିଏ ଫାଙ୍କ ନାହିଁ ମଝିରେ ମଝିରେ ଆଗଠୁ ଅଧିକ ଅନ୍ଧାର ହୋଇ ମେଘ ଘୋଟିଆସୁଛି । କଳା କଳା ମେଘମାଳା ସବୁ ପୂର୍ବରୁ ପଶ୍ଚିମକୁ ହୁ ହୁ ଶବ୍ଦରେ ମାଡ଼ିଚାଲିଛି । କେଉଁ ଏକ କୁଶଳୀ ସେନାପତିର ସୈନ୍ୟଚାଳନାରେ ଜଳସ୍ଥଳ ଆକାଶ ଏକାକାର ହୋଇ ଘୋଟିଯାଇଛି ବିରାଟ ଦୈତ୍ୟ ସେନାରେ । ବାହିନୀ ପରେ ବାହିନୀ, ଅକ୍ଷୌହିଣୀ ପରେ ଅକ୍ଷୌହିଣୀ ଅଦୃଶ୍ୟ ରଥୀ ମହାରଥୀମାନଙ୍କ ନାୟକତ୍ୱରେ ଝଡ଼ ବେଗରେ ଅଗ୍ରସର ହେଉଛି ପ୍ରଜ୍ଜ୍ୱଳନ୍ତ ଅତିଉଗ୍ର ଦେବରାଜ ଇନ୍ଦ୍ରଙ୍କ ବଜ୍ରର ଅଗ୍ନି ଆଖିର ନିମିଷକେ ବିଶାଳ କଳାବାଦଲର ସୈନ୍ୟଦଳକୁ ଖିନ୍ନଭିନ୍ନ କରି ଏଣେତେଣେ ଫୋପାଡ଼ି ଦେଉଛି କିନ୍ତୁ ପରମୁହୂର୍ତ୍ତରେ ଦୈତ୍ୟ ରକ୍ତବୀଜର ବଂଶଧର ପରି କରାଳ କୃଷ୍ଣଛାୟା ପୃଥିବୀ, ଅନ୍ତରୀକ୍ଷ ଭେଦକରି ଅନ୍ଧକାରମୟ କରି ପୁନଶ୍ଚ ଘନେଇ ଆସୁଛି ।

 

ମହାବାତ୍ୟା !

 

ଦିନରାତି ସଁ ସଁ ଶବ୍ଦ ନଦୀରେ ଜଳପତ୍ତନ ବଢ଼ୁଛି । କେତେ ଘରଦ୍ୱାର କେତେ କେତେ ସ୍ଥାନରେ ଜଳମଗ୍ନ ହୋଇଗଲା, ଭାଙ୍ଗିଗଲା । ନଈ, ନାଳ ଜଳାର୍ଣ୍ଣବ, ସୁଅରେ ଉଛୁଳି ଉଠିଛି । ଗାଈବାଛୁରୀ ଗଛମୂଳରେ, ବାଉଁଶ ବଣରେ, ଘରର ଛପରତଳେ ଖୋଲାରେ ଛିଡ଼ା ହୋଇ ଭିଜୁଛନ୍ତି । କେଉଁଠି ଚଢ଼େଇ ଚିର୍‌ଗୁଣିର ସୋର-ଶବ୍ଦ ନାହିଁ । ଚାରିପାଞ୍ଚ ଦିନ ଏମିତି ସମାନ ଭାବରେ ବିତିଗଲା । କେବଳ ଝଡ଼ର ଶବ୍ଦ ଆଉ ଅବିଶ୍ରାନ୍ତ ଧାରାବର୍ଷଣ ! ଅପୁ ବାରଣ୍ଡାକୁ ଉଠି ଆସି ଶୀଘ୍ର ଶୀଘ୍ର ନିଜର ଭିଜା ମୁଣ୍ଡଟି ପୋଛୁ ପୋଛୁ କହିଲା ଆମ ଘର ବାଉଁଶବଣ ପର୍ଯ୍ୟନ୍ତ ପାଣି ମାଡ଼ି ଆସିଲାଣି, ଦେଖିଛୁ ନାନୀ ?

 

ଦୁର୍ଗା କନ୍ଥା ଘୋଡ଼େଇ ହୋଇ ଶୋଇଥିଲା ବିଛଣାରୁ ନ ଉଠି କହିଲା କେତେ ବାଟ ପର୍ଯ୍ୟନ୍ତ ପାଣି ଆସିଲାଣିରେ, ଅପୁ ?

 

ଅପୁ କହିଲା ତୋ’ର ଜ୍ୱର ଛାଡ଼ିଗଲେ, କାଲି ଯାଇ ଦେଖିଆସିବୁ । ତେନ୍ତୁଳି ତୋଟା ରାସ୍ତାରେ ଆଣ୍ଠୁଏ ପାଣି ! ତା’ପରେ ପଚାରିଲାମା’ କାହିଁରେ ନାନୀ ?

 

ଘରେ ଗୋଟିଏ ହେଲେ ଦାନା ନାହିଁ ମୁଠାଏ ଖଣ୍ଡେ ବାସି ଚାଉଳଭଜା ମାତ୍ର ଅଛି । ଅପୁ କନ୍ଦାକଟା କରେ ସେ କଥା ହେବନି ମା’, ମତେ ବୋଧେ ଭୋକ ଲାଗୁନି ମୁଁ ଗଣ୍ଡାଏ ଭାତ ଖାଇବି ହୁଁ-ଉ-

 

ତା’ ମା’ କହିଲା ମୋ ଧନଟା ପରା ଏମିତି ହୁଅନ୍ତିନି ! ବେଶୀ ଦୁଇଟା ଚାଉଳ ଭଜା ଏବେ ଗୋଳେଇ ଦେବି । କେମିତି ରାନ୍ଧିବି କହିଲୁ ? ଦେଖୁନୁ କେମିତି ସନ୍ତସନ୍ତିଆ ହୋଇଛି ? ଚୁଲି ଭର୍ତ୍ତି ପାଣି ଯେ ? ତା’ପରେ ସେ ତା’ର ଲୁଗା ଭିତରୁ କ’ଣ ଗୋଟାଏ ଜିନିଷ କାଢ଼ି ହସି ହସି ତାକୁ ଦେଖେଇ କହିଲା ଏଇ ଦେଖ ଗୋଟାଏ କଉ ମାଛ ଆଣିଛି । ବାଉଁଶ ଗଛ ମୂଳରେ ଖାଲରେ ଘୋଷାରି ହୋଇ ଯାଉଥିଲା । ବନ୍ୟାଜଳ ପାଇ ମାଛମାନେ ଉଜାଣିରେ ପୋଖରୀରୁ ଉଠିଆସିଛନ୍ତି । ବରୋଜ ଭିଟାର ଗାଡ଼ିଆ ଓ ନଈ ମିଶି ଏକାକାର ହୋଇଯାଇଛି । ସେଇଥି ପାଇଁ ମାଛ ସବୁ ଉଠି ଆସୁଛନ୍ତି ।

 

ଦୁର୍ଗା କନ୍ଥା ଖୋଲି ଉଠି ବସିଲା ଅବାକ୍‌ ହୋଇ ରହିଗଲା, କହିଲା ମା’ ମାଛଟା ମୋତେ ଦେଖେଇଲ ? ମା’, କଉମାଛଟା ତା’ ଗାଲିରେ ଚାଲି ଚାଲି ବୁଲେ ବୋଧେ ? ଆଉ ଉଠୁଥିବେ ?

 

ଅପୁ ସଙ୍ଗେ ସଙ୍ଗେ ବର୍ଷାରେ ଧାଇଁବାକୁ ଉଦ୍ୟତ । ଅନେକ ବୁଝେଇ ତା’ର ମା’ ତାକୁ ଅଟକେଇଲା ।

 

ଦୁର୍ଗା କହିଲା ମୋର ଟିକେ ଜ୍ୱର ଛାଡ଼ିଯାଉ, କାଲି ସକାଳେ ଯିବା ଅପୁ, ତୁ ଆଉ ମୁଁ ଦୁଇଜଣ ମିଶି ବାଉଁଶ ବଗିଚାରୁ ମାଛ ଗୋଟେଇ ଆଣିବା । ତା’ପରେ ସେ ଆଶ୍ଚର୍ଯ୍ୟ ହୋଇ ଚିନ୍ତା କରୁଥିଲା ବାଉଁଶ ବଗିଚା ଭିତରେ ମାଛ ! କେମିତି ଆସିଲା ? ଆରେ ବାଃ, ବଢ଼ିଆ କଥା !ମା’ କ’ଣ ଭଲ କି ଖୋଜିଥିବ । ଖୋଜିଥିଲେ ଆହୁରି ସେଠାରେ ପାଇଥାନ୍ତା ଦେଖିପାରିଲିନି କଉ ମାଛଟା କେମିତି ଗାଲିରେ ଚାଲେ କାଲି ସକାଳେ ଦେଖିବି କାଲି ସକାଳକୁ ଜ୍ୱର ଛାଡ଼ିଯାଇଥିବ ।

 

ଚାରିକଡ଼ର ବଣବଗିଚା ଆଚ୍ଛନ୍ନ କରି ସନ୍ଧ୍ୟା ନଇଁଲା । ସନ୍ଧ୍ୟାର ମେଘରେ ତ୍ରୟୋଦଶୀର ଅନ୍ଧକାର ମିଶି ଚାରିକଡ଼ ଏକାକାର ହୋଇଯାଇଛି । ଦୁର୍ଗା ଯେଉଁଠି ଶୋଇଥିଲା, ତା’ର ଗୋଟିଏ କଡ଼କୁ ମା’ ଓ ଅପୁ ବସିଥିଲେ । ସର୍ବଜୟା ଭାବୁଥିଲା ଆଜି ଯଦି ନୀରେନ୍‌ ଘରୁ ଖଣ୍ଡିଏ ଚିଠି ଆସିଯାଆନ୍ତା ? କେଜାଣି, ସେ କଥା କ’ଣ ଆଉ ସମ୍ଭବ ହେବନି ? ନୀରେନ୍‌ ନିଜେ ତ ପସନ୍ଦ କରିଯାଇଥିଲେ ତା’ ଭାଗ୍ୟରେ କ’ଣ ଅଛି କିଏ ଜାଣେ ! ନା, ସବୁ କ’ଣ ମୋରି ଭାଗ୍ୟରେ ଲେଖା ? ସେ ବି କେମିତି ଲୋକ ନା ! ତା’ ନ ହେଲେ ଚିନ୍ତାର କିଛି କାରଣ ନ ଥିଲା ?

 

ସେପଟେ ଭାଇ ଭଉଣୀର ତୁମୁଳ ତର୍କ ଆରମ୍ଭ ଲାଗିଯାଇଛି, ଅପୁ ଘୁଞ୍ଚିଯାଇ ମା’ ପାଖରେ ବସିଗଲା ଥଣ୍ଡା ପବନରେ ଭୀଷଣ ଶୀତ ଲାଗୁଥିଲା । ହସି ହସି କହିଲା ମା’ କ’ଣ ହେଲା ? ସେହି ଯେଉଁ ଗୀତଟା ଶ୍ୟାମ ଲଙ୍କା ମସଲା ବାଟେ, ଭୂଇଁରେ ଲୋଟଇ କେଶ ?...

 

ଦୁର୍ଗା କହିଲା ସେତେବେଳକୁ ମା’ଟି ମୋହର ଛାଡ଼ି ଯାଇଛି ଦେଶ ଅପୁ କହିଲା ଯାଉନୁ, ତୁ ଜାଣିନୁ ମା’ ନାନୀ ଠିକ୍‌ କହୁଛି ? ସେତେବେଳକୁ ମା’ଟି ମୋହର ଛାଡ଼ି ଯାଇଛି ଦେଶ ? କଥାଟି କହିସାରି ସେ ନାନୀର ଅଜ୍ଞତାରେ ହସିଲା ।

 

ସର୍ବଜୟା ଛାତିଭିତରେ ପୁଅର ଅବୋଧ ଉଲ୍ଲାସର ହସଟିକକ ଶେଲବିଦ୍ଧ ହେଲା ପରି ଜଣାଗଲା । ମନରେ ଭାବିଲା- ସାତଟି ନୁହେଁ କି ପାଞ୍ଚଟି ନୁହେଁ ଗୋଟିଏ ମାତ୍ର ପୁଅ ତା’ର । କି ଭାଗ୍ୟ କରି ମୁଁ ଯେ ଆସିଥିଲି, ତା’ର ମୁହଁର ଆବ୍‌ଦାର ଟିକକ ବି ରଖିପାରୁନି ଘିଅ ନା, ଲୁଚି ନା, ସନ୍ଦେଶ ନା କ’ଣ ଦେଉଛି ତାକୁ ? କେବଳ ମୁଠାଏ ଭାତ ମାଗୁଛି ଆଉ ଅଧିକା ମାଗୁଛି ବା କ’ଣ ?... ପୁଣି ଭାବେ ଏଇ ଭଙ୍ଗାଘର, ଟାଣଟୁଣର ସଂସାର ଅପୁ ମଣିଷ ହୋଇଗଲେ ଆଉ ଏ ଦୁଃଖ ରହିବନି । ଭଗବାନ ଯେମିତି ତାକୁ ଭଲ ମଣିଷଟିଏ କରନ୍ତୁ ।

 

ତା’ପରେ ସେ ବସି ବସି ଗପ କହିବାକୁ ଆରମ୍ଭ କଲା । ପ୍ରଥମେ ସେ ଯେତେବେଳେ ନିଶ୍ଚିନ୍ତପୁର ଗାଁକୁ ସଂସାର କରିବାକୁ ଆସିଥିଲା, ସେ ବର୍ଷ ବି ଏମିତି ଅବିଶ୍ରାନ୍ତ ବର୍ଷା । ନଈରେ ବହୁତ ବଢ଼ି ଆସିଥିଲା । ନଈଘାଟ ରାସ୍ତାରେ ମୁଖାର୍ଜୀ ଘର ବଗିଚା ପର୍ଯ୍ୟନ୍ତ ବୋଝେଇ ନୌକା ବି ପଶି ଆସିଥିଲା ।

 

ଅପୁ ପଚାରିଲା କେତେ ବଡ଼ ନୌକା ମା’ ?

 

ସେ ଖୋଟ୍ଟା ଘରର ବେଶ୍‌ ବଡ଼ ବଡ଼ ଚୁନ ବୋଝେଇ ନୌକା, ସୋଡ଼ା ବୋଝେଇ ନୌକା ବେଳେ ବେଳେ ଆସେ ଦେଖିଚୁ ଏତିକି ବଡ଼ ବଡ଼ ନୌକା

 

ଦୁର୍ଗା ହଠାତ୍‌ ପଚାରିଲା ମା’, ତୁମେ ବେଣୀରେ ଫୁଲ ପକେଇ ବାନ୍ଧି ଜାଣ ?

 

ଗଭୀର ରାତିରେ ସର୍ବଜୟାର ନିଦ ଭାଙ୍ଗିଗଲା ଅପୁ ଡାକୁଛି, ମା’, ମା’ଗୋ, ଉଠ ମୋ ଦେହ ଉପରେ ପାଣି ପଡ଼ୁଛି

 

ସର୍ବଜୟା ଉଠି ଲଣ୍ଠନ ଜାଳିଲା । ବାହାରେ ପ୍ରବଳ ବର୍ଷାର ଶବ୍ଦ । କଣା ଛାତ ଦେଇ ଘରର ସବୁଠି ପାଣି ପଡ଼ୁଛି । ସେ ବିଛଣା ଘୁଞ୍ଚେଇ ପୁଣିଥରେ ପାରିଦେଲା । ଦୁର୍ଗା ଅଘୋର ଜ୍ୱରରେ ଶୋଇଛି ତା’ର ମା’ ତା’ ଦେହରେ ହାତ ଦେଇ ଦେଖିଲା, ସେ ଘୋଡ଼େଇଥିବା କନ୍ଥା ଖଣ୍ଡିକ ଭିଜିଯାଇ ସପ୍‌ସପ୍‌ କରୁଛି । ଡାକି କହିଲା ଦୁର୍ଗା, ଆଲୋ ଦୁର୍ଗା, ଶୁଣୁଛୁ ?... ଟିକିଏ ଉଠିଲୁରେ ! ବିଛଣାଟା ଘୁଞ୍ଚେଇ ଦିଏ ଓ ଦୁର୍ଗା ଶୀଘ୍ର ଉଠ, ପୁରାପୁରି ସବୁ ଭିଜିଗଲା ଯେ !...

 

ପୁଅଝିଅ ଶୋଇ ପଡ଼ିଲେ ବି ସର୍ବଜୟା ଆଖିକୁ ନିଦ ଆସୁ ନ ଥିଲା । ଅନ୍ଧାର ରାତି... ତା’ ଉପରେ ଭୀଷଣ ବର୍ଷା .... ତା’ର ମନଟି ଛମ୍‌ ଛମ୍‌ କରି ଉଠେ ଭୟ ହୁଏ ଗୋଟିଏ ଯେମିତି କ’ଣ ଘଟିବ କିଛି ଘଟିବ । ଛାତି ଭିତରଟା କେମିତି ହୋଇଯାଏ । ତା’ପରେ ଭାବେ ସେ ମଣିଷଟାର ଖବର କ’ଣ ? ଟଙ୍କା ପଇସା ନ ପଠେଇଲା ନାହିଁ, କିଛି ଚିଠିପତ୍ର ଖବରାଖବର ବି ନାହିଁ । ଏମିତି ତ କେବେବି ଘଟେନି ?.... ତାଙ୍କର ଦେହପା ଭଲ ଅଛି ତ ! ମା’ ସିଦ୍ଧେଶ୍ୱରୀ ଗୋ, ପାଞ୍ଚ-ଛ ଅଣାର ଭୋଗ ଦେବି ମା’, ଭଲ ଖବର ଆଣିଦେ ମା’

 

ତା’ପରଦିନ ସକାଳ ପହରକୁ ବର୍ଷାର ତୋଡ଼ ଅଳ୍ପ ଟିକିଏ କମିଥିଲା । ସର୍ବଜୟା ଘରୁ ବାହାରି ଦେଖିଲା, ବାଉଁଶ ବଣ ଭିତରେ ଥିବା ଛୋଟ ଗାଡ଼ିଆଟି ପାଣିରେ ବୁଡ଼ି ଉବୁଟୁବୁ ହେଉଛି, ନଈଘାଟ ରାସ୍ତାରେ ନିବାରଣର ମା’ ଭିଜିଭିଜି ଯାଉଥିଲା । ସର୍ବଜୟା ଡାକି କହିଲା ଆରେ ଏ ନିବାରଣର ମା’, ଶୁଣିଯା । ତା’ପରେ ଟିକିଏ ଶଙ୍କିଯାଇ ଲଜ୍ଜାମିଶା ସ୍ୱରରେ କହିଲା ଥରେ ତୁ କହୁଥିଲୁ ତୋ’ ପୁଅ ପାଇଁ ଗୋଟିଏ ବୁନ୍ଦାବନୀ ଚାଦର ନେବୁବୋଲି, ନେବୁ କି ?...

 

ନିବାରଣର ମା’ କହିଲା ଅଛି ? ବର୍ଷା ଟିକେ ଛାଡ଼ିଯାଉ, ମୋ ପୁଅକୁ ସାଙ୍ଗରେ ଧରି ଆସିବି ନୂଆ ଅଛି ନା ପୁରୁଣା ହୋଇଗଲାଣି ମା’, ଠାକୁରାଣୀ ?

 

ସର୍ବଜୟା କହିଲା, ତୁ ଆସୁନୁ, ଏବେ ଦେଖିବୁ ? ଟିକିଏ ପୁରୁଣା, କିନ୍ତୁ କେହି ତାକୁ ବ୍ୟବହାର କରିନାହାନ୍ତି । ସଫାସୁତୁରା ସେମିତି ଥୁଆ ହୋଇଛି । ଟିକେ ରହି ପଚାରିଲା, ତୁମ ଘରେ ଏବେ ଚାଉଳ ଭାଜୁନ କିରେ ?...

 

ନିବାରଣ ମା’ କହିଲା ଏ ମେଘ ଝଡ଼ିରେ କେହି ଧାନ ଶୁଖାଏ ମା’ ଠାକୁରାଣୀ... ଖାଇବା ପାଇଁ ଅଳ୍ପ ଦୁଇଟା ରଖିଚି ମାତ୍ର

 

ସର୍ବଜୟା କହିଲା ଗୋଟିଏ କାମ କରିବୁ ଫେରିଯାଇ ମୋତେ ଅଧ କଠାଏ ଚାଉଳ ଭଜା ଦେବୁ ?... ଟିକିଏ ପାଖକୁ ଘୁଞ୍ଚି ଆସି ମିନତି କଲା ସ୍ୱରରେ କହିଲା ବର୍ଷା ପାଇଁ ବଜାରରୁ ଚାଉଳ କିଣିବା ପାଇଁ ଲୋକ ପାଉନି ଟଙ୍କା ଧରି ବୁଲୁଛି, କେହି ରାଜି ହୋଇ ଆଣି ଦେଉନାହାନ୍ତି ବହୁତ ବିପଦରେ ପଡ଼ିଛି ଲୋ, ମା’

 

ନିବାରଣର ମା’ ରାଜି ହୋଇଗଲା ଆଉ କହିଲା ଏବେ ଆଣି ଦେଇଯିବି ଯେ ହେଲେ ସେଗୁଡ଼ା ତ ସାଧାରଣ ଲୋକଙ୍କ ଖାଇବା ପାଇଁ, ସେ ମୋଟା ଚାଉଳର ଭଜା ଆପଣ ଖାଇ ପାରିବେ ମା’, ଠାକୁରାଣୀ ? ବହୁତ ମୋଟା ବଗଡ଼ା ଚାଉଳ...

 

ଦୁର୍ଗା ଆଉ ନିମ୍ବଛାଲି ସିଝା ରସ ପିଇପାରୁନି । ତା’ର ଅସୁସ୍ଥତା କମୁନି । ଔଷଧ ନାହିଁ, ପଥ୍ୟ ନାହିଁ, ଡାକ୍ତର ବୈଦ୍ୟ କିଛି ନାହିଁ । କହିଲା ପଇସାକର ବିସ୍କୁଟ ଆଣିଦେବ ମା’, ଲୁଣି ବିସ୍କୁଟ, ମୁହଁକୁ ଟିକେ ରୁଚିବ ।

 

ସାଗୁତ ମିଳୁନି, ବିସ୍କୁଟ ତ ଦୁର୍ଲ୍ଲଭ !

 

ବିକାଳ ସମୟକୁ ପୁଣିଥରେ ଭୟାନକ ବର୍ଷା ଆରମ୍ଭ ହୋଇଗଲା । ବର୍ଷା ସାଙ୍ଗକୁ ଝଡ଼ ବି ପାଳି ଦେଇ ବଢ଼ିଚାଲିଲା । ଘୋର ବର୍ଷଣ ମୁଖର ନିର୍ଜନତା । ପାଣିରେ ଉବୁଟୁବୁ, ହୁ ହୁ ପୁବେଳି ପବନ । ମେଘର ଅନ୍ଧକାରରେ ଭରା ଭାଦ୍ରବ ସନ୍ଧ୍ୟା । ପୁଣିଥରେ ସେମିତି କଳା କଳା ଭିଣାତୁଳା ଭଳି ମେଘମାଳା ଭାସି ଭାସି ଚାଲିଛି । ବର୍ଷାର ଶବ୍ଦରେ କାନ ଝାଇଁ ଝାଇଁ ହୋଇଯାଉଛି । ଦୁଆର ଝରକା ଭିତର ଦେଇ ଥଣ୍ଡା ପବନର ଝପ୍‌ଟା ସାଥିରେ ବର୍ଷାର ମାଡ଼ ହୁ ହୁ କରି ପାଣି ପଶିଆସୁଛି । ଛିଣ୍ଡା ଥଳି, ଛିଣ୍ଡା ଲୁଗା ଗେଞ୍ଜାଯାଇଥିବା ଭଙ୍ଗା କବାଟର ବା କେତେ ଦମ୍ଭ ଯେ ଝଡ଼ର ଭୀମ ଆକ୍ରମଣର ସମ୍ମୁଖୀନ ହୋଇପାରିବ ?

 

ବେଶୀ ରାତିରେ ସମସ୍ତେ ଶୋଇଗଲା ପରେ ବର୍ଷାର ପ୍ରକୋପ ବଢ଼ି ବଢ଼ି ଚାଲିଲା । ସର୍ବଜୟାର ଆଖିରେ ନିଦ ନାହିଁ ସେ ବିଛଣା ଉପରେ ବସି ରହିଲା । ବାହାରେ କେବଳ ଏକ ତରଫା ବାରିବର୍ଷଣର ହୁସ୍‌ହୁସ୍‌ ଶବ୍ଦ । କ୍ରୁଦ୍ଧ ଦୈତ୍ୟ ଭଳି ଗଁ ଗଁ ଶବ୍ଦରେ ଝଡ଼ର ଝଟକା ଘର ଭିତରକୁ ପଶିଆସୁଛି ।... ଜୀର୍ଣ୍ଣ ଛାତରେ ଘରଟି ମଝିରେ ମଝିରେ ଝଟକାରେ ଥର ଥର କରି ଥରି ଉଠୁଥିଲା ।... ଭୟରେ ସର୍ବଜୟାର ପ୍ରାଣ ଉଡ଼ିବା ଉପରେ... ଗାଁ’ର ଗୋଟିଏ କଡ଼ରେ ବାଉଁଶ ବଣ ଭିତରେ ଛୋଟ ଛୋଟ ପୁଅଝିଅଙ୍କ ସାଥିରେ ସେ ନିଃସହାୟ ଅବସ୍ଥାରେ ପଡ଼ିଛି । ... ବସି ବସି ମନରେ ଭାବୁଛି ଯଦି ଛାତ ଖସିପଡ଼େ, ଘର ଭାଙ୍ଗିଯାଏ ? ପାଚେରୀ କଡ଼ କାନ୍ଥଟା ବୋଧେ ପ୍ରଥମେ ଭାଙ୍ଗିପଡ଼ିବ । ଯେମିତି ଶବ୍ଦ ହେବ, ପିଲାମାନଙ୍କୁ ପାଣି ଚାଳରୁ ଦୁଆର ପଟେ ଟାଣିନେଇ ବାହାରକୁ ଯିବି ।

 

ସେ ଆଉ ଥୟ ଧରି ବସିପାରୁନି । କେତେଦିନ ଧରି ଓଲୁଅ ପତର, ମାଣ ଶାଗ ସିଝେଇ ଖାଇ ଦିନ ଅତିବାହିତ କରିଛି । ନିଜେ ଓପାସରେ ରହି ପିଲାମାନଙ୍କୁ ଯାହା କିଛି ସାମାନ୍ୟ ଖାଦ୍ୟ ଖୁଆଇ ରଖିଛି । ଶରୀର ତା’ର ଚିନ୍ତାରେ, ଅନାହାରରେ ଦୁର୍ବଳ । ମୁଣ୍ଡ ଭିତରେ କେମିତି ଯନ୍ତ୍ରଣା ଅନୁଭବ କରୁଛି ।

 

ଝଡ଼ର ଗଁ ଗଁ ଶବ୍ଦ ଶୁଭୁଛି । ମଝି ରାତିରେ ପୁଣି ଝଡ଼ର ବେଗ ବଢ଼ିବାକୁ ଆରମ୍ଭ କଲା । ବାହାରେ ଗୋଟାଏ ଝଟ୍‌କା ଶୁଣାଗଲା । ଏବେ ଉପାୟ କ’ଣ ! ପୁଣିଥରେ ଗୋଟାଏ ତୋଫାନୀ ଝଟ୍‌କାରେ ଭୟଭୀତ ହୋଇ ଝଡ଼ର ଗତି ଜାଣିବା ପାଇଁ ସନ୍ତର୍ପଣରେ ପାଚେରୀ ପାଖ ଦୁଆର ଖୋଲି ବାହାର ବାରଣ୍ଡା ଆଡ଼କୁ ମୁହଁ ବଢ଼େଇଲା । ... ବର୍ଷାର ଛାଟରେ ଲୁଗାପଟା ଓ ମୁଣ୍ଡର ଚୁଟି ସବୁ ଓଦା ହୋଇଗଲା ପବନର ଏକ ତରଫା ହୁ ହୁ ଶବ୍ଦରେ ବର୍ଷାଝଡ଼ର ଶବ୍ଦ ନ୍ୟୁନ ହୋଇଯାଇଛି । ବାହାରେ କିଛି ଦେଖାଯାଉନି । ଅନ୍ଧକାର ମେଘ, ଆକାଶ, ପବନରେ ଗଛଲତା ସବୁ ଏକାକାର ହୋଇଯାଇଛି ! ଝଡ଼ବର୍ଷାର ଶବ୍ଦରେ ଆଉ କିଛି ଶୁଣାଯାଉନି ।

 

ଏହି ହିଂସ୍ର ଅନ୍ଧକାର ଓ କ୍ରୂର ବିଦ୍ୟୁତ୍‌ ପୂର୍ଣ୍ଣମୟ ରାତ୍ରିର ଆତ୍ମା ଯେମିତି ପ୍ରଳୟ ଦେବତାର ଦୂତ ରୂପରେ ଭୀମ ଭୈରବ ବେଗରେ ସୃଷ୍ଟିକୁ ଗ୍ରାସ କରିବା ପାଇଁ ଧାଇଁ ଆସୁଛି । ଅନ୍ଧକାରରେ, ରାତିରେ, ଗଛଲତାରେ, ଆକାଶରେ, ମାଟିରେ ତା’ର ଗତି ବେଗ ପ୍ରତିହତ ହୋଇ ଶବ୍ଦ ଉଠୁଛି ସୁ-ଇଶ୍‌-ସୁ-ଉ-ଉ-ଉଇଶ୍‌... ସୁଉଉଉଇଶ୍‌... ଏଇ ଶବ୍ଦ ପ୍ରଥମାଂଶରେ ବିଶ୍ୱଗ୍ରାସୀ ଦୂତଟି ଯେମିତି ପଛକୁ ହଟିଯାଇ ବଳ ସଞ୍ଚାର କରୁଛି- ସୁଉଉ ଏବଂ ଶେଷ ଅଂଶଟାରେ ପୃଥିବୀର ଉଚ୍ଚନୀଚ ପବନର ସ୍ତରରେ ଆଲୋଡ଼ନ, ମନ୍ଥନ କରି ବାୟୁସ୍ତରରେ ବିଶାଳ ତୋଫାନ ସୃଷ୍ଟିକରି ତାହାର ସମସ୍ତ ଆସୁରୀ ଶକ୍ତିରେ ସର୍ବଜୟାର ଜୀର୍ଣ୍ଣ ଛାତ ଘରର ପଛରେ ଧକ୍କା ଦେଉଛି- ଇ ଇ ଶ... । ଛାତ ଘରଟି ଥରି ଥରି ଉଠୁଛି... ଆଉ ବୋଧେ ଛିଡ଼ା ହୋଇପାରିବନି ! ଏହା ଭିତରେ ଯେମିତି କୌଣସି ଅଧୀରତା, ବିଶୃଙ୍ଖଳା, ଭ୍ରମଭ୍ରାନ୍ତି ନାହିଁ ଯେମିତି ଦୃଢ଼, ଅଭ୍ୟସ୍ତ, ପ୍ରଣାଳୀବଦ୍ଧ ଭାବରେ କର୍ତ୍ତବ୍ୟ କାର୍ଯ୍ୟରେ ଲିପ୍ତ ! ସମଗ୍ର ବିଶ୍ୱଟାକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଚୂର୍ଣ୍ଣବିଚୂର୍ଣ୍ଣ କରି ଉଡ଼େଇ ଦେବାର ଦାୟିତ୍ୱ ସିଏ ନେଇଛି । ପ୍ରତି ଯୁଗରେ ଏଭଳି ଅନେକ ହାସ୍ୟମୟୀ ସୃଷ୍ଟିକୁ ବିଧ୍ୱସ୍ତ କରି ଅନନ୍ତ ଆକାଶର ଅନ୍ଧକାରରେ ନକ୍ଷତ୍ର ରାଜି ଭଳି ବିଞ୍ଚିଦେଇ ଆସିଛି ଯେଉଁ ମହାଶକ୍ତିମାନ ଧ୍ୱଂସଦୂତ, ତା’ ପାଇଁ ଏଇଟା ଅଭ୍ୟସ୍ତ କାର୍ଯ୍ୟର ଅଂଶ ବିଶେଷ... ଏହା ଭିତରେ ତା’ର ଅଧୀରତା କିମ୍ବା ଉନ୍ମତ୍ତତା ଶୋଭାପାଏନା ।

 

ଆତଙ୍କିତ ହୋଇ ସର୍ବଜୟା ଦୁଆର ବନ୍ଦ କରିଦେଲା । ଏବେ ଯଦି କିଛି ଗୋଟାଏ ଘର ଭିତରକୁ ପଶିଆସେ ? ମଣିଷ କିମ୍ବା ଅନ୍ୟ କିଛି ଜାନୁଆର ? ଚାରିପଟେ ଘନ ବାଉଁଶବଣ, ଜଙ୍ଗଲ, ଜନମାନବର ବସତି ନାହିଁ ମା’ ଗୋ ! ପାଣିଛାଟରେ ଘର ଭାସିଯାଉଛି... ହାତମାରି ଦେଖିଲା ଅପୁ ଶୋଇଯାଇଛି, ତା’ ଦେହ ପାଣି ମାଡ଼ରେ ସଡ଼ ସଡ଼ ହୋଇଗଲାଣି... ସେ ଏବେ କ’ଣ କରିବ ? ଆଉ ରାତି କେତେ ବାକି ଅଛି ? ସେ ବିଛଣା ଅଣ୍ଡାଳି ଦିଆସିଲିଟା ଖୋଜି କିରୋସିନିର ଡିବିରି ଆଲୁଅଟା ଜଳେଇଲା । ଡାକିଲା ଏ ଅପୁ ଉଠିଲୁ ? ପାଣି ପଡ଼ୁଚି, ତୋ’ ଉପରେ... । ଅପୁ ନିଦୁଆ ଆଖିରେ କ’ଣ ସବୁ କହିଗଲା ଜଣାପଡ଼ିଲାନି । ପୁଣିଥରେ ଡାକିଲା ଅପୁ ? ଶୁଣୁଛୁରେ ଅପୁ ? ଉଠିଲୁ ବାପା ! ଦୁର୍ଗାକୁ କହିଲା କଡ଼ ଲେଉଟାଇ ଶୋଇଲୁ ଦୁର୍ଗା । ବହୁତ ପାଣି ପଡ଼ୁଛି ଟିକିଏ ଘୁଞ୍ଚି କଡ଼େଇ ଶୋଇଲୁ ଲୋ ।

 

ଅପୁ ଉଠି ବସିପଡ଼ି ନିଦୁଆ ଆଖିରେ ଚାରିଆଡ଼କୁ ଚାହିଁଲା ତା’ପରେ ପୁଣି ଶୋଇପଡ଼ିଲା । ହୁଡୁମ୍‌ କରି କ’ଣ ଗୋଟାଏ ଶବ୍ଦ ହେଲା, ସର୍ବଜୟା ଶୀଘ୍ର କବାଟ ଖୋଲି ପୁଣି ବାହାରପଟକୁ ଉଁକି ମାରି ଦେଖିଲା ବାଉଁଶ ବଗିଚାପଟଟା ଫାଙ୍କା ଫାଙ୍କା ଦେଖାଯାଉଛି ରୋଷେଇ ଘରର କାନ୍ଥଟା ପଡ଼ିଗଲା କି ?... ତା’ ଛାତିଟା ଥରି ଉଠିଲା ଏଇଥର ବୋଧେ ପୁରୁଣା ଛାତଘରଟା ? କିଏ ବା ପାଖରେ ଅଛି, ସେ କାହାକୁ ବା ଏବେ ଡାକିବ ? ମନେ ମନେ ପ୍ରାର୍ଥନା କଲା ହେ ପ୍ରଭୁ, ଆଜି ରାତିଟା କେମିତି ହେଲେ ବିତିଯାଉ, ହେ ପ୍ରଭୁ, ପିଲାମାନଙ୍କ ମୁହଁକୁ ଟିକିଏ ଚାହଁ, ଟିକିଏ ଦୟାକର ପ୍ରଭୁ

 

ସେତେବେଳ ସୁଦ୍ଧା ଠିକ୍‌ ଭାବରେ ଭୋର ହୋଇନି । ଝଡ଼ ବନ୍ଦ ହୋଇଗଲାଣି କିନ୍ତୁ ଅଳ୍ପ ଅଳ୍ପ ବର୍ଷା ତଥାପି ବି ଲାଗିରହିଛି । ସାହିର ନୀଳମଣି ମୁଖାର୍ଜୀଙ୍କ ସ୍ତ୍ରୀ ଗୁହାଳକୁ ଗାଈଗୋରୁଙ୍କ ଅବସ୍ଥା ଦେଖିବାକୁ ଆସିଥିଲେ, ଏମିତି ସମୟରେ ପଛପଟ କବାଟରେ କିଏ ବାରମ୍ବାର ଧକ୍କା ଦେବାର ଶବ୍ଦ ଶୁଣିଲେ । କବାଟ ଖୋଲି ବିସ୍ମିତ ସ୍ୱରରେ କହିଲେ ଆରେ ନୂଆ ବୋହୂ ଯେ !... ସର୍ବଜୟା ବ୍ୟସ୍ତ ବିବ୍ରତ ହୋଇ କହିଲା ସାନ ମଝିଆ ନାନୀ, ଥରେ ଦେଢ଼ଶୁର ମହାଶୟଙ୍କୁ ଡାକିବ ?... ଥରଟିଏ ଆମ ଘରକୁ ଆସିବାକୁ କୁହ ଦୁର୍ଗାର କ’ଣ ଯେମିତି ହେଉଛି !...

 

ନୀଳମଣି ମୁଖାର୍ଜୀର ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲୋ ଦୁର୍ଗା ? କ’ଣ ହେଲା ଦୁର୍ଗାର ?

 

ସର୍ବଜୟା କହିଲା କେତେଦିନ ହେଲା ତାକୁ ଜ୍ୱର ହେଇଥିଲା କମ୍ପୁଥିଲା ପୁଣି ବଢ଼ୁଥିଲା ମ୍ୟାଲେରିଆ ଜ୍ୱର କାଲି ସନ୍ଧ୍ୟାରୁ ଜ୍ୱର ବହୁତ ବେଶୀ ବଢ଼ିଯାଇଥିଲା ତା’ଉପରେ କାଲି ରାତିରେ ଯେଉଁ ଅବସ୍ଥା ଦେଖୁଛ ତ ଥରଟିଏ ଦେଢ଼ଶୁର ମହାଶୟଙ୍କୁ ଡାକିଦିଅ

 

ତା’ର ବ୍ୟସ୍ତତା, ଆଲୁଳାୟିତ କେଶ, ରାତ୍ରି ଅନିଦ୍ରାର ନାଲି ନାଲି ଆଖିରେ କେମିତି ଏକ ଦିଗହରା ଦୃଷ୍ଟି ଦେଖି ନୀଳମଣି ମୁଖାର୍ଜୀଙ୍କ ସ୍ତ୍ରୀ କହିଲେ ଭୟ କରନି ବୋହୂମା’ ରୁହ ଟିକେ, ଅପେକ୍ଷା କର, ମୁଁ ଏବେ ତାଙ୍କୁ ଡାକିଦେଉଛି ଚାଲ ମୁଁ ବି ଯିବି । କାଲି ରାତିରେ ଗୁହାଳ ଘରର ଚାଳଟି ପଡ଼ିଯାଇଛି । କାଲି ରାତିରେ ଯେଉଁ କାଣ୍ଡ କାରଖାନା ମୁଁ ତ ଜୀବନରେ କେବେବି ଦେଖିନଥିଲି । ଶେଷ ରାତିରେ ଗାଈଗୋରୁ ସବୁ ହଟେଇ ସାରି ଆଉଥରେ ସବୁ ଶୋଇ ଯାଇଛନ୍ତି !... ଛିଡ଼ା ହୁଅ, ମୁଁ ଡାକି ଦେଉଛି ।

 

ଅଳ୍ପ ସମୟ ପରେ ନୀଳମଣି ମୁଖାର୍ଜୀ, ତାଙ୍କର ବଡ଼ପୁଅ ଫଣି, ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ସମସ୍ତେ ଅପୁ ଘରକୁ ଆସିଲେ । ରାତ୍ରିର ଅନ୍ଧକାରରେ ସେହି ଦୈତ୍ୟଟି ସାରା ଗାଁ’ଟିକୁ ଯେମିତି ଦଳି, ଚକଟି, ମନ୍ଥି ଦେଇ ଆକାଶ ପଥରେ ଅନ୍ତର୍ହିତ ହୋଇଯାଇଛି । ଭଙ୍ଗା ଡାଳପତ୍ର, ଚାଳର ନଡ଼ା, କଞ୍ଚା ବାଉଁଶ କଣିରେ ରାସ୍ତାଘାଟ ଢାଙ୍କି ହୋଇଯାଇଛି । ଝଡ଼ରେ ବାଉଁଶ ସବୁ ନଇଁ ପଡ଼ି ରାସ୍ତା ଅବରୋଧ କରିଛି । ଫଣି କହିଲା ଦେଖୁଛ ବାପା, କେମିତି ଅବସ୍ଥା ହେଇଛି ? ନବାବ ଗଞ୍ଜର ସେ ବିଲାତି ନିଦ୍ରାବେଶ ଗଛରୁ ପତ୍ର ଉଡ଼େଇ ଆଣି ଏଠାରେ ପକେଇଛି । ନୀଳମଣି ମୁଖାର୍ଜୀଙ୍କ ସାନପୁଅଟି ମଲା ଚଟିଆ ପକ୍ଷୀଟିଏ ବାଉଁଶ ପତର ଭିତରୁ ଟାଣି ବାହାର କଲା ।

 

ଦୁର୍ଗାର ବିଛଣା ନିକଟରେ ଅପୁ ବସିଥିଲା ନୀଳମଣି ମୁଖାର୍ଜୀ ଘରେ ପଶି ପଚାରିଲେ କ’ଣ ହେଇଚିରେ ବାପା, ଅପୁ ?

 

ଅପୁ ମୁଖ ମଣ୍ଡଳରେ ଉଦବେଗର ଚିହ୍ନ । କହିଲା ବଡ଼ବାପା, ନାନୀ କଣ ସବୁ ପ୍ରଳାପ କରୁଥିଲା ।

 

ନୀଳମଣି ବାବୁ ବିଛଣା ପାଖରେ ବସିପଡ଼ି କହିଲେ ଦେଖିରେ ତୋ ହାତଟା ? ଜ୍ୱର ଟିକିଏ ବେଶୀ ଜଣାପଡ଼ୁଛି, ଭୟର କିଛି କାରଣ ନାହିଁ । ଫଣି, ତୁ ଟିକେ ଶୀଘ୍ର ନବାବଗଞ୍ଜର ଶରତ ଡାକ୍ତର ପାଖକୁ ଧାଇଁଯା । ତାକୁ ଥରେ ଡାକି ଆଣ । ତା’ପରେ ସେ ଡାକିଲେ ଦୁର୍ଗା, ଆଲୋ ଦୁର୍ଗା ? ଦୁର୍ଗାର ଅଘୋର ଆଚ୍ଛନ୍ନ ଭାବ, ସୋର ଶବ୍‌ଦ ନାହିଁ । ନୀଳମଣି କହିଲେ ଆରେ ଦେଖୁଛି, ଘରର ଅବସ୍ଥା ଭୀଷଣ ଖରାପ ? ପାଣି ଗଳି ରାତିରେ ଘରଟା ଯାକ ଭାସୁଛି ... ବୋହୂମା’, ଏଥିରେ ଲଜ୍ଜ୍ୟା କରିବାର ବା କ’ଣ ଅଛି, ଆମ ଘରେ ନ ହେଲେ ଯାଇ ପହଞ୍ଚିଥାନ୍ତ ? ହରିର ବି ଏ ଜୀବନରେ କାଣ୍ଡଜ୍ଞାନ ଆଉ ହେଲାନି । ଏମିତି ଅବସ୍ଥାରେ ଘରଦ୍ୱାର ମରାମତି ନ କରି, କ’ଣ ଯେ କରୁଛି ସେ କଥା ବି ମୁଁ ଜାଣିପାରୁନି । ଚିରଦିନ ତା’ର ଏମିତି ଭାବରେ କଟିଗଲା

 

ତାଙ୍କ ସ୍ତ୍ରୀ କହିଲେ ଘର ମରାମତି କରିବ କ’ଣ, ଘରେ ଦାନାଟିଏ ବି ନାହିଁ । ନ ହେଲେ ଏମିତି ଅପନ୍ତରାରେ ପକେଇ କେହି ବିଦେଶ ଯାଏ ? ଆହା, ରୋଗା ଝିଅଟି କାଲି ରାତି ତମାମ ଭିଜିଛି । ଟିକେ ପାଣି ଗରମ କର ? ସେ ଝରକାଟା ଖୋଲି ଦେଲୁ ଫଣି ?

 

ବେଳ ଟିକେ ହେଲାରୁ ନବାବଗଞ୍ଜରୁ ଶରତ ଡାକ୍ତର ଆସିଲେ । ଦେଖିଶୁଣି ଔଷଧର ବ୍ୟବସ୍ଥା କଲେ । କହିଗଲେ ବିଶେଷ ଭୟର କାରଣ କିଛି ନାହିଁ । ଜ୍ୱରଟା ଟିକେ ବଢ଼ିଯାଇଛି । ମୁଣ୍ଡରେ ନିୟମିତ ଜଳପଟି ଦେବାକୁ କହିଗଲେ । ହରିହର କେଉଁଠି ଅଛି ଜଣାନାହିଁ । ତଥାପି ତା’ର ପୂର୍ବ ଠିକଣାରେ ତାକୁ ଖଣ୍ଡିଏ ଚିଠି ଲେଖା ହେଲା ।

 

ପରଦିନ ଝଡ଼ବର୍ଷା କଟିଗଲା । ଆକାଶରୁ ମେଘ ଅପସରି ଯିବାରେ ଲାଗିଲା । ନୀଳମଣି ବାବୁ ନିୟମିତ ଦୁଇଓଳି ଦେଖାଶୁଣା କରିବାକୁ ଲାଗିଲେ । ଝଡ଼ବର୍ଷା ବନ୍ଦ ହେବା ପରଦିନଠୁ ଦୁର୍ଗାର ଜ୍ୱର ପୁଣି ବେଶୀ ବଢ଼ିଗଲା । ଶରତ ଡାକ୍ତର ଶଙ୍କିଗଲେ । ହରିହରକୁ ଆଉ ଖଣ୍ଡିଏ ଚିଠି ଲେଖାହେଲା ।

 

ଅପୁ ତା’ ନାନୀ ପାଖରେ ବସି ମୁଣ୍ଡରେ ଜଳପଟି ଦେଉଥିଲା । ନାନୀକୁ ଥରେ ଦୁଇଥର ଡାକିଲା ନାନୀରେ, ଏ ନାନୀ, ଶୁଣୁଛୁ, ତୋତେ ଏବେ କେମିତି ଲାଗୁଛି ? ଦୁର୍ଗା କେମିତି ଗୋଟିଏ ଆଚ୍ଛନ୍ନ ଅବସ୍ଥାରେ । ଓଠ ହଲାଉଚି କ’ଣ ଯେମିତି ମନକୁ ମନ କହୁଛି, ‘ଘୋର ଘୋର’ । ଅପୁ ନାନୀର ମୁହଁ ପାଖରେ କାନ ପାତି ଥରେ ଦୁଇଥର ଶୁଣିବାକୁ ଚେଷ୍ଟାକଲା କିନ୍ତୁ କିଛି ବୁଝିପାରିଲାନି ।

 

ତା’ ମା’ ଘର କାମରେ ବ୍ୟସ୍ତ ଥିଲା । ଅପୁ ତା’ ନାନୀ ପାଖରେ ବସିରହେ । ଦୁର୍ଗା ଆଖି ଖୋଲି ତା’ ଆଡ଼କୁ ଚାହିଁ ପଚାରିଲା କେତେ ବେଳ ହେଲାଣିରେ ?

 

ଅପୁ କହିଲା ବେଳ ବହୁତ ବାକି ଅଛି । ଆଜି ଖରା ହେଇଛି, ଦେଖିଛୁ ନାନୀ ? ଏବେବି ଆମର ନଡ଼ିଆ ଗଛ ଉପରେ ସୂର୍ଯ୍ୟ ରହିଛି

 

କିଛି ସମୟ ଦୁଇଜଣ କଥାବାର୍ତ୍ତା ନ କରି ନୀରବ ରହିଲେ । ଅନେକ ଦିନ ପରେ ଆଜି ଖରାପାଗ ହୋଇଥିବାରୁ ଅପୁର ମନ ଭିତରେ ଭାରି ଆନନ୍ଦ । ସେ ଝରକା ଦେଇ ଖରା ପଡ଼ିଥିବା ଗଛ ଉପରକୁ ଚାହିଁ ରହିଥିଲା । କିଛି ସମୟ ପରେ ଦୁର୍ଗା କହିଲା ଅପୁ ଶୁଣ୍‌, ଗୋଟାଏ କଥା ଶୁଣ

 

- କହ ନାନୀ, କି କଥା ? ନାନୀ ମୁହଁ ପାଖକୁ ମୁହଁ ଲଗେଇ ବସିଗଲା ।

 

- ମୋତେ, ତୁ ଦିନେ ରେଳଗାଡ଼ି ଦେଖେଇବୁ ?

 

- ସେ କଥା ଦେଖାଯିବ ପଛକୁ । ତୁ ଏବେ ଭଲ ହୋଇଯା । ବାପାଙ୍କୁ କହି ଆମେ ସମସ୍ତେ ରେଳଗାଡ଼ି ଚଢ଼ି ଗଙ୍ଗାରେ ଗାଧୋଇବାକୁ ଯିବା ।

 

ସାରାଦିନ, ସାରାରାତି କଟିଗଲା । ଝଡ଼ବର୍ଷା କେବେ ହୋଇଥିଲା ଜଣାଗଲାନି । ଚାରିପଟେ ଶାରଦୀୟ ତୀର୍ଯ୍ୟକ୍‌ ଖରା ।

 

ସକାଳ ଦଶଟା ସମୟରେ ନୀଳମଣି ମୁଖାର୍ଜୀ ବହୁଦିନ ପରେ ନଈକୁ ଗାଧୋଇ ଯିବା ପାଇଁ ତେଲ ଲଗେଇବାକୁ ବସିଥିଲେ, ସେହି ସମୟରେ ତାଙ୍କ ସ୍ତ୍ରୀଙ୍କର ଉତ୍ତେଜିତ ସ୍ୱର ତାଙ୍କ କାନରେ ବାଜିଲା । ଶୁଣୁଛ, ଏପଟକୁ ଆସିଲ ଶୀଘ୍ର ଅପୁ ଘର ପଟୁ ଗୋଟାଏ କାନ୍ଦଣା ସ୍ୱର ଶୁଭୁଛି ।

 

ଘଟଣା କ’ଣ ଜାଣିବାକୁ ସମସ୍ତେ ଧାଇଁଗଲେ ।

 

ସର୍ବଜୟା ଝିଅ ଉପରେ ଝୁଙ୍କିପଡ଼ି ତାକୁ ବିକଳରେ ଡାକୁଛି ଆଲୋ ଦୁର୍ଗା, ଟିକେ ଚାହାଁ, ମୋ ମା’ ଟିକେ ଭଲ କରି ଚାହାଁ, ଆଲୋ ଦୁର୍ଗା ।

 

ନୀଳମଣିବାବୁ ଘର ଭିତକୁ ପଶି ଆସି କହିଲେ କ’ଣ ହେଇଚି ଘୁଞ୍ଚିଯାଅ, ସମସ୍ତେ ଘୁଞ୍ଚିଯାଅ । ପବନ ଟିକେ ଛାଡ଼, ସମସ୍ତେ କାହିଁକି ଘେରିଯାଇଛ ?

 

ସର୍ବଜୟା ପ୍ରତିବେଶୀ ବୟସ୍କ ଦେଢଶୁରଙ୍କ ଉପସ୍ଥିତି ଭୁଲିଯାଇ ଚିତ୍କାର କରି ଉଠିଲା କ’ଣ ହେଲା ଗୋ, ଝିଅ ମୋର କାହିଁକି ଏମିତି ହେଉଚି ?

 

ଦୁର୍ଗା ଆଉ ଚାହିଁଲା ନାହିଁ ।

 

ଆକାଶର ନୀଳ ଆସ୍ତରଣ ଭେଦ କରି କେବେ କେବେ ଅନନ୍ତର ହାତଟି ପ୍ରବେଶ କରି ଆସେ ଆଉ ପୃଥିବୀ ବୁକୁରୁ କୁନିକୁନି ପୁଅଝିଅମାନେ ଚଞ୍ଚଳ ଗତିରେ ଅନନ୍ତ ନୀଳିମା ଭିତରକୁ ଧାଇଁ ଯାଇ ନିଜକୁ ହଜେଇ ଦିଅନ୍ତି ପରିଚିତ ଅଥଚ ଗତାନୁଗତିକ ପଥର ବହୁଦୂରରେ କୌଣସି ଏକ ପଥହୀନ ପଥରେ । ଦୁର୍ଗାର ଅଶାନ୍ତ, ଚଞ୍ଚଳ ପ୍ରାଣ ପାଇଁ ଜୀବନର ସେହି ସବୁଠୁ ବଡ଼ ଅଜଣା ଡାକ ଆଜି ଆସି ପହଞ୍ଚି ଯାଇଛି ।

 

ସଙ୍ଗେ ସଙ୍ଗେ ଶରତ ଡାକ୍ତରଙ୍କୁ ଡକା ହେଲା ସେ କହିଲେ ମ୍ୟାଲେରିଆର ଶେଷ ଅବସ୍ଥା ଖୁବ୍‌ ଜ୍ୱର ପରେ ତାତି କମିଗଲାରୁ ହାର୍ଟଫେଲ୍‌ କରିଛି ଠିକ୍‌ ଏମିତି ଗୋଟାଏ କେଶ୍‌ ଦଶଘର ଗାଁ’ରେ ବି ଘଟିଥିଲା

ଅଧଘଣ୍ଟା ଭିତରେ ସାହିର ଲୋକେ ବାରଣ୍ଡାରେ ଭିଡ଼ ଜମେଇ ଦେଇଥିଲେ ।

 

(୨୬)

 

ହରିହର ଘରୁ ଯାଇଥିବା ଚିଠି ପାଇନି ।

 

ଏଥର ଘରୁ ବାହାରି ହରିହର ରାୟ ପ୍ରଥମେ ଗୋୟାଡ଼ୀ କୃଷ୍ଣନଗରରେ ପହଞ୍ଚିଥିଲେ । ସେଠାରେ କାହାରି ସହିତ ତାଙ୍କର ପରିଚୟ ନ ଥିଲା । ସହର ବଜାର ଅଞ୍ଚଳ । ଗୋଟାଏ କିଛି ବନ୍ଦୋବସ୍ତ ହୋଇଯିବ, ଏହି ମାୟାରେ ପଡ଼ି ସେ ସେଠାକୁ ଯାଇଥିଲେ । ଗୋୟାଡ଼ୀରେ କିଛିଦିନ ରହିବା ପରେ ସେ ଜାଣିପାରିଲେ ଯେ ସହରରେ ଓକିଲ କିମ୍ବା ଜମିଦାର ଘରେ ଦୈନିକ ବା ମାସିକ ଚୁକ୍ତିରେ ଚଣ୍ଡୀପାଠ କରିବାରେ କାମଟି ପ୍ରାୟତଃ ମିଳିଯାଏ । ସେହି ଆଶାରେ ପନ୍ଦରଦିନ ବିତିଗଲା । ଘରୁ ରାସ୍ତାଖର୍ଚ୍ଚ ବାବଦକୁ ଯାହା ଆଣିଥିଲେ, ସବୁ ଶେଷ ହୋଇଗଲା, ଅଥଚ କିଛି ସୁବିଧା ହୋଇପାରିଲାନି ।

 

ସେ ମହାବିପଦରେ ପଡ଼ିଗଲା । ଏକେତ ଅପରିଚିତ ସ୍ଥାନ, କେହି ବି ପଇସାଟିଏ ଦେଇ ସାହାଯ୍ୟ କରିବ, ଏମିତି ଲୋକଟିଏ ବି ନାହିଁ । ଗୋଟିଏ ବଜାରର ଯେଉଁ ହୋଟେଲଟିରେ ରହୁଥିଲା, ପଇସାର ଅଭାବରେ ସେଠାରୁ ବାହାରି ଆସିବାକୁ ପଡ଼ିଲା । ଜଣକ ପାଖରୁ ଶୁଣିଲା, ସ୍ଥାନୀୟ ହରିସଭାରେ ନବାଗତ ଅଭାବଗ୍ରସ୍ତ ବ୍ରାହ୍ମଣ ପଥିକକୁ ବିନାମୂଲ୍ୟରେ ରହିବାକୁ ଓ ଖାଇବାକୁ ମିଳୁଛି । ଅଭାବ କଥା ଜଣେଇ ହରିସଭାର ଗୋଟିଏ କୋଠରୀ ଭିତରେ ରହିବା ପାଇଁ ସ୍ଥାନଟିଏ ପାଇଗଲା ସତ କିନ୍ତୁ ସେଠାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ଅନେକ ନିକମ୍ମା ଗଞ୍ଜୋଡ଼ ବ୍ୟକ୍ତି ରାତିରେ ସେଠାରେ ଆଡ୍‌ଡ଼ା ଜମାନ୍ତି ଓ ସାରା ରାତି ହୋହଲ୍ଲା କରି ବିତେଇ ଦିଅନ୍ତି । ଦିନେ ଦିନେ ଗଭୀର ରାତିରେ ସେଠାକୁ ଏମିତି ସ୍ତ୍ରୀ ଲୋକମାନେ ଆସନ୍ତି, ଦେଖିଲେ ଜଣାଯାଏନି ଯେ ସେମାନେ ହରିମନ୍ଦିର ଦର୍ଶନାଭିଳାଷୀ ଭଦ୍ରମହିଳା ।

 

ବହୁ କଷ୍ଟରେ ଦିନ କଟେଇ ସେ ସହରର ବଡ଼ ବଡ଼ ଓକିଲ ଓ ଧନୀ ଗୃହସ୍ଥମାନଙ୍କ ଘର ବୁଲିବାରେ ଲାଗିଲା । ଦିନସାରା ବୁଲି ବୁଲି ରାତିରେ ଫେରି ଦେଖେ ତା’ର ବିଛଣାକୁ ଟାଣି ନେଇ କେହି ଜଣେ ଅଜ୍ଞାତ କୁଳଶୀଳ ବ୍ୟକ୍ତି ଘୁଙ୍ଗୁଡ଼ି ମାରି ଆରାମରେ ଶୋଇଯାଇଛି । ହରିହର କିଛିଦିନ ବାହାର ବାରଣ୍ଡାରେ ଶୋଇ ଦିନ କଟେଇଲା । ପ୍ରାୟ ଏମିତି ସବୁଦିନ ଘଟିଲାରୁ, ଗଞ୍ଜୋଡ଼ ଲୋକଙ୍କ ସହିତ ତାହାର ଟିକିଏ ଝଗଡ଼ା ହେଲା । ପରଦିନ ସକାଳେ ସେମାନେ ହରିସଭାର ସେକ୍ରେଟାରୀଙ୍କ ପାଖରେ ତା’ ନାମରେ କ’ଣ କହିଲେ କେଜାଣି, ସେକ୍ରେଟାରୀ ଘରକୁ ଡକାଇ କହିଲେ ହରିସଭାରେ ତିନି ଦିନରୁ ଅଧିକ ସମୟ ରହିବାର ନିୟମ ନାହିଁ, ତେଣୁ ସେ ଯେମିତି ଅନ୍ୟତ୍ର ବାସସ୍ଥାନ ଖୋଜି ନିଅନ୍ତି ।

 

ସନ୍ଧ୍ୟା ପରେ ନିଜର ଜିନିଷପତ୍ର ଧରି ହରିହରକୁ ହରିସଭା ଘରୁ ବାହାରି ଯିବାକୁ ପଡ଼ିଲା । ‘ଖୋଡ଼ା’ ନଈକୂଳରେ ଅପେକ୍ଷାକୃତ ନିର୍ଜନ ସ୍ଥାନରେ ନିଜର ଜିନିଷପତ୍ର ପୁଟୁଳିଟା ଥୋଇ ନଈ ପାଣିରେ ହାତମୁହଁ ଧୋଇଲା ।

 

ଦିନସାରା କିଛି ଖାଇ ନ ଥିଲା । ସେଦିନ ଗୋଟିଏ କାଠଗୋଲାରେ ବସି ଶ୍ୟାମା ସଙ୍ଗୀତ ଗାଇଥିଲା । ଗୋଲାର ମାଲିକ ଟଙ୍କାଟିଏ ପ୍ରଣାମୀ ଦେଇଥିଲେ । ସେଇ ଟଙ୍କାଟିକୁ ଖୁଚୁରା କରି ବଜାରରୁ କିଛି ଦହି ଓ ମୁଢ଼ି କିଣି ଆଣିଥିଲା । ଖାଇବାଟା ଯେମିତି ତା’ର ଭିତରକୁ ପଶୁନଥିଲା । କାରଣ, ଘରେ ମାତ୍ର ଦଶଦିନ ପାଇଁ ଚଳିବାର ସମ୍ବଳ ଦେଇ ଆସିଥିଲା । ଆଜିକୁ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେଲାଣି, ଏ ପର୍ଯ୍ୟନ୍ତ ଟଙ୍କା ପଇସା ପଠେଇ ପାରିନି । ଏତେଦିନ ଧରି ଘରେ ସେମାନେ କେମିତି ଚଳୁଥିବେ ? ଘରୁ ବାହାରିବାବେଳେ ଅପୁ ବାରମ୍ବାର କାନରେ ପକେଇ ଦେଇଥିଲା ଏଥର ଫେରିଲାବେଳକୁ ତା’ ପାଇଁ ଗୋଟିଏ ପୁରୁଣା ପଦ୍ମପୁରାଣ ନେବାକୁ । ପିଲାଟି ବହି ପଢ଼ିବାକୁ ଭଲପାଏ । ମଝିରେ ମଝିରେ ସେ ବାପାର ପୁରୁଣା ବାକ୍ସରୁ ଲୁଚେଇ ଲୁଚେଇ ବହି ବାହାର କରି ପଢ଼େ । ସେ କଥା ହରିହର ଜାଣିପାରେ । ବାକ୍ସ ଭିତରେ ଅନାଡ଼ି ହାତରେ ଜିନିଷପତ୍ର ସବୁ ଅସଜଡ଼ା, ଅବ୍ୟବସ୍ଥିତ ହୋଇ ପଡ଼ିରହିଥାଏ । କେଉଁ ବହି କେଉଁ ବାକ୍ସରୁ କାଢ଼ିଥାଏ, ମନେ ନ ରଖି ଏଣେତେଣେ ରଖିଦିଏ । ଓଲଟାପାଲଟା କରି ସଜାଡ଼ି ଚୋରି ଢାଙ୍କିବାର ଅସଫଳ ଚେଷ୍ଟାକରେ । ହରିହର ଘରକୁ ଫେରି ବାକ୍ସ ଖୋଲିଲେ ହିଁ ପୁଅର କୀର୍ତ୍ତି ଜାଣିପାରେ ।

 

ସେ ଘରୁ ଆସିବାର କିଛିଦିନ ପୂର୍ବରୁ ଯୋଗୀପଡ଼ାର ବଟତଳାରୁ ଖଣ୍ଡିଏ ପଦ୍ମପୁରାଣ ପଢ଼ିବା ପାଇଁ ମାଗି ଆଣିଥିଲା । ଅପୁ ବହି ଖଣ୍ଡିକ ଦଖଲ କରି ବସିଲା । ପ୍ରଦିଦିନ ପଢ଼େ । କୁଚୁଣୀ ପଡ଼ାରେ ଶିବ ଠାକୁରଙ୍କ ମାଛ ଧରିବା କଥାଟି ପଢ଼ିଲେ ତାକୁ ଭାରି ମଜା ଲାଗେ । ହରିହର କହିଲା ବହିଟି ଦିଅ ବାପା, ଯାହାଠୁ ଆଣିଥିଲି ମାଗୁଛି, ଫେରେଇବାକୁ ପଡ଼ିବ । ଶେଷରେ ଗୋଟିଏ ପଦ୍ମପୁରାଣ କିଣିଦେବା ସର୍ତ୍ତରେ ସେ ବହିଖଣ୍ଡିକ ବାପାଙ୍କୁ ଫେରେଇ ଦେଇଥିଲା ଓ ଆସିଲା ସମୟରେ କହିଥିଲା ନିଶ୍ଚୟ କିଣି ଆଣିବ ମୋ ପାଇଁ । ଦୁର୍ଗାର କିନ୍ତୁ ନଜର ଏତେ ଉପରକୁ ନୁହେଁ । ସେ କହିଛି, ଗୋଟିଏ ସବୁଜ ରଙ୍ଗର ସୂତା’ର ଲୁଗା ଆଉ ଗୋଟିଏ ଭଲ ଅଳତା ବୋତଲ । ସେ ସବୁ ତ ବହୁତ ଦୂରର କଥା, ଘରର ଖର୍ଚ୍ଚ କେମିତି ଚଳୁଥିବ ତାହାହିଁ ସମସ୍ୟା ! ସନ୍ଧ୍ୟାପରେ ସେ ପୂର୍ବ ପରିଚିତ କାଠଗୋଲାରେ ରାତି ପାଇଁ ଆଶ୍ରୟ ନେଲା । ରାତିରେ ଭଲ ନିଦ ହେଲାନି । ବିଛଣାରେ ଶୋଇ ଘରକୁ ଖର୍ଚ୍ଚ ପାଇଁ କିଛି ଟଙ୍କା କେମିତି ପଠେଇବ ଚିନ୍ତା କରୁ କରୁ ଏପଟ ସେପଟ କଡ଼ ଲେଉଟିବାରେ ଲାଗିଲା ।

 

ସକାଳେ ଉଠି ଲକ୍ଷ୍ୟହୀନ ଭାବରେ ରାସ୍ତାରେ ଗୋଟିଏ ପାଖରେ ଛିଡ଼ା ହୋଇଥିଲା । ରାସ୍ତା ସେକଡ଼ରେ ଗୋଟିଏ ନାଲିଇଟାର ଘର, ଆଗରେ ଲୁହା ଫାଟକ । ଅନେକ ସମୟ ଛିଡ଼ା ହୋଇ ଅନେଇ ରହିଲା ସେଇଆଡ଼େ । ତା’ର ମନେହେଲା, ସେହି ଘରେ ଯାଇ ଦୁଃଖ ଜଣେଇଲେ ଗୋଟିଏ ଉପାୟ ନିଶ୍ଚୟ ମିଳିଯିବ । ଚାବିଦିଆ କଣ୍ଢେଇଭଳି ଆଗେଇ ଯାଇ ସେ ଫାଟକ ଭିତରେ ପଶିଗଲା । ବୈଠକଖାନାର ସାଜସଜ୍ଜା ପରିପାଟୀ, ମାର୍ବଲ ପଥର ବିଛା ହୋଇଛି, ପ୍ରତି ସ୍ଥାନରେ ଫୁଲର କୁଣ୍ଡ, ପଥରର ମୂର୍ତ୍ତି, ପାମ୍‌ ଚାରା, କବାଟ ପାଖରେ ପ୍ରବେଶ ସ୍ଥାନରେ ପା-ପୋଛ ବିଛା ହୋଇଛି । ଜଣେ ପ୍ରୌଢ଼ ଭଦ୍ରଲୋକ ବୈଠକଖାନାରେ ବସି ଖବର କାଗଜ ପଢ଼ୁଥିଲେ । ଅପରିଚିତ ଲୋକଟିକୁ ଦେଖି କାଗଜ ଖଣ୍ଡିକ ଥୋଇ ସିଧାହୋଇ ବସି ପଚାରିଲେ ତୁମେ କିଏ ? କ’ଣ ଦରକାର ?

 

ହରିହର ବିନୀତ ଭାବରେ କହିଲେ ଆଜ୍ଞା, ମୁଁ ଜଣେ ବ୍ରାହ୍ମଣ ସଂସ୍କୃତ ଜାଣେ, ଚଣ୍ଡୀପାଠ ଆଦି କରିପାରେ ତା’ଛଡ଼ା ଭାଗବତ ଓ ଗୀତା ପାଠ ବି

 

ପ୍ରୌଢ଼ ଭଦ୍ରଲୋକ ଜଣକ ଭଲ ଭାବରେ ହରିହରର କଥା ନ ଶୁଣି, ତାଙ୍କର ସମୟ ଅତି ମୂଲ୍ୟବାନ, ବାଜେକଥା ଶୁଣିବାର ସମୟ ନାହିଁ ସଂକ୍ଷେପରେ ଜଣାଇବା ଭାବରେ କହିଲେ ନା, ଏଠାରେ ଏସବୁ କିଛିର ସୁବିଧା ଏବେ ନାହିଁ, ଅନ୍ୟସ୍ଥାନକୁ ଯାଅ ।

 

ହରିହର କାକୁତି ସ୍ୱରରେ କହିଲା ଆଜ୍ଞା, ନୂଆ ସହରକୁ ଆସିଛି ହାତରେ ପଇସାଟିଏ ବି ନାହିଁ ବଡ଼ ବିପଦରେ ପଡ଼ିଛି । ଆଜିକୁ କେତେଦିନ ହେଲା, କେବଳ

 

ପ୍ରୌଢ଼ ବ୍ୟକ୍ତି ଜଣକ ଶୀଘ୍ର ବିଦାୟ କରିବା ଭଙ୍ଗୀରେ ଆଉଜି ଥିବା ତକିଆ ତଳୁ କ’ଣ ଗୋଟାଏ ଟେକି ହରିହର ଆଡ଼କୁ ହାତ ବଢ଼େଇ କହିଲେ ଏଇ ନିଅନ୍ତୁ, ଯାଆନ୍ତୁ, ଅନ୍ୟକିଛି ବ୍ୟବସ୍ଥା ହୋଇପାରିବନି । ଦେବାର ମୁଦ୍ରାର ପରିମାଣ ଯାହା ହେଉ ନା କାହିଁକି, ତାହା ଯଦି ଚଢ଼ା ସ୍ୱରରେ ନ କହି ଦେଇଥାନ୍ତେ ତା’ହେଲେ ହରିହର ଆପତ୍ତି ନ କରି ନେଇଥାନ୍ତା, ସେମିତି ବହୁ ସ୍ଥାନରେ ସେ ଗ୍ରହଣ କରିଛି ମଧ୍ୟ । ସେ ବିନୀତ ଭାବରେ କହିଲା ନାହିଁ ଆଜ୍ଞା, ସେଇଟା ଆପଣ ରଖି ଦିଅନ୍ତୁ । ମୁଁ ଖାଲିଟାରେ କାହା ପାଖରୁ କିଛି ଗ୍ରହଣ କରେନି ମୁଁ ଶାସ୍ତ୍ର ପାଠ କରେ ତା’ଛଡ଼ା ମୁଁ କାହାରି ପାଖରୁ ଆଚ୍ଛା ଆଜ୍ଞା, ମୁଁ ଆସୁଛି

 

ବୋଧହୁଏ ଗୋଟିଏ ଶୁଭଯୋଗ ଆସିଥିଲା । ରକ୍ଷିତ ମହାଶୟଙ୍କ କାଠଗୋଲାରେ ଦିନେ ଗୋଟାଏ କାମର ସନ୍ଧାନ ମିଳିଲା । କୃଷ୍ଣନଗର ନିକଟରେ ଗୋଟିଏ ଗାଁ’ରେ ଜଣେ ଧନୀ ମହାଜନ ଗୃହଦେବତାର ପୂଜା ପାଠ ନିମନ୍ତେ ଜଣେ ବ୍ରାହ୍ମଣ ଖୋଜୁଥିଲେ, ଯିଏ ସବୁଦିନ ପାଇଁ ରହିବେ । ରକ୍ଷିତ ମହାଶୟଙ୍କ ଯୋଗାଯୋଗରେ ହରିହର ସେଠାରେ ଶୀଘ୍ର ଯାଇ ପହଞ୍ଚିଲେ । ଘରର କର୍ତ୍ତା ମଧ୍ୟ ତାକୁ ପସନ୍ଦ କଲେ । ରହିବା ପାଇଁ ଘର ଦେଲେ । ଆଦର ଆପ୍ୟାୟନର କୌଣସି ତ୍ରୁଟି ରହିଲାନି ।

 

କିଛିଦିନ କାମ କରିବା ପରେ ଦୁର୍ଗାପୂଜାର ସମୟ ଆସିଗଲା । ଘରକୁ ଫେରିବା ସମୟରେ ଗୃହକର୍ତ୍ତା ଦଶଟଙ୍କା ପ୍ରଣାମୀ ଓ ଯିବା ଆସିବାର ଭଡ଼ା ଦେଲେ । ଗୋୟାଡ଼ୀର ରକ୍ଷିତ ମହାଶୟଙ୍କ ପାଖକୁ ବିଦାୟ ନେବାକୁ ଆସିଲାରୁ ସେ ବି ପାଞ୍ଚଟଙ୍କା ପ୍ରଣାମୀ ଦେଲେ ।

 

ଆକାଶ ଓ ପବନରେ କେବଳ ଉଷ୍ମ ଖରାର ଗନ୍ଧ । ନୀଳ, ନିର୍ମେଘ ଆକାଶକୁ ଚାହିଁଲେ ମନରେ ହଠାତ୍‌ ଉଲ୍ଲାସ ଆସେ । ବର୍ଷା ଋତୁର ଶେଷରେ ସରସ, ସବୁଜ ଲତାପତ୍ରରେ ପଥିକର ପଦପାତରେ କେମିତି ଗୋଟିଏ ଆନନ୍ଦମିଶା ଠାଣି । ରେଳ ରାସ୍ତାର ଦୁଇକଡ଼ରେ କାଶତଣ୍ଡି ଫୁଲର ବୁଦା, ଗାଡ଼ିର ବେଗରେ ତଳେ ଶୋଇ ପଡ଼ିଛି । ଯାଉଁ ଯାଉଁ କେବଳ ଘର କଥା ହିଁ ମନେପଡ଼ୁଥିଲା ହରିହରର ।

 

ଦଳେ ଶାନ୍ତିପୁରର ବ୍ୟବସାୟୀ ପୂଜା ଆଗରୁ ଲୁଗାପଟାର ବସ୍ତା କିଣିବା ପାଇଁ କଲିକତା ଯାଇଥିଲେ । ଚୂର୍ଣ୍ଣୀଘାଟର ଫେରି ଡଙ୍ଗାରେ ଉଠି କଳରବ କରୁଥିଲେ ସବୁଠି ଯେମିତି ଗୋଟାଏ ଉତ୍ସବର ଉଲ୍ଲାସ । ରାଣାଘାଟର ବଜାରରେ ହରିହର ସ୍ତ୍ରୀ ଓ ପୁଅଝିଅଙ୍କ ପାଇଁ ଲୁଗାପଟା କିଣିଲା । ଦୁର୍ଗା ନାଲି ଧଡ଼ିର ଲୁଗାପିନ୍ଧିବା ପାଇଁ ଭଲପାଏ । ତା’ ପାଇଁ ବାଛି ବାଛି ଭଲ ଲୁଗାଟିଏ କିଣିଲା । ଆଉ ଭଲ ଅଳତା’ର ବୋତଲ, ଅପୁର ପଦ୍ମପୁରାଣ ବହୁତ ଖୋଜି ବି ମିଳିଳା ନାହିଁ । ଶେଷରେ ଖଣ୍ଡିଏ ସଚିତ୍ର-ଚଣ୍ଡୀ ମହାତ୍ମ୍ୟ ବା କାଳକେତୁର ଉପାଖ୍ୟାନ ଛ’ଅଣାରେ କିଣିଲା । ଘର କରଣା ଗୋଟାଏ ଦୁଇଟା ଜିନିଷ ସର୍ବଜୟାର ବରାଦ ଥିଲା ଗୋଟିଏ କାଠର ବେଲଣାପେଡ଼ି ଇତ୍ୟାଦି କିଣିଲା ।

 

ନିଜ ଅଞ୍ଚଳର ଷ୍ଟେସନରେ ଓହ୍ଲେଇ ପାଦରେ ଚାଲିଚାଲି ବିକାଳବେଳକୁ ସେ ଗାଁ’ରେ ପହଞ୍ଚିଲା । ରାସ୍ତାରେ କାହା ସହିତ ବିଶେଷ ଦେଖାସାକ୍ଷାତ୍‌ ହେଲା ନାହିଁ । କାହାରି ସହିତ ଦେଖା ହେଲେ ବି ସେ ତରବରରେ ଉଦ୍‌ବିଗ୍ନ ଚିତ୍ତରେ କାହାଆଡ଼େ ବିଶେଷ ଧ୍ୟାନ ନ ଦେଇ ଘରମୁହାଁ ଚାଲିବାକୁ ଲାଗିଲା । ଦୁଆର ମୁହଁରେ ପଶୁ ପଶୁ ନିଜ ମନକୁ ମନ କହିବାକୁ ଲାଗିଲା ଓହୋ, ଦେଖତ କାଣ୍ଡକାରଖାନା, ବାଉଁଶ ଝାଡ଼ଟି ପାଚେରୀ ଉପରେ ଆସି ପଡ଼ିଛି । ଭୁବନ କକା କାଟିବେ ନାହିଁ ବଡ଼ ମୁସ୍କିଲ୍‌ କଥା ତା’ପରେ ସେ ଘରର ବାରଣ୍ଡାରେ ପଶି ଅଭ୍ୟାସଗତ ଆଗ୍ରହର ସ୍ୱରରେ ଡାକିଲା ଆଲୋ ମା’ ଦୁର୍ଗା ଆରେ ଅପୁ

 

ତା’ର କଣ୍ଠସ୍ୱର ଶୁଣି ସର୍ବଜୟା ଘରଭିତରୁ ବାହାରି ଆସିଲା । ହରିହର ହସି ହସି ପଚାରିଲା ଘରେ ସବୁ ଭଲ ତ ? ଏମାନେ ସବୁ କୁଆଡ଼େ ଗଲେ ? ଘରେ ନାହାନ୍ତି ବୋଧେ ?

 

ସର୍ବଜୟା ଶାନ୍ତ ଭାବରେ ଆସି ସ୍ୱାମୀ ହାତରୁ ଭାରି ପୁଟୁଳିଟା ଓହ୍ଲେଇ ଦେଇ କହିଲା ଆସ ଘର ଭିତରକୁ ଆସ ।

 

ସ୍ତ୍ରୀର ଏଭଳି ଶାନ୍ତଭାବ ଆଗରୁ କେବେ ଦେଖିନଥିଲେ ବି, ତା’ ମନରେ କୌଣସି ଝଟ୍‌କା ଲାଗି ନ ଥିଲା । ତା’ର କଳ୍ପନାର ସ୍ରୋତ ସେତେବେଳକୁ ଉଦ୍ଦାମ ବେଗରେ ଅନ୍ୟଆଡ଼କୁ ଧାଉଁଥିଲା ଏବେ ପୁଅଝିଅ ଦୁହେଁ ଆସିଯିବେ

 

ଦୁର୍ଗା ଆସି ହସି ହସି କହିବ ବାପା, କେତେବେଳୁ ପହଞ୍ଚିଲଣି ? ତା’ପରେ ସେ ପୁଟୁଳି ଖୋଲି ଝିଅର ଲୁଗା, ଅଳତା ପାତ୍ର ଏବଂ ପୁଅର ସଚିତ୍ର ଚଣ୍ଡୀ ମହାତ୍ମ୍ୟ ବା କାଳକେତୁର ଉପାଖ୍ୟାନ ଓ ଟିଣର ରେଳଗାଡ଼ି ଦେଖେଇ ଆଶ୍ଚର୍ଯ୍ୟ କରିଦେବ । ସେ ଘରେ, ପଶୁ ପଶୁ କହିଲା ଭଲ ପଣସ କାଠର ବେଲଣା-ପେଡ଼ିଟିଏ ଏଥର ଆଣିଚି । ତା’ପରେ ନିରାଶା ମିଶ୍ରିତ ସତୃଷ୍ଣ ନୟନରେ ଚାରିପଟକୁ ଅନେଇ କହିଲା କାହିଁ, କେହି ତ ଦେଖାଯାଉ ନାହାନ୍ତି, ଅପୁ, ଦୁର୍ଗା ସବୁ ବୁଲିବାକୁ ବାହାରି ଯାଇଛନ୍ତି ବୋଧେ

 

ସର୍ବଜୟା ଆଉ ନିଜକୁ ସମ୍ଭାଳି ପାରିଲାନି । ଅତି ଉଚ୍ଚ ସ୍ୱରରେ ଆବେଗାନ୍ୱିତ ଭାବରେ କାନ୍ଦି ଉଠିଲା ଆଉ କ’ଣ ଦୁର୍ଗା ମୋର ଅଛି ଗୋ ମା’ଟି ମୋର ଆମ ସମସ୍ତଙ୍କୁ ଫାଙ୍କି ଦେଇ ଚାଲିଗଲା ଗୋ ଏତେଦିନ ତୁମେ କୁଆଡ଼େ ରହିଗଲ ।

 

ଗାଙ୍ଗୁଲି ମହାଶୟଙ୍କ ଘରେ ଦୁର୍ଗାପୂଜା ବହୁଦିନରୁ ହୋଇଆସୁଛି । ଏହି କେତେଦିନ ଗାଁ’ର ଅତିଶୟ ଦରିଦ୍ର ବି ଭୋକରେ ରହେନା । ସବୁ ସମୟ ଅନୁସାରେ ବୁନିଆଦୀ ବନ୍ଦୋବସ୍ତ ହୋଇଯାଏ । ନିର୍ଦ୍ଦିଷ୍ଟ ସମୟରେ କୁମ୍ଭାର ଆସି ପ୍ରତିମା ଗଢ଼େ, କଳାକାରମାନେ ମଧ୍ୟ ପଟଚିତ୍ର ସଜାନ୍ତି, ମାଳି ଫୁଲ ଯୋଗେଇ ଦିଏ, ମଧୁଖାଲି ହ୍ରଦରୁ ବାଉରୀ ଗଦାଗଦା ପଦ୍ମଫୁଲ ତୋଳିଦିଏ ।

 

‘ଆଁସମାଳି’ର ଦିନୁ ସାହାନାଇଆ ଅନ୍ୟାନ୍ୟ ବର୍ଷମାନଙ୍କ ପରି ରାଗ ରାଗିଣୀରେ ସାହାନାଇ ବଜେଇବା ପାଇଁ ଆସିଲା । ପ୍ରଭାତର ଆକାଶରେ ଦେବୀ ଆଗମନୀର ଆନନ୍ଦ ସୁର ବାଜି ଉଠିଲା । ଆସନ୍ନ ହେମନ୍ତ ଋତୁର ସ୍ନେହ ଅଭ୍ୟର୍ଥନା ନୂଆଧାନ କେଣ୍ଡାଧରି, କଅଁଳିଆ ଶେଫାଳୀ ପାଖୁଡ଼ା, ହିମାଳୟ ଆରପାରିରୁ ଉଡ଼ି ଆସିଥିବା ପାନ୍ଥପକ୍ଷୀ ଶ୍ୟାମାରେ, ଶିଶିର ସ୍ନିଗ୍‌ଧ ମୃଣାଳ ବିନ୍ଦୁର, ହେମନ୍ତ ସନ୍ଧ୍ୟାର ସମାରୋହରେ ଏକାକାର ହୋଇଗଲା ।

 

ନୂଆ ଲୁଗା ପିନ୍ଧେଇ ହରିହର ପୁଅକୁ ସାଙ୍ଗରେ ଧରି ନିମନ୍ତ୍ରଣ ଖାଇବାକୁ ଯାଇଥିଲା । ଗୋଟାଏ ଅବିନ୍ୟସ୍ତ କେଶ ଭର୍ତ୍ତି ଛୋଟ ମୁହଁଟିର ସନିର୍ବିନ୍ଧ ଗୋପନ ଅନୁରୋଧ ଦୁଆର ପାଖରେ ଯେମିତି ପବନରେ ମିଶି ଅଦୃଶ୍ୟ ଭାବରେ ଥମ୍‌ ଥମ୍‍ ଛିଡ଼ା ହୋଇଥାଏ । ହରିହର ରାସ୍ତାରେ ପାଦ ପକେଇ କେମିତି ଅନ୍ୟମନସ୍କ ହୋଇପଡ଼ିଲା ପୁଅକୁ କହିଲା, ଆଗେଇ ଚାଲ ବାପା, ବହୁତ ବେଳ ହୋଇଗଲାଣି-

 

ଗାଙ୍ଗୁଲି ମହାଶୟଙ୍କ ଘର ଅଗଣାରେ ଉତ୍ସବ ବେଶରେ ସଜ୍ଜିତ ହସ ହସ ମୁଖମଣ୍ଡଳର ପୁଅଝିଅମାନେ ଭର୍ତ୍ତି ହୋଇ ରହିଛନ୍ତି । ଅପୁ ନିଠେଇ ସମସ୍ତଙ୍କୁ ଦେଖିଲା । ସତୁ ଓ ତା’ର ଭାଇ କମଳା ରଙ୍ଗର ଜାମା ପିନ୍ଧିଛନ୍ତି । ସବୁଜ ଶାଢ଼ୀପିନ୍ଧି ବେଶ ପରିପାଟୀରେ ରାନୁ ନାନୀକୁ କି ସୁନ୍ଦର ମାନୁଛି । ଗାଙ୍ଗୁଲି ଘରର ଝଅ ସୁନୟନୀ ବେଣୀରେ ରଜନୀ ଗନ୍ଧାର ଗଜରା ନାଇଁ ଆଉ ପାଞ୍ଚ ଛଅଜଣ ସମବୟସୀ ଝିଅ ସହିତ ପୂଜା ମଣ୍ଡପ ନିକଟରେ ଛିଡ଼ା ହୋଇ ହସଖୁସି ଓ ଗପରେ ମାତି ଯାଇଛନ୍ତି । ସୁନୟନା ଛଡ଼ା ଅନ୍ୟ ଝିଅମାନଙ୍କୁ ଅପୁ ଚିହ୍ନେନା । ବୋଧହୁଏ ପୂଜା ପାଇଁ ତାଙ୍କ ଘରକୁ ସେମାନେ ଅନ୍ୟ କେଉଁଠୁ ଆସିଥିବେ ଜଣାପଡ଼ୁଛି ସହରୀ ଝିଅ ପରି, ଯେମିତି ବେଶ ପୋଷାକ, ପରିପାଟୀ ସେମିତି ସୁନ୍ଦର ଚେହେରା । ଅପୁ ଅପଲକ ଦୃଷ୍ଟିରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା । ସେପଟେ କିଏ ଜଣେ ଚିତ୍କାର କରି କହୁଥିଲା ବଡ଼ ସାମିଆନା ଖଣ୍ଡିକ ଏଯାଏ ଆଣିବାର ବ୍ୟବସ୍ଥା ହେଲାନି ? ବାଃ ତୁମମାନଙ୍କ ଯେଉଁ ରଙ୍ଗଢଙ୍ଗ, ଦେଖିବ ୟା ପରର ମଜାଟା । ତା’ପରେ ବ୍ରାହ୍ମଣମାନେ କ’ଣ ବେଳ ପାଞ୍ଚଟାରେ ଖାଇ ବସିବେ ?

 

Unknown

(୨୭)

 

ଚାହୁଁ ଚାହୁଁ ଦିନ ବିତିଗଲା । ଶୀତଋତୁ ଶେଷ ହେବାକୁ ବସିଲାଣି । ଦୁର୍ଗାର ମୃତ୍ୟୁ ପରଠୁ ସର୍ବଜୟା ଅନବରତ ସ୍ୱାମୀକୁ ଏ ଗାଁ’ରୁ ଉଠି ଚାଲିଯିବାକୁ ତାଗିଦ୍‌ କରି ଆସୁଥିଲା । ହରିହର ମଧ୍ୟ ବହୁ ସ୍ଥାନରେ ଚେଷ୍ଟାର ତ୍ରୁଟି କରିନଥିଲା । କିନ୍ତୁ କେଉଁଠି ହେଲେ କିଛି ସୁବିଧା ହୋଇପାରିନି । ଆଜିକାଲି ସେ ଆଶା ସର୍ବଜୟା ଏକ ପ୍ରକାର ମନରୁ ଛାଡ଼ି ସାରିଲାଣି । ମଝିରେ ଶୀତଦିନରେ ହରିହରଙ୍କ ଜ୍ଞାତି ଭାଇ ନୀଳମଣି ରାୟଙ୍କ ବିଧବା ପତ୍ନୀ ଏଠାକୁ ଆସିଥିଲେ । ସେମାନଙ୍କ ନିଜର ଭିଟାମାଟି ଜଙ୍ଗଲରେ ଆବୃତ ହୋଇଥିବାରୁ ଭୁବନ ମୁଖାର୍ଜୀଙ୍କ ଘରେ ରହିଥିଲେ । ହରିହର ଭାଉଜଙ୍କୁ ନିଜ ଘରେ ଆଣି ରଖିବାକୁ ବିଶେଷ ଆଗ୍ରହ ପ୍ରଦର୍ଶନ କରିଥିଲେ କିନ୍ତୁ ନୀଳମଣି ରାୟଙ୍କ ସ୍ତ୍ରୀ ରାଜି ହୋଇନଥିଲେ । ତାଙ୍କ ସହିତ ତାଙ୍କର ଝିଅ ଅତସୀ ଓ ସାନ ପୁଅ ମୁନୀର ଆସିଥିଲେ । ବଡ଼ ପୁଅ ସୁରେଶ କଲିକତାରେ ସ୍କୁଲରେ ପାଠପଢ଼େ, ଖରାଦିନ ଛୁଟି ପୂର୍ବରୁ ଏଠାକୁ ଆସିପାରିବନି । ଅତସୀକୁ ଚଉଦ ବର୍ଷ ଓ ସୁନୀଲର ବୟସ ଆଠ ବରଷ । ସୁନୀଲ ଦେଖିବାକୁ ସେତେ ଭଲ ନୁହେଁ । କିନ୍ତୁ ଅତସୀ ବେଶ୍‌ ସୁଶ୍ରୀ ହେଲେ ଖୁବ୍‌ ସୁନ୍ଦରୀ ବୋଲି କହି ହେବନି । ସେ ଯାହାହେଉ ନା କାହିଁକି, ସେମାନେ ପ୍ରାୟ ଲାହୋରରେ ରହିଛନ୍ତି । ନୀଳମଣି ରାୟ ସେଠାରେ କମିସାରିୟେଟରେ ଚାକିରୀ କରୁଥିଲେ । ସେଠାରେ ଏମାନଙ୍କ ଜନ୍ମ, ସେଇଠି ହିଁ ଲାଳନ ପାଳନ । ତେଣୁ ଏମାନଙ୍କର ପ୍ରତିଟି ଅଙ୍ଗରେ ପଶ୍ଚିମ ପ୍ରଦେଶ ସୁଲଭ ନିଟୋଳ ସ୍ୱାସ୍ଥ୍ୟର ପରିପ୍ରକାଶ ।

 

ସେମାନେ ଏଠାକୁ ଆସିବା ପରେ ସର୍ବଜୟା ବଡ଼ଲୋକ ଯାଆ ସହିତ ମିଶିବାର ଚେଷ୍ଟା କରିଥିଲା । ସୁନୀଲର ମା’ ନଗଦ ଓ କମ୍ପାନୀ କାଗଜରେ ଦଶ ହଜାର ଟଙ୍କାର ମାଲିକାଣୀ ଜାଣିବା ପରେ ଯାଆ ପ୍ରତି ସର୍ବଜୟାର ହୃଦୟରେ ସମ୍ଭ୍ରମ ପୁରି ଉଠିଥିଲା । ତେଣୁ ସେ ଉପରେ ପଡ଼ି ଆଳାପ ଜମେଇବାର କମ ପ୍ରୟାସ କରିନଥିଲା । କିନ୍ତୁ ସର୍ବଜୟା ନିର୍ବୋଧ ହେଲେବି ଶେଷ ପର୍ଯ୍ୟନ୍ତ ବୁଝିପାରିଥିଲା ଯେ ସୁନୀଲର ମା’ ତାକୁ ସେତିକି ପ୍ରଶ୍ରୟ ଦେବାକୁ ପ୍ରସ୍ତୁତ ନ ଥିଲେ । ତାଙ୍କର ସ୍ୱାମୀ ଚିରକାଳ ବଡ଼ଚାକିରୀ କରି ଆସିଛନ୍ତି, ସେ ଏବଂ ତାଙ୍କ ପିଲାମାନେ ଭିନ୍ନ ଅବସ୍ଥାର ଜୀବନଯାପନରେ ଅଭ୍ୟସ୍ତ । ଆରମ୍ଭରୁ ସେ ଦରିଦ୍ର ଜାତି ପରିବାର ହରିହର ସହିତ ଏମିତି ଗୋଟାଏ ବ୍ୟବଧାନ ରଖି ଚାଲିଲେ ଯେ ସର୍ବଜୟା ନିଜକୁ ନିଜେହିଁ ଦୂରେଇ ରଖିବାକୁ ବାଧ୍ୟ ହେଲା । କଥାରେ, ବ୍ୟବହାରରେ, କାମରେ, ଛୋଟବଡ଼ ସବୁ ଘଟଣାରେ ସେ ସୂଚେଇବାକୁ ଲାଗିଲେ ଯେ, ସର୍ବଜୟା କୌଣସି ପ୍ରକାରେ ତାଙ୍କ ପାସଙ୍ଗରେ ମିଶିବା ପାଇଁ ଯୋଗ୍ୟ ନୁହେଁ । ସେମାନଙ୍କ କଥାବାର୍ତ୍ତାରୁ, ବେଶ ପୋଷାକରୁ, ଚାଲିଚଳନରୁ ସବୁବେଳେ ଗୋଟିଏ ଅବସ୍ଥାପନ୍ନ ପରିବାରର ଛାପ ପ୍ରକାଶ ପାଉଥିଲା । ପୁଅଝିଅ ସବୁବେଳେ ଚିକ୍‌ଚାକ୍‌ ସାଜି ରହିଥାନ୍ତି । ଲୁଗାପଟା ସାମାନ୍ୟ ଟିକିଏ ବି ମଇଳା ହୁଏନି । ମୁଣ୍ଡର କେଶ ସବୁବେଳେ ଭଲ ଭାବରେ କୁଣ୍ଡାହୋଇ ରହିଥାଏ । ଅତସୀର ବେକରେ ହାର, ହାତରେ ସୁନାର ଚୁଡ଼ି, କାନରେ ସୁନାର ଫୁଲ । ସକାଳେ ଥରଟିଏ ଚା’ ଜଳଖିଆ ନ ଖାଇ କେହି ଘରୁ ବାହାରନ୍ତିନି । ସାଙ୍ଗରେ ପଶ୍ଚିମା ଚାକର ଥାଏ । ସେ ହିଁ ଘରର ସବୁ କାମ କରେ । ମୋଟ ଉପରେ ସବୁ ବିଷୟରେ ସର୍ବଜୟାର ଦରିଦ୍ର ସଂସାରର ଚାଲିଚଳନଠାରୁ ତାଙ୍କର ବହୁ ପାର୍ଥକ୍ୟ ।

 

ସୁନୀଲର ମା’ ନିଜ ପୁଅକୁ ଗାଁ’ର କୌଣସି ପିଲା ସହିତ ପ୍ରାୟ ମିଶିବା ପାଇଁ ଦିଅନ୍ତନି, ଅପୁ ସହିତ ବି ନୁହେଁ ମଫସଲ ଗାଁ’ର ଏହିସବୁ ଅଶିକ୍ଷିତ ଅସଭ୍ୟ ପିଲାମାନଙ୍କ ସହିତ ମିଶି କାଳେ ତାଙ୍କର ପୁଅଝିଅମାନେ ଖରାପ ହୋଇ ଯିବା ଭୟରେ । ଏ ଗାଁ’ରେ ବସବାସ କରିବା ପାଇଁ ସେ ଆସିନାହାନ୍ତି । ଜରିପ୍‌ ସମୟରେ ତାଙ୍କର ସମ୍ପତ୍ତି ବାଡ଼ିର ତତ୍ତ୍ୱାବଧାନ କରିବା ପାଇଁ ଆସିବା ହିଁ ତାଙ୍କର ଉଦ୍ଦେଶ୍ୟ । ଭୁବନ ମୁଖାର୍ଜୀ ତାଙ୍କ ଘରର କିଛି ଜମିଜମା ବୁଝାବୁଝି କରନ୍ତି, ସେଇ ଖାତିରରେ ପଶ୍ଚିମପଟ କୋଠାଘରୁ ଦୁଇଟି ଘର ତାଙ୍କ ପାଇଁ ଛାଡ଼ିଛନ୍ତି । ରୋଷେଇ ବାସ, ଖାଇବା ପିଇବା ତାଙ୍କର ଅଲଗା ହୁଏ । ଭୁବନ ମୁଖାର୍ଜୀ ଓ ସୁନୀଲର ମା’ଙ୍କ ବ୍ୟବହାରରେ ବିଶେଷ କିଛି ପାର୍ଥକ୍ୟ ନ ଥାଏ କାରଣ ଭୁବନ ମୁଖାର୍ଜୀର ଅର୍ଥ ଅଛି, କିନ୍ତୁ ସର୍ବଜୟାକୁ ସେ କେବେବି ମଣିଷ ଭଳି ଗ୍ରହଣ କରନ୍ତିନି ।

 

ଦୋଳ ସମୟକୁ ନୀଳମଣି ରାୟଙ୍କ ବଡ଼ ପୁଅ ସୁରେଶ କଲିକତାରୁ ଆସି ପ୍ରାୟ ଦଶଦିନ ଗାଁ’ରେ ରହିଥିଲେ । ସୁରେଶ ଅପୁର ସମବୟସୀ ହେବ । ଇଂରାଜୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼େ । ଚେହେରା ଖୁବ୍‌ ଗୋରା ନ ହେଲେ ବି ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣର । ପ୍ରତିଦିନ ବ୍ୟାୟାମ କରେ ବୋଲି ଦେହର ଗଠନ ବେଶ୍‌ ବଳିଷ୍ଠ ଓ ସ୍ୱାସ୍ଥ୍ୟବାନ । ଅପୁଠୁ ମାତ୍ର ବର୍ଷକର ବଡ଼ ହୋଇଥିଲେ ବି ଚେହେରା ଗଠନରେ ପନ୍ଦର ଷୋହଳ ବର୍ଷ ପରି ଲାଗେ । ସୁରେଶ ବି ଏ ସାହିର ପିଲାମାନଙ୍କ ସହିତ ପ୍ରାୟ ମିଶେନି । ଆର ସାହିର ରାମନାଥ ଗାଙ୍ଗୁଲୀଙ୍କ ପୁଅ ତା’ର ସହପାଠୀ । ଗାଙ୍ଗୁଲି ଘରେ ରାମନବମୀ ଓ ଦୋଳରେ ବେଶ୍‌ ଉତ୍ସବ ହୁଏ । ସେହି ଉପଲକ୍ଷ୍ୟରେ ସେ ବି ମାମୁଘରକୁ ବୁଲିଆସିଛି । ସୁରେଶ ଅଧିକାଂଶ ସମୟ ସେହିଠାରେ ହିଁ ବିତାଏ । ଗାଁ’ର ଅନ୍ୟକେହି ପିଲା ମିଶିବା ପାଇଁ ଯୋଗ୍ୟ ବୋଲି ବିବେଚନା କରେନି ।

 

ଯେଉଁ ପୋତା ଭିଟାଟା ଜଙ୍ଗଲାବୃତ ହୋଇ ଅପୁ ଘର ପାଖରେ ପଡ଼ିଥିବାର ସେ ଜ୍ଞାନ ହେବା ଦିନରୁ ଦେଖିଆସିଛି, ଏମାନେ ସବୁ ସେହି ଭିଟାର ଲୋକ । ସେଥିପାଇଁ ଏମାନଙ୍କ ପ୍ରତି ଅପୁର ଏକ ବିଚିତ୍ର ଆକର୍ଷଣ ଥାଏ । ତା’ର ସମବୟସୀ ସୁରେଶ କଳିକତାରେ ପାଠପଢ଼େ ଛୁଟିରେ ଆସିଲେ, ତା’ ସହିତ ଆଳାପ ପରିଚୟ କରିବାର ପ୍ରତୀକ୍ଷାରେ ସେ ଥିଲା । କିନ୍ତୁ, ସୁରେଶ ଆସି ତା’ ସହିତ କେମିତି ମିଶିଲା ନାହିଁ । ତା’ଛଡ଼ା, ସୁରେଶର ଚାଲିଚଳନ କଥାବାର୍ତ୍ତାର ଢଙ୍ଗ ଏମିତି ଯେ, ସେ ପ୍ରତିକ୍ଷେତ୍ରରେ ଦେଖେଇବାକୁ ଚାହୁଁଥିଲା ଗାଁ’ର ପିଲାମାନଙ୍କ ଠୁ ସେ ଖୁବ୍‌ ଉପରେ । ସମବୟସୀ ହେଲେ ବି ଲାଜକୁଳା ଅପୁ, ସେଇଥିପାଇଁ ଭୟରେ ପାଖ ମାଡ଼ୁନଥିଲା ।

 

ଅପୁ ଆଜିଯାଏ କୌଣସି ସ୍କୁଲକୁ ଯାଇ ନାହିଁ । ସୁରେଶ ତାକୁ ପାଠପଢ଼ା ବିଷୟରେ ପଚାରିବାରୁ ସେ ଘରେ ବାପାଙ୍କ ପାଖରେ ପଢ଼େ ବୋଲି କହିଥିଲା । ଦୋଳ ଦିନ, ଗାଙ୍ଗୁଲୀ ଘର ପୋଖରୀର ପକ୍କା ପାହାଚର ପାଣି ପାଖରେ ବସି ସୁରେଶ ଦିଗ୍‌ବିଜୟୀ ନ୍ୟାୟିକ ପଣ୍ଡିତଟିଏ ପରି ଗାଁ ପିଲାମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରୁଥିଲା । ଅପୁକୁ କହିଲା କହିଲୁ ଦେଖି ଇଣ୍ଡିଆର ବାଉଣ୍ଡରୀ କ’ଣ ? ଜିଓଗ୍ରାଫି ଜାଣୁ ?

 

ଅପୁ କିଛି ଉତ୍ତର ଦେଇ ପାରିନଥିଲା । ସୁରେଶ ପୁଣି ପଚାରିଲା ଅଙ୍କର କ’ଣ ସବୁ ଜାଣିଛୁ ? ଡେସିମିଲ୍‌, ଫ୍ରାକ୍‌ସନ କରି ଜାଣୁ ?

 

ଅପୁ ଏତେ କଥା ଜାଣେନା । ନ ଜାଣୁ, ତା’ର ସେ ଟିଣ ବାକ୍ସଟାରେ କ’ଣ କମ୍‍ ବହି ଅଛି ? ଖଣ୍ଡିଏ ନିତ୍ୟକର୍ମ ପଦ୍ଧତି, ଆଉ ଗୋଟିଏ ପୁରୁଣା ପ୍ରାକୃତିକ ଭୂଗୋଳ, ଖଣ୍ଡିଏ ଶୁଭଙ୍କରୀ, ପୃଷ୍ଠା ଛିଣ୍ଡା ବୀରାଙ୍ଗନା କାବ୍ୟଟି, ମା’ର ମହାଭାରତ ଏତେସବୁ । ସେ ଏହିସବୁ ବହି ପଢ଼ିଛି ଅନେକ ଥର ପଢ଼ିସାରିଥିଲେ ବି, ସେ ପୁନର୍ବାର ପଢ଼େ । ତା’ର ବାପା ପ୍ରାୟ ଏଠୁ ସେଠୁ ମାଗିଯାଚି ବିଭିନ୍ନ ପ୍ରକାରର ବହି ଆଣେ । ପୁଅ ତା’ର ବହୁତ ପାଠ ପଢ଼ିବ, ପଣ୍ଡିତ ହେବ । ତାକୁ ମଣିଷ ପରି ଗଢ଼ି ତୋଳିବାକୁ ହେବ । ଏଥିପାଇଁ ସେ ଜଣେ ବିକାରଗ୍ରସ୍ତ ରୋଗୀ ପରି ଗୋଟିଏ ଅପ୍ରଶମିତ ଅଦମ୍ୟ ପିପାସା ପୋଷଣ କରି ଆସିଅଛି । କିନ୍ତୁ ତା’ ପାଖରେ ଅର୍ଥ ନାହିଁ । କୌଣସି ସ୍କୁଲ ବୋର୍ଡ଼ିଙ୍ଗରେ ରଖିବା ଭଳି ସଙ୍ଗତି ତା’ର ନାହିଁ । ନିଜେ ବି ବିଶେଷ ଲେଖାପଢ଼ା କରିନି । ତଥାପି ଯେତେ ସମୟ ଘରେ ରହେ, ପୁଅକୁ ପାଖରେ ବସେଇ ବିଭିନ୍ନ ବିଷୟରେ ପଢ଼ାଏ । କେତେ ଗପ କହେ । ପୁଅକୁ ଅଙ୍କ ଶିଖାଇବା ପାଇଁ ନିଜେ ଖଣ୍ଡେ ଶୁଭଙ୍କରୀ ବହି ଧରି ପିଲାଦିନେ ଆୟତ୍ତ କରି ଭୁଲିଯାଇଥିବା ବିଦ୍ୟାକୁ ପୁଣିଥରେ ପଢ଼ି ପୁଅକୁ ଶିଖାଏ । ତାକୁ ଜଣାଯାଏ, ଏହିଥିରେ ହିଁ ପୁଅର ଜ୍ଞାନ ବଢ଼ିବ । ସେହି ଖଣ୍ଡିକ ପୁଅକୁ ଜାଣିବା ପାଇଁ ଦିଏ ନ ହେଲେ ନିଜେ ପଢ଼ି ଶୁଣାଏ । ସେ ବହୁଦିନରୁ ବଙ୍ଗବାସୀ ପତ୍ରିକାର ଗ୍ରାହକ । ବହୁଦିନର ପୁରୁଣା ବଙ୍ଗବାସୀ ତାଙ୍କ ଘରେ ଜମା ହୋଇ ରହିଛି । ପୁଅ ବଡ଼ ହେଲେ ପଢ଼ିବ ବୋଲି ସେଗୁଡ଼ିକ ଥାକମାରି ରଖିଥିଲା । ଏବେ ସେଗୁଡ଼ିକ କାମରେ ଆସୁଛି । ମୂଲ୍ୟ ଦେଇ ନ ପାରିବାରୁ ଏବେ ଆଉ ଘରକୁ କାଗଜ ଆସିବା ବନ୍ଦ ହୋଇଯାଇଛି । ପୁଅ ବି ଯେ ସେହି ବଙ୍ଗବାସୀ କାଗଜ ଖଣ୍ଡିକ ପାଇଁ ଯେ ଏତେ ପାଗଳ, ଶନିବାର ଦିନ ସକାଳେ ଖେଳ କଉତୁକ ଛାଡ଼ି ମୁଖାର୍ଜୀ ଘର ଚଣ୍ଡୀ ମଣ୍ଡପ ନିକଟକୁ ଧାଇଁଯାଏ । ଡାକ ବାକ୍ସ ପାଖରେ ପିଅନକୁ ହାଁ କରି ଅପେକ୍ଷା କରି ବସିଯାଏ । ହରିହର ସେ କଥା ଜାଣେ । ନିଜ ପିଲାକୁ ଆଦରର ଖଣ୍ଡିଏ କାଗଜ ଯୋଗେଇ ପାରୁନି ବୋଲି ତା’ ଛାତି ଭିତରଟା ବେଦନାରେ ଫାଟି ପଡ଼େ ।

 

ତଥାପି ବି ଅପୁ ପୁରୁଣା ବଙ୍ଗବାସୀ ପଢ଼ି ଅନେକ ଗପ ଶିଖିଛି । ସେ ପଟୁ କୁହେ ଲିଭକା ଓ ରାଫେଲ୍‌ର ମାର୍ଟିନିକ ଦ୍ୱୀପର ଅଗ୍ନ୍ୟୁତ୍ପାତ୍‌, ସୁନାକରୁଥିବା ଯାଦୁକରର ଗଳ୍ପ ଆହୁରି କେତେକଥା । କିନ୍ତୁ ସ୍କୁଲର ପାଠ ସେ କିଛି ପଢ଼ି ନାହିଁ । ସର୍ବମୋଟ ହରଣ ପର୍ଯ୍ୟନ୍ତ ଅଙ୍କ ସେ ଜାଣେ । ଇତିହାସ ଜାଣେନି, ବ୍ୟାକରଣ ଜାଣେନି, ଜ୍ୟାମିତି ପରିମିତିରର ନାମ ବି ସେ ଶୁଣିନି । ଇଂରାଜୀର କେବଳ ଫାଷ୍ଟ୍‌ବୁକ୍‌ର ଘୋଡ଼ାର ପୃଷ୍ଠା ପର୍ଯ୍ୟନ୍ତ ।

 

ଅପୁର ଭବିଷ୍ୟତ ଉପରେ ତା’ର ମା’ର କିନ୍ତୁ ଅନ୍ୟପ୍ରକାର ଧାରଣା । ସର୍ବଜୟାର ମଫସଲ ଗାଁ’ରେ ଜନ୍ମ । ପୁଅ ସ୍କୁଲରେ ପଢ଼ି ମଣିଷ ହେବ, ଏଭଳି ଉଚ୍ଚ ଆଶା ତାହାର ନାହିଁ । ତା’ର ଚିହ୍ନା ଜଣା ମହଲରେ କେହି କେବେ ସ୍କୁଲର ଦୁଆର ମୁହଁ ଦେଖିନାହାନ୍ତି । ତାଙ୍କର ଯେଉଁ ସବୁ ଯଜମାନ ଓ ଶିଷ୍ୟ ଘର ଅଛି ପୁଅ ତା’ର ଆଉ କିଛିଦିନ ପରେ ସେମାନଙ୍କ ଘରକୁ ଯିବ ଓ ସେଗୁଡ଼ିକୁ ବଜାୟ ରଖିପାରିବ ବୋଲି ତା’ର ବଡ଼ ଆଶା । ଆହୁରି ଗୋଟାଏ ଆଶା ବି ତା’ ମନରେ ଅଛି । ଗାଁ’ର ପୁରୋହିତ ଦୀନୁ ଭଟ୍ଟାଚାର୍ଯ୍ୟ ବି ବୁଢ଼ା ହେଲେଣି । ତାଙ୍କ ପୁଅମାନେ ବି କେହି ଉପଯୁକ୍ତ ନୁହନ୍ତି । ରାଣୀର ମା’, ଗୋକୁଳର ବୋହୂ, ଗାଙ୍ଗୁଲି ଘରର ବଡ଼ବୋହୂ ସମସ୍ତେ ସତ ପ୍ରକାଶ କରିଛନ୍ତି ଯେ ତାଙ୍କ ପରେ ଅପୁକୁ ନେଇ ସେମାନେ ନିଜ ନିଜ ଘରର କର୍ମକାର୍ଯ୍ୟ କରାଇବେ । ଦୀନୁ ଭଟ୍ଟାଚାର୍ଯ୍ୟଙ୍କ ପରେ ତାଙ୍କର ଗଞ୍ଜୋଡ଼ ପୁଅ ଭମ୍ବଲ ବଦଳରେ ନିଷ୍ପାପ, ସରଳ, ସୁଶ୍ରୀ ଏଇ ପିଲାଟି ଗାଁ’ର ମନସା ପୂଜାରେ, ଲକ୍ଷ୍ମୀ ପୂଜାରେ ସେମାନଙ୍କ ଆୟୋଜନର ସଙ୍ଗୀ ହୋଇ ରହିବ ବୋଲି ଗାଁ’ର ଝିଅମାନେ ବି ଚାହାନ୍ତି । ଅପୁକୁ ସମସ୍ତେ ଭଲ ପାଆନ୍ତି । ନଈଘାଟରେ, ରାସ୍ତାରେ ପଡ଼ୋଶୀ ସ୍ତ୍ରୀ ଲୋକଙ୍କ ମୁହଁରୁ ଏହି ଇଚ୍ଛା ସର୍ବଜୟା ବହୁଥର ଶୁଣିଛି ଏବଂ ଏହାହିଁ ବର୍ତ୍ତମାନ ପାଇଁ ତା’ର ଉଚ୍ଚ ଆଶା । ସେ ଗରିବ ଘରର ଝିଅ, ଗରିବ ଘରର ବୋହୂ, ଏହାଛଡ଼ା ଆଉ କିଛି ଉଜ୍ଜ୍ୱଳ ଭବିଷ୍ୟତର ଧାରଣା ତା’ର ନାହିଁ । ଯଦି ଏହା ସମ୍ଭବ ହୁଏ ତା’ହେଲେ ସେ ପାହାନ୍ତିର ସ୍ୱପ୍ନ ସାକାର ହେବ ବୋଲି ଭାବିବ ।

 

ଦିନେ ଏ କଥା ଭୁବନ ମୁଖାର୍ଜୀ ଘରେ ଆଲୋଚନା ହେଇଥିଲା । ଦ୍ୱିପହର ପରେ ସେଠାରେ ତାସ୍‌ର ଆଡ୍‌ଡାରେ ସାହିର ଅନେକ ସ୍ତ୍ରୀ ଲୋକ ଉପସ୍ଥିତ ଥିଲେ । ସର୍ବଜୟା ସମସ୍ତଙ୍କର ମନ ରଖିବା ପାଇଁ କହିଲା ଏଇଠି ବଡ଼ ଖୁଡ଼ୀ ଅଛନ୍ତି, ଜେଜେମା’ ଅଛନ୍ତି, ମଝିଆ ନାନୀ ଅଛନ୍ତି, ଏମାନଙ୍କର ଯଦି ଦୟା ହୁଏ ତା’ହେଲେ ଆମର ଅପୁକୁ ଆସନ୍ତା ଫଗୁଣ ମାସରେ ବ୍ରତୋପନୟନ କରେଇ ଗାଁ’ର ପୂଜା ପଦ୍ଧତି କାର୍ଯ୍ୟରେ ଲଗେଇ ହେବ । ତା’ହେଲେ ତାଙ୍କର ଆଉ ମୋର କିଛି ଚିନ୍ତା ରହିବନି । ଆଠ ଦଶ ଘର ଯଜମାନ ଶିଷ୍ୟଘର ଅଛି, ଆଉ ଯଦି ମା’ ସିଦ୍ଧେଶ୍ୱରୀଙ୍କ ଆଶୀର୍ବାଦରୁ ଗାଙ୍ଗୁଲି ଘରର ପୂଜାଟା ଖଞ୍ଜା ହୋଇଯାଏ, ତା’ହେଲେ

 

ସୁନୀଲର ମା’ ମୁହଁ ଚାପି ହସିଲେ । ତାଙ୍କ ପୁଅ ସୁରେଶ କିନ୍ତୁ ବଡ଼ ହେଲେ ଆଇନ ପାଠ ପଢ଼ି ତାଙ୍କର ବଡ଼ବାପା ପୁଅ ଭାଇ ପାଟନାରେ ବଡ଼ ଓକିଲ ତାହାରି ପାଖରେ ଓକିଲାତି ଆରମ୍ଭ କରିବ । ସୁରେଶର ସେ ମାମୁଁ ନିଃସନ୍ତାନ ଅଥଚ ଖୁବ୍‌ ପଇସା ବାଲା ଓକିଲ । ଏବେଠୁ ସେମାନଙ୍କର ଇଚ୍ଛା, ସୁରେଶକୁ ପାଖରେ ରଖି ପାଠ ପଢ଼େଇବେ କିନ୍ତୁ, ସୁନୀଲର ମା’ ପର ଘରେ ନିଜ ପିଲାକୁ ବା କାହିଁକି ରଖିବାକୁ ଯିବେ ଇତ୍ୟାଦି ସମ୍ବାଦଗୁଡ଼ିକ ନିର୍ବୋଧ ସର୍ବଜୟା ଭଳି ହାଉ ହାଉ କରି ନ କହି ସମସ୍ତଙ୍କୁ କଥାବାର୍ତ୍ତା ମାଧ୍ୟମରେ ଏହି ପ୍ରସଙ୍ଗ ପୂର୍ବରୁ ବୁଝେଇ ଦେଇଥିଲେ ।

 

ଭୁବନ ମୁଖାର୍ଜୀ ଘରୁ ବାହାରି ଆସି ସର୍ବଜୟା ତା’ ପୁଅକୁ କହିଲା ଗୋଟିଏ କଥା ଶୁଣ ପାଖକୁ ଡାକି ଚୁପ୍‌ ଚୁପ୍‌ କହିଲା ତୋ ବଡ଼ମା’ ପାଖକୁ ଯାଇ କହିବୁ ବଡ଼ମା’ ମୋର ଜୋତା ନାହିଁ ମୋତେ ହଳେ ଜୋତା କିଣି ଦିଅନା ?

 

ଅପୁ କହିଲା କାହିଁକି ମା’ ?

 

କହନା, ସେମାନେ ବଡ଼ଲୋକ, ଚାହିଁଲେ ହୁଏତ ହଳଟିଏ ଭଲ ଜୋତା ଆଣିଦେବେ ଦେଖିବୁ, ସୁରେଶ କେମିତି ଜୋତା ପିନ୍ଧିଛି ? ତୋ’ ପାଦକୁ ସେମିତି ନାଲି ଜୋତା ହଳେ ବେଶ୍‌ ମାନିବ

 

ଅପୁ ଲାଜୁଆ ସ୍ୱରରେ କହିଲା ମୋତେ ଭୀଷଣ ଲଜ୍ଜା ଲାଗିବ, ମୁଁ କହିପାରିବିନି କ’ଣ ସେମାନେ ଭାବିବେ ମୁଁ...

 

ସର୍ବଜୟ କହିଲା ଏଥିରେ ଲଜ୍ଜା କରିବାର ଅଛି କ’ଣ ?... ନିଜର ଲୋକ... କହନା... ସେଥିରେ ଯାଏ ଆସେ କେତେ ?

 

ଉଁ, ହୁଁ, ମୁଁ କହି ପାରିବିନି । ବଡ଼ମା’ ଆଗରେ ମୁଁ କଥା କହିପାରିବିନି...

 

ସର୍ବଜୟା ରାଗିଯାଇ କହିଲା ସେ କଥା କାହିଁକି ପାରିବୁ ? ତୋ’ର ତ ସବୁ ବୁଦ୍ଧି ଘର ଭିତରେ ଖାଲି ପାଦରେ ଘୁରି ବୁଲୁଛୁ, ଆଜକୁ ଦୁଇବର୍ଷ ହେଲା ପାଦରେ ଜୋତା ନାହିଁ ସେଇଟା ଠିକ୍‌ ଲାଗୁଛି ତୋତେ ? ସେମାନେ ବଡ଼ ଲୋକ ଚାହିଁଲେ ହୁଏତ କିଣି ଦିଅନ୍ତେ କିନ୍ତୁ ତୋ’ ମୁହଁରୁ ତ କଥା ବାହାରିବନି ମୁଦାମୁହା ରଜାଟିଏ

 

ପୂର୍ଣ୍ଣିମାଦିନ ସତ୍ୟନାରାୟଣ ପୂଜାର ପ୍ରସାଦ ଆଣିବା ପାଇଁ ଅପୁ ରାନୁ ଘରକୁ ଯାଇଥିଲା । ରାନୁ ତାକୁ ଡାକି ହସି ହସି କହିଲା ଆମ ଘରକୁ ତ ଆଗରୁ ଅନେକ ଥର ଆସୁଥିଲୁ, ଆଜିକାଲି, କାହିଁକି ଆସୁନୁରେ ?

 

କାହିଁକି ଆସିବିନି ରାନୁ ନାନୀ ଆସେ ତ ?

 

ରାନୁ ଅଭିମାନ ସ୍ୱରରେ କହିଳା ହଁ ଆସୁଛୁ ନା ଆଉ କିଛି ! ଚୁଲି ପାଉଁଶ ଆସୁଛୁ ! ମୁଁ ତୋ’ କଥା କେତେ ଭାବେ । ତୁ ମୋ କଥା, ଆମ ଘର କଥା ଭାବୁ ?

 

ଭାବେନି ମାନେ ! ବାଃରେ ମା’କୁ ପଚାରିଲ ଦେଖି ?

 

ଏହାଛଡ଼ା ତା’ ପାଖରେ ଅନ୍ୟ କିଛି ସନ୍ତୋଷଜନକ ଉତ୍ତର ନ ଥିଲା । ରାନୁ ତାକୁ ସେଠାରେ ଛିଡ଼ା କରେଇ ନିଜେ ଯାଇ ତା’ ପାଇଁ ଫଳ ପ୍ରସାଦ ଓ ସନ୍ଦେଶ ଆଣି ହାତରେ ଦେଲା । ଥାଳି ସହିତ ଧରେଇ ଦେଇ କହିଲା, ତୁ ଏଇଟା ନେଇଯା, ମୁଁ କାଲିଯାଇ ଖୁଡ଼ୀ ପାଖରୁ ନେଇଆସିବି

 

ରାନୁର ମୁହଁର ହସ ଟିକକ ଅପୁ ମନରେ ପରମ ନିର୍ଭରତା’ର ଭାବ ଆଙ୍କି ଦେଲା । ରାନୁ ନାନୀ ଆଜିକାଲି ବହୁତ ସୁନ୍ଦର ଦେଖାଯାଉଛନ୍ତି । ରାନୁ ନାନୀ ପରି ସୁନ୍ଦରୀ ଝିଅ ସେ ଆଜି ପର୍ଯ୍ୟନ୍ତ ଗୋଟାଏ ବି ଦେଖିନାହିଁ । ଅତସୀ ନାନୀ ସବୁବେଳେ ବେଶ୍‌ ଫିଟ୍‌ଫାଟ୍‌ ରୁହନ୍ତି କିନ୍ତୁ ରାନୁ ନାନୀର ପାସଙ୍ଗରେ ପଡ଼ିବନି । ତା’ଛଡ଼ା ଅପୁ ଏ କଥା ବି ଜାଣେ ଯେ ରାନୁନାନୀର ମନ ଭଳି ଏ ଗାଁ’ରେ କେହି ଝିଅର ମନ ନାହିଁ । ତା’ ନାନୀକୁ ଛାଡ଼ିଦେଲେ, କାହାକୁ ଯଦି ସେ ବେଶୀ ଭଲପାଏ, ସେ ହେଲା ରାନୁ ନାନୀ । ରାନୁ ନାନୀର ତା’ ପ୍ରତି ଯେ ଯଥେଷ୍ଟ ଆକର୍ଷଣ ସେ କଥା ସେ ବି ଜାଣେ ।

 

ସେ ଥାଳି ଧରି ଯିବା ସମୟରେ ଟିକିଏ ଇତସ୍ତତଃ ହୋଇ କହିଲା ରାନୁ ନାନୀ, ତୁମର ଏହି ପଶ୍ଚିମପଟ ଘରର ଆଲ୍‌ମାରୀରେ ଯେଉଁ ସବୁ ବହିଅଛି, ସତୁଭାଇ ମୋତେ ପଢ଼ିବା ପାଇଁ ଦିଏନି । ମୋତେ ଖଣ୍ଡେ ପଢ଼ିବାକୁ ଦେବ ? ପଢ଼ିସାରି ଦେଇଦେବି ।

 

ରାନୁ କହିଲା କେଉଁ ବହି ଖଣ୍ଡିକ, ମୁଁ ତ ଜାଣେନି, ରହ ମୁଁ ଦେଖୁଛି ସତୁ ପ୍ରଥମେ କୌଣସି ପ୍ରକାରେ ରାଜି ହେଉନଥିଲା, ଶେଷରେ କହିଲା ଆଚ୍ଛା, ଠିକ୍‌ ଅଛି, ଯଦି ଗୋଟିଏ କାମ କରିବୁ ତା’ହେଲେ ତୋତେ ପଢ଼ିବା ପାଇଁ ଦେବି । ଆମ ଘର ବିଲ ପାଖ ପୋଖରୀରୁ ସବୁଦିନ ମାଛ ଚୋରି ହେଉଛି । ବଡ଼ବାପା, ମୋତେ ସବୁଦିନ ଦୁଇପହରରେ ଜଗିବା ପାଇଁ ସେଠାକୁ ଯିବାକୁ କହୁଛନ୍ତି । ମୋତେ ସେଠାରେ ଏକୁଟିଆ ଭଲ ଲାଗୁନି । ତୁ ଯଦି ମୋ ବଦଳରେ ଜଗିବା ପାଇଁ ଯିବୁ, ତା’ହେଲେ ବହି ପଢ଼ିବା ପାଇଁ ଦେବି

 

ରାନୁ ପ୍ରତିବାଦ କରି କହିଲା ଭଲକଥା ତ ? ସିଏ ସାନପିଲାଟା, ସେ ବଣ ଭିତରେ ବସି ଏକା ଜଗିବ ? ଆଉ ତୁ ଏତେ ବଡ଼ ପିଲାଟା ପାରୁନୁ, ଆଉ ସିଏ ଯାଇ ସମ୍ଭାଳିବ ? ଯାଃ, ତୋତେ ବହିଦେବା ଦରକାର ନାହିଁ, ମୁଁ ବାପା ପାଖରୁ ମାଗି ତାକୁ ଦେବି

 

ଅପୁ କିନ୍ତୁ ରାଜି ହେଇଗଲା । ରାନୁର ବାପା ଭୁବନ ମୁଖାର୍ଜୀ ବିଦେଶରେ ରୁହନ୍ତି । ତାଙ୍କର ଆସିବା ପାଇଁ ବହୁତ ଡେରି ଅଛି ଅଥଚ ଅପୁର ସେ ବହିଗୁଡ଼ିକ ପଢ଼ିବାକୁ ଭୀଷଣ ଲୋଭ । ଏଗୁଡ଼ିକ ପଢ଼ିବା ଲୋଭରେ ସେ ଅନେକ ଦିନ ଆଶାୟୀ ମନରେ ସତୁର ପଶ୍ଚିମପଟ ଘରଟାକୁ ଯାଇଛି । ଖଣ୍ଡେ ଦୁଇଖଣ୍ଡ ଅଳ୍ପ ଟିକେ ପଢ଼ିଥିଲା । କିନ୍ତୁ, ସତୁ ନିଜେ ତ ପଢ଼ିନି, ତାକୁ ବି ପଢ଼ିବାକୁ ଦେଉନି । କାହାଣୀର ନାୟକଟିର ଠିକ୍‌ ସଂକଟମୟ ମୁହୂର୍ତ୍ତରେ ତା’ ହାତରୁ ବହିଖଣ୍ଡିକ ସତୁ କାଢ଼ି ନେଇ କୁହେ ରଖିଦେ ଅପୁ, ଏସବୁ ସାନ କକାଙ୍କର ବହି, ଛିଣ୍ଡିଯିବ, ଦେ ରଖିଦେବି ।

 

ସତୁର ପ୍ରସ୍ତାବରେ ଅପୁ ହାତ ପାଆନ୍ତାରେ ସ୍ୱର୍ଗ ପାଇଗଲା ଯେମିତି ! ପ୍ରତିଦିନ ଦୁଇପହର ସମୟରେ ଆଲ୍‌ମାରୀରୁ ବାଛି ଖଣ୍ଡେ ଖଣ୍ଡେ ବହି ସତୁ ପାଖରୁ ମାଗି ନେଇଯାଏ ଓ ବାଉଁଶ ବଣର ଛାଇରେ ସାହାଡ଼ା ଗଛର କିଛି କଞ୍ଚାଡାଳ ଭାଙ୍ଗି ବିଛେଇ ଦିଏ । ଆଉ ତା’ ଉପରେ ମୁହଁ ତଳକୁ କରି ଶୋଇ ଏକାଗ୍ର ଭାବରେ ପଢ଼େ । ଅନେକ ବହି ଅଛି ପ୍ରଣୟ-ପ୍ରତିମା, ସରୋଜ-ସରୋଜିନୀ, କୁସୁମ-କୁମାରୀ, ସଚିତ୍ର, ଯୌବନ-ଯୋଗିନୀ ନାଟକ, ଦସ୍ୟୁ ଦୁହିତା, ପ୍ରେମ ପରିଣାମ ବା ଅମୃତରେ ଗରଳ, ଗୋପେଶ୍ୱରର ଗୁପ୍ତକଥା... କେତେ ନାମ ସେ ମନେରଖିବ ! ଗୋଟି ଗୋଟି କରି ବହିଟି ଧରି ପଢ଼େ ଆଉ ତାକୁ ଶେଷ ନକଲା ପର୍ଯ୍ୟନ୍ତ ଛାଡ଼େନି । ଆଖି ବିସ୍ଫାରିତ ହୋଇଯାଏ, ଲୋମମୂଳ ଟାଙ୍କୁରି ଉଠେ, କପାଳ ଥରି ଉଠେ । ପୋଖରୀକୂଳର ନିର୍ଜନ ବାଉଁଶ ବଣର ଛାଇ ଏହା ଭିତରେ କେତେବେଳେ ଲମ୍ବିଯାଇ ପୋତି ହୋଇ ଯାଉଥିବା ପୋଖରୀଟାର ତୁଠ ପଥର ଶିଉଳି ଗୁଚ୍ଛ ଉପରେ ଓଜାଡ଼ି ହୋଇପଡ଼େ, ତା’ର ଖିଆଲ ରୁହେନି । କେଉଁ ପଟ ଦେଇ ବେଳ ଶେଷ ହୋଇଗଲା ।

 

କି ମଜାର ଗପ ! ସରୋଜିନୀକୁ ସାଥିରେ ନେଇ ସରୋଜ ନୌକାରେ ମୁର୍ଶିଦାବାଦ ଯାଉଛନ୍ତି । ବାଟରେ ନବାବର ଲୋକେ ନୌକା ଲୁଟିନେଇ ସେମାନଙ୍କୁ ବନ୍ଦୀ କଲେ । ନବାବଙ୍କ ଆଦେଶରେ ସରୋଜଙ୍କର ମୃତ୍ୟୁଦଣ୍ଡ ହେଲା ଆଉ ସରୋଜିନୀକୁ ଗୋଟିଏ ଅନ୍ଧକାର ଘରେ ତାଲା ପକେଇ ରଖାଗଲ । ଗଭୀର ରାତିରେ କୋଠରୀର କବାଟ ଖୋଲିଗଲା, ନବାବ ମତ୍ତ ଅବସ୍ଥାରେ ଗୃହ ଭିତରକୁ ପ୍ରବେଶ କରି କହିଲେ ସୁନ୍ଦରୀ, ମୋ ହୁକୁମରେ ସରୋଜ ମୃତ୍ୟୁବରଣ କରିଛି, ଆଉ କାହିଁକି... ଇତ୍ୟାଦି । ସରୋଜିନୀ ସଦର୍ପରେ ବେକ ହଲେଇ କହିଲେ ଆରେ ପିଶାଚ, ତୁ ରାଜପୁତ ରମଣୀକୁ ଏଯାଏ ଚିହ୍ନିପାରିନୁ, ଏ ଦେହରେ ପ୍ରାଣ ଥାଉଁ ଥାଉଁ... ଇତ୍ୟାଦି । ଏମିତି ସମୟରେ କାହାର ଭୀମ ପଦାଘାତରେ କାରାଗାରର ଝରକା ଭାଙ୍ଗିଗଲା । ନବାବ ଚମକି ଉଠି ଦେଖିଲେ ଜଣେ ଜଟାଜୁଟଧାରୀ ତେଜଃ ପୁଞ୍ଜ କଳେବର ସନ୍ନ୍ୟାସୀ, ସାଥିରେ ଯମଦୂତ ପରି ଚାରିପାଞ୍ଚ ଜଣ ବଳିଷ୍ଠ ଲୋକ । ସନ୍ନ୍ୟାସୀ ରକ୍ତରଞ୍ଜିତ ଦୃଷ୍ଟିରେ ନବାବ ଆଡ଼କୁ ଚାହିଁ କହିଲେ ନରାଧମ, ରକ୍ଷକ ହୋଇ ଭକ୍ଷକ ସାଜିଛୁ ? ପରେ ସରୋଜିନୀ ଆଡ଼େ ଚାହିଁ କହିଲେ ମା’, ମୁଁ ତୁମର ସ୍ୱାମୀଙ୍କ ଗୁରୁ, ଯୋଗାନନ୍ଦ ସ୍ୱାମୀ । ତୁମ ସ୍ୱାମୀଙ୍କର ମୃତ୍ୟୁ ହୋଇନାହିଁ । ମୋର କମ୍‍ଣ୍ଡଳୀ ଜଳରେ ସେ ପୁନର୍ଜ୍ଜୀବନ ଲାଭ କରିଛନ୍ତି । ଏବେ ତୁମେ ମୋ ସହିତ ଆଶ୍ରମକୁ ଚାଲ । ବତ୍ସ ସରୋଜ ସେଠାରେ ତୁମକୁ ଅପେକ୍ଷା କରିଛି । ଗ୍ରନ୍ଥାକାରର ଲିପିକୌଶଳ ସୁନ୍ଦର ସରୋଜର ଏହି ବିଜୟଜନକ ପୁନର୍ଜ୍ଜୀବନ ଆହୁରି ବିଶଦଭାବରେ ବୁଝେଇବା ପାଇଁ ସେ ପରବର୍ତ୍ତୀ ଅଧ୍ୟାୟ ପ୍ରତି ପାଠକର କୌତୁହଳ ଉଦ୍ଦୀପ୍ତ କରି କହିଲେ ଏବେ ପାଠକ ଗଣ ଚାଲ ଦେଖିବା, ବଦ୍ଧ ଭୂମିରେ ସରୋଜର ପ୍ରାଣଦଣ୍ଡ ହେବା ପରେ କେଉଁ ଉପାୟରେ ତାଙ୍କର ପୁନର୍ଜ୍ଜୀବନ ଲାଭ ସମ୍ଭବ ହେଲା... ଇତ୍ୟାଦି ।

 

ଗୋଟାଏ ଗୋଟାଏ ଅଧ୍ୟାୟ ଶେଷ କଲା ପରେ ଅପୁର ଆଖିରେ ଝାପ୍‌ସା ଦେଖାଯାଏ । କଣ୍ଠରେ କ’ଣ ଯେମିତି ଅଟକି ଯାଏ, ଆକାଶ ଆଡ଼କୁ ଚାହିଁ, ସେ ଦୁଇ ମିନିଟ କ’ଣ ସବୁ ଭାବେ । ଆନନ୍ଦରେ, ବିସ୍ମୟରେ, ଉତ୍ତେଜନାରେ ତା’ର ଦୁଇକାନ ଭିତର ଦେଇ ଯେମିତି ନିଆଁ ବାହାରି ଆସେ । ତା’ପରେ ରୁଦ୍ଧ ନିଶ୍ୱାସରେ ପରବର୍ତ୍ତୀ ଅଧ୍ୟାୟ ଆରମ୍ଭ କରେ । ସଞ୍ଜ ହୋଇ ଆସେ । ଚାରିକଡ଼ରେ ଛାଇ ସବୁ ଲମ୍ବିଯାଏ । ମୁଣ୍ଡ ଉପରେ ବାଉଁଶ ବୁଦାରେ କେତେ ପକ୍ଷୀର କଳ କାକଳି ଆରମ୍ଭ ହୋଇଯାଏ । ଉଠି ବସିବ ବୋଲି ବହିର ପୃଷ୍ଠାକୁ ଆଖିର ଗୋଟିଏ ଇଞ୍ଚ ପାଖକୁ ନେଲା ପର୍ଯ୍ୟନ୍ତ ଟେକି ଧରି ପଢ଼େ ଯେତେ ସମୟ ଅକ୍ଷର ସବୁ ଦେଖାଯାଇପାରିବ, ସେ ପଢ଼ିଚାଲେ ।

 

ଏମିତି ବହି ତ ସେ କେବେବି ପଢ଼ିନି । ଏହା ଆଗରେ ସୀତା ବନବାସ ଆଉ ଡୁବାଲର ଗଳ୍ପତ କିଛି ନୁହେଁ ?

 

ଘରକୁ ଫେରିଲେ ତା’ ମା’ ଗାଳି ଦିଅନ୍ତି ଏମିତି ବୋକା ପିଲାଟା ତୁ ? ପର ଘରର ମାଛ ଜଗିବାକୁ ଏକା ଏକା ବଣ ଭିତରକୁ ଯାଉଛୁ, ଖଣ୍ଡିଏ ବହି ପଢ଼ିବା ଲୋଭରେ ? ଭଲ ବୋକାଟାଏ ତାକୁ ମିଳିଯାଇଛି ।

 

କିନ୍ତୁ, ବୋକା ଅପୁର ଲାଭ କେମିତି ଓ କେଉଁଠୁ ଆସିବ, ସେ ବିଷୟରେ ତା’ ମାଆର କିଛି ଧାରଣା ନ ଥାଏ । ଏବେ ସେ ଦୁଇଖଣ୍ଡ ବହି ପାଇଛି ‘ମହାରାଷ୍ଟ୍ର ଜୀବନ ପ୍ରଭାତ’ ଓ ‘ରାଜପୁତ ଜୀବନ ସନ୍ଧ୍ୟା’ । ଉଇ ହୁଙ୍କା, ବଇଁଚ କୋଳିର ବୁଦା ପ୍ରେକ୍ଷାପଟରେ ନିସ୍ତବ୍ଧ ଦୁଇ ପହରରେ ଦୃଶ୍ୟ ପରେ ଦୃଶ୍ୟ ପରିବର୍ତ୍ତିତ ହୋଇଚାଲେ ଜଳକା ନଦୀ କୂଳରେ ବସି ଆହତ ନୀରେନ୍‍ର ଶୁଶ୍ରୁଷା କରୁଛି, ଆଉରଙ୍ଗଜେବର ଦରବାରରେ ଶିବାଜୀ ନିଜସ୍ଥାନ ପାଞ୍ଚହଜାରୀ- ସାନ୍‌ସୁବେଦାରମାନଙ୍କ ଭିତରେ ଦେଖି ରାଗରେ ଫୁଲି ଫୁଲି ଭାବୁଛନ୍ତି ଶିବାଜୀ କ’ଣ ପାଞ୍ଚ ହଜାରୀ ? ଥରେ ପୁନା ଆସି ଶିବାଜୀର ସୈନ୍ୟମାନଙ୍କ ଭିତରେ କେତେ ପାଞ୍ଚ ହଜାରୀ ମାନ୍‌ ସୁବେଦାର ଅଛନ୍ତି ଗଣିଯାଅ !...

 

ରାଜବାରାର ମଧୁ ପର୍ବତରେ, ଦିଲ୍ଲୀ ଆଗ୍ରାର ରଙ୍ଗ ମହଲରେ, ଶିସ୍‌ମହଲରେ ଓଢ଼ଣା-ଘାଗରା ପିନ୍ଧା ସୁନ୍ଦରୀମାନଙ୍କ ସହିତ ତାହାର ତମାମ ଦିନ ବିତିଯାଏ । ଏ କେଉଁ ଜଗତ୍‌ ଯେଉଁଠି କେବଳ ଜହ୍ନର ଆଲୁଅ, ତରବାରୀର ଝଲକ, ସୁନ୍ଦର ମୁଖଶ୍ରୀ, ବନ୍ଧୁତ୍ୱ, ପ୍ରତିଚୀର ଆହେରିୟା ଉତ୍ସବରେ ଦୀର୍ଘବର୍ଚ୍ଛା ହାତରେ ଧରି ଘୋଡ଼ସବାରମାନେ ଊଷର ଉପତ୍ୟକା ଓ ମକାକ୍ଷେତ ଅତିକ୍ରମ କରି ଆଗକୁ ଧାଇଁଯାଆନ୍ତି ?

 

ଜଣେ ବୀର ପକ୍ଷରେ ଯାହା ସମ୍ଭବ, ରାଜପୁତ ପାଇଁ ଯାହା ସମ୍ଭବ, ମଣିଷ ପାଇଁ ଯାହା ସମ୍ଭବ ପ୍ରତାପ ସିଂହ ସେଇ କାମ କରି ଦେଖେଇଛନ୍ତି । ହଳଦି ଘାଟ ପର୍ବତର ପ୍ରତିଟି ଶିଳାଗାତ୍ରରେ ତାଙ୍କର ଗୌରବ ଗାଥାର କାହାଣୀ ଲିପିବଦ୍ଧ ! ମେବାରର ରଣକ୍ଷେତ୍ରରେ ବାର ହଜାର ରାଜପୁତର ହୃଦୟର ରକ୍ତରେ ତାଙ୍କର ବୀରତ୍ୱର ଅକ୍ଷୟ ମହିମା ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇରହିଛି ।

 

ବହୁଦିନ ପରେ ବି ପ୍ରାଚୀନ ଯୋଦ୍ଧାମାନେ ଶୀତ ରାତିରେ ଅଗ୍ନିକୁଣ୍ଡ ପାର୍ଶ୍ୱରେ ବସି ନିଜ ନିଜର ନାତି ନାତୁଣୀମାନଙ୍କୁ ହଳଦୀଘାଟ ଯୁଦ୍ଧର ଅଦ୍ଭୁତ ବୀରତ୍ୱର କଥା କହୁଥିଲେ ।

 

ଅଦୃଶ୍ୟ ହାତରୁ ନିକ୍ଷିପ୍ତ ଗୋଟିଏ ବର୍ଚ୍ଛା ଆସିଲା ଅପୁ ଏଇ ଗାଁ’ର ଚିରଶ୍ୟାମ ବଣଭୂଇଁର ଛାଇରେ, ଲତାପତ୍ର ନିର୍ବିଡ଼ତାରେ ଭିଜାମାଟିର ଗନ୍ଧରେ ମାତିଛି ତଥାପି ସେ ରାଜପୁତନାର ଭୀଲ-ପ୍ରଦେଶର କିମ୍ବା ଆରାବଳୀ-ମେବାରର ପ୍ରତିଟି ସ୍ଥାନକୁ ଜାଣେ । ନାହାରା ମୋଗରୋର ଅପୂର୍ବ ଜଙ୍ଗଲ ସୌନ୍ଦର୍ଯ୍ୟକୁ ସେ ଚିହ୍ନେ । ଶସ୍ତ୍ର ହସ୍ତରେ ପର୍ବତରୁ ଅବତରଣ କରୁଥିବା ତେଜସିଂହର ମୂର୍ତ୍ତି କେତେ ସୁନ୍ଦର ଜଣାଯାଏ !...

 

ସେହି ଚପ୍ପନ ପ୍ରଦେଶରେ ଅନେକ ଦିନ ପର୍ଯ୍ୟନ୍ତ, ସେଇ ଭୀଲ୍‌ଗ୍ରାମର ନିର୍ଜନ ପରିକନ୍ଦରରେ ଓ ପର୍ବତର ସର୍ବୋଚ୍ଚ ଶିଖରରେ ରାତି ଦୁଇ ପହର ସମୟରେ ଏକ ନାରୀ କଣ୍ଠରୁ ନିଃସୃତ ସଙ୍ଗୀତ ଶୁଣାଯାଉଥିଲା । ଅତି ପାହାନ୍ତାରୁ ନିର୍ଜନ ପ୍ରାନ୍ତରରେ ପଥିକମାନେ କେବେ କେବେ ଜଣେ ରମଣୀର ପାଣ୍ଡୁର ମୁଖ ଓ ଚଞ୍ଚଳ ନୟନ ଦେଖୁଥିଲେ, ଲୋକେ କହୁଥିଲେ, ବିଶ୍ରାମ ବିହୀନ କେହି ଜଣେ ବନଦେବୀ ହୁଏତ ହୋଇଥିବ ?... ସେହି ସଙ୍ଗୀତର କରୁଣ ମୂର୍ଚ୍ଛନା ବାଉଁଶ ବଗିଚାର ପଛରୁ ସତେ ଯେମିତି ଭାସି ଆସି ଅପୁର କାନରେ ବାଜୁଛି ।

 

କମ୍‍ଲମୀର, ସୂର୍ଯ୍ୟଗଡ଼ର ଯୁଦ୍ଧ, ସେନାପତି ଶାହବାଦ ଖାଁ, ସୁନ୍ଦରୀ ନୂରଜାହାନ, ପୁଷ୍ପକୁମାରୀ, ବନ୍ୟ ଭୀଲ ପ୍ରଦେଶ, ବୀରବାଳକ ଚନ୍ଦନସିଂହ ଦୂର ସୁଦୂର କଳ୍ପନା । ତଥାପି ମନେହୁଏ କେତେ ନିକଟତର, କେତେ ବାସ୍ତବ ! ରାଜବାରାର ମରୁଭୂମି ଆଉ ନୀଳ ଆରାବଳୀର ଉନ୍ନତ ପର୍ବତ ଶିଖରରେ ଚିନାରଫୁଲ ଫୁଟି ଝରିପଡ଼ିଛି । ଦେବୀ ମିବାର ଲକ୍ଷ୍ମୀଙ୍କର ଅଳକ୍ତ-ରକ୍ତ ପଦଚିହ୍ନ ବୁନାସ ଓ ବରୀନଦୀର ତଟଭୂମିର ଶିଳା ଖଣ୍ଡ ଉପରେ ଆଙ୍କି ହୋଇଯାଇଛି, ଝରଣାର ଉପଳ ରାଶିର ଗାତ୍ରରେ, ବାଜରା ଓ ଯବର କ୍ଷେତରେ ଏବଂ ମହୁଲ ବଣରେ ।

 

ଚିତୋର ଦୁର୍ଗର ରକ୍ଷା ହୋଇପାରିଲାନି । ରାଣା ଅମର ସିଂହ ବାଦଶାହାଙ୍କ ସମ୍ମାନ ଗ୍ରହଣ କଲେ । ସର୍ବହରା ପିତା ପ୍ରତାପସିଂହ ଯିଏ ଦୀର୍ଘ ପଚିଶ ବର୍ଷ କାଳ ବଣ ପର୍ବତରେ ରହି ଭୀଲମାନଙ୍କୁ ଧରି ଯୁଦ୍ଧ କରିଥିଲେ, ସେ ବ୍ୟଥିତ, କ୍ଷୁବ୍ଧ ଚିତ୍ତରେ କେଉଁଠି ରହି ଦେଖୁଥିଲେ ଏସବୁ ପରିବର୍ତ୍ତନ ?....

 

ଆଖିର ଉଷ୍ଣ ଅଶ୍ରୁରେ ପୋଖରୀ, ଉଇ ହୁଙ୍କା, ବଇଁଚ କୋଳିର ବୁଦା, ବାଉଁଶ ବଗିଚା ସବୁ ଯେମିତି ଝାପ୍‌ସା ହୋଇଆସେ ।

 

ସେଦିନ ଦୁଇ ପହରର ତା’ର ବାପା ଖଣ୍ଡିଏ ମୋଡ଼ା କାଗଜ ଦେଖେଇ ହସ ହସ ମୁହଁରେ କହିଲେ ଦେଖିଲୁ ଅପୁ, କ’ଣ ଏଇଟା କହିଲୁ ?

 

ଅପୁ ଶୀଘ୍ର ବିଛଣା ଉପରେ ଉଠିବସିଲା । ଉତ୍ସାହର ସ୍ୱରରେ ପଚାରିଲା ଖବର କାଗଜ ? ନା ବାପା ?

 

ସେଦିନ ରାମକବଚ ଲେଖି ଦେଇ ବିହାରୀ ଘୋଷର ଶାଶୁ ପାଖରୁ ଯେଉଁ ତିନି ଟଙ୍କା ପାଇଥିଲା, ସ୍ତ୍ରୀକୁ ଲୁଚେଇ ହରିହର ସେଥିରୁ ଖବର କାଗଜ ପାଇଁ ଅଗ୍ରିମ ଦୁଇଟଙ୍କା ପଠେଇ ଦେଇଥିଲା । ତା’ ସ୍ତ୍ରୀ ଜାଣିଥିଲେ ଅନ୍ୟ ପାଞ୍ଚ ପ୍ରକାରର ଅଭାବର ଗ୍ରାସଭଳି ଦୁଇଟଙ୍କା କୌଣସି ମତେ ବଞ୍ଚି ପାରିନଥାନ୍ତା ।

 

ଅପୁ ବାପାଙ୍କ ହାତରୁ ଶୀଘ୍ର କାଗଜ ଖଣ୍ଡିକ ନେଇ ଖୋଲିଲା । ହଁ ତ, ଖବର କାଗଜ ହିଁ । ସେମିତି ବଡ଼ ବଡ଼ ଅକ୍ଷରରେ ବଙ୍ଗବାସୀ ବୋଲି ଲେଖା । ସେହି ନୂଆ କାଗଜର ବାସନା, ସେମିତି ଛପା, ସେମିତି ସବୁ ଯେଉଁ କାଗଜ ଖଣ୍ଡିକ ମୋହରେ ସେ ପ୍ରତି ଶନିବାର ତୀର୍ଥର କାଉଭଳି ଅଧୀର ଆଗ୍ରହରେ ଭୁବନ ମୁଖାର୍ଜୀଙ୍କ ଚଣ୍ଡୀମଣ୍ଡପ ଡାକବାକ୍ସ ପାଖରେ ପିଅନଟିକୁ ଅପେକ୍ଷା କରି ବସିଥାଏ । ସେହି ଖବର କାଗଜ ! ଖବର କାଗଜ ! ଜାଣେନି, କେତେସବୁ ନୂଆ ଖବର ଥିବ ? କେତେ ଅଜଣା କଥା, ଏହାର ବଡ଼ ବଡ଼ ପୃଷ୍ଠାରେ ଲେଖାଥିବ ?

 

ହରିହରର ମନେହେଲା ଦୁଇଟି ଟଙ୍କା ବିନିମୟରେ ପୁଅ ମୁହଁରେ ଯେଉଁ ଆନ୍ଦର ହସ ଫୁଟେଇ ପାରିଲା ତା’ ତୁଳନାରେ ଯଦି କୌଣସି ଏକ ବନ୍ଧା ପଡ଼ିଥିବା କାନଫୁଲ ମୁକୁଳେଇ ଥାଆନ୍ତା, ତା’ହେଲେ ସେ ମାତ୍ରାରେ ଆତ୍ମପ୍ରସାଦ ମିଳିନଥାନ୍ତା !

 

ଅପୁ କିଛି ସମୟ ପଢ଼ି କହିଲା ଦେଖିଛ ବାପା, ଜଣେ ବିଲାତ ଯାତ୍ରୀର ଚିଠି ଆଜିଠୁ ନୂଆକରି ପ୍ରକାଶ ପାଇଲା । ଠିକ୍‌ ସମୟରେ ଆମର କାଗଜ ଖଣ୍ଡିକ ଆସିଲା ନା ବାପା ?

 

ତଥାପି ତା’ ମନରେ ଦୁଃଖ ରହିଗଲା । ଗତବର୍ଷ ହଠାତ୍‌ କାଗଜଖଣ୍ଡିକ ବନ୍ଦ ହେଲାବେଳକୁ ଜାପାନୀ ସ୍ପାଇଡାରମ୍ୟାନ୍‌ ଗଳ୍ପଟିର ଶେଷଭାଗ ସେ ପଢ଼ିପାରିଲାନି । ରାଇକୋ ରାଜସଭାକୁ ଯିବାପରେ ତାହାର ସେ କ’ଣ ହେଲା, ସେ କଥା ଅପୁ ଜାଣିପାରିଲାନି ।

 

ଦିନେ ରାନୁ ପଚାରିଲା ତୁ ତୋ ଖାତାରେ କ’ଣ ସବୁ ଲେଖିଛୁରେ ? ଅପୁ କହିଲା କେଉଁ ଖାତା ? ତୁମେ କେମିତି ଜାଣିଲ

 

ମୁଁ ସେଦିନ ଦୁଇପହର ସମୟରେ ତୁମ ଘରକୁ ଯାଇନଥିଲି ? ତୁ ନ ଥିଲୁ, ଖୁଡ଼ୀ ସହିତ ବସି କେତେ କଥା ହେଲି । ଖୁଡ଼ୀ ତୋତେ କହିନାହାନ୍ତି କିଛି ? ସେତେବେଳେ ତୋ’ ବସ୍ତାନୀରେ ସେହି ନାଲିଆ ଖାତା ଖଣ୍ଡିକ ଦେଖିଥିଲି । କେତେ କ’ଣ ଲେଖିଛୁ ସେଥିରେ ମୋ ନାମ ବି ସେଥିରେ ଅଛି, ଆଉ ଦେବୀ ସିଂହ ନା କ’ଣ ଗୋଟିଏ ନାମ

 

ଅପୁ ଲାଜରେ ନାଲି ପଡ଼ିଗଲା, କହିଲା ସେଇଟା ଗୋଟିଏ ଗପ ।

 

କି ଗପରେ ? ମୋତେ କିନ୍ତୁ ପଢ଼ି ଶୁଣେଇବାକୁ ହେବ ।

 

ତା’ ପରଦିନ ରାନୁ ଖଣ୍ଡିଏ ବନ୍ଧା ଖାତାଟିଏ ଅପୁ ହାତରେ ଦେଇ କହିଲା ଏଥିରେ ତୁ ମୋତେ ଗୋଟିଏ ଗପ ଲେଖିଦେବୁ ବେଶ୍‌ ଭଲ ଗପଟିଏ । ଦେବୁତ ? ଅତସୀ ପଚାରୁଥିଲା, ତୁ ଭଲ ଲେଖିପାରୁ କି ! ଲେଖିଦେ ମୁଁ ଅତସୀକୁ ଦେଖେଇବି !

 

ଅପୁ ରାତିରେ ବସି ବସି ଖାତାରେ ଲେଖୁଥିଲା । ମା’କୁ କହିଲା ଆଉ ପଳାଏ ତେଲ ଦେବ ମା’, ଆଉ ଅଳ୍ପ ଟିକେ ଆଜି ଲେଖିବି ।

 

ତା’ ମା’ କହିଲେ, ଆଜି ରାତିରେ ଆଉ ପଢ଼ାପଢ଼ି ନାହିଁ । ମାତ୍ର ଦୁଇ ପଳା ତେଲ ଅଛି, କାଲି ପୁଣି ରୋଷେଇ କେମିତି କରିବି ? ଏଇ ରୋଷେଇ କରୁଛି, ତୁ ବି ଏଇଠି ବସି ପାଠପଢ଼ ।

 

ଅପୁ ଝଗଡ଼ା କଲା ।

 

ତା’ ମା’ ଗାଳି ଦେଲା ଦେଖୁନ, ପୁଅର ରାତି ହେଲେ ଯେତେ ସବୁ ଲେଖାପଢ଼ାର ଉତ୍ସାହ ଦିନସାରା ନିଜର ମଥାର ଟିକି ଦେଖିବାର ବେଳ ନାହିଁ । ସକାଳେ କରୁଛୁ କ’ଣ ? ଯା, ତେଲ ଦେଇ ହେବନି ।

 

ଶେଷରେ ଅପୁ ଚୁଲି ପାଖରେ କାଠନିଆଁର ଆଲୁଅରେ ଖାତା ଖଣ୍ଡିକ ଆଣି ବସେ । ସର୍ବଜୟା ଭାବେ ଅପୁ ଆଉ ଟିକେ ବଡ଼ ହେଲେ, ଭଲ ଝିଅଟେ ଖୋଜି ବାହା କରିଦେବି । ଏ ଭିଟାରେ ନୂଆ ପକ୍କା ଘର ତୋଳା ହେବ । ଆଗାମୀ ବର୍ଷରେ ତା’ର ଉପନୟନ ବି କରିଦେବି । ତା’ପରେ ଗାଙ୍ଗୁଲି ଘରର ପୂଜାଟା ଯଦି ମିଳିଯାଏ-

 

ଚାରି ପାଞ୍ଚ ଦିନ ପରେ ସେ ରାନୁ ହାତରେ ଖାତା ବଢ଼େଇ ଦେଲା । ରାନୁ ଆଗ୍ରହରେ ଖାତା ଖୋଲୁ ଖୋଲୁ ପଚାରିଲା ଲେଖିଛୁ ?

 

ଅପୁ ହସି ହସି କହିଲା ଖୋଲି ଦେଖନା ?

 

ରାନୁ ଦେଖିଲା ଓ ଖୁସି ହୋଇ କହିଲା ରହିଥା, ଅନେକଗୁଡ଼ାଏ ଲେଖିଛୁ, ମୁଁ ଅତସୀକୁ ଡାକି ଦେଖାଏଁ ।

 

ଅତସୀ ଦେଖି କହିଲା ଅପୁ ଲେଖିଛି ନା ଆଉ କିଛି ଇସ୍‌ ! ଏଗୁଡ଼ା ସବୁ ବହି ଦେଖି ଲେଖାହୋଇଛି ।

 

ଅପୁ ପ୍ରତିବାଦ କରି କହିଲା ଇଃ, ବହି ଦେଖି ନା ଆଉ କିଛି ? ମୁଁ ଗପ ଲେଖେ ପଟୁକୁ ପଚାରିଲ ଅତସୀ ନାନୀ ? ତାକୁ ବିକାଳେ ନଈଘାଟରେ ବସେଇ କେତେ ମନରୁ ଫାନ୍ଦି ଗପ କୁହେ, ଜାଣିଛ ?

 

ରାନୁ କହିଲା ନା ଭାଇ, ସେ ନିଜେ ଲେଖିଛି, ଏ କଥା ମୁଁ ଜାଣେ । ସେ ଏଭଳି ଲେଖେ । ବେଶ୍‌ ବଢ଼ିଆ ଯାତ୍ରା ନାଟକ ଲେଖି ମୋତେ ଶୁଣେଇଥିଲା । ତା’ପରେ ଅପୁକୁ କହିଲା ତୋ ନା’ଟା ଲେଖୁନୁ ? ଲେଖିଦେ ।

 

ଅପୁ ଏଥର ଟିକିଏ ଅପ୍ରତିଭ ସ୍ୱରରେ କହିଲା ଗପଟା ତ ଶେଷ କରିନି, ଶେଷ କଲେ, ନା ଲେଖିଦେବି । ‘ସଚିତ୍ର ଯୌବନ ଯୋଗିନୀ’ ନାଟକର ପରି ଗପଟି ଆରମ୍ଭ କରିଥିଲେ ବି ଶେଷଟା କେମିତି ହେବ ସେ ସଠିକ୍‌ଭାବେ ସିଦ୍ଧାନ୍ତରେ ପହଞ୍ଚି ପାରିନଥିଲା । ଅଥଚ ଦୀର୍ଘଦିନ ଧରି ତା’ ପାଖରେ ଖାତାଟି ରହିଗଲେ ରାନୁନାନୀ ଓ ଅତସୀ ନାନୀ କାଳେ ତା’ର କବି ପ୍ରତିଭା ଉପରେ ସନ୍ଦେହ ପ୍ରକାଶ କରିବେ, ସେହି ଭୟରେ ଅସମାପ୍ତ ଅବସ୍ଥାରେ ତାହା ଫେରେଇ ଦେଇଥିଲା ।

 

ତା’ର ବାପା ଘରେ ନାହାନ୍ତି । ସକାଳେ ଉଠି ସେ ତା’ ଗାଁ’ର ଅନ୍ୟମାନଙ୍କ ସହିତ ପାଖ ଗାଁ’କୁ ଗୋଟିଏ ବର୍ଷିକିଆ ଶ୍ରାଦ୍ଧକୁ ନିମନ୍ତ୍ରଣରେ ଯାଇଥିଲା । ସୁନୀଲ ବି ତା’ ସାଙ୍ଗରେ ଯାଇଥିଲା ।

 

ବହୁତ ଗାଁ’ରୁ ‘ଦହିଚୂଡ଼ା’ ଖିଆ ବ୍ରାହ୍ମଣ ପାଞ୍ଚ ଛଅ କୋଶ ଦୂରରୁ ପାଦରେ ଚାଲି ଚାଲି ଆସିଥିଲେ । ସାଙ୍ଗରେ ଜଣେ ଜଣେ ପାଞ୍ଚ ଛଅଟି ଲେଖାଏଁ ପୁଅଝିଅ ଧରି ଆସିଥିଲେ । ସମସ୍ତଙ୍କୁ ସୁବିଧା ଅନୁଯାୟୀ ସ୍ଥାନରେ ବସେଇବାକୁ ଗୋଟିଏ ଦଙ୍ଗା ଉପୁଜିବାର ଉପକ୍ରମ ହେଲା । ପ୍ରତ୍ୟେକଙ୍କ ପତରର ଚାରିଖଣ୍ଡ ଲେଖାଏଁ ଲୁଚି ପରଶି ସାରି ବାଇଗଣ ଭଜା ଦେବାକୁ ଆସିବାରୁ ଦେଖାଗଲା, କାହା ପତରରେ ବି ଲୁଚି ନାହିଁ । ସମସ୍ତେ ପାଖରେ ରଖିଥିବା ଗାମୁଛା କିମ୍ବା ଚାଦରରେ ଲୁଚି ଗୋଟେଇ ରଖି ବସିଛନ୍ତି । ଛୋଟ ଛୋଟ ପିଲା ସବୁ ଏତେକଥା ନ ବୁଝି ଲୁଚି ଛିଣ୍ଡେଇ ଖାଇଲାବେଳକୁ, ସେମାନଙ୍କ ବାପା ବିଶ୍ୱେଶ୍ୱର ଭଟାଚାର୍ଯ୍ୟ ଛୁ ମାରି ପିଲାଙ୍କ ପତରରୁ ଲୁଚି ଟେକି ନେଇ ପାଖ ଚାଦରରେ ଢାଙ୍କି ଦେଇ କହିଲା ଏଗୁଡ଼ାକ ରଖିଦିଅ ! ଆଉ ଥରେ ଆଣି ଏବେ ଦେବ, ସେଗୁଡ଼ାକ ଖାଇବ ।

 

ତା’ପରେ କିଛି ସମୟ ଧରି ସୋର ଗୋଳ ଲାଗି ରହିଲା । କିଏ କହିଲା ଲୁଚିର ହାଣ୍ଡିଟା ଏ ଧାଡ଼ିକୁ ଆଣ, କିଏ କହିଲା, କଖାରୁ ଘାଣ୍ଟ ମୋ ପତରରେ ଜମାରୁ ପଡ଼ିନି । କିଏ ପୁଣି ପାଟି କଲାଣି, ଆରେ ଗରମ ଗରମ ଲୁଚି ଏଇଠି ଦେଖି ଦିଅ । କ’ଣ ଦେଲ, ହାତ ମାରି ଦେଖିଲ, ପୁରା କଞ୍ଚା ମଇଦା... ଇତ୍ୟାଦି । ତୋଳା ଖାଦ୍ୟ ରଖିବା ନେଇ କର୍ମକର୍ତ୍ତାଙ୍କ ସହିତ ବ୍ରାହ୍ମଣମାନଙ୍କ ତୁମୁଳ ହଟ୍ଟଗୋଳ ଲାଗିଗଲା । କିଏ ଜଣେ କହିଲା ତା’ହେଲେ ଏଠିକି ଭଦ୍ରଲୋକମାନଙ୍କୁ କାହିଁକି ନିମନ୍ତ୍ରଣ କରୁଥିଲ । ପାଞ୍ଚ ଶହ ଗଣ୍ଡା ଦୁଇ ହଜାର ସରିକି ଲୁଚି ତୋଳାରେ ଯିବା ତ ଧରାବନ୍ଧା ନିୟମ । ଏ ପ୍ରଥା ତ ବଲ୍ଲାଲ ସେନ୍‍ଙ୍କ ଅମଳରୁ ଚାଲିଆସିଛି । ଆରେ ବାବୁ, ଦରକାର ନାହିଁ ତୁମର ତୋଳା, କନ୍ଦର୍ପ ମଜୁମ୍‌ଦାର ଏମିତି ସ୍ଥାନକୁ କେବେବି-

 

କର୍ମକର୍ତ୍ତା ହାତଗୋଡ଼ ଧରି କନ୍ଦର୍ପ ମଜୁମ୍‌ଦାରଙ୍କୁ ତୁଷ୍ଟ କଲେ । ଅପୁ ବି ପୁଟୁଳିଏ ତୋଳା ବୋହି ଆଣିଥିଲା । ସର୍ବଜୟା ଶୀଘ୍ର ଶୀଘ୍ର ବାହାରକୁ ଆସି କହିଲା ଆଲୋ ମା’, କେତେ ଜିନିଷ ଆଣିଚୁରେ ଦେଖି ଖୋଲିଲୁ ? ଲୁଚି, ଗୋଲାପଜାମ୍‌, ଗଜା କେତେ କ’ଣ ? ଢାଙ୍କି ଦେଇ ରଖୁଛି, ସକାଳେ ଖାଇବୁ ।

 

ଅପୁ କହିଲା ତୁମେ ବି ଖାଇବ ମା’ ତୁମ ପାଇଁ ମୁଁ ଗୋଲାପଜାମୁ ଦୁଇଥର ମାଗି ଆଣିଛି ।

 

ସର୍ବଜୟା କହିଲା ଆରେ, ତୁ କ’ଣ କହିଲୁ, ମୋ ମା’ ଖାଇବେ ଦିଅ ? ତୁ ତ ଗୋଟିଏ ବୋକା ପିଲାଟା ।

 

ଅପୁ ବେକ ହଲେଇ କହିଲା ସେ କଥା ନା ଆଉ କିଛି ? ମୁଁ କ’ଣ ସେ କଥା କହିଥିଲି ? ଏମିତି ଭାବରେ କହିଲି ଯେମିତି ସତରେ ମୁଁ ଖାଇବି ।

 

ସର୍ବଜୟା ମହାଖୁସିରେ ପୁଟୁଳି ଖୋଲି ଘର ଭିତରକୁ ନେଇଗଲା । କିଛି ସମୟ ପରେ ଅପୁ ସୁନୀଲ ଘରକୁ ଗଲା । ତାଙ୍କ ଘରେ ବାରଣ୍ଡାରେ ପାଦ ଦେଉ ଦେଉ ଶୁଣିବାକୁ ପାଇଲା, ସୁନୀଲର ମା’ ତାକୁ କହୁଛନ୍ତି ଏଗୁଡ଼ା ସବୁ କାହିଁକି ଘରକୁ ଆଣିଲୁ, ତୋତେ କିଏ କହିଲା ଆଣିବା ପାଇଁ ?

 

ସୁନୀଲ ବି ସମସ୍ତଙ୍କ ତୋଳା ବାନ୍ଧିବା ଦେଖି, ନିଜେ ଆଣିଥିଲା । ସେ କହିଲା ସବୁ ଲୋକ ତ ନେଲେ ଅପୁ ବି ତ ଆଣିଛି ।

 

ସୁନୀଲର ମା’ କହିଲେ ଅପୁ କାହିଁକି ଆଣିବନି ସେ ତ ଫଳାହାରୀ ବ୍ରାହ୍ମଣ ପିଲା । ୟା ପରେ ସେ ଘର ଘର ବୁଲି ପୂଜା କରିବ ଓ ତୋଳା ବାନ୍ଧି ବୁଲିବ ସେଇଟା ତ ତାଙ୍କର ବଂଶର ରୀତି । ତା’ର ମା’ ବି ସେତିକି ଅଲାଜୁକୀ । ଏଥି ସକାଶେ ମୁଁ ତୁମମାନଙ୍କୁ ଧରି ଗାଁ’କୁ ଆସିବାକୁ ଚାହୁଁନଥିଲି । କୁସଙ୍ଗରେ ପଡ଼ି ଯେତେସବୁ କୁଶିକ୍ଷା ପାଉଛ ! ଯା, ଏଗୁଡ଼ା ଅପୁକୁ ଡାକି ଦେଇ ଆସ, ନ ହେଲେ ବାହାରେ ନେଇ ଫୋପାଡ଼ି ଦେ । ନିମନ୍ତ୍ରଣ କରିଥିଲେ, ନିମନ୍ତ୍ରଣ ଖାଇଆସିବୁ ଛୋଟଲୋକଙ୍କ ଭଳି ଏସବୁ ବାନ୍ଧି ଆଣିବାର ଦରକାର କ’ଣ ?

 

ଅପୁ ଡରିଯାଇ ଆଉ ସୁନୀଲ ଘରେ ପଶିଲା ନାହିଁ । ଘରକୁ ଫେରୁ ଫେରୁ ଭାବିଲା ଯେଉଁସବୁ ଜିନିଷ ଦେଖି ତା’ ମା’ ଖୁସି ହେଲେ, ବଡ଼ ମା’ କାହିଁକି ଏତେ ରାଗିଗଲେ ? ଖାଇବା ଜିନିଷ କ’ଣ ମାଟିଗୋଡ଼ି ଯେ ତାକୁ ଫୋପାଡ଼ି ଦେବାକୁ ହେବ ? ତା’ର ମା’ ଅଲାଜୁକୀ ? ସେ ଫଳାହାରଖିଆ ବ୍ରାହ୍ମଣ ପିଲା ? ବାଃ, ସତେ ଯେମିତି ବଡ଼ମା’ ବହୁତ ଗୋଲାପଜାମୁ ଓ ଗଜା ଖାଇଛନ୍ତି, ତା’ ମା’ ତ ଏସବୁ କିଛି ଖାଇବାକୁ ପାଏନା । ଆଉ ସେ ନିଜେ ବା ଏସବୁ କେତେଦିନ ଖାଇବାକୁ ପାଏ ? ସୁନୀଲ ପାଇଁ ଯାହା ଅନ୍ୟାୟ, ତା’ପାଖରେ ସେଗୁଡ଼ା କେମିତି ନ୍ୟାୟ ହୋଇପାରେ ?

 

ତା’ଦ୍ୱାରା ବିଶେଷ ପାଠପଢ଼ା ହୋଇପାରିଲାନି । ଦହିଚୂଡ଼ା ଖାଇବା, ତୋଳା ବାନ୍ଧି ଆଣିବା, ବାପାଙ୍କ ସାଥିରେ ଯଜମାନ ଘରକୁ ଯିବା ଓ ମାଛଧରା ଆଦି କାମରେ ସେ ଘୁରି ବୁଲେ । ସେହି ସାନ ପିଲା ପଟୁ, ଯିଏ କେଉଟ ସାହି ପିଲାଙ୍କ ସହିତ କଉଡ଼ି ଖେଳିବାକୁ ଯାଇ ମାଡ଼ ଖାଇଥିଲା ଏସବୁ ବ୍ୟାପାରରେ ସେ ଅପୁର ସାଥୀ ବନିଯାଇଛି । ଆଜିକାଲି ସେ ବି ବଡ଼ ହୋଇ ଲମ୍ବା ଦେଖାଗଲାଣି, ମୁଣ୍ଡଟି ବି ତା’ର ଲମ୍ବା । ସବୁ ସମୟରେ ଅପୁ ଭାଇ ସହିତ ବୁଲେ । ସେ ସାହିରୁ ଏ ସାହିକୁ ସେ କେବଳ ଅପୁ ସହିତ ଖେଳିବାକୁ ଆସେ । ଆଉ କାହା ସହିତ ବିଶେଷ ମିଶେନା । ତାକୁ ରକ୍ଷା କରିବାକୁ ଯାଇ ଅପୁ ଭାଇ ଯେ କେଉଟ ପିଲାଙ୍କ ପାଖରୁ ବି ମାଡ଼ ଖାଇଥିଲା, ସେ କଥା ସେ ଏଯାଏ ବି ଭୁଲି ନାହିଁ ।

 

ଅପୁର ମାଛ ଧରିବାର ସଉକ ଅତ୍ୟନ୍ତ ବେଶୀ । ସୋନାଡାଙ୍ଗା ପ୍ରାନ୍ତର ତଳକୁ ଇଚ୍ଛାମତୀ ନଦୀକୂଳରେ କଇଁଚିକଟା ନାଳ ମୁହଁରେ ବନ୍‌ଶୀରେ ବେଶ୍‌ ମାଛ ଲାଗେ । ପ୍ରାୟ ସବୁଦିନେ ସେ ସେହି ସ୍ଥାନରେ ଛତିଆନା ଗଛ ମୂଳରେ ମାଛ ଧରିବାପାଇଁ ବସିଯାଏ । ଜାଗାଟି ତାକୁ ବେଶ୍‌ ଭଲ ଲାଗେ । ଏକାଥରକେ ନିର୍ଜନ । ଦୁଇପଟେ ନଈକୂଳରେ କେତେ ପ୍ରକାରର ଗଛବୃଚ୍ଛ ନଈପାଣିକୁ ନଇଁ ଆସିଛି । ସେ କୂଳରେ ଘନ ସବୁଜ ଶରବଣ । ମଝିରେ କଦମ୍ବ ଓ ଶିମୂଳି ଗଛରୁ ଲତାର ଦୋଳି ଝୁଲୁଛି, ବାଇଗଣୀରଙ୍ଗର ବଣକଲମୀ ଫୁଲରେ ଭର୍ତ୍ତି ବୁଦା, ଦୂରରେ ମାଧବପୁର ଗାଁ’ର ବାଉଁଶ ବଣ, ପକ୍ଷୀର କାକଳିରେ, ବଣର ଛାଇରେ, ଶରବଣର ଶ୍ୟାମଳିମାରେ ଫେଣ୍ଟାଫେଣ୍ଟି ଏକ ସ୍ନିଗ୍‌ଧ ନିର୍ଜନତା ।

 

ସେହି ପିଲାଦିନରୁ ପ୍ରଥମ ନୀଳକୋଠିର ପ୍ରାନ୍ତରକୁ ଆସିବା ଦିନୁ ଏଇ ନଦୀ-ବଣ-ପ୍ରାନ୍ତରର କି ମୋହ ଯେ ତାକୁ ଆଚ୍ଛନ୍ନ କରିଛି, ସେ ଜାଣିପାରେନି । ବନ୍‌ଶୀ ପକେଇ ଛତିଆନା ଗଛର ଛାଇତଳେ ବସି ଚାରିଆଡ଼େ ଚାହିଁଦେଲେ ତା’ର ମନଟି ଅପୂର୍ବ ପୁଲକରେ ଭରିଉଠେ । ମାଛ କିଛି ପଡ଼ୁ ବା ନ ପଡ଼ୁ ଢଳୁଥିବା ବିକାଳର ଛାଇ ଯେତେବେଳେ ପ୍ରାନ୍ତର ପାର୍ଶ୍ୱରେ ଥିବା ଖଜୁରୀ ତୋଟାରେ ପାଚି ଆସୁଥିବା ଖଜୁରୀର ବାସନାରେ ମହକି ଉଠେ, ସ୍ନିଗ୍‌ଧ ସମୀରଣର ଚାରିଦିଗରୁ ହଳଦୀ ବସନ୍ତର “ବୋହୂ କଥା କୁହ’’ କୁହୁତାନ ଭାସି ଆସେ । ବସନ୍ତ କୋଇଲିର ଡାକରେ ପ୍ରାନ୍ତରଟି ମୁଖରିତ ହୋଇଉଠେ । ତାଳପତ୍ରରେ ଅବିର ରଙ୍ଗବିଞ୍ଚି ଦେଇ ସୂର୍ଯ୍ୟଦେବ ଯେତେବେଳେ ସୋନଡାଙ୍ଗା ପ୍ରାନ୍ତରର ସେହି ଦସ୍ୟୁ ଭଳି ଛିଡ଼ା ହୋଇଥିବା ବରଗଛର ଆଢ଼ୁଆଳରେ ନଇଁପଡ଼ନ୍ତି, ନଈର ପାଣି ଅନ୍ଧାରରେ କଳା ଦେଖାଯାଏ । ନଈରେ ଶାରୀବଣିର ଦଳ କଳନିନାଦରେ ନୀଡ଼କୁ ଫେରନ୍ତି, ସେତେବେଳେ ତା’ର ମନ ବିଭୋର ହୋଇଉଠେ, ପୁଲକ ଭରା ନୟନରେ ଚାରିଆଡ଼କୁ ଚାହିଁ ଦେଖେ, ମନେହୁଏ ମାଛ ନ ମିଳିଲେ ବି ପ୍ରତିଦିନ ଏଇ ସ୍ଥାନଟିରେ ସେ ଆସି ବସିବ, ଠିକ୍‌ ଏହି ବୃହତ୍‌ ସପ୍ତପର୍ଣ୍ଣୀ ବୃକ୍ଷ ମୂଳଟିରେ ।

 

ମାଛ ଏବେ ପ୍ରାୟ ଧରା ପଡ଼ନ୍ତିନି । ବନ୍‌ଶୀର ସୋଲଟି ସ୍ଥିରପାଣିରେ ଘଣ୍ଟା ପରେ ଘଣ୍ଟା ନିବାତ, ନିଷ୍କମ୍ପ ଦୀପଶିଖା ଭଳି ଅଟଳ ହୋଇ ଭାସୁଥାଏ । ଗୋଟିଏ ଜାଗାରେ ଏତେ ସମୟ ବସି ରହିବାକୁ ଧୈର୍ଯ୍ୟ ରହେନି । ସେ ଛଟପଟ ହୋଇ ଏପଟ ସେପଟ ଘୁରିବୁଲେ । ବୁଦା ଭିତରେ ପକ୍ଷୀର ନୀଡ଼ ଖୋଜି ବୁଲେ । ଫେରିଆସି ଦେଖେ ସୋଲଟିକୁ କିଏ ଟିକିଏ ଟାଣୁଛି । ତା’ପରେ ବନ୍‌ଶୀ ଉଠେଇ ଦେଖେ, ଆଉ କହେ ଯାଃ, ଦଣ୍ଡିକିରୀ ମାଛର ଝାଁକ ଲାଗିଛି, ଏଇଠି ଆଉ କିଛି ମାଛ ଖାଇବେନି । ତା’ପରେ ସେଇଠୁ ବନ୍‌ଶୀ ଉଠେଇ ଅଳ୍ପ ଦୂରରେ ଥିବା ଶିଉଳି ଦାମ ପାଖକୁ ଯାଇ ବନ୍‌ଶୀ କଣ୍ଟା ପକାଏ । ଜଳର ଗଭୀର କଳା ରଙ୍ଗ ଦେଖିଲେ ମନେହୁଏ, ସତେ ଯେମିତି ରୋହି, ଭାକୁର ଏବେ ଥୋପ ଗିଳିବ ! ଭ୍ରମ ଦୂର ହେବାକୁ ବେଶୀ ଡେରି ଲାଗେନି । ସୋଲଟି ନିର୍ବିକଳ୍ପ ସମାଧି ଅବସ୍ଥାରେ ରହିଯାଏ ।

 

କେବେ କେବେ ସାଙ୍ଗରେ ବହିଟିଏ ଧରି ଆସିଥାଏ । ବନ୍‌ଶୀ କଣ୍ଟା ପାଣିରେ ପକେଇ ବହି ଖୋଲି ପଢ଼େ । ସୁରେଶ ପାଖରୁ ଖଣ୍ଡିଏ ତଳ ଶ୍ରେଣୀର ଛବିଥିବା ଇଂରାଜୀ ବହି ଓ ତାହାର ମାନେ ବହିଟି ବି ମାଗି ଆଣିଥାଏ । ଇଂରାଜୀରେ ବୁଝିପାରେନି, ମାନେ ବହି ଦେଖି ଗପଟିର ଅର୍ଥ ବୁଝି ନିଏ ଏବଂ ଇଂରାଜୀ ବହିଟିରୁ କେବଳ ଚିତ୍ର ଦେଖେ । ଦେଶ ବିଦେଶର କଥା ଓ ସବୁ ପ୍ରକାରର ମହତ୍ତ୍ୱପୂର୍ଣ୍ଣ କାହାଣୀ ପିଲାଦିନରୁ ତା’ ମନରେ ଆଲୋଡ଼ନ ସୃଷ୍ଟି କରେ । ଏହି ବହିଟିରେ ସେମିତି ଅନେକଗୁଡ଼ିଏ ଗପ ଅଛି । କେଉଁଠିକାର ମୁକ୍ତ ପ୍ରାନ୍ତରରେ ଜଣେ ପରିବ୍ରାଜକ ବିଷମ ବରଫ ଝଡ଼ ଭିତରେ ରାସ୍ତା ଭୁଲି ଚକ୍ରାକାରରେ ବୁଲି ବୁଲି ଶୀତରେ ପ୍ରାଣ ହରେଇ ଥିଲେ, ଅଜଣା ମହା ସମୁଦ୍ର ଭିତରେ ଯାତ୍ରା କରୁ କରୁ କ୍ରିଷ୍ଟୋଫାର କଲମ୍ବସ୍‌ କିଭଳି ଆମେରିକା ଆବିଷ୍କାର କରିଥିଲେ ଏମିତି ସବୁ ଗପ । ଯେଉଁ ଦୁଇଜଣ ଇଂରେଜ ବାଳକ-ବାଳିକା ସମୁଦ୍ର କୂଳର ପର୍ବତ ଶିଖରରେ ଶଙ୍ଖଚିଲର ନୀଡ଼ରୁ ଅଣ୍ଡା ସଂଗ୍ରହ କରିବାକୁ ଯାଇ ବିପଦଗ୍ରସ୍ତ ହୋଇଥିଲେ, ସାହସିନୀ ବାଳିକା ପ୍ରାସକୋଭିଆ ଲପୁଲଫ୍‌ ନିର୍ବାସିତ ପିତାଙ୍କ ନିର୍ବାସନ ଦଣ୍ଡ ପ୍ରତ୍ୟାହାର ଆଶାରେ ଜନହୀନ ତୁଷାରାବୃତ ପ୍ରାନ୍ତର ସୁଦୂର ସାଇବେରିଆରୁ ଏକା ବାହାରି ଆସିଥିଲା ସେମାନଙ୍କୁ ଯେମିତି ଦେଖିଲେ ସେ ଚିହ୍ନିପାରିବେ ।

 

ସାର୍‌ ଫିଲିପ୍‌ ସିଡ୍‌ନିର ଛୋଟ ଗଳ୍ପଟି ପଢ଼ି ତା’ ଦୁଇ ଆଖିରେ ଲୁହ ଭର୍ତ୍ତି ହୋଇଗଲା । ସୁରେଶ ନିକଟକୁ ଯାଇ କହିଲା ସୁରେଶ ଭାଇ, ତୁମେ ଏ ଗପଟି ଜାଣ ? ବିଶଦ ଭାବରେ କୁହନା ?

 

ସୁରେଶ କହିଲା ଆରେ, ଜୁଟଫେନ୍‌ର ଯୁଦ୍ଧ କଥା !

 

ଅପୁ ଅବାକ୍‌ ହୋଇ କହିଲା କ’ଣ କହିଲ, ସୁରେଶ ଭାଇ ? ଜୁଟଫେନ୍‌ ସେଇଟା କେଉଁଠି ?

 

ସୁରେଶ ତା’ଠୁ ଅଧିକ ଜାଣିନଥିଲା, ତେଣୁ କହିପାରିଲାନି ।

 

ମାସଟିଏ ବିତିଯାଇଛି ଏହା ଭିତରେ । ଦିନକର ଘଟଣା । ଅପୁ ମାଛ ଧରିବା ପାଇଁ ଯାଇଥିଲା । ଗୋଟାଏ ବଡ଼ ସେରଣା ମାଛ କେମିତି କେଜାଣି ତା’ ବନ୍‌ଶୀରେ ଉଠିଆସିଲା ।

 

ଲୋଭରେ ଅପୁ ଆଉ ସେ ସ୍ଥାନ ଛାଡ଼ିବାକୁ ନାରାଜ ଡାଳପତ୍ର ଭାଙ୍ଗି ସେଠାରେ ବିଛେଇ ବସିଗଲା ।

 

କ୍ରମେ ବେଳ ଗଡ଼ିଗଲା । ନଦୀକୂଳର ପ୍ରାନ୍ତରରେ ସେହି ଅପୂର୍ବ ନୀରବତା । ନଈପଠା ସେ ପଟେ ପଟୁମାଟିର ପ୍ରାନ୍ତରରେ ସୁଦୂର ପ୍ରସାରୀ ଶରବଣରେ, କାଶତଣ୍ଡିର ବୁଦାରେ, କଦମ୍ବ ଓ ଶିମୂଳି ଗଛର ଶୀର୍ଷରେ, ପୁଣିଥରେ ତା’ର ଶୈଶବର ପୁଲକିତ ଶୁଭ ମୁହୂର୍ତ୍ତର ଅତି ପରିଚିତ, ପୁରାତନ ସାଥୀ ସେହି ବିକାଳରେ ମଳିନ ହୋଇ ଆସୁଥିବା ସୂର୍ଯ୍ୟରଶ୍ମି ବିଞ୍ଚି ହୋଇ ପଡ଼ିଥାଏ ।

 

ବଙ୍ଗବାସୀ କାଗଜରେ ପଢ଼ିଥିବା ଭ୍ରମଣ କାହାଣୀରେ ବିଲାତ ଯାତ୍ରୀର ଚିଠିରେ ପଢ଼ିଥିବା ସେହି ସୁନ୍ଦର ଗପଟି ତା’ର ମନେପଡ଼ିଯାଏ...

 

ସେ ସୁରେଶ ଭାଇର ଇଂରାଜୀ ମାନଚିତ୍ରରେ ଭୂମଧ୍ୟ ସାଗର କେଉଁଠି ଦେଖିଥିଲା । ତା’ରି ସେପଟେ ଫ୍ରାନ୍‌ସ ଦେଶ ବୋଲି ମଧ୍ୟ ସେ ଜାଣିଛି । କେତେକାଳ ଆଗରୁ ଫ୍ରାନ୍‌ସ ଦେଶର ବୁକୁ ଉପରେ ବୈଦେଶିକ ସୈନ୍ୟବାହିନୀ ମାଡ଼ିବସିଛି । ଦେଶ ବିପନ୍ନ । ରାଜା ଶକ୍ତିହୀନ । ଚାରିପଟେ ଅରାଜକତା, ଲୁଟ୍‌ତରାଜ ଲାଗି ରହିଛି । ଜାତିର ଏଭଳି ଘୋର ଅପମାନର ସମୟରେ ଲରେନ୍‌ ପ୍ରଦେଶର ଭିତରେ ଥିବା ଏକ ଛୋଟ ଗାଁ’ର ଜଣେ ଦରିଦ୍ର କୃଷକର ଝିଅ, ବାପାର ମେଷପଲ ଚରେଇବା ପାଇଁ ନିଏ । ମେଷ ଦଳକୁ ଇତସ୍ତତଃ ଛାଡ଼ିଦେଇ ନିଭୃତ ପଲ୍ଲୀପ୍ରାନ୍ତରର ତୃଣଭୂମି ଉପରେ ବସି ତା’ର ସୁନୀଳ ନୟନରେ ଆକାଶ ଆଡ଼କୁ ଅନେଇ ନୀରବରେ ନିଜ ଦେଶର ଦୁର୍ଦ୍ଦଶା କଥା ଚିନ୍ତାକରେ । ଦିନପରେ ଦିନ ଏମିତି ଭାବିବାରେ ଲାଗିଲା । ହଠାତ୍‌ ଦିନେ ତା’ର ନିଷ୍ପାପ କୁମାରୀ ମନରେ ଭାବନା ହେଲା ଯେମିତି କିଏ ତାକୁ କହୁଛି ତୁମେ ଫ୍ରାନ୍‌ସର ରକ୍ଷାକର୍ତ୍ତୀ । ତୁମେ ରାଜସୈନ୍ୟମାନଙ୍କୁ ଏକାଠିକର, ଅସ୍ତ୍ରଧାରଣ କର । ଦେଶ ଓ ଜାତିର ପରିତ୍ରାଣର ଦାୟିତ୍ୱ ତୁମ ହାତରେ । ଦେବୀ ମେରୀ ଥିଲେ ତା’ର ଉତ୍ସାହଦାତ୍ରୀ ଦୂର ସ୍ୱର୍ଗରୁ ତାଙ୍କର ଆହ୍ୱାନ ଦିନ ପରେ ଦିନ ଆସୁଥିଲା । ତା’ପରେ ନବତେଜୋଦୃପ୍ତ ଫରାସୀ ସେନାବାହିନୀ କେମିତି ଶତ୍ରୁ ସୈନ୍ୟକୁ ଦେଶରୁ ବିତାଡ଼ିତ କଲେ, କେମିତି ସେହି ଭାବମୟୀ କୁମାରୀ କନ୍ୟା ନିଜେ ଅସ୍ତ୍ରଧାରଣ କରି ଦେଶର ରାଜାଙ୍କୁ ସିଂହାସନରେ ପୁନଃ ପ୍ରତିଷ୍ଠା କରାଇଲେ ଏବଂ ପରେ ଅଜ୍ଞାନାନ୍ଧ ସାଧାରଣ ଜନତା କିଭଳି ତାହାକୁ ଡାହାଣୀ ଅପବାଦରେ ପୋଡ଼ି ମାରି ଦେଇଥିଲେ ଏସବୁ କଥାହିଁ ସେ ଆଜି ପଢ଼ୁଛି ।

 

ଏହି ବିକାଳ ବେଳରେ, ଏହି ଶାନ୍ତ ନଦୀଟିର କୂଳରେ ଗପଟି ଭାବୁ ଭାବୁ ତା’ ମନ ଏକ ଅପୂର୍ବ ଭାବରେ ପୁରିଉଠିଲା । କୁମାରୀର ଯୁଦ୍ଧ କଥା, ଜୟର କାହାଣୀ, ଅନ୍ୟାନ୍ୟ ସବୁକଥା, ସେ ସେତେଟା ଭାବେନି । କିନ୍ତୁ ଯେଉଁ ଛବିଟି ତା’ର ମନକୁ ଆନ୍ଦୋଳିତ କରେ ତାହାହେଲା ନିର୍ଜନ ପ୍ରାନ୍ତରରେ ଚିନ୍ତାରତା ବାଳିକା, ତା’ ଚାରିପଟେ ଏଣେତେଣେ ବିଚରଣଶୀଳ ମେଷପଲ, ତଳେ ଶ୍ୟାମଳ ତୃଣଭୂମି ଓ ମୁଣ୍ଡ ଉପରେ ମୁକ୍ତ ନୀଳ ଆକାଶ । ଗୋଟାଏ ପଟେ ଦୁର୍ଦ୍ଧର୍ଷ ବୈଦେଶିକ ଶତ୍ରୁ, ନିଷ୍ଠୁରତା, ବିଜୟ ଲାଳସାର ଦର୍ପ, ରକ୍ତସ୍ରୋତ ଅନ୍ୟପଟେ ଜଣେ ସରଳା, ଦିବ୍ୟ ଭାବମୟୀ ନୀଳନୟନା ପଲ୍ଲୀବାଳିକା । ଛବିଟି ତା’ର ପ୍ରବର୍ଦ୍ଧମାନ ବାଳକ ପ୍ରାଣକୁ ମୁଗ୍‌ଧ କରିଦେଇଥିଲା ।

 

ଆହୁରି ଅନେକ ଛବି ମନକୁ ଆସେ । କେତେଦୂରରେ ନୀଳ ସମୁଦ୍ର ଘେରା ମାଟନିକ ଦ୍ୱୀପ । ଚାରିପଟେ ଆଖୁର କ୍ଷେତ । ମୁଣ୍ଡ ଉପରେ ନୀଳ ଆକାଶ, ଦୂରରୁ ଦୂରକୁ ବହୁ ଦୂରକୁ ଲମ୍ବିଯାଇଛି କେବଳ ନୀଳ ଆକାଶ ଆଉ ନୀଳ ସମୁଦ୍ର । କେବଳ ନୀଳ ଆଉ ନୀଳ । ଆହୁରି କେତେ କ’ଣ, ସେ କଥା ବୁଝେଇ ହେବନି, ଭାଷାରେ କହିହେବନି ।

 

ବନ୍‌ଶୀ ଗୋଟେଇ ସେ ଘରକୁ ଫେରିବାର ପ୍ରସ୍ତୁତି କରେ । ନଈ କୂଳେ କୂଳେ ମୁଣ୍ଡପାତି ଲମ୍ବିଯାଇଥିବା ବବୁରୀ, ସାଇଁବବୁରୀ ଗଛ ନଦୀର କଳା ସ୍ନିଗ୍ଧ ଜଳରେ ଫୁଲର ସମ୍ଭାର ଓଜାଡ଼ି ଦେଇଛି । ସୋନାଡାଙ୍ଗା ପ୍ରାନ୍ତର ମଝିରେ ଦସ୍ୟୁଭଳି ଛିଡ଼ା ହୋଇଥିବା ବରଗଛର ଅନ୍ତରାଳରେ ପ୍ରକାଣ୍ଡ ରକ୍ତିମ ସୂର୍ଯ୍ୟ ଢଳି ପଡ଼ିଛି । ମନେହେଉଛି ସତେ ଯେମିତି କୁବେରପୁରୀର ଜ୍ୱଳନ୍ତ ଫେନିଳ ସୁବର୍ଣ୍ଣ ସମୁଦ୍ର ଭିତରୁ ଜଣେ ଦେବଶିଶୁ ଫୁଙ୍କିଦେଇ ଗୋଟିଏ ବୁଦ୍‌ବୁଦ୍‍ ଆକାଶକୁ ଉଡ଼େଇ ଖେଳୁଛି ଆଉ ଏବେ ସେଇଟି ପଶ୍ଚିମ ଦିଗନ୍ତରେ ବଣର ଅନ୍ତରାଳରେ ଖସିପଡ଼ୁଛି ।

 

ପଛରୁ କିଏ ଜଣେ ତା’ର ଆଖି ଚାପି ଧରିଲା । ସେ ବଳ ମୁତାବକ ହାତ ଛଡ଼େଇ ନେଲା । ସେତିକିବେଳେ ପଟୁ ଖିଲି ଖିଲି ହସି ଆଗକୁ ଆସି କହିଲା ତୋତେ ଖୋଜି ଖୋଜି କେଉଁଠି ପାଇଲିନି ଅପୁଭାଇ, ତା’ପରେ ଭାବିଲି ତୁ ଠିକ୍‌ ମାଛ ଧରିବାକୁ ଆସିଥିବୁ, ତେଣୁ ଏଠାକୁ ଆସିଲି । ମାଛ ପଡ଼ିନି ?... ଗୋଟାଏ ବି ନାହିଁ । ତା’ହେଲେ ଚାଲ, ଗୋଟିଏ ନୌକା ଖୋଲି ନେଇ ନଈ ମଝିରୁ ବୁଲିଆସିବା । ଯିବୁ ?

 

କଦମ୍ବ ଗଛ ମୂଳରେ ସାହେବ ଘାଟ । ଅନେକ ଦୂର ଦେଶରୁ ଏଠାକୁ ନୌକା ଆସେ । ଛପର ପାଇଁ ଗୋଲ୍‌ ପତର ବୋଝେଇ ନୌକା, ଧାନ-ବୋଝେଇ, ଶାମୁକା-ବୋଝେଇ ନୌକା ଧାଡ଼ି ହୋଇ ବନ୍ଧା ହୋଇଛି, ନଦୀର କେଉଟମାନେ ଶାମୁକା ଗୋଟେଇବା ପାଇଁ ବଡ଼ ଜାଲ ବାନ୍ଧିଛନ୍ତି । ବର୍ଷର ଏହି ସମୟରେ ଏମାନେ ଦକ୍ଷିଣରୁ ଶାମୁକା ଗୋଟେଇବା ପାଇଁ ଆସନ୍ତି । ମଝି ନଈରେ ନୌକା ସହିତ ନୌକାକୁ ଯୋଡ଼ି ରଖିଛନ୍ତି । ଅପୁ ନଈବନ୍ଧରେ ବସି ଦେଖୁଥିଲା । ଜଣେ କଳାରଙ୍ଗର ଲୋକ ବାରମ୍ବାର ନଈରେ ବୁଡ଼ି ଶାମୁକା ଖୋଜୁଛି ଓ ଅଳ୍ପ ସମୟ ପରେ ନୌକା ପାଖରେ ଉଠି ହାତର ଥଳିରୁ ଦୁଇ ଚାରି ଖଣ୍ଡ ସାଉଁଟିଥିଲା ଶାମୁକା ବାଲିକାଦୁଅର ଗଦା ଭିତରୁ ଛାଣି ନୌକା ଭିତରକୁ ଫୋପାଡ଼ି ଦେଉଥିଲା । ଅପୁ ଖୁସିରେ ସେଇ ଆଡ଼କୁ ଆଙ୍ଗୁଳି ଦେଖେଇ ପଟୁକୁ କହିଲା ଦେଖ ପଟୁ, କେତେ ସମୟ ଧରି ପାଣି ଭିତରେ ବୁଡ଼ି ରହୁଛି ? ଆମେ ଏକ-ଦୁଇ କରି ଗଣିବା ଚାଲ ତୁ ଏତେ ସମୟ ଧରି ବୁଡ଼ି ରହିପାରିବୁ ?

 

ନଈକୂଳର ଦୁବ ଘାସରେ ଆବୃତ । ପାଣିର ଧାର ପର୍ଯ୍ୟନ୍ତ ସେମିତି ନୁଆଁଣିଆ ହୋଇ ଗଡ଼ିଯାଇଛି । ଏଠିସେଠି ବୋଝେଇ ନୌକାକୁ ବାନ୍ଧିରଖିବା ଖୁଣ୍ଟି ପୋତାଯାଇଛି, ଲଙ୍ଗର ବି ପଡ଼ିଛି । ଏମାନେ ସବୁ କାହିଁ କେତେ ଦୂରରୁ ଆସିଥିବେ । କେତେ ବଡ଼ ନଦୀ, ନାଳ ପାରି ହୋଇ ବଡ଼ ବଡ଼ ଲୁଣା ନଦୀରେ ଜୁଆର-ଭଟ୍ଟା ତୋଫାନ ଅଙ୍ଗେ ନିଭେଇ ଘୁରିବୁଲନ୍ତି । ଅପୁର ଭୀଷଣ ଇଚ୍ଛା ହୁଏ, ନାଉରୀମାନଙ୍କ ପାଖରେ ବସି ସେ ସବୁ ଦେଶର ଗପ ଶୁଣନ୍ତା । ତାକୁ ବି କେବଳ ନଈ ଆଉ ସମୁଦ୍ରମାନଙ୍କ ଭିତରେ ବୁଲିବାକୁ ଇଚ୍ଛା ହୁଏ । ଆଉ ସେ କିଛି କାମନା କରନ୍ତାନି । ସୁରେଶର ବହିଟିରେ ନାନାଦେଶର ନାବିକମାନଙ୍କ କଥା ପଢ଼ିବାଠୁ ତା’ର ଏହି ଇଚ୍ଛା ଏବେ ପ୍ରବଳ ହୋଇପଡ଼ିଛି । ପଟୁ ସହିତ ନୌକା ପାଖକୁ ଯାଇ ଦୁହେଁ ଗୋଲ ପତରର ଦାମ୍‍ ପଚାରିଲେ । ତୁମର ଏ ଧାନବୋଝେଇ ନୌକାଟି କେଉଁଠୁ ଆସିଛି, ନାଉରୀ ଭାଇ ?... ଝାଳକାଠିର ? ସେ କେଉଁପଟେ, ଏଠାରୁ କେତେଦୂର ?...

 

ପଟୁ କହିଲା ଅପୁ ଭାଇ, ତେନ୍ତୁଳି ତୋଟାର ଘାଟ ପାଖକୁ ଯିବା ଚାଲ, ସେଇଠୁ ଗୋଟିଏ ହୁଲି ଡଙ୍ଗା ନେଇ ଟିକିଏ ବୁଲିଆସିବା ।

 

ଦୁଇଜଣ ତେନ୍ତୁଳି ତୋଟାର ଘାଟରୁ ଗୋଟିଏ ହୁଲିଡଙ୍ଗା ଖୋଲି, ତାକୁ ଟିକିଏ ଆଗକୁ ଠେଲି ନେଇ ତା’ଉପରେ ଚଢ଼ିଗଲେ । ନଦୀ ଜଳରୁ ଶୀତ ଆର୍ଦ୍ର ଗନ୍ଧ ଉଠୁଥିଲା । କଳମ ଶାଗରେ ଭର୍ତ୍ତି ଦାମ ଭିତରେ ପାଣିବଗ ବସିଥିଲେ । ନଈ ପଠାର କୂଳେ କୂଳେ କୃଷକମାନେ ପୋଟଳ କିଆରୀରୁ ଅନାବନା ଘାସ ବାଛୁଥିଲେ । କେହି କେହି ଘାସକାଟି ବୋଝ ବାନ୍ଧୁଥିଲେ । ଓଉତିହର ବାଙ୍କଠି ତୀରବର୍ତ୍ତୀ ଗହଳ ବୁଦାମାନଙ୍କରେ ଶାରୀବଣିମାନେ କଳରବରେ ମାତିଥିଲେ । ବେଳ ରତରତ ହୋଇ ଆସୁଥିଲା । ପୂର୍ବ ଆକାଶରେ ନାନାରଙ୍ଗର ମେଘଖଣ୍ଡ ଭାସୁଥିଲା ।

 

ପଟୁ କହିଲା ଅପୁ ଭାଇ ଗୋଟିଏ ଗୀତ ଗାଉନୁ ? ସେହି ଦିନର ଗୀତଟି ? ଅପୁ କହିଲା ନା, ସେଇଟା ନୁହେଁ । ବାପାଙ୍କ ପାଖରୁ ଆଉ ଗୋଟିଏ ଗୀତର ସୁର ଶିଖିଛି, ଖୁବ୍‌ ଭଲ ଗୀତଟିଏ କିନ୍ତୁ ଏଠାରେ ଗାଇବିନି । ଆଉ ଟିକିଏ ଆଗକୁ ଗଲେ ଗାଇବି ଭାଇ, ଦେଖୁନୁ ଏଠି ପଠାରେ ବହୁତ ଲୋକ ଅଛନ୍ତି ।

 

ତୁ ଭୀଷଣ ଲାଜକୁଳା, ଅପୁ ଭାଇ । ଲୋକ ଯାଇ କାହିଁ କେତେ ଦୂରରେ ଆଉ ତୁ ଗୀତ ଗାଇବାକୁ ଲାଜ କରୁଛୁ । ଯାଃ, ତୋତେ ପାରିହେବନି, ଗା, ଏଥର ସେଇ ଗୀତଟା ।

 

କିଛି ବାଟ ଗଲା ପରେ ଅପୁ ଗୀତ ଗାଇବାକୁ ଆରମ୍ଭ କଲା । ପଟୁ ବାଉଁଶ କାତିର ମୋଡ଼ାଟି ଟାଣି ନେଇ ନୌକାର ସାମନା ମଙ୍ଗ ପାଖରେ ଚୁପ୍‌ ହୋଇ ବସିଲା ଓ ମନଯୋଗ ସହିତ ଶୁଣିଲା । ନୌକା ବାହିବାର ଆବଶ୍ୟକତା ନ ଥିଲା । ସ୍ରୋତରେ ମନକୁ ମନ ବୁଲି ବୁଲି ହୁଲିଡଙ୍ଗାଟି ଲାଭାଙ୍ଗରୁ ବଡ଼ବାଙ୍କ ଆଡ଼କୁ ଯାଉଥିଲା । ଅପୁର ଗୀତ ଶେଷ ହେଲାରୁ ପଟୁ ବି ଗୀତଟିଏ ଆରମ୍ଭ କଲା । ଅପୁ ଏଥର ନୌକା ବାହିବାରେ ଲାଗିଲା । ନୌକା କିଛି କମ୍‍ ଦୂରଯାଏ ଆସିନଥିଲା ଏହା ଭିତରେ ଲାଭାଙ୍ଗର ବାଙ୍କଟା ଦୃଷ୍ଟି ଭିତରକୁ ଆସିଯାଇଥିଲା । ହଠାତ୍‌ ପଟୁ ଈଶାନ୍‌ କୋଣ ଆଡ଼କୁ ଆଙ୍ଗୁଳି ଦେଖେଇ କହିଲା ଆରେ ଏ ଅପୁ ଭାଇ, କେମିତିକା ମେଘ ଘୋଟୁଛି, ଦେଖିଲୁଣି ? ଏବେ ଝଡ଼ ଆସିଯିବ ବୋଧେ ନୌକା ଫେରେଇବୁ ?

 

ଅପୁ କହିଲା ଆସୁ ଝଡ଼ । ଝଡ଼ରେ ନୌକା ବାହିବା ପାଇଁ, ଗୀତ ଗାଇବା ପାଇଁ ତ ଭଲ ଲାଗେ । ଚାଲ, ଆହୁରି ଆଗକୁ ଯିବା ।

 

କଥା କହୁ କହୁ ଘନକଳା ମେଘ ମାଧବପୁରର ପ୍ରାନ୍ତରପଟୁ ଘୋଟି ଆସି ସାରା ଆକାଶ ଆଚ୍ଛନ୍ନ ହୋଇଗଲା । ତାହାର କଳା ଛାଇ ନଈଜଳକୁ ବି ଘନଘୋଟ କରି ପକେଇଲା । ପଟୁ ଉତ୍ସୁକ ହୋଇ ଆକାଶକୁ ଅନେଇ ରହିଲା । ବହୁତ ଦୂରରେ ସଁ ସଁ ଶବ୍ଦ ଶୁଭିଲା । ଗୋଟିଏ ଅସ୍ପଷ୍ଟ ଗୋଳମାଳର ଶବ୍ଦ ସହିତ ପକ୍ଷୀମାନଙ୍କର କଳରବ ଶୁଣାଗଲା । ଥଣ୍ଡା ପବନ ବୋହିଲା, ଭିଜାମାଟିର ଗନ୍ଧ ଭାସି ଆସିଲା । ଡେଣାଲଗା ଅରଖ ମଞ୍ଜି ସବୁ କ୍ଷେତ ପଟୁ ବହୁତ ସଂଖ୍ୟାରେ ଉଡ଼ିଆସିଲା । ଚାହୁଁ ଚାହୁଁ ଗଛ ଡାଳ ଡାଳ ସବୁ ମୁଣ୍ଡ ନୁଆଁଇ ଦୋହଲି ଦୋହଲି ଭାଙ୍ଗିବାକୁ ଲାଗିଲା ଓ କାଳବୈଶାଖୀର ଝଡ଼ ମାଡ଼ି ଆସିଲା ।

 

ପଟୁ କହିଲା ଅପୁ ଭାଇ, ଭୀଷଣ ଅମାନିଆ ପବନ, ଆଗକୁ ଆଉ ନୌକା ଯିବନି । କିନ୍ତୁ ଯଦି ଓଲଟି ପଡ଼େ ? ଯାହା ହେଉ ସୁନୀଲକୁ ସାଥିରେ ଆମେ ଆଣିନୁ !

 

ଅପୁ କିନ୍ତୁ ପଟୁର କିଛି କଥା ଶୁଣୁନଥିଲା । ସେ ଆଡ଼କୁ ତା’ କାନ ବି ନ ଥିଲା । ମନ ବି ନ ଥିଲା । ସେ ନୌକାର ଗୋଟିଏ କୋଣରେ ବସି ଏକ ଲୟରେ ତୋଫାନକ୍ଷୁବ୍ଧ ନଦୀ ଆକାଶ ଆଡ଼େ ଚାହିଁ ରହିଥିଲା । ତା’ର ଚାରିପଟେ ନଈଟିର କଳା ନୃତ୍ୟରତା ପାଣି, ଉପରେ ଉଡ଼ୁଥିବା ବଗବଗୁଲିର ଦଳ, ଝଡ଼ର ମେଘମାଳା, ଦକ୍ଷିଣ ଦେଶର ନାଉରୀମାନଙ୍କ ଶାମୁକାର ସ୍ତୂପ, ସ୍ରୋତରେ ଭାସମାନ ବାଇଗଣି କଇଁଫୁଲର ଗଛ, ସତେ ଯେମିତି ଲିଭି ହୋଇଯାଉଛି । ଅପୁ ନିଜକୁ ବଙ୍ଗବାସୀ ଖବର କାଗଜର ବିଲାତ-ଯାତ୍ରୀରୂପେ କଳ୍ପନା କଲା । ତା’ର ପୋତଟି କଲିକତାରୁ ଯାତ୍ରା ଆରମ୍ଭ କରିଛି । ବଙ୍ଗୋପସାଗରର ମୁହାଣରେ ସାଗରଦ୍ୱୀପକୁ ପଛରେ ରଖି ସମୁଦ୍ର ମଝିରେ କେତେ ଅଜଣା କ୍ଷୁଦ୍ର ଦ୍ୱୀପ ପାରିହୋଇ ସିଂହଳ ଉପକୂଳରେ ପହଞ୍ଚିଛି । ସେଠାରେ ଶ୍ୟାମସୁନ୍ଦର ନାରିକେଳ ବଣର ଶାଖା ଦେଖୁ ଦେଖୁ କେତେ ଅପୂର୍ବ ଦେଶର ନୀଳ ପାହାଡ଼ର ଦୃଶ୍ୟ ଦୂର ଚକ୍ରାବାଳରେ ରଖି, ସୂର୍ଯ୍ୟାସ୍ତର ରକ୍ତିମ ଆଲୋକରେ ଅଭିଷିକ୍ତ ହୋଇ, ନୂତନ ଦେଶର କେତେ ଦୃଶ୍ୟ ପରିବର୍ତ୍ତନର ଭିତରେ ଗତି କରୁଛି । ଆଗକୁ ଆଗେଇ ଯାଉଛି ! ଆଗକୁ !

 

ଦୂରର ସେହି ଦେଖା ସମୁଦ୍ର ବକ୍ଷଟି ଏଇ ଇଚ୍ଛାମତୀ ନଦୀ ଜଳ ପରି ଭଳା, ଗଭୀର କ୍ଷୁବ୍ଧା । ଆରବସାଗରର ସେହି ଦ୍ୱୀପଟି ବି ଏମିତି ସବୁଜ ବଣ ବୁଦାରେ ପରିପୂର୍ଣ୍ଣ । ଏମିତି ଏକ ସନ୍ଧ୍ୟାରେ ଗଛମୂଳରେ ବସି ସେ ସେହି ଏଡେନ୍‌ ବନ୍ଦରର ‘ବିଲାତ ଯାତ୍ରୀ’ ପରି ରୂପସୀ ଆରବ ରମଣୀର ହାତରୁ ଗୋଟିଏ ଗ୍ଲାସ୍‌ ପାଣି ମାଗି ନେଇ ଯିବ । ଓଉ ଗଛର ବାଙ୍କ ଆଡ଼କୁ ଚାହିଁଲେ ଖବର କାଗଜରେ ବର୍ଣ୍ଣିତ ଜାହାଜ ପଛରେ ସେହି ଉଡ଼ୁଥିବା ଜଳଚରପକ୍ଷୀ ଦଳକୁ ସେ ସତେ ଯେମିତି ଦେଖିପାରୁଥିଲା ।

 

ସେ ବି ଏମିତି ସବୁ ଜାଗାକୁ ଯିବ, ଏଇ ସବୁ ଦୃଶ୍ୟ ଦେଖିବ, ବିଲାତ ଯିବ, ଜାପାନ ଯିବ, ବାଣିଜ୍ୟଯାତ୍ରା କରିବ, ବଡ଼ ସୌଦାଗରଟିଏ ହେବ, ସବୁବେଳେ ସମୁଦ୍ର ଭିତରେ ଦେଶ-ବିଦେଶରେ ଘୁରି ବୁଲିବ, ବଡ଼ ବଡ଼ ବିପଦର ସମ୍ମୁଖୀନ ହେବ । ଚୀନ ଦେଶର ସମୁଦ୍ର ଭିତରେ ଆଜିର ଏ ମନମତାଣିଆ କାଳବୈଶାଖୀ ଝଡ଼ପରି ବିଷମ ଝଡ଼ରେ ତା’ର ଜାହାଜ ଟଳମଳ ହେବ । ‘ମୋର ଅୂପର୍ବ ଭ୍ରମଣ’ରେ ବର୍ଣ୍ଣିତ ନାବିକମାନଙ୍କ ପରି ସେ ବି ପ୍ରାଣରକ୍ଷାକାରୀ ନୌକାରେ ବସି ଜଳମଗ୍ନ ପାହାଡ଼ ଦେହରେ ଲାଗିଥିବା ଗେଣ୍ଡାଶାମୁକା ପୋଡ଼ି ଖାଉ ଖାଉ ଅକୁଳ ସମୁଦ୍ରରେ ଯାତ୍ରା କରିବ । ସେଇ ଯେଉଁ ମାଧବପୁର ଗ୍ରାମର ବାଉଁଶ ବତା ଉପରେ ରେଶମୀ ରଙ୍ଗର ମେଘର ପାହାଡ଼ଟା କିଛିଟା ଆଗକୁ ନଇଁ ରହିଥିଲା ତା’ର ସେପଟେ ସେସବୁ ନୀଳ ସମୁଦ୍ର, ଅଜଣା ବେଳାଭୂମି, ନାରିକେଳ ଉଦ୍ୟାନ, ଆଗ୍ନେୟଗିରି, ତୁଷାର ବର୍ଷୀ ପ୍ରାନ୍ତର, ଜଳକା, ସରଯୂ, ଗ୍ରେସ୍‌ଡାର୍ଲିଙ୍ଗ୍‌, ଜୁଟଫେନ୍‌, ଶାରୀବଣିର ଅଣ୍ଡା ଆହରଣ ରତ ସେହି ଇଂରେଜ ବାଳକବାଳିକା, ସୁନକର ଯାଦୁକର ବରଗଛ, ନିର୍ଜନ ପ୍ରାନ୍ତରରେ ଚିନ୍ତାରତା ଲୋବେନର ସେହି ନୀଳନୟନା ପଲ୍ଲୀବାଳିକା ଜୋୟାନ୍‌ ଆହୁରି କେତେ କ’ଣ ଅଛି । ତା’ଘରେ ଥିବା ଟିଣ ବାକ୍ସର ବହି କେତେଖଣ୍ଡ ରାନୁ ନାନୀ ଘରର ବହିସବୁ, ସୁରେଶ ଭାଇ ପାଖରୁ ମାଗିନେଇ ରଖିଥିବା ବହି କେତେଟା, ପୁରୁଣା ବଙ୍ଗବାସୀ କାଗଜ ସବୁ, ସେ ଦେଶଗୁଡ଼ିକର କଥାହିଁ ତାକୁ କୁହେ । ସେହି ଦେଶମାନଙ୍କରେ କେଉଁଠି, କିଏ ସବୁ ସତେ ଯେମିତି ତାକୁ ଅପେକ୍ଷା କରି ରହିଛନ୍ତି । ସେଠାରୁ ଦିନେ ନା ଦିନେ ଡକରା ଆସିବ ଆଉ ସେ ନିଶ୍ଚୟ ଯିବ ।

 

ଏ କଥା ତା’ ମନକୁ ଆସେନି ଯେ କେତେଦୂରରେ ସେ ସବୁ ଦେଶ ଅବସ୍ଥିତ । କିଏ ବା ତାକୁ ସେଠାକୁ ନେଇଯିବ, କେମିତି ତା’ର ଯାତ୍ରା ସମ୍ଭବ ହେବ ! ଆଉ କିଛିଦିନ ପରେ ଘର ଘର ଠାକୁର ପୂଜା କରି ଯାହାକୁ ସଂସାରର ଗୁଜରାଣ ମେଣ୍ଟେଇବାକୁ ପଡ଼ିବ, ରାତିରେ ପାଠ ପଢ଼ିବା ପାଇଁ ଯାହାକୁ ମା’ଠୁ ଗାଳି ଶୁଣିବାକୁ ହୁଏ, ଏତେଦିନ ଯାଏ ସେ ସ୍କୁଲର ପିଣ୍ଡା ମାଡ଼ି ପାରିଲାନି, ଏଇ ଲୁଗା, ଭଲ ଜିନିଷ କାହାକୁ କୁହେ ସେ ଏ ଯାଏ ଜାଣିପାରିଲାନି ସେହି ମୂର୍ଖ, ଅଖ୍ୟାତ ସହାୟ-ସମ୍ପଦହୀନ ପଲ୍ଲୀବାଳକଟିକୁ ବୃହତ୍ତର ଜୀବନର ଆନନ୍ଦ ଯଜ୍ଞରେ ଯୋଗ ଦେବାକୁ କିଏ ଆହ୍ୱାନ ଦେବ ?

 

ଏସବୁ ପ୍ରଶ୍ନ ଯଦି ତାହାର ମନରେ ଜାଗ୍ରତ ହୁଅନ୍ତା ତା’ହେଲେ ହୁଏତ ତା’ର ତରୁଣ କଳ୍ପନାର ରଥଗତି, ତା’ର ଆଶାପୂର୍ଣ୍ଣ ଜୀବନ ପଥର ଦୁର୍ବାର ମୋହ, ସମସ୍ତ ଭୟ, ସମସ୍ତ ସଂଶୟକୁ ଜୟକରି ପାରିଥାନ୍ତା କିନ୍ତୁ ଏସବୁ କଥା ତା’ ମନକୁ ଆସେନା । କେବଳ ମନେହୁଏ ବଡ଼ହେଲେ ସବୁ ଆପଣା ଛାଏଁ ହୋଇଯିବ । ଅଗ୍ରସର ହେଲେ ହିଁ ସମସ୍ତ ସୁଯୋଗ ସୁବିଧା ରାସ୍ତା ମଝିରୁ ସାଉଁଟି ନେଇପାରିବ... ଏବେ କେବଳ ବଡ଼ ହେବାର ଅପେକ୍ଷା ମାତ୍ର ! ସେ ବଡ଼ ହେଲେ ହିଁ ସୁଯୋଗ ମିଳିବ, ଦିଗବିଦିଗରୁ ତାକୁ ସାଦର ଆମନ୍ତ୍ରଣ ଆସିଯିବ । ସେ ଜଗତକୁ ଜାଣିବା ପାଇଁ, ମଣିଷର ପରିଚୟ ଖୋଜି, ଦିଗ୍‌ବିଜୟରେ ବାହାରିବ ।

 

ରଙ୍ଗିନ୍‌ ଭବିଷ୍ୟତ ଜୀବନର ସ୍ୱପ୍ନରେ ବିଭୋର ହୋଇ ତା’ର ବାକି ରାସ୍ତାଟିକକ ଶେଷ ହେଇଯାଏ । ବର୍ଷା ଆଉ ପଡ଼ୁନି, ଝଡ଼ର କଳାମେଘ ମାଳା ଉଡ଼ି ଯାଇ ଆକାଶକୁ ପରିଷ୍କାର କରିସାରିଲାଣି । ତେନ୍ତୁଳି ଗଛ ମୂଳରେ ହୁଲି ଡଙ୍ଗା ଲାଗିବାରୁ ତା’ର ଭାବନାର ଖିଅ ବୁଡ଼ିଯାଏ, ସେ ଚମକି ଉଠେ । ଡଙ୍ଗା ବାନ୍ଧିଦେଇ ପଟୁର ଆଗେ ଆଗେ ସେ ବାଉଁଶ ବଣ ପଥରେ ହର୍ଷୋଲ୍ଲାସରେ ମୁହଁରେ ସୁସୁରୀ ବଜେଇ ଘର ମୁହାଁ ଚାଲିଲା । ସେ ବି ତା’ର ମା’ ଓ ନାନୀ ଭଳି ସ୍ୱପ୍ନଦେଖିବା ଆରମ୍ଭ କରିଛି ।

 

(୨୮)

 

ଅପୁ ଆଖି ବୁଜିଥିଲେ ବି ପ୍ରକୃତରେ ସେ ଶୋଇନଥିଲା । ଶୋଇ ଶୋଇ ବାପା ସହିତ ତା’ ମାଆର କଥାବର୍ତ୍ତା ଶୁଣୁଥିଲା । ସେମାନେ ଏ ଦେଶ ଛାଡ଼ି କାଶୀରେ ଯାଇ ବସବାସ କରିବେ । ଏ ଦେଶ ଅପେକ୍ଷା କାଶୀରେ ରହିବାର ସୁଯୋଗ ସୁବିଧା ବିଷୟରେ ବାପା ଆଲୋଚନା କରୁଥିଲେ । ବାପା ଅଳ୍ପ ବୟସରୁ ସେଠାରେ ବହୁତ ଦିନଯାଏ ରହିଥିଲେ । ସେଠାରେ ସମସ୍ତଙ୍କ ସହିତ ବାପାଙ୍କ ଆଳାପ ଓ ବନ୍ଧୁତ୍ୱ ଅଛି । ସମସ୍ତେ ଚିହ୍ନନ୍ତି ଓ ମାନନ୍ତି ବି । ଜିନିଷପତ୍ରର ଦରଦାମ ଶସ୍ତା । ତା’ର ମା’ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରି କହିଲା ସେସବୁ ସୁନାର ଦେଶରେ କେବେବି କାହାର ଅଭାବ ନ ଥାଏ କିନ୍ତୁ ଏ ଦେଶରେ ବର୍ଷର ବାରମାସ ଦୁଃଖରେ ଭର୍‌ପୁର । ସାହସ ସଞ୍ଚୟ କରି ସେ ଦେଶକୁ ଯାଇପାରିଲେ ହିଁ ସବୁ ଦୁଃଖର ଅବସାନ ହେବ । ମା’ ଯଦି ଯାଇପାରନ୍ତା, ଆଜି ହିଁ ଚାଲିଯାଆନ୍ତା । ଦିନଟିଏ ବି ଏଠାରେ ରହିବାର ତା’ର ଇଚ୍ଛା ନାହିଁ । ଶେଷରେ ସ୍ଥିର ହେଲା, ବୈଶାଖ ମାସ ଆଡ଼କୁ ସେମାନେ ଏଠାରୁ ଚାଲିଯିବେ ।

 

ଗଙ୍ଗାନନ୍ଦପୁରର ସିଦ୍ଧେଶ୍ୱରୀ ଠାକୁର ଘରେ ସର୍ବଜୟା ପୂଜା ମନାସି ଥିଲା । ଏଠାରୁ ତିନିକୋଶ ବାଟ । ଏତେ ବାଟ ଯାଇ କିଏ ପୂଜା ଦେଇପାରିବ ବୋଲି ଏ ଯାଏ ମାନସିକ ପରିଶୋଧ ହୋଇପାରିନି । ଅପୁ କହିଲା ସେ ପୂଜା ଦେଇ ଆସିବ ଆଉ ସେ ଗାଁ’ରେ ତା’ର ପିଉସୀ ରୁହନ୍ତି, ତାଙ୍କ ସହିତ ତା’ର କେବେବି ଦେଖାହୋଇନି । ଦେଖାକରି ଆସିବ । ତା’ ମା’ କହିଲେ ଯାଃ, ବାଜେ କଥା କହନା, ଏକା ଯିବୁ ସେଠାକୁ ? ଏଇଠୁ ପ୍ରାୟ ଚାରି କୋଶ ବାଟ ।

 

ଅପୁ ମା’ ସହିତ ଯୁକ୍ତିକଲା ମୁଁ କ’ଣ ସବୁଦିନେ ଏମିତି ଘରେ ବସିଥିବି ? କେଉଁଠିକି ଯିବିନି ବୋଧେ ? ମୋର ଆଖି, କାନ, ପାଦ ନାହିଁ ଭାବୁଛ ?

 

ହଁ ଜାଣିଛି, ତୋ’ର ସବୁ ଅଛି, ଦେଖୁନ, କେମିତି ଏକା ଏକା ଗଙ୍ଗାନନ୍ଦ ପୁର ଯିବାକୁ ବାହାରିଲାଣି ବଡ଼ ସାହସୀ ପୁରୁଷ ହୋଇଗଲାଣି !

 

ଶେଷରେ କିନ୍ତୁ ଅପୁର ଆଗ୍ରହ ଆତିଶଯ୍ୟ ପାଇଁ ତାକୁ ପଠେଇବାକୁ ପଡ଼ିଲା ।

 

ସୋନାଡାଙ୍ଗା ପ୍ରାନ୍ତରର ବୁକୁଚିରି ଲମ୍ବିଯାଇଛି ଉଚ୍ଚମାଟିର ସଡ଼କଟାଏ । ପ୍ରାନ୍ତର ଭିତରେ ରାସ୍ତାର ଦୁଇକଡ଼ରେ ଅର୍କ ମନ୍ଦାର ଫୁଲର ବଣ । ଦୀର୍ଘ ଶ୍ୱେତାଭ ସରୁ ଡାଳ ସବୁ ଫୁଲଭାରରେ ଦୁବଘାସର ଶେଯ ଉପରେ ଲୋଟିପଡ଼ିଛି । ରାସ୍ତାରେ ଲୋକବାକ ନାହାନ୍ତି । ଦୁଇପହର ହେବାକୁ ଅଳ୍ପ ସମୟ ଅଛି । ଗଛବୃଚ୍ଛର ଛାଇ ଧିରେ ଧିରେ ସାନ ହୋଇ ଆସୁଛି । ଅପୁର ଖାଲି ପାଦରେ ବିଲମାଟିରେ ତାତି ଲାଗୁଥିଲା । ସେ ଉଷ୍ଣତା କି ଆରାମଦାୟକ ରାସ୍ତାକଡ଼ରେ ବଣବୁଦାରେ ନାନାଜାତିର ଫୁଲଫୁଟିଛି । ସାଇଁ ବବୁରୀ ଗଛରେ ନୂଆ ହୋଇ ଫୁଟିଥିବା ଫୁଲର କେଣ୍ଡା ସୂର୍ଯ୍ୟ ଆଡ଼କୁ ମୁହଁକରି ଢଳୁଛି । କ’ଣ ଗୋଟିଏ ଛୋଟ ଅଜଣା ଗଛରେ ନାଲି ନାଲି ବଣଡିମିରି ଭଳି କି ଫଳ ସବୁ ପାଚି ଟହଟହ ଦିଶୁଛି । ମାଟି ଭିତରୁ ଖରାରେ ତାତି ଯାଇ ଏକ ପ୍ରକାର ଭିଜା ଭିଜା ଗନ୍ଧ ବାହାରୁଛି । ଅପୁ ଯାଉ ଯାଉ ତଳକୁ ନଇଁପଡ଼ି ବଇଁଚକୋଳି ବୁଦାରୁ କୋଳି ତୋଳି ହାତରେ ସିଲେଇ ହୋଇଥିବା ନାଲି ସାର୍ଟିନ୍‌ କନାର ଜାମାର ଦୁଇପକେଟରେ ଭର୍ତ୍ତି କରି ରଖୁଥିଲା ।

 

ଚାଲୁ ଚାଲୁ ତା’ ମନ ଅପୂର୍ବ ପୁଲକରେ ଭରି ଯାଉଥିଲା । ଏ କଥା କାହାକୁ ବି ବୁଝେଇ କହିପାରିବନି ଯେ, କିଭଳି ଭାବରେ ଭଲପାଏ ମାଟିର ଏହି ଖରାଲଗା ତାଜାଗନ୍ଧକୁ, ଛାଇ ଭର୍ତ୍ତି ଏହି ଦୁର୍ବାଶେଯକୁ, ସୂର୍ଯ୍ୟକିରଣରେ ଚିକ୍‌ଚିକ୍‌ କରୁଥିବା ଏହି ପ୍ରାନ୍ତରକୁ, ରାସ୍ତାଘାଟ, ଗଛବୃଚ୍ଛ, ପକ୍ଷୀ, ବଣବୁଦା, ଆଲୋକିତ ଫୁଲଫଳର ପେନ୍ଥା, ଶୁଆଁକେଣ୍ଡା, ବଣକଲମୀ ଫୁଲ ଓ ନୀଳ ଅପରାଜିତା । ଘର ଭିତରେ ରହିବାକୁ ତାକୁ ଜମା ଭଲ ଲାଗେନି । ଭାରି ମଜା ଲାଗନ୍ତା, ଯଦି ତା’ର ବାପା ତାକୁ କୁହନ୍ତେ ବାବୁରେ, ତୁ କେବଳ ରାସ୍ତାରେ ଘୁରିବୁଲ । ତା’ହେଲେ ସେ ଏମିତି ବଣଫୁଲ ଓହଳି ଥିବା ଛାୟାଚ୍ଛନ୍ନ ବୁଦା ପାର୍ଶ୍ୱଦେଇ କପୋତୀ ଡାକୁଥିବା ଦୂର ବଣ ଆଡ଼େ ମୁହଁ କରି ଏମିତି ମାଟିର ସଡ଼କଟିରେ ଚାଲୁଥାନ୍ତା,.... କେବଳ ଚାଲୁଥାନ୍ତା... ଅସରନ୍ତି ରାସ୍ତା.... କେବଳ ରାସ୍ତା ମଝିରେ ହୁଏତ କେବେ କେବେ ବାଉଁଶ କଣିର ଡାଳରେ ସର୍‌ସର୍‌ ଶବ୍ଦ, ବିକାଳର ନଇଁ ଆସୁଥିବା ଖରାରେ ସୁନାର ସିନ୍ଦୂର ବିଞ୍ଚି ହୋଇ ପଡ଼ିଥିବ ଆଉ ନାନା ଜାତି ରଙ୍ଗବେରଙ୍ଗ ପକ୍ଷୀର କୁହୁଗୀତି ।

 

ଅପୁର ଶୈଶବ ପ୍ରକୃତିର ଏହି ଘନିଷ୍ଠ ସମ୍ପର୍କ ଭିତରେ ଅତିକ୍ରାନ୍ତ ହେବାକୁ ବସିଛି । କେତେବେଳେ ଋତୁଟିଏ ଚାଲିଯାଏ, ଅନ୍ୟଋତୁ ଆସିଯାଏ କେହି ଜାଣିପାରନ୍ତିନି, କିନ୍ତୁ ଗଛଲତାରେ, ଆକାଶରେ, ପବନରେ, ପକ୍ଷୀର କାକଳିରେ ପରିବର୍ତ୍ତନର ବର୍ତ୍ତା ଖେଳିଯାଏ । ପ୍ରତି ଋତୁରେ ଇଚ୍ଛାମତୀର ନୂଆ ନୂଆ ପରିବର୍ତ୍ତନଶୀଳ ରୂପ ସମ୍ପର୍କରେ ଅପୁର ଚେତନା ଜାଗ୍ରତ ହୋଇସାରିଥିଲା । କେଉଁ ଋତୁ ଗଛବୃଚ୍ଛରେ, ଜଳରେ, ସ୍ଥଳରେ, ଶୂନ୍ୟରେ, ଫୁଲରେ ଫଳରେ କି ପରିବର୍ତ୍ତନ ଆଣିଥାଏ, ତାହା ସେ ଏବେ ଭଲ ଭାବରେ ଜାଣିଯାଇଛି । ଏମାନଙ୍କ ସହିତ ଏକ ଘନିଷ୍ଠ ସଂଯୋଗ ଭାବକୁ ସେ ଭଲପାଏ । ଏମାନଙ୍କ ବ୍ୟତୀତ ସେ ଜୀବନର ଅସ୍ତିତ୍ୱ କଳ୍ପନା କରିପାରିବନି । ଏମିତି ପ୍ରକୃତିର ବିଶାଳ ଅପରୂପ ଛବି ଆଖି ସାମନାରେ ରଖି ସେ କ୍ରମେ ବଢ଼ୁଥିଲା ପୂର୍ଣ୍ଣାଙ୍ଗ ମଣିଷଟିଏ ପରି । ଗ୍ରୀଷ୍ମର ରୌଦ୍ର ତାପ ଓ ଗୁଳୁଗୁଳିର ଅବସନା ପରେ ସାରା ଦିଗର ଚକ୍ରବାଳକୁ ଆଚ୍ଛନ୍ନ କରି ଘନନୀଳ ମେଘସଜ୍ଜାର ଗମ୍ଭୀର ଅଥଚ ସୁନ୍ଦର ରୂପ, ଅସ୍ତବେଳରେ ସେନାଡାଙ୍ଗାର ମୁଣ୍ଡ ଉପର ଆକାଶରେ ନାନାବର୍ଣ୍ଣ ମେଘର ଖେଳ, ଭାଦ୍ରମାସ ଶେଷକୁ ଫୁଟୁଥିବା କାଶତଣ୍ଡି ଫୁଲରେ ଭର୍ତ୍ତି ମାଧବପୁରର ସୁଦୂର ପ୍ରସାରୀ ପଠା ଜହ୍ନ ରାତିର ଜୋଚ୍ଛନାରେ ଭର୍‌ପୁର୍‌ ଖୋପ ଖୋପ କଟା ହୋଇଥିବା ବାଉଁଶ ବଗିଚାର ନିମ୍ନଭୂମି ଅପୁର ଫୁଟି ଉଠୁଥିବା କୈଶରରେ ସତେଜ ଆଗ୍ରହ ଭରା ଅନାବିଳ ମନରେ ଏଗୁଡ଼ିକର ଅପୂର୍ବ ବିଶାଳ ସୌନ୍ଦର୍ଯ୍ୟର ଚିରସ୍ଥାୟୀ ଛାପ ପକାଇ ସାରିଥିଲା । ସୌନ୍ଦର୍ଯ୍ୟ ବୋଧର ଦୃଷ୍ଟି ଉନ୍ମେଷିତ କରି ନୀରବରେ ତା’ର କର୍ଣ୍ଣ କୁହରରେ ଅମୃତର ଦୀକ୍ଷାମନ୍ତ୍ର ଶୁଣେଇ ସାରିଥିଲା । ଅପୁ ଜୀବନରେ କେବେବି ଏ ଶିକ୍ଷାକୁ ଭୁଲି ନ ଥିଲା । ଚିର ଜୀବନ ସୌନ୍ଦର୍ଯ୍ୟର ପୂଜାରୀ ହେବାକୁ ମୁକ୍ତରୂପା ପ୍ରକୃତି ତାହାକୁ ତାହାର ଅଲକ୍ଷ୍ୟରେ ପ୍ରସ୍ତୁତ କରାଇ ସାରିଥିଲେ ।

 

ନତିଡାଙ୍ଗାଠି ଯେଉଁଠି ନଦୀର ସ୍ରୋତ ସ୍ଥିର ହୋଇଯାଇଛି କିଏ ସବୁ ମାଛ ଧରୁଥିଲେ । ସେ ବହୁତ ସମୟ ଛିଡ଼ା ହୋଇ ଉପଭୋଗ କଲା । ଗାଁ’ ଭିତରେ ଜଣେ ଅନ୍ଧ ଭିକାରୀ ଏକତାରା ବଜେଇ ଗୀତ ଗାଇ ଭିକ ମାଗୁଥିଲା । ସେ ଗୀତଟି ଅପୁ ବି ଜାଣେ, କେତେଥର ନିଜେ ଗାଇଛି

 

ଦିନ-ଦିପହରେ ଚାନ୍ଦ ଉଇଁଲାଣି,

ରାତି କଟେଇବା ବିଷମ ହେଲାଣି ।...

 

ବୈଷ୍ଣବ ଜେଜେ ଏ ଗୀତଟି ଖୁବ୍‌ ସୁନ୍ଦର ଭାବରେ ଗାଆନ୍ତି ।

 

ହରିଶପୁର ଗାଁ’ଭିତରେ ପଶି ଦେଖିଲା ରାସ୍ତାକଡ଼ରେ ଗୋଟିଏ ଛୋଟ ଚାଳଘରରେ ପାଠଶାଳା ଚାଲିଛି । ପିଲାମାନେ ରାହା ଧରି ପଣିକିଆ ଘୋଷୁଛନ୍ତି । ସେ ସେଠାରେ ବି ଛିଡ଼ା ହୋଇ ଶୁଣିଲା । ଗୁରୁ ମହାଶୟଙ୍କ ବୟସ ବି ବେଶୀ ନୁହେଁ । ତା’ ଗାଁ’ର ପ୍ରସନ୍ନ ଗୁରୁ ମହାଶୟଙ୍କଠୁ ବହୁତ କମ୍‍ ।

 

ଆଉ ଗୋଟିଏ କଥା ତା’ର ବାରମ୍ବାର ମନେପଡ଼ୁଥିଲା । ଏବେ ତ ସେ ବଡ଼ ହେଲାଣି । ଆଉ ଛୋଟ ପିଲା ହୋଇ ରହିନି । ଛୋଟଥିଲେ କ’ଣ ତା’ର ମାଆ ତାକୁ ଏକୁଟିଆ କେଉଁଠିକି ଛାଡ଼ି ଦେଇଥାନ୍ତା ?.... ଏବେ କେବଳ ଚାଲିବା, ଚାଲି ଚାଲି କେବଳ ଆଗକୁ ଆଗେଇ ଯିବା । ତା’ଛଡ଼ା, ଆସନ୍ତା ମାସର ଏହି ଦିନଟିରେ ସେମାନେ କେତେବାଟ କେତେଦୂରକୁ ଚାଲି ଯାଇଥିବେ ! କେଉଁଠି କାଶୀ... ସେଇଠିକୁ !

 

ବିକାଳ ବେଳାକୁ ଗଙ୍ଗାନନ୍ଦପୁରରେ ଯାଇ ପହଞ୍ଚିଲା । ସାହିଭିତରେ ପଶିବା ପରେ ପରେ ଦୁନିଆ ଯାକର ଲାଜ ତାକୁ ଘାରିବସିଲା । ସେ କେଉଁଆଡ଼କୁ ଅନେଇ ପାରିଲାନି । ଶରୀରକୁ କଷ୍ଟ ଲାଗୁଥିଲା ତଥାପି ସେ ଆଗକୁ ଅନେଇ କୌଣସି ପ୍ରକାରେ ରାସ୍ତା ଚାଲିବାକୁ ଲାଗିଲା । ତା’ର ମନେହେଲା, ସମସ୍ତେ ତା’ଆଡ଼େ ଚାହୁଁଛନ୍ତି । ଆଜି ସେ ସେଠାରେ ପହଞ୍ଚିବ, ଯେମିତି ସତରେ ଆଗରୁ ସମସ୍ତେ ଜାଣିଥିଲେ । ହୁଏତ ଏମାନେ ଏବେ ମନେ ମନେ କହୁଛନ୍ତି ଦେଖ୍‌, ଦେଖ୍‍, ଏଇ ସେହି ପିଲାଟି ଏବେ ରାସ୍ତାରେ ଯାଉଛି ।.... ପୁଟୁଳି ଭିତରେ ସେ ଯେ ନଡ଼ିଆ ଲଡୁ ବାନ୍ଧି ନେଉଛି ସେ କଥା ବି ସମସ୍ତେ ଜାଣିଛନ୍ତି । ତା’ର ପିଉସା କୁଞ୍ଜ ଚକ୍ରବର୍ତ୍ତୀଙ୍କ ଘର କେଉଁପଟେ, ଏହି କଥାପଦକ ବି ସେ ଲାଜରେ କାହାକୁ ପଚାରି ପାରିଲାନି ।

 

ଶେଷରେ ନିଛାଟିଆ ସ୍ଥାନରେ ଜଣେ ବୁଢ଼ୀକୁ ପିଉସାଙ୍କ ଘର ପଚାରିବାରୁ ସେ ଦେଖେଇଦେଲା । ଘର ଆଗରେ ପାଚେରୀ ଘେରା ହୋଇଛି । ଅଗଣାରେ ପଶି ସେ କାହାକୁ ବି ଦେଖିପାରିଲାନି । ଥରେ ଦୁଇଥର କାଶିଲା କିନ୍ତୁ ତା’ ମୁହଁଦେଇ କଥା ପଦଟିଏ ବି ବାହାରିଲା ନାହିଁ । ଚୈତ୍ରମାସର ଟାଣ ଖରାରେ ଅଗଣାଟିରେ କେତେ ସମୟ ଧରି ତାକୁ ଛିଡ଼ା ହେବା ପାଇଁ ପଡ଼ିଥାନ୍ତା, ତା’ର ଠିକଣା ନାହିଁ । କିନ୍ତୁ, କିଛି ସମୟ ପରେ ଅଠର ଉଣେଇଶ ବର୍ଷର ଶ୍ୟାମଳୀ ଝିଅଟିଏ କୌଣସି କାମରେ ବାହାରକୁ ଆସି ବାରଣ୍ଡାରେ ପାଦ ଦେଉ ଦେଉ ଦେଖିଲା ଦୁଆର ପାଖରେ କାହାଘରର ଅପରିଚିତ ପ୍ରିୟଦର୍ଶନ ବାଳକଟିଏ ପୁଟୁଳି ହାତରେ ଧରି ଲଜ୍ଜାକୁଣ୍ଠିତ ଭାବରେ ଛିଡ଼ା ହୋଇଛି । ଝିଅଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା

 

ତୁମେ କିଏ ବାବୁ ? କେଉଁଠୁ ଆସିଲ ?...

 

ଅପୁ ଅନାଡ଼ିଟିଏ ପରି ଆଗକୁ ଆଗେଇ ଆସି ବହୁ କଷ୍ଟରେ କହିଲା ମୋ ଘର ଏଇ... ନିଶ୍ଚିନ୍ତପୁର ଗାଁ’ରେ, ମୋ ନା ଅ...ଅପୁ । ହଠାତ୍‌ ତା’ ମନକୁ ଆସୁଥିଲା, ସେ ଯଦି ଏଠାକୁ ଆସିନଥାନ୍ତା, ଭଲ ହୋଇଥାନ୍ତା । ହୁଏତ ତା’ ପିଉସୀ ଏମିତି ହଠାତ୍‌ ଆସି ପହଞ୍ଚିବାରୁ ବିରକ୍ତ ହୋଇପାରନ୍ତି । ହୁଏତ ଭାବିବେ କେଉଁଠୁ ଗୋଟିଏ ଆପଦ ଆସି ପହଞ୍ଚିଲାଣି । ତା’ଛଡ଼ା କିଏ ଜାଣିଥିଲା ଗୋଟିଏ ଅପରିଚିତ ସ୍ଥାନକୁ ଆସି କଥାବାର୍ତ୍ତା କରିବାଟା ଏତେ କଠିନ କାର୍ଯ୍ୟ ? ତା’ କପାଳ ଝାଳେଇ ଗଲା ।

 

କିନ୍ତୁ ଝିଅଟି ସାଙ୍ଗେ ସାଙ୍ଗେ ଧାଇଁ ଆସି ବାରଣ୍ଡାରୁ ହାତଧରି ମହା ଆନନ୍ଦରେ ଟାଣି ନେଇଗଲା । ତା’ର ବାପା, ମା’ କେମିତି ଅଛନ୍ତି ବୋଲି ପଚାରିଲା । ତା’ ଚିବୁକରେ ହାତ ଦେଇ ଗେଲ କଲା ଓ ସ୍ନେହ ବୋଳା କଥା ସବୁ କହିଗଲା । ତା’ ନାନୀକୁ କେବେ ଦେଖିନଥିଲେ ବି ଦୁର୍ଗାର ନାମ ଧରି ବହୁତ ଦୁଃଖ କଲା । ନିଜ ହାତରେ ତା’ ଦେହରୁ ଜାମାଖୋଲି ହାତମୁହଁ ଧୋଇ, ଶୁଖିଲା ଗାମୁଛାରେ ପୋଛିଦେଲା । ଶୀଘ୍ର ଗିଲାସେ ଚିନି ସରବତ୍‌ ଆଣି ପିଇବାକୁ ଦେଲା । ପିଉସୀ କହିଲେ ସେ ଯାହା ଭାବିଥିଲା, ସେ ସେମିତି ନୁହେଁ, ଅଳ୍ପ ବୟସ, ରାଜୀର ନାନୀଠୁ ଟିକିଏ ବଡ଼ ।

 

ତା’ର ପିଉସୀ ବି ତା’ ଆଡ଼େ ଅନେଇ ଅନେଇ ଦେଖୁଥିଲା । ଜ୍ଞାତି ସମ୍ପର୍କର ଭାଇର ପୁଅଟି ଯେ ଦେଖିବାକୁ ଏତେ ସୁନ୍ଦର କିମ୍ବା ତା’ର ବୟସ ଯେ ଏତେ ଅଳ୍ପ ସେ କଥା ତା’ର ପିଉସୀ ଆଗରୁ ଜାଣିନଥିଲେ । ତେଣୁ ପଡ଼ିଶାଘରୁ ଜଣେ ସ୍ତ୍ରୀ ଲୋକ ଆସି ପଚାରିବାରୁ ସେ କହିଲେ ମୋର ଭାଇର ପୁଅ, ନିଶ୍ଚିନ୍ତପୁରରେ ଘର । କକାପୁଅ ଭାଇଙ୍କ ପୁଅ । ଖୁବ୍‌ ନିକଟ ଆତ୍ମୀୟ, କିନ୍ତୁ ଯିବା ଆସିବା ନାହିଁ !... ପରେ ପରେ ସେ ପୁଣି ଗର୍ବ ସହକାରେ ଅପୁ ଆଡ଼କୁ ଚାହିଁ ରହିଲେ । ଭାବଟା ଏମିତି- ଦେଖ ମୋର ପୁତୁରାର କେମିତି ରାଜପୁତ୍ର ଭଳି ଚେହେରା । ଏବେ ଜାଣିବାକୁ ଚେଷ୍ଟାକର କେଉଁ ବଂଶର ଝିଅ ମୁଁ !...

 

ସନ୍ଧ୍ୟାପରେ କୁଞ୍ଜ ଚକ୍ରବର୍ତ୍ତୀ ଘରକୁ ଫେରିଲେ । ରୋଗିଣା ଚେହେରା ଠାପୁଆ ଗାଲ, ବୟସ ଜାଣିବାର ଉପାୟ ନାହିଁ । ତା’ର ପିଉସୀକୁ ଦେଖି ତାକୁ ଯେମିତି ଲାଜ ଲାଗିଥିଲା, ପିଉସାକୁ ଦେଖି ସେମତି ଭୟ ଲାଗିଲା । ପିଲାଦିନେ ପାଠ ପଢ଼ିଥିବା ପ୍ରସନ୍ନ ଗୁରୁ ମହାଶୟଙ୍କ ପରି ଲୋକଟିର ଚେହେରା । ମନେହେଉଥିଲା ଲୋକଟି ଯେମିତି ଏବେ କହିଦେବ ଆରେ ଦେଖୁଚି ଇଞ୍ଚଡ଼ ପକା ପିଲାଟିଏ ତୁ ?...

 

ତା’ ପରଦିନ ସକାଳେ ଉଠି ଅପୁ ସାହିର ଏ ମୁଣ୍ଡ ସେ ମୁଣ୍ଡ ବୁଲି ଆସିଲା । ଚାରିପଟେ ଜଙ୍ଗଲରେ ଭର୍ତ୍ତି । ଜମି ସବୁ ଫାଙ୍କା ଫାଙ୍କା ଲାଗୁଛି ଏମିତି କି ପ୍ରାୟ ଦୁବ ଘାସଟିଏ ବି ନାହିଁ । ଏଇଠି ଗୋଟିଏ ଘର, ପୁଣି ଜଙ୍ଗଲ ଘେରା ସରୁ ରାସ୍ତା । ତା’ପରେ ପୁଣି ଗୋଟିଏ ଘର ପଡ଼ିବ । କେତେବେଳେ ଲୋକଙ୍କ ଅଗଣା ଭିତର ଦେଇ ରାସ୍ତା । ତା’ରି ବୟସର ଦୁଇ ଚାରିଜଣ ପିଲାଙ୍କୁ ଖେଳୁଥିବାର ଦେଖିଲା । କିନ୍ତୁ ସମସ୍ତେ ତାକୁ ହାଁ କରି ଚାହିଁ ରହିଥିଲେ । ତେଣୁ ସେ ଆଳାପ କରିବା ତ ଦୂରର କଥା, ସେମାନଙ୍କ ଆଡ଼କୁ ସିଧାସଳଖ ଚାହିଁ ବି ପାରିଲାନି ।

 

ପିଉସୀ ଘର ପଟକୁ ଫେରିଲାବେଳେ ବି ବିପଦ । ଏମିତି ସକାଳ ସମୟରେ ସେ ମା’ ପାଖରୁ ଚୂଡ଼ା, ମୁଢ଼ି, ମୁଁଆ କିମ୍ବା ବାସିଭାତ ମାଗି ଖାଇଥାଏ । ଏଠାରେ କ’ଣ ଏମାନେ ତାକୁ ଦେବେ ? କାଲି ରାତିରେ ତ ଭାତ ଖାଇବାବେଳେ କ୍ଷୀର ସହିତ ସନ୍ଦେଶ କିଣି ଆଣି ଖାଇବାକୁ ଦେଇଥିଲେ । ଆଜି ଯଦି ସେ ଏବେ ଫେରିବ, ସମସ୍ତେ ଭାବିବେ ପିଲାଟି ଭୀଷଣ ପେଟୁ ଅଛି । ଖାଇବା ଲୋଭରେ ଏତେ ସକାଳୁ ଘରକୁ ଫେରିଆସିଲାଣି । ସବୁଦିନେ ବି ଖାଇବା ବି କ’ଣ ଭଲ କଥା ? ଏବେ ସେ କରିବ କ’ଣ ? ନା, ସେ ଘରକୁ ଏବେ ଯିବନି । ଆହୁରି କିଛି ସମୟ ରାସ୍ତାରେ ବୁଲି ବୁଲି ଭାତ ଖାଇବା ଟିକିଏ ପୂର୍ବରୁ ଯାଇ ଘରେ ପହଞ୍ଚିବ । ସ୍ଥାନଟି ଅପରିଚିତ । ଏତେ ସମୟ ଧରି କେଉଁଠିବା ସେ ଛିଡ଼ା ହୋଇରହିବ ?

 

ଚାଲୁ ଚାଲୁ ସେ ଶେଷରେ ଘରଠି ଆସି ପହଞ୍ଚିଗଲା । ଛଅ ସାତ ବର୍ଷର ଝିଅଟିଏ ଗୋଟାଏ କଂସାର ବାଟି ହାତରେ ଧରି ଘରର ବାରଣ୍ଡାରୁ ଡାକିଲା ନାଉ ରାନ୍ଧିଚ ବଡ଼ମା’, ମୋତେ ଟିକିଏ ଦେବ ?...

 

ଅପୁର ପିଉସୀ ଘର ଭିତରୁ କହିଲେ କିଏ, ଗୁଲ୍‌କୀ କିରେ ? ନାରେ, ଆରଓଳି ରାନ୍ଧିବି । ଆସି ନେଇଯିବୁ...

 

ଗୁଲ୍‌କୀ ବାଟି ତଳକୁ କରି ବାରଣ୍ଡା ପାଖରେ ଛିଡ଼ା ହୋଇ ରହିଲା । ମୁଣ୍ଡର ବାଳଗୁଡ଼ିକ ଅଲରା ମଲରା, ପୁଅ ପିଲାଙ୍କ ପରି ସାନ ସାନ । ମଇଳା ଲୁଗାଟେ ପିନ୍ଧିଛି, ମୁଣ୍ଡରେ ତେଲ ଲାଗିନି କେବେଠୁ । ଦେହର ରଙ୍ଗ ଶ୍ୟାମଳ । ଅପୁ ଆଡ଼କୁ ଚାହିଁ କ’ଣ ଜାଣିଲା କେଜାଣି ‘ଫକ୍‌’କିନା ହସିଦେଇ ସେ ଗିନା ଧରି ଚାଲିଗଲା ।

 

ଅପୁ ପଚାରିଲା ଝିଅଟି କାହାଘରର ପିଉସୀ ?

 

ତା’ ପିଉସୀ କହିଲେ କିଏ ଗୁଲ୍‌କୀ ? ତା’ ଘର ଏଠି ନୁହେଁ ତା’ ବାପାମା’ କିମ୍ବା କେହି କେଉଁଠି ନାହାନ୍ତି । ଏଇ ଯେଉଁ ପାଖ ଘରଟି, ସେଇଠି ସେ ରହେ । ନିବାରଣ ମୁଖାର୍ଜୀଙ୍କ ସ୍ତ୍ରୀ ତା’ର ଦୂର ସମ୍ପର୍କୀୟ ବଡ଼ମା’ ।

 

ତା’ପରଦିନ ସାହିର ପିଲାଟିଏ ଆସି ତା’ ସହିତ ମିଶିଲା ଓ ସାଙ୍ଗରେ ନେଇ ଗାଁ’ର ସବୁ ସାହି ବୁଲେଇ ଦେଖେଇ ଆଣିଲା । ଘରକୁ ଫେରିବା ସମୟରେ ଅପୁ ଦେଖିଲା ତାକୁ ଅନାଥା ଝିଅ ଗୁଲ୍‌କୀ ରାସ୍ତା ଉପରେ ପାଦ ଲମ୍ବେଇ ବସି ଏକା ଏକା କ’ଣ ଖାଉଛି । ତାକୁ ଦେଖି ଶୀଘ୍ର ଶୀଘ୍ର ତା’ ପଣତ କାନିରେ ଗୋଟେଇବାକୁ ଲାଗିଲା । ପଣତ ଭିତରେ ବେଶ୍‌ କିଛି ଦରପାଚିଲା ବଉଳକୋଳି । ଅପୁ, ଏହା ଭିତରେ ପିଉସୀ ପାଖରୁ ତା’ର ଅଧିକ ପରିଚୟ ପାଇସାରିଛି । ନିବାରଣ ମୁଖାର୍ଜୀଙ୍କ ସ୍ତ୍ରୀ ଭଲ ବ୍ୟବହାର କରନ୍ତିନି, ସେମାନେ ଭଲ ଲୋକ ନୁହନ୍ତି । ପିଉସୀ କହୁଥିଲେ ବଡ଼ମା’ ନୁହେଁ ତ ସାକ୍ଷାତ୍‌ ରଣଚଣ୍ଡୀ । ଅନେକ ଦିନ ତାକୁ ଖାଇବାକୁ ଦିଅନ୍ତିନି । ୟା’ ଘର ତା’ଘର ବୁଲି ମାଗିଖାଏ । ନିଜର ପିଲାଝିଲା ତ ଅନେକ... ସେମାନଙ୍କୁ ତ ଖାଇବାକୁ ଦେଇପାରେନି, ସେ ପୁଣି ପରକୁ ଦେବ !... ଗୁଲ୍‌କୀକୁ ଦେଖିଲେ ଅପୁର ଜମାରୁ ଲାଜ ଲାଗେନି ସାନ ଏଡ଼ିକିଟିଏ ଝିଅଟା, ଆହା ବିଚାରୀର କେହି ନାହିଁ ! ତା’ ସହିତ ମିଶିବା ପାଇଁ ଅପୁ ଭୀଷଣ ଆଗ୍ରହ ହେଲା । ସେ ତା’ ପାଖକୁ ଯାଇ କହିଲା ପଣତରେ କ’ଣ ସବୁ ଲୁଚଉଛୁ, ମୋତେ ଦେଖେଇଲୁ ଝିଅ ?...

 

ଗୁଲ୍‌କୀ ହଠାତ୍‌ ପଣତ ଟେକି ଧରି ‘ଫିକ୍‌’ କିନା ହସିଦେଇ ଦଉଡ଼ି ପଳେଇଲା । ତାହାର ବ୍ୟବହାର ଦେଖି ଅପୁକୁ ବି ହସ ଲାଗିଲା । ଦଉଡ଼ିବା ସମୟରେ ଗୁଲ୍‌କୀର ପଣତରୁ ବଉଳ କୋଳି ସବୁ ରାସ୍ତାରେ ଖସି ପଡ଼ୁଥିଲା । ଅପୁ ସେଗୁଡ଼ିକ ଗୋଟାଉ ଗୋଟାଉ କହିଲା ଆରେ ପଡ଼ିଗଲାରେ, ସବୁ ତଳେ ପଡ଼ିଗଲା । ନେଇଯା ତୋ’ କୋଳି, କିଛି କହିବିନି ତୋତେ, ନେଇଯା ରେ ଝିଅ !...

 

ଗୁଲ୍‌କୀ ସେତେବେଳକୁ ସେ ସ୍ଥାନରୁ ଅନ୍ତର୍ଦ୍ଧାନ ହୋଇସାରିଥିଲା । ପୋଖରୀରେ ଗାଧୋଇ ସାରି ଅପୁ ବସିଥିଲା । ସେହି ସମୟରେ ଦେଖିଲା ପଛ କବାଟ ଆଢ଼ୁଆଳରୁ ଗୁଲ୍‌କୀ ରହି ରହି ଉଁକି ମାରୁଛି ଆଉ ପରମୁହୂର୍ତ୍ତରେ କବାଟ ପଛପଟେ ମୁହଁ ଲୁଚାଉଛି । ତା’ ଆଖିରେ ସାମନା ସାମ୍‌ନି ହେବାରୁ ଗୁଲ୍‌କୀ ଫିକ୍‌ କିନା ହସିଦେଲା । ଅପୁ ଛିଡ଼ା ହୋଇ କହିଲା ରହ, ତୋତେ ଗୋଟାଏ ଡିଆଁରେ ଧରୁଛି କହି ସେ ପଛପଟ କବାଟଆଡ଼େ ଧାଇଁଗଲା ।

 

ଗୁଲ୍‌କୀ ଆଉ ପଛକୁ ଫେରି ନ ଚାହିଁ ସିଧା ପୋଖରୀ ହୁଡ଼ା ଆଡ଼କୁ ଧାଇଁଗଲା । କିନ୍ତୁ, ଅପୁ ସହିତ କ’ଣ ପାରିଥା’ନ୍ତା ? ନିରୁପାୟ ଦେଖି ଛିଡ଼ା ହୋଇଗଲା । ଅପୁ ତାହାର ଅଲରା ଚୁଟି ହାତ ମୁଠାରେ ଧରି କହିଲା ବହୁତ ଦଉଡ଼ୁଥିଲୁ ଯେ ? ତୁ ମୋ ସହିତ ଦଉଡ଼ି ପାରିବୁ ବୋଧେ !

 

ଗୁଲ୍‌କୀ ପ୍ରଥମେ ଡରି ଯାଇଥିଲା, କାଳେ ଅପୁ ତାକୁ ମାଡ଼ ଦେବ । କିନ୍ତୁ, ଅପୁ ଚୁଟି ମୁଠାକ ଛାଡ଼ିଦେଇ ହସିବାରୁ, ସେ ବୁଝିପାରିଲା, ୟେ ଗୋଟାଏ ପ୍ରକାରର ମଜା ଖେଳ । ସେ ପୁଣି ସେମିତି ହସିଦେଲା ।

 

ଅପୁର ବଡ଼ ଦୟା ହେଲା । ତା’ ମୁହଁର ହସ ଭିତରେ ଏମିତି ଭାବ ରହିଥିଲା ଯେ ଅପୁର ମନେହେଲା, ସେ ତା’ ସହିତ ମିଶିବା ପାଇଁ ଚାହୁଁଛି ଖେଳିବା ପାଇଁ ଇଚ୍ଛା କରୁଛି । କିନ୍ତୁ ଛୋଟ ପିଲାଟିଏ । କଥା ଠିକ୍‌ ଭାବରେ କହିଜାଣେନି ବୋଲି ଏମିତି ଉଁକିଝୁଁକି ମାରି ଫିକ୍‌ ଫିକ୍‌ ହସି ଧାଇଁ ଧାଇଁ ପଳେଇବା ଭିତରେ ତା’ର ଆଗ୍ରହ ପ୍ରକାଶ କରୁଛି । ଅନ୍ୟ ମାଧ୍ୟମ ତାକୁ କିଛି ଜଣାନାହିଁ । ଏ ଝିଅଟି ସତେ ଯେମିତି ତା’ ନାନୀ ପରି ! ଏଇ ବୟସରେ ତା’ ନାନୀ ବି ଠିକ୍‌ ଏମିତି ଥିଲା ଏମିତି ପଣତରେ କୋଳି, ବେଲ, ବଇଁଚ ଆଦି ବାନ୍ଧି ମନକୁ ମନ ଘୁରି ବୁଲୁଥିଲା । କେହି ବୁଝିପାରୁନଥିଲେ, କେହି ଦେଖିପାରୁନଥିଲେ । ଠିକ୍‌ ଏମିତି ପେଟୁ ଏମିତି ବୋକୀ, ପୁଣି ଝିଅଟିଏ !

 

ଅପୁ ଭାବିଲା ଏହା ସାଥିରେ କେହି ଖେଳୁନଥିବେ, ତା’ ସାଙ୍ଗରେ ଟିକିଏ ଖେଳିବ । ଆହା ବିଚାରୀ, ବାପା ମା’ ନ ଥିବା ଦୁଃଖୀ ଝିଅଟି, ନିଜେ ଏକା ଏକା ଘୁରିବୁଲେ ! ସେ ଗୁଲ୍‌କୀ ଚୁଟି ମୁଠାକ ଛାଡ଼ି ଦେଇ ତା’ ହାତ ଧରିଥିଲା । ତାକୁ କହିଲା ମୋ ସହିତ ଖେଳିବୁ, ଗୁଲ୍‌କୀ ? ଚାଲ, ସେଇ ପୋଖରୀ ହୁଡ଼ାକୁ । ନା, ନା, ଗୋଟିଏ କାମ କର, ମୁଁ ତୋତେ ଗୋଡ଼େଇବି ଆଉ ତୁ ଧାଇଁବୁ । ଏ ପଣସ ଗଛଟି ବୁଢ଼ୀ ଖୁଣ୍ଟ । ଏହାରି ଚାରିପଟେ ଖେଳିବା ଆସ...

 

ହାତ ମୁଠା ଛାଡ଼ିଦେବାରୁ ଗୁଲ୍‌କୀ ଆଉ ଛିଡ଼ା ନ ହୋଇ ପୁଣିଥରେ ଅନ୍ୟଆଡ଼କୁ ଧାଇଁଗଲା । ଅପୁ ପାଟି କରି କହିଲା ଆଚ୍ଛା ଯା, ଯା କେତେଦୂର ଯିବୁ ଯା ତୋତେ ମୁଁ ଠିକ୍‌ ଧରି ପକେଇବି । ଆଚ୍ଛା ଗଲୁ ତ, ଏଇ ଦେଖ୍‌ କହି ନିଶ୍ୱାସ ବନ୍ଦ କରି ଏକାଥରକେ ଧାଇଁଗଲା-ଚୁ-ଉ-ଉ-ଉ । ଗୁଲ୍‌କୀ ପଛକୁ ଚାହିଁ ଦେଖିଲା ଅପୁ ଦଉଡ଼ିବାକୁ ଆରମ୍ଭ କଲାଣି, ସେ ପ୍ରାଣ ପ୍ରଣେ ତା’ର ଶକ୍ତି ମୁତାବକ ଦଉଡ଼ିବାକୁ ଚେଷ୍ଟାକଲା, କିନ୍ତୁ ଅପୁ ଅଳ୍ପ ଟିକିଏ ଦଉଡ଼ି ଯାଇ ତାକୁ ଧରିନେଲା । ଖୁବ୍‌ ଦଉଡ଼ି ଜାଣିଛୁ, ନାଇଁ ଲୋ ଝିଅ ? ପୁଣି ମୋ ସାଙ୍ଗେ ମୁକାବିଲା ? ଚାଲ, ଚୋର ଓ ଚୌକିଦାର ଖେଳ ଖେଳିବା ତୁ ଚୋର ହେବୁ ଏଇ ପଣସ ପତର ଚୋରୀ କରି ପଳେଇବୁ, ବୁଝିଲୁ ?... ଆଉ ମୁଁ ଚୌକିଦାର ହେବି, ତୋତେ ଗୋଡ଼େଇ ଧରିବି ।

 

ଗୁଲ୍‌କୀ ହସି ହସି ବେଦମ୍‌ । ମନେ ମନେ ହୁଏତ ସେ ଭାବୁଥିଲା, ଏଇ ସୁନ୍ଦର ପିଲା ସହିତ ମିଶିବାକୁ । ମୁଣ୍ଡ ହଲେଇ ଆଶ୍ୱସନା ଦେବା ସ୍ୱରରେ କହିଲା କଇଁଆ ମଞ୍ଜି ନେବୁ ? ଅପୁ ମନେ ମନେ ଭାବିଲା, ଝିଅଟି ଚଷାମାନଙ୍କ ଗାଁ’ରେ ରହି ସେମାନଙ୍କ ଭଳି କଥା କହିବା ଶିଖିଛି ତା’ ନିଜ ଗାଁ’ରେ ଯେମିତି ଗୋପାଳ କିମ୍ବା ସଦଗୋପ ଘରର ପୁଅଝିଅମାନେ ସେମିତି କଥା କୁହନ୍ତି ।

 

ଦୁଇ ପହର ସମୟରେ ଅପୁର ପିଉସୀ ଡାକିଲାରୁ ଅପୁ ପଛେ ପଛେ ଗୁଲ୍‌କୀ ବି ଆସିଲା । ଅପୁ ଖାଇ ସାରିବା ପରେ ତା’ର ପିଉସୀ ପଚାରିଲେ ଭାତ ଖାଇବୁ, ଗୁଲ୍‌କୀ ? ଅପୁ ଥାଳିରେ ବସିଯା ମଞ୍ଜାର ତରକାରୀ ହୋଇଛି, ଡାଲି ଦେବି । ଅପୁ ଭାବିଲା ଆହା, ସେ ଖାଇବ ଜାଣିଥିଲେ ଦୁଇ ଖଣ୍ଡ ମାଛ ତା’ ପାଇଁ ରଖିଥାନ୍ତି । ଗୁଲ୍‌କୀ ଦ୍ୱିରୁକ୍ତି ନ କରି ନିର୍ଲଜ୍ଜ ଭାବରେ ଖାଇବା ପାଇଁ ବସିଗଲା । ଅନେକ ଭାତ ମାଗି ସେ ଗୁଡ଼ା ଡାଲିରେ ଗୋଳେଇ ନେଲା । ତା’ପରେ ଅନେକ ସମୟ ବସି ଖାଇଲା, ସବୁତକ ଖାଇ ନ ପାରି ଥାଳି କଡ଼ରେ ଗଦାକରି ରଖିଦେଲା । ତଥାପି ବି ସେ ଉଠିବାକୁ ଚାହୁଁନଥିଲା । ଅପୁର ପିଉସୀ ହସି ହସି କହିଲେ ଆଉ ଖାଇବା ଦରକାର ନାହିଁ । ଏଥର ଉଠ୍‌ ଗୁଲ୍‌କୀ ଧଇଁ ସଇଁ ହୋଇଗଲୁଣି । ଏଥର ଉଠ, କେତେ ଭାତ ନେଇ ନଷ୍ଟ କଲୁ, ଦେଖିଲୁ ? ତୋ’ର ଖାଲି ଖାଇବା ଉପରେ ଦୃଷ୍ଟି ତା’ପରେ କହିଲେ ବଡ଼ମା’ଟିର କାଣ୍ଡ ଦେଖ ଏତେ ବେଳ ଆସିହେଲାଣି ଛୋଟ ଝିଅଟା ଭାତ ମୁଠାଏ ଖାଇବା ପାଇଁକି ଡାକୁ ନାହାନ୍ତି ? ହେଲେ ହେଉ ପଛେ ପର ଯାହାହେଲେ ବି କୁନି ଝିଅଟା ନା ?...
 

 

ଶନିବାର ଦିନ ଅପୁ ସିଦ୍ଧେଶ୍ୱରୀ ମନ୍ଦରିକୁ ପୂଜା ଦେବା ପାଇଁ ଗଲା । ଆଚାର୍ଯ୍ୟ ଠାକୁରଙ୍କ ଖୁବ୍‌ ଲମ୍ବା ଦାଢ଼ି, ଧଳା ହୋଇଯାଇଛି ଓ ଛାତି ଉପରେ ଆସି ପଡ଼ିଛି । ଚେହେରା ଖଣ୍ଡିକ ବେଶ୍‌ ସୁନ୍ଦର । ତାଙ୍କର ବିଧବା ଝିଅ ଜଣକ ବାପା ସହିତ ଆସେ ଓ ପୂଜା ବିଧିର ସବୁ ଆୟୋଜନ କରେ । ବୃଦ୍ଧ ବାପାଙ୍କୁ ଅନେକ ସାହାଯ୍ୟ କରେ । ସେ ଝିଅଟି କହିଲା ଦକ୍ଷିଣା ଚାରି ପଇସା କାହିଁକି ଦେଉଛୁ, ଆରେ ଏ ପିଲା ? ବାରତିଥିର ପୂଜାରେ ଦୁଇ ଅଣା ଦକ୍ଷିଣା ଦେବାକୁ ହୁଏ ।

 

ଅପୁ କହିଲା ମୋ ମାଆ ତ ସର୍ବମୋଟ ଚାରି ପଇସା ଦେଇଛନ୍ତି, ଆଉ ତ ମୋ ପାଖରେ ନାହିଁ ?

 

ଝିଅଟି କିଛି ଫଳମୂଳ ବାଛି କଦଳୀ ପତରରେ ଗୁଡ଼େଇ ତା’ ହାତରେ ଦେଇ କହିଲା ଠାକୁରଙ୍କ ପ୍ରସାଦ ଏଥିରେ ଅଛି, ବେଲପତ୍ର ଓ ସିନ୍ଦୂର ବି ଦେଲି । ତୋ’ ଘରର ଝିଅମାନଙ୍କୁ ଦେବୁ । ଅପୁ ଭାବିଲା ଏମାନେ ଭାରି ଭଲ ଲୋକ ତ, ମୋ ପାଖରେ ଯଦି ପଇସା ଥାଆନ୍ତା ଏମାନଙ୍କୁ ଆଉ ଦୁଇ ପଇସା ଦେଇଥା’ନ୍ତି ।

 

ପିଉସୀ ଘରକୁ ଫେରି ସେ ବାହାର ବାରଣ୍ଡାରେ ଜହ୍ନ ଆଲୁଅରେ ବସି ପୂଜା ବିଷୟରେ କଥା ହେଉଥିଲା, ହଠାତ୍‌ ଏମିତି ସମୟରେ ପାଖ ଘରୁ ଗୁଲ୍‌କୀର ଆକାଶ ଫଟା କାନ୍ଦିବାର ଚିତ୍କାର ଶୁଣାଗଲା ଆଲୋ ବଡ଼ମା’, ଏମିତି ମୋତେ ମାରନା, ଆଲୋ ବାପାଲୋ, ଆଲୋ ବଲମା’, ମୋ ପିଠି ଫାଟି ଅକ୍ତ ପଡ଼ିଲାଣି... ମାରନି ଆଲୋ ବଲମା’..

 

ସଙ୍ଗେ ସଙ୍ଗେ ଗୋଟିଏ କର୍କଶ ସ୍ୱର ଶୁଣାଗଲା ହାରାମଜାଦୀବଦ୍‌ମାସ୍‌-ଚଉଧୁରୀ ଘରକୁ ଯାଇଥିଲୁ ନିମନ୍ତ୍ରଣ ଖାଇବା ପାଇଁ ଏମିତି ତୋ’ର ପେଟ ? ତୋ’ ପେଟ ଭିତରେ ଚଟୁ ଭର୍ତ୍ତି କରି ଯଦି ଚେଁକା ନ ଦେଇଛି ନା । ଲୋକ ଘରେ ଖାଇ ଖାଇ ଘୁରି ବୁଲିବ ଆଉ ବେଶୀ ଖୁଆଇଲାବାଲୀମାନେ ଆଖିବନ୍ଦ କରି କହିବେ ଖାଇବାକୁ ଦେଉନି ଅମଙ୍ଗୁଳି ଆପଦ କେଉଁଠିକାର ଘରେ ତୋତେ ଖାଇବାକୁ ମିଳେନି ? ଆଜି ମୁଁ ତୋତେ

 

ଅପୁ ପିଉସୀ କହିଲେ ଦେଖୁଚୁ, କେମିତି ଖୁଣ୍ଟା ଦେଇ କଥା ଶୁଣେଇ ଶୁଣେଇ କହୁଚି ? ସତ କଥାଟି ଯଦି କହିଦେଲ, ତୁମେ ହେଲ ଖରାପ, ଆଉ ଲୋକଙ୍କ ସଙ୍ଗେ ଭାବ ରହିବନି ।

 

ଅପୁର ମନଟା ଡହଳ ବିକଳ ହୋଇ ଉଠୁଥିଲା । ଆଖି ଲୁହରେ ସ୍ୱରଟି ତାହାର ସଙ୍କୁଚିତ ହୋଇ ଯାଉଥିଲା, ପଦଟିଏ ତା’ ମୁହଁରୁ କଥା ବାହାରିଲାନି ।

 

ତା’ ପରଦିନ ସନ୍ଧ୍ୟା ହେବାର କିଛି ସମୟ ପୂର୍ବରୁ ଅପୁ ଖିଆପିଆ ସାରି ଗଉଡ଼ ସାହି ପଟେ ଯାଇଥିଲା । ତା’ ଆଗଦିନ ପିଉସା ନବାବ ଗଞ୍ଜକୁ ଯିବା ପାଇଁ ତମାଖୁ ବୋଝେଇ ଶଗଡ଼ରେ ସେହି ଗାଁ’ରୁ ଯିବାର ବନ୍ଦୋବସ୍ତ କରିଦେଇଥିଲେ । ସନ୍ଧ୍ୟାରେ ଶଗଡ଼ରେ ବସିଲେ, ସକାଳ ସରିକି ନିଶ୍ଚିନ୍ତପୁର ଗାଁ’ରେ ପହଞ୍ଚିଯିବ ।

 

ଅଳ୍ପ କିଛିବାଟ ଗଲା ପରେ ବ୍ରାହ୍ମଣସାହି ରାସ୍ତା ବାଙ୍କରେ ତା’ର ଗୁଲ୍‌କୀ ସାଙ୍ଗରେ ଦେଖାହେଲା । ସେ ସଞ୍ଜରେ ଖେଳିସାରି ଘରକୁ ଫେରୁଥିଲା । ଅପୁ କହିଲା ଆଜି ଘରକୁ ଯାଉଛିରେ ଗୁଲ୍‌କୀ ଦିନସାରା କୁଆଡ଼େ ଥିଲୁ ? ଖେଳିବା ପାଇଁକି ଆସିଲୁନି ଯେ । ପରେ ଗୁଲ୍‌କୀ ଅବିଶ୍ୱାସରେ ହସୁଥିବାର ଦେଖି ଅପୁ କହିଲା ସତରେ, ସତ କହୁଚି, ଏଇ ଦେଖ୍‌ ମୋର ପୁଟୁଳି କାର୍ତ୍ତିକ ଗଉଡ଼ ଘରେ ପହଞ୍ଚି ଶଗଡ଼ରେ ବସିବି । ଆସୁନୁ ମୋ ସାଥିରେ ଟିକିଏ ବଳେଇ ଦେଇ ଆସିବୁ ? ଗୁଲ୍‌କୀ ତା’ ପଛେ ପଛେ ବହୁତ ବାଟ ଗଲା । ବ୍ରାହ୍ମଣ ସାହି ପରେ କିଛିବାଟ ଫାଙ୍କା ପ୍ରାନ୍ତରଟିଏ, ତା’ପରେ ହିଁ ଗଉଡ଼ ସାହି । ଗୁଲ୍‌କୀ ପ୍ରାନ୍ତର ପାଖ ପର୍ଯ୍ୟନ୍ତ ଆସିଲା । ଅପୁର ନାଲି ସାର୍ଟିନ୍‌ ଜାମା ଆଡ଼କୁ ଆଙ୍ଗୁଳି ଦେଖେଇ ପଚାରିଲା ତୁମର ଏଇ ଜାମାଟାର ଦାମ୍‌ କେତେ ପଇସା ?

 

ଅପୁ ହସି ହସି କହିଲା ଦୁଇଟଙ୍କା ତୁ ନେବୁ ?

 

ଗୁଲ୍‌କୀ ଫିକ୍‌କିନା ହସିଦେଲା । ଅର୍ଥାତ୍‌, ତୁମେ ଯଦି ଏବେ ଦିଅ, ତା’ହେଲେ...

 

ହଠାତ୍‌ ସାମନା ରାସ୍ତାଆଡ଼େ ଦୃଷ୍ଟିଫେରାଇ ଅପୁ ଦେଖିଲା ପ୍ରାନ୍ତରର ସେପଟେ ଗଛବୃଚ୍ଛର ଫାଙ୍କ ଆଲୋକିତ ହୋଇଉଠିଛି । ହଠାତ୍‌ ତା’ର ମନକୁ ଆସିଲା ଆସନ୍ତା ମାସରେ ଏମିତି ଦିନଟାରେ ସେମାନେ କେଉଁ କେତେଦୂରକୁ ଚାଲିଯିବେ । ତା’ପରେ ଗୁଲ୍‌କୀକୁ କହିଲା ଆଉ ଆଗକୁ ଆସ୍‌ନା ଝିଅ, ତୁ ଫେରିଯା ଅନେକ ବାଟ ଆସିଲୁଣି । ତୋ’ ଘରେ ପୁଣି ହୁଏତ ତୋତେ ଗାଳିଦେବେ । ଯା, ଚାଲିଯା ଝିଅ ହୁଏତ ପୁଣି କେବେ ଆସିଲେ ଦେଖାହେବ । ହୁଏତ ଆଉ ଆସିବିନି, ଆମେ ସବୁ ବୈଶାଖ ମାସରେ କାଶୀ ଚାଲିଯିବୁ । ସେଇଠି ରହିବୁ । ଗୁଲ୍‌କୀ ଆଉଥରେ ଫିକ୍‌ କିନା ହସିଦେଲା ।

 

ସେଦିନ ପୂର୍ଣ୍ଣିମା କିମ୍ବା ଚତୁର୍ଦ୍ଦଶୀ ଏମିତି କିଛି ତିଥିଥିଲା । ସେ ଆଉ ଏପଟେ କେବେବି ଆସିନି । କିନ୍ତୁ ବାଲ୍ୟକାଳର ଏଇ ଯେ ଏକାକୀ ବିଦେଶ ଯାତ୍ରା ସମ୍ପର୍କିତ ଗୋଟିଏ ଚିତ୍ର, ତା’ ମନରେ ଅନେକ ଦିନ ଯାଏ ଲାଖି ରହିଥିଲା । ସିଧା ପ୍ରାନ୍ତର ପଥରେ ଗଛବୃଚ୍ଛର ଫାଙ୍କ ଭିତରେ ଦୂରରେ ପୂର୍ଣ୍ଣିମାର କିମ୍ବା ଚତୁର୍ଦ୍ଦଶୀରେ ପୂର୍ଣ୍ଣଚନ୍ଦ୍ର ଉଇଁ ଆସୁଥିଲା । ପଛେ ପଛେ ଆସୁଥିଲା, ଅଳ୍ପଦିନର ପରିଚିତା, ଅନାଥା, ଅବୋଧ, ଅଲରା କେଶର କୁନି ଝିଅଟିଏ ତାକୁ ବଳେଇ ଦେବାକୁ ।

 

(୨୯)

 

ବୈଶାଖ ମାସର ପ୍ରଥମରୁ ହରିହର ନିଶ୍ଚିନ୍ତପୁରରୁ ବସତି ଉଠାଇବାକୁ ସବୁ ଠିକ୍‌ ଠାକ୍‌ କରିବା ଆରମ୍ଭ କରିଦେଲା । ଯେଉଁ ସବୁ ଜିନିଷ ସାଙ୍ଗରେ ନେଇ ପାରିବନି, ସେଗୁଡ଼ିକ ବିକିବାକି ବିଭିନ୍ନ ପ୍ରକାରର ଖୁଚୁରା ଋଣ ସୁଝି ଦେଲା । ସେ ସମୟରେ ତିଆରି ପଣସ ପଟାର ବଡ଼ ଖଟ, ସିନ୍ଦୁକ, ଘରେ ଅନେକ ପିଢ଼ା ଥିଲା । ଖବର ପାଇ ଆର ସାହିରୁ ବି ଲୋକ ଆସି ଶସ୍ତାଦାମରେ କିଣିନେଲେ ।

 

ଗାଁ’ର ମୁରବୀମାନେ ଆସି ହରିହରକୁ ବୁଝେଇ ନିବୃତ୍ତ କରିବା ପାଇଁ ଚେଷ୍ଟା କଲେ । ନିଶ୍ଚିନ୍ତପୁରରେ କ୍ଷୀର ଓ ମାଛ ଯେ କେତେ ଶସ୍ତା କିମ୍ବା କେତେ କମ୍‍ ଖର୍ଚ୍ଚରେ ଯେ ଏଠାରେ ସଂସାର ଚଳିଯାଏ ତାହାର ଗୋଟିଏ ତୁଳନାତ୍ମକ ମୌଖିକ ତାଲିକା ବି ପ୍ରଦାନ କଲେ । ସମସ୍ତେ ବୁଝେଇଲେ କେବଳ ରାଜକୃଷ୍ଣ ଭଟ୍ଟାଚାର୍ଯ୍ୟଙ୍କ ସ୍ତ୍ରୀ ସାବିତ୍ରୀ ବ୍ରତ ପାଇଁ ନିମନ୍ତ୍ରଣ କରିବାକୁ ଆସି ଅନେକ ସମୟ ବସି କଥାବାର୍ତ୍ତା ହେଲେ । ତା’ପରେ କହିଲେ ଆରେ ବାପା, ଏ ଦେଶରେ କ’ଣ ଅଛି ଯେ, ତୁମକୁ ଅଟକି ଯିବା ପାଇଁ କହିବି । ତା’ଛଡ଼ା ବିଦ୍ୟା ଆଦି ଗୁଣକୁ କାଦୁଅରେ ପୋତି ଦେଇ ଗୋଟାଏ ଜାଗାରେ ରହିବାର କିଛି ଅର୍ଥ ନାହିଁ । ଏ କଥା ମୋ ନିଜ ଅଭିଜ୍ଞତାରୁ କହୁଛି । ମନଟା ସବୁବେଳେ ଛୋଟ ହୋଇ ରହିଯାଏ, ଆଶାର ବାଡ଼ ଧୀରେ ଧୀରେ ବନ୍ଦ ହୋଇ ଆସେ । ଭାବୁଛୁ, ଏଥର ଯଦି ଭଗବାନ ଭଲ ସମୟ ଦିଅନ୍ତି ଚନ୍ଦ୍ରନାଥ ଯାଇ ଥରଟିଏ ବୁଲି ଆସିବି ।

 

ଖବର ପାଇ ରାନୁ ଅପୁ ଘରକୁ ଆସିଲା । ଅପୁକୁ ପଚାରିଲା, ଅପୁ ତୁମେ ସବୁ ଏ ଗାଁ ଛାଡ଼ି ଚାଲିଯାଉଛ ? ଏ କଥା କ’ଣ ସତ ?

 

ଅପୁ କହିଲା ସତ, ରାନୁ ନାନୀ । ମା’ଙ୍କୁ ପଚାରୁନ

 

ତଥାପି ବି ରାନୁ ବିଶ୍ୱାସ କରୁନଥିଲା । ଶେଷରେ ସର୍ବଜୟା ମୁହଁରୁ ସବୁକଥା ଶୁଣି ରାନୁ ଅବାକ୍‌ ହୋଇଗଲା । ଅପୁକୁ ବାହାର ବାରଣ୍ଡାକୁ ଡାକି କହିଲା କେବେ ଯିବୁରେ ?

 

ଆଗାମୀ ବୁଧବାରର ପର ବୁଧବାର ଦିନ

 

ଆଉ କେବେ ଆସିବୁନି ?

 

ରାନୁର ଆଖି ଲୁହ ଛଳ ଛଳ ହୋଇଗଲା, କହିଲା ଆଉ ତୁ ଯେ କହୁ ନିଶ୍ଚିନ୍ତପୁର ଆମର ବଡ଼ ଭଲ ଗାଁ । ଏମିତି ନଈ, ଏମିତି ବିଲ କେଉଁଠି ନାହିଁ ସେଇ ଗାଁ’ଟିକୁ ଛାଡ଼ି ତୁ କେମିତି ଯିବୁ ?

 

ଅପୁ କହିଲା ମୁଁ ବା କ’ଣ କରିବି କହ, ମୁଁ ତ ଯିବା ପାଇଁ କହିନି ? ବାପାଙ୍କର ସେଇଠି ରହିବାର ଇଚ୍ଛା । ଏଠାରେ ଆମର ଗୁଜରାଣ ମେଣ୍ଟୁନି ଯେ ? ମୋର ଲେଖା ଖାତାଖଣ୍ଡିକ ତୁମକୁ ଦେଇଯିବି ରାନୁନାନୀ । ବଡ଼ହେଲେ ହୁଏତ ପୁଣି ଦେଖାହେବ ରାନୁ କହିଲା ତୁ ବେଶ୍‌ ଭଲ ପିଲାଟି ତ ଅପୁ ? ମୋ ଖାତାରେ ଗପଟି ଶେଷ କଲୁନି କି ତା’ ପୃଷ୍ଠାରେ ଦସ୍ତଖତ କଲୁନି ?

 

ଆଖିର ଲୁହକୁ ଚାପି ରାନୁ ଦ୍ରୂତ ଗତିରେ ଘରୁ ବାହାରକୁ ଚାଲିଗଲା । ଅପୁ ଜାଣିପାରିଲାନି ରାନୁ ନାନୀ କାହିଁକି ମିଛଟାରେ ରାଗିଗଲେ । ସେ ବା କ’ଣ ନିଜ ଇଚ୍ଛାରେ ଦେଶ ଛାଡ଼ି ଯାଉଛି ?

 

ଗାଧୁଆ ତୁଠରେ ପଟୁ ସହିତ ଅପୁର ଦେଖାହେଲା । ପଟୁ ବି ଘଟଣା ବିଷୟରେ ଜାଣିନଥିଲା । ଅପୁ ପାଖରୁ ସବୁକଥା ଶୁଣି ତା’ ମନଟା ବି ବେଶ୍‌ ଦବିଗଲା । ମୁହଁ ଶୁଖେଇ କହିଲା ତୋ’ ପାଇଁ ପାଣିକୁ ଓହ୍ଲେଇ କେତେ କଷ୍ଟରେ ଦଳ ସଫା କରି ଜାଗାକଲି, ତୁ ଦିନଟିଏ ବି ସେଇଠି ମାଛ ଧରିବୁନି ?

 

ଏଥର ରାମନବମୀର ଦୋଳ, ଚଡ଼କପୂଜା ଓ ଗୋଷ୍ଠବିହାର ଅଳ୍ପଦିନ ବ୍ୟବଧାନରେ ପଡ଼ିଲା । ପ୍ରତିବର୍ଷ ଏମିତି ସମୟରେ ଅପୁର ବୁକୁ ଭିତରେ ଅପୂର୍ବ ଅସଂଯତ ଆନନ୍ଦରେ ଉଛୁଳି ଉଠେ । ସେ ଆଉ ତା’ର ନାନୀ ଏହି ଦିନମାନଙ୍କରେ ଆହାର ନିଦ୍ରା ପ୍ରାୟ ଛାଡ଼ି ଦେଇଥାନ୍ତି । ଅପୁ ତରଫରୁ ସେ ବିଷୟରେ ଏବର୍ଷ ମଧ୍ୟ କୌଣସି ତ୍ରୁଟି ନ ଥିଲା ।
 

 

ଚଡ଼କ ଦିନ ଗାଁ’ର ଆତୁରୀ ବୁଢ଼ୀ ମରିଗଲା । ଆଜିକାଲି ଯେଉଁ ନୂଆ ପଡ଼ିଆଟିରେ ଚଡ଼କମେଳା ବସେ, ଆତୁରୀ ବୁଢ଼ୀ ଚାଳଘରଟି ତାହାର ଅତି ନିକଟରେ । ବହୁତ ଲୋକଙ୍କ ଭିଡ଼ ଜମିଛି ଦେଖି ସେ ବି ସେଠାକୁ ଯାଇଥିଲା । ସାନ ଥିବା ସମୟରେ ଥରଟିଏ ସେ ଆତୁରୀ ବୁଢ଼ୀକୁ ଡାହାଣୀ ବୋଲି ଭାବି ବାଉଁଶବୁଦା, ଜଙ୍ଗଲ ଡେଇଁ ପଳେଇଥିଲା ସେ କଥା ମନେପଡ଼ିଲେ ଏବେ ତାକୁ ଭୀଷଣ ହସ ଲାଗେ । ଆଜି ତା’ର ମନେହେଲା, ଆତୁରୀ ବୁଢ଼ୀ ଡାହାଣୀ ନୁହେଁ, କିଛି ବି ନ ଥିଲା । ଗାଁ’ର ଗୋଟିଏ ମୁଣ୍ଡକୁ ଲୋକାଳୟଠାରୁ ହୁଏତ ଏକାକୀ ରହୁଥିଲା । ଗରିବ ଅସହାୟ । ନା ପୁଅ ଥିଲା ନା ଝିଅ ଥିଲା । ତା’ର ଏ ସଂସାରରେ କେହି ଥିଲେ, ଆଜି କ’ଣ ଦିନସାରା ଘର ଭିତରେ ମରି ପଡ଼ି ରହିଥାନ୍ତି ? ଶବ ସତ୍କାର ପାଇଁ ଲୋକ ମିଳିଲେନି ? ପାଞ୍ଚୁ କେଉଟର ପୁଅ ଭିତରୁ ଗୋଟିଏ ହାଣ୍ଡି ଆଣି ବାହାରେ ଢାଳିଲା । ହାଣ୍ଡିଏ ଶୁଖିଲା ଆମ୍ବୁଲଖଣ୍ଡ ଭର୍ତ୍ତି ହୋଇଥିଲା । ଖସି ପଡ଼ିଥିବା ଆମ୍ବକୁ ଗୋଟେଇ ବୁଢ଼ୀ ଆମ୍ବୁଲ ତିଆରି କରି ରଖୁଥାଏ ଏବଂ ସେଗୁଡ଼ିକ ହାଟରେ ବିକି ଚଳୁଥାଏ । ଅପୁ ଏ କଥା ଜାଣିଥିଲା । କାରଣ, ଗତ ରଥଯାତ୍ରା ମେଳାରେ ସେ ତାକୁ ଡଲାରେ ଆମ୍ବୁଲ ରଖି ବିକ୍ରି କରିବାର ଦେଖିଥିଲା ।

 

ଚଡ଼କ ମେଳାଟା କାହିଁକି କେଜାଣି ଏଥର ଭୀଷଣ ଫାଙ୍କା ଫାଙ୍କା ମନେହେଲା । ଗତବର୍ଷ ଚଡ଼କ ମେଳାରେ ତା’ ନାନୀ ନୂଆ ଫଟୋ କିଣି କେତେ ଖୁସି ହୋଇଥିଲା । ତା’ର ସବୁ ମନେଅଛି । ସେଦିନ ସକାଳେ ତା’ ନାନୀ ସହିତ ତା’ର ଝଗଡ଼ା ହୋଇଥିଲା । ବିକାଳ ସମୟରେ ତା’ ନାନୀ ତାକୁ କହିଲା ଅପୁ ମେଳାରେ ଗୋଟିଏ ସୀତା ହରଣର ଫଟୋ ଯଦି ପାଇବୁ, କିଣି ଆଣିବୁ, ମୁଁ ପଇସା ଦେବି । ଅପୁ ସକାଳ ଝଗଡ଼ାର ପ୍ରତିଶୋଧ ନେବା ପାଇଁ କହିଲା ତୋର ଯେତେସବୁ ଫିକା ଓ ପିଲାଳିଆ ଫଟୋ କିଣାରେ ମନ, ମୁଁ କିଣିପାରିବିନି । କାହିଁକି ରାମ ରାବଣର ଯୁଦ୍ଧ ଫଟୋ ଖଣ୍ଡେ କିଣିଲେ ହୁଅନ୍ତାନି ? ତା’ ନାନୀ କହିଲା ତୋ’ର କେବଳ ଯୁଦ୍ଧ ଆଉ ଯୁଦ୍ଧ ପୁଅର ଯେଉଁ କାଣ୍ଡ ! କାହିଁକି, ଠାକୁର ଦେବତାଙ୍କ ଫଟୋ ତୋତେ ଭଲ ଲାଗେନି ?... ନାନୀର ଶିଳ୍ପାନୁଭୂତିର ଶକ୍ତି ଉପରେ ଅପୁର କୌଣସି ଦିନ ଶ୍ରଦ୍ଧା ନ ଥିଲା ।

 

ତାଙ୍କ ବାଡ଼ରେ ରଙ୍ଗଣି ଫୁଲ ନାଲି ହୋଇ ଫୁଟିଲେ, ତା’ ନାନୀର ମୁହଁଟି ମନେପଡ଼ିଯାଏ । ପକ୍ଷୀର କାକଳିରେ, ସଦ୍ୟ ପ୍ରସ୍ପୁଟିତ ଦୋଦୁଲ୍ୟମାନ, ମନ୍ଦାର ଫୁଲର ଠାଣିରେ ତା’ ନାନୀ କଥା ମନେପଡ଼େ ଆଉ ମନ ଭିତରେ କେମିତି ଗୋଟାଏ ହୋଇଯାଏ । ମନେହୁଏ, ଯା ପାଖକୁ ଧାଇଁ ଯାଇ ପଦଟିଏ କଥା କହିଲେ ଯିଏ ଖୁସିହୁଏ, ସେ କାହିଁ କୁଆଡ଼େ ଚାଲିଯାଇଛି କେତେ ଦୂରକୁ... ଆଉ କେବେବି ସେ ଫେରିବନି, ସେ ଏସବୁକୁ ନେଇ ଖେଳିବାକୁ ଆଉ ଫେରିବନି ।

 

ମେଳାର ଗହଳଚହଳ ଭିତରେ କିଏ ଜଣେ ଚମତ୍କାର ସ୍ୱରରେ ବଇଁଶୀ ବଜାଉଥିଲା । ନୂଆ ନୂଆ ସ୍ୱର ସବୁ ତାକୁ ଶୁଣିବାକୁ ଭଲ ଲାଗେ । ଲୋକଟିକୁ ଖୋଜି ବାହାରକଲା । ମାଲପଡ଼ାର ହରେନ୍‍ ମାଲ ବିଡ଼ାଏ ବାଉଁଶ ବଇଁଶୀ ତିଆରି କରି ବିକିବାକୁ ଆଣିଛି । ଆଉ ବିଜ୍ଞାପନ ପାଇଁ ସେଥିରୁ ଖଣ୍ଡିଏ ବଇଁଶୀ ସେ ନିଜେ ବଜାଉଛି । ଅପୁ ପଚାରିଲା ଗୋଟାକୁ କେତେ ପଇସା ? ହରେନ୍‌ ମାଲ୍‌ ତାକୁ ଭଲ ଭାବରେ ଜାଣେ । କେତେଥର ଆସି ତାଙ୍କର ରୋଷେଇ ଘର ଛପର କରିଯାଇଛି । ସେ ପଚାରିଲା ମୁଁ ଶୁଣିଲି, ତୁମେ ସବୁ ଗାଁ ଛାଡ଼ି ଚାଲିଯାଉଛ ବାବୁ ? ତେବେ କେଉଁଠିକି ଯାଉଛ ?

 

ଅପୁ ଦେଢ଼ ପଇସା ଦେଇ ସରୁ ବାଉଁଶର ବଇଁଶୀଟିଏ କିଣିଲା । କହିଲା ହରେନ୍‌ କାକା, କେଉଁ କଣାରେ ଆଙ୍ଗୁଳି ଦେଇ ଫୁଙ୍କିଲେ ବାଜେ, ମୋତେ ଟିକିଏ ବତେଇ ଦିଅନା ?

 

ତା’ର ଆଜି ବି ମନେଅଛି, ଦିନେ ଅନେକ ରାତିରେ ତା’ର ନିଦ ଭାଙ୍ଗିଥିଲା । ସେ କିଛି ସମୟ ଚାହିଁ ରହିଥିଲା । ଦୂରରେ ଅନ୍ଧକାର ଭିତରେ କେଉଟମାନଙ୍କ ନୌକାରେ ଲଣ୍ଠନ ଆଲୁଅ ଦେଖାଯାଉଥିଲା । ଆଉ ସେମାନଙ୍କ ମାଛଧରା ଜାଲର ଏକ ପ୍ରକାରର ଏକଟଣା ଠକ୍‌ଠକ୍‌ ଶବ୍ଦ ଶୁଣାଯାଉଥିଲା । ଏମିତି ସମୟରେ ତାକୁ ଶୁଣାଗଲା ଅନେକ ଦୂରରେ ଯେମିତି ନୀଳକୋଠି ପ୍ରାନ୍ତର ପଥରେ କିଏ ଜଣେ ଖୁବ୍‌ ଜୋରରେ ସ୍ୱର ଖୋଲି ଗୀତ ଗାଇ ରାସ୍ତାରେ ଚାଲିଛି । କୋଠି ପ୍ରାନ୍ତରର ରାସ୍ତାରେ ନିଝୁମ୍‌ ରାତିରେ ପ୍ରାୟ କେହି ଯାତାୟାତ କରନ୍ତିନି । ତଥାପି ତନ୍ଦ୍ରା ବିଜଡ଼ିତ ଅଧା ନିଦୁଆ ଆଖିରେ କେତେଦିନ ଧରି ସେ ଗଭୀର ନିଶୀଥରେ ରାତ୍ରିର ଜୋଛନାରେ, ଅଚିହ୍ନା ପଥିକ କଣ୍ଠରେ ମଧୁର ଭଙ୍ଗା ଭଙ୍ଗା ପଦର ଗୀତ ଦୂରରୁ ଅନେକ ଦୂର ପର୍ଯ୍ୟନ୍ତ ମିଳେଇ ଯିବାର ଶୁଣିଛି । କିନ୍ତୁ ସେଥର ଯାହା ଶୁଣିଥିଲା, ତାହା ସମ୍ପୂର୍ଣ୍ଣ ଭାବରେ ନୂଆ । ସ୍ୱରଟିକୁ ସେ ଆୟତ୍ତ କରିପାରିଲାନି । ଅର୍ଦ୍ଧ ଜାଗରିତ ଅବସ୍ଥାରେ ସୁଷମାମୟୀ ସୁରଲକ୍ଷ୍ମୀ ଦୁଇଟି ନିଜର ଠିକ୍‌ ମଝିରେ ପଥ କଢ଼େଇ କେଉଁଆଡ଼େ ଅନ୍ତର୍ହିତ ହୋଇଥିଲେ କେବେବି ତା’ର ସନ୍ଧାନ ମିଳିନଥିଲା । କିନ୍ତୁ ଅପୁ ସେ କଥା କେବେବି ଭୁଲିପାରିବ କି ?

 

ଚଡ଼କମେଳା ଦେଖି ଭିନ୍ନ ଭିନ୍ନ ଗାଁ’ର କୃଷକ ଘରର ପୁଅଝିଅମାନେ ରଙ୍ଗିନ୍‌ ଲୁଗାପଟା ପିନ୍ଧି କିମ୍ବା କେହି କେହି କୋରା ଶାଢ଼ୀ ପିନ୍ଧି ଧାଡ଼ିବାନ୍ଧି ଘରକୁ ଫେରୁଥିଲେ । ପିଲାମାନେ ବଇଁଶୀ ବଜେଇ ବଜେଇ ଚାଲୁଛନ୍ତି । ଗୋଷ୍ଠ ବିହାର ମେଳା ଦେଖିବାକୁ ଚାରିପାଞ୍ଚ କୋଶ ଦୂରରୁ ମଧ୍ୟ ବହୁତ ଲୋକ ଆସିଥିଲେ । ସମସ୍ତଙ୍କ ହାତରେ କିଛି ନା କିଛି ଜିନିଷ ସୋଲର ଚଢ଼େଇ, କାଠର ପିତୁଳା, ରଙ୍ଗିନ୍‌ କାଗଜର ପଙ୍ଖା, ରଙ୍ଗ କରା ହାଣ୍ଡି ଓ କଳସୀ । ଚିନିବାସ ବୈଷ୍ଣବ ମେଳରେ ବାଇଗଣି ଓ ଗୁଲୁଗୁଲା ଦୋକାନ ଖୋଲିଥିଲା । ତା’ ଦୋକାନରୁ ଅପୁ ଦୁଇ ପଇସାର ତେଲଛଣା ଜଳଖିଆ କିଣି ଘରକୁ ଫେରିଥିଲା । ଫେରୁ ଫେରୁ ତା’ର ମନକୁ ଆସିଲା, ଯେଉଁଠିକି ସେମାନେ ଉଠି ଚାଲିଯିବେ, ସେ ସ୍ଥାନରେ କ’ଣ ଏମିତି ଗୋଷ୍ଠ ବିହାର ମେଳା ହୁଏ ? ହୁଏତ ସେ ଆଉ ଚଡ଼କ ମେଳା ଦେଖିପାରିବନି । ସେଠାରେ ଯଦି ଚଡ଼କ ମେଳା ହେଉନଥିବ, ସେ ବାପାଙ୍କୁ କହିବ ବାପା, ଚାଲ ଆମେ ନିଶ୍ଚିନ୍ତପୁର ଯିବା, ଚଡ଼କ ମେଳା ଦେଖିଆସିବା । ଦିନେ ଦୁଇଦିନ ପାଇଁ ଆମେ ଖୁଡ଼ୀ ଘରେ ରହି ମେଳା ଦେଖି ଫେରିଯିବା ।

 

ଚଡ଼କ ପରଦିନ ଜିନିଷପତ୍ର ବନ୍ଧାବନ୍ଧି ଆରମ୍ଭ ହେଲା । କାଲି ଦୁଇ ପହର ପରେ ଖିଆପିଆ ଶେଷ ହେଲେ ଯାତ୍ରା ଆରମ୍ଭ ହେବ ।

 

ସନ୍ଧ୍ୟା ସମୟରେ ତା’ର ମାଆ ରୋଷେଇ ଘର ବାରଣ୍ଡାରେ ତାକୁ ଗରମ ଗରମ ପରଟା ଭାଜି ଦେଉଥିଲେ । ନୀଳମଣି ବଡ଼ବାପାଙ୍କ ଭିଟାରେ ନଡ଼ିଆ ଗଛ ପତରସବୁ ଜୋଛନାରେ ଚିକ୍‌ଚିକ୍‌ କରୁଥିଲା । ସେ ଆଡ଼କୁ ଚାହିଁ ଅପୁର ମନ ଦୁଃଖରେ ଅଭିଭୂତ ହୋଇଉଠିଲା, ଆଜି ପର୍ଯ୍ୟନ୍ତ ତା’ ମନରେ ନୂଆ ଦେଶ ବୁଲିବାର ଯେଉଁ ଆଗ୍ରହ ଥିଲା, ଦିନ ଯେତିକି ପାଖେଇ ଆସିଲା, ଆସନ୍ନ ବିରହରେ, ଗଭୀର ବ୍ୟଥାରେ ତା’ର ମନର ସ୍ୱରଟି ସେତିକି କରୁଣ ରାଗରେ ବାଜିବାକୁ ଲାଗିଲା ।

 

ତାଙ୍କରି ଏ ଯେଉଁ ଘରଟି, ଏଠିକାର ବାଉଁଶବଣ, ସଳିତା ଖିଆ ଆମ୍ବ ବଗିଚା, ନଈକୂଳ ଆଉ ନାନୀ ସହିତ କରିଥିବା ବଣଭୋଜିର ଜାଗାଟି ସେ ସବୁକୁ ସେ ସତରେ କେତେ ଭଲପାଏ ! ଏଇ ଯେଉଁ ନଡ଼ିଆ ଗଛର ବଗିଚା, ସେମାନେ ଯେଉଁ ଜାଗାକୁ ଯାଉଛନ୍ତି ସେଠାରେ କ’ଣ ଏମିତି ସବୁ ଥିବ ? ହେତୁ ହେଲା ଦିନଠୁ ଏହି ସବୁ ନଡ଼ିଆ ଗଛଗୁଡ଼ିକୁ ସେ ଦେଖିଆସିଛି, ଜହ୍ନ ରାତିରେ ତା’ର ପତରଗୁଡ଼ିକ କି ସୁନ୍ଦର ଦେଖାଯାଏ । ସୁନ୍ଦର ଜହ୍ନରାତିରେ ଏଇ ବାରଣ୍ଡାରେ ବସି ଜୋଛନା ଝରା ନଡ଼ିଆ ବରଡ଼ା ଆଡ଼କୁ ଚାହିଁ କେତେ କେତେ ରାତି ସେ ନାନୀ ସହିତ ଦଶ-ପଚିଶ ଖେଳ ଖେଳିଛି ତା’ର ଠିକଣା ନାହିଁ । କେତେଥର ମନକୁ ଆସିଛି, କି ସୁନ୍ଦର ଆମର ଏଇ ନିଶ୍ଚିନ୍ତପୁର ଦେଶ ! ଯେଉଁଠିକୁ ସେମାନେ ଯାଉଛନ୍ତି, ସେଇଠି ବି କ’ଣ ଏମିତି ରୋଷେଇ ଘର ବାରଣ୍ଡାରୁ ଏମିତି ନଡ଼ିଆ ଗଛ ଦେଖାଯାଏ ? ସେଠାରେ ସେ କ’ଣ ବନ୍‌ଶୀରେ ମାଛ ଧରିପାରିବ ? ଆମ୍ବ କଷି ଗୋଟେଇ ପାରିବ ? ନୌକା ବାହି ନଦୀ ଭିତରକୁ ଯାଇପାରିବ ? ରେଳ, ରେଳ ଖେଳ ଖେଳିପାରିବ ? କଦମ୍ବ ଗଛ ମୂଳର ସାହେବ ଘାଟ ପରି ନଈଘାଟ କ’ଣ ସେଠାରେ ଅଛି ? ସେଠାରେ କ’ଣ ରାନୁ ନାନୀଟିଏ ମିଳିବ ? ସେନାଡାଙ୍ଗାର ପ୍ରାନ୍ତର ଅଛି ? ଏମିତି ତ ସେମାନେ ଭଲ ଅଛନ୍ତି । କାହିଁକି ଏତେ ସବୁକୁ ଛାଡ଼ି ମିଛଟାରେ ଦୂରକୁ ଚାଲିଯିବେ ଯେ ?

 

ଦୁଇ ପହର ସମୟରେ ଗୋଟିଏ ଘଟଣା ଘଟିଗଲା ।

 

ମାଆ ତା’ର ସାବିତ୍ରୀ ବ୍ରତର ନିମନ୍ତ୍ରଣ ପାଇଁ ଯାଇଥିଲେ । ବାପା ଖାଇସାରିବା ପରେ ପାଖ ଘରେ ଶୋଇଥିଲେ । ଅପୁ ଘର ଭିତରେ ଥିବା ଥାକ ଉପରେ ଥିବା ଜିନିଷପତ୍ର ଭିତରୁ କ’ଣ ସାଙ୍ଗରେ ନିଆଯାଇପାରିବ ଖୋଜି ଦେଖୁଥିଲା । ଉଚ୍ଚ ଥାକ ଉପରୁ ମାଟି କଳସୀଟିଏ ଘୁଞ୍ଚାଇବା ସମୟରେ ତା’ ଭିତରୁ କ’ଣ ଗୋଟିଏ ଜିନିଷ ଗଡ଼ିଯାଇ ଚଟାଣରେ ପଡ଼ିଲା । ସେ ଚଟାଣରୁ ଗୋଟେଇ ଏପଟ ସେପଟ କରି ଦେଖୁ ଦେଖୁ ଅବାକ୍‌ ହୋଇଗଲା । ଧୂଳି ଓ ଅଳନ୍ଧୁରେ ଭର୍ତ୍ତି ହୋଇଥିଲେ ବି ଜିନିଷଟି ବିଷୟରେ ଓ ତାହାର ଇତିହାସ ବୁଝିବାକୁ ତା’ର ବାକି ରହିଲାନି ।

 

ସାନ ମଝିଆ ବଡ଼ମା’ ଘରୁ ଗତବର୍ଷ ଚୋରିଯାଇଥିବା ସେହି ସୁନାର ଛୋଟ ଫରୁଆ ।

 

ଦୁଇ ପହର ସମୟ । ଘରେ କେହି ନାହାନ୍ତି, ଶୂନ୍‌ଶାନ୍‌ । ଫରୁଆ ହାତରେ ଧରି ଅନେକ ସମୟ ଅନ୍ୟମନସ୍କ ହୋଇ ଛିଡ଼ାହୋଇ ରହିଲା । ବୈଶାଖର ଦୁଇପହର । ତପ୍ତରୌଦ୍ରରେ ଭରପୁର ନିର୍ଜନତା । ବାଉଁଶ ବଣରେ ‘ଶଣ୍‌ଶଣ୍‌’ ଶବ୍ଦ ବହୁତ ଦୂରରୁ ଆସୁଥିବା ବାର୍ତ୍ତା ଭଳି କାନରେ ବାଜୁଥିଲା । ସେ ମନକୁ ମନ କହିଉଠିଲା- ହତଭାଗୀ ନାନୀ ଚୋରି କରି ଏଇ କଳସୀ ଭିତରେ ଲୁଚେଇ ରଖି ଦେଇଥିଲା !

 

ସେ ଟିକିଏ ଚିନ୍ତାକଲା । ତା’ପରେ ପଛପଟ କବାଟ ପାଖରେ ଛିଡ଼ା ହେଲା । ବାଉଁଶବଣଟି ବହୁଦୂର ପର୍ଯ୍ୟନ୍ତ ଲମ୍ବିଯାଇଛି । ମନେ ହେଉଥିଲା ସତେ ଯେମିତି ଦ୍ୱିପ୍ରହରର ରୌଦ୍ରତାପରେ ଅବସନ୍ନ ହୋଇପଡ଼ିଛି । ଦୂରର କୌଣସି ଏକ ଗଛ ଅଗରୁ ଶଙ୍ଖଚିଲଟିଏ ରହି ରହି ରାବୁଛି । ଦ୍ୱୈପାୟନ ହ୍ରଦରେ ଲୁଚି ରହିଥିବା ପ୍ରାଚୀନ ଯୁଗର ସେହି ପରାଜିତ ଭାଗ୍ୟହତ ରାଜପୁତ୍ର ପରି ବେଦନା କରୁଣ ଉଦାସ ମଧ୍ୟାହ୍ନଟି ! ଅଳ୍ପ କିଛି ସମୟ ଛିଡ଼ା ହୋଇ, ସେ ହାତରେ ଧରିଥିବା ଫରୁଆଟିକୁ ବାଉଁଶବଣ ଭିତରକୁ ଜୋରରେ ଫିଙ୍ଗିଦେଲା । ତା’ ନାନୀ ‘ଭୁଲା’ କୁକୁରଟାକୁ ଡାକ ଦେଲେ ସେ ଯେଉଁ ଘଞ୍ଚ ବଣ ବୁଦା ଭିତରୁ ଧଇଁସଇଁ ହୋଇ ଦଉଡ଼ିଆସେ, ଠିକ୍‌ ତା’ ପାଖାପାଖି ଜମା ହୋଇଥିବା ଶୁଖିଲା ବାଉଁଶ ଓ ପତ୍ରର ଗହଳ ଭିତରେ, ବଇଁଚ କୋଳି ବୁଦା ପାଖରେ କେଉଁଠି ଗଡ଼ିଗଡ଼ି ପଡ଼ିଥିଲା ।

 

ମନକୁ ମନ ସେ କହିଲା ଥାଉ ସେଇଠି, କେହି କିଛି ଜାଣି ପାରିବେନି । ସେଠାକୁ ଆଉ କିଏ ବା ଯିବ ?

 

ସୁନା ଫରୁଆଟିର କଥା ଅପୁ କାହା ଆଗରେ କିଛି କହିନଥିଲା, କେବେବି ଜଣାଇ ନ ଥିଲା । ଏମିତି କି ତା’ ମା’କୁ ବି ନୁହେଁ ।

 

ଦୁଇ ପହର ଗଡ଼ିଗଲା । ହୀରୁ ଶଗଡ଼ିଆର ଶଗଡ଼ରେ ଯାତ୍ରା ଆରମ୍ଭ ହେଲା । ସକାଳେ ଆକାଶରେ ଅଳ୍ପ ଅଳ୍ପ ମେଘ ଥିଲା ସତ, କିନ୍ତୁ ଦଶଟା ପୂର୍ବରୁ ସେସବୁ କୁଆଡ଼େ ଚାଲିଯାଇଥିଲା । ବୈଶାଖ ମଧ୍ୟାହ୍ନର ପରିପୂର୍ଣ୍ଣ ପ୍ରଚୁର ରୌଦ୍ରତାପ, ଗଛବୃଚ୍ଛରେ, ରାସ୍ତାଘାଟରେ ଯେମିତି ଅଗ୍ନିବର୍ଷା କରୁଥିଲା । ପଟୁ ଶଗଡ଼ ପଛେ ପଛେ ଅନେକ ବାଟ ଆସିଥିଲା । ସେ କହୁଥିଲା ଅପୁଭାଇ, ଏଥର ବାରୋୱାରୀରେ ଭଲ ଅପେରା ଦଳକୁ ଡକା ହେଇଛି, ତୁ ଏଥର ଦେଖିପାରିବୁନି ।

 

ଅପୁ କହିଲା ତୁ ଅପେରାର ପ୍ରଚାର କାଗଜ ଖଣ୍ଡେ ଅଧିକ ମାଗିଦେବୁ ଆଉ ମୋ ପାଖକୁ ପଠେଇ ଦେବୁ ।

 

ଶଗଡ଼ ଚାଲିଥାଏ । ଚଡ଼କ ମେଳାର ପଡ଼ିଆ ପାଖ ଦେଇ ! ମେଳାର ଚିହ୍ନସ୍ୱରୂପ ପଡ଼ିଆଟିରେ ଖାଲି ପଇଡ଼ଗୁଡ଼ିକ ଏଣେତେଣେ ଗଡ଼ୁଛି । ପଡ଼ିଆର ଗୋଟାଏ କଡ଼କୁ କିଏ ସବୁ ରନ୍ଧାରନ୍ଧି କରି ଖାଇଥିଲେ । ନିଆଁର ଝାସରେ ସେଠାକାର ମାଟି ଓ ଇଟା ପୋଡ଼ି କଳା ଦେଖାଯାଉଛି । ଆଉ ଗୋଟିଏ ପଟେ, କଳା ଲାଗିଥିବା ନୂଆ ହାଣ୍ଡି ସବୁ ପଡ଼ିଥିଲା । ହରିହର ନିର୍ବାକ୍‌ ହୋଇ ବସିଥିଲେ । ତାଙ୍କୁ କେମିତି କେମିତି ଲାଗୁଥିଲା । ଯାହା ଆଜି ସେ କରୁଛନ୍ତି, ଏଇଟା କ’ଣ ଠିକ୍‌ ? କେତେକାଳ ପୈତୁକ ଭିଟା ପାଖରେ ସେ ପୋତା ଭିଟା ଖଣ୍ଡିକ ସବୁ ଧୁମ୍‌ଧାମ୍‌ ଭିତରେ ଏକାଥରକେ ନୀରବ ହୋଇଯାଇଥିଲା । ବାକି ବି ଯାହାଥିଲା, ସେଠାରେ ମାଟିର ଦୀପଟିଏ ଟିମ୍‌ଟିମ୍‌ ହୋଇ ପ୍ରତିଦିନ ସଞ୍ଜରେ ଜଳୁଥିଲା, ଆଜି ସନ୍ଧ୍ୟାରୁ ସେ ବି ଚିରଦିନ ପାଇଁ ସ୍ତିମିତ ହୋଇଯିବ । ପିତା ରାମଚାନ୍ଦ ତର୍କବାଗୀଶ ସ୍ୱର୍ଗରୁ ଥାଇ କ’ଣ କହିବେ ?

 

ଗାଁ’ର ଶେଷ ଚାଳଘରଟି ଆତୁରୀ ବୁଢ଼ୀର । ଦୁଇ ବଖରା ନୁଆଁଣିଆ ଘରଟି ଯେତେ ସମୟ ପର୍ଯ୍ୟନ୍ତ ଦେଖାଯାଉଥିଲା, ଅପୁ ସେହି ଆଡ଼କୁ ଆଁ କରି ଚାହିଁ ରହିଥିଲା । ତା’ପରେ ଗୋଟିଏ ବଡ଼ ଖଜୁରୀ ବଗିଚା ପାଖ ଦେଇ ଶଗଡ଼ ଚାଲୁଥିଲା ଏବଂ ଆଷାଢ଼ୁ ଗାଁ’କୁ ଯିବାର ବନ୍ଧ ରାସ୍ତା ଉପରକୁ ଉଠିଲା । କ୍ରମେ ଗାଁ’ର ସୀମା ଶେଷ ହୋଇଆସୁଥିଲା । ସର୍ବଜୟା ମନରେ ଭାବୁଥିଲା, ଯାହାକିଛି ଦୁଃଖ, ଦାରିଦ୍ର୍ୟ ଯାହାକିଛି ହୀନତା, ଯାହାକିଛି ଅପମାନ ସବୁ ପଛରେ ରହିଗଲା । ଏବେ ଆଗକୁ କେବଳ ନୂତନ ସଂସାର, ନୂତନ ଜୀବନଯାତ୍ରା, ନବ ସଚ୍ଛଳତା !...

 

କ୍ରମେ ଖରାର ତେଜ କମିଆସିଲା । ଶଗଡ଼ ସେତେବେଳକୁ ସୋନାଡାଙ୍ଗାର ପ୍ରାନ୍ତର ଭିତରେ ଚାଲୁଥିଲା । ପ୍ରାନ୍ତର ଭିତରେ ଥିବା ଗୋଟିଏ ବଡ଼ ବରଗଛକୁ ଦେଖେଇ ହରିହର କହିଲେ ଏଇ ଦେଖ, ସେଇଟା ନଣନ୍ଦ ପୋଖରୀର ଡକାୟତମାନଙ୍କ ବରଗଛ ! ସର୍ବଜୟା ଶୀଘ୍ର ଶଗଡ଼ ବାହାରକୁ ମୁହଁ ବାହାର କରି ଅନେଇଲା । ରାସ୍ତା ପାଖରୁ ଅଳ୍ପ ଦୂରରେ ଗୋଟିଏ ଢାଲୁ ଜମିକୁ ଲାଗି ବିଶାଳ ବରଗଛଟି । ଚାରିକଡ଼କୁ ଓହଳ ବିସ୍ତାର କରି ଛିଡ଼ା ହୋଇଛି । ସେହି ବୁଢ଼ା ବ୍ରାହ୍ମଣ ଓ ତା’ର ବାଳକ ପୁଅ କଥା ସେ କେତେଥର ଶୁଣିଛି । ଆଜିଠୁ ପ୍ରାୟ ପଚାଶ ବର୍ଷ ପୂର୍ବରୁ ତା’ର ଶ୍ୱଶୁରଙ୍କ ପୂର୍ବପୁରୁଷମାନେ ଏମିତି ଏକ ସନ୍ଧ୍ୟାବେଳଟାରେ ସେହି ବୁଢ଼ା ବ୍ରାହ୍ମଣ ଓ ତା’ର ବାଳକ ପୁଅକୁ ନିଷ୍ଠୁର ଭାବରେ ହତ୍ୟାକରି ପାଖର ଏହି ନିମ୍ନଭୂମି ଭିତରେ ପୋତି ଦେଇଥିଲେ । ଆଜିର ସେହି ନିମ୍ନଭୂମିଟା ହିଁ ସେ କାଳର ନଣନ୍ଦ ପୋଖରୀ ନାମରେ ପରିଚିତ ଥିଲା । ପିଲାଟିର ମାଆ ହୁଏତ ପୁଅ ଘରକୁ ଫେରିବାର ରାସ୍ତା ଚାହିଁ ବସିଥିବ, ଆଶାରେ ମାସ ପରେ ମାସ ଗଡ଼ିଯାଇଥିବ, କେତେ ବର୍ଷ ବିତି ଯାଇଥିବ, ବୃଥା ଅପେକ୍ଷାରେ । ତା’ର ପୁଅଟି ଆଉ ଫେରିନଥିବ କି ଦୁଃଖଦ ଘଟଣା ଲୋ ! ସର୍ବଜୟାର ଆଖିରେ ଲୁହ ଭରି ଆସି ଝାପ୍‌ସା ଦେଖାଗଲା । ଗଳାରେ ଯେମିତି କ’ଣ ଗୋଟାଏ ଛନ୍ଦି ହୋଇଗଲା !

 

ସୋନାଡାଙ୍ଗାର ପ୍ରାନ୍ତରଟି ଏ ଅଞ୍ଚଳର ସବୁଠୁ ବଡ଼ ପ୍ରାନ୍ତର । ଏଠି ସେଠି କେତେ ବଣ ବୁଦାରେ ଭର୍ତ୍ତି । କେଉଁଠି ଶିମୂଳି ଗଛ, କେଉଁଠି ବବୁଲ ଗଛ । ଖଜୁରୀ ଗଛରେ ଖଜୁରୀ କୋଳିର କାନ୍ଧି ଝୁଲିପଡ଼ିଛି । ସୁନାରୀ ଫୁଲର କେରି କେରି ପେନ୍ଥା ଦୋହଲୁଛି । ଚାରିପଟେ ହଳଦୀବସନ୍ତ ଓ ପାପିୟାର ସୁମଧୁର ଗୀତ । ସୁଦୂର ପ୍ରସାରୀ ପ୍ରାନ୍ତର ଉପରେ ଅତସୀ ଫୁଲର ନୀଳାଭ ରଙ୍ଗଭଳି ଗାଢ଼ ନୀଳ ଆକାଶ ଢାଙ୍କି ହୋଇ ରହିଛି । ଦୃଷ୍ଟି କେଉଁଠି ଅଟକି ଯାଏନା । ଘନ ସବୁଜ ଘାସ ଭର୍ତ୍ତି ଖାଲଢିପର ପ୍ରାନ୍ତର ଭିତରେ କେଉଁଠି ଅବସାଦ ନାହିଁ । କେବଳ ଗଛବୃଚ୍ଛ, ବଣବୁଦାର ପ୍ରାଚୁର୍ଯ୍ୟ । ଆଉ ବିଶାଳ ପ୍ରାନ୍ତରରେ ଶ୍ୟାମଳ ପ୍ରସାରିତ ଭୂମି । ଆଗରେ ମାଟି ରାସ୍ତାର ଚଉଡ଼ା ସଡ଼କଟି ଗୃହତ୍ୟାଗୀ ଉଦାସ ଚାରଣଟିଏ ଭଳି ଦୂରରୁ ଦୂରକୁ ଅଙ୍କାବଙ୍କା ହୋଇ ମନକୁ ମନ ଲମ୍ବିଯାଇଛି । କିଛିବାଟ ଗଲା ପରେ ବାରାସମଧୁଖାଲି ଅଞ୍ଚଳର ବିଲ ଆସିଲା । କେଉଁ ପ୍ରାଚୀନ କାଳର ନଦୀଟିଏ ଶୁଖିଯାଇ ଜୀବନର ଯାତ୍ରା ପଥରେ କେବଳ ପଦ ଚିହ୍ନ ଛାଡ଼ିଯାଇଛି । ଅନ୍ତର୍ହିତ ହୋଇଥିବା ନଦୀର ବିଶାଳ ଗଣ୍ଡଟି ଏବେ ପଦ୍ମଫୁଲରେ ଭର୍ତ୍ତି ବିଲଟିଏ ହୋଇ ରହିଯାଇଛି । ଅପୁ ଶଗଡ଼ରେ ବସି ପ୍ରାନ୍ତର ଚାରିପଟର ଶୋଭା ଏବଂ ଆକାଶର ଅପୂର୍ବ ରଙ୍ଗକୁ ଦେଖି ଦେଖି ଯାଉଥିଲା । ବେଳ ଶେଷ ହେବାକୁ ବସିଛି । ସ୍ୱପ୍ନପଟରେ ଶୈଶବ କଳ୍ପନାର କେତେ ଯେ ପ୍ରବେଶ-ପ୍ରସ୍ଥାନ ଲାଗି ରହିଛି ! ଏଇ ତ ସିଏ ତା’ର ପ୍ରିୟ ଗାଁ ଛାଡ଼ି ଚାଲିଯାଉଛି ! ଏବେ ହୁଏତ କେତେଦୂର ଯିବାକୁ ହେବ ! ଯାତ୍ରା ତ ତା’ର ଏଇମାତ୍ର ଆରମ୍ଭ ହେଲା । ଏବେ ହୁଏତ ଆରମ୍ଭ ହେବ ସେ ସବୁ ଦେଶର କଥା, ସ୍ୱପ୍ନରେ ଦେଖିଥିବା ଅପୂର୍ବ ଜୀବନ ଶୈଳୀ ।

 

ଶଗଡ଼ ଚାଲୁ ଚାଲୁ ହରିହର ଗୋଟିଏ ଗାଁ’ ଆଡ଼କୁ ଅଙ୍ଗୁଳି ଦେଖେଇ କହିଲା ସେ ଯେଉଁ ଗାଁ’ଟା ଦେଖାଯାଉଛି, ତା’ର ନାମ ଧଣିଚା-ପଳାଶଗାଛି । ତା’ରି ସେପଟେ ନାଟବେଡ଼ା ଗାଁ । ଆଉ ସେଠି ବଣବିବିର ପୀର ନିକଟରେ ଶ୍ରାବଣମାସରେ ବେଶ୍‌ ବଡ଼ ମେଳା ବସେ । ସେ ମେଳାରେ କଖାରୁ ଏତେ ଶସ୍ତାରେ ମିଳେ ଯେ ଆଉ କେଉଁଠି ସେମିତି ମିଳେନି ।

 

ଆଷାଢ଼ୁର ବଜାର ତଳେ ନୌକାରେ ବେତ୍ର ବତୀ ନଦୀ ପାରି ହେବା ପରେ ଆକାଶରେ ଜହ୍ନ ଉଇଁଲା । ଜୋଛନାରେ ନଈପାଣି ଚିକ୍‌ଚିକ୍‌ କରୁଥିଲା । ଆଜି ଆଷାଢ଼ୁର ହାଟପାଳି । କେତେଜଣ ହାଟୋଇ କଥାବାର୍ତ୍ତା କରୁ କରୁ ନୌକାରେ ସେ ପାରିରୁ ଏ ପାରିକୁ ଆସୁଥିଲେ । ଅପୁ ଓ ତା’ ପରିବାର ଶଗଡ଼ଟି ସହ ନଈ ପାରି ହୋଇ ଆର କୂଳରେ ପହଞ୍ଚିଲା । ଅପୁ, ତା’ ବାପାଙ୍କୁ କହି ଆଷାଢ଼ୁର ବଜାର ଦେଖିବା ପାଇଁ ଓହ୍ଲେଇଲା । ଛୋଟ ବଜାରଟି, ମାଳ ମାଳ ଝୁମ୍ପୁଡ଼ି ଦୋକାନ । ବଣିଆ ଦୋକାନମାନଙ୍କରେ ଠୁକ୍‌ଠାକ୍‌ ଶବ୍ଦ ଶୁଣାଯାଉଥିଲା । ଗୋଟିଏ ଖଜୁରୀଗୁଡ଼ର ଅଡତ୍‌ ସାମନାରେ ଅନେକ ଶଗଡ଼ ଜମା ହୋଇଥିଲା । ମାଝେରପଡ଼ା ଷ୍ଟେସନ ଏଠାରୁ ଆହୁରି ଚାରିକୋଶ ଦୂରରେ । ରାସ୍ତାଟି ମାଟିରେ ତିଆରି ହୋଇଥିଲେ ବି ବେଶ୍‌ ଓସାରିଆ । ସଡ଼କ ଦୁଇ କଡ଼ରେ ନୀଳ କୋଠି ସାହେବମାନଙ୍କ ଅମଳରେ ଲଗାଯାଇଥିବା ବର, ଅଶ୍ୱତ୍‌ଥ ଓ ତୁତ ଗଛର ଲମ୍ବାଧାଡ଼ି । ବୈଶାଖ ମାସର ପ୍ରଥମ ସୋପାନରେ ରାସ୍ତା କଡ଼ର ବର ଓ ଅଶ୍ୱତ୍‌ଥ ଗଛର ପତ୍ର ଗହଳ ଭିତରୁ କୋଇଲିର କୁହୁ କୁହୁ ରାବ ଅବିଶ୍ରାନ୍ତ ଭାବରେ ଶୁଣାଯାଉଛି । ରାସ୍ତାଟା ଯାକ ପୁରୁଣା ବର ଗଛର ଓହଳ ଦୋଳାୟିତ । କଅଁଳିଆ ପତ୍ର ଉପରେ ଜୋଛନାର ସ୍ୱଚ୍ଛ ପ୍ରତିଫଳନ ।

 

ବଙ୍ଗ ଦେଶର ବସନ୍ତ ଋତୁ କି ବିଚିତ୍ର, ଆନନ୍ଦ ମୁଖରିତ ଚୈତ୍ର ଓ ବୈଶାଖ ମାସରେ ପ୍ରାନ୍ତରରେ, ବଣରେ, ବଗିଚାରେ, ଏଠିସେଠି ସବୁଠି, କୋଇଲିର କୁହୁତାନରେ ନବପଲ୍ଲବ ନାଗଚମ୍ପାର ଅଜସ୍ର ଫୁଲ ଭାରରେ, ବଣ ଫୁଲର ସୁବାସରେ ମହକିତ ଜୋତ୍ସ୍ନାସ୍ନିଗ୍ଧ ଦକ୍ଷିଣର ମୃଦୁମଳୟରେ, ଉଲ୍ଲାସରେ ଆନନ୍ଦ ନୃତ୍ୟ ହୋଇ ମାତି ଉଠିଛି । ଏମିତି ଅପରୂପ ବାସନ୍ତୀୟ ଦୃଶ୍ୟପଟ ଅପୁ ତା’ର ଜୀବନରେ ପ୍ରଥମଥର ପାଇଁ ଅବଲୋକନ କଲା । ଏଇ ଅଳ୍ପ ବୟସରୁ ହିଁ ତା’ ମନ ଭିତରେ ବଙ୍ଗର ନଦୀ, ବିଲ, ପ୍ରାନ୍ତର ଓ ନିରୋଳା ବଣ କାନ୍ତାରର ସୁଦୃଶ୍ୟ ଜ୍ୟୋତ୍ସ୍ନା ରାତିର ଏକ ମାୟାରୂପ ଆଙ୍କି ହୋଇଯାଇଥିଲା । ତା’ର ଉତ୍ତରକାଳର ଶିଳ୍ପୀ ଜୀବନରେ କଳ୍ପନାର ମୁହୂର୍ତ୍ତମାନେ ମାଧୁର୍ଯ୍ୟ ଓ ପ୍ରେରଣାରେ ରସାପ୍ଳୁତ ହେବାରେ ସେସବୁ ଅନୁଭୂତି ହିଁ ଥିଲା ଶ୍ରେଷ୍ଠ ଉପାଦାନ ।

 

ରାତି ପ୍ରାୟ ଦଶଟାବେଳକୁ ଶଗଡ଼ ଆସି ଷ୍ଟେସନ ପାଖରେ ପହଞ୍ଚିଲା । ଆଜି ଅନେକ ସମୟ ପୂର୍ବରୁ ଅପୁ ଶଗଡ଼ ଭିତରେ ଷ୍ଟେସନ ପହଞ୍ଚିବା ଆଶାରେ ବସି ରହିଥିଲା । ଶଗଡ଼ ଛିଡ଼ା ହେବା ମାତ୍ରକେ, ସେ ଏକା ଡିଆଁକେ ଯାଇ ଷ୍ଟେସନର ପ୍ଲାଟ୍‌ଫର୍ମରେ ପହଞ୍ଚିଗଲା । ସନ୍ଧ୍ୟା ସାଢ଼େ ଆଠଟାର ଟ୍ରେନ୍‌ଟି ଅନେକ ଆଗରୁ ଚାଲିଯାଇଛି । ତା’ ବାପା ପାଖରୁ ଜାଣିଲା ଯେ ଆଉ ରାତିଯାକ କିଛି ଟ୍ରେନ୍‌ ନାହିଁ । ହୀରୁ ଶଗଡ଼ିଆର ବଳଦ ଦୁଇଟି ପାଇଁ ଏତେ ଡେରି ହୋଇଗଲା, ନ ହେଲେ ସେ ଟ୍ରେନ୍‌ ଦେଖିପାରିଥାନ୍ତା । ପ୍ଲାଟ୍‌ଫର୍ମରେ ଗଦା ହୋଇ ତମାଖୁ ଗଣ୍ଠିଲି ଥାକ ମରା ହୋଇଛି । ଦୁଇଜଣ ରେଳ ବିଭାଗର ଲୋକ ଗୋଟାଏ ଖୁବ୍‌ ଲମ୍ବା ଦଣ୍ଡ ଲାଗିଥିବା ଲୁହା ବାକ୍ସ ପରି ଯନ୍ତ୍ରରେ ତମାଖୁ ପେଟିଗୁଡ଼ିକ ଲଦି କ’ଣ କରୁଥିଲେ । ଜୋଛନାର ଆଲୁଅ ରେଳଧାରଣା ଉପରେ ପଡ଼ି ଚିକ୍‌ ଚିକ୍‌ କରୁଥିଲା । ସେପଟେ ଟିକିଏ ଦୂରରେ ଗୋଟିଏ ଉଚ୍ଚ ଖୁଣ୍ଟରେ ଦୁଇଟି ନାଲିବତୀ ଜଳୁଛି ପୁଣି ଠିକ୍‌ ସେହିଭଳି ଏପଟେ ଗୋଟିଏ ଖୁଣ୍ଟରେ ବି ନାଲିବତୀ ଜଳୁଥିଲା । ଷ୍ଟେସନ ଘର ଭିତରର ଟେବୁଲ୍‌ ଉପରେ ଚାରିକୋଣିଆ ଲଣ୍ଠନଟି ଜଳୁଥିଲା । ଗଦାଏ ଖାତାପତ୍ର ବନ୍ଧା ହୋଇ ଥୁଆ ହୋଇଛି । ଅପୁ ଘରର ଝରକା ପାଖରେ କିଛି ସମୟ ଛିଡ଼ା ହୋଇ ଭିତରକୁ ଲକ୍ଷ୍ୟ କଲା । ଗୋଟିଏ ଛୋଟ କଠଉର ଗେଟାଭଳି କ’ଣ ଗୋଟାଏ ଜିନିଷକୁ ଷ୍ଟେସନ ବାବୁ ଚିପିଚିପି ଖଟ୍‌ଖଟ୍‌ ଶବ୍ଦ କରୁଥିଲେ ।

 

ଇଷ୍ଟେସନ ! ଇଷ୍ଟେସନ ! ଆଉ ବେଶି ଡେରି ନାହିଁ । କାଲି ସକାଳେ ସେ ଯେ କେବଳ ରେଳ ଗାଡ଼ି ଦେଖିବ ସେ କଥା ନୁହେଁ, ସେଥିରେ ଚଢ଼ି ଯାତ୍ରା ଆରମ୍ଭ ବି କରିବ !...

 

ପ୍ଲାଟ୍‌ଫର୍ମରୁ ଘୁଞ୍ଚିବାକୁ ତା’ର ଜମା ମନ ନ ଥିଲା । କିନ୍ତୁ, ତା’ର ବାପା ତାକୁ ଡାକିବାକୁ ଆସିଲେ । କଠଉର ଗେଟା ଭଳି ଦିଶୁଥିବା ଯନ୍ତ୍ରଟିର ନାମ ଟେଲିଗ୍ରାଫ୍‌ ବୋଲି ତା’ର ବାପା ତାକୁ କହିଥିଲେ ।

 

ଅପୁ ଫେରି ଆସି ଦେଖିଲା, ଷ୍ଟେସନ ପାଖ ପୋଖରୀ ହୁଡ଼ାରେ ରନ୍ଧାରନ୍ଧି ବ୍ୟବସ୍ଥା କରାଯାଇଛି । ଆଗରୁ ଆସିଥିବା ଆଉ ଗୋଟିଏ ଶଗଡ଼ ବି ସେଠାରେ ଛିଡ଼ା ହୋଇଥିଲା । ଆରୋହୀମାନଙ୍କ ମଧ୍ୟରେ ଥିଲେ ଜଣେ ଅଠର ଉଣେଇଶ ବର୍ଷର ବୋହୂ ଓ ଜଣେ ଯୁବକ । ଅପୁ ଶୁଣିଲା ଯେ ବୋହୂଜଣକ ହବିବ୍‌ପୁର ବିଶ୍ୱାସ ପରିବାରର, ତା’ ଭାଇ ସାଥିରେ ବାପ ଘରକୁ ଫେରୁଛି । ତା’ ମା’ ସହିତ ବୋହୂଟିର ବେଶ୍‌ ଜମିଯାଇଥିଲା । ତା’ର ମାଆ ଖେଚୁଡ଼ି ପାଇଁ ଡାଲି ଓ ଚାଉଳ ଧୋଉଥିଲେ ଆଉ ବୋହୂଜଣକ ଆଳୁ କାଟୁଥିଲା । ରୋଷେଇ ଆୟୋଜନ ଏକାଠି ହୋଇଥିଲା ।

 

ସକାଳ ସାଢ଼େ ସାତଟାରେ ଟ୍ରେନ୍‌ ଆସିଲା । ଅନେକ ସମୟ ଧରି ଟ୍ରେନ୍‌ ଦେଖିବା ପାଇଁ ଅପୁ ହାଁ କରି ନଇଁ ପ୍ଲାଟ୍‌ଫର୍ମରେ ଛିଡ଼ା ହୋଇଥିଲା । ତା’ ବାପା ତାକୁ କହିଲେ ଆରେ ବାବୁ ଏତେଟା ନଇଁ କରି ଛିଡ଼ା ହୁଅନା । ଏପଟକୁ ଟିକିଏ ଘୁଞ୍ଚିଆସ । ଜଣେ ଖଲାସି ଲୋକମାନଙ୍କୁ ଦୂରେଇ ଦେଉଥିଲା ।

 

କେତେ ବଡ଼ ଟ୍ରେନ୍‌ ! କି ଭୀଷଣ ଶବ୍ଦ ! ସାମନାର ବଗିଟାକୁ ଇଞ୍ଜିନ୍‌ କହନ୍ତି । ଆରେ ଯାଃ, କି ଅଦ୍ଭୁତ କାଣ୍ଡ !

 

ହବିବ୍‌ପୁରର ବୋହୂଟି ବି ମୁହଁରୁ ଓଢ଼ଣା ଖୋଲି ଷ୍ଟେସନକୁ ପଶୁଥିବା ଟ୍ରେନ୍‌ ଆଡ଼େ ଚାହୁଁଥିଲା ।

 

ଚାରିଆଡ଼େ ଗୋଟାଏ ହୈ ଚୈ ଶବ୍ଦ ଶୁଣାଗଲା । ବାକ୍ସ, ପେଟରା ସବୁ ଗାଡ଼ିରେ ଥୁଆ ହୋଇଗଲା । କାଠର ବେଞ୍ଚ୍‌ଗୁଡ଼ାକ ମୁହାଁମୁହିଁ କରି ରଖାଯାଇଛି । ଗାଡ଼ିର ମେଜଟା ସିମେଣ୍ଟ ପରି ଜଣାପଡ଼ୁଥିଲା । ସତେ ଯେମିତି ଘରଟିଏ ! ଝରକା କବାଟ ଯେମିତି ସତରେ ଲଗାଯାଇଛି । ଏତେବଡ଼ ଭାରି ଗାଡ଼ିଟି ଆସି ଷ୍ଟେସନରେ ଲାଗିସାରିଛି, ଏହାପରେ ଏଇଟା ସତରେ ଆଗକୁ ଚାଲିବ ? କାହିଁକି କେଜାଣି ଅପୁର ଏ ବିଶ୍ୱାସ ହେଉନଥିଲା । ହୁଏତ ଆଉ ଆଗକୁ ଯାଇପାରିବନି । ହୁଏତ ସେମାନେ ଆସି କହିବେ, ତୁମେ ସମସ୍ତେ ଓହ୍ଲେଇ ଯାଅ । ଆମର ଗାଡ଼ି ଆଜି ଆଉ ଚାଲିବନି । ତାର ବାଡ଼ ସେପଟରେ ଲୋକଟିଏ ମୁଣ୍ଡରେ ନଡ଼ା ଘାସର ବୋଝ ରଖି ଛିଡ଼ା ହୋଇଥିଲା ଅପେକ୍ଷାକରି । ଟ୍ରେନଟି ଚାଲିଗଲାପରେ ସେ ଷ୍ଟେସନ ପାରିହେବ ବୋଲି । ଅପୁ ମନରେ ଲୋକଟି ଉପରେ ଦୟା ହେଲା । ଆଜି ଦିନଟାରେ ସେ ଗାଡ଼ି ଚଢ଼ି ପାରିଲାନି । ତା’ ବଞ୍ଚିରହିବାଟା ଅର୍ଥହୀନ । ହୀରୁ ଶଗଡ଼ିଆ ଷ୍ଟେସନର ଫାଟକ ପାଖରେ ଛିଡ଼ାହୋଇ ଗାଡ଼ି ଆଡ଼କୁ ଚାହିଁ ରହିଛି ।

 

ଶେଷରେ ଗାଡ଼ି ଚାଲିଲା । ଅଦ୍ଭୁତ ଅପୂର୍ବ ଗତିରେ ଝୁଲିଝୁଲି । ଚାହୁଁ ଚାହୁଁ ମାଝେରପଡ଼ା ଷ୍ଟେସନ, ଲୋକବାକ, ତମାଖୁର ପେଟି, ହାଁକରି ଛିଡ଼ା ହୋଇଥିବା ହୀରୁ ଶଗଡ଼ିଆ ସମସ୍ତଙ୍କୁ ପଛରେ ପକେଇ ଟ୍ରେନ୍‌ ଆଗେଇ ଚାଲିଲା ନଡ଼ା, ଘାସର ପ୍ରାନ୍ତର ଭିତର ଦେଇ । ଗଛବୃଚ୍ଛ ସବୁ ରେଳଗାଡ଼ିର ଦୁଇକଡ଼ର ଝରକା ପାଖଦେଇ ସଟ୍‌ସାଟ୍‌ ପଛକୁ ଦଉଡ଼ି ପଳାଉଥିଲେ ତୀବ୍ର ବେଗରେ । ଏହାର ନାମ ରେଳଗାଡ଼ି ! ପ୍ରାନ୍ତରଟିକୁ ସତେ ଯେମିତି ଓଲଟ ପାଲଟ କରି ଦେଉଛି । ବଣବୁଦା, ଗଛଲତା, ନଡ଼ା ଛାଉଣୀ କୃଷକମାନଙ୍କ ଛୋଟ ଛୋଟ ଚାଳିଆ ଘର ସବୁ ଏକାକାର କରି ପକାଉଛି ! ଗାଡ଼ିର ତଳପଟେ ମେସିନରେ ଭଙ୍ଗା ଯାଉଥିବା ଶବ୍ଦ ପରି ଗୋଟାଏ ଏକଟଣା ଶବ୍ଦ ବାହାରୁଛି ଆଉ ସାମନାପଟେ ଇଞ୍ଜିନ୍‌ର ଏକ ବିକଟାଳ ଶବ୍ଦ ଶୁଭୁଥିଲା ।

 

ମାଝେରପଡ଼ା ଷ୍ଟେସନର ଡିଷ୍ଟେଣ୍ଟ୍‌ ସିଗ୍‌ନାଲ୍‌ ଖଣ୍ଡିକ ବି କ୍ରମେ ଲୁଚି ପଛକୁ ରହିଗଲା ।

 

ଅନେକ ଦିନ ପୂର୍ବର ସେ କଥାଟା ତା’ର ମନେପଡ଼ିଲା ।

 

ସେ ଓ ତା’ ନାନୀ ଯେଉଁଦିନ ଦୁଇଜଣ ମିଶି ବାଛୁରୀ ଖୋଜୁ ଖୋଜୁ ବିଲ ଓ ଜଳମଗ୍ନ ନିମ୍ନଭୂମି ଅତିକ୍ରମ କରି ଉଦ୍ଧ୍ୱର୍ଶ୍ୱାସରେ ରେଳରାସ୍ତା ଦେଖିବା ପାଇଁ ଧାଇଁଥିଲେ । ସେଦିନ ଆଉ ଆଜିର କଥା ? କେତେ ପାର୍ଥକ୍ୟ ? ସେହି ଦୂରର ନୀଳ ଆକାଶ ତଳେ ଯେଉଁଠି ଆଷାଢ଼ୁ-ଦୁର୍ଗାପୁରର ମାଟି ତିଆରି ସଡ଼କ କଡ଼େ ଗଛବୃଚ୍ଛର ସାରି ଦୂରରୁ କ୍ରମଶଃ ଦୂରକୁ ଲମ୍ବିଯାଇଛି, ତା’ରି ସେପଟେ ତାଙ୍କ ଗାଁ’ରୁ ଆସିଥିବା ସଡ଼କଟି ସୋନାଡାଙ୍ଗା ପ୍ରାନ୍ତର ଭିତର ଦେଇ ଲାଗିଛି ସେଇଠି ରାସ୍ତାର ସେହି ବାଙ୍କ ନିକଟରେ ଜାମୁଗଛ ମୂଳେ ଛିଡ଼ା ହୋଇ ତା’ର ନାନୀ ସେମାନଙ୍କର ରେଳଗାଡ଼ି ଆଡ଼କୁ ଚାହିଁ ରହିଛି ।

 

ତାକୁ ସାଙ୍ଗରେ କେହି ଆଣି ନାହାନ୍ତି । ସମସ୍ତେ ତାକୁ ଭୁଲିଯାଇ ପଛରେ ପକେଇ ଚାଲି ଆସିଛନ୍ତି । ନାନୀ ମରିଯାଇଥିଲେ ବି ଦୁଇଜଣଙ୍କର ଖେଳକୁଦର ରାସ୍ତାଘାଟରେ, ବାଉଁଶବଣରେ, ଆମ୍ବ ବଗିଚାରେ, ସେ ତା’ର ନାନୀକୁ ଏତେଦିନ ପର୍ଯ୍ୟନ୍ତ ପାଖେ ପାଖେ ଅନୁଭବ କରିଆସୁଥିଲା । ନାନୀର ଅଦୃଶ୍ୟ ସ୍ନେହସ୍ପର୍ଶ ଟିକକ ନିଶ୍ଚିନ୍ତପୁରର ଭଙ୍ଗାଘରର ପ୍ରତିକୋଣ ଅନୁକୋଣରେ ଛାଇ ରହିଥିଲା । ଆଜି କିନ୍ତୁ ସତରେ ନାନୀ ସହିତ ଚିରକାଳ ପାଇଁ ବିଚ୍ଛେଦ ହୋଇଯିବାର ସେ ଅନୁଭବ କଲା !...

 

ତା’ର ମନେହେଲା ନାନୀକୁ ଆଉ କେହି ଯେମିତି ଭଲ ପାଉନଥିଲେ । କେହି କେବେବି ଭଲ ପାଉନଥିଲେ, ଏମିତିକି ତା’ର ମାଆ ବି ନୁହେଁ । ତାକୁ ଛାଡ଼ି ଆସିଥିବା ଯୋଗୁଁ କେହି ବି ଦୁଃଖିତ ନୁହନ୍ତି ।

 

ହଠାତ୍‌ ଅପୁର ମନ ଭିତରେ ଏକ ବିଚିତ୍ର, ଅନୁଭୂତି ଭରିଗଲା । ସେ ଅନୁଭୂତି ଦୁଃଖର ନୁହେଁ, ଶୋକର ନୁହେଁ, ବିରହର ନୁହେଁ, ତେବେ ସେଇଟା କ’ଣ ସେ ବି ଜାଣିପାରିଲାନି । ଅଳ୍ପ ଟିକିଏ ସମୟ ଭିତରେ କେତେକଥା ତା’ ମନ ଭିତରକୁ ମାଡ଼ିଆସିଲା... ଆତୁରୀ ଡାହାଣୀ... ନଈଘାଟ... ତାଙ୍କ ଭଙ୍ଗା କୋଠା ଘରଟା... ଓଉଗଛ ତଳର ରାସ୍ତା... ରାନୁ ନାନୀ... କେତେ ଖରାବେଳ, କେତେ ଦୁଇପହର... କେତେ କେତେ ଦିନର କେତେ ହସ, କେତେ ଖେଳ... ପଟୁ... ନାନୀର ମେଣ୍ଟି ନ ଥିବା କେତେ ଆଶା...

 

ନାନୀ ବି ଏ ପର୍ଯ୍ୟନ୍ତ ଅପଲକ ଦୃଷ୍ଟିରେ ଏଇଆଡ଼େ ଚାହିଁ ରହିଛିପରକ୍ଷଣରେ ତା’ ମନ ଭିତରର ଅବାକ୍‌ ଭାଷା ଆଖି ଲୁହରେ ଆତ୍ମ ପ୍ରକାଶ କଲା । ଆଉ ସେହି ଲୁହ ମାଧ୍ୟମରେ ଏଇ କଥାହିଁ ବାରମ୍ବାର କହିବାକୁ ଚାହୁଁଥିଲା ମୁଁ ଆମ ଗାଁ ଛାଡ଼ିବା ପାଇଁ ଚାହିଁ ନ ଥିଲି ନାନୀ, ମୁଁ ତୋତେ ଭୁଲିନି, ଇଚ୍ଛା କରି ତୋ ସ୍ମୃତିକୁ ମୁଁ ଛାଡ଼ିଆସିନି ଏମାନେ ମୋତେ ସାଙ୍ଗରେ ନେଇ ଆସିଛନ୍ତି...

 

ସତରେ ସେ ଭୁଲି ନ ଥିଲା ।

 

ପରବର୍ତ୍ତୀ ଜୀବନରେ ନୀଳ କୁନ୍ତଳା ସାଗର ମେଖଳା ଧରଣୀ ସହିତ ତା’ର ଖୁବ୍‌ ଘନିଷ୍ଠଭାବେ ପରିଚୟ ହୋଇଥିଲା । ଯେତେବେଳେ ଗତିର ପୁଲକ ତା’ର ସମଗ୍ର ଶରୀର ଶିହରଣ ସୃଷ୍ଟି କରୁଥିଲା, ସମୁଦ୍ରଗାମୀ ଜାହାଜର ଡେକ୍‌ ଉପରୁ ପ୍ରତି ମୁହୂର୍ତ୍ତରେ ନୀଳ ଆକାଶର ନୂଆ ନୂଆ ମାୟାରୂପ ତା’ ଦୃଷ୍ଟିକୁ ଆସୁଥିଲା, ହୁଏତ ଦ୍ରାକ୍ଷାକୁଞ୍ଜ ବେଷ୍ଟିତ କୌଣସି ଏକ ନୀଳ ପର୍ବତମାଳା ସମୁଦ୍ରର ବିଲୀନ ଚକ୍ରବାଳର ସୀମାରେ ଦୂରରୁ ଦୂରକୁ କ୍ଷୀଣ ହୋଇ ଆସୁଥିଲା । ଦୂରରୁ ଅସ୍ପଷ୍ଟ ଛାଇ ଭଳି ପ୍ରତୀୟମାନ ବେଳାଭୂମିଟି ଯେତେବେଳେ ପ୍ରତିଭାଶାଳୀ ସୁରସ୍ରଷ୍ଟାର ପ୍ରତିଭା ପ୍ରଦାନ ପରି ମହା ମଧୁର କୁହୁକ ତା’ର ଭାବପ୍ରବଣ ମନରେ ସୃଷ୍ଟି କରୁଥିଲା ସେତିକିବେଳେ, ଠିକ୍‌ ଏହି ସମୟଗୁଡ଼ିକ ଭିତରେ ତା’ର ମନେପଡ଼ୁଥିଲା ଗୋଟିଏ ଘନ ବର୍ଷାର ରାତ୍ରିରେ, ଅବିଶ୍ରାନ୍ତ ବର୍ଷାର ଶବ୍ଦ ଭିତରେ, ଗୋଟିଏ ପୁରୁଣା ଭଙ୍ଗା କୋଠାଘରର ଅନ୍ଧକାର ଭିତରେ, ରୋଗ ଶଯ୍ୟାଗ୍ରସ୍ତ ଏକ ନିପଟ ମଫସଲ ଗାଁର ଗରିବ ଘରର ଝିଅଟିର କଥା

 

ଅପୁ, ମୋ ଦେହ ଭଲ ହୋଇଗଲେ, ମୋତେ ଦିନେ ରେଳଗାଡ଼ି ଦେଖେଇବୁ ?

 

ମାଝେରପଡ଼ା ଷ୍ଟେସନର ଡିଷ୍ଟେଣ୍ଟ୍‌ ସିଗ୍‌ନାଲଟି ଚାହୁଁ ଚାହୁଁ ବହୁତ ଦୂରରେ ଅସ୍ପଷ୍ଟ ହୋଇ ଶେଷରେ ଅଦୃଶ୍ୟ ହୋଇଗଲା ।

 

ଅକ୍ରୁର ସମ୍ବାଦ

(୩୦)

 

ଦୁଇ ପହର ପରେ ରାନାଘାଟ ଷ୍ଟେସନରେ ଗାଡ଼ି ବଦଳେଇବାକୁ ପଡ଼ିଲା । ଅପୁ ଆଖିରେ ଦୁଇ ଦୁଇ ଥର କୋଇଲା ଗୁଣ୍ଡ ପଡ଼ିବା ସତ୍ତ୍ୱେ ବି ଗାଡ଼ିର ଝରକା ଦେଇ ସାରାଦିନ ବାହାରକୁ ଚାହିଁ ବସିଥିଲା । ପ୍ରତି ଷ୍ଟେସନରେ ଏଗୁଡ଼ାକୁ କ’ଣ ଯେମିତି କୁହନ୍ତି ? ସିଗ୍‌ନାଲ୍‌ ? ଥରେ ପଡ଼ୁଛି ପୁଣି ଉଠୁଛି କ’ଣ ପାଇଁ ? ଗାଡ଼ିଟି ଯେଉଁଠି ଅଟକି ରହୁଛି, ସେଠାରେ ଉଚ୍ଚ ହୋଇ ଇଟା ଯୋଡ଼େଇ, ଠିକ୍‌ ବାରଣ୍ଡା ପରି । ସେଇଟାକୁ ପ୍ଲାଟ୍‌ଫର୍ମ କହନ୍ତି ? କାଠ ଫଳକରେ ବଡ଼ ବଡ଼ ଅକ୍ଷରରେ ଇଂରାଜୀ ଓ ବଙ୍ଗଳାରେ ସବୁ ଷ୍ଟେସନର ନାମ ଲେଖାଅଛି କୁଡୁଲଗାଛି, ଗୋବିନ୍ଦପୁର, କାନ୍‌ପୁର ଇତ୍ୟାଦି । ଗାଡ଼ି ଛାଡ଼ିବା ସମୟରେ ଘଣ୍ଟା ବାଜେ ଢଂ, ଢଂ, ଢଂ, ଢଂ ଚାରିଥର ଅପୁ ଗଣିଛି । ଗୋଟିଏ ବଡ଼ ଲୁହା ଚକର ଚାରିପଟେ କଡ଼ାଟିଏ ପୁରାଯାଇଛି । ସେଇଟାକୁ ବୁଲେଇଲେ ସିଗ୍‌ନାଲ୍‌ ପଡ଼େ । କୁଡୁଲଗାଛି ଷ୍ଟେସନଠି ଅପୁ ଏ କଥା ଲକ୍ଷ୍ୟକରି ଦେଖିଥିଲା ।

 

ସର୍ବଜୟା ଏଥରକୁ ମିଶେଇ ମୋଟେ ଦୁଇଥର ରେଳରେ ଚଢ଼ିଲା । ଆଉଥରେ ସେ କେଉଁ କାଳରେ ବସିଥିଲା । ଯେତେବେଳେ ସେ କାଶୀରୁ ଆସି ନୂଆ କରି ସଂସାର ବସେଇଥିଲେ, ଜ୍ୟେଷ୍ଠମାସରେ ଆଡ଼ଙ୍ଗଘାଟାକୁ ଯୁଗଳ କିଶୋର ଠାକୁର ଦେଖିବାକୁ ଯାଇଥିଲା । ସେ କ’ଣ ଆଉ ଆଜିକାର କଥା । ସେ ଖୁସିରେ ପ୍ରତି ଷ୍ଟେସନରେ ମୁହଁ ବଢ଼େଇ ଲୋକବାକଙ୍କର ତଳକୁ ଓହ୍ଲେଇବା ଓ ଗାଡ଼ି ଚଢ଼ିବାର ଦୃଶ୍ୟ ଦେଖୁଥିଲା । କେତେ ବୋହୂଝିଅ ଉଠୁଥିଲେ, ଓହ୍ଲଉଥିଲେ । କେମିତି ଚେହେରା, ଲୁଗାପଟା, ଗହଣାପତ୍ର । ଜଗନ୍ନାଥପୁର ଷ୍ଟେସନରେ ଭଲ ମୁଢ଼ିମୁଆଁ ଫେରିବାଲା ବିକ୍ରି କରୁଥିବାର ଦେଖି ସେ ପୁଅକୁ କହିଲା ଅପୁ ମୁଢ଼ିମୁଆଁ ଖାଇବୁ ? ତୁ ତ ଖାଇବା ପାଇଁ ଭଲ ପାଉ, ଆଣିବି ତୋ’ ପାଇଁ ? ଷ୍ଟେସନର ଟେଲିଗ୍ରାଫ୍‌ ତା’ର ଉପରେ କି ପକ୍ଷୀ ସବୁ ବସି ଦୋହଲୁଥିଲେ । ଅପୁ ଭଲ କରି ଚାହିଁ ଦେଖୁଥିଲା, ସେ ଦିଗକୁ ଅଙ୍ଗୁଳି ଦେଖେଇ କହିଲା ଦେଖ ମା’, କାହାଘର ପିଞ୍ଜରୀରୁ ମୟଣା ଚଢ଼େଇଟିଏ ଉଡ଼ିଆସିଛି ।

 

ନୈହାଟି ଷ୍ଟେସନରେ ପୁଣିଥରେ ଗାଡ଼ି ବଦଳେଇ ଗଙ୍ଗା ନଦୀର ପ୍ରକାଣ୍ଡ ପୋଲ ଉପରେ ଯିବା ସମୟରେ ସୂର୍ଯ୍ୟ ଅସ୍ତ ଯାଉଥିଲେ । ସର୍ବଜୟା ଅପଲକ ଦୃଷ୍ଟିରେ ଚାହିଁ ଦେଖୁଥିଲା ସେପାରିରୁ ହୁ ହୁ ପବନ ଆସୁଛି । ଗଙ୍ଗାର ପାଣିରେ କେତେ ନୌକା । ଦୁଇକୂଳରେ କେତେ ସୁନ୍ଦର ସୁନ୍ଦର ଘର, ବଗିଚା । ଏସବୁ ଦୃଶ୍ୟ ସେ ତା’ ଜୀବନରେ କେବେବି ଦେଖିନଥିଲା । ପୁଅକୁ ଦେଖେଇ କହିଲା ଦେଖ୍‌ ଅପୁ, ଗୋଟିଏ ଧୂଆଁର ଜାହାଜ ? ତା’ପରେ ସେ ଦୁଇ ହାତ ଯୋଡ଼ି କପାଳରେ ଛୁଇଁ ମନକୁ ମନ କହିଲା ମା’ ଗଙ୍ଗା, ତୁମ ଉପର ଦେଇ ଯାଉଛି, ଅପରାଧ ଧରିବୁନି ମା’ । କାଶୀରେ ପହଞ୍ଚି ଫୁଲ ବେଲପତ୍ରରେ ପୂଜା କରିବି । ଅପୁକୁ ମୋର ଭଲରେ ରଖିବୁ ମା’ । ଯେଉଁଥିପାଇଁ ଆମର ଯାତ୍ରା, ତାହା ଯେମିତି ପୂରଣ ହୁଏ, ସେଠାରେ ଯେମିତି ଆଶ୍ରୟ ମିଳିଯାଏ ମା’ ।

 

ଆନନ୍ଦ ପୁଲକରେ, ଅନିଶ୍ଚିତତାର ରହସ୍ୟରେ ସର୍ବଜୟାର ହୃଦୟ ଦୋହଲୁଥିଲା । ଏଭଳି ମନୋଭାବ ସେ ଆଗରୁ କେବେବି ଅନୁଭବ କରିନଥିଲା । ସୁବିଧାରେ ହେଉ କିମ୍ବା ଅସୁବିଧାରେ ହେଉ, ଏଭଳି ଅବାଧ ଜୀବନର ଆନନ୍ଦ ପ୍ରଥମଥର ପାଇଁ ପାଇପାରିଲା । ତା’ର ଚିରଦିନର ବାଉଁଶବଣ ଘେରା ବାଡ଼ର କ୍ଷୁଦ୍ର ସୀମା ଭିତରେ ଆବଦ୍ଧ ପଲ୍ଲୀ ଜୀବନରେ ଏଭଳି ସଚଳ ଦୃଶ୍ୟରାଜି, ଏମିତି ଅଭିନବ ଗତିର ବେଗ, ଏତେ ଅନିଶ୍ଚୟର ପୁଲକ ସହିତ ଘନିଷ୍ଠଭାବେ, ପରିଚିତ କେବେବି ହୋଇନଥିଲା । ଯେଉଁ ଜୀବନର ଚାରିପଟେ ପାଚେରୀ କାନ୍ଥ ଛିଡ଼ା କରି ନିଜକୁ ନିଜେ ଛୋଟ କରି ରଖିଥିଲା, ତାହା ଆଜି ଚାଲିଛି, ଆଗକୁ, ଆଗକୁ ସେହି ପଶ୍ଚିମ ଆକାଶର ଅସ୍ତଗାମୀ ସୂର୍ଯ୍ୟକୁ ଲକ୍ଷ୍ୟକରି । କେତେ ନଦନଦୀ, ଦେଶବିଦେଶ ପାରି ହୋଇ ସେ ଧାଇଁଛି ଆଗକୁ । ଏମିତି ଚାଲି ଚାଲି ଚାଲିବାର ବାସ୍ତବତାକୁ ସେ ହୃଦୟ ଦେଇ ଆଜି ଅନୁଭବ କରୁଥିଲା !... ଏଇ ତ ସେଦିନର କଥା, ବର୍ଷଟିଏ ପୂର୍ବରୁ ନିଶ୍ଚିନ୍ତପୁରର ଘରେ ଶୋଇ ଶୋଇ ସେ ଯେତେବେଳେ ଭାବୁଥିଲା, ସୁବିଧା ମିଳିଲେ ଥରଟିଏ ଚାକଦା କିମ୍ବା କାଳିଗଞ୍ଜରେ ଯାଇ ଗଙ୍ଗାସ୍ନାନ କରି ଆସନ୍ତା । ସେତେବେଳେ ତାକୁ ସମ୍ଭାବନା ଓ ନିଶ୍ଚୟତାର ପରିଧି ବାହାରର ବସ୍ତୁ ପରି ଜଣାପଡ଼ୁଥିଲା କିନ୍ତୁ ଆଜି ?

 

ବ୍ୟାଣ୍ଡେଲ୍‌ ଷ୍ଟେସନରେ ଗାଡ଼ି ପହଞ୍ଚିବା ପୂର୍ବରୁ ସାମନାର ବଡ଼ ଲାଇନ୍‌ ଉପର ଦେଇ ଗୋଟିଏ ବଡ଼ ଗାଡ଼ି ହୁ ହୁ ଶବ୍ଦ କରି ଝଡ଼ ବେଗରେ ବାହାରକୁ ଚାଲିଗଲା । ଅପୁ ବିସ୍ମୟରେ ସେହି ଆଡ଼କୁ ଚାହିଁ ରହିଲା । କି ଆଓ୍ୱାଜ ! ଉଃ ! ବ୍ୟାଣ୍ଡେଲ୍‌ ଷ୍ଟେସନରେ ପହଞ୍ଚି ସେମାନେ ଗାଡ଼ିରୁ ଓହ୍ଲେଇଲେ । ଏପଟ ସେପଟରେ ଇଞ୍ଜିନ୍‌ ଧାଉଁଛି । ବଡ଼ ବଡ଼ ମାଲ୍‌ଗାଡ଼ିଗୁଡ଼ିକ ଷ୍ଟେସନ ପ୍ରକମ୍ପିତ କରି ପ୍ରତି ପାଞ୍ଚ ମିନିଟ ବ୍ୟବଧାନରେ ଛିଡ଼ା ନ ହୋଇ ଚାଲିଯାଇଥିଲା । ଚାରିଆଡ଼େ ହୈ ଚୈ ଶବ୍ଦ ଏପଟେ ଇଞ୍ଜିନ୍‌ର ଶବ୍ଦରେ କାନ ତାବ୍‌ଜା ପଡ଼ିଯାଉଛି, ସେପଟେ ଆଉ ଗୋଟେ ଯାତ୍ରୀବାହୀ ଗାଡ଼ି ଷ୍ଟେସନରୁ ବାହାରିଯାଉଛି । ଗାର୍ଡ଼ ସବୁଜ ସଙ୍କେତ ହଲେଇ ଚାଲିଛି । ସନ୍ଧ୍ୟା ଆସି ହେଲାଣି । ଷ୍ଟେସନର ପୂର୍ବପଶ୍ଚିମ ଲାଇନ୍‌ ଉପରେ ଏତେଗୁଡ଼ା ସିଗ୍‌ନାଲରେ ସାରି ସାରି ନାଲି ଓ ସବୁଜ ଆଲୁଅ ଜଳୁଛି ଆଉ ଚାରିପଟେ ରେଳ, ଇଞ୍ଜିନ୍‌, ଗାଡ଼ି ଲୋକବାକ ଭର୍ତ୍ତି ।

 

ରାତି ଟିକିଏ ବେଶି ହେବାରୁ ସେମାନଙ୍କର କାଶୀ ଯିବାର ଗାଡ଼ି ଆସି ପ୍ଲାଟ୍‌ଫର୍ମରେ ଲାଗିଲା । ବିରାଟ ଷ୍ଟେସନ । ଲୋକବାକରେ ଭର୍ତ୍ତି । ପ୍ରବଳ ଭିଡ଼ । ସର୍ବଜୟା ଦିଗହରା ହୋଇଗଲା । ଧମକ ପାଇ ଅନଭ୍ୟସ୍ତ ସଂକୁଚିତ ପାଦପାତରେ ସ୍ୱାମୀ ପଛରେ ଗୋଟିଏ ଡବା ପାଖରେ ପହଞ୍ଚିଲା । ହରିହର ଅତି କଷ୍ଟରେ ଦୁର୍ଜୟ ଭିଡ଼ ପାରି ହୋଇ ବେପଥୁମନା ସ୍ତ୍ରୀ ଓ ଦିଗହରା ପୁଅକୁ ଶରୀର କ୍ଲେଶରେ ଗାଡ଼ିର ବେଞ୍ଚ୍‌ ଉପରେ ବସେଇ, କୁଲି ସାହାଯ୍ୟରେ ଗଣ୍ଠିଲି ପୁଟୁଳି ଉଠେଇ ଆଣିଲା ।

 

ଭୋର ହୋଇ ଆସୁଥିଲା । ସର୍ବଜୟାର ତନ୍ଦ୍ରା ଭାଙ୍ଗିଗଲା । ଟ୍ରେନ୍‌ଟି ଝଡ଼ ବେଗରେ ଧାଉଁଥିଲା ବିଲ, ମାଟି, ଗଛବୃଚ୍ଛ ସବୁ ଏକାକାର କରି ଧାଇଁଥିଲା । ରାତିର ଗାଡ଼ି ବୋଲି ହରିହର ତାକୁ ସେମାନଙ୍କ ଡବାରେ ବସେଇ ଥିଲା । ନ ହେଲେ ସେ ମହିଳାମାନଙ୍କ ଡବାରେ ବସିଥାନ୍ତା । ପୂର୍ବାପେକ୍ଷା ଭିଡ଼ କମି ଆସିଥିଲା । ଗୋଟିଏ ବେଞ୍ଚରେ ଜଣେ କାବୁଲୀବାଲା ଶୋଇ ଶୋଇ ଜୋରରେ ଘୁଙ୍ଗୁଡ଼ି ମାରୁଥିଲା । ଅପୁ ବି କେତେବେଳୁ ଉଠି ଝରକା ଦେଇ ମୁହଁ ବାହାରକୁ ରଖି ଅପଲକ ଦୃଷ୍ଟିରେ ଚାହିଁ ବସିଥିଲା ।

 

ହରିହର ଚେଇଁ ପଡ଼ି ପୁଅକୁ ତାଗିଦ୍‌ କଲେ ଏମିତି ବାହାରକୁ ଅନେଇ ବସନା ବାବୁ, କୋଇଲା ଗୁଣ୍ଡ ଆଖିରେ ପଡ଼ିଯିବ

 

କୋଇଲା ଗୁଣ୍ଡ ତ ନିରୀହ ବସ୍ତୁ । ତା’ର ଆଖି ଯୋଡ଼ିକ ବି ଯଦି ଉପାଡ଼ି ହୋଇ ବାହାରିଯାଏ ତଥାପି ବି ଅପୁର ସାଧ୍ୟ ନାହିଁ ଯେ ସେ ଝରକା ସେ ପାରିରୁ ନିଜର ଦୃଷ୍ଟି ଫେରେଇ ଆଣେ । ପ୍ରାୟ ସାରା ରାତି ଏମିତି ଭାବରେ ସେ ଝରକା ପାଖରେ ବସିରହିଛି । ବାପା ଓ ମା’ ତା’ର ବେଶ୍‌ ଆରାମରେ ଶୋଇଥିଲେ ସେ କିନ୍ତୁ କେତେ କ’ଣ ଯେ ଦେଖିଛି ! କେତେ ଷ୍ଟେସନରେ ଗାଡ଼ି ଛିଡ଼ା ହୋଇନି । ଆଲୁଅ, ଲୋକବାକ ଷ୍ଟେସନ ସହିତ ଷ୍ଟେସନଟା ବି ହାବେଳୀ ବାଣ ପରି ହୁସ୍‌ କରି ପାଖ ଦେଇ ବାହାରିଯାଇଛି, ଉଡ଼ିଗଲା ପରି । ରାତିରେ କେତେବେଳେ ଟିକିଏ ନିଦ ତାକୁ ଲାଗି ଯାଇଥିଲା । ହଠାତ୍‌ ନିଦ ଭାଙ୍ଗିଲାବେଳକୁ ସେ ମୁହଁ ବାହାର କରି ଦେଖିଲା ଗଭୀର ରାତିରେ ଜୋଛନାରେ ରେଳଗାଡ଼ିଟି ଝଡ଼ ବେଗରେ କୌଣସି ଏକ ନଦୀର ଛୋଟ ବନ୍ଧ ଉପର ଦେଇ ପାରି ହୋଇଯାଉଛି । ଆଗରେ କଳା ରଙ୍ଗର ବେଶ୍‌ ଉଚ୍ଚ ଢିପଟିଏ । ଢିପ ଉପରେ ଅନେକ ଗଛବୃଚ୍ଛ । ନଦୀ ଜଳରେ ଜୋଛନା ପଡ଼ି ଚିକ୍‌ଚିକ୍‌ କରୁଥିଲା । ଆକାଶରେ ଧଳା ଧଳା ମେଘ ଖଣ୍ଡ । ତା’ପରେ ସେମିତି ଆହୁରି ବଡ଼ ବଡ଼ ଅନେକ ଢିପ ଆସିଲା । ସେମିତି ଗଛବୃଚ୍ଛ । ତା’ପରେ ଆସିଲା ବଡ଼ ଷ୍ଟେସନଟିଏ ଲୋକବାକ୍‌ ଆଲୁଅ । ପାଖ ଲାଇନରେ ଆଉ ଗୋଟିଏ ଗାଡ଼ି ଆସି ଆଗରୁ ଛିଡ଼ା ହୋଇଥିଲା । ସେ ତା’ର ମାଷ୍ଟର ନୀରେନ୍‌ ବାବୁଙ୍କଠୁ ଘଣ୍ଟା ଦେଖି ସମୟ ଜାଣିବା ଶିଖିଥିଲା । ଗଣି ଗଣି ଦେଖିଲା ତିନିଟା ବାଜି ଦଶମିନିଟ ହୋଇଛି । ତା’ପରେ ପୁଣି ଗାଡ଼ି ଛାଡ଼ିଲା । ପୁଣି କେତେକେତେ ଗଛଲତା, ପୁଣି ସେହି ଉଚ୍ଚା ଉଚ୍ଚା ଢିପ । ବହୁତ ସମୟ ରେଳରାସ୍ତାର ଦୁଇକଡ଼ରେ ସେମିତି ଢିପ ସବୁ ଆସୁଥିଲା । ଗାଡ଼ିରେ ସମସ୍ତେ ନିଦରେ ଶୋଇଥିଲେ । ଅପୁ ଚେଇଁଥିଲା ଆଉ ଭାବୁଥିଲା ଏମାନେ ଯଦି କିଛି ନ ଦେଖିବେ ଗାଡ଼ି କାହିଁକି ଚଢ଼ୁଥିଲେ ? କାହାଠୁ ସେ ପଚାରି ବୁଝିବ ଏତେ ସବୁ ଢିପ କାହିଁକି ଅଛି ? ସେଗୁଡ଼ିକ ପ୍ରକୃତରେ କ’ଣ ? ମଝିରେ ମଝିରେ ଝରକା ଭିତର ଦେଇ ମୁହଁ ତଳକୁ କରି ମାଟି ଆଡ଼କୁ ଚାହିଁ ଗାଡ଼ିର ବେଗ ଅନୁମାନ କରିବାକୁ ଚେଷ୍ଟା କରୁଥିଲା । ମୁଣ୍ଡର କେଶ ପବନରେ ଉଡ଼ି ମୁହଁ ଉପରେ ପଡ଼ୁଥିଲା । ମାଟି ଦେଖାଯାଏନି । ସତେ ଯେମିତି କିଏ ଜଣେ ମାଟି ଉପରେ କେତେଗୁଡ଼ା ସରଳରେଖା ଟାଣି ଚାଲିଛି । ଉଃ ! ରେଳଗାଡ଼ି ସତରେ କେତେ ବେଗରେ ଯାଏ ! କୌତୁହଳରେ ଓ ଉଦ୍ଦୀପନାରେ ସେ ଥରେ ଏପଟ ଝରକାର ଆଉ ଥରେ ଆରପଟର ଝରକାରେ ମୁହଁ ବଢ଼େଇ ଦେଖିବାକୁ ଚେଷ୍ଟା କରୁଥିଲା ।

 

ପୂର୍ବଦିଗର ପ୍ରାନ୍ତରରେ ଦ୍ରୂତଗତିରେ ବିଲୀନ ହୋଇ ଆସୁଥିବା ଅସ୍ପଷ୍ଟ ଜହ୍ନ ଆଲୁଅ ଆଡ଼କୁ ମଝିରେ ମଝିରେ ସେ ଚାହୁଁଥିଲା ଆଉ ଭାବୁଥିଲା କେତେଦୂରରେ ସେମାନେ ଆସି ପହଞ୍ଚିଲେଣି । ଏ ଯେଉଁ ସବୁ ଖାଲଢିପ ଭିତର ଦେଇ ଚାଲିଛନ୍ତି, ଏସବୁ କେଉଁ ଦେଶର ?

 

ସକାଳ ସମୟକୁ ସେ ପୁଣି ଟିକେ ଶୋଇପଡ଼ିଥିଲା । ଏକ ବିରାଟ ଷ୍ଟେସନରେ ଗାଡ଼ିଟି ସଶବ୍ଦରେ ଛିଡ଼ା ହୋଇଯିବାରୁ ତା’ର ନିଦ ପୁଣି ଭାଙ୍ଗିଗଲା । ପ୍ଲାଟ୍‌ଫର୍ମର ପଥର ଫଳକରେ ଲେଖାଥିଲା ପାଟନା‌ ସିଟି ।

 

ତା’ପରେ ଆଉ କେତୋଟି ଷ୍ଟେସନ ପାରି ହୋଇଗଲା । କେତେ ବଡ଼ ବଡ଼ ପୋଲ ! ଗାଡ଼ି ଚାଲିଛି, ଚାଲିଛି କିନ୍ତୁ ପୋଲଟା ଯେମିତି ଶେଷ ହେବାର ନାମ ନେଉନି । କେତେ ପ୍ରକାରର ସିଗ୍‌ନାଲ୍‌, କେତେ କଳ କାରଖାନା ! କୌଣସି ଏକ ଷ୍ଟେସନ ଘର ଭିତରେ ଗୋଟାଏ ଲୁହାର ଖମ୍ବ ଦେହରେ ଚୁଙ୍ଗାପରି ଲଗାଯାଇଥିବା ଯନ୍ତ୍ରରେ ମୁହଁ ଲଗେଇ ଜଣେ ରେଳ ବାବୁ କ’ଣ କଥା ହେଉଥିଲେ ପ୍ରାଇଭେଟ୍‌ ନମ୍ବର ? ଆଚ୍ଛା ହେଉ ସିକ୍‌ସଟି ନାଇନ୍‌ ସିକ୍ସଟି ନାଇନ୍‌ ହଁ ?... ଅଣସ୍ତରୀ... ଛ’ ପିଠିରେ ନଅ... ହଁ... ହଁ...

 

ସେ ଅବାକ୍‌ ହୋଇ ବାପାଙ୍କୁ ପଚାରିଲା ସେଇଟା କ’ଣ ବାପା ? ତା’ ଭିତରେ ମୁହଁ ରଖି ସେମିତି କାହିଁକି କହୁଚି ?

 

ସେତେବେଳକୁ ବେଳ ଗଡ଼ିଯାଇଥିଲା, ହରିହର କହିଲେ ଏବେ ଆମେ କାଶୀରେ ପହଞ୍ଚିଯିବା । ବାଁ ପଟେ ଦେଖୁଥାଅ ଗଙ୍ଗାର ପୋଲ ଉପରକୁ ଗାଡ଼ି ଉଠିଲେ ହିଁ କାଶୀ ଦେଖାଯିବ ।

 

ବହୁତ ସମୟ ଧରି ଅପୁ ଗୋଟିଏ କଥା ଭାବୁଥିଲା । ଆଜି ସେ ରାସ୍ତାଯାକ ଟେଲିଗ୍ରାଫ୍‌ ତା’ର ଓ ଖୁଣ୍ଟି ଦେଖି ଦେଖି ଆସିଛି ଆଗକୁ ଥରଟିଏ ଟେଲିଗ୍ରାଫ୍‌ ଦେଖିଥିଲା କିନ୍ତୁ ଆଜି ଯେମିତି ଦେଖିଲା, ଆଗରୁ ତା’ ଜୀବନରେ କେବେହେଲେ ସେ ଦେଖିନଥିଲା । ପୁଣି ଯଦି ସେ ରେଳ-ରେଳ ଖେଳିବାର ସୁଯୋଗ ପାଏ, ସେତେବେଳେ ସେ ଏମିତି ସବୁ ତାରର ଖୁଣ୍ଟି ବସେଇବ । ଆଗରୁ ସେ କି ଭୁଲ ନ କରିଛି ! ଯେଉଁ ଜାଗାକୁ ସିଏ ଯାଉଛି, ସେଠି ବଣରେ ଗୁଳଞ୍ଚଲତା ମିଳିବ ତ ?

 

ପ୍ରାୟ ପନ୍ଦର ଦିନ ବିତି ଗଲାଣି । ବାଉଁଶ ଫଟକା ଗଳିର ଗୋଟିଏ ମଧ୍ୟମ ଧରଣର ତିନି ମହଲା ଘରର ତଳମହଲାରେ ହରିହର ଭଡ଼ାଘର ନେଇଛନ୍ତି । ପୂର୍ବର ପରିଚିତ କୌଣସି ବ୍ୟକ୍ତିର ସନ୍ଧାନ ସେ ଏ ଯାଏଁ ପାଇନାହାନ୍ତି । ଚିହ୍ନା ଲୋକ ସବୁ ଆଗରୁ ଯେଉଁ ଠିକଣାରେ ରହୁଥିଲେ ସେମାନଙ୍କ ଖବର କେହି ଦେଇପାରିଲେନି । କେବଳ ବିଶ୍ୱେଶ୍ୱର ଗଳିର ପୁରୁଣା ଜଳଖିଆ ଦୋକାନୀ ରାମଗୋପାଳ ସାହୁ ଏ ପର୍ଯ୍ୟନ୍ତ ଜୀବିତ ଅଛି ।

 

ଘରର ଉପର ମହଲାରେ ଜଣେ ପଞ୍ଜାବୀ ସପରିବାର ରହନ୍ତି । ମଝି ମହଲାରେ ଜଣେ ବଙ୍ଗାଳୀ ବ୍ୟବସାୟୀ ରୁହେ, ବାହର ଘରଟା ତାଙ୍କର ଦୋକାନ ଓ ଗୋଦାମ ଘର । ଆଖପାଖର ଦୁଇ ତିନିଟା ବଖରା ତାର ରୋଷେଇ ଓ ଶୋଇବା ଘର ।

 

ଗତ ପାଞ୍ଚ ଛଅ ଦିନରେ ସର୍ବଜୟା ଆଖପାଖର ସବୁ ଜାଗା ସ୍ୱାମୀ ସହିତ ବୁଲି ଦେଖିସାରିଛି । ସ୍ୱପ୍ନରେ ବି ସେ କେବେ ଏ ସବୁ ଦୃଶ୍ୟର କଳ୍ପନା କରିପାରିନଥିଲା । ଏମିତି ମନ୍ଦିର ! ଏଭଳି ଠାକୁର, ଦେବତା ! ଏତେ କୋଠାଘର ! ଆଡ଼ଙ୍ଗ ଘାଟର ଯୁଗଳ କିଶୋରଙ୍କ ମନ୍ଦିର ଏତେଦିନ ଧରି ତା’ ନିକଟରେ ସ୍ଥାପତ୍ୟ ଶିଳ୍ପ ଚରମ ନିଦର୍ଶନ ବୋଲି ଜଣାଥିଲା କିନ୍ତୁ ବିଶ୍ୱନାଥର ମନ୍ଦିର, ଅନ୍ନପୂର୍ଣ୍ଣା ମନ୍ଦିର, ଦଶାଶ୍ୱମେଧ ଘାଟ ଉପରେ ଥିବା ନାଲି ପଥରର ମନ୍ଦିର ଦେଖିବା ପରେ ତା’ର ସେ ଭ୍ରମ ଦୂର ହୋଇଯାଇଥିଲା ।

 

ମଝିରେ ଗୋଟିଏ ଦିନ ସେ ପଞ୍ଜାବୀ ଲୋକଟିର ସ୍ତ୍ରୀ ସହିତ ବିଶ୍ୱନାଥଙ୍କ ଆଳତୀ ଦେଖିବାକୁ ଯାଇଥିଲା । ସେଇଠି ଯେଉଁ ଘଟଣା ଦେଖିଲା, ତାକୁ ଭାଷାରେ ବର୍ଣ୍ଣନା କରି କହିପାରିବନି । ଧୂପ ଝୁଣାର ଧୂଆଁରେ ମନ୍ଦିର ଅନ୍ଧକାରମୟ ଦେଖାଗଲା । ସାତ ଆଠଜଣ ପୂଜକ ଏକା ସାଙ୍ଗରେ ମନ୍ତ୍ର ଉଚ୍ଚାରଣ କରୁଥିଲେ । କି ଭିଡ଼, କି ଜାକଯମକ ! କେତେ ବଡ଼ ବଡ଼ ଘରର ଝିଅ ବୋହୂମାନେ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କର ବେଶ ପୋଷାକର କି ପରିପାଟୀ ! କେଉଁଠିକାର ଜଣେ ରାଣୀ ବି ଆସିଥିଲେ, ସାଙ୍ଗରେ ଚାରି ପାଞ୍ଚଜଣ ଚାକରାଣୀ । ଦାମୀ ବନାରସୀ ଶାଢ଼ୀ ପିନ୍ଧିଥିଲେ । ସୁନାର କାରୁକାର୍ଯ୍ୟରେ ଭର୍ତ୍ତି ପଣତଟି ଆଳତୀର ପଞ୍ଚ ପ୍ରଦୀପର ଆଲୁଅରେ ଜ୍ୱଳନ୍ତା ନିଆଁ ଭଳି ଝଟକୁଥିଲା । କେମିତି ଆକର୍ଷଣୀୟ ବଡ଼ ବଡ଼ ଆଖି ! କେମିତି ଭ୍ରୂଲତା ! କେମିତି ସୁନ୍ଦର ମୁଖଶ୍ରୀ ! ବାସ୍ତବ ଜୀବନରେ ସତସତିକା ରାଣୀ ସେ କେବେ ଦେଖିନଥିଲା । ତା’ ଉପରେ ହିଁ କେବଳ ବର୍ଣ୍ଣନା ଶୁଣିଥିଲା । ଦେଖିଲେ ମନେହେଉଛି, ୟେ ହିଁ ସତରେ ରାଣୀ ! ସେ ରାଣୀଙ୍କୁ ବହୁତ ସମୟ ଧରି ଦେଖୁଥିଲା କିମ୍ବା ଠାକୁରଙ୍କ ଆଳତୀ ଦେଖୁଥିଲା, ସେ କଥା ସେ ଜାଣିପାରିଲାନି ।

 

ଠାକୁର ଦେବତାମାନଙ୍କ ମନ୍ଦିରକୁ ଛାଡ଼ିଦେଲେ ଗୋଟାଏ ଗୋଟାଏ ଲୋକଙ୍କ ରହିବା ଘର ବି କି ସୁନ୍ଦର ଭାବରେ ନିର୍ମିତ ! ଦୁର୍ଗାପୂଜା ନିମନ୍ତ୍ରଣରେ ଯାଇ ନିଶ୍ଚିନ୍ତପୁର ଗାଁ’ର ଗାଙ୍ଗୁଲି ପରିବାରର ନାଟମନ୍ଦିର, ଦୁଇମହଲା କୋଠା, ପକ୍କା ପୋଖରୀଘାଟ ଦେଖିଲେ ତା’ ମନରେ ବହୁତ ଈର୍ଷା ହେଉଥିଲା । ତା’ର ମନେ ଅଛି ଥରଟିଏ ସେ ଦୁର୍ଗାକୁ କହିଥିଲା ଦେଖୁନୁ ବଡ଼ ଲୋକଙ୍କ ଘରର କେମିତି ଲକ୍ଷ୍ମୀଶ୍ରୀ ? ଏବେ ସେ ଯେଉଁସବୁ ଘର ଦେଖୁଛି, ତା’ ଆଗରେ ଗାଙ୍ଗୁଲି ପରିବାରର କୋଠା କିଛି ବି ନୁହେଁ ।

 

ଏକା ସାଙ୍ଗରେ ଏତେଗୁଡ଼ାଏ ଗାଡ଼ି ଘୋଡ଼ା ସେ କେବେବି ଦେଖିନଥିଲା । ଭଳି ଭଳି ଗାଡ଼ି । ଆସିବା ସମୟରେ ରାନାଘାଟ ନୈହାଟିରେ ସେ ଘୋଡ଼ାଗାଡ଼ି ଦେଖିଥିଲା ମାତ୍ର ଏଠାରେ ଏତେ ପ୍ରକାରର ଗାଡ଼ି ସେ ଆଗରୁ କେବେବି ଦେଖିନଥିଲା । ଦୁଇ ଚକିଆ ଗାଡ଼ିର ସଂଖ୍ୟା ଗଣିହେବନି !... ତା’ର ଇଚ୍ଛା ହୁଏ, ରାସ୍ତାକଡ଼ରେ ଛିଡ଼ା ହୋଇ ଘଣ୍ଟେ ଦୁଇଘଣ୍ଟା ସେସବୁ ଗାଡ଼ିଘୋଡ଼ା ଦେଖନ୍ତା । କିନ୍ତୁ ପଞ୍ଜାବୀ ସ୍ତ୍ରୀ ଲୋକଟି ସାଥିରେ ଥିବା ହେତୁ ତାକୁ ଲାଜ ଲାଗେ ।

 

ଅପୁ ବି ପୁରାପୁରି ଅବାକ୍‌ ହୋଇ ଯାଇଥିଲା । ଏମିତି କାଣ୍ଡ କାରଖାନା, ସେ କେବେବି କଳ୍ପନାରେ ଭାବି ପାରିନଥିଲା । ତାଙ୍କର ବସାଠୁ ଦଶାଶ୍ୱମେଧ ଘାଟ ବେଶି ବାଟ ନୁହେଁ । ପ୍ରତିଦିନ ଖରାବେଳେ ସେ ସେଠାକୁ ବୁଲିବାକୁ ଯାଏ । ପ୍ରତ୍ୟହ ଯେମିତି ଚଡ଼କ ମେଳା ଭଳି ଲୋକବାକର ଯାତାୟତ । କେଉଁଠି ଗୀତ ଚାଲିଛି ତ କେଉଁଠି କଥାବାର୍ତ୍ତା । ମଉଜ ମଜଲିସ । ଆଉ ଗୋଟିଏ ଜାଗାରେ ଜଣେ ବସି ରାମାୟଣ ପଢ଼ୁଛି, ଲୋକବାକ ଗହଳ ଚହଳ । ହସ ହସ ମୁହଁ ସତରେ ଯେମିତି ଉତ୍ସବ ମୁଖରିତ । ଅପୁ ସେଠାରେ କେବଳ ଘୁରି ବୁଲେ ଓ ସନ୍ଧ୍ୟାବେଳକୁ ଘରକୁ ଫେରି ମା ଆଗରେ ସେ କଥା ସବୁ ଗପ ଭଳି ବର୍ଣ୍ଣନା କରେ ।

 

କାହାଘରର ଚାକର ପିଲାଟେ ଛୋଟ ପିଲାଟିର ଅଣ୍ଟାରେ ଦଉଡ଼ି ବାନ୍ଧି ପ୍ରତିଦିନ ବୁଲେଇବାକୁ ଆଣିଥାଏ । ଅପୁ ସହିତ ତା’ର ମିଳାମିଶା ବି ଜମି ଉଠିଥିଲା । ପିଲାଟି ନାମ ପଲ୍‌ଟୁ । ଭଲ ଭାବରେ କଥାକହି ପାରେନା । ଭୀଷଣ ଚଞ୍ଚଳ ମତିର । କାଳେ ହଜିଯିବ ବୋଲି ତାଙ୍କ ଘରର ଲୋକମାନେ ଏମିତି ଜେଲ୍‌-କଏଦୀର ବ୍ୟବସ୍ଥା ଆଦରିଛନ୍ତି । ଅପୁ ଏ କଥା ଶୁଣି ହସି ହସି ବେଦମ୍‌ । ଚାକରଟୋକାକୁ ଅନୁରୋଧ କରିଥିଲା, ତା’ର ଦଉଡ଼ିଟି ଥରଟିଏ ଖୋଲି ଦେବାକୁ । ସେ କିନ୍ତୁ ଭୟରେ ଦଉଡ଼ି ଖୋଲିବାକୁ ରାଜି ହେଲାନି । ବନ୍ଦୀଟି ନିତାନ୍ତ ସାନ ଆଉ ଅବୋଧ । ଏଭଳି ବ୍ୟବହାର ପ୍ରତିବାଦ ଯୋଗ୍ୟ ବୋଲି ସେ ଜାଣେନା । ପ୍ରତିଦିନ ଫେରି ଆସିଲେ ସର୍ବଜୟା ଅପୁକୁ ଗାଳିଦିଏ ଏମିତି ସବୁଦିନେ ଏକା ଏକା କାହିଁକି ଘୁରିବୁଲୁ ? ସହର ବଜାର ଜାଗା । ଯଦି ରାସ୍ତା ଭୁଲିଯାଉ ?... ମା’ର ଆଶଙ୍କା ଯେ ସମ୍ପୂର୍ଣ୍ଣ ଭିତ୍ତହୀନ, ସେହି କଥାଟିକୁ ଦୁଇଓଳି ହାତହଲେଇ ବହୁତ ସମୟ ଧରି ବୁଝାଏ ।

 

କାଶୀ ଆସିବା ପରେ ହରିହରର ଉପାର୍ଜନ ବଢ଼ିଛି । କିଛିଦିନ ଘୁରିବୁଲି କେତୋଟି ମନ୍ଦିରରେ ନିତି ପୁରାଣ ପାଠର କାମ ପାଇଗଲା । ତା’ଛଡ଼ା ଦିନେ ସର୍ବଜୟା ସ୍ୱାମୀକୁ କହିଲା ସବୁଦିନ ବିକାଳେ ଦଶାଶ୍ୱମେଧ ଘାଟରେ ପୋଥି ଧରି ବସୁନ ? କେତେ ଫନ୍ଦିଫିକର କରି ଲୋକେ ଅର୍ଥ ଉପାର୍ଜନ କରୁଛନ୍ତି, ତୁମେ କେବଳ ବସି ବସି ପରାମର୍ଶ ଦେବ ସ୍ତ୍ରୀ ଠୁ ତାଗିଦ୍‌ ପାଇ ହରିହର କାଶୀ ଖଣ୍ଡର ପୋଥିଧରି ସବୁଦିନ ବିକାଳ ପହରରେ ଦଶାଶ୍ୱମେଧ ଘାଟରେ ବସିଲା । ପୁରାଣ ପାଠ କରିବା ତା’ ପାଇଁ କିଛି ନୂଆ କାମ ନ ଥିଲା । ନିଜ ଅଞ୍ଚଳରେ କେତେ ଯଜମାନ ଘରେ ଯାଇ ବ୍ରତ ପାର୍ବଣ ଉପଲକ୍ଷରେ ସେ ଏ କାମ କରିଛି । ପୋଥି ମେଲି ମଧୁର ସ୍ୱରରେ ସେ ପଢ଼ିବାକୁ ଆରମ୍ଭ କରେ

 

ବର୍ହାପୀଡ଼ାଭିରାମଂ ମୃଗମଦତିଳକଂ

 

କୁଣ୍ଡଳାକ୍ରାନ୍ତ ଗଣ୍ଡମ୍‌ ।

ସ୍ମିତ ସୁରଗମୁଖଂ ଅଧରେ ନ୍ୟସ୍ତ ରେଣୁଂ

 

ବ୍ରହ୍ମ ଗୋପାଳ ବେଶମ୍‌ ।

 

ଭିଡ଼ ମନ୍ଦ ନୁହେଁ ।

 

ବସାକୁ ଫେରି ବାଲିକାଗଜରେ କ’ଣ ସବୁ ଲେଖେ । ସ୍ତ୍ରୀକୁ କହିଲା, କେବଳ ଶ୍ଳୋକ ପଢ଼ିଲେ କେହି ଶୁଣିବାକୁ ଚାହାନ୍ତିନି । ସେଇଠି ଜଣେ ପୂର୍ବବଙ୍ଗୀୟ କଥାକାର ବସି ବାଖ୍ୟାନ କରେ, ତା’ ନିକଟରେ ବେଶ୍‌ ଭିଡ଼ ଜମେ । ଭାବିଚି କେତେଗୁଡ଼ା ପାଲା ଲେଖିବି । ସେଥିରେ ଗୀତ ରହିବ, କଥକତା ବି ରହିବ, ନ ହେଲେ ଲୋକ ଜମିବେ ନାହିଁ । ପରଶୁଦିନ ସେହି ପୂର୍ବବଙ୍ଗର କଥାକାର ସହିତ ଆଳାପ ହୋଇଥିଲା । ଦେବନାଗରୀ ଅକ୍ଷର ବିଷୟରେ ସେ କିଛି ଜାଣେନି । କେବଳ ଢଗ ଢମାଳି ଶୁଣେଇ ସ୍ତ୍ରୀ ଲୋକମାନଙ୍କୁ ଭଣ୍ଡେଇ ପଇସା ଉପାର୍ଜନ କରେ... ମୋର ଦାନ ଥାଳିଆଟାର ଗୋଟେଇଲେ ଛ ଅଣା କିମ୍ବା ଆଠ ଅଣା ମିଳୁଥିବାବେଳେ, ତାକୁ ଟଙ୍କାଟାରୁ କମ୍‍ ମିଳେନି ।

 

ଶୁଣିବ ଗୋଟିଏ ପାଲା କେମିତି ଲେଖିଚି ? କିଛିଟା ପଢ଼ି ସେ ତା’ର ସ୍ତ୍ରୀକୁ ଶୁଣାଏ । ତା’ପରେ କହେ ସେହି କଥାକାରର ପୋଥିଟି ଦେଖି ବଣର ବର୍ଣ୍ଣନା ଟିକକ ଲେଖିଦେବି ଭାବୁଚି ସେ କ’ଣ ମୋତେ ପୋଥିଟା ଦେବ ?

 

ତୁମେ କେଉଁ ଜାଗାରେ ବସି ବାଖ୍ୟାନ କର କୁହତ ? ମୁଁ ବି ଦିନେ ଯିବି, ଶୁଣିବା ପାଇଁ

 

ଆସୁ ନ, ଷଷ୍ଠୀ ମନ୍ଦିର ତଳ ଜାଗାରେ ବସେ । କାଲି ହିଁ ଆସ, ନୂଆ ପାଲଟା ଆରମ୍ଭ କରିବି । କାଲି ଏକାଦଶୀ ତିଥି, ଭଲ ବାରଟା ସର୍ବଜୟା କହିଲା ଆଜି ଫେରିବା ବାଟରେ ବିଶେଶ୍ୱର ଗଳିର ଦୋକାନରୁ ଚାରିପଇସାର ଜିଲାପି ଆଣିବ ତ । ସେ ଗୁଡ଼ା କୁଆଡ଼େ ପାଣିସିଙ୍ଗଡ଼ାରୁ ତିଆରି ହୁଏ । ସେଦିନ ଉପର ଘରର ବୋହୂଟି କ’ଣ ପୂଜା କରି ମୋତେ ଡାକିଥିଲା ଆଉ ଖାଇବା ପାଇଁ ଦେଇଥିଲା । ସେ କହିଥିଲା ସେଇଟା ପାଣିସିଙ୍ଗଡ଼ାରୁ ତିଆରି ଜିଲାପି । ବିଶେଶ୍ୱର ଗଳିରେ ମିଳେ । ଖାଉ ଖାଉ ଭାବିଲି, ଅପୁ ବି ଜିଲାପି ଖାଇବା ପାଇଁ ଭଲପାଏ । ମୋତେ ତ ଖାଇବା ପାଇଁ ଦେଇଥିଲା, ସେଇଟାକୁ କେମିତି ଆଣିଥାନ୍ତି । ତୁମେ ଆଜି ଆଣିବଟି ଚାରି ପଇସାର ।

 

କିଛିଦିନ ହେଲା ହରିହରର କଥକତା ଶୁଣିବାକୁ ବେଶ୍‌ ଭିଡ଼ ଜମୁଛି । ନାରଦଘାଟର କାଳୀବାଡ଼ିର ଝିଅ ଗୋଟାଏ ବଡ଼ କାଠ ଥାଳିଆରେ ସିଧା ଧରି ଅପୁଘରେ ବାରଣ୍ଡାରେ ଥୋଇଲା । ସର୍ବଜୟା ହସି ହସି ପଚାରିଲା ଆଜି ବୋଧେ ଭଲ ବାରର ପୂଜା ଯୁଟିଛି ? ସିଏ କ’ଣ ଘରକୁ ଫେରିବାର ଦେଖିଲ କି ଝିଅ ? ଝିଅଟି ଚାଲିଯିବା ପରେ ପୁଅକୁ ଡାକି କହିଲା ଏଠିକି ଆସ୍‌, ଅପୁ । ଏଇ ଦେଖ ତୋ’ର ସେହି ନଡ଼ିଆଗଜା ତୁ ତ ବେଶ୍‌ ଭଲପାଉ ନଡ଼ିଆଗଜା ଖାଇବାକୁ ? ଆହୁରି ଦେଖ୍‌, କେତେ କ’ଣ ଆସିଛି କିସ୍‌ମିସ୍‌, କଦଳୀ, କେତେ ବଡ଼ ବଡ଼ ଆମ୍ବ ! ଆ, ଏଇଠି ବସ୍‌, ତୋତେ ଖାଇବାକୁ ଦିଏଁ ।

 

ଉତ୍ସାହିତ ହୋଇ ହରିହର ପୁରୁଣା ଖାତାପତ୍ରର ଗଦା ପୁଣିଥରେ ବାହାର କଲା । ସର୍ବଜୟା କହିଲା ଧ୍ରୁବ ଚରିତ୍ର ଶୁଣି ଶୁଣି ଲୋକଙ୍କ କାନମୁଣ୍ଡ ବଧିରା ହେଲାଣି । ଏଥର ନୂଆ ଗୋଟେ କିଛି ଲେଖୁନ ?

 

ସକାଳ ଓ ଦୁଇ ପହର ସାରା ବସି ହରିହର ଏକାଗ୍ର ଚିତ୍ତରେ ଜଡ଼ ଭରତର ଉପାଖ୍ୟାନଟି କଥକତାର ପାଲା ଆକାରରେ ଲେଖିଲା । ତା’ ମନେଅଛି ଆଜକୁ ବାଇଶ ବର୍ଷ ପୂର୍ବରୁ ଏଇ କାଶୀରେ ଯେତେବେଳେ ସେ ଗୀତ ଗୋବିନ୍ଦ ପଦ୍ୟାନୁବାଦ କରୁଥିଲା, ତାକୁ ସେତେବେଳେ ଚବିଶ ବର୍ଷ । ନିଜ ଅଞ୍ଚଳକୁ ଫେରିଯାଇ ତା’ ଜୀବନର ଉଦ୍ଦେଶ୍ୟ ନିଜ ପାଖରେ ଯେମିତି ସଫଳ ହୋଇଗଲା ବୋଲି ମନେହୋଇଥିଲା । କାଶୀରେ ଏତେସବୁ ବିଷୟ ନ ଥିଲା । ନିଜ ଗାଁ’କୁ ଫେରି ଚାରିଆଡ଼େ ଦାଶୁରାୟଙ୍କ ଗୀତିଗାଥା, ଦେୱାନ୍‌ଜୀଙ୍କ ଗୀତ, ଗୋବିନ୍ଦ ଅଧିକାରୀଙ୍କ ଶୁକସାରୀ ଦ୍ୱନ୍ଦ୍ୱ, ଲୋକାଧୋବା ଅପେରାରେ ମତିଜୁଡ଼ି ଗୀତର ବିସ୍ତୃତ ପ୍ରଚଳନ ଓ ପ୍ରସାର ତା’ ମନ ଭିତରେ ଗୋଟାଏ ନୂଆ ଧରଣର ପ୍ରଭାବ ବିସ୍ତାର କରିଥିଲା ।

 

ରାତିରେ ସ୍ତ୍ରୀ ଆଗରେ ଗପସପ କରେ ଜାଣିଛୁ ବଜାରର ସାର୍ବଜନୀନ ପୂଜାରେ କବି ସମ୍ମିଳନୀର ଆୟୋଜନ ହେଉଛି ? ବସି ବସି ଶୁଣିଥିଲି, ଜାଣିଲ ?... ସାଦାସିଧା ପଦ ସବୁ... ତା’ ଭିତରେ କିଛି ନାହିଁ । ଟିକେ ରହିଯାଅ, ସଂସାରଟାକୁ ଟିକିଏ ସଜାଡ଼ି ଦେଲେ, ଭଲ ଭାବରେ ବସିଯିବି ଲେଖିବାକୁ ନୂଆ ପ୍ରକାରର ପାଲା ଲେଖିବି... ଏମାନେ ଏଠି ସବୁ ସେହି ମାନ୍ଧାତା ଅମଳର ଛାନ୍ଦ ବୋଲନ୍ତି । କାଲି ରାଜୁକୁ ସେହି କଥା କହୁଥିଲି ।

 

କେବେ କେବେ ମଝି ରାତିରେ ନିଦରୁ ଉଠି ହରିହର ବାରଣ୍ଡାରେ ବସି କ’ଣ ସବୁ ଭାବିବାରେ ଲାଗିଯାଏ । କୌଣସି ଏକ ଅନିର୍ଦ୍ଦିଷ୍ଟ ଆନନ୍ଦରେ ମନ ତା’ର ବିହଙ୍ଗ ପକ୍ଷ ଭଳି ହାଲୁକା ହୋଇଯାଉଥାଏ ।

 

କି ଉଜ୍ଜ୍ୱଳ ଭବିଷ୍ୟତ ତା’ ଆଗରେ ଅପେକ୍ଷା କରିଛି !... ସୁସଜ୍ଜିତ ଝାଡ଼ମାଳ ଆଲୋକର ବଡ଼ ବଡ଼ ଆସରରେ ସେ ଦେଖିପାରେ । ଦେଶ ଦେଶରେ, ଗାଁ’ ଗାଁ’ରେ ତା’ର ଲେଖା ଢଗ, ଢମାଳି, ଗୀତ, ଶ୍ୟାମା ସଙ୍ଗୀତର ପଦ ରାତି ପରେ ରାତି ସବୁଦିନ ଧରି ପରିବେଶିତ ହେଉଛି । କେତେ ଦୂରଦୂରାନ୍ତରୁ ଲୋକେ ବିଲ, ନଈ, ପ୍ରାନ୍ତର ଡେଇଁ ସାଥିରେ ଖାଇବା ପୁଟୁଳି ରଖି ଆସରରେ ବସି ସେ ସବୁ ଶୁଣୁଛନ୍ତି । ଅପେରା ଦଳର ଅଧିକାରମାନେ ତା’ ଘରକୁ ଧାଡ଼ିବାନ୍ଧି ଆସୁଛନ୍ତି । ତାକୁ ଅନୁରୋଧ କରି, ତା’ଠୁ ଲେଖାଟିଏ ନେଇଯାଉଛନ୍ତି । ଚାରିଆଡ଼େ ତା’ର ପ୍ରଶଂସା । ବାଃ ! ଭାରୀ ତ ଚମତ୍କାର ହେଇଛି ତ ! କାହାର ଲେଖା ଏ ସବୁ ? “କବିର ଗୁରୁ ଠାକୁର ହରୁ’’ ହରୁ ଠାକୁରଙ୍କର ? ନା । ନିଶ୍ଚିନ୍ତପୁରର ହରିହର ରାୟ ମହାଶଙ୍କର । ଏମିତି ଅଜବ କଳ୍ପନାର ଜାଲ ବସି ବସି ବୁଣେ ହରିହର ।

 

ଏଇଠି ଏଇ ଦଶାଶ୍ୱମେଧ ବାଇଶବର୍ଷ ବସି ବସି ମନେ ମନେ ଅନେକ ସ୍ୱପ୍ନ ଦେଖିଥିଲା । ତା’ପରେ ଧୀରେ ଧୀରେ ସେ ସବୁକୁ କେବେ ସ୍ମୃତିର ଅଚଳ ଗର୍ଭରେ ପଛରେ ପକେଇ ଚାଲିଆସିଛି, ସେ ନିଜେ ବି ଜାଣେନି । କେବେ ପୁଣି ନୂଆ ଖାତାପତ୍ରର ବିଡ଼ା ପେଡ଼ି ଭିତରେ ଅନାବୃତ ହୋଇ କେଉଁ ଗୋପନ କୋଣରେ ପଡ଼ି ରହି ଦିନର ଆଲୋକଠାରୁ ମୁହଁ ଲୁଚେଇ ରହିଗଲା, ଆଉ ଧୀରେ ଧୀରେ ପୁରୁଣା ହୋଇଗଲା ସେ କଥା ବି ସେ ଜାଣିପାରିଲାନି । ଯୌବନର ସ୍ୱପ୍ନଜାଲ ଜୀବନର ମଧ୍ୟାହ୍ନରେ କୁହୁଡ଼ି ପରି ଦିଗ୍‌ବଳୟ କୋଳରେ ଉଭେଇ ଯିବାରେ ଲାଗିଲା ।

 

ହଜିଯାଇଥିବା ଯୌବନ ଆଡ଼କୁ ଫେରି ଚାହିଁଲେ, ଛାତି ଭିତରେ ଅସହ୍ୟ ଯନ୍ତ୍ରଣା ମାଡ଼ିଆସେ । କେତେ କଥା ମନେ ପଡ଼ିଯାଏ । ଜୀବନରେ ହଜିଯାଇଥିବା ସେସବୁ ଦିନଗୁଡ଼ିକୁ ଆଉ କ’ଣ ଫେରିପାଇବ ?

 

ଏ ଭିତରେ ଦଶାଶ୍ୱମେଧ ଘାଟରେ ଅନେକ ପିଲାଙ୍କ ସହିତ ଅପୁର ବନ୍ଧୁତା ହୋଇଗଲାଣି । କିନ୍ତୁ ଏଠାରେ ତା’ର ସମବୟସୀ ସମସ୍ତେ ସ୍କୁଲରେ ପାଠ ପଢ଼ନ୍ତି । କେବଳ ଅପୁ ହିଁ ସ୍କୁଲ ଯାଏନି । ନିଶ୍ଚିନ୍ତପୁର ଗାଁ’ରେ ବନ୍‌ଶୀରେ ମାଛ ଧରି କିମ୍ବା ନଦୀରେ ନୌକାବାହି ଦିନମାନ ଭଲଭାବରେ ବିତେଇ ଦେଉଥିଲା କିନ୍ତୁ ଏଠାକାର କଥା ଅଲଗା । ସମବୟସୀ ପିଲାମାନେ ଆଗରେ ପାଠପଢ଼ୁନି ବୋଲି କହିବାକୁ ଭୀଷଣ ଲାଜ ଲାଗେ ।

 

ତା’ଛଡ଼ା ଦଶାଶ୍ୱମେଧ ଘାଟରେ ଯେଉଁ ସବୁ ପିଲାଙ୍କ ସହିତ ତା’ର ବନ୍ଧୁତା ଜମିଯାଉଛି, ସେମାନେ ସମସ୍ତେ ଅବସ୍ଥାସମ୍ପନ୍ନ ଘରର । ପଲଫୁର ଭାଇ କଥା ଛଳରେ ଦିନେ କହିଥିଲା ଯେ ତା’ ବାପାଙ୍କୁ ବହୁତ ଥର ବିଦେଶ ଯିବାକୁ ପଡ଼େ । ଅପୁ ପଚାରିଥିଲା କାହିଁକି, ତୁମର କ’ଣ ବିଦେଶରେ ବହୁତ ଶିଷ୍ୟ ଘର ଅଛି ?

 

ପଲଫୁର ଭାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଶିଷ୍ୟ ଘର ? ସେ ପୁଣି କ’ଣ ? ଅପୁ ଗୋଟାଏ କିଛି ସମୀଚିନ ଉତ୍ତର ଦେବା ପୂର୍ବରୁ ସେ କହିଲା ମୋ ବାପା, କଣ୍ଟ୍ରାକଫରୀ କରନ୍ତି, ସେଥିପାଇଁ ବହୁତ ଜାଗା ଯିବାକୁ ପଡ଼ିଥାଏ । ତା’ଛଡ଼ା, ଆମର କାନ୍ଥି ସହରରେ ଛୋଟ ଜମିଦାରୀ ଅଛି । ତେବେ ଆଜିକାଲି କିସ୍ତି ଦାଖଲ ପରେ କିଛି ବଳେନି ?

 

କେବେ କେବେ ଖରାବେଳେ ଅପୁ ଦଶାଶ୍ୱମେଧ ଘାଟରେ ବୁଲିବା ସମୟରେ ଷଷ୍ଠୀ ମନ୍ଦିର ପାହାଚରେ ବସି ବାପାଙ୍କ ମୁହଁରୁ ପୁରାଣ ପାଠ ଶୁଣିଥାଏ । ହରିଣ ଶିଶୁଟି ଶ୍ୱାପଦଦ୍ୱାରା ନିହତ ହେବାରୁ ତାକୁ ଅତ୍ୟନ୍ତ ସ୍ନେହ କରୁଥିବା ରାଜର୍ଷି ଭରତଙ୍କ କରୁଣା ବିରହ ବେଦନା ଓ ଶେଷରେ ତା’ର ମୃତ୍ୟୁ ଖବର ଏକାଗ୍ରଚିତ୍ତରେ ତା’ ଆଖିରେ ଲୁହ ଜକେଇ ଆସେ । ପୁଣି ଯେତେବେଳେ ସିନ୍ଧୁ ସୌବୀରର ରାଜା ରହୁଗଣ ପରିଚୟ ଜାଣିନପାରି ବ୍ରହ୍ମର୍ଷି ଭରତଙ୍କୁ ସବାରି ବାହକରୂପେ ନିଯୁକ୍ତି କଲେ, ସେତିକିବେଳେ କୌତୁହଳ ଓ ଉତ୍କଣ୍ଠାରେ ତା’ର ଛାତି ଧୁଡ୍‍ ଧୁଡ୍‌ କରୁଥିଲା । ମନକୁ ଆସୁଥିଲା, ଏବେ ଗୋଟାଏ କିଛି ଘଟିବ, ନିଶ୍ଚୟ ଘଟିବ । କଥକତାର ଶେଷରେ ପୂରାବୀ ସୁରର ଆଶିର୍ବାଦଟି ତାକୁ ଭାରି ଭଲ ଲାଗେ

 

କାଳେ ବର୍ଷତୁ ପର୍ଜନ୍ୟଂ ପୃଥିବୀ ଶସ୍ୟଶାଳିନୀ

ଲୋକାଃ ସନ୍ତୁ ନିରାମୟାଃ...

 

ସନ୍ଧ୍ୟା ସମୟରେ ପ୍ରତିଟି ମନ୍ଦିରରେ ଶଙ୍ଖ ଘଣ୍ଟାର ଧ୍ୱନି ବାଜି ଉଠେ । ଅସ୍ତ ସୂର୍ଯ୍ୟର ରକ୍ତିମ ଆଭା ଓ ପୂରାବୀର ମୂର୍ଚ୍ଛନା ସହିତ ହରିଣ ଶାବକର ବିୟୋଗାତୁର ରାଜର୍ଷିର କଥାଟି ଘଣ୍ଟାଧ୍ୱନି ଭିତରେ ଯେମିତି ହଜିଯାଏ ।

 

ଘରକୁ ଯାଇ କାଗଜ କଲମ ଧରି ବାପା ପାଖକୁ ଯାଇ କହେ ବାପା, ତୁମେ ଯେଉଁ ଶ୍ଳୋକଟି ଗାଇ ଶୁଣାଅ କାଳେ ବର୍ଷତୁ ପର୍ଜନ୍ୟଂ, ମୋତେ ଲେଖି ଦିଅନା ?

 

ହରିହର ଖୁସି ହୋଇ କହିଲା ତୁ ବୋଧେ ଶୁଣୁ ସେ କଥା ?

 

ମୁଁ ତ ସବୁଦିନେ ସେଠାରେ ଥାଏ ତୁମେ କାଲି ଯେତେବେଳେ ଭରତର ମା’ ମରିଯିବା କଥା କହୁଥିଲ, ମୁଁ ଷଷ୍ଠୀ ମନ୍ଦିରର ପାହାଚରେ ତୁମ ପଛରେ ହିଁ ବସିଥିଲି

 

ତୋତେ କେମିତି ଲାଗେ ଭଲ ଲାଗେ ଶୁଣିବାକୁ ?

 

ଶୁଉ... ଉ...ଉ..ବ ଭଲ ଲାଗେ । ମୁଁ ତ ପ୍ରତିଦିନ ଶୁଣେ

 

ଅପୁ କିନ୍ତୁ ଗୋଟାଏ କଥା ଲୁଚାଏ । ଯେଉଁଦିନ ତା’ର ସାଥୀମାନେ ସାଙ୍ଗରେ ଥାଆନ୍ତି, ସେ ବାପା ଯେଉଁଠି ବସିଥାଆନ୍ତି, ସେପଟକୁ ଯାଏନି । ସେ ଦିନ ସେ ବାପା କଡ଼ ଦେଇ ଯାଉଥିଲା, ବାପା ଦେଖି ତାକୁ ଡାକିଲେ ବାବୁ, ବାବୁରେ

 

ତା’ ସହିତ ଯାଉଥିବା ବନ୍ଧୁ ଜଣକ ପଚାରିଲା ତୋତେ ସେ ଚିହ୍ନେ ନା କ’ଣ ?

 

ଅପୁ କେବଳ ବେକ ହଲେଇ ସମ୍ମତି ସୂଚକ ‘ହଁ’ଟିଏ ମାରିଥିଲା । ସେଦିନ ସେ ବାପା ପାଖକୁ ଆସିନଥିଲା । କାଳେ ବନ୍ଧୁମାନେ ଜାଣିଯିବେ ଯେ ବାପା ତା’ର ଘାଟରେ ବସି କଥକତା କରନ୍ତି । ସେ ପଲଫୁର ଭାଇ ଛଡ଼ା ଅନ୍ୟ ସମସ୍ତ ନିକଟରେ କହିଥିଲା ତାଙ୍କର ଦେଶରେ ଘର ଅଛି । ସେମାନେ କାଶୀକୁ ଜଳବାୟୁ ପରିବର୍ତ୍ତନ ନିମନ୍ତେ ଆସିଛନ୍ତି । ଗାଁ’ରେ ତାଙ୍କୁ ଖୁବ୍‌ ବଡ଼ ଘର । ତା’ ବାପା କଣ୍ଟ୍ରାକ୍ଟରୀ କରନ୍ତି । ତା’ଛଡ଼ା ଗାଁ’ରେ ଜମିଦାରୀ ବି ଅଛି । ଶେଷରେ କୁହେ କିନ୍ତୁ ଜମିଦାରୀ ଥିଲେ କ’ଣ ହେଲା, କିସ୍ତି ଦାଖଲ କଲାପରେ କିଛି ବଳେନି ।

 

ତା’ର ବନ୍ଧୁମାନଙ୍କର ବୟସ ତା’ଠୁ ଖୁବ୍‌ ଅଧିକ ନୁହେଁ ବୋଲି ବର୍ଣ୍ଣନା କରିଥିବା ଗଳ୍ପରୁ ତା’ର ପୋଷାକ ପରିଚ୍ଛଦର ଅସଙ୍ଗତି ଧରାପଡ଼େନି । ବିଶେଷତଃ ତା’ର ସୁନ୍ଦର ଚେହେରାରେ ସବୁକିଛି ଖାପ୍‌ ଖାଇଯାଏ ।

 

ପୂର୍ଣ୍ଣିମାଦିନ କଥକ ଠାକୁରଙ୍କ ପାଖରେ ବେଶି ଭିଡ଼ ଜମିଥିଲା । ସନ୍ଧ୍ୟା ପରେ ହରିହର ପ୍ରବଚନ ଶେଷ କରି ଘାଟର ଚଟାଣ ଉପରେ ବସି ବିଶ୍ରାମ ନେଉଥିଲା । କଥକ ଠାକୁର ହାତ ମୁହଁ ଧୋଇବାକୁ ପାଣିକୁ ଓହ୍ଲେଇଲେ । ହରିହରକୁ ବସିଥିବାର ଦେଖି କହିଲେ ଆରେ ଆପଣ ବି ଏଠାରେ ଅଛନ୍ତି । ଦେଖିଲେ ତ ଆଜିର କାଣ୍ଡ । ପୁନେଇଁ ତିଥିଟା, ତା’ପରେ ପୁଣି ଭଲ ଦିନଟା । ବ୍ରାହ୍ମଣ ଭିକ୍ଷା ମିଳିଯାଏ । ପ୍ରତି ମାସରେ କାଶୀରେ ବ୍ରାହ୍ମଣ ଭିକ୍ଷା ମିଳିଲେ ପନ୍ଦର ସେରରୁ ଅଧମହଣେ ପର୍ଯ୍ୟନ୍ତ ଚାଉଳ ମିଳୁଥିଲା । ଆଜିକାଲି ଆଜ୍ଞା ଲୋକେ ଆଉ ବ୍ରାହ୍ମଣ ଭିକ୍ଷା କଥା ଭୁଲିଗଲେଣି । ଚାଉଳ ଗୋଟିଏ ଦାନା ବି ମିଳେନି । ଦକ୍ଷିଣାରେ ଆଜି ଭଳି ଦିନରେ ଟଙ୍କାଏ ଚାରିଅଣା ଖଣ୍ଡେ ମିଳିଛି, ସେଥିରେ ପୁଣି ଦୁଇଟି ଅଚଳ ଦୋଅଣି । ଆଜ୍ଞା, ଆପଣଙ୍କ ଶିକ୍ଷା କେଉଁଠାରେ ହୋଇଥିଲା ?

 

ଶିକ୍ଷା ତ ଅନେକ ଦିନପୂର୍ବରୁ ଏଇ କାଶୀରେ ହିଁ ମିଳିଥିଲା । ତେବେ ଏତେଦିନ ଧରି ଦେଶ ଗାଁ’ରେ ଥିଲି । ଏଇଥର ଏଠାକୁ ଆସି ବସା ନେଇ ରହିଛି ।

 

ମହାଶୟଙ୍କ ବସାଟି କ’ଣ ଏଇଠି ନିକଟରେ ?... ଟିକିଏ ଚା’ ପିଆଇବେ ? କେତେଦିନ ହେଲା ଭାବୁଚି ଚା’ ପିଇବି ବୋଲି, କିନ୍ତୁ ଚାଦର କୋଣରେ ଚା’ ପତି ବାନ୍ଧି ବୁଲୁଛି । ହେଲେ କେଉଁ ଜଳଖିଆ ଦୋକାନୀ ପାଖରେ ଟିକିଏ ଗରମ ପାଣି ମିଳୁନି, ଟିକିଏ ଫୁଟେଇ ଚା’ ପିଅନ୍ତି ! ଟିକିଏ ଲୁଣି ଚା’ ପିଇଦେଲେ ଗଳାଟା...

 

ଆରେ ହଁ, ଆସନ୍ତୁ ନା ମୋ ବସାକୁ, ଏଇତ ପାଖରେ, ଆସନ୍ତୁ ଚା’ ପିଇ ଆସିବେ । କଥାକାରଙ୍କୁ ସାଙ୍ଗରେ ଧରି ହରିହର ଘରକୁ ଆସିଲା ।

 

ଚା’ ପିଇବାର ସରଞ୍ଜାମ ହରିହରର ଘରେ କେବେବି ନ ଥିଲା । କରେଇରେ ପାଣି ଗରମ କରି ଚା’ ତିଆରି ହେଲା । ଅପୁ କଂସା ଗିଲାସରେ ଚା’ ଓ ଗୋଟିଏ ରେକାବିରେ କିଛି ଜଳଖିଆ ଆଣି କଥକ ଠାକୁରଙ୍କ ସାମନାରେ ଥୋଇଲା । ଖାଇବା ଜିନିଷ ଦେଖି କଥକ ଠାକୁର ଭାବ ଖୁସି ହୋଇଗଲେ । ଖାଇବା ଆଶା ସେ ରଖିନଥିଲେ ।

 

ବାଃ ଏ ଆପଣଙ୍କର ପୁଅ ବୋଧେ ! ବାଃ, ବେଶ୍‌ ସୁଶୀଳ ପୁଅଟି ଆପଣଙ୍କର । ଭାରି ସୁନ୍ଦର ଦେଖିବାକୁ ବାଃ ଆସିଲ ବାପା !

 

ଅପୁ ପାଖକୁ ଆସି ପ୍ରଣାମ କଲା ।

 

ଥାଉ, ଥାଉ, ତୁମର କଲ୍ୟାଣ ହେଉ ଲୁଣି ଚା’ କରିଛନ୍ତି ତ ଆଜ୍ଞା ?... ଟିକେ ଚାଖୁଛି

 

ହରିହର ପଚାରିଲା ଆପଣଙ୍କ ପିଲାଛୁଆ ସବୁ ଏଇଠି ଅଛନ୍ତି ତ ?

 

ଆଜ୍ଞା ସଂସାର ନାହିଁ, ପିଲାଛୁଆ କେଉଁଠୁ ଆସିବେ ?... ଦଶମାଣ ଜମି ବି ଥିଲା, ତଥାପି ବି ହା’ଅନ୍ନ ଅବସ୍ଥା... ଜମି କେତେମାଣ ଯଦି ଆଜି ଥାଆନ୍ତା... ତା’ହେଲେ କ’ଣ ଆଜି ଏତେ ଦୂରଦେଶକୁ ଆସିଥାନ୍ତି ଆପଣ ବି ଯେମିତି !... ଏସବୁ ଜାଗା କ’ଣ ଦେଶ ଗାଁ ପରି ହେବ ଆଜ୍ଞା ?... ବିଶ୍ୱେଶ୍ୱରଙ୍କୁ ମୋର ପ୍ରଣାମ, ମୁଁ ତାଙ୍କୁ ଅବଜ୍ଞା କରୁନି ଏମିତି ଶୀତ ଦିନରେ... ନା ଟିକିଏ ଖଜୁରୀ ରସ, ନା ଟିକେ ଗୁଡ଼ ନା ପାଟିଆଳି ମୋର ଆଜ୍ଞା ନିଜର ଦୁଇ କୋଡ଼ି ଖଜୁରୀ ଗଛ

 

ଆପଣଙ୍କ ଦେଶ ଗାଁ କେଉଁଠି ?

 

ସାତକ୍ଷୀର ନିକଟରେ ବାଦୁଡ଼ି ଶୀତଳକାଠି ଜାଗାର ନାମ ଶୁଣିଛନ୍ତି ? ଶୀତଳକାଠିର ଚକ୍ରବର୍ତ୍ତୀ ସମ୍ପ୍ରଦାୟ ଖୁବ୍‌ ନାମ୍‌ଜାଦା ହରିହର ତମାଖୁ ଚିଲମ ସଜେଇ ନିଜେ କେତେଥର ଟାଣ ଦେଇ କଥକ ଠାକୁର ହାତକୁ ବଢ଼େଇ ଦେଇ କହିଲା ଟାଣନ୍ତୁ

 

କିଛି ଆଉ ନାହିଁ ଆଜ୍ଞା, ଫଗୁଣ ମାସରେ ଥରଟିଏ ଯିବି, ଗୋଟିଏ ମାତ୍ର ବଗିଚା ଅଛି, ତାକୁ ହିଁ ବିକ୍ରି କରି ଚାଲିଆସିବି ଆମେ ସବୁ ପୁଣି ବେଦଜ୍ଞ ବ୍ରାହ୍ମଣ ତ ?... ସେ ଯେଉଁ ଦଶ ମାଣ ଜମିଥିଲା, ତାକୁ ବନ୍ଧକ ରଖି କନ୍ୟାପଣ ଯୋଗାଡ଼ କରିଥିଲି ବାହା ବି ହେଇଥିଲି ଆଜ୍ଞା ଦଶ ବର୍ଷ ଘରସଂସାର କରିଥିଲି ଶେଷରେ କ’ଣ ହେଲା ଜାଣନ୍ତି ? ସଞ୍ଜବେଳକୁ ରୋଷେଇ ଘର ଚାଳରୁ ପାଣି କଖାରୁ କାଟି ଆଣିବା ପାଇଁ ଯାଇଥିଲା । ସେଇଠି ଆଜ୍ଞା ସାପଟି ମୋ ଭାଗ୍ୟରେ ବି ଥିଲା । ତା’ ହାତକୁ କାମୁଡ଼ି ଦେଲା ମୁଁ ପୁଣି ସେଦିନ ଘରେ ନାହିଁ । କିଏ ବା ବୈଦ୍ୟ ବା କବିରାଜ ପାଖକୁ ନେବ ? କିଏ ବା ଏସବୁ କରିବ ? ପାଟୁଳିର ନଈଘାଟ ପାରି ହେଉଥିଲି, ଗାଁ’ର ମହେଶ ସାଧୁ ଖାଁ ସେ ପାଖରୁ ଆସୁଥିଲା । ମୋତେ ଦେଖି କହିଲା ଶୀଘ୍ର ଘରକୁ ଯାଆନ୍ତୁ ଆଜ୍ଞା ଆପଣଙ୍କ ଘରେ ଭୀଷଣ ବିପଦ । କି ବିପଦ ପଡ଼ିଛି, ସେ କଥା ସେ କହିଲାନି । ଘରେ ପହଞ୍ଚି ଦେଖିଲି, ପୂର୍ବଦିନ ରାତିରୁ ମୋ ସ୍ତ୍ରୀଟି ମରିପଡ଼ିଛି । ଏହାହିଁ ମୋର ଜୀବନୀ ଆଜ୍ଞା । ଜମିକୁ ଜମି ବି ଚାଲିଗଲା ଆଉ ଏ ପଟେ... । ସେହିଦିନଠୁ ସ୍ଥିର କଲି ଆଉ ଦେଶ ଗାଁ’ରେ ରହି ଲାଭ କ’ଣ ? ପୁଣି କେଉଁଠୁ ତିନିଚାରି ଶହ ଟଙ୍କା ପାଇବି ଆଉଥରେ ବାହା ହେବା ପାଇଁ ?... ଭାବିଲି ଯାଏଁ ବିଶ୍ୱନାଥ ପାଖକୁ... ଅନ୍ନକଷ୍ଟଟା ତ ଦୂର ହୋଇଯିବ । ... ଆଜିକୁ ଆଠ ବରଷ ପ୍ରାୟ ଏମିତି ବିତିଗଲାଣି ଜଣେ କକା ପୁଅ ଭାଇ ଅଛି ଜମିଜମା ବାକି ଯାଆ ଅଛି, ସେ ସବୁକୁ ଅକ୍ତିଆର କରି ବସିଛି କହୁଚି, ତୁମର କିଛି ଭାଗ ନାହିଁ ବେଶ୍‌ ହେଲାରେ ବାବୁ, ମୋର କିଛି ଭାଗ ନାହିଁ, ନ ହେଲା ନାହିଁ... ଗଣ୍ଡଗୋଳ ଭିତରକୁ ମୁଁ କେବେବି ପଶିବିନି... ଯା କରୁଥା ଦଖଲ । ଆଚ୍ଛା ଆଜ୍ଞା ମୁଁ ଆସୁଛି ଆପଣଙ୍କ ଘରେ ବେଶ୍‍ ଭଲ ଚା’ ପିଆ ହେଲା ଆପଣଙ୍କ ପୁଅ କୁଆଡ଼େ ଗଲା ?... ଭଲ ପିଲାଟିଏ... ସୁନ୍ଦର ପିଲାଟିଏ

 

ଚମଡ଼ାର ତାଳିପକା ପୁରୁଣା କ୍ୟାମ୍ବିସ୍‌ର ଜୋତା ଯୋଡ଼ିକ ଝାଡ଼ି ଝୁଡ଼ି ପାଦରେ ଦେଇ କଥକ ଠାକୁର ଦୁଆର ବନ୍ଧ ପର୍ଯ୍ୟନ୍ତ ଆସିଲେ ଯାଉ ଯାଉ କହିଲେ କାଲି ବି ବ୍ରାହ୍ମଣ ଭିକ୍ଷା ବସେଇବି ଦେଖାଯାଉ କ’ଣ ମିଳୁଛି

 

Unknown

(୩୧)

 

ହରିହରର ବସାଘରଟି ସେତେ ଭଲ ନୁହେଁ । ତଳମହଲାଟି ସନ୍ତସନ୍ତିଆ । ଘର ମାତ୍ର ଦୁଇଟି । ଏତେ ଅନ୍ଧାରୁଆ ଯେ ବାହାରୁ ପଶିଲେ ହଠାତ୍‌ କିଛି ଦେଖାଯାଏନି । ଏଭଳି ଘରେ ସର୍ବଜୟା କେବେବି ରହିନି । ଗାଁ’ର ଝାଟି ତାଙ୍କର ପୁରୁଣା ହେଲେ ବି ଖରା ପବନ ପାଇବା ପାଇଁ ବଡ଼ ବଡ଼ ଝରକା କବାଟ ଥିଲା । ସେ ସମୟର ଉଚ୍ଚା ନିଅର କୋଠା । ପୁରାପୁରି ଶୁଖିଲା । ଏ ବସାର ସନ୍ତସନ୍ତିଆ ଚଟାଣ ଓ ଅନ୍ଧାରୁଆ ଘର ଭିତରେ ସର୍ବଜୟାର ମୁଣ୍ଡ ବିନ୍ଧିଯାଏ । ଅପୁ ବି ଜମାରୁ ଘରେ ରହେନି । ସୂର୍ଯ୍ୟାଲୋକ ପୁଷ୍ଟ ନବୀନ ତରୁଟିଏ ପରି, କେବଳ ଆଲୁଅ ଆଡ଼କୁ ତା’ ମୁହଁଟି ବୁଲି ରହିଥାଏ ସର୍ବଦା । ନିଶ୍ଚିନ୍ତପୁରର ଖୋଲା ପଡ଼ିଆରେ, ନଦୀର ମୁକ୍ତ ପବନରେ ବଢ଼ି ଉଠିଥିବା ଅପୁ ଏମିତି ଆବଦ୍ଧ ଘରର ଅନ୍ଧକାର ଭିତରେ ତା’ର ପ୍ରାଣ ରୁଦ୍ଧ ହୋଇଯାଏ । ଦଣ୍ଡକ ପାଇଁ ବି ସେ ଘର ଭିତରେ ରହିପାରେନି ।

 

କାଶୀକୁ ଆସି ସେ ଟିକିଏ ନିରାଶ ହୋଇଯାଇଛି । ବଡ଼ ବଡ଼ କୋଠାଘର ଥିଲେ ହେବ କ’ଣ, ଏଠାରେ ତ ଜଙ୍ଗଲ ଜମାରୁ ନାହିଁ ।

 

ଦିନେ ସଞ୍ଜବେଳକୁ କଥକ ଠାକୁର ହରିହରର ବସାକୁ ଆସିଲେ । ଏ କଥା, ସେ କଥା ହେବା ପରେ କହିଲେ କାହିଁ ଆପଣଙ୍କ ପୁଅକୁ ଦେଖୁନି ତ ?

 

ହରିହର କହିଲା ଖେଳିବା ପାଇଁ କେଉଁଠିକି ବାହାରି ଯାଇଥିବ, ବୋଧହୁଏ ଦଶାଶ୍ୱମେଧ ଘାଟ ଆଡ଼େ ଯାଇଥିବ

 

କଥକ ଠାକୁର ଉତ୍ତରୀୟର କାନିରୁ କ’ଣ ଗୋଟାଏ ଦ୍ରବ୍ୟ ଖୋଲୁ ଖୋଲୁ କହିଲେ ଆପଣଙ୍କ ପୁଅ ସହିତ ଖୁବ୍‌ ବନ୍ଧୁତା ହୋଇଯାଇଛି ମୋର । ସେଦିନ ଘାଟରେ ତାକୁ ଡାକି ପାଖରେ ବସେଇ ବହୁତ ସମୟ ତା’ ସହିତ କଥାବାର୍ତ୍ତା ହେଇଥିଲି । କଉଡ଼ି ଖେଳିବାପାଇଁ ସେ ଭାରି ଭଲ ପାଏ । ସେଦିନ ବ୍ରତ ସିଦାରେ କିଏ ଏଇ ବଡ଼ ବଡ଼ କଉଡ଼ି ଦୁଇଟି ଦେଇଥିଲା । ଭାବିଲି ତାକୁ ଦେଇ ଆସିବି । ଆପଣ ରଖିଦିଅନ୍ତୁ, ସେ ଆସିଲେ, ତାକୁ ଦେବେ

 

ମାର୍ଗଶୀର ମାସ ଶେଷ ଭାଗକୁ ଅପୁ ବାପାଙ୍କୁ କହିଲା ତାକୁ ସ୍କୁଲରେ ଦାଖଲ କରିବାକୁ । କହିଲା ସମସ୍ତେ ସ୍କୁଲରେ ପାଠ ପଢ଼ନ୍ତି ବାପା, ମୁଁ ବି ପଢ଼ିବି । ଏଇ ଗଳିର ଛକ ସେ ପଟେ ଭଲ ସ୍କୁଲଟିଏ ଅଛି ।

 

ହରିହର ପୁଅକୁ ସ୍କୁଲରେ ଭର୍ତ୍ତି କରିଦେଲା । ଯଦିବା ଛାତ୍ରବୃତ୍ତି ସ୍କୁଲ ତଥାପି ସେଠାରେ ଇଂରାଜୀ ବି ପଢ଼ା ହୁଏ ।

 

ପ୍ରସନ୍ନ ଗୁରୁ ମହାଶୟଙ୍କ ପାଠଶାଳା ଛାଡ଼ିବା ପରେ ପ୍ରାୟ ଚାରି ପାଞ୍ଚବର୍ଷ ବିତିଗଲାଣି । ଏଇଟା ତା’ର ପୁନର୍ବାର ଅନ୍ୟ ଏକ ବିଦ୍ୟାଳୟରେ ଭର୍ତ୍ତି ହେବା ଘଟଣା ।

 

ମାଘମାସ ମଧ୍ୟଭାଗରେ କଥକ ଠାକୁର ବାଲି କାଗଜ ହାତରେ ଧରି ଦିନେ ହରିହରର ବସାରେ ଆସି ପହଞ୍ଚିଲେ । କାଗଜର ଖଣ୍ଡ ଦେଖେଇ କହିଲେ ଆଜ୍ଞା ଟିକେ ପଢ଼ି ଦେଖାନ୍ତୁ ତ, ଯଦି ଏମିତି ଲେଖିବି, ଚଳିବ ତ ?

 

ହରିହର ପଢ଼ି ଦେଖିଲେ । କାଶୀନିବାସୀ କେହି ଜଣେ ରାମ ଗୋପାଳ ଚକ୍ରବର୍ତ୍ତୀ ନାମରେ ବ୍ୟକ୍ତି କଥକଠାକୁରଙ୍କ ନାମରେ ନିଜ ଗ୍ରାମରେ ଦଶମାଣ ଜମି ଦାନପତ୍ର ଲେଖି ଦେଉଛନ୍ତି । ସେଥିରେ ଅମୁକ ଅମୁକ ସାକ୍ଷୀ, ସ୍ଥାନ ଦଶାଶ୍ୱମେଧଘାଟ, ଅମୁକ ତାରିଖ ଇତ୍ୟାଦିର ଉଲ୍ଲେଖ । କଥକ ଠାକୁର କହିଲେ ଘଟଣାଟି କ’ଣ ଜାଣନ୍ତି ! ଆମ ଅଞ୍ଚଳର କୁମୁର ଗାଁ’ର ରାମଗୋପାଳ ଚକ୍ରବର୍ତ୍ତୀ ଭାରି ପଣ୍ଡିତ ଲୋକ ଥିଲେ । ମରିବାର ବର୍ଷେ ପୂର୍ବରୁ ମୋତେ କହିଥିଲେ ରାମଧନ, ତୁମର ତ କିଛି ବିଷୟ ସମ୍ପତ୍ତି ନାହିଁ, ଭାବୁଛି ତୁମକୁ ଦଶମାଣ ଜମି ଦାନ କରିଯିବି । ତୁମେ ଗ୍ରହଣ କରିବ ତ ? ସେଇଠୁ ମୁଁ ଭାବିଲି ସଦ୍‌ ବ୍ରାହ୍ମଣ, ଦେବାକୁ ଯେତେବେଳେ ଚାହୁଁଛନ୍ତି, ନେବାରେ ଆପତ୍ତି କ’ଣ ? ତା’ପରେ ସେ ତୁଣ୍ଡ କଥାରେ ମୋତେ ଜମିଟା ଦାନ କରିଗଲେ । ଦେଲେ ତ ଦେଲେ ଏତେଦିନ ପର୍ଯ୍ୟନ୍ତ ନିଘା କରିନଥିଲି । କାଶୀରେ ରହିବା, ଦେଶ ଗାଁ’ରେ ରହିବିନି ଜମିର ଆବଶ୍ୟକତା କ’ଣ ? ତା’ପରେ ଚକ୍ରବର୍ତ୍ତୀ ମହାଶୟ ଇହଧାମ ତ୍ୟାଗ କଲେ । ଜମିର ଦାନପତ୍ରଟି ତୁଣ୍ଡରେ ତୁଣ୍ଡରେ ରହିଗଲା । ଏତେଦିନ ପରେ ଭାବୁଛି ଗାଁ’କୁ ଫେରିବି । ପିଲାଛୁଆ ନ ହେଲେ ମଣିଷ ଜନ୍ମ କ’ଣ ସାର୍ଥକ ହେବ ଆଜ୍ଞା ? ଆପଣଙ୍କୁ କହିବାକୁ ମୋର କିଛି କୁଣ୍ଠା ନାହିଁ । ତିନିଶହ ଖଣ୍ଡେ ଟଙ୍କା ସଞ୍ଚୟ କରି ରଖିଛି । ଆଉ ଏତକ ସଞ୍ଚୟ କରିବାକୁ ଖାଲି ପାଣି ପିଇ ପିଇ ଜୀବନ ଧାରଣ କରିଛି, ଆଜ୍ଞା । ଆଉ ଦୁଇ ଶହ ଖଣ୍ଡେ ଟଙ୍କା ଯୋଗାଡ଼ କରିପାରିଲେ ବେଦଜ୍ଞ ବ୍ରାହ୍ମଣ ବଂଶର କନ୍ୟାଟିଏ ମିଳିଯିବ । ଯଦି ସେମିତି ସମ୍ଭବପର ହୁଏ, ତା’ହେଲେ ଜମିର ଆବଶ୍ୟକତାଟା ହେବ ନିଶ୍ଚୟ ? ଭାବିଲି, ତୁଣ୍ଡରେ ତୁଣ୍ଡରେ ଦାନ ହୋଇଛି । ସେ କଥା କ’ଣ ଚକ୍ରବର୍ତ୍ତୀ ମହାଶୟଙ୍କ ପୁଅମାନେ ସହଜରେ ମାନି ଦେବେ ? ବସି ବସି ଏଇ କାଗଜ ଖଣ୍ଡକ ଭାବିଚିନ୍ତି ତିଆରି କରିଛି । ନିଜେ ହିଁ ଲେଖିଛି । ସଇ ସ୍ୱାକ୍ଷର ସହିତ ସବୁ ମୁଁ ନିଜ ହାତରେ ଲେଖିଛି । ସାକ୍ଷୀ ଦୁଇଜଣ ବି ସବୁ ନିଜର ତିଆରି । ଥରେ ଚେଷ୍ଟା କରି ଦେଖିବି ଯଦି ଲେଖା କାଗଜ ଦେଖି ମାନିଯାଆନ୍ତି ! ଯାଇ କହିବି, ହେଇ ଦେଖ, ତୁମର ବାପା ଏ ଜମିଟା ମୋତେ ଦାନ କରିଛନ୍ତି

 

ଉଠୁ ଉଠୁ କଥକ ଠାକୁର କହିଲେ ଭଲ କଥାଟି ଆଜ୍ଞା ମନେପଡ଼ିଗଲା । ଆସନ୍ତା ମଙ୍ଗଳବାର ମାଘ ପୂର୍ଣ୍ଣିମାଦିନ ଆପଣଙ୍କ ପୁଅକୁ ମୁଁ ସାଙ୍ଗରେ ନେଇଯିବି ଟେଉଟାର ରାଜା ଠାକୁରଙ୍କ ଘରକୁ ନିମନ୍ତ୍ରଣ ଖାଇବାକୁ । ତାଙ୍କ ଘରଟି ଠିକ୍‌ ମାନମନ୍ଦିର ପାଚେରୀକୁ ଲାଗି । ସନ୍ଧ୍ୟା ପରେ ପ୍ରତି ବର୍ଷ ବ୍ରାହ୍ମଣ ଭୋଜନ କରାନ୍ତି ତ । ଟିକିଏ ସଗର୍ବରେ କହିଲେ ମୋତେ ଗୋଟିଏ ନିମନ୍ତ୍ରଣ ପତ୍ର ପ୍ରତିଥର ପଠାନ୍ତି । ବେଶ୍‌ ଭଲ ଖିଆପିଆ । ମୁଁ ଆସି ତାକୁ ସାଙ୍ଗରେ ନେଇଯିବି କିନ୍ତୁ ।

 

ମାଘୀ-ପୂର୍ଣ୍ଣିମା ଦିନ ଶେଷ ରାତିରୁ ରାସ୍ତାରେ ସ୍ନାନାର୍ଥୀମାନଙ୍କ ଭିଡ଼ ଦେଖି ସର୍ବଜୟା ଅବାକ୍‌ ହୋଇଗଲା । ଦଳ ଦଳ ସ୍ତ୍ରୀ, ପୁରୁଷ “ଜୟ ବିଶ୍ୱନାଥ ଜୀଙ୍କ ଜୟ’’, “ବୋଲ୍‌ ବୋମ୍‌, ବୋଲ ବୋମ୍‌’’ କହି କହି ଦୂରନ୍ତ ମାଘର ଶୀତଳୁ ଉପେକ୍ଷା କରି ସ୍ନାନ ପାଇଁ ଚାଲିଥିଲେ । ଟିକେ ବେଳ ହେଲାପରେ ପଞ୍ଜାବୀ ସ୍ତ୍ରୀ ଲୋକ ସହିତ ସର୍ବଜୟା ବି ଗଙ୍ଗାସ୍ନାନ ପାଇଁ ଯାଇଥିଲା । ଗଙ୍ଗାଘାଟର ଜଳ, ପାହାଚ, ମନ୍ଦିର, ରାସ୍ତା ସବୁ ଯେମିତି ଉତ୍ସବ ପରିପାଟୀରେ ସଜ୍ଜିତ ନରନାରୀଙ୍କ ଦ୍ୱାରା ପରିପୂର୍ଣ୍ଣ । ଜଳକୁ ଓହ୍ଲେଇବା ଦୁଃସାଧ୍ୟ ବିଷୟ । ଷଷ୍ଠୀ ମନ୍ଦିରରେ ନାଲି ପତାକା ଉଡ଼ୁଥିଲା ।

 

ସନ୍ଧ୍ୟା ପୂର୍ବରୁ କଥକ ଠାକୁର ଅପୁକୁ ନେବା ପାଇଁ ଆସିଲେ । ସର୍ବଜୟା କହିଲା ପଠେଇ ଦିଅ ତାଙ୍କ ସହିତ । ତାଙ୍କର କେହି ନାହିଁ, ତେଣୁ ଦଶାଶ୍ୱମେଧ ଘାଟରେ ପାଖରେ ବସେଇ ଗପ କରନ୍ତି, ତାକୁ ଭାରି ଭଲ ପାଆନ୍ତି । ଦିନଟିଏ ଅମୃତଭଣ୍ଡା କିଣି ଖୁଆଇ ଥିଲେ । ପଠେଇ ଦିଅ, ଭଲ ଲୋକ ତ ସିଏ

 

ଅପୁ ପ୍ରଥମେ କଥକ ଠାକୁରଙ୍କ ସହିତ ତାଙ୍କ ବସାକୁ ଗଲା । ଟାଇଲ୍‌ ଘର ମାଟି କାନ୍ଥରେ ନାନା ସ୍ଥାନରେ ଖଡ଼ିରେ ହିସାବ ଲେଖା ହୋଇଛି । ଉଦାହରଣସ୍ୱରୂପ:-

 

ସିଆର ସୋଲର ରାଣୀ ଘରେ ଭାଗବତ୍‌ ପାଠ.... ୪ (ଟଙ୍କା)

 

ମୁଁ ସମ୍ମତ କୁନ୍ତାର ଠାକୁର ଘର ଏକା .... ୨ (ଟଙ୍କା)

 

ଧାବକ ଲାଲଜୀ ଦୋବେଙ୍କ ଦିନକର ଖୋରାକି.... ୪ (ଟଙ୍କା)

 

ଘରେ ବିଶେଷ କିଛି ଆସବାବ୍‌ପତ୍ର ନ ଥିଲା । ଖଣ୍ଡିଏ ସରୁ ଚୌକିଟିଏ ଖୋଲା ହୋଇ ପଡ଼ିଥିଲା, ଗୋଟିଏ ଟିଣର ଛୋଟ ତୁରୁଙ୍ଗ, ଦଉଡ଼ି ଟଣା ଆଲଣାଟିଏ, ହଳେ କଠଉ । କାନ୍ଥ ଦେହରେ ଗୋଟାଏ କଣ୍ଟାରେ ପଦ୍ମବୀଜର ଗୋଟିଏ ମାଳି ଟଙ୍ଗା ହୋଇଥିଲା ।

 

କଥକ ଠାକୁର କହିଲେ କମଳା ଖାଇବ ?

 

ଅପୁ ବେକ ହଲେଇ କହିଲା ଆପଣଙ୍କ ଘରେ ଅଛି ? କେଜାଣି କାହିଁକି ଏହି କଥକ ଠାକୁରଙ୍କ ପାଖରେ କୌଣସି ଲଜ୍ଜା ବା ସଂକୋଚବୋଧ ତାକୁ ହେଉନଥିଲା । କମଳାର ଚୋପା ଛଡ଼ଉ ଛଡ଼ଉ ପଚାରିଲା କାଳେ ବର୍ଷତୁ ପର୍ଜନ୍ୟଂ ଆପଣ ଜାଣନ୍ତି ?

 

କାଳେ ବର୍ଷତୁ ପର୍ଜନ୍ୟଂ ? ବେଶ୍‌ ଭଲ ଭାବରେ ଜାଣେ, ପ୍ରତିଦିନ କହେଁ, ମୋ ପାଖରୁ ଦିନେ ଶୁଣିବ

 

ଏବେ ଥରଟିଏ କୁହନ୍ତୁ ନା ?

 

କଥକ ସୁର ଧରି କହିଗଲେ ସତ କିନ୍ତୁ ଅପୁର କେଜାଣି ମନେହେଲା ତା’ ବାପା ମୁହଁରୁ ଶୁଣିବାକୁ ଭଲ ଲାଗେ । କଥକଙ୍କ କଣ୍ଠସ୍ୱରଟି ମୋଟା ।

 

ଗାଁ’କୁ ନେବା ପାଇଁ କଥକ ଠାକୁର ବିଭିନ୍ନ ପ୍ରକାରର ଦ୍ରବ୍ୟ ସଂଗ୍ରହ କରି ରଖିଥିଲେ ମାଟିର ଛୋଟ ଛୋଟ ଦ୍ରବ୍ୟ, ପଥରର ଜିନିଷ କଣ୍ଢେଇ, ଖେଳଣା, ଶିବଲିଙ୍ଗ, ମାଳି, କାଠର ତିଆରି ଶରାଳି ପକ୍ଷୀ । ଅପୁକୁ ଦେଖେଇ କହିଲେ ଏସବୁ କାଶୀର ଜିନିଷ । ସମସ୍ତେ କହିବେ କାଶୀରୁ କ’ଣ ଆଣିଛ ଦେଖାଅ ! ସେଥିପାଇଁ ଏଗୁଡ଼ିକ ନେଇଯିବି

 

କେତେ କେତେ ସରୁ ଗଳି ରସ୍ତା ପାରି ହୋଇ ଗୋଟିଏ ଅନ୍ଧାରୁଆ ଘରର କବାଟ ଆଗରେ ପହଞ୍ଚି କଥକ ଠାକୁର ଛିଡ଼ା ହୋଇଗଲେ । ନୁଆଁଣିଆ କବାଟ ଭିତର ଦେଇ ଘର ଭିତରକୁ କଷ୍ଟରେ ପ୍ରବେଶ କରୁ କରୁ ଅପୁର ମନେହେଲା, ଏ ଘରେ କେହି କୁଆଡ଼େ ନାହାନ୍ତି । ଚାରିଆଡ଼େ ନିଝୁମ୍‌ ନିର୍ଜନତା । କଥକ ଠାକୁର ଥରେ ଦୁଇଥର ଖୁଁ ଖୁଁ ହୋଇ କାଶିଲେ, ଜଣେଇ ଦେବାକୁ ଚାହୁଁଥିଲେ ତାଙ୍କର ଉପସ୍ଥିତି । ସେ ଶବ୍ଦ ଶୁଣି ଅଗଣାରେ ଖଟିଆଟିରେ ଶୋଇଥିବା କେହି ଜଣେ ନିଦରୁ ଉଠି ମୋଟା ଗଳାରେ ହିନ୍ଦୀରେ କ’ଣ ପଚାରିଲା । ଅପୁ ସେ କଥା ଠିକ୍‌ଭାବେ ବୁଝି ପାରୁନଥିଲା । କଥକ ଠାକୁରଙ୍କୁ ଜମାରୁ ଚିହ୍ନେନି ଏବଂ ସେମାନଙ୍କର ଆସିବାର କୌଣସି ଅପେକ୍ଷା ବି କରିନଥିଲା । ପରେ ଲୋକଟି ବିରକ୍ତ ହୋଇ କାହାକୁ କ’ଣ ପଚାରିବା ପାଇଁ ଭିତରକୁ ଗଲା । କିନ୍ତୁ ଫେରିବାକୁ ଏତେ ଡେରି କଲା ଯେ ଅପୁର ଭୟ ହେଲା, ହୁଏତ ଆସି କହିବ ତୁମମାନଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇନି ତ ! ଫେରିଯାଅ, ତୁମେମାନେ । ଯାହାହେଉ, ଅନ୍ଧାର ଭିତରେ ପନ୍ଦର ମିନିଟ କାଳ ଠିଆ ଠିଆରେ କଟିଲା ପରେ ଲୋକଟି ଫେରିଆସିଲା । ଅଧା ଅନ୍ଧକାରରେ ଅଗଣାର ଗୋଟିଏ କୋଣୁ କେତେ ଖଣ୍ଡ ଶାଳପତ୍ର ଖଲି ପାରି ଦେଇ ସେମାନଙ୍କୁ ବସେଇଲା । ଗୋଟାଏ ମୋଟା ପିତ୍ତଳ ଢାଳ ଦେଇ ଚାଲିଗଲା । ଅପୁର ମନେହେଲା, କଥକ ଠାକୁର ଯେମିତି କଛି ଭୟ ଓ ଆଶଙ୍କା ମନରେ ଆସନ ଉପରେ ବସିଲେ । ରଜା ଘର କ’ଣ ଯେ ଖାଇବାକୁ ଦେବେ ? ଅଧୀର ଆଗ୍ରହରେ ଅପୁ ବି ପ୍ରାୟ ଆହୁରି କୋଡ଼ିଏ ମିନିଟ ଆସନରେ ବସିରହିଲା । କାହାରି ଦେଖା ନାହିଁ । ନିମନ୍ତ୍ରଣ ଖାଦ୍ୟ ମିଳିବାର ଅନିଶ୍ଚିୟତା ସମ୍ପର୍କରେ ଅପୁ ପୁଣିଥରେ ଭାବୁଥିବା ସମୟରେ ଗୋଟାଏ ଅଭାବନୀୟ ଅଘଟନ ଘଟିଲା । ମୋଟା ମୋଟା ଅଟାର କିଛି ପୁରି ଓ ସ୍ୱାଦ ଗନ୍ଧ ବିହୀନ କିଛି ବାଇଗଣ ଘାଣ୍ଟ ଓ ଶେଷରେ ଖୁବ୍‌ ବଡ଼ ବଡ଼ ଲଡୁ ଆଣି ପରଶି ଦେଲା । ଅପୁ ଲଡୁ ଖାଇବାକୁ ଚେଷ୍ଟା କରି ସେଥିରେ ଦାନ୍ତ ଲଗେଇ ପାରିଲା ନାହିଁ, ଏତେ ଶକ୍ତ ! କଥକ ଠାକୁର ମାଗି ମାଗି ଦଶବାର ଖଣ୍ଡ ମୋଟା ପୁରି ଆଗ୍ରହ ସହିତ ଖାଇଗଲେ । ମଝିର ମଝିରେ ଅପୁଆଡ଼େ ଚାହିଁ କହୁଥିଲେ ପେଟ ଭର୍ତ୍ତି କରି ଖାଅ, ଲାଜ କରିବନି । ଏମାନେ ଭଲ ଖୁଆନ୍ତି ଖୁବ୍‌ ଭଲ ଲଡୁ ନୁହେଁ ? ଦାନ୍ତରେ ଏବେବି ଦମ୍ଭ ଅଛି, ମୁଁ ଚୋବେଇ ଖାଇପାରିବି ।

 

ଶହେ ବର୍ଷ ଏକାଠି ଏକା ସାଙ୍ଗରେ ବାସକଲେ ବି ହୁଏତ ମୋ ହୃଦୟର ବାହାରେ କେହି ରହି ଯାଇପାରେ, କିଛି କୌଣସି ବିଶେଷ ଘଟଣାରେ ସେ ମୋ ହୃଦୟର କବାଟ ଖୋଲି ଦେଇପାରେ । ଆଜିକାଲି ଏ ଭଳି ନିମନ୍ତ୍ରଣ ଖାଇବାର ଅନାହାର, ଅବଜ୍ଞା ସବୁ ଅପୁ ବାଳକ ହୋଇଥିଲେ ବି ବୁଝିପାରିଥିଲା । ତା’ସତ୍ତ୍ୱେ ବି ଏ ଖାଇବାର ଲୋଭ ଓ ଆନନ୍ଦ ଅପୁର ହୃଦୟର ଅନ୍ତରତମ କୋଣରେ ଗୋଟିଏ ଆଘାତ ଦେଇଥିଲା । ତା’ର ମନେହେଲା, ଏହି କଥକ ଠାକୁର ଜଣକ ଅତି ଅଭାଜନ, ଅପାତ୍ର । ତା’ର ମନେହେଲା, ଇଏ କେବେ କିଛି ଖାଇବାକୁ ପାଆନ୍ତି ନାହିଁ । ନ ହେଲେ ଏତେ ଶକ୍ତ ଲଡୁକୁ ଏମିତି ଭାବେ ଖାଉଥାଆନ୍ତେ । ମା’କୁ କହି ଏହି ଲୋକକୁ ଥରେ ଆମ ଘରେ ନିମନ୍ତ୍ରଣ କରି ଖାଇବାକୁ ଦେବି

 

ଭଲ ପାଇବାର ସବୁଠୁ ମୂଲ୍ୟବାନ ଉପାଦାନ ହେଲା କରୁଣା । ତା’ର ଯୋଡ଼ ବେଶ୍‌ ମଜ୍‌ଭୂତ । ତା’ର ଶିଶୁ ସୁଲଭ ମନ ଭିତରେ ଦୁଇଦିନର ପରିଚିତ ଏହି ବିଦେଶୀ ପୂର୍ବବଙ୍ଗୀୟ କଥକ ଠାକୁର ଜଣକ ତା’ ମନ ଭିତରେ ନାନୀ ଆଉ ଗୁଲ୍‌କୀ ସହିତ ଗୋଟିଏ ହାରରେ ଗୁନ୍ଥି ହୋଇଗଲେ । କେବଳ ତାଙ୍କର ସେଦିନର ଲଡୁ ଖାଇବାର ଅଧୀର ଭାବଭଙ୍ଗୀରେ ତା’ ହୃଦୟର ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିନେଇଥିଲେ ।

 

ଏହି ଘଟନାର ଅଳ୍ପଦିନ ପରେ ହିଁ କଥକ ଠାକୁର ଦେଶ ଗାଁ’କୁ ଚାଲିଯାଇଥିଲେ । କଥକ ଠାକୁରଙ୍କ ଆଗ୍ରହ ଆତିଶଯ୍ୟରେ ହରିହର ଅପୁକୁ ସାଙ୍ଗରେ ଧରି ରାଜଘାଟ ଷ୍ଟେସନରେ ତାଙ୍କୁ ଗାଡ଼ିରେ ବସେଇବା ପାଇଁ ଯାଇଥିଲେ । ହରିହର ମନେହେଲା, ଆଜକୁ ବାଇଶ ବର୍ଷ ତଳେ ସେ ଯେଉଁ କାର୍ଯ୍ୟ ପାଇଁ ଗାଁ’କୁ ଫେରିଯାଇଥିଲା, ଏହି ଲୋକଟି ତା’ର ବର୍ତ୍ତମାନ ବୟସଠୁ ଖୁବ୍‌ କମ୍‍ରେ ଆଠବର୍ଷ ବେଶୀ ବୟସରେ ସେହି କାମ କରିବାକୁ ଗାଁ’ ଭୂଇଁକୁ ଫେରୁଛି । ନୂଆ କରି ସଂସାର ବସେଇବାକୁ । ତେଣୁ, ସେ ଭାବିଲା, ତା’ର ବୟସଟା ବି ଏମିତି କ’ଣ ବଢ଼ିଯାଇଛି ଯେ ? କୌଣସି କାମ ନୂଆ କରି ହାତକୁ ନେବାକୁ ଅସୁବିଧା କ’ଣ ?

 

ଗାଡ଼ି ଛାଡ଼ିଲାବେଳକୁ ଅପୁ ଆଖିରେ ଲୁହ ଜକେଇ ଆସିଥିଲା । ବାଳକ ପ୍ରାଣରେ କେବେ କେବେ ବୟସ୍କମାନଙ୍କ ପାଇଁ ସ୍ଥାୟୀ ଓ ନିଛକ ସ୍ନେହ ଜାତ ହୋଇଥାଏ । ଆଉ ତାହାହିଁ ଅତି ଦୁର୍ଲଭବୋଲି ଅତ୍ୟନ୍ତ ମୂଲ୍ୟବାନ ।

 

ମାଘମାସର ଶେଷଆଡ଼କୁ ଦିନେ ହରିହର ଘର ଭିତରକୁ ପଶୁ ପଶୁ ହଠାତ୍‌ ବାରଣ୍ଡା ପାଖରେ ବସିପଡ଼ିଲା । ସର୍ବଜୟା କ’ଣ ଗୋଟିଏ କାମରେ ବ୍ୟସ୍ତଥିଲା । କାମ ଛାଡ଼ି ଶୀଘ୍ର ଧାଇଁ ଆସି କହିଲା କ’ଣ ହେଲା, ଏମିତି ହଠାତ୍‌ ବସି ପଡ଼ିଲ ଯେ ? ସ୍ୱାମୀ ମୁହଁକୁ ଚାହିଁ ତା’ର କଥାଟି ମୁହଁରେ ଅଟକିଗଲା । ହରିହର ଆଖି ଦୁଇଟା ମନ୍ଦାର ଫୁଲ ପରି ନାଲି ଦେଖାଯାଉଥିଲା । ଡାହାଣ ହାତଟା ଥରୁଥିଲା । ସର୍ବଜୟା ହାତଧରି ଟେକିବା ପାଇଁ ଆସିବାରୁ ସେ ନିବିଡ଼ ଆଚ୍ଛନ୍ନ ଭାବରେ କହିଲେ ପୁଅ କେଉଁଠି ଅଛି ? ପୁଅ ?

 

ସର୍ବଜୟା ଦେହରେ ହାତମାରି ଦେଖିଲା, ଜ୍ୱରରେ ତା’ର ଦେହ ତାତିରେ ଖଇ ଫୁଟୁଛି । ଧୀରେ ଧୀରେ ହାତ ଧରି ବିଛଣାରେ ତାକୁ ଶୁଆଇ କହିଲା ଅପୁ ଏବେ ଆସିବ । ତାକୁ ଉପର ଘର ନନ୍ଦବାବୁ ଡାକି ନେଇଯାଇଛନ୍ତି । ବୋଧହୁଏ ଗୋଧୁଳିୟା ଛକର ଦୋକାନରେ ଥିବ

 

ଅପୁ କିନ୍ତୁ ଦୋକାନକୁ ଯାଇନଥିଲା । ନନ୍ଦବାବୁର ଘର ସାମନା ଛାତରେ ବସି ବହି ବହି ପଢ଼ୁଥିଲା । ମାସଟିଏ ହେବ ନନ୍ଦବାବୁଙ୍କ ସହିତ ଅପୁର ଆଳାପ ଜମିଛି । ନନ୍ଦବାବୁର ବୟସ କେତେ ତାହା ଜାଣିବାର କ୍ଷମତା ନ ଥିଲେ ବି ଦେଖିଲେ ଜଣଯାଏ, ତାଙ୍କର ବୟସ ତା’ ବାପାଠୁ କମ୍‍ ହେବ । ନନ୍ଦବାବୁଙ୍କର ଉପର ଘରେ ସେ ଅନେକଗୁଡ଼ା ବହି ଆବିଷ୍କାର କରିଥିଲା । ନନ୍ଦବାବୁ ଘରେ ଥିଲେ, ସେ ଛାତରେ ବସି ବହିପଢ଼େ । କିନ୍ତୁ ତାକୁ ଭୟ ହୁଏ, କାଳେ ନନ୍ଦବାବୁ ପଢ଼ିବାକୁ ନ ଦେଇ ବହିତକ ଛଡ଼େଇ ନେବେ । ଭୟର କାରଣ, ଦିନେ ସେମିତି ଘଟଣା ଘଟିଥିଲା । ସେଦିନ ଛାତର ଗୋଟିଏ କୋଣରେ ଖରାରେ ବସି ଅପୁ ବହି ପଢ଼ୁଥିଲା । ନନ୍ଦବାବୁ ଘର ଭିତରେ କ’ଣ ଖୋଜି ଖୋଜି ବାହାରକୁ ଆସି ତାକୁ ଦେଖିଲେ । ତାକୁ ଧମକ ଦେଇ କହିଲେ ବହି ରଖି ଦେ, ଯେତେବେଳେ ଦେଖିଲେ ବହି ଧରି ପଢ଼ୁଛି, କେଉଁଠିକାର ଜିନିଷ କେଉଁଠି ଥୋଇ ଦେଉଛି, ଖୋଜିଲେ ମିଳୁନି, ଯା, ବହି ରଖ କହୁଛି, ଯା

 

ଅପୁ ତ ତାଙ୍କ ଘରର ଅନ୍ୟକିଛି ଜିନିଷରେ ହାତ ଲଗାଏନି, ତା’ହେଲେ, ତାଙ୍କର ଏମିତି ଗାଳିଦେବାର କାରଣ କ’ଣ ? ସେହିଦିନଠୁ ସେ ଭୟରେ ବହି ନେଇ ପଢ଼େ ସତ, କିନ୍ତୁ ମନରେ ଭୟ ଥାଏ ।

 

ନନ୍ଦବାବୁ ସନ୍ଧ୍ୟା ସମୟରେ ଟେରି ବାଗେଇ, ଭଲ ଜାମା ଲୁଗା ପିନ୍ଧି ବୋତଲରୁ କ’ଣ ବାସନା ମାରି ସବୁଦିନ ବୁଲିବା ପାଇଁ ବାହାରନ୍ତି । ଦିନେ ଅପୁ ଦେହରେ ବି ଟିକିଏ ଲଗେଇ ଦେଇଥିଲେ । ବେଶ୍‌ ଭୁରୁଭୁରୁ ଗନ୍ଧ ବାହାରୁଥିଲା ।

 

ସନ୍ଧ୍ୟାପରେ ବି ସେ ପ୍ରଥମେ ପ୍ରାୟ ସବୁଦିନ ପଢ଼ିବାକୁ ଯାଉଥିଲା । କିନ୍ତୁ ସନ୍ଧ୍ୟା ପରେ ନନ୍ଦବାବୁ ଆଲ୍‌ମାରୀରୁ ବୋତଲଟି କାଢ଼ି ସେଥିରୁ କିଛି ନାଲି ନାଲି ଔଷଧ ଖାଆନ୍ତି । ସେ ସମୟରେ ଗୋଟିଏ ଦିନ ସେ ପହଞ୍ଚିଲାରୁ ତାକୁ ଭୀଷଣ ଗାଳି ଦେଇଥିଲେ । ନନ୍ଦବାବୁଙ୍କ ଘରକୁ ଉଠିବାର ସିଡ଼ିଟା ଅନ୍ୟପଟେ । ଆଉଦିନେ ଉପରକୁ ଉଠି ସେ ଦେଖିଲା ଜଣେ ସ୍ତ୍ରୀଲୋକ ଘର ଭିତରେ ବସିଥିଲା । ତାକୁ ଦେଖି ନନ୍ଦବାବୁ କହିଲେ ଏବେ ଯା, ଅପୂର୍ବ । ଇଏ ମୋର ଶାଳୀ, ମୋ ସହିତ ଦେଖା କରିବାକୁ ଆସିଛି, ଏବେ ଚାଲିଯିବ । ଫେରୁ ଫେରୁ ତା’ କାନରେ ନନ୍ଦବାବୁଙ୍କ କଥା ବାଜିଥିଲା, ସେ କହୁଥିଲେ ୟେ ପିଲାଟି ଆମ ତଳ ଘରର ଭଡ଼ାଟିଆର ପୁଅ କିଛି ବୁଝିପାରେନି ।

 

ନନ୍ଦବାବୁ ଅପୁକୁ ପ୍ରାୟ ତା’ର ମା’ କଥା ପଚାରନ୍ତି । କହନ୍ତି ତୋ ମାଆ ପାଖରୁ ମୋ ପାଇଁ ଗୋଟେ ପାନ ଆଣିଲୁ ଦେଖି ? ମୋ ଚାକର ପିଲାଟା ପାନ ବନେଇ ଜାଣେନି

 

ଅପୁ ମା’ ପାଖରୁ ଅଳି କରି ଉପରକୁ ପ୍ରାୟ ପାନ ନେଇଯାଏ । ନନ୍ଦବାବୁ ମଝିରେ ମଝିରେ ପଚାରନ୍ତି ତୋ’ ମା’ ମୋ କଥା କିଛି ପଚାରନ୍ତି ?

 

ଅପୁ ଘରକୁ ଆସି ମା’କୁ କହେ ନନ୍ଦବାବୁ ଖୁବ୍‌ ଭଲ ଲୋକ ମା’ ତୁମ କଥା ସବୁଦିନେ ପଚାରନ୍ତି

 

ମୋ କଥା ? ମୋ କଥା କ’ଣ ପଚାରେ ସର୍ବଜୟା ପଚାରିଲା ।

 

କହୁଥିଲେ, ତୋ ମା’କୁ କହିବୁ, ମୁଁ ତାଙ୍କ କଥା ପଚରା ଉଚରା କରେ ଭଲ ଲୋକ

 

କରୁଥାଉ । ତୁ ବଦ୍‌ମାସ ଟୋକା, ଉପର ଘରକୁ କାହିଁକି ଯାଉ ? ବିକାଳେ ଉପରେ ବସି କ’ଣ କରୁ ସେଇଠି ?

 

ହରିହର ଜ୍ୱରଟା ଟିକିଏ କମିଗଲା । ଅପୁ ସ୍କୁଲରୁ ଫେରି ବସ୍ତାନି ଓହ୍ଲେଇ ରଖୁଥିଲା । ପାଦ ଶବ୍ଦ ଶୁଣି ହରିହର କହିଲେ ବାପା, ଅପୁ କିରେ, ପାଖକୁ ଆସିଲୁ, ମୋ ପାଖରେ ଟିକିଏ ବସିଲୁ ବାପା

 

ଅପୁ ବାପାଙ୍କ ପାଖରେ ବସି ସ୍କୁଲ ଗପ ଆରମ୍ଭ କରିଦେଲା । ହସି ହସି ଟିକିଏ ନରମ ସ୍ୱରରେ କହିଲା ମାତ୍ର ଏଇ ଦୁଇମାସ ହେଲା ସ୍କୁଲ ଯାଉଛି, ଏହାରି ଭିତରେ ସ୍କୁଲର ସମସ୍ତେ ମୋତେ ଭାରି ଭଲ ପାଉଛନ୍ତି । ସବୁଦିନେ କ୍ଲାସ୍‌ରେ ଫାଷ୍ଟ ହୁଏ ସ୍କୁଲରେ ଆମ କ୍ଲାସରେ ଗୋଟିଏ କାଗଜ ଛପେଇ ବାହାର କରିବେ ପ୍ରତି ମାସେ ବ୍ୟବଧାନରେ । ମୋତେ ବି ସେହି ଦଳରେ ସାମିଲ କରିଛନ୍ତି । କାଗଜଟି ବାହାରିଲେ ତୁମକୁ ଦେଖେଇବି, ବାପା

 

ହରିହର ଛାତି ଭିତରଟା ମମତା ଓ ବେଦନାରେ କେମିତି ହୋଇଉଠେ । ଅପୁ ଗୋଟିଏ କାଗଜ ବାହାର କରି କହିଲା ଗୋଟାଏ ଲେଖା ଲେଖିଛି । ଏଇ ଲେଖାଟିକୁ ମୋ ନାମରେ ଛପାଇବେ ବୋଲି କହିଛନ୍ତି । କିନ୍ତୁ ଯେଉଁମାନେ ଦୁଇ ଟଙ୍କା ଲେଖାଏ ଚାନ୍ଦା ଦେବେ, ସେମାନଙ୍କର ଲେଖା କେବଳ ଛାପିବେ । ମୋତେ ଦୁଇ ଟଙ୍କା ଦେବ, ବାପା ?

 

ହରିହର ଅଧୀର ଆଗ୍ରହରେ ପୁଅ ହାତରୁ କାଗଜଟି ନେଇ ପଢ଼ିବାକୁ ଆରମ୍ଭ କଲେ । ପୁଅ ଯେ ତା’ର ଲେଖାଲେଖି କରେ ଏ କଥା ସେ ଜାଣିନଥିଲେ । ରାଜପୁତ୍ରର ମୃଗୟା ଗପଟି ସୁନ୍ଦର ଭାବରେ ଲେଖିଛି । ହରିହର ଖୁସିରେ ତକିଆରେ ଭରା ଦେଇ ଅଧା ଉଠି ବସିଲା, କହିଲା ତୁ ଏଇଟା ଲେଖିଛୁ, ବାପା ?

 

ମୁଁ ତ ଆହୁରି କେତେ କ’ଣ ଲେଖିଛି ବାପା ଭୂତ ଗପ, ରାଜକନ୍ୟାର କାହାଣୀ ଗାଁ’ରେ ଥିବା ସମୟରେ ରାନୁନାନୀ ଖାତାରେ କେତେ ଲେଖି ଦେଉଥିଲି ।

 

ସର୍ବଜୟା ଟଙ୍କା କଥା ଶୁଣି ଦେବାକୁ ଅମଙ୍ଗ ହେଲା । ସ୍ୱାମୀ ରୋଗରେ ପଡ଼ିଛନ୍ତି । ଏ ଅବସ୍ଥାରେ ଯାହା ଅର୍ଥ ଅଛି, ସେତକ ସଂସାର ଖର୍ଚ୍ଚକୁ ନିଅଣ୍ଟ । କାଗଜରେ ଛାପିବା ଦରକାର ନାହିଁ । ହରିହର ବୁଝେଇ ତାକୁ ଟଙ୍କା ଦେବାକୁ କହିଲେ । ସେ ସର୍ବଜୟାକୁ ବୁଝେଇ କହିଲେ ଦିଅ, ଦିଅ, ପିଲାଟିର ଲେଖାଟି ଛପା ହେଉ । ଭଲ ହୋଇ ପଥ୍ୟ ନେଲେ ମୁଁ ଠାକୁର ପରିବାରର ଭାଗବତ ପାଠ କରିବାଟା ତ ନିଧାର୍ଯ୍ୟ ହୋଇଯାଇଛି ସେଥିରୁ ତ ପ୍ରାୟ ଦଶ ଟଙ୍କା ଯାଏ ପାଇବି

 

ଦୁଇଦିନ ପରେ ଅପୁ ନିରାଶ ମୁହଁରେ ନାଲି ଓଠଟିକୁ ଫୁଲେଇ ବାପା ପାଖରେ ବସି ଧୀରେ ଧୀରେ କହିଲା ଛପା ହୋଇପାରିଲାନି ବାପା । ଛପାଖାନା ବାଲା ବେଶୀ ଟଙ୍କା ମାଗିଲେ, ତେଣୁ ଆଜି ସ୍କୁଲରେ କହିଦେଲେ, ଚାରିଟଙ୍କା ଲେଖାଏଁ ଚାନ୍ଦା ଦରକାର

 

ପୁଅ ମୁହଁରେ ନିରାଶର ଭାବ ଦେଖିଲେ ହରିହର ହୃଦୟରେ ତୀର ପରି ବିଦ୍ଧ ହୋଇଯାଏ । କିଛି ସମୟ ଅନ୍ୟାନ୍ୟ କଥାବାର୍ତ୍ତା ପରେ ସେ କୁହେ ଦେଖିଲୁ ବାପା, ମା’ କୁଆଡ଼େ ଗଲା... ତକିଆ ତଳୁ ଚାବି ପେନ୍ଥାଟି ବାହାର କରି କହେ ଆସ୍ତେ ଆସ୍ତେ ଗଲୁ ମୋର ସେହି କାଠ ବାକ୍ସଟି ଖୋଲିଲୁ, ଯେଉଁଥିରେ ମୋର ବାଉଁଶ କଲମର ବିଡ଼ା ଅଛି, ସେଇଟା ଖୋଲିଲୁ ? କୋଣରେ ଦେଖିଲୁ କେତେଟା ଟଙ୍କା ସେଇଠି ଅଛି ? ତା’ପରେ ହରିହର ସନ୍ତର୍ପଣରେ ବାକ୍ସ ଖୋଲୁଥିବା ପୁଅଆଡ଼କୁ ମମତା ପୂର୍ଣ୍ଣ ଦୃଷ୍ଟିରେ ଚାହିଁରହେ । ଅବୋଧ, ଅବୋଧ ନିତାନ୍ତ ଅବୋଧ ପିଲାଟି !... ତା’ର ସୁନ୍ଦର, ଶୁଭ୍ରଚାନ୍ଦ ପରି କପାଳଟି ଠିକ୍‌ ତା’ ମା’ ପରି, ଆଖି ଦୁଇଟି ବି ତା’ ମା’ର ଆଖି ଭଳି । ହରିହର ଯେତେବେଳେ ପ୍ରଥମ ଯୌବନରେ ବାହାହୋଇ ସ୍ତ୍ରୀକୁ ଘରକୁ ଆଣିଥିଲା, ସର୍ବଜୟାର ନବବଧୂ ରୂପର ସେ ଅବିକଳ ନକଲ, ସେମିତି ହସ ଏଇ ଏଗାର ବର୍ଷର ଅପୁର ଅନାବିଳ, ନବୀନ ମୁଖମଣ୍ଡଳରେ ଅକାରଣରେ ହରିହରର ବୁକୁ ଭିତରେ ସ୍ନେହ ସମୁଦ୍ରର ଉଦବେଳ, ଉତ୍ତାଳ ହୋଇ ଆଖିର ଲୁହରେ ଭରିଆସେ ।

 

ମନେହୁଏ ଅପୁହିଁ ପ୍ରଥମ ବସନ୍ତର ନବ କିଶଳୟ । ତା’ର ଆକର୍ଷଣୀୟ ନୀଳନୀଳ ଆଖି ଦୁଇଟିର ଚାହାଁଣି ଭିତରେ ନିଜର ଅତୀତ ଯୌବନ ଦିନର ସେ ହିଁ ଅସୀମ ସ୍ୱପ୍ନ, ସୁନୀଳ ପାହାଡ଼ର ନବୀନ ଶାଳବୃକ୍ଷର ଉଲ୍ଲାସ-ମର୍ମର... କୂଳହରା ସମୁଦ୍ରର ଦୂରାଗତ ସଙ୍ଗୀତ ଧ୍ୱନି ।

 

ଅପୁ ଧୀରେ ଧୀରେ ବାପାଙ୍କୁ ଦେଖେଇ ଚାରିଟଙ୍କା ଅଛି ବାପା ! ହରିହର ସମୟ ଅସମୟର ଆବଶ୍ୟକତା ପାଇଁ ଟଙ୍କା କେତୋଟି ଲୁଚେଇ ରଖିଛି ସ୍ତ୍ରୀ ଜାଣେନି, ତେଣୁ ସେ ନିଶ୍ଚିନ୍ତ ମନରେ କହିପାରିଲେ ନେଇ ଯା ବାପା, ଚାନ୍ଦା ଦେଇଦେବୁ, କିନ୍ତୁ ତୋ ମା’କୁ ଯେମିତି ନ କହୁ ।

 

ଅପୁ ଖୁସିର ସ୍ୱରରେ କହେ ଛପା ବାହାରିଲେ ତୁମକୁ ଦେଖେଇବି ବାପା, ମୋ ନାମରେ ପ୍ରକାଶ କରିବେ ବୋଲି କହିଛନ୍ତି । ସୋମବାରର ପର ସୋମବାର ଦିନ ବାହାରିବ

 

ତା’ପରଦିନ ସକାଳଠୁ ହରିହର ଅସୁସ୍ଥତା ପୁଣି ବଢ଼ିଲା ।

 

ସର୍ବଜୟା ଡରିଗଲା । ପୁଅକୁ ଡାକି କହିଲା ନନ୍ଦବାବୁଙ୍କୁ ଯାଇ କହିଲୁ, ଥରଟିଏ ଆସି ଦେଖିଯାଆନ୍ତୁ

 

ନନ୍ଦବାବୁ ଆସି ଦେଖିଲେ । କହିଲେ ଅପୁର୍ବ ତୋ’ ମା’କୁ କହ, ଜଣେ ଡାକ୍ତର ଡାକିବାକୁ ହେବ ।

 

ବିକାଳ ସମୟରେ ନନ୍ଦବାବୁ ଜଣେ ଡାକ୍ତରଙ୍କୁ ସାଥିରେ ଧରି ଆସିଲେ । ଡାକ୍ତର ପରୀକ୍ଷା କରି କହିଲେ ଭୀଷଣ ଥଣ୍ଡାରେ ବ୍ରଙ୍କୋ-ନିମୋନିଆ ହୋଇଯାଇଛି ଭଲ ନର୍ସିଂହୋମରେ ଭର୍ତ୍ତି କରିଦିଅ । ତଳ ମହଲାରେ ଏମିତି ଅବସ୍ଥାରେ କ’ଣ ରୋଗୀ ରହନ୍ତି ।... ଆରେ ବାବୁ, ତୁ ଗୋଟାଏ ବୋତଲ ନେଇ ମୋ ଡାକ୍ତରଖାନାକୁ ଆସିବୁ, ମୁଁ ଔଷଧ ଦେବି

 

ଅପୁ କିଛିଦିନ ପର୍ଯ୍ୟନ୍ତ ଦଶାଶ୍ୱମେଧ ଘାଟର ଡାକ୍ତରବାବୁଙ୍କ ଡିସପେନ୍‌ସାରରୁ ଔଷଧ ଆଣିଲା ।

 

ବିଶେଷ କିଛି ପରିବର୍ତ୍ତନ ଦେଖାଗଲାନି । ଦିନକୁ ଦିନ ହରିହର ଦୁର୍ବଳ ହୋଇପଡ଼ିଲେ । ଏପଟେ ଯାହା କିଛି ଟଙ୍କା ଥିଲା, ଡାକ୍ତରଙ୍କ ଭିଜିଟ୍‌ ଆଉ ପଥ୍ୟରେ ଖର୍ଚ୍ଚ ହୋଇଗଲା । ଡାକ୍ତର କହିଲେ, ଖୁବ୍‌ କମରେ ସେରଟିଏ ଦୁଧ ଆଉ ଅନ୍ୟାନ୍ୟ ଫଳ ଖାଇବାକୁ ନ ଦେଲେ ରୋଗୀ ଦୁର୍ବଳ ହୋଇଯିବ । ସାଢ଼େ ତିନି ଟଙ୍କା ମୂଲ୍ୟର ଗୋଟିଏ ବିଲାତି ପଥ୍ୟ ବ୍ୟବସ୍ଥାପତ୍ର ଲେଖି ଦେଇଗଲେ । ବିଦେଶ ଭୂଇଁ । ଥରଟିଏ ସାହସ ଦେବ, ଏମିତି କେହି ନାହାନ୍ତି । ସର୍ବଜୟାକୁ ଚାରିଦିଗ ଅନ୍ଧାର ଦେଖାଗଲା ।

 

ଏମିତି ବିପଦ ଭିତରେ ସର୍ବଜୟା ପୁଣି ଏକ ନୂଆ ବିପଦରେ ପଡ଼ିଗଲା । ଉପର ଘର ଛାତରେ ଛିଡ଼ା ହୋଇ ଟିକିଏ ନଇଁ ପଡ଼ି ଦେଖିଲେ ତଳ ରୋଷେଇ ଘର ଦେଖାଯାଏ । ଏହା ପୂର୍ବରୁ ସେ କେବେ କେବେ ନନ୍ଦବାବୁଙ୍କୁ ଛାତରୁ ତା’ର ରୋଷେଇ ଘରକୁ ଉଙ୍କି ମାରିବାର ଦେଖିଥିଲା । ଏବେ ହରିହରର ଦେହ ଖରାପ ହେବା ପାଖରୁ ନନ୍ଦବାବୁ ବେଶ୍‌ ବ୍ୟତିବ୍ୟସ୍ତ କଲେଣି । ନାନା ପ୍ରକାର ଆଳରେ ସେ ଘର ଭିତରକୁ ଦଶଥର ଖଣ୍ଡେ ପଶି ଆସନ୍ତି । ପ୍ରଥମେ ପ୍ରଥମେ ଅପୁକୁ ମଝିରେ ରଖି କଥାବାର୍ତ୍ତା କରୁଥିଲେ । ଆଜିକାଲି ସିଧାସଳଖ ତାକୁ ସମ୍ବୋଧନ କରି କଥା କହିବାକୁ ଆରମ୍ଭ କଲେଣି । ପ୍ରଥମେ ପ୍ରଥମେ ସର୍ବଜୟା କିଛି ମନକୁ ନେଇନଥିଲେ ବରଂ ବିପଦ ସମୟରେ ଏହି ଅନାତ୍ମୀୟ ଲୋକଟିର ଯଥେଷ୍ଟ ସାହାଯ୍ୟ ଓ ଦେଖାଶୁଣା କରୁଛନ୍ତି ଭାବି ମନେ ମନେ କୃତଜ୍ଞ ହୋଇଥିଲା । କିନ୍ତୁ କ୍ରମଶଃ, ତା’ ମନ ଭିତରକୁ ଆସିଲା ଏ ପ୍ରକାରର ଅଗ୍ରସର ଯେମିତି କେଉଁଠି ବେଖାପ ଭାବ ସୃଷ୍ଟି କରୁଛି । ନନ୍ଦବାବୁ ନିଜେ ପାନ କିଣି ତା’ ଆଗରେ ଥୋଇ କହନ୍ତି ଚାକରମାନଙ୍କ ହାତରେ ପାନ ଖାଇ ଖାଇ ଜୀବନ ବିତିଗଲା । ବୋହୂ ଠାକୁରାଣୀ ସଜେଇ ଦେଲ ଥରଟିଏ ଗୋଟାଏ ପାନ ସେଥିରେ ବି ସର୍ବଜୟା ଦୋଷ ଧରିନଥିଲା । ବରଂ, ଏହି ପ୍ରବାସୀ ଆତ୍ମୀୟ ସ୍ନେହ ବଞ୍ଚିତ ଲୋକଟି ଉପରେ ମନରେ ଟିକିଏ କରୁଣା ଜାତ ହୋଇଥିଲା । କିନ୍ତୁ ଘନିଷ୍ଠତା କ୍ରମେ ଶୋଭନୀୟତାର ସୀମା ଲଂଘନ କରିବାକୁ ଲାଗିଲା । ଆଜିକାଲି ପାନ ଆଣି କହିବେ ରଖିଲ ବୋହୂ ଠାକୁରାଣୀ । ତାଙ୍କ ହାତରୁ ଯେମିତି ସର୍ବଜୟା ଧରିନେବ, ଏହା ହିଁ ତାଙ୍କର ଇଚ୍ଛା । ଅପୁ ତ ପାଗଳ ଅଧିକାଂଶ ସମୟ ଘରେ ତା’ର ଦେଖାଦର୍ଶନ ନ ଥାଏ । ଆର ଘରେ ହରିହର ଅଚେତ ଅବସ୍ଥାରେ ପଡ଼ିଥାନ୍ତି । ଆଉ ଠିକ୍‌ ସେହି ସମୟରେ ନନ୍ଦବାବୁ ଆସନ୍ତି ରୋଗୀ ଦେଖିବାକୁ ।... ଛଳ ଆଳରେ ଏ କଥା ସେ କଥା ହୁଅନ୍ତି । ଖୁବ୍‌ କମ୍‍ରେ ଅଧଘଣ୍ଟାଟିଏ ବସିଯାଆନ୍ତି । କହନ୍ତି କିଛି ଡରିବାର ନାହିଁ ବୋହୂ ଠାକୁରାଣୀ ମୁଁ ଉପରେ ଅଛି । ଅପୂର୍ବ ଥାଉ ବା ନ ଥାଉ, ସେ ସିଡ଼ି ଉପରେ ଚଢ଼ି ମୋତେ ଡାକିବ ! ବିପଦ ସମୟରେ ଏତେ ବାଛ ବିଚାର କଲେ ମୋତେ ଟିକେ ଚୁନ ଦିଅତ ! ପାନ ପତରର ଅଗଟା ଅଛି କି ?... ନ ଥିଲେ ଅଙ୍ଗୁଳି ଅଗରେ ଟିକିଏ ଦିଅନା ।

 

ହରିହରର ଚେତା ଫେରିଲେ ପୁଅ ପାଇଁ ଅସ୍ଥିର ହୋଇଉଠେ । ଏକଡ଼ ସେକଡ଼ ଚାହିଁ ପଚାରେ ପୁଅ କାହିଁ ! ପୁଅ କେଉଁଠି !... ସର୍ବଜୟା କହେ ଆସୁଛି । ହତଛଡ଼ା ପିଲାଟା କ’ଣ ଟିକିଏ ପାଖରେ ବସୁଛି... ଘରୁ ଘାଟକୁ ବୋଧେ ବାହାରିଯାଇଛି ? ପୁଅ ଘରକୁ ଆସିଲେ କୁହେ ବାପା ପାଖରେ କିଛି ସମୟ ବସିପାରୁନି ! ପୁଅ, ପୁଅ ବୋଲି ଡାକ ଛାଡ଼ି ସେ ପାଗଳ ଆଉ ପୁଅର ଆମର ଭାବି ଭାବି ଆଖିରେ ନିଦ ନାହିଁ ଯା, ପାଖରେ ଟିକିଏ ବସ୍‌, ଦେହ ମୁଣ୍ଡ ଟିକେ ଆଉଁସି ଦେ । ଏ କଥା ଜାଣିନୁ ବୋଧେ ? ପୁଅ ହୋଇ ଆଉ କ’ଣ ସ୍ୱର୍ଗରେ ଘଣ୍ଟା ବଜେଇବୁ ?

 

ଅପୁ ଅପ୍ରତିଭ ହୋଇ ବାପାର ମୁଣ୍ଡ ପାଖରେ ବସେ । କିନ୍ତୁ କିଛି ସମୟ ବସିବା ପରେ ଭାବେ ଓଃ ! ଆଉ କେତେବେଳ ଯାଏ ବସିବି ଯେ ? ମୋର ବୋଧହୁଏ ଟିକିଏ ବୁଲିବା ଖେଳିବା ଦରକାର ନାହିଁ ? ଅତି ଥଣ୍ଡାରେ ପାଦ ଅବଶ ହୋଇଆସେ । ତା’ର ମନ ଛଟପଟ ହୋଇଉଠେ । ଏକାଡିଆଁରେ ଏକାଥରକେ ସେହି ଦଶାଶ୍ୱମେଧ ଘାଟ ପହଞ୍ଚି ଯାଆନ୍ତା । ପାଣିର ଘାଟ, ନିର୍ମଳ ମୁକ୍ତ ପବନ, ସୁସଜ୍ଜିତ ନରନାରୀ ଗହଳ ଚହଳ । ପଲଫୁ ପ୍ରବୀର... ଗୁଲୁ... ପଟଳ... ପଲଫୁର ଭାଇ । ଆଜି ପୁଣି ଅପରାହ୍ନ ଚାରିଟା ସମୟରେ ରାମନଗର ରଜାଙ୍କର ସେହି ମୟୁରପଙ୍ଖୀ ନୌକାର ପ୍ରତିଯୋଗିତା ! ଅଧୀର ତା’ ଭାବରେ ଏପଟ ସେପଟ ହୋଇ ଚକ୍ଷୁଲଜ୍ଜାରେ ସନ୍ଧ୍ୟାଯାଏ ଅଟକି ଯାଏ, ମା’ ଡରରେ ଯିବାକୁ ସାହସ କରିପାରେନି ।

 

ଦିନେ ସକାଳେ ସର୍ବଜୟା ପୁଅକୁ ଡାକି କହିଲା ଆରେ ଅପୁ, ଏଇ ଯେଉଁ ଧଳା କୋଠାଘର ପାଖରେ କାହାର ଅନ୍ନଚ୍ଛତ୍ର ଜାଣିଛୁ ?

 

ନା

 

ତୁ ଏଠାକୁ ଆସି ଦିନେ ବି ଅନ୍ନଚ୍ଛତ୍ରରେ ଖାଇନୁ ? କାଶୀରେ ଆସି ଅନ୍ନଛତ୍ରରେ ଖାଇବାକୁ ହୁଏ, ଏ କଥା ଜାଣିନୁ ବୋଧେ ! ଆଜି ଯାଇ ଥରେ ଖାଇଆସିବୁ ?... ଥରେ ଦେଖି ଆସୁନୁ ?

 

କାଶୀକୁ ଆସି କାହିଁକି ଛତ୍ରରେ ଖାଆନ୍ତି ?

 

ସେଠାରେ ଖାଇଲେ ପୁଣ୍ୟ ହୁଏ ଆଜି ଦଶାଶ୍ୱମେଧ ଘାଟରେ ଗାଧୋଇ ଛତ୍ରରେ ଖାଇ ଆସିବୁ ବୁଝିଲୁ ?

 

ଦୁଇ ପହର ବେଳ ବାରଟା ସମୟକୁ ଅପୁ ଅନ୍ନଚ୍ଛତ୍ରରୁ ଖାଇ ଘରକୁ ଫେରିଲା । ତା’ର ମା’ ରୋଷେଇ ଘର ବାରଣ୍ଡାରେ ବସି ଗିନାରେ କ’ଣ ଖାଉଥିଲା । ତାକୁ ଦେଖି ପ୍ରଥମେ ଗିନାଟି ଲୁଚେଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଅପୁ ଅତି ନିକଟକୁ ଆସିଯିବାରୁ ଆଉ ପାରିଲାନି । କାଳେ ତା’ ମନରେ ସନ୍ଦେହ ଜାତ ହେବ ଭାବି, ସହଜ ଭାବରେ ପଚାରିବାକୁ ଚେଷ୍ଟା କଲା ଖାଇ ଆସିଲୁ ? କ’ଣ ସବୁ ଖାଇବାକୁ ଦେଲେ ?

 

ମା’ ତା’ର ହରଡ଼ ଡାଲି ପାଣିରେ ବତୁରେଇ ଖାଉଥିଲେ ।

 

ଜମା ଭଲ ନୁହେଁ, କଖାରୁର ଗୋଟିଏ ନିଆଁ ପାଉଁଶ ଘାଣ୍ଟ ବସି ବସି ହଇରାଣ ସବୁ ମଇଳା ଲୁଗାପିନ୍ଧା ଲୋକଙ୍କ ଗହଳି । ମୁଁ ଆଉ ସେଠିକି ଯିବିନି, ମୋର ପୁଣ୍ୟ ଆଉ ଦରକାର ନାହିଁ ତୁମେ କ’ଣ ଖାଉଛ ମା’ ? ତୁମର କ’ଣ ଆଜି ବ୍ରତ ? ରାନ୍ଧିନ ?

 

ଆଜି ମୋର କୁଳଚଣ୍ଡୀ ବ୍ରତ ଏମିତି ଦୁଇଟା ହରଡ଼ ଡାଲି ଭିଜେଇ ଖାଉଥିଲି ଭଲ ଲାଗେ ଖାଇବା ପାଇଁ ମୁଁ ବେଶ୍‌ ଭଲପାଏଁ ତୁ ଆର ଓଳିକୁ ଖାଇବୁ ?

 

ରାତିରେ ବି ରୋଷେଇ ହେଲାନି । ତା’ ମା’ କହିଲେ, ହରଡ଼ ଡାଲି ଭିଜେଇଛି, ଖାଇଲୁ ଟିକେ ? ଭଲ ଲାଗିବ ଯେ ସକାଳେ ରାନ୍ଧି ନ ଥିଲି । ଯାହା ତ ତୁ ଖାଉ, ଏତେ ମୁଠାଏ ଭାତ ଖାଉ କି ନ ଖାଉ । ଛତ୍ରରୁ ଖାଇଥିଲୁ, ଭାବିଲି ଆଉ ତୁ ଖାଇବୁ କି ନାହିଁ ?

 

ପରଦିନ ଦୁଇ ପହର ସମୟରେ ନନ୍ଦବାବୁ ବିଡ଼ାଏ ପାନ ଅପୁ ହାତରେ ପଠେଇ କହିଲେ ତୋ’ ମା’ ପାଖରୁ ସଜେଇ ଆଣିଲୁ ? ରୋଗୀ ଘରର ପାଖ ଘରଟାରେ ବସି ସର୍ବଜୟା ପାନ ଭାଙ୍ଗୁଥିଲା । ନନ୍ଦବାବୁ ଜୋତାର ମଚ୍‌ମଚ୍‌ ଶବ୍ଦ କରି ଉପରୁ ଓହ୍ଲେଇ ଆସି ରୋଗୀ ଘରକୁ ପଶିଲେ ଏବଂ ଅତି ଅଳ୍ପ ସମୟ ସେଠାରେ ଛିଡ଼ା ହୋଇ ବାହାରି ଆସିଲେ । ସର୍ବଜୟା ଯେଉଁ ଘରେ ପାନ ଭାଙ୍ଗୁଥିଲା ସେଠାକୁ ପଶି ଆସିଲେ । ସାରାରାତି ଚେଇଁ ସର୍ବଜୟାକୁ ଢୁଳ ମାଡ଼ୁଥିଲା, ଜୋତା ଶବ୍ଦରେ ଚମକି ଉଠି ସାମନା ସାମନି ନନ୍ଦବାବୁଙ୍କୁ ଦେଖି ସେ ଜଡ଼ସଡ଼ ହୋଇ ଓଢ଼ଣା ଟାଣିଦେଲା । ନନ୍ଦବାବୁ କହିଲେ ପାନ ଭଙ୍ଗା ହେଲାଣି, ବୋହୂ ଠାକୁରାଣୀ ? ସର୍ବଜୟା ଭଙ୍ଗା ପାନଖିଲିଗୁଡ଼ିକ ରେକାବିରେ ରଖି ତାଙ୍କ ଆଡ଼କୁ ଠେଲିଦେଲା । ନନ୍ଦବାବୁ ସେଥିରୁ ଗୋଟିଏ ଖିଲି ପାଟିରେ ପୁରେଇ ସେ କହିଲେ ତୁମ ପାନରେ ଚୁନ ବହୁତ କମ୍‍, ସରାଟା ଦେଖେଇଲ, ମୁଁ ଟିକିଏ ସେଥିରୁ ନେବି

 

ସର୍ବଜୟାର କୋଳ ପାଖରେ ପାନ ବଟୁଆଟି ଥୁଆ ହୋଇଥିଲା । ଘରେ କେହି ନାହାନ୍ତି । ଅପୁ କୁଆଡ଼େ ବାହାରକୁ ଯାଇଛି । ଆର ଘରେ ହରିହର ଔଷଧ ନିଶାରେ ଶୋଇପଡ଼ିଛି । ନିସ୍ତବ୍ଧ ଦୁଇପହର । ହଠାତ୍‌ ସର୍ବଜୟାର ମନେହେଲା, ଚୁନ ନେବାର ବାହାନାରେ ଅନାବଶ୍ୟକ ଭାବରେ ନନ୍ଦବାବୁ ତା’ ପାଖକୁ ଲାଗି ଆସିବାକୁ ଚାହୁଁଛନ୍ତି । ଅସ୍ପଷ୍ଟ ଚିତ୍କାର କରି ଗୋଟାଏ ମୁହୂର୍ତ୍ତରେ ସେଠାରୁ ଉଠି ଘର ବାହାରେ ଛିଡ଼ା ହେଲା । ବିଦ୍ୟୁତର ତରଙ୍ଗଟିଏ ତା’ର ପାଦରୁ ମୁଣ୍ଡଯାଏ ହଠାତ୍‌ ଖେଳିଗଲା । ସେ ସିଡ଼ି ଆଡ଼େ ଆଙ୍ଗୁଳି ଦେଖେଇ ତୀବ୍ର ସ୍ୱରରେ କହିଲା ଚାଲି ଯାଆନ୍ତୁ, ସଙ୍ଗେ ସଙ୍ଗେ ଉପରକୁ ଉଠିଯାଆନ୍ତୁ କେତେବେଳେ ବି ତଳକୁ ଆସିବେନି ତଳକୁ ଆସିଲେ ମୋ ମୁଣ୍ଡ ପିଟି ପିଟି ରକ୍ତ ବାହାର କରିବି କାହିଁକି ଆପଣ ଆସନ୍ତି । ଖବରଦାର ଆସିବେନି

 

ସର୍ବଜୟା ହତ ବୁଦ୍ଧି ହୋଇପଡ଼ିଲା । ବିଦେଶ ଭୂଇଁ । ଘରେ ରୋଗୀ ବଡ଼ ନିଃସହାୟ । ହାତରେ ପଇସାଟିଏ ନାହିଁ । କେଉଁଆଡ଼େ ପରିଚିତ ଲୋକଟିଏ ବି ନାହାନ୍ତି । ପୁଅକୁ ମାତ୍ର ଏଗାରବର୍ଷ ସେଥିରେ ବି ତା’ର ବୁଦ୍ଧିସୁଦ୍ଧି ନାହିଁ । ନିତାନ୍ତ ନିର୍ବୋଧ । ଏପଟେ ପୁଣି ଏଭଳି ଉତ୍ପାତ ।

 

ଉପର ପଞ୍ଜାବୀ ସ୍ତ୍ରୀଲୋକଟି କ୍ୱଚିତ୍‌ ତଳକୁ ଆସନ୍ତି । ଥରେଅଧେ ସର୍ବଜୟାକୁ ତାଙ୍କ ଘରକୁ ଡାକି ନେଇଥିଲେ । କିନ୍ତୁ, ପାଞ୍ଚଛଅ ମାସ କାଶୀକୁ ଆସି ମଧ୍ୟ ନା ହିନ୍ଦୀ କହିପାରେ, ନା ଭଲ ଭାବରେ ବୁଝିପାରେ । ତେଣୁ ଆଳାପ ମୋଟେ ଜମେ ନାହିଁ । ଆଜି ସେ ତାଙ୍କ ପାଖକୁ ଯାଇ ନନ୍ଦବାବୁଙ୍କ ଘଟଣାର ଆଗପଛ କଥା କହି କାନ୍ଦି ପକେଇଲା । ପଞ୍ଜାବୀ ସ୍ତ୍ରୀର ନାମ ସୂରଯ କୁଆଁରୀ । ସ୍ୱାମୀ-ସ୍ତ୍ରୀ ଦୁହେଁ ପଞ୍ଜାବର ରୋୟାଲସର ଜିଲ୍ଲାର ଅଧିବାସୀ । ସ୍ୱାମୀ ରେଳ ବିଭାଗରେ ଓଭରସିଅର କାମ କରନ୍ତି । ସ୍ତ୍ରୀ ଲୋକଟିର ବୟସ ସେତେ କମ୍‍ ନ ହେଲେ ବି ଦେଖିଲେ ଅନେକ କମ୍‍ ଜଣାଯାଏ । ଗୌରାଙ୍ଗୀ, ଟଣାଟଣା ଆଖି, ସୁସ୍ଥ ସବଳ, ଲମ୍ବା ଚେହେରା । ସେ ସବୁକଥା ଶୁଣି କହିଲେ କିଛି ଭୟ ନାହିଁ । ଆପଣ ନିର୍ଭୟରେ ରହନ୍ତୁ । ପୁଣି ଯଦି କିଛି ବଦ୍‌ମାସୀ କରେ ମୋତେ କହିବେ । ମୁଁ ମୋ ସ୍ୱାମୀକୁ କହି ତା’ର ନାକ କାଟି ଥଣ୍ଡା କରିଦେବି ।

 

ଠିକ୍‌ ଦୁଇ ପହର ସମୟ । ଅନେକ ରାତି ଉଜାଗର ରହି ସର୍ବଜୟା ଚଟାଣ ଉପରେ ପଣତ ପାତି ନିଦରେ ଶୋଇ ଯାଇଥିଲା । ଉତ୍ତରପଟ ଘରର ଝରକା ଦେଇ ଫାଳିକିଆ ସୂର୍ଯ୍ୟକିରଣ ଆସି ସରୁ ବାରଣ୍ଡା ଉପରେ ବଙ୍କେଇ ହୋଇ ପଡ଼ିଥିଲା । ଅପୁ ମାଟି କୁଣ୍ଡରେ ଗେଣ୍ଡୁଫୁଲ ଚାରା ଲଗାଉଥିଲା । ଦୁଇ ତିନିଟା ସାତ ପତରିଆ ଗେଣ୍ଡୁଫୁଲ ନିତାନ୍ତ ବିରକ୍ତିକର ଭାବରେ ଫୁଟିଥିଲା । ତଳେ ଗୋଟିଏ ବିଲେଇ ଛୁଆ ବସିଥିଲା । ଅପୁ ବାପାଙ୍କ ବିଛଣା ପାଖରେ ବସିଥିଲା । ତା’ର ବାପା ଆଜି ସକାଳଠୁ ଟିକିଏ ଭଲ ଅଛନ୍ତି । ଡାକ୍ତର କହିଲେ ବୋଧହୁଏ ବଞ୍ଚିଯିବେ ! ଅବସ୍ଥାରେ ଉନ୍ନତି ହୋଇଥିଲେ ବି ରୋଗୀର ଚେତା ଥିବାର ଜଣାପଡ଼ୁନଥିଲା । ବେହୋସ ଅବସ୍ଥା । ତା’ର ବାପା ହଠାତ୍‌ ଆଖି ଖୋଲି ତା’ ଆଡ଼କୁ ଚାହିଁ କ’ଣ କହିଲେ । ଅପୁକୁ ଜଣାଗଲା, ତା’ ବାପା ଆହୁରି ପାଖକୁ ଯିବାକୁ ଡାକୁଛନ୍ତି । ଅପୁ ଘୁଞ୍ଚି ଆସି ତାଙ୍କ ପାଖରେ ବସିଲା । ହରିହର ରୋଗ ଶୀର୍ଣ୍ଣ, କ୍ଷୀଣ ହାତ ଦୁଇଟି ପୁଅ ବେକରେ ଛନ୍ଦେଇ ଧରି ନୀରବରେ ତା’ ମୁହଁକୁ ଅନେକ ସମୟ ଧରି ଏକ ଲୟରେ ଚାହିଁ ରହିଲେ । ଅପୁ ଟିକିଏ ଅବାକ୍‌ ହୋଇଗଲା । ବାପାଙ୍କ ଆଖିରେ ଏଭଳି ଚାହାଁଣି ସେ କେବେବି ଦେଖିନି ।

 

ରାତି ଦଶଟାବେଳେ କ’ଣ ଗୋଟାଏ ଶବ୍ଦରେ ଅପୁର ନିଦ ଭାଙ୍ଗିଗଲା । ଘରେ କ୍ଷୀଣ ଆଲୁଅ ଜଳୁଥିଲା । ମା’ ଅଘୋର ନିଦରେ ଶୋଇଛନ୍ତି । ବାପାଙ୍କ ଗଳା ବିଭିନ୍ନ ସ୍ୱରରେ କେମିତି ଗୋଟାଏ ଘଡ଼ଘଡ଼ ଶବ୍ଦ ବାହାରୁଛି । ତାକୁ କେମିତି ଡର ଲାଗିଲା । ବୁଢ଼ିଆଣୀର ଅଳନ୍ଧୁ ଭର୍ତ୍ତି ଛାତର କଡ଼ି କାଠ, ସନ୍ତସନ୍ତିଆ ଚଟାଣ, ହାଡ଼ଭଙ୍ଗା ଶୀତ, କାଠ କୋଇଲା ଚୁଲିର ଧୂଆଁ ସବୁ ମିଶି ଯେମିତି ଗୋଟାଏ କଠିନ ଦୁଃସ୍ୱପ୍ନ ସୃଷ୍ଟି କରୁଥିଲେ । ବାପାଙ୍କ ରୋଗ ଭଲ ହେଲେ ହିଁ ନିସ୍ତାର !

 

ଶେଷ ରାତିରେ ତା’ ମା’ ତାକୁ ହଲେଇ ଡାକିଲାରୁ ନିଦ ଭାଙ୍ଗିଗଲା ! ଅପୁ, ଆରେ ଅପୁ, ଉଠିଲୁ, ଶୀଘ୍ର ଯାଇ ଉପର ଘରର ହିନ୍ଦୁସ୍ଥାନୀ ବୋହୂକୁ ଡାକି ଆଣିଲୁ

 

ଅପୁ ନିଦରୁ ଉଠି ଶୁଣିପାରିଲା, ବାପାଙ୍କର ସେହି ଗଳାର ସ୍ୱରଟା ଆହୁରି ବଢ଼ିଯାଉଛି । ଉପରୁ ସୂରଯ କୁଆଁରୀ ଆସିବାର ଅଳ୍ପ ପରେ ରାତି ଚାରିଟା ସମୟରେ ହରିହର ଇହଧାମ ତ୍ୟାଗ କଲେ ।

 

ଧାରାମୁଖର ମଝି ବର୍ଷାର କୁଆଶାଚ୍ଛନ୍ନ ଦିବସରେ ମନେହୁଏ ସତେ ଯେମିତି ପୃଥିବୀର ରୌଦ୍ରଦୀପ୍ତ ଦିନଗୁଡ଼ିକ ସ୍ୱପ୍ନ ଅବା ସତ୍ୟ ? ଏଇ ମେଘ, ଏଇ ଦୁର୍ଦ୍ଦିନ, ଅନନ୍ତ ଭବିଷ୍ୟତର ରାସ୍ତାରେ ଏମାନେ ହିଁ ହେଲେ ଚିରସାଥୀ । ଦିଗନ୍ତର ମାୟାଲୀଳା ଭଳି ଚୈତ୍ର-ବୈଶାଖର ସେ ଦିନଗୁଡ଼ିକ ଅତୀତରେ ମିଶି ହଜିଯାଇଛି ଆଉ କ’ଣ ସେଗୁଡ଼ିକ ଫେରିଆସିବ ?

 

ଚାରିଦିଗରୁ ସର୍ବଜୟାକୁ କେମିତି ଏକ କୁହୁଡ଼ିର ପାଚେରୀ ଘେରିଯାଇଛି । ତା’ଭିତରେ କିଛି ଦେଖାଯାଉନି । ନା ପଥ, ନା ସାଥୀ, ନା ଠିକଣା । ସନ୍ଦେହ ହୁଏ ଏ କୁହୁଡ଼ି ବେଳ ବଢ଼ିଲେ, ଖରା ଆସିଲେ ବି ମିଳେଇ ଯିବନି । ଏହା ପଛକୁ ଆକାଶଯାକ ଘେରି ରହିଛି ଧୂସର ରଙ୍ଗର ଫିକା ମେଘ ଆଉ ସାରାଦିନ ବ୍ୟାପି ରହିଥିବା ଅକାଳ ବାଦଲର ଛାଇ ।

 

ବିପଦ ସମୟରେ ପଞ୍ଜାବୀ ଓଭରସିୟର ଜାଲିମ୍‌ ସିଂ ଓ ତାଙ୍କର ସ୍ତ୍ରୀ ଯଥେଷ୍ଟ ଉପକାର କରିଥିଲେ । ଜାଲିମ୍‌ ସିଂ ଅଫିସ୍‌ରୁ ଛୁଟି ନେଇ ଶବ ସତ୍କାର ପାଇଁ ବଙ୍ଗାଳୀପଡ଼ାରେ ଘୁରିବୁଲି ଲୋକ ସଂଗ୍ରହ କରିଥିଲେ । ଖବର ପାଇ ରାମକୃଷ୍ଣ ମିଶନରୁ ବି କେତେ ସେବକ ଆସିଥିଲେ ।

 

ମଣିକର୍ଣ୍ଣିକା ଘାଟରେ ଶବ ସତ୍କାର ସନ୍ଧ୍ୟାବେଳକୁ ଶେଷ ହେଲା । ଅପୁ ସ୍ନାନ ସାରି ଥଣ୍ଡା ପଶ୍ଚିମା ପବନରେ ଥରି ଥରି ପାହାଚ ଉପରକୁ ଉଠିଲା । ରାମକୃଷ୍ଣ ମିଶନର ଜଣେ ସେବକ ଓ ନନ୍ଦବାବୁ ତାକୁ ଉତ୍ତରୀୟ ପିନ୍ଧାଇଥିଲେ । ସମୟ ଉତ୍ତୀର୍ଣ୍ଣ ହୋଇଯାଇଥିଲା । ଅସ୍ତଦିଗନ୍ତର ମ୍ଲାନ ଆଲୋକ ପଥର ନିର୍ମିତ ମନ୍ଦିର ଚୂଡ଼ାରେ କେବଳ ଚିକ୍‌ଚିକ୍‌ କରୁଥିଲା । ସାରାଦିନର ଘଟଣା ପ୍ରବାହରେ ଦିଗହରା ଅପୁର ମନେହେଲା ତା’ ବାପାର ପରିଚିତ ସ୍ୱରରେ ଉତ୍ସୁକ ଶ୍ରୋତାମାନଙ୍କ ସମ୍ମୁଖରେ କିଏ ଜଣେ ଯେମିତି ବସି ଆବୃତ୍ତି କରୁଛନ୍ତି:-

 

କାଳେ ବର୍ଷତୁ ପର୍ଜନ୍ୟଂ ପୃଥିବୀ ଶସ୍ୟଶାଳିନୀ...

ଲୋକାଃ ସନ୍ତୁ ନିରାମୟାଃ...

 

ତା’ର ଯେଉଁ ବାପାଙ୍କୁ ଆଜି ସମସ୍ତେ ମିଶି ମଣିକର୍ଣ୍ଣିକା ଘାଟକୁ ଦାହ କରିବାକୁ ଆଣିଥିଲେ ରୋଗରେ, ଜୀବନ ଯୁଦ୍ଧରେ ପରାଜିତ ସେହି ବାପା କେବଳ ସ୍ୱପ୍ନଟିଏ ମାତ୍ର । ଅପୁ ତାଙ୍କୁ ଚିହ୍ନେନି, ଜାଣେନି । ତା’ର ଚିରଦିନର ଏକାନ୍ତ ନିର୍ଭରତା’ର ପାତ୍ର, ସୁପରିଚିତ, ହସମୁହାଁ ବାପା, ହେତୁ ହେବା ଦିନଠୁ ପରିଚିତ ସହଜ ସରଳ ସ୍ୱରରେ, ସୁଲଳିତ କଣ୍ଠରେ, ପ୍ରତିଦିନ ପରି କେଉଁଠି ଯେମିତି ବସି ଉଦାସ ପୂରବୀର ସ୍ୱରରେ ଆଶିର୍ବଚନ ଉଚ୍ଚାରଣ କରୁଛନ୍ତି

 

କାଳେ ବର୍ଷତୁ ପର୍ଜନ୍ୟଂ

ପୃଥିବୀ ଶସ୍ୟଶାଳିନୀ...

ଲୋକାଃ ସନ୍ତୁ ନିରାମୟାଃ...

 

 

(୩୨)

 

କୌଣସି ପ୍ରକାରରେ ମାସଟିଏ ଚଳିଗଲା । ମାସକ ଭିତରେ ସର୍ବଜୟା ବହୁତ ଉପାୟ ଚିନ୍ତା କରିଛି କିନ୍ତୁ କୌଣସି ଗୋଟାଏ ବି ସମୀଚୀନ ଜଣାଯାଇନି । ଥରେ ଦୁଇଥର ଦେଶଭୂଇଁକୁ ଫେରିଯିବାକୁ ଯେ ମନ ହୋଇନି, ଏମିତି କଥା ନୁହେଁ । କିନ୍ତୁ ଯେତେବେଳେ ସେ ଚିନ୍ତା ଆସେ ସେ ଚିନ୍ତାକୁ ଚାପିଦିଏ । ପ୍ରଥମତଃ ଦେଶଭୂଇଁରେ କେବଳ ଭିଟାମାଟି ଛଡ଼ା ଆଉକିଛି ନାହିଁ କହିଲେ ଚଳେ । କିଛି ଜମି ଋଣ ପରିଶୋଧ କରିବା ପାଇଁ ଓ ଆଉକିଛି ଏମିତି ବିକ୍ରି କରି ଆସିଛନ୍ତି । ଦ୍ୱିତୀୟତଃ, ସେଠାରୁ ବିଦାୟ ନେଇ ଆସିଲାବେଳକୁ ସର୍ବଜୟା ରାସ୍ତାଘାଟରେ ବୋହୂଝିଅଙ୍କୁ ସେମାନଙ୍କର ଭବିଷ୍ୟତର ସୁଖର ଛବି ସବୁ ଆଙ୍କି ସେମାନଙ୍କୁ କହିଥିଲା । ନିଶ୍ଚିନ୍ତପୁର ମାଟିକୁ ଛାଡ଼ିଯିବା ଅପେକ୍ଷାରେ ସେମାନେ ଅଟକି ଅଛନ୍ତି । ଏମିତି କଳଙ୍କିତ ମୁର୍ଖ ଦେଶରେ ତା’ର ସ୍ୱାମୀର ଗୁଣ କେହି ଚିହ୍ନିଲେନି । କିନ୍ତୁ, ସେମାନେ ଯେଉଁଠିକି ଯାଉଛନ୍ତି, ସେଠାରେ ନିମିଷକରେ ତାଙ୍କୁ ଏମିତି ଆଦରି କୋଳେଇ ନେବେ ଯେ ତାଙ୍କର ଅବସ୍ଥାର ପରିବର୍ତ୍ତନ ପାଇଁ ବର୍ଷକରୁ ବେଶି ଲାଗିବନି । କଥାତକ ସର୍ବଜୟା ହାତ ମୁହଁ ହଲେଇ ସେଠାରେ ବହୁତ ଥର କହିଥିଲା । ଚୈତ୍ର ମାସ ଆସିଗଲାଣି । ବର୍ଷେ ପୂରଣ ହୋଇନାହିଁ । ଏହା ଭିତରେ ସେ ଏମିତି ନିଃସମ୍ବଳ, ଦୀନ ଦରିଦ୍ର ଅବସ୍ଥାରେ ପୁଣି ବିଧବା ବେଶରେ ସେଠାକୁ ଫେରି ସମସ୍ତଙ୍କ ସମ୍ମୁଖରେ ଛିଡ଼ା ହେବା ଚିନ୍ତା କଲେ ହିଁ ସେ ଲଜ୍ଜାରେ, ସଂକୋଚରେ ସାଙ୍କୁଡ଼ି ଯାଏ । ଯାହା ଘଟିବାର ଅଛି ଏଇଠି ଘଟିଯାଉ । ପୁଅର ହାତଧରି କାଶୀର ରାସ୍ତାରେ ରାସ୍ତାରେ ଭିକ ମାଗି ତାକୁ ମଣିଷ କରିବ । କିଏ ବା ଏ କଥା ଦେଖିବାକୁ ଆସିବ ଏଠାକୁ ?

 

ମାସଟିଏ ପରେ ଗୋଟାଏ ସୁବିଧା ମଳିଲା । କେଦାର ଘାଟରେ ମିଶନ ଅଫିସରେ ଜଣେ ଭ୍ରଦଲୋକ ଜଣେଇଲେ ଯେ ତା’ର ପରିଚିତ ଗୋଟିଏ ଧନୀ ପରିବାର ପାଇଁ ଜଣେ ବ୍ରାହ୍ମଣ ଜାତିର ଝିଅ ଦରକାର । କୁଳୀନ ହୋଇଥିବ, ଘରକୁ ଆସି କାମଦାମରେ ସାହାଯ୍ୟ କରିବ । ମିଶନ ଏମିତି ଲୋକର ସନ୍ଧାନ ଦେବା ପାଇଁ ସେଠାର ଅଫିସରେ ଜଣେଇ ଥିଲେ । ଶେଷରେ ମିଶନର ଯୋଗାଯୋଗରେ ଭଦ୍ରଲୋକ ଜଣକ ସର୍ବଜୟାକୁ ସେଠାକୁ ପଠେଇବାକୁ ରାଜି ହେଲେ । ସର୍ବଜୟା ଅକୂଳ ସମୁଦ୍ରରେ କିନାରା ପାଇଗଲା । ଦିନେ ଦୁଇଦିନ ପରେ ସେ ଭଦ୍ରଲୋକ ଖବର ପଠେଇଲେ ଯେ ସେମାନେ ଯେମିତି ବସା ଛାଡ଼ି, ସେଠାକୁ ଯିବାକୁ ପ୍ରସ୍ତୁତ ହୋଇ ରହିବେ, କାରଣ ସେ ଧନୀ ଗୃହସ୍ଥଙ୍କ ଘର କାଶୀରେ ନୁହେଁ । ସେମାନଙ୍କ ଘରର କେତେକ ଲୋକ କାଶୀ ବୁଲିବା ପାଇଁ ଆସିଛନ୍ତି, ଫେରିବା ସମୟରେ ସେମାନଙ୍କୁ ସାଙ୍ଗରେ ନେଇଯିବେ ।

 

ହଳଦିଆ ରଙ୍ଗର ବିରାଟ ବଡ଼ କୋଠାଘରଟି । କାଶୀରେ ଯେମିତି ସବୁ ବଡ଼ ବଡ଼ ସୁନ୍ଦର କୋଠାଘର ଅଛି, ସେଇଭଳି ଘରଟି । ସମସ୍ତଙ୍କ ପଛେ ପଛେ ସର୍ବଜୟା ପୁଅକୁ ଧରି ଘର ଭିତରକୁ ପ୍ରବେଶ କଲା ।

 

ଅନ୍ତଃପୁରରେ ପାଦ ରଖିବାମାତ୍ରେ ଅଭ୍ୟର୍ଥନାର ଗୋଟାଏ ରୋଳ, ହୁଳହୁଳି ଶୁଣାଗଲା । ସେ ଅଭ୍ୟର୍ଥନା ତା’ ପାଇଁ ଉଦ୍ଦିଷ୍ଟ ନ ଥିଲା । ଘରର ଯେଉଁମାନେ କାଶୀ ତୀର୍ଥ ଦର୍ଶନରୁ ବାହୁଡ଼ିଲେ ସେମାନଙ୍କ ଉଦ୍ଦେଶ୍ୟରେ ।

 

ଭିଡ଼ ଓ ଗୋଳମାଳ ଟିକିଏ କମିଯିବାରୁ ଘର ମାଲିକାଣୀ ସର୍ବଜୟା ପାଖକୁ ଆସିଲେ । ଖୁବ୍‌ ମୋଟା ଚେହେରାର ସ୍ତ୍ରୀ ଲୋକ ଜଣକ, ଦେଖିଲେ ଜଣାପଡ଼ୁଛି ଏକ ସମୟରେ ଖୁବ୍‌ ସୁନ୍ଦରୀ ଥିଲେ । ବୟସ ପଚାଶ ଉପରେ । ଗୃହୀଣୀକୁ ପ୍ରଣାମ କରିବାରୁ ସେ କହିଲେ... ଥାଉ, ଥାଉ । ଏ ଆଡ଼େ ଆସ । ଆହା ଏତେ ଅଳ୍ପ ବୟସରୁ ଏଇ... ଇଏ ତୁମର ପୁଅ ? ବେଶ୍‌ ସୁନ୍ଦର ତ ନାମ କ’ଣ ?

 

ଆଉ ଜଣେ କିଏ ପଚାରିଲା ଘର ବୋଧେ କାଶୀରେ ? ନା ? ତା’ହେଲେ ବୋଧେ...

 

ସମସ୍ତଙ୍କର କୌତୁହଳପୂର୍ଣ୍ଣ ଚାହାଣି ଆଗରେ ସର୍ବଜୟା ବଡ଼ ଲଜ୍ଜା ଓ ଅସହାୟ ବୋଧ ଅନୁଭବ କରୁଥିଲା । ଗୃହିଣୀଙ୍କ ଆଦେଶରେ ଚାକରାଣୀଟିଏ ଯେତେବେଳେ ତା’ ପାଇଁ ନିର୍ଦ୍ଦିଷ୍ଟ ଘରକୁ ନେଇଗଲା, ସେ ନିଶ୍ୱାସ ଛାଡ଼ି ବଞ୍ଚିଗଲା ।

 

ତା’ପରଦିନ ଠୁ ଚୁକ୍ତି ଅନୁସାରେ ରୋଷେଇ କାମରେ ନିଯୁକ୍ତ ହେଲା । ରୋଷେଇ କରିବା ଲୋକ ସେ ଏକା ନୁହେଁ ଆହୁରି ଚାରି ପାଞ୍ଚଜଣ ଥିଲେ । ତିନି ଚାରିଟା ରୋଷେଇ ଘର । ଆଇଁଷ, ନିରାମିଷ, ଦୁଧକ୍ଷୀରର ଅଲଗା ଅଲଗା ଘର, ରୁଟି ପାଇଁ ଆଉ ଗୋଟିଏ, ବାହାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ରୋଷେଇ ଘରର ବ୍ୟବସ୍ଥା । ଚାକର ଚାକରାଣୀର ସଂଖ୍ୟା ବହୁତ । ରୋଷେଇଶାଳଟି ଅନ୍ତଃପୁର ଭିତରେ ହୋଇଥିଲେ ବି ଟିକିଏ ପୃଥକ୍‌ । ସେପଟଟା ଯେମିତି ବ୍ରାହ୍ମଣ ଚାକର-ଚାକରାଣୀଙ୍କ ରାଜତ୍ୱ । ଘରର ସ୍ତ୍ରୀ ଲୋକମାନଙ୍କର କାମ ହେଲା କାମ ସବୁ ବୁଝେଇ ଦେଇଯିବା । ବିଶେଷ କାରଣ ନ ଥିଲେ ରୋଷେଇ ଘରେ ସେମାନେ କେହି ପ୍ରାୟ ରୁହନ୍ତିନି ।

 

ସର୍ବଜୟା କ’ଣ ରୋଷେଇ କରିବ, ଏଥିପାଇଁ ଆଲୋଚନା ହେଲା । ସର୍ବଜୟାର ସବୁବେଳେ ବିଶ୍ୱାସ ଥିଲା ଯେ ସେ ଖୁବ୍‌ ଭଲ ରାନ୍ଧିପାରେ । ସେ ତା’ ତରଫରୁ କହିଲା, ନିରାମିଷ ତରକାରୀ ରାନ୍ଧିବାର ଦାୟିତ୍ୱ ତାକୁ ଦିଆଯାଉ । ରାନ୍ଧୁଣୀ ବ୍ରାହ୍ମଣ ମୋକ୍ଷଦା, ମୁରୁକି ହସି କହିଲା ବାବୁଘରର ରୋଷେଇ ତୁମେ କରିବ ? ତାଙ୍କ ମନକୁ ପାଇଲେ ହେଲା । ତା’ପରେ ଚାକରାଣୀ ପାଁଚିକୁ ଡାକି କହିଲା ଆରେ ଏ ପାଁଚି ଶୁଣୁଛୁ, କାଶୀର ଇଏ କହୁଛନ୍ତି କ’ଣ ନା ବାବୁଘର ତରକାରୀ ରାନ୍ଧିବେ ? ତୁମ ନାଁଟା କ’ଣ ହେ ? ଭୁଲିଯାଉଛି ମୋକ୍ଷଦାର ଓଠ କୋଣରେ ବିଦ୍ରୂପର ହସ । ସର୍ବଜୟା ସେଦିନର ବ୍ୟଙ୍ଗଶୁଣି ସଙ୍କୋଚରେ ଅଭିଭୂତ ହୋଇପଡ଼ିଥିଲା ସତ, କିନ୍ତୁ ଦିନେ ଦୁଇଦିନ ଭିତରେ ଜାଣିପାରିଲା ଯେ ତା’ର ମଫସଲର କୌଣସି ତରକାରୀ ରନ୍ଧା ସେଠାରେ ଚାଲିବନି । ଝୋଳ ତରକାରୀରେ ଏତେଗୁଡ଼ାଏ ଚିନିଦେବାକୁ ହୁଏ ତା’ ଧାରଣା ବାହାରେ ଥିଲା । କିମ୍ବା ବନ୍ଧାକୋବିର ଫ୍ରିଟାର୍ସ ବୋଲି ଗୋଟିଏ ତରକାରୀ ଅଛି ସେ ପ୍ରଥମ କରି ଶୁଣିଲା ।

 

ଗୃହିଣୀ ମାସେ ଦୁଇମାସ ସର୍ବଜୟାକୁ ବେଶ୍‌ ଯତ୍ନ ନେଇଥିଲେ । ହାଲୁକା କାମ ଦେଉଥିଲେ, ତା’ର ଭଲମନ୍ଦ ଖବର ବୁଝୁଥିଲେ । କ୍ରମେ କ୍ରମେ ଅନ୍ୟ ପାଞ୍ଚଜଣଙ୍କ ଭଳି ସମାନ ହୋଇ ରହିବାକୁ ପଡ଼ିଲା । ବେଳ ଦୁଇଟା ଯାଏ କାମ କରି କରି ପ୍ରଥମେ ପ୍ରଥମେ ସେ ଅବସନ୍ନ ହୋଇପଡ଼ୁଥିଲା । ଏମିତି ଅନବରତ ନିଆଁ ତାତି ଭିତରେ ରହିବାର ଅଭ୍ୟାସ ତା’ର ପୂର୍ବରୁ କେବେ ନ ଥିଲା । ଅବେଳରେ ଖାଇବାକୁ ଆଉ ବିଶେଷ ଇଚ୍ଛା ହୁଏନି । ଅନ୍ୟ ସବୁ ରୋଷେଇଆମାନେ ନିଜ ପାଇଁ ଅଲଗା କରି ମାଛ ତରକାରୀ ଲୁଚେଇ ରଖି କିଛି ଖାଆନ୍ତି ଆଉ କିଛି ବାହାରକୁ କେଉଁଠିକି ନେଇଯାଆନ୍ତି । ସେ ଖାଇବା ପତର ପାଖରେ କେବଳ ବସେ ମାତ୍ର ।

 

ରୋଷେଇର ବିରାଟ ଆୟୋଜନ ଦେଖି ସର୍ବଜୟା ଅବାକ୍‌ ହୋଇଯାଏ । ଏତେ ବଡ଼ କାଣ୍ଡକାରଖାନାର ଧାରଣା ତା’ର କୌଣସି ଦିନ ସ୍ୱପ୍ନରେ ବି ନ ଥିଲା । ବିସ୍ମିତ ହୋଇ ମନରେ ଭାବେ ଦୁଇଓଳିର ତିନି ସେର ତେଲ ଖର୍ଚ୍ଚ ହୁଏ ? ପ୍ରତିଦିନ ଗୋଟାଏ ଯଜ୍ଞର ତେଲ-ଘିଅର ଖର୍ଚ୍ଚ !... ନିପଟ ମଫସଲ ଘରର ଗୋଟାଏ ସଂସାରର ଅଭିଜ୍ଞତାରେ ସେ ଏସବୁ କଥା ବୁଝିପାରେନି ।

 

ଦିନଟିଏ ସରୁ ଚାଉଳ ଭାତର ଡେକ୍‌ଚିଟା ଓହ୍ଲେଇବା ସମୟରେ ମୋକ୍ଷଦା ବ୍ରାହ୍ମଣୀକୁ ଡାକି କହିଲା ଆଲୋ ମାଉସୀ ! ଡେକ୍‌ଚିଟା ଟିକିଏ ଧରିବ ?

 

ମୋକ୍ଷଦା ଶୁଣି ବି ନ ଶୁଣିଲା ପରି ରହିଲା । ଏପଟେ ଭାତଟି ବେଶୀ ସିଝି ଯିବାର ଦେଖି ଏକାକୀ ଓହ୍ଲେଇବାକୁ ଯାଇ ଭାରି ଡେକ୍‌ଚିଟିକୁ ଓଲଟାଇ ପକାଇଲା । ଗରମ ଫେଣ ପାଦରେ ପଡ଼ି ଫୋଟକା ପଡ଼ିଗଲା । ଗୃହିଣୀ ସେହି ଦିନହିଁ ତାକୁ ରୁଟି ତିଆରି ଘରକୁ ବଦଳି କରିଦେଲେ । ପାଦ ଭଲ ନ ହେବା ଯାଏ କିଛି କାମ କରିବାକୁ ଦେଲେନି ।

 

ସର୍ବଜୟା ପୁଅ ସହିତ ତଳମହଲାର ଗୋଟିଏ ଘରେ ରହେ । ଘରଟି ପଶ୍ଚିମ ପଟର ବାରଣ୍ଡା ପାଖରେ । ଘରର ଟିକିଏ ତଳକୁ ଆଉ ଚଟାଣଟି ସନ୍ତସନ୍ତିଆ । ଘର ଭିତରୁ କେମିତି ଗୋଟାଏ ଗନ୍ଧ ବାହାରେ । କାଶୀର ଭଡ଼ାଘରଟି ୟାଠୁ ବେଶ୍‌ ଭଲ ଥିଲା । କାନ୍ଥର ତଳପଟଟା ଲୁଣଫୁଟି ଯାଇଛି । କାନ୍ଥଟା ଯାକ ରଙ୍ଗୀନ୍‌ ଛାପଛାପ ହୋଇ ଜରକା ଦାଗ । ବାହାରୁ ଯେତେବେଳେ ଅପୁ ଘର ଭିତରକୁ ପଶିଆସେ, ଅସ୍ଥିର ହୋଇ କୁହେ ଉଃ, କ’ଣ ଗୋଟାଏ ଗନ୍ଧ ହେଉଛି, ଜାଣିପାରୁଛ, ମା’ ? ସତେ ଯେମିତି ପୁରୁଣା ଚାଉଳର ରହଣିଆ ଗନ୍ଧ । କିମ୍ବା ସେମିତି କିଛି ?... ତଳ ମହଲାର ଏ ଘରଗୁଡ଼ିକୁ ଗୃହମାଲିକ ମଣିଷର ବସବାସର ଉପଯୁକ୍ତ କରି ତିଆରି କରିନାହାନ୍ତି, ତେଣୁ ଏଗୁଡ଼ିକର ଚାକର ବାକର, ରୋଷେଇଆମାନେ ରହନ୍ତି ।

 

ଉପର ବାରଣ୍ଡାରେ ସବୁ ଘରଗୁଡ଼ିକ ଅପୁ ବୁଲି ବୁଲି ବାହାରପଟୁ ଦେଖିଛି । ବଡ଼ ବଡ଼ ଝରକା, କବାଟ । ସବୁ ଝରକାରେ କାଚ ଲାଗିଛି । ପ୍ରତି ଘରେ, ଗଦିପକା ବଡ଼ ବଡ଼ ଚେୟାର, ଝକ୍‌ଝକ୍‌ କରୁଥିବା ଟେବୁଲ । ଏତେ ଝକ୍‌ଝକ୍‌ କରେ ଯେ ସେଥିରେ ମୁହଁ ଦେଖାଯାଏ । ଅପୁ ଘରେ ଯେମିତି ପୁରୁଣା କମ୍ବଳର ଆସନ ଥିଲା, ତା’ଠୁ ମୋଟା ମୋଟା ନୂଆ ଦାମିକା କାର୍ପେଟ ମେଜ ଉପରେ ବିଛା ହୋଇଛି । କାନ୍ଥ ଦେହରେ ଅଇନା ଟଙ୍ଗା ଯାଇଛି । ଏତେବଡ଼ ଅଇନା ଯେ ଅପୁର ପୁରା ଚେହେରାଟା ଦେଖାଯାଏ । ସେ ମନେ ମନେ ଭାବେ ଏତେ ବଡ଼ ବଡ଼ କାଚ କେଉଁଠୁ ଆସିଛି ? ଯୋଡ଼ିଯୋଡ଼ି ତିଆରି କରିଛନ୍ତି ବୋଧେ ?

 

ଦୁଇ ମହଲାର ବାରଣ୍ଡାରେ ଆଉ ଗୋଟିଏ ବଡ଼ ଘର ଅଛି । ସେଇଟା ପ୍ରାୟ ବନ୍ଦ ଥାଏ । ଚାକର ବାକରମାନେ ଆଲୁଅ ଓ ପବନ ପାଇଁ କେବେ କେବେ ଖୋଲନ୍ତି । ସେ ଘରେ କ’ଣ ଅଛି ଜାଣିବା ପାଇଁ ଅପୁର ଅଦମ୍ୟ କୌତୁହଳ ଜାତ ହେଲା । ଦିନଟିଏ ଘରର କବାଟ ଖୋଲାଥିବାର ଦେଖି ଘର ଭିତରକୁ ପଶିଗଲା । କେଡ଼େ ବଡ଼ ବଡ଼ ସବୁ ଚିତ୍ର ଲାଗିଛି । ପଥରର ମୂର୍ତ୍ତି ! ବଡ଼ ବଡ଼ ଗଦିଲଗା ଚେୟାର, ବଡ଼ ବଡ଼ ଆଇନା । ସେ ବୁଲି ବୁଲି ସବୁ ଦେଖୁଥିଲା । ଏହି ସମୟରେ ଛୋଟୁ ଖାନ୍‌ସାମା ତାକୁ ଘର ଭିତରେ ଦେଖି ରାଗି ତା’ ପାଖକୁ ମାଡ଼ି ଆସି କହିଲା କିଏ ତୁ ?... ଏ ଘର ଭିତରକୁ କାହିଁକି ପଶିଛୁ ?

 

ହୁଏତ ସେଦିନ ତା’ ପାଖରୁ ମାଡ଼ ଖାଇଥା’ନ୍ତା । କିନ୍ତୁ ଘରର ଜଣେ ଚାକରାଣୀ ସେଇପଟେ ବାରଣ୍ଡାରେ ଯାଉ ଯାଉ ଘଟଣା ଦେଖି ଛୋଟୁକୁ କହିଲା ଆରେ ଛୋଟୁ, ତାକୁ ଛାଡ଼ିଦେ, କିଛି କହନା ତା’ ମା’ ଏଠାରେ ରହେ ଦେଖୁଚି ଯଦି, ଟିକିଏ ଦେଖୁ

 

ସମସ୍ତଙ୍କ ଖିଆପିଆ ଶେଷ ହେଲା ବେଳ ଅଢ଼େଇଟା ସମୟକୁ ସର୍ବଜୟା ନିଜ ଘର ଭିତରକୁ ଆସି ଟିକେ ଶୋଇଯାଏ । ସାରାଦିନ ଭିତରେ ଏହି ସମୟରେ ମା’ ସହିତ ଅଳ୍ପ ସମୟ କଥା ହୋଇପାରେ ବୋଲି ସେ ଘରକୁ ଆସେ । ତା’ ମା’ ବି ଦିନଯାକରେ ଥରଟିଏ ପୁଅ ମୁହଁକୁ ନିଠେଇ ଚାହିଁ ଦେଖେ । ଏ ଘରକୁ ଆସିଲା ପାଖରୁ ଅପୁ ଯେମିତି ତା’ଠୁ ଦୂରେଇ ଯାଇଛି । ଦିନଯାକ ଖଟଣି, ଅକ୍ଳାନ୍ତ ଖଟଣି । ପୁଅଠାରୁ ଦୂରରେ ରହିବାକୁ ହୁଏ । ବେଶୀ ରାତିରେ କାମ ଶେଷ କରି ଆସିଲାବେଳକୁ ଅପୁ ନିଦରେ ଶୋଇ ସାରିଥାଏ । କଥା ହୋଇପାରେନା । ଏହି ଦୁଇପହର ପାଇଁ ତା’ର ମନଟା ତୃଷିତ ହୋଇ ରହିଥାଏ ।

 

କବାଟ ପାଖରେ ପାଦ ଶବ୍ଦ ଶୁଣାଗଲା । ସର୍ବଜୟା କହିଲା କିଏ ଅପୁ କିରେ ! ଆ, ଭିତରକୁ ଆ । କବାଟ ଖୋଲି ବ୍ରାହ୍ମଣୀ ମାଉସୀ ପଶିଆସିଲେ ସର୍ବଜୟା କହିଲା ଆସନ୍ତୁ, ମାଉସୀ ବସନ୍ତୁ । ଠିକ୍‌ ସେହି ସମୟରେ ଅପୁ ବି ଆସି ପହଞ୍ଚିଲା । ବ୍ରାହ୍ମଣୀ ମାଉସୀ ବାବୁଘରର ସମ୍ପର୍କରେ ଆତ୍ମୀୟା । ତେଣୁ ତାକୁ ଖାତିର କରି ବସେଇଲା । ମାଉସୀଙ୍କ ମୁହଁଟା ଭାରି ଭାରି ଜଣାପଡ଼ୁଥିଲା । କିଛି ସମୟ ଚୁପ୍‌ କରି ବସି ରହିଲେ । ତା’ପରେ କହିଲେ ଦେଖିଲ ତ ଆଜି ବଡ଼ ବୋହୂମା’ଙ୍କ କାଣ୍ଡ କାରଖାନା ? ମୁଁ ପଚାରେ କି ଦୋଷଟା... ତୁମେ ତ ସବୁବେଳେ ରୁଟି ଘରେ ରହୁଥିଲ ? ମାଛ, ଘିଅ ଆଣି ଟୋକେଇଟିରେ ଥୋଇ ଦେଇଗଲେ । ମୁଁ ଭାବିଲି ବନ୍ଧାକୋବିରେ ସେଗୁଡ଼ିକ ବୋଧେ ପଡ଼ିବ । କେମିତି ଅପମାନ ଦେଲେ, ଦେଖିଲ ତ ? ଟୋକେଇରେ ରଖିବା ମାଛ ପଲାଉ ପାଇଁ ସେ କଥା ଚାକରାଣୀ ହାତରେ କହି ପଠେଇଥିଲେ ତ ଚଳିଥା’ନ୍ତା । ସଦୁ ଚାକରାଣୀଟା ବି କ’ଣ କମ୍‍ ବଦ୍‌ମାସ ବୋଲି ଭାବିଛୁ ?... ମାଲିକାଣୀଙ୍କ ଆଦରର ଚାକରାଣୀ କି ନା ? ମାଟିରେ ପାଦ ଲାଗେନା ? ଉପରକୁ ଯାଇ କଥାକୁ ସାତ କଥା କହି ଚୁଗ୍‌ଲି କରେ । ସେଇଠି ତ ଶ୍ରୀକଣ୍ଠ ପୂଜାରୀ ଥିଲେ ସେ କହୁ ଦେଖି ?

 

ଗପ କରୁ କରୁ ସମୟ ହୋଇଗଲା । ମାଉସୀ କହିଲେ ଯାଉଛି, ଜଳଖିଆ ଆଉ ମଇଦା ଚକଟିବାକୁ ହେବ ଚାରିଟା ବାଜିଗଲାଣି, ୟା ଭିତରେ

 

ମାଉସୀ ଚାଲିଯିବା ପରେ ଅପୁ ମା’ ପାଖରେ ଭିଡ଼ି ହୋଇ ବସିଲା । ମା’ ତା’ର ଚିବୁକରେ ହାତ ଦେଇ ଗେଲ କଲା ଆଉ ପଚାରିଲା ଦୁଇପହରଯାକ କେଉଁଠି ଥାଉରେ ଧନ ?

 

ଅପୁ ହସି ହସି କହିଲା ଉପରର ବୈଠକଖାନାରେ ଗ୍ରାମଫୋନ୍‌ ବାଜୁଥିଲା । ସେ ବାରଣ୍ଡାରେ ରହି ଶୁଣୁଥିଲା ।

 

ସର୍ବଜୟା ଖୁସି ହୋଇଗଲା ।

 

ତୁ ବାବୁଘରର ପିଲାମାନଙ୍କ ସହିତ ମିଳାମିଶା କରିନୁ କିରେ ? ତୋତେ ଡାକନ୍ତି ପାଖକୁ ?

 

ଖୁ...ଉ...ଉବ୍‌, ହେଇଚି ମା’ ।...

 

ଅପୁ ମିଛ କହିଲା । ତାକୁ କେହି ପାଖକୁ ଡାକନ୍ତି ନାହିଁ । ଉପର ବୈଠକଖାନରେ ଗ୍ରାମଫୋନ୍‌ ବାଜିଲାର ଶବ୍ଦ ଶୁଣିଲେ ଯେ କିଛିଟା ଇତସ୍ତତଃ ହୋଇ ଭୟରେ ଉପରକୁ ଯାଏ କିନ୍ତୁ ବୈଠକଖାନାର ଦୁଆର ପାଖରେ ଚୁପ୍‌କିନା ଛିଡ଼ା ହୋଇ ଗୀତ ଶୁଣେ । ପ୍ରତି ମୁହୂର୍ତ୍ତରେ ତା’ର ଭୟ ହୁଏ, ଏବେ ହୁଏତ ସେମାନେ ତାକୁ ତଳକୁ ଓହ୍ଲେଇ ଯିବା ପାଇଁ କହିବେ । ଗୀତ ଶେଷ ହେଲେ ତଳକୁ ଓହ୍ଲଇବା ସମୟରେ ଭାବେ, କେହି ତ ତାକୁ ଗାଳି ଦେଲେନି ? କାହିଁକି ବା ଗାଳିଦେବେ ? ବାହାରେ ଛିଡ଼ା ହୋଇ ଗୀତ ଶୁଣେ, ମୁଁ ତ ବାବୁଙ୍କର ବୈଠକଖାନା ଭିତରକୁ ଯାଇନି ? ଏମାନେ ବେଶ୍‌ ଭଲ ଲୋକ

 

ଏ ଘରର ପିଲାମାନଙ୍କ ସହିତ ତା’ର ମିଳାମିଶା ବି ହୋଇପାରିଲାନି । ସେମାନେ ତାକୁ ପାଖ ପଶିବାକୁ ଦିଅନ୍ତି ନାହିଁ । ସେଦିନ ରମେନ୍‌, ଟେବୁ, ସମୀର ଓ ସନ୍ତୁ ମିଶି ଗୋଟିଏ ଚାରିକୋଣିଆ କାଠପଟା ଭିତରେ କିଛି କାଠର ଛୋଟ ଛୋଟ ଗୋଟି ରଖି କ’ଣ ଖେଳୁଥିଲେ । ଖେଳର ନାମ ‘କ୍ୟାରମ୍‌’ ନା କ’ଣ ସେ ଟିକିଏ ଦୂରରୁ ରହି ଖେଳଟି ଦେଖୁଥିଲା । ସେ ଖେଳଠୁ ବରଂ ବାଇଗଣ ମଞ୍ଜି ଖେଳ ଢେର ଭଲ ।

 

ବୈଶାଖ ମାସର ଆରମ୍ଭବେଳକୁ ବଡ଼ ବାବୁଙ୍କ ଝିଅ ବାହାଘର ଉପଲକ୍ଷ୍ୟ ଘର ସରଗରମ ହୋଇଉଠିଲା । ଗୟା, ମୁଙ୍ଗେର, ଏଲାହାବାଦ, କଲିକତା, କାଶୀ ଆଦି ନାନା ସ୍ଥାନରୁ କୁଟୁମ୍ବ-କୁଟୁମ୍ବିଣୀଙ୍କ ଆସିବା ଆରମ୍ଭ ହୋଇଗଲା । ସମସ୍ତେ ବଡ଼ ଘରର ଝିଅ ଓ ବୋହୂ । ସମସ୍ତଙ୍କ ସହିତ ନିଜର ଚାକର ଚାକରାଣୀ ବି ଆସୁଥିଲେ । ତଳମହଲାର ବାରଣ୍ଡାକୁ ରାତିରେ ସେମାନେ ଦଖଲ କରି ନିଅନ୍ତି । ରାତିଯାକ ହୈ ଚୈ ।

 

ସକାଳେ ଗୃହିଣୀ ସର୍ବଜୟାକୁ ଡାକି କହିଲେ ଆରେ ଏ ଅପୂର୍ବର ମା’, ତୁମେ ଗୋଟିଏ କାମ କର, ଏବେ ଦିନେ ଦୁଇଦିନ ରୋଷେଇ ଘର କାମ ତୁମର କରିବା ଦରକାର ନାହିଁ । ବହୁତ ଜାଗାରୁ ଭାର ଆସୁଛି, ତୁମେ ଓ ସାନ ମୋକ୍ଷଦା ସେସବୁକୁ ରୁଟି ଘରର ଭଣ୍ଡାରରେ ସାଇତି ରଖ । ମିଠା ଯାହା ଆସୁଛି ସେଠାରେ ରଖିବ । ଫଳମୂଳ ଯାହା ଆସିବ, ପଚିସଢ଼ିଯିବାର ଥିଲେ ସବୁ ଚାକରାଣୀ ହାତରେ ପଠେଇ ଦେବ ନ ହେଲେ ଜଳଖିଆ ସମୟରେ ବ୍ରାହ୍ମଣୀ ମାଉସୀ ନେଇଆସିବେ ।

 

ସକାଳୁ ସଞ୍ଜଯାଏ ଚାକର ଚାକରାଣୀମାନେ ମୁଣ୍ଡରେ ବୋହି ବୋହି କେତେ କେତେ ଜାଗାରୁ କେତେ ଯେ ଭାର ଆଣିଲେ, ସର୍ବଜୟା ସେ ସବୁ ଠିକ୍‌ ଭାବରେ ଗଣିପାରେନି । ମିଠା ରଖିବାର ଜାଗା ଆଉ ମିଳୁନି । ସାନ ରୁପାର ଚନ୍ଦନର ବାଟି କି ପନ୍ଦର ଷୋହଳଟା ମିଳିଥିଲା । ଆମ୍ବ ଏବେବି ବଜାରକୁ ଆସି ନ ଥିଲା, ତଥାପି ଗୋଟିଏ ବଡ଼ ଝୁଡ଼ି ଭର୍ତ୍ତି ହୋଇଗଲା ।

 

ସର୍ବଜୟା ବ୍ରାହ୍ମଣୀ ମାଉସୀ ଭାତରେ ଖାଇବା ଜିନିଷ ଟେକି ଦେଲାବେଳେ ଭାବେ ଏଠି ତ ଏତେ ଭଲମନ୍ଦ, ଏତେ ଦ୍ରବ୍ୟ ସେଥିରୁ କିଛି ପୁଅଟା ପାଇଁ ଆହା, ବିଚରା ମୋ ପୁଅଟା ସରକାର ଘରର ଖାଇବା ଘର କୋଣରେ ଲାଜ ସରସର ହୋଇ ଲୁଚି ବସିଥିବ ଆଉ ଦୁଇମୁଠା ଭାତ ଖାଏ । ତାକୁ ମୁଁ ଦୁଇଟା ଭଲ ମାଛ ଦେଇପାରେନା ଟିକିଏ ଭଲ ତରକାରୀ ନା ପଳାଏ ଦୁଧ ଦେଲେ ବି ଏ ଯେଉଁ ହାରାମଜାଦୀ ସଦୁ ଚାକରାଣୀ କହିଦେବ, ନିଜ ପୁଅ ପାଇଁ ବାବୁ ଘରର ହାଣ୍ଡିଶାଳରୁ ସବୁ ଆଣି ଦେଇଦେଲା

 

ବାହାଘର ଦିନ ଭୀଷଣ ଭିଡ଼ । ବରପକ୍ଷ ସକାଳ ଗାଡ଼ିରେ ଆସି ସହରର ଅନ୍ୟ ଗୋଟିଏ ଘରେ ରହିଥିଲେ । ସନ୍ଧ୍ୟାରେ କିଛି ପୂର୍ବରୁ ବିରାଟ ଶୋଭାଯାତ୍ରାରେ ବରଯାତ୍ରୀ ବାହାରିଲେ ।

 

ବାହାରର ଅଗଣା ନିମନ୍ତ୍ରିତ ଭଦ୍ରବ୍ୟକ୍ତିରେ ଭର୍ତ୍ତି ହୋଇଯାଇଛି । ପୁରା ଅଗଣାଟା ଯାକ ଶତରଞ୍ଜି ବିଛା ଯାଇଥିଲା । ଗୋଟାଏ କୋଣରେ ଚଉଡ଼ା ନାଲି ଜରିପକା ମଖମଲି ଚେୟାର । ବର ପାଇଁ ଉଚ୍ଚ ଆସନର ବ୍ୟବସ୍ଥା ହୋଇଥିଲା । ଜରିକାମର ଝାଲର ଟଙ୍ଗା ହୋଇଥିଲା । ନୀଳ ସାର୍ଟିନ୍‌ କନାର ଚାନ୍ଦୁଆ, ଦୁଇକଡ଼ରେ ରେଶମୀ ଜରିପକା ତକିଆ । ବଡ଼ ବଡ଼ ମଲ୍ଲୀଫୁଲର ମାଳ ତିନି ତିନି ଗୋଛା ବାନ୍ଧି ଚାନ୍ଦୁଆର ଖିଲ ଜାଗାରେ ଟଙ୍ଗା ହୋଇଥିଲା । ଚାରିପଟେ ବରଯାତ୍ରୀମାନଙ୍କ ପାଇଁ ଚେୟାର ଓ ଗଦିବାଲା ଆରାମ ଚୌକି । ବିଦେଶୀ ସେଣ୍ଟ୍‌ ଓ ଗୋଲାପ ଜଳ ପିଚ୍‌କାରୀ ମରାଯାଉଥିଲା ।

 

ଅପୁ ଏସବୁ କଥା ବିଶେଷ ଭାବେ ଦେଖି ପାରିନଥିଲା । ସେ ନିଦରେ ଶୋଇ ପଡ଼ିଥିଲା । ଥରଟିଏ ମାତ୍ର ସେ ଘର ଭିତରକୁ ଯାଇଥିଲା । ସେତେବେଳେ ସ୍ତ୍ରୀ ସଂସ୍କାର ପର୍ବ ଚାଲିଥିଲା । ରାତି ସେତେବେଳକୁ ବଢ଼ିଯାଇଥିଲା । ତା’ ମା’କୁ ଖୋଜିଲା, କିନ୍ତୁ କେଉଁଠି ପାଇଲା ନାହିଁ । ଉତ୍ସବର ଭିଡ଼ରେ କେଜାଣି କେଉଁଠି ବ୍ୟସ୍ତ ରହିଥିବ । ଦାମୀ ବନାରସୀ ପାଟ ପିନ୍ଧା ସ୍ତ୍ରୀ ଲୋକମାନଙ୍କ ଗହଳିରେ ଅଗଣାରେ ଟିକେ ହେଲେ ଜାଗା ଫାଙ୍କା ନ ଥାଏ । ସାନବାବୁଙ୍କ ଝିଅ ଅରୁଣା କାହାକୁ ଡାକି ବାହାର ବୈଠକଖାନାର ଅର୍ଗାନ ଯନ୍ତ୍ରଟି ଘର ଭିତରକୁ ଆଣିବାକୁ କହୁଥିଲେ ।

 

ବାହାଘରର ଦୁଇଦିନ ପରେ ସୌଖିନ୍‌ ଥିଏଟର ଉପଲକ୍ଷ୍ୟରେ ପୁଣିଥରେ ହଇଚଇ ଆରମ୍ଭ ହୋଇଗଲା । ଅଗଣାର ଗୋଟିଏ ପଟେ ଷ୍ଟେଜ୍‌ ବନ୍ଧା ହେଲା । ଗୋଲାପଫୁଲ ଓ ଅର୍କିଡ୍‌ ଲତାରେ ସଜାହୋଇ ଷ୍ଟେଜ୍‌ ଖୁବ୍‌ ଚମତ୍କାର ଦେଖାଯାଉଥିଲା । ପାଞ୍ଚ ଶହ ଡାଳ ଥିବା ବିରାଟ ଝାଡ଼ ଆଲୁଅଟି ଷ୍ଟେଜ୍‌ ମଝିରେ ଟଙ୍ଗା ହୋଇଥିଲା । ଏଇ କେତେଦିନର ଘଟଣା ଦେଖି ଅପୁ ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ଯାଇଥିଲା, ଆଜିର ପୁଣି ଏହି ଥିଏଟର ଜିନିଷଟି ବିଷୟରେ ସେ ଆଗରୁ କେବେବି ଅବଗତ ହୋଇନଥିଲା । ତେଣୁ ଆଗ୍ରହ ଓ କୌତୂହଳ ବଶତଃ ବହୁତ ପୂର୍ବରୁ ଭଲ ସ୍ଥାନଟିଏ ଦଖଲ କରି ନେବା ପାଇଁ ସେ ଆସରର ସାମନା ଆଡ଼କୁ ସନ୍ଧ୍ୟାପାଖରୁ ବସି ରହିଥିଲା ।

 

କ୍ରମେ ଜଣେ ପରେ ଜଣେ ନିମନ୍ତ୍ରିତ ଭଦ୍ରଲୋକମାନେ ଆସିବାକୁ ଆରମ୍ଭ କଲେ । ଚାରିପଟେ ଆଲୋକ ଜଳି ଉଠିଲା । ଘରର ଦରୁୱାନ୍‌ମାନେ ଜରିର ବର୍ଦ୍ଦି ପିନ୍ଧି ଆସର ବାହାରେ ଓ ପ୍ରବେଶ ଦ୍ୱାରରେ ଛିଡ଼ା ହୋଇଥିଲେ । ସରକାର ଇତସ୍ତତଃ ଧାଁ ଧପଡ଼ କରି କାମ ସବୁ ବୁଝାଇବାରେ ଲାଗିଲେ । କନସର୍ଟ ଆରମ୍ଭ ହୋଇଗଲା । ଡ୍ରପ୍‌ସିନ୍‌ ପଡ଼ିବାକୁ ଆଉ ବେଶି ଡେରି ନ ଥିଲା । ଘରର ଗୁମାସ୍ତା ଗିରୀଶ ସରକାର ତା’ ପାଖକୁ ଆସି ତା’ ଆଡ଼େ ଝୁଙ୍କି ଦେଖି ପଚାରିଲେ କିଏ ? ଅପୁ ମୁହଁ ଉଠେଇ କିଛି ସମୟ ଧରି ଚାହିଁଲା, କିନ୍ତୁ ମୁହଁଚୋରା ବୋଲି କିଛି ସମୟ କଥା କହିପାରିଲାନି । ତାକୁ ଜବାବ ଦେବାର ସୁଯୋଗ ନ ଦେଇ ହିଁ ଗିରୀଶ ସରକାର କହିଲେ ଉଠ୍‌ ଉଠ୍‌ ଏଇଠି ବାବୁମାନେ ବସିବେ ଉଠ୍‌ । ଗିରୀଶ ସରକାର ତାକୁ ଅନୁମାନ କରି ଚିହ୍ନି ପାରିଥିଲେ ।

 

ଅପୁ ପଛକୁ ଚାହିଁ ବିପନ୍ନ ମୁଖରେ ପଣିକିଆ ଘୋଷା ସ୍ୱରରେ କହିଲା ମୁଁ ସନ୍ଧ୍ୟାବେଳଠୁ ଏଇଠି ବସିଛି । ପଛରେ ଯେ ସବୁଠି ଭର୍ତ୍ତି ହୋଇଗଲାଣି, କେଉଁଠିକି ଯିବି ? ତା’ କଥା ଶେଷ ନ ହେଉଣୁ ଗିରୀଶ ସରକାର ତା’ ବାହୁ ଧରି ଜୋରରେ ଟାଣି ଉଠେଇ ଦେଇ କହିଲେ ତୋତେ ଯେ କ’ଣ କରିବି, ଇଞ୍ଚଡ଼ ପକା ଟୋକା କେଉଁଠିକାର, ବୁଦ୍ଧିଶୁଦ୍ଧି କିଛି ନାହିଁ । ଏକାଥରକେ ଆସି ସାମନାରେ ବସିଯାଇଛୁ ବାବୁମାନେ ବସିବାର ଜାଗା, ଉଠ । ଆଉ ଏ ଟୋକା ରାନ୍ଧୁଣୀର ପୁଅ ଆସି ବସିଗଲେ ସାମନାରେ । କେଉଁଠିକି ଯିବି ? ମୋତେ ପୁଣି କହିବାକୁ ପଡ଼ିବ ? ଫାଜିଲ୍‌ ଟୋକା, ଯା ଏଠୁ, ଯା ସେ ଖୁଣ୍ଟ ପାଖରେ କେଉଁଠି ଯାଇ ବସୁନୁ

 

ପଛପଟୁ ଜଣେ ଦୁଇଜଣ କର୍ମକର୍ତ୍ତା ଆସି ପଚାରିଲେ କ’ଣ ହେଲା ଗିରୀଶ କ’ଣ ପାଇଁ ପାଟି କରୁଛ ? ଇଏ କିଏ ?

 

ଆଜ୍ଞା, ଦେଖନ୍ତୁ ମ୍ୟାଜେନର ବାବୁ, ଏଇ ବାଳୁଙ୍ଗା ଟୋକାଟି ବାବୁମାନଙ୍କ ବସିବା ଜାଗା ଦଖଲ କରି ଏକାବେଳକେ ସାମନାରେ ବସିଯାଇଛି ଚନ୍ଦନ ନଗରର କୁଣିଆମାନେ ଆସିଛନ୍ତି, ସେମାନଙ୍କର ବସିବା ପାଇଁ ଜାଗା ନାହିଁ ଉଠିବାକୁ କହିବାରୁ, ମୋ ମୁହଁ ଉପରେ ଜବାବ ଦେଉଛି ।

 

ମ୍ୟାଜେନର ବାବୁ କହିଲେ ଦେଉନ କଷି ଦୁଇ ଚାପୁଡ଼ା

 

ଅପୁ ଅପଦସ୍ତ ହୋଇ କେଉଁଆଡ଼େ ନ ଚାହିଁ ଅଭିଭୂତ ହୋଇ ଆସର ବାହାରକୁ ବାହାରି ଆସିଲା । ହଠାତ୍‌ ତାକୁ ଜଣାଗଲା ଯେମିତି ଆସରର ସମସ୍ତଙ୍କ ଦୃଷ୍ଟି ତା’ରି ଉପରେ । ସମସ୍ତେ କୌତୂହଳରେ ତା’ରି ଆଡ଼କୁ ଚାହିଁ ରହିଛନ୍ତି । ପ୍ରଥମେ ଚିନ୍ତାକଲା ହଠାତ୍‌ ଡିଆଁ ମାରି ଆସର ବାହାରକୁ ଚାଲିଯିବ । ତା’ପରେ ସେ ଯାଇ ଗୋଟିଏ ଖୁଣ୍ଟ ପାଖରେ ଛିଡ଼ା ହେଲା । ଭୟରେ ତା’ର ଦେହ ହାତ ଠକ୍‌ଠକ୍‌ ହୋଇ ଥରୁଥିଲା । ଲଜ୍ଜା, ଅପମାନରେ ତା’ର ଅନ୍ତର୍ନିହିତ ସୂକ୍ଷ୍ମ ଅନୁଭୂତିର ପର୍ଦ୍ଦା ସମୂହରେ ଏକ ବେଖାପିଆ ଧରଣର କମ୍ପନ ସୃଷ୍ଟି ହେଉଥିଲା । ନିଜକୁ ଟିକେ ସମ୍ଭାଳି ଖୁଣ୍ଟ ଉହାଡ଼ରୁ ଉଁକି ମାରି ଚାରିଆଡ଼କୁ ଦେଖିଲା । ଚାରିକଡ଼େ ଚାକର ବାକର, ଉପର ବାରଣ୍ଡାରେ ପରଦା ପାଖରେ ସ୍ତ୍ରୀଲୋକମାନେ, ଚାକରାଣୀ ରାନ୍ଧୁଣୀମାନେ ତଳ ବାରଣ୍ଡାରେ ଛିଡ଼ା ହୋଇଥିଲେ । ସେମାନେ ସମସ୍ତେ ଏ ଘଟଣାଟି ବି ଦେଖିଥିବେ । କ’ଣ ଭାବୁଥିବେ ସେମାନେ ! ନ ଜାଣି କି କାଣ୍ଡଟା ବା ସେ କରିପକେଇଲା ! ସେ କ’ଣ ଜାଣିଥିଲା ଯେ ସେଇଠି ବାବୁମାନେ ବସିବେ ! ସେ ବାରମ୍ବାର ନିଜକୁ ମନକୁ ବୁଝେଇବାକୁ ଲାଗିଲା, ହୁଏତ କେହି ତାକୁ ଚିହ୍ନି ପାରିନଥିବେ । କିଏ ଜଣେ ବାହାରର ଲୋକଟା ଆସିଥିବ ବୋଲି ଭାବିଥିବେ । କିଏ ବା ଏତେ ଗହଳି ଭିତରେ ତାକୁ ଚିହ୍ନିଥିବେ ?

 

ତା’ପରେ ଥିଏଟର ଆରମ୍ଭ ହୋଇଗଲା । ସେ ଦିଗକୁ ଆଉ ତା’ର ଲକ୍ଷ୍ୟ ରହିଲାନି । ସାମନାରେ ଏତେ ଲୋକଙ୍କ ଗହଳି, ରୁଦ୍ଧ ପବନ, ଆଲୋକର ପରିପାଟୀ, ଦରୁଆନ୍‌, ଚାକରର ହଇଚଇ କୌଣସି କଥାକୁ ତା’ର ଖିଆଲ ନ ଥିଲା । ଛୋଟ ଖାନ୍‌ସାମା ଗୋଟିଏ ହଂସଭଳି ଦେଖାଯାଉଥିବା ରୁପାର ପାନଥାଳିଆରେ ନିମନ୍ତ୍ରିତ ଭଦ୍ରଲୋକଙ୍କ ଧାଡ଼ିରେ ପାନ ପରଶୁଥିଲେ । ତା’ ଆଡ଼କୁ ଚାହିଁ ଅପୁର ଦେହଟା କେମିତି ଝିମ୍‌ ଝିମ୍‌ ହୋଇଉଠିଲା । ଉପର ଘେରା ବାରଣ୍ଡା ଆଡ଼କୁ ଚାହିଁ ଭାବିଲା, ସେପଟେ ମା’ ନାହିଁ ତ ? ଏ କଥା ଯଦି ମା’ ଜାଣିପାରେ ? କିନ୍ତୁ ଅପୁର ଭୟ ସମ୍ପୂର୍ଣ୍ଣ ଅମୂଳକ ଥିଲା । ଅପୁର ମା’ ସେ ସମୟରେ ସେ ଅଞ୍ଚଳରେ ନ ଥିଲା କିମ୍ବା ତା’ ପାଖକୁ ଏସବୁ ଖବର ପହଞ୍ଚି ନ ଥିଲା ।

 

(୩୩)

 

ପରଘରେ ନିତାନ୍ତ ପରାଧୀନ ଭାବରେ ଚୋର ପରି ରହିବା ଘଟଣା ସର୍ବଜୟା ଜୀବନରେ ଏହା ପ୍ରଥମ । ସୁଖରେ ହେଉ, ଦୁଃଖରେ ହେଉ, ଏତେଦିନ ଧରି ସେ ହିଁ ତା’ ଘରର ଗୃହିଣୀ ହୋଇ ରହିଥିଲା । ଦରିଦ୍ର ସଂସାରର ରାଜରାଣୀ । ସେଠାରେ ତା’ର ଆଦେଶ ଏହି ବଡ଼ ଘରର ଗୃହିଣୀ ବୋହୂରାଣୀଠୁ କିଛି କମ୍‍ କାର୍ଯ୍ୟକାରୀ ହେଉନଥିଲା । ଏଠି ଯେମିତି ସବୁବେଳେ ସାଙ୍କୁଡ଼ି ହୋଇ ରହିବା କଥା । ସବୁବେଳେ ଅନ୍ୟର ମନକୁ ଜଗି ସୁହେଇଲା ଭଳି ଚଳିବାକୁ ହେବ । ଅନ୍ୟ ଲୋକର ମୁହଁକୁ ଅନେଇ ଅନେଇ ରାସ୍ତାଚାଲିବା ଭଳି ଘଟଣା । କାହା ପାନରୁ ଚୁନ ଖସିବନି ! ସାନଠୁ ବି ସାନ, ମହାସାନ । ଏ କଥା ଦିନକୁ ଦିନ ତା’ର ଅସହ୍ୟ ହୋଇଉଠୁଥିଲା । କାମ ଖଟଣିରେ ମୁହଁକୁ ରକ୍ତ ଉଠିଆସିବା ଭଳି ପରିସ୍ଥିତି ହୋଇଯାଏ । କେହି କିନ୍ତୁ ଏଥିପାଇଁ ଦୁଇପଦ ପ୍ରଶଂସା କରନ୍ତି ନାହିଁ । ଆଉ ସେମାନେ ଯେତେବେଳ ଦେବାକୁ ଚାହିଁବେ, ଗର୍ବ ସହିତ ତାଚ୍ଛଲ୍ୟ ଭାବରେ ଫିଙ୍ଗି ଫୋପାଡ଼ି ଦିଅନ୍ତି ତୁମକୁ ପରିଶ୍ରମର ମୂଲ୍ୟ ଦେଉଛନ୍ତି ବୋଲି ସସମ୍ମାନେ ଦେବେନି । ତୁମକୁ ଆଣ୍ଠୁ ଭାଙ୍ଗି ଗ୍ରହଣ କରିବାକୁ ହେବ ।

 

ଏସବୁ ଧିରେ ଧିରେ ତା’ର ଅସହ୍ୟ ହୋଇ ଉଠୁଥିଲା । କିନ୍ତୁ ତା’ଛଡ଼ା ଉପାୟ ବା କ’ଣ ଅଛି ?... ବାହାରକୁ ଯିବାର ସୁବିଧା କାହିଁ ? କିଏ ବା ଆଶ୍ରୟ ଦେବ ? କେଉଁଠି ଯାଇ ଛିଡ଼ା ହେବ ?...

 

ଚିରକାଳ କ’ଣ ଏମିତି କଟିଯିବ ? ଯେତେଦିନ ବଞ୍ଚିଥିବ, ସେତେଦିନ ? ଏହି ବ୍ରାହ୍ମଣୀ ମାଉସୀ ପରି ?...

 

ବିବାହ ଉତ୍ସବର ପର୍ବ ଏଯାଏ ବି ଶେଷ ହୋଇନି । ଆଜି ସ୍ତ୍ରୀଲୋକମାନଙ୍କ ପାଇଁ ପ୍ରୀତିଭୋଜନ । ସନ୍ଧ୍ୟା ପରଠୁ ନିମନ୍ତ୍ରିତ ମହିଳାମାନଙ୍କ ଗାଡ଼ି ପଛପଟ ଗେଟ୍‌ ଦେଇ ଆସିବାକୁ ଆରମ୍ଭ କଲାଣି । ଭିତରର ବଡ଼ ଦୁଆରଟା ପାରିହେଲେ ହିଁ ସାମନାରେ ନାରୀମହଲରେ ଦୁଇ ମହଲା ବାରଣ୍ଡାକୁ ଉଠିବା ପାଇଁ ସିଡ଼ି । ମାର୍ବଲର ସିଡ଼ି ଉପରେ ନୀଳଫୁଲିଆ କାର୍ପେଟ୍‌ ବିଛା ହୋଇଥିଲା । ବାରଣ୍ଡା ଯାକ ଓ ସିଡ଼ି କଡ଼େ କଡ଼େ ଗ୍ୟାସ ଆଲୁଅରେ ସଜା ହୋଇଛି । ଦୁଇ ମହଲାର ବାରଣ୍ଡାକୁ ଉଠିବା ଜାଗାଟିରେ ଗ୍ୟାସ ଆଲୁଅର ବଡ଼ ଝାଡ଼ଟିଏ ଝୁଲୁଥିଲା । ଦୁଇ ବୋହୂରାଣୀ ଓ ଘରର ଝିଅମାନେ ସମସ୍ତଙ୍କୁ ଅଭ୍ୟର୍ଥନା ଜଣେଇ ଉପରକୁ ଉଠେଇ ଦେଉଥିଲେ । ନିମନ୍ତ୍ରିତ ମହିଳାମାନଙ୍କ ମଧ୍ୟରେ କିଏ ମୁରୁକି ହସୁଥିଲା, କିଏ ବା ହସର ଲହରୀ ତୋଳୁଥିଲା । କିଏ ଧୀର, କିଏ କ୍ଷୀପ୍ର ଆଉ କେହି କେହି ସୁନ୍ଦର ଅପୂର୍ବ ଇଙ୍ଗିତରେ ସିଡ଼ି ଉପରକୁ ଉଠୁଥିଲେ ।

 

ଅପୁ ଅନେକ ସମୟ ଧରି ତଳ ବାରଣ୍ଡାର ଗୋଟିଏ ଖୁଣ୍ଟ ପାଖରେ ଛିଡ଼ା ହୋଇ ଏଦୃଶ୍ୟ ଦେଖୁଥିଲା । ଏଭଳି ଦୃଶ୍ୟ ଜୀବନରେ ପ୍ରଥମ ଥର ପାଇଁ ସେ ଦେଖିଲା । ସେଦିନ ବାହାଘର ରାତିରେ ଶୋଇ ପଡ଼ିଥିବାରୁ ସେ ବିଶେଷ କିଛି ଦେଖି ପାରିନଥିଲା । ସମସ୍ତଙ୍କ ଭିତରେ ତାକୁ ଏ ଘରର ଝିଅ ସୁଜାତାକୁ ଭାରି ଭଲ ଲାଗୁଥିଲା । ସେ କାର୍ପେଟ ବିଛା ମାର୍ବଲ ସିଡ଼ିରେ ଥରେ ଥରେ ଓହ୍ଲେଇ ଆସୁଥିଲା । ନିମନ୍ତ୍ରିତମାନଙ୍କ ଭିତରୁ କାହାକୁ ଚାହିଁ ହସହସ ମୁହଁରେ କହୁଥିଲା ବାଃ, ମଣିନାନୀ ଭଲ କଥା ତ ? ଆଠଟା ରାତିରେ ଆସୁଛ ? ବକୁଳବନର ଭାଉଜ କୁଆଡ଼େ ଗଲେ ? ଆସି ନାହାନ୍ତି ?

 

ଅଭ୍ୟର୍ଥିତ ସୁନ୍ଦରୀ ଜଣକ ହସି ହସି କହିଲେ ଗାଡ଼ି ସଜେଇ ସନ୍ଧ୍ୟା ଛ’ଟାରୁ ବସିଛି... ବାହାରିବାଟା ତ ସହଜ କଥା ନୁହେଁ ଭାଇ, ସବୁ ସଜବାଜ ନ ହେଲେ... ସବୁ ତ ଜାଣିଛୁ...

 

ସୁଜାତା କାଞ୍ଚନ ଫୁଲ ରଙ୍ଗର ଦାମୀ ଚାଇନା କ୍ରେପ୍‌ କନାର ହାତ କଟା ଜାମାଟିଏ ପିନ୍ଧିଥିଲା । ତା’ ଭିତରୁ ତା’ର ଧଳାରଙ୍ଗ-ସୁଗୋଲ୍‌, କଟୋଳ ବାହୁ ଦୁଇଟି ନିମନ୍ତ୍ରିତାକୁ ପଛରୁ ବେଷ୍ଟନ କରି ସ୍ନେହରେ ତା’ର ଡାହାଣ କାନ୍ଧରେ ମୁହଁ ରଖି ଏକା ସାଥିରେ ସିଡ଼ି ଉପରକୁ ଉଠୁଥିଲା । ଉଠୁ ଉଠୁ କହୁଥିଲା ମା’ କହୁଥିଲେ ବକୁଳ ବନର ଭାଉଜ ଆସନ୍ତା ମାସରେ କଲିକତା ଯିବେ ବୁଧବାର ଦିନ ମା’ ସେଠାକୁ ଯାଇଥିଲେ ଯେ କିଛି ଠିକ୍‌ଠାକ୍‌ ହେଲା ?

 

ସିଡ଼ିର ଉପର ପାହାଚରେ ମଝିଆ ବୋହୂ ରାଣୀଙ୍କ ସହିତ ଦେଖା ହୋଇଗଲା । ବୟସ ଟିକିଏ ବେଶି, ବୋଧହୁଏ ତିରିଶ ଉପରେ କିନ୍ତୁ ଅପୂର୍ବ ସୁନ୍ଦରୀ । ତାଙ୍କ ବେଶ ପୋଷାକରେ କିଛି ବାହୁଲ୍ୟ ନ ଥିଲା । ଗୋଟାଏ ଫିକା ଚମ୍ପାରଙ୍ଗର ଚଉଡ଼ା ନାଲି ଧଡ଼ିର ସିଲ୍‌କ ଶାଢ଼ୀ ପିନ୍ଧିଥିଲେ । ମୁଣ୍ଡର ଚୁଟିରେ ହୀରାର କ୍ଲିପ୍‌ଟିଏ ଲାଗିଥିଲା । ସିଡ଼ିର ଝାଡ୍‌ ଆଲୁଅରେ ବେକରେ ପଡ଼ିଥିବା ସୁନାର ସରୁ ଚେନ୍‌ ଖଣ୍ଡିକ ଚିକ୍‌ଚିକ୍‌ କରୁଥିଲା । ଦେହର ଗଠନ ସୁନ୍ଦର, ଟିକିଏ ଧୀର ଓ ଗମ୍ଭୀର ସ୍ୱଭାବର । ଏ ବୟସରେ ବି ଦେହର ରଙ୍ଗ ଦୁଧଅଳତା ଆଭାରେ ଅପୂର୍ବ ଦିଶୁଥିଲା । ପ୍ରାୟ ମାସେ ପୂର୍ବରୁ ତାଙ୍କର ଉପଯୁକ୍ତ ଭାଇ ଜଣକ ମରିଯାଇଛନ୍ତି । ତେଣୁ ଏ ଯାଏ ବି ବିଷାଦର ଛାଇ ଟିକକ ତାଙ୍କ ମୁହଁରେ ଛାପ ପକେଇଛି । ତଥାପି ତାଙ୍କର ପରିଣତ ମୁହଁର ସୌନ୍ଦର୍ଯ୍ୟକୁ ଏକ ପ୍ରକାରର ସଂଯତ ଶ୍ରୀ ପ୍ରଦାନ କଲା ପରି ଜଣାପଡ଼ୁଥିଲା ।

 

ମଣିନାନୀ ସିଡ଼ି ଚଢ଼ୁ ଚଢ଼ୁ ମଝିଆ ବୋହୂ ରାଣୀଙ୍କୁ ସାମନାରେ ଦେଖି ସିଡ଼ି ଉପରେ ଛିଡ଼ା ହୋଇଗଲେ ମଝିଆ ଭାଉଜଙ୍କ ଦେହ ଆଜିକାଲି କେମିତି ଅଛି ? ତୁମ ପାଖକୁ ଥରଟିଏ ଆସିବି ଆସିବି ବୋଲି... କାଲି ହିଁ ଏମାନେ ସବୁ ‘ଏଟୋୟା’ରୁ ଆସିଲେ, ସେଥିପାଇଁ ଅନେକ ରାତିଯାଏ...

 

ମଣିଷ ସବୁ ଏତେ ସୁନ୍ଦର ଦେଖିବାକୁ ଥାଆନ୍ତି, ଏ କଥା ଅପୁର ଧାରଣା ବାହାରେ ଥିଲା । ଅପୁ ତାଙ୍କୁ ଆଜି ପ୍ରଥମ ଥର ପାଇଁ ଦେଖିଲା, କାରଣ ସେ ଏତେଦିନ ଏଠାରେ ନ ଥିଲା । ଭାଇର ମୃତ୍ୟୁପରେ ଏବେ କେତେଦିନ ହେଲା ବାପଘରୁ ଫେରିଛନ୍ତି । ସେ ମୁଗ୍‍ଧ ନୟନରେ ଅପଲକ ବିସ୍ମୟଭରା ଦୃଷ୍ଟିରେ ତାଙ୍କଆଡ଼େ ଚାହିଁ ରହିଲା । ଏମିତି ଆଲୋକ ସଜ୍ଜା, ଚାରିପଟେ ସୁନ୍ଦରୀମାନଙ୍କ ମେଳା, ଦାମୀ ଅତରର ମୃଦୁ ମନମତାଣିଆ ସୌରଭ, ବୀଣାର ଝଙ୍କାର ଭଳି ସ୍ୱର ଲହରୀ ଭିତରେ ତା’ ମନ ଭିତରେ କେମିତି ଏକ ନିଶା ଘାରି ଆସୁଥିଲା । ଏମିତି ଯଦି ଦିନଯାକ ଚାଲୁଥାନ୍ତା ?...

 

ମଝିଆ ବୋହୂରାଣୀ ଅନେକ ସମୟରୁ ଲକ୍ଷ୍ୟ କରୁଥିଲେ, କିଏ ଜଣେ ଅପରିଚିତ ପିଲା ସିଡ଼ିକୋଣରେ ଛିଡ଼ା ହୋଇଛି । ସମସ୍ତଙ୍କୁ ସେ ଜାଣନ୍ତିନି । ତାଙ୍କର ବାପା ବି ଖୁବ୍‌ ବଡ଼ ଲୋକ । ପ୍ରାୟ ସେ ବାପଘରେ ରହିଥାନ୍ତି । ଦୁଇ ପାହାଚ ଓହ୍ଲେଇ ଆସି ମୃଦୁ ସ୍ୱରରେ ଡାକିଲେ ଆରେ ବାବୁ, ଉଠି ଆସିଲୁ । ଛିଡ଼ା ହୋଇଛ କାହିଁକି ? ତୁମେ କେଉଁଠୁ ଆସିଛ ?

 

ଅପୁ ଅନ୍ୟଦିଗକୁ ଚାହିଁ ଆଉ ଦଳେ ଆଗନ୍ତୁକମାନଙ୍କ ଆଡ଼କୁ ଲକ୍ଷ୍ୟ କରୁଥିଲା । ହଠାତ୍‌ ଫେରି ଚାହିଁ ଜାଣିପାରିଲା ଯେ ମଝିଆ ବୋହୂରାଣୀ ତାକୁ ହିଁ ଡାକୁଛନ୍ତି । ସେ ବିସ୍ମିତ ହୋଇଗଲା, ନିଜକୁ ନିଜେ ବିଶ୍ୱାସ କରିପାରିଲାନି । ତା’ପରେ ଦୁନିଆଯାକ ଲାଜ ମାଡ଼ିବସିବାରୁ ସେ ଧାଇଁ ପଳେଇଯିବ କିମ୍ବା ଉପରକୁ ତାଙ୍କ ପାଖକୁ ଉଠିଯିବ ଭାବୁଛି ଏହି ସମୟରେ ସେ ନିଜେ ଓହ୍ଲେଇ ପାଖକୁ ଆସି ପଚାରିଲେ କେଉଁଠୁ ଆସିଛ, ବାବୁ ?...

 

ଅନେକ କଷ୍ଟରେ ଅପୁ ମୁହଁରୁ କଥା ବାହାରିଲା । ସେ କହିଲା ମୁଁ... ମୁଁ... ଏଇ ମୋ ମା’ ଏ ଘରେ ରହେ । ସଙ୍ଗେ ସଙ୍ଗେ ତା’ର ଭୀଷଣ ଭୟ ହେଲା ଯେ ସେ ଏଇଠି ଗହଳି ଭିତରେ ଛିଡ଼ା ହୋଇଛି କେଉଁଠିକାର ଗୋଟାଏ ରାନ୍ଧୁଣୀର ପୁଅ ଏ କଥା ଶୁଣିଲେ ସେ ହୁଏତ କାହାକୁ ଡାକି କହିବେ ୟାକୁ ଏଇଠୁ ଧକ୍କା ଦେଇ ବାହାର କରିଦିଅ ।

 

ମଝିଆ ବୋହୂରାଣୀ କିନ୍ତୁ ସେମିତି କିଛି କଲେନି । ସେ ବିସ୍ମିତ ହୋଇ କହିଲେ ତୁମ ମା’ ଏଇ ଘରେ ରୁହନ୍ତି ?... କିଏ କୁହ ତ... କ’ଣ କରନ୍ତି ? କେତେଦିନ ହେଲା, ତୁମେମାନେ ଆସିଛ ?

 

ଅପୁ ଭଙ୍ଗା ଭଙ୍ଗା କଥାରେ ଆବୁଲ୍‌ତାବୁଲ୍‌ କରି ପରିଚୟ ଦେଲା । ସେ ବୋଧହୁଏ ଏମାନଙ୍କ କଥା ଏଥର ଆସି ଶୁଣିଥିଲେ । କହିଲେ ତୁମ ମା’ କାଶୀରୁ ଆସିଛନ୍ତି ନା ?... ତୁମ ନାମ କ’ଣ ?... ତା’ର ସୁନ୍ଦର, ସରଳ ଆଖିଯୋଡ଼ିକ ଦେଖି ବୋଧହୁଏ କେମିତି କରୁଣା ହେଲା, କହିଲେ ଆସ, ଉପରେ ଛିଡ଼ା ହେବ ଏଇଠି କାହିଁକି ଛିଡ଼ା ହୋଇଛ ? ଉପରକୁ ଆସ

 

ଅପୁ ବୋହୂରାଣୀଙ୍କ ପଛେ ପଛେ ଚୋରଟିଏ ପରି ଉପରକୁ ଉଠି ଗୋଟିଏ କୋଣକୁ ଲାଗି ଛିଡ଼ାହେଲା

 

ଉପରେ ଝିଅମାନଙ୍କର ମଜଲିସ ଜମିଯାଇଛି । ବାରଣ୍ଡାଯାକ କାର୍ପେଟ୍‌ ବିଛା ହୋଇଛି । କଡ଼କୁ ଲାଗି ବଡ଼ ବଡ଼ ଶିଙ୍ଗର କୁଣ୍ଡରେ ଗୋଲାପ ଚାରା, ଏରିକା ପାମ୍‌ ଧାଡ଼ିରେ ରଖାଯାଇଛି । କୋଣରେ ବଡ଼ ବୈଠକଖାନାର ଅର୍ଗାନ୍‌ ଥୁଆ ହୋଇଛି । ଜଣେ ଝିଅ କିଛି ସମୟ ଧରି ଅର୍ଗାନ୍‌ଟିକୁ ମୋଡ଼ାମୋଡ଼ି କରି ପାଖରେ ଥିବା ଛୋଟ ଗଦିବାଲା ଟୁଲ୍‌ ଉପରେ ବସିଲେ । ଥରେ ଦୁଇଥର ହାଲୁକା ଭାବରେ ଚାବି ଚିପାଚିପି କରି କିଛି ସମୟ ଚୁପ୍‌ ରହି ହସ ହସ ମୁହଁରେ ଗୋଟିଏ ଗୀତ ଗାଇବାକୁ ଆରମ୍ଭ କଲେ । ଝିଅଟି ଦେଖିବାକୁ ସେତେ ସୁନ୍ଦରୀ ନୁହେଁ, ରଙ୍ଗଟା ମଧ୍ୟମ ଧରଣର କିନ୍ତୁ କଣ୍ଠସ୍ୱରଟି ଅତି ମଧୁର । ତା’ପରେ ଆଉ ଜଣେ ଝିଅ ଗୀତ ଗାଇଲା । ସେ ଝିଅଟି ଦେଖିବା ପାଇଁ ସେତେ ଭଲ ନ ଥିଲା । ତା’ପରେ ମଝିଆ ବୋହୂରାଣୀଙ୍କ ଝିଅ ଲୀଳା ଗୋଟିଏ ହସର କବିତା ବେକ ହଲେଇ ହଲେଇ ଆବୃତ୍ତି କରି ସମସ୍ତଙ୍କୁ ଖୁବ୍‌ ହସେଇ ଥିଲା । ଭାରି ସୁନ୍ଦର ଝିଅଟି, ମା’ଭଳି ସୁଶ୍ରୀ । ହସଟି ବେଶ୍‌ ମିଠା ।

 

ଅପୁ ମନେ ମନେ ଭାବୁଥିଲା, ଏମିତି ସମୟରେ ଥରଟିଏ ତା’ ମା’ ଆସି ଦେଖିନଥା’ନ୍ତା ? କେଉଁଠି ଅଛି ସେ କେଜାଣି, ରୋଷେଇ ଘରେ ଥିବ, ରନ୍ଧାରନ୍ଧି କାମରେ ବ୍ୟସ୍ତଥିବ । ଏସବୁ କ’ଣ ସେ ଆଉ ଦେଖିପାରିବ ?

 

ସ୍ତ୍ରୀଲୋକମାନଙ୍କର ମଜଲିସ୍‌ ଚାଲିଥିଲା, ଏମିତି ସମୟରେ ତଳ ମହଲାରେ ଗୋଟିଏ ହଇଚଇ ଶବ୍ଦ ଶୁଣାଗଲା । ଗିରୀଶ ସରକାରଙ୍କ ଗଳାଟା ବେଶ୍‌ ବାରି ହେଉଥିଲା ।

 

ସଦୁ ଚାକରାଣୀ ହସି ହସି ଉପରକୁ ଉଠିଆସି କହିଲା ପୋଡ଼ାମୁହିଁ !... କାଣ୍ଡ ଦେଖ... ହି ହି... କହୁଚି କ’ଣ ନା ହୁକା ଭିତରେ... ହି... ହି... ।

 

ଦୁଇ ତିନିଜଣ ନିମନ୍ତ୍ରିତା ଭଦ୍ରମହିଳା ପଚାରିଲେ କ’ଣ ହେଲା କିରେ ? କ’ଣ ହେଇଚି ?

 

ସେଇ ଯେଉଁ ଠିକାରେ ରୋଷେଇଆ ଜଣେ ଆସିଥିଲା କେଉଁଠୁ... ଲୁଚି ଛାଣୁଥିଲା ବସି.... ସରକାରଙ୍କର ଘରର ଅଗଣାରେ ବସି ଲୁଚି ଛାଣୁଥିଲା... କହିଲା, ବାହାରୁ ଟିକିଏ ଆସୁଛି... ହୁକା ଭିତରେ... ହି, ହି... ଚୋରି କରି ନେଇ ଯାଉଥିଲା । ଅଧସେରଠୁ ବେଶି... ଗୁମାସ୍ତା ମହାଶୟ ହାତରେ ଧରା ପଡ଼ିଯାଇଛି... ରାମ ନିହାର ସିଂ ଯେଉଁ ମାଡ଼ ଦେଉଛି ନା... ତା’ ମଥାର ଟିକିଟା ଧରି...

 

ଆଜି ସକାଳଠୁ ସର୍ବଜୟାର ନିଶ୍ୱାସ ନେବାର ବି ଫୁରୁସତ୍‌ ନ ଥିଲା । ପ୍ରାୟ ଦୁଇମହଣ ମାଛ ଭାଜିବାର ଦାୟିତ୍ୱ ତା’ ଉପରେ ଥିଲା । ସକାଳ ଆଠଟାରୁ ସେ ମାଛ ଘରେ ସେହି କାମରେ ଲାଗିଥିଲା । ପାଟିତୁଣ୍ଡ ଶୁଣି ସେ ଘରୁ ବାହାରି ଆସି ଦେଖିଲା ବାହାର ଅଗଣାରେ ଜଣେ ପଚିଶ-ତିରିଶ ବର୍ଷର ମଇଳା ଲୁଗାପିନ୍ଧା ପତଳା କଳାରଙ୍ଗର ବ୍ରାହ୍ମଣ ପିଲାକୁ ଦୁଇ ତିନିଜଣ ମିଶି ପିଟୁଛନ୍ତି । କିଏ ଦୁଇଟା ବିଧା, କିଏ ଚାପୁଡ଼ା କଷି ଦେଉଛନ୍ତି । ଲୋକଟା ଠିକା ରୋଷେଇଆ, ଆଜିର କାମ ପାଇଁ ବାହାରୁ ଅଣାଯାଇଥିଲା । ସେ ହୁକା ଭିତରେ ଘିଅ ଚୋରି କରି ନେଇଯାଉଥିଲା । ତା’ର ସେହି ହୁକାଟି ଗୋଟାଏ କଡ଼କୁ ଛିଟ୍‌କି ପଡ଼ି ଘିଅତକ ଅଗଣାରେ ପଡ଼ିଯାଇଛି । ତା’ର ଧୋତି କଛା ମାଡ଼ ଚୋଟରେ ଖୋଲିଯାଇଛି । ଲୋକଟି ବିପନ୍ନ ଭାବରେ ସଫେଇ ଦେବାରେ ଚେଷ୍ଟା କରୁଛି । ହୁକା ଭିତରୁ ଘିଅ ପାଇବାଟା ଗୋଟିଏ ସାଧାରଣ ଓ ନିତ୍ୟନୈମିତ୍ତିକ ଘଟଣା କିମ୍ବା ଏଥିରେ ସନ୍ଦେହ କରିବାର ବା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏହି କଥାତକ ସେ ଉନ୍ମତ୍ତ ଜନତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା । କଥାଟା ଶେଷ କରିବାକୁ ନ ଦେଇ ଦରୁଆନ୍‌ ଶମ୍ଭୁନାଥ ସିଂ ତାକୁ ଏମିତି ଭାବରେ ଠେଲିଦେଲା ଯେ ସେ ଅସ୍ପଷ୍ଟ ଭାବରେ ବାପା ଲୋ କହି ଅଗଣାର ଗୋଟିଏ କୋଣରେ ଥିବା ଖୁଣ୍ଟ ଦେହରେ ବୁଲି ବୁଲି ପଡ଼ିଗଲା । ମୁଣ୍ଡଟା ଖୁଣ୍ଟ ଦେହରେ ଠକ୍‌କିନା ଜୋରରେ ବାଜି ରକ୍ତ ବାହାରି ଆସିଲା ।

 

ସର୍ବଜୟା କ୍ଷେମି ଚାକରାଣୀକୁ ପଚାରିଲା କ୍ଷେମି ମାଉସୀ, କ’ଣ ହେଇଚି ?... ଆହା, ଏମିତି ଭାବରେ ପିଟୁଛନ୍ତି ?... ବ୍ରାହ୍ମଣ ପିଲାଟା... କ୍ଷେମି କହିଲା ମାରିବେନି ! ହାଡ଼ ଗୁଣ୍ଡ କରି ଛାଡ଼ିବେ... ମାଡ଼ କ’ଣ ଆରମ୍ଭ ହେଲାଣି.... ପୁଲିସରେ ଦେବେ । ବାଘ ଘରେ ମିରଗର ନାଟ

 

କ୍ଷେମି ଚାକରାଣୀର ମୁହଁର କଥା ମୁହଁରେ ରହିଗଲା ।

 

ସେ ଉପରକୁ ଉଠିବାର ସିଡ଼ି ଆଡ଼କୁ ଚାହିଁ ତଟସ୍ଥ ଅବସ୍ଥାରେ ରହିଗଲା । ସର୍ବଜୟା ବି ଅନେଇ ଦେଖିଲା । ସିଡ଼ିରୁ ଜଣେ ପଉଁଷଠି-ସତୁରୀ ବର୍ଷର ବୃଦ୍ଧା ଓହ୍ଲେଇ ଆସୁଛନ୍ତି । ତାଙ୍କ ପାଖକୁ ଲାଗି ଗୃହିଣୀ, ପଛରେ ଦୁଇ ବୋହୂରାଣୀ ଆଉ ଏ ଘରର ଝିଅ ଅରୁଣା ଓ ସୁଜାତା । ସବୁ ଚାକର-ଚାକରାଣୀ ଦଳ ତଳେ ତଟସ୍ଥ ଅବସ୍ଥାରେ ସିଡ଼ିତଳେ ବାରଣ୍ଡାରେ ଏକାଠି ଛିଡ଼ା ହୋଇଛନ୍ତି । କିଏ କାହା ପଛପଟୁ ଉଁକି ମାରି ଦେଖୁଥିଲେ । ସର୍ବଜୟା କ୍ଷେମି ଚାକରାଣୀକୁ ଚୁପ୍‌ ଚୁପ୍‌ ପଚାରିଲା ଇଏ କିଏ କ୍ଷେମି ମାଉସୀ ? କ୍ଷେମି ଫୁସ୍‌ଫୁସ୍‌ କରି କହିଲା ଠିକ୍‌ ଶୁଣାଗଲାନି । କିନ୍ତୁ ଏତିକି ଜାଣିପାରିଲା ଯେ କେଉଁଠିକାର ରାଣୀ ମା’ । କିନ୍ତୁ, ତା’ର ମନେହେଲା, ଏମିତିକା ଚେହେରାର ମଣିଷ ସେ ଯେମିତି ଆଗରୁ କେଉଁଠି ଦେଖିଛି । ଗୃହିଣୀ କାହାକୁ ପଠେଇଲେ, ପଛପଟ ଦୁଆର ପାଖକୁ ତାଙ୍କର ପାଲିଙ୍କି ଆସିଛି କି ନାହିଁ ଦେଖିବାକୁ । ବୃଦ୍ଧା ସହିତ ଦୁଇ ତିନିଜଣ ଚାକରାଣୀ ବି ଆସିଛନ୍ତି । ସେମାନେ ପଛେ ପଛେ ଚାଲିଥିଲେ । ବିଦାୟର ନାନା ଆପ୍ୟାୟନର ଆଦାନ ପ୍ରଦାନ ହେଲା । ଅନେକ ବିନୀତ ହସ ପ୍ରକଟିତ ହୋଇଥିଲା । ହଠାତ୍‌ ଏ ଘରର ଚାକରାଣୀ ଦଳ ମାଟିରେ ଲମ୍ବ ହୋଇ ଗଡ଼ି ପ୍ରଣାମ କରିବାକୁ ଯାଇ କିଛି ସମୟ ତଳେ ପଡ଼ି ରହିଲେ । ସର୍ବଜୟା ମନରେ ଭାବିଲା, ଏମାନେ ତ ଏତେ ବଡ଼ଲୋକ, ଏତେ ଖାତିର ଯେତେବେଳେ ଏମାନେ ତାଙ୍କୁ କରୁଛନ୍ତି ତା’ହେଲେ ସେ କ’ଣ କିଛି କମ୍‍ ଲୋକ ହୋଇଥିବେ... ବୃଦ୍ଧାଙ୍କ ଷୋହଳ ଜଣ ବାହକ ପ୍ରକାଣ୍ଡ ପାଲିଙ୍କିଟା ପଛପଟ ଫାଟକ ପାଖରେ ଏତେ ସମୟ ଯାଏ ଥିଲା । ବୃଦ୍ଧା ଜଣକ ପାଲିଙ୍କିରେ ଚଢ଼ିଲେ । ତାଙ୍କର ଦରୁଆନ୍‌ମାନେ ପାଲିଙ୍କିର ଆଗପଛରେ ଛିଡ଼ା ହୋଇଗଲେ । ତାଙ୍କୁ ବିଦାୟ ଦେଇ ଗୃହିଣୀ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ ଉପରକୁ ଉଠିଗଲେ ।

 

ମାଉସୀ ରୁଟି ଘରକୁ ପଶି ଆସି ଚୁପ୍‌ ଚୁପ୍‌ କହିଲେ ପଇସାରେ ବାବୁ, ଦେଖିଲତ ପଇସାର କେମିତି ଆଦର ? ନିଜର ବିରାଟ ଜମିଦାରୀ । ଦୁଇ ଲକ୍ଷ ଟଙ୍କା ଦାନ କରିଛନ୍ତି ପୂର୍ବ ବଙ୍ଗର କେଉଁ ଏକ କଲେଜ ପାଇଁ । ସବୁ ପଇସାର ଆଦର... ଆଉ ଦେଖୁନ ମୋତେ... ମୁଁ ବି ତ ବଞ୍ଚିଛି... ଏମାନଙ୍କର ଆପଣାର ଲୋକ... କେହି ପଚାରେ ନା ଗ୍ରାହ୍ୟକରେ ।

 

ସର୍ବଜୟାର କିନ୍ତୁ ସେ କଥାରେ ମନ ନ ଥିଲା । ଏବେ ତା’ର ମନେପଡ଼ିଛି । ଏମିତି ଚେହେରାର, ଏହି ବୟସର ତା’ର ସେହି ନଣନ୍ଦ ଇନ୍ଦିରା ଠାକୁରାଣୀ । ଛିଣ୍ଡା ଲୁଗାରେ ଗେରୁଆ ରଙ୍ଗ ଦେଇ ପିନ୍ଧୁଥିଲେ, ଭଙ୍ଗା ପଥୁରୀ ଥାଳିରେ ଆମ୍ବଡ଼ା ଭାତରେ ସିଝେଇ ଭାତ ଖାଉଥିଲେ । ସାମାନ୍ୟ ଗୋଟିଏ ଆତ ପାଇଁ କେତେ ଅପମାନ ବିଚାରୀ ସହିଥିଲେ । କେହି ପଚାରି ନ ଥିଲେ, କେହି ମନେଇ ନ ଥିଲେ । ସେହି ଦୁଇ ପହର ସମୟରେ, ଘରୁ ବାହାର କରିଦେବା ଆଉ ରାସ୍ତାରେ ପଡ଼ି ସେ ଯେଉଁ ଦୀନ ମୃତ୍ୟୁ...

 

ସର୍ବଜୟାର ଆଖିରେ ଲୁହ ସବୁ ଆଉ ବାଧା ମାନିନଥିଲା । ମଣିଷର ଅନ୍ତର ବେଦନା ମୃତ୍ୟୁର ପର ପାରିରେ ପହଞ୍ଚି ପାରେ କି ନା ସର୍ବଜୟା ଜାଣେନି, ତଥାପି ସେ ଆଜି କାହିଁକି ବାରମ୍ବାର ନିଜ ମନରେ କ୍ଷମା ମାଗି ଅପରିଣତ ବୟସର ଅପରାଧର ପ୍ରାୟଶ୍ଚିତ୍ତ କରିବାକୁ ଇଚ୍ଛାକଲା ।

 

(୩୪)

 

କିଛିଦିନ ପରର ଘଟଣା । ଅପୁ ବାରଣ୍ଡାରେ ଯାଉଥିଲା । ଉପରୁ ସିଡ଼ିରେ ମଝିଆ ବୋହୂରାଣୀଙ୍କ ଝିଅ ଲୀଳା ଓହ୍ଲଉଥିଲା । ତାକୁ ଦେଖିପାରି କହିଲା ଛିଡ଼ା ହୁଅ । ତୁମ ନାମ ଅପୁ ନା ?

 

ଅପୁ କହିଲା ମା’ ଅପୁ ବୋଲି ଡାକନ୍ତି ମୋ ଭଲ ନାମ ଶ୍ରୀ ଅପୁର୍ବ କୁମାର ରାୟ...

 

ସେ ଟିକିଏ ଅବାକ୍‌ ହୋଇଗଲା । ଏ ଘରର ପୁଅଝିଅମାନେ କେବେବି ତାକୁ ଡାକି ତା’ ସହିତ କଥାବାର୍ତ୍ତା ହୁଅନ୍ତିନି । ଲୀଳା ପାଖରେ ଆସି ଛିଡ଼ା ହେଲା । କେତେ ସୁନ୍ଦର ମୁହଁଟି ? ରାନୁନାନୀ, ଅତସୀ ନାନୀ, ଅମଳା ନାନୀ ସମସ୍ତେ ଦେଖିବାକୁ ଭଲ ହେଲେ ସେତେବେଳେ ସିଏ ତାଙ୍କଠୁ ସୁନ୍ଦର କାହାକୁ ଦେଖି ନ ଥିଲା । ଏ ଘରକୁ ଆସି ତା’ର ପୂର୍ବର ଧାରଣା ସବୁ ବଦଳିଯାଇଛି । ବିଶେଷ କରି ମଝିଆ ବୋହୂରାଣୀଙ୍କ ଭଳି ସୁନ୍ଦର କୌଣସି ସ୍ତ୍ରୀ ଲୋକକୁ ସେ କଳ୍ପନା ବି କରିପାରିନଥିଲା । ଲୀଳା ଠିକ୍‌ ତା’ ମାଆ ପରି ସୁନ୍ଦରୀ । ସେଦିନ ସ୍ତ୍ରୀ ଲୋକଙ୍କ ମଜଲିସରେ ସେ ହସର କବିତା ଆବୃତ୍ତି କରୁଥିଲା । ଅପୁ ତା’ ମୁହଁକୁ ଏକଲୟରେ ଚାହିଁ ରହିଥିଲା । କି କବିତା ସେ କହୁଥିଲା, ସେ ଭଲଭାବେ ଶୁଣି ନ ଥିଲା ।

 

ଲୀଳା ପଚାରିଲା ତୁମେ ସବୁ ଏ ଘରକୁ କେତେଦିନ ହେଲା ଆସିଲଣି ? ଗତଥର ଆସି ମୁଁ ତ ତୁମମାନଙ୍କୁ ଦେଖିନି ?

 

ଆମେ ଫଗୁଣ ମାସରେ ଆସିଛୁ । ଏଇ ଫଗୁଣରେ

 

କେଉଁଠୁ ଆସିଛ, ତୁମେମାନେ ?

 

କାଶୀରୁ । ମୋ ବାପା ସେଇଠି ମରିଗଲେ ତ ସେଥିପାଇଁ

 

ଅପୁର ଯେମିତି ବିଶ୍ୱାସ ହେଉନଥିଲା । ସମସ୍ତ ଘଟଣା ଯେମିତି ଅବାସ୍ତବ ଓ ଅସମ୍ଭବ ମନେହେଉଛି । ଲୀଳା, ମଝିଆ ବୋହୂରାଣୀଙ୍କ ଝିଅ ଲୀଳା ତାକୁ ଖୋଜିଲୋଡ଼ି କଥା କହୁଛି ! ଖୁସିରେ ସାରା ଦେହ କେମିତି ହେବାକୁ ଲାଗିଲା ।

 

ଲୀଳା କହିଲା ଚାଲ ମୋ ପଢ଼ାଘରେ ଯାଇ ବସିବା । ମାଷ୍ଟର ମହାଶୟଙ୍କ ଆସିବା ସମୟ ହେଲାଣି ଆସ

 

ଅପୁ ପଚାରିଲା ମୁଁ ଯିବି ?

 

ଲୀଳା ହସି ହସି କହିଲା ବାଃ, କହୁଛି ତ ଆସ ବୋଲି, ତୁମେ ବହୁତ ଲାଜକୁରା ? ଆସ ତୁମେ ମୋ ପଢ଼ାଘର ଦେଖିନ ? ସେ ପଶ୍ଚିମପଟେ ବାରଣ୍ଡା କୋଣରେ ?...

 

ଘରଟି ବେଶି ବଡ଼ ନ ହେଲେ ଖୁବ୍‌ ସାଜସଜ୍ଜା ହୋଇଥିଲା । ଗୋଟିଏ ପଥରର ଛୋଟ ଟେବୁଲ୍‌ ଦୁଇକଡ଼ରେ ଦୁଇଟି ଚମଡ଼ାର ଗଦିଲଗା ଚେୟାର ରଖାଯାଇଥିଲା । ବଡ଼ ଛବି ଥିବା କ୍ୟାଲେଣ୍ଡରଟିଏ ଟଙ୍ଗା ହୋଇଥିଲା । ସବୁଜ କଇଁଛ ଖୋଳରେ ଛୋଟ ଟାଇମ୍‌ପିସ୍‌ ଘଣ୍ଟାଟିଏ । ବହି ରଖିବା ପାଇଁ ଛୋଟ ଥାକଟିଏ । ଏପଟ ସେପଟ କାନ୍ଥରେ ଚାରିପାଞ୍ଚଖଣ୍ଡ ବନ୍ଧା ଫଟୋ । ଲୀଳା ଚମଡ଼ା ଆଟାଚିଟିଏ ଖୋଲି କହିଲା ଏଇ ଦେଖ ମୋର ଜଳଛବି । ମାଷ୍ଟର ମହାଶୟ କିଣି ଦେଇଛନ୍ତି । ହରଣ ଶିଖିଗଲେ ଆହୁରି ଜଳଛବି ଆଣିଦେବେ । ଜଳଛବି ଆଙ୍କି ଜାଣ ?

 

ଅପୁ କହିଲା ତୁମେ ହରଣ ଜାଣିନ ?

 

ତୁମେ ଜାଣ ? ହରଣ କଷିବ ?

 

ଅପୁ ତାଚ୍ଛଲ୍ୟ ସହିତ ଓଠ ଲେଉଟାଇ କହିଲା କେବେ !

 

ଏମିତି ଭଙ୍ଗିରେ ଅପୁର ସୁନ୍ଦର ମୁହଁଟି ଅଧିକ ସୁନ୍ଦର ଦେଖାଗଲା । ଲୀଳା ହସି ପକେଇଲା ଆଉ କହିଲା ତୁମେ ବେଶ୍‌ ମଜାରେ କଥା କହି ଜାଣ ତ ? ତା’ପରେ ସେ ଅପୁର ଓଠତଳେ ହାତଦେଇ ପଚାରିଲା ଏଇଟା କ’ଣ ? ତିଳ ? ତୁମ ମୁହଁକୁ ବେଶ୍‌ ମାନୁଛି । ତୁମ ବୟସ କେତେ ? ତେର ? ମୋତେ ଏଗାର ବର୍ଷ ତୁମଠୁ ଦୁଇବର୍ଷ ସାନ

 

ଅପୁ କହିଲା ତୁମେ ସେଦିନ ଗୋଟିଏ ହସର କବିତା ମୁଖସ୍ଥ କରି ଆବୃତ୍ତି କରିଥିଲ, ମୋତେ ଭଲ ଲାଗୁଥିଲା

 

ତୁମେ କବିତା ଜାଣ ?

 

ଜାଣେ ବାପାର ଗୋଟାଏ ବହିଅଛି, ସେଇଠୁ ଶିଖିଛି

 

ମନେଅଛି, କହିଲ ଦେଖି ?

 

ଲୀଳାର କଣ୍ଠସ୍ୱର ଭାରି ମିଠା । କୌଣସି ଝିଅର ଏତେ ମିଠାସ୍ୱର ଯେ ଆଜି ପର୍ଯ୍ୟନ୍ତ ସେ ଶୁଣିନି ।

 

ଅପୁ ବେକ ହଲେଇ ହଲେଇ କହିଲା

 

ଯେଉଁ ଲୋକଟି ନଡ଼ା ପାତି ଖଜୁରୀ ସପରେ ଶୁଏ

ଖଟ ପଲଙ୍କ ସଫା ମଶାରୀ ତାକୁ କି ଶୋଭା ଦିଏ ?

 

ଗୀତ ଶେଷରେ ପଚାରିବା ଭଙ୍ଗୀରେ ବେକ ବଙ୍କେଇ ଦେଲା । କହିଲା ଦାଶୁ ରାୟଙ୍କ ପାଞ୍ଚାଳୀର ଢଗ, ମୋ ପାଖରେ ବହି ଅଛି ଲୀଳା ହସି ହସି ଗଡ଼ିଗଲା । କହିଲା ତୁମେ ବେଶ୍‌ ମଜା କଥା ଜାଣ ଦେଖୁଛି । ଏତେ ହସେଇ ପାର ତୁମେ !...

 

ଲୀଳା ମୁହଁରୁ ପ୍ରଶଂସା ଶୁଣି ଖୁସିରେ ଅପୁ ଆଠଖଣ୍ଡ ହେବା ଉପରେ । ସେ ଉତ୍ସାହିତ ହୋଇ କହିଲା ଆଉ ଗୋଟାଏ କାହିଁକି ? ମୁଁ ଆହୁରି ଅନେକ ଜାଣେ ପରେ ସେ ଛାତର କଡ଼ିକାଠ ଆଡ଼କୁ ଆଖି ଉଠେଇ ଚାହିଁ, କିଛି ସମୟ ଭାବିଲା, ତା’ପରେ ପୁଣି ବେକ ଦୋହଲେଇ ଆରମ୍ଭ କଲା

 

ମୁନିର ଚିନ୍ତା ଚିନ୍ତାମଣି ନାହିଁ ଅନ୍ୟ ଆଶା

ନିଷ୍କର୍ମାଙ୍କ ଚିନ୍ତା ଅଟେ ତାସ ଆଉ ପଶା ।

ଧନୀର ଚିନ୍ତା ଧନ ଆଉ ଅନେଶତର ଧକ୍କା

ଯୋଗୀର ଚିନ୍ତା ଜଗନ୍ନାଥ, ଫକୀର ବାବାର ମକ୍କା

ଗୃହସ୍ଥର ଚିନ୍ତା ଜାରିରଖେ ଚାରି ଚାନ୍ଦର ଥଟ୍ଟା

ଶିଶୁର ଚିନ୍ତା ମା’ଟି ତା’ର ପଶୁର ଚିନ୍ତା ପେଟଟା ।

 

ଏ ଢଗର ସବୁ କଥାର ଅର୍ଥ ଲୀଳା ବୁଝିପାରିଲାନି । କିନ୍ତୁ ପୁଣି ହସି ହସି ବେଦମ୍‌ ହେବାକୁ ଚେଷ୍ଟା କଲା । କହିଲା, ରୁହ ଏଇଟା ଲେଖିନେବି

 

ଲୀଳା ଆଟାଚି ଖୋଳରୁ ଗୋଟାଏ କଲମ ବାହାର କରି କହିଲା କହିଲ, ଆଉଥରେ ?

 

ଅପୁ ପୁଣିଥରେ ଆରମ୍ଭ କଲା । କିଛି ସମୟ ପରେ ଟିକିଏ ଅବାକ୍‌ ହୋଇ କହିଲା କାଳିରେ ବୁଡ଼ଉ ନାହଁ, ଲେଖୁଛ କେମିତି ?

 

ଲୀଳା କହିଲା ଏଇଟା ଫାଉଣ୍ଟେନ୍‌ ପେନ୍‌ କାଳି ତ ଦରକାର ନାହିଁ । ଏହାରି ଭିତରେ ଭର୍ତ୍ତି ଅଛି ଜାଣନି ?

 

ଲୀଳା ଅପୁ ହାତରେ କଲମଟି ଦେଲା । ଅପୁ ଓଲଟ ପାଲଟ କରି ଦେଖି କହିଲା ଏଇଟା ତ ବଢ଼ିଆ, କାଳିରେ ଜମା ବୁଡ଼େଇବା ଦରକାର ହେବନି ।

 

ନା, ସେ କଥା ନୁହେଁ, କାଳି ଭର୍ତ୍ତି ହୋଇଥାଏ, ଭର୍ତ୍ତି କରିବାକୁ ପଡ଼େ ଏଇ ଦେଖ, ଦେଖେଇ ଦେଉଛି

 

ବାଃ, ଭାରି ଭଲ ତ ! ଆଉଥରେ ଦେଖେଇଲ

 

ଲୀଳା ଅପୁ ହାତରେ କଲମ ଦେଇ ହସି ହସି କହିଲା ତୁମକୁ ଏଇଟା ଦେଇଦେଲି ଅପୁ ଅବାକ୍‌ ହୋଇ ଲୀଳା ଆଡ଼କୁ ଚାହିଁ ରହିଲା । ତା’ପରେ ଲାଜୁଆ ମୁହଁରେ କହିଲା ନା, ମୁଁ ନେବିନି

 

ଲୀଳା କହିଲା କାହିଁକି ?

 

ଉଁ ହୁଁ

 

କାହିଁକି ?

 

ନାଃ !

 

ଲୀଳା ଟିକିଏ ଦୁଃଖିତ ହେଲା । ପୁଣିଥରେ କହିଲା ନିଅ ନା ଏଇଟା ?... ମୁଁ ବାପାଙ୍କଠୁ ଆଉ ଗୋଟିଏ ଆଣିବି । ତୁମେ ଏଇଟା ନେଇଯାଅ । ଦେଖି ତୁମର ହାତଟା ଦେଖେଇଲ ? ବାସ୍‌ !... ଆଉ ଫେରେଇ ପାରିବନି ।

 

ଘଟଣାଟି ଅପୁକୁ ସମ୍ପୂର୍ଣ୍ଣ ଅବାନ୍ତର ବୋଲି ମନେହେଲା । ସେ କହିଲା ଏଥିପାଇଁ ତୁମକୁ ଯଦି କେହି ଗାଳି ଦେବେ ?

 

ଲୀଳା କହିଲା ଫାଉଣ୍ଟେନ୍‌ ପେନ୍‌ ପାଇଁ ? କେହି ଗାଳିଦେବେନି । ମୁଁ ମା’କୁ କହିଦେବି, ଅପୂର୍ବକୁ ସେଇଟା ଦେଇଦେଲି ବାପାଙ୍କ ପାଖରୁ ଆଉ ଗୋଟାଏ ନେଇଯିବି ବାପାଙ୍କ ଫଟୋ ଦେଖିବ ?... ଏଇ କ୍ୟାଲେଣ୍ଡର ପାଖରେ ଟଙ୍ଗା ହୋଇଛି, ରୁହ ଖୋଲି ଆଣୁଛି

 

ତା’ପରେ ଲୀଳ ଆଉ ଦୁଇ ତିନି ଖଣ୍ଡ ଫଟୋ ଦେଖେଇଲା । ଆଲ୍‌ମାରୀ ଭିତରୁ କେତେଖଣ୍ଡ ବହି ବାହାର କରି କହିଲା ମାଷ୍ଟର ମହାଶୟ କିଣି ଦେଇଛନ୍ତି ତୁମେ କେଉଁ ସ୍କୁଲରେ ପାଠ ପଢ଼ ?

 

ଅପୁ କାଶୀରେ ଯେଉଁ କିଛିଦିନ ସ୍କୁଲରେ ପଢ଼ିଥିଲା, ଆଉ ସେ ସୁଯୋଗ ପାଇପାରିନି । କହିଲା କାଶୀରେ ପଢ଼ୁଥିଲି, ଏଠାରେ ଆଉ ପଢ଼ୁନି କଥାଟା କହିବାକୁ ସେ ସଂକୋଚ ବୋଧ କରୁଥିଲା । ତେଣୁ ଶେଷକଥା ପଦକ ଏମିତି ସ୍ୱରରେ କହିଲା, ସତେ ଯେମିତି ପାଠ ନ ପଢ଼ି ବେଶ୍‌ ବାହାଦୁରୀ କାମ କରିଛି । ଗୋଟାଏ ବହି ଭିତରେ ଅନେକଗୁଡ଼ିଏ ଛବି ଥିଲା । ଅପୁ କହିଲା ବହିଟି ମୋତେ ଥରଟେ ପଢ଼ିବାକୁ ଦେବ ?

 

ଲୀଳା କହିଲା ନେଉନ ? ମୋର ଆହୁରି ଅନେକ ଛବିର ବହିଅଛି ଯେ । ତିନି ବର୍ଷର ‘ମୁକୁଲ୍‌’ ବନ୍ଧା ହୋଇ ମା’ର ଆଲ୍‌ମାରୀରେ ଅଛି । ଆଣିଦେବି, ପଢ଼ିବ ।

 

ଅପୁ କହିଲା ମୋ ପାଖରେ ବି ବହି ଅଛି । ଆଣିବି ?

 

ଲୀଳା କହିଲା ଚାଲ, ତୁମ ଘରକୁ ଯିବା

 

ଲୀଳାକୁ ନିଜ ଘରକୁ ନେବା ପାଇଁ ଅପୁର ଭୀଷଣ ଲାଜ ଲାଗିଲା । ଆସବାବପତ୍ର କିଛି ନାହିଁ । ତକିଆର ଖୋଳ ଛିଣ୍ଡା ଓ ମଇଳା, ଆଲଣାରେ ଘୋଡ଼େଇ ହେବା କନ୍ଥା ଥୁଆ ହୋଇଛି । ଲୀଳା ତଥାପି ଗଲା, ଅପୁ ନିଜର ଟିଣ ବାକ୍ସଟି ଖୋଲି ଗୋଟିଏ କି ବହି ହସ ହସ ମୁହଁରେ ଧରି ତାକୁ ଦେଖେଇଲା ଓ ଗର୍ବମିଶା ସ୍ୱରରେ କହିଲା ମୋର ଲେଖା, ଏଇ ଦେଖ, ଛପା ଅକ୍ଷରରେ ମୋ ନାମ ଲେଖାଅଛି ।

 

ଲୀଳା ଶୀଘ୍ର ଶୀଘ୍ର ତା’ ହାତରୁ ବହିଖଣ୍ଡିକ ନେଇ କହିଲା ଦେଖି, ଦେଖେଇଲ ?

 

କାଶୀ ସ୍କୁଲର ସେହି ମ୍ୟାଗାଜିନ୍‌ ଖଣ୍ଡିକ । ହରିହର ପୁଅର ଛପା ଗପଟି ଦେଖି ପାରିନଥିଲା । ତା’ର ମୃତ୍ୟୁ ତିନିଦିନ ପରେ ମ୍ୟାଗାଜିନ୍‌ଟି ପ୍ରକାଶ ପାଇଥିଲା । ଲୀଳା ଗପଟି ପଢ଼ୁଥିଲା । ଅପୁ ତା’ ପାଖରେ ବସି ଉତ୍ସୁକ ହୋଇ ଲୀଳାର ଆଖିର ଦୃଷ୍ଟିକୁ ଅନୁସରଣ କରି ପଠିତ ଲାଇନ୍‌ଗୁଡ଼ିକୁ ନିଜେ ମନେ ମନେ ପଢ଼ି ଯାଉଥିଲା । ପଢ଼ିସାରି ଲୀଳା ପ୍ରଶଂସାର ଦୃଷ୍ଟିରେ ଅପୁ ଆଡ଼କୁ କିଛି ସମୟ ଚାହିଁ ରହିଗଲା ଖୁବ୍‌ ଭଲ ତ ଲେଖିଛ, ମୁଁ ଏଇଟା ନେଇଯାଉଛି, ମା’ଙ୍କୁ ଦେଖେଇବି

 

ଅପୁକୁ ଭାରି ଲାଜ ଲାଗିଲା, କହିଲା ନା

 

ଲୀଳା ଶୁଣିଲା ନାହିଁ । ମ୍ୟାଗାଜିନ୍‌ଟା ହାତରେ ରଖିଲା । ପଚାରିଲା ନିଶ୍ଚିନ୍ତପୁର ଲେଖାଅଛି, ନିଶ୍ଚିନ୍ତପୁରଟା କେଉଁଠି ?

 

ନିଶ୍ଚିନ୍ତପୁର ତ ଆମ ଗାଁ ସେଇଠି ତ ଆମର ନିଜ ଘର । କାଶୀକୁ ତ ମାତ୍ର ବର୍ଷେ ହେବ ଆସିଥିଲୁ

 

ଏମିତି ସମୟରେ ଦୁଆର ପାଖକୁ ଆସି ସାନ ମୋକ୍ଷଦା କହିଲା ଆଲୋମା’, ଦିଦିମଣି, ତୁମେ ଆସି ଏଠି ବସିଛ ? ମୁଁ ପୋଡ଼ାମୁହିଁ ! ସେପଟେ ମାଷ୍ଟର ମହାଶୟ ବସି ବସି ହଇରାଣ । ମୁଁ ତଳ ଉପରେ ସବୁ ଘରେ ଖୋଜୁଚି କେମିତି ଜାଣିବି ଯେ ତୁମେ ଆସି ଏ ଅନ୍ଧାରୁଆ ଘରେ- ଆସ, ଆସ

 

ଲୀଳା କହିଲା ତୁ ଯା, ମୁଁ ଯାଉଛି

 

ସାନ ମୋକ୍ଷଦା କହିଲା ଏଇ ଘରେ ତୁମେ କ’ଣ ବସିବ ? ଆମ୍ଭମାନଙ୍କର ମୁଣ୍ଡ ବୁଲେଇ ଯାଏ ତଥାପି ଘୋଡ଼ାଶାଳର ଏ ହିନ୍ଦୁସ୍ଥାନୀ ଲୋକଗୁଡ଼ିକ ଘୋଡ଼ାର ଜାଗାଗୁଡ଼ିକୁ ଝାଡୁ ମାରନ୍ତି ନା ଧୁଆଧୁଇ କରନ୍ତି ? ଉଁ ହୁ ହୁ, କେମିତି ଗନ୍ଧ ବାହାରୁଛି ଆସ ଦିଦିମଣି, ଶୀଘ୍ର ଆସ

 

ଲୀଳ କହିଲା ଯିବି ନି ଯା ଏଠୁ । ମୁଁ ଆଜି ପାଠ ପଢ଼ିବିନି କହିଦେବୁ ଯା ତୋତେ କିଏ ଏଇଠି ଏତେ ବକ୍‌ବକ୍‌ କରିବାକୁ କହୁଚି ? ଯା, ମା’କୁ ଯାଇ କହିଦେ

 

ସାନ ମୋକ୍ଷଦା ଶୀଘ୍ର ଶୀଘ୍ର ସେଠାରୁ ଚାଲିଗଲା । ଅପୁ କହିଲା ତୁମ ମା’ ଗାଳି ଦେବେନି ? ତାକୁ କାହିଁକି ଏମିତି ଭାବରେ କହିଲ ?

 

ପରଦିନ ଦୁଇ ପହର ସମୟରେ ଅପୁ ତା’ ନିଜ ଘର ଭିତରେ ଶୋଇଥିଲା । କାହାର ଠେଲାରେ ତା’ର ନିଦ ଭାଙ୍ଗିଗଲା । ଆଖି ଖୋଲି ଦେଖିଲା ବେଳକୁ ଲୀଳା ହସି ହସି ମୁହଁରେ ତା’ ବିଛଣା ପାଖରେ ଛିଡ଼ା ହୋଇଛି । ସେ ଚଟାଣରେ ସପପାରି ଶୋଇଥିଲା, ଲୀଳା ଆଣ୍ଠୁପାତି ବସି ତାକୁ ହଲେଇ ହଲେଇ ଉଠାଉଥିଲା । ଏବେବି ତା’ ଆଡ଼କୁ କୌତୁକପୂର୍ଣ୍ଣ ଆକର୍ଷଣୀୟ ଦୃଷ୍ଟିରେ ତା’ ଆଡ଼କୁ ଚାହିଁଛି । କହିଲା ବାଃ, ଭଲ କଥା ତ, ଦୁଇ ପହରଟାରେ ଏମିତି କେହି କ’ଣ ନିଦରେ ଶୁଅନ୍ତି । ମୁଁ ବାହାରୁ ରହି ଡାକିଲି, ପାଖକୁ ଆସି ଦେଖୁଛି ବେଶ୍‌ ନିଦରେ ଶୋଇଛ-

 

ଅପୁ ଲୁଗା କାନିରେ ମୁହଁ ପୋଛୁ ପୋଛୁ ଶୀଘ୍ର ଉଠିବସିଲା । କହିଲା ସକାଳେ ପଢ଼ିବା ପାଇଁ ଆସିନ ? ମୁଁ ତ ପଢ଼ାଘରେ ଏଠିସେଠି ଖୋଜି କେଉଁଠି ପାଇଲିନି

 

ଲୀଳା ଅପୁ ସ୍କୁଲର ସେ ମ୍ୟାଗାଜିନ୍‌ ଖଣ୍ଡିକ ହାତରେ ଦେଇ କହିଲା କାଲି ରାତିରେ ମା’ଙ୍କୁ ପଢ଼ି ଶୁଣେଇଲି, ମା ବି ନିଜେ ପଢ଼ିଲେ ।

 

ଅପୁର ସାରା ଶରୀର ଖୁସିରେ ଶିହରିତ ହୋଇଗଲା । ଅତ୍ୟନ୍ତ ଲଜ୍ଜା ଓ ସଂକୋଚ ବୋଧ ବି ହେଲା । ମଝିଆ ବୋହୂ ଠାକୁରାଣୀ ତା’ ଲେଖାଟି ପଢ଼ିଛନ୍ତି ।

 

ଲୀଳା କହିଲା ମୋ ପଢ଼ାଘରକୁ ଆସ । “ସଖା- ସାଥୀ’’ ବନ୍ଧା ବହିଟି ତୁମ ପାଇଁ ରଖିଚି

 

ଅପୁ ଆଲଣା ଆଡ଼େ ଚାହିଁଲା । ତା’ର ଭଲ ଲୁଗା ଖଣ୍ଡିକ ଏ ଯାଏ ଶୁଖିନି । ଯେଉଁଟା ପିନ୍ଧିଛି, ସେଇଟା ପିନ୍ଧି ବାହାରକୁ ଯାଇ ହେବନି, କହିଲା ଏବେ ଯିବିନି-

 

ଲୀଳା ବିସ୍ମିତ ହୋଇ ପଚାରିଲା କାହିଁକି ?

 

ଅପୁ ଓଠ ଚାପି କୌତୁକ ପୂର୍ଣ୍ଣ ହସ ହସ ମୁହଁରେ ବେକ ହଲେଇ ମନାକଲା । ସେ ବି ଜାଣେ ଏଇ ଭଙ୍ଗିରେ ତା’ର ମୁହଁଟି ଅପୂର୍ବ ସୁନ୍ଦର ଦେଖାଯାଏ ।

 

ଲୀଳା ଅନୁରୋଧର ସ୍ୱରରେ କହିଲା ଆସ, ଆସନା ଅପୁ ପୁଣିଥରେ ମୁହଁ ଚିପି ହସିଲା ।

 

ମଲା, କେମିତି ଏକ୍‌ଜିଦିଆ ପିଲା ତୁମେ ! ନା କହିଲେ, ଆଉ ହଁ ହୋଇପାରିବନି ? ଆଚ୍ଛା ରୁହ, ବହିଖଣ୍ଡିକ ଏଠାକୁ

 

ଅପୁ ଆଉ ହସ ବନ୍ଦ କରିନପାରି ଖିଲ୍‌ ଖିଲ୍‌ ହୋଇ ହସି ଉଠିଲା ।

 

ଲୀଳା କହିଲା ଏତେ ହସୁଚ କ’ଣ ପାଇଁ ? କ’ଣ ହେଇଚି କହୁନ ତୁମକୁ କହିବାକୁ ହିଁ ହେବ କୁହ କିନ୍ତ ଅପୁ ଆଲଣା ଆଡ଼କୁ ଇସାରାରେ ହସି ହସି ଚାହିଁଲା, କିନ୍ତୁ କିଛି କହିଲାନି ।

 

ଲୀଳା ଏଥର ବୁଝିଗଲା । ଆଲଣା ପାଖକୁ ଯାଇ ଲୁଗାରେ ହାତ ଦେଇ କହିଲା ଅଳ୍ପଟିକେ ଶୁଖିଛି । ତୁମେ ଏଇଠି ଥାଅ, ମୁଁ ବହିଖଣ୍ଡିକ ଯାଇ ଆଣୁଛି । ହଁ, ତୁମେ ଫାଉଣ୍ଟେନ୍‌ ପେନରେ ଲେଖିଲଣି ? କେମିତି, ବେଶ୍‌ ଭଲ ଲେଖି ହୁଏନା ?

 

ତା’ପରେ ଲୀଳାର ଆଣିଥିବା ବହି ଦୁଇଖଣ୍ଡ ସେମାନେ ବହୁତ ସମୟ ଧରି ଦେଖିଲେ । ସପ ଉପରେ ବହି ଦୁଇଟି ମେଲି, ଆଣ୍ଠୁମାଡ଼ି ବସି ଝୁଙ୍କି ଦେଖୁଥିଲେ । ଲୀଳାର ଖୋଲା ରେଶମୀ କେଶ ଅପୁ ଦେହରେ ବାଜି ଯେମିତି ଶିହରଣ ସୃଷ୍ଟି କରୁଥିଲା । ହଠାତ୍‌ ଲୀଳା ବହିରୁ ମୁହଁ ଉଠେଇ କହିଲା ତୁମେ ଗୀତ ଗାଇ ଜାଣ ?

 

ଅପୁ ମୁଣ୍ଡ ହଲେଇ ସମ୍ମତି ଜଣେଇଲା ।

 

ତା’ହେଲେ ଗୋଟେ ଗୀତ ଗାଅ

 

ତୁମେ ଜାଣ ?

 

ଅଳ୍ପ ଅଳ୍ପ । କାହିଁକି ବାହାଘର ଦିନ ଶୁଣିନ ?

 

ଚାକରାଣୀ ସାନ ମୋକ୍ଷଦା ଘର ଭିତରକୁ ଉଁକି ମାରି କହିଲା ଆରେ ଦିଦିମଣି ତୁମେ ତ ଏଇଠି । ମୁଁ ବି ମନରେ ସେଇକଥା ଭାବୁଛି, ଉପରେ ନାହଁ, ପଢ଼ାଘରେ ନାହଁ, ତା’ହେଲେ ନିଶ୍ଚୟ ଆସିଲ, ଏଇ କ୍ଷୀର ଟିକେ ପିଇଦିଅ । ଥଣ୍ଡା ହେଲାଣି ଆସି । ହାତରେ ଧରି ଖୋଜି ଖୋଜି ହଇରାଣ ହେଲିଣି ।

 

ରୁପାର ସାନ ଗିଲାସରେ ଗିଲାସେ କ୍ଷୀର । ଲୀଳା କହିଲା ରଖିଯା ପରେ ଆସି ଗିଲାସ ନେଇଯିବୁ

 

ଚାକରାଣୀ ଚାଲିଗଲା । ଆଉ କିଛି ସମୟ ବହିରେ ଛବି ଦେଖା ହେଲା । ମଝିରେ ହାତରେ ଗିଲାସ ଧରି ଲୀଳା କହିଲା ତୁମେ ଅଧେ ପିଇଦିଅ ।

 

ଅପୁ ଲାଜ ଲାଜ ହୋଇ ମନାକଲା ।

 

ତୁମକୁ ସବୁକଥାରେ ଖୋସାମତ କରିବାକୁ ହୁଏ କାହିଁକି ? ଆମ ଘରର ମୁଲ୍‌ତାନୀ ଗାଈର କ୍ଷୀର ପିଅ ରାବ୍‌ଡ଼ି ଭଳି କ୍ଷୀର, ପିଇଦିଅ, ସୁନା ପିଲାଟା ଅପୁ ଆଖି ନଚେଇ ବ୍ୟଙ୍ଗ କରି କହିଲା ଇଃ, କି ସୁନାପିଲା ? ଭାରି ବୁଢ଼ୀଟିଏ ତ ? ସେ ପୁଣି

 

ଲୀଳା କ୍ଷୀର ଗ୍ଲାସ୍‌ଟା ଅପୁ ମୁହଁ ପାଖକୁ ନେଇ ବେକ ଦୋହଲାଇ କହିଲା ଆଉ ଲାଜ କରି ଲାଭ ନାହିଁ ମୁଁ ଆଖି ବନ୍ଦ କରୁଛି, ପିଇଦିଅ

 

ଅପୁ ଏକାଥରକେ କିଛି କ୍ଷୀର ପିଇଦେଇ, ଲୁଗା କାନିରେ ମୁହଁ ପୋଛି, ମୁହଁ ତଳକୁ କରି ହସ ହସ ମୁହଁରେ ବସିରହିଲା ।

 

ଲୀଳା ବାକିତକ କ୍ଷୀର ପିଇଦେଲା । ତା’ପରେ ସେ ବି ଖିଲ୍‌ ଖିଲ୍‌ କରି ହସିଉଠିଲା ।

 

ବେଶ୍‌ ମିଠା କ୍ଷୀର ନା ?

 

ମୋର ଅଇଁଠା କାହିଁକି ଖାଇଲ ? ଅନ୍ୟର ଅଇଁଠା ଖାଆନ୍ତି ?

 

ମୋର ଇଚ୍ଛା ହେଲା । ତା’ପରେ କିଛି ସମୟ ଅଟକି କହିଲା ତୁମେ କହିଲ ଜଳଛବି ଆଙ୍କି ଜାଣ, କିଛି ଜାଣନି । ଆଙ୍କିଲ ଦେଖି ମୋର ଜଳଛବି କେତୁଟା ?

 

(୩୫)

 

ଜ୍ୟେଷ୍ଠ ମାସର ଅଧାଅଧିବେଳକୁ ସର୍ବଜୟା ମାଗିଯାଚି କୌଣସି ପ୍ରକାରେ ଅପୁର ବ୍ରତ କରିବାର ବ୍ୟବସ୍ଥା କଲା । ପର ଘର । ଠାକୁର ଅଗଣାରେ ବାରଣ୍ଡା କୋଣର ଡର ଭୟରେ କାମ ଶେଷ କରିବାକୁ ହେଲା । ବ୍ରାହ୍ମଣୀ ମାଉସୀ ଲଡ଼ୁ ତିଆରି କରିବାରେ ସାହାଯ୍ୟ କଲେ । କେତେଜଣ ରୋଷେଇ ବ୍ରାହ୍ମଣକୁ ନିମନ୍ତ୍ରଣ କରି ଆସିଲା । ବାହାରର ସମ୍ଭ୍ରାନ୍ତ ଲୋକଙ୍କ ଭିତରେ ବୀରୁ ଗୁମାସ୍ତା ଓ ଦିନୁ କିରାଣୀ ଆସିଥିଲେ । ବ୍ରତ ଉପନୟନ ଶେଷ ହେବାର କେତେଦିନ ପରେ ଅପୁ ନିଜ ଘରେ ବସି ଲୀଳା ଦେଇଥିବା ବନ୍ଧେଇ ‘ମୁକୁଳ୍‌’ ସଂକଳନ ପଢ଼ୁଥିଲା । ଖୋଲା ଦୁଆର ଭିତରେ କିଏ ଘର ଭିତରକୁ ପଶିଲା । ଅପୁ ଯେମିତି ନିଜ ଆଖିକୁ ବିଶ୍ୱାସ କରିପାରିଲାନି । ତା’ପରେ କହିଲା ଇଏ କ’ଣ, ବାଃ କେତେବେଳେ ?

 

ଲୀଳା କୌତୁକମ୍‍ୟ ଓ ହସ ହସ ମୁହଁରେ ଆସି ଛିଡ଼ା ହୋଇଥିଲା । ଅପୁ କହିଲା ବାଃ, ଭଲ ଲୋକ ତ ତୁମେ । କହିଗଲ କଲିକତାରୁ ସୋମବାର ଦିନ ଆସିବ, କେତେ ସୋମବାର ବିତିଗଲାଣି ଫେରିବାର ନାମଗନ୍ଧ ନାହିଁ

 

ଲୀଳା ହସି ହସି ଚଟାଣ ଉପରେ ବସିପଡ଼ିଲା । କହିଲା କେମିତି ଆସିବି ଯେ ? ସେଇଠି ସ୍କୁଲରେ ଭର୍ତ୍ତି ହେଇଗଲି । ବାପା ଭର୍ତ୍ତି କରିଦେଲେ । ବାପାଙ୍କ ଦେହ ଅସୁସ୍ଥ । ଏବେ ଆମେ କଲିକତା ଘରେ ରହିବୁ ।

 

ଏବେ କେତେଦିନ ଛୁଟି ଅଛି, ତେଣୁ ମା’ ସହିତ ଆସିଛି । ପୁଣି ବୁଧବାର ଦିନ ଚାଲିଯିବା ।

 

ଅପୁ ମୁହଁରୁ ହସ ଟିକକ ଉଭେଇଗଲା । କହିଲା ତୁମେ ଆଉ ଏଠି ରହିବନି ?

 

ଲୀଳା କହିଲା ବାପାଙ୍କ ଦେହ ଭଲ ହୋଇଗଲେ, ପୁଣି ଆସିବା । ତା’ପରେ ସେ କହିଲା ଆଖି ବନ୍ଦ କଲ ?

 

ଅପୁ କହିଲା କାହିଁକି ?

 

ବନ୍ଦ କରନା

 

ଅପୁ ଆଖି ବୁଜି ରହିଲା ଏବଂ ହାତରେ କ’ଣ ଗୋଟାଏ ଭାରି ଦ୍ରବ୍ୟର ସ୍ପର୍ଶ ଅନୁଭବ କରିପାରିଲା । ଆଖି ଖୋଲିବାରୁ ଲୀଳା ଖିଲ୍‌ଖିଲ୍‌ ହୋଇ ହସିଉଠିଲା । ତା’ କୋଳରେ ଗୋଟାଏ କାର୍ଡ଼ବୋର୍ଡ଼ର ବାକ୍ସ ଥୁଆ ହୋଇଥିଲା । ବାକ୍ସଟିକୁ ଖୋଲି ଲୀଳା ଗୋଟିଏ ଭଲ ଦେଶୀ ଧୋତି, ଚାଦର ଓ ନାଲି ସିଲ୍‌କର ପଞ୍ଜାବି ହାତରେ ଦେଲା । ଲୀଳା ହସି ହସି କହିଲା ମା’ ଦେଇଛନ୍ତି କେମିତି ଲାଗୁଛି ? ତୁମର ବ୍ରତ ହେଲା, ସେଥିପାଇଁ

 

ଧୋତି-ଚାଦର ଓ ବିଶେଷକରି ପଞ୍ଜାବିଟା ବେଶ୍‌ ଦାମିକା । ବ୍ୟବହାର ତ ଦୂରର କଥା । ଏ ଘରେ ପାଦଦେବା ପୂର୍ବ ପର୍ଯ୍ୟନ୍ତ ଅପୁ ଆଖିରେ ବି କେବେ ଦେଖିନଥିଲା ।

 

ଲୀଳା ଅପୁ ମୁହଁକୁ ଚାହିଁ କହିଲା ମାସକ ଭିତରେ ତୁମର ମୁହଁଟି ବେଶ୍‌ ବଦଳିଯାଇଛି ? ଆହୁରି ବଡ଼ ଦେଖାଯାଉଛ । ନୂଆ ବ୍ରାହ୍ମଣର ପଇତା ଖଣ୍ଡିକ ଦେଖେଇଲ ? ତୁମର କାନଫୋଡ଼ିବାରେ କାଟିଲାନି ? ମୋର ଜଣେ ସାନ ମାମୁଁ ପୁଅ ଭାଇର ବ୍ରତ ହେଲା, ସେ କାନ୍ଦି ପକେଇଲା

 

ହଠାତ୍‌ ଅପୁ ଗୋଟିଏ “ମୁକୁଳ୍‌’’ ଦେଖେଇ କହିଲା ଏ ଗପଟି ପଢ଼ିଛ ?

 

ଲୀଳା କହିଲା ଦେଖି, କେଉଁ ଗପଟା ?

 

ଅପୁ ପଢ଼ି ଶୁଣାଇଦେଲା । ସମୁଦ୍ର ତଳେ କେଉଁ ଏକ ସ୍ଥାନରେ ସ୍ପେନ୍‌ ଦେଶର ଧନରତ୍ନ ପୂର୍ଣ୍ଣ ଜାହାଜଟି ଦୁଇ-ତିନି ଶହ ବର୍ଷ ତଳେ ବୁଡ଼ି ଯାଇଥିଲା । ଆଜି ପର୍ଯ୍ୟନ୍ତ ଅନେକ ଅନୁସନ୍ଧାନ କରି ମଧ୍ୟ କେହି ସ୍ଥାନଟି ନିର୍ଣ୍ଣୟ କରି ପାରିନାହାନ୍ତି । ଗପଟି ସେ ଏବେ ହିଁ ପଢ଼ି ବେଶ୍‌ ଖୁସି ହୋଇଚି ।

 

କହିଲା କେହି ବାହାର କରି ପାରିନାହାନ୍ତି । କେତେ ଟଙ୍କା ଅଛି ଜାଣ ? ଏକକ, ଦଶକ, ଶତକ, ସହସ୍ର, ଅୟୁତ, ଲକ୍ଷ ପଚାଷ ଲକ୍ଷ ପାଉଣ୍ଡ ମୂଲ୍ୟର ସୁନାରୁପା... ଗୋଟାଏ ପାଉଣ୍ଡର ଦାମ୍‌ ତେର ଟଙ୍କା ଗୁଣନ କଲ ଦେଖି ? ତା’ପରେ ସେ ଶୀଘ୍ର ଗୋଟିଏ କାଗଜରେ ଅଙ୍କଟା କଷିଦେଇ କହିଲା ଏଇ ଦେଖ, ଏତେ ଟଙ୍କା ଆଗରୁ ବି ଅଙ୍କଟା କଷିଥିଲା । ଉଜ୍ଜ୍ୱଳ ମୁଖରେ ହସି ହସି କହିଲା ମୁଁ ବଡ଼ ହେଲେ ଯିବି ଖୋଜି ଦେଖିବି ଠିକ୍‌ ବାହାର କରିବି ଜାଣିଥାଅ ଏଯାଏଁ ସେ ଜାଗାର କେହି ସନ୍ଧାନ ପାଇନାହାନ୍ତି

 

ଲୀଳା ସନ୍ଦଗ୍ଧ ହୋଇ ପଚାରିଲା ତୁମେ ଯିବ ? କେଉଁ ଜାଗାରେ ବୁଡ଼ି ରହିଛି, ତୁମେ ଜାଣିବ କେମିତି ?

 

ଦେଖ, ଏଇିଠି ଲେଖିଚି, “ପୋର୍ତ୍ତୋପ୍ଲାତା’ର ସନ୍ନିହିତ ସମୁଦ୍ର ଗର୍ଭରେ’’ ଖୋଜି ବାହାର କରିଦେବି ।...

 

ସେ ଗପଟି ପଢ଼ି ଭାବିଛି, ଭଲ ହେଲା ଏ ଯାଏ କେହି ଖୋଜି ପାରିନାହାନ୍ତି । ସମସ୍ତେ ସବୁ ବାହର କରିଦେଲେ, ତା’ପାଇଁ ଆଉ ରହିବ କ’ଣ ? ସେ ବଡ଼ହେଲେ କ’ଣ ଆଉ ବାହାର କରିବ ? ଏବେ ସେ ଯିବା ପର୍ଯ୍ୟନ୍ତ ସେସବୁ ସେଇଠି ଥିବା ଦରକାର !...

 

ଲୀଳର ବୟସ ଅଳ୍ପ ହେଲେ ବି ସେ ଖୁବ୍‌ ବୁଦ୍ଧିମତୀ । ଭାବି ଭାବି କହିଲା ତାଙ୍କ ଭଳି ଜାହାଜ ତୁମେ କେଉଁଠୁ ପାଇବ ? ତୁମର ଗୋଟାଏ ନିଜସ୍ୱ ଜାହାଜ ଥିବା ଦରକାର ସେମାନଙ୍କର ଯେମିତି ଅଛି

 

ସେଇଟା ମିଳିଯିବ । କିଣିବି ଗୋଟେ । ବଡ଼ ହେଲେ ମୋର ଟଙ୍କା ଜମା ହେବ ନି କି ?

 

ଏଥର ବୋଧହୁଏ ଲୀଳାର ଅନେକଟା ବିଶ୍ୱାସ ହେଲା । ସେ ଏଥିପାଇଁ ଆଉ କିଛି ଅଧିକ ଯୁକ୍ତି କଲାନି ।

 

କିଛି ସମୟ ପରେ କହିଲା ତୁମେ କେବେ କଲିକତା ଯାଇଛ ? ଅପୁ ବେକ ଦୋହଲାଇ କହିଲା ମୁଁ କେବେବି ଦେଖିନି ଖୁବ୍‌ ବଡ଼ ସହର ? ଏ ସହର ଠାରୁ ବି ବଡ଼ ?

 

ଲୀଳା ହସି ହସି କହିଲା ଅନେକ, ଅନେକ ବଡ଼

 

କାଶୀଠୁଁ ବି ବଡ଼ ?

 

ମୁଁ କାଶୀ ଦେଖିନି

 

ତା’ପରେ ସେ ଅପୁକୁ ତା’ ପଢ଼ାଘରକୁ ନେଇଆସିଲା । ଖଣ୍ଡିଏ ଖାତା ବାହାର କରି ଦେଖେଇଲା । କହିଲା ଦେଖିଲ କେମିତି ଫୁଲଗଛ ଆଙ୍କିଛି, କେମିତି ହୋଇଛି ଡ୍ରଇଂଟା ?

 

କିଛି ସମୟ ପରେ ଅପୁ କହିଲା ମୁଣ୍ଡଟା ବିନ୍ଧୁଛି, ମୁଁ ଯାଉଛି ଶୋଇବି ।

 

ଲୀଳା କହିଲା ରୁହ, ମୁଁ ଗୋଟାଏ ମନ୍ତ୍ରଜାଣେ, ମୁଣ୍ଡଧରା ଭଲ ହୋଇଯିବ । ଦେଖାଅ, ତୁମ ମୁଣ୍ଡଟା ? ତା’ପରେ ସେ ଦୁଇ ହାତର ଆଙ୍ଗୁଳିରେ ତା’ କପାଳକୁ ଚିପିବାରେ ଲାଗିଲା । ଅପୁକୁ ସୁଲୁସୁଲୁ ଲାଗୁଥିଲା, ସେ ହସି ହସି କହିଲା ସୁଲୁ ସୁଲୁ ଲାଗୁଛି ।

 

ଲୀଳା ହସି ହସି କହିଲା ମୋର ବଡ଼ମାମୁଁ ପୁଅ ଭାଇକୁ ଜଣେ ପହିଲ୍‌ମାନ କୁସ୍ତି ଶିଖାଏ, ତାହାରି ପାଖରୁ ଶିଖିଛି ଭଲ ଲାଗୁନି ? ମୁଣ୍ଡବିନ୍ଧା ଛାଡ଼ିଗଲା ?

 

କିଛିଦିନ ପରେ ପୁଣି ଲୀଳା କଲିକତା ଫେରିଗଲା ।

 

ଅପୁ ମା’କୁ କହି ଗୋଟିଏ ଛୋଟ ସ୍କୁଲରେ ଭର୍ତ୍ତି ହେଲା । ଯେଉଁ ବଡ଼ ରାସ୍ତାକଡ଼ରେ ୟା’ଙ୍କର ଘର, ସେଇଠୁ କିଛିବାଟ ଗଲାପରେ ବାଁ କଡ଼କୁ ସାନ ଗଳିଟିଏ । ଗଳି ଭିତରେ ଏକ ମହଲା ଘରେ ସ୍କୁଲଟି । ପାଞ୍ଚଜଣ ଶିକ୍ଷକ । ଭଙ୍ଗା ବେଞ୍ଚ୍‌, ହାତ ଭଙ୍ଗା ଚଉକି । ଛାଡ଼ରା କଳା ରଙ୍ଗର କଳାପଟା, କେତେଗୁଡ଼ା ପୁରୁଣା ମାନଚିତ୍ର ଏଗୁଡ଼ିକ ସ୍କୁଲର ସମୂହ ଆସବାବ ପତ୍ର । ସ୍କୁଲ ଆଗରେ ଖୋଲା ଡ୍ରେନ୍‌ । ଅପୁର କ୍ଲାସ୍‌ ରୁମ୍‌ରୁ ଝରକା ଦେଇ ବାହାରକୁ ଚାହିଁଲେ, ପାଖଘର ଚୁନ ବାଲି ଖସିଯାଇଥିବା ନଗ୍ନ ଇଟାର କାନ୍ଥ ଦେଖାଯାଏ । ସେ ସ୍କୁଲ ଯିବା ସମୟରେ ଦେଖି ଦେଖି ଯାଏ ଝାଡ଼ୁଦାର ନଳା ସଫାକରି କରି ଚାଲିଛି । ସ୍ଥାନେ ସ୍ଥାନେ ମଇଲା ଗଦା ହୋଇଛି । ଦିନଯାକ ସ୍କୁଲ ଭିତରେ କେମିତି ଗୋଟେ ରୁଦ୍ଧ ପବନର ଗନ୍ଧ । ପାଖରେ ଜଣେ ହିନ୍ଦୁସ୍ଥାନୀ ମୁଢ଼ିବାଲା ଦୁଇପହର ପରେ କୋଇଲା ଚୁଲି ଆଞ୍ଚ ଲଗାଏ । କଞ୍ଚା କୋଇଲାରୁ ଏକ ପ୍ରକାର ମିଠା ମିଠା ଗନ୍ଧ ବାହାରେ । ଅପୁ ମୁଣ୍ଡ ଭିତରେ କେମିତି ଗୋଟାଏ ଜଡ଼ ଭାବ ଅନୁଭବ କରେ କିନ୍ତୁ ସ୍କୁଲରୁ ବାହାରକୁ ଚାଲି ଆସିଲେ ବି ସେ ଭାବଟି କଟେନି ।

 

ତାକୁ ଏସବୁ ଭଲ ଲାଗେନା । ଜମାରୁ ଭଲ ଲାଗେନା । ସହରର ଏମିତି ଇଟା ସିମେଣ୍ଟର କାଣ୍ଡକାରଖାନାରେ ସେ ଅଣନିଶ୍ୱାସୀ ହୋଇଉଠେ । ସତେ ଯେମିତି ତା’ର ଦମ୍‌ ବନ୍ଦ ହୋଇଆସେ । କ’ଣ ଗୋଟାଏ ଅଭାବ ଯେମିତି ପ୍ରାଣକୁ ଡହଳ ବିକଳ କରିପକାଏ । ସେ ଜାଣିପାରେନି ସେ ଅଭାବ ଟିକକ କ’ଣ ବୋଲି ।

 

ରାସ୍ତାରେ ଘାସ ନାହିଁ, ଗଛବୃଚ୍ଛ ବେଶି ନ ଥାଏ, କାଁ ଭାଁ ଏଣେତେଣେ ଗୋଟାଏ ଯୋଡ଼େ ଦେଖାଯାଏ । ଭଙ୍ଗା ଇଟା, ଗୋଡ଼ିମାଟିର ରାସ୍ତା, କଂକ୍ରିଟ୍‌ର ନଳା । ଦୁଇ ଘର ମଝି ଜାଗାରେ ଆବର୍ଜନାର ଗଦା, ମଇଳା ପାଣି, ଛିଣ୍ଡା ଲୁଗା, କାଗଜ । ଦିନେ ସେ ତା’ର ଜଣେ ସହପାଠୀ ସହିତ ତା’ ଘରକୁ ଯାଇଥିଲା । ଟାଇଲ୍‌ ଛପରର ଏକମହଲା ଘର । ବାରଣ୍ଡାଟି ଅଣଓସାରିଆ । ଚାରିକଡ଼ରେ ଥିବା ଘରଗୁଡ଼ିକରେ, ଗୋଟାଏ ଗୋଟାଏ ପରିବାର ପ୍ରତିଘରେ ଭଡ଼ାରେ ରୁହନ୍ତି । ଦୁଆର ଆଗରେ ପୁରୁଣା ଅଖାର ପର୍ଦ୍ଦା ଟଙ୍ଗା ହୋଇଥାଏ । ଘର ଭିତରର ମେଜିଆ ବାହାର ଅଗଣାଠାରୁ ଚାଖଣ୍ଡେରୁ ବେଶି ଉଚ୍ଚ ନୁହେଁ । ତେଣୁ ଘରଗୁଡ଼ିକ ପ୍ରାୟ ସନ୍ତସନ୍ତିଆ । ଘର ଭିତରେ ଆଲୁଅ ଓ ପବନ ପଶିବାର ବାଟ ନାହିଁ । ଅଗଣା ଅପରିଷ୍କାର ମଇଳାରେ ଭର୍ତ୍ତି । ସବୁ ଭଡ଼ାଟିଆ ଏକାବେଳକେ କୋଇଲା ଆଞ୍ଚ ଲଗେଇଛନ୍ତି । ପୁଣି ସେଇ ମିଠାଳିଆ ଉତ୍କଟ ଗନ୍ଧ । ସବୁ ଯାକ ଏକାଠି ମିଶି ଅପୁକୁ ପରିବେଶଟି ତିକ୍ତ ଲାଗୁଥିଲା । ମନଟି ସାଂକୁଡ଼ି ଗଲା । ସେମାନେ ତାକୁ ବସିବାକୁ କହିଲେ ବି ସେ ବେଶି ସମୟ ସେଠାରେ ରହିପାରି ନ ଥିଲା । ସଦର ରାସ୍ତାକୁ ବାହାରି ଆସି କିଛିଟା ଆଶ୍ୱସ୍ତି ଅନୁଭବ କଲା ।

 

ଘରକୁ ଫେରିଆସିଲା । ପୁଣି ସେହି ଆବଦ୍ଧତା । ବରଂ ବାହାର ଠୁ ଅଧିକ ବେଶି ! ଏଠି ଇଟା ସିମେଣ୍ଟ ଆଉ ମାର୍ବଲ ପଥରରେ ଚାରିକାନ୍ଥ ଏମିତିକି ଅଗଣାର ପାଚେରୀ ବନ୍ଧାଯାଇଛି । ଅପୁ ମାଟି ନ ଦେଖିଲେ ରହିପାରେନି । ଏଠାରେ ଯେଉଁ ମାଟି ଅଛି ସେ ବି ଭିନ୍ନ ପ୍ରକାରର । ଯେଉଁ ମାଟି ସହିତ ତା’ର ସମ୍ପର୍କ, ଏ ମାଟି ସେ ମାଟି ନୁହେଁ । ତା’ଛଡ଼ା, ଏ ଘର ଭିତରେ ଚଲାବୁଲା କରିବାର ସ୍ୱାଧୀନତା ବା କାହିଁ ? ଡରି ଡରି ରହିବାକୁ ହୁଏ, ଚୋରଟିଏ ପରି । କାଳେ କିଏ କ’ଣ କହିବ । ଉଚ୍ଚ ପାଟିରେ କଥା କହିହେବନି । ଭୀଷଣ ଭୟ ଲାଗେ ।

 

ଅପୁ କେବେ କେବେ ଅଫିସ୍‌ ଘରକୁ ଯାଇ ଦେଖିଛି ବୁଢ଼ା ହିସାବ ରକ୍ଷକ ଜଣକ ଲୁହା ଶଳାଖାର ପଞ୍ଜୁରୀ ପରି ଅନ୍ଧାରୁଆ ଘରେ ବସିଥାନ୍ତି । ଅନେକଗୁଡ଼ିଏ ନାଲିକନାର ବନ୍ଧା ହିସାବ ଖାତା ଗୋଟିଏ କଡ଼କୁ ଜମା ହୋଇଥାଏ । ସାନ କାଠର ହାତବାକ୍ସ ଆଗରେ ଥୋଇ ଦିନସାରା ଗୋଟାଏ ଜାଗାରେ ମଇଳାଛିଟ କନାର ତକିଆରେ ଆଉଜି ବସିଥାନ୍ତି । ଘର ଭିତରଟା ଏତେ ଅନ୍ଧାରୁଆ ଯେ ମଝିରେ ମଝିରେ ଛୋଟ ଗୋଟିଏ ଜଡ଼ାତେଲର ଦୀପ ଜଳୁଥାଏ । ଗିରୀଶ ଗୁମାସ୍ତା ପାଉଣା ଆଦାୟ ସେରସ୍ତାରେ ବସେ । କମ୍‍ ଉଚ୍ଚତା’ର ପଟା ଉପରେ ମଇଳା ଚାଦରଟିଏ ବିଛା ହୋଇଥାଏ । ଚାରିକଡ଼ରେ ଦୁଇ କୋଣ ବନ୍ଧା ହୋଇଥିବା ମାଳମାଳ ଖାତାପତ୍ରର ବୋଝ । ସେ ଘରଟି ହିସାବଖାନା ଭଳି ଅନ୍ଧାରୁଆ ନୁହେଁ । ଦୁଇ ତିନିଟା ବଡ଼ ବଡ଼ ଝରକା ବି ଅଛି । କିନ୍ତୁ ଖଟିଆ ତଳେ ରାଶିକୃତ ପୋଡ଼ା ତମାଖୁର ଗୁଣ୍ଡ ଓ ଛିଣ୍ଡା କାଗଜ । ଉପରେ କଡ଼ି କାଠ ଦେହରେ ବୁଢ଼ିଆଣୀ ଅଳନ୍ଧୁ ଆଉ କିରୋସିନି ଆଲୁଅ ଧୂଆଁର କଳାଦାଗ । ଯେତେବେଳେ ବୀରୁ କିରାଣୀ ପାଟି କରି କୁହେ ଆରେ ରାମଦୟାଲ, ଦେଖିଲୁ ପିଛିଲା ଖଜଣା ଖାତାରେ ବାଦ୍ୟକାର ବାବଦରେ କେତେ ଖରଚ ଲେଖା ହୋଇଚି ?... ସେତିକିବେଳେ କେଜାଣି କାହିଁକି ଅପୁ ମନରେ ଦାରୁଣ ବିତୃଷ୍ଣା ସୃଷ୍ଟି ହୁଏ ।

 

ସକାଳ ସମୟ । ଅପୁ ଦେଖିଲା ଘରର ପିଲାମାନେ ପ୍ରବେଶ ପଥର ତୋରଣ ପାଖରେ ଚେୟାର ଗାଡ଼ି ଠେଲି ଠେଲି ଖେଳୁଛନ୍ତି । ଗାଡ଼ିଟା ନୂଆ ତିଆରି ହୋଇ ଆସିଛି । ଛଡ଼ ଲାଗିଥିବା ଲୁହାର ଚେୟାର । ତା’ଉପରେ ଚମଡ଼ାର ଗଦି, ଚକଗୁଡ଼ିକ ବଡ଼ ବଡ଼, ଝକ୍‌ଝକ୍‌ କରୁଥିଲା । ସେ ପାଖରେ ଆସି ଛିଡ଼ା ହୋଇ ଦେଖୁଥିଲା । ରମେନ୍‌ କହିଲା ଏଇ, ଆସିଲୁ, ଆମକୁ ଟିକିଏ ଠେଲିଲୁ

 

ସେ ଗାଡ଼ିଟି ଆସିବା ପାଖରୁ ଅପୁର ତା’ ଉପରେ ଲୋଭ ଥିଲା । ଖୁସି ହୋଇ କହିଲା ଠେଲୁଛି, ମୋତେ ଥରଟିଏ ବସିବାକୁ ଦେବେ ତ ?

 

ରମେନ୍‌ କହିଲା ଆଚ୍ଛା ଦେଖିବା, ଠେଲିଲୁ ଟିକିଏ ଜୋର ଲଗେଇ

 

ବେଶ୍‌ କିଛି ସମୟ ଖେଳିଲା ପରେ ରମେନ୍‌ କହିଲା ଥାଉ ଥାଉ ଏ ବେଳା ପାଇଁ ଏତିକି ଥାଉ, ଏବେ ଆଉ ଖେଳିବାନି ସମସ୍ତେ ଗାଡ଼ି ନେଇ ଫେରୁଥିବାର ଦେଖି ଅପୁ କହିଲା ମୁଁ ଟିକିଏ ଚଢ଼ିବିନି ?

 

ରମେନ୍‌ କହିଲା ଆଚ୍ଛା, ଏବେ ଯା । ଏ ବେଳା ଆଉ ଚଢ଼ିବା ଦରକାର ନାହିଁ, ବେଶି ଚଢ଼ିଲେ ପୁଣି ଭାଙ୍ଗିଯିବ ଆରବେଳକୁ ଦେଖିବା

 

କ୍ଷୋଭରେ ଅପୁ ଆଖିରେ ଲୁହ ଜମିଗଲା । ଏତେ ସମୟଧରି ସେ ଆଶାରେ ସମସ୍ତଙ୍କୁ ପ୍ରାଣପଣେ ଠେଲିଥିଲା ।

 

ଅପୁ କହିଲା ଆଉ, ଆପଣ ଯେ କହିଲେ, ମୋ ପାଳି ଆସିଲେ ମୋତେ ଥରେ ଚଢ଼ିବାକୁ ଦେବେ ? ମୁଁ ସମସ୍ତଙ୍କୁ ଠେଲିଲି ଭଲ ଭାବରେ । ସେଦିନ ବି ମୋତେ ଶେଷରେ ଚଢ଼ିବାକୁ ଦେଲେ ନାହିଁ

 

ରମେନ୍‌ କହିଲା କାହିଁକି ଠେଲୁଥିଲୁ । ନ ଚାହିଁଲେ ଠେଲି ନ ଥାନ୍ତୁ । ଯା, ଯାଉନୁ । କିଏ ତୋତେ ଚଢ଼ିବାକୁ ଦେବ ବୋଲି କହିଲା । ଗାଡ଼ି କିଣିବା ପାଇଁ ଟଙ୍କା ଦରକାର ହୁଏନି ବୋଧେ ?

 

ସେ କହିଲା କାହିଁକି ଆପଣ ତ କହିଲେ, ସେ ସନ୍ତୁବି ମୋତେ କହିଥିଲେ ଠେଲି ଠେଲି ମୋ ପାଦ ଦରଜ ହୋଇଗଲାଣି ଆଉ ମୁଁ ଥରଟିଏ ବି ଚଢ଼ିପାରିବିନି ଆପଣ ଭଲ ଲୋକ ତ

 

ରମେନ୍‌ ରାଗିଯାଇ କହିଲା ମୁଁ କହିନି, ଯା

 

ସନ୍ତୁ କହିଲା ଫୁର୍‌...ର୍‌...ର୍‌ । ବଗ ଦେଖିଛୁ ?

 

ଆଉ କିଛି କଥାବାର୍ତ୍ତା ନ ଥିଲା । ହଠାତ୍‌ ବଡ଼ବାବୁଙ୍କ ପୁଅ ଟେବୁ ତା’ ପାଖକୁ ଆସି ଗଳାରେ ଧକ୍କା ଦେଉ ଦେଉ କହିଲା ଯାବେ, ଆମେ ତୋତେ ଚଢ଼ିବାକୁ ଦେବୁନି, ସେଇଟା ଆମର ଇଚ୍ଛା ତୋ’ ନିଜ ଘର ଆଡ଼କୁ ଯାଉନୁ ଏପଟକୁ କାହିଁକି ଖେଳିବାକୁ ଆସିଛୁ ?

 

ଟେବୁ ଅପୁଠୁ ବୟସରେ ସାନ । ତା’କଥାରେ ଅପମାନିତ ହୋଇ କିମ୍ବା ସମସ୍ତଙ୍କ ବ୍ୟଙ୍ଗ ବିଦ୍ରୂପ ସହି ନ ପାରି ଅପୁର ମୁଣ୍ଡଟା ଗୋଳମାଳିଆ ହୋଇଗଲା । ସେ ଝାଡ଼ିଝୁଡ଼ି ବେକ ମୁକୁଳେଇ ଟେବୁକୁ ଧକ୍କାଟିଏ ଲଗେଇଲା । ଟେବୁ ବୁଲି ବୁଲି କାନ୍ଥ ଉପରେ ପଡ଼ିଗଲା । ତା’ କପାଳଟା କାନ୍ଥରେ ବାଜି ଫାଟି ରକ୍ତ ବାହାରି ଆସିଲା । ସେ ସାଙ୍ଗେ ସାଙ୍ଗେ ବିକଟ ଚିତ୍କାର କରି କାନ୍ଦିଉଠିଲା ।

 

ଚାକର ଚାକରାଣୀ ସମସସ୍ତେ ଧାଇଁ ଆସିଲେ । ଖାନ୍‌ସାମା, ଦରୁଆନ୍‌ ସମସ୍ତେ ଧାଇଁ ଆସିଲେ । ଉପର ବୈଠକଖାନାରେ ବଡ଼ବାବୁ ସକାଳେ କଚେରୀ କରୁଥିଲେ, ସେ ବି ଦଳବଳ ସହିତ ଓହ୍ଲେଇ ଆସିଲେ । ଦଶଆଡୁ ଦଶଲୋକ ପାଣି... ପବନ... ଜଳପଟି, ହୈ ହୈ କାଣ୍ଡ ଘଟିଗଲା ।

 

ଗୋଳମାଳ ଟିକିଏ କମିଯିବାରୁ ବଡ଼ବାବୁ କହିଲେ କିଏ ମାରିଛି କହିଲୁ ?

 

ରାମ ନିହାର ସିଂ ଦରୁଆନ୍‌ ପଛରୁ ଠେଲି ଅପୁକୁ ବଡ଼ବାବୁ ସାମନାରେ ଛିଡ଼ା କରେଇଲା ।

 

ବଡ଼ବାବୁ କହିଲେ ଇଏ କିଏ ସେ ? ଓହୋ, କାଶୀର ସେହି ବ୍ରାହ୍ମଣୀ ରାନ୍ଧୁଣୀର ପୁଅ ନା ?

 

ଗିରୀଶ ସରକାର ଆଗକୁ ଆଗେଇ ଆସି କହିଲା ବଡ଼ ବଦ୍‌ମାସ ଟୋକାଟା ୟାର ଇଁଚଡ଼ା ପକା କଥା ଯଦି ଶୁଣିବେ ବାବୁ ସେଦିନ ଥିଏଟର୍‌ ଦିନ ବସିଯାଇଛି ସବା ଆଗରେ ବାବୁମାନଙ୍କ ଜାଗାରେ । ଘୁଞ୍ଚି ବସିବାକୁ କହିଲି ଯେ, ମୋ ମୁହଁ ଉପରେ ଜବାବ ଦେଲା ? ସେଦିନ ପୁଣି ଶେଠ୍‌ଘର ରାସ୍ତାଛକରେ ଦେଖିଲି ବାବୁ ପୁଣି ନାଲି ପଞ୍ଜାବି ପିନ୍ଧି ‘ବାର୍ଡ଼ସାଇ’ ସିଗାରେଟ୍‌ ଟାଣି ଟାଣି ଚାଲିଛନ୍ତି ଏ ବୟସରୁ ସବୁ ଆରମ୍ଭ କରିଦେଇଛି

 

ବଡ଼ବାବୁ ରମେନ୍‌କୁ କହିଲେ ଆଜି ସକାଳେ ତୁମର ମାଷ୍ଟର ଆସିନାହାନ୍ତି ? ପଢ଼ାପଢ଼ି କିଛି ନ ଥିଲା ? ଆରେ କିଏ ଅଛ, ମୋର ବେତ ବାଡ଼ିଟା ଆଣିଲ ? ତା’ ସାଥିରେ ମିଶି ଖେଳିବା ପାଇଁ କିଏ ତୁମମାନଙ୍କୁ କହିଛି ?

 

ରମେନ୍‌ କାନ୍ଦ କାନ୍ଦ ହୋଇ କହିଲା ସିଏତ ଆମମାନଙ୍କ ଖେଳିବା ସମୟରେ ଆସି ପହଞ୍ଚିଯାଏ । ଆମେ କାହିଁକି ଯିବୁ ? ସନ୍ତୁକୁ ପଚାରନ୍ତୁ ଆପଣଙ୍କ ସେହି ଛବିଥିବା ଇଂରାଜୀ ମ୍ୟାଗାଜିନ୍‌ଗୁଡ଼ିକ ଦେଖିବାକୁ ଚାହେଁ ପୁଣି ବଡ଼ ବୈଠକଖାନାରେ ପଶି ଏଟା ସେଟା ହାତ ହଲେଇ ଦେଖେ

 

ଗିରୀଶ ସରକାର କହିଲା ଦେଖନ୍ତୁ, ତା’ର ସଉକଟା ଦେଖନ୍ତୁ

 

ଏଥର ଅପୁର ପାଳି । ବଡ଼ବାବୁ କହିଲେ ଘୁଞ୍ଚିଆ ଏଠିକି ଟେବୁକୁ କାହିଁକି ମାରିଲୁ ?

 

ଭୟରେ ଅପୁର ପ୍ରାଣ ଆଗରୁ ହିଁ ବାହାରି ଯାଇଥିଲା । ସେ ରାଗ ଉପରେ ଆସି ଧକ୍କା ଦେଇଥିଲା ସତ କିନ୍ତୁ ଘଟଣାଟି ଏମିତି ହୋଇଯିବ ବୋଲି ତା’ର ଧାରଣା ନ ଥିଲା । ସେ ଜଡ଼ ହୋଇ ବହୁ କଷ୍ଟରେ କହିଲା ଟେବୁ ମୋତେ ପ୍ରଥମେ ମୋତେ ବଡ଼ବାବୁ କଥା ଶେଷ କରିବାକୁ ନ ଦେଇ କହିଲେ ଟେବୁର ବୟସ କେତେ ଜାଣୁ ?

 

ବନେଇ ଚୁନେଇ କଥା କହିପାରିଥିଲେ ଅପୁ ତରଫରୁ ସଫେଇ ଦେଇ ହେଇଥା’ନ୍ତା ଯେ ଟେବୁର ବୟସ କମ୍‍ ହେଲେ ବି କାମରେ ସେ ଅପୁର ବଡ଼ବାପା ନୀଳମଣି ରାୟଠୁ ବି ବୁଢ଼ା । କହି ହେଇଥାନ୍ତା ଯେ ଟେବୁ ଓ ଏ ଘରର ସବୁ ପିଲାମାନେ ତାକୁ ପୂର୍ବବଙ୍ଗୀ କହି ଚିଡ଼ାନ୍ତି । ବଗ ଦେଖାନ୍ତି । ପଛରୁ ମୁଣ୍ଡରେ ପିଟି ଦେଇ ପଳାନ୍ତି ହେଲେ ତା’ର ଭୁଲ ଯେ ସେ ସେମାନଙ୍କ ପାଖକୁ ଖେଳିବାକୁ ଯାଏ । କିନ୍ତୁ ଅଗଣାଭର୍ତ୍ତି ଲୋକ ସାମନାରେ, ତା’ଛଡ଼ା ବଡ଼ବାବୁଙ୍କ ଆଗରେ କଥା କହିବା ପାଇଁ ତା’ ଜିଭ ତାଳୁ ସହିତ ଲାଖିଗଲା ଭଳି ଲାଗିଲା । ସେ କେବଳ ଏତିକି ମାତ୍ର କହିଲା ଟେବୁ ବି ମୋତେ ଖାଲି ଖାଲି ମୋତେ ଆସି

 

ବଡ଼ବାବୁ ଚିତ୍କାର କରି କହିଲେ ଷ୍ଟୁପିଡ଼୍‌, ପ୍ରଗଳ୍‌ଭ ଟୋକା କିଏ ତୋତେ କହିଛି, ଏପଟକୁ ଆସି ଏମାନଙ୍କ ସହିତ ଖେଳିବାକୁ ଆରେ ଦେଲ, ବେତଟା ଆ, ଆଗେଇ ଆସ, ପାଖକୁ ଆସ

 

ସପାଙ୍ଗ୍‌ କିନା ବେତର ଆଘାତ୍‌ ପିଠିରେ ବାଜିବାରୁ ଅପୁ ସଙ୍ଗେ ସଙ୍ଗେ ବିସ୍ମିତ ଦୃଷ୍ଟିରେ ବଡ଼ବାବୁ ଓ ତାଙ୍କର ପୁନର୍ବାର ଉଦ୍ୟତ ବେତଆଡ଼କୁ ଚାହିଁ ରହିଲା । ତା’ ଜୀବନରେ ସେ ଏଇ ବୋଧେ ପ୍ରଥମ ପ୍ରହାର । ତା’ ବାପା କେବେବି ହାତ ଉଠେଇ ନ ଥିଲେ ତା’ର ବିଭ୍ରାନ୍ତ ମନ ଯେମିତି ପ୍ରଥମ ପ୍ରହାର ଖାଇବାର ସତ୍ୟଟିକୁ ଗ୍ରହଣ କରି ପାରୁନଥିଲା ତା’ପରେ ସେ ନିଜ ଅଜାଣତରେ ବେତଟି ଧରିବା ପାଇଁ ହାତ ଦୁଇଟି ଟେକି ଦେଇଥିଲା । ଏଥର ତା’ର ଦୁଃଖ କରିବାର କିଛି ବାକି ରହିଲାନି । ତା’ର ପାଳି ଅବେଳରେ ପଡ଼ିଗଲା । ବେତର ସପାସପ ଶବ୍ଦରେ ଟେବୁକୁ କି କପାଳ ଯନ୍ତ୍ରଣା ଭୁଲି ଚାହିଁ ରହିବାକୁ ପଡ଼ିଲା । ରାନ୍ଧୁଣୀ ପୁଅର ଯେମିତି ଆଗକୁ ଆଉ ସ୍ପର୍ଦ୍ଧା ନ ହୁଏ, ସେଥିପାଇଁ ବଡ଼ବାବୁ ତାକୁ ଉଚିତ ଶିକ୍ଷା ହିଁ ଦେଲେ । ଅନ୍ୟ ବେତ ହେଇଥିଲେ ହୁଏତ ଭାଙ୍ଗିଯାଇଥାନ୍ତା । ଏ ବେତଟା ବୋଧହୁଏ ଅନେକ ଦାମିକା ।

 

ବଡ଼ବାବୁ ନିଶ୍ୱାସ ନେଇ କହିଲେ ବୁଢ଼ା ପାକଳ ଛତରା ଟୋକା କେଉଁଠିକାର, ଆଜି କେବଳ ତୋତେ ସାବଧାନ କରିଦେଲି, ପୁଣି ଯଦି କେବେ ଶୁଣେ, ଏ ଘରର କେହି ପିଲା ସହିତ ମିଶୁଚୁ, କାନଧରି ସେତିକିବେଳେ ଘରୁ ବିଦା କରିଦେବି । ତା’ପରେ କାହା ଆଡ଼କୁ ଚାହିଁ କହିଲେ ଦେଖନ୍ତୁ ନା ଧୀରେନ୍‌ ବାବୁ, ବିଧବା ମା’, ମ୍ୟାନେଜର ସତୀଶବାବୁ କାଶୀରୁ ଆଣିଥିଲେ । ଭାବିଲି ଭଲ ଜାତିର ଝିଅ ରହୁ । ଏପଟେ ଦେଖନ୍ତୁ କାଣ୍ଡ ! ମା’ ଭାତ ରାନ୍ଧୁଛି ପୁଅ ପଞ୍ଜାବି ପିନ୍ଧି ରାସ୍ତାରେ ସିଗାରେଟ ଟାଣି ବୁଲୁଛନ୍ତି

 

ଧୀରେନ୍‌ବାବୁ କହିଲେ ସେସବୁ ସେମିତି ହିଁ ହୁଏ ୟା’ପରେ କୋକେନ୍‌ ଖାଇବେ ମା’ର ବାକ୍ସ ଭାଙ୍ଗିବେ ତା’ର ନିୟମ ହିଁ ସେଇଟା ତା’ଛଡ଼ା, ପୁଣି କାଶୀର ପିଲା

 

ଘର ଭିତରେ ସବୁକଥା ଯାଇ ପହଞ୍ଚିପାରେନି । ଅପୁ ମାଡ଼ ଖାଇବା କଥା ସର୍ବଜୟା କିନ୍ତୁ ଶୁଣିପାରିଲା । ସେଥିପାଇଁ ବେଶ୍‌ ଭଲ କିନା ଘର ଭିତରେ ତାକୁ ମଧ୍ୟ ଶୁଣିବାକୁ ହେଲା । ଗୃହିଣୀ କହିଲେ ଏମତି ଯଦି ଗୁଣ୍ଡା ପିଲା ହେବ, ତା’ହେଲେ ଇତ୍ୟାଦି ।

 

ସର୍ବଜୟା ରୁଟି ଘରୁ ଆସି ଦେଖିଲା, ଅପୁ ସ୍କୁଲ ଯାଇଛି, ମା’କୁ କିଛି କହିନି । ଏସବୁ କଥା ଅପୁ ମା’କୁ କେବେ କହେନି । ରାଗ, ଦୁଃଖ, କ୍ଷୋଭରେ ସର୍ବଜୟାର ଦେହ ହାତ ଝିମ୍‌ଝିମ୍‌ କରିବାକୁ ଲାଗିଲା । ସର୍ବାଙ୍ଗରୁ ଝାଳ ବୋହିବାକୁ ଲାଗିଲା । ଘର ଭିତରେ ରହିନପାରି ସେ ଅଣ ଓସାରିଆ ବାରଣ୍ଡାରେ ଆସି ଛିଡ଼ା ହେଲା ।

 

ତା’ ଅପୁ ଦେହରେ ଟିପ । ସେ ଏବେବି କହେ, ମା’ ତୁମେ ଯେତେବେଳେ ରୋଷେଇ ଘରୁ ସିଡ଼ିରେ ଆସୁଥିବ ମୁଁ ତୁମକୁ ଡରେଇ ଦେବି ?... ତା’ର କ’ଣ କିଛି ବୁଦ୍ଧିଅଛି ? କେତେ ଦୁଷ୍ଟାମି କରିଥିଲା ? ସେଠି କିଏ ତାକୁ ଜାଣିଛି ? କିଏ ତା’ କାନ୍ଦ ଶୁଣିଛି ?

 

ସର୍ବଜୟାର ବୁକୁ ଫାଟି କାନ୍ଦ ମାଡ଼ି ଆସୁଥିଲା । ଅନ୍ଧାର ରାତି । ଆକାଶରେ ଗୋଟାଏ ଯୋଡେ ତାରା ଦପ୍‌ଦପ୍‌ କରୁଥିଲେ । ଘୋଡ଼ାଶାଳର ଅଁଳା ଗଛ ଡାଳରେ ପବନ ଅଟକିଯାଏ । ଅଗଣା କୋଣରେ ଲୁହାର କଟକଣା ପାଣିକୁଣ୍ଡ ପାଖରେ ବସି କଥାଟାକୁ ମନେ ପକେଇ ପକେଇ କାନ୍ଦର ବେଗରେ ତା’ର ସାରା ଶରୀର ଥରିବାକୁ ଲାଗିଲା

 

ପ୍ରଭୁ, ପ୍ରଭୁ ହେ, ସେ ମୋର ଅତି ଆଦରର ଧନ । ତୁମେ ତ ଜାଣ ସେ ଗୋଟିଏ ଦଣ୍ଡ ଆଖି ଅନ୍ତରାଳରେ ରହିଗଲେ ମୁଁ ସ୍ଥିର ହୋଇ ରହିପାରେନି । ଯାହାକିଛି ଶାସ୍ତି ଦେବାର ଅଛି, ମୋ ଉପରେ ଲଦି ଦିଅ ପ୍ରଭୁ । ତାକୁ କିଛି କୁହନି । ମୋର ଛାତି ଫାଟି ଯାଉଛି ପ୍ରଭୁ, ମୁଁ ଯେ ସହିପାରୁନି

 

ଆଜି ବେଳୁଷୁଁ ଅପୁର ସ୍କୁଲ ଛୁଟି ହୋଇଗଲା । ତା’ କ୍ଲାସ୍‌ର ପିଲାମାନେ କହିଲେ ସେମାନଙ୍କ ଫୁଟବଲ୍‌ ଖେଳରେ ଅପୁକୁ ରେଫାରୀ ହେବାକୁ ପଡ଼ିବ । ଅପୁ, ଖୁବ୍‌ ଖୁସି ହୋଇଗଲା । ଏ ସହରକୁ ଆସିବା ଆଗରୁ ଫୁଟ୍‌ବଲ୍‌ ଖେଳ ସେ କେବେ ଦେଖିନଥିଲା । ସେ ବି ଭଲ ଭାବରେ ଖେଳି ଜାଣେନି । ତଥାପି କ୍ଲାସ୍‌ର ସାଙ୍ଗମାନେ ରେଫାରୀ ହେବା ପାଇଁ ସବୁଠୁ ବେଶୀ ଅପୁକୁ ପସନ୍ଦ କରନ୍ତି । ଖେଳର ରେଫାରୀ ହେବାକୁ ସବୁବେଳେ ତାକୁ ହିଁ ଡକା ହୁଏ ।

 

ସେ କହିଲା ବଡ଼ ହୁଇସିଲ୍‌ଟା ମୋ ବାକ୍ସରେ ଅଛି । ମୁଁ ଠିକ୍‌ ଚାରିଟା ସମୟରେ ପଡ଼ିଆରେ ପହଞ୍ଚିଯିବି

 

ରାସ୍ତାରେ ଫେରୁ ଫେରୁ ଅପୁର ଗତ ସକାଳର କଥାଟା ମନେପଡ଼ିଗଲା । ଆଜି ଦିନଯାକ ସେହି କଥା ହିଁ ସେ ଭାବୁଥିଲା । ବାର୍ଡ଼ସାଇ ସିଗାରେଟ୍‌ଟିଏ ଟାଣିବାକୁ ଯାଇ ଗିରୀଶ ସରକାରଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଏ କଥା ଠିକ୍‌ କିନ୍ତୁ ସେ କ’ଣ ସବୁଦିନ ସିଗାରେଟ୍‌ ଟାଣେ ? ସେଦିନ ମଝିଆ ବୋହୂରାଣୀଙ୍କ ଦାନର ପଞ୍ଜାବିଟା ପିନ୍ଧି ସ୍କୁଲରୁ ଫେରିବା ସମୟରେ ହଠାତ୍‌ ସଉକ ହେଲା ଏମିତି ପଞ୍ଜାବି ପିନ୍ଧି ବାବୁମାନେ ବାର୍ଡ଼ସାଇ ସିଗାରେଟ୍‌ ଟାଣନ୍ତି, ସେ ବି ଥରଟିଏ ଟାଣିବ । ତେଣୁ ଜଳଖିଆ ପଇସାରେ ସିଗାରେଟ୍‍ କିଣି ଟାଣିଥିଲା । ଦିନେ ନିଶ୍ଚିନ୍ତପୁରରେ ଟାଣିଥିଲା, ସେଦିନ ବି ଭଲ ଲାଗିନଥିଲା । ତା’ ମନକୁ ଆସିଥିଲା ଯା, ଏଥିରେ କ’ଣ ଅଛି ଯେ ! ତାକୁ ନ କିଣି ଚଣାଭଜା କିଣି ଖାଇବା ଢେର ଭଲ । ଏ ଜିନିଷ କାହିଁକି ଯେ ଲୋକ କିଣି ଟାଣନ୍ତି । କିନ୍ତୁ ଗିରୀଶ ସରକାର ସବୁକଥା ନ ଜାଣି ନ ଶୁଣି ଯାହା ତାହା କାହିଁକି କହିଲେ ?

 

ଭାଗ୍ୟ ଭଲ, ଲୀଳା ଏଠି ଏବେ ନାହିଁ । ସେ ଗତବର୍ଷଠୁ ଯାଇଛି, ଏଯାଏ ଫେରିନି । ସେ ଫେରିଲେ ବି ଏମାନେ କ’ଣ ତା’ ସହିତ ଆଉ କଥା ହେବା ପାଇଁ ଦେବେ ?

 

ଘରକୁ ଫେରି ଫାଟକ ପାଖରେ ଶୁଣିଲା ଉପର ବୈଠକଖାନାରେ ଗ୍ରାମଫୋନରେ ଗୀତ ବାଜୁଛି । ଶବ୍ଦଟା କାନରେ ବାଜିବାରୁ ସେ ଖୁସିରେ ଉତ୍ସୁକ ଦୃଷ୍ଟିରେ ଉପରକୁ ଚାହିଁ ଦୁଇମହଲାର ଝରକାତଳେ ରାସ୍ତା ଉପରକୁ ଛିଡ଼ା ହୋଇ ରହିଲା । ରାସ୍ତା ଉପରୁ ଗୀତର ଶବ୍ଦ ସବୁ ଭଲ ଭାବରେ ଶୁଣାଯାଏନି । କିନ୍ତୁ ସ୍ୱରଟି ବହୁତ ଚମତ୍କାର । ଶୁଣୁ ଶୁଣୁ ସ୍କୁଲ, ଫୁଟ୍‌ବଲ୍‌ ଖେଳ, ରେଫାରୀ ହେବା, ସକାଳେ ମାଡ଼ ମନରୁ ପୁରାପୁରି ପାସୋରି ହୋଇଗଲା ।

 

ସଙ୍ଗୀତର ସୁରେ ସୁରେ ତା’ର ମନଟି ଆପଣାଛାଏଁ କେଉଁଠାକୁ କେଜାଣି ଭିଡ଼ି ଭିଡ଼ି ଚାଲିଯାଏ । ସେହି ଅତୀତର ସ୍କୃତି ନିଶ୍ଚିନ୍ତପୁରର ନଈ କୂଳରେ ବୁଲୁ ବୁଲୁ ସେ ଦେଖିପାରେ ଆର ପାରିର ନଳବଣର ବିସ୍ତୀର୍ଣ୍ଣ ପ୍ରାନ୍ତରଟି ଯେମିତି ଗୋଟିଏ ଚିତ୍ରପଟ ନାଲି ଫୁଲରେ ଡଗଡଗ କରୁଥିବା ଶିମୁଳି ଗଛଗୁଡ଼ିକ କି ଚିତ୍ରପଟ, ଶୁଖିଲା ଡାଳରେ ବସିଥିବା ପକ୍ଷୀଟିର ଚିତ୍ରପଟ ସବୁ ଯେମିତି କେଉଁ ଶିଳ୍ପୀ ଆଙ୍କି ଦେଇଛି । ପଛରେ ଛାଡ଼ି ଆସିଥିବା ସେମାନଙ୍କର ଦେଶଭୂଇଁଟି, ବହୁତ ବହୁଦୂରର, ଦୂରର ଦେଶଟି କେଉଁ ଦେଶଟି ତାକୁ ଆଉ ଜଣା ନାହିଁ । କିନ୍ତୁ ମନଟା ପ୍ରଫୁଲ୍ଲିତ ହେଲେ ସେ ଆପଣାଛାଏଁ ମାନସପଟକୁ ଚାଲିଆସେ ।

 

କିଏ ଯେମିତି ଡାକେ, କେତେଦୂରରୁ ଉଚ୍ଛ୍ୱସିତ ଆନନ୍ଦଭରା ପରିଚିତ ସୁରରେ ଡାକ ଆସିଯାଏ ଅପୁ ଉ ଉ ଉ ଉ

 

ମନ ଖୁସିରେ ଚଞ୍ଚଳ ହୋଇଉଠେ, କୁହେ ଯାଉଛି ଇ ଇ ଇ

 

ତାଙ୍କର ସାନ ଘର ଭିତରକୁ ସେ ଫେରିଆସିଲା । ତା’ ମା’ ପଚାରିଲେ ବେଳାବେଳି ସ୍କୁଲରୁ ଫେରିଆସିଲୁ ଯେ ?

 

ସେ କହିଲା ଉପର କ୍ଲାସ୍‌ର ପିଲାମାନେ ବଲ୍‌ ଖେଳରେ ଜିତି ଯାଇଛନ୍ତି, ସେଥିପାଇଁ ସ୍କୁଲ ଅଧା ଛୁଟି

 

ତା’ ମା’ ପାଖକୁ ଡାକିଲା ଆ, ଏଠି ବସ୍‌ ଟିକେ । କିଛି ସମୟ ପରେ ତା’ ଦେହରେ ହାତ ବୁଲେଇ ବୁଲେଇ ଟିକିଏ ଇତସ୍ତତଃ ହୋଇ କହିଲା ଆଜି ତୋତେ ଏମାନେ କ’ଣ ପାଇଁ ଡାକି ନେଇ ଗାଳି ଦେଇଛନ୍ତି ?

 

ନା, ସେ ଟେବୁକୁ ଟିକେ ବାଜିଲା, ତେଣୁ ବଡ଼ବାବୁ ଡାକି ପଚାରିଲେ କ’ଣ ହେଇଚି ବୋଲି ସେଇକଥା

 

ଗାଳି ଦେଇ ନାହାନ୍ତି ତ ?

 

ନା

 

ତା’ ମା’ କିଛି ସମୟ ନୀରବ ରହି କହିଲା ଗୋଟାଏ କଥା ଭାବୁଚି, ଏଠୁ ଚାଲିଯିବା ?

 

ସେ ଆଶ୍ଚର୍ଯ୍ୟ ହୋଇ ମା’ ମୁହଁକୁ ଚାହିଁ ରହିଲା । ତା’ପରେ ହଠାତ୍‌ ଖୁସି ହୋଇ କହିଲା କେଉଁଠିକି ମା’, ନିଶ୍ଚିନ୍ତପୁର ? ତା’ହେଲେ ବେଶ୍‌ ଭଲ ହେବ, ଚାଲ ମା’ । ସେଠି ମୁଁ ଠାକୁର ପୂଜା କରିବି ବ୍ରତ ତ ହୋଇଯାଇଛି ନିଜର ଦେଶ, ବେଶ୍‌ ହେବ ଏଠି ଆଉ ରହିବାନି

 

ସର୍ବଜୟା କହିଲା ସେ କଥା ହିଁ ଆଜିକୁ ଦୁଇବର୍ଷ ଧରି ମୁଁ ବି ଭାବୁଛି । ସେଠିକି ଯେ ଯିବୁବୋଲି ଭାବୁଛୁ, କ’ଣ ଆଉ ଅଛି ଆମର ? ମାତ୍ର ଘରଟିଏ । ସେ ବି ଆଜିକୁ ତିନିବର୍ଷ ଧରି ବର୍ଷା ପାଣିରେ ଭିଜୁଥିବ, ଆଉ କ’ଣ ସେ ଭଲ ଅବସ୍ଥାରେ ଏତେ ଦିନ ଧରି ରହିଥିବ ? ମାନ୍ଧାତା ଅମଳର ପୁରୁଣା ଘରଟି ଅଳ୍ପ କିଛି ଧାନ ବିଲ ଥିଲା ହେଲେ ସେତକ ଗଲେ ମୁଣ୍ଡ ଗୁଞ୍ଜିବାର ସ୍ଥାନ ନ ଥିବ ଗଲେ କେବଳ ଲୋକହସା ହେବା କଥା... କିଛି ସମୟ ଚୁପ୍‌ ରହି କହିଲା ବରଂ ଗୋଟାଏ କଥା କରିବା ଚାଲ ଆଚ୍ଛା କାଶୀ ଯିବା ?

 

କଥାବାର୍ତ୍ତାରେ କିଛି ଠିକଣା ହୋଇପାରିଲାନି । ତା’ ମା’ ବି ସେ ପର୍ଯ୍ୟନ୍ତ ଖାଇନଥିଲା । ଗାଧୋଇ ସାରି ପୁଣିଥରେ ରୋଷେଇ ଶାଳକୁ ଚାଲିଗଲା । ଅପୁ ମନକୁ ଗୋଟିଏ ଉପାୟ ଦେଖାଗଲା । ତା’ର କଣ୍ଠସ୍ୱର ମିଠା ବୋଲି ନାନୀ କହେ । ଅପେରାର ବନ୍ଧୁ ବି ସେଥର କହିଥିଲା । ସେ ଯଦି ଗୋଟିଏ ଅପେରାରେ ମିଶିଯାଏ, ନେବେନି ? ଏଠି ମା’ର ଭୀଷଣ କଷ୍ଟ । ଏଇଠୁ ସେ ତା’ର ମା’କୁ ନେଇଚାଲିଯିବ ।

 

ଉଃ, କି ଗରମ ! ରୋଷେଇ ଘରର ନଳ ପାଖରେ ଧୂଆଁର କୁଣ୍ଡଳୀ ଜମି ଜମି ଉପରକୁ ଉଠୁଥିଲା । କାର୍ଣ୍ଣିସ୍‌ ଉପରେ ଖରା... ଘର ଭିତରଟା କିନ୍ତୁ ଅନ୍ଧାର ହୋଇ ଆସିଲାଣି... ଘୋଡ଼ାଶାଳରେ ଯାତାବୀ ସଇସ ହିନ୍ଦୀର ବୋଲି କହୁଛି... ପଥର ଚଟାଣରେ ଘୋଡ଼ାର ଟାପୁ ଠୁଙ୍କିବାର ଖଟ୍‌ ଖଟ୍‌ ଶବ୍ଦ ଶୁଣାଯାଉଛି... ଡ୍ରେନ୍‌ର ସେହି ଉତ୍କଟ ଗନ୍ଧ... ତା’ ମୁଣ୍ଡଟି ଏମିତି ଭାବରେ ଧରିଛି, ଯେମିତି ଏବେ ହିଁ ଛିଣ୍ଡିଯିବ । ସେ ଭାବିଲା ଏବେ ଟିକିଏ ଶୋଇପଡ଼େ, ତା’ପରେ ଉଠି ଖେଳ ପଡ଼ିଆକୁ ଯିବି ଜମାରୁ ତିନିଟା ବାଜିଛି ଏବେ ଖରା ବି ବହୁତ ।

 

ବିଛଣାରେ ଶୋଇ ଶୋଇ ତା’ର କେବଳ ଗୋଟିଏ କଥା ହିଁ ବାରମ୍ବାର ମନକୁ ଆସୁଥିଲା । ସେ କଥାଟିକୁ ଏଭଳି ଭାବରେ ସେ ଚିନ୍ତା କରିନଥିଲା । ଏତେ ଦିନ ଧରି ତା’ ମନର କେଉଁ କୋଣରେ ସ୍ପଷ୍ଟ ଭାବରେ ଅଥଚ ସବୁ ସମୟରେ ସେହି ଗୋଟିଏ କଥା ଜାଗ୍ରତ ହୋଇ ରହିଥାଏ । ଏ ସବୁ ପର୍ବର ଶେଷରେ ସେମାନଙ୍କ ଗାଁ ହିଁ ସେମାନଙ୍କୁ ଅପେକ୍ଷା କରି ରହିଛି । ସେଠାରୁ ଚାଲିଆସିବା ସମୟରେ ଯଦି ବା ତାଙ୍କର ପୁଣିଥରେ ଫେରିଯିବାର କଥା ନ ଥିଲା, ତଥାପି ବି ସେହି ମୋହ ଟିକକ ତା’ ମନରୁ ଏଯାଏଁ କଟିଯାଇନି ।

 

କିନ୍ତୁ ଆଜିର ସମୁଦାୟ ଘଟଣା ଘଟିଯିବା ପରେ ବିଶେଷ କରି ତା’ ମା’ ଓ ବଡ଼ବାବୁର କଥାରେ ସେମାନଙ୍କ ନିରାଶ୍ରୟତା ଓ ଗୃହହୀନତା ଦିଗଟା ତା’ ଆଗରେ ବେଶ୍‌ ସ୍ପଷ୍ଟ ହୋଇଉଠିଲା । ତା’ହେଲେ, ଆଉ କ’ଣ କେବେ ଗାଁ’କୁ ଫେରିହେବନି ? କେବେ ନୁହେଁ ?... କେବେବି ନୁହେଁ ?...

 

ଏମିତି ବିଦେଶ ଭୂଇଁ, ଏଇ ଗିରୀଶ ସରକାର, ଏମିତି ଚୋର ଭଳି ବଞ୍ଚି ରହିବା ତା’ଠୁ ଭଲ ମା’ ପୁଅ ଦୁହେଁ ହାତ ଧରାଧରି ହୋଇ ସବୁଦିନ ପାଇଁ ରାସ୍ତାରେ ରାସ୍ତାରେ ଭିକାରୀ ହୋଇ ବୁଲିବା । ଏମାନଙ୍କ ଭିତରେ ଏଭଳି ଭାବରେ ଜୀବନ ବିତେଇବା କ’ଣ ସେମାନଙ୍କ ଶେଷ ଉଦ୍ଦେଶ୍ୟ ? ସେଇଥିପାଇଁ ଏଠାକୁ ଆସିଛନ୍ତି ?

 

ଅସ୍ତାବଳରେ ଦୁଇଜଣ ସଇସଙ୍କ ଭିତରେ ଝଗଡ଼ା ଲାଗିଛି । ରୋଷେଇ ଘର ଛାତ ଉପରେ ଦଳ ଦଳ କାଉ ଭାତ ଲୋଭରେ ଗହଳି ଜମେଇଛନ୍ତି । ଟିକେ ପରେ ତା’ର ମନହେଲା କ’ଣ ଗୋଟାଏ କଥା ଅନେକ ସମୟ ଧରି ଭାବୁଥିଲା, କ’ଣ ସେ କଥାଟା । ଅସ୍ତାବଳରେ ଘୋଡ଼ା ଟାପୁର ଖଟ୍‌ଖଟ୍‌ ଶବ୍ଦ ବନ୍ଦ ହୋଇନି... ସେ ଯେମିତି ମାଟି ଭିତରେ କେଉଁଠି ହଜି ହଜି ଯାଉଛି... ଖୁବ୍‌... ଖୁବ୍‌ ଭିତରକୁ ଚାଲିଯାଉଛି... ତଳକୁ ଯେମିତି କିଏ ଟାଣି ନେଉଛି ବେଶ୍‌ ଆରାମ ଲାଗୁଛି... ମୁଣ୍ଡଧରା ଆଉ ନାହିଁ, ବେଶ୍‌ ଆରାମ୍‌ ।...

 

× × × ଉଃ କି ଟାଣ ଖରାଟା, ଝାଇଁ ଝାଇଁ କରୁଛି ! ନାନୀର ବି ଯେଉଁ କାଣ୍ଡ ଏତେ ଖରାଟାରେ ବଣ ଭୋଜି ! ସେ କହୁଚି, ନାନୀ ଶୋଇଯା ଟିକେ, ଏତେ ଖରାର ବଣ ଭୋଜି ?

 

× × × ରାନୁ ନାନୀ କାନ ପାଖରେ ବସି କ’ଣ ସବୁ କଥା କହିଯାଉଛି । ଅସୁମାରୀ କଥା । ରାନୁନାନୀର ଆକର୍ଷଣୀୟ ଆଖି ଦୁଇଟା ଅଭିମାନରେ ଛଳଛଳ ଦେଖାଯାଉଛି । ସେ କ’ଣ କରିବ ? ନିଶ୍ଚିନ୍ତପୁରର ତାଙ୍କର ପୁଣି ଅଭାବ ମେଣ୍ଟିବନି ? ରାନୁନାନୀ ପାଖକୁ ଯିବ ନା ଲୀଳା ପାଖରେ ରହିବ ?

 

× × × ହରେନ୍‌ କକା ବଇଁଶୀ ବିକିବା ପାଇଁ ଆଣିଛନ୍ତି । କି ମଧୁର ସ୍ୱରରେ ବଜେଇ ଚାଲିଛନ୍ତି । ସେ ବାପାକୁ କହିଲା ଗୋଟାଏ ପଇସା...ବଇଁଶୀଟି କିଣିବି ବାପା, ପଇସାଟିଏ ଦେବ ?...

 

ତା’ ବାପା ତା’ର ବଡ଼ ବଡ଼ ଚୁଟିକୁ କାନ ପାଖରୁ ସ୍ନେହରେ ଘୁଞ୍ଚେିଇ ଦେଇ କହୁଛନ୍ତି ଗପଟି ବେଶ୍‌ ଭଲ ହୋଇଛି ତ, ଛାପିଲେ ମୋତେ ଆଣି ଦେଖେଇବୁ, ବାବୁ ?

 

ସେ ପଚାରୁଛି ବାପା, କୋକେନ୍‌ କ’ଣ ? ଗିରୀଶ ସରକାର କହୁଛନ୍ତି, ମୁଁ କୁଆଡ଼େ କୋକେନ୍‌ ଖାଇବି

 

ବାପାଙ୍କ ଗଳାରେ ପଦ୍ମବୀଜର ମାଳି, ସେଇ କଥକ ଠାକୁରଙ୍କ ଭଳି । ସେମାନଙ୍କର ମାଝେରପଡ଼ା ଷ୍ଟେସନ । କାଠର ବଡ଼ ପଟାଟିରେ ଲେଖାଅଛି ମା ଝେ ର ପ ଡ଼ା ।

 

ସେ ଆଗରେ ଚାଲିଛି, ପୁଟୁଳି ବୋଝଟା ପିଠିରେ । ତା’ ମା’ ପଛେ ପଛେ ଚାଲିଛନ୍ତି । ସେ ନାଲି ପଞ୍ଜାବିଟା ପିନ୍ଧିଛି । ରାସ୍ତାଯାକ କେମିତି ଛାଇ ଅନ୍ଧାରୁଆ । ଆକାଶରେ ସନ୍ଧ୍ୟାତାରା ଉଠିଲାଣି । ପାଚିଲା ବର ଫଳର ବାସନାରେ ପବନଟା ଭରପୁର ।

 

ନିଶ୍ଚିନ୍ତପୁରର ରାସ୍ତାଟି ଯେମିତି ଶେଷ ହେଉନି... ସେ ଚାଲିଛି... ଚାଲିଛି... ଚାଲିଛି... ସେ ଆଉ ତା’ର ମା’... ଏ ରାସ୍ତାରେ ସେ କେବେବି ଏକା ଆସିନି । ରାସ୍ତା ଚିହ୍ନିପାରୁନି... ଦା’ ହାତରେ ଧରି ଲୋକଟି ଯାଉଛି... ଏ କକା ଶୁଣୁଚ, ନିଶ୍ଚିନ୍ତପୁରକୁ ରାସ୍ତାଟି ଟିକେ ବତେଇ ଦିଅନା ଆମକୁ ? ଯଶଡ଼ା ନିଶ୍ଚିନ୍ତପୁର, ବେତ୍ରବତୀ ନଈ ସେପାରି ? × × ×

 

ତା’ ମା’ ଘର ଭିତରକୁ ପଶି ଆସି କହିଲେ ଆରେ ଅପୁ, ଉଠ, ବେଳ ଆସି ଶେଷ ହେଲାଣିରେ ବାପା, କେଉଁଠିକି ଖେଳିବା ପାଇଁ ଯିବୁ ବୋଲି କହୁଥିଲୁ ? ଉଠ୍‌ ଉଠରେ ଧନ ।

 

ମା’ ଡାକରେ ସେ ଧଡ୍‌ପଡ଼୍‍ କରି ବିଛଣାରେ ଉଠି ବସିଲା ଓ ଚାରିଆଡ଼କୁ ଚାହିଁଲା ଉଃ, ସତରେ ବେଳ ଶେଷ ହୋଇଯାଇଛି ! ଖରା ଯାଇ କେଉଁଠି ପହଞ୍ଚିଲାଣି ? ତା’ ମା’ କହିଲେ କହୁଥିଲୁ ପରା କେଉଁଠିକି ଖେଳିବାକୁ ଯିବୁ, କାହିଁ ଗଲୁନି ତ ? ଅବେଳରେ କେତେ ଗାଢ଼ ନିଦରେ ଶୋଇଗଲୁ ? ତୋ’ର ସେ ହୁଇସିଲ୍‌ଟା ଦେବି ?

 

ଟିଣବାକ୍ସରୁ କାଢ଼ି ହୁଇସିଲ୍‌ଟା ସେ ବିଛଣା କଡ଼ରେ ରଖିଦେଲା ସତ, କିନ୍ତୁ ରେଫାରୀଗିରି କରିବାକୁ ଯିବାର କୌଣସି ଆଗ୍ରହ ପ୍ରକାଶ ଆଉ କଲାନି । ୟା ଭିତରେ ଅନ୍ଧାରୁଆ ହୋଇଗଲାଣି । ଉଠି ଆସି ଝରକା ପାଖରେ ଛିଡ଼ା ହେଲା । ଅନ୍ୟମନସ୍କ ଭାବରେ ବାହାର ଆଡ଼କୁ ଚାହିଁ ନୀରବରେ ଛିଡ଼ା ହୋଇ ରହିଲା । ବେଳ ଜମାରୁ ନାହିଁ । ଅସହ୍ୟ ଗୁଳ୍‌ଗୁଳି, ପବନ ବନ୍ଦ ହୋଇଯାଇଛି । ଅସ୍ତାବଳର ଡ୍ରେନ୍‌ ଗନ୍ଧଟି ଯେମିତି ଅଧିକ ଉତ୍କଟ ହୋଇଉଠିଛି । ଫାଟକର ବଡ଼ ଘଣ୍ଟାରେ ଠଙ୍ଗ୍‌ ଠଙ୍ଗ୍‌ କରି ବୋଧହୁଏ ଛଅଟା ବାଜିଲା ।

 

ସେ ଯେଉଁ ଅସ୍ତାବଳ ଉପରେ ଆକାଶ, ତାହାରି ସେପଟେ ପୂର୍ବଦିଗରେ ବହୁତ ଦୂରରେ ସେମାନଙ୍କର ନିଶ୍ଚିନ୍ତପୁର ଗାଁ ।

 

ଆଜିକୁ ବହୁତ ଦିନ ହେଲା ସେ ନିଶ୍ଚିନ୍ତପୁର ଦେଖିନି ତିନି ବର୍ଷ ! କେତେ କାଳ ସତରେ !

 

ସେ ଜାଣେ ନିଶ୍ଚିନ୍ତପୁର ତାକୁ ଦିନରାତି ସବୁ ସମୟରେ ଡାକେ । ଶଙ୍ଖାରୀ ପୋଖରୀ ଡାକେ । ବାଉଁଶବଣଟା ବି ଡାକ ଦିଏ । ସୋନାଡାଙ୍ଗା ପ୍ରାନ୍ତରଟା ଡାକଦିଏ । କଦମ୍ବବନର ସାହେବ ଘାଟ ଡାକେ, ଦେବୀ ମା’ ବିଶାଳାକ୍ଷୀ ଡାକ ଦିଅନ୍ତି ।

 

ପୋତା ଭିଟାମାଟିର ମିଠା କମଳାର ଫୁଲର ଗନ୍ଧ ଭିତରେ ସଜନା ଗଛ ଛାଇ ତଳେ ତଳେ, ପୁଣି କେବେ ଯିବା ହେବ ? ପୁଣି କେବେ ତାଙ୍କ ଘର କଡ଼ରେ ଶିରୀଷ ଓ ସୁନାରୀ ଗଛରୁ ପକ୍ଷୀଙ୍କ କଳରବ ଶୁଣିପାରିବ ?

 

ଏତେଦିନ ପରେ ସେମାନଙ୍କର ସେଠାରେ ଇଚ୍ଛାମତୀ ନଦୀରେ ବନ୍ୟା ଆସିଛି । ନଈଘାଟର ଶିମୁଳି ଗଛମୂଳରେ ପାଣିର ସୁଅ ଚାଲିଛି । ବଣବୁଦାରେ କଣ୍ଟା ଲଟା ଛନ୍ଦି ଯାଇଛି, ବଣକଲମିରେ ଫୁଲ ଫୁଟିଛି । ବଣ ଅପରାଜିତା’ର ନୀଳ ଫୁଲରେ ବଣ ଉପରଟା ଆଚ୍ଛାଦିତ ।

 

ସେମାନଙ୍କ ଗାଁ ଘାଟରେ ସାରୁ ବୁଦା ପାଖ ଦେଇ ରାଜୁ କକା ହୁଏତ ଏବେ ତାଙ୍କର ଅଭ୍ୟାସ ମୁତାବକ ଅବେଳରେ ଗାଧୋଇ ଯାଉଥିବେ । ଓଉପୋତା ବାଙ୍କରେ ନୂଆ କାଶତଣ୍ଡି ବଣ କଡ଼େ କଡ଼େ ଅକ୍ରୁର ମାଝି ମାଛ ଧରିବା ଧାଉଡ଼ି ବସେଇଥିବ । ଆଜି ସେଠାକାର ହାଟପାଳି । ନଣନ୍ଦ ପୋଖରୀ ସେହି ବରଗଛ ପଛପଟେ ଦିଗ୍‌ବଳୟ କୋଳରେ ଜ୍ୱଳନ୍ତା ଅଗ୍ନିର ଛଟା ଭଳି ସୂର୍ଯ୍ୟ ଅସ୍ତ ହେଉଥିବେ । ଆଉ ତା’ରି ତଳେ ତଳେ ପ୍ରାନ୍ତରର ପଥ ଅତିକ୍ରମ କରି ଗାଁ’ର ପିଲା, ପଟୁ, ନୀଲୁ, ତିନୁ, ଭୋଳା ସମସ୍ତେ ହାଟରୁ ସଉଦା ଧରି ଫେରୁଥିବେ ।

 

ଏତେବେଳକୁ ତାଙ୍କର ଜଙ୍ଗଲ ଘେରା ଘରର ଅଗଣାରେ ଗାଢ଼ ଛାୟା ମାଡ଼ି ଆସୁଥିବ । କିଚିରିମିଚିରି କରି ପକ୍ଷୀ ରାବୁଥିବେ । ସେଇ ମିଠା, ନିଃଶବ୍ଦ, ଶାନ୍ତ ବିକାଳ ବେଳରେ ସେହି ହଳଦିଆ ଚଢ଼େଇଟା ଆଜି ବି ପାଚେରୀ ପାଖ ବାଉଁଶ କଣି ଅଗରେ ବସିଥିବ । ମା’ ଲଗେଇଥିବା ଲେମ୍ବୁଗଛରେ ଏବେ ଲେମ୍ବୁ ଫଳୁଥିବ ।

 

ଆଉକିଛି ସମୟ ପରେ ତାଙ୍କର ସେ ଭିଟାରେ ସନ୍ଧ୍ୟାର ଅନ୍ଧକାର ମାଡ଼ି ଆସିବ । କିନ୍ତୁ ସେ ସନ୍ଧ୍ୟାରେ ସେଠାରେ କେହି ସଞ୍ଜବତୀ ଜାଳିବେନି । ପ୍ରଦୀପ ଦେଖାଯିବନି । ରୂପ କଥାର କାହାଣୀ ଶୁଣାଯିବନି । ନିର୍ଜନ ଭିଟାର ଅଗଣାଭର୍ତ୍ତି କଳାମେଘ ଭଳି ଜଙ୍ଗଲରେ ଝିଙ୍କାରୀ ଡାକୁଥିବ । ଗଭୀର ରାତି ଶୂନ୍‌ଶାନ୍‌ ହୋଇଗଲେ ପଛପଟର ଘନ ଜଙ୍ଗଲ ଭିତରେ ଯଜ୍ଞଡିମିରି ଗଛରୁ ଲକ୍ଷ୍ମୀପେଚାର ରାବ ଶୁଣାଯିବ... କେହି, କେବେ ସେପଟକୁ ଯାଉନଥିବେ, ଗଭୀର ଜଙ୍ଗଲ ଭିତରେ ଲୁଚି ଯାଇଥିବା ମା’ର ସେ ଲେମ୍ବୁ ଗଛର ସନ୍ଧାନ କେହି କେବେ ପାଇପାରିବେନି । ରକ୍ତ ଜବା ଫୁଲ ଫୁଟି ମନକୁ ମନ ଝାଉଁଳି ତଳେ ପଡ଼ୁଥିବ । କୋଳି, ଆଦି ସବୁ ଅଯଥାରେ ପାଚୁଥିବ । ହଳଦିଆ ଡେଣାର ଲାଞ୍ଜଥିବା ଚଢ଼େଇଟି କାନ୍ଦି କାନ୍ଦି ଫେରିଆସିବ ।

 

ବଣ କଡ଼ରେ ଅପୂର୍ବ ମାୟାମୟ ବିକାଳ ସବୁ ମିଛରେ ସବୁଦିନ ଆସୁଥିବ !

 

ଆର ଓଳି ସକାଳ ପହରଟାରେ ଅଗଣାରେ ଅନେକ ଲୋକଙ୍କ ଆଗରେ ବିନା ବିଚାରରେ ମାଡ଼ ଖାଇ ତା’ ଆଖିରୁ ଟୋପାଏ ବି ଲୁହ ଝରିନଥିଲା । କିନ୍ତୁ ବର୍ତ୍ତମାନ ସେ ନିର୍ଜନ ଘର ଝରକା ପାଖରେ ଏକାକୀ ଛିଡ଼ା ହୋଇ ହଠାତ୍‌ କାନ୍ଦି କାନ୍ଦି ଅସ୍ଥିର ହୋଇଉଠିଲା । ଉଚ୍ଛ୍ୱସିତ ଆଖିର ଲୁହ ସବୁ ଝର୍‌ଝର୍‌ କରି ବୋହି ତା’ର ସୁନ୍ଦର ଗଣ୍ଡ ଦେଶକୁ ଭିଜେଇ ଦେଉଛି । ଆଖି ପୋଛିବାକୁ ହାତ ଟେକି ସେ ଆକୁଳ ସ୍ୱରରେ ମନେ ମନେ କହିଲା ଆମେ ଯେମିତି ନିଶ୍ଚିନ୍ତପୁରକୁ ଫେରିଯାଉ ଭଗବାନ ତୁମେ ଏହାହିଁ ପୂରଣ କର, ଠିକ୍‌ ଯେମିତି ଆମେ ନିଶ୍ଚିନ୍ତପୁର ଯାଇପାରୁ ନ ହେଲେ ମୁଁ ବଞ୍ଚିବିନି ତୁମ ପାଦ ଧରୁଛି, ଭଗବାନ

 

ପଥର ଦେବତା ପ୍ରସନ୍ନ ହୋଇ ହସି ହସି କହିଲେ ଆରେ, ମୂର୍ଖ ବାଳକ ମୋର ପଥଟି ତ ତୁମ ଗାଁ’ର ବାଉଁଶବଣରେ ଶେଷ ହୋଇନି, ଶେଷ ହୋଇନି ଡକାୟତ ବୀରୁ ରାୟର ବରଗଛ ମୂଳରେ କିମ୍ବା ଧଳଚିତ୍‌ର ନୌକା ଘାଟର ସୀମାରେ ? ତୁମର ସୋନାଡାଙ୍ଗାର ପ୍ରାନ୍ତର ଅତିକ୍ରମ କରି ଇଚ୍ଛାମତୀକୁ ପାରି ହୋଇ, ପଦ୍ମଫୁଲରେ ଭର୍ତ୍ତି ମଧୁ ଖାଲି ବିଲ ପାଖଦେଇ, ବେତ୍ରବତୀର ନୌକାରେ ଚଢ଼ି, ମୋ ଚଲାପଥଟି ମାଡ଼ିଯାଇଛି ଆଗକୁ... ଆଗକୁ... କେତେ ଆଗକୁ, ଦେଶ ଛାଡ଼ି ବିଦେଶ ଆଡ଼କୁ, ସୂର୍ଯ୍ୟୋଦୟ ଛାଡ଼ି ସୂର୍ଯ୍ୟାସ୍ତ ଆଡ଼କୁ । ଜଣାର ସୀମାକୁ ଛାଡ଼ି ଅଜଣା ଆଡ଼କୁ...

 

ଦିନରାତି ପାରି ହୋଇ, ଜନ୍ମ ମୃତ୍ୟୁ ପାରି ହୋଇ, ମାସ ବର୍ଷ ମନ୍ୱନ୍ତର, ମହାଯୁଗ ଅତିକ୍ରମ କରି ଚାଲିଥାଏ... ତୁମ୍ଭମାନଙ୍କର ମର୍ମର ଜୀବନ-ସ୍ୱପ୍ନ, ଶିଉଳି ଛତା’ର ଦଳରେ ଭରିଯାଏ । ଚଲାପଥ ତେବେବି ମୋର ଶେଷ ହୁଏନି... ଚାଲେ.. ଚାଲେ... ଚାଲେ... ଆଗେଇ ଚାଲେ...

 

ଅନିର୍ବାଣ ବୀଣାର ତା’ର ଶୁଣେ କେବଳ ଅନନ୍ତ କାଳ ଆଉ ଅନନ୍ତ ଆକାଶ...

 

ସେ ପଥର ବିଚିତ୍ର ଆନନ୍ଦ ଯାତ୍ରାର ଅଦୃଶ୍ୟ ତିଳକ ତୁମ କପାଳରେ ପିନ୍ଧେଇ ଦେଇ ତୁମକୁ ତ ମୁଁ ଘରଛଡ଼ା କରି ଆଣିଛି !...

 

ଚାଲ, ଆଗକୁ ଆଗେଇ ଯିବା ।

***